ଦୂରଦୃଷ୍ଟି ହରିପୁର ଗ୍ରାମରେ ନାଗେଶ୍ୱର ନାମକ ଜଣେ ସାଧାରଣ ପରିବାରର ଲୋକ ରହୁଥିଲେ । ତାଙ୍କର ପତ୍ନୀ ଓ ଦୁଇଟି ସନ୍ତାନ ଥିଲେ । ଏକମାତ୍ର ଭଉଣୀର ବିବାହ ସୁଗନ୍ଧପୁର ନିବାସୀ ବର୍ଦ୍ଧନଙ୍କ ସହିତ ହୋଇ ସାରିଥାଏ । ତେଣୁ ସେ ତା’ ଶ୍ୱଶୁର ଘରେ ଥାଏ । ବର୍ଦ୍ଧନ ମଧ୍ୟ ସାଧାରଣ ପରିବାରର ଅଟନ୍ତି । କିଛି ଦିନ ପରେ ବର୍ଦ୍ଧନ ହୃଦରୋଗରେ ପୀଡିତ ହେଲେ । ଏଭଳି ପରିସ୍ଥିତିରେ ନାଗେଶ୍ୱରଙ୍କ ପତ୍ନୀ ନିଜ ପତିଙ୍କୁ ଅନୁରୋଧ କରି ବର୍ଦ୍ଧନ ଓ ତାଙ୍କ ପତ୍ନୀ ସମେତ ପୁରା ପରିବାରକୁ ନିଜ ଘରକୁ ଡକାଇ ଆଣିଲେ । ଭଲ ଡାକ୍ତରଙ୍କୁ ଦେଖାଇ ତାର ଚିକିତ୍ସା କରାଇଲେ । ରୋଗୀର ସେବାଯତ୍ନରେ ଆଦୌ ଟିକେବି ହେଳା କଲେ ନାହିଁ । ଦେଖୁ ଦେଖୁ ବର୍ଦ୍ଧନ ତିନିମାସ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଉଠିଲେ । ବର୍ଦ୍ଧନ ଓ ତାଙ୍କ ପତ୍ନୀ ନାଗେଶ୍ୱର ଓ ତାଙ୍କ ପତ୍ନୀଙ୍କୁ ଗଦ୍ଗଦ୍ କଣ୍ଠରେ କୃତଜ୍ଞତା ଜଣାଇ ସପରିବାରେ ନିଜ ଗ୍ରାମକୁ ଫେରିଗଲେ । ଦିନେ ନାଗେଶ୍ୱର ତାଙ୍କ ପତ୍ନୀ ସାବିତ୍ରୀଙ୍କୁ କହିଲେ, “ନିଜର ନଣନ୍ଦ ଓ ତା’ର ପରିବାରକୁ ଏତେ ଦୟା ଓ ଆଦର ଭାବ ଦେଖାଉଥିବା ମହିଳା ମୁଁ ଆଜିଯାଏଁ କୋଉଠି ହେଲେବି ଦେଖି ନାହିଁ । ତୁମେ ନିଜର ଭାଇଠାରୁ ବଳି ଅଧିକ ସେବା ବର୍ଦ୍ଧନକୁ କରି ତା’କୁ ଆରୋଗ୍ୟ କରାଇଲ । ତୁମର ଏପରି ଦୟାଗୁଣ ମୋ ମନରେ ଅନେକ ଗର୍ବ ଓ ଆନନ୍ଦ ଆଣି ଦେଉଛି ।” ପତିଙ୍କ କଥାରେ ସାବିତ୍ରୀ ହସରେ ଫାଟି ପଡି କହିଲେ, “ତୁମେ କେବଳ ମୋ ଠାରେ ଦୟାଗୁଣ ଦେଖି ପାରିଲ । କିନ୍ତୁ ମୋର ଚିନ୍ତାଧାରା କେତେ ଯେ ଦୂରଦୃଷ୍ଟି ସମ୍ପନ୍ନ, ତାହା ତୁମେ ଜାଣି ପାରିଲ ନାହିଁ ।” ନାଗେଶ୍ୱର ଏଥିରୁ କିଛି ବୁଝି ନ ପାରି ବୋକାଙ୍କ ପରି ଚାହିଁ ରହିଲେ । ସାବିତ୍ରୀ ବିସ୍ତାର ପୂର୍ବକ କହିଲା “ବୁଝିଲ, ତମର ଭଉଣୀ ସୌଭାଗ୍ୟବତୀ ରୁହନ୍ତୁ, ଏହା ହିଁ ମୋର ଇଚ୍ଛା । ଜଣେ ସାଧାରଣ ପରିବାରର ଝିଅ ପତିଙ୍କୁ ହରାଇଲେ, ପରିବାର ସହିତ ବାପା ଘରେ ଆସି ସେ ଆଶ୍ରୟ ନେବ । ଏହା ବ୍ୟତୀତ ତା’ର ଆଉ କୌଣସି ଚାରା ନାହିଁ । ତୁମ ଭିଣୋଇଙ୍କର କିଛି ହାନିଲାଭ ହୋଇଥିଲେ, ଭଉଣୀର ପରିବାରର ବୋଝ ଆମ ଉପରେ ହିଁ ପଡି ଥାଆନ୍ତି । ଏହି କଥା ଭାବି ମୁଁ ତୁମର ଭିଣୋଇଙ୍କୁ ଡକାଇ ଉତ୍ତମ ଚିକିତ୍ସାର ସମସ୍ତ ପ୍ରକାର ବନ୍ଦୋବସ୍ତ କରାଇଲି । ଏହା ହିଁ ମୋର ଦୂରଦୃଷ୍ଟି, ନୁହେଁ ତ ଆଉ କ’ଣ?”
ଯଥା ରାଜା ତଥା ପ୍ରଜା ଅନେକ କାଳ ତଳର କଥା । ବିଜୟଗଡ ରାଜ୍ୟ ବ୍ୟାପି ଅରାଜକତା ବ୍ୟାପିଥାଏ । ଦେଶରେ ଯେତିକି ଚୋରି, ଗୁଣ୍ଡାମି ବଢିଥାଏ, ଜନସାଧାରଣ ବି ସେତିକି ମାତ୍ରାରେ ବିଶୃଙ୍ଖଳ ବ୍ୟବହାର କରୁଥାନ୍ତି । ଯଦି ଚୋରଟିଏ ଧରା ପଡିଗଲା, ତେବେ ତାକୁ ସିପାହୀମାନଙ୍କ ଜିମା ନଦେଇ ନିଜେ ନିଜେ ଛେଚି ଦେଉଥାନ୍ତି । ବିଚାରାଳୟରୁ କୌଣସି ବିଷୟରେ କୌଣସି ନିଷ୍ପତି ଘୋଷଣା କରାଗଲେ ମଧ୍ୟ ତାକୁ ଲୋକେ ପ୍ରାୟ ମାନୁ ନଥାନ୍ତି । ଏଣେ ଜିନିଷପତ୍ରର ଦରଦାମ ଯେ ଖାଲି ବଢି ଚାଲିଥାଏ, ସେତିକି ନୁହେଁ, ବେପାରୀମାନେ ଭେଜାଲ୍ ଜିନିଷ ଛଡା ଭଲ ଜିନିଷ ବିକିବା ପ୍ରାୟ ଛାଡି ଦେଇଥାନ୍ତି । ବିଜୟଗଡର ରାଜା ବୀରଭଦ୍ର ଏଥି ପାଇଁ ବଡ ଚିନ୍ତିତ ହୋଇ ରହିଥାନ୍ତି । ବିଜୟଗଡର ପଡୋଶୀ ରାଜ୍ୟ ପ୍ରତାପ ନଗରର ଅବସ୍ଥା କିନ୍ତୁ ପୁରା ବିପରୀତ । ସେ ରାଜ୍ୟରେ କୌଣସି ବିଶୃଙ୍ଖଳା ନଥାଏ । ଲୋକେ ସୁଖ ଶାନ୍ତିରେ ଜୀବନ ଯାପନ କରୁଥାନ୍ତି । ରାଜ୍ୟର ସମୃଦ୍ଧି ମଧ୍ୟ ବଢି ଚାଲିଥାଏ । ପ୍ରତାପନଗରୀରେ ଏହା କିପରି ସମ୍ଭବପର ହୋଇଛି, ଏକଥା ପ୍ରତ୍ୟକ୍ଷ ଭାବରେ ଜାଣିବା ନିମନ୍ତେ ବିଜୟଗଡର ରାଜା ବୀରଭଦ୍ର ଯାଇ ସେ ରାଜ୍ୟରେ ପହଁଚିଲେ । ପ୍ରତାପନଗରର ରାଜା ଶଙ୍ଖସେନ ବୀରଭଦ୍ରଙ୍କୁ ସ୍ୱାଗତ ଜଣାଇଲେ । ରାଜା ବୀରଭଦ୍ର ଏକାନ୍ତରେ ଶଙ୍ଖସେନଙ୍କୁ ପଚାରିଲେ, “ବନ୍ଧୁ! ତମ ରାଜ୍ୟରେ ସବୁ କଥା ଏପରି ସୁରୁଖୁରୁରେ କିପରି ଚାଲିଛି? ଏହାର ରହସ୍ୟ କ’ଣ?” ଶଙ୍ଖସେନ କହିଲେ “ଏହାର ପ୍ରକୃତ ରହସ୍ୟ ହେଲା ମୋ ପ୍ରଜାମାନେ ବଡ ମହତ୍ । ସେମାନେ ସାଧୁ ଭାବରେ ଜୀବନ ଯାପନ କରିବାକୁ ବେଶି ଭଲ ପାଆନ୍ତି । ପରସ୍ପର ସୁଖ ଦୁଃଖରେ ଭାଗୀ ହୁଅନ୍ତି ।” ରାଜା ବୀରଭଦ୍ର କହିଲେ “ଏ ରାଜ୍ୟର ପ୍ରଜାମାନଙ୍କ ସହ ମିଶିବାକୁ ମୋର ଭାରି ଇଚ୍ଛା ହେଉଛି ।” “ସେଥିରେ ଅସୁବିଧା କ’ଣ? ଚାଲ, ଦୁହେଁ ଛଦ୍ମବେଶରେ ବାହାରି ଯିବା ।” ଏହିଭଳି ଭାବେ ଶଙ୍ଖସେନ ପ୍ରସ୍ତାବଦେଲେ । ସେହି ସିଦ୍ଧାନ୍ତ ଅନୁସାରେ ସେ ଦୁଇ ରାଜା ଛଦ୍ମବେଶରେ ପରଦିନ ରାଜ୍ୟ ଭ୍ରମଣରେ ବାହାରି ପଡିଲେ । କିନ୍ତୁ ଅସୁବିଧା ହେଲା, ଶଙ୍ଖସେନଙ୍କ ଛଦ୍ମବେଶ ଧାରଣ କରିବା ସତ୍ତ୍ୱେ ମଧ୍ୟ ଅଧିକାଂଶ ସ୍ଥାନରେ ପ୍ରଜାମାନେ ତାଙ୍କୁ ଚିହ୍ନି ପକାଇଲେ ଓ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଲେ । ବୀରଭଦ୍ରଙ୍କୁ ଅବଶ୍ୟ କେହି ଚିହ୍ନିବାର ପ୍ରଶ୍ନହିଁ ଉଠୁ ନଥିଲା । ରାଜା ଶଙ୍ଖସେନ ଯଦି କୌଣସି ଦୋକାନରୁ କିଛି ଜିନିଷ କିଣିବାକୁ ମନକଲେ, ତେବେ ଦୋକାନୀ ସଙ୍ଗେ ସଙ୍ଗେ ସେ ଜିନିଷ ନଅରକୁ ପଠାଇବାର ବ୍ୟବସ୍ଥା କରୁଥାଏ, କିନ୍ତୁ ରାଜା କୌଣସି ମତେ ତାକୁ ଦାମ୍ ନେବାକୁ ସମ୍ମତ କରାଇ ପାରୁ ନଥାନ୍ତି । “ମହାରାଜ! ରାଜା ପ୍ରଜାଙ୍କ ଭିତରେ ବେପାର ଚାଲି ନ ପାରେ । ଆମେ ଆପଣଙ୍କୁ କୌଣସି ଜିନିଷ ଭେଟି ଦେବାର ସୁଯୋଗ ପାଇଲେ ଧନ୍ୟ ମନେ କରୁ!” ରାଜା ବୀରଭଦ୍ର ପ୍ରତାପନଗରର ପ୍ରଜାମାନଙ୍କର ସୌଜନ୍ୟ ଓ ରାଜଭକ୍ତି ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ବିଦାୟ ନେବା ପୂର୍ବରୁ ସେ ରାଜା ଶଙ୍ଖସେନଙ୍କୁ କହିଲେ, “ଆପଣଙ୍କ ପ୍ରଜାମାନେ ବାସ୍ତବିକ ମହତ୍ ।” ନିଜ ରାଜ୍ୟକୁ ଫେରି ଆସି ସେ ଛଦ୍ମବେଶ ପକାଇ ରାଜ୍ୟ ବୁଲି ଦେଖିବାକୁ ବାହାରିଲେ । କୌଣସି ଗୋଟାଏ ସ୍ଥାନରେ ବି ଲୋକେ ତାଙ୍କୁ ମୋଟେ ଚିହ୍ନିପାରିଲେ ନାହିଁ । ସେ ଗୋଟାଏ ଦୋକାନରୁ କିଛି ଜିନିଷ କିଣିବାକୁ ଚାହିଁବାରୁ ଦୋକାନୀ ଚଢା ଦାମ୍ ବତାଇଲା । ସେ କହିଲେ, “ଯଦି ରାଜା ଏ ଜିନିଷଟି ପସନ୍ଦ କରି ନଅରକୁ ନେବାକୁ ମନ କରନ୍ତେ, ତେବେ?” ଦୋକାନୀ ବେପରୁଆ ରୀତିରେ ଜବାବ୍ ଦେଲା, “ତେବେ ମୁଁ ତ ଏହାର ଦୁଇଗୁଣ ଦାମ୍ କହନ୍ତି!” ରାଜା ବୀରଭଦ୍ର ହତାଶ ହୋଇ ନଅରକୁ ଲେଉଟି ଆସିଲେ । ମନ୍ତ୍ରୀଙ୍କୁ ଡକାଇ ସେ କହିଲେ, “ପ୍ରତାପନଗରର ପ୍ରଜାମାନେ ଏଡେ ଭଦ୍ର ଓ ମହତ୍ । ହେଲେ ଆମ ପ୍ରଜାମାନେ ସେପରି ମୋଟେ ନୁହଁନ୍ତି । ଏହାର କାରଣ କ’ଣ?” ମନ୍ତ୍ରୀ ଟିକିଏ ଚିନ୍ତା କରି କହିଲେ, “ମହାରାଜ! ଆମ ପ୍ରଜାମାନଙ୍କ ଭିତରୁ ଶହେ ସରିକି ଦାୟିତ୍ୱବାନ୍ ପ୍ରଜା ବାଛି ସେମାନଙ୍କୁ କିଛିଦିନ ସକାଶେ ପ୍ରତାପନଗରର ଭିନ୍ନ ଭିନ୍ନ ସ୍ଥାନରେ ବୁଲି ଲୋକମାନଙ୍କ ସମ୍ପର୍କରେ ଆସିବାର ସୁଯୋଗ ଦିଆଯାଉ । ସେମାନେ ପ୍ରତାପନଗରର ପ୍ରଜାମାନଙ୍କ ବ୍ୟବହାର ଦ୍ୱାରା ନିଶ୍ଚୟ ପ୍ରଭାବିତ ହେବେ ।” ରାଜା ଏ ପ୍ରସ୍ତାବ ଗ୍ରହଣ କରି ଶହେ ଲୋକ ବାଛି ପ୍ରତାପନଗର ପଠାଇଲେ । ତିନିମାସ ପରେ ସେମାନେ ସେଠାରୁ ଲେଉଟି ଆସିଲେ । ସେମାନଙ୍କ ମୁଖପାତ୍ରଙ୍କୁ ରାଜା ପଚାରିଲେ, “କ’ଣ ଦେଖିଲ? ପ୍ରତାପନଗରର ଲୋକେ ସାଧୁ ଓ ଶୃଙ୍ଖଳିତ, ଅଥଚ ଆମ ଲୋକେ କାହିଁକି ସେପରି ନୁହଁନ୍ତି?” ମୁଖପାତ୍ର କହିଲେ, “ଛାମୁ! ମୁଁ ଯଦି ସତ କହିବି, ତେବେ ଆପଣଙ୍କର ଓ ବହୁ ବଡ ବଡ ରାଜକର୍ମଚାରୀଙ୍କର ଅପ୍ରିୟ ହେବି । ଏମିତିକି ମୋ ଜୀବନ ଉପରେ ବିପଦ ବି ଆସିପାରେ ।” ରାଜା କହିଲେ “ସେଭଳି ଆଶଙ୍କା କରନାହିଁ । ମୁଁ ତୁମକୁ ଅଭୟ ଦେଉଛି ।” ମୁଖପାତ୍ର କହିଲେ “ମହାରାଜ! ତେବେ ଶୁଣନ୍ତୁ । ପ୍ରତାପନଗରର ରାଜା ଓ ତାଙ୍କ ମୁଖ୍ୟ କର୍ମଚାରୀମାନେ ବଡ ମହତ୍ ଓ ସାଧୁ ।” ରାଜା ବିରକ୍ତ ହୋଇ କହିଲେ, “ପାଗଳ! ଖୋଦ୍ ରାଜା ଶଙ୍ଖସେନ ମୋତେ କହିଛନ୍ତି କି ତାଙ୍କ ପ୍ରଜାମାନେ ମହତ୍!” ମୁଖପାତ୍ର କହିଲେ “ମହାରାଜ! ତାହାହିଁ ତ ତାଙ୍କ ମହତ୍ୱର ପ୍ରମାଣ । ସେ ଏଡେ ବିନୟୀ ଯେ ରାଜ୍ୟର ଶୃଙ୍ଖଳା ଓ ସମୃଦ୍ଧି ପାଇଁ ସେ ବାହାଦୁରୀ ନେବାକୁ ଚାହାଁନ୍ତି ନାହିଁ । ତାଙ୍କର ସେ ବିନୟ ଗୁଣ ଦ୍ୱାରା ପ୍ରଜାମାନେ ଅନୁପ୍ରାଣିତ । ସେମାନେ ସବୁ ଭଲ କଥା ପାଇଁ ରାଜାଙ୍କ ପ୍ରଶଂସା କରୁଛନ୍ତି ।” ରାଜା ପଚାରିଲେ “ତେବେ ମୁଁ କ’ଣ ଅସାଧୁ?” “ମହାରାଜ! ଆପଣ ତ ଅତ୍ୟନ୍ତ ସାଧୁ । କିନ୍ତୁ ଆପଣ ରାଜକାର୍ଯ୍ୟରେ ବିଶେଷ ସହଯୋଗୀ ନୁହଁନ୍ତି । ଫଳରେ ଆପଣଙ୍କର ଅଧିକାଂଶ କର୍ମଚାରୀ ଅସାଧୁ ହୋଇ ଯାଇଛନ୍ତି । ପ୍ରଜାମାନଙ୍କ ସହ ଆପଣଙ୍କର ତ ସିଧାସଳଖ ସମ୍ପର୍କ ନାହିଁ, ମାତ୍ର ସେମାନଙ୍କର ତାହା ଅଛି । ସେମାନଙ୍କ ଆଚାର ବ୍ୟବହାର, ମତ୍ଲବ୍, ସ୍ୱାର୍ଥପରତା ଦ୍ୱାରା ପ୍ରଜାମାନେ ବେଶ୍ ପ୍ରଭାବିତ । ରାଜା ଶଙ୍ଖସେନଙ୍କୁ ଧୋକା ଦେଇ କୌଣସି କର୍ମଚାରୀ କିଛିବି ଅସାଧୁ କାମ କରିବାକୁ ଅକ୍ଷମ ।” ରାଜା ବୀରଭଦ୍ର କ୍ଷୋଭ କରି କହିଲେ “ତମେ ଯାହା କୁହ ପଛେ, ପ୍ରତାପନଗରର ପ୍ରଜାମାନେ ବଡ ବୁଦ୍ଧିମାନ୍ । ଗୋଟାଏ ଉଦାହରଣ ଦେଖ । ଶଙ୍ଖସେନ ଛଦ୍ମବେଶରେ ବୁଲିଲେ ବି ଅଧିକାଂଶ ସ୍ଥାନରେ ପ୍ରଜାମାନେ ତାଙ୍କୁ ଚିହ୍ନି ପକାଇଲେ । ମୋ ରାଜ୍ୟରେ ମୁଁ ଛଦ୍ମବେଶ ପକାଇ ବୁଲିଲି । କେହି ହେଲେ ଜଣେ ବି ମୋତେ ଚିହ୍ନିଲେ ନାହିଁ ।” “ମହାରାଜ! ସୁନାଚେକା ଯଦି ମାଟିଗୋଡି ସହିତ ମିଶି ପଡିଥିବ, ତେବେ ବି ତାହା ଦୃଷ୍ଟିକୁ ଆସିଯିବ । ରାଜା ଶଙ୍ଖସେନ ତାଙ୍କ ପ୍ରଜାଙ୍କ ଆଖିରେ ଠିକ୍ ସେଇ ସୁନାଚେକା ଭଳି…” ଏତିକି କହି ସେ ମୁଖପାତ୍ର ଚୁପ୍ ରହିଲେ । ରାଜା ଅନେକ ସମୟ ନୀରବ ରହି କହିଲେ, “ଆଚ୍ଛା, ଯାଅ ।” ସେମାନେ ଚାଲିଯିବା ମାତ୍ରେ ରାଜା ମନ୍ତ୍ରୀଙ୍କୁ ଡାକି କହିଲେ, “ବହୁତ ଭୁଲ୍ ହୋଇ ଯାଇଛି । ଏହି ମୁହୂର୍ତ୍ତରୁ ମୁଁ ଆଉ ରାଜା ନୁହେଁ, ମୋ ପ୍ରଜାଙ୍କ କର୍ମଚାରୀ ମାତ୍ର ।” ଏହାପରେ ସେ ଅସାଧୁ କର୍ମଚାରୀମାନଙ୍କୁ ବାହାର କରି ଦେଲେ । ନିଜେ ନିରଳସ ଭାବରେ ରାଜକାର୍ଯ୍ୟ ବୁଝିଲେ । ଚାହୁଁଚାହୁଁ ବର୍ଷକ ଭିତରେ ତାଙ୍କ ରାଜ୍ୟର ଅବସ୍ଥା ପୁରାପୁରି ବଦଳିଗଲା । ଯଥା ରାଜା ତଥା ପ୍ରଜା ॥
ହାତ ଖର୍ଚ୍ଚ ଚକ୍ରଧରପୁର ଗ୍ରାମରେ ଭରତ ନାମକ ଜଣେ କୃଷକ ବାସ କରନ୍ତି । ତାଙ୍କର ପାଞ୍ଚ ଏକର ଉର୍ବର ଜମି ଥାଏ । ପୁତ୍ର ଚନ୍ଦନ ଓ ସେ କଠିନ ପରିଶ୍ରମ କରି କ୍ଷେତରେ ସାରାବର୍ଷ ବିଭିନ୍ନ ପ୍ରକାରର ଫସଲ କରନ୍ତି । ତେଣୁ ସେମାନଙ୍କ ଆୟ ମଧ୍ୟ ଖୁବ୍ ଭଲ ହୁଏ । ଏ ବର୍ଷ ଭଲ ହରଡ ଡାଲି ଅମଳ ହୋଇଥାଏ । ସେମାନେ ସଠିକ୍ ଦାମ୍ ରେ ତାହା ବିକ୍ରି କରିବାର ସୁଯୋଗର ଅପେକ୍ଷାରେ ରହିଥାନ୍ତି । ଅମଳ ହୋଇଥିବା ଡାଲିର ଦାୟିତ୍ୱ ନେବା ପାଇଁ କ୍ଷେତରେ ଜଣେ ଲୋକ ନିଯୁକ୍ତ ହୋଇଥାଏ । ଦୁଇ ସପ୍ତାହ ପରେ ସେ ଡାଲି ତଦାରଖ କରିବା ବେଳକୁ ଦୁଇ ବସ୍ତା କମ୍ ହେଲା । ସେ ଜଗୁଆଳୀ ଲୋକକୁ ଏହି ସମ୍ବନ୍ଧରେ ପଚାରିଲେ । ସେ ସାରା ରାତ୍ରି ଅନିଦ୍ରା ରହି ଜଗିବାରେ ଆଦୌ କୌଣସି ଅବହେଳା କରି ନ ଥିବାର ପ୍ରକାଶ କଲା । ମାତ୍ର ଭରତ ତା’ର କଥାକୁ ମୋଟେ ବିଶ୍ୱାସ କଲେ ନାହିଁ । ଏଥର ନିଜର ପୁତ୍ର ଚନ୍ଦନକୁ ସେ ଏହି ଦାୟିତ୍ୱ ଦେଲେ । ମାତ୍ର ସେହି ରାତ୍ରିରେ ଏକ ବସ୍ତା ଡାଲି କେଉଁଆଡେ ଉଭାନ୍ ହୋଇଗଲା । ଭରତ ବିବ୍ରତ ହୋଇ ଏ ସମ୍ବନ୍ଧରେ ଅନୁସନ୍ଧାନ କଲେ । ଗ୍ରାମବାସୀ ମାନଙ୍କଠାରୁ ସେ ଜାଣିବାକୁ ପାଇଲେ ଯେ, ଚନ୍ଦନ ଦୋକାନରେ ଡାଲି ବସ୍ତା ଦେଇ ଥିବାର ସେମାନେ ସମସ୍ତେ ଦେଖିଛନ୍ତି । ହଠାତ୍ ଏହି କଥାକୁ ସେ ବିଶ୍ୱାସ କରି ପାରିଲେ ନାହିଁ । ତାଙ୍କର ପୁତ୍ର ପୁଣି ଏପରି କାମ ବି କରିପାରେ, ସେ ତ କେବେବି ଏକଥା କଳ୍ପନା ସୁଧା କରିପାରୁ ନ ଥିଲେ । ଏପରି ଦୁଶ୍ଚିନ୍ତାରେ ଥିବା ସମୟରେ ସେଠାରେ ବୀର ଆସି ପହଁଚିଲା । ବୀର ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ କାମ କରେ । ମାଲିକର କିଛି କାମ ନେଇ ଏହି ଗ୍ରାମକୁ ସେ ଆସିଥିଲା । ଭରତ ତାକୁ କହିଲେ, “ଦେଖ, ତୁମର ମାଲିକଙ୍କ କାମ ଏତେବି ଜରୁରୀ ନୁହେଁ । ଚାରି ପାଞ୍ଚ ଦିନ ଏଠାରେ ରହି ସେ ଡାଲି ଚୋରକୁ ଧରିବାରେ ମୋତେ ଟିକେ ଆଗ ସାହାଯ୍ୟ କର ।” ସେହି ରାତ୍ରିରେ ବୀରକୁ କ୍ଷେତରେ ଜଗିବା ପାଇଁ ଭରତ ସୂଚନା ଦେଲେ । କିନ୍ତୁ ସକାଳୁ ଉଠି ବୀର ଦେଖେ ତ, ଆଉ ଏକ ବସ୍ତା ଡାଲି ଚୋରୀ ହୋଇଯାଇଛି । ଭରତ କ୍ଷେତକୁ ଆସି ତାହା ଜାଣିଲେ । ଅନୁମାନ କରି ବୀରକୁ ସେ କହିଲେ, “ଏଠାରେ ପଡିଥିବା ପାଦଚିହ୍ନରୁ ଏହା ସ୍ପଷ୍ଟ ଜାଣି ହେଉଛି ଯେ ଏହା ଜଣେ ଚୋରର କାମ । କିନ୍ତୁ ଜଣେ ଚୋର ଏତେ ବଡ ବସ୍ତା ଉଠାଇ ନେଇ ପାରିବା ତ ଆଦୌ ସମ୍ଭବ ନୁହେଁ । ତୁମେ ବସ୍ତା ଉଠାଇବାରେ ସେହି ଚୋରକୁ ନିଶ୍ଚୟ ସାହାଯ୍ୟ କରିଛ ।” ବୀର ତା’ ମୁଣ୍ଡ ତଳକୁ କରି କହିଲା, “ମାଲିକ, ମୁଁ ତ କିଛିବି ଜାଣେ ନାହିଁ । ହାଲିଆ ହୋଇ ଶୋଇ ପଡିଥିଲି । ସକାଳୁ ନିଦ ଭାଙ୍ଗି ଦେଖେତ ଏପରି ସବୁ ଘଟିଛି ।” ବୀର ଧମକ ଦେଇ କହିଲେ “କ୍ଷେତକୁ ଜଣେ ଆସିବାର ପାଦଚିହ୍ନ ପଡିଛି । ତୁମେ ସେହି ଜଣଙ୍କୁ ସାହାଯ୍ୟ ନକରିଥିଲେ ସେ କେବେବି ବସ୍ତା ଉଠାଇ ପାରି ନ ଥାନ୍ତା । ସତ କଥା କୁହ ।” “ତେବେ କ’ଣ ଆପଣ ମୋ କଥାକୁ ବିଶ୍ୱାସ କରୁ ନାହାଁନ୍ତି ।” ନିକଟରେ ବଳଦକୁ ଖାଇବାକୁ ଦେଉଥିବା ଚନ୍ଦନ ଆଡକୁ ଚାହିଁ ସେ କହିଲେ, “ତେବେ ନିଜ ପୁଅକୁ ପଚାରନ୍ତୁ, ଡାଲି ବସ୍ତା କିଏ ଉଠେଇ ନେଇଛି?” ଏହାଶୁଣି ଭରତ ଚନ୍ଦନକୁ କଡାସ୍ୱରରେ କହିଲେ, “ସତ କୁହ, ବସ୍ତା ଉଠାଇବାରେ କିଏ ତୁମକୁ ସାହାଯ୍ୟ କରିଛି?” ଚନ୍ଦନ ନିଜର ଚୋରୀ ଧରା ପଡିଯାଇଥିବାର ଜାଣି ଲଜ୍ଜ୍ୟାରେ ଆପଣା ମୁଣ୍ଡ ତଳକୁ ପୋତି କହିଲା, “ମୋତେ କେହିବି ସାହାଯ୍ୟ କରି ନାହାଁନ୍ତି । ମୁଁ ନିଜେ ଉଠାଇଛି ।” ତା’ର ଏପରି ଜବାବରେ ଭରତ ଅତ୍ୟନ୍ତ ଚକିତ ହୋଇଗଲେ । ଦୁଇଜଣ ବଳବାନ୍ ଲୋକ ଯେଉଁ ଭାରି ବସ୍ତା ଉଠାଇ ପାରିବେ ନାହିଁ, ତାହା ଭରତ ଉଠାଇ ନେଇଥିବା କଥା ସେ ଆଦୌ ବିଶ୍ୱାସ କରୁ ନ ଥିଲେ । ତେଣୁ ସେ କହିଲେ, “ତେବେ ତୁମେ କହୁଛ ଯେ, ଏକାକୀ ବସ୍ତା ନେଇଛ ତେବେ ମୋ ଆଗରେ ଆଉଥରେ ଉଠାଇ ଦେଖାଇଲ ।” ଚନ୍ଦନ ଏକ ଡାଲିବସ୍ତା ନିଜ ପିଠିକୁ ଆଉଜାଇ ଆଣିଲା । ଦୁଇହାତ କାନ୍ଧ ପଟେ ପଛକୁ ନେଇ ସେ ବସ୍ତାକୁ ଜୋର୍ରେ ଧରିଲା । ସବୁ ବଳ ଲଗାଇ ବସ୍ତା ଉଠାଇବା ବେଳକୁ ଦୁଇ ତିନି ଥର ଚକ୍କର କାଟିଲା ସତ କିନ୍ତୁ ତା’ପରେ ସେ ସ୍ଥିର ହୋଇ ଠିଆ ହେଲା । ଭରତ ବିସ୍ମିତ ହୋଇ ଏସବୁ ଘଟଣା ଦେଖୁଥିଲେ । ତା’ପରେ ସେ କହିଲେ, “ଚନ୍ଦନ, ଯାଅ ଏହି ବସ୍ତା ଦୋକାନରେ ଦେଇ ଆସ ।” ଚନ୍ଦନ କିଛି ନ କହି ଅପରାଧୀଙ୍କ ପରି ତଳକୁ ଚାହିଁଲା । ଭରତ ନିକଟକୁ ଆସି ସ୍ନେହରେ ତା’ର ପିଠି ଥାପୁଡେଇ ବସ୍ତା ତଳକୁ ଓହ୍ଲାଇ ଦେଲେ ଓ ନରମ ଗଳାରେ ସେ କହିଲେ, “ମୁଁ ସତ କହୁଛି, ତୁମେ ଅସାଧାରଣ ବଳ ଦେଖାଇ ପାରିଛ । ତେଣୁ ମୁଁ ତୁମକୁ ଏକ ଉପହାର ଦେବି ।” ଚନ୍ଦନ ପିତାଙ୍କର ଏଭଳି ମନୋଭାବ ପରିବର୍ତ୍ତନରେ ଖୁସୀ ହୋଇ ସେଠାରୁ ଚାଲିଗଲା । ଏହାପରେ ଭରତ ବୀରକୁ କହିଲେ, “ଏବେ ଏଠାରେ ଯାହା କିଛିବି ଘଟିଗଲା, ତୁମେ ତାହା ଦେଖିଲ ତ?” ବୀର ଅଳ୍ପ ହସି କହିଲା, “ମାଲିକ, ଏତକ ନୁହେଁ, ରାତିରେ ଏହା ମଧ୍ୟ ମୁଁ ଆଉଥରେ ଦେଖି ସାରିଛି ।” ଭରତ ପଚାରିଲେ “ଆଚ୍ଛା, ତେବେ ମୋତେ କାହିଁକି ମିଛ କହୁଥିଲ?” ବୀର କହିଲା, “ନିଜ ପୁଅର ଚୋରୀକୁ କ’ଣ ଚୋରୀ କୁହାଯିବ? ମୁଁ ଶୁଣୁଛି, ଆପଣଙ୍କ ପୁଅ ଖୁବ୍ ପରିଶ୍ରମୀ ।” ଭରତ ପୁଅର ପ୍ରଶଂସା କରି କହିଲେ, “ହଁ ସେ ତ ସବୁ କାମକୁ ଆଗଭର । ଖୁବ୍ ସକାଳୁ ଉଠି ଘରବାଡି ସେ ପରିଷ୍କାର କରେ । ବଳଦଙ୍କୁ ଖାଇବାକୁ ଦିଏ । କ୍ଷେତରୁ ସଜ ଘାସ ଆଣେ । ସାରାଦିନ କ୍ଷେତରେ ନାନା ପ୍ରକାରର ସେ କାମ କରେ । କେଉଁ କାମରେବି ସେ ପଛ ଘୁଂଚା ଦିଏ ନାହିଁ । ମୋତେ ତ ଏହା ଭାବି ବଡ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଏତେ ପରିଶ୍ରମୀ ଯୁବକ ଶେଷରେ ଚୋରୀ ପରି ଏକ ହୀନକାମ କରିବାକୁ ଗଲା କାହିଁକି?” ବୀର କହିଲେ, ଏତେ ଛୋଟ କଥାରେ ମନ ଦୁଃଖ କରିବା ମୋଟେ ଠିକ୍ ନୁହେଁ । ଆପଣଙ୍କର ପୁଅ ଅନେକ ସୁଗୁଣର ଅଧିକାରୀ । ହେଲେ ମଧ୍ୟ ପିଲାମାନେ ବଡ ହେବା ପରେ ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚ କିଛି ଦରକାର ପଡେ । ହାତ ଖର୍ଚ୍ଚ ପାଇଁ କିଛି ନ ପାଇଲେ, ସେମାନଙ୍କର ଏପରି କୁଅଭ୍ୟାସ ଆରମ୍ଭ ହୁଏ । ଗୁରୁଜନମାନେ ସେମାନଙ୍କର ଆବଶ୍ୟକତା ପ୍ରତି ସଦା ସର୍ବଦା ଧ୍ୟାନ ଦେବା ଉଚିତ୍ । ମୁଁ ସ୍ୱୀକାର କରୁଛି ଯେ, ଚୋରୀ ଏକ ଅପରାଧ । କିନ୍ତୁ ଏଥିରେ ପୁଅକୁ ଅପରାଧୀ ମନେ ନ କରି ତା’ର ଏପରି ଅଭ୍ୟାସର କାରଣ ବିଷୟରେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ । ଯାହା ହେଉ, ଚନ୍ଦନ ତ ଆଉ ପର ଜିନିଷ ଚୋରୀ କରି ନାହିଁ, ଏପରି ହୋଇଥିଲେ ଆପଣ ଅଧିକ ଅପମାନିତ ହୋଇ ଥାଆନ୍ତେ ।” ଭରତ ପୁଅର ବଳ ବପୁ ଦେଖି ଛୋଟ ଉପହାର ଦେବା କଥା କହିଥିଲେ ସିନା ଏବେ ପ୍ରକୃତରେ ନିଜର ଭୁଲ୍ ବୁଝି ପାରିଲେ । ଏହାପରେ ଚନ୍ଦନକୁ ଆଉ କେବେ ମଧ୍ୟ ଚୋରୀ କରିବାକୁ ପଡିନାହିଁ । କାରଣ ତା’ର ମନବୁଝି ଭରତ ହାତଖର୍ଚ୍ଚର ଯୋଗାଡ କରି ତାକୁ ଦେଇଦିଅନ୍ତି । ସେହିଦିନଠାରୁ ଚନ୍ଦନନାଥ ଆଉ କୌଣସି ଦିନ କିଛି ଚୋରୀ କରିନାହିଁ । ବରଂ ପ୍ରତ୍ୟେକ ଜିନିଷ ସେ ନିଜ ଦାୟିତ୍ୱରେ ରଖିଚି ।
ଡାକୁ ଭୈରବ(ବେତାଳ କାହାଣୀ) ନିଶା ଗରଜୁ ଥାଏ । ତେଣେ ବାହାରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା । ବଣବୁଦା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ ତଥା ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୋକରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ମଧ୍ୟ ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ସେହି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହି ଉଠିଲା, “ରାଜନ୍! ରାତ୍ରିର ଏହି ନିଃଶବ୍ଦ ଅନ୍ଧକାରରେ ବେଶ୍ ନିର୍ଭୀକ ଭାବେ ତୁମେ ନିଜ କର୍ତ୍ତବ୍ୟରେ ଆଗେଇ ଯାଉଛ । ତୁମର ଶକ୍ତି ସାମର୍ଥ୍ୟ ଦେଖି ମୁଁ ଖୁବ୍ ଆଚମ୍ବିତ ହେଉଛି । ସମ୍ଭବତଃ ତୁମର ଏପରି ଆତ୍ମ-ବିଶ୍ୱାସର କାରଣ ଧର୍ମ ଓ ନ୍ୟାୟ । ଏହାରି ବଳରେ ଶାସନ ପରିଚାଳିତ ହେଉଛି । କିନ୍ତୁ କେତେକ ଶାସକ ନ୍ୟାୟ ଓ ଧର୍ମର ଭିତିରେ ଶାସନ କରୁଥିଲେ ମଧ୍ୟ, କୌଣସି କ୍ଷେତ୍ରରେ ନିଜର ମାନସିକ ବଳହୀନତା ପ୍ରକାଶ କରି ଧର୍ମ ଓ ନ୍ୟାୟର ବିରୁଦ୍ଧାଚରଣ କରିଛନ୍ତି । ଉଦାହରଣ ସ୍ୱରୂପ ମୁଁ ତୁମକୁ ଡାକୁ ଭୈରବର କାହାଣୀ ଶୁଣାଉଛି । ଶୁଣ, ଶୁଣିଲେ ତୁମ ପଥଶ୍ରମ ଲାଘବ ହେବ ।” ଏହାପରେ ସେ ବେତାଳ ଗପିବାରେ ଲାଗିଲା । ବହୁଦିନ ତଳେ ମନ୍ଦାର ପ୍ରଦେଶରେ ମଣିଧ୍ୱଜ ନାମକ ଜଣେ ଶାସକ ଶାସନ କରୁଥିଲେ । ନିଜର ଧୈର୍ଯ୍ୟ, ସାହସ, ବିବେକ ଓ ନ୍ୟାୟପୂର୍ଣ୍ଣ ଶାସନ ନିମନ୍ତେ ସେ ବେଶ୍ ପ୍ରଖ୍ୟାତ ଥିଲେ । ତାଙ୍କର ଶାସନରେ କଠୋର ଦଣ୍ଡବିଧି ପ୍ରଚଳିତ ଥିଲା । ଚୋରର ହାତ କାଟି ଦିଆ ଯାଉଥିଲା । ଡାକୁକୁ ଶୂଳୀ ଦଣ୍ଡ ମିଳୁଥିଲା । ତେବେ ମଧ୍ୟ ଦେଶରେ ଡାକୁ ଉପଦ୍ରବ ସମ୍ପୂର୍ଣ୍ଣ ବନ୍ଦ ହୋଇ ନ ଥାଏ । କାରଣ ମନ୍ଦାର ପ୍ରଦେଶ ଓ ପଡୋଶୀ ରାଜ୍ୟ ଚମ୍ପକ ନଗରୀର ସୀମାବର୍ତ୍ତୀ ଅଂଚଳରେ ଏକ ବିରାଟ ଅରଣ୍ୟ ଥିଲା । ସେହି ଘଂଚ ଅରଣ୍ୟରେ ଆତ୍ମଗୋପନ କରି ଡାକୁମାନେ ପ୍ରଜାମାନଙ୍କୁ ଆକ୍ରମଣ କରୁଥିଲେ । ମଣିଧ୍ୱଜଙ୍କ ସୈନିକମାନେ ବହୁବାର ସେ ଡକାୟତଙ୍କୁ ଧରିବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହେଉଥିଲେ । ଘୋର ଅରଣ୍ୟରେ ସେମାନଙ୍କର ସନ୍ଧାନ କରିବା ଆଦୌ ସମ୍ଭବ ହେଉ ନ ଥିଲା । ଏହି ଜଙ୍ଗଲରେ କୁଖ୍ୟାତ ଡାକୁ ଭୈରବ ବାସ କରୁଥିଲା । ତା’ର ପିତା ଡକାୟତ ସର୍ଦ୍ଦାରର ମୃତ୍ୟୁ ପରେ ସେ ବାଲ୍ୟକାଳରୁ ଡାକୁ ସର୍ଦ୍ଦାର ରୂପେ ଦଳରେ ଯୋଗ ଦେଇଥିଲା । ଯାତ୍ରୀମାନଙ୍କୁ ଲୁଣ୍ଠନ କରିବାର କଳା କୌଶଳରେ ସେ ପୁରାପୁରି ଓସ୍ତାଦ୍ ଥିଲା । ଥରେ ଭୈରବ ପାଖକୁ ତା’ର ସାଥୀମାନେ ଜଣେ ମୁନିଙ୍କୁ ଧରି ଆଣିଲେ । ସେମାନେ ପ୍ରକାଶ କଲେ ଯେ, ଏହି ଛଦ୍ମବେଶୀ ମୁନି ରାଜାଙ୍କ ଗୁପ୍ତଚର ଅଟେ । କିନ୍ତୁ ଯେତେବେଳେ ଭୈରବ ସ୍ପଷ୍ଟ ରୂପେ ଜାଣିପାରିଲା ଯେ ସେ ପ୍ରକୃତରେ ଜଣେ ସାଧୁ ମହାତ୍ମା, ତାଙ୍କୁ ଅରଣ୍ୟର ଅପର ପ୍ରାନ୍ତରେ ଛାଡି ଦେବା ପାଇଁ ସେ ତା’ର ଅନୁଚରମାନଙ୍କୁ ଆଦେଶ ଦେଲା । ମୁନି ସେଠାରୁ ଯିବା ପାଇଁ ଅନିଚ୍ଛୁକ ହୋଇ କହିଲେ, “ପୁତ୍ର, ମୁଁ ତ ଜାଣିଶୁଣି ଅରଣ୍ୟର ଏହି ନିଘଂଚ ଅଂଚଳକୁ ଆସିଛି । ମୋର ଯୋଗ ସାଧନା ନିମନ୍ତେ ଏକାଗ୍ରତା ଓ ନିରୋଳା ପରିବେଶ ନିତାନ୍ତ ଆବଶ୍ୟକ । କିନ୍ତୁ ଏହା ପୂର୍ବରୁ ମୁଁ ଯେତେଥର ଯୋଗ ସାଧନାରେ ଉପବେଶନ କରିଛି, କେହି ନା କେହି ଯାତ୍ରୀଙ୍କର ଦୃଷ୍ଟି ମୋ ଉପରେ ପଡିଛି ଓ ସେମାନେ ନାନାଦି ପ୍ରଶ୍ନ ପଚାରି ମୋର ଧ୍ୟାନ ଭଙ୍ଗ କରାଇଛନ୍ତି । ଏହା ଫଳରେ ମୋର ଏକାଗ୍ରତା ନଷ୍ଟ ହୋଇଛି । ଏହି ଗୋପନ ସ୍ଥଳୀରେ ମୋ ପାଇଁ କିଛି ବନ୍ଦୋବସ୍ତ କରାଇ ଦେଲେ ମୋର ଯୋଗ ସାଧନା ସମ୍ପୂର୍ଣ୍ଣ ହୋଇ ପାରନ୍ତା ।” ଭୈରବ ସେହି ମୁନିଙ୍କ ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଇଲା, ଯେପରି ସାଧୁ ମହାତ୍ମାଙ୍କର ତପସ୍ୟା ନିର୍ବିଘ୍ନରେ ସମାପନ ହୋଇ ପାରିବ । ଦିନେ ସାଧୁ ଭୈରବକୁ ନିଜ ପାଖକୁ ଡକାଇ କହିଲେ, “ପୁତ୍ର ଏବେ ତ ଗ୍ରୀଷ୍ମଋତୁ ଆଗତ-ପ୍ରାୟ । ଉଷ୍ମତାର ଆଧିକ୍ୟ ହେତୁ ମୁଁ ହିମାଳୟ ଅଂଚଳକୁ ଚାଲି ଯିବାକୁ ଇଚ୍ଛା କରୁଛି । ତୁମର ସେବା-ଯତ୍ନରେ ମୁଁ ଅତ୍ୟନ୍ତ ପ୍ରସନ୍ନ, ମାତ୍ର ତୁମର ବୃତ୍ତି ମୋତେ ଦାରୁଣ ଆଘାତ ଦେଇଛି । ପରଧନ ଅପହରଣ, ଲୁଣ୍ଠନ ଏକ ପାପ କର୍ମ ଅଟେ ।” ସାଧୁଙ୍କର ଏଭଳି ଉପଦେଶ ଶୁଣି ଭୈରବ କହିଲା, “ମହାତ୍ମା, ମୋତେ ପ୍ରକୃତରେ ପାପ କ’ଣ, ପୂଣ୍ୟ କ’ଣ ତାହା ଜଣା ନାହିଁ । ଆମର ପୂର୍ବପୁରୁଷ ଅମଳର ପେସା ଲୁଣ୍ଠନ ଓ ଡକାୟତି । କେବଳ ଯୁଦ୍ଧ ବ୍ୟତୀତ ମୋତେ ଅନ୍ୟ କୌଣସି ବିଦ୍ୟା ମଧ୍ୟ ଜଣା ନାହିଁ । ରାଜା କ’ଣ ମୋତେ ତାଙ୍କର ସୈନ୍ୟବାହିନୀରେ ସ୍ଥାନ ଦେବେ? ଧରା ପଡିବା ମାତ୍ରେ ମୋତେ ଏକ ଡାକୁର ସଜା ମିଳିବା ସୁନିଶ୍ଚିତ । ତେଣୁ ଏ ଜୀବନରେ ନିଜକୁ ପରିବର୍ତ୍ତନ କରି ମୋତେ ଆଉ କ’ଣ ବା ଲାଭ ମିଳିବ?” ସାଧୁ ମହାତ୍ମା ଭୈରବର ସଦ୍ବୁଦ୍ଧି ଉଦୟ ନିମନ୍ତେ ବହୁ ଚେଷ୍ଟା କଲେ, କିନ୍ତୁ ସେଥିରେ ସେ ବିଫଳ ହେବାରୁ ଭୈରବକୁ ସେ କହିଲେ, “ପୁତ୍ର, ଯାହା ଉଚିତ୍ କଥା, ତାହା ମୁଁ ତୁମକୁ ଜଣାଇଲି । ଏବେ ତୁମର ଇଚ୍ଛା । କିନ୍ତୁ ମୋର ସେବାର ପ୍ରତିଦାନ ମୁଁ ତୁମକୁ ଦେବାପାଇଁ ଚାହୁଁଛି । ମୁଁ ତୁମକୁ ଗୋଟିଏ ମନ୍ତ୍ର ଶିକ୍ଷା ଦେବି । ତାହା ଜପ କରିବା ମାତ୍ରେ ତୁମେ ଏକ ଶିଶୁ ହୋଇଯିବ । ଏହାଦ୍ୱାରା ତୁମେ ନିଜର ଜୀବନ-କାଳ ପୁନଶ୍ଚ ପ୍ରଥମରୁ ଆରମ୍ଭ କରି ପାରିବାର ଯଥେଷ୍ଟ ସୁଯୋଗ ପାଇ ପାରିବ । କିନ୍ତୁ ହଁ, ତୁମେ ପୁଣି ଥରେ ଭୈରବ ହେବା ପାଇଁ ଚାହିଁଲେ ଆଉ ହୋଇ ପାରିବ ନାହିଁ । ଆବଶ୍ୟକତା ପଡିଲେ ଏହି ମନ୍ତ୍ର ବଳରେ ତୁମେ ଏକ ନୂତନ ଜୀବନ ଆରମ୍ଭ କରିପାର ।” ମୁନି ମନ୍ତ୍ର ଶିକ୍ଷା ଦେଇ ସେ ସ୍ଥାନ ପରିତ୍ୟାଗ କଲେ । ଥରେ ଚମ୍ପକ ନଗରୀର ରାଜାଙ୍କ ଧନର ଆବଶ୍ୟକତା ପଡିଲା । ସେ ମଣିଧ୍ୱଜଙ୍କ ଠାରୁ ଆର୍ଥିକ ସହାୟତା ଲୋଡିଲେ । ମଣିଧ୍ୱଜ ବଳିଷ୍ଠ, ଯୁଦ୍ଧ ନିପୁଣ ବଚ୍ଛା ବଚ୍ଛା ସୈନିକଙ୍କ ହସ୍ତରେ ସେହି ଧନରାଶି ଚମ୍ପକ ନଗରୀ ପଠାଇଲେ । କିନ୍ତୁ ତାହା ଚମ୍ପକ ନଗରୀରେ ପହଁଚି ପାରିଲା ନାହିଁ । ଏପରିକି ସୈନିକମାନଙ୍କର କ’ଣ ଦୂରବସ୍ଥା ହେଲା, ତାହା ମଧ୍ୟ ଜାଣି ହେଲାନାହିଁ । ମଣିଧ୍ୱଜ ଧାରଣା କରିନେଲେ ଯେ, ଏହା ନିଶ୍ଚୟ ଅରଣ୍ୟ ନିବାସୀ ଡକାୟତର କୁକର୍ମ । ତେଣୁ ସେ ଆଉ କାଳ ବିଳମ୍ବ ନ କରି ନିଜ ନେତୃତ୍ୱରେ ଏକ ବିଶାଳ ସୈନ୍ୟବାହିନୀ ନେଇ ସେହି ଅରଣ୍ୟର ଅଭ୍ୟନ୍ତର ପ୍ରଦେଶକୁ ଘେରାଉ କଲେ । ଡାକୁ ଭୈରବ ଧରା ପଡିଲା । ରାଜା ତାକୁ ଧନରାଶି ଓ ସୈନିକଙ୍କ ସମ୍ବନ୍ଧରେ ପଚାରିବାରୁ, ସେ ଏ ବିଷୟରେ କିଛି ଜାଣି ନାହିଁ ବୋଲି କହିଲା । କିନ୍ତୁ ସେ ଯେ ଜଣେ ଡାକୁ, ତାହା ସେ ସ୍ୱୀକାର କଲା । ମଣିଧ୍ୱଜ ଭୈରବର ଉକ୍ତିକୁ ମୋଟେ ବିଶ୍ୱାସ କଲେ ନାହିଁ । ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ସେ ଆଦେଶ ଦେଲେ । କାରଣ ସେ ଜଣେ ଡାକୁ ଓ ଡାକୁମାନଙ୍କର ଗୋପନୀୟ ଆଡ୍ଡାରୁ ସେ ଧରା ପଡିଥିଲା । ଏକ ସପ୍ତାହ ପରେ ରାଜାଙ୍କ ଆଦେଶ କାର୍ଯ୍ୟକାରୀ ହେବ ଜାଣିପାରି ଭୈରବ ଅତ୍ୟନ୍ତ ଦୁଃଖିତ ହୋଇ ପଡିଲା । କାରାଗାର ମଧ୍ୟରେ ବନ୍ଦୀ ଥିବା ଅବସ୍ଥାରେ ସେ ବହୁ ଚିନ୍ତା କରି ଶେଷରେ ସାଧୁଙ୍କର ସେହି ମନ୍ତ୍ରଟିକୁ ପ୍ରୟୋଗ କରିବା ପାଇଁ ସ୍ଥିର କଲା । ତତ୍ ପରଦିନ ପ୍ରଭାତ ସମୟରେ ବନ୍ଦୀଗୃହ ଅଧିପତି ସୈନିକଙ୍କ ସହିତ ଆସି ଦ୍ୱାର ଖୋଲିଲେ । ନିଦ୍ରିତ ଭୈରବକୁ ଉଠାଇବା ପାଇଁ ସେ ହାତ ମାରିବା ବେଳକୁ ଦେଖିଲେ ଏକ ନବଜାତ ଶିଶୁ ସେହି ବିଛଣା ଭିତରେ ଅଛି । ଏସବୁ ଘଟଣା ଦେଖି ତାଙ୍କର ଆଶ୍ଚର୍ଯ୍ୟର ଆଉ ସୀମା ରହିଲା ନାହିଁ । କାରଣ ଦ୍ୱାର ଯଥାବତ୍ ବନ୍ଦ ଥିଲା । ଭିତରୁ କେହି ବାହାରକୁ ଯିବା ପାଇଁ କିମ୍ବା ବାହାରୁ ଭିତରକୁ ଆସିବା ପାଇଁ ଅନ୍ୟ କୌଣସି ମାର୍ଗ ନ ଥିଲା । ସେ ଶିଶୁଟିକୁ ହାତରେ ଧରି ତାକୁ ଭଲ ଭାବରେ ଦେଖିଲେ । ଭୈରବ ପରି ତା’ର ଗାଲରେ ବି ଏକ କଳାଦାଗ ଥିଲା । ଶିଶୁର ଚେହେରା ସହିତ ଭୈରବର ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ଥିଲା । ସ୍ୱୟଂ ଭୈରବ ଶିଶୁ ରୂପରେ ପରିବର୍ତ୍ତିତ ହୋଇ
ବନ୍ଦିନୀ ପରୀ ଶମ୍ଭୁଦାସ ଅନୁରାଧାପୁରରେ ଦୋକାନଟିଏ କରି ରହୁଥିଲେ । ସେ ଦୂରବର୍ତ୍ତୀ ଏକ ସ୍ଥାନରୁ ଆସିଥିଲେ । ତେଣୁ ସେ ଅତୀତରେ କ’ଣ କରୁଥିଲେ, ସେକଥା ଅନୁରାଧାପୁରର କେହି ଲୋକ ଜାଣି ନଥିଲେ । କେବଳ ବିଜୟ ସେକଥା ମୋଟାମୋଟି ଭାବେ ଜାଣିଥିଲା । ବିଜୟ ଗୋଟିଏ ପିଲା । ଛେଉଣ୍ଡ । ତାକୁ ଶମ୍ଭୁଦାସ ପାଳିଥିଲେ । ବିଜୟକୁ ଶମ୍ଭୁଦାସ ବହୁତ ସ୍ନେହ କରୁଥିଲେ । ସେ ଯେପରି ଭଲ ମଣିଷ ହେବ, ସେଥିପାଇଁ ଅନେକ ଉପଦେଶ ଦେଉଥିଲେ । ବିଜୟ ଜାଣିଥିଲା ଶମ୍ଭୁଦାସ ଅତୀତରେ ଜଣେ ବଡ ମନ୍ତ୍ରବିଦ୍ ଥିଲେ । କିନ୍ତୁ ସେ ମନ୍ତ୍ରତନ୍ତ୍ର ଛାଡିଦେଇଥିଲେ । ସାଧାରଣ ଜୀବନ ବିତାଉଥିଲେ । ଶମ୍ଭୁଦାସଙ୍କ ପାଖରେ ଗୋଟାଏ ପୁରୁଣା ବୀଣା ରହିଥିଲା । ସେ ଏକଦା ବୀଣା ବଜାଉଥିଲେ ବୋଲି ବିଜୟ ଅନୁମାନ କରି ପାରୁଥିଲା । କିନ୍ତୁ ସେ କାହିଁକି ଆଉ ବଜାଉ ନଥିଲେ, ସେକଥା ସେ ଜାଣି ନଥିଲା । ବିଜୟ ଥରେ ଥରେ ପଚାରେ “ଜେଜେ! ତମେ ତ ବୀଣା ରଖିଛ, କିନ୍ତୁ କାହିଁକି ବଜାଉ ନାହଁ?” ଶମ୍ଭୁଦାସ ହସି ଦିଅନ୍ତି ଓ କହନ୍ତି, “ମୁଁ ନ ବଜାଇଲେ କ’ଣ ହେଲା, ତୁ ବଜାଇବୁ ଓ ବଜାଇ ଦେଶ ସାରା ବିଖ୍ୟାତ ହେବୁ । ଏହାହିଁ ହେବ ତୋ ପ୍ରତି ମୋର ସର୍ବଶ୍ରେଷ୍ଠ ଦାନ ।” ବିଜୟ ପ୍ରଶ୍ନକରେ “ତେବେ ମୋତେ କାହିଁକି ବୀଣା ଶିଖାଉ ନାହଁ?” ଶମ୍ଭୁଦାସ କହନ୍ତି “ଶିଖାଇବା କିଛିବି ଦରକାର ନାହିଁ ।” ବିଜୟ ଏ କଥାର ରହସ୍ୟ ମୋଟେ ବୁଝିପାରେ ନାହିଁ । ସେ ପଚାରେ “ଜେଜେ! ବୀଣା ଯଦି ନ ଶିଖିବି, ତେବେ ତାହା ବଜାଇ ମୁଁ କିପରି ଖ୍ୟାତି ଅର୍ଜନ କରିବି?” ଶମ୍ଭୁଦାସ କହନ୍ତି, “ମୁଁ ତୋତେ କୌଣସି ବୃଥା ପ୍ରତିଶୃତି ଦେଉନାହିଁ । ଯାହା କହୁଛି, ତାହା ସତ୍ୟ । ଠିକ୍ ବେଳେ ଏହାର ରହସ୍ୟ ବୁଝାଇ କହିବି । ତୋର ଏତେ ବ୍ୟସ୍ତ ହେବା ଆଦୌ ଦରକାର ନାହିଁ ।” ଦିନେ ଶମ୍ଭୁଦାସ ଅସୁସ୍ଥ ହୋଇ ପଡିଲେ । ସେ ବିଜୟକୁ ପାଖକୁ ଡାକି କହିଲେ, “ବାପା! ମୁଁ ବୁଝି ପାରୁଛି, ସଂସାର ଛାଡି ଚାଲିଯିବାକୁ ମୋର ଆଉ ବିଳମ୍ବ ନାହିଁ । ତା’ ପୂର୍ବରୁ ବୀଣା ରହସ୍ୟ ତୋତେ ଖୋଲି ମୁଁ କହିଦିଏ । ମୁଁ ଥରେ ମୋ ମନ୍ତ୍ରତନ୍ତ୍ର ସାହାଯ୍ୟରେ ଗୋଟିଏ ସଂଗୀତପ୍ରବୀଣା ପରୀକୁ ଏ ବୀଣା ଭିତରେ ବନ୍ଦି କଲି । କିନ୍ତୁ ପୁରାପୁରି ବନ୍ଦୀ ହେବା ପୂର୍ବରୁ ସେ ମୋତେ ଏହି ଅଭିଶାପ ଦେଲା କି ମୁଁ ଯଦି କେବେବି ସେ ବୀଣା ବଜାଇବି, ତେବେ ମୋ ଛାତି ଫାଟିଯିବ । ତେଣୁ ମୁଁ ତାକୁ ଯମାରୁ ବଜାଏ ନାହିଁ । ତୁ କିନ୍ତୁ ବଜାଇବୁ । ବୀଣା ତାରରେ ହାତ ଦେବା ମାତ୍ରେ ସେ ପରୀହିଁ ବଜାଇବାକୁ ବାଧ୍ୟ ହେବ । ଅପରୂପ ସଂଗୀତ ବାହାରିବ । ଖାଲି ଗୋଟିଏ ସର୍ତ୍ତ: ମଧ୍ୟ ରାତ୍ରି ପରେ ତୁ ସେହି ବୀଣାକୁ କେବେବି ହେଲେ ବଜାଇବୁ ନାହିଁ । ସେପରି କଲେ ତହିଁରୁ ପରୀ ଖସି ପଳାଇବ ।” ଏକଥା କହିବାର ଖୁବ୍ ଅଳ୍ପ ସମୟ ପରେ ଶମ୍ଭୁଦାସ ପରଲୋକଗମନ କଲେ । ତାଙ୍କ ଶୁଦ୍ଧି କାର୍ଯ୍ୟ ଶେଷ ହେବା ପରେ ବିଜୟ ଦିନେ ସନ୍ଧ୍ୟାରେ ସେହି ବୀଣାକୁ ଧରି ବସିଲା । ବାସ୍ତବିକ, ତା ଅଙ୍ଗୁଳି ତାରରେ ଲାଗିବା ମାତ୍ରେ ଅପୂର୍ବ ସଂଗୀତର ଝଙ୍କାର ନିର୍ଗତ ହେଲା । ସେ କିଛି ସମୟ ବଜାଇ ବୀଣା ରଖିଦେଲା । ବୀଣାର ମାଧୁର୍ଯ୍ୟରେ ସେ ଏତେ ମୁଗ୍ଧ ହେଲା ଯେ ସେପରି ରାତିରେ ବଜାଇଲେ ସେ ଯେ ନିଶ୍ଚୟ ଅତ୍ୟନ୍ତ ବିଖ୍ୟାତ ସଂଗୀତକାର ଭାବରେ ସମ୍ମାନିତ ହେବ, ଏ ବିଷୟରେ ତା’ର ଆଉ କୌଣସି ସନ୍ଦେହ ରହିଲା ନାହିଁ । ସେ ଅନେକ ସମୟ ଚୁପ୍ଚାପ୍ ବସିରହି ଚିନ୍ତା କଲା । ତା’ପରେ ସେ ଗୋଟିଏ ବିଶେଷ ସିଦ୍ଧାନ୍ତ ନେଲା ଓ ମଧ୍ୟରାତ୍ର ପର୍ଯ୍ୟନ୍ତ ଅପେକ୍ଷା କଲା । ସେ ପୁଣି ମଧ୍ୟ ରାତ୍ରରେ ବୀଣାଟି ହାତକୁ ନେଲା । ସଙ୍ଗେ ସଙ୍ଗେ ସେ ଗୋଟିଏ ମଧୁର ହାସ୍ୟ ଶୁଣିଲା ଓ ପରୀର ରୂପ ଦେଖିଲା । ପରୀ ପଚାରିଲା “ଧନ୍ୟବାଦ । କିନ୍ତୁ ତମେ ଜାଣି ଜାଣି ମୋତେ ଛାଡି ଦେଲ ନା ଦୈବାତ୍ ଏମିତି ଭୁଲ୍ କରି ମଧ୍ୟ ରାତ୍ରରେ ବୀଣା ବଜାଇଲ?” ବିଜୟ କହିଲା “ନା, ନା, ମୁଁ ଜାଣି ଜାଣି ତୁମକୁ ଛାଡିଦେଲି । ତୁମେ ବନ୍ଦିନୀ ହୋଇ ରୁହ, ଏକଥା ମୁଁ କେବେବି ଚାହେଁନା ।”
ବିଜୟ ରହସ୍ୟ ଅନେକ ଦିନ ତଳର କଥା । କମଲୁଦ୍ଦିନ୍ ଉଜ୍ବେକିସ୍ଥାନର ସୁଲତାନ୍ ରୂପେ ଅଭିଷିକ୍ତ ହେଲେ । ସେତେବେଳେ କମଲୁଦ୍ଦିନ୍ ବୟସରେ ତରୁଣ । ବାପା ହଠାତ୍ ମରିଯିବାରୁ ସେ ସିନା ସୁଲତାନ୍ ହେଲେ, କିନ୍ତୁ ଭୋଗବିଳାସ ଛାଡି ଶାସନ କାର୍ଯ୍ୟରେ ମନ ଦେବାକୁ ସେ ଆଦୌ ପ୍ରସ୍ତୁତ ନଥିଲେ । ଦିନେ ଉଜୀର୍ ଆସି କହିଲେ, “ସୁଲତାନ୍! ଆମ ଗୁପ୍ତଚରମାନେ କହୁଛନ୍ତି, ଉତ୍ତର ମୁଲକର ଅମୀର୍ ହଠାତ୍ ରାଜଧାନୀ ଆକ୍ରମଣ କରି ଗାଦି ଅଧିକାର କରିବା ଉଦ୍ଧେଶ୍ୟରେ ଅଛନ୍ତି । ଆମେ ବେଳହୁଁ ସତର୍କ ନହେଲେ ଅବସ୍ଥା ଅସମ୍ଭାଳ ହେବ ।” ସୁଲତାନ୍ ଉଜୀର୍ଙ୍କ କଥା ଶୁଣି ମଧ୍ୟ ନ ଶୁଣିଲା ଭଳି ରହିଲେ ଓ ପାଟିରେ ଗୋଟି ଗୋଟି କରି ଅଙ୍ଗୁର ପକାଇଲେ । ଉଜୀର୍ କିଛି ସମୟ ଅପେକ୍ଷା କରି ପୁଣି ପଚାରିଲେ, “ଆଜ୍ଞା! କ’ଣ କରାଯିବ? ତୁରନ୍ତ ଏ ଦିଗରେ ଯଥାର୍ଥ ପଦକ୍ଷେପ ନ ହେଲେ ନ ହୁଏ । ଆପଣ ନିଜେ ତତ୍ପର ନହେଲେ ଅବସ୍ଥା ବଡ ଅସମ୍ଭାଳ ହେବ । ସଙ୍ଗେ ସଙ୍ଗେ ଆମ ସୈନ୍ୟବାହିନୀଙ୍କୁ ଜାଗତିଆର୍ କରିବା ମଧ୍ୟ ଆବଶ୍ୟକ ।” ସୁଲତାନ୍ କହିଲେ, “ସେକଥା ମୋତେ କାହିଁକି କହୁଛନ୍ତି?” ଉଜୀର୍ କ୍ଷୁବ୍ଧ ହୋଇ ପଚାରିଲେ “ମାନେ? ଆପଣ ସୁଲତାନ୍ । ଆପଣଙ୍କୁ ନ କହି ଆଉ କାହାକୁ କହିବି?” ସୁଲତାନ୍ କହିଲେ “ଉଜୀର୍ ସାହେବ! ଆପଣଙ୍କର ବୁଦ୍ଧି ମୋଟେ ନାହିଁ ଦେଖୁଛି! ଆପଣ ଏକଥା ସିନା ମୋ ସେନାପତିଙ୍କୁ କହିବେ! ଆମର ବିରାଟ ସୈନ୍ୟବାହିନୀ ଅଛନ୍ତି, ସେନାପତି ବି ଅଛନ୍ତି । ଯଦି ଶତ୍ରୁ ଆସି ରାଜଧାନୀ ଆକ୍ରମଣ କରିବ, ତେବେ ସେମାନେ ଲଢି ଶତ୍ରୁକୁ ହଟାଇ ଦେବେ । ବାସ୍! ମୋର ସେଥିରେ କ’ଣ କରିବାର ଅଛି?” ତାଙ୍କର ଏ ଉତ୍ତର ଶୁଣି ଉଜୀର୍ ଦୀର୍ଘନିଶ୍ୱାସ ଛାଡି ସେଠାରୁ ଚାଲିଗଲେ । ଏହାର କିଛିଦିନ ପରେ ସତକୁ ସତ ଉତ୍ତର ମୁଲକର ଅମୀର ରାଜଧାନୀ ଆକ୍ରମଣ କଲେ । ସୁଲତାନ୍ଙ୍କ ସୈନ୍ୟଦଳ ସେଥିରେ ତାଙ୍କୁ ବାଧା ଦେଲେ, କିନ୍ତୁ ପରାସ୍ତ ହୋଇଗଲେ । ସୁଲତାନ୍ କୌଣସି ମତେ ତାଙ୍କ ଦୁର୍ଗ ଭିତରୁ ଆତ୍ମଗୋପନ କରି ଖସି ପଳାଇଗଲେ । ସେ ଯାଇ ଅନ୍ୟ ଜଣେ ସୁଲତାନ୍ଙ୍କ ପ୍ରାସାଦରେ ଆଶ୍ରୟ ନେଲେ । ସେ ସୁଲତାନ୍ ଜଣେ ଦକ୍ଷ ଶାସକ ଥିଲେ । ତାଙ୍କ ଗଡ ଚାରିଦିଗରେ ଗଡଖାଇ ଥିଲା । ତାଙ୍କ ଦୁର୍ଗ ଆକ୍ରମଣ କରିବା କାହା ପକ୍ଷରେ ବି ଏତେ ସହଜ ନଥିଲା । କିଛିଦିନ ପରେ ସୁଲତାନ୍ କମଲୁଦ୍ଦିନ୍ଙ୍କୁ ତାଙ୍କ ଆଶ୍ରୟଦାତା କହିଲେ, “ତୁମେ ମୋ ସୈନ୍ୟଦଳ ନେଇଯାଇ ତମ ନିଜ ରାଜ୍ୟ ଉଦ୍ଧାର କର । ମୋ ସୈନ୍ୟବାହିନୀ କୁଶଳୀ ଏବଂ ମୋ ସେନାପତି ଖୁବ୍ ବୁଦ୍ଧିମାନ୍ ।” ସୁଲତାନ୍ କମଲୁଦ୍ଦିନ୍ ଖୁବ୍ ଖୁସି ହେଲେ । ତାଙ୍କ ଆଶ୍ରୟଦାତାଙ୍କ ସୈନ୍ୟବାହିନୀ ଧରି ସେ ନିଜ ରାଜ୍ୟକୁ ବାହାରିଲେ । ବାଟରେ ସେ ନିଜ ଭୋଗବିଳାସ କଥା ମନେ ପକାଇଲେ । ତାହା ମନେ ପକାଇବା ମାତ୍ରେ ପୁଣି ସେଥିରେ ମଜି ଯିବା ସକାଶେ ତାଙ୍କର ଇଚ୍ଛା ହେଲା । ସେ ଗୋଟିଏ ଗଛ ମୂଳରେ ବସି ପଡି ତାଙ୍କ ଆଶ୍ରୟଦାତାଙ୍କ ସେନାପତିଙ୍କୁ କହିଲେ, “ତମେ ଖୁବ୍ ବୁଦ୍ଧିମାନ ବୋଲି ମୁଁ ଜାଣେ । ଯାଅ । ମୋ ଦୁର୍ଗ ଦଖଲ କରି ମୋତେ ଖବର ଦିଅ । ତା’ପରେ ମୁଁ ଯିବି । ବର୍ତ୍ତମାନ ଟିକିଏ ଆରାମ୍ କରେ । ସେନାପତି ସୈନ୍ୟଦଳ ନେଇ ଚାଲିଗଲେ । ଦୁର୍ଗକୁ ଲେଉଟି କିପରି ଆରାମ୍ରେ ଜୀବନ ବିତାଇବେ, କମଲୁଦ୍ଦିନ ସେହି ସ୍ୱପ୍ନରେ ବିଭୋର ହୋଇ ବସିଥାନ୍ତି । କିଛି ସମୟ ପରେ ଜଣେ ସୈନିକ ଦୌଡି ଆସି କହିଲା, “ସୁଲତାନ୍! ଆମର ଦୁର୍ଭାଗ୍ୟ, ଆମେ ପରାସ୍ତ ହୋଇଗଲୁ । ଆପଣ ପଳାନ୍ତୁ, ନହେଲେ ବର୍ତ୍ତମାନ ଶତ୍ରୁସୈନ୍ୟ ଆସି ଆପଣଙ୍କୁ ମାରି ପକାଇବେ ।” କମଲୁଦ୍ଦିନଙ୍କ ହାତରୁ ତାଙ୍କ ପାନପାତ୍ର ଖସି ପଡିଲା । ସେ ପଳାଇଗଲେ । ଘୋର ଲଜ୍ଜାରେ ସେ ଆଉ ନିଜ ଆଶ୍ରୟଦାତାଙ୍କ ପାଖକୁ ଗଲେ ନାହିଁ । ପ୍ରାୟ ଦଶଦିନ ଘୋଡା ଛୁଟାଇ ସେ ଅନ୍ୟ ଏକ ରାଜ୍ୟରେ ଯାଇ ପହଁଚିଲେ । ସେଠାକାର ରାଜା ତାଙ୍କୁ ଚିହ୍ନି ନଥିଲେ । କମଲୁଦ୍ଦିନ୍ ତାଙ୍କ ଦେହରକ୍ଷୀ ଭାବରେ ଚାକିରୀ କଲେ । କିଛିଦିନ ବିତିଗଲା । ଦିନେ ଆଉ ଜଣେ ଶକ୍ତିଶାଳୀ ରାଜା ସେ ରାଜ୍ୟ ଆକ୍ରମଣ କଲେ । କମଲୁଦ୍ଦିନଙ୍କ ଆଶ୍ରୟଦାତା ରାଜା ସଙ୍ଗେ ସଙ୍ଗେ ନିଜ ସେନାପତିମାନଙ୍କୁ ଧରି ଯୁଦ୍ଧ କ୍ଷେତ୍ରକୁ ବାହାରିଗଲେ । ସେନାପତିମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ସେ ଯୁଦ୍ଧ କଲେ । ଯୁଦ୍ଧରେ ତାଙ୍କର ଜୟ ହେଲା । ଆକ୍ରମଣକାରୀ ସୈନ୍ୟଦଳ ଛିନ୍ଛତ୍ର ହୋଇଗଲେ । ଜୟଲାଭ ପରେ ରାଜ୍ୟରେ ଉତ୍ସବ ହେଲା । ସେତିକିବେଳେ କମଲୁଦ୍ଦିନ୍ ରାଜାଙ୍କୁ ପଚାରିଲେ, “ଆଜ୍ଞା, ଆପଣଙ୍କର ସେନାପତିମାନଙ୍କ ଯୁଦ୍ଧ କୌଶଳ ଦେଖିଲି । ସେମାନେ ବୀର ଓ ବୁଦ୍ଧିମାନ । ସେମାନେ ଥାଉ ଥାଉ ଆପଣ କାହିଁକି ଯୁଦ୍ଧକ୍ଷେତ୍ରକୁ ଗଲେ?” ରାଜା କହିଲେ, “ଯୁବକ! ମୁଁ ସେମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଲଢୁଥିଲି ବୋଲି ସେମାନେ ସେମାନଙ୍କ ଶକ୍ତି ଓ ବୁଦ୍ଧି ପୂର୍ଣ୍ଣ ମାତ୍ରାରେ ଖଟାଇଲେ । ରାଜା ନିଜେ ନେତୃତ୍ୱ ଦେଲେ ସାଧାରଣ ସୈନ୍ୟମାନେ ବି ଉତ୍ସାହ ଅନୁଭବ କରନ୍ତି । ଏହା ସ୍ୱାଭାବିକ । ତା’ଛଡା ମୋ ରାଜ୍ୟ ରକ୍ଷା ପାଇଁ ସେମାନେ ଜୀବନ ବିପନ୍ନ କରିବେ ଅଥଚ ମୁଁ ନିରାପଦ ରହିବି, ଏହା କିପରି କଥା?” ରାଜାଙ୍କ ଏଭଳି ଉତ୍ତର ସୁଲତାନଙ୍କ ଭିତରେ ବିରାଟ ପରିବର୍ତ୍ତନ ଆଣିଦେଲା । ସେ ସେହିଦିନ ରାତିରେ ସେଠାରୁ ଚାଲିଗଲେ । କେଇଦିନ ପରେ ଦିନେ ସଂନ୍ଧ୍ୟାବେଳେ ସେ ନିଜ ଦୁର୍ଗ ଦୁଆରେ ଯାଇ ପହଁଚିଲେ । “ତମେ କିଏ?” ବୋଲି ଦୁର୍ଗର ପ୍ରହରୀ ପ୍ରଶ୍ନ କରିବାରୁ ସେ ଧୀର କଣ୍ଠରେ କହିଲେ, “ମୋତେ ତମେ ଚିହ୍ନି ପାରୁନାହଁ? ମୁଁ ତମ ସୁଲତାନ୍ କମଲୁଦ୍ଦିନ୍ ।” ଅଳ୍ପ ସମୟ ଭିତରେ ସିପାହୀ ଓ ସାଧାରଣଲୋକେ ସେଠାରେ ଜମା ହୋଇଗଲେ । ସେତେବେଳକୁ ତାଙ୍କ ଦୁର୍ଗ ମାଡିବସିଥିବା ଅମୀରର ଅତ୍ୟାଚାରରେ ସମସ୍ତେ ତା’ର ଶତ୍ରୁ ହୋଇ ଯାଇଥାନ୍ତି । ସେମାନଙ୍କ ନିଜ ସୁଲତାନ୍ଙ୍କ ପାଇଁ ସେମାନେ ଅମୀର ବିରୁଦ୍ଧରେ ରାତାରାତି ବିଦ୍ରୋହ କଲେ । ଅମୀର ବନ୍ଦୀ ହେଲା । ସୁଲତାନ୍ ତାଙ୍କ ରାଜ୍ୟ ଫେରି ପାଇଲେ ଓ ସୁଶାସକ ଭାବରେ ଖ୍ୟାତି ଅର୍ଜିଲେ ।
ପତିପତ୍ନୀ ରଙ୍ଗପୁରର ରଙ୍ଗା ବଡ ଟିଙ୍ଗା ସ୍ୱଭାବର ଥିଲା । ତେଣୁ ପ୍ରତିଦିନ ସେ ତା’ସ୍ତ୍ରୀ ଉପରେ ଟିକିଏ ଟିକିଏ କଥାରେ ଖାଲି ରାଗିଯାଇ ତାକୁ ଗାଳିବର୍ଷଣ କରେ । ମାତ୍ର ତା’ସ୍ତ୍ରୀଟି ବଡ ଭଲ ସ୍ୱଭାବର ଥିଲା । କିନ୍ତୁ ତା’ର ଟିକିଏ ଭୁଲାପଣ ଅଛି ସବୁ ଭୁଲି ଯିବାରୁ ମଝିରେ ଅନେକ କାମ ବାକି ରହିଯାଏ; ରଙ୍ଗା ଘରକୁ ଫେରି ସବୁଥର ସ୍ତ୍ରୀକୁ ଗାଳିବର୍ଷଣ କରେ । ସ୍ତ୍ରୀ ସୀତା ଭୁଲ୍ ନ କରିବାକୁ ଯଥେଷ୍ଟ ସଚେତନ ହୁଏ, କିନ୍ତୁ ପାରେନାହିଁ । ଏଣୁ ରଙ୍ଗାର ରାଗ ମଧ୍ୟ ସଂଯମ ଭିତରେ ନଥାଏ । ରଙ୍ଗା ଯେତେବେଳେ ଯାଚ୍ଛାତା ଭାଷାରେ କ୍ରୋଧରେ ଲାଲ୍ ହୋଇଯାଇ ସ୍ତ୍ରୀକୁ ଗାଳିଦିଏ ସେତେବେଳେ ପାଖ ପଡୋଶୀ ଲୋକମାନେ ସେ ଦୃଶ୍ୟ ବହୁତ ଉପଭୋଗ କରନ୍ତି ଓ ହସନ୍ତି । ଏହିସବୁ ଅପମାନ ସୀତା ପ୍ରତି ବଡ ଅସହ୍ୟ ହୁଏ । ସେ ସ୍ୱାମୀକୁ ତାଙ୍କରଏହି ସ୍ୱଭାବ ପରିବର୍ତ୍ତନ କରିବାକୁ ବହୁତ ଚେଷ୍ଟା କରେ, କିନ୍ତୁ ସବୁ ବ୍ୟର୍ଥ । ଦିନେ ସଂଧ୍ୟାବେଳେ ରଙ୍ଗା ତା’ କ୍ଷେତକାମ ସାରି ଘରକୁ ଫେରି ସୀତାକୁ ପଚାରିଲା, “ଲୁଗାପଟା ସଫା କରିଚ ନା ନାହିଁ?” “ଭୁଲିଗଲି, ମୁଁ ଏବେ କ’ଣ କରିବି ।” ଏତିକି କହି ସୀତା ନିଜକୁ ଅନେକ ନିନ୍ଦା କରି ମଥା କୋଡିଲା । ଏହା ଶୁଣି ରଙ୍ଗା ଚିତ୍କାର କରି କହିଲା “ମୋତେ କେତେ ଅପମାନ ସହିବାକୁ ପଡିବ ତାହା ଜାଣିଛ । ଏବେ ମୋତେ ପଡୋଶୀ ଗ୍ରାମରେ ହେଉଥିବା ବିବାହ ଉତ୍ସବରେ ଯୋଗ ଦେବାକୁ ହେବ । ଅପରିଷ୍କାର ପୋଷାକ ପିନ୍ଧି ଯିବାକୁ ମୋତେ ଲାଜ ମାଡିବ ନାହିଁ? ତୁମକୁ ବିବାହ କରି ମୁଁ କେବଳ ଏପରି କଷ୍ଟ ଅପମାନ ସହୁଛି । ଏଣୁ ତୁମେ ମୋ ଜୀବନରେ ଏକ ଅଭିଶାପ ।” ରଙ୍ଗାର ଏଭଳି ଚିତ୍କାର ଶୁଣି ପଡୋଶୀ ଲୋକମାନେ ନିଜ ନିଜ ଘରୁ ବାହାରି ଆସି ସେମାନଙ୍କ ନାଟକ ଦେଖିଲେ । ସୀତା ଏଭଳି ପରିସ୍ଥିତିରେ ବଡ ଅପମାନିତ ଅନୁଭବ କଲା । ତା’ ଆଖିରୁ ଲୁହଧାରା ବୋହିବାକୁ ଲାଗିଲା । ସେ କହିଲା, “ବିବାହ ଉତ୍ସବ ତ କାଲିକି ଅଛି । ମୁଁ ଏବେ ତୁମ ଲୁଗା ଧୋଇ ସେସବୁକୁ ଶୁଖାଇ ଦେବି । ଯେପରିକି କାଲି ମଧ୍ୟରେ ତାହା ଶୁଖିଯିବ । ଏହାପରେ ତମେ ପରିଷ୍କାର ଲୁଗା ପିନ୍ଧି ବିବାହ ଉତ୍ସବକୁ ଯିବ ।” ସୀତାର କଥା ଶୁଣି ରଙ୍ଗା ଶାନ୍ତ ନ ହୋଇ କହିଲା, “ତୁମେ ଏ ବିଷୟରେ ଆଉ ବେଶି କିଛି ବି ବକ୍ ବକ୍ କରନା, ମୁଁ ଏହି ମଇଳା ଲୁଗା ପିନ୍ଧି ଯିବି ଓ ସେଠାରୁ ଅପମାନିତ ହୋଇ ଫେରିବି । ତେବେ ଯାଇ ତୁମର ଆତ୍ମା ତୃପ୍ତ ହେବ ।” ଏତିକି କହି ସେଠାରୁ ସେ ତୁରନ୍ତ ଚାଲିଗଲା । ରଙ୍ଗା ଯିବା ପରେ ପଡୋଶୀ ଘରୁ ଦୁଇ ତିନି ଜଣ ସ୍ତ୍ରୀ ଲୋକ ତାଙ୍କ ଘରକୁ ଆସି ସୀତାକୁ କହିଲେ, “ସୀତା, ତୁମକୁ ଦେଖି ଆମ ମନରେ ବଡ ଦୟା ଆସୁଛି, ତୁମର କଷ୍ଟ ଦେଖି ଆମର ମନରେ ବଡ ଦୁଃଖ ଆସୁଛି । ସାରା ସଂସାର ମଧ୍ୟରେ ତୁମ ପରି ବୋଧ ହୁଏ ଅନ୍ୟ କେଉଁ ସ୍ତ୍ରୀ ଏତେ କଷ୍ଟ ପାଉ ନଥିବ । ଏତେ ଅପମାନ ପାଇବା ପରେ ମଧ୍ୟ ତୁମେ ଯେ ବଂଚିକରି ରହିଛ । ତୁମ ସ୍ୱାମୀ ତ ଦୁର୍ବାସାମୁନିଙ୍କ ପରି କଥା କଥାରେ ଖାଲି କ୍ରୋଧ ପ୍ରକାଶ କରୁଛନ୍ତି । ଏପରି ଲୋକ ସହିତ ତୁମେ କେମିତି ଯେ ସଂସାର କରି ଚାଲିଛ? ତୁମ ସ୍ଥାନରେ ଆମେ ଥିଲେ ଆମେ ତ କେବେଠାରୁ ଆତ୍ମହତ୍ୟା କରିଥା’ନ୍ତୁ ।” ସେମାନେ ସୀତା ପ୍ରତି ସହାନୁଭୂତି ଦେଖାଇ ସୀତାକୁ ଏଭଳି କଥା ସବୁ କହିଲେ ଓ ନିଜ ନିଜ ଘରକୁ ଚାଲିଗଲେ । ସୀତା ଭାବିଲା ଯେ ଏମାନେ ଠିକ୍ କଥା କହୁଛନ୍ତି ଏପରି ଅସହ୍ୟ ଅପମାନ ସହି ବଂଚିବା ବ୍ୟର୍ଥ । ତେଣୁ ସେ ଗୋଟିଏ ଚିଠି ସ୍ୱାମୀକୁ ଲେଖିଲା ଓ ଖଟ ଉପରେ ସେହି ଚିଠିଟି ରଖିଦେଇ ଘର ଛାଡି ପଳାଇଲା । ସଂଧ୍ୟାକୁ ସ୍ୱାମୀ ଘରକୁ ଫେରିଲା ଓ ଚିଠିଟି ପଢିଲା । ଚିଠିଟି ପଢି ତା’ର ମନ ବଡ ଦୁଃଖ ହୋଇଗଲା । ସେ ସୀତାକୁ ଚାରିଆଡେ ଖୋଜିଲା । କିନ୍ତୁ କେଉଁଠି ହେଲେ ବି ସେ ତାକୁ ପାଇଲା ନାହିଁ । ପରଦିନ ସକାଳେ ଯାଇ ସେ ତା’ର ଶ୍ୱଶୁର ଘରେ ପହଁଚିଲା । ଦେଖିଲା ବାହାର ଘରେ ଶ୍ୱଶୁର ମହେନ୍ଦ୍ର ବସିଛନ୍ତି । ରଙ୍ଗା ଯାଇ ଶ୍ୱଶୁରଙ୍କୁ ସବୁକଥା ଡରି ଡରି କହିଲା ଓ ଦୁଃଖରେ କାନ୍ଦିବାକୁ ଲାଗିଲା । ମହେନ୍ଦ୍ର ସବୁ ଶୁଣି କହିଲେ, “ରଙ୍ଗା, ତୁମେ ବିବାହ ଉତ୍ସବକୁ ଯିବା ପରେ ତ ସେ ଏହି ଚିଠି ଲେଖିଛି । ତା’ପରେ ଯଦି ସେ ଆତ୍ମହତ୍ୟା କରିଥିବ ତେବେ ଗତ କାଲି ତ କରିଥିବ । କିନ୍ତୁ କାଲିଠାରୁ ସୀତା ପରି ଝିଅଟିଏ ଆମ ଘରେ ବୁଲୁଛି । ହୁଏତ ସେ ସୀତାର ପ୍ରେତ ହୋଇଥିବ ।” ଇତିମଧ୍ୟରେ ଘର ଭିତରୁ ସୀତା ବାହାରି ଆସି ପରିସ୍ଥିତି ବୁଝି ଯାଇ ନିଜ ମୁଣ୍ଡରେ ହାତ ଦେଇ କହିଲା, “ଓଃ ଏବେ ଏହି ଚିଠିଟି ଦେଖି ମୋର ସବୁ ଠିକ୍ ଠିକ୍ ମନେ ପଡୁଛି । ମୋର କି ଭୁଲାପଣ । ଆତ୍ମହତ୍ୟା କରିବାକୁ ଘରୁ ବାହାରି ମୁଁ ମୋ ବାପା ପାଖରେ ଆସି ସିଧା ପହଁଚିଗଲି ହେଲେ ଆତ୍ମହତ୍ୟା କରିବାକୁ ତ ମୁଁ ପୁରାପୁରି ଭୁଲିଗଲି । ଏପରି ସ୍ୱାମୀ ସହିତ ଚଳିବା ବଡ କଷ୍ଟସାଧ୍ୟ । ତେଣୁ ମୁଁ ଏବେ ଆତ୍ମହତ୍ୟା କରିବାକୁ ଯାଉଛି ।” ଏହା କହି ସୀତା ତୁରନ୍ତ କୂଅ ଆଡକୁ ଦୌଡିଲା । ସ୍ତ୍ରୀର ଏଭଳି କଥା ଶୁଣି ରଙ୍ଗା କହିଲା “ରହିଥାଅ ସୀତା; ମୋର ଦୁର୍ବ୍ୟବହାର ଯୋଗୁଁ ତୁମେ ମରିବାକୁ ଯାଉଥିଲ, ତା’ପରେ ମୋର ଅବସ୍ଥା ଯେ କ’ଣ ହୋଇଥା’ନ୍ତା? ତୁମର ସେହି ଭୁଲାପଣ ଯୋଗୁଁ ତ ତମେ ଏବେ ମଧ୍ୟ ବଂଚିଛ ଓ ତୁମକୁ ମୁଁ ଜୀବନ୍ତ ପାଇ ପାରିଲି । ମୋର କ୍ରୋଧ ଯୋଗୁଁ ତୁମେ ଆତ୍ମହତ୍ୟା କରିବାକୁ ଯିବ ବୋଲି ମୁଁ କଦାପି ବି ଜାଣି ନଥିଲି । ଆଜିଠାରୁ ମୁଁ ମଧ୍ୟ ମୋର କ୍ରୋଧକୁ ସଂଯମ କରିବି । ମୁଁ ଶାନ୍ତ ରହିବାକୁ ଚେଷ୍ଟା କରିବି ।” ସ୍ୱାମୀ କଥାରେ ଏକମତ ହୋଇ ସୀତା କହିଲା, “ମୁଁ ମଧ୍ୟ ଆଜିଠାରୁ ସବୁ ମନେ ରଖିବାକୁ ଚେଷ୍ଟା କରିବି । ତୁମେ ରାଗିବାର କାରଣ ତ ଅଛି । ମୋର ସବୁଦିନେ ଭୁଲ୍ ହେଉଛି । ତୁମେ ତ ଆଉ ଖାଲିରେ ରାଗୁନାହଁ ।” ମହେନ୍ଦ୍ର ଝିଅ ଜ୍ୱାଇଁଙ୍କ କଥା ଶୁଣୁଥିଲେ । ସେ ସେଠାକୁ ଆସି କହିଲେ, “ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ ଭଲ ବୁଝାମଣା ଥିବା ଦରକାର ତେଣୁ ବଦଭ୍ୟାସସବୁ ନିଜେ ନିଜେ ଛାଡିବାକୁ ଚେଷ୍ଟା କରିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ରାଗ, କ୍ରୋଧ, କ୍ଷମା ଏସବୁର ମୂଲ୍ୟ କିଛି ବି ନଥାଏ । ଦୁହିଁଙ୍କ ମଧ୍ୟରେ ସ୍ନେହ ଓ ପ୍ରେମ ରହିଲେ ସଂସାର କରି ଆନନ୍ଦରେ ରହି ପାରିବ ।” ମହେନ୍ଦ୍ରଙ୍କ କଥା ଦୁହେଁ ନୀରବରେ ଶୁଣିଲେ ଓ ଅଳ୍ପ ହସି ସ୍ୱୀକାର କଲେ । ସେହିଦିନଠାରୁ ସେମାନେ ଆଦର୍ଶ ଦମ୍ପତ୍ତି ହୋଇ ରହିଲେ ।
ବୁଦ୍ଧି ଓ ସିଦ୍ଧି ଜାମପୁର ଗୋଟିଏ ସମୃଦ୍ଧ ଓ ବଡ ଗାଁ ଥିଲା । ସେଠାକାର ଶିବନାଥଙ୍କ ଏକମାତ୍ର ପୁଅ ସୁଧୀର ନିଜ ଗାଁ ବିଦ୍ୟାଳୟରେ ପାଠ ଶେଷ କରି ଗୋଟାଏ ପ୍ରକାର ଅଳସୁଆ ହୋଇଗଲା । ଖାଲିଟାରେ ବାରାନ୍ଦାରେ ବସିଥିବ, ନହେଲେ ଖଟିଆରେ ଶୋଇ ରହିଥିବ । କିଛି କାମଦାମରେ ମନ ଦେଲା ନାହିଁ । ଶିବନାଥ କି ତା’ ବୋଉ ତାକୁ ଯେତେ ବୁଝାଇଲେ ବି କିଛି ଫଳ ହେଲା ନାହିଁ । ଶିବନାଥଙ୍କର ଜଣେ ବନ୍ଧୁ ଥିଲେ । ତାଙ୍କ ନାମ ଗୋବିନ୍ଦ । ଗୋବିନ୍ଦବାବୁଙ୍କ ଝିଅ ବାହାଘର ହେବାର ଥାଏ । ଗାଁ ବାହାରେ ତାଙ୍କର ଖଣ୍ଡିଏ ପଡିଆ ଜମି ଥିଲା । ସେ ଖଣ୍ଡି ବିକ୍ରିକରି ଦେଇ ସେଥିରେ ବାହାଘର ଖର୍ଚ୍ଚ ତୁଲାଇବେ ବୋଲି ସେ ସ୍ଥିର କରିଥିଲେ । ଜମି ଖଣ୍ଡିକ ଭଲ ଦାମ୍ରେ ଯେ କୌଣସି ଥିଲାବାଲା ଲୋକ କିଣିବ ବୋଲି ସେ ନିଶ୍ଚିତ ଥିବାରୁ ସେ ଦିଗରେ ବେଶି ତତ୍ପରତା ଦେଖାଇ ନ ଥିଲେ । ବାହାଘର ଆଉ ଦେଢମାସ ଅଛି, ସେ ଜମି ବିକିବାକୁ ବାହାରିଲେ । କିନ୍ତୁ କୌଣସି ଲୋକ ସେ ଦାବୀ କରୁଥିବା ମୂଲ୍ୟ ଦେବାକୁ ଆଦୌ ପ୍ରସ୍ତୁତ ନଥିଲେ । ଗୋବିନ୍ଦବାବୁ ଏଥର ବଡ ଅଡୁଆରେ ପଡିଲେ । ଜମିର ଯାହା ଉଚିତ୍ ମୂଲ୍ୟ, ଲୋକେ ତାହା ଦେବାକୁ କାହିଁକି ପ୍ରସ୍ତୁତ ନୁହଁନ୍ତି, ସେକଥା ସେ ବୁଝିପାରୁ ନଥିଲେ । ଦିନେ ସେ ଦୁଃଖିତ ଭାବରେ ତାଙ୍କ ବନ୍ଧୁ ଶିବନାଥଙ୍କ ଘରକୁ ଆସି ନିଜ ସମସ୍ୟା କଥା କହିଲେ । ଶିବନାଥ ବା କ’ଣ ସାହାଯ୍ୟ କରିବେ? ଖାଲି ସହାନୁଭୂତି ପ୍ରକାଶ କରିବା ଛଡା ତାଙ୍କର ଆଉ କିଛି ମଧ୍ୟ କରିବାର ନଥିଲା । ହଠାତ୍ ପାଖ କୋଠରୀରୁ ସୁଧୀରର କଣ୍ଠସ୍ୱର ଶୁଭିଲା । ସେ କହିଲା, “ଗୋବିନ୍ଦ କକା! ଆପଣ ଛଅମାସ ଆଗରୁ ଜମି ବିକିଥିଲେ ଏ ପରିସ୍ଥିତି ଉପୁଜି ନଥାନ୍ତା । ବର୍ତ୍ତମାନ ସମସ୍ତେ ଜାଣନ୍ତି କି ଆପଣଙ୍କ ଝିଅ ବାହାଘର ନିକଟ ହୋଇ ଆସିଲାଣି ଏବଂ ଆପଣଙ୍କର ଟଙ୍କା ଜରୁରୀ ଲୋଡା । ଆପଣ ଜମି ବିକିବାକୁ ବାଧ୍ୟ । ତେଣୁ ସମସ୍ତେ କମ୍ ଦାମ୍ ଦେଇ ପରିସ୍ଥିତିର ସୁବିଧା ନେବାକୁ ଚାହୁଁଛନ୍ତି । ଗୋଟାଏ କାମ କରନ୍ତୁ । ଜମିଦାର ତୀର୍ଥଯାତ୍ରାରୁ ଗତକାଲି ଫେରିଛନ୍ତି । ସେ ଆପଣଙ୍କ ଝିଅ ବାହାଘର କଥା ଜାଣି ନାହାଁନ୍ତି । ତା’ଛଡା ଆପଣଙ୍କର ସେ ଜମି ଖଣ୍ଡିକ ତାଙ୍କ ତୋଟାକୁ ଲାଗିଛି । ଆପଣ ଯାଇ ତାଙ୍କୁ କହନ୍ତୁ । ସେ ଉଚିତ୍ ମୂଲ୍ୟ ଦେଇ ତାହା କିଣି ନେବେ ।” ସୁଧୀରର ପରାମର୍ଶ ଗୋବିନ୍ଦବାବୁଙ୍କ ମନରେ ନୂତନ ଆଶାର ସଂଚାର କଲା । ସେ ଜମିଦାରଙ୍କ ପାଖକୁ ଗଲେ । ସତରେ ଜମିଦାର ତାଙ୍କ ତୋଟାକୁ ଲାଗିଥିବା ଜମି ପାଇ ଖୁବ୍ ଆନନ୍ଦିତ ହେଲେ ଏବଂ ସ୍ୱତଃସ୍ଫୁର୍ତ ଭାବରେ ଜମିର ସାଧାରଣ ମୂଲ୍ୟ ଅପେକ୍ଷା କିଛି ବେଶି ମଧ୍ୟ ଦେଲେ । ଗୋବିନ୍ଦବାବୁଙ୍କ ଝିଅ ବାହାଘର ଖୁବ୍ ଭଲରେ ହୋଇଗଲା । ତା’ପରେ ଦିନେ ସେ ବନ୍ଧୁ ଶିବନାଥଙ୍କ ଘରକୁ ଆସି ସିଧା ସୁଧୀର ପାଖକୁ ଯାଇ କହିଲେ, “ବାପା ସୁଧୀର! ତମ ସହ ମୁଁ କିଛି ଖୋଲାଖୋଲି କଥାବାର୍ତ୍ତା କରିବି । ତମେ କିଛି ମନେ କରିବ ନାହିଁ । ଲୋକେ ତମକୁ ଅଳସୁଆ ବୋଲି କହନ୍ତି । ତମର ବୁଦ୍ଧି ନାହିଁ ବୋଲି ତମେ କିଛି କାମଦାମ କରୁନାହଁ, କେତେକଙ୍କ ମନରେ ଏଭଳି ଧାରଣା ମଧ୍ୟ ହୋଇଛି । ମୁଁ ଜାଣେ ଏ ଧାରଣା କେଡେ ଭୁଲ୍ । ତମେ କିଛି କର ।” ସୁଧୀର ଜବାବ୍ ଦେଲା “ଲୋକେ କ’ଣ କହିଲେ ବୋଲି ମୁଁ କିଛି କରିବି? କାହିଁକି? ଲୋକେ ତ ଯାହା ମନ ତାହା କହି ଦିଅନ୍ତି । ସେସବୁ ପ୍ରତି ମୁଁ କେବେବି ଖାତିର୍ କରେ ନାହିଁ ।” ଗୋବିନ୍ଦବାବୁ ବୁଝାଇ କହିଲେ “ପୁଅ, ସେକଥା ନୁହେଁ । ମୁଁ ଜାଣେ ତମର ବୁଦ୍ଧି ଅତି ପ୍ରଖର । ତମେ ତା’ର ସଦୁପଯୋଗ କାହିଁକି ନ କରିବ? ତମେ ତ ବାରାନ୍ଦାରେ ବସି ବସି ଅନେକ ସମୟ କଟାଇ ଦିଅ । ସେମିତି ବସିବ । ଖଣ୍ଡିଏ ପଟା ଖାଲି କାନ୍ଥରେ ଝୁଲିବ । ସେଥିରେ ତମ ନାମ ଲେଖା ରହିବ ଏବଂ ତାହା ପୁଣି ତଳେ ରହିବ: ‘ସର୍ବସାଧାରଣ ଉପଦେଷ୍ଟା’ । ଲୋକେ ସେମାନଙ୍କ ସମସ୍ୟା ବିଷୟ ତମକୁ କହିବେ । ତମେ ସେମାନଙ୍କୁ ସମାଧାନ ବିଷୟରେ ପରାମର୍ଶ ଦେବ । ଏଥିରେ କିଛି ପରିଶ୍ରମ ନାହିଁ । ବସି ରହି କିଛି ଉପାର୍ଜନ ବି ହେବ, ତମ ବୁଦ୍ଧି ବି କାମ କରିବ ଓ ତମକୁ ଆନନ୍ଦ ଦେବ । କଥା କ’ଣ କି, ଅଳସୁଆ ହୋଇ ବସି ରହିଲେ ତା’ର ଶେଷ ପରିଣତି ବିଷାଦ ଓ ହତାଶା ହୁଏ ।” ସୁଧୀର ନୀରବ ରହିବାର ଦେଖି ଗୋବିନ୍ଦବାବୁ ଉତ୍ସାହ ଅନୁଭବ କଲେ ଓ ପୁଣି ସେ କହିଲେ, “ମାତ୍ର ମାସଟିଏ ପରୀକ୍ଷା କରାଯାଉ । ଯଦି ଭଲ ନ ଲାଗିବ, ତେବେ କାମ ବନ୍ଦ କରିଦେବା । ପଟା ଖଣ୍ଡିକ ଖାଲି ଆଣିଲେ ଗଲା!” ସୁଧୀର କୁଣ୍ଠିତ ଭାବରେ କହିଲା “ହେଉ!” ସେହିଦିନ ଉପରଓଳି ଗୋବିନ୍ଦବାବୁ ପଟାରେ ଯାହା ଲେଖା ହେବା କଥା ଲେଖି ଆଣିଲେ ଓ ତାହା ଟଙ୍ଗାଇ ଦେଲେ । ସୁଧୀର ପାଖରେ ସିଏ ବି ବସିଲେ । ଦୁଇ ତିନିଦିନ ଗଲା । କେହି କୌଣସି ଉପଦେଶ ପାଇଁ ଆସିଲେ ନାହିଁ । ତା’ପରେ ଦିନେ ସକାଳେ ଜଣେ ମେଷପାଳକ ସେବାଟେ ଯାଉଥିବା ବେଳେ ପଟାଟି ପଢି ରହିଗଲା ଓ କହିଲା, “ହଇହୋ ବାବୁ, ମୋତେ ଗୋଟାଏ ଉପଦେଶ ଦେଇ ପାରିବ?” ଗୋବିନ୍ଦବାବୁ ପଚାରିଲେ “କ’ଣ ତମ ସମସ୍ୟା?” ଆମେ ଆମ ମେଣ୍ଢା ପଲ ଓ ଛେଳି ପଲ ଚରାଇବା ପାଇଁ ପାହାଡ ସେପଟେ ଚାଳିମାନ କରି ରହିଥାଉ । ଆମେ ଆଠଜଣ ଅଛୁ । ସମସ୍ତେ ସାରା ରାତି ପହରା ଦେବା ସତ୍ତ୍ୱେ ହେଟା ବାଘ ଆସି ଆମର ଗୋଟାଏ ଦୁଇଟା ଛେଳିଛୁଆ ବା ମେଣ୍ଢାଛୁଆ ଚୋରାଇ ନେଇ ଯାଉଛନ୍ତି । ଆମେ ବି ଭୋର ଆଡକୁ କ୍ଳାନ୍ତ ହୋଇ ଶୋଇ ପଡିବାରୁ ସେମାନେ ଏ ସାହସ କରୁଛନ୍ତି । କ’ଣ କରାଯିବ କହିଲ?” ସୁଧୀର ଧୀର ଭାବରେ କହିଲା, “ଦେଖ ଭାଇ, ତମେ ଆଠଜଣଯାକ ରାତି ଅନିଦ୍ରା ରହି ଭୋର ଆଡକୁ ଶୋଇ ପଡୁଛ । ଏହାର କୌଣସି ଯୁକ୍ତି ନାହିଁ । ପ୍ରତି ରାତିରେ ପାଳି କରି ଦୁଇଜଣ ଲେଖାଏଁ ଚେଇଁଲେ ଚଳିବ । ତମେ ଭାବୁଥିବ, ଦୁଇଜଣ କିପରି ଏଡେ ବ୍ୟାପକ ଅଂଚଳକୁ ଓଗାଳିବ । ଓଗାଳିବା ଲୋଡା ନାହିଁ । ରାତିଯାକ ମଧ୍ୟେ ମଧ୍ୟେ ଢୋଲ ପିଟୁଥିବ! ଆଉ ଯେଉଁ ପାଖରୁ ସାଧାରଣତଃ ହେଟାମାନେ ଆସନ୍ତି, ସେଠି ନିଆଁ ଜଳାଇ ରଖିବ ।” ଲୋକଟି ଚାଲିଗଲା । ଦୁଇଦିନ ପରେ ଆସି ଅତି ଆନନ୍ଦରେ କିଛି ପଇସା ଦେଇଗଲା ଓ କହିଗଲା କି ସୁଧୀର ଦେଇଥିବା ପରାମର୍ଶ ଖୁବ୍ କାମ ଦେଇଛି । ଏକଥା ଗ୍ରାମଯାକ ରାଷ୍ଟ୍ର ହୋଇଗଲା । ଲୋକେ ସେମାନଙ୍କ ସମସ୍ୟା ବିଷୟରେ ଏଣିକି ପରାମର୍ଶ କରିବାକୁ ଆସିଲେ । ସୁଧୀରର ବୁଦ୍ଧିର ତାରିଫ୍ କରିବା ସଙ୍ଗେ ସଙ୍ଗେ ସେମାନେ ପଇସା ବି ଦେଲେ । ଜମିଦାର ଏକଥା ଶୁଣିଲେ । ସେ ସୁଧୀରକୁ ଡକାଇ ତାଙ୍କ ସମସ୍ୟା ଥୋଇଲେ । ତାଙ୍କ ଜୁଆଇଁ ମଦ୍ୟପ ହୋଇଯାଇଥାଏ । ଶତ ପରାମର୍ଶରେ ସେ ନିଶା ଛାଡିବାକୁ ରାଜି ହେଉ ନଥାଏ । ସୁଧୀରର ପରାମର୍ଶ ଅନୁସାରେ ଜମିଦାର ଗାଁ କବିରାଜଙ୍କୁ ଡକାଇ ଗୋଟିଏ ଗୁଣ୍ଡ ପ୍ରସ୍ତୁତ କଲେ । ଝିଅ ଦ୍ୱାରା ମଦ ସହ ସେ ଗୁଣ୍ଡ ମିଶାଇ ଦିଆଗଲା । ତା’ପରେ ମଦ ପିଇବା ପରେ ଜୁଆଇଁ ଅଚେତ୍ ହୋଇଯାନ୍ତି । କବିରାଜ ଆସି କହିଲେ, “ଏଣିକି ବାବୁସାଆନ୍ତଙ୍କ ଅବସ୍ଥା ଏମିତି ହେଲାଣି ଯେ ଆଉ ମଦ ପିଇଲେ ଚେତା ମୋଟେ ଫେରିବ ନାହିଁ, ଅର୍ଥାତ୍ ସେ ଆମକୁ ଛାଡି ଚାଲିଯିବେ!” ଜୁଆଇଁଙ୍କ ହୋସ୍ ଫେରିଲା । ସେ ମଦ ପିଆ ଛାଡିଦେଲେ । ଏତିକି ବେଳେ ରାଜ୍ୟରେ ଗୋଟାଏ ଗୁରୁତର ସଙ୍କଟ ଦେଖାଦେଲା । ରାଜା ଅନେକ ଦିନ ହେବ ଅସୁସ୍ଥ ରହିଥିଲେ । ଏହି ଦୁର୍ଭାଗ୍ୟଜନକ ଅବସ୍ଥାର ସୁଯୋଗ ନେଇ ପଡୋଶୀ ରାଜ୍ୟର ରାଜା ଗୋଟିଏ ଦକ୍ଷ ସୈନ୍ୟଦଳ ଧରି ହଠାତ୍ ଆସି ଏ ରାଜ୍ୟର ରାଜଧାନୀରେ ପହଁଚିଗଲେ ଏବଂ ଅସୁସ୍ଥ ରାଜାଙ୍କୁ କହିଲେ, “ତମେ ତ ଆଉ ଭଲ ହୋଇ ପାରିବ ନାହିଁ । ଅତଏବ ରାଜ୍ୟ ମୋତେ ଦେଇ ଦିଅ । ନହେଲେ ଯୁଦ୍ଧ ହେବ ।” ସମସ୍ତେ ତଟସ୍ଥ! ରାଜା ସୁଧୀରକୁ ଡକାଇ ତା’ର ପରାମର୍ଶ ଲୋଡିଲେ । ସୁଧୀର ଯାହା କହିଲା, ତାହା ରାଜାଙ୍କ ମନକୁ ବେଶ୍ ପାଇଲା । ପରଦିନ ଅତି କୌଶଳରେ ରାଜ୍ୟଯାକ ଗୁପ୍ତଚରମାନେ ଏହା ପ୍ରଚାର କରିଦେଲେ ଯେ ରାଜା ମିଛରେ ଅସୁସ୍ଥ ବୋଲି କୁହାଯାଇ ଶତ୍ରୁ ରାଜାକୁ ପ୍ରଲୁବ୍ଧ କରି ଏଠାକୁ ଅଣାଯାଇଛି । ବିଚରା ଶତ୍ରୁରାଜା ବର୍ତ୍ତମାନ ଏଠି ଜାଲରେ ପଡିଛି । ଏଠାକାର ସୈନ୍ୟମାନେ ଯାଇ ତା ରାଜ୍ୟ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏକଥା ଶତ୍ରୁ ପକ୍ଷର ଗୁପ୍ତଚରମାନେ ଶୁଣିଲେ ଓ ଛାଉଣି ପକାଇ ରହିଥିବା ଶତ୍ରୁ ରାଜାଙ୍କୁ କହିଲେ । ରାତାରାତି ସେ ଓ ତାଙ୍କ ସୈନ୍ୟଦଳ ସେଠାରୁ ପଳାଇଗଲେ । ଏ ଘଟଣା ଏ ରାଜାଙ୍କୁ ଏଡେ ଖୁସି ଦେଲା ଯେ ସେ ତାଙ୍କ ଅସୁସ୍ଥତା କଥା ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ ଓ କ୍ରମେ ସୁସ୍ଥ ହେଲେ ।
ସଚ୍ଚା ଶିଳ୍ପୀ ମନ୍ଦାକିନୀ ନଦୀ ତୀରରେ ମରକତପୁର ଗୋଟିଏ ସମୃଦ୍ଧ ଗ୍ରାମ ଥିଲା । ଏ ଗ୍ରାମର ଲୋକେ ସାହିତ୍ୟ, ସଂଗୀତ, ନୃତ୍ୟ ଇତ୍ୟାଦି କଳାର ବିଶେଷ ଆଦର କରୁଥିଲେ । ସେଥିପାଇଁ ସାରା ରାଜ୍ୟରେ ଏ ଗ୍ରାମର ବିଶେଷ ଖ୍ୟାତି ଥିଲା । ଗ୍ରାମବାସୀମାନେ ବାରମାସରେ ତେର ପର୍ବ ପାଳନ କରୁଥିଲେ । ତେବେ ସବୁଠାରୁ ବଡ ଉତ୍ସବ ଦେବୀ ମଙ୍ଗଳାଙ୍କ ବାର୍ଷିକ ପୂଜା ଥିଲା । ମଙ୍ଗଳା ସେ ଗ୍ରାମର ଆରାଧ୍ୟା ଦେବୀ ବୋଲି ସମସ୍ତ ଗ୍ରାମବାସୀ ଏ ଉତ୍ସବରେ ମନପ୍ରାଣ ଢାଳି ଅଂଶ ଗ୍ରହଣ କରୁଥିଲେ । ଉତ୍ସବ ତିନିଦିନ ଧରି ବ୍ୟାପି ଚାଲୁଥିଲା । ନୃତ୍ୟଶିଳ୍ପୀ ମାଳବିକା ଶେଷ ସନ୍ଧ୍ୟାରେ ନୃତ୍ୟ ପରିବେଷଣ କରୁଥିଲେ । ତାଙ୍କ ନୃତ୍ୟହିଁ ଉତ୍ସବର ସବୁଠାରୁ ବେଶି ଜନପ୍ରିୟ ଆକର୍ଷଣ ଥିଲା । ମାଳବିକା ବାସ୍ତବିକ ଜଣେ କୁଶଳୀ କଳାକାର ଥିଲେ । ନୃତ୍ୟକୁ ସେ ଜୀବନ ବୋଲି ଗ୍ରହଣ କରିନେଇଥିଲେ । ତାଙ୍କ ଯୋଗୁଁ ମରକତପୁରର ଅଧିବାସୀମାନେ ଯେ ଗର୍ବ ଅନୁଭବ କରୁଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ । ବର୍ଷେ ଅସୁସ୍ଥତା ଯୋଗୁଁ ସେ ଆଉ ନାଚି ପାରିଲେ ନାହିଁ । ଉତ୍ସବ ପରେ ତାଙ୍କୁ ଯିଏ ଦେଖିଲା ସିଏ କହିଲା, “ମାଳବିକା! ତୁମ ନୃତ୍ୟ ବିନା ଉତ୍ସବ ଏଥର ଶୁଖିଲା ଲାଗିଲା!” ମାଳବିକା ମନେ ମନେ ବୁଝିଲେ ଯେ ତାଙ୍କୁ ବାଦ୍ ଦେଲେ ଉତ୍ସବ ବିଶେଷତ୍ୱ ହରାଇବ । ପରବର୍ଷ ଯେତେବେଳେ ଉତ୍ସବ ସମୟ ପାଖ ହୋଇ ଆସିଲା ଏବଂ ଉତ୍ସବ ସମିତି ଆୟୋଜନରେ ଲାଗି ପଡିଲେଣି ବୋଲି ମାଳବିକା ବୁଝିଲେ, ସେ ସମିତିର କର୍ମକର୍ତ୍ତାମାନେ ତାଙ୍କୁ ଭେଟନ୍ତୁ ବୋଲି ଖବର ପଠାଇଲେ । ମାଳବିକା ଏଭଳି ନିର୍ଦେଶ ଦେବା ସମିତିର କର୍ମକର୍ତ୍ତାମାନଙ୍କୁ ନୂଆ ଲାଗିଲା । ତେବେ ହୁଏତ ରଙ୍ଗମଞ୍ଚ ବା ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ତାଙ୍କର କିଛି କହିବାର ଥିବ, କର୍ମକର୍ତ୍ତାମାନେ ଏଇଆ ଭାବିଲେ । ସମିତିର ସମ୍ପାଦକ ଓ କୋଷାଧ୍ୟକ୍ଷ ତାଙ୍କୁ ଭେଟିବାକୁ ଆସିଲେ । ମାଳବିକା ସେମାନଙ୍କୁ କୌଣସି ସମ୍ମାନ ନ ଦେଖାଇ କହିଲେ, “ଦେଖନ୍ତୁ, ଆପଣମାନେ ମୋତେ ମୋ ନୃତ୍ୟ ପାଇଁ ପ୍ରତିବର୍ଷ ମାତ୍ର ଶହେ ସ୍ୱର୍ଣ୍ଣମୁଦ୍ରା ଦିଅନ୍ତି । କିନ୍ତୁ ଏଣିକି ଦୁଇଶହ ସ୍ୱର୍ଣ୍ଣମୁଦ୍ରା ନହେଲେ ମୋ ପକ୍ଷରେ ନୃତ୍ୟ ପ୍ରଦର୍ଶନ କରିବା ଆଦୌ ସମ୍ଭବପର ହେବ ନାହିଁ । ସେହି ଅନୁସାରେ ବ୍ୟବସ୍ଥା କରନ୍ତୁ ।” ମାଳବିକାଙ୍କ ଏଭଳି ବ୍ୟବହାରରେ କର୍ମକର୍ତ୍ତାମାନେ ଅତ୍ୟନ୍ତ ବିସ୍ମିତ ହେଲେ । ନୃତ୍ୟ ପ୍ରଦର୍ଶନ ହେବ ବୋଲି ପ୍ରଚାର ହୋଇ ଯାଇଥିଲା । ଦୂରରୁ ଲୋକେ ଆସିବେ । ଅଥଚ ମାଳବିକାଙ୍କୁ ଅଧିକ ଶହେ ସ୍ୱର୍ଣ୍ଣମୁଦ୍ରା ଦେଲାଭଳି ପୁଞ୍ଜି ସମିତିର ନଥିଲା । ପୁଣି, ସେ ରାଜ୍ୟର ନିୟମ ଅନୁସାରେ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ଚାନ୍ଦା ଆଦାୟ କରିବାକୁ ହେଲେ ରାଜାଙ୍କ ଅନୁମତି ଲୋଡା । ସମିତିର ସଭାପତି ଓ ସମ୍ପାଦକ ରାଜାଙ୍କ ପାଖକୁ ଗଲେ ଓ ଯେଉଁ ସମସ୍ୟା ଉପୁଜିଥିଲା, ସେକଥା ସେମାନେ ରାଜାଙ୍କୁ ଜଣାଇଲେ । ରାଜା ଟିକିଏ ଚିନ୍ତା କରି କହିଲେ, “ଆଚ୍ଛା, ଅଧିକା ଅର୍ଥ ମୁଁ ଦେଇଦେବି । ଚାନ୍ଦା ଅସୁଲ୍ କରିବା କିଛି ଦରକାର ନାହିଁ । ତମ ଉତ୍ସବର ଶେଷ ଦିନ ପରା କେହି ବିଶିଷ୍ଟ ବ୍ୟକ୍ତି ପ୍ରବଚନ ଦିଅନ୍ତି? ଏ ବର୍ଷ କିଏ ଦେବେ?” ସମିତିର ସଭାପତି କହିଲେ “ମହାରାଜ! ଏଯାଏଁ ତ ଆମେ ତାହା ସ୍ଥିର କରି ନାହୁଁ ।” ରାଜା ପଚାରିଲେ “ବେଶ୍ । ମୋର ଜଣେ ବନ୍ଧୁ ସାଧୁ ହୋଇ ହିମାଳୟରେ ଥିଲେ । ତାଙ୍କ ନାମ ଧୀରାନନ୍ଦ । ତାଙ୍କୁ ପଠାଇବି?” ସଭାପତି ଓ ସମ୍ପାଦକ କହିଲେ, “ମହାରାଜ! ତାହାଠୁ ବଳି ଆଉ କ’ଣ ବା ଭଲ ହୋଇପାରେ?” ଉତ୍ସବର ଶେଷ ଦିନ ଯଥା ସମୟରେ ସ୍ୱାମୀ ଧୀରାନନ୍ଦ ଆସି ସେଠାରେ ପହଁଚିଗଲେ । ଗ୍ରାମବାସୀମାନେ ତାଙ୍କୁ ବହୁତ ଶ୍ରଦ୍ଧା ସମ୍ମାନ ଦେଖାଇ ସ୍ୱାଗତ କଲେ । ସନ୍ଧ୍ୟାରେ ନୃତ୍ୟ ଆରମ୍ଭ ହେବା ପୂର୍ବରୁ ସ୍ୱାମୀ ଧୀରାନନ୍ଦ ବକ୍ତୃତା ଦେଲେ । ତାଙ୍କୁ ସ୍ୱୟଂ ରାଜା ପଠାଇଥିବା ଯୋଗୁଁ ସବୁ ବିଶିଷ୍ଟ ଲୋକେ ସେହି ସଭାରେ ଥା’ନ୍ତି । ଆଗରେ ମାଳବିକା ମଧ୍ୟ ବସିଥାନ୍ତି । କିଛି ଆଧ୍ୟାତ୍ମିକ କଥା କହିସାରି ଧୀରାନନ୍ଦ କହିଲେ, “ମଣିଷର ମହତ୍ୱ ଜଣାଯାଏ ତା’ର କରୁଣା ବୋଧ କେତେଦୂର, ତହିଁରୁ । ଯେତେବେଳେ ଶିଶୁ କହେ, ‘ମା! ତମେ କାଲି କୁଆଡେ ଚାଲିଗଲ? ମୋତେ ଏକୁଟିଆ ବହୁତ ଭୟ ଲାଗିଲା!’ ସେତେବେଳେ ମା ମନେ ମନେ ସିଦ୍ଧାନ୍ତ କରେ କି ସେ ଆଉ ଶିଶୁକୁ ଏକୁଟିଆ ଛାଡି କୁଆଡେ ଯିବ ନାହିଁ । ମା ସେତେବେଳେ ଲାଭ କ୍ଷତିର ବିଚାର କରେ ନାହିଁ । ଏହି ମାତୃ-କରୁଣାହିଁ ଯେ କୌଣସି ସ୍ତ୍ରୀ ଲୋକର ସବୁଠାରୁ ବଡ ଗୁଣ । ଏହି କରୁଣା ଖାଲି ଶିଶୁ ପ୍ରତି ନୁହେଁ, ସ୍ୱାମୀ ତଥା ଅନ୍ୟ ସମସ୍ତଙ୍କ ପ୍ରତି ପ୍ରବାହିତ ହୁଏ । ସେହିପରି ଯିଏ ଗାୟୀକା ବା ନର୍ତକୀ, ସିଏ ଲାଭ କ୍ଷତିର ବିଚାର କରେ ନାହିଁ । ଭଗବାନ ତାକୁ କଳାଜ୍ଞାନ ଦେଇଛନ୍ତି । ତାକୁ ପରିବେଷଣ କରିବା ତା’ର ସ୍ୱାଭାବିକ ଧର୍ମ ବୋଲି ସେ ତାହା କରେ । ଯେତେବେଳେ ଦର୍ଶକମାନେ କହନ୍ତି, ‘ତମେ ନାଚିଲ ନାହିଁ ବୋଲି ଆନନ୍ଦରୁ ବଞ୍ଚିତ ହେଲୁ’, ସେତେବେଳେ ସଚ୍ଚା ଶିଳ୍ପୀ ନିଜକୁ ଆଉ ସମ୍ଭାଳି ପାରେ ନାହିଁ । ସେ ନିଜର ସବୁ ପ୍ରତିଭା ଖଟାଇ ନାଚେ । ଏହାହିଁ ତା’ର ମାତୃ-ହୃଦୟର ପରିଚୟ, ମହତ୍ କରୁଣାର ପରିଚୟ । ମଣିଷ ଏହିଭଳି ମହତ୍ୱ ଯୋଗୁଁ ମଣିଷ ପଦବାଚ୍ୟ ।” ମାଳବିକା ସ୍ତବ୍ଧ ହୋଇ ପ୍ରବଚନ ଶୁଣୁଥିଲେ । ସେ ସଭା ପରେ ଧୀରାନନ୍ଦଙ୍କୁ ଭେଟିବାକୁ ମନ୍ଦିର-ସଂଲଗ୍ନ କୋଠରୀ ଭିତରକୁ ଯାଇ ଆଶ୍ଚର୍ଯ୍ୟ ହୋଇ ଦେଖନ୍ତି ତ ଧୀରାନନ୍ଦ ବଦଳରେ ରାଜା ଠିଆ ହୋଇଛନ୍ତି । ସେ ବୁଝିଲେ, ରାଜାହିଁ ଧୀରାନନ୍ଦର ଛଦ୍ମବେଶରେ ଆସିଥିଲେ । ମାଳବିକା କାନ୍ଦି ପକାଇ କହିଲେ, “ମହାରାଜ! ମୋତେ କ୍ଷମା କରନ୍ତୁ । ଅହଂକାରର ବଶୀଭୁତ ହୋଇ ମୁଁ ମୋ କଳା ପ୍ରତି ଅସମ୍ମାନ କରିଛି । ଆପଣ ମୋର ଚକ୍ଷୁ ଖୋଲିଦେଲେ । ମୋର ମୋଟେ ପାରିଶ୍ରମିକ ଲୋଡା ନାହିଁ ।” ଏହାର କିଛି ସମୟ ପରେ ମାଳବିକା ଯେଉଁ ନୃତ୍ୟ ପରିବେଷଣ କଲେ, ତାହା ଦେଖି ଦର୍ଶକମାନେ ଧନ୍ୟ ଧନ୍ୟ କହିଲେ । ନୃତ୍ୟ ଶେଷରେ ରାଜା ଘୋଷଣା କଲେ କି ମାଳବିକା ତେଣିକି ରାଜ୍ୟର ସମ୍ମାନିତ ନୃତ୍ୟଶିଳ୍ପୀ ରୂପେ ଗଣା ହେବେ । ସେ ରାଜକୋଷରୁ ଭତ୍ତା ପାଇବେ । ରାଜାଙ୍କ ଏ ଘୋଷଣାରେ ସମସ୍ତେ ଆନନ୍ଦିତ ହେଲେ । ମାଳବିକା କ୍ରମେ ନୃତ୍ୟଶିଳ୍ପୀ ହିସାବରେ ଅଧିକରୁ ଅଧିକ ଖ୍ୟାତି ଲାଭ କଲେ । ଯେଉଁ କନ୍ୟାମାନେ ନୃତ୍ୟ ଶିଖିବା ଦିଗରେ ଆଗ୍ରହ ପ୍ରକାଶ କଲେ, ସେମାନଙ୍କୁ ମଧ୍ୟ ସେ ନୃତ୍ୟ ଶିକ୍ଷା ଦେଲେ । କିନ୍ତୁ ସମସ୍ତଙ୍କୁ ସେ କହନ୍ତି, “କଳାର ମୂଲ୍ୟ ଟଙ୍କା ଦ୍ୱାରା ନିରୂପଣ କରିବ ନାହିଁ ।”
ବୈରାଗ୍ୟ ମହାରାଜା ମହାଜନକ ସନ୍ନ୍ୟାସ ଜୀବନ ଯାପନ କରିବା ଉଦ୍ଧେଶ୍ୟରେ ରାଜପ୍ରସାଦ ଛାଡି ଏକ ବଗିଚାରେ ଛୋଟ ଘରଟିଏ ବନାଇ ରହିଲେ । ସେ କଥାବାର୍ତ୍ତା ମଧ୍ୟ ପ୍ରାୟ ବନ୍ଦ କରିଦେଲେ । କିଛିଦିନ ପରେ ଦିନେ ସେ ତାଙ୍କ ସେବକକୁ ଡାକି କହିଲେ, “ମୋ ପାଇଁ କିଛି ଗେରୁଆ ବସ୍ତ୍ର ଓ ମାଟିର ଏକ ଭିକ୍ଷାପାତ୍ର ନେଇ ଆସ । ଆଉ ଗୋଟିଏ ବାରିକ ମଧ୍ୟ ଡାକି ଆଣିବୁ ।” ବାରିକ ଆସି ତାଙ୍କ ମୁଣ୍ଡ ଲଣ୍ଡା କରିଦେଲା ଓ ସେ ଗେରୁଆ ବସ୍ତ୍ର ପିନ୍ଧି ମାଟି ପାତ୍ରଟି ଧରି ଘର ଛାଡିଲେ । ତାଙ୍କୁ କେହିବି ଚିହ୍ନି ପାରିଲେ ନାହିଁ । କିଛି ସମୟ ପରେ ରାଣୀ ସିବଳୀ ଦେବୀ ବହୁତ ଖୋଜାଖୋଜି କରି ରାଜାଙ୍କୁ ନ ପାଇବାରୁ ରାଜାଙ୍କ ସେବକକୁ ଧରି ଆଣି ତାକୁ ସେ ବିଷୟରେ ପଚାରିଲେ । ସେ ସବୁକଥା ଖୋଲି କହିଦେଲା । ଏସବୁ କଥା ଶୁଣି ସିବଳୀ ଦେବୀ ଓ ଅନ୍ୟାନ୍ୟ ରାଣୀମାନେ ଖାଲି କ୍ରନ୍ଦନ କରିବାକୁ ଲାଗିଲେ । ତା’ପରେ ଯେଉଁ ଦିଗକୁ ମହାଜନକ ଯାଇଥିଲେ ସେଇ ଦିଗକୁ ଲକ୍ଷ୍ୟ କରି ରାଣୀମାନେ ଓ ପ୍ରଜାମାନେ ଚାଲିବାକୁ ଲାଗିଲେ । ବହୁ ରାସ୍ତା ଚାଲିବା ପରେ ସେମାନେ ମହାଜନକଙ୍କୁ ସନ୍ନ୍ୟାସୀ ବେଶରେ ଗୋଟିଏ ବୃକ୍ଷ ଛାୟାରେ ବିଶ୍ରାମ କରୁଥିବାର ଦେଖିଲେ । ସେମାନେ ତାଙ୍କୁ ଲେଉଟିବାକୁ ବହୁ ଅନୁରୋଧ କଲେ । କିନ୍ତୁ ସେକଥା ସେ ଯମାରୁ ସ୍ୱୀକାର କଲେ ନାହିଁ । ଇତିମଧ୍ୟରେ ରାଣୀ ମନ୍ତ୍ରୀଙ୍କୁ ଗୁପ୍ତରେ ଅଦୂରରେ ରାଜ୍ୟର କେତେକ ପରିତ୍ୟକ୍ତ ଘରମାନଙ୍କରେ ନିଆଁ ଲଗାଇ ଦେବାକୁ କହିଲେ । ନିଆଁ ଜଳିଲା । ରାଣୀ କହିଲେ, “ଦେଖନ୍ତୁ ଆପଣଙ୍କ ସମ୍ପତ୍ତି ଜଳିପୋଡି ଛାରଖାର ହୋଇ ଯାଉଛି, ଚାଲନ୍ତୁ ସେଗୁଡିକୁ ରକ୍ଷା କରିବେ ।” ରାଜା ଉତ୍ତର ଦେଲେ “ମୋର ସମ୍ପତ୍ତି ବୋଲି ଏବେ କିଛି ନାହିଁ । ତେଣୁ ରକ୍ଷା କରିବାର ପ୍ରଶ୍ନ କିପରି ବା ଉଠୁଛି?” ତା’ପରେ ରାଜା ପୁଣି ଚାଲିବାକୁ ଲାଗିଲେ । ରାଣୀ ଓ ପ୍ରଜାମାନେ ମଧ୍ୟ ତାଙ୍କ ପଛେ ପଛେ ସେମିତି ଚାଲିଥା’ନ୍ତି । ବହୁତ ଦୂର ଯିବା ପରେ ରାଜା ପଛକୁ ଅନାଇ ଦେଖିଲେ ସମସ୍ତେ ଆଗପରି ଚାଲିଛନ୍ତି । ରାଜା ପ୍ରଶ୍ନ କଲେ, “ଏ ରାଜ୍ୟର ରାଜା କିଏ?” ସମସ୍ତେ ଏକ ସ୍ୱରରେ ଉତ୍ତର ଦେଲେ, “ଆପଣ ।” ତା’ପରେ ରାଜା ତାଙ୍କ ହାତରେ ଥିବା ବାଡିରେ ଗାରଟିଏ କାଟିଦେଇ କହିଲେ, “ତେବେ ମୋର ଆଦେଶ କେହିବି ଏ ଗାର ଡେଇଁ ଏପଟକୁ ଆସିବ ନାହିଁ । ଏହିଠାରୁହିଁ ସମସ୍ତେ ଫେରିଯାଅ ।” ସମସ୍ତେ ସେଇଠି ଅଟକି ଗଲେ । କିନ୍ତୁ ରାଣୀ ଗାର ଡେଇଁ ତାଙ୍କ ପାଖକୁ ଚାଲିଗଲେ । ତାଙ୍କ ପରେ ପ୍ରଜାମାନେ ମଧ୍ୟ ଗାର ଡେଇଁ ଆସିଲେ । ରାଣୀ କହିଲେ, “ମହାରାଜ, ଆପଣ ମୋତେ ଓ ପ୍ରଜାମାନଙ୍କୁ ଥରେ ଦେଖନ୍ତୁ । ଆମେ ସମସ୍ତେ କିପରି ବ୍ୟାକୁଳ ହୋଇ ଆପଣଙ୍କୁ ଲେଉଟି ଯିବା ପାଇଁ କହୁଛୁ ।” ମହାଜନକ ଉତ୍ତର ଦେଲେ “ମୁଁ ସମସ୍ତଙ୍କୁ ତ୍ୟାଗ କରିଛି । ସ୍ତ୍ରୀ, ପୁତ୍ର, ପ୍ରଜା, ରାଜ୍ୟ ଏମିତିକି ସବୁ କିଛି ।” ରାଣୀ କାନ୍ଦି କାନ୍ଦି କହିଲେ “ମହାରାଜ ଆପଣ ସନ୍ନ୍ୟାସୀ ହେଲେ ମୋର ଦଶା କ’ଣ ହେବ?” ରାଜା କହିଲେ “ତମେ ଘରକୁ ଫେରିଯାଇ ପୁତ୍ରକୁ ରାଜସିଂହାସନରେ ବସାଇ ଦେଶ ଶାସନ କର । ପୁଅ ଯେପରି ସତ୍ୟବନ୍ତ ଓ ନିଷ୍ପାପ ରହେ ତାହାର ପ୍ରଯତ୍ନ କର ।” ସେଦିନ ଏମିତି ଭାବରେ କଥାବାର୍ତ୍ତା କରୁ କରୁ ସଂଧ୍ୟା ହୋଇଗଲା । ସେଠାରେ ସେମାନେ ଛାଉଣୀ ପକାଇ ରହିଲେ । ରାତ୍ରି ପ୍ରଭାତ ହୁଅନ୍ତେ ରାଜା ପୁଣି ତାଙ୍କର ଯାତ୍ରା ଆରମ୍ଭ କଲେ । ରାଣୀ ସିବଳୀ ଦେବୀ, ଅନ୍ୟ ରାଣୀ ଓ ପ୍ରଜାମାନଙ୍କୁ ପଛରେ ରଖି ନିଜେ ରାଜାଙ୍କ ସହିତ ଚାଲିଲେ । ସେମାନେ ଯାଇ ଯାଇ ଏକ ଜନପଦରେ ପହଁଚିଲେ । ସେଠାରେ ଗୋଟିଏ ଝିଅ ଚାଉଳ ବାହାର କରିବା ପାଇଁ ଧାନ ଛେଚୁଥାଏ । ତା’ର ଗୋଟିଏ ହାତରେ ପଟେ ଚୁଡି ଓ ଅନ୍ୟ ହାତରେ ଦୁଇପଟ ଚୁଡି ଥାଏ । ଝିଅଟି ଧାନ ଛେଚିବା ବେଳେ ଦୁଇପଟ ଚୁଡି ପରସ୍ପର ଲାଗି ଝଣଝଣ ଶବ୍ଦ କରୁଥାଏ । ରାଜା ସେହି ଦୃଶ୍ୟ ଦେଖି ଝିଅଟିକୁ ପଚାରିଲେ, “ତୁମର ଗୋଟିଏ ହାତରେ ଚୁଡି କିପରି ଶବ୍ଦ କରୁଛି, ଅନ୍ୟ ହାତରେ ତ କରୁନାହିଁ!” ଝିଅଟି କହିଲା, “ପଟେ ଚୁଡି ହାତରେ ରହିଲେ ଭଲ । ଦୁଇଟି ରହିବାରୁ ଅଯଥା ଶବ୍ଦ ହୁଏ ଓ ଦ୍ୱିତୀୟଟି ମଧ୍ୟ ଅନାବଶ୍ୟକ ।” ରାଜା କହିଲେ “ଦେଖିଲ, ଛୋଟ ଝିଅଟିର କଥାରେ ମହାନ୍ ଦର୍ଶନ ଅଛି । ରାଣୀ, ପ୍ରକୃତ ଦୃଷ୍ଟିରୁ ତମେ ମୋ ଜୀବନ ପାଇଁ ଓ ମୁଁ ତୁମ ଜୀବନ ପାଇଁ ଅନାବଶ୍ୟକ । ଏକଥା ହୃଦୟଙ୍ଗମ କରିବା ପରେ ତମେ ଯଦି ପୁଣି ମୋ ସହିତ ଆସ ତେବେ ଅଯଥା ତର୍କ କରିବା ସାର ହେବ ସିନା । ଏଇଠାରୁ ଫେରିଯାଅ ।” ରାଣୀ ସେଠାରେ ଏକ ମୁହୂର୍ତ୍ତ ପାଇଁ ଟିକିଏ ଅଟକି ଗଲେ । କିନ୍ତୁ ପର ମୁହୂର୍ତ୍ତରେ ପୁଣି ସ୍ୱାମୀଙ୍କ ପାଖରେ ଆସି ସେ ପହଁଚିଲେ ଓ ତାଙ୍କ ସହିତ ଚାଲିବାକୁ ଲାଗିଲେ । ବାଟରେ ଯାଉ ଯାଉ ଗୋଟିଏ କମାରଶାଳ ପଡିଲା । କମାର ଲୁହାର ସବୁ ହତିଆର ତିଆରି କରୁଥାଏ । ଗୋଟିଏ ନୂଆ ତୀର ହାତରେ ଧରି ସେ ତା’ର ଧାର ଯାଂଚ କରୁଥାଏ । ଗୋଟିଏ ଆଖି ବୁଜି ଓ ଅନ୍ୟଟିରେ ଧାର ପରୀକ୍ଷା କରି ଦେଖୁଥାଏ । ରାଜା ତାକୁ ପଚାରିଲେ, “ଗୋଟିଏ ଆଖିରେ କିପରି ଧାର ପରୀକ୍ଷା କରୁଛ ।” କମାର କହିଲା, “ଧାର ପରୀକ୍ଷା ପାଇଁ ଗୋଟିଏ ଆଖି ଆବଶ୍ୟକ । ସେ କାମରେ ଅନ୍ୟ ଆଖିଟି ନିରର୍ଥକ ।” ରାଜା ରାଣୀଙ୍କୁ କହିଲେ, “ରାଣୀ, ଦେଖ, ତୁମେ ଏ କଥାରୁ କିଛି ବୁଝିଲ? ମୋର ବର୍ତ୍ତମାନର ଜୀବନ ଯାତ୍ରାରେ ତୁମର ଉପସ୍ଥିତି ନିରର୍ଥକ । ଘରକୁ ଫେରିଯାଇ ପୁତ୍ରକୁ ସିଂହାସନରେ ବସାଇ ରାଜ୍ୟ ପାଳନ କର ।” ଏକଥା କହି ରାଜା ସେଠାରୁ ଝଡବେଗରେ ପ୍ରସ୍ଥାନ କଲେ ଓ ଦୂର ଜଙ୍ଗଲରେ କୁଆଡେ ଅଦୃଶ୍ୟ ହୋଇଗଲେ । ରାଣୀ ସେଠାରେ ମୂର୍ଚ୍ଛିତ ହୋଇ ପଡିଗଲେ । ପରେ ପ୍ରଜାମାନେ ସେଠାରେ ପହଁଚି ତାଙ୍କର ସେବାଯତ୍ନ କରି ତାଙ୍କୁ ନଗରୀକୁ ଫେରାଇ ଆଣିଲେ । ରାଜାଙ୍କ କଥା ଅନୁସାରେ ରାଣୀ ତାଙ୍କ ପୁତ୍ରକୁ ସିଂହାସନରେ ବସାଇ ନିଜେ ବଗିଚାରେ ଛୋଟ କୁଟୀରଟିଏ ବନାଇ ସେହିଠାରେ ସେ ସନ୍ନ୍ୟାସିନୀ ଜୀବନ ଯାପନ କରି ରହିଲେ ।