ପ୍ରକୃତ ସୁସଙ୍ଗାତ ଅଗନା ଅଗନି ବନସ୍ତ । ସେହି ବନସ୍ତରେ ଗୋଟିଏ ବିରାଟକାୟ ଶାଳ୍ମଳୀ ବୃକ୍ଷ ଥିଲା । ଚତୁର କାଉ ସମସ୍ତ ପ୍ରକାର ବିପଦକୁ ଆଖି ଆଗରେ ରଖି ସେହି ଶାଳ୍ମଳୀ ବୃକ୍ଷରେ ତା’ର ରହିବାର ବସାଟି ନିର୍ମାଣ କରି ରହୁଥାଏ । ସେହି ବୃକ୍ଷ ମୂଳରେ ଗୋଟିଏ ଉଚ୍ଚିଆ ଜାଗା ଥିଲା । ସେହି ଜାଗାରେ ମୂଷାଟିଏ ଗାତ ଗୋଟିଏ କରି ରହିଥାଏ । ପୁଣି ଶାଳ୍ମଳୀ ବୃକ୍ଷର ଅଳ୍ପ ଦୂରରେ ଯେଉଁ ପୋଖରୀଟି ଦେଖାଯାଉଥିଲା ସେହି ପୋଖରୀରେ କଇଁଛଟିଏ ମଧ୍ୟ ରହୁଥିଲା । ଶାଳ୍ମଳୀ ବୃକ୍ଷର ସାମାନ୍ୟ ଦୂରକୁ ଗଲେ ଏକ ବୃକ୍ଷଲତାରେ ପୂର୍ଣ୍ଣ ଗୋଟିଏ ଗହଳିଆ ସ୍ଥାନ ଥିଲା ଯେ ସେହିଠାରେ ରହୁଥାଏ ଗୋଟିଏ ହରିଣ । ଏମାନଙ୍କର ଦିନେ ଏକ ସମୟରେ ସାକ୍ଷାତ ହୋଇଥିବାରୁ ନିଜ ନିଜ ମଧ୍ୟରେ ପରିଚୟ ହୋଇଗଲା । ସେହିଦିନଠାରୁ ଚାରିଜଣଙ୍କର ମଧ୍ୟରେ ଗଢ଼ି ଉଠିଲା ମିତ ସଙ୍ଗାତର ସମ୍ପର୍କ । ଏପରି ମିତ୍ରତା ବଢ଼ିଗଲା ଯେ କେହି କାହାରିକୁ ଦିନରେ ଥରେ ନ ଦେଖିଲେ ସେ ଦିନଟି ଖୁବ୍ ଖରାପ ବିତିଯାଏ । ସେମାନଙ୍କର ଯେତେବେଳେ କାହାରି କିଛି କାମ ନଥାଏ ସେମାନେ ଚାଲିଆସନ୍ତି ସେହି ଗଛ ମୂଳକୁ । ସେହିଠାରେ ବସି ନିଜ ନିଜ ମଧ୍ୟରେ ସୁଖ ଦୁଃଖ କଥା ହୁଅନ୍ତି । କେତେବେଳେ ଦୁଃଖର କଥା ତ କେତେବେଳେ ସୁଖର କଥା । ସେମାନଙ୍କର ସମୟ ବିତେ । ପୁଣି କଥା ସରିଲେ ଯେଝା ଯେଝାର ବାସସ୍ଥାନକୁ ଫେରି ଯାଆନ୍ତି । ଦିନକର କଥା । ଅପରାହ୍ନରେ କଅଁଳିଆ ଖରା । କାଉ ପ୍ରଥମ ହୋଇ ଆସି ସେହି ଗଛରେ ବସିଲା । ସେତେବେଳକୁ ଅନ୍ୟ ମିତମାନଙ୍କର ସେଠାରେ ଦେଖାନଥାଏ । ତହୁଁ କାଉ କ’ଣ କଲାନା କା କା ହୋଇ ସମସ୍ତ ମିତଙ୍କୁ ଡାକ ପକାଇଲା । ଆହେ କଇଁଛ ମିତ । ଆରେ ଏଯାବତ୍ ତୁମର ଦେଖା ହେଉନାହଁ କାହିଁକି? କାଉ ଆସିବାର ଜାଣିପାରି କଇଁଛ ସେଠାକୁ ଆସିଲା । କହିଲା ଭାଇରେ କ’ଣ ଆଉ କରିଥାଆନ୍ତି । କାଲି ରାତିରେ ମନଟା ମଧ୍ୟରେ କେତେଗୁଡାଏ କଥା ଗୋଳେଇ ଘାଣ୍ଟି ହେଲା ଯେ ରାତି ପାହିଗଲା ବରଂ ମୋତେ ଆଉ ନିଦ ହେଲା ନାହିଁ । ଶୋଉ ଶୋଉ ଏଯାଏ ଶୋଇପଡ଼ିଲି । ଏଇନେ ଯଦି ତୁମର ଡାକ ମୋ କାନରେ ବାଜି ନଥାଆନ୍ତା ନା ମୁଁ କୋଉ ଉଠିଥାଆନ୍ତି, ଭଲ ହେଲା ଡାକିଦେଲ । ଠିକ୍ ସେହି ବେଳକୁ ମିତ ମୂଷା ଆସି ପହଞ୍ଚିଗଲା । ଏହା ମଧ୍ୟରେ ପଶ୍ଚିମ ଆକାଶରେ ସୂର୍ଯ୍ୟ ଡୁବିଯିବାକୁ ବସିଲେଣି । ହେଲେ ସମସ୍ତଙ୍କର ଆଖିଆଉ ଚିନ୍ତା ଯାଇ ରହିଲା ହରିଣ ଉପରେ । ଏଯାଏ ହରିଣ ମିତର ଏଠାରେ କାହିଁକି ଦେଖା ନାହିଁ ତ? କାଉ ଭାବୁ ଭାବୁ କହି ପକାଇଲା ବିଚରା ମିତ ଆମର ଆଜି କ’ଣ କୌଣସି ଅସୁବିଧାରେ ପଡ଼ିଗଲେ ନା’ କ’ଣ? କଇଁଛ ସେମାନଙ୍କ ଠାରୁ ବେଶି ଭାବୁଥିଲା ଯେ ଏଯାଏ ହରିଣ ମିତର କାହିଁକି ଦେଖାନାହିଁ । ସମସ୍ତଙ୍କ ମନ କେତେକ ସନ୍ଦେହକୁ ନେଇ ବିକଳ ହୋଇ ପଡ଼ିଲା । ସେ କହିଲା – ଆଚ୍ଛା ମିତ କାଉ, ତମେ ତ ଆମ ମଧ୍ୟରୁ ଏହି କାମ ସହଜ କରିପାରିବ । ତମେ ଟିକେ ଆକାଶ ଆଡ଼େ ବୁଲି ଆସି ଦେଖ ତ ମିତ ଆମର କୁଆଡ଼େ ଗଲେ? ସଙ୍ଗେ ସଙ୍ଗେ କାଉ କା କା ହୋଇ ଉପରକୁ ଉଠିଲା । ସଙ୍ଗେ ସଙ୍ଗେ ଚାରିଆଡ଼କୁ ଖେଦି ପକାଇଲା । ଏଇ ଉଡ଼ିବା ମଧ୍ୟରେ ତା’ର ନଜର ପଡ଼ିଗଲେ ଯେ ବିଚରା ହରିଣ ମିତ ଜାଲରେ ପଡ଼ିଯାଇଛି । କାଉ ସଙ୍ଗେ ସଙ୍ଗେ ହରିଣ ମିତ ପାଖରେ ଯାଇ ଦେଖିଲା ହରିଣ ମିତ ବଡ଼ ଅସଜିଆ ଜାଲରେ ପଡ଼ିଯାଇଛି । କାଉକୁ ଦେଖୁ ଦେଖୁ କାନ୍ଦ କାନ୍ଦ ହୋଇଗଲା ହରିଣ । କହିଲା କ’ଣ କରିବି ଆଉ? ଏପରି ଜାଲରେ ପଡ଼ିଛି ଯେ ଏଥିରୁ ଉଦ୍ଧୁରିବା ଆଉ ସମ୍ଭବ ନୁହେଁ । ଶିକାରୀ ଆସିବା ବେଳ ପ୍ରାୟ ହୋଇଯିବଣି । ତୁମେ ସବୁ ମିତମାନଙ୍କୁ କହିଦେବ, ସେମାନେ ଆଉ ମୋ କଥା ଭାବିବେ ନାହିଁ । ତାଙ୍କ ହରିଣ ମିତର ମୃତ୍ୟୁ ଡାକରା ଆସିଗଲାଣି । କାଉ ମିତକୁ ଏତକ କହୁକହୁ ହରିଣ କାନ୍ଦିବାକୁ ଲାଗିଲା । କାଉ ତାଙ୍କୁ ଖୁବ୍ ସାନ୍ତ୍ୱନା ଦେଇ କହିଲା – ରୁହ ବ୍ୟସ୍ତ ହୁଅ ନାହିଁ । ମୁଁ ଯାଉଛି ସବୁ ମିତ୍ରଙ୍କୁ ଏକଥା କହିବି । ତୁମକୁ କିପରି ଉଦ୍ଧାର କରାଯିବ ତା’ର ଗୋଟିଏ କିଛି ଉପାୟ କରିବାକୁ ହେବ ନା? ଏହାକହି ସଙ୍ଗେ ସଙ୍ଗେ କାଉ ଉଡ଼ିଯାଇ ମିତମାନଙ୍କ ପାଖରେ ପହଞ୍ଚିଲା । କାଉ ମିତ ଏତେବେଳ ହେଲା ଗଲାଣି ଯେ ଏଯାଏ ଫେରିଲା ନାହିଁ? ଏଯାଏ ବୋଧହୁଏ ସେ ହରିଣ ମିତଙ୍କର କୌଣସି ସନ୍ଧାନ ପାଇନାହାଁନ୍ତି । ଏପରି ସମୟରେ ମିତମାନଙ୍କର ପାଖରେ ଆସି କାଉ ପହଞ୍ଚି ହରିଣ ମିତଙ୍କର ଜାଲରେ ପଡ଼ିବା ବୃତ୍ତାନ୍ତ ଜଣାଇ ଦେଲା । ଏକଥା ଶୁଣିବାମାତ୍ରେ ସମସ୍ତେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । କଇଁଛ କହିଲା ହେ ମୂଷା ମିତ ଏପରି ବିପଦରେ ଆଉ ବିଳମ୍ବ କରିବାର ନାହିଁ । ଆମକୁ ଯେତେ ଶୀଘ୍ର ହେବ ଏହାର ବ୍ୟବସ୍ଥା କରିବାକୁ ହେବ । ମୂଷା କହିଲା ଏତେଗୁଡାଏ ବାଟ ଆମେ ଯାଇ ପହଞ୍ଚିବା ବେଳକୁ ଯଦି ଶିକାରୀ ହାତରେ ଆମର ମିତ ପଡ଼ିଯାଇଥିବେ ଆମେ କରିବା କ’ଣ? କୁଆ କହିଲା – ମୋ ମନକୁ ଗୋଟିଏ ବୁଦ୍ଧି ଆସୁଛି । ତମେ ଯଦି ରାଜି ହେବ ତାହାହେଲେ କହନ୍ତି । ଆମକୁ କଷ୍ଟ ହେଉ ବରଂ ହରିଣ ମିତ ଆମର ଏତେ ବଡ଼ ବିପଦରୁ ନିଶ୍ଚୟ ଉଦ୍ଧାର ପାଇଯାଆନ୍ତେ । କାଉ ମୁହଁରୁ ଏକଥା ଶୁଣି କଇଁଛ କହିଲା -ସେ ଉପାୟ ଆମକୁ କହୁନା କାହିଁକି? କାଉ କହିଲା – ତମେ ପଛେ ପଛେ ଆମକୁ ଅନ୍ୱେଷଣ କରି ଆସ । ମୁଁ ମୂଷା ମିତଙ୍କୁ ପିଠିରେ ବସାଇ ସେହି ହରିଣ ମିତ ପାଖକୁ ଶିଘ୍ର ନେଇ ଯାଉଛି । କଇଁଛ ମିତ କହିଲା ଆଉ ଅପେକ୍ଷା କରୁଛ କାହିଁକି । ମୁଁ ପଛେ ପଛେ ଯାଉଛି ତୁମେ ମୂଷା ମିତଙ୍କୁ ପିଠିରେ ବସାଇ ଯେତେ ଶୀଘ୍ର ପାରୁଛ ଚାଲ । ଏହାପରେ କୁଆ ନିଜ ପିଠିରେ ମୂଷାକୁ ବସାଇ ଆକାଶରେ ଉଡ଼ି ଉଡ଼ି ଚାଲିଲା । କଇଁଛ ତଳେ ଖୁବ୍ ବେଗରେ ସେହି ଆଡ଼କୁ ଧାଇଁବାକୁ ଲାଗିଲା । ଯାହାହେଉ ସମସ୍ତେ ଏକା ସାଙ୍ଗରେ ସେଠାରେ ଏକାଠି ହୋଇଗଲେ । ମୂଷା ଆଉ ବିଳମ୍ବ ନକରି ଜାଲକୁ କୁଟୁକୁଟୁ କରି କାଟି ପକାଇବାରୁ ହରିଣ ମିତ ମୁକ୍ତି ପାଇଗଲା । ଏତିକିବେଳକୁ ଶିକାରୀ ସେହି ଦିଗକୁ ଧାଇଁବାର ଦେଖି ହରିଣ, ଶିକାରୀ ଭୟରେ ଦୌଡ଼ିବାକୁ ଲାଗିଲା ବେଳକୁ, ତାକୁ ଦେଖି ମୂଷା ଗୋଟିଏ ଗାତରେ ପଶିଗଲା । ସେମିତି କାଉ ମଧ୍ୟ ଉଡ଼ିଯାଇ ଗୋଯିଏ ଗଛ ଡାଳରେ ବସିଗଲା । ଏଥର ବିଚରା କଇଁଛ ଯାଏ କୁଆଡ଼େ । ତିନି ମିତଙ୍କ ମଧ୍ୟରେ ଭାଳେଣି ପଡ଼ିଲା । ଏଥର କଇଁଛ ମିତଙ୍କୁ ଆମର ବିପଦ ପଡ଼ିଯିବ । ଏମାନଙ୍କ ମନ ମଧ୍ୟରୁ ଭାବନା ସରିନାହିଁ ଜାଲ ପାଖରେ ଧଇଁସଇଁ ହୋଇ ଶିକାରୀ ପହଞ୍ଚିଗଲା । ଜାଲ କାଟି ହରିଣ ଖସିବାର ଜାଣି ମନ ମଧ୍ୟରେ ବହୁତ କ୍ରୋଧ କଲା ଶିକାରୀ । ସେତିକିବେଳେ କଇଁଛ ବିଚରା ଆଗକୁ ଆଗକୁ ପଳାଇ ଯାଉଥିବାର ଦେଖି ଶିକାରୀ ଭାବିଲା ଏ ସବୁତକ ଲୀଲା ଏଇ କଇଁଛର । ହରିଣ ଖସିଗଲା ଖସିଗଲା । ତୁ ଏବେ ଯିବୁ କୁଆଡ଼େ ଦେଖିବା? ଏହା କହି ଶିକାରୀ ଖୁବ୍ ଜୋର୍ରେ ମାଡ଼ିଯାଇ କଇଁଛକୁ ମାଡ଼ିବସି କହିଲା – ଧରାପଡ଼ିଛୁ । ହରିଣକୁ ଖସାଇଦେଲୁ ସିନା ଏଥର ତୁ ଯିବୁ କୁଆଡ଼େ । ହରିଣ ଧରା ପଡ଼ିଥିଲେ ତାକୁ କାଟି ଆଜି ଗୋଟିଏ ବଡ଼ ଭୋଜି ହୋଇଥାଆନ୍ତା । ତୁ ଯେତେବେଳେ ତାକୁ ଖସାଇ ଦେଲୁ ଏଥର ତୋ ଝୋଳଟା କେଡ଼େ ମଜ୍ଜା ଲାଗିବ ଦେଖିବୁ । ଏହାକହି ଶିକାରୀ ଖୁବ୍ ଯତ୍ନରେ କଇଁଛକୁ ନିଜର ଗାମୁଛା ମଧ୍ୟରେ ଗୁଡ଼େଇ ଗୁଡ଼େଇ ବାନ୍ଧିଦେଲା । ତା’ ପରେ ଚାଲିଲା ନିଜ ଘରକୁ । କଇଁଛକୁ ଏପରି ହାଲ ଅବସ୍ଥା କରି ଶିକାରୀ ନେଇଯିବାରୁ କୁଆ ସେହି କଥାକୁ ଖୁବ୍ ଜୋର୍ରେ ରାବ କରି ସବୁ ମିତଙ୍କୁ ଜଣାଇ ଦେଲା । ସଙ୍ଗେ ସଙ୍ଗେ ସବୁ ମିତ ଆସି ଏକାଠି ହୋଇଗଲେ । ତାଙ୍କ ମଧ୍ୟରେ ବହୁତ ବିଚାର ବିମର୍ଷ ଚାଲିଲା । ଏତିକିବେଳେ ମୂଷା ବାହାରି ପଡ଼ି କହିଲା – ତମେମାନେ ଆଦୌ ବ୍ୟସ୍ତ ହୁଅ ନାହିଁ, କଇଁଛ କିପରି ରକ୍ଷା ପାଇବ ଆଗ ବିଚାର କର । ସମସ୍ତେ ବସି ବସି ବହୁ ପ୍ରକାର ଚିନ୍ତା କରିବାକୁ ଲାଗିଲେ । ବୁଦ୍ଧିଆ କାଉ । ସେ ସେଉଠୁ କହିଲା – ମୋ ମୁଣ୍ଡରେ ଗୋଟିଏ ବୁଦ୍ଧି ପଶିଛି ।
ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା ବହୁ ପ୍ରାଚୀନ କାଳର କଥା । ଦାକ୍ଷିଣାତ୍ୟ ନାମକ ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟଟି ଜନବସତି ଠାରୁ ଅଧିକ ଭାବରେ ଅରଣ୍ୟରେ ପୂର୍ଣ୍ଣଥିଲା । ସେହି ଅରଣ୍ୟ ନିକଟସ୍ଥ ମହିଳାରୋପ୍ୟ ନାମକ ନଗରର ଉପକଣ୍ଠରେ ଥିଲା ଏକ ବିଶାଳ ବଟବୃକ୍ଷ । ବୃକ୍ଷଟିରେ ଡାଳପତ୍ର ପ୍ରବଳଥିବାରୁ ନିମ୍ନସ୍ଥ ସ୍ଥାନଟି ଖୁବ୍ ଛାୟା ଦ୍ୱାରା ଅଚ୍ଛାଦିତ ହୋଇ ରହିଥିଲା ଓ ବଡୁ ବାଟୋଇମାନଙ୍କର ଗ୍ରୀଷ୍ମକାଳରେ କଷ୍ଟ ଲାଘବ ନିମନ୍ତେ ଆଶ୍ରୟ ମଧ୍ୟ ହେଉଥିଲା । ସେହି ପତ୍ରଦ୍ୱାରା ଆଚ୍ଛାଦିତ ବଟବୃକ୍ଷଟି ଅଂଧାରୁଆ ତଥା ନିରାପଦ ହୋଇଥିବାରୁ ମେଘବର୍ଣ୍ଣ ନାମକ ବାୟସରାଜ ବିପଦ ମୁକ୍ତ ମନେକରି ସପରିବାର ସହ ସେହି ବୃକ୍ଷରେ ବାସ କରିବାକୁ ଲାଗିଲେ । ପୁଣି ଅନତୀ ଦୂରରେ ଘଞ୍ଚ ଅରଣ୍ୟ ଅବସ୍ଥିତ ଥିଲା । ସେହି ଅରଣ୍ୟ ସମାନ୍ତରେ ଥିବା ଏକ ଅଂଧାରୁଆ ତଥା ପତ୍ରପୂର୍ଣ୍ଣ ଗହଳି ଅଂଧାରିଆ ଗୁହାକୁ ନିଜର ବାସସ୍ଥାନ ଭାବରେ ନିର୍ବାଚନକରି ଅରିମର୍ଦ୍ଧନ ନାମକ ଭଲ୍ଲୁକ ରାଜା ମଧ୍ୟ ବହୁଦିନ ଧରି ବାସ କରିଆସୁଥାଏ । ପ୍ରତିଦିନ ସୂର୍ଯ୍ୟାସ୍ତ ହେବା ସଂଗେସଂଗେ ସଂଧ୍ୟା ଆସିଗଲେ ଭଲ୍ଲୁକରାଜ ଅରିମର୍ଦ୍ଧନ ନିଜର ସପରିବାର ସହିତ ପୂର୍ଣ୍ଣବର୍ଣ୍ଣିତ ବଟବୃକ୍ଷର ଚୁତଃପାଶ୍ୱର୍ରେ ବୁଲିବାକୁ ଆରମ୍ଭ କରିଦିଏ । ଆଉ ମଧ୍ୟ ରାତ୍ର ଗୋଟାକ କାକ ଏହିପରି ନାନାବୃକ୍ଷ ଦେଇ ଉଡ଼ିବୁଲେ ଓ ତତ୍ସେଙ୍ଗ ସଙ୍ଗେ ସେହି ବୃକ୍ଷ ନିକଟକୁ ବାରମ୍ବାର ଆସିଥାଏ । କାରଣ କାକମାନଙ୍କ ସହିତ ବହୁ ପୂର୍ବରୁ ଶତ୍ରୁତା ରହି ଆସିଥିବାରୁ ସେ ସଦାସର୍ବଦା କାକମାନଙ୍କର ଅନ୍ୱେଷଣରେ ଥାଏ ଏବଂ କେହି କାକ ତା’ ହାବୁଡ଼େ ପଡ଼ିଗଲେ ସେ ତତ୍କ୍ଷଣାତ୍ ତାହାକୁ ଆକ୍ରମଣ ପୂର୍ବକ ମାଡ଼ି ବସି ମାରିଦେଇଥାଏ । ଏହିପରି ଭାବରେ ଅରିମର୍ଦ୍ଧନ ଭଲ୍ଲୁକ ରାଜ ଗୋଟିକପରେ ଗୋଟିଏ କାକକୁ ନିଜର କୌଶଳ କ୍ରମେ ମାରି ଦେଉଥିବାରୁ କ୍ରମଶଃ କାକକୂଳର ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲା । ଏଥର ବାୟସରାଜ ମେଘ ବର୍ଣ୍ଣର ମୁଣ୍ଡରେ ଭୟଙ୍କର ଚିନ୍ତା ପ୍ରବେଶ କଲା, ତା’ର ବଂଶପ୍ରତି ସଦାସର୍ବଦା ବିପଦ ସୃଷ୍ଟିକରି ଅରିମର୍ଦ୍ଧନ ଭଲ୍ଲୁକ ତା’ର ବଂଶନିପାତ କରିବାର ପ୍ରୟାସ କରୁଅଛି, ଏଥିଲାଗି ତାକୁ କିପରି ବିନାଶ କରିହେବ ସେହି ଚିନ୍ତାରେ ବାୟସ ରାଜ ମେଘବର୍ଣ୍ଣ ବ୍ୟସ୍ତ ରହିଲା । ଏହାଛଡ଼ା ମେଘବର୍ଣ୍ଣ ବୁଝିଥିଲା ଯେ ଶତ୍ରୁ ଭୀଷଣ ଶକ୍ତିକାୟ । ଆଉ ମଧ୍ୟ ସେ ଥିଲା ଭୀଷଣ କାଳଜ୍ଞ । ତା’ ବଂଶର କାକମାନେ ରାତ୍ରକାଳରେ କୌଣସି ବସ୍ତୁକୁ ଦେଖି ନପାରୁଥିବା କାରଣରୁ ଏହି ରାତ୍ର କାଳରେ ସେମାନଙ୍କୁ ବିନାଶ କରିବାର ସୁଯୋଗ ଖୋଜିଥାଏ ଓ ସେହି ସୁଯୋଗ ପାଇବା ମତ୍ରେ ସେ ଗୋଟିକ ପରେ ଗୋଟିଏ କାକକୁଳକୁ ମାରିପକାଏ । କାକମାନେ ଦିନବେଳା ଶକ୍ତିପୂର୍ଣ୍ଣ ହେଲେ ମଧ୍ୟ ଶତ୍ରୁ ଅରି ମର୍ଦ୍ଧନକୁ କୌଣସି ପ୍ରକାର ହତ୍ୟାକରି ପାରୁନଥାନ୍ତି । କାରଣ ଦିନ ହେବାମାତ୍ରେ ସେ କୌଣସିନା କୌଣସି ବିପଦଥିବା ଅଂଧାରୁଆ କୋରଡ଼ ମଧ୍ୟରେ ଲୁଚିକରି ବିଶ୍ରାମ ନେଇଥାଏ । ଏହାପରେ ବାୟସରାଜ ମେଘବର୍ଣ୍ଣର କେଉଁ ଉପାୟକୁ ଗ୍ରହଣ କରିବାକୁ ହେବ ଆଉ ଯେଉଁ ଉପାୟରେ ଅରିମର୍ଦ୍ଧନକୁ ହତ୍ୟାକରି ହେବ ତାହା ସ୍ଥିର କରିବା ନିମନ୍ତେ ଏକ ଆଲୋଚନା ଚକ୍ରର ଆୟୋଜନ କଲା । ସେହି ଆଲୋଚନା ଚକ୍ରକୁ ନିଜର ପଞ୍ଚମନ୍ତ୍ରୀ ଯଥା – ଉଜ୍ଜୀବି, ସଂଜିବୀ, ଅନୁଜୀବି, ପ୍ରଳିଚୀ ଏବଂ ଚିରଂଜୀବିଙ୍କୁ ଡକାଇ ଆଣିଲା, ଅନେକ ସମୟ ଧରି ଅରିମର୍ଦ୍ଧନର ବିନାଶ ନିମନ୍ତେ ଆଲୋଚନା କରାଗଲା । ଶେଷରେ ବାୟସରାଜ, ଚିରଂଜୀବିଠାରୁ ପରାମର୍ଶ ଲୋଡ଼ି କହିଲା ଯେ ଏବେତ ଶତ୍ରୁ ଅରି ମର୍ଦ୍ଧନ ବିଷୟରେ ଅନେକ ଆଲୋଚନା ହୋଇଗଲା ଆମେ କୌଣସି ଏକ ସମାଧାନରେ ପହଞ୍ଚିପାରିଲେ ନାହିଁ । ଏହାପରେ ଆମେ କ’ଣ କୌଣସି ଉପାୟ ବାହାର କରିପାରିବା ନାହିଁ ଯେ ଅରିମର୍ଦ୍ଧନର ବିନାଶ କେଉଁ ଉପାୟ ଦ୍ୱାରା କରାଯାଇପାରିବ । ସେତିକିବେଳେ ଉଜ୍ଜୀବି ନାମକ ବାୟସରାଜର ମନ୍ତ୍ରୀ ଏକ ପ୍ରସ୍ତାବ ଆଣିଲା ଯେ ଶତ୍ରୁ ଯେହେତୁ ପ୍ରବଳ ବଳଶାଳୀ ତାକୁ ବଳଦ୍ୱାରା କେବେ ବିନାଶ କରାଯାଇ ପାରିବ ନାହିଁ । ସେଥିପାଇଁ ଏ କ୍ଷେତ୍ର ସଂଧିକରିବା ମୋ ମତରେ ଶ୍ରେୟସ୍କର, କିନ୍ତୁ ଏହି ପ୍ରସ୍ତାବକୁ ଶୁଣି ସାରିବାପରେ ବାୟସ ରାଜର ଅନ୍ୟମନ୍ତ୍ରୀ ଅନ୍ୟ ଏକ ପ୍ରସ୍ତାବ ଦେଲେ ଯେ ସେ ବଳଶାଳୀ ଶତ୍ରୁ ହେଉ ପଛେ ଆମ ତରଫରୁ ତା’ର ବିପକ୍ଷରେ ଯୁଦ୍ଧର ଆୟୋଜନ କରିବା ଦରକାର । ଦୁହିଁଙ୍କର ମତାମତ ଶୁଣିବାପରେ ଅନୁଜୀବି ମଧ୍ୟ ଅନ୍ୟ ଏକ ପ୍ରସ୍ତାବ ଦେବାକୁ ଯାଇ କହିଲା ଏକ୍ଷେତ୍ରେ ଯୁଦ୍ଧ କିମ୍ବା ସଂଧିକରିବାର ଆବଶ୍ୟକ ନାହିଁ ବୋଲି ମୋର ମତ, ବରଂ ଏପରି ବଳଶାଳୀ ଶତ୍ରୁ ନିକଟକୁ ଅପସରି ଯିବା ଆମ୍ଭମାନଙ୍କ ନିମନ୍ତେ ଶ୍ରେଷ୍ଠ ପନ୍ଥା ହୋଇପାରିବ । ଏହାପରେ ପ୍ରଜୀବି ନାମକ ଆଉ ଏକ ଦୃଷ୍ଟାନ୍ତ ଉପସ୍ଥାପନ କରି କହିଲା – ଏ ପ୍ରକାର ମତାମତ ଆମପାଇଁ ଶୋଭନୀୟ ହୋଇନପାରେ, କାରଣ ଶକ୍ତିହୀନ ମର୍କତ ପ୍ରବଳ ବଳଶାଳୀ ହସ୍ତୀକୁ ପଙ୍କ ମଧ୍ୟକୁ ଟାଣିନେଇ ପାରିଥିଲା । ତେଣୁ ମୋ ମତରେ ନିଜର ବାସସ୍ଥାନରେ ରହି ସେହି ବଳଶାଳୀ ଶତ୍ରୁକୁ କିପରି ଭାବରେ ଦମନ କରି ହେବ ଆମକୁ ସେପରି ଏକ ପନ୍ଥା ନିର୍ଦ୍ଧାରଣ କରିବାକୁ ହେବ । ଏହା ଶୁଣିବାପରେ ଚିରଂଜୀବି କହିଲା ଯେ ଏଥିଲାଗି ଆମକୁ ଅନ୍ୟମାନଙ୍କର ସହାୟତା ନେବା ନିତ୍ୟାନ୍ତ ଦରକାର । ସମସ୍ତ ମନ୍ତ୍ରୀମାନଙ୍କର ମତାମତକୁ ଧ୍ୟାନ ପୂର୍ବକ ବାୟସରାଜ ଅରିମର୍ଦ୍ଧନ ଶୁଣି ସାରିଲା ସତ, ହେଲେ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିଲା ନାହିଁ । ସେହି ସମୟରେ ସେ ସଭାରେ ସ୍ଥିରଜୀବି ନାମକ କାକ ଆରମ୍ଭରୁ ଶେଷଯାଏ ନୀରବରେ ବସିରହିଥିଲା । ସେ କିନ୍ତୁ ନୀତି ଶାସ୍ତ୍ରରେ ପାରଙ୍ଗମ ଥିଲା, କିନ୍ତୁ କାହାକୁ କିଛି ନକହି ସେ ଚୁପଚାପ୍ ହୋଇ ବସିଥିଲା କିନ୍ତୁ ଏଥର ନିଜର କିଛି ମତାମତ ପ୍ରକାଶ କରିବା ନିମନ୍ତେ ସଭାରେ ଅନୁପ୍ରାର୍ଥନା କରି ସାରି କହିଲା ଏପରି ଏକ ଶକ୍ତିଶାଳୀ ଶତ୍ରୁର ବିନାଶ କରିବାକୁ ହେଲେ ଆମକୁ ଅନେକଗୁଡ଼ିଏ ଛଳନାର ଆଶ୍ରୟ ନେବାକୁ ହେବ । ଏହା ବ୍ୟତୀତ ମୋତେ ଅନ୍ୟ କୌଣସି ପନ୍ଥା ଦେଖାଯାଉ ନାହିଁ । ଏହାପରେ ସ୍ଥିରଜୀବିର ପରାମର୍ଶ ସମସ୍ତଙ୍କ ମନକୁ ପାଇଲା ନାହିଁ । ଏଥିଯୋଗୁଁ ସ୍ଥିରଜୀବିକୁ କ୍ଷତ ବିକ୍ଷତ କରି ବାୟସରାଜ ମେଘବର୍ଣ୍ଣ ସପରିବାର ପଳାୟନକଲେ ଏବଂ ସେମାନେ ଋଷ୍ୟମୁକ ପର୍ବତରେ ଆଶ୍ରୟ ନେଲେ । ନାନାପ୍ରକାର ଆଘାତ ପାଇ ରକ୍ତାକ୍ତ ଅବସ୍ଥାରେ ସ୍ଥିରଜୀବି ସେହିଠାରେ ପଡ଼ି ରହିଲା । ଯେତେବେଳେ ସଂଧ୍ୟା ଆସି ଉପନୀତ ହେଲା, ସବୁଦିନପରି ସଦଳବଳେ ଭଲ୍ଲୁକ ରାଜ ଅରିମର୍ଦ୍ଧନ ଆସି ସେହି ସ୍ଥାନରେ ପହଞ୍ଚିଲା । ସେ ପ୍ରଥମ କାକଶୂନ୍ୟ ବଟବୃକ୍ଷକୁ ଦେଖିଲା । ଏଥିରେ ସେ ବିସ୍ମିତ ହେଲା । ତା’ପରେ ତା’ ମନରେ ଅଧିକ ବିସ୍ମୟତା ବଢ଼ିଗଲା ଯେ, ସେ ଦେଖିଲା ସେହି ବଟବୃକ୍ଷ ମୂଳେ ରକ୍ତାକ୍ତ ଅବସ୍ଥାରେ ସ୍ଥିରଜୀବି ପଡ଼ିରହିଅଛି । ତା’ ମନରେ କୌତୂହଳ ଜାତ ହେଲା, କାରଣ ସ୍ଥିରଜୀବି ସେମାନଙ୍କ ମଧ୍ୟରେ ପ୍ରଖର ବୁଦ୍ଧିମନ୍ତ ଆଉ ସମସ୍ତ ଜ୍ଞାନରେ ପାରଦର୍ଶିତା ରହିଥିଲା । ତେଣୁ ଭଲ୍ଲୁକ ରାଜ ଅରିମର୍ଦ୍ଧନ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସ୍ଥିରଜୀବିକୁ ଯାଇ ପଚାରିଲା – ଏପରି ଅବସ୍ଥା ତୁମର କାହିଁକି ହେଉଛି । ଛନ୍ଦ କପଟର ଆଶ୍ରୟ ନେବାପରେ ଶତ୍ରୁର ସମ୍ମୁଖ ହେବା ଉଚିତ୍ ମଣୁଥିବା ସ୍ଥିରଜୀବି ଜଣାଇଲା ଯେ ସେ ମେଘବର୍ଣ୍ଣର ମନ୍ତ୍ରୀ ସ୍ତରୀୟ ଭଲ୍ଲୁକ ରାଜ ଅରିମର୍ଦ୍ଧନ ବଶ୍ୟତା ସ୍ୱୀକାର କରିବାକୁ ପରାମର୍ଶ ଦେବାକୁ ଆଜି ତା’ର ଅବସ୍ଥା ଏହି ପ୍ରକାର ହୋଇଛି । ସେତେବେଳେ ଭଲ୍ଲୁକ ରାଜ ଅରିମର୍ଦ୍ଧନର ମଧ୍ୟ ପାଞ୍ଚଜଣ ମନ୍ତ୍ରଣାଦାତା ମନ୍ତ୍ରୀ ଥିଲେ । ସେମାନେ ହେଲେ ରକ୍ତାକ୍ଷ, କୁରାକ୍ଷ, ଦୀପ୍ତାକ୍ଷ, ବଜ୍ରବାସ ଏବଂ ପ୍ରାକାର ବର୍ଣ୍ଣ । ସେମାନଙ୍କ ମଧ୍ୟରେ ଏ ସମସ୍ତ କଥା ଦେଖି ରକ୍ତାକ୍ଷ କହିଲାଯେ ପ୍ରଥମ ସ୍ଥିରଜୀବିର ପ୍ରାଣ ନେବା ଆମ୍ଭମାନଙ୍କ ପକ୍ଷେ ଉଚିତ୍ ହେବ । ତାହା ଶୁଣିବା ମାତ୍ରେ ମନ୍ତ୍ର କୁରାକ୍ଷ କହିଲା ଯେ, ସ୍ଥିରଜୀବିର ଅବସ୍ଥା ତ ଆମ ସପକ୍ଷବାଦୀ ହିସାବରେ ଏହା ହୋଇଅଛି । ତେଣୁ ଶତ୍ରୁପକ୍ଷ ହେଲେବି ଦୟାପୂର୍ବକ ତାକୁ କ୍ଷମାଦିଆଯାଉ । ଏକଥା ପରେ ସମପକ୍ଷଭୁକ୍ତ ହୋଇ ମନ୍ତ୍ରୀ ଦୀପ୍ତାକ୍ଷ ମନ୍ତ୍ରୀ ବଜ୍ରବାସ ଏବଂ ପ୍ରାକାର ବର୍ଣ୍ଣ କହିଲେ ଯେ ବୁରାକ୍ଷର ମତାମତ ଗ୍ରହଣ କରାଯାଉ । ସେଠାରେ ବହୁମତ ମିଳିବାରୁ ମୂର୍ଖ ଅରିମର୍ଦ୍ଧନ ଶତ୍ରୁକୁ ସସମ୍ମାନେ ପାଛୋଟି ନେଇ ନିଜ ବସାକୁ ଘେନିଗଲା । ଚତୁର ବାୟସମନ୍ତ୍ରୀ ସ୍ଥିରିଜୀବି ଏକ ବାହାନା କରି ଭଲ୍ଲୁକ ରାଜର ଆଶ୍ରୟ ସ୍ଥାନ ଗୁହାମଧ୍ୟକୁ ନଯାଇ ଗୁହାର ଦ୍ୱାର ଦେଶରେ ଆଶ୍ରୟ ନେଲା । ଭଲ୍ଲୁକ ରାଜର ଦିବ୍ୟ ପରାମର୍ଶ ଦ୍ୱାରା ବାୟସ ସ୍ଥିରଜୀବି ନିମନ୍ତେ ପ୍ରତିଦିନ ନାନା ପ୍ରକାର ମାଂସ ସହିତ ନାନା ପ୍ରକାର ଖାଦ୍ୟ ମଧ୍ୟ ପରିବେଷଣ କରାଗଲା । ଦିନ କେଇଟା ଯାଇ ନାହିଁ ମୃତାବସ୍ଥାକୁ ଫେରିଯାଇ ସ୍ଥିରଜୀବି ଖୁବ୍ ବଳଶାଳୀ ହୋଇଉଠିଲା । ରକ୍ତାକ୍ଷ ବିପଦ ହୁଏତ ତା’ପାଇଁ ଆସିବାର ସଙ୍କାପ୍ରକାଶ କରି ନିର ସପକ୍ଷମାନଙ୍କୁ ଧରି
ପ୍ରତାପଙ୍କ ଉପବାସ (ବେତାକ କାହାଣୀ) ଏଣେ ନିଶା ଗରଜୁଥାଏ । ବାହାରେ ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ଅରଣ୍ୟ ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ ସେ ନିଜ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍! ଏଇ ଘୋର ଅନ୍ଧକାର ରାତ୍ରିରେ, ଭୂତ-ପ୍ରେତ ବିଚରଣ କରୁଥିବା ଏହି ଭୟାନକ ଶ୍ମଶାନରେ ତୁମେ ନାନାଦି ଯାତନା ଭୋଗ କରୁଛ । ଯେଉଁ ଲକ୍ଷ୍ୟପ୍ରାପ୍ତି ପାଇଁ ତୁମେ ଏହି ପରିଶ୍ରମ କରୁଛ, କେବେ ତାହା ତୁମକୁ ମିଳିବ ଓ ତା’ର ସୁଫଳ ତୁମ ଭାଗ୍ୟରେ ଅଛି କି ନାହିଁ, ସେ କଥା ମଧ୍ୟ ତମେ ଜାଣ ନାହିଁ । କେବେକେବେ ଆମର କଳ୍ପନାତୀତ କୌଣସି ଆଶା ମଧ୍ୟ ଅତି ସହଜରେ ପୂରଣ ହୋଇଯାଏ । ଏପରି ଘଟିବାର କାରଣ, ବିଜ୍ଞ ତପସ୍ୱୀ କିମ୍ବା ତର୍କବିଦ୍ମାନେ ମଧ୍ୟ ସଠିକ୍ ଭାବେ କହି ପାରିବେ ନାହିଁ । ଉଦାହରଣ ସ୍ୱରୂପ, ପ୍ରତାପ ନାମକ ଜଣେ ବ୍ୟକ୍ତିଙ୍କ ଉପବାସ ସମ୍ବନ୍ଧରେ ମୁଁ ତୁମକୁ କାହାଣୀଟିଏ କହିବି । ମନଦେଇ ତୁମେ ତାହା ଶୁଣ । ଫଳରେ ତୁମ ଶ୍ରମଭାର କିଛିଟା ଲାଘବ ମନେ ହେବ ।” ଏହାପରେ ସେ ବେତାଳ ଗପିଲା । ବଳଭଦ୍ରପୁର ଗ୍ରାମର ବଳରାମଙ୍କ ଗୃହ ପଛପଟେ ଥିବା ଜମି ତଳେ ଗୁପ୍ତଧନ ରହିଛି, ଏପରି ଧାରଣା ଅନେକଙ୍କ ମନରେ ଥିଲା । ଏହା ଲାଭ କରିବା ପାଇଁ ବଳରାମ ଅନେକ ଥର ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି । ଏକଦା, ଜଣେ ସନ୍ନ୍ୟାସୀ ତାଙ୍କ ଘରକୁ ଆସି କହିଲେ, “ଜଣେ ଉତ୍ତମ ବ୍ୟକ୍ତିଙ୍କୁ ଆପଣଙ୍କ ଘରେ ତିନିଦିନ ସ୍ୱାଦିଷ୍ଟ ଭୋଜନ ଖାଇବାକୁ ଦେବେ । ଚତୁର୍ଥଦିନ ତାଙ୍କୁ ସମ୍ପୂର୍ଣ୍ଣ ଉପବାସୀ ରଖିବେ । ପଂଚମ ଦିବସରେ ତାଙ୍କ ହାତରେ କୋଦାଳ ଦେଇ ଜମିକୁ ଖୋଳିବା ପାଇଁ କହିବ । ସେ ଯେଉଁଠାରେ କୋଦାଳ ପ୍ରହାର କରିବେ, ଠିକ୍ ସେହିଠାରୁହିଁ ତୁମେ ଗୁପ୍ତଧନ ପାଇବ ।” ସେହିଦିନଠାରୁ ବଳରାମ, କେତେ ଲୋକଙ୍କୁ ନିଜ ଘରକୁ ଆମନ୍ତ୍ରଣ କଲେ, ଯେଉଁମାନେ କି ଲୋକଚକ୍ଷୁରେ ଉତ୍ତମ ମଣିଷର ଆସନ ପାଇଛନ୍ତି । ସେମାନଙ୍କୁ ମଧ୍ୟ ସେ କହନ୍ତି ଯେ, ଧନ ମିଳିଲେ, ତାହାର ଅର୍ଦ୍ଧେକ ସେ ତାଙ୍କୁ ପ୍ରଦାନ କରିବେ । କିନ୍ତୁ କେହି ବି ତାଙ୍କ ନିମନ୍ତ୍ରଣ ସ୍ୱୀକାର କରୁ ନ ଥାନ୍ତି । ସେମାନେ କହନ୍ତି, ପରଧନ ପ୍ରତି ଲୋଭାସକ୍ତ ହେବା ଏକ ପ୍ରକାର ପାପ ଅଟେ । ଅବଶ୍ୟ ପ୍ରଲୋଭନରେ ପଡି, କେହି କେହି ଆସୁଥିଲେ । ତିନିଦିନ ସ୍ୱାଦିଷ୍ଟ ଭୋଜନ ଖାଇବା ପରେ, ଚତୁର୍ଥ ଦିନ କଠୋର ଉପବାସ ମଧ୍ୟ ରହିଥିଲେ । କିନ୍ତୁ ପଂଚମଦିନ କୋଦାଳରେ ଭୂମି ଖନନ କରିବାରୁ କିଛି ବି ମିଳିଲା ନାହିଁ । ଓଲଟି ସେମାନେ ଉତ୍ତମ ଲୋକ ନୁହଁନ୍ତି ପ୍ରମାଣିତ ହେବାରୁ, ଲଜ୍ଜାରେ ମୁହଁ ଦେଖାଇ ନ ପାରି ଚାଲିଗଲେ । କିଛି ଲୋକ ଖୋଲାଖୋଲି ଭାବେ କହିଲେ, ସନ୍ନ୍ୟାସୀଙ୍କର କଥାରେ ବୋଧହୁଏ ଆଦୌ ସତ୍ୟତା ନାହିଁ । କିଛିଦିନ ପରେ ବଳରାମଙ୍କ ଘରକୁ ଭବିଷ୍ୟବାଣୀ କରିଥିବା ସେହି ସନ୍ନ୍ୟାସୀ ଜଣକ ଆସିଲେ । ବଳରାମ ତାଙ୍କୁ ସବୁ ଘଟଣା ଶୁଣାଇଲେ । ସନ୍ନ୍ୟାସୀ ଗମ୍ଭୀର ହୋଇ କହିଲେ, “ଚତୁର୍ଥ ଦିନର କଠୋର ଉପବାସ କହିଲେ, ଜଳ ମଧ୍ୟ ପାନ କରିବା ଅନୁଚିତ୍ । କ’ଣ ଏହି ନିୟମ ତୁମେ ପାଳନ କରିଛ?” ବଳରାମ ମନେପକେଇଲେ ଯେ କିଛି ଲୋକ ଫଳ ଖାଇଥିଲେ, କେହି କେହି ମଧ୍ୟ ଦୁଧ ପିଇଥିଲେ ଓ ସମସ୍ତେ ପ୍ରାୟ ଜଳପାନ କରିଥିଲେ । ଏବେ ବଳରାମ ଜାଣିଗଲେ, କଠୋର ଉପବାସ କିପରି ପାଳନ କରିବାକୁ ହୁଏ । ସେ ସନ୍ନ୍ୟାସୀଙ୍କୁ କହିଲେ, “ସ୍ୱାମୀ, ଏହି କଠୋର ଉପବାସ ଅନ୍ୟ କେହି ହୁଏତ ପାଳନ କରିବାକୁ ରାଜି ହେବେ ନାହିଁ, ଯଦି ମୁଁ ସ୍ୱୟଂ ଏହି କାମ କରେ ତେବେ କିପରି ହେବ?” “ତୁମର ଏହି ଉଦ୍ଧେଶ୍ୟ ସାଧନ ପାଇଁ, ଫଳକୁ ଆଶା ନ କରି କଠୋର ଉପବାସ-ବ୍ରତ ପାଳନ କରିବାକୁ ଇଚ୍ଛୁକ, ଜଣେ ସତ୍ପୁରୁଷ ଆବଶ୍ୟକ । ନିଜର ପ୍ରୟୋଜନ ପାଇଁ ତୁମେ ଉପବାସ ରହିଲେ, ତାହା ସ୍ୱାର୍ଥ ରୂପେ ଗଣନା କରାଯିବ । ଏଠାରୁ କିଛି ଦୂର ଗଲେ, ଗୋଟିଏ ଛୋଟ ଗ୍ରାମ ପଡିବ । ସେହି ଗ୍ରାମରେ ପ୍ରତାପ ନାମକ ଜଣେ ବ୍ୟକ୍ତି ବାସ କରନ୍ତି । ଗ୍ରାମର ସମସ୍ତଙ୍କ ନିକଟରେ ସେ ଖୁବ୍ ପରିଚିତ । ସେ ତୁମର ଏହି କଠୋର ଉପବାସ-ବ୍ରତ ପାଇଁ ଉପଯୁକ୍ତ ବ୍ୟକ୍ତି । ତେଣୁ ତୁମେ ତାଙ୍କୁ ଆମନ୍ତ୍ରିତ କରି ନେଇଆସ ।” ବଳରାମ ତୁରନ୍ତ ପ୍ରତାପଙ୍କୁ ଡାକି ଆଣିବା ପାଇଁ ବାହାରିଲେ । ପାଦରେ ଚାଲି ଚାଲି ସଂନ୍ଧ୍ୟା ସୁଦ୍ଧା ସେ ଯାଇ ଗ୍ରାମରେ ପହଁଚିଲେ । ପ୍ରତାପଙ୍କ ଘରର ଠିକଣା ସେ ସହଜରେ ଜାଣିପାରିଲେ । କାରଣ ତାଙ୍କ ଘର ଇନ୍ଦ୍ରପୁରୀ ସଦୃଶ ଏକ ଭବନ ଥିଲା । ପ୍ରଥମରୁ ବଳରାମଙ୍କର ଧାରଣା ଥିଲା, ପ୍ରତାପ ଜଣେ ଦରିଦ୍ର ଲୋକ ହୋଇଥିବେ । ଭିତରକୁ ଯାଇ ସେ ଦେଖିଲେ, ତାଙ୍କର ଭବନ ଦାସଦାସୀରେ ଭରା । ପ୍ରତାପ, ସମସ୍ତଙ୍କଠାରୁ ଦୀର୍ଘକାୟ ଓ ଉଜ୍ଜ୍ୱଳବର୍ଣ୍ଣ ଥିଲେ । ତାଙ୍କ ଶରୀରରେ ରେଶମୀ ବସ୍ତ୍ର ଓ ଅସୁମାରି ଗହଣା ଶୋଭା ପାଉଥାଏ । ମନ୍ଦିରର ଦେବପ୍ରତିମା ସଦୃଶ ତାଙ୍କର କାନ୍ତି ଝଟକି ଉଠୁଥାଏ । ବଳରାମଙ୍କୁ ଦେଖୁ ଦେଖୁ, ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରତାପ ନିଜେ ଚାଲିଆସିଲେ । କେଉଁ କାରଣରୁ ସେ ଆସିଛନ୍ତି, ପ୍ରଶ୍ନ କଲେ । ଏପରି ଜଣେ ମହାନୁଭବଙ୍କୁ ନିଜର କାର୍ଯ୍ୟ ସମ୍ବନ୍ଧରେ ଜଣାଇବାକୁ ସେ ସଙ୍କୋଚ ଅନୁଭବ କରୁଥା’ନ୍ତି । ତଥାପି ମଧ୍ୟ ପ୍ରତାପ ବାରମ୍ବାର ପ୍ରଶ୍ନ କରି, ତାଙ୍କ ଆଗମନର କାରଣ ବୁଝିନେଲେ । ବଳରାମ ମନେ ମନେ ଏହି କଥାକୁ ନେଇ ଡରି ଯାଇଥାନ୍ତି ଯେ, ତାଙ୍କ କଥାରେ ପ୍ରତାପଙ୍କର ପ୍ରତିକ୍ରିୟା କ’ଣ ଯେ ହେବ? କିନ୍ତୁ ପ୍ରତାପ ତାଙ୍କ କାନ୍ଧକୁ ଥାପୁଡେଇ କହିଲେ, “ଆଜି ରାତିକ ଏଠାରେ ବିଶ୍ରାମ ନିଅନ୍ତୁ, କାଲି ପ୍ରଭାତରେ ଆମେ ଦୁହେଁ ସାଙ୍ଗ ହୋଇ ଯିବା । ଏହା ଭିତରେ ମୁଁ ଅନ୍ୟାନ୍ୟ ବନ୍ଦୋବସ୍ତ କରୁଛି ।” ଏକଥା ଶୁଣି ବଳରାମ ଖୁବ୍ ଖୁସି ହୋଇଗଲେ । ପ୍ରତାପଙ୍କର ଆତିଥ୍ୟ, ତାଙ୍କୁ ତୃପ୍ତ କଲା । ପ୍ରଶାନ୍ତ ଚିତରେ ସେ ନିଦ୍ରା ଗଲେ । ପ୍ରଭାତରେ ପ୍ରତାପଙ୍କର ଜଣେ ସେବକ ନିଦ୍ରାଭଙ୍ଗ କରି ତାଙ୍କୁ କହିଲେ, “ମାଲିକ ପ୍ରସ୍ତୁତ ହୋଇ ବସିଛନ୍ତି । ଆପଣ ଶୀଘ୍ର ବାହାରି ପଡନ୍ତୁ ।” ବଳରାମଙ୍କୁ, ସେବକ ଖୁବ୍ ଯତ୍ନର ସହିତ ସ୍ନାନ କରାଇଲା । ସେ ସେବକଟିଠାରୁ ପ୍ରତାପଙ୍କର ଆଚାର ବ୍ୟବହାର ସମ୍ପର୍କରେ ଜାଣିବାକୁ ଚେଷ୍ଟା କଲେ । ସେବକର କହିବା ଅନୁସାରେ, ପ୍ରତାପ ନିଜର କର୍ମଚାରୀମାନଙ୍କୁ ଭଲ ବେତନ ଦିଅନ୍ତି । କିନ୍ତୁ, ସେମାନଙ୍କୁ ସେ ଖୁବ୍ ଗାଳିମନ୍ଦ କରନ୍ତି । ଅନେକ ଗୁଡିଏ ଭଲ ଗୁଣର ଅଧିକାରୀ ହେଲେ ମଧ୍ୟ, ସେ ଅନେକ ଖରାପ ଗୁଣର ଶିକାର ଅଟନ୍ତି । ବଳରାମଙ୍କୁ ଏହା ଆଶ୍ଚର୍ଯ୍ୟାନ୍ୱିତ କଲା । ଆତୁର ହୋଇ ସେ ପଚାରିଲେ, “ସିଧା କହିଲ, ପ୍ରତାପ ଜଣେ ଭଲ ଲୋକ କି ଖରାପ ଲୋକ?” ସେବକ କହିଲା “ସେ ଉଭୟ ଭଲ ଓ ଖରାପ ଲୋକ, କିନ୍ତୁ ତାଙ୍କର ବିଶିଷ୍ଟତା ହେଲା ସେ କେବେ ବି ନିଜର ଖରାପ ଗୁଣ ଗୁଡିକ ଲୁଚାଇ ରଖିବାକୁ ଚେଷ୍ଟା କରନ୍ତି ନାହିଁ ।” ଏହାଶୁଣି ବଳରାମ ଚିନ୍ତିତ ହୋଇ ପଡିଲେ, “କାହିଁକି କେଜାଣି, ସନ୍ନ୍ୟାସୀ ଏହି ଲୋକଟିର ନାମ ବତେଇଲେ । ଏହାର ଉପବାସରେ, ମୋର କାର୍ଯ୍ୟସିଦ୍ଧି ହେବ କି ନାହିଁ ସେକଥା କିଏ ଜାଣେ?” ଅଜାଣତରେ ତାଙ୍କ ପାଟିରୁ ଏକଥା ବାହାରିଗଲା । ଏହାଶୁଣି ସେବକ ହସି ହସି କହିଲା, “ଆପଣଙ୍କର ଏହି ଉପବାସ-ବ୍ରତ କଥା, କାଲି ରାତିସାରା ଆମ ମାଲିକ ପ୍ରଚାର କରୁଛନ୍ତି । ଆମେ ସବୁ ଶୁଣି ଚକିତ ହେଲୁ । ଉପବାସ ଦୀକ୍ଷା ପାଇଁ ଆପଣଙ୍କୁ ଆମ ମାଲିକଙ୍କୁ ଛାଡି ଅନ୍ୟ କେହି ମିଳିଲେ ନାହିଁ? ସମସ୍ତେ ଦିନରେ ତିନିଥର ଭୋଜନ କରନ୍ତି, କିନ୍ତୁ ସେ ଛଅଥର ଭୋଜନ କରନ୍ତି । ତାଙ୍କୁ ଉପବାସ ରଖେଇବା ଭଗବାନଙ୍କ ଦ୍ୱାରା ମଧ୍ୟ ସମ୍ଭବ ନୁହେଁ ।” ତା’ର କଥାରେ ବଳରାମଙ୍କ ଚିନ୍ତା ଆହୁରି ବଢିଗଲା । ଶେଷରେ ସନ୍ନ୍ୟାସୀଙ୍କ କଥା ଉପରେ ପୂର୍ଣ୍ଣ ଭରସା ରଖି ନିଜକୁ ସେ ଦୁଃଶ୍ଚିନ୍ତାରୁ ମୁକ୍ତ କଲେ । ଅଳ୍ପ
ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ବିଜୁଳି ଆଲୁଅର ଝଲକରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ନହୋଇ ପୁନର୍ବାର ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତା’ପରେ ତାକୁ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତମେ ଏ ନିର୍ଜନ ରାତିରେ ଏଭଳି ପରିଶ୍ରମ କାହିଁକି କରୁଛ, ବିପଦକୁ କାହିଁକି ତାଚ୍ଛଲ୍ୟ କରି ଶ୍ମଶାନରୂପକ ଏ ପ୍ରେତପୁରୀରେ ପ୍ରବେଶ କରିଛ, ବୁଝି ପାରୁନାହିଁ । ତମେ ହୁଏତ ସ୍ୱପ୍ନରେ କିଛି ଇଙ୍ଗିତ ପାଇଛ । ବୋଧହୁଏ ସେହି ଅନୁସାରେ ବାଧାବିପତ୍ତି ନମାନି କାମ କରି ଚାଲିଛ । କିନ୍ତୁ ସ୍ୱପ୍ନର ଇଙ୍ଗିତକୁ ତାଚ୍ଛଲ୍ୟ କରିବା ଲୋକ ବି ଅଛନ୍ତି । ସେହିଭଳି ଜଣେ ଲୋକର କାହାଣୀ କହୁଛି । ମନଦେଇ ତାହା ଶୁଣ । ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।” ବେତାଳ ଗପିଲା: ଶ୍ରୀଗୁପ୍ତ ନାମକ ଜଣେ ବିଖ୍ୟାତ ବ୍ୟବସାୟୀ ପ୍ରତିଷ୍ଠାନ ନଗରୀରେ ରହୁଥିଲେ । ସେ ଦୁଇବର୍ଷରେ ଥରେ ସମୁଦ୍ର ସେପାରି ରାଜ୍ୟମାନଙ୍କୁ ବେପାର କରିବାକୁ ଯାଉଥିଲେ । ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ବ୍ୟବସାୟୀ ସେଠାରୁ ଫେରି ଆସୁଥିଲେ । ଥରେ ଶ୍ରୀଗୁପ୍ତ ନିଜ ଦେଶରେ ମାଲ୍ ମସଲା ଖରିଦ୍ କରିବା ଅବସରରେ ଜୟପୁର ନାମକ ଛୋଟିଆ ସହରରେ ରହୁଥିବା ତାଙ୍କର ବାଲ୍ୟବନ୍ଧୁ ମହେନ୍ଦ୍ରଙ୍କ ଘରେ ସେ ଅତିଥି ହେଲେ । ମହେନ୍ଦ୍ର ମଧ୍ୟ ବ୍ୟବସାୟ କରୁଥିଲେ । କିନ୍ତୁ ସମୁଦ୍ରରେ ନୁହେଁ । ସେ ସହରରେ ଦୋକାନଟିଏ କରିଥିଲେ ଓ ସେଥିରୁ ଭଲ ଲାଭ କରୁଥିଲେ । କୋଠାଘର ବି ତୋଳିଥିଲେ ଓ ସୁଖରେ ଥିଲେ । ଶ୍ରୀଗୁପ୍ତ ବନ୍ଧୁଙ୍କ ଘରେ ଦୁଇଦିନ ବିଶ୍ରାମ କରିବା ଅବସରରେ ବନ୍ଧୁଙ୍କୁ କହିଲେ, “ମହେନ୍ଦ୍ର! ତମର ଅଧ୍ୟବସାୟ ଯେମିତି, ବୁଦ୍ଧିମତା ବି ଠିକ୍ ସେମିତି । ଦୋକାନରୁ ଉପାର୍ଜନ ବି କିଛି ମନ୍ଦ ହେଉନାହିଁ ବୋଲି ମୁଁ ବୁଝୁଛି । କିନ୍ତୁ ଏଭଳି ଦୋକାନଟିଏ କରି ତମେ ଯେ କେବେ ଧନପତି ହେବ, ସେ ଆଶା ତ ମୋର ନାହିଁ । ଗୋଟାଏ କାମ କର । କିଛି ମୂଳଧନ ଧରି ଥରେ ମୋ ସହ ସମୁଦ୍ର ସେପାରିକୁ ଚାଲ । ବିଦେଶରୁ ଜିନିଷପତ୍ର ଆଣି ଏଠାରେ ବିକ୍ରୟ କରିବ । ବାସ୍ତବିକ ସେଥିରେ ସିନା ଲାଭ ହେବ! ଏ ଦୋକାନରେ ଆଉ ବିଶେଷ କ’ଣ ବା ଲାଭ ହେବ? ଥରେ ସମୁଦ୍ର ସେପାରିକୁ ଯାଇ ବାଣିଜ୍ୟ କରିବାର ନିଶା ଲାଗିଗଲେ ତେଣିକି ଆଉ ତମେ ସ୍ଥଳରେ ଖୁସିହୋଇ ମୋଟେ ରହିପାରିବ ନାହିଁ । ବାରମ୍ବାର ସମୁଦ୍ର ପଥରେ ଦେଶବିଦେଶ ବୁଲିବାକୁ ବାହାରିବ ।” ମହେନ୍ଦ୍ର ବନ୍ଧୁଙ୍କ କଥା ମନଦେଇ ଶୁଣିଲେ ଓ କହିଲେ, “ତମ ପରାମର୍ଶ ପାଇଁ ତମକୁ ଧନ୍ୟବାଦ । ମୁଁ ଚିନ୍ତା କରି ଦେଖିବି ।” ଶ୍ରୀଗୁପ୍ତ ପୁଣି କହିଲେ, “ଦେଖ, ମୁଁ ଆଉ ତିନିମାସ ପରେ ବାଣିଜ୍ୟ ପାଇଁ ବାହାରିବି । ପ୍ରଥମଥର ତମେ ଏ ଦେଶରୁ କିଛିବି ଜିନିଷ ନେବାର ଦରକାର ନାହିଁ । ଖାଲି ବିଦେଶରୁ ଆଣିବା ନିମନ୍ତେ ଟଙ୍କା ଯୋଗାଡ କର ।” ଶ୍ରୀଗୁପ୍ତ ତାଙ୍କର ପ୍ରସ୍ତାବିତ ସମୁଦ୍ର ଯାତ୍ରାର ତାରିଖ ଜଣାଇ ସେଠାରୁ ବିଦାୟ ନେଲେ । ମହେନ୍ଦ୍ର ଏ ପ୍ରସ୍ତାବ ଉପରେ ଅନେକ ଚିନ୍ତା କଲେ । ଶେଷକୁ କିଛି ପୁଞ୍ଜି ଧରି ପ୍ରତିଷ୍ଠାନ ନଗରୀ ଉଦ୍ଧେଶ୍ୟରେ ସେ ତାଙ୍କ ଯାତ୍ରାରମ୍ଭ କଲେ । ବନ୍ଧୁଙ୍କ ସହ ଥରେ ବିଦେଶ ଯିବା ହେଲା ତାଙ୍କର ସିଦ୍ଧାନ୍ତ । ଜୟପୁରରୁ ପ୍ରତିଷ୍ଠାନ ଦୁଇ ଦିନର ବାଟ । ପ୍ରଥମ ଦିନ ବାଟ ଚାଲୁ ଚାଲୁ ମହେନ୍ଦ୍ର କ୍ଳାନ୍ତ ଅନୁଭବ କରି ଗୋଟିଏ ଗଛ ମୂଳରେ ଶୋଇ ପଡିଲେ । ସେତେବେଳେ ଦ୍ୱିପ୍ରହର । ହେଲେ ପାଖରେ ସରୋବର ଥିବାରୁ ଶୀତଳ ପବନ ବହୁଥାଏ । ତାଙ୍କୁ ନିଦ ଆସିଗଲା । ସେ ସ୍ୱପ୍ନରେ ଗୋଟିଏ ଅଦ୍ଭୁତ ବ୍ୟାପାର ଦେଖିଲେ: ଜଳରାଶି ଭିତରେ ଗୋଟିଏ ଜାହାଜ ସୁବର୍ଣ୍ଣମୟ ଦ୍ୟୁତରେ ଝଟକୁଛି । ଜାହାଜରେ ଯେ ନାନା ପ୍ରକାର ମୂଲ୍ୟବାନ ପଦାର୍ଥ ବୋଝାଇ ହୋଇ ରହିଛି, ଏହା ଅକ୍ଳେଶରେ ବୁଝି ହେଉଥିଲା ମହେନ୍ଦ୍ର କିଛି ସମୟ ଜାହାଜ ଆଡେ ଅନାଇ ତା’ପରେ ଲୋଭ ସମ୍ବରଣ କରି ନପାରି ଜଳ ଭିତରକୁ ଡେଇଁ ପଡିଲେ । ସନ୍ତରଣ କରି କରି ସେ ଠିକ୍ ଜାହାଜ ପାଖରେ ପହଁଚିଛନ୍ତି, ଗୋଟାଏ ଭୟାବହ ଆକୃତିର କେହି ଜଣେ ତାଙ୍କୁ ସେହି ଜଳ ଭିତରକୁ ଟାଣିନେଲା । ସେ ତହିଁରୁ ମୁକୁଳିବା ପାଇଁ ଯେତେ ଛାଟିପିଟି ହେଲେ ବି କିଛି ହେଲେ ଲାଭ ହେଲା ନାହିଁ । ସେ ପଚାରିଲେ, “କିଏ ତମେ? ମୋତେ ଏମିତି କାହିଁକି କଲବଲ କରୁଛ?” ତା’ପରେ ସେ ରୂପ ଉତ୍ତର ଦେଲା, “ମୁଁ ଦୁର୍ଭାଗ୍ୟ । ତୋତେ ଅନେକ ଦିନରୁ ମୋ ଖାପ୍ଚାରେ ପାଇବା ନିମନ୍ତେ ଉଦ୍ୟମ କରୁଥିଲି । ମାତ୍ର ସୁଯୋଗ ପାଉ ନଥିଲି । ହେଲେ ଆଜି ପାଇଛି । ଏଥର ଆଉ ଯିବୁ କୁଆଡେ?” ଏହା କହି ସେ ରୂପ ତାଙ୍କୁ ଆହୁରି ତଳକୁ ଟାଣିବାକୁ ଚେଷ୍ଟା କରିବାରୁ ହଠାତ୍ ତାଙ୍କ ନିଦ ଭାଙ୍ଗିଗଲା । ସେ ଉଠି ବସି କିଛି ସମୟ ସ୍ୱପ୍ନ ବିଷୟରେ ଚିନ୍ତା କଲେ ସେ ଭାବିଲେ, “ଏମିତି ତ ଛୋଟ ବ୍ୟବସାୟଟି କରି ମୁଁ ବେଶ୍ ଭଲରେ ଚଳୁଛି । ଯୋଉଠିକି ଦୁଃଖ, କଷ୍ଟ, ବିପଦ କିଛି ହେଲେବି ନାହିଁ । କେବଳ ଅଧିକ ଧନ ଉପାର୍ଜ୍ଜନ ପାଇଁ ଲୋଭରେ ପଡି ମୁଁ କାହିଁକି ବିପଦ ବରଣ କରିବି । ତା’ପରେ ସାମୁଦ୍ରିକ ବାଣିଜ୍ୟ ସକାଶେ ଯିବାର ଯୋଜନା ପରିତ୍ୟାଗ କରି ଘର ଆଡେ ସେ ଫେରିଲେ । କିନ୍ତୁ ମେଘ ଆସିଲା ଓ ପ୍ରବଳ ବର୍ଷା ହେବାର ଆଶଙ୍କା କରି ସେ ଏକ ଦୂରବର୍ତ୍ତୀ ଗୋଟିଏ ଚଟି ଘରେ ରାତି ବିତାଇବାକୁ ଠିକ୍ କଲେ । କିନ୍ତୁ ଆକାଶ ପରିଚ୍ଛନ୍ନ ହୋଇଗଲା । ସେ ଚଟିଘର ବାହାରେ ଗୋଟିଏ ଗଛମୂଳେ ବସି ତାଙ୍କୁ ନିଦ ଆସିବାରୁ ସେ ଶୋଇ ପଡିଲେ । ସେ ପୁଣି ସ୍ୱପ୍ନ ଦେଖିଲେ ବିଶାଳ ସରୋବର ମଝିରେ ସୁନାଭଳି ଉଜ୍ଜ୍ୱଳ ଜାହାଜ । ସେ ପାଣିକୁ ଡେଇଁପଡି ଜାହାଜ ପାଖରେ ପହଁଚିବାକୁ ଚେଷ୍ଟା କଲେ । ସନ୍ତରଣ କରୁ କରୁ ହାଲିଆ ହୋଇପଡି ସେ ବୁଡି ଯିବାକୁ ବସିଛନ୍ତି, ସେତିକିବେଳେ ଏକ ଦେବୀମୂର୍ତ୍ତି ତାଙ୍କୁ ଧରି ସେହି ପାଣିରୁ ଜାହାଜକୁ ଉଠାଇଦେଲେ । ମହେନ୍ଦ୍ର ପଚାରିଲେ, “କିଏ ତୁମେ?” ତହୁଁ ସେ ଦେବୀମୂର୍ତ୍ତି କହିଲେ, “ମୁଁ ତୋ ଭାଗ୍ୟର ଦେବୀ । ତୋ ଭାଗ୍ୟର ଲିଖନକୁ ମୁଁହିଁ ରୂପ ଦିଏ ।” ଦେବୀ ଅଦୃଶ୍ୟ ହୋଇଯିବା ପରେ ମହେନ୍ଦ୍ର ଦେଖିଲେ, ଜାହାଜର ଅଭ୍ୟନ୍ତରର ଦୃଶ୍ୟ ତାଙ୍କରି ଦୋକାନ ଭଳି । ଖାଲି ଦୋକାନଠୁଁ ବେଶି ସମୃଦ୍ଧ । ଦୋକାନରେ ଯେଉଁ ଜିନିଷ ଗୋଟିଏ ଅଛି, ଏଠି ତାହା ଦଶଟି ଅଛି । ପୁଣି ବଡ ଆକାରରେ ବି ଅଛି । ସେତିକିରେ ତାଙ୍କ ନିଦ ପୁଣି ଭାଙ୍ଗିଗଲା । ମହେନ୍ଦ୍ର ଭୋର ପର୍ଯ୍ୟନ୍ତ ସେହି ଚଟି ଘରେ ଅପେକ୍ଷା କରି ନିଜ ଘରକୁ ଫେରିଲେ । ପ୍ରତିଷ୍ଠାନ ନଗରୀକୁ ସେ ଆଉ ଗଲେ ନାହିଁ । ବେତାଳ ଟିକିଏ ଚୁପ୍ ରହି ପ୍ରଶ୍ନ କଲା: “ମହେନ୍ଦ୍ର ପ୍ରଥମ ସ୍ୱପ୍ନ ଦେଖି ଯଦି ହତାଶ ହୋଇ ସମୁଦ୍ର ଯାତ୍ରାର ଯୋଜନା ପରିହାର କଲେ, ଦ୍ୱିତୀୟ ସ୍ୱପ୍ନ ଦେଖି ଉତ୍ସାହିତ ହୋଇ ପୁଣି ଥରେ ସମୁଦ୍ରଯାତ୍ରା ପାଇଁ ବନ୍ଧୁ ଘରକୁ ସେ ଆଉ କାହିଁକି ଗଲେନି? ଏଥିରୁ ମନେହୁଏ ତାଙ୍କ ମନ ଅସ୍ଥିର । କିମ୍ବା ସେ ଠିକ୍ ଭାବରେ ସ୍ୱପ୍ନର ବ୍ୟାଖ୍ୟା କରିପାରିଲେ ନାହିଁ । ଠିକ୍ କି ନୁହେଁ? ପାରିଲେ ତୁମେ ମୋ ଏହି ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥାଇ ଯଦି ତମେ ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।” ରାଜା ବିକ୍ରମାର୍କ ମୁହୂର୍ତ୍ତେ ମାତ୍ର ବିଳମ୍ବ ନକରି ଉତ୍ତର ଦେଲେ, “ମହେନ୍ଦ୍ର ଅସ୍ଥିରମନା ନୁହଁନ୍ତି କିମ୍ବା ସ୍ୱପ୍ନର ଭୁଲ୍ ବ୍ୟାଖ୍ୟା ସେ କରି ନାହାଁନ୍ତି । ସେ ପ୍ରଥମ ସ୍ୱପ୍ନରୁ ବୁଝିଲେ, ସମୁଦ୍ର ଯାତ୍ରାରେ ଗଲେ ତାଙ୍କୁ ଦୁର୍ଭାଗ୍ୟର ଶୀକାର ହେବାକୁ ପଡିବ । କାରଣ ସେଥିରେ ଯେମିତି ଲକ୍ଷ ଲକ୍ଷ ଟଙ୍କା ଲାଭ ହୋଇପାରେ, ଠିକ୍ ସେମିତି ହଠାତ୍ ଲକ୍ଷ ଲକ୍ଷ କ୍ଷତି ବି ହୋଇପାରେ । ଦ୍ୱିତୀୟ ସ୍ୱପ୍ନରୁ ସେ ବୁଝିଲେ ଯେ ଭାଗ୍ୟରେ ତାଙ୍କର ଯାହା ଅଛି, ତାହାର ରୂପ ଦେବା ସକାଶେ ଦେବୀଶକ୍ତି ତାଙ୍କୁ ସାହାଯ୍ୟ କରୁଛି । ଜାହାଜର ଅଭ୍ୟନ୍ତର ତାଙ୍କ ଦୋକାନ ଭଳି, ଅଥଚ ଦୋକାନଠୁଁ ସବୁ ଜିନିଷ ଅଧିକ ବୋଲି ମନେ ହେଲା । ଏହାର ଅର୍ଥ ତାଙ୍କର ସମୃଦ୍ଧି କେବଳ ତାଙ୍କ ଦୋକାନରୁହିଁ ହେବ । ସେ ଯେଉଁ ବ୍ୟବସାୟ କରୁଛନ୍ତି, ଦିନେ ତାହାହିଁ ବଢି ବଢି ତାଙ୍କୁ ଅଧିକ ଧନୀ କରିଦେବ । ନୂତନ ବ୍ୟବସାୟ ପାଇଁ ସମୁଦ୍ର ପଥରେ ଯିବା ଅନାବଶ୍ୟକ ।”
ପ୍ରାଚୀନ କାଳର କଥା । ଗଙ୍ଗା ନାମକ ନଦୀ କୂଳବର୍ତ୍ତି ସ୍ଥାନରେ ଜଣେ ଋଷିଙ୍କର ଆଶ୍ରମ ଥିଲା । ସେହି ଋଷିଙ୍କର ନାମ ହେଉଛି ସାନ୍ଧିପର୍ଣ୍ଣି । ଋଷି ପ୍ରତିଦିନ ପୁଣ୍ୟନଦୀ ଗଙ୍ଗାରେ ସ୍ନାନ ସାରି ଆଦିତ୍ୟ ଦେବତାଙ୍କ ଉଦ୍ଧେଶ୍ୟରେ ଜଳ ସମର୍ପଣ କରିଥାଆନ୍ତି । ଦିନକର କଥା । ଋଷି ସାନ୍ଦିପର୍ଣ୍ଣି ଗଙ୍ଗା ନଦୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ଆଦିତ୍ୟଙ୍କୁ ଜଳ ତର୍ପଣ କରିବା ସମୟରେ ତାଙ୍କ ହସ୍ତରେ ଶୂନ୍ୟରୁ ଆସି ଗୋଟିଏ ମୂଷିକ ପଡ଼ିଗଲା । ଏହାଦେଖି ଋଷି ଆଶ୍ଚର୍ଯ୍ୟ ହୋଇଗଲେ ଓ ପୁନଶ୍ଚ ସେହି ମୂଷିକକୁ ନଦୀ କୂଳରେ ଥୋଇଦେଇ ସ୍ନାନ କରିଲେ । ସ୍ନାନ ସାରି ଯେତେବେଳେ ଋଷି ଆଶ୍ରମକୁ ଫେରିଲେ ସେତେବେଳେ ସେହି ମୂଷିକକୁ ଏକ କନ୍ୟା ରୂପରେ ପରିଣତ କରିଦେଲେ । ତା’ପରେ କନ୍ୟାକୁ ନେଇ ଆଶ୍ରମକୁ ଗଲେ । ସେତେବେଳେ କନ୍ୟାଟିକୁ ଋଷି ତାଙ୍କର ସ୍ତ୍ରୀଙ୍କୁ ସମର୍ପଣ କରି କହିଲେ ଏଇଟି ତୁମର କନ୍ୟା । ତାକୁ ତୁମେ ଯତ୍ନରେ ଲାଳନପାଳନ କରିବ । ଏହାପରେ ଋଷିପତ୍ନୀଙ୍କର ଅତି ଆଦରର ଲାଳନ ପାଳନ ଦ୍ୱାରା କନ୍ୟା ଖୁବ୍ ଖୁସିରେ ଆଶ୍ରମରେ ରହୁଥାଏ । ଏହାପରେ ଋଷି ଓ ଋଷିପତ୍ନୀଙ୍କର ଆଖିକୁ କନ୍ୟାଟି ବିବାହ ଯୋଗ୍ୟା ହେବାର ଦେଖା ଗଲାରୁ ତହିଁ ଋଷି କନ୍ୟାର ବିବାହ ନିମନ୍ତେ ଏକ ବଳୁଆ ଜ୍ୱାଇଁଙ୍କର ଅନୁସନ୍ଧାନରେ ରହିଲେ । ହଠାତ୍ ତାଙ୍କର ବିଚାରକୁ ଆସିଲା ଯେ ସଂସାରରେ ସବୁଠାରୁ ଶ୍ରେଷ୍ଠ ତଥା ଶକ୍ତିବାନ ହେବେ ନିଜେ ସୂର୍ଯ୍ୟ ତାଙ୍କୁ ହିଁ ଜ୍ୱାଇଁ କରିବା ଉଦ୍ଧେଶ୍ୟରେ, ସେ ସୂର୍ଯ୍ୟଙ୍କ ପାଖକୁ ନିଜର କନ୍ୟାକୁ ଧରି ଚାଲିଲେ । ଋଷିଙ୍କର ସୂର୍ଯ୍ୟ ଦେବତାଙ୍କ ସହ ସାକ୍ଷାତ ହେଲା । ଋଷି ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରି କହିଲେ ଯେ ଆପଣ ସଂସାରରେ ସବୁଠାରୁ ଶକ୍ତିମାନ । ସେହି କାରଣରୁ ମୋର କନ୍ୟାଙ୍କୁ ଆପଣଙ୍କ ସହ ବିବାହ ଦେବାକୁ ଆସିଅଛି । ସୂର୍ଯ୍ୟଦେବତା ଋଷିଙ୍କ କଥାରେ ଅସମ୍ମତ ହୋଇ କହିଲେ – ହେ ଋଷିବର! ଆପଣଙ୍କର ବିଚାର ଧାରା ଆଦୌ ଠିକ୍ ନୁହେଁ କାରଣ ତୁମେ ଜାଣିଅଛ ଯେ ଏହି କଳା ମେଘ ମୋର ଶତ୍ରୁ । ସେ ଚାହିଁଲେ ମୋ ଉପରେ ଘୋଟି ଯାଇ ମୋତେ ଲୁଚାଇ ଦେବ । ତେଣୁ ମୋ ମତରେ କଳା ମେଘ ହିଁ ମୋଠାରୁ ଶକ୍ତିମାନ । ଆପରଙ୍କର କନ୍ୟାଙ୍କୁ ମେଘ ସାଥିରେ ବିବାହ ଦିଅନ୍ତୁ । ଋଷି ସୂର୍ଯ୍ୟଙ୍କ ଠାରୁ ଏପରି ବାର୍ତ୍ତା ଶୁଣିବା ପରେ କଳା ମେଘ ନିକଟରେ ନିଜର କନ୍ୟାକୁ ନେଇ କନ୍ୟାର ବିଭାଘର କଥା ତାଙ୍କୁ କୁହନ୍ତି, ସେ ତାଙ୍କୁ ଅସମର୍ଥତା ଜଣାଇ କହିଲେ ମୋ ଠାରୁ ଶକ୍ତିମାନ ପବନ । ସେ ଚାହିଁଲେ ମୋତେ ଖଣ୍ଡ ଖଣ୍ଡ କରି ଚାରିଆଡ଼େ ଫିଙ୍ଗି ଦେଇ ପାରିବ । ସେହି କାରଣରୁ ଆପଣଙ୍କର କନ୍ୟାର ବିବାହ ସେହି ପବନ ସାଥିରେ କରାଇଦେବା ଉଚିତ୍ ହେବ । ଋଷି ପୁଣି ମେଘଠାରୁ ନୈରାଶ୍ୟତା ବାଣୀ ଶୁଣିବା ପରେ ପବନଙ୍କ ଠାରେ ଯାଇ ପହଞ୍ଚି କନ୍ୟାର ବିବାହ କଥା କହନ୍ତେ, ପବନ କହିଲା ମୁଁ ଯେତେ ଶକ୍ତିମାନ ହେଲେ କ’ଣ ହେବ । ଏହି ପର୍ବତକୁ ମୋର ଭୟ । କାରଣ ପର୍ବତକୁ ହରାଇ ମୁଁ କୌଣସି ପ୍ରକାର ତାକୁ ଟପିଯାଇ ପାରେ ନାହିଁ । ସେଥିପାଇଁ ମୋ ଠାରୁ ଶକ୍ତିମାନ ସେହି ପର୍ବତ । ଭଲହେବ ଆପଣଙ୍କର କନ୍ୟାର ବିବାହ ସେହି ପର୍ବତଙ୍କ ସହିତ କରାଇ ନିଅନ୍ତୁ । ତା’ପରେ ଋଷି ଯାଇ ପର୍ବତ ପାଖରେ କନ୍ୟାଙ୍କୁ ନେଇ ପହଞ୍ଚି ନିଜ କନ୍ୟାର ବିବାହ ଅଭିଳାଷ କଥା କହନ୍ତେ ପର୍ବତ ମଧ୍ୟ ଋଷିଙ୍କ କନ୍ୟାଙ୍କୁ ବିବାହ କରିବାକୁ ନିଜର ଅସମର୍ଥତା ଜଣାଇ କହିଲେ ମୋ ଠାରୁଶକ୍ତିମାନ ହେଉଛନ୍ତି ମୂଷିକ ରାଜା । ସେ ଯଦି ମୋର ନିମ୍ନ ଦେଶରେ ଗୋଟିଏ ଗର୍ତ୍ତ କରି ଦିଅନ୍ତି । ମୋର ଭୂଷୁଡ଼ି ପଡ଼ିବା ଆଦୌ ଅସମ୍ଭବ ହେବ ନାହିଁ । ସେଥିପାଇଁ ମୁଁ କହୁଛି ମୂଷିକ ହିଁ ମୋ ଠାରୁ ଶକ୍ତିମାନ । ଆପଣ ଆପଣଙ୍କ କନ୍ୟାଙ୍କୁ ତାଙ୍କ ସହ ବିବାହ କରନ୍ତୁ । ପରିଶେଷରେ ଋଷି ନିଜର କନ୍ୟାଙ୍କୁ ବିବାହ କରିବା କ୍ଷେତ୍ରେ ସବୁ ସ୍ଥାନରେ ବିଫଳ ହେବା ପରେ ପୁନର୍ମୂଷିକ ଭବ କହି ନିଜର କନ୍ୟାକୁ ମୂଷିକ ରାଜାଙ୍କୁ ବିବାହ ଦେଇ ନିଜର କର୍ତ୍ତବ୍ୟ ସମାପ୍ତ କଲେ ।
କୌଣସି ଏକ ବିଶାଳ ବନସ୍ତ ଥିଲା । ସେହି ବନସ୍ତ ମଧ୍ୟରେ ଥିଲା ବିଶାଳ ବୃକ୍ଷଟିଏ । ବୃକ୍ଷଟି ବନସ୍ତର ଖୁବ୍ ଶୋଭାବର୍ଦ୍ଧନ କରୁଥିଲା । ସେପରି ଏକ ବିଶାଳବୃକ୍ଷ ଅନ୍ୟ କୌଣସି ବନସ୍ତରେ ଦେଖାଯାଉନଥିଲା । କାରଣ ଏହି ବିଶାଳ ବୃକ୍ଷ ଏପରି ଏକ ବିଶାଳ ବନସ୍ତରେ ରହିବାରେ କୌଣସି ଏକ ବିଶେଷ କଥାକୁ ଧରି ରହିଥିଲା । ଦିନକର କଥା, ସେହି ବିଶାଳ ବୃକ୍ଷ ତଥା ସୁନ୍ଦର ରମଣୀୟ ଶୋଭାପ୍ରତି ଆକୃଷ୍ଟ ହୋଇ କେଉଁଆଡ଼ୁ ଆସିଥିବା ସିଂଧୁକ ନାମକ ପକ୍ଷୀ ତାହାକୁ ନିଜର ବାସସ୍ଥଳିଭାବରେ ଗ୍ରହଣ କରିନେଲା । ସଂସାର ନାମକ ପୃଥିବୀରେ ଯେତେ ପକ୍ଷୀ ଅଛନ୍ତି, ସେମାନଙ୍କ ଠାରୁ ଏହି ସିଂଧୁକନାମକ ପକ୍ଷୀ ସ୍ୱତନ୍ତ୍ର ତଥା ଭିନ୍ନ ଥିଲା । ଆଉ ମଧ୍ୟ ପକ୍ଷୀଟିର ନିକଟରେ କେତେକ ଅଦ୍ଭୂତ ଗୁଣଥିଲା । ସେହି ଗୁଣହେଲା ସିଂଧୁକ ପକ୍ଷୀର ପୁରୀଷ ବା ମଳ ଯେତେବେଳେ ଭୂମିକୁ ସ୍ପର୍ଶକରେ ସେତେବେଳେ ତାହା ଶୁଦ୍ଧ ସୁବର୍ଣ୍ଣରେ ପରିଣତ ହୋଇଯାଉଥିଲା । ଦିନକର କଥା, ଅନେକ ଦିନ ସେହି ସିଂଧୁକପକ୍ଷୀ ସେହି ବିଶାଳ ବୃକ୍ଷରେ ବାସ କରିବା ପରେ ଅକସ୍ମାତ ଜଣେ ବ୍ୟାଧ ଶିକାର କରିବା ଉଦ୍ଧେଶ୍ୟରେ ସେହି ବନସ୍ତକୁ ଆସି ପଶୁ ସଂଧାନରେ ଥିଲା । ସେ ପଶୁପକ୍ଷୀ ସଂଧାନ କରିବା ଉଦ୍ଧେଶ୍ୟରେ ଯେତେବେଳେ ସେହି ବିଶାଳ ବନସ୍ତରେ ପରିଭ୍ରମଣ କଲା ସେତିକିବେଳେ ଏହି ଭ୍ରମଣ ମଧ୍ୟରେ ତା’ର ଦୃଷ୍ଟି ମଧ୍ୟକୁ ଆସିଥିଲା ସେହି ପତିତ ସୁବର୍ଣ୍ଣଗୁଡ଼ିକ । ବୃକ୍ଷ ଉପରେ ସେ ଯେତେବେଳେ ସେପରି ପକ୍ଷୀଟିକୁ ଦେଖିଲା ସେତେବେଳେ ସେ ତା’ର ନେତ୍ର ଦୁଇଟିକୁ ବିଶ୍ୱାସ କରିପାରିଲା ନାହିଁ । କାରଣ ସେ ବ୍ୟାଧ, ପଶୁପକ୍ଷୀ ଶିକାର କରିବା ତା’ର ଜୀବିକା । ଜୀବନ କାଳ ମଧ୍ୟରେ ସେ ବହୁ ବନସ୍ତ ପରିଭ୍ରମଣ କରିଛି, ସଂସାର ମଧ୍ୟରେ ଏପରି ପଶୁ ଓ ପକ୍ଷୀ ନାହିାଁନ୍ତି ଯାହାକୁ କି ସେ ବ୍ୟାଧ ଚିହ୍ନିନାହିଁ କି ସେମାନଙ୍କ ବିଷୟରେ ତାକୁ ଜଣାନାହିଁ, କିନ୍ତୁ ସେ ସେଦିନ ଏପରି ଏକ ପକ୍ଷୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେ ବିଶ୍ୱାସ କରି ନଥିଲା ଯେ ଏହା ଏକ ପକ୍ଷୀ, ତେବେ ବହୁତ ଭାବିବାପରେ ସିଂଧୁକକୁ ପକ୍ଷୀଭାବେ ମନେ ମନେ ସ୍ୱୀକାର କଲା । ତା’ପରେ ବ୍ୟାଧ ବି ମନେ ମନେ ଭାବିଲା, ଏ ଅଦ୍ଭୂତ ପକ୍ଷୀ ତା’ର ଖାଦ୍ୟ କାର୍ଯ୍ୟରେ ଲାଗିବ କି ନାହିଁ । ଏହି କଥା ଖୁବ୍ ଭାବପ୍ରବଣତାର ସହିତ ବ୍ୟାଧ ଦୁଇ ନେତ୍ରରେ ପକ୍ଷୀଟିକୁ ଦେଖିବା ସହିତ ତା’ର ଦିବ୍ୟ ଭାବନା ମଧ୍ୟରେ ଚିନ୍ତା କଲା ଏପରି କ୍ଷେତ୍ରରେ ସେ କ’ଣ କରିପାରିବ । ବ୍ୟାଧର ଚିନ୍ତାରେ ପ୍ରତିବନ୍ଧକ ବା ବିରୋଧ ଭାବ ଆସିବା ଆଗରୁ ସେ ତା’ର ସମ୍ମୁଖରେ ଦେଖିଲା ପକ୍ଷୀଟି ମଳତ୍ୟାଗ କଲା । ସେହି ମଳ ଭୂମି ସ୍ପର୍ଶ କରିବା କ୍ଷଣି ତାହା ସଂଗେ ସଂଗେ ଶୁଦ୍ଧ ସୁବର୍ଣ୍ଣରେ ପରିଣତ ହୋଇଗଲା । ଏହାଠାରୁ ସଂସାରରେ ଆଉ କି ଆଶ୍ଚର୍ଯ୍ୟ କଥା ଅଛି ଯାହା ବ୍ୟାଧର ସମ୍ମୁଖକୁ ଆସି ନାହିଁ । ସେପରି ଶୁଦ୍ଧ ସୁବର୍ଣ୍ଣକୁ ଦେଖି ବ୍ୟାଧ ବିଶେଷ ଭାବରେ ବିସ୍ମିତ ହେଲା । ଆଉ ମଧ୍ୟ ଭାବିଲା ଏପରି ପକ୍ଷୀ କେବେ ଭୋଜନର ସାମଗ୍ରୀ ହୋଇ ନପାରେ, ସଂସାରରେ କେତେଗୁଡ଼ିଏ ଆଶ୍ଚର୍ଯ୍ୟ କଥା ମଧ୍ୟରୁ ଏହା ଥିଲା ଆଉ ଏକ ଆଶ୍ଚର୍ଯ୍ୟ । ଯେଉଁ ପକ୍ଷୀର ମଳ ପୃଥିବୀର ଭୂମି ସ୍ପର୍ଶ କରୁ କରୁ ତାହା ଶୁଦ୍ଧ ସୁବର୍ଣ୍ଣରେ ପରିଣତ ହୋଇଯାଉଛି, ତାହା ମଧ୍ୟରେ ଏମିତି କୌଣସି ବିସ୍ମୟର ଗୁଣ ରହିଥିବ । ସେପରି ପକ୍ଷୀକୁ ନିଜର ଭୋଜନ ନିମନ୍ତେ ସଂଗ୍ରହ କରିବ କି ନାହିଁ । ସେହି ସଂଦେହ ମଧ୍ୟରେ ବ୍ୟାଧ ଅନେକ ସମୟ ଭାବିଲା ଓ ପକ୍ଷୀଟିକୁ ବଧ କରିବାରେ ସମୟ ଅତିବାହିତ କଲା। ଏଥର ବ୍ୟାଧର ଚିନ୍ତା ବିଚାର ଶେଷର ପହଞ୍ଚିଲା ଓ ସେ ଚିନ୍ତା କଲା ଯେ ପକ୍ଷୀଟିକୁ ମାରିଦେବ ନାହିଁ କି ନିଜର ଖାଦ୍ୟ ନିମନ୍ତେ ବଧ କରିବ ନାହିଁ । ତେବେ ସେହି ପକ୍ଷୀଟିକୁ ତାକୁ ଧରି ନେବାକୁ ହେବ । ପକ୍ଷୀଟିକୁ ଧରିବା ନିମନ୍ତେ ବ୍ୟାଧ ଏଥର ତା’ର ଜାଲ ବିଛାଇଲା । ଜାଲ ସଂପୂର୍ଣ୍ଣ ନୂଆ ଥିଲା । ପକ୍ଷୀଟି ଜାଲ ଓ ବ୍ୟାଧକୁ ଦେଖି ଚିନ୍ତା କଲା, ସେ ଏହିପରି ବହୁ ବନସ୍ତ ବୁଲିଛି, ବହୁତ ରାଜ୍ୟ ବୁଲିଛି, ହେଲେ ସେ କେବେ ଏପରି ବ୍ୟାଧଟିକୁ ଦେଖି ନଥିଲା କିମ୍ବା ଏପରି ଜାଲ ମଧ୍ୟ ଦେଖିନଥିଲା । ତେଣୁ ସେ ବ୍ୟାଧ ଓ ଜାଲ ଯେ ତାହାର ବିପଦ ତାହା ଚିନ୍ତା କଲା ନାହିଁ, ବରଂ ଚିନ୍ତାହୀନ ଭାବେ ନିଶ୍ଚିତ ହୋଇ ଯାଇ ସେହିଠାରେ ହିଁ ବସି ପଡ଼ିଲା । ସିଂଧୁକ ପକ୍ଷୀ ବସଂଦେହରେ ଜାଲ ଉପରେ ଆସି ବସି ପଡ଼ିବା ମାତ୍ରେ ବ୍ୟାଧ ଖୁବ୍ ଜୋରରେ କୁହାଟ ମାରିଲା । ତାହା ଦେଖି ସିଂଧୁକ ପକ୍ଷୀଟି ଖୁବ୍ ବ୍ୟସ୍ତ ହୋଇପଡ଼ିଲା । ତେଣୁ ତରବର ହୋଇ ପଳାଇ ଯିବାକୁ ଚେଷ୍ଟା କରିଲା । କିନ୍ତୁ ସିଂଧୁକ ପକ୍ଷୀ ଯେଉଁଥିଲାଗି ତରବର ହୋଇ ପଡ଼ୁଥିଲା, ତାହା କିନ୍ତୁ ତା’ ପାଇଁ ଶୁଭଫଳ ଯୁକ୍ତ ହେଲାନାହିଁ । ତରବରିଆ ଭାବରେ ଯେଉଁ କାର୍ଯ୍ୟ କରାଯାଏ ତାହା କେବେ ସଫଳତାର ରୂପ ନେଇନଥାଏ । ବର୍ତ୍ତମାନ ସେହି ତରବରିଆ କାରଣରୁ ସିଂଧୁକପକ୍ଷୀ ମୁକ୍ତ ହୋଇଯିବା ବଦଳରେ ଜାଲ ମଧ୍ୟରେ ଅଧିକରୁ ଅଧିକ ଛନ୍ଦି ହୋଇପଡ଼ିଲା । ସିଂଧୁକ ପକ୍ଷୀଟି ଜାଲରୁ ମୁକ୍ତ ହୋଇପାରିଲା ନାହିଁ । ବରଂ ନିର୍ବଳ ହୋଇପଡ଼ିଲା । ବ୍ୟାଧପାଇଁ ସିଂଧୁକକୁ ଧରିନେବା ଲାଗି ସହଜ ହେଲା, ସେ ସଙ୍ଗେ ସଙ୍ଗେ ପକ୍ଷୀଟିକୁ ମାଡ଼ିବସିଲା ଓ ଖୁବ୍ ଆୟତକରି ନିଜର ପଞ୍ଜୁରି ମଧ୍ୟରେ ପୂରାଇ ଦେଲା । ଲୋଭବଶତଃ ହେଉ ଅଥବା ତା’ର ବୃତ୍ତି ବଶତଃ ହେଉ ସିଂଧୁକ ପକ୍ଷୀଟିକୁ ଧରି ପଞ୍ଜୁରି ମଧ୍ୟରେ ପୂରାଇ ଦେବାପରେ ଏବେ ସେ ଆଉ ଏକ ଭାବନାରେ ପଡ଼ିଗଲା । ବ୍ୟାଧ ଏବେ ବାସ୍ତବତା ମଧ୍ୟକୁ ଫେରି ଆସି ଭାବିଲା, ଏହି ପକ୍ଷୀ ମୋଦ୍ୱାରା କେବେ ବଧ ବା ଖାଦ୍ୟ ହୋଇପାରିବ ନାହିଁ । କାରଣ କୌଣସି ଦିନ ସେ ଏପରି ସ୍ୱର୍ଣ୍ଣପୁରୀଷ ପକ୍ଷୀ ଦେଖିନଥିଲା । ଏପରି ସୁବର୍ଣ୍ଣ ମଳତ୍ୟାଗ କରୁଥିବା ପକ୍ଷୀ ବିଷୟରେ ଯଦି କୌଣସି ଚୋର ଖଣ୍ଟ ଜାଣନ୍ତି ତାହାହେଲେ ତା’ର ପୈତୃକ ଜୀବନଟି କେତେବେଳ ସ୍ୱର୍ଗକୁ ଚାଲିଯିବ ତାହା ସେ ଜାଣିପାରିବ ନାହିଁ । ଏହାପରେ ଏପରି ପକ୍ଷୀ ଗୁଣ କଥା ଯେବେ ରାଜାଙ୍କ କାନରେ ପଡ଼େ, ତାହାହେଲେ ଘଟଣା ଯେ ଯାଇ କେଉଁଠାରେ ପହଞ୍ଚିବ । ତେଣୁ ବିପଦ ହିଁ ଆଜିଠାରୁ ତା’ର ପିଛା ଛାଡ଼ିବ ନାହିଁ । ତେଣୁ ସବୁଠାରୁ ବିବେକର ମୂଲ୍ୟବାନ କଥା ହେବ ପକ୍ଷୀଟିକୁ ନିଜ ପାଖରେ ନରଖି ସେ ରାଜ୍ୟର ରାଜାଙ୍କ ନିକଟରେ ପହଞ୍ଚାଇ ଦେଇ ପକ୍ଷୀଟିର ଏହି ଅଦ୍ଭୂତ ଗୁଣବାବଦରେ ଜଣାଇ ଦେଇ ରାଜାଙ୍କୁ ପ୍ରଦାନ କରି ଦେବ କାରଣ ସେପରି ପକ୍ଷୀକୁ ରଖି ସେ ଯେଉଁ ବିପଦକୁ ବରଣ କରିବାକୁ ଭାବୁଛି ବରଂ ସେ ସେଥିରୁ ତ୍ରାହି ପାଇଯିବ ଓ ଏଥିଲାଗି ରାଜାଙ୍କଠାରୁ ଅବଶ୍ୟ ପୁରସ୍କାର ବି ପାଇପାରିବ । ଏହିପରି ଭାବରେ ବ୍ୟାଧ ନାନା ପ୍ରକାର ଚିନ୍ତା କଲା ଓ ଶେଷରେ ପକ୍ଷୀଟିକୁ ଧରି ନଅରକୁ ଗଲା । ନଅରରେ ପହଞ୍ଚିବା ବେଳକୁ ସ୍ୱୟଂ ରାଜା ନିଜର ମନ୍ତ୍ରୀ ପାରିଷଦକୁ ନେଇ ରାଜସଭାରେ ନିଜ ଆସନରେ ବସିଥାଆନ୍ତି । ବ୍ୟାଧ ପକ୍ଷୀଟିକୁ ନେଇ ରାଜାଙ୍କ ସମ୍ମୁଖରେ ଥୋଇଦେଇ ପାଦତଳେ ପ୍ରଣାମ କଲା । ରାଜା ପକ୍ଷୀଟିକୁ ଦେଖି ପଚାରିବାରୁ ବ୍ୟାଧ ପକ୍ଷୀଟିର ଗୁଣମାନ ପ୍ରଦାନ କଲା । ରାଜା ପକ୍ଷୀଟିର ସମସ୍ତ ଗୁଣ ଶୁଣି ସାରିବାପରେ ମନେ ମନେ ସେ ଖୁବ୍ ପୁଲକିତ ହୋଇ ଉଠିଲେ । ଏହାପରେ ବ୍ୟାଧର ଏଥିଲାଗି ପୁରସ୍କାର ନେବା ଦରକାର, ସେଥିଲାଗି ସେ ମନ୍ତ୍ରୀଙ୍କର ମୁଖକୁ ଚାହିଁଲେ । ହେଲେ ମନ୍ତ୍ରୀ ରାଜାଙ୍କ ପରି ସରଳ ଓ ନିଷ୍କପଟୀ ଗୁଣରେ ନଥିଲେ । ସେ ଥିଲେ ଖୁବ୍ ସଂଦେହୀ, ଖୁବ୍ ମୂର୍ଖ ଆଉ ମଧ୍ୟ ଖୁବ୍ ତରବରିଆ ସ୍ୱଭାବର ବ୍ୟକ୍ତି । ସେ ଯେତେବେଳେ ଜାଣିଲେ ଯେ ରାଜା ଏହି ବ୍ୟାଧର ଏହି ଗୁଣ ନିମନ୍ତେ କିଛି ପୁରସ୍କାର ଦେବାକୁ ଚାହୁଁଛନ୍ତି, ସେତେବେଳେ ମନ୍ତ୍ରୀଙ୍କର ବିଚାର ତା’ର ବିପରୀତ ଥିଲା । ସେ ରାଜାଙ୍କୁ ମନ୍ତ୍ରଣା ଦେଲେ ଯେ ଏତେ ସହଜରେ ଏପରି ପକ୍ଷୀ ସଂପର୍କର ବ୍ୟାଧକୁ ବିଶ୍ୱାସ କରିବା ଉଚିତ ନୁହେଁ, କାରଣ ଯେଉଁ ବ୍ୟାଧର ପଶୁପକ୍ଷୀମାନେ ଖାଦ୍ୟ ହୋଇଥାଆନ୍ତି ସେ ବା କାହିଁକି ଏହି ପକ୍ଷୀକୁ ନିଜର ଖାଦ୍ୟ ଭାବରେ ଗ୍ରହଣ କଲା ନାହିଁ । ତେଣୁ ଛାମୁଙ୍କ ପକ୍ଷେ ଉଚିତ ହେବ ପକ୍ଷୀଟିର ସ୍ୱାଧୀନତାକୁ ବଜାଇ ରଖିବା ଲାଗି ତାହାକୁ ଏବେ ଉଡ଼ାଇ ଦେବା ଉଚିତ୍ । ମନ୍ତ୍ରୀଙ୍କର ପାଣ୍ଡିତ୍ୟ ପ୍ରତି ରାଜାଙ୍କର ବିଶେଷ ବିଶ୍ୱାସ ଥିଲା । ତେଣୁ ମନ୍ତ୍ରୀଙ୍କର ମନ୍ତ୍ରଣାକୁ ସେ ପାଳନ କରିବାକୁ ଯାଇ ପକ୍ଷୀଟିକୁ ଉଡ଼ାଇ ଦେଲେ ।
ଦୂରଦୃଷ୍ଟି ହରିପୁର ଗ୍ରାମରେ ନାଗେଶ୍ୱର ନାମକ ଜଣେ ସାଧାରଣ ପରିବାରର ଲୋକ ରହୁଥିଲେ । ତାଙ୍କର ପତ୍ନୀ ଓ ଦୁଇଟି ସନ୍ତାନ ଥିଲେ । ଏକମାତ୍ର ଭଉଣୀର ବିବାହ ସୁଗନ୍ଧପୁର ନିବାସୀ ବର୍ଦ୍ଧନଙ୍କ ସହିତ ହୋଇ ସାରିଥାଏ । ତେଣୁ ସେ ତା’ ଶ୍ୱଶୁର ଘରେ ଥାଏ । ବର୍ଦ୍ଧନ ମଧ୍ୟ ସାଧାରଣ ପରିବାରର ଅଟନ୍ତି । କିଛି ଦିନ ପରେ ବର୍ଦ୍ଧନ ହୃଦରୋଗରେ ପୀଡିତ ହେଲେ । ଏଭଳି ପରିସ୍ଥିତିରେ ନାଗେଶ୍ୱରଙ୍କ ପତ୍ନୀ ନିଜ ପତିଙ୍କୁ ଅନୁରୋଧ କରି ବର୍ଦ୍ଧନ ଓ ତାଙ୍କ ପତ୍ନୀ ସମେତ ପୁରା ପରିବାରକୁ ନିଜ ଘରକୁ ଡକାଇ ଆଣିଲେ । ଭଲ ଡାକ୍ତରଙ୍କୁ ଦେଖାଇ ତାର ଚିକିତ୍ସା କରାଇଲେ । ରୋଗୀର ସେବାଯତ୍ନରେ ଆଦୌ ଟିକେବି ହେଳା କଲେ ନାହିଁ । ଦେଖୁ ଦେଖୁ ବର୍ଦ୍ଧନ ତିନିମାସ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଉଠିଲେ । ବର୍ଦ୍ଧନ ଓ ତାଙ୍କ ପତ୍ନୀ ନାଗେଶ୍ୱର ଓ ତାଙ୍କ ପତ୍ନୀଙ୍କୁ ଗଦ୍ଗଦ୍ କଣ୍ଠରେ କୃତଜ୍ଞତା ଜଣାଇ ସପରିବାରେ ନିଜ ଗ୍ରାମକୁ ଫେରିଗଲେ । ଦିନେ ନାଗେଶ୍ୱର ତାଙ୍କ ପତ୍ନୀ ସାବିତ୍ରୀଙ୍କୁ କହିଲେ, “ନିଜର ନଣନ୍ଦ ଓ ତା’ର ପରିବାରକୁ ଏତେ ଦୟା ଓ ଆଦର ଭାବ ଦେଖାଉଥିବା ମହିଳା ମୁଁ ଆଜିଯାଏଁ କୋଉଠି ହେଲେବି ଦେଖି ନାହିଁ । ତୁମେ ନିଜର ଭାଇଠାରୁ ବଳି ଅଧିକ ସେବା ବର୍ଦ୍ଧନକୁ କରି ତା’କୁ ଆରୋଗ୍ୟ କରାଇଲ । ତୁମର ଏପରି ଦୟାଗୁଣ ମୋ ମନରେ ଅନେକ ଗର୍ବ ଓ ଆନନ୍ଦ ଆଣି ଦେଉଛି ।” ପତିଙ୍କ କଥାରେ ସାବିତ୍ରୀ ହସରେ ଫାଟି ପଡି କହିଲେ, “ତୁମେ କେବଳ ମୋ ଠାରେ ଦୟାଗୁଣ ଦେଖି ପାରିଲ । କିନ୍ତୁ ମୋର ଚିନ୍ତାଧାରା କେତେ ଯେ ଦୂରଦୃଷ୍ଟି ସମ୍ପନ୍ନ, ତାହା ତୁମେ ଜାଣି ପାରିଲ ନାହିଁ ।” ନାଗେଶ୍ୱର ଏଥିରୁ କିଛି ବୁଝି ନ ପାରି ବୋକାଙ୍କ ପରି ଚାହିଁ ରହିଲେ । ସାବିତ୍ରୀ ବିସ୍ତାର ପୂର୍ବକ କହିଲା “ବୁଝିଲ, ତମର ଭଉଣୀ ସୌଭାଗ୍ୟବତୀ ରୁହନ୍ତୁ, ଏହା ହିଁ ମୋର ଇଚ୍ଛା । ଜଣେ ସାଧାରଣ ପରିବାରର ଝିଅ ପତିଙ୍କୁ ହରାଇଲେ, ପରିବାର ସହିତ ବାପା ଘରେ ଆସି ସେ ଆଶ୍ରୟ ନେବ । ଏହା ବ୍ୟତୀତ ତା’ର ଆଉ କୌଣସି ଚାରା ନାହିଁ । ତୁମ ଭିଣୋଇଙ୍କର କିଛି ହାନିଲାଭ ହୋଇଥିଲେ, ଭଉଣୀର ପରିବାରର ବୋଝ ଆମ ଉପରେ ହିଁ ପଡି ଥାଆନ୍ତି । ଏହି କଥା ଭାବି ମୁଁ ତୁମର ଭିଣୋଇଙ୍କୁ ଡକାଇ ଉତ୍ତମ ଚିକିତ୍ସାର ସମସ୍ତ ପ୍ରକାର ବନ୍ଦୋବସ୍ତ କରାଇଲି । ଏହା ହିଁ ମୋର ଦୂରଦୃଷ୍ଟି, ନୁହେଁ ତ ଆଉ କ’ଣ?”
ଯଥା ରାଜା ତଥା ପ୍ରଜା ଅନେକ କାଳ ତଳର କଥା । ବିଜୟଗଡ ରାଜ୍ୟ ବ୍ୟାପି ଅରାଜକତା ବ୍ୟାପିଥାଏ । ଦେଶରେ ଯେତିକି ଚୋରି, ଗୁଣ୍ଡାମି ବଢିଥାଏ, ଜନସାଧାରଣ ବି ସେତିକି ମାତ୍ରାରେ ବିଶୃଙ୍ଖଳ ବ୍ୟବହାର କରୁଥାନ୍ତି । ଯଦି ଚୋରଟିଏ ଧରା ପଡିଗଲା, ତେବେ ତାକୁ ସିପାହୀମାନଙ୍କ ଜିମା ନଦେଇ ନିଜେ ନିଜେ ଛେଚି ଦେଉଥାନ୍ତି । ବିଚାରାଳୟରୁ କୌଣସି ବିଷୟରେ କୌଣସି ନିଷ୍ପତି ଘୋଷଣା କରାଗଲେ ମଧ୍ୟ ତାକୁ ଲୋକେ ପ୍ରାୟ ମାନୁ ନଥାନ୍ତି । ଏଣେ ଜିନିଷପତ୍ରର ଦରଦାମ ଯେ ଖାଲି ବଢି ଚାଲିଥାଏ, ସେତିକି ନୁହେଁ, ବେପାରୀମାନେ ଭେଜାଲ୍ ଜିନିଷ ଛଡା ଭଲ ଜିନିଷ ବିକିବା ପ୍ରାୟ ଛାଡି ଦେଇଥାନ୍ତି । ବିଜୟଗଡର ରାଜା ବୀରଭଦ୍ର ଏଥି ପାଇଁ ବଡ ଚିନ୍ତିତ ହୋଇ ରହିଥାନ୍ତି । ବିଜୟଗଡର ପଡୋଶୀ ରାଜ୍ୟ ପ୍ରତାପ ନଗରର ଅବସ୍ଥା କିନ୍ତୁ ପୁରା ବିପରୀତ । ସେ ରାଜ୍ୟରେ କୌଣସି ବିଶୃଙ୍ଖଳା ନଥାଏ । ଲୋକେ ସୁଖ ଶାନ୍ତିରେ ଜୀବନ ଯାପନ କରୁଥାନ୍ତି । ରାଜ୍ୟର ସମୃଦ୍ଧି ମଧ୍ୟ ବଢି ଚାଲିଥାଏ । ପ୍ରତାପନଗରୀରେ ଏହା କିପରି ସମ୍ଭବପର ହୋଇଛି, ଏକଥା ପ୍ରତ୍ୟକ୍ଷ ଭାବରେ ଜାଣିବା ନିମନ୍ତେ ବିଜୟଗଡର ରାଜା ବୀରଭଦ୍ର ଯାଇ ସେ ରାଜ୍ୟରେ ପହଁଚିଲେ । ପ୍ରତାପନଗରର ରାଜା ଶଙ୍ଖସେନ ବୀରଭଦ୍ରଙ୍କୁ ସ୍ୱାଗତ ଜଣାଇଲେ । ରାଜା ବୀରଭଦ୍ର ଏକାନ୍ତରେ ଶଙ୍ଖସେନଙ୍କୁ ପଚାରିଲେ, “ବନ୍ଧୁ! ତମ ରାଜ୍ୟରେ ସବୁ କଥା ଏପରି ସୁରୁଖୁରୁରେ କିପରି ଚାଲିଛି? ଏହାର ରହସ୍ୟ କ’ଣ?” ଶଙ୍ଖସେନ କହିଲେ “ଏହାର ପ୍ରକୃତ ରହସ୍ୟ ହେଲା ମୋ ପ୍ରଜାମାନେ ବଡ ମହତ୍ । ସେମାନେ ସାଧୁ ଭାବରେ ଜୀବନ ଯାପନ କରିବାକୁ ବେଶି ଭଲ ପାଆନ୍ତି । ପରସ୍ପର ସୁଖ ଦୁଃଖରେ ଭାଗୀ ହୁଅନ୍ତି ।” ରାଜା ବୀରଭଦ୍ର କହିଲେ “ଏ ରାଜ୍ୟର ପ୍ରଜାମାନଙ୍କ ସହ ମିଶିବାକୁ ମୋର ଭାରି ଇଚ୍ଛା ହେଉଛି ।” “ସେଥିରେ ଅସୁବିଧା କ’ଣ? ଚାଲ, ଦୁହେଁ ଛଦ୍ମବେଶରେ ବାହାରି ଯିବା ।” ଏହିଭଳି ଭାବେ ଶଙ୍ଖସେନ ପ୍ରସ୍ତାବଦେଲେ । ସେହି ସିଦ୍ଧାନ୍ତ ଅନୁସାରେ ସେ ଦୁଇ ରାଜା ଛଦ୍ମବେଶରେ ପରଦିନ ରାଜ୍ୟ ଭ୍ରମଣରେ ବାହାରି ପଡିଲେ । କିନ୍ତୁ ଅସୁବିଧା ହେଲା, ଶଙ୍ଖସେନଙ୍କ ଛଦ୍ମବେଶ ଧାରଣ କରିବା ସତ୍ତ୍ୱେ ମଧ୍ୟ ଅଧିକାଂଶ ସ୍ଥାନରେ ପ୍ରଜାମାନେ ତାଙ୍କୁ ଚିହ୍ନି ପକାଇଲେ ଓ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଲେ । ବୀରଭଦ୍ରଙ୍କୁ ଅବଶ୍ୟ କେହି ଚିହ୍ନିବାର ପ୍ରଶ୍ନହିଁ ଉଠୁ ନଥିଲା । ରାଜା ଶଙ୍ଖସେନ ଯଦି କୌଣସି ଦୋକାନରୁ କିଛି ଜିନିଷ କିଣିବାକୁ ମନକଲେ, ତେବେ ଦୋକାନୀ ସଙ୍ଗେ ସଙ୍ଗେ ସେ ଜିନିଷ ନଅରକୁ ପଠାଇବାର ବ୍ୟବସ୍ଥା କରୁଥାଏ, କିନ୍ତୁ ରାଜା କୌଣସି ମତେ ତାକୁ ଦାମ୍ ନେବାକୁ ସମ୍ମତ କରାଇ ପାରୁ ନଥାନ୍ତି । “ମହାରାଜ! ରାଜା ପ୍ରଜାଙ୍କ ଭିତରେ ବେପାର ଚାଲି ନ ପାରେ । ଆମେ ଆପଣଙ୍କୁ କୌଣସି ଜିନିଷ ଭେଟି ଦେବାର ସୁଯୋଗ ପାଇଲେ ଧନ୍ୟ ମନେ କରୁ!” ରାଜା ବୀରଭଦ୍ର ପ୍ରତାପନଗରର ପ୍ରଜାମାନଙ୍କର ସୌଜନ୍ୟ ଓ ରାଜଭକ୍ତି ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ବିଦାୟ ନେବା ପୂର୍ବରୁ ସେ ରାଜା ଶଙ୍ଖସେନଙ୍କୁ କହିଲେ, “ଆପଣଙ୍କ ପ୍ରଜାମାନେ ବାସ୍ତବିକ ମହତ୍ ।” ନିଜ ରାଜ୍ୟକୁ ଫେରି ଆସି ସେ ଛଦ୍ମବେଶ ପକାଇ ରାଜ୍ୟ ବୁଲି ଦେଖିବାକୁ ବାହାରିଲେ । କୌଣସି ଗୋଟାଏ ସ୍ଥାନରେ ବି ଲୋକେ ତାଙ୍କୁ ମୋଟେ ଚିହ୍ନିପାରିଲେ ନାହିଁ । ସେ ଗୋଟାଏ ଦୋକାନରୁ କିଛି ଜିନିଷ କିଣିବାକୁ ଚାହିଁବାରୁ ଦୋକାନୀ ଚଢା ଦାମ୍ ବତାଇଲା । ସେ କହିଲେ, “ଯଦି ରାଜା ଏ ଜିନିଷଟି ପସନ୍ଦ କରି ନଅରକୁ ନେବାକୁ ମନ କରନ୍ତେ, ତେବେ?” ଦୋକାନୀ ବେପରୁଆ ରୀତିରେ ଜବାବ୍ ଦେଲା, “ତେବେ ମୁଁ ତ ଏହାର ଦୁଇଗୁଣ ଦାମ୍ କହନ୍ତି!” ରାଜା ବୀରଭଦ୍ର ହତାଶ ହୋଇ ନଅରକୁ ଲେଉଟି ଆସିଲେ । ମନ୍ତ୍ରୀଙ୍କୁ ଡକାଇ ସେ କହିଲେ, “ପ୍ରତାପନଗରର ପ୍ରଜାମାନେ ଏଡେ ଭଦ୍ର ଓ ମହତ୍ । ହେଲେ ଆମ ପ୍ରଜାମାନେ ସେପରି ମୋଟେ ନୁହଁନ୍ତି । ଏହାର କାରଣ କ’ଣ?” ମନ୍ତ୍ରୀ ଟିକିଏ ଚିନ୍ତା କରି କହିଲେ, “ମହାରାଜ! ଆମ ପ୍ରଜାମାନଙ୍କ ଭିତରୁ ଶହେ ସରିକି ଦାୟିତ୍ୱବାନ୍ ପ୍ରଜା ବାଛି ସେମାନଙ୍କୁ କିଛିଦିନ ସକାଶେ ପ୍ରତାପନଗରର ଭିନ୍ନ ଭିନ୍ନ ସ୍ଥାନରେ ବୁଲି ଲୋକମାନଙ୍କ ସମ୍ପର୍କରେ ଆସିବାର ସୁଯୋଗ ଦିଆଯାଉ । ସେମାନେ ପ୍ରତାପନଗରର ପ୍ରଜାମାନଙ୍କ ବ୍ୟବହାର ଦ୍ୱାରା ନିଶ୍ଚୟ ପ୍ରଭାବିତ ହେବେ ।” ରାଜା ଏ ପ୍ରସ୍ତାବ ଗ୍ରହଣ କରି ଶହେ ଲୋକ ବାଛି ପ୍ରତାପନଗର ପଠାଇଲେ । ତିନିମାସ ପରେ ସେମାନେ ସେଠାରୁ ଲେଉଟି ଆସିଲେ । ସେମାନଙ୍କ ମୁଖପାତ୍ରଙ୍କୁ ରାଜା ପଚାରିଲେ, “କ’ଣ ଦେଖିଲ? ପ୍ରତାପନଗରର ଲୋକେ ସାଧୁ ଓ ଶୃଙ୍ଖଳିତ, ଅଥଚ ଆମ ଲୋକେ କାହିଁକି ସେପରି ନୁହଁନ୍ତି?” ମୁଖପାତ୍ର କହିଲେ, “ଛାମୁ! ମୁଁ ଯଦି ସତ କହିବି, ତେବେ ଆପଣଙ୍କର ଓ ବହୁ ବଡ ବଡ ରାଜକର୍ମଚାରୀଙ୍କର ଅପ୍ରିୟ ହେବି । ଏମିତିକି ମୋ ଜୀବନ ଉପରେ ବିପଦ ବି ଆସିପାରେ ।” ରାଜା କହିଲେ “ସେଭଳି ଆଶଙ୍କା କରନାହିଁ । ମୁଁ ତୁମକୁ ଅଭୟ ଦେଉଛି ।” ମୁଖପାତ୍ର କହିଲେ “ମହାରାଜ! ତେବେ ଶୁଣନ୍ତୁ । ପ୍ରତାପନଗରର ରାଜା ଓ ତାଙ୍କ ମୁଖ୍ୟ କର୍ମଚାରୀମାନେ ବଡ ମହତ୍ ଓ ସାଧୁ ।” ରାଜା ବିରକ୍ତ ହୋଇ କହିଲେ, “ପାଗଳ! ଖୋଦ୍ ରାଜା ଶଙ୍ଖସେନ ମୋତେ କହିଛନ୍ତି କି ତାଙ୍କ ପ୍ରଜାମାନେ ମହତ୍!” ମୁଖପାତ୍ର କହିଲେ “ମହାରାଜ! ତାହାହିଁ ତ ତାଙ୍କ ମହତ୍ୱର ପ୍ରମାଣ । ସେ ଏଡେ ବିନୟୀ ଯେ ରାଜ୍ୟର ଶୃଙ୍ଖଳା ଓ ସମୃଦ୍ଧି ପାଇଁ ସେ ବାହାଦୁରୀ ନେବାକୁ ଚାହାଁନ୍ତି ନାହିଁ । ତାଙ୍କର ସେ ବିନୟ ଗୁଣ ଦ୍ୱାରା ପ୍ରଜାମାନେ ଅନୁପ୍ରାଣିତ । ସେମାନେ ସବୁ ଭଲ କଥା ପାଇଁ ରାଜାଙ୍କ ପ୍ରଶଂସା କରୁଛନ୍ତି ।” ରାଜା ପଚାରିଲେ “ତେବେ ମୁଁ କ’ଣ ଅସାଧୁ?” “ମହାରାଜ! ଆପଣ ତ ଅତ୍ୟନ୍ତ ସାଧୁ । କିନ୍ତୁ ଆପଣ ରାଜକାର୍ଯ୍ୟରେ ବିଶେଷ ସହଯୋଗୀ ନୁହଁନ୍ତି । ଫଳରେ ଆପଣଙ୍କର ଅଧିକାଂଶ କର୍ମଚାରୀ ଅସାଧୁ ହୋଇ ଯାଇଛନ୍ତି । ପ୍ରଜାମାନଙ୍କ ସହ ଆପଣଙ୍କର ତ ସିଧାସଳଖ ସମ୍ପର୍କ ନାହିଁ, ମାତ୍ର ସେମାନଙ୍କର ତାହା ଅଛି । ସେମାନଙ୍କ ଆଚାର ବ୍ୟବହାର, ମତ୍ଲବ୍, ସ୍ୱାର୍ଥପରତା ଦ୍ୱାରା ପ୍ରଜାମାନେ ବେଶ୍ ପ୍ରଭାବିତ । ରାଜା ଶଙ୍ଖସେନଙ୍କୁ ଧୋକା ଦେଇ କୌଣସି କର୍ମଚାରୀ କିଛିବି ଅସାଧୁ କାମ କରିବାକୁ ଅକ୍ଷମ ।” ରାଜା ବୀରଭଦ୍ର କ୍ଷୋଭ କରି କହିଲେ “ତମେ ଯାହା କୁହ ପଛେ, ପ୍ରତାପନଗରର ପ୍ରଜାମାନେ ବଡ ବୁଦ୍ଧିମାନ୍ । ଗୋଟାଏ ଉଦାହରଣ ଦେଖ । ଶଙ୍ଖସେନ ଛଦ୍ମବେଶରେ ବୁଲିଲେ ବି ଅଧିକାଂଶ ସ୍ଥାନରେ ପ୍ରଜାମାନେ ତାଙ୍କୁ ଚିହ୍ନି ପକାଇଲେ । ମୋ ରାଜ୍ୟରେ ମୁଁ ଛଦ୍ମବେଶ ପକାଇ ବୁଲିଲି । କେହି ହେଲେ ଜଣେ ବି ମୋତେ ଚିହ୍ନିଲେ ନାହିଁ ।” “ମହାରାଜ! ସୁନାଚେକା ଯଦି ମାଟିଗୋଡି ସହିତ ମିଶି ପଡିଥିବ, ତେବେ ବି ତାହା ଦୃଷ୍ଟିକୁ ଆସିଯିବ । ରାଜା ଶଙ୍ଖସେନ ତାଙ୍କ ପ୍ରଜାଙ୍କ ଆଖିରେ ଠିକ୍ ସେଇ ସୁନାଚେକା ଭଳି…” ଏତିକି କହି ସେ ମୁଖପାତ୍ର ଚୁପ୍ ରହିଲେ । ରାଜା ଅନେକ ସମୟ ନୀରବ ରହି କହିଲେ, “ଆଚ୍ଛା, ଯାଅ ।” ସେମାନେ ଚାଲିଯିବା ମାତ୍ରେ ରାଜା ମନ୍ତ୍ରୀଙ୍କୁ ଡାକି କହିଲେ, “ବହୁତ ଭୁଲ୍ ହୋଇ ଯାଇଛି । ଏହି ମୁହୂର୍ତ୍ତରୁ ମୁଁ ଆଉ ରାଜା ନୁହେଁ, ମୋ ପ୍ରଜାଙ୍କ କର୍ମଚାରୀ ମାତ୍ର ।” ଏହାପରେ ସେ ଅସାଧୁ କର୍ମଚାରୀମାନଙ୍କୁ ବାହାର କରି ଦେଲେ । ନିଜେ ନିରଳସ ଭାବରେ ରାଜକାର୍ଯ୍ୟ ବୁଝିଲେ । ଚାହୁଁଚାହୁଁ ବର୍ଷକ ଭିତରେ ତାଙ୍କ ରାଜ୍ୟର ଅବସ୍ଥା ପୁରାପୁରି ବଦଳିଗଲା । ଯଥା ରାଜା ତଥା ପ୍ରଜା ॥
ହାତ ଖର୍ଚ୍ଚ ଚକ୍ରଧରପୁର ଗ୍ରାମରେ ଭରତ ନାମକ ଜଣେ କୃଷକ ବାସ କରନ୍ତି । ତାଙ୍କର ପାଞ୍ଚ ଏକର ଉର୍ବର ଜମି ଥାଏ । ପୁତ୍ର ଚନ୍ଦନ ଓ ସେ କଠିନ ପରିଶ୍ରମ କରି କ୍ଷେତରେ ସାରାବର୍ଷ ବିଭିନ୍ନ ପ୍ରକାରର ଫସଲ କରନ୍ତି । ତେଣୁ ସେମାନଙ୍କ ଆୟ ମଧ୍ୟ ଖୁବ୍ ଭଲ ହୁଏ । ଏ ବର୍ଷ ଭଲ ହରଡ ଡାଲି ଅମଳ ହୋଇଥାଏ । ସେମାନେ ସଠିକ୍ ଦାମ୍ ରେ ତାହା ବିକ୍ରି କରିବାର ସୁଯୋଗର ଅପେକ୍ଷାରେ ରହିଥାନ୍ତି । ଅମଳ ହୋଇଥିବା ଡାଲିର ଦାୟିତ୍ୱ ନେବା ପାଇଁ କ୍ଷେତରେ ଜଣେ ଲୋକ ନିଯୁକ୍ତ ହୋଇଥାଏ । ଦୁଇ ସପ୍ତାହ ପରେ ସେ ଡାଲି ତଦାରଖ କରିବା ବେଳକୁ ଦୁଇ ବସ୍ତା କମ୍ ହେଲା । ସେ ଜଗୁଆଳୀ ଲୋକକୁ ଏହି ସମ୍ବନ୍ଧରେ ପଚାରିଲେ । ସେ ସାରା ରାତ୍ରି ଅନିଦ୍ରା ରହି ଜଗିବାରେ ଆଦୌ କୌଣସି ଅବହେଳା କରି ନ ଥିବାର ପ୍ରକାଶ କଲା । ମାତ୍ର ଭରତ ତା’ର କଥାକୁ ମୋଟେ ବିଶ୍ୱାସ କଲେ ନାହିଁ । ଏଥର ନିଜର ପୁତ୍ର ଚନ୍ଦନକୁ ସେ ଏହି ଦାୟିତ୍ୱ ଦେଲେ । ମାତ୍ର ସେହି ରାତ୍ରିରେ ଏକ ବସ୍ତା ଡାଲି କେଉଁଆଡେ ଉଭାନ୍ ହୋଇଗଲା । ଭରତ ବିବ୍ରତ ହୋଇ ଏ ସମ୍ବନ୍ଧରେ ଅନୁସନ୍ଧାନ କଲେ । ଗ୍ରାମବାସୀ ମାନଙ୍କଠାରୁ ସେ ଜାଣିବାକୁ ପାଇଲେ ଯେ, ଚନ୍ଦନ ଦୋକାନରେ ଡାଲି ବସ୍ତା ଦେଇ ଥିବାର ସେମାନେ ସମସ୍ତେ ଦେଖିଛନ୍ତି । ହଠାତ୍ ଏହି କଥାକୁ ସେ ବିଶ୍ୱାସ କରି ପାରିଲେ ନାହିଁ । ତାଙ୍କର ପୁତ୍ର ପୁଣି ଏପରି କାମ ବି କରିପାରେ, ସେ ତ କେବେବି ଏକଥା କଳ୍ପନା ସୁଧା କରିପାରୁ ନ ଥିଲେ । ଏପରି ଦୁଶ୍ଚିନ୍ତାରେ ଥିବା ସମୟରେ ସେଠାରେ ବୀର ଆସି ପହଁଚିଲା । ବୀର ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ କାମ କରେ । ମାଲିକର କିଛି କାମ ନେଇ ଏହି ଗ୍ରାମକୁ ସେ ଆସିଥିଲା । ଭରତ ତାକୁ କହିଲେ, “ଦେଖ, ତୁମର ମାଲିକଙ୍କ କାମ ଏତେବି ଜରୁରୀ ନୁହେଁ । ଚାରି ପାଞ୍ଚ ଦିନ ଏଠାରେ ରହି ସେ ଡାଲି ଚୋରକୁ ଧରିବାରେ ମୋତେ ଟିକେ ଆଗ ସାହାଯ୍ୟ କର ।” ସେହି ରାତ୍ରିରେ ବୀରକୁ କ୍ଷେତରେ ଜଗିବା ପାଇଁ ଭରତ ସୂଚନା ଦେଲେ । କିନ୍ତୁ ସକାଳୁ ଉଠି ବୀର ଦେଖେ ତ, ଆଉ ଏକ ବସ୍ତା ଡାଲି ଚୋରୀ ହୋଇଯାଇଛି । ଭରତ କ୍ଷେତକୁ ଆସି ତାହା ଜାଣିଲେ । ଅନୁମାନ କରି ବୀରକୁ ସେ କହିଲେ, “ଏଠାରେ ପଡିଥିବା ପାଦଚିହ୍ନରୁ ଏହା ସ୍ପଷ୍ଟ ଜାଣି ହେଉଛି ଯେ ଏହା ଜଣେ ଚୋରର କାମ । କିନ୍ତୁ ଜଣେ ଚୋର ଏତେ ବଡ ବସ୍ତା ଉଠାଇ ନେଇ ପାରିବା ତ ଆଦୌ ସମ୍ଭବ ନୁହେଁ । ତୁମେ ବସ୍ତା ଉଠାଇବାରେ ସେହି ଚୋରକୁ ନିଶ୍ଚୟ ସାହାଯ୍ୟ କରିଛ ।” ବୀର ତା’ ମୁଣ୍ଡ ତଳକୁ କରି କହିଲା, “ମାଲିକ, ମୁଁ ତ କିଛିବି ଜାଣେ ନାହିଁ । ହାଲିଆ ହୋଇ ଶୋଇ ପଡିଥିଲି । ସକାଳୁ ନିଦ ଭାଙ୍ଗି ଦେଖେତ ଏପରି ସବୁ ଘଟିଛି ।” ବୀର ଧମକ ଦେଇ କହିଲେ “କ୍ଷେତକୁ ଜଣେ ଆସିବାର ପାଦଚିହ୍ନ ପଡିଛି । ତୁମେ ସେହି ଜଣଙ୍କୁ ସାହାଯ୍ୟ ନକରିଥିଲେ ସେ କେବେବି ବସ୍ତା ଉଠାଇ ପାରି ନ ଥାନ୍ତା । ସତ କଥା କୁହ ।” “ତେବେ କ’ଣ ଆପଣ ମୋ କଥାକୁ ବିଶ୍ୱାସ କରୁ ନାହାଁନ୍ତି ।” ନିକଟରେ ବଳଦକୁ ଖାଇବାକୁ ଦେଉଥିବା ଚନ୍ଦନ ଆଡକୁ ଚାହିଁ ସେ କହିଲେ, “ତେବେ ନିଜ ପୁଅକୁ ପଚାରନ୍ତୁ, ଡାଲି ବସ୍ତା କିଏ ଉଠେଇ ନେଇଛି?” ଏହାଶୁଣି ଭରତ ଚନ୍ଦନକୁ କଡାସ୍ୱରରେ କହିଲେ, “ସତ କୁହ, ବସ୍ତା ଉଠାଇବାରେ କିଏ ତୁମକୁ ସାହାଯ୍ୟ କରିଛି?” ଚନ୍ଦନ ନିଜର ଚୋରୀ ଧରା ପଡିଯାଇଥିବାର ଜାଣି ଲଜ୍ଜ୍ୟାରେ ଆପଣା ମୁଣ୍ଡ ତଳକୁ ପୋତି କହିଲା, “ମୋତେ କେହିବି ସାହାଯ୍ୟ କରି ନାହାଁନ୍ତି । ମୁଁ ନିଜେ ଉଠାଇଛି ।” ତା’ର ଏପରି ଜବାବରେ ଭରତ ଅତ୍ୟନ୍ତ ଚକିତ ହୋଇଗଲେ । ଦୁଇଜଣ ବଳବାନ୍ ଲୋକ ଯେଉଁ ଭାରି ବସ୍ତା ଉଠାଇ ପାରିବେ ନାହିଁ, ତାହା ଭରତ ଉଠାଇ ନେଇଥିବା କଥା ସେ ଆଦୌ ବିଶ୍ୱାସ କରୁ ନ ଥିଲେ । ତେଣୁ ସେ କହିଲେ, “ତେବେ ତୁମେ କହୁଛ ଯେ, ଏକାକୀ ବସ୍ତା ନେଇଛ ତେବେ ମୋ ଆଗରେ ଆଉଥରେ ଉଠାଇ ଦେଖାଇଲ ।” ଚନ୍ଦନ ଏକ ଡାଲିବସ୍ତା ନିଜ ପିଠିକୁ ଆଉଜାଇ ଆଣିଲା । ଦୁଇହାତ କାନ୍ଧ ପଟେ ପଛକୁ ନେଇ ସେ ବସ୍ତାକୁ ଜୋର୍ରେ ଧରିଲା । ସବୁ ବଳ ଲଗାଇ ବସ୍ତା ଉଠାଇବା ବେଳକୁ ଦୁଇ ତିନି ଥର ଚକ୍କର କାଟିଲା ସତ କିନ୍ତୁ ତା’ପରେ ସେ ସ୍ଥିର ହୋଇ ଠିଆ ହେଲା । ଭରତ ବିସ୍ମିତ ହୋଇ ଏସବୁ ଘଟଣା ଦେଖୁଥିଲେ । ତା’ପରେ ସେ କହିଲେ, “ଚନ୍ଦନ, ଯାଅ ଏହି ବସ୍ତା ଦୋକାନରେ ଦେଇ ଆସ ।” ଚନ୍ଦନ କିଛି ନ କହି ଅପରାଧୀଙ୍କ ପରି ତଳକୁ ଚାହିଁଲା । ଭରତ ନିକଟକୁ ଆସି ସ୍ନେହରେ ତା’ର ପିଠି ଥାପୁଡେଇ ବସ୍ତା ତଳକୁ ଓହ୍ଲାଇ ଦେଲେ ଓ ନରମ ଗଳାରେ ସେ କହିଲେ, “ମୁଁ ସତ କହୁଛି, ତୁମେ ଅସାଧାରଣ ବଳ ଦେଖାଇ ପାରିଛ । ତେଣୁ ମୁଁ ତୁମକୁ ଏକ ଉପହାର ଦେବି ।” ଚନ୍ଦନ ପିତାଙ୍କର ଏଭଳି ମନୋଭାବ ପରିବର୍ତ୍ତନରେ ଖୁସୀ ହୋଇ ସେଠାରୁ ଚାଲିଗଲା । ଏହାପରେ ଭରତ ବୀରକୁ କହିଲେ, “ଏବେ ଏଠାରେ ଯାହା କିଛିବି ଘଟିଗଲା, ତୁମେ ତାହା ଦେଖିଲ ତ?” ବୀର ଅଳ୍ପ ହସି କହିଲା, “ମାଲିକ, ଏତକ ନୁହେଁ, ରାତିରେ ଏହା ମଧ୍ୟ ମୁଁ ଆଉଥରେ ଦେଖି ସାରିଛି ।” ଭରତ ପଚାରିଲେ “ଆଚ୍ଛା, ତେବେ ମୋତେ କାହିଁକି ମିଛ କହୁଥିଲ?” ବୀର କହିଲା, “ନିଜ ପୁଅର ଚୋରୀକୁ କ’ଣ ଚୋରୀ କୁହାଯିବ? ମୁଁ ଶୁଣୁଛି, ଆପଣଙ୍କ ପୁଅ ଖୁବ୍ ପରିଶ୍ରମୀ ।” ଭରତ ପୁଅର ପ୍ରଶଂସା କରି କହିଲେ, “ହଁ ସେ ତ ସବୁ କାମକୁ ଆଗଭର । ଖୁବ୍ ସକାଳୁ ଉଠି ଘରବାଡି ସେ ପରିଷ୍କାର କରେ । ବଳଦଙ୍କୁ ଖାଇବାକୁ ଦିଏ । କ୍ଷେତରୁ ସଜ ଘାସ ଆଣେ । ସାରାଦିନ କ୍ଷେତରେ ନାନା ପ୍ରକାରର ସେ କାମ କରେ । କେଉଁ କାମରେବି ସେ ପଛ ଘୁଂଚା ଦିଏ ନାହିଁ । ମୋତେ ତ ଏହା ଭାବି ବଡ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଏତେ ପରିଶ୍ରମୀ ଯୁବକ ଶେଷରେ ଚୋରୀ ପରି ଏକ ହୀନକାମ କରିବାକୁ ଗଲା କାହିଁକି?” ବୀର କହିଲେ, ଏତେ ଛୋଟ କଥାରେ ମନ ଦୁଃଖ କରିବା ମୋଟେ ଠିକ୍ ନୁହେଁ । ଆପଣଙ୍କର ପୁଅ ଅନେକ ସୁଗୁଣର ଅଧିକାରୀ । ହେଲେ ମଧ୍ୟ ପିଲାମାନେ ବଡ ହେବା ପରେ ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚ କିଛି ଦରକାର ପଡେ । ହାତ ଖର୍ଚ୍ଚ ପାଇଁ କିଛି ନ ପାଇଲେ, ସେମାନଙ୍କର ଏପରି କୁଅଭ୍ୟାସ ଆରମ୍ଭ ହୁଏ । ଗୁରୁଜନମାନେ ସେମାନଙ୍କର ଆବଶ୍ୟକତା ପ୍ରତି ସଦା ସର୍ବଦା ଧ୍ୟାନ ଦେବା ଉଚିତ୍ । ମୁଁ ସ୍ୱୀକାର କରୁଛି ଯେ, ଚୋରୀ ଏକ ଅପରାଧ । କିନ୍ତୁ ଏଥିରେ ପୁଅକୁ ଅପରାଧୀ ମନେ ନ କରି ତା’ର ଏପରି ଅଭ୍ୟାସର କାରଣ ବିଷୟରେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ । ଯାହା ହେଉ, ଚନ୍ଦନ ତ ଆଉ ପର ଜିନିଷ ଚୋରୀ କରି ନାହିଁ, ଏପରି ହୋଇଥିଲେ ଆପଣ ଅଧିକ ଅପମାନିତ ହୋଇ ଥାଆନ୍ତେ ।” ଭରତ ପୁଅର ବଳ ବପୁ ଦେଖି ଛୋଟ ଉପହାର ଦେବା କଥା କହିଥିଲେ ସିନା ଏବେ ପ୍ରକୃତରେ ନିଜର ଭୁଲ୍ ବୁଝି ପାରିଲେ । ଏହାପରେ ଚନ୍ଦନକୁ ଆଉ କେବେ ମଧ୍ୟ ଚୋରୀ କରିବାକୁ ପଡିନାହିଁ । କାରଣ ତା’ର ମନବୁଝି ଭରତ ହାତଖର୍ଚ୍ଚର ଯୋଗାଡ କରି ତାକୁ ଦେଇଦିଅନ୍ତି । ସେହିଦିନଠାରୁ ଚନ୍ଦନନାଥ ଆଉ କୌଣସି ଦିନ କିଛି ଚୋରୀ କରିନାହିଁ । ବରଂ ପ୍ରତ୍ୟେକ ଜିନିଷ ସେ ନିଜ ଦାୟିତ୍ୱରେ ରଖିଚି ।
ଡାକୁ ଭୈରବ(ବେତାଳ କାହାଣୀ) ନିଶା ଗରଜୁ ଥାଏ । ତେଣେ ବାହାରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା । ବଣବୁଦା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ ତଥା ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୋକରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ମଧ୍ୟ ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ସେହି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହି ଉଠିଲା, “ରାଜନ୍! ରାତ୍ରିର ଏହି ନିଃଶବ୍ଦ ଅନ୍ଧକାରରେ ବେଶ୍ ନିର୍ଭୀକ ଭାବେ ତୁମେ ନିଜ କର୍ତ୍ତବ୍ୟରେ ଆଗେଇ ଯାଉଛ । ତୁମର ଶକ୍ତି ସାମର୍ଥ୍ୟ ଦେଖି ମୁଁ ଖୁବ୍ ଆଚମ୍ବିତ ହେଉଛି । ସମ୍ଭବତଃ ତୁମର ଏପରି ଆତ୍ମ-ବିଶ୍ୱାସର କାରଣ ଧର୍ମ ଓ ନ୍ୟାୟ । ଏହାରି ବଳରେ ଶାସନ ପରିଚାଳିତ ହେଉଛି । କିନ୍ତୁ କେତେକ ଶାସକ ନ୍ୟାୟ ଓ ଧର୍ମର ଭିତିରେ ଶାସନ କରୁଥିଲେ ମଧ୍ୟ, କୌଣସି କ୍ଷେତ୍ରରେ ନିଜର ମାନସିକ ବଳହୀନତା ପ୍ରକାଶ କରି ଧର୍ମ ଓ ନ୍ୟାୟର ବିରୁଦ୍ଧାଚରଣ କରିଛନ୍ତି । ଉଦାହରଣ ସ୍ୱରୂପ ମୁଁ ତୁମକୁ ଡାକୁ ଭୈରବର କାହାଣୀ ଶୁଣାଉଛି । ଶୁଣ, ଶୁଣିଲେ ତୁମ ପଥଶ୍ରମ ଲାଘବ ହେବ ।” ଏହାପରେ ସେ ବେତାଳ ଗପିବାରେ ଲାଗିଲା । ବହୁଦିନ ତଳେ ମନ୍ଦାର ପ୍ରଦେଶରେ ମଣିଧ୍ୱଜ ନାମକ ଜଣେ ଶାସକ ଶାସନ କରୁଥିଲେ । ନିଜର ଧୈର୍ଯ୍ୟ, ସାହସ, ବିବେକ ଓ ନ୍ୟାୟପୂର୍ଣ୍ଣ ଶାସନ ନିମନ୍ତେ ସେ ବେଶ୍ ପ୍ରଖ୍ୟାତ ଥିଲେ । ତାଙ୍କର ଶାସନରେ କଠୋର ଦଣ୍ଡବିଧି ପ୍ରଚଳିତ ଥିଲା । ଚୋରର ହାତ କାଟି ଦିଆ ଯାଉଥିଲା । ଡାକୁକୁ ଶୂଳୀ ଦଣ୍ଡ ମିଳୁଥିଲା । ତେବେ ମଧ୍ୟ ଦେଶରେ ଡାକୁ ଉପଦ୍ରବ ସମ୍ପୂର୍ଣ୍ଣ ବନ୍ଦ ହୋଇ ନ ଥାଏ । କାରଣ ମନ୍ଦାର ପ୍ରଦେଶ ଓ ପଡୋଶୀ ରାଜ୍ୟ ଚମ୍ପକ ନଗରୀର ସୀମାବର୍ତ୍ତୀ ଅଂଚଳରେ ଏକ ବିରାଟ ଅରଣ୍ୟ ଥିଲା । ସେହି ଘଂଚ ଅରଣ୍ୟରେ ଆତ୍ମଗୋପନ କରି ଡାକୁମାନେ ପ୍ରଜାମାନଙ୍କୁ ଆକ୍ରମଣ କରୁଥିଲେ । ମଣିଧ୍ୱଜଙ୍କ ସୈନିକମାନେ ବହୁବାର ସେ ଡକାୟତଙ୍କୁ ଧରିବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହେଉଥିଲେ । ଘୋର ଅରଣ୍ୟରେ ସେମାନଙ୍କର ସନ୍ଧାନ କରିବା ଆଦୌ ସମ୍ଭବ ହେଉ ନ ଥିଲା । ଏହି ଜଙ୍ଗଲରେ କୁଖ୍ୟାତ ଡାକୁ ଭୈରବ ବାସ କରୁଥିଲା । ତା’ର ପିତା ଡକାୟତ ସର୍ଦ୍ଦାରର ମୃତ୍ୟୁ ପରେ ସେ ବାଲ୍ୟକାଳରୁ ଡାକୁ ସର୍ଦ୍ଦାର ରୂପେ ଦଳରେ ଯୋଗ ଦେଇଥିଲା । ଯାତ୍ରୀମାନଙ୍କୁ ଲୁଣ୍ଠନ କରିବାର କଳା କୌଶଳରେ ସେ ପୁରାପୁରି ଓସ୍ତାଦ୍ ଥିଲା । ଥରେ ଭୈରବ ପାଖକୁ ତା’ର ସାଥୀମାନେ ଜଣେ ମୁନିଙ୍କୁ ଧରି ଆଣିଲେ । ସେମାନେ ପ୍ରକାଶ କଲେ ଯେ, ଏହି ଛଦ୍ମବେଶୀ ମୁନି ରାଜାଙ୍କ ଗୁପ୍ତଚର ଅଟେ । କିନ୍ତୁ ଯେତେବେଳେ ଭୈରବ ସ୍ପଷ୍ଟ ରୂପେ ଜାଣିପାରିଲା ଯେ ସେ ପ୍ରକୃତରେ ଜଣେ ସାଧୁ ମହାତ୍ମା, ତାଙ୍କୁ ଅରଣ୍ୟର ଅପର ପ୍ରାନ୍ତରେ ଛାଡି ଦେବା ପାଇଁ ସେ ତା’ର ଅନୁଚରମାନଙ୍କୁ ଆଦେଶ ଦେଲା । ମୁନି ସେଠାରୁ ଯିବା ପାଇଁ ଅନିଚ୍ଛୁକ ହୋଇ କହିଲେ, “ପୁତ୍ର, ମୁଁ ତ ଜାଣିଶୁଣି ଅରଣ୍ୟର ଏହି ନିଘଂଚ ଅଂଚଳକୁ ଆସିଛି । ମୋର ଯୋଗ ସାଧନା ନିମନ୍ତେ ଏକାଗ୍ରତା ଓ ନିରୋଳା ପରିବେଶ ନିତାନ୍ତ ଆବଶ୍ୟକ । କିନ୍ତୁ ଏହା ପୂର୍ବରୁ ମୁଁ ଯେତେଥର ଯୋଗ ସାଧନାରେ ଉପବେଶନ କରିଛି, କେହି ନା କେହି ଯାତ୍ରୀଙ୍କର ଦୃଷ୍ଟି ମୋ ଉପରେ ପଡିଛି ଓ ସେମାନେ ନାନାଦି ପ୍ରଶ୍ନ ପଚାରି ମୋର ଧ୍ୟାନ ଭଙ୍ଗ କରାଇଛନ୍ତି । ଏହା ଫଳରେ ମୋର ଏକାଗ୍ରତା ନଷ୍ଟ ହୋଇଛି । ଏହି ଗୋପନ ସ୍ଥଳୀରେ ମୋ ପାଇଁ କିଛି ବନ୍ଦୋବସ୍ତ କରାଇ ଦେଲେ ମୋର ଯୋଗ ସାଧନା ସମ୍ପୂର୍ଣ୍ଣ ହୋଇ ପାରନ୍ତା ।” ଭୈରବ ସେହି ମୁନିଙ୍କ ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଇଲା, ଯେପରି ସାଧୁ ମହାତ୍ମାଙ୍କର ତପସ୍ୟା ନିର୍ବିଘ୍ନରେ ସମାପନ ହୋଇ ପାରିବ । ଦିନେ ସାଧୁ ଭୈରବକୁ ନିଜ ପାଖକୁ ଡକାଇ କହିଲେ, “ପୁତ୍ର ଏବେ ତ ଗ୍ରୀଷ୍ମଋତୁ ଆଗତ-ପ୍ରାୟ । ଉଷ୍ମତାର ଆଧିକ୍ୟ ହେତୁ ମୁଁ ହିମାଳୟ ଅଂଚଳକୁ ଚାଲି ଯିବାକୁ ଇଚ୍ଛା କରୁଛି । ତୁମର ସେବା-ଯତ୍ନରେ ମୁଁ ଅତ୍ୟନ୍ତ ପ୍ରସନ୍ନ, ମାତ୍ର ତୁମର ବୃତ୍ତି ମୋତେ ଦାରୁଣ ଆଘାତ ଦେଇଛି । ପରଧନ ଅପହରଣ, ଲୁଣ୍ଠନ ଏକ ପାପ କର୍ମ ଅଟେ ।” ସାଧୁଙ୍କର ଏଭଳି ଉପଦେଶ ଶୁଣି ଭୈରବ କହିଲା, “ମହାତ୍ମା, ମୋତେ ପ୍ରକୃତରେ ପାପ କ’ଣ, ପୂଣ୍ୟ କ’ଣ ତାହା ଜଣା ନାହିଁ । ଆମର ପୂର୍ବପୁରୁଷ ଅମଳର ପେସା ଲୁଣ୍ଠନ ଓ ଡକାୟତି । କେବଳ ଯୁଦ୍ଧ ବ୍ୟତୀତ ମୋତେ ଅନ୍ୟ କୌଣସି ବିଦ୍ୟା ମଧ୍ୟ ଜଣା ନାହିଁ । ରାଜା କ’ଣ ମୋତେ ତାଙ୍କର ସୈନ୍ୟବାହିନୀରେ ସ୍ଥାନ ଦେବେ? ଧରା ପଡିବା ମାତ୍ରେ ମୋତେ ଏକ ଡାକୁର ସଜା ମିଳିବା ସୁନିଶ୍ଚିତ । ତେଣୁ ଏ ଜୀବନରେ ନିଜକୁ ପରିବର୍ତ୍ତନ କରି ମୋତେ ଆଉ କ’ଣ ବା ଲାଭ ମିଳିବ?” ସାଧୁ ମହାତ୍ମା ଭୈରବର ସଦ୍ବୁଦ୍ଧି ଉଦୟ ନିମନ୍ତେ ବହୁ ଚେଷ୍ଟା କଲେ, କିନ୍ତୁ ସେଥିରେ ସେ ବିଫଳ ହେବାରୁ ଭୈରବକୁ ସେ କହିଲେ, “ପୁତ୍ର, ଯାହା ଉଚିତ୍ କଥା, ତାହା ମୁଁ ତୁମକୁ ଜଣାଇଲି । ଏବେ ତୁମର ଇଚ୍ଛା । କିନ୍ତୁ ମୋର ସେବାର ପ୍ରତିଦାନ ମୁଁ ତୁମକୁ ଦେବାପାଇଁ ଚାହୁଁଛି । ମୁଁ ତୁମକୁ ଗୋଟିଏ ମନ୍ତ୍ର ଶିକ୍ଷା ଦେବି । ତାହା ଜପ କରିବା ମାତ୍ରେ ତୁମେ ଏକ ଶିଶୁ ହୋଇଯିବ । ଏହାଦ୍ୱାରା ତୁମେ ନିଜର ଜୀବନ-କାଳ ପୁନଶ୍ଚ ପ୍ରଥମରୁ ଆରମ୍ଭ କରି ପାରିବାର ଯଥେଷ୍ଟ ସୁଯୋଗ ପାଇ ପାରିବ । କିନ୍ତୁ ହଁ, ତୁମେ ପୁଣି ଥରେ ଭୈରବ ହେବା ପାଇଁ ଚାହିଁଲେ ଆଉ ହୋଇ ପାରିବ ନାହିଁ । ଆବଶ୍ୟକତା ପଡିଲେ ଏହି ମନ୍ତ୍ର ବଳରେ ତୁମେ ଏକ ନୂତନ ଜୀବନ ଆରମ୍ଭ କରିପାର ।” ମୁନି ମନ୍ତ୍ର ଶିକ୍ଷା ଦେଇ ସେ ସ୍ଥାନ ପରିତ୍ୟାଗ କଲେ । ଥରେ ଚମ୍ପକ ନଗରୀର ରାଜାଙ୍କ ଧନର ଆବଶ୍ୟକତା ପଡିଲା । ସେ ମଣିଧ୍ୱଜଙ୍କ ଠାରୁ ଆର୍ଥିକ ସହାୟତା ଲୋଡିଲେ । ମଣିଧ୍ୱଜ ବଳିଷ୍ଠ, ଯୁଦ୍ଧ ନିପୁଣ ବଚ୍ଛା ବଚ୍ଛା ସୈନିକଙ୍କ ହସ୍ତରେ ସେହି ଧନରାଶି ଚମ୍ପକ ନଗରୀ ପଠାଇଲେ । କିନ୍ତୁ ତାହା ଚମ୍ପକ ନଗରୀରେ ପହଁଚି ପାରିଲା ନାହିଁ । ଏପରିକି ସୈନିକମାନଙ୍କର କ’ଣ ଦୂରବସ୍ଥା ହେଲା, ତାହା ମଧ୍ୟ ଜାଣି ହେଲାନାହିଁ । ମଣିଧ୍ୱଜ ଧାରଣା କରିନେଲେ ଯେ, ଏହା ନିଶ୍ଚୟ ଅରଣ୍ୟ ନିବାସୀ ଡକାୟତର କୁକର୍ମ । ତେଣୁ ସେ ଆଉ କାଳ ବିଳମ୍ବ ନ କରି ନିଜ ନେତୃତ୍ୱରେ ଏକ ବିଶାଳ ସୈନ୍ୟବାହିନୀ ନେଇ ସେହି ଅରଣ୍ୟର ଅଭ୍ୟନ୍ତର ପ୍ରଦେଶକୁ ଘେରାଉ କଲେ । ଡାକୁ ଭୈରବ ଧରା ପଡିଲା । ରାଜା ତାକୁ ଧନରାଶି ଓ ସୈନିକଙ୍କ ସମ୍ବନ୍ଧରେ ପଚାରିବାରୁ, ସେ ଏ ବିଷୟରେ କିଛି ଜାଣି ନାହିଁ ବୋଲି କହିଲା । କିନ୍ତୁ ସେ ଯେ ଜଣେ ଡାକୁ, ତାହା ସେ ସ୍ୱୀକାର କଲା । ମଣିଧ୍ୱଜ ଭୈରବର ଉକ୍ତିକୁ ମୋଟେ ବିଶ୍ୱାସ କଲେ ନାହିଁ । ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ସେ ଆଦେଶ ଦେଲେ । କାରଣ ସେ ଜଣେ ଡାକୁ ଓ ଡାକୁମାନଙ୍କର ଗୋପନୀୟ ଆଡ୍ଡାରୁ ସେ ଧରା ପଡିଥିଲା । ଏକ ସପ୍ତାହ ପରେ ରାଜାଙ୍କ ଆଦେଶ କାର୍ଯ୍ୟକାରୀ ହେବ ଜାଣିପାରି ଭୈରବ ଅତ୍ୟନ୍ତ ଦୁଃଖିତ ହୋଇ ପଡିଲା । କାରାଗାର ମଧ୍ୟରେ ବନ୍ଦୀ ଥିବା ଅବସ୍ଥାରେ ସେ ବହୁ ଚିନ୍ତା କରି ଶେଷରେ ସାଧୁଙ୍କର ସେହି ମନ୍ତ୍ରଟିକୁ ପ୍ରୟୋଗ କରିବା ପାଇଁ ସ୍ଥିର କଲା । ତତ୍ ପରଦିନ ପ୍ରଭାତ ସମୟରେ ବନ୍ଦୀଗୃହ ଅଧିପତି ସୈନିକଙ୍କ ସହିତ ଆସି ଦ୍ୱାର ଖୋଲିଲେ । ନିଦ୍ରିତ ଭୈରବକୁ ଉଠାଇବା ପାଇଁ ସେ ହାତ ମାରିବା ବେଳକୁ ଦେଖିଲେ ଏକ ନବଜାତ ଶିଶୁ ସେହି ବିଛଣା ଭିତରେ ଅଛି । ଏସବୁ ଘଟଣା ଦେଖି ତାଙ୍କର ଆଶ୍ଚର୍ଯ୍ୟର ଆଉ ସୀମା ରହିଲା ନାହିଁ । କାରଣ ଦ୍ୱାର ଯଥାବତ୍ ବନ୍ଦ ଥିଲା । ଭିତରୁ କେହି ବାହାରକୁ ଯିବା ପାଇଁ କିମ୍ବା ବାହାରୁ ଭିତରକୁ ଆସିବା ପାଇଁ ଅନ୍ୟ କୌଣସି ମାର୍ଗ ନ ଥିଲା । ସେ ଶିଶୁଟିକୁ ହାତରେ ଧରି ତାକୁ ଭଲ ଭାବରେ ଦେଖିଲେ । ଭୈରବ ପରି ତା’ର ଗାଲରେ ବି ଏକ କଳାଦାଗ ଥିଲା । ଶିଶୁର ଚେହେରା ସହିତ ଭୈରବର ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ଥିଲା । ସ୍ୱୟଂ ଭୈରବ ଶିଶୁ ରୂପରେ ପରିବର୍ତ୍ତିତ ହୋଇ