Course Tag: ଜହ୍ନମାମୁ ପୃଷ୍ଠାରୁ ଗପଟିଏ

ବୈରାଗ୍ୟ

ବୈରାଗ୍ୟ     ମହାରାଜା ମହାଜନକ ସନ୍ନ୍ୟାସ ଜୀବନ ଯାପନ କରିବା ଉଦ୍ଧେଶ୍ୟରେ ରାଜପ୍ରସାଦ ଛାଡି ଏକ ବଗିଚାରେ ଛୋଟ ଘରଟିଏ ବନାଇ ରହିଲେ । ସେ କଥାବାର୍ତ୍ତା ମଧ୍ୟ ପ୍ରାୟ ବନ୍ଦ କରିଦେଲେ । କିଛିଦିନ ପରେ ଦିନେ ସେ ତାଙ୍କ ସେବକକୁ ଡାକି କହିଲେ, “ମୋ ପାଇଁ କିଛି ଗେରୁଆ ବସ୍ତ୍ର ଓ ମାଟିର ଏକ ଭିକ୍ଷାପାତ୍ର ନେଇ ଆସ । ଆଉ ଗୋଟିଏ ବାରିକ ମଧ୍ୟ ଡାକି ଆଣିବୁ ।” ବାରିକ ଆସି ତାଙ୍କ ମୁଣ୍ଡ ଲଣ୍ଡା କରିଦେଲା ଓ ସେ ଗେରୁଆ ବସ୍ତ୍ର ପିନ୍ଧି ମାଟି ପାତ୍ରଟି ଧରି ଘର ଛାଡିଲେ । ତାଙ୍କୁ କେହିବି ଚିହ୍ନି ପାରିଲେ ନାହିଁ ।                 କିଛି ସମୟ ପରେ ରାଣୀ ସିବଳୀ ଦେବୀ ବହୁତ ଖୋଜାଖୋଜି କରି ରାଜାଙ୍କୁ ନ ପାଇବାରୁ ରାଜାଙ୍କ ସେବକକୁ ଧରି ଆଣି ତାକୁ ସେ ବିଷୟରେ ପଚାରିଲେ । ସେ ସବୁକଥା ଖୋଲି କହିଦେଲା । ଏସବୁ କଥା ଶୁଣି ସିବଳୀ ଦେବୀ ଓ ଅନ୍ୟାନ୍ୟ ରାଣୀମାନେ ଖାଲି କ୍ରନ୍ଦନ କରିବାକୁ ଲାଗିଲେ । ତା’ପରେ ଯେଉଁ ଦିଗକୁ ମହାଜନକ ଯାଇଥିଲେ ସେଇ ଦିଗକୁ ଲକ୍ଷ୍ୟ କରି ରାଣୀମାନେ ଓ ପ୍ରଜାମାନେ ଚାଲିବାକୁ ଲାଗିଲେ । ବହୁ ରାସ୍ତା ଚାଲିବା ପରେ ସେମାନେ ମହାଜନକଙ୍କୁ ସନ୍ନ୍ୟାସୀ ବେଶରେ ଗୋଟିଏ ବୃକ୍ଷ ଛାୟାରେ ବିଶ୍ରାମ କରୁଥିବାର ଦେଖିଲେ । ସେମାନେ ତାଙ୍କୁ ଲେଉଟିବାକୁ ବହୁ ଅନୁରୋଧ କଲେ । କିନ୍ତୁ ସେକଥା ସେ ଯମାରୁ ସ୍ୱୀକାର କଲେ ନାହିଁ ।                 ଇତିମଧ୍ୟରେ ରାଣୀ ମନ୍ତ୍ରୀଙ୍କୁ ଗୁପ୍ତରେ ଅଦୂରରେ ରାଜ୍ୟର କେତେକ ପରିତ୍ୟକ୍ତ ଘରମାନଙ୍କରେ ନିଆଁ ଲଗାଇ ଦେବାକୁ କହିଲେ । ନିଆଁ ଜଳିଲା । ରାଣୀ କହିଲେ, “ଦେଖନ୍ତୁ ଆପଣଙ୍କ ସମ୍ପତ୍ତି ଜଳିପୋଡି ଛାରଖାର ହୋଇ ଯାଉଛି, ଚାଲନ୍ତୁ ସେଗୁଡିକୁ ରକ୍ଷା କରିବେ ।”                 ରାଜା ଉତ୍ତର ଦେଲେ “ମୋର ସମ୍ପତ୍ତି ବୋଲି ଏବେ କିଛି ନାହିଁ । ତେଣୁ ରକ୍ଷା କରିବାର ପ୍ରଶ୍ନ କିପରି ବା ଉଠୁଛି?”                 ତା’ପରେ ରାଜା ପୁଣି ଚାଲିବାକୁ ଲାଗିଲେ । ରାଣୀ ଓ ପ୍ରଜାମାନେ ମଧ୍ୟ ତାଙ୍କ ପଛେ ପଛେ ସେମିତି ଚାଲିଥା’ନ୍ତି । ବହୁତ ଦୂର ଯିବା ପରେ ରାଜା ପଛକୁ ଅନାଇ ଦେଖିଲେ ସମସ୍ତେ ଆଗପରି ଚାଲିଛନ୍ତି । ରାଜା ପ୍ରଶ୍ନ କଲେ, “ଏ ରାଜ୍ୟର ରାଜା କିଏ?” ସମସ୍ତେ ଏକ ସ୍ୱରରେ ଉତ୍ତର ଦେଲେ, “ଆପଣ ।” ତା’ପରେ ରାଜା ତାଙ୍କ ହାତରେ ଥିବା ବାଡିରେ ଗାରଟିଏ କାଟିଦେଇ କହିଲେ, “ତେବେ ମୋର ଆଦେଶ କେହିବି ଏ ଗାର ଡେଇଁ ଏପଟକୁ ଆସିବ ନାହିଁ । ଏହିଠାରୁହିଁ ସମସ୍ତେ ଫେରିଯାଅ ।” ସମସ୍ତେ ସେଇଠି ଅଟକି ଗଲେ । କିନ୍ତୁ ରାଣୀ ଗାର ଡେଇଁ ତାଙ୍କ ପାଖକୁ ଚାଲିଗଲେ । ତାଙ୍କ ପରେ ପ୍ରଜାମାନେ ମଧ୍ୟ ଗାର ଡେଇଁ ଆସିଲେ । ରାଣୀ କହିଲେ, “ମହାରାଜ, ଆପଣ ମୋତେ ଓ ପ୍ରଜାମାନଙ୍କୁ ଥରେ ଦେଖନ୍ତୁ । ଆମେ ସମସ୍ତେ କିପରି ବ୍ୟାକୁଳ ହୋଇ ଆପଣଙ୍କୁ ଲେଉଟି ଯିବା ପାଇଁ କହୁଛୁ ।” ମହାଜନକ ଉତ୍ତର ଦେଲେ “ମୁଁ ସମସ୍ତଙ୍କୁ ତ୍ୟାଗ କରିଛି । ସ୍ତ୍ରୀ, ପୁତ୍ର, ପ୍ରଜା, ରାଜ୍ୟ ଏମିତିକି ସବୁ କିଛି ।”                 ରାଣୀ କାନ୍ଦି କାନ୍ଦି କହିଲେ “ମହାରାଜ ଆପଣ ସନ୍ନ୍ୟାସୀ ହେଲେ ମୋର ଦଶା କ’ଣ ହେବ?”                 ରାଜା କହିଲେ “ତମେ ଘରକୁ ଫେରିଯାଇ ପୁତ୍ରକୁ ରାଜସିଂହାସନରେ ବସାଇ ଦେଶ ଶାସନ କର । ପୁଅ ଯେପରି ସତ୍ୟବନ୍ତ ଓ ନିଷ୍ପାପ ରହେ ତାହାର ପ୍ରଯତ୍ନ କର ।”                 ସେଦିନ ଏମିତି ଭାବରେ କଥାବାର୍ତ୍ତା କରୁ କରୁ ସଂଧ୍ୟା ହୋଇଗଲା । ସେଠାରେ ସେମାନେ ଛାଉଣୀ ପକାଇ ରହିଲେ । ରାତ୍ରି ପ୍ରଭାତ ହୁଅନ୍ତେ ରାଜା ପୁଣି ତାଙ୍କର ଯାତ୍ରା ଆରମ୍ଭ କଲେ । ରାଣୀ ସିବଳୀ ଦେବୀ, ଅନ୍ୟ ରାଣୀ ଓ ପ୍ରଜାମାନଙ୍କୁ ପଛରେ ରଖି ନିଜେ ରାଜାଙ୍କ ସହିତ ଚାଲିଲେ ।                 ସେମାନେ ଯାଇ ଯାଇ ଏକ ଜନପଦରେ ପହଁଚିଲେ । ସେଠାରେ ଗୋଟିଏ ଝିଅ ଚାଉଳ ବାହାର କରିବା ପାଇଁ ଧାନ ଛେଚୁଥାଏ । ତା’ର ଗୋଟିଏ ହାତରେ ପଟେ ଚୁଡି ଓ ଅନ୍ୟ ହାତରେ ଦୁଇପଟ ଚୁଡି ଥାଏ । ଝିଅଟି ଧାନ ଛେଚିବା ବେଳେ ଦୁଇପଟ ଚୁଡି ପରସ୍ପର ଲାଗି ଝଣଝଣ ଶବ୍ଦ କରୁଥାଏ ।                 ରାଜା ସେହି ଦୃଶ୍ୟ ଦେଖି ଝିଅଟିକୁ ପଚାରିଲେ, “ତୁମର ଗୋଟିଏ ହାତରେ ଚୁଡି କିପରି ଶବ୍ଦ କରୁଛି, ଅନ୍ୟ ହାତରେ ତ କରୁନାହିଁ!”                 ଝିଅଟି କହିଲା, “ପଟେ ଚୁଡି ହାତରେ ରହିଲେ ଭଲ । ଦୁଇଟି ରହିବାରୁ ଅଯଥା ଶବ୍ଦ ହୁଏ ଓ ଦ୍ୱିତୀୟଟି ମଧ୍ୟ ଅନାବଶ୍ୟକ ।”                 ରାଜା କହିଲେ “ଦେଖିଲ, ଛୋଟ ଝିଅଟିର କଥାରେ ମହାନ୍ ଦର୍ଶନ ଅଛି । ରାଣୀ, ପ୍ରକୃତ ଦୃଷ୍ଟିରୁ ତମେ ମୋ ଜୀବନ ପାଇଁ ଓ ମୁଁ ତୁମ ଜୀବନ ପାଇଁ ଅନାବଶ୍ୟକ । ଏକଥା ହୃଦୟଙ୍ଗମ କରିବା ପରେ ତମେ ଯଦି ପୁଣି ମୋ ସହିତ ଆସ ତେବେ ଅଯଥା ତର୍କ କରିବା ସାର ହେବ ସିନା । ଏଇଠାରୁ ଫେରିଯାଅ ।”                 ରାଣୀ ସେଠାରେ ଏକ ମୁହୂର୍ତ୍ତ ପାଇଁ ଟିକିଏ ଅଟକି ଗଲେ । କିନ୍ତୁ ପର ମୁହୂର୍ତ୍ତରେ ପୁଣି ସ୍ୱାମୀଙ୍କ ପାଖରେ ଆସି ସେ ପହଁଚିଲେ ଓ ତାଙ୍କ ସହିତ ଚାଲିବାକୁ ଲାଗିଲେ । ବାଟରେ ଯାଉ ଯାଉ ଗୋଟିଏ କମାରଶାଳ ପଡିଲା । କମାର ଲୁହାର ସବୁ ହତିଆର ତିଆରି କରୁଥାଏ । ଗୋଟିଏ ନୂଆ ତୀର ହାତରେ ଧରି ସେ ତା’ର ଧାର ଯାଂଚ କରୁଥାଏ । ଗୋଟିଏ ଆଖି ବୁଜି ଓ ଅନ୍ୟଟିରେ ଧାର ପରୀକ୍ଷା କରି ଦେଖୁଥାଏ ।                 ରାଜା ତାକୁ ପଚାରିଲେ, “ଗୋଟିଏ ଆଖିରେ କିପରି ଧାର ପରୀକ୍ଷା କରୁଛ ।”                 କମାର କହିଲା, “ଧାର ପରୀକ୍ଷା ପାଇଁ ଗୋଟିଏ ଆଖି ଆବଶ୍ୟକ । ସେ କାମରେ ଅନ୍ୟ ଆଖିଟି ନିରର୍ଥକ ।”                 ରାଜା ରାଣୀଙ୍କୁ କହିଲେ, “ରାଣୀ, ଦେଖ, ତୁମେ ଏ କଥାରୁ କିଛି ବୁଝିଲ? ମୋର ବର୍ତ୍ତମାନର ଜୀବନ ଯାତ୍ରାରେ ତୁମର ଉପସ୍ଥିତି ନିରର୍ଥକ । ଘରକୁ ଫେରିଯାଇ ପୁତ୍ରକୁ ସିଂହାସନରେ ବସାଇ ରାଜ୍ୟ ପାଳନ କର ।” ଏକଥା କହି ରାଜା ସେଠାରୁ ଝଡବେଗରେ ପ୍ରସ୍ଥାନ କଲେ ଓ ଦୂର ଜଙ୍ଗଲରେ କୁଆଡେ ଅଦୃଶ୍ୟ ହୋଇଗଲେ । ରାଣୀ ସେଠାରେ ମୂର୍ଚ୍ଛିତ ହୋଇ ପଡିଗଲେ । ପରେ ପ୍ରଜାମାନେ ସେଠାରେ ପହଁଚି ତାଙ୍କର ସେବାଯତ୍ନ କରି ତାଙ୍କୁ ନଗରୀକୁ ଫେରାଇ ଆଣିଲେ ।                 ରାଜାଙ୍କ କଥା ଅନୁସାରେ ରାଣୀ ତାଙ୍କ ପୁତ୍ରକୁ ସିଂହାସନରେ ବସାଇ ନିଜେ ବଗିଚାରେ ଛୋଟ କୁଟୀରଟିଏ ବନାଇ ସେହିଠାରେ ସେ ସନ୍ନ୍ୟାସିନୀ ଜୀବନ ଯାପନ କରି ରହିଲେ ।

କାଲିକୁ ଆସ

“କାଲିକୁ ଆସ” ଗୋଟିଏ ସହରରେ ମାର୍କ ନାମକ ଜଣେ ଲୋକ ଥାଏ । ସେ ଯେତିକି ଧନୀ, ସେତିକି କୃପଣ । କେହି କେବେ ତାହାଠୁଁ କୌଣସି ଉପକାର ପାଇଥିବାର ଜଣା ନଥିଲା ।                 ଦିନେ ମାର୍କ ସହର ରାସ୍ତାରେ ଯାଉଛି, ଜଣେ ଅତିଶୟ ଗରୀବ ଲୋକ ତା’ ଆଗରେ ହାତ ପତାଇ କହିଲା, “ବାବୁ, ମୁଁ ଦୁଇଦିନ ହେଲା କିଛିବି ଖାଇନାହିଁ । ମୋତେ ଗୋଟିଏ ପଇସା ଦିଅନ୍ତୁ । ମୁଠେ ଖାଇନିଏ ।”                 ଲୋକଟିର ଚେହେରା ଦେଖିଲେ ବୁଝିହେବ ସେ ସତ କହୁଛି । ସେ ଯୁଗରେ ଗୋଟିଏ ପଇସାରେ ଜଣେ ମୋଟାମୋଟି ଓଳିଏ ଖାଇ ପାରୁଥିଲା । କିନ୍ତୁ ମାର୍କ ତା’ କଥା ଶୁଣି ନ ଶୁଣିବାର ଭାବ ଦେଖାଇ ସେଠାରୁ ଚାଲିଗଲା । ମାର୍କ ପଛେ ପଛେ ଆଉ ଜଣେ ସହରବାସୀ ଆସୁଥାଏ । ସେ ସହରର ଦେବାଳୟରେ ଚୌକିଦାର କାମ କରୁଥାଏ ଓ ଅତି ସାମାନ୍ୟ ପଇସା ପାଏ । ସେ ଗରୀବ ଲୋକ ହାତରେ ପଇସାଟିଏ ଥୋଇଦେଲା ।                 ମାର୍କ ଏଥିରେ ବହୁତ ଅପମାନ ବୋଧ କଲା । ସେ ବୁଲିପଡି ଚୌକିଦାରକୁ କହିଲା, “ଆରେ ଭାଇ, ମୁଁ କ’ଣ ତାକୁ ଦେଇ ନଥାନ୍ତି? କିନ୍ତୁ ମୋ ପାଖରେ ଖୁଚୁରା ନଥିଲା ।”                 ଚୌକିଦାର କହିଲା “ସତେ? ଯଦି ଦେବାକୁ ଇଚ୍ଛା, ତେବେ ମୋଠୁଁ ପଇସାଟିଏ ଧାର ନିଅନ୍ତୁ । ଗରୀବ ଲୋକଟି ପଇସାଏ ସ୍ଥାନରେ ଦୁଇପଇସା ପାଇଗଲେ କ୍ଷତି କ’ଣ?” “ଭଲ କଥା ।” ଏହା କହି ମାର୍କ ଚୌକିଦାରଠୁଁ ପଇସାଟିଏ ନେଇ ସେ ଗରୀବ ଲୋକକୁ ଦେଲା । ଚୌକିଦାରକୁ ସେ କହିଲା “ମୁଁ କାହାରି ପାଖରେ ଋଣୀ ହୋଇ ରହିବାକୁ ପସନ୍ଦ କରେନାହିଁ । ଆଗାମୀ କାଲି ଆସି ତମ ପଇସା ନେଇଯିବ ।” ପରଦିନ ଚୌକିଦାର ଯାଇ ମାର୍କ ଘରେ ପହଁଚିବା ମାତ୍ରେ ମାର୍କ ଖୁବ୍ ବ୍ୟସ୍ତ ହୋଇ କହିଲା, “ଆରେ ଭାଇ, ତମେ ଆସିଗଲଣି? ବର୍ତ୍ତମାନ ମଧ୍ୟ ମୋ ପାଖରେ ଖୁଚୁରା ନାହିଁ । କାଲିକି ଆସ ।” ଚୌକିଦାର ଆସି ପରଦିନ ପହଁଚିବାରୁ ମାର୍କ କହିଲା, “ଗୋଟାଏ କାମ କର । ମୋ ପାଖରେ ସ୍ୱର୍ଣ୍ଣମୁଦ୍ରା ଅଛି । ଗୋଟିଏ ସ୍ୱର୍ଣ୍ଣମୁଦ୍ରାର ମୂଲ୍ୟ ଶହେ ଟଙ୍କା । ତମେ ଅନେଶତ ଟଙ୍କା ଅନେଶତ ପଇସା ଦିଅ । ଆଉ ଏ ସ୍ୱର୍ଣ୍ଣମୁଦ୍ରାଟିଏ ନେଇଯାଅ ।” ସ୍ୱର୍ଣ୍ଣମୁଦ୍ରାଟିଏ କୌଣସି ଦୋକାନରେ କିଛି କିଣାକିଣି ନକରି ଖାଲି ସେମିତି ଭଙ୍ଗାଇଲେ ଦୁଇ ପଇସା ବଟି ଦେବାକୁ ପଡୁଥାଏ ବୋଲି ଚୌକିଦାରକୁ ତ ଜଣାଥିଲା । ମାର୍କ ଗୋଟିଏ ମାତ୍ର ପଇସା ଦେଇ ବର୍ତ୍ତମାନ ସେ କାମଟି କରାଇନେବାକୁ ଚାହୁଁଛି ବୋଲି ବୁଝିବାକୁ ଚୌକିଦାରକୁ ଆଉ ବିଳମ୍ବ ହେଲା ନାହିଁ । ମାର୍କ ତେଣେ ତରତର ହୋଇ ଘର ଭିତରକୁ ଯାଇ ସ୍ୱର୍ଣ୍ଣମୁଦ୍ରାଟିଏ ଆଣି ଚୌକିଦାରକୁ ତାହା ଦେଖାଇଲା । “ବାବୁ, ମୋଠି ଏତେ ଟଙ୍କା କାହୁଁ ଆସିବ? ମୁଁ ବରଂ କାଲିକି ଆସିବି ।” ଏତିକି କହି ଚୌକିଦାର ସେଠାରୁ ଚାଲିଗଲା । ପରଦିନ ଚୌକିଦାର ଆସୁଥିବାର ଦେଖି ମାର୍କ ତା’ ସ୍ତ୍ରୀକୁ କହିଲା, “ଲୋକଟା ଏଡେ ଦୁଷ୍ଟ, ଗୋଟାଏ ପଇସା ପାଇଁ ତିନି ତିନିଥର ଆସିଲାଣି । ମୁଁ ଶୋଉଛି । ତମେ ବସି କନ୍ଦାକଟା କର, ସତେ ଅବା ମୁଁ ମରିଯାଇଛି ।” ଏଣେ ମାର୍କ ନିର୍ଜୀବ ଭାବରେ ଶୋଇ ରହିଲା ଓ ତା’ ସ୍ତ୍ରୀ କାନ୍ଦିବାର ଛଳନା କଲା । ଚୌକିଦାର ଏହା ଦେଖି କହିଲା, “ଆହା, ବାବୁ ମରିଗଲେ? ଆମ ଧର୍ମ ଅନୁସାରେ ମରିଯିବାର ଏକଘଂଟା ଭିତରେ ଶବକୁ ସ୍ନାନ କରାଇବା କଥା । ମୁଁ ପାଣି ଆଣୁଛି ।” ଏହା କହି ସେ ଚୌକିଦାର ମାର୍କର ରୋଷେଇ ଘରେ ପଶି ଚୁଲିରୁ ଗରମ ପାଣି ଆଣି ସେସବୁ ସେ ମାର୍କ ଉପରେ ଢାଳିଲା । ମାର୍କ ହଲଚଲ ହେଲାନାହିଁ ସତ, କିନ୍ତୁ ତା’ମୁହଁରେ କଷ୍ଟ ଭାବ ଫୁଟି ଉଠିଲା । ଏଥର ତା’ ଛଳନା ସମ୍ପର୍କରେ ଚୌକିଦାରର ଆଉ କିଛିବି ସନ୍ଦେହ ରହିଲା ନାହିଁ । ସେ ମାର୍କର ସ୍ତ୍ରୀକୁ କହିଲା, “ଭଉଣୀ, ଆମ ଧର୍ମ ଅନୁସାରେ ସୂର୍ଯ୍ୟାସ୍ତ ପୂର୍ବରୁ କବର ଦିଆ ହୋଇ ନ ପାରିଲେ ଶବକୁ ଦେବାଳୟ ପରିସର ଭିତରେ ରଖିବା କଥା । ମୁଁ ଏହାକୁ ନେଇ ଯାଉଛି । କାଲି ସକାଳେ କବର ଦେବା ।” ଏହା କହି ସେ ଶବାଧାର ଆଣି ମାର୍କକୁ ତହିଁ ଭିତରେ ପୁରାଇ ଦେବାଳୟ ଭିତରକୁ ନେଇଗଲା । ଭାବିଥିଲା, ଭୋକ କଲେ ମାର୍କ ବଳେ ଉଠି ବସିବ ଓ ନିଜ ଛଳନା ପାଇଁ ସେ ତାକୁ କ୍ଷମା ମାଗିବ । କିନ୍ତୁ ମାର୍କ ତା’ର ନିଶ୍ଚିନ୍ତ ହୋଇ ଶୋଇ ରହିଲା । ରାତିରେ ଚାରିଜଣ ଚୋର ଦେବାଳୟରେ ପଶିଲେ । ସେମାନେ ବାହାରୁ ଅନେକ ଟଙ୍କା ପଇସା ଚୋରି କରି ଆଣିଥିଲେ । ସେଠାରେ ବସି ସେସବୁକୁ ସେମାନେ ନିଜ ନିଜ ମଧ୍ୟରେ ବାଂଟିଲେ । ବଳକା ରହିଲା ଗୋଟିଏ ଛୁରୀ । ସେ ଗୋଟିକ କିଏ ନେବ, ଏହି ଆଲୋଚନା ହେଉଥାଏ, ଚୌକିଦାର ଗୋଟିଏ ସ୍ତମ୍ଭ ପଛରୁ କହିଲା, “ଆରେ, ଏତକ ବୁଝୁନାହଁ? ଏଠି ପଡିଥିବା ଶବକୁ ଯିଏ କାଟିବ, ଛୁରୀଟି ତା’ର ହେବ!” ଏହାକୁ କୌଣସି ଦୈବବାଣୀ ଭାବି ଚୋରମାନେ ଚକିତ ହୋଇ ଅନାଇବା ବେଳକୁ ମାର୍କ ଉଠି ବସି କହିଲା, “ମୋତେ କାଟିବ?” ଭୂତ ଏହା କହୁଛି ଭାବି ଚୋରମାନେ ସେଠୁ ଦୌଡି ପଳାଇଲେ । ମାର୍କ ଶବାଧାର ଭିତରୁ ବାହାରି ଚୌକିଦାରକୁ କହିଲା, “ଆରେ ଭାଇ, ତୁମକୁ ଏତେ କଷ୍ଟ ଦେବାରୁ ମୁଁ ଅତ୍ୟନ୍ତ ଦୁଃଖିତ । ତେବେ ଲାଭ ବି ବହୁତ ହେଲା । ଚୋରମାନେ ଯେତେ ଟଙ୍କା ପଇସା ଛାଡି ଯାଇଛନ୍ତି, ତାକୁ ବର୍ତ୍ତମାନ ଆମେ ବାଂଟି ନେବା ।” ଦୁହେଁ ତାହା ବାଂଟିନେବା ପରେ ଚୌକିଦାର କହିଲା, “ଆଚ୍ଛା ବାବୁ, ମୋ ପଇସାଟି ଦେବଟି?” ମାର୍କ କହିଲା “କାଲିକୁ ଆସ!”