ଏହା ମୋର ଦାଢି ବହୁ ଦିନ ତଳର କଥା । ଗୋଟିଏ ଗ୍ରାମରେ ହଜାରିମଲ ଏବଂ ଲାଡନଲ ନାମକ ଦୁଇ ଜଣ ବନ୍ଧୁ ବାସ କରୁଥିଲେ । ସେ ଦୁହେଁ ବଡ ବ୍ୟବସାୟୀ ଥିଲେ ଏବଂ ବହୁତ ଟଙ୍କା ଜମା କରି ରଖିଥିଲେ । କିନ୍ତୁ ହଜାରିମଲ ଟିକିଏ ଖର୍ଚ୍ଚି ସ୍ୱଭାବର ଥିଲେ । କିନ୍ତୁ ଲାଡନଲଙ୍କର ଲୋଭ ଏବଂ ଲାଳସା ଅଧିକ ଥିଲା । ହଜାରିମଲ ସଦାସର୍ବଦା ହସଖୁସିରେ ରହୁଥିଲେ । ସେ ନିଜେ ନିଶଦାଢି ବଢାଉ ନଥିଲେ । କିନ୍ତୁ ଲାଡନଲ ସର୍ବଦା ଦାଢି ଏବଂ କେଶ ବଢାଇ ରଖୁଥିଲେ । ଦିନେ ସେ ଦୁଇ ବନ୍ଧୁ ଟେବୁଲ୍ରେ ବସି ଗପସପ କରୁଥିଲେ । ଏହି ସମୟରେ ହଜାରିମଲ କହିଲେ – “ଲାଡନଲ ଏ ପର୍ଯ୍ୟନ୍ତ ତୁମକୁ ମୁଁ କେବେ ଗୋଟିଏ କଥା କହିନାହିଁ, ତୁମର ଦାଢି ଦେଖିବାକୁ ଭାରି ଭଲ । ଏ ପର୍ଯ୍ୟନ୍ତ ମୁଁ କେତେ ଦାଢି ଦେଖିଛି କିନ୍ତୁ ତୁମର ଦାଢି ପରି ସୁନ୍ଦର ଦାଢି ଆମ ଦେଶରେ ଆଉ କାହାର ବି ନାହିଁ । ଏହା ଶୁଣି ଲାଡନଲ ଅଭିମାନଭରା ସ୍ୱରରେ କହିଲେ- ‘ଠିକ୍ କହୁଛ ହଜାରିମଲ, ସମସ୍ତେ ପରା ଠିକ୍ ଏହିପରି କହନ୍ତି । ଖାଲି ସେତିକି ନୁହେଁ କେତେକ ଲୋକ ମୋ ଦାଢିକୁ ଦୃଷ୍ଟିଆ ବି କରିଦିଅନ୍ତି! ଏମିତିକି କେତେକ ଲୋକ ଏହାକୁ କିଣି ନେବା ପାଇଁ ମଧ୍ୟ ପ୍ରସ୍ତୁତ ।’ ଏ କଥା ଶୁଣିବା ମାତ୍ରେ ହଜାରିମଲ ବଡ ଆତୁରତାର ସହିତ ପଚାରିଲେ- ‘ସେମାନେ କିଏ? ମୁଁ ହିଁ କିଣିନେବି, କହ କେତେ ଟଙ୍କା ନେବ?’ ଏଭଳି କଥା ଶୁଣି ଧନ ଲୋଭରେ ହଠାତ୍ ଲାଡନଲ ମନରେ ଅନେକ ପ୍ରକାରର କଳ୍ପନା ଜାତ ହେଲା । ସେ ଭାବିଲା ଏ ଦାଢିରୁ ଯଦି କିଛି ଅର୍ଥ ମିଳିପାରିବ ତେବେ କ୍ଷତି କଣ? ତା’ପରେ କଥାବାର୍ତ୍ତା ଛଳରେ ସେ କହିଗଲା – ‘ଆଚ୍ଛା! ତେବେ ଏକ ହଜାର ମୁଦ୍ରା ଦିଅ । ମୁଁ ମୋର ଦାଢି ତୁମକୁ ପ୍ରଦାନ କରିବି ।’ ଏଥିରେ କହିବାର କଣ ଅଛି? ନିଅ, ଏକ ହଜାର ମୁଦ୍ରା ଗ୍ରହଣ କର । ମୁଁ ଭାବିଥିଲି ଯେ କିଏ ଜାଣେ ତୁମେ ଏହାର କେତେ ଅଧିକ ମୂଲ୍ୟ କହିବ… ।’ ଏହା କହି ସେ ହଜାରିମଲ ଲାଡନଲଙ୍କ ହାତରେ ଅର୍ଥ ରଖିଦେଲେ । କିଛି ଅର୍ଥ ଅଗ୍ରୀମ ପ୍ରଦାନ କଲେ । ଏହା ଦେଖି ଲାଡନଲ ସାମାନ୍ୟ ଅପ୍ରସ୍ତୁତ ହୋଇପଡିଲା । ସେ ହଠାତ୍ ଏପରି ଦାଢି ବିକ୍ରି କରିବାକୁ ପଡିବ ବୋଲି କେବେବି ଭାବି ନଥିଲେ । ହଜାରିମଲ ଏକ ସର୍ତ୍ତ ରଖି କହିଲେ – ‘ଭାଇ! ବର୍ତ୍ତମାନ ଏ ଦାଢି ମୋର ହୋଇଗଲା । ଯେ ପର୍ଯ୍ୟନ୍ତ ମୁଁ ତୁମକୁ ସଂପୂର୍ଣ୍ଣ ରାଶି ପ୍ରଦାନ ନ କରିଛି, ସେ ପର୍ଯ୍ୟନ୍ତ ଏହି ଦାଢି ତୁମ ପାଖରେ ମୋର ସମ୍ପତ୍ତି ଭାବରେ ରହିବ । ଖୁବ୍ ସତର୍କତାର ସହିତ ଏହାର ଯତ୍ନ ନେବ ଏଥିରେ ମୋର ଇଚ୍ଛା ମୁତାବକ ତେଲ ଲଗାଇବାକୁ ହେବ । ମୋର ରୁଚି ଅନୁସାରେ ଏହାକୁ କାଟିବାକୁ ହେବ ।’ ଲାଡନଲ ତୁରନ୍ତ ତାଙ୍କର ସର୍ତ୍ତ ମାନି ନେଲେ । ଆଇନ୍ ଦୃଷ୍ଟିରୁ ଗ୍ରହଣୀୟ କାଗଜପତ୍ରରେ ଲିଖିତ ରୂପରେ ଦୁହେଁ ସ୍ୱାକ୍ଷର ବି କଲେ । ଚୁକ୍ତି ଅନୁସାରେ ଲାଡନଲଙ୍କର ଦାଢି ଏବେ ହଜାରିମଲଙ୍କର ହୋଇଗଲା । ହଜାରିମଲ ପୁଣି ଥରେ ସତର୍କ କରିଦେଇ କହିଲେ– ‘ଦେଖ, ଭାଇ! ବର୍ତ୍ତମାନ ଯଦି ଆପଣଙ୍କୁ କେହି ଏହି ଦାଢି ବିଷୟରେ ପଚାରେ ତେବେ ଆପଣ କହିଦେବେ– ‘ଭାଇ! ଏ ଦାଢି ଏବେ ଆଉ ମୋର ହୋଇନାହିଁ ଏହା ଅମୁକ ବ୍ୟକ୍ତିଙ୍କର, ସେ ଉଚିତ୍ ଦାମ୍ ଦେଇ ଏହାକୁ କିଣି ନେଇଛନ୍ତି । ଏହି ପ୍ରକାରରେ ତୁମେ ବୁଝାଇ କହିବ କ’ଣ ବୁଝିପାରିଲ ତ-?’ ଲାଡନଲ କହିଲେ ‘ବହୁତ ଭଲ!’ ଦ୍ୱିତୀୟ ଦିନଠାରୁ… ଏବେ ସମୟ – ଅସମୟରେ ହଜାରିମଲ ଲାଡନଲଙ୍କ ପାଖକୁ ଆସୁଥିଲେ । ତାଙ୍କୁ ଆସୁଥିବାର ଦେଖି ଲାଡନଲ ପଚାରୁ ଥିଲେ- ‘କିପରି ଆସିଲ ଭାଇ?’ ତାହାର ଉତ୍ତରରେ ହଜାରିମଲ କହୁଥିଲେ– ‘ଆଉ କିଛି ନୁହେଁ । ଖାଲି ମୋର ଦାଢି କିପରି ଅଛି ତାହା ଦେଖିବା ପାଇଁ ଆସିଛି ।’ କେବେ କେବେ ରାଗି ମାଗି ଆସୁଥିଲେ ଏବଂ କହୁଥିଲେ – ‘ଏ କଣ ଭାଇ? ମୋର ଦାଢିସବୁ ନଷ୍ଟ ହୋଇଯାଉଛି, ଖେଳୁଥିବା ଦାଢିଗୁଡିକରେ ଏପରି ଶସ୍ତା ନଡିଆ ତେଲ ଲଗାଇ ତୁମେ ନଷ୍ଟ କରିଦେଇଛ । ଭଲ ପାନିଆ କାହିଁକି ବ୍ୟବହାର କରୁ ନାହଁ? ଟିକେ ସଭ୍ୟ ଭାବରେ ଦାଢିର ଯତ୍ନ ନିଅ । ମୋର ଦାଢିକୁ ତୁମେ ଏପରି ଅବହେଳା କରିବା ମୋଟେ ଠିକ୍ ହେଉନାହିଁ । ମୁଁ ଏସବୁ ଆଉ ସହ୍ୟ କରିପାରୁନାହିଁ ।’ ଏହିପରି ବ୍ୟଂଗ କରି ସେ ପାଟି କରୁଥିଲେ । ଏହିପରି ଭାବରେ ଦିନେ ଚିତ୍କାର କରୁଥିବାର ଦେଖି ଲାଡନଲ ବିରକ୍ତ ହୋଇଗଲେ । ତାଙ୍କ ପାଇଁ ବନ୍ଧୁତ୍ୱ ରକ୍ଷା କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଲା । ଏହାପରେ ସେ ଦୁଇ ଜଣଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହେଲା । ‘ଭାଇ! ମୁଁ ଆଗ ପଛ ବିଚାର ନ କରି ଲୋଭ କାରଣରୁ ତୁମର ସର୍ତ୍ତ ମାନି ନେଇଥିଲି । ଭାଇ ଏବେ ତୁମେ ତୁମର ପଇସା ଫେରାଇ ନିଅ ଏବଂ ମୋତେ ମୋର ଦାଢି ଫେରାଇ ଦିଅ । ତାହେଲେ ଯାଇ ତୁମର ବଡ ପୁଣ୍ୟ ହେବ!’ ଏହା କହି ଲାଡନଲ ବଡ ବିକଳ ହୋଇ ହଜାରିମଲଙ୍କ ନିକଟରେ ଗୁହାରୀ କଲା । ହଜାରିମଲ କିନ୍ତୁ ତାଙ୍କର କୌଣସି କଥା ମାନିଲେ ନାହିଁ । ଏହା ଦେଖି ଲାଡନଲ କହିଲେ – ‘ଆଚ୍ଛା! ତୁମେ ମାନୁ ନାହଁ ତ, ତୁମେ ଯେତିକି ଟଙ୍କା ଦେଇଛ ତାହାର ଦୁଇ ଗୁଣ ନେଇଯାଅ!’ କିନ୍ତୁ ହଜାରିମଲ କିଛି ବି କହିଲେ ନାହିଁ । ଏହା ଦେଖି ଲାଡନଲ କୌଣସି ପ୍ରକାରେ ନିଜକୁ ରକ୍ଷା କରିବା ପାଇଁ ଚାରି ହଜାର ମୋହର ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହୋଇଗଲା । ‘ଦେଖୁଛି ଦେଖୁଛି ଏ କେଉଁ ପର୍ଯ୍ୟନ୍ତ ଯାଉଛି ।’- ଏହା ଚିନ୍ତା କରି ହଜାରିମଲ କିଛି ନ କହି ଚାଲିଗଲେ । ଏବେ ଲାଡନଲକୁ ଆଉ କୌଣସି ବୁଦ୍ଧି ଦିଶିଲା ନାହିଁ । ସେ ବଡ ସମସ୍ୟାରେ ପଡିଯାଇଥିଲା । ଏହିପରି ଭାବରେ ଦିନେ ରାତିରେ ହଜାରିମଲ ନିଜର ସ୍ୱଭାବ ମୁତାବକ ତାଙ୍କୁ ଆସି ଧମକାଇଲେ । ସେତେବେଳେ ତ ସେ ଲାଡନଲ ଗାଢ ନିଦରେ ଥିଲେ । ତେଣୁ ସେ ହଜାରିମଲ ଜୋର୍ରେ ଲାଡନଲଙ୍କର ଦାଢିକୁ ଟାଣି ଦେଲେ । ଆଶ୍ଚର୍ଯ୍ୟର କଥା! ଦାଢି ଉପୁଡି ଆସି ତାଙ୍କ ହାତରେ ଥିଲା! ନକଲି ଦାଢି ଦେଖି ହଜାରିମଲ କ୍ରୋଧରେ ପାଟି କରିବାକୁ ଆରମ୍ଭ କଲା । ତାଙ୍କ ପାଟି ଶୁଣି ଲାଡନଲ ଧଡପଡ ହୋଇ ନିଦରୁ ଉଠି ବସିଲେ । ଦୁହିଁଙ୍କ ମଧ୍ୟରେ ବଚସା ବଢିଲା । ଶେଷରେ କଥା ନ ଛିଣ୍ଡିବାରୁ ସେମାନେ ହାକିମଙ୍କ ପାଖକୁ ଯିବାକୁ ନିଷ୍ପତି ନେଲେ । ସେମାନେ ହାକିମଙ୍କ ପାଖକୁ ଅଭିଯୋଗ କରିବାକୁ ଗଲେ । ଚତୁର ହାକିମ ସେ ଦୁହିଁଙ୍କର ମନ କଥା ବୁଝିଗଲେ ଓ ସେ ନିର୍ଣ୍ଣୟ କଲେ ଯେ – ‘ଦାଢି ମୁଁ କିଣିଛି, ଏହିପରି ଭାବରେ ଏହା ଉପରେ ଅଧିକାର କେବଳ ମୋର । ଏହିପରି କହି ହଜାରିମଲ ତାଙ୍କର ବନ୍ଧୁଙ୍କୁ କଷ୍ଟ ଦେଉଥିବାରୁ ବନ୍ଧୁ ଲାଡନଲ କଷ୍ଟ ସହି ନ ପାରି ନକଲି ଦାଢି ଲଗାଇଥିବା ପ୍ରମାଣିତ ହେଉଛି ।’ ହଜାରିମଲ ଅଧ ରାତିରେ ଲାଡନଲର ଘରକୁ ଯାଇ ବଳପୂର୍ବକ ତାଙ୍କ ଦାଢିକୁ ଟାଣିନେଲେ । ତେଣୁ ସେ ଦାଢିର ଯେଉଁ ମୂଲ୍ୟ ଦେଇଥିଲେ, ତାହାକୁ ଖର୍ଚ୍ଚ ସମେତ ପୈଠ କରି ଦିଅନ୍ତୁ ।’
ସିଦ୍ଧିଲାଭର ସଦୁପଯୋଗ ଏକ ବିଶାଳ ନଗରୀ ଥିଲା । ସେଠାରେ ଜଣେ ବୁଦ୍ଧିଜୀବୀ ବାସ କରୁଥିଲେ । ଦିନେ ସେ ମନେ ମନେ ଠିକ୍ କଲେ ହିମାଳୟକୁ ଯାଇ ତପସ୍ୟା କରିବେ । ଶେଷରେ ସେଇଆ ହେଲା । କଠୋର ତପସ୍ୟା କରି ବୁଦ୍ଧିଜୀବୀ ସିଦ୍ଧିଲାଭ କଲେ । ସେଥିରେ ଅନ୍ତରୀକ୍ଷକୁ ଯାଇ ଫେରିବା ସିଦ୍ଧି ଥିଲା ଅନ୍ୟତମ । ହିମାଳୟରୁ ଫେରି ଆତ୍ମବଡିମା ପ୍ରକାଶ ପାଇଁ ବୁଦ୍ଧିଜୀବୀ ସିଦ୍ଧିର କୌଶଳ ପ୍ରଦର୍ଶନ ବି କଲେ । ବୁଦ୍ଧିଜୀବୀଙ୍କର ଅଲୌକିକ ଶକ୍ତି ଯିଏ ଦେଖିଲା ପ୍ରଶଂସା ନକରି ରହି ପାରିଲା ନାହିଁ । ସେହି ସମୟରେ ନଗରୀରେ ଏକ ରାକ୍ଷସ ଉପଦ୍ରବ କରୁଥାଏ । ବୁଦ୍ଧିଜୀବୀଙ୍କ ସିଦ୍ଧି ସମ୍ପର୍କରେ ସେହି ରାକ୍ଷସ ଜାଣିବାକୁ ପାଇଲା । ସୁତରାଂ ରାକ୍ଷସ ନିଜର ରୂପ ବଦଳାଇ ଏକ ସାଧାରଣ ମଣିଷ ରୂପେ ବୁଦ୍ଧିଜୀବୀ ନିକଟକୁ ଗଲା । ଏବେ ରାକ୍ଷସ ବୁଦ୍ଧିଜୀବୀଙ୍କୁ ଅତି ବିନମ୍ରଭାବରେ କହିଲା, “ବୁଦ୍ଧିଜୀବୀ ମହାଶୟ, ଦୟାକରି ମୋତେ ଅନ୍ତରୀକ୍ଷକୁ ଯିବା କୌଶଳ ବତାଇ ଦିଅନ୍ତୁ ।” ବୁଦ୍ଧିଜୀବୀ ତ ଅତି ଚତୁର ଥିଲେ । ସେ ଭାବିଲେ ଏହାର ଅନ୍ତରାଳରେ ନିଶ୍ଚୟ କିଛି ରହସ୍ୟ ରହିଛି । ତେଣୁ ସେ ଏହି ବିଦ୍ୟା ନ ଶିଖାଇବା ଆଳରେ କହିଲେ, “ମୋତେ ଅନ୍ତରୀକ୍ଷକୁ ଏକା ଏକା ଯିବାର କୌଶଳ ଜଣାଅଛି । କାହାକୁ ସାଥୀରେ ନେଇ ଯିବା ଜଣା ନାହିଁ ।” ଛଦ୍ମବେଶଧାରୀ ରାକ୍ଷସ କହିଲା, “ମହାଶୟ, ମୁଁ ଆପଣଙ୍କ ସାଥୀରେ ଯିବାକୁ କହୁ ନାହିଁ । ମୋତେ ଏକାଏକା ଯିବା କୌଶଳ ବତାଇଦିଅନ୍ତୁ ।” ଏବେ ବୁଦ୍ଧିଜୀବୀ କପଟ କରି କହିଲେ, “ନା, ମୁଁ ତୁମକୁ ଏକାକୀ ପଠାଇ ପାରିବି ନାହିଁ । ଏଭଳି କଲେ ଲୋକେ ମୋତେ କ’ଣ କହିବେ?” ଏଥର ଛଦ୍ମବେଶଧାରୀ ରାକ୍ଷସ କହିଲା, “ଏକାକୀ ମୁଁ ନିଶ୍ଚୟ ଯିବି । ଏହା କହି ସେ ତା’ର ଅସଲ ରାକ୍ଷସ ରୂପକୁ ଦେଖାଇ ଦେଲା । ଏହା ଦେଖି ବୁଦ୍ଧିଜୀବୀ ଡରରେ ଅନ୍ତରୀକ୍ଷ ଯିବାକୁ ମନ୍ତ୍ର ବତାଇ ଦେଲେ ।” ଏବେ ଖୁବ୍ ଜୋର୍ରେ ଅଟ୍ଟହାସ୍ୟ କରି ରାକ୍ଷସ କହିଲା, “ନଗରବାସୀ! ଏବେ ମୁଁ ଅନ୍ତରୀକ୍ଷ ଯାତ୍ରା କରୁଛି । ସେଠାରୁ ଫେରିଲା ପରେ ପରେ ପୁଣି ପୂର୍ବଭଳି ଉତ୍ପାତ କରିବି । ସେ ପର୍ଯ୍ୟନ୍ତ ଅପେକ୍ଷା କରିଥାଅ ।” ଏହା କହି ରାକ୍ଷସ ଆକାଶମାର୍ଗରେ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲା । ରାକ୍ଷସ ଆକାଶରେ ଅନ୍ତର୍ଦ୍ଧାନ ହୋଇଗଲା ପରେ ବୁଦ୍ଧିଜୀବୀ ଖୁବ୍ ଆନନ୍ଦିତ ହୋଇ କହିଲେ, “ଭାଇମାନେ! ଆଜିଠାରୁ ଆମ୍ଭମାନଙ୍କ ଖୁସିର ଦିନ ଫେରି ଆସିଲା । ସେହି ଦୁଷ୍ଟ ରାକ୍ଷସ ଆଉ ଫେରିବ ନାହିଁ ।” ନଗରବାସୀ ପଚାରିଲେ, “କାହିଁକି ଫେରି ପାରିବ ନାହିଁ?” ତହୁଁ ବୁଦ୍ଧିଜୀବୀ କହିଲେ, “ମୁଁ ଜାଣି ଶୁଣି ତାକୁ ଯିବା ମନ୍ତ୍ରଟି ଶିଖାଇଛି । ସୁତରାଂ ସେ ଆଉ ନ ଫେରି ଅନ୍ତରୀକ୍ଷରେ ସବୁଦିନ ପାଇଁ ଘୂରି ବୁଲି ଲୀନ ହୋଇଯିବ । ଏହା ଶୁଣି ନଗରବାସୀ ଖୁସିରେ ନାଚି ଉଠିଲେ । ସମସ୍ତେ ବୁଦ୍ଧିଜୀବୀଙ୍କର ଭୁରି ଭୁରି ପ୍ରଶଂସା କଲେ । ଏଠାରେ କହିବାର କଥା ଯେ, ଯେତେ ଦିନ ଯାଏଁ ବୁଦ୍ଧିଜୀବୀ ନିଜ ସିଦ୍ଧିକୁ ଲୋକମାନଙ୍କୁ ଦେଖାଇ ଆତ୍ମବଡିମା ପ୍ରଚାର କରୁଥିଲେ ସେତେବେଳ ପର୍ଯ୍ୟନ୍ତ ସମାଜରେ ତାଙ୍କର ସମ୍ମାନ ବୃଦ୍ଧି ହୋଇ ନଥିଲା । ମାତ୍ର ଯେତେବେଳେ ତାଙ୍କର ସିଦ୍ଧି ଲାଭର ସଫଳତା ଜନହିତରେ ଲାଗିଗଲା ସେ ପୂଜ୍ୟ ହୋଇଗଲେ ।
ବିଷ୍ଣୁଭଟ୍ଟ ବିରଚିତ ଚନ୍ଦନପୁର ଏକ ଛୋଟ ରାଜ୍ୟ ହେଲେ ମଧ୍ୟ, ଏହାର ଅଧିପତି କମଳଚନ୍ଦ୍ର, କବି ଓ ପଣ୍ଡିତମାନଙ୍କୁ ବଡ ଆଦର କରନ୍ତି । ଏଥିନେଇ ତାଙ୍କର ବେଶ୍ ସୁନାମ ଅଛି । ଯୁବକ ମୁରଲୀନାଥ, ଦରବାରର ବିଶିଷ୍ଟ କବିମାନଙ୍କ ମଧ୍ୟରେ ଅନ୍ୟତମ । ନିଜର କବି ପ୍ରତିଭା ଓ ବାକ୍ଚାତୁର୍ଯ୍ୟ ପାଇଁ, ସେ ରାଜାଙ୍କର ଅତ୍ୟନ୍ତ ପ୍ରିୟପାତ୍ର । ରାଜାଙ୍କ ସହିତ ତାଙ୍କର ଘନିଷ୍ଠତା ଅନ୍ୟ କବିମାନଙ୍କୁ ଇର୍ଷାନ୍ୱିତ କରୁଥାଏ । ତାଙ୍କଠାରୁ ବୟସ ଓ ଅଭିଜ୍ଞତା ଦୃଷ୍ଟିରୁ ବଡ, ଦୁଇ ତିନିଜଣ କବି ତାଙ୍କୁ ଆଦୌ ସହ୍ୟ କରିପାରୁ ନ ଥାନ୍ତି । ଅଳ୍ପଦିନ ତଳେ ମୁରଲୀନାଥଙ୍କର ବିବାହ ସମ୍ପନ୍ନ ହୋଇଥାଏ । ଗୌରୀପୁର ଗ୍ରାମ ରାଜଧାନୀ ଚନ୍ଦନପୁରଠାରୁ ଛଅକୋଶ ଦୂର । ଏହି ଗ୍ରାମର ଜନୈକ ପଣ୍ଡିତ ରାମଚନ୍ଦ୍ରଙ୍କର ଏକମାତ୍ର କନ୍ୟା ଗୀତାଦେବୀ ମୁରଲୀନାଥଙ୍କର ଧର୍ମପତ୍ନୀ ଅଟନ୍ତି । ବିବାହର କିଛିଦିନ ପରେ ଗୀତାଦେବୀ, ମୁରଲୀନାଥଙ୍କର ଆନ୍ତରିକ ସ୍ୱଭାବ ସମ୍ପର୍କରେ ପରିଚିତ ହୋଇ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ମୁରଲୀନାଥ ଜଣେ ଭାବୁକ, ପ୍ରକୃତିପ୍ରେମୀ କବି ଅଟନ୍ତି । କିନ୍ତୁ ନାରୀଜାତି ପ୍ରତି ତାଙ୍କର ଦୃଷ୍ଟିକୋଣ ଅତୀବ ସଙ୍କୀର୍ଣ୍ଣ ଅଟେ । ପତିଙ୍କର କବିତା ରଚନା କ୍ଷେତ୍ରରେ ଥରେ ଦୁଇଥର ହସ୍ତକ୍ଷେପ କରିବାରୁ ମୁରଲୀନାଥଙ୍କର ଏଥିପାଇଁ ଭତ୍ସର୍ନାରୁ, ଗୀତାଦେବୀ ଏହି ସତ୍ୟକୁ ଜାଣିପାରିଥିଲେ । ସମୟ ଗଡି ଚାଲିଥାଏ । ପାର୍ବଣ ସମୟ ଆସିବାରୁ ଗୀତାଦେବୀଙ୍କର ପିତା ପଣ୍ଡିତ ରାମଚନ୍ଦ୍ର ତାଙ୍କ କନ୍ୟା ଜାମାତାଙ୍କୁ ନିଜ ଘରକୁ ଆମନ୍ତ୍ରଣ କରିବା ପାଇଁ ଆସିଲେ । ତାଙ୍କ ଘରେ ପାର୍ବଣ ଉତ୍ସବ ବଡ ଉତ୍ସାହ ସହକାରେ ପାଳନ କରାଯାଏ । ମୁରଲୀନାଥ ଶ୍ୱଶୁରଙ୍କ ନିମନ୍ତ୍ରଣ ସ୍ୱୀକାର କରି କହିଲେ, “ଆପଣ ନିଜ କନ୍ୟାକୁ ସଙ୍ଗରେ ନେଇଯାଆନ୍ତୁ । ମୁଁ ଉତ୍ସବଦିନ ସେଠାରେ ଯାଇ ଉପସ୍ଥିତ ହେବି ।” ଏହାପରେ ଆନନ୍ଦ ମନରେ ଗୀତାଦେବୀ ପିତ୍ରାଳୟ ଚାଲିଗଲେ । ଗୀତାଦେବୀ ଚାଲିଯିବାର ତୃତୀୟ ଦିବସରେ ଦରବାରରେ ଯଥାରୀତି କବିତାଗାନ କାର୍ଯ୍ୟକ୍ରମ ଚାଲିଥାଏ । ପ୍ରକୃତିର ରମଣୀୟତା ଉପରେ ଆଧାରିତ ଏକ ସୁନ୍ଦର କବିତା ମୁରଲୀଧର ଗାନ କରୁଥାନ୍ତି । ଖୁବ୍ ଭାବବିହ୍ୱଳ ହୋଇ ମୁରଲୀଧର କବିତା ଗାଉଥିବା ସମୟରେ, ଅକସ୍ମାତ୍ ରାଜା କମଳଚନ୍ଦ୍ର ତାଙ୍କୁ ସେଥିରେ ବାଧା ଦେଇ କହିଲେ, “ହେ ଯୁବକବି! ଆପଣଙ୍କ ସହ ପରିଚୟ ହେବା ଦିନଠାରୁ ଆପଣଙ୍କ କବିତା ଧ୍ୟାନର ସହ ମୁଁ ଶୁଣି ଆସୁଛି । ସର୍ବଦା ପ୍ରକୃତିର ବର୍ଣ୍ଣନାକୁ ଆପଣ କବିତାରେ ପ୍ରାଧାନ୍ୟ ଦେଉଛନ୍ତି । କିନ୍ତୁ, ଶାସକ, ଯେ ହେଉଛନ୍ତି ଭଗବାନଙ୍କର ଚଳନ୍ତି ପ୍ରତିନିଧି, ଯେ ଏହି ଜୀବଜଗତ, ପ୍ରକୃତିର ସୁରକ୍ଷା ପାଇଁ ଅନେକ ଦାୟିତ୍ୱ ବହନ କରୁଛନ୍ତି, ତାଙ୍କ ବିଷୟରେ କେବେ ବି କିଛି ଉଲ୍ଲେଖ କରୁନାହାଁନ୍ତି । ପ୍ରଶଂସା କରିବା ତ ଦୂରର କଥା, ନାମ ମଧ୍ୟ ଧରୁ ନାହାଁନ୍ତି । ଆମ ରାଜବଂଶଜମାନଙ୍କ ପ୍ରତି ଆପଣଙ୍କ ଏହି ଅବିଚାରର ସପକ୍ଷରେ, କିଛି ବଳିଷ୍ଠ ଯୁକ୍ତି ଥିଲେ, ତାହା ପ୍ରକାଶ କରନ୍ତୁ ।” କମଳଚନ୍ଦ୍ରଙ୍କର ଏହି ଅତର୍କିତ ପ୍ରଶ୍ନ ମୁରଲୀନାଥଙ୍କୁ ଅବାକ୍ କରିଦେଲା । ବହୁ ପ୍ରଯତ୍ନ କରି ମଧ୍ୟ, ସେ ତାଙ୍କ ପ୍ରଶ୍ନର କୌଣସି ଉତ୍ତର ଭାବି ପାରିଲେ ନାହିଁ । ଧନ ଅର୍ଜନ ପାଇଁ ସେ ରାଜାଙ୍କର ସେବା କରୁଥାନ୍ତି । କିନ୍ତୁ ରାଜବଂଶଜମାନଙ୍କ ପ୍ରତି ତାଙ୍କ ମନରେ ଦ୍ୱେଷ ଭାବ ଥାଏ । ତାଙ୍କର ଦୃଢ ବିଶ୍ୱାସ ଯେ, ରାଜା ଯେତେ ଆଦର ପୂର୍ଣ୍ଣ, ଅମାୟିକ ବ୍ୟବହାର କଲେ ମଧ୍ୟ, ତାଙ୍କର ଅନ୍ତର ଅହଂକାର ଭରା ଅଟେ । ତାଙ୍କ ବିଚାରରେ କ୍ଷମା, ଦୟା, କରୁଣା ଏ ସବୁର ଅଧିକାର କେବଳ ଭଗବାନଙ୍କରହିଁ ଅଛି । ତେଣୁ ସେ ସର୍ବଦା ଈଶ୍ୱର ଓ ତାଙ୍କର ସୃଜନ ସୃଷ୍ଟିର ସମ୍ପଦ ରମଣୀୟ ପ୍ରକୃତିକୁ ଆଧାର କରି କବିତା ରଚନା କରିଥାନ୍ତି । ବିଚଳିତ ମୁରଲୀନାଥ ରାଜାଙ୍କ ପ୍ରଶ୍ନର ଉତ୍ତର ଦେଇ ପାରୁ ନ ଥିବା ଦେଖି ବୟୋବୃଦ୍ଧ କବି ଗଙ୍ଗାଭଟ୍ଟ ବ୍ୟଙ୍ଗଭରା, ନିମ୍ନ ସ୍ୱରରେ କହିଲେ, “ପ୍ରଭୁ, ମୁରଲୀନାଥ ଏହି ସରଳ ପ୍ରଶ୍ନର ଉତ୍ତର ଦେଇ ପାରୁ ନ ଥିବାର କାରଣ ତାଙ୍କର ରାଜବଂଶଜମାନଙ୍କ ପ୍ରତି ଉଦାସୀନତା, ଓ ଅସଦ୍ଧାରଣା ପୋଷଣ ହେତୁ ହୋଇପାରେ ।” ଗଙ୍ଗାଭଟ୍ଟଙ୍କ କଥା ଶୁଣି କମଳଚନ୍ଦ୍ରଙ୍କ ମନରେ ଭାବାନ୍ତର ସୃଷ୍ଟି ହେଲା । ସେ ତିକ୍ତ ସ୍ୱରରେ କହିଲେ, “ଯୁବକବି, ଜୀବିକାର୍ଜନ ପାଇଁ, ନିଜ ମନୋଭାବର ବିପରୀତ କରିବାର ଆବଶ୍ୟକତା ନାହିଁ । କାଲିଠାରୁ ଆପଣଙ୍କୁ ଦିନକୁ ତିନିଥର ଭୋଜନ ଓ ଅନ୍ୟ ସୁବିଧା ମାନ ଯୋଗାଇ ଦିଆଯିବ । ଆପଣ ଆରାମ୍ରେ ନିଜ ଘରେ ରହି ନିଜ ଅଭିରୁଚି ଅନୁଯାୟୀ କବିତା ରଚନାରେ ମଗ୍ନ ରହନ୍ତୁ ।” କମଳଚନ୍ଦ୍ର ଏହିପରି କହି, ଭରପୁର ସଭାରେ ମୁରଲୀନାଥଙ୍କର ଘୋର ଅପମାନ କଲେ । ଏହି ଅପମାନ ତାଙ୍କଲାଗି ଅସହ୍ୟ ଥିଲା । କିନ୍ତୁ ସେ କ’ଣ ବା ଆଉ କରିପାରିବେ? ସେଇ ମୁହୂର୍ତ୍ତରେ ମୁରଲୀନାଥ ରାଜାଙ୍କୁ ନିଜ ତରଫରୁ କୌଣସି ସ୍ପଷ୍ଟୀକରଣ ଦେଲେ ନାହିଁ । କେବଳ ନମସ୍କାର କରି, ମୁଣ୍ଡ ତଳକୁ କରି ସେ ସ୍ଥାନ ପରିତ୍ୟାଗ କଲେ । ଏହି ଘଟଣା ପରଠାରୁ ମୁରଲୀନାଥ ଖୁବ୍ ଉଦାସ ଓ ବିଷର୍ଣ୍ଣ ରହିଲେ । ରାତିରେ ତାଙ୍କୁ ନିଦ ମଧ୍ୟ ହେଉ ନ ଥାଏ । ରାଜଭବନରୁ କ୍ରମାନ୍ୱୟରେ, ତିନିଥର ଭୋଜନ ଆସୁଥାଏ । ମାତ୍ର ତାହା ତାଙ୍କୁ ବିଷସଦୃଶ ମନେ ହେଉଥାଏ । ମାନସିକ ଆଘାତ ସହିତ, ନିଦ୍ରା ଓ ଆହାର ତ୍ୟାଗ ହେତୁ, ସେ ଜଣେ ଅସୁସ୍ଥ ଲୋକ ପରି ଦେଖାଗଲେ । ତାଙ୍କର ଶରୀର କ୍ଷୀଣ ଓ ଦୁର୍ବଳ ହୋଇଗଲା । ଏହି ଅବସ୍ଥାରେ, ଦିନେ ସକାଳେ ମୁରଲୀନାଥ ଲକ୍ଷ୍ୟହୀନ ଭାବରେ ବାହାରେ ବୁଲୁଥାନ୍ତି । ଗ୍ରାମର ସୀମା ପାରି ହୋଇ କିଛି ଆଗକୁ ଆସିବା ପରେ, ସେ ଏକ ଗଛତଳେ ଥକା ମାରି ବସି ପଡିଲେ । ତାହା ଏକ ଫଳ ଉଦ୍ୟାନ ଥିଲା । ସେଠାରେ ଧୀର ଶୀତଳ ପବନ ବହୁଥାଏ । ପାଖରେ ଛୋଟ ଜଳଧାରଟିଏ ବୋହିଯାଉଥାଏ । ପ୍ରକୃତିର ଏହି ଆହ୍ଲାଦକାରୀ ପରିବେଶ, ତାଙ୍କ ମନର ଉଦ୍ବେଗକୁ ଅନେକାଂଶରେ ହ୍ରାସ କଲା । ରାଜାଙ୍କର ଅପମାନଜନକ କଥାର ଆଘାତରେ ମ୍ରିୟମାଣ ତାଙ୍କ ହୃଦୟରେ ଧୀରେ ଧୀରେ ଆତ୍ମବିଶ୍ୱାସ ସଂଚାର ହେଉଥାଏ । ତାଙ୍କ ଭିତରେ ନୂତନ ପ୍ରେରଣା ଓ ଉତ୍ସାହ ଜାଗି ଉଠୁଥିଲେ ମଧ୍ୟ, ସେ ଏହା ସ୍ଥିର କରି ପାରୁ ନ ଥାନ୍ତି ଯେ, ସେ କିପରି କମଳଚନ୍ଦ୍ରଙ୍କର ଆସ୍ଥାଭାଜନ ପୁନର୍ବାର ହୋଇପାରିବେ । ଏହି ସମୟରେ ଜଣେ ସୁନ୍ଦର ଯୁବକ ସେଠାରେ ଆସି ଉପସ୍ଥିତ ହୋଇ ମୁରଲୀନାଥଙ୍କୁ ପ୍ରଣାମ କଲା । ମୁରଲୀନାଥ ତାଙ୍କୁ ଚିହ୍ନି ନ ପାରି ପ୍ରଶ୍ନ କଲେ, “ଆପଣ କିଏ?” ତା’ପରେ ସେ ଯୁବକ ଜଣକ ହସି ହସି କହିଲେ, “ମୋର ନାମ ହେଉଛି ବିଷ୍ଣୁଭଟ୍ଟ । ଗୀତାଦେବୀଙ୍କ ଘର ନିକଟରେ ଆମ ଘର । ମୁଁ ଆପଣଙ୍କୁ ବିବାହ ସମୟରେ ଦେଖିଥିଲି । ଆପଣଙ୍କର କବି ପ୍ରତିଭା ମୋର ଆଉ ଅଗୋଚର ନାହିଁ । ଆପଣଙ୍କୁ ଏଠାରେ ଦେଖି, କବିତାଟିଏ ଶୁଣିବାର ଲୋଭ ସମ୍ବରଣ କରି ନ ପାରି ମୁଁ ଏଠାକୁ ଆସିଛି । ଦୟାକରି ଆପଣ ମୋତେ ନିରାଶ କରନ୍ତୁ ନାହିଁ ।” ମୁରଲୀନାଥ, କଣ କରିବେ କିଛି ଭାବିପାରୁ ନ ଥାନ୍ତି । ଏହା ଲକ୍ଷ୍ୟ କରି ବିଷ୍ଣୁଭଟ୍ଟ ପୁନଶ୍ଚ କହିଲେ, “ମନେ ହେଉଛି, ଆପଣ ଖୁବ୍ ବିବ୍ରତ ଓ ଚିନ୍ତିତ ରହୁଛନ୍ତି । ଏପରି କିଛି ଘଟଣା ଘଟିଛି କି, ଯାହା ଆପଣଙ୍କର ମାନସିକ ଓ ଶାରିରୀକ ଅବସ୍ଥାକୁ ଶୋଚନୀୟ କରିଛି?” ବିଷ୍ଣୁଭଟ୍ଟଙ୍କର ଏଭଳି ମଧୁର ଓ କୋମଳ କଥାରେ ମୁରଲୀନାଥ ଅତ୍ୟନ୍ତ ପ୍ରଭାବିତ ହେଲେ । ସେ ମଧ୍ୟ ତାଙ୍କ କବିତା ଶୁଣିବା ପାଇଁ ଆଗ୍ରହୀ । ତେଣୁ ସେ ସ୍ଥିର କଲେ ଯେ, ନିଜର ସବୁ ମନକଥା ତାଙ୍କୁ ସେ ଖୋଲି କହିବେ । ମୁରଲୀନାଥଙ୍କ ଠାରୁ ସବୁକଥା ଶୁଣିବା ପରେ ବିଷ୍ଣୁଭଟ୍ଟ ହସି ହସି କହିଲେ, “ଆପଣଙ୍କ ସମସ୍ୟାର ପ୍ରତିକାର ପାଇଁ ମୁଁ ଏକ ଉପାୟ ବତାଇ ପାରେ ।” ତାଙ୍କ କଥା ଶୁଣି ମୁରଲୀନାଥ ବଡ ଆତୁରତାର ସହିତ ପଚାରିଲେ, “ତାହା କ’ଣ?” “ପ୍ରଥମେ, ରାଜାଙ୍କ ପ୍ରତି ଆପଣଙ୍କର ଯେଉଁ ଦୃଷ୍ଟିକୋଣ ଅଛି, ତାହା ପରିବର୍ତ୍ତନ ହେବା ଏକାନ୍ତ ଆବଶ୍ୟକ । ଜଣେ ରାଜବଂଶରେ ଜନ୍ମ ନେବା ହେତୁ ତା’ଠାରେ ରାଜସୁଲଭ ଦର୍ପ ଅଭିମାନ ରହିବାଟା ତ ସ୍ୱାଭାବିକ । କିନ୍ତୁ ଇତିହାସରେ ଏପରି ଅନେକ ରାଜାଙ୍କର ଦୃଷ୍ଟାନ୍ତ ରହିଛି, ଯେଉଁମାନେ କି କବି, ପଣ୍ଡିତମାନଙ୍କୁ ଉଚ୍ଚାସନ ପ୍ରଦାନ କରିଛନ୍ତି । ଆପଣଙ୍କ ପରି ସରସ୍ୱତୀ ପୁତ୍ରମାନଙ୍କର ପାଦ ପ୍ରକ୍ଷାଳନ କରିଛନ୍ତି । କବି ଓ ପଣ୍ଡିତଙ୍କୁ ସାକ୍ଷାତ ଶାରଦା ରୂପରେ ଉପାସନା କରିଛନ୍ତି । ଏହି ସତ୍ୟ ତ ଆପଣଙ୍କୁ ଅଜ୍ଞାତ ନ ଥିବ ।” ବିଷ୍ଣୁଭଟ୍ଟ
ଅଶୁଭ ଗୃହ ସୂର୍ଯ୍ୟାସ୍ତ ସମୟରେ ଅରଣ୍ୟ ମାର୍ଗରେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଯାଉଥିଲେ । ମୁହଁରେ ତାଙ୍କର ଉଦାସ ଭାବ । ରହି ରହି ସେ ଚାରିଆଡକୁ ଚାହୁଁଥିଲେ; ମନକୁ ମନ କିଛି କଥା ମଧ୍ୟ ସେ କହୁଥାନ୍ତି । ହଠାତ୍ ଜଣେ ବୁଢା ଉଚ୍ଚ ସ୍ୱରରେ କାନ୍ଦି କାନ୍ଦି ଆସି ତାଙ୍କ ନିକଟରେ ପହଁଚିଲା । ବ୍ୟକ୍ତି ଜଣକ ବୁଢାକୁ ପଚାରିଲେ, “କାନ୍ଦୁଛ କାହିଁକି?” ବୁଢା କହିଲା, “ମୋ ଦୁଃଖ ବିଷୟ ଜାଣି ତୁମର କ’ଣ ବା ଲାଭ ହେବ? ତୁମେ କ’ଣ ତାହା ଦୂର କରି ପାରିବ?” ବ୍ୟକ୍ତିଜଣକ କହିଲେ “ମଣିଷ ହସିଲେ କେହି କାରଣ ପଚାରେ ନାହିଁ; କିନ୍ତୁ କାନ୍ଦିଲେ ସମସ୍ତେ ପଚାରନ୍ତି; ତେଣୁ ମୁଁ ପଚାରିଲି ।” ଏଥର ବୁଢା କହିଲା, “ମୋଠାରୁ କେତେ କମ୍ ବୟସ ତୁମର; କିନ୍ତୁ କଥା କହୁଛ ଏକ ଜ୍ଞାନୀ ପରି, ତେବେ ଶୁଣ; ଜ୍ୟୋତିଷ ମହେଶ ପଣ୍ଡା କହିଛନ୍ତି ମୋର ଜୀବନକାଳ ଆଉ ମାତ୍ର ଛଅବର୍ଷ । କିନ୍ତୁ ଅନ୍ୟ କେତେକ ଲୋକ କହୁଛନ୍ତି ମୁଁ ମାସେରୁ ଆଉ ଅଧିକ ବଂଚିବି ନାହିଁ କାରଣ ମୁଁ ଏକ ଅଶୁଭଗୃହରେ ପାଦ ଦେଇଛି ।” ଯାତ୍ରୀ କହିଲେ “ଅଶୁଭ ଗୃହ? ସିଏ ପୁଣି କ’ଣ? ଅନ୍ଧାର ମାଡି ଆସିଲାଣି । କେଉଁଠି ନା କେଉଁଠି ତ ଆଶ୍ରୟ ନେବାକୁ ପଡିବ । ଭୟଙ୍କର ପଶୁଜନ୍ତୁଙ୍କ ଠାରୁ ନିଜକୁ ରକ୍ଷା କରିବାକୁ ହେବ । ବରଂ ଚାଲ ମୁଁ ସେହି ଅଶୁଭ ଗୃହରେ ରହିବି । ମୋ ପାଇଁ ହୁଏତ ତାହା ଶୁଭ ହୋଇପାରେ ।” “ଆହୁରି କିଛି ଦୂର ଆଗକୁ ଯାଅ । ବାମପଟ ରାସ୍ତାରେ ଗଲେ ଅଶୁଭଗୃହ ଦେଖିବ ।” ଏତିକି କହି ବୁଢା ସେଠାରୁ ଚାଲିଗଲା । ବ୍ୟକ୍ତିଜଣକ ଧୀରେ ଧୀରେ ସେହି ଆଡକୁ ଆଗେଇଲେ ଓ ଶେଷରେ ସେ ସେହି ଅଶୁଭ ଗୃହରେ ଯାଇ ପହଁଚିଲେ । ସେ ଦେଖିଲେ ଯେ ଉଚ୍ଚ ସବୁଜ ବୃକ୍ଷରାଜିର ପଶ୍ଚାତରେ ସୁନ୍ଦର ଘରଟିଏ, ଅବଶ୍ୟ ତାହା ପୁରୁଣା । ସେ ଭାବିଲେ ରାତ୍ରିଟି ସେହିଠାରେ କଟାଇବେ । ତେଣୁ ପାଖକୁ ଯାଇ ବନ୍ଦ ଥିବା କବାଟରେ କରାଘାତ କଲେ । କିଛି ସମୟ ପରେ ଜଣେ ବାମନ ଆସି ଘର ଖୋଲିଲା । ଯାତ୍ରୀଜଣକ ପଚାରିଲେ, “ମୁଁ ଏଠାରେ ରାତିଟି ରହିପାରେ କି?” ଏହା ଶୁଣି ବାମନ କହିଲା, “ନିଶ୍ଚୟ, ଯାତ୍ରୀମାନଙ୍କର ସୁବିଧା ପାଇଁ ତ ଏହି ଜଙ୍ଗଲରେ ମୁଁ ଏତେ ବଡ ଘର ବନାଇଛି ।” ଯାତ୍ରୀ ଘରଭିତରକୁ ଯାଇ ଦେଖିଲେ ସେଠାରେ ଚାରିଜଣ ବାମନ ଦୀପସବୁ ନେଇ ଝରକା ପାଖରେ ରଖୁଛନ୍ତି । ମାତ୍ର ସେହି ଦୀପଗୁଡିକରେ ତେଲ ନଥାଏ । ସେଥିରେ ମୂଲ୍ୟବାନ୍ ମଣିସବୁ ରଖା ହୋଇଥାଏ; ସେହି ମଣିଗୁଡିକରୁ ତେଜ ବାହାରୁ ଥାଏ । ଯାତ୍ରୀ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ, “ବଡ ଆଶ୍ଚର୍ଯ୍ୟ କଥା ତ? ମନରେ ବିଶ୍ୱାସ ହେଉ ନାହିଁ ଯେ ମୁଁ ଏସବୁ ଯାହା ଦେଖୁଛି ତାହା ସତ୍ୟ ନା ସ୍ୱପ୍ନ?” “ଜୀବନ ତ ବିଚିତ୍ର; ସେଥିରେ ମଧ୍ୟ ଆହୁରି ଏକ ବଡ ଆଶ୍ଚର୍ଯ୍ୟ ।” ଏତିକି କହି କେହି ଜଣେ ବାମନ ହସିଲା ଓ ପୁଣି କହିଲା, “ଯେତେ ପର୍ଯ୍ୟନ୍ତ ତୁମେ ଏଠାରେ ରହିବାକୁ ଚାହଁ ଖୁସିରେ ରୁହ; କିନ୍ତୁ ଆମକୁ କୌଣସି ପ୍ରଶ୍ନ ପଚାରିବ ନାହିଁ । ପ୍ରଥମ ଘରେ ଯେଉଁ ସ୍ୱର୍ଣ୍ଣକବାଟ ଅଛି ତାକୁ ଆଦୌ ଖୋଲିବ ନାହିଁ ।” ଯାତ୍ରୀ ପଚାରିଲେ “କେବେ ମଧ୍ୟ ଖୋଲିବ ନାହିଁ । ତେବେ ଏତିକି କୁହ ଯେ ଏ ଘରର ମାଲିକ କିଏ?” ତା’ପରେ ସେ ବାମନଟି କହିଲା “ପ୍ରଥମରୁ କହିଛି ନା ପ୍ରଶ୍ନ ପଚାରିବ ନାହିଁ । ଏବେ ମୋ ସହିତ ଆସ ।” ଯାତ୍ରୀଜଣକ ସ୍ନାନ କରିବାକୁ ଚାହୁଁଥିଲେ । ତତ୍କ୍ଷଣାତ୍ ଅତର ଗୋଲାପ ପାଖୁଡା ମିଶ୍ରିତ ପାଣିର ବନ୍ଦୋବସ୍ତ ହୋଇଗଲା । ସ୍ନାନ କରି ସାରିବା ପରେ ସେ ଯାତ୍ରୀଙ୍କୁ ବହୁତ ଭୋକ ଲାଗିଲା । ଭିତରେ ଏକ ବିରାଟ କକ୍ଷରେ ଏକ ବିରାଟ ମେଜ ଥିଲା । ତା’ ଉପରେ ଅନେକ ଖାଦ୍ୟପୂର୍ଣ୍ଣ ପାତ୍ର ଢଙ୍କା ହୋଇଥିଲା । ଯାତ୍ରୀ ଯାହା ଚାହିଁଲେ ସେ ତାହା ଖାଇବାକୁ ବାଢିଦେଲା । ସେ ବାମନକୁ ବହୁତ ପ୍ରଶ୍ନ ପଚାରିବାକୁ ଚାହୁଁଥିଲେ । କିନ୍ତୁ ବାମନ ମୁହଁରେ ହାତ ରଖି ନୀରବ ରହିବାକୁ ନିର୍ଦ୍ଧେଶ ଦେଲା ଓ ନିଜେ ମଧ୍ୟ ଚୁପ୍ ରହିଲା । ତା’ପରେ ଅନ୍ୟ ଏକ ବଡ କକ୍ଷରେ ଶୋଇବା ପାଇଁ ବନ୍ଦୋବସ୍ତ କରାଗଲା । ଖଟ ଉପରେ ଖୁବ୍ କୋମଳ ଶଯ୍ୟା ଥିଲା । ଜଣେ ବାମନ ଝରକାରେ ଥିବା ରେଶମୀ ପର୍ଦ୍ଦାକୁ ଖୋଲିଦେଲା । ପୁଷ୍ପର ସୁଗନ୍ଧରେ ଭରା ପବନ ସୁଲୁ ସୁଲୁ ହୋଇ ପଶି ଆସିଲା । ବାହାରେ ଜ୍ୟୋସ୍ନାରାତି । ଇନ୍ଦ୍ରଭବନ ପରି ଏହି ଘରକୁ, ସେହି ବୁଢାଟା କାନ୍ଦି କାନ୍ଦି ଆସି କ’ଣ କହୁଛି ନା ଅଶୁଭ ଗୃହ । ଯାତ୍ରୀ ଏ ବିଷୟରେ ବହୁତ ଚିନ୍ତା କଲେ କିନ୍ତୁ ଆଦୌ କିଛି ବି ବୁଝି ପାରିଲେ ନାହିଁ । କ୍ରମେ ତାଙ୍କ ମନ ମଧ୍ୟରେ ନାନା ପ୍ରକାର ଚିନ୍ତା ଆସିଲା, ତାଙ୍କୁ ସବୁ କିଛି କୁହୁକ ପରି ଲାଗିଲା । କିନ୍ତୁ ତାଙ୍କର କୌତୁହଳୀ ମନ ଚୁପ୍ ରହି ପାରିଲା ନାହିଁ । ସେବିଷୟରେ କିଛି ଗୋଟାଏ ଖବର ନେବା ପାଇଁ ସେ ମନ ମଧ୍ୟରେ ସ୍ଥିର କଲେ । ରାତିରେ ସେ ସବୁ କିଛି ଭାବିଚିନ୍ତି ଯୋଜନା କରି ରଖିଲେ । ସେ ସ୍ଥିର କଲେ ଯେମିତି ହେଲେ, ବାମନ ମନା କରିଥିବା ଘରକୁ ସେ ଯିବେ ଓ ଦେଖିବେ ସେଥିରେ କ’ଣ ଅଛି । ଏହିପରି ଭାବୁ ଭାବୁ ସେ ଶୋଇଗଲେ । ସକାଳ ହେବା ପରେ ତାଙ୍କ ସ୍ନାନ ଓ ଭୋଜନ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ ହୋଇଥାଏ । ସେ ଦିନଟି ଆନନ୍ଦରେ ସେ ରହିଲେ ଓ ଗୃହର ଷୋଳଟି କକ୍ଷ ବୁଲି ଦେଖିଲେ । ତା’ପରେ ସେ ଘରର ଉପର ମହଲାକୁ ଗଲେ; ସେଠାରେ ଗୋଟିଏ ମାତ୍ର ଘର ଥାଏ । ସୁନାର ସେହି ଘର ଝଟକୁଥାଏ । କକ୍ଷଟିର କବାଟ ଅତି ଚମତ୍କାର ଥିଲା । ଯାତ୍ରୀ ଭାବିଲେ ଭିତରପଟେ କାଳେ ଅଧିକ ଅଦ୍ଭୁତ କିଛି ଥିବ । କିନ୍ତୁ ବାମନ ସେହି କବାଟ ନ ଖୋଲିବାକୁ କହିଥିଲା । କିନ୍ତୁ ଯାତ୍ରୀ ଭାବିଲେ ଏହି ଘରର କବାଟ ନ ଖୋଲିଲେ ରାତିରେ ତ ତାଙ୍କୁ କେବେବି ନିଦ ଆସିବ ନାହିଁ । ତେଣୁ ସେ ଧୀରେ ଧୀରେ କବାଟ ଖୋଲିଲେ । ତାଙ୍କ ଆଖି ଝଲସି ଗଲା । ସେ ଘରର ଚଟାଣ ଶଙ୍ଖ ମଲମଲ ପଥରରେ ହୋଇଥିଲା । ତା’ର କାନ୍ଥ ସବୁ ସୁନାପାତରେ ଢଙ୍କା ହୋଇଥିଲା । ସେଥିରେ ପୁଣି କେଉଁଠି କେଉଁଠି ବା ହୀରାମୋତିର କାରୁକାର୍ଯ୍ୟ ବି ହୋଇଥିଲା । ସେହି ଘର ଭିତରେ ତଳ ଘରକୁ ଯିବା ପାଇଁ ସିଡି ଥିଲା । ଯାତ୍ରୀ ପଡିଯିବା ଭୟରେ ବଡ ସାବଧାନତାର ସହିତ ତଳକୁ ଓହ୍ଲାଇଲେ । ହଠାତ୍ ବଡ କାଉଟାଏ କାହୁଁ ଆସି ତାଙ୍କ ମୁଣ୍ଡକୁ ଖୁମ୍ପିବାକୁ ଲାଗିଲା, ବିଲେଇଟାଏ ଶବ୍ଦ କରି ଆସି ତାଙ୍କ ଛାତି ଉପରକୁ କୁଦି ପଡିଲା । ଏତେ ଜୋର୍ରେ ବିଲେଇଟା ଚିତ୍କାର କଲା ଯେ ଯେପରି ତାଙ୍କ କାନ ଫାଟିଯିବ । ଗୋଟାଏ ଚେମଣିଆ ତାଙ୍କ ମଥା ଉପରେ ତିନିଥର ଉଡିଲା । ଏସବୁ ଦେଖି ସେ ଭୟରେ ଥରିଲେ । ସେ ସେଠାରୁ ବାହାରି ଆସିବାକୁ ପଛପଟକୁ ଘୂରିବା ମାତ୍ରେ ଏକ ଭୟଙ୍କର ସ୍ୱର କହିଲା, “ମୂର୍ଖ, ଠିକ୍ କୋଡିଏ ବର୍ଷ ପରେ ଆଜିର ଦିନରେହିଁ ତୋର ମୃତ୍ୟୁ ନିଶ୍ଚିତ ।” ଏକଥା ଶୁଣି ସେ ଯାତ୍ରୀ ଜଣକ ଭାରି ଖୁସି ହେଲେ ଓ ନିଜ କକ୍ଷକୁ ଫେରି ଆସିଲେ । ସେଠାରେ ପାଂଚଜଣ ବାମନ ଫୁସ୍ ଫାସ୍ ହୋଇ କ’ଣ କଥାବାର୍ତ୍ତା ହେଉଥିଲେ । ଯାତ୍ରୀ ପଚାରିଲେ, “ସମସ୍ତେ ଏଠାରେ ଏକତ୍ର କାହିଁକି ହୋଇଛ?” ଜଣେ ବାମନ କହିଲା, “ତୁମେ ମୃତ୍ୟୁର ଦିନ ଜାଣି କରି ମଧ୍ୟ ହସୁଛ, ଏହା ତ ବଡ ଆଶ୍ଚର୍ଯ୍ୟ କଥା?” ଯାତ୍ରୀ କହିଲେ “ମୁଁ କାହିଁକି କାନ୍ଦିବି? ମୋର ମୃତ୍ୟୁ ସମୟ ଜାଣି କରି ମୁଁ ତ ବହୁତ ଖୁସି ।” “ବହୁତ ଦିନ ପରେ ଆମେ ତୁମ ପରି ଜଣେ ବ୍ୟକ୍ତି ଦେଖିଲୁ । ଏକଥା ତୁରନ୍ତ ଆମେ ଆମ ମୁଖିଆଙ୍କୁ ଯାଇ କହିବୁ । ମନେ ହେଉଛି ଭବିଷ୍ୟତରେ ଏହି ଅଶୁଭଗୃହରେ ଆମର ଆଉ କିଛି ବି କାମ ନାହିଁ ।” ଏକଥା କହୁ କହୁ ବାମନମାନେ ସେଠାରୁ କୁଆଡେ ଅଦୃଶ୍ୟ ହେଲେ । ତା’ର ଠିକ୍ ପର ମୁହୂର୍ତ୍ତରେ ସେ ଅଶୁଭଗୃହ ମଧ୍ୟ କୁଆଡେ ଉଭେଇଗଲା । ଏବେ ଯାତ୍ରୀଜଣକ ଦେଖିଲେ ସେ ଗୋଟିଏ ଗଛ ତଳେ ଠିଆ ହୋଇଛନ୍ତି । ସେ ଖୁସିରେ ମନକୁ ମନ କହିଲେ,