Course Category: ଜହ୍ନମାମୁ ପୃଷ୍ଠାରୁ ଗପଟିଏ

ସତ୍ୟର ମୂଲ୍ୟ

ସତ୍ୟର ମୂଲ୍ୟ     ଗାଁ ମୁଣ୍ଡରେ ଚାଳି ଘରଟିଏ, ସେଠାରେ ରହୁଥାଏ ଗୋଟିଏ ବୁଢୀ । ତା’ର ସ୍ୱଭାବ ଗାଁ ଲୋକଙ୍କ ଠାରୁ ନିଆରା । ବୁଢୀ ତା’ ଜୀବନରେ କେବେ ମିଛ କହିନାହିଁ କି କାହାର ଅମଙ୍ଗଳ ଚିନ୍ତା କରିନାହିଁ । ଲୋଭରେ ସେ କାହାର କୁଟା ଖଣ୍ଡିଏ ଉଠାଇ ନେବା କେବେ କିଏ ଦେଖିନାହାନ୍ତି । ଧର୍ମ ଓ ଈଶ୍ୱରବିଶ୍ୱାସୀ ଏହି ବୁଢୀକୁ ଗାଁଟିଯାକର ପିଲାଠୁ ବୁଢା ଯାଏଁ ସମସ୍ତେ ଭଲପାଆନ୍ତି ।      ଦିନକର ଘଟଣା । ରାତିଟା ସାରା ଝିପିଝିପି ବର୍ଷା ଲାଗି ରହିଥାଏ । ହଠାତ୍ ରାତି ଅଧରେ ବୁଢୀର ଦାଣ୍ଡଦୁଆରେ କିଏ ଖଟ୍ ଖଟ୍ ଶବ୍ଦ କଲା । ହଠାତ୍ ବୁଢୀର ନିଦ ଭାଙ୍ଗିଗଲା । ଦ୍ୱାର ଖୋଲି ଦେଖିଲା ବେଳକୁ ଦୁଇଜଣ ସନ୍ନ୍ୟାସୀ ଠିଆ ହୋଇଛନ୍ତି ।       ବୁଢୀକୁ ଦେଖି ସନ୍ନ୍ୟାସୀ ଦୁହେଁ କହିଲେ, “ମାଉସୀ ! ଆମେ ଦୁହେଁ ସଂସାର ତ୍ୟାଗୀ ସନ୍ନ୍ୟାସୀ । ତୀର୍ଥଯାତ୍ରାରେ ଯିବାପାଇଁ ବାହାରିଛୁ । ବାଟରେ ବର୍ଷା ହେବାରୁ ତୁମ ଘରେ ରହି ରାତିଟା ଆଶ୍ରୟ ନେବାକୁ ଚାହୁଁଛୁ । ବର୍ଷା ଛାଡିଗଲା ପରେ ଆମେ ଆମ ବାଟରେ ଚାଲିଯିବୁ ।”       ସନ୍ନ୍ୟାସୀଙ୍କ ଠାରୁ ଏଭଳି କଥା ଶୁଣି ବୁଢୀମନରେ ଦୟା ଆସିଲା । ଦୁହିଁଙ୍କର ବିଶ୍ରାମ ପାଇଁ ସେ ଯୋଗାଡ କରିଦେଲା । ଦୁହେଁ ବିଶ୍ରାମ ନେଲେ । ରାତି ପାହିଲା ବେଳକୁ ବର୍ଷାବି ଛାଡି ଯାଇଥାଏ । ସନ୍ନ୍ୟାସୀ ଦୁହେଁ ସେଠାରୁ ଚାଲିଯିବାକୁ ବାହାରିଲେ ।        ଗଲାବେଳେ ବୁଢୀକୁ ଝୁଲାମୁଣିଟିଏ ଦେଇ କହିଲେ, “ମାଉସୀ ! ଏଇଟିକୁ ଟିକିଏ ସାବଧାନରେ ରଖିଥିବ । ତୀର୍ଥରୁ ଫେରିଲା ପରେ ଆମେ ଆସି ଏଠାରୁ ନେଇଯିବୁ ।” ବୁଢୀ ସନ୍ନ୍ୟାସୀଙ୍କ କଥାରେ ମୁଣିଟିକୁ ସାଇତି ରଖିଲା । ତାପର ଦିନ ସକାଳେ ରାଜ୍ୟସାରା ହୁରି ପଡିଗଲା, ରାଜାଙ୍କର ଅଷ୍ଟରତ୍ନ ଖଚିତ ସ୍ୱର୍ଣ୍ଣମୁକୁଟଟି ଚୋରି ହୋଇଯାଇଛି । ଏକଥା ଡେଙ୍ଗୁରା ବଜାଇ ଘୋଷଣା କରାଗଲା । ଯିଏ ଚୋରକୁ ଧରାଇ ମୁକୁଟର ସନ୍ଧାନ ଦେବ ତାକୁ ଉପଯୁକ୍ତ ପୁରସ୍କାର ପ୍ରଦାନ କରାଯିବ ବୋଲି ମଧ୍ୟ ପ୍ରଚାର କରାଗଲା ।       ଏଥର ରାଜ୍ୟରେ ଚୋର ଧରା ଅଭିଯାନ ଚାଲିଲା । କେତେ ଚୋର ଧରା ହେଲେ, ମାତ୍ର ମୁକୁଟ କାହା ପାଖରୁ ମିଳିଲା ନାହିଁ । ସୁତରାଂ ରାଜା ଅନ୍ୟ କିଛି ଉପାୟ ନ ଦେଖି ରାଜକର୍ମଚାରୀଙ୍କ ଦ୍ୱାରା ଘରେ ଘରେ ତଲାସୀ ଚଳାଇ ମୁକୁଟ ଖୋଜିଲେ । ଶେଷରେ ଏଇ ବୁଢୀ ଘରୁ ସନ୍ନ୍ୟାସୀଙ୍କର ସେଇ ମୁଣି ଭିତରୁ ମୁକୁଟ ମିଳିଗଲା ।       ସଂଗେ ସଂଗେ ରାଜାଙ୍କ ଆଗରେ ବୁଢୀକୁ ହାଜର କରାଗଲା । ରାଜା ବୁଢୀକୁ ପ୍ରଶ୍ନକଲେ, “ମା’ ରାଜ ମୁକୁଟଟି ତୁମ ଘରକୁ କିପରି ଗଲା?”       ଏବେ ବୁଢୀ ଗୋଟି ଗୋଟି କରି ସମସ୍ତ ଘଟଣା ବର୍ଣ୍ଣନା କରିଦେଲା । ହେଲେ ବୁଢୀର କଥାକୁ କେହି ବିଶ୍ୱାସ କଲେ ନାହିଁ । ଶେଷରେ ବୁଢୀକୁ ଫାଶୀଦଣ୍ଡ ମିଳିବ ବୋଲି ଶୁଣାଇ ଦିଆଗଲା ।       ବୁଢୀର ଢଙ୍ଗ ଢାଙ୍ଗ ଦେଖି ରାଜାଙ୍କ ମନରେ ଦୟା ଆସିଲା । ଫାଶୀଦଣ୍ଡ ଦିଆଯିବା ଆଗରୁ ପୁଣି ଥରେ ସତକଥା କହିବାକୁ ବୁଢୀକୁ ଅନୁରୋଧ କରାଗଲା । ମାତ୍ର ବୁଢୀ ସେଇ ଗୋଟିଏ କଥା କହୁଥାଏ । ଏହି ସମୟରେ ମନ୍ତ୍ରୀଙ୍କ ମୁଣ୍ଡରେ ଏକ ବୁଦ୍ଧି ପଶିଲା, ସେ ରାଜାଙ୍କୁ ଅନୁରୋଧକଲେ ମୃତ୍ୟୁ ଦଣ୍ଡପୂର୍ବରୁ ବୁଢୀକୁ ଆଉଥରେ ଶେଷ ସୁଯୋଗ ଦିଆଯାଉ ।      ଶେଷରେ ତାହାହିଁ ହେଲା । ଏକ ଅଭିନବ କୌଶଳରେ ମନ୍ତ୍ରୀ ଆଦେଶ ଦେଲେ, ଧରାପଡିଥିବା ଚୋରଙ୍କୁ ସନ୍ନ୍ୟାସୀ ବେଶରେ ସଜାଇ ଦେଇ ଠିଆ କରାଯାଉ । ତାପରେ ବୁଢୀକୁ ମନ୍ତ୍ରୀ କହିଲେ, “ମାଉସୀ ! ତୁମେ ଏଥର ଜଣ ଜଣକରି ଏମାନଙ୍କୁ ଚିହ୍ନ ତୁମ ଘରେ କିଏ ଝୁଲାମୁଣି ରଖିଥିଲା ।”           ବୁଢୀ ଏବେ ଦୁଇ ସନ୍ନ୍ୟାସୀଙ୍କୁ ଚିହ୍ନିବାରେ କିଛି ଅସୁବିଧା ହେଲା ନାହିଁ । ଏବେ ଦୁଇଚୋରଙ୍କୁ ଜେରା କରାଯାଇ ଅସଲ କଥାଟି ଜଣା ପଡିଗଲା । ଚୋରମାନେ ମଧ୍ୟ ସତ ସତ ମାନିଗଲେ । ଚୋରଙ୍କୁ ଏବେ ଫାଶୀଦଣ୍ଡାଦେଶ ହେଲା ।         ଏଣେ ବୁଢୀ ଶେଷଯାଏଁ ସତକଥା କହିଥିବାରୁ ରାଜ ଉଆସରେ ସେ ସୁଖମୟ ଜୀବନ ଯାପନ ପାଇଁ ସବୁପ୍ରକାର ବ୍ୟବସ୍ଥା ରାଜା କରିଦେଲେ । ଶେଷରେ ଚତୁର ମନ୍ତ୍ରୀଙ୍କୁ ଉପଯୁକ୍ତ ପୁରସ୍କାର ମଧ୍ୟ ପ୍ରଦାନ କଲେ ।

ବୃକ୍ଷର ଜୀବନ

ବୃକ୍ଷର ଜୀବନ

ବୃକ୍ଷର ଜୀବନ       ଗୋଟିଏ ଆମ୍ବ ଗଛରେ ଯଥେଷ୍ଟ ଫଳଫଳି ଲୋଟି ପଡୁଥାଏ । କ୍ରମେ ତାହା ପାଚି ମହମହ ବାସରେ ଚଉଦିଗ ମହକାଇ ଦେଲା । ଏତିକିବେଳେ ପିଲାମାନଙ୍କର ନଜର ପଡିଗଲା ସେହି ଗଛ ଉପରେ । ସେମାନେ ଆମ୍ବଖାଇବାକୁ ମନକଲେ । ହେଲେ କିପରି ତୋଳିବେ? ଛୋଟ ଛୋଟ ପିଲା, ତାଙ୍କର ଗଛ ଉପରକୁ ହାତ ପାଉନଥାଏ ଆମ୍ବ ତୋଳିବା ପାଇଁ । ତହୁଁ ପିଲାମାନେ ମନରେ ଆମ୍ବ ତୋଳିବା ଉପାୟ ପାଂଚିଲେ । ଏକ ସହଜିଆ ଉପାୟଟେ ପାଇଗଲେ । ଏବେ କ’ଣ କଲେନା ରାସ୍ତାକଡରୁ ଟେକା ପଥର ଗୋଟେଇ ଆମ୍ବଗଛକୁ ଫୋପାଡିଲେ । ଏହା ଦ୍ୱାରା ବେଶ୍ କିଛି ଆମ୍ବ ବି ଝଡିଗଲା । ତହୁଁ ପିଲାମାନେ ସେହି ଗଛ ଛାଇରେ ବସି ଆମ୍ବଗୁଡିକୁ ଖୁସିମନରେ ଖାଇ ସେଠାରୁ ଚାଲିଗଲେ । ଏହିଭଳି ଚାଲିଥାଏ ପ୍ରତିଦିନ । ଯାହାର ଆମ୍ବ ଦରକାର ଟେକାପଥର ଫିଙ୍ଗିଲେ ସେ ଆମ୍ବ ବାଂଟିଦେଉଥାଏ ।     ସେହି ଆମ୍ବଗଛ ପାଖରେ ଗୋଟିଏ ନିମ୍ବଗଛ ଥିଲା । ସେଥିରେ ବି ଆମ୍ବଗଛ ଠାରୁ ଅଧିକ ଫଳ ଆସି ପେନ୍ଥା ପେନ୍ଥା ଝୁଲୁଥାଏ । ଆମ୍ବଗଛର ଏଭଳି ସହିଷ୍ଣୁତା ଗୁଣଦେଖି ଦିନେ ନିମ୍ବଗଛଟି ଆମ୍ବଗଛକୁ କହିଲା, “ଭାଇ! ତୁମେ ତ ପ୍ରତ୍ୟହ ଖୁବ୍ ପଥର ମାଡ ଖାଉଛ, ହେଲେ କାହିଁକି କ’ଣ ପାଇଁ?” ତହୁଁ ଆମ୍ବଗଛଟି ହସି ହସି କହିଲା, “ଭାଇ ଏଇ ତ ଦୁନିଆ । ଏଠି ଦେଶ ନେଶ ଅବିରତ ଚାଲିଛି । ଯାହାର ଦେବତା କ୍ଷମତା ଅଛି ତା’ ନିକଟକୁ ନେବା ପାଇଁ ପ୍ରତ୍ୟହ କିଛି ନା କିଛି ଲୋକ ଆସନ୍ତି । ଦେବାରେ ଯେଉଁ ସୁଖ ଅଛି ନେବାରେ ନ ଥାଏ । ବୁଝିବା ଶୁଝିବା ଲୋକ ଖୁସିରେ ଆମ୍ବ ତୋଳି ନିଅନ୍ତି । ମାତ୍ର ପିଲାଏ ମୋ ଫଳ ପାଖରେ ପହଂଚିବାକୁ ଅସମର୍ଥ ବୋଲି ପଥର ଫିଙ୍ଗି ଆମ୍ବସଂଗ୍ରହ କରନ୍ତି । ମୋର ଏତେ ବଡ ବକ୍ଷକୁ ସାମାନ୍ୟ ପଥର ଫିଙ୍ଗିଲେ କ’ଣ ବା କ୍ଷତି ହେବ? ଏଇ ଦେଖୁନ, ଛୋଟ ପିଲାଟିଏ କିଭଳି ଆମ୍ବଟିଏ ପାଇ ଖୁସି ହେଉଛି? ତାହା ଦେଖିଲେ ମୋ ମନବି ଖୁସିରେ ନାଚି ଉଠୁଛି । ଯେପର୍ଯ୍ୟନ୍ତ ମୋର ଦେବାକୁ ସାମର୍ଥ୍ୟ ଥିବ ସେପର୍ଯ୍ୟନ୍ତ ମୁଁ ଦେଇ ଚାଲିଥିବି ।”     ଆମ୍ବଗଛର ଏଭଳି ମହତପଣିଆ କଥା ଶୁଣି ନିମ୍ବଗଛ ନୀରବ ରହିଲା । କାରଣ ସେ ଭଲ ଭାବରେ ଜାଣିଥିଲା ଯେ, ନିଜର ଫଳ କେତେ ତିକ୍ତ ଓ ଅନାଦୃତ । ଆମ୍ବଗଛକୁ ଏ ସମ୍ପର୍କରେ କହିବା ବେଳେ ନିଜ ହୀନ ଭାବନାର ପରିଚାୟକ ଥିଲା ମାତ୍ର । ସତେଯେପରି ଜଣେ କୃପଣ ବ୍ୟକ୍ତି ବଦାନ୍ୟ ବ୍ୟକ୍ତିକୁ କହୁଥାଏ ।       ବାସ୍ତବରେ ଦେବାରେ ଯେଉଁ ଆନନ୍ଦ ନିହିତ, ତାହା ସଂଚୟରେ ନଥାଏ । ଯିଏ ଦାନକରି ନାହାନ୍ତି ସିଏ ଜୀବନରେ କେବେ ଶାନ୍ତି ଲାଭ କରିନାହାନ୍ତି । ସେହିମାନେ ହିଁ ଧନର ଦାସ ପାଲଟି ଯାଆନ୍ତି କେବଳ ଧନ ସଂଚୟ କରିକରି ।      ପୃଥିବୀରେ କୋଟି କୋଟି ଲୋକ ଜନ୍ମନେଇ ମୃତ୍ୟୁବରଣ କରୁଛନ୍ତି, ହେଲେ କେହି କାହାକୁ ମନେ ରଖନ୍ତି ନାହିଁ । ବିପୁଳ ସମ୍ପତ୍ତିର ଅଧିକାରୀ ଯେମିତି ମଶାଣିରେ ମୁଠାଏ ପାଉଁଶ ହୋଇଯାଏ, ଦରିଦ୍ର ଲୋକଟି ମଧ୍ୟ ସେପରି ହୁଏ । ତେବେ ଫରକ ରହିଲା କେଉଁଠି?       ମାତ୍ର ଏଇ କୋଟି କୋଟି ମଣିଷଭିତରୁ କେଇ ଜଣ ସମାଜରେ ବଂଚିରହିଥାନ୍ତି, କେବଳ ସେମାନଙ୍କର ସମାଜକୁ ଜୀବନ ଉତ୍ସର୍ଗ ଯୋଗୁଁ । ଠିକ୍ ଅନ୍ୟକୁ ଛାୟା ପ୍ରଦାନ, ଫଳବଂଟନ ଓ ଜାଳେଣି ଯୋଗଣ କରି ଚାଲିଥିବା ବୃକ୍ଷର ଜୀବନ ଭଳି ।

ଚିରନ୍ତନ ସୁଖ ଯାହାର ଯେଉଁଠି

ଚିରନ୍ତନ ସୁଖ ଯାହାର ଯେଉଁଠି      ଜଣେ ତପସ୍ୱୀ ତାଙ୍କ ଶିଷ୍ୟଗଣଙ୍କ ସହିତ ହମାଳୟ ପାଦଦେଶରେ କୁଟୀର ରଚନା କରି ରହୁଥାନ୍ତି । ପ୍ରତ୍ୟହ ଜପ ତପରେ ତାଙ୍କର ଜୀବନ ଭାରି ଶାନ୍ତିରେ କଟି ଯାଉଥାଏ ।       ଏକଦା ତାଙ୍କର ଶିଷ୍ୟଗଣ ସହିତ ତପସ୍ୱୀ ତୀର୍ଥାଟନରେ ଯାଇ କାଶୀ ଧାମରେ ପହଁଚିଲେ । ହିମାଳୟରୁ ଆସିଥିବା ତପସ୍ୱୀଙ୍କର ଆଗମନର ଖବର କାଶୀ ନରେଶଙ୍କ ପାଖରେ ପହଁଚିଗଲା । ସୁତରାଂ ନରେଶ ତପସ୍ୱୀଙ୍କୁ ଭେଟି ତାଙ୍କର ସେବା କରିବା ନିମନ୍ତେ କିଛିଦିନ ରାଜପ୍ରାସାଦରେ ଅବସ୍ଥାନ କରିବା ପାଇଁ ନିମନ୍ତ୍ରଣ ଜଣାଇଲେ ।       ରାଜାଙ୍କର ଅନୁରୋଧ ରକ୍ଷା କରି ତପସ୍ୱୀ ଏବେ ରାଜପ୍ରାସାଦ ଯାଇ ସେଠାରେ ରହିଲେ । କାଶୀ ନରେଶ ତାଙ୍କର ରହିବା ଖାଇବାର ସୁବନ୍ଦୋବସ୍ତ କରିଦେଲେ । ସାଧୁବାବା ଯେଭଳି ସାମାନ୍ୟତମ ଅସୁବିଧା ଭୋଗ ନ କରନ୍ତି, ସେଥିଲାଗି ରାଜକର୍ମଚାରୀ ମାନେ ସଜାଗ ରହିଥାନ୍ତି ।    ଏତେ ସୁବିଧା ସୁଯୋଗ ଯୋଗାଇ ଦେଲାପରେ ମଧ୍ୟ ତପସ୍ୱୀ ବିଷଣ୍ଣ ଥିବା ଦେଖି ରାଜା ବିସ୍ମିତ ହେଲେ; ମାତ୍ର ଅସଲକଥାଟି ସେ ଜାଣି ନ ପାରି ତାଙ୍କ ଆଡୁ କିଛି ଅସୁବିଧା ରହିଯାଇଛି ବୋଲି ରଜା ମନେ ମନେ ପ୍ରମାଦ ଗଣିଲେ । କିନ୍ତୁ ଅସଲ କଥା କ’ଣ ବୁଝିବା ଲାଗି ସେ ତପସ୍ୱୀଙ୍କୁ ପଚାରିବାକୁ ସାହସ କରି ପାରୁନଥାନ୍ତି ।       ଅସଲ କଥାଟି ଥିଲା, ତପସ୍ୱୀଙ୍କୁ ରାଜ ଉଆସ କି ରାଜକୀୟ ଚଳଣି ଆଦୌ ଭଲ ଲାଗୁନଥାଏ । ତାଙ୍କ ଆଖି ଆଗରେ ଆଶ୍ରମର ଦୃଶ୍ୟରାଜି ଓ କଥାସବୁ ଭାସି ବୁଲୁଥାଏ । ଅହରହ ଆଶ୍ରମ କଥା ମନେ ପକାଇ ଫେରିଯିବାକୁ ଚାହୁଁଥିଲେ ମଧ୍ୟ ଫେରିପାରୁ ନଥିଲେ । ଶେଷରେ ମାନସିକ ଅବସ୍ଥାରୁ ଧୀରେ ଧୀରେ ତପସ୍ୱୀ ରୋଗଗ୍ରସ୍ତ ହୋଇଗଲେ । କେବେ ପେଟ ବ୍ୟଥା ତ ଆଉ କେବେ ମୁଣ୍ଡ ବ୍ୟଥା ବା କ୍ଷୁଧା ହୀନତା ଭଳି ରୋଗ ଦେଖାଗଲା । ଦିନକୁ ଦିନ ତପସ୍ୱୀଙ୍କର ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ରାଜା ଚିନ୍ତିତ ହୋଇ ପଡିଲେ । ରାଜା ବୈଦ୍ୟଙ୍କୁ ଡାକି ଚିକିତ୍ସା କରାଇଲେ ମଧ୍ୟ କିଛିଫଳ ମିଳିଲା ନାହିଁ ।         ଦିନକର କଥା । ରାଜା ମନ ଦୁଃଖରେ ତପସ୍ୱୀଙ୍କ ପାଖରେ ବସିଥାନ୍ତି । ତପସ୍ୱୀ ପଚାରିଲେ, “ରାଜନ୍! ଆପଣ କୁହନ୍ତୁତ, ମୋର ସୁସ୍ଥତା ଚାହାନ୍ତି ନା ପରଲୋକ ଗମନ?” ଏକଥା ଶୁଣି ରାଜା କହିଲେ, “ଆପଣ ଏ କ’ଣ କହୁଛନ୍ତି? ଆପଣଙ୍କର ସେବାଯତ୍ନରେ ମୁଁ କେବେ ବି ଟିକିଏ ହେଳା କରିନାହିଁ, ତଥାପି ଆପଣ ଏଭଳି କଥା କହି ପାରୁଛନ୍ତି କିପରି? ଖୁବ୍ ଶୀଘ୍ର ମୁଁ ଆପଣଙ୍କୁ ସୁସ୍ଥାବସ୍ଥାରେ ଦେଖିବାକୁ ଚାହେଁ ।”        ଏଥର ତପସ୍ୱୀ କହିଲେ, “ଯଦି ଏଭଳି ଇଚ୍ଛା ତେବେ ମୋତେ ମୋର ଆଶ୍ରମରେ ପହଁଚାଇ ଦେବାର ବ୍ୟବସ୍ଥା କରାଇ ଦିଅନ୍ତୁ ।”          କାଶୀ ନରେଶ ତପସ୍ୱୀଙ୍କର କଥା ରଖିଲେ । ତତ୍ କ୍ଷଣାତ୍ ତାଙ୍କୁ ଆଶ୍ରମରେ ପହଁଚାଇବା ବ୍ୟବସ୍ଥା କରିଦେଲେ । ଆଶ୍ରମରେ ପହଁଚିଲା ପରେ ତପସ୍ୱୀଙ୍କୁ ଦେଖି ଶିଷ୍ୟମାନେ ଖୁସିହୋଇଗଲେ । ଆଶ୍ରମ କୋଳାହଳରେ ପୂରିଉଠିଲା । ଗୁରୁଙ୍କର ଏଭଳି ଅବସ୍ଥା ଦେଖି ଶିଷ୍ୟମାନେ ଜଡିବୁଟି ଚିକିତ୍ସା ଆରମ୍ଭ କରିଦେଲେ । ଆଶ୍ରମ ପରିବେଶରେ ଚଲାବୁଲା କରିବା, ଧର୍ମଶାସ୍ତ୍ର ଚର୍ଚ୍ଚା କରି ମନକୁ ହାଲୁକା କରିଦେବା, ସାଧାସିଧା ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଖୁବ୍ ଶୀଘ୍ର ସେ ଆରୋଗ୍ୟ ଲାଭ କଲେ ।      କିଛି ଦିନ ପରେ ତପସ୍ୱୀଙ୍କୁ ଦେଖିବା ଲାଗି କାଶୀ ନରେଶ ତପସ୍ୱୀଙ୍କର ଆଶ୍ରମରେ ପହଁଚିଲେ । ଏବେ ତପସ୍ୱୀଙ୍କର ମୁହଁରେ ପ୍ରସନ୍ନତା ଓ ସୁସ୍ଥ ଅବସ୍ଥା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ତହୁଁ ରାଜା ନିଜର ସନ୍ଦେହ ମୋଚନ ପାଇଁ ତପସ୍ୱୀଙ୍କୁ ପଚାରିଲେ, “ମହାଶୟ ! ମୋ ରାଜ ନଅରରେ କ’ଣ ଊଣାଥିଲା, ଯାହାଫଳରେ ଆପଣ ଅସୁସ୍ଥ ହୋଇ ପଡିଲେ?”       ଏହା ଶୁଣି ତପସ୍ୱୀ ମୁରୁକି ହସି ହସି ଉତ୍ତର ଦେଲେ, “ଆପଣଙ୍କ ମହଲରେ ସବୁ ସୁବିଧା ଥିଲା – ଉତ୍ତମ ଭୋଜନ, ଦାସଦାସୀ, କୋଠାବାଡି ଆଦି କେତେ କଣ। ମାତ୍ର ମୋ’ ମନର ଭୋଜନ ଥିଲା ଅଲଗା । ଏହାକୁ ନେଇ ମୁଁ ରାଜପ୍ରାସାଦରେ ରହୁଥିଲେ ମଧ୍ୟ ମୋ ମନରେ ଗଭୀର ଅବଶୋଷ ଥିଲା । ଏହି କାରଣରୁ ମୁଁ ରୋଗରେ ପଡିଗଲି । ଏତଦ୍ ବ୍ୟତିତ ଧାର୍ମିକ ପ୍ରସଂଗରୁ ମୁଁ ଆଶ୍ରମରେ ଯେଉଁ ରସ ଆସ୍ୱାଦନ କରିପାରୁଛି, ତାହା ସେଠାରେ ନାହିଁ । ତାହାହିଁ ଚିରନ୍ତନ ସୁଖ ଯାହା ସେଠାରେ ମିଳୁ ନଥିଲା ।”       ରାଜା ଏଥର ତପସ୍ୱୀଙ୍କର ମର୍ମବାଣୀ ବୁଝିଗଲେ । ତାଙ୍କ ମନରେ ଅପୂର୍ବ ପରିବର୍ତ୍ତନ ଘଟିଲା । ସେ ଆଉ ରାଜପ୍ରାସାଦକୁ ଫେରିବାକୁ ମନ ବଳାଇଲେ ନାହିଁ । ସେଇ ଆଶ୍ରମରେ ରହି ତପସ୍ୱୀ ଜୀବନଯାପନ କଲେ ଓ ତପସ୍ୱୀଙ୍କର ଶିଷ୍ୟ ବନିଗଲେ । ବାସ୍ତବରେ ଜଙ୍ଗଲରେ ଆଶ୍ରମ ଭଳି ସ୍ୱାତନ୍ତ୍ର୍ୟ ଓ ସୁସ୍ଥ ବାତାବରଣ ଆନନ୍ଦ ପ୍ରାପ୍ତିର ଶ୍ରେଷ୍ଠ ଉପାଦାନ ।

ପର ଭରଷାରେ କାମ ହୁଏ ନାହିଁ

ପର ଭରଷାରେ କାମ ହୁଏ ନାହିଁ

ପର ଭରଷାରେ କାମ ହୁଏ ନାହିଁ       ଗୋଟିଏ ବଗ କ୍ଷେତ ଭିତରେ ବସା ବନାଇ ରହି ଥିଲା । ସେହିଠାରେ ବଗଟି ମଧ୍ୟ ନିଜ ଛୁଆଙ୍କୁ ଲାଳନ ପାଳନ କରୁ ଥିଲା । ଯେତେବେଳେ କ୍ଷେତରେ ଧାନ ପାଚିଗଲା ବଗଟି ଚିନ୍ତା କରିବାକୁ ଲାଗିଲା । ବର୍ତ୍ତମାନ କ୍ଷେତରେ ଧାନ କାଟିବା ଚାଲିବ । ସେଥି ପାଇଁ ଏଠାରେ ରହିବା ତଥା ଛୁଆଙ୍କୁ ଲାଳନ ପାଳନ କରିବା ଅସମ୍ଭବ । କିନ୍ତୁ ଛୁଆ ମାନେ ବର୍ତ୍ତମାନ ସୁଦ୍ଧା ଉଡିବାକୁ ଶିଖି ନାହାଁନ୍ତି ସେଥି ପାଇଁ କିଛି ଦିନ ଏହି କ୍ଷେତରେ ରହିବାକୁ ପଡିବ । ସେ ଛୁଆ ମାନଙ୍କୁ କହିଲା – ମୁଁ ସବୁଦିନ ବସାରୁ ବାହାରକୁ ଯାଉଛି । ଏହି ସମୟରେ ଧାନ କାଟିବାକୁ କିସାନ୍ ମାନେ ଆସିବେ । ଆଉ ସେମାନେ ନାନା କଥା ଆଲୋଚନା କରିବେ । ତମେ ମାନେ ତାହା ଶୁଣିବ ଏବଂ ମୋତେ ଶୁଣାଇବ ଯାହା ଦ୍ୱାରା କି ତୁମ ମାନଙ୍କର ଭଲ ପାଇଁ ଠିକ୍ ଠିକ୍ କିଛି କାମ ମୁଁ କରି ପାରିବି ।       ଦିନେ ବଗଟି ବସା ବାହାରକୁ ବାହାରି କିଛି କୀଟ ପତଙ୍ଗ ଆଣିବାକୁ ଯାଇଛି । କିଛି ସମୟ ପରେ ସେଠାରେ ଚାଷୀ ମାନେ ଆସି ଗଛ ଗୁଡିକ ଦେଖି ସେମାନେ କହିଲେ ଧାନ ପାଚି ଯାଇଛି । କାଟିବା ସମୟ ଉପସ୍ଥିତ ହୋଇ ଯାଇଛି । ଆଚ୍ଛା ଏବେ ଯାଉଛୁ । ପଡୋଶୀ ମାନଙ୍କୁ କହି ଦେବା । ସେମାନେ ଆସିବେ ଏବଂ ଧାନ କାଟି କରି ନେଇ ଯିବେ ।       ଯେତେ ବେଳେ ବଗଟି ବସାକୁ ଫେରି ଆସିଲା ଛୁଆ ମାନେ ସେମାନେ ଶୁଣି ଥିବା ଚାଷୀ ମାନଙ୍କ କଥା ମା’ବଗଟିକୁ ଶୁଣାଇଲେ । ପୁଣି ତାହାକୁ କହିଲେ ଚାଲ କୌଣସି ଅନ୍ୟ ଜାଗାକୁ ପଳେଇ ଯିବା । ଜଣା ନାହିଁ କେତେ ବେଳେ ଚାଷୀ ମାନେ ଏଠାକୁ ଆସିବେ ଆଉ ଧାନ କାଟିବା ସହିତ ଆମ ଜୀବନ ମଧ୍ୟ ନେଇ ଯିବେ ।          ବଗ କହିଲା – ବର୍ତ୍ତମାନ ଟିକେ ସୁଦ୍ଧା ଚିନ୍ତା କରିବାର କିଛି କାରଣ ନାହିଁ । ପୁଣି ଚାଷୀ ମାନେ ପଡୋଶୀଙ୍କ ସହିତ ଆସି ଧାନ କାଟିବାକୁ ବହୁତ ବିଳମ୍ବ ହେବ । ପଡୋଶୀ ମାନେ ନିଜ କ୍ଷେତରୁ ଧାନ କାଟିବା ପରେ ଯାଇ ଏମାନଙ୍କ କ୍ଷେତରୁ ଧାନ କାଟିବାକୁ ଆସିବେ ।         କିଛି ଦିନ ପରେ ଚାଷୀ ମାନେ ପୁଣି କ୍ଷେତକୁ ଆସିଲେ । ସେମାନେ ଦେଖିଲେ କିଆରୀରେ ଥିବା ଗଛ ଗୁଡିକ ପୁରା ପୂରି ପାଚି ଯାଇଛି । ପରନ୍ତୁ ପଡୋଶୀ ମାନେ ଏବେ ପର୍ଯ୍ୟନ୍ତ ଏହି କିଆରୀରେ ହାତ ଦେଇ ନାହାଁନ୍ତି । ସେମାନଙ୍କୁ ଭରଷା କରିବା ବ୍ୟର୍ଥ ହେବ । ଆଚ୍ଛା, ଚାଲ, ଭାଇ ମାନଙ୍କୁ କହି କରି ଦେଖିବା । ବୋଧ ହୁଏ ସେମାନେ ଆସି ଧାନ ଗଛ କାଟି ନେବେ ।          ସଞ୍ଜ ବେଳେ ବଗ ବସାକୁ ଫେରି ଆସିଲା ପରେ ଛୁଆ ମାନେ ପୂର୍ବ ପରି ଚାଷୀ ମାନେ ହେଉଥିବା କଥା ବାର୍ତ୍ତାକୁ ମା’ବଗକୁ କହିଲେ । ପୁଣି ଛୁଆ ମାନେ ତାଙ୍କ ମାଆଙ୍କୁ କହିଲେ ବର୍ତ୍ତମାନ ତୁମେ ଆମ ମାନଙ୍କୁ ଅନ୍ୟ ଯାଗାକୁ ନେଇ ଚାଲ । ଅବିକା କୃଷକ ଭାଇ ମାନେ ଏଠାରେ ଆସି ଧାନ କାଟିବେ । ଆଉ ଆମ୍ଭ ମାନଙ୍କ ପ୍ରାଣ ସଙ୍କଟରେ ପଡିବ ।         ବଗ ସେମାନଙ୍କୁ ବୁଝେଇ ବାକୁ ଲାଗିଲେ । ପାଗଳ ହୋଇ ଯାଇ ନ ତ? ଏଥିରେ ଚିନ୍ତା କରିବାର କୌଣସି କାରଣ ନାହିଁ । ବର୍ତ୍ତମାନ ତ ସେମାନେ ସେମାନଙ୍କ କିଆରୀରେ ଧାନ କାଟୁ ଛନ୍ତି । କିନ୍ତୁ ସେମାନେ କାହିଁକି ନିଜ କିଆରୀକୁ ଛାଡି ଅନ୍ୟ କିଆରୀର ଧାନକୁ କାଟିବାକୁ ଆସିବେ ।          ଦୁଇ – ତିନି ଦିନ ପରେ ଚାଷୀ ମାନେ ପୁଣି କିଆରୀକୁ ଆସିଲେ । ସେମାନେ କିଆରୀକୁ ଦେଖି କହିଲେ ବର୍ତ୍ତମାନ ତ ଧାନ ଏଭଳି ପାଚି ଯାଇଛି ଯେ ସେଥିରୁ ଧାନ ସବୁ ଝଡି ଯାଉଛି । କିନ୍ତୁ ଭାଇ ମାନେ ଧାନକୁ କାଟିବାର କୌଣସି ବ୍ୟବସ୍ଥା କଲେ ନାହିଁ । ଯଦି ଏପରି ଆହୁରି ଡେରି ହୁଏ, ତେବେ ଆମକୁ ହିଁ କ୍ଷତି ସହିବାକୁ ପଡିବ । ଏଥି ପାଇଁ ବର୍ତ୍ତମାନ କା ମୁହଁକୁ ଚାହିଁ ରହିବା ବ୍ୟର୍ଥ ହେବ । ବର୍ତ୍ତମାନ ମୁଁ ଆଉ କାହା ଉପରେ ଭରଷା କରିବି ନାହିଁ ଆଉ କାଲି ସକାଳୁ କ୍ଷେତରେ ଲାଗି ପଡିବି କିଆରୀର ଧାନ ସବୁ କାଟିବା ପାଇଁ ।         ଆଜି ମଧ୍ୟ ବଗ ଆସିବା ସାଂଗେ ସାଂଗେ ଛୁଆ ମାନେ ପୂର୍ବ ପରି ଚାଷୀ ମାନେ କହି ଥିବା କଥାକୁ କହିଲେ । ଛୁଆ ମାନେ ଆଗ୍ରହର ସହିତ କହିଲେ ମା’ ବର୍ତ୍ତମାନ ସମୟ ହୋଇଛି ଏହି ଜାଗାକୁ ଛାଡି ଅନ୍ୟ ସୁରକ୍ଷିତ ସ୍ଥାନକୁ ପଳାଇ ଯିବା କାରଣ ଆମର ଜୀବନ ବର୍ତ୍ତମାନ ସଙ୍କଟା ପୂର୍ଣ୍ଣ । କାହିଁକି ଅଯଥାରେ ଆମେ ଆମ ଜୀବନକୁ ସଙ୍କଟା ପୂର୍ଣ୍ଣ ହେବାକୁ ଦେବା?      ବଗ କହିଲା – ହାଁ ! ବର୍ତ୍ତମାନ ଯିବା । ସକାଳ ହେବା ପରେ ପରେ ଆମେ ଏହି ଯାଗା ଛାଡି ଦେବା । ବର୍ତ୍ତମାନ ଚାଷୀ ମାନେ ବୁଝି ଗଲେ କି ନିଜ କାମ ପର ଭରଷାରେ ହୁଏ ନାହିଁ । ଏଥି ପାଇଁ ସେମାନେ କାଲି ଅବଶ୍ୟ କ୍ଷେତରୁ ଧାନ କାଟିବାକୁ ଆସିବେ ।

ଖାଲ ଖୋଳିବା ଲୋକଙ୍କ କୁଅଁ

ଖାଲ ଖୋଳିବା ଲୋକଙ୍କ କୁଅଁ

ଖାଲ ଖୋଳିବା ଲୋକଙ୍କ କୁଅଁ      ଏକଦା ଗୋଟିଏ ଜଙ୍ଗଲରେ ଗୋଟିଏ ସିଂହ ଅସୁସ୍ଥ ହୋଇ ଗୁମ୍ଫା ଭିତରେ ଶୋଇ ରହି ଥିଲା । ଏଥିରେ ଚିନ୍ତିତ ହୋଇ ଜଙ୍ଗଲର ସବୁ ପ୍ରାଣୀ ଆସି ସିଂହ ରାଜାଙ୍କ ଭଲ ମନ୍ଦ ପଚାରି ବୁଝି ଯାଉ ଥିଲେ ଆଉ ତାଙ୍କୁ ସୁସ୍ଥ କରିବା ପାଇଁ ସବୁ ଦିନ ଔଷଧ ତଥା ଦାରୁର ବ୍ୟବସ୍ଥା କରୁ ଥିଲେ । ପରନ୍ତୁ ଯେତେ ସେବା କଲେ ମଧ୍ୟ ସିଂହରାଜାଙ୍କ ଦେହ ଦିନକୁ ଦିନ ଖରାପ ଆଡକୁ ଗତି କରୁ ଥିଲା । ନା ସିଂହ ରୋଗରୁ ମୁକ୍ତ ହେଲା ନା ସିଂହକୁ ଆରାମ୍ ମିଳିଲା ।       ଥରେ ସିଂହରାଜ ସବୁ ପଶୁମାନଙ୍କ ଉପରେ ନଜର ପକାଉ ପକାଉ କହି ଉଠିଲା – କାହିଁ ବିଲୁଆ ତ ଦେଖା ଯାଉ ନାହିଁ । ମୁଁ କେବେଠୁ ଅସୁସ୍ଥ ହୋଇ ପଡିଛି – ବିଲୁଆ ତ ଗୋଟିଏ ଦିନ ମଧ୍ୟ ମୋ ପାଖକୁ ଆସି ନାହିଁ । କାହିଁ ତା’ର ତ କିଛି ଖୋଜ ଖବର ନାହିଁ । ସେ ତୁମ ମାନଙ୍କ ସହିତ ମିଳା ମିଶା କରୁଛି ତ ନା ନାହିଁ?        ଗଧିଆ ଏହି ସୁଯୋଗର ଅପେକ୍ଷାରେ ଥିଲା । ସେ ସବୁ ବେଳେ ବିଲୁଆକୁ ଘୃଣା କରୁ ଥିଲା । ସିଂହର କଥା ଶୁଣି ଗଧିଆ ହାତ ଯୋଡି କରି କହିଲା – ତାହାର ନାଁ ନିଅନ୍ତୁ ନାହିଁ ସରକାର । ଆଜି କାଲି ତା’ର ଏପରି ଗର୍ବ ହୋଇ ଗଲାଣି ଯେ ସେ କାହା ସହିତ ଠିକ୍ ଭାବରେ କଥାବାର୍ତ୍ତା ମଧ୍ୟ କରୁ ନାହିଁ । ଥରେ ତାକୁ ଦେଖା କରି କହିଲି ଯେ ବଣର ରାଜ ପଶୁ ରାଜ ସିଂହ ବେମାରରେ ପଡିଛନ୍ତି ।       ଯାଅ ତାଙ୍କ ସହିତ ଦେଖା କରି ତାଙ୍କର ଭଲ ମନ୍ଦ ବୁଝି ଆସ । ସେ ଉତ୍ତରରେ କ’ଣ କହିଲା ଜାଣନ୍ତି ମହାରାଜ – ସେ କହିଲା ହେ କିଏ ପଚାରେ ସେ ମହାରାଜକୁ । ଯେଉଁ ଦିନ ସେ ମରି ଯିବ… ତା’ପରଦିନ ମୁଁ ଏହି ବଣର ମହାରାଜା ହେବି ଆଉ ଅନନ୍ଦରେ ରହିବି । ମୁଁ ବିଲୁଆର କଥା ଶୁଣି ଅବାକ୍ ଓ ବିସ୍ମିତ ହୋଇ ଗଲି । ଠିକ୍ ସେହି ସମୟରେ ସେଠାରେ ବିଲୁଆ ଆସି ପହଁଚିଲା । ସେତେ ବେଳେ ଗଧିଆର ସବୁ କଥା ତାର କାନରେ ଆସି ପହଁଚି ଯାଇ ଥିଲା । ତେଣୁ ସେ ଡରି ଡରି ସିଂହ ପାଖରେ ଆସି ପହଁଚିଲା । ସିଂହ ତାକୁ ଦେଖି ଗର୍ଜ୍ଜନ କରି କହିଲା – ଆରେ ବଦ୍ମାସ ! ଏତେ ଦିନ ହେଲା ମୁଁ ରୋଗରେ ପଡିଛି, ଅଥଚ ତୁ ଗୋଟିଏ ଦିନ ହେଲେ ବି ମୋର ଭଲ ମନ୍ଦ ବୁଝିବାକୁ ଆସିଲୁ ନାହିଁ ! ଶୁଣିଲି ଆଜି କାଲି ତୋର ବହୁତ ଭାଉ ବଢି ଗଲାଣି କଥା କ’ଣ କି?        ବିଲୁଆ ହାତ ଯୋଡି କହିଲା – ମହାରାଜ ଆପଣ ଯେବେ ଠାରୁ ରୋଗରେ ପଡିଛନ୍ତି ସବୁ ପଶୁମାନେ ଆପଣଙ୍କୁ ଦେଖିବାକୁ ଆସୁ ଛନ୍ତି ମୁଁ କିନ୍ତୁ ଆପଣଙ୍କ ପାଖକୁ ନ ଆସି ଗୋଟିଏ ମିନିଟ୍ ବି ସମୟ ଅପଚୟ ନ କରି ଆପଣ କେମିତି ନିରୋଗୀ ହେବେ ସେଥି ପାଇଁ ମୁଁ ଔଷଧର ଖୋଜିବାରେ ବ୍ୟସ୍ତ ଥିଲି । ଭୋକ ଉପାସରେ ଜଙ୍ଗଲରୁ ଜଙ୍ଗଲ ବୁଲୁ ଥିଲି ଆପଣଙ୍କର ଔଷଧ ପାଇଁ । ଏତେ ଦୌଡା ଝାପଟା ପରେ ଜଣେ କବିରାଜ ସହିତ ମୋର ଦେଖା ହେଲା । ମୁଁ ତାଙ୍କୁ ଆପଣଙ୍କ ରୋଗ ବିଷୟରେ କହିଲାରୁ ସେ ହସି ହସି କହିଲେ – ଏ କ’ଣ ରୋଗ ହୋଇଛି ଗୋଟିଏ ମୁହୁର୍ତରେ ତମର ରାଜା ରୋଗରୁ ମୁକ୍ତି ପାଇ ଯିବେ । ସେଥି ପାଇଁ ଏତେ ଚିନ୍ତା କାହିଁକି କରୁଛ? ଗୋଟିଏ କଥାରେ ତୁମ ରାଜା ଆରୋଗ୍ୟ ହୋଇ ଯିବେ ।     ଏହି କଥା ଶୁଣି ସିଂହ ରାଜା ପ୍ରସନ୍ନ ହୋଇ ଗଲା । ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେ ବିଲୁଆକୁ କହିଲା – ସେଥି ପାଇଁ ତ ମୁଁ ତୁମକୁ ଖୋଜୁଛି । ଯେ ତୁମେ ହେଉଛ ମୋର ପରମ ମିତ୍ର । ଏତେ ଦିନ ହେଲା ତୁମ ସହିତ ଭେଟ ହୋଇ ନାହିଁ । ନିଶ୍ଚୟ ଏହାର କୌଣସି ଭଲ ଉଦ୍ଧେଶ୍ୟ ଥିବ । ଆଚ୍ଛା ତୁମେ ପଚାରିଲ ତ ମୁଁ କିଭଳି ରୋଗରୁ ମୁକ୍ତି ହେବି ।      ବିଲୁଆ ସଂଗେ ସଂଗେ ଉତ୍ତର ଦେଲା ଯେ – ଆରେ ଏତେ ଦିନ ପରେ ମୁଁ ଜଣେ ଭଲ ବୈଦ୍ୟରାଜଙ୍କୁ ପାଇଛି ତାଙ୍କ ଠାରୁ ବିନା ଔଷଧରେ ଫେରି ଆସିବି କିପରି? ପ୍ରଥମେ ତ ସେ ମନା କରୁ ଥିଲେ । ତେବେ ମୋର ଅନୁନୟ ପାଖରେ ସେ ହାର ମାନିଲେ ଏବଂ କହିଲେ, କହି ଚୁପ୍ ରହିଲେ ବିଲୁଆ । ଏହି କଥାରେ ଉତ୍ସୁକତା ପ୍ରକାଶ କରି ସିଂହ ମହାରାଜ କହିଲେ କହି ଯାଅ ତୁମର ଔଷଧ – ବିଲୁଆ କହିଲା ମହାରାଜ ବୈଦ୍ୟରାଜ କହିଲେ – ମହାରାଜାଙ୍କ ରୋଗ ଦୂର କରିବାକୁ ହେଲେ – ଗଧିଆର ତାଜା କଲିଜା ଦରକାର । ଯାହାକୁ ଖାଇଲେ ହିଁ ଆପଣଙ୍କ ରୋଗ ଫୁର୍କରି ଠିକ୍ ହୋଇଯିବ । ଏହା ହେଉଛି ଆପଣଙ୍କ ରୋଗରୁ ସୁସ୍ଥ ହେବାର ପ୍ରକୃତ ଔଷଧ ମହାରାଜ ।     ଏହି କଥା ଶୁଣିବା ସଂଗେ ସଂଗେ ସିଂହ ମହାରାଜ ତାଙ୍କ ଆସନରୁ ଉଠି ଗୋଟିଏ ଲମ୍ପ ପ୍ରଦାନ କଲା ଗଧିଆ ଉପରେ ଆଉ କିଛି ସମୟ ମଧ୍ୟରେ ଗଧିଆର ଛାତି ଫାଡି କଲିଜା ବାହାର କରି ଖାଇବାକୁ ଲାଗିଲା । ଗଧିଆ ମରିବା ଆଗରୁ ଭାବୁ ଥିଲା ସତରେ କଥାରେ ଅଛି: ପର ପାଇଁ କୂଅ ଖୋଳିଲେ, ସେଥିରେ ନିଜେ ପଡି ମରେ । ଏହା ହେଉଛି ତାର ଜୀବନର ଚରମ ଉଦାହରଣ ।

ବିଳାସୀ ମହନ୍ତ

ବିଳାସୀ ମହନ୍ତ      ଗଙ୍ଗାକୂଳରେ ଗୋଟିଏ ଛୋଟ ସହର । ସେଠାରେ ଅନେକ ମନ୍ଦିର ଆଉ ମଠ । ତୀର୍ଥସ୍ଥାନ ବୋଲି ବର୍ଷ ସାରା ସେଠାରେ ଯାତ୍ରୀଗହଳି ଲାଗି ରହିଥାଏ । ବାରମାସରେ ତେର ପର୍ବ । କେତେ ଦୂର ଦେଶରୁ ସାଧୁ, ସନ୍ନ୍ୟାସୀ, ବଣିକ, ରାଜା, ଜମିଦାର ଏହି ସହରକୁ ଆସନ୍ତି ନିଜ ମନ ପରିବର୍ତ୍ତନ କରିବା ପାଇଁ । ଏହି ତୀର୍ଥଯାତ୍ରୀ ମାନଙ୍କଠାରୁ ହିଁ ମଠ ଓ ମନ୍ଦିରମାନଙ୍କର ଭଲ ଆୟ ହୋଇଥାଏ ।     ତେବେ ସେ ଗଙ୍ଗା କୂଳକୁ ଲାଗି ଗୋଟିଏ ମଠ ଥାଏ, ଯାହାର ମହନ୍ତ ଥିଲେ ବାବା ଭୋଳାନାଥ । ସେ ଭୋଳାନାଥଙ୍କ ମଠର ପ୍ରଚୁର ଆୟ । ଗଙ୍ଗାରେ ସ୍ନାନ କରି ଯେଉଁମାନେ ସେଠାରେ ତୀର୍ଥବାସ କରନ୍ତି, ସେମାନେ ଅବଶ୍ୟ ସେ ଭୋଳାନାଥଙ୍କ ମଠରେ ପାଦ ପକାନ୍ତି । ଯେ ଯାହାର ଶକ୍ତି ଅନୁସାରେ ମଠକୁ ଦାନ କରି ଥାଆନ୍ତି । ତେଣୁ ବର୍ଷସାରା ସେ ଭୋଳାନାଥ ମଠର ପ୍ରଚୁର ଆୟ ହେଉଥାଏ ।       ମହନ୍ତ ଭୋଳାନାଥ ସତରେ ଜଣେ ବଡ ଭୋଳା ମଣିଷ । ସବୁବେଳେ ହସଖୁସି, ମଉଜ ମଜଲିସ୍ରେ ତାଙ୍କର ଦିନ କଟୁଥାଏ । ମଠରେ ସେବା କରିବା ପାଇଁ ବହୁତ ସେବକ ସେଠାରେ ଖଟୁଥାଆନ୍ତି । ମହନ୍ତଙ୍କର ତ ସେଠାରେ ଆଉ କିଛି କାମ ନ ଥାଏ । ତେଣୁ ସେ ମହନ୍ତ ଜଣକ ନିଜର କେତେକ ସହଚରଙ୍କୁ ଧରି ଦିନରାତି ଖାଲି ସେମାନଙ୍କ ସାଙ୍ଗେ ପଶାଖେଳରେ ମାତି ଥାଆନ୍ତି । ଏପରିକି ସେମାନେ ଦୁନିଆର ଭଲ ମନ୍ଦ ବିଷୟରେ ବି କୌଣସି ଖବର ରଖନ୍ତି ନାହିଁ । ରାଜା ଓ ଜମିଦାରଙ୍କ ପରି ମଉଜ କରି ଦିନ କାଟିବା ଯେପରି ତାଙ୍କର ଏକ ଅଭ୍ୟାସ ହୋଇଯାଇଥାଏ । ଏଥିରେ ତ କିଛି ଶତ୍ରୁ ସୃଷ୍ଟି ହେବା ସ୍ୱାଭାବିକ । ତେଣୁ ଅନେକ ଲୋକ ଖାଲି ଈର୍ଷାରେ ଜଳି ଯାଉଥାଆନ୍ତି; ସେମାନେ କେବଳ ସୁଯୋଗ ଅପେକ୍ଷାରେ ଥାଆନ୍ତି । କିପରି ହେଉ, ସେମାନେ ଭୋଳାନାଥଙ୍କର ସର୍ବନାଶ କରିବେ ।     ଥରେ ଗଙ୍ଗାରେ ବୁଡ ପଡୁଥାଏ । ନାନା ଦେଶରୁ ତୀର୍ଥଯାତ୍ରୀ ମାନେ ସବୁ ଆସି ସେହି ସହରରେ ଏକାଠି ହେଉଥିଲେ । ସେହି ଦେଶର ରାଜା ବିଚାରିଲେ, ତୀର୍ଥଯାତ୍ରୀମାନଙ୍କର ହାନିଲାଭ ବୁଝିବା ତାଙ୍କର ପରମ କର୍ତ୍ତବ୍ୟ । ତେଣୁ ସେ ଆସି ରାଜାଙ୍କର ବଙ୍ଗଳାରେ ଡେରା ପକାଇ ରହିଲେ । ରାଜା ଆସିଛନ୍ତି ଶୁଣି ସେ ସହରର ଭଦ୍ରଲୋକ, ମନ୍ଦିରର ପୂଜକ ଶ୍ରେଣୀ ଏବଂ ମଠର ମହନ୍ତମାନେ ଆସି ରାଜାଙ୍କୁ ସାକ୍ଷାତ କରି ତାଙ୍କୁ ଯଥୋଚିତ ସମ୍ମାନ ଜଣାଉଥାଆନ୍ତି । କିନ୍ତୁ ମହନ୍ତ ଭୋଳାନାଥ ତ ଅତ୍ୟନ୍ତ ଭୋଳା ଲୋକ । ମଉଜ ମଜଲିସ୍ ବ୍ୟତୀତ ଆଉ କିଛି ଖବର ଜାଣିବା ପାଇଁ ତାଙ୍କର ତ ମୋଟେ ଆଗ୍ରହ ନ ଥାଏ । ତେଣୁ ରାଜ୍ୟର ରାଜା ଯେ ସହରକୁ ଆସିଛନ୍ତି, ଏହି ବିଷୟରେ ସେ ଅବା କାହିଁକି ଜାଣିବେ?       ଭୋଳାନାଥଙ୍କୁ ତ ଅନେକ ଆଦୌ ସହି ପାରୁନଥିଲେ । ଏ ହେଲା ଅସଲ ସୁଯୋଗ । ତେଣୁ ସେମାନେ ରାଜାଙ୍କ ପାଖରେ ଯାଇ ଭୋଳାନାଥଙ୍କ ବିରୋଧରେ କହିଲେ, “ମଣିମା ! ସେ ଭୋଳାନାଥ ମହନ୍ତ ଆପଣଙ୍କୁ ବେଖାତିର କରୁଛି । ସହରର ଏତେ ଲୋକ ଆସିଲେ ଆପଣଙ୍କୁ ସାକ୍ଷାତ କରିବା ପାଇଁ । ହେଲେ ସେ ଆସିଲା ନାହିଁ । ସେ ତ ସବୁବେଳେ ଖାଲି ମହାରାଜାଙ୍କ ପରି ଦାମିକା ପୋଷାକ ପିନ୍ଧି ବୁଲୁଥାଏ । ସବୁଦିନ ତାର ତ ମଉଜ ମଜଲିସ୍ । ପଞ୍ଝାଏ ତୋଷାମୋଦିଆଙ୍କୁ ଧରି ଅଧିକାଂଶ ସମୟ ତ ସେ ତା ପଶାଖେଳରେ ବ୍ୟସ୍ତ । ମଠର ମହନ୍ତ ହୋଇ ଧର୍ମକାର୍ଯ୍ୟ କରିବାରେ ଆଦୌ ନିଷ୍ଠା ନାହିଁ ତାର । ପ୍ରଚୁର ଧନସମ୍ପତ୍ତି ଓ ଆୟ ହେଉଥିବାରୁ ସେ କାହାକୁ ପାସଙ୍ଗରେ ପକାଏ ନାହିଁ ।        ରାଜା ସବୁ କଥା ସହ୍ୟ କରିବେ; ମାତ୍ର ତାଙ୍କର ଜଣେ ପ୍ରଜା ତାଙ୍କୁ ଖାତିର କରୁନାହିଁ ଜାଣିଲେ ସେ ତାକୁ ଆଦୌ କ୍ଷମା ଦେଇପାରିବେ ନାହିଁ । ତେଣୁ ସେ ରାଜା ମନେ ମନେ ବିଚାରିଲେ, ମହନ୍ତ ଭୋଳାନାଥକୁ ଉପଯୁକ୍ତ ଶିକ୍ଷା ଦେବାକୁ ହେବ ।        ତେଣୁ ସେ ରାଜା ନିଜର ଅନୁଚର ଦ୍ୱାରା ଭୋଳାନାଥ ମହନ୍ତକୁ ଡକାଇ ପଠାଇଲେ । ପ୍ରକୃତରେ ସେ ଭୋଳାନାଥଙ୍କ ମଠ ସହର ବାହାରେ କହିଲେ ଚଳେ । ରାଜା ଆସିବାର ଖବର ତାଙ୍କ ପାଖରେ ତ ଆଦୌ ପହଁଚି ନଥିଲା । ରାଜାଙ୍କ ସନ୍ଦେଶ ପାଇ ଭୋଳାନାଥ ରାଜାଙ୍କ ପାଇଁ କିଛି ଉପହାର ଧରି ତୁରନ୍ତ ଯାଇ ରାଜାଙ୍କୁ ସାକ୍ଷାତ କଲେ । ଭୋଳାନାଥ ରାଜାଙ୍କୁ ନିଜର ସମ୍ମାନ ଜଣାଇଲେ । ତାଙ୍କ ବିରୋଧରେ ଯେ ଏକ ଚକ୍ରାନ୍ତ ଚାଲିଛି, ସେହି କଥା ଭୋଳାନାଥଙ୍କ କାନକୁ ଅବା କିପରି ଯିବ?      ରାଜା ସେ ଭୋଳାନାଥଙ୍କୁ ପଚାରିଲେ, “ମହନ୍ତ ମହାରାଜ ! ଆପଣଙ୍କୁ ଲୋକେ ଖାମଖିଆଲ ଏବଂ ଭୋଳାଲୋକ ବୋଲି କାହିଁକି କହନ୍ତି?”       ମହନ୍ତ କହିଲେ, “ମହାରାଜ ! ଈଶ୍ୱରଙ୍କ କୃପାରୁ ଆମ ମଠର ପ୍ରଚୁର ଆୟ । ତାଛଡା ମୋର ବି କୌଣସି ଅଭାବ ନାହିଁ । ମୋ ମଠରେ ବହୁତ ସେବକ ଅଛନ୍ତି ସେବା କରିବା ପାଇଁ । ମୋର ଆଉ କେଉଁଥିପାଇଁ ଚିନ୍ତା ହେବ?” ରାଜା ପୁଣି ପଚାରିଲେ, “ଆପଣ ଠାକୁରଙ୍କ ସେବା ପୂଜାରେ ସମୟ ଦିଅନ୍ତି ନାହିଁ କି?”        ମହନ୍ତ କହିଲେ, “ଠାକୁର ସେବାପାଇଁ ତ ସେବକମାନେ ଅଛନ୍ତି । ମୋର ପ୍ରଧାନ କାମ ହେଲା ତିନି ଧୂପରେ ଠାକୁରଙ୍କୁ ପ୍ରାର୍ଥନା କରିବା । ସେଥିରେ ଅବଶ୍ୟ ମୋର କିଛି ସମୟ ଯାଏ ।”          ରାଜା କହିଲେ, “ତାହାହେଲେ ତ ଆପଣଙ୍କ ହାତରେ ବହୁତ ସମୟ ବଳୁଛି । ଆପଣ ମୋ ପାଇଁ ଗୋଟିଏ କାର୍ଯ୍ୟ କରିଦେଲେ ମୁଁ ଅତ୍ୟନ୍ତ ସୁଖୀ ହେବି ।” ମହନ୍ତ କହିଲେ, “ମଣିମା ! ମୋତେ କେବଳ ଥରେ ଆଦେଶ କରନ୍ତୁ । ଆପଣଙ୍କ ଆଦେଶ ପାଳନ କରିବା ତ ହେଉଛି ମାର ପ୍ରଥମ କର୍ତ୍ତବ୍ୟ ।”           ରାଜା କହିଲେ, “ଅବଶ୍ୟ କାମଟି ସେପରି କଠିନ ନୁହେଁ । ଆକାଶରେ କେତୋଟି ତାରା ଅଛନ୍ତି, ସେ ବିଷୟରେ ମୋର ଜାଣିବା ପାଇଁ ଭାରି ଆଗ୍ରହ ହେଉଛି । ତୁମକୁ ମୁଁ ତିନୋଟି ଦିନ ସମୟ ଦେଲି । ଠିକ୍ ଠିକ୍ ଗଣିକରି ମୋତେ କହିବ । ତା’ ନ ହେଲେ ତୁମର ମୁଣ୍ଡକାଟ ହେବ ।”       ଏକଥା ଶୁଣି ସେ ମହନ୍ତଙ୍କ ମୁଣ୍ଡରେ ଯେପରି ବଜ୍ର ପଡିଲା ପରି ଲାଗିଲା । ତାପରେ ମନ ଦୁଃଖରେ ସେ ଭୋଳାନାଥ ତାଙ୍କ ମଠକୁ ଫେରିଆସିଲେ । ତାଙ୍କୁ ଯେମିତି ଚାରିଆଡେ ଖାଲି ଅନ୍ଧାର ଦେଖାଗଲା । ଖାଇବା ଶୋଇବାରେ ତାଙ୍କ ମନ ଆଦୌ ରହିଲା ନାହିଁ । ରାତିର ଅନ୍ଧକାରରେ ବି ସେ ଜଗି ବସିଲେ । ତାରାମାନଙ୍କୁ ଗଣି ଗଣି ଶେଷରେ ସେ ଖୁବ୍ କ୍ଳାନ୍ତ ହୋଇପଡନ୍ତି । ହେଲେ ଗଣିବା ଆଦୌ ସରେ ନାହିଁ । ପହରକୁ ପହରକୁ କେତେ ତାରା ବୁଡି ଯାଉଥାନ୍ତି, ପୁଣି କେତେ ନୂଆ ତାରାଙ୍କର ବି ଉଦୟ ହେଉଥାଏ । ଏହା ତ ଏକ ବିରାଟ ସମସ୍ୟା । କିପରି ଅବା ସେ ମହନ୍ତ ଭୋଳାନାଥ ତାରାମାନଙ୍କୁ ଗଣିପାରିବେ? ଏଣେ ସେସବୁକୁ ଗଣି ନ ପାରିଲେ ତ ଆଉ ତାଙ୍କର ମୁଣ୍ଡ ରହିବ ନାହିଁ । ମୃତ୍ୟୁ ଚିନ୍ତାରେ ସେ ମହନ୍ତ ଜଣକ ଖାଲି ବିଚଳିତ ହୋଇପଡୁଥାନ୍ତି । ଯେଉଁମାନଙ୍କ ସହିତ ସେ ପଶା ଖେଳୁଥିଲେ, ମହନ୍ତ ସେମାନଙ୍କୁ ସେଠାରୁ ବିଦା କରିଦେଲେ । ସେ ମଠରେ ଏତେ ସେବକ ଥିଲେ, ହେଲେ ମହନ୍ତଙ୍କ ଭୟରେ କେହି ବି ତାଙ୍କ ପାଖ ପଶନ୍ତି ନାହିଁ । ଏହିପରି ଭାବେ ସେ ମହନ୍ତ ଜଣକ ଖାଇବା ପିଇବା ମଧ୍ୟ ଭୁଲିଗଲେ ।      ସେ ମଠର ସେବକମାନେ ପରସ୍ପର ମଧ୍ୟରେ କଥା ହେଉଥାଆନ୍ତି । ମହନ୍ତଙ୍କର ଏପରି କାହିଁକି ହେଲା? କେଡେ ମନ ଖୁସିର ଲୋକ ସେ । ରାଜାଙ୍କ ପାଖରୁ ଆସିଲା ପରଠାରୁ ସେ ଯେମିତି ଏକ ଭିନ୍ନ ମଣିଷ ପାଲଟି ଯାଇଛନ୍ତି । ତାଙ୍କ ଠାକୁର ମନ୍ଦିରକୁ ମଧ୍ୟ ପ୍ରାର୍ଥନା କରିବାକୁ ସେ ଆଉ ଯାଉନାହାଁନ୍ତି ।      ଏପଟେ କିନ୍ତୁ ମହନ୍ତ ଭୋଳାନାଥ ମୃତ୍ୟୁ ଚିନ୍ତାରେ ଖୁବ୍ ଅସ୍ଥିର । ଏମିତି ଏମିତି ଦୁଇଟି ରାତି ତ ପାହିଗଲାଣି । ଆଜି ହେଉଛି ଶେଷ ରାତି । ସେଥିପାଇଁ ସେ ମହନ୍ତଙ୍କ ଆଖିରେ ପତା ଆଦୌ ପଡୁନାହିଁ । ଆକାଶକୁ ଚାହିଁ ଚାହିଁ ସେ ଖାଲି ଲୁହ ଝରାଉଥାଆନ୍ତି । ରାତି ପାହିଲେ ତାଙ୍କର ସମସ୍ତ ଲୀଳାଖେଳା ସରିଯିବ । ଆକାଶର ତାରାଙ୍କୁ ଅବା ସେ କିପରି ଗଣି କହିଦେଇ ପାରିବେ? ଏବେ ରାଜାଙ୍କର ଖିଆଲି ମନକୁ ଅବା କି ଉତ୍ତର ଅଛି?       ତାଙ୍କ ମଠରେ ଜଣେ ବୁଢା ସେବକ ଥିଲେ । ସେ ଭୋଳାନାଥଙ୍କୁ ପିଲାବେଳୁ ସେବା କରି ଆସୁଛନ୍ତି । ସେ ସାହସ ସଂଚୟ କରି ମହନ୍ତଙ୍କ ପାଖରେ ଯାଇ ପହଁଚିଲେ । ମହନ୍ତଙ୍କୁ ଖୁବ୍ ଆଦର କରି ସେ ବୁଢା ସେବକ ପଚାରିଲେ, “ମହନ୍ତ ମହାରାଜ ! ଆପଣ କିଛି କଥା କହୁନାହାଁନ୍ତି । ତେଣୁ ଆମ୍ଭମାନଙ୍କୁ ଆଉ ଆପଣଙ୍କ ସେବା କରିବାର ବି କୌଣସି ସୁଯୋଗ ମିଳୁନାହିଁ । ଆମର ଅପରାଧ କଅଣ, ତାହା ବି ଆମେ

ମିଛୁଆ, ଖଚୁଆ, ଚୁଗୁଲିଆ

ମିଛୁଆ, ଖଚୁଆ, ଚୁଗୁଲିଆ

ମିଛୁଆ, ଖଚୁଆ, ଚୁଗୁଲିଆ     ଜଙ୍ଗଲର ରାଜା ସିଂହ ଗୁମ୍ଫାରେ ବାସ କରୁଥାଏ । ହଠାତ୍ ସିଂହର ଦେହ ଖରାପ ହୋଇଯିବାରୁ ସେ ଜଙ୍ଗଲରେ ବୁଲି ଶିକାର କରି ପାରିଲା ନାହିଁ । ସୁତରାଂ ଜଙ୍ଗଲର ପଶୁମାନେ ଜଣଜଣ କରି ସିଂହ ପାଇଁ ପଥ୍ୟଦ୍ରବ୍ୟ ଆଣି ଭେଟି ଦେଲେ । ହେଲେ ବହୁତ ଦିନ ଯାଏଁ ବିଲୁଆର ଦେଖାନଥାଏ ।         କିଛିଦିନ ପରେ ବିଲୁଆ ଭାବିଲା ମୁଁ ରାଜାଙ୍କୁ ସାକ୍ଷାତ କରିବା ପାଇଁ ଯାଇ ନଥିବାରୁ ରାଜା ବୋଧେ ମୋ ଉପରେ ରାଗିଥିବେ । ତେଣୁ ଯାଉଛି ରାଜଉଆସ ଆଡେ ଟିକିଏ ବୁଲିଆସିବି । ଏହା ଭାବି ସେ ରାଜାଙ୍କ ପାଖକୁ ଗଲା ।         ଏବେ ସିଂହରାଜା ଦୁଆରେ ପହଂଚି ବିଲୁଆ ଦେଖିଲା, ଚାଟୁକାର ଗଧିଆଟି ସିଂହରାଜାଙ୍କ କାନରେ କ’ଣ କହୁଛି । ଏବେ ବିଲୁଆ ଏକ ଗଛ ଉଢାଳରେ ଲୁଚି ରହି ସବୁ କଥା ଶୁଣିଲା ।           ଗଧିଆ ରାଜାଙ୍କୁ କହୁଥିଲା, “ସତରେ ଆପଣ ଜଣେ ଭଲ ରାଜା । ଆପଣ ଗୁମ୍ଫା ଭିତରେ ରହି ବହୁତ କଷ୍ଟ ଭୋଗୁଛନ୍ତି । ସେଇଥିପାଇଁ ଆପଣଙ୍କୁ ସମବେଦନା ଜଣାଇବାକୁ ଜଙ୍ଗଲର ସମସ୍ତ ପଶୁ ପଥ୍ୟ ନେଇ ଆସିଲେ, ହେଲେ ବିଲୁଆ ଏପର୍ଯ୍ୟନ୍ତ ଆସିଲାନାହିଁ । ଏଇ ଦେଖୁନାହାନ୍ତି, ସେ ନବାବ ଭଳି ହଲି ହଲି ଖାଲି ହାତରେ ଆସୁଥିଲା ଯେ, ପୁଣି କୁଆଡେ ଲୁଚିଗଲା । ସତେ ଯେମିତି ଜଣାପଡୁଥିଲା, ସେ ଆପଣଙ୍କୁ ସମବେଦନା ଜଣାଇବାକୁ ନୁହେଁ ବରଂ ଥଟ୍ଟାମଜା କରିବାକୁ ଆସୁଛି । ସୁତରାଂ ଆପଣ ତାକୁ ଆଜି ହତ୍ୟା କରି ତା’ର ମାଂସ ଖାଇ କ୍ଷୁଧା ନିବାରଣ କରନ୍ତୁ ।” ଏହିଭଳି ଗଧିଆ ନଅଛଅ କରି ବିଲୁଆ ବିରୋଧରେ କହିଗଲା । ଏସବୁ କଥା ଲୁଚି ରହି ବିଲୁଆ ବି ଶୁଣୁଥିଲା । ତାପରେ ଗଧିଆ ତା’ର ଘରକୁ ଚାଲିଗଲା ।        ଗଧିଆଠାରୁ ବିଲୁଆ ବିରୋଧରେ ଏଭଳି କଥା ଶୁଣି ସିଂହ ଏକାବେଳକେ ରାଗରେ ପଂଚମ ହୋଇଗଲା । ସେ ମନେ ମନେ ଭାବିଲା କଥାଟି ନିଶ୍ଚୟ ଠିକ୍ । ବିଲୁଆ ଆସିଲେ ଆଚ୍ଛା କରି ପାନେ ଦେବି ।         ମାତ୍ର ବିଲୁଆକୁ ଆଉ ଦେଖେ କିଏ? ସେ ଭୟରେ ଦୌଡିଯାଇ ସେଠାରୁ ଛୁ ମାରିଲା । ବିଲୁଆ ସେଦିନ ସିଂହ ପାଖକୁ ନଯିବାରୁ ଆଉଦିନେ ସିଂହ ଗଧିଆକୁ ପଠାଇଲା ବିଲୁଆକୁ ଡାକିଆଣିବା ପାଇଁ ।         ସୁତରାଂ ଗଧିଆ ଏବେ ବିଲୁଆକୁ ଖୋଜି ଖୋଜି ତା’ପାଖରେ ପହଂଚିଗଲା । ଗଧିଆକୁ ଦେଖି ବିଲୁଆ ମନେ ମନେ ରାଗ ରଖି କହିଲା, “ବଡଭାଇ ! କୁଆଡେ ଆସିଲ?”         ଏଥର ଗଧିଆ କହିଲା, “ଆଉ କାହାପାଇଁ, ଖୋଦ୍ ତୁମପାଖକୁ ତୁମରି ହିତ ଲାଗି ଆସିଛି ପରା? ରାଜା କହିଛନ୍ତି, ଜଙ୍ଗଲର ସମସ୍ତ ପଶୁ ତ ମୋତେ ଦେଖିବାକୁ ଆସିଲେ, ହେଲେ ବିଲୁଆ କାହିଁକି ଆସିଲା ନାହିଁ, ବିଚରା ନିରୀହ ଜୀବଟିଏ । ଯା’ ତା ଦେହ ଭଲ ଅଛିନା ନାହିଁ ଦେଖି ଆସିବୁ । ଭଲଥିଲେ ମୋ ପାଖକୁ ଡାକି ଆଣିବୁ, ଏକ ଜରୁରୀ କଥାବାର୍ତା ଅଛି ।”        ଏବେ ବିଲୁଆ ମନେ ମନେ ଭାବିଲା, ଗଧିଆକୁ କିଛି ବାହାନା ଦେଖାଇ ଆଜି ଫେରାଇ ଦେବାଟା ମସ୍ତବଡ ଭୁଲ୍ ହୋଇଯିବ । ବରଂ ନିଜର ପ୍ରାଣ ବଂଚାଇବା ସହିତ ସିଂହଦ୍ୱାରା ହିଁ ଉପଯୁକ୍ତ ଶାସ୍ତି ଦେବା ଦରକାର । ସେଥିଲାଗି ଏକ ଉପାୟ ସେ ମନେ ମନେ ପାଂଚିଲା । ତାପରେ କହିଲା, “ହଉ ଚାଲ ।”       ଏବେ ଗଧିଆ ଚାଲିଲା ଆଗେ ଆଗେ ଆଉ ତା’ ପଛରେ ବିଲୁଆ । ଦୁହେଁ ସିଂହର ଗୁମ୍ଫା ପାଖାପାଖି ହେବାବେଳେ ହଠାତ୍ ସିଂହ ବିଲୁଆକୁ ଦେଖି ଗର୍ଜ୍ଜନ କରି କହିଲା, “ରେ ହୀନ ପଶୁ ! ତୋତେ ଖାଇବା ପାଇଁ ମୁଁ ଅପେକ୍ଷା କରି ବସିଛି । ଶୀଘ୍ର ଶୀଘ୍ର ଚାଲିଆ ।”        ଏହାଶୁଣି ଆଦୌ ଡରି ନଯାଇ ବିଲୁଆ କହିଲା, “ହଜୁର ! ମୁଁ ଆପଣଙ୍କ ଦେହ ଖରାପ କଥା ଶୁଣି ଔଷଧ ଯୋଗାଡରେ ରହି ଶୀଘ୍ର ଆସି ପାରିଲି ନାହିଁ । ସେଥିପାଇଁ ମୁଁ କ୍ଷମା ମାଗୁଛି । ମାତ୍ର ବଡ ବଡ ବୈଦ୍ୟଙ୍କ ସାଥୀରେ କଥା ହୋଇ ଆପଣଙ୍କ ଆରୋଗ୍ୟ ପାଇଁ ଔଷଧ ନିର୍ଣ୍ଣୟ କରି ଆସିଛି । ତାକୁ ଖାଇଲେ ଆପଣ ଖୁବ୍ ଶୀଘ୍ର ଭଲ ହୋଇଯିବେ ।”        ବିଲୁଆଠାରୁ ଏଭଳି କଥା ଶୁଣି ସିଂହ ଭାରି ଖୁସି ହୋଇଗଲା । ଏବେ ବିଲୁଆକୁ ପାଖକୁ ଡାକି ପିଠିଥାପୁଡେଇ କହିଲା, “ମୁଁ କେମିତି ଭଲହେବି ଏଥିପାଇଁ ଔଷଧ କ’ଣ ମୋତେ ଶୀଘ୍ର କହ?”       ତହୁଁ ଚତୁର ବିଲୁଆ କହିଲା, “ଆପଣ ଯଦି ଗୋଟିଏ ଗଧିଆକୁ ମାରି ତା’ର ରକ୍ତ ପିଇବେ ତେବେ ଖୁବ୍ ଶୀଘ୍ର ରୋଗମୁକ୍ତ ହୋଇଯାଇପାରିବେ ।”           ଗଧିଆ ତ ସିଂହର ଅତି ଆପଣାର ଭଳି ତା’ ପାଖରେ ବସିଥାଏ । ବିଲୁଆ ପାଟିରୁ କଥା ନ ସରୁଣୁ ପାଖରେ ବସିଥିବା ମିଛୁଆ, ଖଚୁଆ, ଚୁଗୁଲିଆ ଗଧିଆକୁ ମାଡିବସି ସିଂହ ତା’ର ତାଜା ରକ୍ତ ପିଇବାକୁ ଲାଗିଲା । ନିଜର ଚତୁରତା ଯୋଗୁଁ ବିଲୁଆ ସେଦିନ ରକ୍ଷା ପାଇଗଲା ।

ରୋଜି ଓ ପରୀରାଣୀ

ରୋଜି ଓ ପରୀରାଣୀ        ସେ କାଳରେ ଫ୍ରାନ୍ସରେ ଜଣେ ରାଜା ରାଜୁତି କରୁଥିଲେ । ବହୁକାଳଯାଏଁ ତାଙ୍କ ରାଣୀଙ୍କର କିଛି ବି ସନ୍ତାନ ହେଲା ନାହିଁ । ଏହି କାରଣରୁ ରାଜା ରାଣୀ ଦୁହେଁ ବଡ ମନ ଦୁଃଖରେ ଥାଆନ୍ତି । କେତେ ଦିଅଁ ଦେବତା ଡାକିଲା ପରେ ଯାଇ ରାଣୀଙ୍କର ଚନ୍ଦ୍ରଉଦିଆ ପରି ଦୁଇଟି ଜାଆଁଳା ଝିଅ ହେଲେ । ସେ ଦୁହେଁ ଦେଖିବାକୁ ଭାରି ସୁନ୍ଦର ଥିଲେ । ଦୁଇଜଣଙ୍କ ନାଁ ଦିଆହେଲା ‘ଗୋଲାପ’ ଆଉ ‘ହେନା’ । ତିନିବର୍ଷ ପରେ ରାଣୀଙ୍କର ଆଉ ଗୋଟିଏ ଝିଅ ହେଲା । ତାର ନାଁ ଦିଆଗଲା ‘ରୋଜି’ । କାହିଁକି କେଜାଣି ଜନମବେଳୁ ରାଜାରାଣୀ ଏ ଝିଅଟିକୁ ଆଦୌ ସୁଖ ପାଇଲେ ନାହିଁ । ତେଣୁ ତାକୁ ସାଙ୍ଗେ ସାଙ୍ଗେ ଦୂର ମଫସଲରେ ଗୋଟିଏ ଧାଈମା ପାଖରେ ରଖାଇ ଦେଲେ । ଚାହୁଁ ଚାହୁଁ ପନ୍ଦରବର୍ଷ ଅତୀତ ହୋଇଗଲା । ଏଣେ ଦିନେ ହେଲେ ବି ସେ ରାଜାରାଣୀ ରୋଜିକୁ ନିଜ ପାଖକୁ ନେଇନାହାଁନ୍ତି କି ତାକୁ ଟିକେ ଦେଖିବାକୁ ମଧ୍ୟ ଇଚ୍ଛା କରିନାହାଁନ୍ତି । ଦୁଃଖିନୀ ଧାଈମା କୋଳରେ ରୋଜି ଖୁବ୍ ହସଖୁସିରେ କାଳ କାଟୁଥାଏ । ତାର କପାଳକୁ ସ୍ୱର୍ଗର ପରୀଟିଏ ଆସି ତାର ଧରମା ମା’ ହୋଇଥାଏ । ସେ କାୟା ସାଙ୍ଗରେ ଛାୟା ପରି ଗୋଡେ ଗୋଡେ ଜଗି ଝିଅଟିକୁ ମଣିଷ କରିବାରେ ଲାଗି ପଡିଥାଏ ।          ତେଣେ ବାପା ବୋଉଙ୍କ ପାଖରେ ଅତି ଗେହ୍ଲାରେ ବଢି ‘ଗୋଲାପ’ ଆଉ ‘ହେନା’ ଦୁଇ ଭଉଣୀ ଅତ୍ୟନ୍ତ ଗର୍ବରେ ଉଦ୍ଧତ ହୋଇପଡିଥାନ୍ତି । ଏପରିକି ସେମାନେ ଦୁହେଁ କେବେ କାହାରି ସୁଖ ସହିପାରନ୍ତି ନାହିଁ । ଓଲଟି ଅନ୍ୟ ମାନଙ୍କର କୁତ୍ସାରଟନା କରିବା ସେମାନଙ୍କର ଯେପରି ଏକ ସଉକ ହୋଇପଡିଥାଏ ।           ସେପଟେ ରୋଜି କିନ୍ତୁ ‘ପରୀ ମା’ର ହେପାଜତରେ ଖଣ୍ଡା ଖେଳଠାରୁ ଆରମ୍ଭ କରି ଘୋଡା ଚଢାଯାଏଁ ସବୁ ବିଦ୍ୟା ହାସଲ କରିସାରିଥାଏ । ବିଭିନ୍ନ ବିଦ୍ୟା ପଢି ଦିନକୁ ଦିନ ସେ ରୋଜି ଗୁଣର ହୋଇ ଉଠୁଥାଏ । ଏ କଥା ତାର ଦୁଇ ଭଉଣୀ ଏବଂ ରାଜାରାଣୀ କାହିଁକି ଅବା ଜାଣିବେ! ସେମାନେ ସମସ୍ତେ ତ ରୋଜିକୁ ମଫସଲି ବୋଲି କହି ତାକୁ ଘୃଣାରେ ଆଡେଇ ଦେଇଛନ୍ତି । ଏମିତିକାକି ରୋଜିକୁ ଆପଣାର ବୋଲି ପରିଚୟ ଦେବାକୁ ମଧ୍ୟ ରାଜାରାଣୀ ଦୁହେଁ ଅରାଜି ହେଉଥାଆନ୍ତି ।               ଏହିପରି ଭାବେ ପନ୍ଦର ବର୍ଷ ଚାଲିଗଲା । ବଡ ଦୁଇ ଭଉଣୀଙ୍କର ବାହାଘର ପାଇଁ ରାଜା କେତେ ରାଇଜର ରାଜକୁମାରମାନଙ୍କୁ ସ୍ୱୟମ୍ବର ପାଇଁ ନିମନ୍ତ୍ରଣ କରିଥାନ୍ତି । ରାଜ୍ୟସାରା ନାନାପ୍ରକାର ସଜାସଜି ଚାଲିଥାଏ । ଚାରିଆଡେ କେବଳ ଭୋଜିଭାତ ହେଉଥାଏ । ଏହି ସମୟରେ ରାଜାଙ୍କର ଜଣେ ଦୂତ ଯାଇ ଗାଁରେ ପହଁଚିଲା । କାହିଁକିନା ରୋଜିକୁ ତା ବଡ ଭଉଣୀମାନଙ୍କର ବାହାଘରରେ ଯୋଗ ଦେବାପାଇଁ ରାଜା ନିମନ୍ତ୍ରଣ ପଠାଇଥିଲେ; କିନ୍ତୁ କିଛି ପୋଷାକ ଦେଇ ନ ଥିଲେ । ତେଣୁ ଧାଈମା’ର ଇଚ୍ଛା ରୋଜି ସେଠାକୁ ନ ଯାଉ । କ’ଣ ଗୋଟାଏ ଆଳ କରି ସେ ରହିଯାଉ । ଠିକ୍ ଏତିକିବେଳେ ପରୀରାଣୀ ଆସି ସେଠାରେ ପହଁଚିଲେ । ସେ ସବୁ କଥା ଶୁଣି ସାରି କହିଲେ, ରୋଜି ସେ ବାହାଘରରେ ନିଶ୍ଚୟ ଯୋଗଦେବ । ତା ପାଇଁ ମୁଁ ସମସ୍ତ ବ୍ୟବସ୍ଥା କରିଦେବି । ଏତିକି କହି ସେ ପରୀରାଣୀ ରୋଜିର ଲୁଗା ଟ୍ରଙ୍କରେ କିଛି ମନ୍ତ୍ରପାଣି ଛିଂଚିଦେଲେ । ତାପରେ ସେ ରୋଜିକୁ କହିଲେ, ଏଥିରେ ତିନିଦିନ ପାଇଁ ଯଥେଷ୍ଟ ମୂଲ୍ୟବାନ ଶାଢୀ ଆଉ ଅଳଙ୍କାର ମାନ ଅଛି । ତୁ ଏଥର ମନ ଖୁସିରେ ଯାଇ ସେ ବାହାଘରରେ ଯୋଗଦେବୁ । କୌଣସି ବିଷୟରେ ତୁ ତୋ ମନକୁ ଆଦୌ ମାରିଦେବୁ ନାହିଁ । ତୋ ପାଖେ ପାଖେ ମୁଁ ସବୁବେଳେ ରହିଛି । ତୋର ଆଉ କେହି କିଛି ହେଲେ ମଧ୍ୟ କ୍ଷତି କରିପାରିବେ ନାହିଁ ।        ରାଜା ଘର ଘୋଡାଗାଡିରେ ରୋଜି ଯାଇ ରାଜନଅରରେ ପହଁଚିଲା । କେତେ ଆଶା କରୁଥିଲା ତାର ବାପା, ବୋଉ ଆଉ ଭଉଣୀମାନଙ୍କୁ ଟିକେ ମନ ପୂରାଇ ଦେଖିବ ଏବଂ ସେମାନଙ୍କ ସଙ୍ଗେ ଖୁବ୍ ଗପସପ କରିବ, କିନ୍ତୁ ସିଂହଦ୍ୱାରରେ ଗାଡି ରହିଲା ନାହିଁ କି ରୋଜିକୁ କେହି ସେଠାରୁ ପାଛୋଟି ନେଲେ ନାହିଁ ।          ରାଜାଘର ବାଡି ଭିତରେ ଗୋଟିଏ ପୁରୁଣା ଘରେ ରୋଜିକୁ ରହିବା ପାଇଁ କୁହାଗଲା । ତହୁଁ ରୋଜି ପଚାରିଲା, “ମୁଁ ଟିକେ ରାଜାରାଣୀଙ୍କୁ ସାକ୍ଷାତ କରନ୍ତି ନାହିଁ?” ଏପରି କଥା ଶୁଣି ଦାସୀମାନେ ଖାଲି ରୋଜି ପାଇଁ ବିକଳ ହେଉଥାଆନ୍ତି । ଜନ୍ମକଲା ବାପ ମା’ ହୋଇ ରାଜାରାଣୀ ତାଙ୍କ ସାନଝିଅକୁ ପାଖରେ ମୋଟେ ପୂରାଉ ନାହାଁନ୍ତି । ତାପରେ ଦାସୀମାନେ ରୋଜିକୁ କହିଲେ, ‘ସାନଜେମା’, ତୁମେ ଆଦୌ ବ୍ୟସ୍ତ ହୁଅନାହିଁ । ରାତିରେ ଭୋଜିବେଳେ ତମକୁ ନିଶ୍ଚୟ ରାଜାରାଣୀଙ୍କ ସାକ୍ଷାତ ମିଳିବ ।         ରୋଜିର ସ୍ୱଭାବ ତ ଅତି ଭଲ । ସେ କାହାରି ବିଷୟରେ କେବେ କିଛି ମନ୍ଦ ଚିନ୍ତା କରିପାରେ ନାହିଁ । ରାତିରେ ଭୋଜି ସଭାରେ ଯୋଗ ଦେବାପାଇଁ ରୋଜିକୁ ଡକରା ଆସିଲା । ଡକରା ପାଇ ରୋଜି ସେ ପରୀରାଣୀ ଦେଇଥିବା ପୋଷାକ ଆଉ ଅଳଙ୍କାର ମାନ କାଢି ପିନ୍ଧିଲା । ଏପରି ମୂଲ୍ୟବାନ ଶାଢୀ ଓ ଅଳଙ୍କାର କେହି କେବେ ତ ଦେଖି ନ ଥିଲେ । ଏସବୁ ଦେଖି ସମସ୍ତଙ୍କର ଆଖି ଖାଲି ଝଲସି ଯାଉଥାଏ । ରୋଜି ଯେତେବେଳେ ଯାଇ ସଭା ଗୃହରେ ପହଁଚିଲା, ସବୁ ରାଜକୁମାରଙ୍କ ଆଖି କେବଳ ତାରି ଉପରେ ହିଁ ଲାଖି ରହିଲା । ରାଜାରାଣୀ ମନେ ମନେ ଭାବିଲେ କେଉଁ ରାଇଜର ଜଣେ ରାଜାଝିଅ ବୋଧହୁଏ ସ୍ୱୟମ୍ବର ଦେଖିବାପାଇଁ ଏଠାକୁ ଚାଲିଆସିଛି । ରୋଜି ରାଜାରାଣୀଙ୍କୁ ନମସ୍କାର କଲାବେଳେ ରାଜାରାଣୀ ରୋଜିର ପରିଚୟ ଜାଣି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ମଫସଲି ଝିଅଟା ପୁଣି ଏଡିକି ସୁନ୍ଦରୀ ! ରାଜା ରାଣୀ ଏବଂ ତାଙ୍କ ଦୁଇ ଝିଅଙ୍କର ଈର୍ଷାରେ ଦେହ ଆଦୌ ସହୁ ନ ଥାଏ । ତେଣୁ ରାଜାରାଣୀ ରୋଜିକୁ ତାଙ୍କ ପାଖରେ କଦାପି ବସାଇଲେ ନାହିଁ । ଏପରି ଅବହେଳା କରିବା ସତ୍ୱେ ମଧ୍ୟ ରୋଜି ହସି ହସି ସମସ୍ତଙ୍କ ସହିତ ଢେର ସାରା କଥା ହେଉଥାଏ ।          ଆଗନ୍ତୁକ ରାଜକୁମାର ମାନଙ୍କୁ ପ୍ରଫୁଲ୍ଲିତ କରିବା ପାଇଁ ବଡ ଦୁଇଭଉଣୀ ଗୀତ ଗାଇଲେ । ସମସ୍ତଙ୍କ ସହିତ ମିଶି ରୋଜି ମଧ୍ୟ ଆନନ୍ଦରେ ତାଳି ମାରୁଥାଏ । ଗୀତ ଗାଇ ଜାଣି ନଥିବ ଭାବି ଅପମାନିତ କରିବା ପାଇଁ ରାଜା ରାଣୀ ରୋଜିକୁ ମଧ୍ୟ ଗୀତ ଗାଇବା ପାଇଁ କହିଲେ । ରୋଜି ସେହିକ୍ଷଣି ବୀଣା ଧରି ଏପରି ମଧୁର ଗୀତଟିଏ ଗାଇଲା ଯେ, ଆଗନ୍ତୁକ ରାଜକୁମାରମାନେ କେବଳ ଚିତ୍ରପିତୁଳା ପରି ରହିଗଲେ । ସମସ୍ତେ କହିଲେ, ଏପରି ଗୀତ କେହି କେବେ ଆଗରୁ ଶୁଣି ନ ଥିଲେ । ତାପରେ ବଡ ଦୁଇଭଉଣୀ ଆଗନ୍ତୁକ ରାଜକୁମାର ମାନଙ୍କୁ ନିଜ ନାଚ ଦେଖାଇଲେ । ସେମାନେ ଦୁହେଁ ଦୀର୍ଘ ଦଶବର୍ଷ ହେଲା ଏହି ନାଚ ଶିଖି ଆସୁଥିଲେ । ସମସ୍ତେ ବଡ ଦୁଇଭଉଣୀଙ୍କୁ ଧନ୍ୟବାଦ ଜଣାଇଲେ । ରୋଜିକୁ ଅପମାନ ଦେବାପାଇଁ ରାଜାରାଣୀ ତାକୁ ମଧ୍ୟ ନାଚିବାକୁ କହିଲେ । ପରୀରାଣୀ ଯାହାକୁ ଶିକ୍ଷା ଦେଇଛି ତାର ପୁଣି କେଉଁ କଥାକୁ ଡର । ରୋଜି ନାଚିଲାବେଳେ ରାଜକୁମାରମାନଙ୍କର ଆଖି ଖୋସି ହୋଇଗଲା । ରାଜାରାଣୀ ଓ ଦୁଇଭଉଣୀ ଆଦୌ ଭାବିପାରିଲେ ନାହିଁ ସେହି ଗାଉଁଲି ଝିଅଟା ଏପରି ନାଚ କେଉଁଠୁ ଶିଖିଲା । ଫ୍ରାନ୍ସର ସବୁଠାରୁ ସୁନ୍ଦର ରାଜକୁମାର ‘ସାମ୍ସନ୍’ ମନେ ମନେ ଠିକ୍ କରିଥାଏ ରୋଜିକୁ ବିଭା ହେବ ବୋଲି । ବଡ ଦୁଇଭଉଣୀଙ୍କର ଗର୍ବ, ଈର୍ଷା, ଅହଙ୍କାର ହେତୁ କୌଣସି ରାଜକୁମାର ମଧ୍ୟ ସେମାନଙ୍କୁ ବିବାହ କରିବା ପାଇଁ ଆଗେଇ ଆସିଲେ ନାହିଁ ।           ଶେଷରେ ସେ ରାଜାରାଣୀ ଏକ ଚକ୍ରାନ୍ତ କଲେ ରୋଜିକୁ ଜୀବନରୁ ମାରିଦେବା ପାଇଁ । ତେଣୁ ସେମାନେ ଏକ ମାରଣା ଘୋଡା ଆଣି ଠିଆ କରିଦେଲେ । ଆଦେଶ ଦେଲେ ଯେ, ରୋଜି ତାରି ଉପରେ ଚଢି ସହର ଚାରିପଟେ ଟିକେ ବୁଲି ଆସିବ । ରାଜକୁମାରୀ ରୋଜି ଉପରେ ସେତେବେଳକୁ ତ ସମସ୍ତଙ୍କର ସ୍ନେହ ଖାଲି ଅଜାଡି ହୋଇ ପଡୁଥାଏ । ଠିକ୍ ଏହି ସମୟରେ ଜଣେ କିଏ ଆସି ଚୁପ୍କରି ରୋଜିକୁ ସାବଧାନ କରାଇଦେଲା ସେ ମାରଣା ଘୋଡାରେ ନ ଚଢିବା ପାଇଁ । ମାତ୍ର ପରୀରାଣୀ ତା’ର କାନରେ ଶୂନ୍ୟରୁ କହିଦେଇଗଲା, “ତୋର କିଛି ବି ହେବ ନାହିଁ । ତୁ ଆଦୌ ଭୟ ନ କରି ସେ ଘୋଡାରେ ଚଢିବୁ । ମାତ୍ର ରାଜନଅରକୁ ନ ଫେରି ତୁ ସିଧା ରାଜକୁମାର ସାମ୍ସନ୍ଙ୍କ ରାଜ୍ୟକୁ ଚାଲିଯିବୁ । ଠିକ୍ ସେହି ସମୟରେ ରାଜକୁମାର ସାମ୍ସନ୍ ମଧ୍ୟ ତୋତେ ଆଉ ଏକ ଘୋଡାରେ ଅନୁସରଣ କରୁଥିବ । ସେଇ ରାଜ୍ୟରେ ହିଁ ତୁ ସୁଖରେ ରହିବୁ ।”          ସମସ୍ତ କଥା ଶୁଣି ରୋଜି ଅବା ଆଉ କାହିଁକି ଡରିବ? ନିର୍ଦ୍ଦେଶ ପାଇଲା ମାତ୍ରକେ ସେ ଯାଇ ଘୋଡା ଉପରକୁ ଡେଇଁ ପଡିଲା । ସମସ୍ତେ ମନେମନେ ବିଚାରିଲେ ଏଥର ରୋଜିର ଆଉ ରକ୍ଷା ନାହିଁ । ଘୋଡାଟା ତ ପବନ

କଖାରୁ ଓ ରାଜାଝିଅ

କଖାରୁ ଓ ରାଜାଝିଅ             ବହୁତ ଦିନ ତଳର କଥା । ଗୋଟିଏ କୃଷକ ଓ ତା’ସ୍ତ୍ରୀ ବିଲରେ ଚାଷ କରି ପେଟ ପୋଷୁଥାନ୍ତି । ସେମାନଙ୍କର କୌଣସି ପିଲାପିଲି ନଥାନ୍ତି ।             ଦିନେ ସେମାନେ ବିଲରେ ଚାଷ କରୁଛନ୍ତି, ହଠାତ୍ ସେ କୃଷକ ତା’ ସ୍ତ୍ରୀକୁ କହିଲା, ‘ମୋତେ ଖୁବ୍ ଭୋକ ଲାଗୁଛି । ତେଣୁ ତୁ ଘରକୁ ଯାଇ କିଛି ମକା ଭାଜି ଆଣ ।’                   କୃଷକର ସ୍ତ୍ରୀ ଘରକୁ ଆସି ମକା ଭାଜିଲା । ସେତେବେଳେ ବିଲରେ କାମକରି ସେ ତ ଖୁବ୍ ହାଲିଆ ହୋଇପଡିଥାଏ । ପୁଣି ଥରେ ମକା ଭଜା ଧରି ବିଲ ଯିବାକୁ ଆଉ ତା’ର ବଳ ନଥାଏ । ତେଣୁ ସେ ମନକୁ ମନ କହିଲା, ‘ଆହା, ମୋର ପୁଅଟିଏ ଥାଆନ୍ତା କି? ସେ ମକା ଭଜା ନେଇ ତା’ ବାପ ପାଖକୁ ଯାଇପାରନ୍ତା ।’             ଠିକ୍ ସେତିକିବେଳେ କେହି ଜଣେ କହୁଥିବାର ସେ ସ୍ତ୍ରୀ ଲୋକଟି ଶୁଣିଲା, ‘ମା, ମୁଁ ତ ଏଇଠି ଅଛି । ମୋତେ କହିଲେ ମୁଁ ମକାଭଜା ନେଇ ବାପାଙ୍କୁ ଦେଇଆସିବି ।’                    ଏ କଥା ଶୁଣି ସେ ସ୍ତ୍ରୀ ଲୋକଟି ଭାବିଲା, କିଏ ଏମିତି କହୁଛି? ଘରେ ତ କେହି ବି ନାହାଁନ୍ତି । ତହୁଁ ସେ କୃଷକର ସ୍ତ୍ରୀର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେ ଦେଖିଲା ତାଙ୍କ ଘର କୋଣରେ ରଖାଯାଇଥିବା କଖାରୁଟା ଗଡି ଗଡି ତା’ପାଖକୁ ଆସୁଛି ଓ କହୁଛି, ‘ମା, ମୁଁ ତ ତୁମର ପୁଅ । ମୋତେ କହିଲେ ମୁଁ ମକାଭଜା ନେଇ ବିଲରେ ଦେଇ ଆସିବି ।’              କୃଷକର ସ୍ତ୍ରୀ ଏଥିରେ ଖୁବ୍ ଖୁସି ହେଲା । କଖାରୁ ମକାଭଜା ନେଇ କୃଷକକୁ ଦେଲା । କୃଷକ ଏଥିରେ ଆଶ୍ଚର୍ଯ୍ୟ ହେଲା ଯେତିକି, ଖୁସି ମଧ୍ୟ ହେଲା ସେତିକି ।            ବିଲରୁ ଫେରିଆସି କଖାରୁ ସେ କୃଷକର ସ୍ତ୍ରୀକୁ କହିଲା, ‘ମା, ମୋତେ ବାହା କରିଦିଅ । ମୁଁ ମୋ ସ୍ତ୍ରୀ ଖୋଜିବାକୁ ବାହାରିଲି ।’               କୃଷକର ସ୍ତ୍ରୀ କଖାରୁର ଏକଥା ଶୁଣି ହସିହସି ବେଦମ୍ । ଏ କଖାରୁଟାକୁ ପୁଣି ବାହା ହେବ କିଏ? କଖାରୁ କିନ୍ତୁ ରାଜାଙ୍କ ଘରକୁ ବାହାରିଲା । ସେ ରାଜାଙ୍କର ସାତଟି ଝିଅ ଥିଲେ । କଖାରୁ ରାଜାଙ୍କ ନିକଟରେ ପହଁଚି କହିଲା, ‘ମୁଁ ଆପଣଙ୍କର ଗୋଟିଏ ଝିଅକୁ ବାହା ହେବି ।’ ରାଜା ବି କଖାରୁ କଥା ଶୁଣି ହସି ହସି ବେଦମ୍ ହେଲେ । ତଥାପି ବି ସେ ରାଜା ତାଙ୍କ ଝିଅମାନଙ୍କୁ ଡକାଇ ପଠାଇଲେ । କଖାରୁଟାକୁ କିଏ ବାହାହେବ ବୋଲି ପଚାରିଲେ । ଜଣକ ପରେ ଜଣେ – ଏମିତି ଛଅଜଣ ଯାକ ଝିଅ ସେ କଖାରକୁ ବାହା ହେବାକୁ ମନା କରି ଦେଲେ । ହେଲେ ସବା ସାନଝିଅ କହିଲା, ‘ମୁଁ କଖାରୁକୁ ବାହା ହେବି ।’                ରାଜା ପୁଣି ତାଙ୍କ ଅନ୍ୟ ଝିଅମାନଙ୍କୁ ପଚାରିଲେ, ‘ତୁମେମାନେ ବାହା ହେଲା ପରେ କାହା ସମ୍ପତ୍ତିର ମାଲିକ ହେବ?’ ଏକଥା ଶୁଣି ପ୍ରଥମ ଛଅ ଜଣ ଯାକ ଝିଅ କହିଲେ, ‘ଆମେ ଆପଣଙ୍କ ଧନ ସମ୍ପତ୍ତିର ମାଲିକ ହେବୁ ।’ ହେଲେ ସବା ସାନଝିଅଟି କହିଲା, ‘ମୁଁ ମୋ ସ୍ୱାମୀର ଧନସମ୍ପତ୍ତିର ମାଲିକ ହେବି ।’ ତା’ପରେ ପ୍ରଥମ ଛଅଜଣ ଝିଅ ଅନ୍ୟ ଦେଶର ରାଜାପୁଅମାନଙ୍କୁ ବାହା ହୋଇ ବାପାଙ୍କ ଧନ ସମ୍ପତ୍ତି ନେଇ ନିଜ ନିଜ ସ୍ୱାମୀଙ୍କ ସଙ୍ଗେ ଚାଲିଗଲେ । ହେଲେ ସବା ସାନ ଝିଅ ରାଜାଙ୍କଠାରୁ କିଛି ନନେଇ କଖାରୁ ସଙ୍ଗେ ସେ କୃଷକ ଘରକୁ ବାହାରିଲା ।          କଖାରୁ ଓ ରାଜାଝିଅ ଫେରିବା ବାଟରେ ସୁନ୍ଦର ଫୁଲଗଛଟିଏ ଦେଖିଲେ । ସେ ଫୁଲଗଛଟି ଖୁବ୍ ଡେଙ୍ଗା । ରାଜାଝିଅ କଖାରୁକୁ କହିଲା, ‘ମୋ ପାଇଁ କେତୋଟି ଫୁଲ ତୋଳିଦିଅ ।’ ତହୁଁ ସେ କଖାରୁ କହିଲା, ‘ଠିକ୍ ଅଛି, ମୁଁ ଗଛରେ ଚଢି ଫୁଲ ତୋଳିବି । କିନ୍ତୁ ଯଦି ମୁଁ ଗଛରୁ ଖସି ତଳେ ପଡିଯାଏ, ତେବେ ମୋ ଦେହ ଫାଟିଯିବ । ତା’ହେଲେ ତୁମେ ମୋତେ ପିଇବା ପାଇଁ ପାଣି ଟିକିଏ ଦେବ ।’           ଗଛରେ ଚଢି ଫୁଲ ତୋଳିବା ବେଳେ ସତକୁ ସତ ସେ କଖାରୁ ତଳେ ପଡି ଦୁଇ ଖଣ୍ଡ ହୋଇ ଫାଟିଗଲା । ଏବେ ଆଉ ସେ ରାଜାଝିଅ କରେ କ’ଣ? ତଥାପି ଧୈର୍ଯ୍ୟ ଧରି କଖାରୁ କଥା ଅନୁସାରେ ସେ ରାଜାଝିଅ କେଉଁଠୁ ପାଣି ଟୋପାଏ ଆଣି ତାକୁ ତଥା ସେ କଖାରୁକୁ ପିଆଇ ଦେଲା । ପାଣି ପିଆଇଲା ପରେ ଯାହା ଘଟିଲା, ସେଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲା ସେ ରାଜାଝିଅ । ସେଇ ଦୁଇ ଫାଳ କଖାରୁ ଭିତରୁ ବାହାରି ଆସିଲା ଜଣେ ଅତି ସୁନ୍ଦର ରାଜାପୁଅ ଓ କହିଲା, ‘ରାଜାଝିଅ, ମୁଁ ସତରେ ଗୋଟିଏ କଖାରୁ ନୁହେଁ; ଜଣେ ରାଜାପୁଅ ।’ ତା’ପରେ ସେମାନେ କୃଷକ ଘରେ ଯାଇ ପହଁଚିଲେ ।        କୃଷକ ଓ ତା’ସ୍ତ୍ରୀ ତାଙ୍କ ଘରେ ଜଣେ ରାଜାଝିଅ ଓ ରାଜାପୁଅ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ପାଖ ପଡୋଶୀମାନଙ୍କର ବି ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ପରିଶେଷରେ ସେ କୃଷକ, ତା’ର ସ୍ତ୍ରୀ, ରାଜାଝିଅ ଓ ରାଜାପୁଅ ଖୁବ୍ ଆନନ୍ଦରେ ରହିଲେ ।

କଥାକୁହା ଫଳ

କଥାକୁହା ଫଳ      ଜଣେ ରାଜାଙ୍କ ପାଖରେ ଅଗଣିତ ଗାଈ ଥିଲେ । ପଶୁପାଳକ ପ୍ରତିଦିନ ସେହି ଗାଈଗୁଡିକ ଚରାଇବା ପାଇଁ ପାହାଡ ନିକଟସ୍ଥ ପ୍ରାନ୍ତରକୁ ନେଇ ଯାଆନ୍ତି । କିନ୍ତୁ ସଂନ୍ଧ୍ୟା ସମୟକୁ ଫେରିବାବେଳକୁ ଗାଈଙ୍କ ସଂଖ୍ୟା ସମୟକୁ ଫେରିବାବେଳକୁ ଗାଈଙ୍କ ସଂଖ୍ୟା କମି ଯାଇଥାଏ । ଏପରି କିଛିଦିନ ଲଗାତାର ଘଟିବାରୁ ରାଜା ଖୁବ୍ ଚିନ୍ତିତ ହୋଇ ପଡିଲେ । ଅନେକ ପ୍ରକାର ସତର୍କତା ଅବଲମ୍ବନ କଲେ । ମାତ୍ର ଗାଈମାନଙ୍କର ଅନ୍ତର୍ଦ୍ଧାନ ବନ୍ଦ ହେଲା ନାହିଁ । ପଶୁପାଳକଙ୍କୁ ରାଜା ଏହାର କାରଣ ବାରମ୍ବାର ପଚାରିଲେ ସେମାନେ ସେହି ଏକା ଉତ୍ତର ଦିଅନ୍ତି ଯେ, “ଆମେ ସର୍ବଦା ସଜାଗ ହୋଇ ପହରା ଦେଉଛୁ । ଆମ ଆଖି ଆଗରୁ ଗାଈମାନଙ୍କୁ କେଉଁଆଡେ ଛାଡି ଦେଉ ନାହୁଁ । ଗାଈ ନିକଟକୁ କେହି ଆସୁଥିବାର ମଧ୍ୟ ଆମେ ଦେଖିନାହୁଁ । ଗାଈର ସଂଖ୍ୟା କେମିତି କମି ଯାଉଛି ଆମେ ତାହା ଜାଣି ପାରୁ ନାହୁଁ ।” ରାଜା ଅନୁଭବ କଲେ, ଏହା ପଛରେ ନିଶ୍ଚୟ କୌଣସି ରହସ୍ୟ ରହିଛି । ନିଜର ତିନିପୁତ୍ରଙ୍କୁ ହଜି ଯାଉଥିବା ଗାଈମାନଙ୍କୁ ଠାବ କରିବାର ଦାୟିତ୍ୱ ଦେଇ ରାଜା ସେମାନଙ୍କୁ ଜଙ୍ଗଲକୁ ପଠାଇଲେ ।         ରାଜକୁମାରମାନେ ସାରାଦିନ ଜଙ୍ଗଲରେ ଘୁରି ବୁଲିବା ପରେ ଶେଷରେ ଏକ କୁତ୍ସିତ ରୂପର ସ୍ତ୍ରୀକୁ ଦେଖିବାକୁ ପାଇଲେ । ସେହି ସ୍ତ୍ରୀ ଲୋକ ଜଣକ ସେମାନଙ୍କୁ ପ୍ରଶ୍ନ କଲେ, “ପିଲାଏ, କୁଆଡେ ଯାଉଛ?”         ରାଜକୁମାରମାନେ ଚିଡି ଉଠି କହିଲେ, “ଆମେ କୁଆଡେ ଗଲେ, ତୁମର କ’ଣ ଗଲା? ତୁମେ ତୁମ ବାଟରେ ଯାଅ ।”          ତା’ପରେ ସେ ସ୍ତ୍ରୀ ଲୋକଟି ତା’ ମନକୁ ମନ କ’ଣ ଗୁଣୁଗୁଣୁ ହୋଇ ସେଠାରୁ ଚାଲିଗଲା । ରାଜକୁମାରମାନେ ସେଠାରୁ ଯାଇ ଏକ ଦୁର୍ଗ ପାଖରେ ପହଁଚିଲେ । ସେହି ଦୁର୍ଗରେ ରାଜାଙ୍କ ଗାଈମାନେ ବନ୍ଧା ହୋଇଥିବାର ସେମାନେ ଦେଖିଲେ । ଭିତରେ ଏକ ବୁଢୀ ରାକ୍ଷସୀ ଶୋଇଥାଏ । ଏମାନେ ସେଠାରେ ପହଁଚିବା ମାତ୍ରେ ସେ ଉଠି ପଡିଲା ।        ରାଜକୁମାରମାନେ କହିଲେ, “ବୁଢୀ ମା’, ଆମକୁ କିଛି କାମ ଦିଅ ।” ସେମାନେ ଜାଣିଥିଲେ ବୁଢୀ ରାକ୍ଷସୀ ପାଖରୁ ଗାଈ ମୁକଳେଇ ନେଇଯିବା କିଛି ସହଜ କାମ ନୁହେଁ । ତେଣୁ କାମର ବାହାନା କରି ତା’ପାଖରେ ରହିଲେ ସୁଯୋଗ ଦେଖି ଗାଈଙ୍କୁ ନେଇ ଏଠାରୁ ପଳାଇ ଯିବା ପାଇଁ ଯୋଜନା କରି ହେବ ।         ରାକ୍ଷସୀ ସେତେବେଳକୁ ଜାଣି ସାରିଥାଏ ଯେ, ସେମାନେ ଗାଈ ନେବା ପାଇଁ ଏଠାକୁ ଆସିଛନ୍ତି । ସେ ବୁଢୀ ରାକ୍ଷସୀ ତ ବଡ ଚତୁରୀ । ତା’ର ଦେହର ବଳ କମି ଯିବାରୁ ସେ ଛଳ କପଟରେ ନିଜ ଶତୃମାନଙ୍କୁ ମାରି ପକାଉଥାଏ । ରାଜକୁମାରମାନଙ୍କୁ ମାରିବାକୁ ସ୍ଥିର କରି ସେମାନଙ୍କୁ ସେ କହିଲା, “ଆଚ୍ଛା ପିଲାଏ, ଏବେ ଗାଈକ୍ଷୀର ଦୁହିଁବାର ବେଳ ହୋଇ ଗଲାଣି । ତୁମେମାନେ ଯାଇ ଗାଈ ଦୁହିଁବା କାମ କର ।”        ରାଜକୁମାରମାନେ ପାତ୍ରପୂର୍ଣ୍ଣ କରି କ୍ଷୀର ଆଣି ପହଁଚିବା ପରେ ରାକ୍ଷସୀ ସେମାନଙ୍କୁ ପୁଣି କହିଲା, “ତୁମମାନଙ୍କୁ ତ ଭୋକ ଲାଗୁଥିବ । ନିଅ, ଏହି କ୍ଷୀର ପିଇ ପେଟ ଭର୍ତ୍ତି କରିଦିଅ ।” ସେହି ତିନିଜଣଙ୍କ ହାତରେ ରାକ୍ଷସୀ ବିଷଭର୍ତ୍ତି ପାତ୍ର ଦେଇଥିଲା । ସୁତରାଂ ସେମାନେ କ୍ଷୀର ପାଟିରେ ଲଗାଇବା ମାତ୍ରେ ଟଳି ପଡିଲେ । ରାକ୍ଷସୀ ସେମାନଙ୍କୁ ଏକ ସିନ୍ଧୁକରେ ଲୁଚାଇ ଦେଲା ।       ବହୁଦିନ ବିତିଗଲେ ମଧ୍ୟ ରାଜକୁମାରମାନେ ଆଉ ଫେରିଲେ ନାହିଁ । ଏଣେ ରାଜା ଅତ୍ୟନ୍ତ ଚିନ୍ତିତ ହୋଇ ଉଠିଲେ । ରାଜାଙ୍କର ଗୋବିନ୍ଦ ନାମକ ଜଣେ ପଶୁପାଳକ ଥିଲା । ସେ ସାହସ କରି ରାଜାଙ୍କୁ ଆସି କହିଲା, “ମୁଁ ରାଜକୁମାରମାନଙ୍କୁ ଖୋଜିବା ପାଇଁ ଯିବି ଓ ହଜିଥିବା ଗାଈ ମଧ୍ୟ ଖୋଜି ଆଣିବି ।” ରାଜା ତା’କୁ ଯିବାପାଇଁ ଅନୁମତି ଦେଲେ ।        ଗୋବିନ୍ଦ ମଧ୍ୟ ଅରଣ୍ୟର ସେହି ଦିଗରେ ଯାତ୍ରା କଲା । ବାଟରେ ସେହି କୁତ୍ସିତ ରୂପୀ ସ୍ତ୍ରୀ ସହିତ ତା’ର ଭେଟ ହେଲା । ସ୍ତ୍ରୀ ଲୋକଟି ତାକୁ ପଚାରିଲା, “ପୁଅ କେଉଁଆଡେ ଯାଉଛୁ?”    ରାଜ କୁମାରମାନଙ୍କ ପରି ଗୋବିନ୍ଦ ସେ ସ୍ତ୍ରୀଲୋକ ଉପରେ ମୋଟେ ବିରକ୍ତ ହେଲା ନାହିଁ । ଭାବିଲା, ସମ୍ଭବତଃ ଏହାକୁ ଗାଈ ବା ରାଜକୁମାରମାନଙ୍କ ସମ୍ବନ୍ଧରେ କିଛି ତଥ୍ୟ ଜଣାଥିବ । ତେଣୁ ସେ ତା’ ନିଜ କାମର ବିବରଣୀ ଜଣାଇଲା ।           ସ୍ତ୍ରୀ ଲୋକଟି କହିଲା, “ଆଉ ଅଳ୍ପବାଟ ଆଗକୁ ଗଲେ ଏକ ଦୁର୍ଗ ପଡିବ । ସେହି ଦୁର୍ଗରେ ଏକ ଧୂର୍ତ୍ତ ରାକ୍ଷସୀ ଥିଲା । ମୋ ଭଉଣୀର ସାହାଯ୍ୟ ନେଇ ସେ ରାଜାଙ୍କର ଗାଈ ଚୋରାଉଥିଲା । ତାର କାମ ପୂର୍ଣ୍ଣ ହେବା ପରେ ମୋ ଭଉଣୀକୁ ସେ ମାରି ପକାଇଛି । ଏବେଯାଏଁ ରାଜକୁମାରମାନେ ମଧ୍ୟ ତା’ ପାଖରେ ବଂଚି ନ ଥିବେ ।” ଗୋବିନ୍ଦ ପ୍ରଶ୍ନ କଲା, “ତୁମର ଭଉଣୀ କିଏ? ସେହି ରାକ୍ଷସୀର ଆମ ଗାଈ ଚୋରାଇବା କ’ଣ ଦରକାର?”        ସ୍ତ୍ରୀ ଲୋକଟି କହିଲା, “ସେହି ରାକ୍ଷସୀ ଏବେ ବୁଢୀ ହୋଇ ଗଲାଣି । ନିଜର କ୍ଷୁଧା ମେଂଟାଇବା ପାଇଁ ସେ ଅସମର୍ଥ । ତେଣୁ ତାର ଦୃଷ୍ଟି ରାଜାଙ୍କ ଗାଈ ଉପରେ ପଡିଛି । ମୋର ଭଉଣୀ ମନ୍ତ୍ର–ତନ୍ତ୍ର ଜାଣିଥିଲା । ସେହି ରାକ୍ଷସୀ ମୋ ଭଉଣୀ ସହିତ ବନ୍ଧୁତା ସ୍ଥାପନ କଲା । ତାକୁ ଅଧା ଗାଈ ଦେବା ପାଇଁ ପ୍ରତିଶୃତି ଦେଇ, ତା’ଦ୍ୱାରା ଏହି କାମ ସେ କରାଇଲା । କିନ୍ତୁ ତା’ର କାମ ହାସଲ ହେବା ପରେ ମୋ ଭଉଣୀକୁ ଦୁର୍ଗରେ ବନ୍ଦ କରି ସେ ହତ୍ୟା କଲା । ମୁଁ ମୋ ଭଉଣୀ ହତ୍ୟାର ପ୍ରତିଶୋଧ ନେବାକୁ ଚାହେଁ ।”        ଗୋବିନ୍ଦ ସବୁ କିଛି ଶୁଣିବା ପରେ କହିଲା, “ତେବେ ରାଜକୁମାର ଓ ଗାଈମାନଙ୍କୁ ଉଦ୍ଧାର କରିବା ପାଇଁ କିଛି ଉପାୟ ଜାଣିଥିଲେ ତାହା ମୋତେ କୁହ ।”          “ମୋ ନିକଟରେ ମନ୍ତ୍ର-ଶକ୍ତି ନ ଥିଲେ ମଧ୍ୟ ଦୁଇଟି ଅପୂର୍ବ ବସ୍ତୁ ଅଛି ।” ଏପରି କହି ସେହି କଦାକାର ସ୍ତ୍ରୀ ଗୋବିନ୍ଦ ହାତରେ ଗୋଟିଏ ଫଳ ଓ ତିନୋଟି ପଥର ରଖି କହିଲା, “ଏହି ଫଳ ତୁମକୁ ଆଗକୁ ଥିବା ବିପଦ ସମ୍ବନ୍ଧରେ ସତର୍କ କରିବ । ଏହା ଏକ କଥାକୁହା ଫଳ । ଏହାର ଆବଶ୍ୟକତା ସରିଗଲେ, ତା’ ଭିତରୁ ମଞ୍ଜି ବାହାର କରି ଜଳରେ ଘୋରି ଦେବ ଓ ସେହି ଜଳ ମୃତ ରାଜ କୁମାର ମାନଙ୍କ ଉପରକୁ ପକାଇ ଦେବ । ସେମାନେ ପୁଣି ଜୀବିତ ହୋଇଯିବେ । ଆଉ ଏହି ପଥରଗୁଡିକୁ ତଳେ ଗଡାଇ ଦେଇ ଯାହା ମାଗିବ, ତାହା ତୁମକୁ ଅବଶ୍ୟ ମିଳିବ । ତିନୋଟି ପଥର ତିନିଥର ମନକଥା ପୂରଣ କରି ପାରିବ । ମୋର ବିଶ୍ୱାସ, ତୁମର କାମ ସଫଳ ହେବ ଓ ମୋର ଲକ୍ଷ୍ୟ ପୂରଣ ହେବ ।” ଗୋବିନ୍ଦ ସେହି ବସ୍ତୁ ଦୁଇଟିକୁ ନିଜ ପାଖରେ ରଖି ଦୁର୍ଗ ଆଡକୁ ଆଗେଇଲା । ଦୁର୍ଗ ଭିତରକୁ ଯାଇ ସେଠାରେ ସେ ବୁଢୀ ରାକ୍ଷସୀକୁ ଦେଖିଲା ଓ ତାକୁ କିଛି କାମ ଦେବା ପାଇଁ ବିନତି କଲା । କିନ୍ତୁ ରାକ୍ଷସୀ ଜାଣି ପାରିଲା ଯେ, ଏହି ଲୋକ ମଧ୍ୟ ଗାଈ ଖୋଜିବାକୁ ଆସିଛି । ତେଣୁ ସେ କହିଲା, “ଠିକ୍ ଅଛି, ମୋ ଗାଈମାନଙ୍କର ଦେଖାଶୁଣା କରିବା ପାଇଁ ତୁ ଏଠାରେ ରହିବୁ ।” ତା’ପରେ ସେ ଭିତରକୁ ଯାଇ ଏକ କ୍ଷୀର ଭର୍ତ୍ତି ପାତ୍ର ଆଣି ଅତି ସ୍ନେହରେ ପିଇବା ପାଇଁ ତାକୁ ସେ ଅନୁରୋଧ କଲା ।          କଥାକୁହା ଫଳ ଗୋବିନ୍ଦକୁ ସାବଧାନ କରି କହିଲା “ଏଥିରେ ବିଷ ଅଛି । ଏହାକୁ ଆଦୌ ପିଅ ନାହିଁ ।” ରାକ୍ଷସୀ ନ ଜାଣି ପାରିବା ପରି ଗୋବିନ୍ଦ କ୍ଷୀରସବୁ ବାହାରକୁ ଫିଙ୍ଗିଦେଲା । କିଛି ସମୟ ପରେ ଗୋବିନ୍ଦକୁ ଜୀବିତ ଥିବାର ଦେଖି ରାକ୍ଷସୀ ଭାରି ଆଶ୍ଚର୍ଯ୍ୟ ହୋଇଗଲା । ରାକ୍ଷସୀ ଅତି ସ୍ନେହରେ ଗୋବିନ୍ଦକୁ କହିଲା “ଏଠାରେ ଖଟ ଅଛି । ବହୁତ ହାଲିଆ ହୋଇ ଆସିଥିବୁ । ଯା’ ଶୋଇ ପଡିବୁ ।”         ସେ କଥାକୁହା ଫଳ ଗୋବିନ୍ଦକୁ ପୁଣି ସତର୍କ କରିବାକୁ ଯାଇ କହିଲା “ଯମା ଶୁଅ ନାହିଁ । ତଳେ ବଡ ଖାଲ ଅଛି । ପଡିଯିବ ।” ରାକ୍ଷସୀ ସେଠାରୁ ଚାଲିଯିବା ପରେ ଗୋବିନ୍ଦ ଖଟ ଉଠାଇ ତଳକ ଦେଖେ ତ, କଂଟାଝଂଟା ଭର୍ତ୍ତି ଏକ ବିରାଟ ଖାଲ ସେଠାରେ ଅଛି । ଦ୍ୱିତୀୟ ଥର ପାଇଁ ମୃତ୍ୟୁରୁ ବର୍ତ୍ତୀ ଯିବାରୁ ଗୋବିନ୍ଦ ଭଗବାନଙ୍କୁ ପ୍ରଣାମ ଜଣାଇଲା ।         ଗୋବିନ୍ଦ ରାଜକୁମାରମାନଙ୍କୁ ଦୁର୍ଗ ଭିତରେ ଖୋଜିଲା । ଶେଷରେ ଏକ ସିନ୍ଧୁକ ଭିତରେ ମୃତ ରାଜକୁମାରମାନଙ୍କର ଶବ ସେ ଦେଖିଲା । ଫଳରୁ ମଞ୍ଜି ବାହାର କଲା । ସେହି ମଞ୍ଜିକୁ ପାଣିରେ ଘୋରି ରାଜକୁମାରମାନଙ୍କ ଉପରକୁ ତାହା ସେ ଛିଂଚିଲା । ରାଜକୁମାରମାନେ ପୁଣି ଜୀବିତ ହୋଇଗଲେ । ସେମାନେ ଗୋବିନ୍ଦଠାରୁ ସମସ୍ତ ବିଷୟ ଜାଣି ପାରିଲେ ।          ତା’ପରେ ସେ ଚାରିଜଣଯାକ ଗୋଶାଳା ଭିତରେ ପ୍ରବେଶ କଲେ