Course Category: ଓଡିଆ କ୍ଷୁଦ୍ରଗଳ୍ପ

ହିରୋଇନ

ହିରୋଇନ

ହିରୋଇନ ସେଇ ଟ୍ରେନରେ ହିରୋଇନ ଯାଇଥିଲା… ହିରୋଇନକୁ ଖୋଜୁଥିଲେ ସେମାନେ…..       ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନରେ ଜଣେ ଚଳଚିତ୍ର ତଥା ଟିଭି ସିରିଏଲ ଅଭିନେତ୍ରୀ, କାବ୍ୟା ଯାତ୍ରା କରୁଥିବାର ଖବର ଜଣା ପଡିଲା ପରେ ମିଡିଆ ତଥା ସାଧାରଣ ଲୋକମାନଙ୍କ ଭିତରେ ଖେଳିଯାଇଥିଲା ଏକ ଅଦ୍ଭୁତ ଉତ୍ସୁକତା ଓ ଖବରଟି ଖୁବ ଶୀଘ୍ର ଭାଇରାଲ ହୋଇ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥିଲା। ଯଦିଓ କାବ୍ୟା ସେମିତି କେଉଁ ସୁପରଷ୍ଟାର ବା ଚର୍ଚ୍ଚିତ ଅଭିନେତ୍ରୀ ନଥିଲା, ତଥାପି କିଛି ସି ଗ୍ରେଡ ସିନେମାର ବୋଲ୍ଡ/ଅନ୍ତରଙ୍ଗ ଦୃଶ୍ୟ ପାଇଁ ଲୋକେ ଚିହ୍ନିଥିଲେ ତାକୁ। ଶିଶୁ କଳାକାର ଭାବେ ସିନେମାରେ ନିଜ କ୍ୟାରିଆର ଆରମ୍ଭ କରିଥିବା କାବ୍ୟା ଓରଫ କବିତା ଦାସ, ପ୍ରଥମ ଦୁଇ ସିନେମାରେ ନିଜର ସୁନ୍ଦର ଅଭିନୟ ପାଇଁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇ ବହୁତ ପ୍ରଶଂସା ସାଉଁଟି ଥିଲା। ତେବେ ବଡ଼ ହୋଇ ନିଜ ନାଁ କୁ କବିତାରୁ କାବ୍ୟାକୁ ବଦଳାଇ ହିରୋଇନ ରୋଲ କିଛି ସିନେମାରେ କରିଥିଲେ ବି ଏତେ ପ୍ରସିଦ୍ଧି ପାଇ ନଥିଲା। ଧୀରେ ଧୀରେ କିଛି ଭୋଜପୁରୀ ସିନେମା ସହ ଆଇଟମ ସଙ୍ଗ ଓ ପରେ କିଛି ଟିଭି ସିରିଏଲ ରେ ଛୋଟ ମୋଟ ରୋଲ ବି କରିଥିଲା। ମଝିରେ ମଝିରେ ରୂପେଲି ପରଦାରୁ କିଛି ସମୟ ପାଇଁ ଗାଏବ ବି ହୋଇଯାଉଥିଲା। ସେଦିନ କାଳେ “ଏକକୋଟି” ବୋଲି ଗୋଟିଏ ନିର୍ମାଣାଧୀନ ସିନେମାର ଆଉଟଡୋର ସୁଟିଙ୍ଗ ସାରି ଟ୍ରେନ ରେ ଫେରୁଥିଲା କାବ୍ୟା। ଟିଭି ସ୍କ୍ରିନରେ କାବ୍ୟା ଅଭିନୟ କରିଥିବା କିଛି ଚଳବିତ୍ର ତଥା ଟିଭି ସିଏଲର ଦୃଶ୍ୟର ଫଟ ଦେଖାଇ ଉଦଘୋଷକ ଟିକେ ବ୍ୟତିବ୍ୟସ୍ତ ସ୍ୱରରେ କହୁଥିଲେ – ଦୁର୍ହିଘଟଣା ଗ୍ରସ୍ତ ଟ୍ରେନରେ ଯାତ୍ରା କରୁଥିବା ହିରୋଇନ କାବ୍ୟାଙ୍କର ବି କିଛି ଖବର ବର୍ତ୍ତମାନ ସୁଦ୍ଧା ମିଳିନାହିଁ।” ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିବା କିଛି ସ୍ଥାନୀୟ ଯୁବକ ସେଇ ଅନ୍ଧାର ଭିତରେ ରେଳ ଧାରଣା ନିକଟରେ କାବ୍ୟାକୁ ଆବିଷ୍କାର କରି ଆହତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ । ଦୁର୍ଘଟଣାସ୍ଥଳରୁ ହିରୋଇନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର ଫଟବି ଭାଇରାଲ ହୋଇଥିଲା। ମୁଣ୍ଡ ତଥା କାନ୍ଧରେ ଆଘାତ ଲାଗିଥିଲା କାବ୍ୟା’ର। ଅନ୍ୟ ଆହତ ଯାତ୍ରୀଙ୍କ ସହିତ କାବ୍ୟା ବି ଆଡ଼ମିଟ ହୋଇଥିଲା ହସପିଟାଲରେ। ନୀଳ ରଙ୍ଗର ଏକ ହ୍ୟାଣ୍ଡ ବ୍ୟାଗଟିକୁ କିନ୍ତୁ ଜାବୁଡି ଧରିଥିଲା କାବ୍ୟା। ଆକ୍ସିଡେଣ୍ଟ ପରେ ବଗି ଭିତରୁ ସେ ବାହାରକୁ ଛିଟିକି ପଡିଥିଲା ଓ ବେହୋସ ହୋଇଯାଇଥିଲା। ହୋସ ଫେରିବା ପରେ, ଲୋକମାନେ ତାକୁ ଉଦ୍ଧାର କଲାପରେ, ରେଳ ଧାରଣା କଡ଼ରେ ସେଇ ଅନ୍ଧାରରେ ନିଜ ହ୍ୟାଣ୍ଡ ବ୍ୟାଗଟିକୁ ଦେଖି ସେ ବହୁତ ଖୁସି ହୋଇଯାଇଥିଲା ଓ ବ୍ୟାଗ ଉପରୁ ହାତ ମାରି କାହିଁକି କେଜାଣି ସେ ଆଶ୍ୱସ୍ତ ହୋଇଥିଲା। ବଗି ଭିତରେ ଯଦିଓ ତା ଟ୍ରଲି ବ୍ୟାଗ ରହିଯାଇଥିଲା ଓ ମୋବାଇଲ କୁଆଡେ ପଡିଯାଇଥିଲା, ତଥାପି କାବ୍ୟା ବେଶୀ  ଚିନ୍ତିତ ନଥିଲା। ହସ୍ପିଟାଲରେ ମୁଣ୍ଡ ବ୍ୟାଣ୍ଡେଜ ପରେ କାବ୍ୟାକୁ ସ୍କାନିଂ ପାଇଁ ହୁଇଲ ଚେଆରରେ ବସାଇ ନେଲାବେଳେ ଜଣେ ବ୍ୟକ୍ତି ତା ପାଖକୁ ଆସି ଚୁପକିନା ତା ହାତରୁ ସେଇ ହ୍ୟାଣ୍ଡ ବ୍ୟାଗଟିକୁ ନେଇ ଚାଲିଗଲା। ଲୋକଟିକୁ ନିରବରେ କେବଳ ଥରେ ଚାହିଁଥିଲା କାବ୍ୟା।ହସ୍ପିଟାଲ ପରିସରରେ ଜମା ହୋଇଥିବା ଲୋକେ ଦେଖୁଥିଲେ ହିରୋଇନଙ୍କୁ। ଡକ୍ଟର ତାକୁ ପଚାରୁଥିଲେ, -ଏବେ ଆପଣଙ୍କୁ କେମିତି ଲାଗୁଛି ମ୍ୟାଡମ ? କିଛି ଗିଡିନେସ ?ବହୁତ ଲକି ଆପଣ, ଏତେ ବଡ଼ ଆକ୍ସିଡେଣ୍ଟ ରୁ ଆପଣ ରକ୍ଷା ପାଇଯାଇଛନ୍ତି ।” ଏଥର କାହିଁକି କେଜାଣି ନିଜକୁ ବହୁତ ହାଲକା ଅନୁଭବ କରୁଥିଲା କାବ୍ୟା, କାରଣ ସବୁଠୁ ଦାମୀ ଜିନିଷ ତ ବଞ୍ଚିଯାଇଛି। ହସ୍ପିଟାଲରେ ଏକ ରୁମକୁ ଶିଫ୍ଟ ହୋଇଥିଲା ସେ।ସେ ରୁମ ରେ ଆଉ ତିନି ଜଣ ପେସେଣ୍ଟ ବି ଥିଲେ। ମଧ୍ୟ ରାତ୍ରିରେ ଦୁଇଜଣ ଲୋକ ସେଇ ରୁମରେ ପଶି ମୁହଁ ଘୋଡାଇ ଶୋଇଥିବା ଜଣେ ମହିଳାଙ୍କୁ ପଚାରୁ ଥିଲେ କହୁଥିଲେ, -ହିରୋଇନ କାହିଁ !” କିଛି ଦୂରରେ ଅନ୍ୟ ବେଡ଼ରେ ଶୋଇଥିବା କାବ୍ୟା ନିଜ ମୁହଁରୁ ଚଦର କାଢି ବୋକାଙ୍କ ଭଳି ଅନେଇଥିଲା । ରୁମ ଭିତରକୁ ଡ୍ୟୁଟିରେ ଥିବା ନର୍ସ ପଶିଆସି ସେଇ ଦୁଇଲୋକଙ୍କ ଉପରେ ରାଗିଯାଇ ବଡ଼ ପାଟିରେ କହିଲା, -ଟିକେ ଖରାପ ଲାଗୁନି ? ଏଠି ଆକ୍ସିଡେଣ୍ଟ ଯୋଗୁଁ ଆହତ ପେସେଣ୍ଟଙ୍କ ଚିକିତ୍ସା ଚାଲିଛି ,ଆଉ ତୁମେ ଦୁଇଜଣ ହିରୋଇନ ଖୋଜୁଛ ? ସେଲ୍ଫି ଉଠାଇବା ପାଇଁ ?ବାହାର ଏ ରୁମରୁ, ସିକ୍ୟୁରିଟି କୁ ଡାକିବି ?” ଯିବା ପୂର୍ବରୁ ସେ ଦୁଇ ଜଣଙ୍କ ଭିତରୁ ଜଣେ କାବ୍ୟାକୁ ଦେଖି ତା କାନରେ କିଛି କହିଦେଇ ଚାଲିଗଲା। ପରଦିନ ଟିଭିରେ ବ୍ରେକିଙ୍ଗ ନିଉଜ ଦେଖାଉଥିଲା, -ହିରୋଇନ ହରାଇଛନ୍ତି ସ୍ମରଣଶକ୍ତି। ଟ୍ରେନ ଦୁର୍ଘଟଣାରେ ଆହତ ହିରୋଇନ କାବ୍ୟା, ନିଜ ସ୍ମରଣ ଶକ୍ତି ହରାଇଛନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି।” ସମସ୍ତେ ଆହା, ଚୁ ଚା କରି ସମବେଦନା ଜଣାଉଥିଲେ।ଟ୍ରମା ସେଣ୍ଟର କୁ ଶିଫ୍ଟ ହୋଇଥିଲା କାବ୍ୟା। ଖଟ ଉପରେ ଶୋଇ ଚାରି ଆଡକୁ ଜୁଳୁଜୁଳୁ କରି ଚାହୁଁଥିଲା।କାବ୍ୟା’ର ପରିବାର ଲୋକ ଆସି ରୁମ ବାହାରେ ଠିଆ ହୋଇ କାନ୍ଦୁଥିଲେ।କାହାକୁ ଚିହ୍ନୁ ନଥିଲା କାବ୍ୟା। ଡକ୍ଟର ପରିବାରଲୋକଙ୍କୁ ସାନ୍ତ୍ୱନା ଦେଇ କହୁଥିଲେ, -ଆପଣମାନେ ବ୍ୟସ୍ତ ହୁଅନ୍ତୁନି।ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ଏଭଳି ସାମୟିକ ବିସ୍ମୃତି କିଛି ଲୋକଙ୍କ ପାଖରେ ଦେଖିବାକୁ ମିଳେ।ଧୀରେ ଧୀରେ ସବୁ ଠିକ ହୋଇଯିବ ବୋଲି ମୋର ବିଶ୍ୱାସ।ରୋଗୀ ପାଖରେ ବସି ପୁରୁଣା କଥା ମନେ ପକାଇବାରେ ସାହାଯ୍ୟ କରନ୍ତୁ।” କାବ୍ୟା’ର ମାଆ ତା ପାଖରେ ବସି ତା ହାତ, ଗୋଡ଼ରେ ହାତ ବୁଲାଇ ଆଣି ପଚାରିଲେ, -ମା’ ରେ, ମୁଁ କିଏ କହିଲୁ ?” କାବ୍ୟା ଯାହା କହିଲା ତା ଶୁଣି ଆଶ୍ଚର୍ଯ୍ୟ ହୋଇ ବାହାରକୁ ଉଠି ଚାଲିଗଲେ ତା ମା।ଡକ୍ଟର ପଚାରିଲେ, -କଣ କହିଲା ପେସେଣ୍ଟ ?” ଗମ୍ଭୀର ସ୍ୱରରେ କାବ୍ୟା’ର ମା କହିଲେ, -ତା ନୂଆ ସିନେମା, “ଏକକୋଟି” କଥା ମନେ ପକାଇ ବାରମ୍ବାର କାନ୍ଦୁଛି ସେଇ କଥାକୁ ଘୋଷି ହୋଇ କହୁଛି ଗୁଣ୍ଡାମାନେ ମୋତେ ମାରିଦେବେ।” ଡାକ୍ତର ମୁଣ୍ଡ ହଲାଇ କହୁଥିଲେ, -ଆହା ବିଚାରୀ, ସିନେମାର ସିନ ତାଙ୍କ ମନରେ ଗଭୀର ଛାପ ଛାଡିଛି। ତାଙ୍କୁ ଏକୁଟିଆ ଛାଡି ଦିଅନ୍ତୁ।” କାବ୍ୟା କାନରେ ପ୍ରତିଧ୍ବନିତ ହେଉଥିଲା ଗତ କାଲି ରାତିର ଏକ ଧମକ, -ଭାଇ’ର ପୁରା ଏକ କୋଟି ଟଙ୍କାର ମାଲ ତୋ ବ୍ୟାଗରେ ଥିଲା। ନକଲି ମାଲ ସେ ବ୍ୟାଗରେ ପୁରାଇ, ଅସଲି ମାଲ ତୁ କାହାକୁ ଦେଇଛୁ ? ଭାଇ ତୋତେ ଜୀବନରୁ ମାରିଦେଵ। ସେତେବେଳେ ସ୍ଵର୍ଗରେ ହେଉଥିବୁ ହିରୋଇନ।” ଚମକି ପଡିଥିଲା କାବ୍ୟା। ବ୍ୟସ୍ତ ହୋଇ ସେ କହିଥିଲା, -ମୁଁ କିଛି ଜାଣିନି। ଆକ୍ସିଡେଣ୍ଟ ପରେ ଅନ୍ଧାର ଭିତରେ ସେ ବ୍ୟାଗକୁ ଧରି ମୁଁ ଚାଲି ଆସିଥିଲି। କିଏ ଯଦି ସେ ପ୍ୟାକେଟ ନେଇ ଯାଇଥିବ ?” -ଆଛା ! ଅସଲି ମାଲ ନେଇ, ନକଲି ମାଲ ତୋ ବ୍ୟାଗରେ କିଏ ରଖିବ ?” କାବ୍ୟାର ମୁଣ୍ଡ ବୁଲାଇ ଦେଲାଭଳି ଲାଗୁଥିଲା। କିଏ କଣ ତାକୁ ଫଲୋ କରୁଥିଲା ଓ ଆକ୍ସିଡେଣ୍ଟ ଭିତରେ ମାଲ ବଦଳାଇ ଦେଲା ? ଜାଣି ପାରୁ ନଥିଲା କଣ କରିବ . ଏଇ ସମୟରେ ସେ ଦେଖିଲା ଅନ୍ୟ ଏକ ବେଡ଼ରେ, ମୁଣ୍ଡ ବ୍ୟାଣ୍ଡେଜ ହୋଇ ଶୋଇଥିବା ଜଣେ ରୋଗୀଙ୍କୁ ଡାକ୍ତର ପଚାରୁଥିଲେ, -ମଉସା,ତୁମ ନାଁ କଣ ?ଘର କେଉଁଠି ?” ବଲବଲ କରି ଖାଲି ଚାହୁଁଥିଲା ସେ ଲୋକଟା।କିଛି କହୁ ନଥିଲା।କିଏ ଜଣେ କହୁଥିଲା, ବିଚରା ସ୍ମରଣ ଶକ୍ତି ହରାଇଛି ବୋଧେ। ହଠାତ କାବ୍ୟା ମୁଣ୍ଡକୁ ଗୋଟେ ବୁଦ୍ଧି ଆସିଲା। ନିଜ ଜୀବନ ବଞ୍ଚାଇବା ପାଇଁ ସେ ସ୍ମରଣ ଶକ୍ତି ହରାଇଛି ବୋଲି ଅଭିନୟ କରିବା ଆରମ୍ଭ କରିବାକୁ ସ୍ଥିର କରିଥିଲା। ସିନେମା ହିରୋଇନ ସେ,ଅଭିନୟ ତ ତା ପାଇଁ ବାଁ ହାତ ର ଖେଳ। ପରଦିନ ସେ ଦେଖିଥିଲା ସେଇ ରୋଗୀ ପାଖରେ ତା ପରିବାର ଲୋକେ ପହଞ୍ଚି ଡାକ୍ତରଙ୍କୁ କହୁଥିଲେ, -ସାର,ୟାଙ୍କ ନାଁ ନିଧି ମହାରଣା। ମିସ୍ତ୍ରୀ କାମ କରିବାକୁ ଯାଇ, ବର୍ଷକ ପରେ ଗତକାଲି ଟ୍ରେନରେ ଏକୁଟିଆ ଫେରୁଥିଲେ।” ଡାକ୍ତର ସେମାନଙ୍କୁ ବୁଝାଇ ବାହାରକୁ ପଠାଇଲା ବେଳେ କାବ୍ୟା ଦେଖିଲା, ସେଇ ରୋଗୀର ସ୍ତ୍ରୀଙ୍କ ହାତରେ ଅବିକଳ ତା ହ୍ୟାଣ୍ଡବ୍ୟାଗ ଭଳି ଗୋଟେ ନୀଳ ବ୍ୟାଗ। ହେ ଭଗବାନ ! ତା ବ୍ୟାଗ ଏକ୍ସଚେଞ୍ଜ ହୋଇନି ତ?” ଖଟରୁ ଉଠିବାକୁ ଚେଷ୍ଟା କରୁ କରୁ ତା ପାଟିରୁ ବାହାରି ପଡ଼ିଲା, -ମୋ ବ୍ୟାଗ।” ଦୁଇଜଣ ନର୍ସ ତା ପାଖକୁ ଦୌଡ଼ି ଆସି, ମାଡ଼ିବସି ତାକୁ ଖଟରେ ଶୁଆଇ ,ନିଦ ଇଂଜେକସନ ଦେଇଦେଲେ। ନିଧି ମହାରଣା ସ୍ତ୍ରୀ ଘରେ ପହଞ୍ଚି ସେଇ ବ୍ୟାଗ ଖୋଲି ଭିତରେ ଥିବା ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଗଲା।ପାଖରେ ଠିଆ ହୋଇଥିବା ତା ଝିଅ ବ୍ୟାଗରୁ କାଢୁଥିଲା କିଛି ମହିଳା ପ୍ରସାଧାନ ସାମଗ୍ରୀ ଓ ଦୁଇଟି ଡ୍ରେସ। -ଆରେ ବାଃ,ବୋଉ ଦେଖେ, ବାପା ମୋ ପାଇଁ ଡ୍ରେସ ଓ କସମେଟିକ ଆଣିଛନ୍ତି।ଭାଇ ହସ୍ପିଟାଲରେ ବାପାଙ୍କ ପାଖରେ ଜଗିକି ଅଛି। ଶୀଘ୍ର ଭଲ ହୋଇ ବାପା ଘରକୁ ଫେରି ଆସନ୍ତୁ।ହେଲେ ଏଇ ପ୍ୟାକେଟ ରେ କଣ ଅଛି?” ମା,ଝିଅ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ଗୋଟେ ସିଲ ହୋଇଥିବା ପଲିଥିନ ପ୍ୟାକକୁ। ପରଦିନ ଗୋଟେ ଗାଡି ଅଟକିଲା ନିଧି ମହାରଣା ଘର ଆଗରେ ଓ ତା ଭିତରୁ ଦୁଇଜଣ ହୃଷ୍ଟପୃଷ୍ଟ ଲୋକ ବାହାରି ନିଧି ମହାରଣା ସ୍ତ୍ରୀ କୁ କହିଲେ, -ମାଉସୀ, ଆକ୍ସିଡେଣ୍ଟ ବେଳେ ଆମର ଗୋଟେ ନୀଳ ରଙ୍ଗର ବ୍ୟାଗ ତୁମ ସ୍ବାମୀଙ୍କ ବ୍ୟାଗ ସହ ବଦଳ ହୋଇଯାଇଛି। ସେଇଟା ସିନେମା ହିରୋଇନଙ୍କ ବ୍ୟାଗ। ତୁମକୁ ଆମେ କିଛି ଟଙ୍କା ଦେଉଛୁ, ଆମ ବ୍ୟାଗ ଆମକୁ ଦେଇଦିଅ ଓ ତୁମ ବ୍ୟାଗ ନେଇଯାଅ।ଦେଖ,ଏଥିରେ ମଉସାଙ୍କ ଲୁଙ୍ଗି,ଗାମୁଛା,ସାର୍ଟ ବି ଅଛି।” ଆଶ୍ଚର୍ଯ୍ୟ ହୋଇ

ସିନ୍ଦୂର ଫରୁଆ

ସିନ୍ଦୂର ଫରୁଆ

ସିନ୍ଦୂର ଫରୁଆ      ବିବାହ ପୂର୍ବରୁ ସିନ୍ଦୂର ଫରୁଆ ଉପନ୍ୟାସଟି ପଢି ଯେତିକି ବିଚଳିତ ଥିଲି ମୋ ସ୍ତ୍ରୀ ଯିବା ପରେ ତା ରୂପା ଫରୁଆ ଉପରେ ନଜର ପଡିଲେ ସେତିକି ଭାଙ୍ଗିପଡେ ମୁଁ। ବେଳେ ବେଳେ ଫରୁଆ କୁ ଖୋଲି ଦେଖେ, କେତେ ଶୂନ୍ୟତା ତା ଭିତରେ। ସ୍ମୃତିର କିଛି ନାଲି ରଙ୍ଗ ସାଥିରେ ଖୁସିର ଏକ ସଙ୍ଗମ ଯେମିତି.. ତାଙ୍କ ବ୍ୟବହୃତ ସବୁ ଜିନିଷକୁ ଜଳେଇ ଦିଆଯାଏ ଶୁଣିବା ପରେ ଏଇ ସିନ୍ଦୂର ଫରୁଆ କୁ ମୁଁ ଲୁଚେଇ ରଖିଥିଲି, ଏଇଥି ପାଇଁ ଯେ ସ୍ମୃତି ହେଇ ରହି ଥାଉ ସବୁଦିନ ମୋ ସାଥିରେ। ମୁଁ ତାକୁ ମୁହଁ ଦେଖା ଉପହାରରେ ଦେଇଥିଲି ବୋଲି ନୁହେଁ, ଅନେକ ସ୍ମୃତିର ଖଣିଟିଏ ଏଇ ଫରୁଆ ଟି। ବିରହ ବେଦନାରେ ଝୁରୁଥିବା କାନ୍ଥ ଉପରେ ଏଇ ଦର୍ପଣଟା ମୂକ ସାକ୍ଷୀ ହେଇ ରହିଥିବ, କେତେ ଥର ସେ ନାଇଁ ଥିବେ ସିନ୍ଦୂର, ମୋ ପାଇଁ, ଏଇ ଦର୍ପଣ ଆଗରେ।        ସିନ୍ଦୂର ଫରୁଆ ଉପନ୍ୟାସ ପଢିବା ପରେ ମୁଁ ବିବାହ ନ କରିବାର ସିଦ୍ଧାନ୍ତ କୁ ନେଇ ଆମ ଘରେ ସମସ୍ତେ ଅସନ୍ତୁଷ୍ଟ ଥିଲେ। ମୋତେ ଲାଗୁଥିଲା ବିବାହ ମିଛି ମିଛିକା ଖେଳ ଘର ନୁହେଁ। ବିବାହ ଭିତରେ ଗୋଟାଏ ବଡ ଦାୟିତ୍ଵର ବୋଝ କୋଉଠି ନା କୋଉଠି ଲୁଚି ରହିଥାଏ, ତାକୁ ଆବିଷ୍କାର କରିବାକୁ ହୁଏ। ଉପନ୍ୟାସରେ ଚାକିରିଆ ଦମ୍ପତିର କରୁଣ କାହାଣୀ, ରାତି ରାତି ଉପାସରେ ରହି ଜର୍ଜରିତ ହେଇ ପଡିବା, ବାସନ ଧୋଇବାଠୁ ଆରମ୍ଭ କରି ଝାଡୁ ଲଗେଇବା ପର୍ଯ୍ୟନ୍ତ ସବୁଥିରେ ଝଗଡା, ପ୍ରେମ ବିବାହର ମାଧୂର୍ଯ୍ୟ ଅଚାନକ ବିଲୁପ୍ତ ହେବା ପରେ ଉଭୟଙ୍କ ଆତ୍ମ ହତ୍ୟା ମୋ ନିଃଶ୍ୱାସ ପ୍ରଶ୍ୱାସର ଗତିକୁ ବଢେଇ ଦେଇଥିଲା ସେଇଦିନ।         ତା’ପରେ ଅଫିସରେ ବରିଷ୍ଠ ସହକର୍ମୀ ଙ୍କ ସ୍ତ୍ରୀ ସହ ଫୋନରେ ଝଗଡା ମୋତେ ଆହୁରି ବ୍ୟତିବ୍ୟସ୍ତ କଲା। ଦିନେ ଆମେ ସାଥିରେ ମଧ୍ୟାହ୍ନ ଭୋଜନ କରୁଥିଲୁ, ଅଫିସ ଲନରେ ବସି। ଭାଉଜଙ୍କ ପାଖରୁ ଫୋନ୍ ଆସିଲା ବୋଧେ। କଣ କହିଲେ କେଜାଣି ବରିଷ୍ଠ ସହକର୍ମୀ ଉତକ୍ଷିପ୍ତ ହେଇ କହିଲେ ତମ ବୋଉ ଆଉ କେତେ ଦିନ ରହିବେ। ଭାଉଜ ଏତେ ଜୋର୍ ରେ ଚିତ୍କାର କଲେ ଯେ ସେ କଣ କହୁଥିଲେ ମୁଁ ଶୁଣି ପାରୁଥିଲି। ” ଛୁଆକୁ କିଏ ପାଳିବ, ତମ ବୋପା” । ଗୋଟାଏ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିବାରୁ ସହକର୍ମୀ କରିଡ଼ର କୁ ଯାଇ କଥା ହେଲେ, ବୋଧେ ଭାଉଜଙ୍କ ସହିତ। କାଚ ଦେଇ ସ୍ପଷ୍ଟ ଭାବେ ଦେଖୁଥିଲି ମୁଁ ତାଙ୍କ ଭାବପ୍ରବଣତାକୁ। କାଚ ଦେଇ କାଚ ପରି ଭାଙ୍ଗି ଯାଉଥବା ସମ୍ପର୍କ କୁ ସ୍ପଷ୍ଟ ଦେଖି ହୁଏ। ଭାଷା ବୁଝିବାକୁ ଦରକାର ହୁଏନି। ବଟ ଗଛ ପରି ସମ୍ପର୍କ କାହିଁକି କେଜାଣି ଭୂଇଁ କୁ ଜାବୁଡି ଧରି ପାରେନି। କାଚ ଠୁ ଆହୁରି ନାଜୁକ୍ ଏଇ ସମ୍ପର୍କ ସବୁ। ଅଳ୍ପ ଆଘାତରେ ଦୁଃଖର ମାନଚିତ୍ର ପରି ଫାଟ ସବୁ ସୃଷ୍ଟି ହୁଏ କାଚ ଉପରେ।        ବୟସ ବତିଶ ଟପିଲା। ମୋ ବାହାଘରକୁ ନେଇ ବାପା ବୋଉଙ୍କ ମାନସିକ ଅବସ୍ଥା ଦିନକୁ ଦିନ ଗୁରୁତର ହେବାକୁ ଲାଗିଲା। ଅତିକ୍ରାନ୍ତ ବୟସରେ ଯନ୍ତ୍ରଣା କୁ ଲୁଚେଇ ରଖିବାର କୌଶଳ ଆଉ ମନେ ରହେନି ବୋଧେ। କୋଚା ମୋଚା ଗାଲର ମାଂସ ପେଶି ଉପରେ ଯନ୍ତ୍ରଣାର ଝରଟିଏ ପ୍ରବାହିତ ହୁଏ। ରକ୍ତାକ୍ତ ହେଇଯାଏ ଶୁଷ୍କ ଆଖିଟା। ବୋଉ ଚୁପ୍ ଚାପ୍, କିଛି କହୁ ନ ଥିଲେ।        ରାତିରେ ଆଉ ନିଦ ହେଲାନି, ମୋ ପାଇଁ ସେମାନେ କାହିଁକି କଷ୍ଟ ପାଇବେ। ମନେ ମନେ ଭାବିଲି, ମୋ ହିସାବରେ ମୁଁ ବାହା ହେବି। ଚେଷ୍ଟା କଲେ ସୁନ୍ଦର ପାରିବାରିକ ଜୀବନ ବୋଧେ ଅସମ୍ଭବ ନୁହେଁ। ପାରିବାରିକ ସୁଖ, ଶାନ୍ତି ସ୍ବାମୀ ସ୍ତ୍ରୀ ମଧ୍ୟରେ ଅପୂର୍ବ ବୁଝାମଣା ର ଏକ ଶେଷ ପରିଣତି ନୁହେଁ ତ ଆଉ କଣ !!! ବୋଉକୁ ଯାଇ କହିଲି, ତମେ ଝିଅ ଦେଖ ମୁଁ ବାହା ହେବି। କିନ୍ତୁ କିଛି ସର୍ତ୍ତ ରଖିବି ତୋ ବୋହୂ ସାଥିରେ। ଆକାଶରେ ଅଚାନକ ପୂର୍ଣ୍ଣ ଜହ୍ନଟିଏ ଉଦ୍ଭସିତ ହେଲେ ସମୁଦ୍ର ଉଛୁଳି ଉଠେ। ନଦୀ କୂଳ ଲଙ୍ଘିଯାଏ। ବୋଉ ମୁହଁରେ ମୁଚୁକା ହସ ଦେଖି ଆତ୍ମତୃପ୍ତି ଲାଭ କଲି ମୁଁ।       ତାଙ୍କ ନାଁ ଥିଲା ରଚନା। ବେଙ୍କ କର୍ମଚାରୀ। ସର୍ବ ସମକ୍ଷରେ ମୋର କିଛି ସର୍ତ୍ତ ଅଛି ଜାଣି ଭାରି ମନରେ ବସି ରହିଲେ ସେ। ବାପା ବୋଉ ଧରି ନେଇଥିଲେ ଯେ ବାହା ନ ହେବାର ଗୋଟେ ବାହାନା.. ମୁଁ କହିଲି ରଚନା ! ବିବାହ ପାଇଁ ବହୁ କଷ୍ଟରେ ମୁଁ ରାଜି ହେଇଛି। ବିବାହ ଗୋଟାଏ ଅନୁଷ୍ଠାନ ବୋଲି ମୁଁ ଶୁଣିଛି। ତାକୁ ଚଳେଇବା ଏତେ ସହଜ ନୁହେଁ। ମୁଁ ଗୋଟାଏ ଏକ୍ସପେରିମେଣ୍ଟ କରିବାକୁ ଯାଉଛି। ହୁଏତ ତମ ଘରେ ସମସ୍ତେ ହସିବେ। ବୈବାହିକ ଜୀବନରେ ସୁଖ, ଶାନ୍ତି ଖୋଜି ପାଇବା କାଠିକର ବୋଲି ସମସ୍ତେ କହନ୍ତି। ବହୁ ବିବେଚନା ପରେ ମୁଁ ଏଇ ସିଦ୍ଧାନ୍ତରେ ଉପନୀତ ହେଇଛି ଯେ ଆମେ ଦୁହେଁ ଆମ ଘରର ସମସ୍ତ କାମକୁ ଭାଗ ବାଣ୍ଟି ସମ୍ପାଦନ କରିବୁ। ମୋ କଥା ଶୁଣି ସମସ୍ତେ କାବା ହେଇଗଲେ କିଛି ମୁହୂର୍ତ୍ତ ପାଇଁ। ମୋର ଏଇ ଅଜବ ପ୍ରସ୍ତାବ ଶୁଣି ଦୁଇ ଟୋପା ଲୁହ ଝରେଇ ଦେଲେ ରଚନା, କାହିଁକି କେଜାଣି। ମୋତେ ସମସ୍ତେ ପାଗଳ ଭାବନ୍ତୁ ପଛେ, ମୋର ଯାହା କହିବାର ଥିଲା କହିଦେଲି। ଏଇ ସିନ୍ଦୂର ଫାରୁଆଟି ଥିଲା ଝିଅ ଦେଖା ଉପହାର ରଚନାଙ୍କ ପାଇଁ। ସେଇଥି ପାଇଁ ବୋଧେ ତାଙ୍କ ମୃତ୍ୟୁ ପରେ ବି ସାଇତି ରଖିଛି, ମୋ ପ୍ରଥମ ଉପହାର ସ୍ମୃତି ରୂପରେ।        ପୁରୁଷ ପ୍ରାଧାନ୍ୟ ସମାଜରେ ଜଣେ ସ୍ତ୍ରୀକୁ କାମରେ ସାହାଯ୍ୟ କରୁଛି ବୋଲି ମୋତେ ନାନା ରକମର ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଲା। ନାନୀ, ମାଉସୀ, ପିଉସୀ ସବୁ ଛି ଛା କଲେ। ମୁଁ କିନ୍ତୁ ଅଟଳ ଥିଲି ମୋ ସିଦ୍ଧାନ୍ତରେ।        ଆମେ ଦୁହେଁ ଅଫିସ ଯିବା ପୂର୍ବରୁ କାମରେ ଲାଗିପଡୁ। ରଚନା ଝାଡୁ ଲଗେଇଲେ ମୁଁ ପୋଛା ଲଗେଇ ଦିଏ। ମୁଁ ଭାତ ବସେଇ ଦେଲେ ସେ ଡାଲି ବନେଇ ଦିଅନ୍ତି। ସେ ଚା ବନାଉ ବନାଉ ମୁଁ ପରିବା କାଟି ଦିଏ। କ୍ଳାନ୍ତ ଶ୍ରାନ୍ତ ହୋଇ ଅଫିସ ରୁ ଆସିବା ପରେ ପୁଣି ଦୁହେଁ ମିଶି କାମ କରୁ। କପଡା ପତ୍ର ଓହ୍ଲେଇ ଷ୍ଟୋଭ ଉପରେ କ୍ଷୀର ବସେଇ ଦେଲା ବେଳକୁ ରଚନା ପଛରୁ ଆସି ଚା ପତି ଚିନି ପକେଇ ଦିଅନ୍ତି ଫୁଟୁଥିବା କ୍ଷୀର ଉପରେ। ଦୁହେଁ ବସି ଚା ପିଉ, କ୍ଳାନ୍ତି ମେଣ୍ଟାଉ। ଓଡିଆ ସିରିଏଲ୍ ଦେଖନ୍ତି ରଚନା। ତାଙ୍କ ପାଖରେ ବସି ଅନେଇ ରୁହେ କେତେବେଳେ ଟିଭିରେ ବିଜ୍ଞାପନ ଆସିବ। ବିଜ୍ଞାପନ ସମୟରେ ରିମୋଟ ନେଇ ନିଉଜ୍ ହେଡ ଲାଇନ୍ ଦେଖି ନିଏ। ମୁଁ ଅଟା ଦଳି ଦିଏ,        ସେ ରୋଟି ବନାନ୍ତି। ଯେ ଯାହାର ବାସନ ଧୋଇବା ଉଚିତ ବୋଲି କହି ମୁଁ ମୋ ବାସନ ଧୋଇବା ବାହାନାରେ ରଚନାଙ୍କ ବାସନ ଧୋଇବା ଜନିତ ଚାପକୁ ମୁଁ ଅଧା କମେଇ ଦେଉଥିଲି ବୋଲି ରଚନା ବୋଧେ ବୁଝି ପାରୁ ନ ଥିଲେ।       ଖୁସିରେ ଗଦ୍ ଗଦ୍ ହେଇ ବୋଧେ ସେ ଗୋଟାଏ ଚିଠି ମୋତେ ଦେଇଥିଲେ। ଲେଖାଥିଲା , ମୋ ମୃତ୍ୟୁ ପରେ ପଢିବ, ଯଦି ମୁଁ ଆଗେ ମରିଯାଏ। ସାରା ଜୀବନ ସାଇତି ରଖିଲି ଚିଠିଟାକୁ ଉଦବେଗର ସହିତ, କଣ ସେ ଲେଖିଥିବେ କେଜାଣି !! ତାଙ୍କ ମୃତ୍ୟୁର ଅଧା ଘଣ୍ଟା ପରେ ଚିଠି ଟି ଖୋଲି ପଢିଥିଲି, ପୁଅ ଝିଅ ଆସି ପହଞ୍ଚିବା ଆଗରୁ।     -“ହଁ, ତମେ ତମ ଗବେଷଣାରେ ସଫଳ ହେଇଛ। ଛୋଟ ପକ୍ଷୀ ବସାରୁ ଜୀବନ ଆରମ୍ଭ ହେଇ କି ସନ୍ଧ୍ୟାରେ ଫେରୁ ଫେରୁ ବସାକୁ ଖୋଜି ନ ପାଇବାର ଯନ୍ତ୍ରଣା ଭିତରେ ଜୀବନ ର ଗଳ୍ପ ସବୁ ଫର୍ଦ୍ଦ ଫର୍ଦ୍ଦ ହେଇ ଉଡିଯାଏ ବୋଲି ମୁଁ ଶୁଣିଥିଲି। ତମେ କିନ୍ତୁ ଗୋଟାଏ ବ୍ୟତିକ୍ରମ। ଗୋଟାଏ ପରିବାରକୁ ସୁନ୍ଦର କରି ଗଢିବାର କୌଶଳ କାହାଠୁ ଶିଖିଛ କେଜାଣି ! ପୁରୁଷ ପ୍ରାଧାନ୍ୟ ପରିବାର ଭିତରେ ନାରୀଟିଏ ସକାଳରୁ ସଞ୍ଜ ଯାଏ ନିଜର ଦେହ କଥା ଭୁଲି ଯାଏ। ଝାଳ ନାଳ ସହିତ ଦେହର ମାଂସ ପେଶି ତରଳି ଯାଇ ପାଦ ତଳେ ଭୂଇଁ ସାଥିରେ କେତେବେଳେ ମିଶିଯାଏ, ଜାଣି ପାରେନି। ଅତ୍ୟଧିକ କାମ ଜନିତ ଚାପରୁ ହିଁ ଅଶାନ୍ତି ସୃଷ୍ଟି ହୁଏ ବୋଧେ। କଥା କଟାକଟି ଓ ଝଗଡା ର ରୂପ ନିଏ ପରିଶେଷରେ। ବିତୃଷ୍ନା ଆସେ ଜୀବନ ପାଇଁ। ମୁଁ କାହିଁ ସେମିତି କିଛି ଅନୁଭବ କରିନି ତମ ସହିତ। ସୁନ୍ଦର ଓ ସୁଖମୟ ପରିବାରଟିଏ         ଗଢିବା ଏତେଟା ସହଜ ନ ହେଲେ ବି ଜମାରୁ ଅସହଜ ନୁହେଁ। ତମେ ହିଁ ପ୍ରମାଣ କରି ଦେଇଛ ଆମ କାହାଣୀରେ। ଘର କାମ କୁ ଭାଗ ବାଣ୍ଟି କରିବାର କି ଅଦ୍ଭୁତ ଚିନ୍ତାଧାରା ଥିଲା ତମ ପାଖରେ। ବହୁତ ବଡ ଆବିଷ୍କାର କରିଛ ତମେ। ତମର ଏଇ ଅଦ୍ଭୁତ ଆବିଷ୍କାର ଯୁଗ ଯୁଗ ପାଇଁ ସମାଜ କୁ ଏକ ପ୍ରେରଣା ଦେବ ନିଶ୍ଚୟ।      ତମେ ପଢି ବିଚଳିତ ହେଇଥିବା ଉପନ୍ୟାସ ସିନ୍ଦୂର ଫରୁଆ ମୁଁ ବି ପଢିଛି ତମ ଅଜାଣତରେ। ସବୁ ବିଯୁକ୍ତାତ୍ମକ ଚିନ୍ତାଧାରା କୁ ସମାହିତ କରି ସୃଷ୍ଟି ହେଇଥିବା ଏମିତି ଗପ ସବୁ ସମାଜକୁ ଗଢେନା,

ଏୟାରକଣ୍ଡିସନ ଘର

ଏୟାରକଣ୍ଡିସନ ଘର

ଏୟାରକଣ୍ଡିସନ ଘର -ବାପା, ମୋ ପାଇଁ ଗୋଟେ ଏୟାରକଣ୍ଡିସନ ଘର ତିଆରି କରିଦିଅ।” ପୁଅ ମନୁ କଥା ଶୁଣି ଚମକିପଡ଼ିଲା ଗୋଲକ ଓ ତା ପାଟିରୁ ବାହାରି ପଡ଼ିଲା, -ଏୟାର କଣ୍ଡିସନ ଘର !!ତୋ ପାଇଁ !’ ମୁହଁରେ ହସ ଖେଳାଇ ବାପା ପାଖକୁ ଲାଗିଆସି ମନୁ କହିଲା, -ମୋ ସ୍କୁଲ ସାଙ୍ଗ ଆଶିଷ ଘରକୁ ଥରେ ଯାଇଥିଲି। ତାଙ୍କର ସେଣ୍ଟ୍ରାଲ ଏୟାର କଣ୍ଡିସନ ଘର, ଓଃ କି ଥଣ୍ଡା! ରିମୋଟ ଚିପିଲେ ସୁଲୁସୁଲିଆ ବରଫ ଭଳି ଥଣ୍ଡା ପବନ। ଏକଦମ ସ୍ୱର୍ଗ ଭଳି ଲାଗୁଥିଲା। ଇଛା ହେଉଥିଲା ଚଟାଣରେ ଶୋଇଯିବା ପାଇଁ। ଆମ ଘରେ ବି ଏୟାର କଣ୍ଡିସନ ଲଗାଇଦିଅ।” ଫେଁ କିନା ହସି ଗୋଲକ କହିଲା, -ଆମର ପରା ଟିଣ ଘର। ଟିଣ ଘରେ କଣ ଏୟାର କଣ୍ଡିସନ ଲାଗେ ? ତା ପାଇଁ ସିମେଣ୍ଟ କଂକ୍ରିଟ ଛାତଵାଲା ଭଲ ଘର ଦରକାର। ସେସବୁ କଥା ଭୁଲି ପାଠ ପଢ଼ାରେ ମନ ଦେ।ସବୁବେଳେ ତୋର ଶୋଇବା ଚିନ୍ତା।” ସ୍ୱାମୀ ହାତକୁ ନାଲି ଚା ବଢ଼ାଇ ଦେଇ ଜୟନ୍ତୀ କହିଲା, -ତା ଉପରେ ସକାଳୁ କାହିଁକି ରାଗୁଛ ? ପିଲାଲୋକ ତା ମନ କଥା କହିଲା । ସୁଖ ସୁବିଧା କାହାକୁ ଲୋଡ଼ା ନାହିଁ ? ବି.ପିଏଲ କାର୍ଡରେ, ଗାଁ ରେ ଯେଉଁ ଘର ମିଳିଲା, ତା ଛାତ ଏଯାଏଁ ପଡି ପାରିଲାନି। ଟାଉନ କୁ ଆମକୁ ଆଣିଲ ଯେ, ମଣିଷ ଏ ଭଙ୍ଗା ଦଦରା ଟିଣଘରେ ରହୁଛି।” ଚିଡି ଯାଇଁ ଗୋଲକ କହିଲା, -ଲୋକଙ୍କ ପାଖରେ ମୁଣ୍ଡ ଗୁଞ୍ଜି ବାକୁ ଛାତ ଟିଏ ନାହିଁ ବୋଲି ଖୋଲା ଆକାଶ ତଳେ ଫୁଟପାଥରେ ନହେଲେ ଗଛ ମୂଳେ ଶୋଉଛନ୍ତି। ଆମର ଏ ଟିଣ ଘରେ କି ଅସୁବିଧା ?” ମନୁ ଚଟ କିନା କହିଲା, -ବାପା, ଖରାବେଳେ ଆମର ଏ ଘର ର ଟିଣ ଛାତ ଏତେ ତାତି ଯାଉଛି ଯେ, ଦେହ ହାତ ପୋଡି ଗଲା ଭଳି ଲାଗୁଛି।ଖରାଦିନେ ତ ଘର ଭିତରକୁ ପଶି ହେଉନି।ତମେ ତ ଦିନରେ କାମ କରିବାକୁ ପଳୋଉଛ,ଏ ଘର ତାତି କଥା କିଛି ଜାଣି ପାରୁନ। ପଙ୍ଖା ବୁଲାଇଲେ ନିଆଁ ଧାସ ପବନ ଭଳି ଲାଗୁଛି। ଘର ଭିତରେ ଡେରି ରାତି ଯାଏଁ ତାତି ରହୁଛି ବୋଲି ନିଦ ବି ଆସୁନି। ସେଇଥିପାଇଁ କହୁଛି ଆମ ପାଇଁ ଗୋଟେ ଏୟାର କଣ୍ଡିସନ ଘର ବନେଇ ଦିଅ।ରାତିରେ ଗରମ ଯୋଗୁଁ, ମୋଦେହରେ ଓଦା ଗାମୁଛା ପକେଇ, ବୋଉ ନିଜେ ନଶୋଇ ମୋତେ ବିଞ୍ଚଣାରେ ବିଞ୍ଚୁଛି।” ଜୟନ୍ତୀ ପରିବା କାଟୁ କାଟୁ କହିଲା, -ତୋ ବାପା କେଉଁଠୁ ଜାଣିବ ସେସବୁ କଥା ? ଦଉଡିଆ ଖଟଟା ବାହାରେ ପକାଇ ଆରାମରେ ଘୁଙ୍ଗୁଡ଼ି ମାରି ଶୋଇବା ମଣିଷ ସେ। କିଛି ନହେଲେ କୁଲର ଟାଏ ତ ଆଣି ପାରନ୍ତ। ମୁଁ ବି ଭାବୁଥିଲି ପର ଘରେ ବାସନ ମାଜିବା ଛାଡି କେଉଁ ବଡ଼ ମଲ ରେ କିଛି କାମ କରନ୍ତି।” ମନୁ କହିଲା, – ବାପା ଜାଣିଛ ? ବୋଉ ଓ ମୁଁ ଦିନେ ଖରାବେଳେ ସେଇ ବଡ଼ ମଲ କୁ ଯାଇଥିଲୁ। ସେଠି ବି ଚାରିଆଡେ ଏୟାର କଣ୍ଡିସନ।ବାପା, ତମେ ସେଇଠି କିଛି ଚାକିରୀ କରୁନ ? ଆମେ ବି ତୁମ ପାଖରେ ସେଇଠି ରୁହନ୍ତୁ।” ଗୋଲକ ବୁଝୁଥିଲା ସ୍ତ୍ରୀ ଓ ପୁଅର ଅଭିଯୋଗକୁ। ହେଲେ କଣ ବା କରି ପାରିବ ତା ଭଳି ଖଟିଖିଆ ମଣିଷ ? ଆକାଶକୁ ଅନାଇ ଦୀର୍ଘ ନିଶ୍ଵାସ ଛାଡି ଗୋଲକ କହିଲା, -ଆମ ଭଳି ଗରିବ ଲୋକଙ୍କ ପାଇଁ ଏୟାରକଣ୍ଡିସନ ଘର ସ୍ୱପ୍ନ। ଏତେ ଟଙ୍କା କେଉଁଠୁ ଆସିବ ଆମ ପାଖରେ ସେମିତିକା ସ୍ୱପ୍ନ ମହଲ ଟିଏ ଗଢିବା ପାଇଁ? ତା ଛଡା ସରକାରୀ ନିୟମ ଅନୁସାରେ ବି.ପି.ଏଲ କାର୍ଡ ବାଲାଙ୍କ ଘରେ ଏସି ଲାଗିଲେ, ସେ ପରିବାରକୁ ତାଲିକାରୁ ହଟାଇ ଦିଆଯିବ ଓ ମାଗଣାରେ ପାଉଥିବା ସୁବିଧା ବନ୍ଦ ହୋଇଯିବ।” ମନୁ କାନ୍ଦ କାନ୍ଦ ସ୍ୱରରେ ପଚାରିଲା, -ତା ମାନେ ଆମେ କେବେ ବି ଏୟାରକଣ୍ଡିସନ ଘରେ ରହି ପାରିବାନି ? ଥଣ୍ଡା ପବନ ଖାଇ ଆରାମରେ ଶୋଇବାର ମୋ ସ୍ୱପ୍ନ କେବେ ପୂରଣ ହୋଇ ପାରିବନି ?ଟିଣ ଘରେ କଣ ସତରେ ଏୟାର କଣ୍ଡିସନ ଲାଗି ପାରିବନି ? ଆଛା ବାପା, ତମେ ଯେଉଁସବୁ ଜିନିଷ ତିଆରି କରୁଛ, ତାକୁ ପରେ ଚିହ୍ନିବା ପାଇଁ କିଛି ଚିହ୍ନ ବା ନିଜ ନାଁ ଲେଖୁଛ ? “ ଆଶ୍ଚର୍ଯ୍ୟ ହୋଇ ଅନେଇଲା ଗୋଲକ। ପୁଅ ମୁଣ୍ଡକୁ ଆଉଁଷି ଦେଇ ଜୟନ୍ତୀ କହିଲା, -ତୋ ବାପା ମୁଣ୍ଡରେ ଏତେ ବୁଦ୍ଧି କାହିଁ ଯେ ଏସବୁ କରିବେ ? ତୁ ଆମର ଭଲ ପାଠ ପଢି ବଡ଼ ମଣିଷ ହଅ, ବଡ଼ ଚାକିରୀ କର, ଦେଖିବୁ ସବୁ ଠିକ ହୋଇଯିବ।” ଚିଡିଲା ସ୍ୱରରେ ଗୋଲକ କହିଲା, -ଦିନରେ ସ୍ୱପ୍ନ ଦେଖିବା ଛାଡି ଦିଅ। ପାଠ ପଢ଼ାରେ ସେ କେଉଁ ମନ ଦେଉଛି ?” ମନୁ ସେଦିନ ଯାହା କହିଲା ତା ଶୁଣି ଗୋଲକ କୌତୁହଳୀ ହୋଇ ଅନେଇ ଥିଲା ଓ ତା ପାଟିରୁ ବାହାରି ପଡିଥିଲା -ବାଇଆ ଟା, ଯାହା ମନକୁ ଆସୁଛି, କହି ଦେଉଛି।” କୋହଭରା ସ୍ୱରରେ ଜୟନ୍ତୀ କହିଥିଲା, -କିଭଳି ବାପା ତମେ ହୋଇଛ ?ପୁଅର ସାମାନ୍ୟ ସଉକ ଟିକେ ପୁରା କରି ପାରୁନ ? କଣ ଅଧିକ ମାଗୁଛି ସେ ? ଆରାମରେ ଶୋଇବାକୁ ଟିକେ ଜାଗା ଓ ଥଣ୍ଡା ପବନ !! ଆମେ ମାଆ, ପୁଅ ଚୁପ ରହି ଯାଉଛୁ, ପୁଅ ବାହା ହୋଇ ଘରକୁ ବୋହୁ ଆଣିଲେ, ସେ କଣ ଏମିତି ଘରେ ରହିବାକୁ ରାଜି ହେବ ? ବାପା ଘର ତିଆରି କରେ, ନିଜ ପିଲାଙ୍କ ପାଇଁ,ପୁଅ ପାଇଁ।” ଗୋଲକ ଗୋଟେ ନୂଆ କମ୍ପାନୀରେ କାମ ପାଇଥିଲା।ମନେମନେ ଭାବୁଥିଲା ଟଙ୍କା ସଞ୍ଚୟ କରି ଆଗେ ଗାଁରେ ଅଧା ତିଆରି ଘରର ଛାତ ପକାଇବ ଓ ସୁବିଧା ଦେଖି ସେକେଣ୍ଡ ହ୍ୟାଣ୍ଡ ଏୟାର କଣ୍ଡିସନ ଲଗାଇବ। ନୂଆ କମ୍ପାନୀରେ, ଜଏନ କରି ବହୁତ ଖୁସିଥିଲା ଗୋଲକ।ଭାବୁଥିଲା ପୁଅ ଭଲ ପାଠ ପଢି ଭଲ ରିପୋର୍ଟ କାର୍ଡ ତାକୁ ଦେଖାନ୍ତା କି ? କାହା ଡାକରେ ଚମକି ପଡିଲା ଗୋଲକ। ଲୋକଟା ପାଖକୁ ଆସି ପଚାରିଲା, – ରିପୋର୍ଟ ଆସିଲା ?” ଆଖିରେ ଚଷମା ଲଗାଇ ଗୋଲକ ଭଲକରି ଦେଖିଲା ସେଇ ଲୋକର ମୁହଁକୁ। ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ। ମୁଣ୍ଡ ତଳକୁ କରି ଧୀର ସ୍ୱରରେ ଗୋଲକ କହିଲା, -ନା ଆସିନି। କିଏ ଜାଣେ ଆଉ କେତେଦିନ ଲାଗିବ ?” ତା କାନ୍ଧରେ ହାତ ରଖି ସିକ୍ୟୁରିଟି ଗାର୍ଡ ଜଣକ ପୁଣି ପଚାରିଲା, -ଗୋଟାଏ କଥା ପଚାରବି ଖରାପ ଭାବିବେନି। ଏଇ ସପ୍ତାହେ ହେଲା ମୋର ଏଇଠି ଡ୍ୟୁଟି ପଡିଲା ପରେ ଦେଖୁଛି, ଆପଣ ସବୁଦିନ ସକାଳେ ଆସି, ଏଠି ରଖାହୋଇଥିବା ଏଇ କଣ୍ଟେନର ର ଏକ ନିର୍ଦ୍ଦିଷ୍ଟ ଜାଗାକୁ ହାତ ମାରିଦେଖୁଛନ୍ତି, ସାଉଁଳୋଉଛନ୍ତି।” ଚଷମା କାଢି, ଆଖି ପୋଛି ପୁଣି ଚଷମା ପିନ୍ଧି ଦୀର୍ଘନିଶ୍ବାସ ଛାଡି ଗୋଲକ କହିଲା, -ଯେଉଁ କଣ୍ଟେନର ତିଆରି କାରଖାନାରେ କାମ କରୁଥିଲି, ସେଇଠି ପ୍ରଥମ ଥର ଅର୍ଡର ମିଳିଥିବା ରେଫ୍ରି ଜେଟର କଣ୍ଟେନର। ରପ୍ତାନୀ ପାଇଁ ଅଧିକ ଦିନ ସାଇତା ହୋଇ ରହି ପାରୁଥିବାମାଛ, ମାଂସ, ଔଷଧ ଇତ୍ୟାଦି ଜିନିଷ ପାଇଁ। ଅନ୍ୟ ମାନଙ୍କ ସହ ମିଶି, ନିଜ ହାତରେ ତିଆରି କରିଥିଲି ଏଇ ଶୀତତାପ ନିୟନ୍ତ୍ରିତ କଣ୍ଟେନର ଓ କଂପାନୀ ସିଲ ପାଖରେ ନିଜ ନାଁ ଇଂରାଜୀରେ ଜି.ଏସ ଅର୍ଥାତ ଗୋଲକ ସାହୁ ବୋଲି ଖୋଦେଇ ଦେଇଥିଲି।” ଟିକେ ରହି ଗୋଲକ ପୁଣି କହିଲା, – ବାପା ଘର ତିଆରି କରେ ନିଜ ପିଲାଙ୍କ ପାଇଁ। ହେଲେ ମୋ ଭଳି ହାତଭାଗା ବାପା ଏ ଦୁନିଆରେ କେହି ନଥିବେ। ମୁଁ ତିଆରି କରିଥିବା ଜିନିଷ ଏଭଳି ବ୍ୟବହାର ହେବ ବୋଲି ଜାଣି ନଥିଲି। ଡି ଏନ ଏ ଟେଷ୍ଟ ରିପୋର୍ଟ ଆସିନି ବୋଲି, ଟ୍ରେନ ଆକ୍ସିଡେଣ୍ଟରେ ମୃତ, ମୋ ପୁଅ ମନୁର ଲାସ ଏଇ କଣ୍ଟେନରରେ ଏଯାଏଁ ସାଇତା ହୋଇଛି। ପୁଅ ମୋର ସବୁବେଳେ ଅଳି କରୁଥିଲା ଏୟାରକଣ୍ଡିସନ ଘର ପାଇଁ । ଆଜି ଶୋଇଛି ଚିର ନିଦ୍ରାରେ।” ଭେଁ ଭେଁ ହୋଇ କାନ୍ଦୁଥିଲା ଗୋଲକ। ସିକ୍ୟୁରିଟି ଗାର୍ଡ ଜଣଙ୍କ ଆଖିରୁ ବି ନିଗିଡି ପଡୁଥିଲା ଦୁଇ ଧାର ଲୁହ। ଗୋଲକ’ର ମନେ ପଡୁଥିଲା ମନୁର ସେଇ କଥା ପଦକ, -ତମେ ଦେଖିବ ରୁହ ବଡ଼ ହୋଇ ମୁଁ ଦିନେ ଆରାମରେ ଏୟାରକଣ୍ଡିସନ ଘରେ ଏମିତି ଶୋଇବି ଯେ ତମେ ଯେତେ ଡାକିଲେ ବି ମୁଁ ଉଠିବିନି….

ଆଞ୍ଜୁଳି

ଆଞ୍ଜୁଳି

ଆଞ୍ଜୁଳି     -ଝିଅ ବିଦା ହେଲାବେଳେ ଆଞ୍ଜୁଳିରେ ଚାଉଳ ଧରି ପଛ ପଟକୁ କାହିଁକି ଛାଟେ ବାପା ? ତାକୁ କଣ କନକାଞ୍ଜୁଳି କହନ୍ତି ?” ପୂଜା ପଚାରିଲା ବାଲକୋନିରେ ପଥର ମୂର୍ତ୍ତି ଭଳି ବସିଥିବା ସୁରେଶଙ୍କ ଉଦ୍ଦେଶ୍ୟରେ।     -ଆଲୋ ହୁଣ୍ଡୀ, ପୁଅ ବାହାହେବାକୁ ଯିବା ପୂର୍ବରୁ ମା କାନିରେ ଯେଉଁ ଚାଉଳ ଦେଇଥାଏ ଓ ନିଜ କାନିରେ ତାକୁ ମା ବାନ୍ଧିଥାଏ, ତାକୁ କନକାଞ୍ଜୁଳି କୁହାଯାଏ। କିନ୍ତୁ ବାହାଘର ସରିଲାପରେ, ଝିଅ ବିଦା ହେଲାବେଳେ, ପଛକୁ ନନେଇ ଝିଅ ନିଜ ଆଞ୍ଜୁଳିରେ ଚାଉଳକୁ ପଛପଟକୁ ଛାଟି ଦେଲା ବେଳେ, ପଛରେ ଠିଆ ହୋଇଥିବା ମା ନିଜ ଶାଢ଼ୀ କାନିରେ ସେସବୁ ଗୋଟାଏ। ସେ ଆଞ୍ଜୁଳିର ନାଁ ଜଣା ନାହିଁ ମୋତେ, କିଏ କିଏ ତାକୁ ବିଦା ଆଞ୍ଜୁଳି କୁହନ୍ତି। ଝିଅ ପରା ସେଇଦିନରୁ ପର ଗୋତ୍ରୀ ହୋଇଯାଏ। ସେଇଥିପାଇଁ ପ୍ରତିମାକୁ ,ତୋ ବାହାଘର କୁ ଆସିବା ପାଇଁ ଡକେଇଛି ତୋ ବାପା।”      ପାଖରେ ବସିଥିବା ସମ୍ପର୍କୀୟା ପିଉସୀ ସରଳାଙ୍କ କଥା ଶୁଣି ପୂଜା ଆଶ୍ଚର୍ଯ୍ୟ ହୋଇ ଅନେଇଲା ବାଲକୋନିରେ ବସି ବାହାରକୁ ଅନେଇଥିବା ସୁରେଶ ବାବୁଙ୍କ ଆଡ଼କୁ।      ପ୍ରତିମା ଅର୍ଥାତ ତା ଜନ୍ମଦାତ୍ରୀ;କିନ୍ତୁ ସେ ଅତି ଛୋଟ ଥିଲାବେଳେ ଯେଉଁ ମା ,ଝିଅକୁ ସାଙ୍ଗରେ ନନେଇ ଘର ଛାଡ଼ି ଚାଲିଯାଇଥିଲା ଓ ପରେ ଅନ୍ୟ ଜଣେ ପୁରୁଷଙ୍କୁ ବାହାହୋଇ ନିଜର ଭିନ୍ନ ସଂସାର ବସାଇଛନ୍ତି , ବାହାଘରରେ ତାଙ୍କ ଉପସ୍ଥିତି କଣ ଦରକାର !     ମା ସ୍ନେହ, ମମତା କଣ ତା ତ ପୂଜା ଆଜିଯାଏଁ ଜାଣିନି। କିନ୍ତୁ ସୁରେଶ ବାବୁ, ତାକୁ ଉଭୟ ବାପା ଓ ମାର ସ୍ନେହ ଦେଇ ଅତି ଗେଲ୍ହା ଯତ୍ନରେ ବଢ଼ାଇ, ମା’ର ଅନୁପସ୍ଥିତି କୁ ଭୁଲାଇବାରେ ସଫଳ ହୋଇଛନ୍ତି। ସୁରେଶ ବାବୁ, ପ୍ରତିମାଙ୍କ ଭଳି ପୁନର୍ବିବାହ କରି ନଥିଲେ।     ଆଉ ସପ୍ତାହେ ଗଲେ ଅନିରୁଦ୍ଧ ସହ ପୂଜା’ର ବାହାଘର। ଗେଷ୍ଟ ଲିଷ୍ଟ ପୂଜା ନିଜେ ସୁରେଶ ବାବୁଙ୍କ ସହ ମିଶି ଫାଇନାଲ କରିଥିଲା।ସେଥିରେ ତ ପ୍ରତିମାଙ୍କ ନାଁ ନଥିଲା। ସେ ସ୍ତ୍ରୀ ଲୋକକୁ ଏ ଶୁଭ କାର୍ଯ୍ୟକୁ କାହିଁକି ଡାକିଛନ୍ତି ବାପା ! ବାରୁଦ ଭର୍ତ୍ତି ବ୍ୟାଗରେ କିଏ ଅଗ୍ନି ସଂଯୋଗ କଲେ ଯେଭଳି ବିସ୍ଫୋରଣ ହୁଏ, ଠିକ ସେମିତି ପୂଜା ଅନ୍ତର ଭିତରେ ଗୋଟେ ବିସ୍ଫୋରଣ ହେଲା ଭଳି ଲାଗିଲା ତାକୁ। କାହିଁକି କେଜାଣି ତା ଅନ୍ତରାତ୍ମା ବିଦ୍ରୋହ କରୁଥିଲା। ଚଟକିନା ସୋଫାରୁ ଉଠି ସୁରେଶ ବାବୁଙ୍କ ପାଖରେ ପହଞ୍ଚି ପଚାରିଲା, -ସେ ସ୍ତ୍ରୀ ଲୋକକୁ ଆପଣ କାହିଁକି ଡାକିଛନ୍ତି ?” ଝିଅ ମୁହଁକୁ ଚାହିଁ ସୁରେଶ ଧୀର ସ୍ୱରରେ କହିଲେ,       -ଆଉ କିଛିଦିନ ପରେ ତୁ ଶାଶୁଘରକୁ ଯିବୁ, ନିଜର ସଂସାର ଗଢିବୁ। ତେଣୁ ଭଦ୍ରାମି ଓ ସଂଯତ ହୋଇ କଥା କହ ,ଅନ୍ତତଃ ଏଭଳି ସଂସ୍କାର ତୋତେ ମୁଁ ଶିଖାଇ ଆସିଛି। ଯା ହେଲେ ବି ପ୍ରତିମା ତୋତେ ଜନ୍ମଦେଇଛି, ସେ ତୋ ମା ,ଏକଥା ତ ତୁ ଅସ୍ବୀକାର କରି ପାରିବୁନି। ବାହାଘର ବେଳେ ବାପା, ମା ଉଭୟେ କନ୍ୟାଦାନ କରନ୍ତି। ତାଛଡା ମୁଁ ତୋତେ ସବୁବେଳେ କହିଆସିଛି, ପ୍ରତିମା ଓ ମୁଁ ଆମେ ଦୁହେଁ ମ୍ୟୁଚୁଆଲ ଡାଇଭର୍ସ, ଅର୍ଥାତ ଉଭୟଙ୍କ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ।” ଏକ ଦୀର୍ଘନିଶ୍ବାସ ଛାଡି ସୁରେଶ ବାବୁ ପୁଣି କହିଲେ,     – ପ୍ରତିମାର ଇଛା ବିରୁଦ୍ଧରେ ତାଙ୍କ ଘରଲୋକେ ମୋ ସହିତ ତାର ବାହାଘର କରିଦେଇଥିଲେ।ଡେରିରେ ଜାଣିଲି ମୁଁ।ସେତେବେଳକୁ ତୁ ତା ଗର୍ଭରେ ଥିଲୁ।      ତେଣୁ ଅବଶିଷ୍ଟ ଜୀବନ ଶାନ୍ତି ଓ ସୁଖରେ କାଟିବାକୁ ଆମେ ଅଲଗା ହୋଇଯାଇଥିଲୁ। କଣ୍ଡିସନ ଥିଲା ତୋତେ ମୁଁ ରଖିବି ଓ ଭବିଷ୍ୟତରେ ପ୍ରତିମା ତୋ ଉପରେ କିମ୍ବା ମୋ ଠାରୁ କୌଣସି ଆଲିମନି ଦାବୀ କରିବନି । ତେବେ ଆମେ ଦୁହେଁ ଆଜି ବି ପରସ୍ପରକୁ ବନ୍ଧୁ ବୋଲି ଭାବୁ।ଅଲଗା ହୋଇଗଲୁ ବୋଲି କଣ ପରସ୍ପରର ଶତ୍ରୁ ହେବା ନିହାତି ଜରୁରୀ ? ନିଜ ସ୍ୱାମୀ, ପରିବାର ନେଇ ସେ ବି ଖୁସିରେ ଅଛି।ତାକୁ ଏକୁଟିଆ ଆସିବାକୁ କହିଛି ମୁଁ।ଝିଅ ବାହାଘରରୁ ଗୋଟେ ମା’କୁ ବଞ୍ଚିତ କରିବା କଣ ନ୍ୟାୟ ?”ବିରକ୍ତିଭରା ସ୍ୱରରେ ପୂଜା କହିଲା, -ଖାଲି ଜନ୍ମ କରିଦେଲେ କଣ ଜଣେ ମା ବନିଯାଏ ? ମା’ର ଦାୟିତ୍ୱ କର୍ତ୍ତବ୍ୟ କଣ କିଛି ନାହିଁ ?ନ୍ୟାୟ ଅନ୍ୟାୟ କଥା ଅନ୍ୟ ଲୋକମାନେ ବି ଚିନ୍ତା କରିବା ଉଚିତ। କେବେ ଦିନେ ବି ତ ସେ ମୋତେ ଥରେ ଦେଖିବାକୁ ଆସିନାହାନ୍ତି କି ଫୋନ କରି ନାହାନ୍ତି, ଝିଅ ମରିଛି କି ବଞ୍ଚିଛି ତା ଜାଣିବାକୁ ଚେଷ୍ଟା କରି ନାହାନ୍ତି।ଆଉ ସିଧା ଆସି ବାହାଘର ରେ !!” ପୂଜାର ହାତ ଧରି ସୁରେଶ ବାବୁ ତାକୁ ପାଖରେ ବସାଇ କହିଲେ, -ତୁ କେବେ ନିଜ ଆଡୁ ଫୋନ କରିଛୁ ପ୍ରତିମାକୁ ! କେବେ ମୋତେ ବାଧ୍ୟ କରିଛୁ ତୋତେ ସାଙ୍ଗରେ ନେଇ ତାକୁ ଦେଖା କରିବାକୁ ?” -କାରଣ ଆପଣଙ୍କ ସ୍ନେହ ମୋତେ ମା’ର ଅନୁପସ୍ଥିତି ଅନୁଭବ କରିବାକୁ ଦେଇନି। ତେବେ ଅନ୍ୟ ସାଂଗପିଲାଙ୍କ ମାଙ୍କୁ ଦେଖିଲେ ମନଟା ଛଟ ପଟ ହୁଏ ବୋଲି,ମୁଁ ଭାବେ ମୋ ମା ମରି ଯାଇଛନ୍ତି।ବାସ,ସେ ମୋ ପାଇଁ କ୍ଲୋଜ ଚାପ୍ଟର।”ଝିଅ ମୁଣ୍ଡରେ ହାତ ବୁଲାଇ ସୁରେଶ କହିଲେ, -ତିକ୍ତ ଅନୁଭୂତି ମନକୁ ବିଷାକ୍ତ କରେ।ତେଣୁ ସେସବୁ ପୁରୁଣା କଥା ଭୁଲିଯାଇ ଜୀବନକୁ ନୂଆ ଭାବେ ସଜାଡି ,ଯୁକ୍ତାତ୍କମ ଚିନ୍ତାଧାରା ନେଇ ଆଗକୁ ବଢ଼ ମା;ଠିକ ତୋ ଡ୍ୟାଡି ଭଳି।ଦୁନିଆ ବହୁତ ସୁନ୍ଦର, ବାସ ବଞ୍ଚିବାର କଳାକୁ ଆପଣେଇ ନେବା ଜାଣିବା ଉଚିତ।ପ୍ରତିମାକୁ କ୍ଷମା କରିଦେ ।” ବାପାଙ୍କ କାନ୍ଧରେ ମୁଣ୍ଡ ରଖି ଆକାଶକୁ ଅନେଇଲା। ଆକାଶରେ ଉଇଁ ଆସୁଥିବା ଜହ୍ନକୁ ଅନେଇ ତାର ମନେ ପଡ଼ିଲା କୁମାର ପୁନେଇଁ କଥା।ଚଉରା ମୂଳେ ବାପା ହିଁ ତା ହାତରେ ଆଞ୍ଜୁଳି ଧରାଇ ଜହ୍ନ କୁ ଦେଖେଇ ପୂଜା କରିବାକୁ କୁହନ୍ତି।ଗୋଟେ ମା ର ସବୁ ଦାୟିତ୍ୱ ବାପା ହିଁ ତୁଲାଇ ଆସିଛନ୍ତି। ସତରେ ବାପା ଆକାଶ ଭଳି ଅନନ୍ତ,ଅସୀମ।ସରଳା ଦେବୀ ପାଖକୁ ଆସି ପୂଜାକୁ କହିଲେ, -ତୋ ବାପା ଠିକ କହୁଛି। ଆସୁ ପ୍ରତିମା,ଦେଖୁ ତୋତେ ଓ ତୋ ବାହାଘର; ଆଉ ଜାଣୁ,କି ଅମଣିଷ ପଣିଆରେ ଭରା ତା ଭଳି ମା ବିନା ବି ତୋ ଭଳି ଛୁଆ ଭଲ,ଯୋଗ୍ୟ ମଣିଷ ହୁଅନ୍ତି।”      ନିରବ ରହିଥିଲା ପୂଜା। ବନ୍ଧୁବାନ୍ଧବ,କୁଣିଆ ମୈତ୍ର ଆସି ପହଁଚି ଥିଲେ।ବାହାଘର ପୂର୍ବଦିନ ଅର୍ଥାତ ମଙ୍ଗଳପାଗ ଦିନ ପହଞ୍ଚି ଥିଲେ ପ୍ରତିମା।ନିଜକୁ ସହଜ କରିବାକୁ ଚେଷ୍ଟା କରି ସମସ୍ତଙ୍କ ସହ ମିଶିବାକୁ ଚେଷ୍ଟା କରୁଥିଲେ ପ୍ରତିମା। ସୁଯୋଗ ଦେଖି,ପୂଜାକୁ ଏକୁଟିଆ ପାଇ ତା ପାଖକୁ ଆସି ପ୍ରତିମା, ଗୋଟିଏ ସୁନ୍ଦର ସୁନା ସେଟ ବଢ଼ାଇଦେଇ କହିଲେ, -ଦେଖିଲୁ ତୋ ମନକୁ ପାଉଛି ନା ନାହିଁ ?” ସେଟ ଟିକୁ ଦେଖି ପୂଜା କହିଲା, – ଏତେ ବର୍ଷ ମୋତେ ଏକୁଟିଆ ଛାଡ଼ିଦେଇ ଚାଲିଯାଇ ଥିଲ ବୋଲି ଏଇଟା କଣ ତା କ୍ଷତିପୂରଣ ! ଜଣେ ମା ଏତେ ନିଷ୍ଠୁର କିପରି ହୋଇପାରେ ?” -ମୁଁ ଜାଣେ ତୁ ମୋତେ କଦାପି କ୍ଷମା କରିବୁନି।ତେବେ ପରିସ୍ଥିତି ଏଭଳି ଥିଲା ଯେ…ମୁଁ ବହୁତ ଅନୁତାପ କରିଛି….ଛାଡ଼ ସେକଥା ମୁଁ ତୋତେ ବୁଝାଇ ପାରିବିନି।ଆଜି ଭଳି ଭଲ ଦିନରେ ଏସବୁ କଥା ଆମେ ନହେବା ଉଚିତ।ତେବେ ଯଦି ପାରିବୁ ମୋତେ କ୍ଷମା କରିଦେବୁ।” ଗମ୍ଭୀର ସ୍ୱରରେ ପୂଜା କହିଲା, -ମୋ ନିଜ ପାଇଁ ନୁହେଁ, ବରଂ ମୁଁ ଅନେକ ସମୟରେ ଭାବେ ଡ୍ୟାଡ଼ିଙ୍କ ଭଳି ଭଲ, ନିରୀହ ମଣିଷଙ୍କୁ ଛାଡିବାକୁ ଟିକେ କୁଣ୍ଠାବୋଧ କଲେନି ଆପଣ !” ସୁରେଶ ରୁମ ଭିତରକୁ ପଶି ଆସିବାରୁ ଦୁହେଁ ଚୁପ ହୋଇଗଲେ। ସୁରୁଖୁରୁରେ ବାହାଘର ହୋଇଗଲା।ଏଥର ଝିଅ ବିଦା।କିଏ ଜଣେ ସମ୍ପର୍କୀୟା, କୁଲାରୁ ଚାଉଳ କାଢି ,ପୂଜା ହାତ ପାପୁଲିରେ ଆଞ୍ଜୁଳି ଧରାଇ ଦେଇ କହିଲେ, – ବୁଲିପଡ଼ି ନ ଅନେଇ ଆଞ୍ଜୁଳି ଚାଉଳତକ ପଛପଟକୁ ଅନୁମାନ କରି ଫୋପାଡ଼ି ଦେ, ଯେମିତି ତୋ ମା କାନିରେ ପଡିବ। ତୁ ଏଣିକି ପରଗୋତ୍ରୀ।” ସମସ୍ତେ ଦେଖୁଥିଲେ,କାନି ଲମ୍ବାଇ ପ୍ରତିମା କେମିତି ଅପେକ୍ଷା କରିଥିଲେ ଆଞ୍ଜୁଳି ଚାଉଳ କାନିରେ ଭରିବା ପାଇଁ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପୂଜା, ଆଞ୍ଜୁଳି ଚାଉଳ ତକ ତା ପାଖରେ ଠିଆହୋଇ ଥିବା ସୁରେଶ ପିନ୍ଧିଥିବା ପଞ୍ଜାବୀ ର ପକେଟରେ ପୁରାଇ ଦେଇ କହିଲା, -ଜନ୍ମଦେଇଥିବା ମା ତ କେବେଠୁଁ ଆମ ଦୁହିଁଙ୍କୁ ଛାଡି ପରଗୋତ୍ରୀ ହୋଇଯାଇଛନ୍ତି। ଅନିରୁଦ୍ଧ ଓ ମୁଁ ମିଶିକି ନିଷ୍ପତ୍ତି ନେଇଛୁ କି ଏଣିକି ଆପଣ ଆମ ସହ ରହିବେ। ମୁଁ କଣ କେବେ ଆପଣଙ୍କୁ ଏକୁଟିଆ ଛାଡି ଦେଇ କୁଆଡେ ଯାଇପାରିବି ? ହେତୁ ପାଇଲାଦିନରୁ ଆପଣ ହିଁ ମୋ ବାପା ଓ ମା। ତେଣୁ ଝିଅର ଏଇ ଆଞ୍ଜୁଳି ଉପରେ କେବଳ ଆପଣଙ୍କ ଅଧିକାର ବାପା।” ଆବାକାବା ହୋଇ ଅନେଇଥିଲା ପ୍ରତିମା। ନିଜକୁ ସମ୍ଭାଳି ନପାରି,ଝିଅକୁ କୁଣ୍ଢାଇ ଭୋ ଭୋ ହୋଇ କାନ୍ଦୁଥିଲେ ସୁରେଶ।

ଘର କଥା

ଘର କଥା

ଘର କଥା      ମନି ବୋଉ -“କିଏ? ଝିଲି ବୋଉ କି? ଆସ ଆସ l ହେଇ ତମ କଥା ମନେ ମନେ ପକଉ ପକଉ ଆସି ପହଞ୍ଚିଗଲ l ଏ ସବୁ କଣ ?”    ଝିଲି ବୋଉ – “ବୋହୁ ଆମର ପ୍ରଥମ କରି ସାବିତ୍ରୀ କରୁଛି ମନି ବୋଉ l ଭାରରୁ କିଛି ତୁମ ପାଇଁ ଆଣି ଆସିଥିଲି l ଆମ ସାହିର ପୁରୁଖା ଲୋକ ତମେ l ଆମ ପିଲା ମାନଙ୍କୁ ଆଶୀର୍ବାଦ କରିବ l ଆଉ ତୁମ ପିଲେ କେମିତି ଅଛନ୍ତି?”    ମନି ବୋଉ -“ହୁଁ l ଭୋଗ ବିଳାସରେ ଅଛନ୍ତି l ଅୟସ କରୁଛନ୍ତି l ଆମ ପାଖରେ ଥିଲେ ସିନା କଷ୍ଟ କରିବାକୁ ପଡିଥାନ୍ତା l ଆଜିକାଲି ଶାଶୁ ଶ୍ୱଶୁର ସେବା କିଏ କରୁଛି? ତେଣୁ ବାଘ ଘରେ ମିରିଗ ନାଟ l ବୁଝିଲ ଝିଲି ବୋଉ, ବୋହୁ ଫୋନ କଲାଠୁଁ ଫୋନ ଉଠଉନି l ଶୋଇଥିବ ଦି ଘଡି ଯାଏ ମୋ ପୁଅକୁ କାମରେ ଲଗେଇ l ଭାତ ହାଣ୍ଡିରୁ ଗୋଟେ ଭାତ ଚିପି କହିଦେବି ହାଣ୍ଡିକ ଭାତ କଥା ପା l ମୁଁ ଯାଇଥିଲି ଦେଖିଛି ବୋଲି ଜାଣିଛି ତା ପ୍ରକୃତି l ତୋତେ ମିଛ ମୋତେ ସତ l ମୁଁ ପା କଲିକତାରେ ଥିଲା ବେଳେ ଖାସ ଦିନ ନ’ ଟା ରେ ଉଠିବ ଆଉ ସବୁ କାମ ମୋ ଉପରେ ପକେଇବ l ମାଛ ମାଉଁସ ହେଲେ ଦି କେଜି ନିଅଣ୍ଟ ତାକୁ l ମୋ ପୁଅ ଖରା ତରାରେ ସିଝି ଝାଳ ନାଳ ହେଇ ଆସି ପହଞ୍ଚି ଛୁଆକାମ କରି ଅଫିସି ଯାଉଛି l କେଡେ କୁଢ଼ି ଲୋ ମା l ବସି ବସି ବୋପା ମା ଙ୍କ ସାଙ୍ଗେ ଗପୁଛି ଖାଲି ଲ ଝିଲି ବୋଉ l ପିଠା,ପଣା, କ୍ଷୀରି, ପୁରି, ପୂଜା ପୂଜି ଏସବୁ କରି ଜାଣିନି l ଦିଟା ଭାତ ବସେଇଦେଲେ ହାତ ଗୋଡ଼ ଘୋଳେଇ ହେଇପଡୁଛି l”     ଫୋନ ଧରେଇ ଥିଲେ ସିନା ଦେଇଥାନ୍ତି ଧରି l ଚାକିରୀ ବାକିରି ନ କରି ଘର ଭାଙ୍ଗିବେ ବୋହୁ ବୋହୁ ମିଶି l ପୁଅ ମାନଙ୍କ ତ ମୁଣ୍ଡ ଖରାପ କରି ରଖିଛନ୍ତି l ସେମାନଙ୍କୁ ତ ମାଇପ ସେବା ଭାରି ଖୁସି l ଫୋନ ବି ଦଉ ନାହିଁ ବୋହୁକୁ ମନିଆ l କଣ କରିବ କୁହ l ଆଜିକାଲି ଯାହା ମହର୍ଗ ଯୁଗ… ବୋପା ମାନେ ତ ଯାହା ଡାଉରୀ ଦେଇ ପଠେଇଛନ୍ତି ଛାଡ଼ l ଦିଟା ପଇସା ଆଣିଲେ ଘରଖର୍ଚ୍ଚକୁ ପାଆନ୍ତା ହେଲେ l ମନିଆ କହୁଛି ଥାଉ , ମୋ ସ୍ତ୍ରୀ କାହିଁ ଖଟିବ? ଘରେ ଶୋଉ l ଭଲ ଲୋ ସଙ୍ଗାତ l ଆପଣା ସୁନା ଭେଣ୍ଡି କହିବି ଆଉ କାହାକୁ? ମାଇପ ବୋଲିଆ କଉଠିକାର ଗଲାଥର ସ୍ତ୍ରୀ ଲୁଗା ପଟା ସଫା କରି ଶୁଖାଉଥିଲା ଛାତରେ l ଆମ ଏଠି ହେଇଥିଲେ ପୁରା ଗାଁ କଣ ବାଲେଶ୍ଵର ଜିଲ୍ଲା ସାରା ଜାଣିଥାନ୍ତେ l କହିଲାଠୁଁ କହୁଛି କଣ ନା, ତମ ଯୁଗ କଥା ଆଉ ନାହିଁ ଲୋ ବୋଉ l ସ୍ତ୍ରୀ ମାନେ ବି ମଣିଷ l କି ମହୁ ଝରୁଛି କେଜାଣି ତା ଠି? ଆମେ ଆଉ ବାହା ହେଇନୁ ନା ପିଲା ପେଚରା କାମ କରିନାହୁଁ? ଝିଲି ବୋଉ – “କାହିଁ? ୱାସିଂ ମେସିନ ଘରେ ଘରେ ପା l କାଚୁଥିଲା କାହିଁକି?” ମନି ବୋଉ – “ହଁ ସେଇ କଥା l ହୁସ ମେସିନି ସିନା ସଫା କରିବ, ସବୁ ମଇଳା ଲୁଗା ମେସିନିରେ ତ ନିଜେ ପୁଅ ପକେଇଲା l ବାହର କରି ବି ସେ ହି ଶୁଖେଇବ?” ଝିଲି ବୋଉ – “ହଉ ଛାଡ଼, ଆଉ ତୁମେ କଲିକତା ବୁଲିଲ ନା କେମିତି ଲାଗିଲା?” ମନି ବୋଉ – “ହଁ ଲୋ ସଙ୍ଗାତ ମୋତେ ସବୁ ଜାଗା ବୁଲେଇ ଦେଖେଇଲା ମୋ ଧନ l ମାସେ ରହିଲି, ଖାଲି ବୋଉ ଏଇଟା ଖା, ବୋଉ ସେଇଟା ଖା l” ଝିଲି ବୋଉ- “ହଁ? ସବୁ ନିଜେ ହାତରେ ରୋଷଇ କରି ଦିଏ ମନିଆ ?” ମନି ବୋଉ- “ନାଇଁ ମ l ଅର୍ଡର ଦିଏ l” ଏ! ଭଲକି କରେ, ମୋ ବୋଉ ଖାଇବ ଯାହା ହେଲେ l ଏମିତି ଆଇଟମ ଉପରେ ଆଇଟମ ବରାଦ ଦିଏ ମାଇକିନାକୁ l ଭାରି ଆସିଥିଲା ହନିମୁନରେ l ଖାଇ ଖାଇ ଗଣ୍ଡି ମୋଟା କଲାଣି l ମାଗଣା ମିଳିଲେ ଲୋକ ପିଚୁ ପି ଯିବେ ପରା ସଙ୍ଗାତ l” ଝିଲି ବୋଉ ଦୀର୍ଘଶ୍ୱାସ ଛାଡି, – “ଆଛା , ମନିବୋଉ, ଛାଡ଼ ସେ କଥା l ତୁମ ଝିଅ ବା’ଘର କଲ l କାହିଁ କିଛି କହିଲନି ତ କେମିତି ଅଛି ? କଣ କରୁଛି ଜିନି ଆମର?” ମନି ବୋଉ – “କଣ କହିବି ଲୋ ସଙ୍ଗାତ… ତାକୁ ମୁଁ କଉ ବିଶ୍ୱାସରେ ଦେଇ ଦେଲି, ମୋ ଛୁଆ ହଇରାଣ ହେଲା l ଏବେ ବାପ ଘରୁ କଣ ଅଣିଥିଲୁ ବୋଲି ଗଞ୍ଜଣା ଶୁଣୁଛି l କେଡେ ଅଵିଵେକୀ ଲୋକ ଗୁଡା କେଜାଣି, ଜାଣି ପାରୁ ନାହାନ୍ତି ପାଠ ପଢି ପଢି ଯାଇଛି l କିଛି ଜାଣିନି l ପିଲା ଲୋକଟା l ହଷ୍ଟେଲରେ ରହି ପଢୁଥିଲା ତ l କଣ ଜାଣେ କହିଲ? ଗୋଟିଏ ବୋଲି ସୁନା ନାକି ଝିଅ ମୋର l ବାପର କେଡେ ଗେହ୍ଲି l ନୂଆ ରୋଷେଇ ଶିଖୁଥିଲା ଝିଅ ଦେହରୁ ଝାଳ ବାହରିଗଲେ ବାପର ତଣ୍ଟି ପାଟି ଶୁଖିଯାଏ l ଖାଇ ପାରିଲେନି ଉଠି ଚାଲିଗଲେ l ଏବେ ଚେଙ୍କା ଲାଗି ଯାଉଛି ରୋଷେଇ କରୁ କରୁ l ଭିଡ଼ିଓ କରି ଦେଖାଉ ଥିଲା l ମୁଁ କହିଲି ମରଣ ହଉନି ତା ଶାଶୁକୁ l ପିଲା ଲୋକ l ଖାସ ବସି ଅର୍ଡର ଦଉଚୁ? ଏ.ସି. ଦରକାର ଥିଲା l ଯୋଡ଼େ ପିଲାଙ୍କୁ ପାଠ ପଢ଼େଇ, ଗାଡି ଦେଇ, ସବୁକଥା ବୁଝି ବାହା କଲି l ପଇସା କଣ ଗଛେରେ ଫଳେ?ଆଉ କଉଠୁ ପଇସା ଆସିବ? ରୋଷଇ ମଝିରେ ଗ୍ୟାସ ଚୁଲା ରେ ଚାହା ପାଣି ବସା l କାର ଡ଼ାଇବିଟିସି, କାର ଡାଏଟିଙ୍ଗ ସବୁ ଅଲଗା ଅଲଗା l କା’ର ଚାହାରେ ଚିନି ପଡିବ କା’ର ପଡ଼ିବନି l ନାଲି ଚା, ଧଳା ଚା, ନେଳି ଚା , ଦିନକୁ ପଚାଶ ଥର ଚାହା l ମୁଁ କହିଲି କହିଦେବୁ ଏତେ ଚା ‘ ପିଇଲେ ପେଟ ଗରମ ହବ ବା l ମୋ ଜୋଇଁ ସୁନନ୍ଦ କିନ୍ତୁ ଭାରି ସୁଧାର l ସେ ସାହାଯ୍ୟ କରି ଦିଅନ୍ତି ମୋ ଜିନିଆକୁ, ବୁଝିଲ ସଙ୍ଗାତ l” ଫିକ କରି ହସି ଝିଲିବୋଉ କହୁଥିଲେ– “ଏବେ ତ କହୁଥିଲ, ତୁମ ପୁଅ କୁଆଡେ ସ୍ତ୍ରୀ କୁ ସାହାଯ୍ୟ କରୁଛି ବୋଲି ମାଇପ ବୋଲିଆ l ଜୋଇଁ ସାହାଯ୍ୟ କଲେ ଭଲ l ତୁମେ ଯାଇଥିଲ ବୋହୁ ପିଲା ଜନ୍ମକରି ଦୁର୍ବଳ ଥିଲା l ଶୋଉଥିଲା ବୋଲି ସବୁଦିନ ଶୋଉଥିବ ଜାଣିଛ l ରୋଷେଇ ପିଠା ପଣା ଆସୁ ନଥିଲା , ସେ ଆଉ ପାଠ ପଢୁ ପଢୁ ବାହା ହେଇ ନଥିଲା? ଆଛା ତା ବାପା କଉ ଗଛରୁ ପଇସା ଝାଡ଼ି ଦେଇଥାନ୍ତେ କହିଲ? ତମକୁ ଝିଅ ଭିଡିଓ କଲ କରି ଚେଙ୍କା ଦେଖାଇଲେ ଭଲ, ଆଉ ବୋହୁ ତା ବାପଘର ସାଙ୍ଗେ ସମ୍ପର୍କ ରଖିବା ଖରାପ? ଆଁ? ଭଲ ଆଉ!! କଥା କହୁଛ l ଆମେ ତ ଖୋଦ ଦେଖିଛୁ କେଡେ ଗୁଣର ଝିଅଟି ମନି ବାହାହେଇଚି l ନିଜ ହାତରେ ଡ୍ରେସ ସିଲେଇ କରେ, ସ୍ଵେଟର ମାଫଲର ବୁଣା ବୁଣି କରେ, ଘର ସଜାଏ, ସଫା ସଫି ରେ କିଏ ପାରିବେନି, ଝୋଟି ଚିତା ମୁରୁଜ ପକାଏ l ଚାକିରି କରିବା ନ କରିବା ଆବଶ୍ୟକତାକୁ ଚାହିଁ l ଟାଣକଥା କହିଲେ କିଏ ସହିବ? ବାରମ୍ବାର ତାକୁ ବାଧ୍ୟ କରି ଛୋଟ ଲୋକ ଦେଖାଇ ଚାକିରୀ କରିବାକୁ କହିଲାଠୁଁ ତା ମନ ବଳଉନି l ସତରେ କହିଲ, ତମକୁ କଣ ମନିବାପା ଘର କାମରେ ସାହାଯ୍ୟ କରୁ ନଥିଲେ? ଆଛା ବୋହୁ କଣ ବାହାର ସଉଦାପତ୍ର ଆଣିବା, ପିଲା ସମ୍ଭାଳିବା କି ବିଲ ଦେବା ଏସବୁ କରୁନି? ମନିର ପିଲା ନୁହେଁକି? ମନିର କାମ ସେ କରି ଦେଉଛି ଯଦି ମନି ତା କାମ କଲା l କ୍ଷତି କଣ? ବର ଭାରିଜାରେ ଭଲ ପାଇବା ସ୍ନେହ ସରାଗ ଅଛି ବୋଲିତ ଦିହେଁ ମୋ କାମ ତୋ କାମ ଦେଖୁ ନାହାନ୍ତି l ଏ ଛୋଟ ଛୋଟ କଥାରେ ତୁମେ ଏତେ ନିନ୍ଦୁଛ l ଆମ ପୁଅବୋହୁ ଚାକିରୀ କରିଛନ୍ତି l ଆମେ ବୁଢା ବୁଢ଼ୀ ଟିକେ ଘର କଥା ବୁଝିଦଉଛୁ l ଘରଟା ସମସ୍ତଙ୍କର ନୁହଁକି? କାମ ମିଳି ବାଣ୍ଟି କଲେ କ୍ଷତି କଣ? ମନି ବୋଉ – ହଁ ବୋହୁ ଚାକିରୀ କରିଛି, ଭାର ଥୋର ଗଦଉଛି ବୋଲି ତୁମେ ମୁହଁବଢିଆ କରି ରଖିଛ l ମୋ ପୁଅ କଣ ପାଇଲା ନା ମୁଁ କଣ ପାଇଲି?” ଝିଲି ବୋଉ – “ଆମ ପିଲା ଭଲ ପାଇ ବାହା ହେଇଛନ୍ତି l ତା ଛଡା ମୋ ପୁଅର ତୁମ ପୁଅ ପରି ବଡ଼ ଚାକିରୀ ନାହିଁ l ତେଣୁ ବର ଭାରିଜା ମିଶି ଚାକିରୀ କରି ଘର ଖର୍ଚ୍ଚ ଚଳାଉଛନ୍ତି l ବୋହୁ ଯଦି ମୋ ପୁଅ ରୋଜଗାରକୁ ନ ଦେଖି ବାହାହେଇ ତାକୁ ସାହାଯ୍ୟ କରୁଛି ତେବେ

ଅଳ୍ପ ଦିନର ସାଥି

ଅଳ୍ପ ଦିନର ସାଥି

ଅଳ୍ପ ଦିନର ସାଥି     ଅଜଣା ରାସ୍ତାରେ ଚାଲୁ ଚାଲୁ ଝୁଣ୍ଟି ପଡିବାର ସମ୍ଭାବନା ଅନିର୍ବାଜ। ଅଜଣା ରାସ୍ତାଟି ଯଦି କଣ୍ଟକିତ ଓ ଅଣଓସରିଆ ହୋଇଥାଏ, ତ ସରିଗଲା କଥା। କେଉଁ ମୁହୂର୍ତ୍ତରେ ସମୟ ଆସି ଠେଲି ଦେଇ ଯିବ କିଛି ଠିକଣା ନାହିଁ । ଏମିତି ଏକ ରାସ୍ତାରେ ଦିନେ ଚାଲିଥିଲା ଆରାଧ୍ୟା।       ପିଜିର ପ୍ରଥମ ଦିନ ହିଁ କଲେଜରେ ଜଣେ କ୍ଲାସମେଟ ପୁଅ ସହ ଝଗଡା ହୋଇ ଯାଇଥିଲା, କମେଣ୍ଟ ମରାକୁ ନେଇକି । ପୁଅଟି ଦେଖିବାକୁ ଭାରି ହ୍ୟାଣ୍ଡସମ । ଅରୁଣ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ଉଭୟେ ପଢ଼ନ୍ତି । ନୂଆ ନୂଆ ପିଲାଙ୍କ ପିଜି ଭାରି ଆନନ୍ଦ ଦାୟକ ଓ ବେଦନା ଦାୟକ । ସିନିଅରମାନଙ୍କ ରାଗିଙ୍ଗ ସହିବାକୁ ପଡେ ମଥା ନୁଆଁଇ । ବହୁତ ବର୍ଷ ତଳେ ଛାଡ଼ି ଥିବା ସିଲଟ ଖଡ଼ିରେ ପାଠ ପଢେଇ ଦିଅନ୍ତି ସିନିଅରମାନେ । କଦର୍ଯ୍ୟ ବ୍ୟବସ୍ଥା ଏ ରାଗିଙ୍ଗ । ଅରୁଣ ଏ କମେଣ୍ଟ ମରା କଥାର ବିରୋଧୀ ।        ବାସ୍ତବ କଥା ହେଲା ଅନ୍ୟ ଏକ ଝିଅକୁ ସିନିଅରମାନେ ରାଗିଙ୍ଗ କରୁଥିଲେ । ଅରୁଣ ସେମାନଙ୍କୁ ଅଟକେଇବାକୁ ବହୁତ ଚେଷ୍ଟା କରି ନିଜେ ଅଧିକା କଷ୍ଟ ପାଇଛି । କିନ୍ତୁ ସେ ଝିଅକୁ କିଛି ଲଜ୍ଜିତ ହେବାକୁ ଦେଇ ନାହିଁ । ଅରୁଣ ବୁଝି ଥିଲା ଝିଅମାନଙ୍କ ସମ୍ମାନ ସବୁଠାରୁ ଅଧିକ । ହେଲେ ସେ ଝିଅକୁ ବୁଝେଇବା ସମୟରେ ଆରଧ୍ୟା ଦେଖିଥିଲା । ମନେ ମନେ ବୁଝିଲା ଯେ ଅରୁଣ ବୋଧେ ତାକୁ ବାଧ୍ୟ କରିଛି କାନ୍ଦିବା ପାଇଁ । ସେଠି ପାଇଁ ସେ ପ୍ରଥମ ଦେଖାରେ ଅରୁଣ ସହ ଝଗଡା କରିବା ଆରମ୍ଭ କରିଦେଲା । ମନର ଭାଷାକୁ ଅରୁଣ ଓଠରେ ପ୍ରକାଶ କରିବାକୁ ଯେତେ ଚେଷ୍ଟା କଲେବି ଆରଧ୍ୟା ତାକୁ ସେ ସୁଯୋଗ ଦେଇ ନଥିଲା । ଅରୁଣ କେବଳ ତାକୁ ଅପଲକ ନେତ୍ରରେ ଚାହିଁ ରହିଥିଲା । ହଜି ଯାଇଥିଲା ଆରଧ୍ୟାର ଆଖି ଭିତରେ । ଗାଳି ଶୁଣି ମଧ୍ୟ ମନେ ମନେ ହସି ଦେଉଥିଲା। ଆଉ ଚେଷ୍ଟା ବି କରିନି ତାକୁ ବୁଝେଇବା ପାଇଁ । ମନ ଅନନ୍ଦ ରେ କେବଳ ତାର ଦୁଇ ଓଠର ଉତ୍ଥାନ ପତନକୁ ଚାହିଁ ରହିଥିଲା । ଆରଧ୍ୟାକୁ ବୋଧେ ସେ ପ୍ରଥମ ଦେଖାରେ ଭଲ ପାଇ ବସିଥିଲା ।      ଗାଳି ସରିବା ପରେ ଆରଧ୍ୟା ନିଜକୁ ବିରକ୍ତି ଅନୁଭବ କରି ସେଠାରୁ ଚାଲିଗଲା । ମନେ ମନେ ଅରୁଣକୁ ବହୁତ ଗାଳି କରୁଥାଏ। ଆସି ହଷ୍ଟେଲରେ ପଂହଁଚି ସେ ଝିଅକୁ ବହୁତ ଗାଳି ଗୁଳଜ କଲା । ନିଜକୁ ଶକ୍ତ କରି ରାଗିଙ୍ଗ ଠାରୁ କିପରି ରକ୍ଷା ପାଇବ ସେ ବିଷୟରେ କହିଲା । ଅରୁଣକୁ ଜୋରସେ ଗାଳି ବି କଲା । ଶେଷରେ ସେହି ଝିଅଠୁ ପ୍ରକୃତ ସତ କଥା ଜାଣିବାକୁ ପାଇଲା । ଅରୁଣ ପ୍ରତି ଥିବା ରାଗ ଓ ଘୃଣା ସମ୍ପୂର୍ଣ୍ଣ କମିଗଲା । ମନେ ମନେ ଲଜ୍ଜା ଅନୁଭବ କଲା । ଅରୁଣକୁ ନିଜ ବିଷୟରେ କନଫେସ କରିବାକୁ ଚେଷ୍ଟା କଲା ।     ପରଦିନ ସକାଳୁ ଡିପାର୍ଟମେଣ୍ଟକୁ ଯାଇ ପ୍ରଥମେ ଅରୁଣ ସହ ଦେଖା କରିବାକୁ ଗାର୍ଡେନକୁ ଜଣଙ୍କ ହାତରେ ଡକେଇ ପଠେଇଲା । ଅରୁଣ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା । କିଛି ସମୟ ପାଇଁ ସ୍ଥାଣୁ ହୋଇଗଲା । ବିଶ୍ୱାସ କରି ପାରିଲାନି ନିଜକୁ । ଦଉଡି ଦଉଡି ଯାଇ କଲେଜ ଗାର୍ଡେନରେ ପଂହଚି ଦେଖିଲା ଅତି ଲାଜୁଆ ମୁହଁରେ ଠିଆ ହୋଇଛି ଆରଧ୍ୟା। ପାଖକୁ ଯାଇ ପଚାରିଲା “କଣ କହୁଥିଲ”      ଆରଧ୍ୟା ଏପଟେ ସେପଟେ ଚାହିଁଲା। ଦେଖିଲା କେହି କୁଆଡେ ନାହାନ୍ତି। ଦୁଇ ହାତକୁ ଆସ୍ତେ ଆସ୍ତେ ମୁହଁ ପାଖକୁ ନେଲା ।      ଅତି କ୍ଷୀଣ କଣ୍ଠରେ କହିଲା ” ସରି”। ମୁରୁକି ହସା ଦେଇ ଅରୁଣ କହିଲା ” ଏଥିରେ ସରି କହିବାରେ କଣ ଅଛି” ।        ବାସ ତାପରେ ଆସ୍ତେ ଆସ୍ତେ ଦୁହେଁ କଥା ହେଲେ। ନିଜର ଭୁଲ ବୁଝାବଣା ଦୂର ହୋଇଗଲା । ଦୁହେଁ ଦୁହିଁଙ୍କ ବିଷୟରେ ଆଲୋଚନା କଲେ। ନିଜ କଥା ନିଜ ପରିବାର କଥା, ଏମିତି କେତେ କଣ । ହଜିଗଲେ କଥାରେ। କଥା ହଉ ହଉ ପାଖା ପାଖି ଦେଢ଼ ଘଣ୍ଟା ହୋଇଗଲାଣି। ଦୁଇଟି ପିରିୟଡ଼ ସାରିଗଲାଣି ୟା ଭିତରେ। ଲଞ୍ଚ ଟାଇମ ହୋଇଗଲାଣି କେତେବେଳେ କେହି ଜାଣି ପାରିଲେ ନାହିଁ । ସାଙ୍ଗମାନେ ଡାକିବାରୁ ଫେରି ଆସିଥିଲେ।     ସେଦିନ ପରଠୁ ଦୁହେଁ ଦୁହିଁଙ୍କ ଭଲ ବନ୍ଧୁ ହୋଇଗଲେ। ସେଦିନ ରାତିରେ କାହା ଆଖିରେ ନିଦ ନାହିଁ । ଅଥଳ ସାଗର ଢେଉ ଭଳି ଦୁହିଁଙ୍କ ଆଖିରେ ସ୍ବପ୍ନ ଗୁଡିକ ଲହଡି ଭାଙ୍ଗୁଥାନ୍ତି । ବାକି ଥିବା କଥା ସବୁ ରାତିରେ ଫୋନରେ ହେଲେ । ନୂଆ ନୂଆ ଦେଖାର ଅନୁଭୂତି ତାଜା ତାଜା ଲାଗୁଥାଏ । ମନେ ମନେ ହସୁଥାନ୍ତି ସେମାନେ । ଆପଣ, ରୁ ତମେ ସମ୍ବୋଧନ କରିବାକୁ ଲାଗିଥିଲା ମାତ୍ର ୨୪ ଘଣ୍ଟା । ରାତିରେ କଥା ହଉ ହଉ ଭୁଲି ଯାଇଛନ୍ତି ଖାଇବା କଥା। ଉଭୟେ ନିଜ ନିଜ ହଷ୍ଟେଲ ଛାତ ଉପରେ, ହାତରେ ଖଣ୍ଡେ ମଶା ଧୂପ ଧରି କଥା ହେବାରେ ବ୍ୟସ୍ତ। ହଷ୍ଟେଲରେ ସକାଳୁ ଉଠିବା ବେଲ ବାଜିବାରୁ ଦୁହେଁ ଜାଣିଲେ ଯେ ସକାଳ ହୋଇଗଲାଣି । ପୁଣି ନିତିଦିନିଆ କାମ ସବୁ କରିବାକୁ ପଡିବ । ଅଳ୍ପ ହସି ସେଇଠି ରଖି ଦେଇଥିଲେ ଫୋନ।      ସକାଳୁ ନିଦୁଆ ନିଦୁଆ ଆଖିରେ ପୁଣି ଯାଇଥିଲେ ପାଠ ପଢିବାକୁ । ଦୁହେଁ ଦୁହିଁଙ୍କ ଆଖିକୁ ଆଖି ମିଶେଇବାକୁ ବି କେହି ସାହସ କରି ପାରିଲେ ନାହିଁ । ସେଦିନ କ୍ଲାସରେ ସମସ୍ତେ ପାଠ ପଢ଼ୁଥିବା ବେଳେ ଉଭୟେ ଉଭୟଙ୍କୁ କଣେଇ କଣେଇ ଚାହିଁ ହସୁଥିଲେ। ଏହିଭଳି ସବୁଦିନ ହସଖୁସିରେ ଚାଲି ଆସୁଥିଲା । ସମୟ ପାଇଲେ ପାଖରେ ଥିବା ଗୋପାଳପୁର ବନ୍ଦରରେ ପ୍ରାନ୍ତରେ ବୁଲି ଆସନ୍ତି। ଅସରନ୍ତି ବାଲୁକା ବକ୍ଷରୁ ତୋଳି ଧରନ୍ତି ନିଜ ଅନୁଭବକୁ । ସାଗର ବୁକୁରେ ସ୍ବପ୍ନ ସବୁ ଉଙ୍କି ମାରୁଥାଏ । କେବଳ ଗୋପାଳପୁର କାହିଁକି ପାଖରେ ଥିବା ସମସ୍ତ ମନ୍ଦିରକୁ ଟିକିଏ ସମୟ ମିଳିଲେ ବୁଲିବାକୁ ଚାଲି ଯାଆନ୍ତି । କିଛି ଜିନିଷ କିଣିବାକୁ ଥିଲେ ବ୍ରହ୍ମପୁର ଯାଇ କିଣି ଆଣନ୍ତି । ଏମିତି ଛାଇ ଆଲୁଅର ଖେଳ ଭିତରେ କେତେବେଳେ ଦୁହେଁ ବନ୍ଧୁତ୍ବକୁ ପାସୋରି ଭଲ ପାଇବାରେ ବାନ୍ଧି ହୋଇ ସାରିଛନ୍ତି ତାହା କେବଳ ଭଗବାନଙ୍କୁ ଜଣା। ଦୁହେଁ ଦୁହିଁଙ୍କୁଭଲ ପାଆନ୍ତି ବୋଲି କହି ନାହାନ୍ତି । କିନ୍ତୁ କିଛି କ୍ଷଣ ପାଇଁ ହେଉ କେହି କାହାକୁ ଛାଡି ରହି ପାରନ୍ତି ନାହିଁ ।       ଅରୁଣର ସେବା ମନଭାବ ତାକୁ ବେଶ ପ୍ରଭାବିତ କରିଥିଲା । ଅନ୍ୟର ଦୁଃଖ ଦେଖିଲେ ସେ ସହି ପାରେ ନାହିଁ । ଯିବା ଆସିବା ବେଳେ ଯେଉଁଠି ଦୁଃଖୀ ଲୋକଙ୍କୁ ଦେଖେ ତାଙ୍କ ସହ କଥା ହୁଏ। ତାଙ୍କୁ ଖାଇବାକୁ ଦିଏ। ଅରୁଣ ପରି ଦୟାବାନ, ନିଃସ୍ୱାର୍ଥପର ଓ ପରୋପକାରୀ ମଣିଷକୁ ପାଇ ଆରଧ୍ୟା ଖୁସିରେ ଆତ୍ମହରା ହୋଇଉଠେ । ଅରୁଣର ଲକ୍ଷ ବଡ ହେଲେ ଚାରିଟେବୁଲ ଟ୍ରଷ୍ଟ ଟିଏ କରି ଲୋକଙ୍କ ସେବା କରିବା । ଦୁଃଖୀ ଲୋକଙ୍କ ଦୁଃଖରେ ସହଯୋଗ କରିବା। ବାସହରା ଲୋକଙ୍କ ପାଇଁ ଲଢେଇ କରିବ । ଏ ସ୍ୱାର୍ଥପର ସମାଜରେ କେବଳ ସେହି ଭଳି ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବ।     ଏମିତି ଆଠ ମାସ ହୋଇଗଲା କେହି କାହା ଘରକୁ ଯାଇ ନାହାନ୍ତି । ଏପରିକି ଛୁଟିରେ ମଧ୍ୟ ହଷ୍ଟେଲରେ ରହି କୁଆଡେ ବୁଲିବାକୁ ଚାଲି ଯାଆନ୍ତି । ସେମିତି ଥରେ କଲେଜ ଗ୍ରାଉଣ୍ଡରେ କଥା ହେଲା ବେଳେ ହଠାତ ଆରଧ୍ୟା ଘରୁ ଫୋନ ଆସିଲା । ବାପା ଫୋନ କରି କହିଲେ ଅର୍ଜେଣ୍ଟ ଆସିବ ପାଇଁ । ମନ ଶୁଖିଗଲା । ଜେଜେ ମାଆଙ୍କ ଦେହ ଖରାପ । ନିହାତି ଯିବାକୁ ପଡ଼ିବ। ଇଚ୍ଛା ନଥିଲେ ବି ଦୁହେଁ ସାମୟିକ ଅଲଗା ହେବାର ସମୟ ଆସିଛି ବୋଲି ଦୁଃଖ ପ୍ରକାଶ କଲେ । ଜୀବନର ବେଶୀ ଦୁଃଖରେ ଉଭୟେ ଉଭୟଙ୍କୁ ବିଦାୟ ଦେଇ ଥିଲେ।     ଘରେ ପଂହଁଚି ଆରଧ୍ୟା ଦେଖିଲା ଜେଜେମାଙ୍କ ଅବସ୍ଥା ବାସ୍ତବିକ ଖରାପ । ଗଛର ଶୁଖିଲା ପତ୍ର ପରି । କେଉଁ ମୁହୂର୍ତ୍ତରେ ଦଲକାଏ ପବନ ଆସି ତାକୁ ତଳେ ପକେଇ ଦେବ, ତାର ଠିକଣା ନାହିଁ । ଏଇ ଅଳ୍ପ ଦିନର ସମୟରେ ଜେଜେମାଙ୍କ ଶେଷ ଇଚ୍ଛା ନାତୁଣୀର ବାହାଘର ଦେଖିବ । ଘରେ ସମସ୍ତଙ୍କ ଇଚ୍ଛା, ଏଇ ଦଶ ଦିନ ଭିତରେ ଉପଯୁକ୍ତ ପାତ୍ର ଦେଖି ବାହାଘର ହେବ। ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି।      ମନରେ ଅରୁଣର ଭଲ ପାଇବା ବସା ବାନ୍ଧି ସାରିଥାଏ । ଅବିଳମ୍ବେ ଅରୁଣ ସହ ଫୋନରେ କଥା ହୋଇ ସବୁକିଛି କହିଲା । ନିଜ ଭଲ ପାଇବା ବିଷୟରେ କହିବାକୁ ବହୁତ ଚେଷ୍ଟା କଲା । ପାରିଲା ନାହିଁ । ଅରୁଣ ଏ ଖବର ଶୁଣି ଭାରି ବ୍ୟସ୍ତ ହୋଇ ପଡ଼ିଲା । ଭଲ ପାଇବା ଆରମ୍ଭ ନ ହେଉଣୁ ଶେଷ ହେବାକୁ ଯାଉଛି । ଅବ୍ୟକ୍ତ ବେଦନାର ତାଡନାରେ ଦୁହେଁ ଜର୍ଜରିତ । କେହି କାହାକୁ ଛାଡି ବଞ୍ଚିବାକୁ ନାରାଜ। ହାତରେ ମାତ୍ର ୧୦ ଦିନ । କିଛି ନ କଲେ ଜୀବନ ସାରା ଅଲଗା ହୋଇ ରହିବାକୁ ପଡିବ। ଅରୁଣ ମନ କଥା ଜାଣିବା

ସ୍କୁଟର

ସ୍କୁଟର

ସ୍କୁଟର     ତମକୁ କିଏ କହିଲା ଏ ଭଙ୍ଗା ସ୍କୁଟର ଚଢି ମୋ ହଷ୍ଟେଲ ପାଖକୁ ଆସିବାକୁ? ମୋତେ ଫୋନ୍ କରିଥିଲେ ମୁଁ ଅଧାବାଟ ଯାଏଁ ଚାଲି ଯାଇଥାନ୍ତି। ହେଉ ଦିଅ ଦିଅ ପଇସା ଦେଇ ଜଲଦି ଏଠୁ ପଳାଅ। ମୋ ସାଙ୍ଗ ମାନେ କାଳେ ଆସିଯିବେ। ଆଉ ତୁମର ଏ ଭଙ୍ଗା ସ୍କୁଟର ଦେଖି ସେମାନେ ମୋ’ର ମଜା ଉଡେଇବେ। ପୁଅ ସଞ୍ଜୟ ମୁହଁରୁ ଏପରି କଥା ଶୁଣି ନବୀନ ଙ୍କ ହସ ହସ ମୁହଁଟି ଏକଦମ୍ ମଉଳି ଯାଇଥିଲା। ତୁ ଖାଇଛୁ ଟି ବା…..? ତୋ ମୁହଁଟା ଏମିତି ଶୁଖି କଳାକାଠ ପଡି ଯାଇଛି କାହିଁକି? ଓହୋଃ ବାପା! ତମେ ଏଠୁ ଗଲ। ହାତରେ ପଇସା ନେଇ ହଷ୍ଟେଲ ଭିତରକୁ ଦଉଡ଼ି ଚାଲି ଗଲା ସଞ୍ଜୟ।        ଏକା ଲକ୍ଷ୍ୟରେ ତା ଯିବା ବାଟକୁ ଚାହିଁଥିଲେ ନବୀନ। ଠିକ୍ ତ କହିଲା ପୁଅ ମୋ’ର। ସେ ବଡ଼ ହୋଇଗଲାଣି। ତା’ର ବୁଦ୍ଧି ହେଲାଣି। ସେ ପରା ଇଞ୍ଜିନିୟରିଂ ପଢୁଛି। ଥରେ ନିଜର ସ୍କୁଟର କୁ ଚାହିଁ ହଷ୍ଟେଲ ଫାଟକ ପାଖରେ ଲାଗିଥିବା ବଡ଼ ବଡ଼ ରଙ୍ଗୀନ କାର୍ ଆଡ଼େ ଚାହିଁଲେ ନବୀନ। ଏମାନେ ସବୁ ପୁଅର ସାଙ୍ଗର ବାପା ମାନେ। ବଡ଼ ବଡ଼ ଚାକିରୀ କରିଥିବେ ନିଶ୍ଚିତ। ପୁଅ ମୋର ଠିକ୍ କଥା କହିଲା – ସେ ତା ସାଙ୍ଗ ମାନଙ୍କ ଆଗରେ କାହିଁକି ବା ଛୋଟ ହେବ? ଏ ଭଙ୍ଗା ସ୍କୁଟର ଖଣ୍ଡିକୁ ଆଣି ମୋତେ ଏଠିକି ଆସିବାର ନ ଥିଲା। ହେଲେ ବଡ଼ ଗାଡ଼ି ଟେ ଭଡ଼ା କରିଥିଲେ ହଜାରେ ରୁ ଦେଢ଼ ହଜାର ଟଙ୍କା ଲାଗି ଯାଇଥାଆନ୍ତା। ବସ୍ ରେ ଆସିଲେ ଦିନ ମାନ ନିକିମା। ସେଇ ଗାଡ଼ି ଭଡ଼ା ସେତକ ତ ପୁଅର ମାସକ ହଷ୍ଟେଲ ଖର୍ଚ୍ଚ ଚଳିଗଲା। ଆଜି ଫର୍ମ ଫିଲପ୍ ଥିଲା। ତେଣୁ ସବୁ ପିଲାଙ୍କ ଅବିଭାବକ ମାନେ ଆସିଛନ୍ତି। କେତେ ସବୁ ଦାମୀ ଦାମୀ ଗାଡ଼ି ଧାଡ଼ି ବାନ୍ଧିଛି। ମୁଣ୍ଡ ଉପରକୁ ଚାହିଁଲେ ନବୀନ ଆଜି ଖରାର ପ୍ରକୋପ କିଛି କମ୍ ନୁହେଁ। ଅସହ୍ୟ ଗରମ କୁ ଗୁଳୁଗୁଳି ମୁଣ୍ଡ କ’ଣ ହୋଇ ଯାଉଛି। ରଙ୍ଗ ଛାଡ଼ି ଯାଇଥିବା ହେଲମେଟ ଟାକୁ ମୁଣ୍ଡରେ ଦେଇ ଗାଡ଼ି ପଛକୁ ବୁଲେଇଲେ ନବୀନ। ଝାଳ ପୋଛି ବାକୁ ପକେଟ୍ ରୁ ରୁମାଲ୍ କାଢୁ କାଢୁ ହାତରେ ବାଜିଲା ଲତା ଦେଇ ଥିବା ଛୋଟ କନା ପୁଟୁଳି ଟା।        ଆରେ ଆରେ…..! ମୁଁ ତ ଏବେ ଚାଲି ଯାଇଥାନ୍ତି। ବୋଉ ତା’ର ନିତି ତେଲ ଲୁଣ ରୁ ସଞ୍ଚି ରଖିଥିବା କେତେଟା ପଇସା କୁ ଖଣ୍ଡେ କନାରେ ଗୁଡେ଼ଇ ପୁଅକୁ ଦେବା ଲାଗି ଦେଇଛି। ଆଉ ନ ଦେଇ ଚାଲିଗଲେ ବିଚାରି ମୁହଁ ଓହଳେଇ ବାଡି ଦୁଆର ବୁଲି କାନ୍ଦିବ। ଗାଁ ପ୍ରାଇଭେଟ୍ ସ୍କୁଲରେ ପାଠ ପଢ଼ାଉଥିବା ନବୀନ ଜଣେ ଗୁଞ୍ଜା ଶିକ୍ଷକ। ସେହି ସ୍କୁଲରେ ଦୀର୍ଘ ବାର ବର୍ଷ ଧରି ଶିକ୍ଷା ଦାନ ଦେଉଥିବା ନବୀନ ଏକ ଆଦର୍ଶ ଶିକ୍ଷକ। ସରକାରୀ ସ୍ଵୀକୃତି କୁ ଅପେକ୍ଷା କରି କରି ବର୍ଷ ପରେ ବର୍ଷ ବିତି ଚାଲିଛି। କେତେ ନେତା ମନ୍ତ୍ରୀ କଥା ଦେଇ ଚାଲିଛନ୍ତି। ଆଉ କେତେ କେତେ କୁଜି ନେତା ଘୋଷ ଖାଇ ଚଳୁ କରି ଦେଇଛନ୍ତି। ସ୍କୁଲ ପରେ ବଳକା ସମୟ ତକ ଚାସ ବାସ କରି ଚଳି ଯାଉଥିବା ନବୀନ ପୁଅ ର ପାଠ ପଢା ପାଇଁ ଦୁଇ ଏକର ଜମି ବିକ୍ରି କରି ସାରିଛନ୍ତି।        ଜମି ରହି କ’ଣ ମୋତେ ପୋଷିବ…..? ଏକଥା ଲତା କୁହନ୍ତି। ଜମି ଯାଉ ପୁଅ ମୋର ଯୋଗ୍ୟ ହେବା ହେଉଛି ସବୁଠୁ ବଡ଼ କଥା। ସେ ମନ ଦୁଃଖ କରିବେ କ’ଣ ଓଲଟା ମୋତେ ବୁଝାଇ କୁହନ୍ତି – “ପୁଅ ଯଦି ଯୋଗ୍ୟ ର ହେବ ଧନ କାହିଁ ପାଇଁ ସଞ୍ଚିବ”….? “ପୁଅ ଯଦି ଅଯୋଗ୍ୟ ହେବ ତେବେ ଧନ କା‌ହିଁ ପାଇଁ ସଞ୍ଚିବ”….? ତୁମ ଜୀବନ ତ ଏଇ ମାଗେଣା ଖଟିବାରେ ଗଲା। ଆଉ ଜମି ଯାଗା ଯାହା ଯାଉଛି ଯାଉ ମୋ ପୁଅ ଯାହା ଚାହୁଁଛି ସେଇଆ ପଢୁ। ଦେଖିବ ଦି ତୁମର ଏକର ଯାଇଛି ତ ସେ ଆଉ ଚାରି ଏକର ମିଶେଇ କିଣି ଦେବ। ପୁଅ ଉପରେ ଲତା ଙ୍କର ଅଖଣ୍ଡ ବିଶ୍ବାସ।         ଆଉ ଆଜି ନବୀନ ଙ୍କ ମନ ବୋଧେ ସାମାନ୍ୟ ଦବି ଯାଇଛି। ସେ ପୁଅକୁ ଆଉ ଥରେ ବାହାରକୁ ଡକେଇ କଥା ହେବାକୁ ଡରୁଛନ୍ତି।କାଳେ ପୁଅ ପୁଣି ଥରେ ଚିଡି ଯିବ। ଏପଟ ସେପଟ ଚାହିଁଲେ ନବୀନ।ଛେପ ଢ଼ୋକି ଆଗକୁ ଗାଡ଼ି ଗଡେଇଲେ। କିଛି ବାଟରେ ଏକ ଆଢ଼ୁଆଳ ଯାଗାରେ ସ୍କୁଟର ଟା ଥୋଇ ଦେଇ ଆସିଲେ। ଟାଇଁ ଟାଇଁ ଖରା ମୁଣ୍ଡ ପୋଡ଼ି ପକାଉଛି।ସେଥିକୁ ଖାତିରି ନକରି ଫାଟକ ପାଖରେ ସଞ୍ଜୟ କୁ ଡ଼ାକି ଦେବାକୁ ଏକ ପିଲାକୁ ପଠେଇଲେ ସେ। ଅନେକ ବେଳ ଗଡି ଗଲା ହେଲେ ଆସିଲା ନାହିଁ ସଞ୍ଜୟ। ଦୁଇ ଥର ଫୋନ୍ କରି ନିରାଶ ହେବା ପରେ ନିରୁପାୟ ହୋଇ ଏକ କନା ପୁଟୁଳି ଟିକୁ ଏକ ପିଲା ହାତରେ ସଞ୍ଜୟ କୁ ଦେଇ ଦେବାକୁ କହି ସ୍କୁଟର ପାଖକୁ ପାଦ ବଢାଇଲେ ନବୀନ।           ଭୋକରେ ପେଟ ଜଳିଲାଣି। ତଣ୍ଟି ଶୁଖି ଅଠା ଅଠା ଲାଗୁଥିଲା। ସକାଳ ପହରୁ ଗଣ୍ଡେ ପଖାଳ ଖାଇ ଦେଇ ତିରିଶି କିମି ଏ ଦଦରା ଗାଡ଼ିରେ ମାଡ଼ି ଆସିଛନ୍ତି ନବୀନ। ପୁଅ ବେଶୀ କିଛି କଥା ହେଲାନି ବୋଲି ମନ ଭିତରେ ଦୁଃଖ ଚିରୁଡାଏ ଲୁଚି ରହିଥିଲା। ହେଲେ ଉପରକୁ ଖୁସି ଦେଖୁଥିଲେ ସେ। ଆଜି ଥାର୍ଡ ସେମିଷ୍ଟର ଫର୍ମ ଫିଲପ୍ ସରିଗଲା ବୋଲି ମନ କିଛି ମାତ୍ରାରେ ଆଶ୍ବସ୍ତ ହୋଇଛି। ଆଶ୍ବସ୍ତ ଏଇଥିପାଇଁ ଯେ ପରୀକ୍ଷା ର ବୋଝ କିଛି ମାତ୍ରାରେ କମି ଯାଇଛି। ଦୁଇ ବର୍ଷ ହେଲା ଷ୍ଟଡି ଲୋନ୍ ଟାଏ କରିବେ ବୋଲି ବ୍ୟାଙ୍କ ଦଉଡ଼ି ଦଉଡ଼ି ପାଦର ଚପଲ ଘୋରି ହୋଇ ଯାଇଛି ତାଙ୍କର। ୟାକୁ ତାକୁ ହାତ ଗୁଞ୍ଜା ଦେଇ ଦେଇ ନୟାନ୍ତ ହୋଇ ଯାଇଛନ୍ତି ସେ। ଶେଷକୁ ବଡ଼ ଝିଅ ମିତୁ କିଛି ପଇସା ପଠେଇ ବାରୁ ତା’ର ବକେୟା ଦରମା ଦେଇଥିଲେ ନବୀନ।            ଝିଅ ମିତୁ ସଞ୍ଜୟ ଠାରୁ ଆଠ ବର୍ଷ ବଡ଼। ଭାରି ଇଛା ଥିଲା ତା’ର ଆଗକୁ ପାଠ ପଢ଼ିବ। ଆଉ ଭଲ ପଢ଼ୁଥିଲା ଝିଅ ମୋ’ର। ହେଲେ ପୁଅର ପାଠ ପଢ଼ା କୁ ଆଖି ଆଗରେ ରଖି ତା ପାଠ ପଢା କୁ ବନ୍ଦ କରିବାକୁ ପଡିଲା ମୋତେ। ଆଉ ତା ଭାଗ୍ୟ ଜୋରରୁ ସେ ବିନା ଯୈାତୁକ ରେ ବାହା ହୋଇଗଲା। ଖାଲି ସେତିକି ନୁହେଁ ତା ଇଛା ପୂରଣ କରିବାକୁ ଯାଇ ଶୁଶର ତା’ର ତାକୁ ନର୍ସିଂ କଲେଜ ରେ ପଢିବା ର ସୁଯୋଗ ଦେଇଥିଲେ। ଆଉ ସେଥିରେ ସେ ଟପ୍ପର ହୋଇ ଏଇ ବର୍ଷେ ହେବ ସରକାରୀ ହସ୍ପିଟାଲରେ ଚାକିରୀ କରୁଛି। ଭଲ ମନ୍ଦ ରେ ବିନା ମାରିବାରେ ବି ସେ ପଇସା ପଠାଏ। ଆଉ ଆମକୁ ଲୁଚାଇ ସାନ ଭାଇ କୁ ହାତ ଖର୍ଚ୍ଚ ବି ଦିଏ। ଜୋଇଁ ବି ଭାରି ସୁଧାର ପିଲା। ସପ୍ତାହ ଥରେ ଅଧେ ଫୋନ୍ କରି ଆମ କଥା ବୁଝିବାକୁ କେବେ ହେଳା କରନ୍ତି ନାହିଁ। ହେଲେ          ଲତାଙ୍କର ଠାକିଥାଏ ପୁଅ ପାଖରେ।ମଲା ପରେ ସେଇ ପରା କୁଆଡେ ମୁହଁରେ ନିଆଁ ଦେବ। ପିଣ୍ଡ ପାଣି ଦେବ। କେମିତି ବା ଝିଅ ଠୁ ଅଧିକ ପୁଅକୁ ଭଲ ପାଇବେ ନାହିଁ!        ପକେଟ୍ ରେ ଫୋନ୍ ଟା ରିଙ୍ଗ୍ ହେବାରୁ ନବୀନ ଙ୍କ ଭାବନା ଭଙ୍ଗ ହେଲା। ସଞ୍ଜୁ ଫୋନ୍ କରିଛି। ସେ ତରବରରେ ଗାଡ଼ି ଅଟକାଇ ହ୍ୟାଲୋ କହିଲେ।ଖିଙ୍କାରୀ ହୋଇ ସଞ୍ଜୁ କହୁଥିଲା – ତୁମେ ତୁମର ସେ ଗାଉଁଲି ମଫୁ ପ୍ରକୃତି କେବେ ଛାଡ଼ି ପାରିବ ନାହିଁ। ସେ ରେଜା ପଇସା ଗୁଡା ମୋର୍ କ’ଣ ହେବ ? ତୁମକୁ ଟିକେ ଲାଜ ଲାଗିଲା ନାହିଁ କନା ପୁଟୁଳା ରେ ସେ ଖୁଚୁରା ପଇସା ଗୁଡା ବାନ୍ଧି ଆଣିଛ….. ଆଉ କେବେ ଏଠିକି ଆସିବ ନାହିଁ। ମାସକୁ ମାସ ପଇସା ମୋତେ ପଠେଇ ଦବ।ଆଉ ମୋ’ର ଯାହା ଦରକାର ମୁଁ ଅପା ଠାରୁ ନେଇ ଯିବି। ସେ ପୁରୁଣା କାଳିଆ ମାନ୍ଧାତା ଅମଳର ସ୍କୁଟର କୁ ମୋ ସାମ୍ନାକୁ ଆଣିବ ନାହିଁ। ମୁଁ ଏଥର ଗଲେ ସେଥିରେ ନିଆଁ ଲଗେଇ ଦେବି ରୁହ। ଆଉ ଥିବ ଯେ ତା ପାଇଁ ମୋତେ ଅପମାନ ହେବାକୁ ପଡ଼ିବ। ହେଲେ ଧନ…… ନବୀନ କିଛି କହିବା ପୂର୍ବରୁ ଟଂ ଟଂ ହୋଇ କଟି ଯାଇଥିଲା ଫୋନ୍ ଟି।         ଅଜଣାତେ ନବୀନ ଆଖିରୁ ଲୁହ ଦୁଇ ଟୋପା ନିଗିଡ଼ି ପଡ଼ିଲା। ବାପାଙ୍କ ପଛରେ ଏଇ ସ୍କୁଟର ରେ ନିତି ବସିବା ପାଇଁ ଜିଦି ଧରି କାନ୍ଦୁଥିବା ସଞ୍ଜୁ ଆଜି ଏ ଗାଡ଼ି ଟି ଜଳେଇ ଦେବା କଥା କହୁଛି। ଅପା ନୁହେଁ କେବଳ ବାପାଙ୍କ ସ୍କୁଟର ପଛରେ ମୁଁ ବସିବି। ଏକଥା ଦିନେ ସଞ୍ଜୁ ହିଁ କହୁଥିଲା। ବହୁତ ବୁଝେଇବା ପରେ ମାମୁଁ ଘରକଥା ଖୁସିରେ ନାଚି ଯାଉଥିଲା ସଞ୍ଜୁ।ହାତେ ଓଢଣା ଟାଣି ପଛରେ ମିତୁ କୁ ଧରି ଲତା ବସୁଥିଲେ ଆଉ ଆଗରେ ସଞ୍ଜୁ ଠିଆ ହୋଇ ଯାଉଥିଲା। ସତରେ କେତେ ଖୁସି ର ଦିନ ଥିଲା…… ବିଶ୍ୱାସ ହେଉନି ତାଙ୍କ ର ସଞ୍ଜୁ ଏମିତି ଏତେ ଶୀଘ୍ର