Course Tag: ଜହ୍ନମାମୁ

ବନ୍ଦିନୀ ପରୀ

ବନ୍ଦିନୀ ପରୀ ଶମ୍ଭୁଦାସ ଅନୁରାଧାପୁରରେ ଦୋକାନଟିଏ କରି ରହୁଥିଲେ । ସେ ଦୂରବର୍ତ୍ତୀ ଏକ ସ୍ଥାନରୁ ଆସିଥିଲେ । ତେଣୁ ସେ ଅତୀତରେ କ’ଣ କରୁଥିଲେ, ସେକଥା ଅନୁରାଧାପୁରର କେହି ଲୋକ ଜାଣି ନଥିଲେ ।                 କେବଳ ବିଜୟ ସେକଥା ମୋଟାମୋଟି ଭାବେ ଜାଣିଥିଲା । ବିଜୟ ଗୋଟିଏ ପିଲା । ଛେଉଣ୍ଡ । ତାକୁ ଶମ୍ଭୁଦାସ ପାଳିଥିଲେ ।                 ବିଜୟକୁ ଶମ୍ଭୁଦାସ ବହୁତ ସ୍ନେହ କରୁଥିଲେ । ସେ ଯେପରି ଭଲ ମଣିଷ ହେବ, ସେଥିପାଇଁ ଅନେକ ଉପଦେଶ ଦେଉଥିଲେ ।                 ବିଜୟ ଜାଣିଥିଲା ଶମ୍ଭୁଦାସ ଅତୀତରେ ଜଣେ ବଡ ମନ୍ତ୍ରବିଦ୍ ଥିଲେ । କିନ୍ତୁ ସେ ମନ୍ତ୍ରତନ୍ତ୍ର ଛାଡିଦେଇଥିଲେ । ସାଧାରଣ ଜୀବନ ବିତାଉଥିଲେ ।                 ଶମ୍ଭୁଦାସଙ୍କ ପାଖରେ ଗୋଟାଏ ପୁରୁଣା ବୀଣା ରହିଥିଲା । ସେ ଏକଦା ବୀଣା ବଜାଉଥିଲେ ବୋଲି ବିଜୟ ଅନୁମାନ କରି ପାରୁଥିଲା । କିନ୍ତୁ ସେ କାହିଁକି ଆଉ ବଜାଉ ନଥିଲେ, ସେକଥା ସେ ଜାଣି ନଥିଲା । ବିଜୟ ଥରେ ଥରେ ପଚାରେ “ଜେଜେ! ତମେ ତ ବୀଣା ରଖିଛ, କିନ୍ତୁ କାହିଁକି ବଜାଉ ନାହଁ?”                 ଶମ୍ଭୁଦାସ ହସି ଦିଅନ୍ତି ଓ କହନ୍ତି, “ମୁଁ ନ ବଜାଇଲେ କ’ଣ ହେଲା, ତୁ ବଜାଇବୁ ଓ ବଜାଇ ଦେଶ ସାରା ବିଖ୍ୟାତ ହେବୁ । ଏହାହିଁ ହେବ ତୋ ପ୍ରତି ମୋର ସର୍ବଶ୍ରେଷ୍ଠ ଦାନ ।”                 ବିଜୟ ପ୍ରଶ୍ନକରେ “ତେବେ ମୋତେ କାହିଁକି ବୀଣା ଶିଖାଉ ନାହଁ?”                 ଶମ୍ଭୁଦାସ କହନ୍ତି “ଶିଖାଇବା କିଛିବି ଦରକାର ନାହିଁ ।” ବିଜୟ ଏ କଥାର ରହସ୍ୟ ମୋଟେ ବୁଝିପାରେ ନାହିଁ ।                 ସେ ପଚାରେ “ଜେଜେ! ବୀଣା ଯଦି ନ ଶିଖିବି, ତେବେ ତାହା ବଜାଇ ମୁଁ କିପରି ଖ୍ୟାତି ଅର୍ଜନ କରିବି?”                 ଶମ୍ଭୁଦାସ କହନ୍ତି, “ମୁଁ ତୋତେ କୌଣସି ବୃଥା ପ୍ରତିଶୃତି ଦେଉନାହିଁ । ଯାହା କହୁଛି, ତାହା ସତ୍ୟ । ଠିକ୍ ବେଳେ ଏହାର ରହସ୍ୟ ବୁଝାଇ କହିବି । ତୋର ଏତେ ବ୍ୟସ୍ତ ହେବା ଆଦୌ ଦରକାର ନାହିଁ ।”                 ଦିନେ ଶମ୍ଭୁଦାସ ଅସୁସ୍ଥ ହୋଇ ପଡିଲେ । ସେ ବିଜୟକୁ ପାଖକୁ ଡାକି କହିଲେ, “ବାପା! ମୁଁ ବୁଝି ପାରୁଛି, ସଂସାର ଛାଡି ଚାଲିଯିବାକୁ ମୋର ଆଉ ବିଳମ୍ବ ନାହିଁ । ତା’ ପୂର୍ବରୁ ବୀଣା ରହସ୍ୟ ତୋତେ ଖୋଲି ମୁଁ କହିଦିଏ । ମୁଁ ଥରେ ମୋ ମନ୍ତ୍ରତନ୍ତ୍ର ସାହାଯ୍ୟରେ ଗୋଟିଏ ସଂଗୀତପ୍ରବୀଣା ପରୀକୁ ଏ ବୀଣା ଭିତରେ ବନ୍ଦି କଲି । କିନ୍ତୁ ପୁରାପୁରି ବନ୍ଦୀ ହେବା ପୂର୍ବରୁ ସେ ମୋତେ ଏହି ଅଭିଶାପ ଦେଲା କି ମୁଁ ଯଦି କେବେବି ସେ ବୀଣା ବଜାଇବି, ତେବେ ମୋ ଛାତି ଫାଟିଯିବ । ତେଣୁ ମୁଁ ତାକୁ ଯମାରୁ ବଜାଏ ନାହିଁ । ତୁ କିନ୍ତୁ ବଜାଇବୁ । ବୀଣା ତାରରେ ହାତ ଦେବା ମାତ୍ରେ ସେ ପରୀହିଁ ବଜାଇବାକୁ ବାଧ୍ୟ ହେବ । ଅପରୂପ ସଂଗୀତ ବାହାରିବ । ଖାଲି ଗୋଟିଏ ସର୍ତ୍ତ: ମଧ୍ୟ ରାତ୍ରି ପରେ ତୁ ସେହି ବୀଣାକୁ କେବେବି ହେଲେ ବଜାଇବୁ ନାହିଁ । ସେପରି କଲେ ତହିଁରୁ ପରୀ ଖସି ପଳାଇବ ।”                 ଏକଥା କହିବାର ଖୁବ୍ ଅଳ୍ପ ସମୟ ପରେ ଶମ୍ଭୁଦାସ ପରଲୋକଗମନ କଲେ । ତାଙ୍କ ଶୁଦ୍ଧି କାର୍ଯ୍ୟ ଶେଷ ହେବା ପରେ ବିଜୟ ଦିନେ ସନ୍ଧ୍ୟାରେ ସେହି ବୀଣାକୁ ଧରି ବସିଲା । ବାସ୍ତବିକ, ତା ଅଙ୍ଗୁଳି ତାରରେ ଲାଗିବା ମାତ୍ରେ ଅପୂର୍ବ ସଂଗୀତର ଝଙ୍କାର ନିର୍ଗତ ହେଲା । ସେ କିଛି ସମୟ ବଜାଇ ବୀଣା ରଖିଦେଲା ।                 ବୀଣାର ମାଧୁର୍ଯ୍ୟରେ ସେ ଏତେ ମୁଗ୍ଧ ହେଲା ଯେ ସେପରି ରାତିରେ ବଜାଇଲେ ସେ ଯେ ନିଶ୍ଚୟ ଅତ୍ୟନ୍ତ ବିଖ୍ୟାତ ସଂଗୀତକାର ଭାବରେ ସମ୍ମାନିତ ହେବ, ଏ ବିଷୟରେ ତା’ର ଆଉ କୌଣସି ସନ୍ଦେହ ରହିଲା ନାହିଁ । ସେ ଅନେକ ସମୟ ଚୁପ୍ଚାପ୍ ବସିରହି ଚିନ୍ତା କଲା । ତା’ପରେ ସେ ଗୋଟିଏ ବିଶେଷ ସିଦ୍ଧାନ୍ତ ନେଲା ଓ ମଧ୍ୟରାତ୍ର ପର୍ଯ୍ୟନ୍ତ ଅପେକ୍ଷା କଲା । ସେ ପୁଣି ମଧ୍ୟ ରାତ୍ରରେ ବୀଣାଟି ହାତକୁ ନେଲା । ସଙ୍ଗେ ସଙ୍ଗେ ସେ ଗୋଟିଏ ମଧୁର ହାସ୍ୟ ଶୁଣିଲା ଓ ପରୀର ରୂପ ଦେଖିଲା । ପରୀ ପଚାରିଲା “ଧନ୍ୟବାଦ । କିନ୍ତୁ ତମେ ଜାଣି ଜାଣି ମୋତେ ଛାଡି ଦେଲ ନା ଦୈବାତ୍ ଏମିତି ଭୁଲ୍ କରି ମଧ୍ୟ ରାତ୍ରରେ ବୀଣା ବଜାଇଲ?” ବିଜୟ କହିଲା “ନା, ନା, ମୁଁ ଜାଣି ଜାଣି ତୁମକୁ ଛାଡିଦେଲି । ତୁମେ ବନ୍ଦିନୀ ହୋଇ ରୁହ, ଏକଥା ମୁଁ କେବେବି ଚାହେଁନା ।”

ବିଜୟ ରହସ୍ୟ

ବିଜୟ ରହସ୍ୟ        ଅନେକ ଦିନ ତଳର କଥା । କମଲୁଦ୍ଦିନ୍ ଉଜ୍ବେକିସ୍ଥାନର ସୁଲତାନ୍ ରୂପେ ଅଭିଷିକ୍ତ ହେଲେ । ସେତେବେଳେ କମଲୁଦ୍ଦିନ୍ ବୟସରେ ତରୁଣ । ବାପା ହଠାତ୍ ମରିଯିବାରୁ ସେ ସିନା ସୁଲତାନ୍ ହେଲେ, କିନ୍ତୁ ଭୋଗବିଳାସ ଛାଡି ଶାସନ କାର୍ଯ୍ୟରେ ମନ ଦେବାକୁ ସେ ଆଦୌ ପ୍ରସ୍ତୁତ ନଥିଲେ ।                 ଦିନେ ଉଜୀର୍ ଆସି କହିଲେ, “ସୁଲତାନ୍! ଆମ ଗୁପ୍ତଚରମାନେ କହୁଛନ୍ତି, ଉତ୍ତର ମୁଲକର ଅମୀର୍ ହଠାତ୍ ରାଜଧାନୀ ଆକ୍ରମଣ କରି ଗାଦି ଅଧିକାର କରିବା ଉଦ୍ଧେଶ୍ୟରେ ଅଛନ୍ତି । ଆମେ ବେଳହୁଁ ସତର୍କ ନହେଲେ ଅବସ୍ଥା ଅସମ୍ଭାଳ ହେବ ।”                 ସୁଲତାନ୍ ଉଜୀର୍ଙ୍କ କଥା ଶୁଣି ମଧ୍ୟ ନ ଶୁଣିଲା ଭଳି ରହିଲେ ଓ ପାଟିରେ ଗୋଟି ଗୋଟି କରି ଅଙ୍ଗୁର ପକାଇଲେ । ଉଜୀର୍ କିଛି ସମୟ ଅପେକ୍ଷା କରି ପୁଣି ପଚାରିଲେ, “ଆଜ୍ଞା! କ’ଣ କରାଯିବ? ତୁରନ୍ତ ଏ ଦିଗରେ ଯଥାର୍ଥ ପଦକ୍ଷେପ ନ ହେଲେ ନ ହୁଏ । ଆପଣ ନିଜେ ତତ୍ପର ନହେଲେ ଅବସ୍ଥା ବଡ ଅସମ୍ଭାଳ ହେବ । ସଙ୍ଗେ ସଙ୍ଗେ ଆମ ସୈନ୍ୟବାହିନୀଙ୍କୁ ଜାଗତିଆର୍ କରିବା ମଧ୍ୟ ଆବଶ୍ୟକ ।”                 ସୁଲତାନ୍ କହିଲେ, “ସେକଥା ମୋତେ କାହିଁକି କହୁଛନ୍ତି?”                 ଉଜୀର୍ କ୍ଷୁବ୍ଧ ହୋଇ ପଚାରିଲେ “ମାନେ? ଆପଣ ସୁଲତାନ୍ । ଆପଣଙ୍କୁ ନ କହି ଆଉ କାହାକୁ କହିବି?”                 ସୁଲତାନ୍ କହିଲେ “ଉଜୀର୍ ସାହେବ! ଆପଣଙ୍କର ବୁଦ୍ଧି ମୋଟେ ନାହିଁ ଦେଖୁଛି! ଆପଣ ଏକଥା ସିନା ମୋ ସେନାପତିଙ୍କୁ କହିବେ! ଆମର ବିରାଟ ସୈନ୍ୟବାହିନୀ ଅଛନ୍ତି, ସେନାପତି ବି ଅଛନ୍ତି । ଯଦି ଶତ୍ରୁ ଆସି ରାଜଧାନୀ ଆକ୍ରମଣ କରିବ, ତେବେ ସେମାନେ ଲଢି ଶତ୍ରୁକୁ ହଟାଇ ଦେବେ । ବାସ୍! ମୋର ସେଥିରେ କ’ଣ କରିବାର ଅଛି?”                 ତାଙ୍କର ଏ ଉତ୍ତର ଶୁଣି ଉଜୀର୍ ଦୀର୍ଘନିଶ୍ୱାସ ଛାଡି ସେଠାରୁ ଚାଲିଗଲେ ।          ଏହାର କିଛିଦିନ ପରେ ସତକୁ ସତ ଉତ୍ତର ମୁଲକର ଅମୀର ରାଜଧାନୀ ଆକ୍ରମଣ କଲେ । ସୁଲତାନ୍ଙ୍କ ସୈନ୍ୟଦଳ ସେଥିରେ ତାଙ୍କୁ ବାଧା ଦେଲେ, କିନ୍ତୁ ପରାସ୍ତ ହୋଇଗଲେ । ସୁଲତାନ୍ କୌଣସି ମତେ ତାଙ୍କ ଦୁର୍ଗ ଭିତରୁ ଆତ୍ମଗୋପନ କରି ଖସି ପଳାଇଗଲେ ।           ସେ ଯାଇ ଅନ୍ୟ ଜଣେ ସୁଲତାନ୍ଙ୍କ ପ୍ରାସାଦରେ ଆଶ୍ରୟ ନେଲେ । ସେ ସୁଲତାନ୍ ଜଣେ ଦକ୍ଷ ଶାସକ ଥିଲେ । ତାଙ୍କ ଗଡ ଚାରିଦିଗରେ ଗଡଖାଇ ଥିଲା । ତାଙ୍କ ଦୁର୍ଗ ଆକ୍ରମଣ କରିବା କାହା ପକ୍ଷରେ ବି ଏତେ ସହଜ ନଥିଲା ।            କିଛିଦିନ ପରେ ସୁଲତାନ୍ କମଲୁଦ୍ଦିନ୍ଙ୍କୁ ତାଙ୍କ ଆଶ୍ରୟଦାତା କହିଲେ, “ତୁମେ ମୋ ସୈନ୍ୟଦଳ ନେଇଯାଇ ତମ ନିଜ ରାଜ୍ୟ ଉଦ୍ଧାର କର । ମୋ ସୈନ୍ୟବାହିନୀ କୁଶଳୀ ଏବଂ ମୋ ସେନାପତି ଖୁବ୍ ବୁଦ୍ଧିମାନ୍ ।” ସୁଲତାନ୍ କମଲୁଦ୍ଦିନ୍ ଖୁବ୍ ଖୁସି ହେଲେ । ତାଙ୍କ ଆଶ୍ରୟଦାତାଙ୍କ ସୈନ୍ୟବାହିନୀ ଧରି ସେ ନିଜ ରାଜ୍ୟକୁ ବାହାରିଲେ ।              ବାଟରେ ସେ ନିଜ ଭୋଗବିଳାସ କଥା ମନେ ପକାଇଲେ । ତାହା ମନେ ପକାଇବା ମାତ୍ରେ ପୁଣି ସେଥିରେ ମଜି ଯିବା ସକାଶେ ତାଙ୍କର ଇଚ୍ଛା ହେଲା । ସେ ଗୋଟିଏ ଗଛ ମୂଳରେ ବସି ପଡି ତାଙ୍କ ଆଶ୍ରୟଦାତାଙ୍କ ସେନାପତିଙ୍କୁ କହିଲେ, “ତମେ ଖୁବ୍ ବୁଦ୍ଧିମାନ ବୋଲି ମୁଁ ଜାଣେ । ଯାଅ । ମୋ ଦୁର୍ଗ ଦଖଲ କରି ମୋତେ ଖବର ଦିଅ । ତା’ପରେ ମୁଁ ଯିବି । ବର୍ତ୍ତମାନ ଟିକିଏ ଆରାମ୍ କରେ ।           ସେନାପତି ସୈନ୍ୟଦଳ ନେଇ ଚାଲିଗଲେ । ଦୁର୍ଗକୁ ଲେଉଟି କିପରି ଆରାମ୍ରେ ଜୀବନ ବିତାଇବେ, କମଲୁଦ୍ଦିନ ସେହି ସ୍ୱପ୍ନରେ ବିଭୋର ହୋଇ ବସିଥାନ୍ତି ।           କିଛି ସମୟ ପରେ ଜଣେ ସୈନିକ ଦୌଡି ଆସି କହିଲା, “ସୁଲତାନ୍! ଆମର ଦୁର୍ଭାଗ୍ୟ, ଆମେ ପରାସ୍ତ ହୋଇଗଲୁ । ଆପଣ ପଳାନ୍ତୁ, ନହେଲେ ବର୍ତ୍ତମାନ ଶତ୍ରୁସୈନ୍ୟ ଆସି ଆପଣଙ୍କୁ ମାରି ପକାଇବେ ।”              କମଲୁଦ୍ଦିନଙ୍କ ହାତରୁ ତାଙ୍କ ପାନପାତ୍ର ଖସି ପଡିଲା । ସେ ପଳାଇଗଲେ । ଘୋର ଲଜ୍ଜାରେ ସେ ଆଉ ନିଜ ଆଶ୍ରୟଦାତାଙ୍କ ପାଖକୁ ଗଲେ ନାହିଁ । ପ୍ରାୟ ଦଶଦିନ ଘୋଡା ଛୁଟାଇ ସେ ଅନ୍ୟ ଏକ ରାଜ୍ୟରେ ଯାଇ ପହଁଚିଲେ । ସେଠାକାର ରାଜା ତାଙ୍କୁ ଚିହ୍ନି ନଥିଲେ । କମଲୁଦ୍ଦିନ୍ ତାଙ୍କ ଦେହରକ୍ଷୀ ଭାବରେ ଚାକିରୀ କଲେ ।          କିଛିଦିନ ବିତିଗଲା । ଦିନେ ଆଉ ଜଣେ ଶକ୍ତିଶାଳୀ ରାଜା ସେ ରାଜ୍ୟ ଆକ୍ରମଣ କଲେ । କମଲୁଦ୍ଦିନଙ୍କ ଆଶ୍ରୟଦାତା ରାଜା ସଙ୍ଗେ ସଙ୍ଗେ ନିଜ ସେନାପତିମାନଙ୍କୁ ଧରି ଯୁଦ୍ଧ କ୍ଷେତ୍ରକୁ ବାହାରିଗଲେ । ସେନାପତିମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ସେ ଯୁଦ୍ଧ କଲେ । ଯୁଦ୍ଧରେ ତାଙ୍କର ଜୟ ହେଲା । ଆକ୍ରମଣକାରୀ ସୈନ୍ୟଦଳ ଛିନ୍ଛତ୍ର ହୋଇଗଲେ ।            ଜୟଲାଭ ପରେ ରାଜ୍ୟରେ ଉତ୍ସବ ହେଲା । ସେତିକିବେଳେ କମଲୁଦ୍ଦିନ୍ ରାଜାଙ୍କୁ ପଚାରିଲେ, “ଆଜ୍ଞା, ଆପଣଙ୍କର ସେନାପତିମାନଙ୍କ ଯୁଦ୍ଧ କୌଶଳ ଦେଖିଲି । ସେମାନେ ବୀର ଓ ବୁଦ୍ଧିମାନ । ସେମାନେ ଥାଉ ଥାଉ ଆପଣ କାହିଁକି ଯୁଦ୍ଧକ୍ଷେତ୍ରକୁ ଗଲେ?”                 ରାଜା କହିଲେ, “ଯୁବକ! ମୁଁ ସେମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଲଢୁଥିଲି ବୋଲି ସେମାନେ ସେମାନଙ୍କ ଶକ୍ତି ଓ ବୁଦ୍ଧି ପୂର୍ଣ୍ଣ ମାତ୍ରାରେ ଖଟାଇଲେ । ରାଜା ନିଜେ ନେତୃତ୍ୱ ଦେଲେ ସାଧାରଣ ସୈନ୍ୟମାନେ ବି ଉତ୍ସାହ ଅନୁଭବ କରନ୍ତି । ଏହା ସ୍ୱାଭାବିକ । ତା’ଛଡା ମୋ ରାଜ୍ୟ ରକ୍ଷା ପାଇଁ ସେମାନେ ଜୀବନ ବିପନ୍ନ କରିବେ ଅଥଚ ମୁଁ ନିରାପଦ ରହିବି, ଏହା କିପରି କଥା?”         ରାଜାଙ୍କ ଏଭଳି ଉତ୍ତର ସୁଲତାନଙ୍କ ଭିତରେ ବିରାଟ ପରିବର୍ତ୍ତନ ଆଣିଦେଲା । ସେ ସେହିଦିନ ରାତିରେ ସେଠାରୁ ଚାଲିଗଲେ । କେଇଦିନ ପରେ ଦିନେ ସଂନ୍ଧ୍ୟାବେଳେ ସେ ନିଜ ଦୁର୍ଗ ଦୁଆରେ ଯାଇ ପହଁଚିଲେ । “ତମେ କିଏ?” ବୋଲି ଦୁର୍ଗର ପ୍ରହରୀ ପ୍ରଶ୍ନ କରିବାରୁ ସେ ଧୀର କଣ୍ଠରେ କହିଲେ, “ମୋତେ ତମେ ଚିହ୍ନି ପାରୁନାହଁ? ମୁଁ ତମ ସୁଲତାନ୍ କମଲୁଦ୍ଦିନ୍ ।”            ଅଳ୍ପ ସମୟ ଭିତରେ ସିପାହୀ ଓ ସାଧାରଣଲୋକେ ସେଠାରେ ଜମା ହୋଇଗଲେ । ସେତେବେଳକୁ ତାଙ୍କ ଦୁର୍ଗ ମାଡିବସିଥିବା ଅମୀରର ଅତ୍ୟାଚାରରେ ସମସ୍ତେ ତା’ର ଶତ୍ରୁ ହୋଇ ଯାଇଥାନ୍ତି । ସେମାନଙ୍କ ନିଜ ସୁଲତାନ୍ଙ୍କ ପାଇଁ ସେମାନେ ଅମୀର ବିରୁଦ୍ଧରେ ରାତାରାତି ବିଦ୍ରୋହ କଲେ । ଅମୀର ବନ୍ଦୀ ହେଲା । ସୁଲତାନ୍ ତାଙ୍କ ରାଜ୍ୟ ଫେରି ପାଇଲେ ଓ ସୁଶାସକ ଭାବରେ ଖ୍ୟାତି ଅର୍ଜିଲେ ।

ପତିପତ୍ନୀ

ପତିପତ୍ନୀ              ରଙ୍ଗପୁରର ରଙ୍ଗା ବଡ ଟିଙ୍ଗା ସ୍ୱଭାବର ଥିଲା । ତେଣୁ ପ୍ରତିଦିନ ସେ ତା’ସ୍ତ୍ରୀ ଉପରେ ଟିକିଏ ଟିକିଏ କଥାରେ ଖାଲି ରାଗିଯାଇ ତାକୁ ଗାଳିବର୍ଷଣ କରେ । ମାତ୍ର ତା’ସ୍ତ୍ରୀଟି ବଡ ଭଲ ସ୍ୱଭାବର ଥିଲା । କିନ୍ତୁ ତା’ର ଟିକିଏ ଭୁଲାପଣ ଅଛି ସବୁ ଭୁଲି ଯିବାରୁ ମଝିରେ ଅନେକ କାମ ବାକି ରହିଯାଏ; ରଙ୍ଗା ଘରକୁ ଫେରି ସବୁଥର ସ୍ତ୍ରୀକୁ ଗାଳିବର୍ଷଣ କରେ । ସ୍ତ୍ରୀ ସୀତା ଭୁଲ୍ ନ କରିବାକୁ ଯଥେଷ୍ଟ ସଚେତନ ହୁଏ, କିନ୍ତୁ ପାରେନାହିଁ । ଏଣୁ ରଙ୍ଗାର ରାଗ ମଧ୍ୟ ସଂଯମ ଭିତରେ ନଥାଏ ।                 ରଙ୍ଗା ଯେତେବେଳେ ଯାଚ୍ଛାତା ଭାଷାରେ କ୍ରୋଧରେ ଲାଲ୍ ହୋଇଯାଇ ସ୍ତ୍ରୀକୁ ଗାଳିଦିଏ ସେତେବେଳେ ପାଖ ପଡୋଶୀ ଲୋକମାନେ ସେ ଦୃଶ୍ୟ ବହୁତ ଉପଭୋଗ କରନ୍ତି ଓ ହସନ୍ତି । ଏହିସବୁ ଅପମାନ ସୀତା ପ୍ରତି ବଡ ଅସହ୍ୟ ହୁଏ । ସେ ସ୍ୱାମୀକୁ ତାଙ୍କରଏହି ସ୍ୱଭାବ ପରିବର୍ତ୍ତନ କରିବାକୁ ବହୁତ ଚେଷ୍ଟା କରେ, କିନ୍ତୁ ସବୁ ବ୍ୟର୍ଥ ।                 ଦିନେ ସଂଧ୍ୟାବେଳେ ରଙ୍ଗା ତା’ କ୍ଷେତକାମ ସାରି ଘରକୁ ଫେରି ସୀତାକୁ ପଚାରିଲା, “ଲୁଗାପଟା ସଫା କରିଚ ନା ନାହିଁ?”                 “ଭୁଲିଗଲି, ମୁଁ ଏବେ କ’ଣ କରିବି ।” ଏତିକି କହି ସୀତା ନିଜକୁ ଅନେକ ନିନ୍ଦା କରି ମଥା କୋଡିଲା । ଏହା ଶୁଣି ରଙ୍ଗା ଚିତ୍କାର କରି କହିଲା “ମୋତେ କେତେ ଅପମାନ ସହିବାକୁ ପଡିବ ତାହା ଜାଣିଛ । ଏବେ ମୋତେ ପଡୋଶୀ ଗ୍ରାମରେ ହେଉଥିବା ବିବାହ ଉତ୍ସବରେ ଯୋଗ ଦେବାକୁ ହେବ । ଅପରିଷ୍କାର ପୋଷାକ ପିନ୍ଧି ଯିବାକୁ ମୋତେ ଲାଜ ମାଡିବ ନାହିଁ? ତୁମକୁ ବିବାହ କରି ମୁଁ କେବଳ ଏପରି କଷ୍ଟ ଅପମାନ ସହୁଛି । ଏଣୁ ତୁମେ ମୋ ଜୀବନରେ ଏକ ଅଭିଶାପ ।”                 ରଙ୍ଗାର ଏଭଳି ଚିତ୍କାର ଶୁଣି ପଡୋଶୀ ଲୋକମାନେ ନିଜ ନିଜ ଘରୁ ବାହାରି ଆସି ସେମାନଙ୍କ ନାଟକ ଦେଖିଲେ । ସୀତା ଏଭଳି ପରିସ୍ଥିତିରେ ବଡ ଅପମାନିତ ଅନୁଭବ କଲା । ତା’ ଆଖିରୁ ଲୁହଧାରା ବୋହିବାକୁ ଲାଗିଲା । ସେ କହିଲା, “ବିବାହ ଉତ୍ସବ ତ କାଲିକି ଅଛି । ମୁଁ ଏବେ ତୁମ ଲୁଗା ଧୋଇ ସେସବୁକୁ ଶୁଖାଇ ଦେବି । ଯେପରିକି କାଲି ମଧ୍ୟରେ ତାହା ଶୁଖିଯିବ । ଏହାପରେ ତମେ ପରିଷ୍କାର ଲୁଗା ପିନ୍ଧି ବିବାହ ଉତ୍ସବକୁ ଯିବ ।”                 ସୀତାର କଥା ଶୁଣି ରଙ୍ଗା ଶାନ୍ତ ନ ହୋଇ କହିଲା, “ତୁମେ ଏ ବିଷୟରେ ଆଉ ବେଶି କିଛି ବି ବକ୍ ବକ୍ କରନା, ମୁଁ ଏହି ମଇଳା ଲୁଗା ପିନ୍ଧି ଯିବି ଓ ସେଠାରୁ ଅପମାନିତ ହୋଇ ଫେରିବି । ତେବେ ଯାଇ ତୁମର ଆତ୍ମା ତୃପ୍ତ ହେବ ।” ଏତିକି କହି ସେଠାରୁ ସେ ତୁରନ୍ତ ଚାଲିଗଲା ।   ରଙ୍ଗା ଯିବା ପରେ ପଡୋଶୀ ଘରୁ ଦୁଇ ତିନି ଜଣ ସ୍ତ୍ରୀ ଲୋକ ତାଙ୍କ ଘରକୁ ଆସି ସୀତାକୁ କହିଲେ, “ସୀତା, ତୁମକୁ ଦେଖି ଆମ ମନରେ ବଡ ଦୟା ଆସୁଛି, ତୁମର କଷ୍ଟ ଦେଖି ଆମର ମନରେ ବଡ ଦୁଃଖ ଆସୁଛି । ସାରା ସଂସାର ମଧ୍ୟରେ ତୁମ ପରି ବୋଧ ହୁଏ ଅନ୍ୟ କେଉଁ ସ୍ତ୍ରୀ ଏତେ କଷ୍ଟ ପାଉ ନଥିବ । ଏତେ ଅପମାନ ପାଇବା ପରେ ମଧ୍ୟ ତୁମେ ଯେ ବଂଚିକରି ରହିଛ । ତୁମ ସ୍ୱାମୀ ତ ଦୁର୍ବାସାମୁନିଙ୍କ ପରି କଥା କଥାରେ ଖାଲି କ୍ରୋଧ ପ୍ରକାଶ କରୁଛନ୍ତି । ଏପରି ଲୋକ ସହିତ ତୁମେ କେମିତି ଯେ ସଂସାର କରି ଚାଲିଛ? ତୁମ ସ୍ଥାନରେ ଆମେ ଥିଲେ ଆମେ ତ କେବେଠାରୁ ଆତ୍ମହତ୍ୟା କରିଥା’ନ୍ତୁ ।” ସେମାନେ ସୀତା ପ୍ରତି ସହାନୁଭୂତି ଦେଖାଇ ସୀତାକୁ ଏଭଳି କଥା ସବୁ କହିଲେ ଓ ନିଜ ନିଜ ଘରକୁ ଚାଲିଗଲେ । ସୀତା ଭାବିଲା ଯେ ଏମାନେ ଠିକ୍ କଥା କହୁଛନ୍ତି ଏପରି ଅସହ୍ୟ ଅପମାନ ସହି ବଂଚିବା ବ୍ୟର୍ଥ । ତେଣୁ ସେ ଗୋଟିଏ ଚିଠି ସ୍ୱାମୀକୁ ଲେଖିଲା ଓ ଖଟ ଉପରେ ସେହି ଚିଠିଟି ରଖିଦେଇ ଘର ଛାଡି ପଳାଇଲା ।                 ସଂଧ୍ୟାକୁ ସ୍ୱାମୀ ଘରକୁ ଫେରିଲା ଓ ଚିଠିଟି ପଢିଲା । ଚିଠିଟି ପଢି ତା’ର ମନ ବଡ ଦୁଃଖ ହୋଇଗଲା । ସେ ସୀତାକୁ ଚାରିଆଡେ ଖୋଜିଲା । କିନ୍ତୁ କେଉଁଠି ହେଲେ ବି ସେ ତାକୁ ପାଇଲା ନାହିଁ । ପରଦିନ ସକାଳେ ଯାଇ ସେ ତା’ର ଶ୍ୱଶୁର ଘରେ ପହଁଚିଲା । ଦେଖିଲା ବାହାର ଘରେ ଶ୍ୱଶୁର ମହେନ୍ଦ୍ର ବସିଛନ୍ତି । ରଙ୍ଗା ଯାଇ ଶ୍ୱଶୁରଙ୍କୁ ସବୁକଥା ଡରି ଡରି କହିଲା ଓ ଦୁଃଖରେ କାନ୍ଦିବାକୁ ଲାଗିଲା । ମହେନ୍ଦ୍ର ସବୁ ଶୁଣି କହିଲେ, “ରଙ୍ଗା, ତୁମେ ବିବାହ ଉତ୍ସବକୁ ଯିବା ପରେ ତ ସେ ଏହି ଚିଠି ଲେଖିଛି । ତା’ପରେ ଯଦି ସେ ଆତ୍ମହତ୍ୟା କରିଥିବ ତେବେ ଗତ କାଲି ତ କରିଥିବ । କିନ୍ତୁ କାଲିଠାରୁ ସୀତା ପରି ଝିଅଟିଏ ଆମ ଘରେ ବୁଲୁଛି । ହୁଏତ ସେ ସୀତାର ପ୍ରେତ ହୋଇଥିବ ।”                 ଇତିମଧ୍ୟରେ ଘର ଭିତରୁ ସୀତା ବାହାରି ଆସି ପରିସ୍ଥିତି ବୁଝି ଯାଇ ନିଜ ମୁଣ୍ଡରେ ହାତ ଦେଇ କହିଲା, “ଓଃ ଏବେ ଏହି ଚିଠିଟି ଦେଖି ମୋର ସବୁ ଠିକ୍ ଠିକ୍ ମନେ ପଡୁଛି । ମୋର କି ଭୁଲାପଣ । ଆତ୍ମହତ୍ୟା କରିବାକୁ ଘରୁ ବାହାରି ମୁଁ ମୋ ବାପା ପାଖରେ ଆସି ସିଧା ପହଁଚିଗଲି ହେଲେ ଆତ୍ମହତ୍ୟା କରିବାକୁ ତ ମୁଁ ପୁରାପୁରି ଭୁଲିଗଲି । ଏପରି ସ୍ୱାମୀ ସହିତ ଚଳିବା ବଡ କଷ୍ଟସାଧ୍ୟ । ତେଣୁ ମୁଁ ଏବେ ଆତ୍ମହତ୍ୟା କରିବାକୁ ଯାଉଛି ।” ଏହା କହି ସୀତା ତୁରନ୍ତ କୂଅ ଆଡକୁ ଦୌଡିଲା ।                 ସ୍ତ୍ରୀର ଏଭଳି କଥା ଶୁଣି ରଙ୍ଗା କହିଲା “ରହିଥାଅ ସୀତା; ମୋର ଦୁର୍ବ୍ୟବହାର ଯୋଗୁଁ ତୁମେ ମରିବାକୁ ଯାଉଥିଲ, ତା’ପରେ ମୋର ଅବସ୍ଥା ଯେ କ’ଣ ହୋଇଥା’ନ୍ତା? ତୁମର ସେହି ଭୁଲାପଣ ଯୋଗୁଁ ତ ତମେ ଏବେ ମଧ୍ୟ ବଂଚିଛ ଓ ତୁମକୁ ମୁଁ ଜୀବନ୍ତ ପାଇ ପାରିଲି । ମୋର କ୍ରୋଧ ଯୋଗୁଁ ତୁମେ ଆତ୍ମହତ୍ୟା କରିବାକୁ ଯିବ ବୋଲି ମୁଁ କଦାପି ବି ଜାଣି ନଥିଲି । ଆଜିଠାରୁ ମୁଁ ମଧ୍ୟ ମୋର କ୍ରୋଧକୁ ସଂଯମ କରିବି । ମୁଁ ଶାନ୍ତ ରହିବାକୁ ଚେଷ୍ଟା କରିବି ।”                 ସ୍ୱାମୀ କଥାରେ ଏକମତ ହୋଇ ସୀତା କହିଲା, “ମୁଁ ମଧ୍ୟ ଆଜିଠାରୁ ସବୁ ମନେ ରଖିବାକୁ ଚେଷ୍ଟା କରିବି । ତୁମେ ରାଗିବାର କାରଣ ତ ଅଛି । ମୋର ସବୁଦିନେ ଭୁଲ୍ ହେଉଛି । ତୁମେ ତ ଆଉ ଖାଲିରେ ରାଗୁନାହଁ ।”                 ମହେନ୍ଦ୍ର ଝିଅ ଜ୍ୱାଇଁଙ୍କ କଥା ଶୁଣୁଥିଲେ । ସେ ସେଠାକୁ ଆସି କହିଲେ, “ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ ଭଲ ବୁଝାମଣା ଥିବା ଦରକାର ତେଣୁ ବଦଭ୍ୟାସସବୁ ନିଜେ ନିଜେ ଛାଡିବାକୁ ଚେଷ୍ଟା କରିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ରାଗ, କ୍ରୋଧ, କ୍ଷମା ଏସବୁର ମୂଲ୍ୟ କିଛି ବି ନଥାଏ । ଦୁହିଁଙ୍କ ମଧ୍ୟରେ ସ୍ନେହ ଓ ପ୍ରେମ ରହିଲେ ସଂସାର କରି ଆନନ୍ଦରେ ରହି ପାରିବ ।”                 ମହେନ୍ଦ୍ରଙ୍କ କଥା ଦୁହେଁ ନୀରବରେ ଶୁଣିଲେ ଓ ଅଳ୍ପ ହସି ସ୍ୱୀକାର କଲେ । ସେହିଦିନଠାରୁ ସେମାନେ ଆଦର୍ଶ ଦମ୍ପତ୍ତି ହୋଇ ରହିଲେ ।

ବୁଦ୍ଧି ଓ ସିଦ୍ଧି

ବୁଦ୍ଧି ଓ ସିଦ୍ଧି ଜାମପୁର ଗୋଟିଏ ସମୃଦ୍ଧ ଓ ବଡ ଗାଁ ଥିଲା । ସେଠାକାର ଶିବନାଥଙ୍କ ଏକମାତ୍ର ପୁଅ ସୁଧୀର ନିଜ ଗାଁ ବିଦ୍ୟାଳୟରେ ପାଠ ଶେଷ କରି ଗୋଟାଏ ପ୍ରକାର ଅଳସୁଆ ହୋଇଗଲା । ଖାଲିଟାରେ ବାରାନ୍ଦାରେ ବସିଥିବ, ନହେଲେ ଖଟିଆରେ ଶୋଇ ରହିଥିବ । କିଛି କାମଦାମରେ ମନ ଦେଲା ନାହିଁ । ଶିବନାଥ କି ତା’ ବୋଉ ତାକୁ ଯେତେ ବୁଝାଇଲେ ବି କିଛି ଫଳ ହେଲା ନାହିଁ ।                 ଶିବନାଥଙ୍କର ଜଣେ ବନ୍ଧୁ ଥିଲେ । ତାଙ୍କ ନାମ ଗୋବିନ୍ଦ । ଗୋବିନ୍ଦବାବୁଙ୍କ ଝିଅ ବାହାଘର ହେବାର ଥାଏ । ଗାଁ ବାହାରେ ତାଙ୍କର ଖଣ୍ଡିଏ ପଡିଆ ଜମି ଥିଲା । ସେ ଖଣ୍ଡି ବିକ୍ରିକରି ଦେଇ ସେଥିରେ ବାହାଘର ଖର୍ଚ୍ଚ ତୁଲାଇବେ ବୋଲି ସେ ସ୍ଥିର କରିଥିଲେ । ଜମି ଖଣ୍ଡିକ ଭଲ ଦାମ୍ରେ ଯେ କୌଣସି ଥିଲାବାଲା ଲୋକ କିଣିବ ବୋଲି ସେ ନିଶ୍ଚିତ ଥିବାରୁ ସେ ଦିଗରେ ବେଶି ତତ୍ପରତା ଦେଖାଇ ନ ଥିଲେ । ବାହାଘର ଆଉ ଦେଢମାସ ଅଛି, ସେ ଜମି ବିକିବାକୁ ବାହାରିଲେ । କିନ୍ତୁ କୌଣସି ଲୋକ ସେ ଦାବୀ କରୁଥିବା ମୂଲ୍ୟ ଦେବାକୁ ଆଦୌ ପ୍ରସ୍ତୁତ ନଥିଲେ ।                 ଗୋବିନ୍ଦବାବୁ ଏଥର ବଡ ଅଡୁଆରେ ପଡିଲେ । ଜମିର ଯାହା ଉଚିତ୍ ମୂଲ୍ୟ, ଲୋକେ ତାହା ଦେବାକୁ କାହିଁକି ପ୍ରସ୍ତୁତ ନୁହଁନ୍ତି, ସେକଥା ସେ ବୁଝିପାରୁ ନଥିଲେ । ଦିନେ ସେ ଦୁଃଖିତ ଭାବରେ ତାଙ୍କ ବନ୍ଧୁ ଶିବନାଥଙ୍କ ଘରକୁ ଆସି ନିଜ ସମସ୍ୟା କଥା କହିଲେ । ଶିବନାଥ ବା କ’ଣ ସାହାଯ୍ୟ କରିବେ? ଖାଲି ସହାନୁଭୂତି ପ୍ରକାଶ କରିବା ଛଡା ତାଙ୍କର ଆଉ କିଛି ମଧ୍ୟ କରିବାର ନଥିଲା ।                 ହଠାତ୍ ପାଖ କୋଠରୀରୁ ସୁଧୀରର କଣ୍ଠସ୍ୱର ଶୁଭିଲା । ସେ କହିଲା, “ଗୋବିନ୍ଦ କକା! ଆପଣ ଛଅମାସ ଆଗରୁ ଜମି ବିକିଥିଲେ ଏ ପରିସ୍ଥିତି ଉପୁଜି ନଥାନ୍ତା । ବର୍ତ୍ତମାନ ସମସ୍ତେ ଜାଣନ୍ତି କି ଆପଣଙ୍କ ଝିଅ ବାହାଘର ନିକଟ ହୋଇ ଆସିଲାଣି ଏବଂ ଆପଣଙ୍କର ଟଙ୍କା ଜରୁରୀ ଲୋଡା । ଆପଣ ଜମି ବିକିବାକୁ ବାଧ୍ୟ । ତେଣୁ ସମସ୍ତେ କମ୍ ଦାମ୍ ଦେଇ ପରିସ୍ଥିତିର ସୁବିଧା ନେବାକୁ ଚାହୁଁଛନ୍ତି । ଗୋଟାଏ କାମ କରନ୍ତୁ । ଜମିଦାର ତୀର୍ଥଯାତ୍ରାରୁ ଗତକାଲି ଫେରିଛନ୍ତି । ସେ ଆପଣଙ୍କ ଝିଅ ବାହାଘର କଥା ଜାଣି ନାହାଁନ୍ତି । ତା’ଛଡା ଆପଣଙ୍କର ସେ ଜମି ଖଣ୍ଡିକ ତାଙ୍କ ତୋଟାକୁ ଲାଗିଛି । ଆପଣ ଯାଇ ତାଙ୍କୁ କହନ୍ତୁ । ସେ ଉଚିତ୍ ମୂଲ୍ୟ ଦେଇ ତାହା କିଣି ନେବେ ।”                 ସୁଧୀରର ପରାମର୍ଶ ଗୋବିନ୍ଦବାବୁଙ୍କ ମନରେ ନୂତନ ଆଶାର ସଂଚାର କଲା । ସେ ଜମିଦାରଙ୍କ ପାଖକୁ ଗଲେ । ସତରେ ଜମିଦାର ତାଙ୍କ ତୋଟାକୁ ଲାଗିଥିବା ଜମି ପାଇ ଖୁବ୍ ଆନନ୍ଦିତ ହେଲେ ଏବଂ ସ୍ୱତଃସ୍ଫୁର୍ତ ଭାବରେ ଜମିର ସାଧାରଣ ମୂଲ୍ୟ ଅପେକ୍ଷା କିଛି ବେଶି ମଧ୍ୟ ଦେଲେ । ଗୋବିନ୍ଦବାବୁଙ୍କ ଝିଅ ବାହାଘର ଖୁବ୍ ଭଲରେ ହୋଇଗଲା । ତା’ପରେ ଦିନେ ସେ ବନ୍ଧୁ ଶିବନାଥଙ୍କ ଘରକୁ ଆସି ସିଧା ସୁଧୀର ପାଖକୁ ଯାଇ କହିଲେ, “ବାପା ସୁଧୀର! ତମ ସହ ମୁଁ କିଛି ଖୋଲାଖୋଲି କଥାବାର୍ତ୍ତା କରିବି । ତମେ କିଛି ମନେ କରିବ ନାହିଁ । ଲୋକେ ତମକୁ ଅଳସୁଆ ବୋଲି କହନ୍ତି । ତମର ବୁଦ୍ଧି ନାହିଁ ବୋଲି ତମେ କିଛି କାମଦାମ କରୁନାହଁ, କେତେକଙ୍କ ମନରେ ଏଭଳି ଧାରଣା ମଧ୍ୟ ହୋଇଛି । ମୁଁ ଜାଣେ ଏ ଧାରଣା କେଡେ ଭୁଲ୍ । ତମେ କିଛି କର ।” ସୁଧୀର ଜବାବ୍ ଦେଲା “ଲୋକେ କ’ଣ କହିଲେ ବୋଲି ମୁଁ କିଛି କରିବି? କାହିଁକି? ଲୋକେ ତ ଯାହା ମନ ତାହା କହି ଦିଅନ୍ତି । ସେସବୁ ପ୍ରତି ମୁଁ କେବେବି ଖାତିର୍ କରେ ନାହିଁ ।” ଗୋବିନ୍ଦବାବୁ ବୁଝାଇ କହିଲେ “ପୁଅ, ସେକଥା ନୁହେଁ । ମୁଁ ଜାଣେ ତମର ବୁଦ୍ଧି ଅତି ପ୍ରଖର । ତମେ ତା’ର ସଦୁପଯୋଗ କାହିଁକି ନ କରିବ? ତମେ ତ ବାରାନ୍ଦାରେ ବସି ବସି ଅନେକ ସମୟ କଟାଇ ଦିଅ । ସେମିତି ବସିବ । ଖଣ୍ଡିଏ ପଟା ଖାଲି କାନ୍ଥରେ ଝୁଲିବ । ସେଥିରେ ତମ ନାମ ଲେଖା ରହିବ ଏବଂ ତାହା ପୁଣି ତଳେ ରହିବ: ‘ସର୍ବସାଧାରଣ ଉପଦେଷ୍ଟା’ । ଲୋକେ ସେମାନଙ୍କ ସମସ୍ୟା ବିଷୟ ତମକୁ କହିବେ । ତମେ ସେମାନଙ୍କୁ ସମାଧାନ ବିଷୟରେ ପରାମର୍ଶ ଦେବ । ଏଥିରେ କିଛି ପରିଶ୍ରମ ନାହିଁ । ବସି ରହି କିଛି ଉପାର୍ଜନ ବି ହେବ, ତମ ବୁଦ୍ଧି ବି କାମ କରିବ ଓ ତମକୁ ଆନନ୍ଦ ଦେବ । କଥା କ’ଣ କି, ଅଳସୁଆ ହୋଇ ବସି ରହିଲେ ତା’ର ଶେଷ ପରିଣତି ବିଷାଦ ଓ ହତାଶା ହୁଏ ।” ସୁଧୀର ନୀରବ ରହିବାର ଦେଖି ଗୋବିନ୍ଦବାବୁ ଉତ୍ସାହ ଅନୁଭବ କଲେ ଓ ପୁଣି ସେ କହିଲେ, “ମାତ୍ର ମାସଟିଏ ପରୀକ୍ଷା କରାଯାଉ । ଯଦି ଭଲ ନ ଲାଗିବ, ତେବେ କାମ ବନ୍ଦ କରିଦେବା । ପଟା ଖଣ୍ଡିକ ଖାଲି ଆଣିଲେ ଗଲା!” ସୁଧୀର କୁଣ୍ଠିତ ଭାବରେ କହିଲା “ହେଉ!” ସେହିଦିନ ଉପରଓଳି ଗୋବିନ୍ଦବାବୁ ପଟାରେ ଯାହା ଲେଖା ହେବା କଥା ଲେଖି ଆଣିଲେ ଓ ତାହା ଟଙ୍ଗାଇ ଦେଲେ । ସୁଧୀର ପାଖରେ ସିଏ ବି ବସିଲେ । ଦୁଇ ତିନିଦିନ ଗଲା । କେହି କୌଣସି ଉପଦେଶ ପାଇଁ ଆସିଲେ ନାହିଁ । ତା’ପରେ ଦିନେ ସକାଳେ ଜଣେ ମେଷପାଳକ ସେବାଟେ ଯାଉଥିବା ବେଳେ ପଟାଟି ପଢି ରହିଗଲା ଓ କହିଲା, “ହଇହୋ ବାବୁ, ମୋତେ ଗୋଟାଏ ଉପଦେଶ ଦେଇ ପାରିବ?” ଗୋବିନ୍ଦବାବୁ ପଚାରିଲେ “କ’ଣ ତମ ସମସ୍ୟା?” ଆମେ ଆମ ମେଣ୍ଢା ପଲ ଓ ଛେଳି ପଲ ଚରାଇବା ପାଇଁ ପାହାଡ ସେପଟେ ଚାଳିମାନ କରି ରହିଥାଉ । ଆମେ ଆଠଜଣ ଅଛୁ । ସମସ୍ତେ ସାରା ରାତି ପହରା ଦେବା ସତ୍ତ୍ୱେ ହେଟା ବାଘ ଆସି ଆମର ଗୋଟାଏ ଦୁଇଟା ଛେଳିଛୁଆ ବା ମେଣ୍ଢାଛୁଆ ଚୋରାଇ ନେଇ ଯାଉଛନ୍ତି । ଆମେ ବି ଭୋର ଆଡକୁ କ୍ଳାନ୍ତ ହୋଇ ଶୋଇ ପଡିବାରୁ ସେମାନେ ଏ ସାହସ କରୁଛନ୍ତି । କ’ଣ କରାଯିବ କହିଲ?” ସୁଧୀର ଧୀର ଭାବରେ କହିଲା, “ଦେଖ ଭାଇ, ତମେ ଆଠଜଣଯାକ ରାତି ଅନିଦ୍ରା ରହି ଭୋର ଆଡକୁ ଶୋଇ ପଡୁଛ । ଏହାର କୌଣସି ଯୁକ୍ତି ନାହିଁ । ପ୍ରତି ରାତିରେ ପାଳି କରି ଦୁଇଜଣ ଲେଖାଏଁ ଚେଇଁଲେ ଚଳିବ । ତମେ ଭାବୁଥିବ, ଦୁଇଜଣ କିପରି ଏଡେ ବ୍ୟାପକ ଅଂଚଳକୁ ଓଗାଳିବ । ଓଗାଳିବା ଲୋଡା ନାହିଁ । ରାତିଯାକ ମଧ୍ୟେ ମଧ୍ୟେ ଢୋଲ ପିଟୁଥିବ! ଆଉ ଯେଉଁ ପାଖରୁ ସାଧାରଣତଃ ହେଟାମାନେ ଆସନ୍ତି, ସେଠି ନିଆଁ ଜଳାଇ ରଖିବ ।” ଲୋକଟି ଚାଲିଗଲା । ଦୁଇଦିନ ପରେ ଆସି ଅତି ଆନନ୍ଦରେ କିଛି ପଇସା ଦେଇଗଲା ଓ କହିଗଲା କି ସୁଧୀର ଦେଇଥିବା ପରାମର୍ଶ ଖୁବ୍ କାମ ଦେଇଛି । ଏକଥା ଗ୍ରାମଯାକ ରାଷ୍ଟ୍ର ହୋଇଗଲା । ଲୋକେ ସେମାନଙ୍କ ସମସ୍ୟା ବିଷୟରେ ଏଣିକି ପରାମର୍ଶ କରିବାକୁ ଆସିଲେ । ସୁଧୀରର ବୁଦ୍ଧିର ତାରିଫ୍ କରିବା ସଙ୍ଗେ ସଙ୍ଗେ ସେମାନେ ପଇସା ବି ଦେଲେ । ଜମିଦାର ଏକଥା ଶୁଣିଲେ । ସେ ସୁଧୀରକୁ ଡକାଇ ତାଙ୍କ ସମସ୍ୟା ଥୋଇଲେ । ତାଙ୍କ ଜୁଆଇଁ ମଦ୍ୟପ ହୋଇଯାଇଥାଏ । ଶତ ପରାମର୍ଶରେ ସେ ନିଶା ଛାଡିବାକୁ ରାଜି ହେଉ ନଥାଏ । ସୁଧୀରର ପରାମର୍ଶ ଅନୁସାରେ ଜମିଦାର ଗାଁ କବିରାଜଙ୍କୁ ଡକାଇ ଗୋଟିଏ ଗୁଣ୍ଡ ପ୍ରସ୍ତୁତ କଲେ । ଝିଅ ଦ୍ୱାରା ମଦ ସହ ସେ ଗୁଣ୍ଡ ମିଶାଇ ଦିଆଗଲା । ତା’ପରେ ମଦ ପିଇବା ପରେ ଜୁଆଇଁ ଅଚେତ୍ ହୋଇଯାନ୍ତି । କବିରାଜ ଆସି କହିଲେ, “ଏଣିକି ବାବୁସାଆନ୍ତଙ୍କ ଅବସ୍ଥା ଏମିତି ହେଲାଣି ଯେ ଆଉ ମଦ ପିଇଲେ ଚେତା ମୋଟେ ଫେରିବ ନାହିଁ, ଅର୍ଥାତ୍ ସେ ଆମକୁ ଛାଡି ଚାଲିଯିବେ!” ଜୁଆଇଁଙ୍କ ହୋସ୍ ଫେରିଲା । ସେ ମଦ ପିଆ ଛାଡିଦେଲେ । ଏତିକି ବେଳେ ରାଜ୍ୟରେ ଗୋଟାଏ ଗୁରୁତର ସଙ୍କଟ ଦେଖାଦେଲା । ରାଜା ଅନେକ ଦିନ ହେବ ଅସୁସ୍ଥ ରହିଥିଲେ । ଏହି ଦୁର୍ଭାଗ୍ୟଜନକ ଅବସ୍ଥାର ସୁଯୋଗ ନେଇ ପଡୋଶୀ ରାଜ୍ୟର ରାଜା ଗୋଟିଏ ଦକ୍ଷ ସୈନ୍ୟଦଳ ଧରି ହଠାତ୍ ଆସି ଏ ରାଜ୍ୟର ରାଜଧାନୀରେ ପହଁଚିଗଲେ ଏବଂ ଅସୁସ୍ଥ ରାଜାଙ୍କୁ କହିଲେ, “ତମେ ତ ଆଉ ଭଲ ହୋଇ ପାରିବ ନାହିଁ । ଅତଏବ ରାଜ୍ୟ ମୋତେ ଦେଇ ଦିଅ । ନହେଲେ ଯୁଦ୍ଧ ହେବ ।” ସମସ୍ତେ ତଟସ୍ଥ! ରାଜା ସୁଧୀରକୁ ଡକାଇ ତା’ର ପରାମର୍ଶ ଲୋଡିଲେ । ସୁଧୀର ଯାହା କହିଲା, ତାହା ରାଜାଙ୍କ ମନକୁ ବେଶ୍ ପାଇଲା । ପରଦିନ ଅତି କୌଶଳରେ ରାଜ୍ୟଯାକ ଗୁପ୍ତଚରମାନେ ଏହା ପ୍ରଚାର କରିଦେଲେ ଯେ ରାଜା ମିଛରେ ଅସୁସ୍ଥ ବୋଲି କୁହାଯାଇ ଶତ୍ରୁ ରାଜାକୁ ପ୍ରଲୁବ୍ଧ କରି ଏଠାକୁ ଅଣାଯାଇଛି । ବିଚରା ଶତ୍ରୁରାଜା ବର୍ତ୍ତମାନ ଏଠି ଜାଲରେ ପଡିଛି । ଏଠାକାର ସୈନ୍ୟମାନେ ଯାଇ ତା ରାଜ୍ୟ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏକଥା ଶତ୍ରୁ ପକ୍ଷର ଗୁପ୍ତଚରମାନେ ଶୁଣିଲେ ଓ ଛାଉଣି ପକାଇ ରହିଥିବା ଶତ୍ରୁ ରାଜାଙ୍କୁ କହିଲେ । ରାତାରାତି ସେ ଓ ତାଙ୍କ ସୈନ୍ୟଦଳ ସେଠାରୁ ପଳାଇଗଲେ । ଏ ଘଟଣା ଏ ରାଜାଙ୍କୁ ଏଡେ ଖୁସି ଦେଲା ଯେ ସେ ତାଙ୍କ ଅସୁସ୍ଥତା କଥା ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ ଓ କ୍ରମେ ସୁସ୍ଥ ହେଲେ ।

ସଚ୍ଚା ଶିଳ୍ପୀ

ସଚ୍ଚା ଶିଳ୍ପୀ         ମନ୍ଦାକିନୀ ନଦୀ ତୀରରେ ମରକତପୁର ଗୋଟିଏ ସମୃଦ୍ଧ ଗ୍ରାମ ଥିଲା । ଏ ଗ୍ରାମର ଲୋକେ ସାହିତ୍ୟ, ସଂଗୀତ, ନୃତ୍ୟ ଇତ୍ୟାଦି କଳାର ବିଶେଷ ଆଦର କରୁଥିଲେ । ସେଥିପାଇଁ ସାରା ରାଜ୍ୟରେ ଏ ଗ୍ରାମର ବିଶେଷ ଖ୍ୟାତି ଥିଲା ।                 ଗ୍ରାମବାସୀମାନେ ବାରମାସରେ ତେର ପର୍ବ ପାଳନ କରୁଥିଲେ । ତେବେ ସବୁଠାରୁ ବଡ ଉତ୍ସବ ଦେବୀ ମଙ୍ଗଳାଙ୍କ ବାର୍ଷିକ ପୂଜା ଥିଲା । ମଙ୍ଗଳା ସେ ଗ୍ରାମର ଆରାଧ୍ୟା ଦେବୀ ବୋଲି ସମସ୍ତ ଗ୍ରାମବାସୀ ଏ ଉତ୍ସବରେ ମନପ୍ରାଣ ଢାଳି ଅଂଶ ଗ୍ରହଣ କରୁଥିଲେ ।                 ଉତ୍ସବ ତିନିଦିନ ଧରି ବ୍ୟାପି ଚାଲୁଥିଲା । ନୃତ୍ୟଶିଳ୍ପୀ ମାଳବିକା ଶେଷ ସନ୍ଧ୍ୟାରେ ନୃତ୍ୟ ପରିବେଷଣ କରୁଥିଲେ । ତାଙ୍କ ନୃତ୍ୟହିଁ ଉତ୍ସବର ସବୁଠାରୁ ବେଶି ଜନପ୍ରିୟ ଆକର୍ଷଣ ଥିଲା । ମାଳବିକା ବାସ୍ତବିକ ଜଣେ କୁଶଳୀ କଳାକାର ଥିଲେ । ନୃତ୍ୟକୁ ସେ ଜୀବନ ବୋଲି ଗ୍ରହଣ କରିନେଇଥିଲେ । ତାଙ୍କ ଯୋଗୁଁ ମରକତପୁରର ଅଧିବାସୀମାନେ ଯେ ଗର୍ବ ଅନୁଭବ କରୁଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ । ବର୍ଷେ ଅସୁସ୍ଥତା ଯୋଗୁଁ ସେ ଆଉ ନାଚି ପାରିଲେ ନାହିଁ । ଉତ୍ସବ ପରେ ତାଙ୍କୁ ଯିଏ ଦେଖିଲା ସିଏ କହିଲା, “ମାଳବିକା! ତୁମ ନୃତ୍ୟ ବିନା ଉତ୍ସବ ଏଥର ଶୁଖିଲା ଲାଗିଲା!” ମାଳବିକା ମନେ ମନେ ବୁଝିଲେ ଯେ ତାଙ୍କୁ ବାଦ୍ ଦେଲେ ଉତ୍ସବ ବିଶେଷତ୍ୱ ହରାଇବ । ପରବର୍ଷ ଯେତେବେଳେ ଉତ୍ସବ ସମୟ ପାଖ ହୋଇ ଆସିଲା ଏବଂ ଉତ୍ସବ ସମିତି ଆୟୋଜନରେ ଲାଗି ପଡିଲେଣି ବୋଲି ମାଳବିକା ବୁଝିଲେ, ସେ ସମିତିର କର୍ମକର୍ତ୍ତାମାନେ ତାଙ୍କୁ ଭେଟନ୍ତୁ ବୋଲି ଖବର ପଠାଇଲେ । ମାଳବିକା ଏଭଳି ନିର୍ଦେଶ ଦେବା ସମିତିର କର୍ମକର୍ତ୍ତାମାନଙ୍କୁ ନୂଆ ଲାଗିଲା । ତେବେ ହୁଏତ ରଙ୍ଗମଞ୍ଚ ବା ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ତାଙ୍କର କିଛି କହିବାର ଥିବ, କର୍ମକର୍ତ୍ତାମାନେ ଏଇଆ ଭାବିଲେ । ସମିତିର ସମ୍ପାଦକ ଓ କୋଷାଧ୍ୟକ୍ଷ ତାଙ୍କୁ ଭେଟିବାକୁ ଆସିଲେ । ମାଳବିକା ସେମାନଙ୍କୁ କୌଣସି ସମ୍ମାନ ନ ଦେଖାଇ କହିଲେ, “ଦେଖନ୍ତୁ, ଆପଣମାନେ ମୋତେ ମୋ ନୃତ୍ୟ ପାଇଁ ପ୍ରତିବର୍ଷ ମାତ୍ର ଶହେ ସ୍ୱର୍ଣ୍ଣମୁଦ୍ରା ଦିଅନ୍ତି । କିନ୍ତୁ ଏଣିକି ଦୁଇଶହ ସ୍ୱର୍ଣ୍ଣମୁଦ୍ରା ନହେଲେ ମୋ ପକ୍ଷରେ ନୃତ୍ୟ ପ୍ରଦର୍ଶନ କରିବା ଆଦୌ ସମ୍ଭବପର ହେବ ନାହିଁ । ସେହି ଅନୁସାରେ ବ୍ୟବସ୍ଥା କରନ୍ତୁ ।” ମାଳବିକାଙ୍କ ଏଭଳି ବ୍ୟବହାରରେ କର୍ମକର୍ତ୍ତାମାନେ ଅତ୍ୟନ୍ତ ବିସ୍ମିତ ହେଲେ । ନୃତ୍ୟ ପ୍ରଦର୍ଶନ ହେବ ବୋଲି ପ୍ରଚାର ହୋଇ ଯାଇଥିଲା । ଦୂରରୁ ଲୋକେ ଆସିବେ । ଅଥଚ ମାଳବିକାଙ୍କୁ ଅଧିକ ଶହେ ସ୍ୱର୍ଣ୍ଣମୁଦ୍ରା ଦେଲାଭଳି ପୁଞ୍ଜି ସମିତିର ନଥିଲା । ପୁଣି, ସେ ରାଜ୍ୟର ନିୟମ ଅନୁସାରେ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ଚାନ୍ଦା ଆଦାୟ କରିବାକୁ ହେଲେ ରାଜାଙ୍କ ଅନୁମତି ଲୋଡା । ସମିତିର ସଭାପତି ଓ ସମ୍ପାଦକ ରାଜାଙ୍କ ପାଖକୁ ଗଲେ ଓ ଯେଉଁ ସମସ୍ୟା ଉପୁଜିଥିଲା, ସେକଥା ସେମାନେ ରାଜାଙ୍କୁ ଜଣାଇଲେ । ରାଜା ଟିକିଏ ଚିନ୍ତା କରି କହିଲେ, “ଆଚ୍ଛା, ଅଧିକା ଅର୍ଥ ମୁଁ ଦେଇଦେବି । ଚାନ୍ଦା ଅସୁଲ୍ କରିବା କିଛି ଦରକାର ନାହିଁ । ତମ ଉତ୍ସବର ଶେଷ ଦିନ ପରା କେହି ବିଶିଷ୍ଟ ବ୍ୟକ୍ତି ପ୍ରବଚନ ଦିଅନ୍ତି? ଏ ବର୍ଷ କିଏ ଦେବେ?” ସମିତିର ସଭାପତି କହିଲେ “ମହାରାଜ! ଏଯାଏଁ ତ ଆମେ ତାହା ସ୍ଥିର କରି ନାହୁଁ ।” ରାଜା ପଚାରିଲେ “ବେଶ୍ । ମୋର ଜଣେ ବନ୍ଧୁ ସାଧୁ ହୋଇ ହିମାଳୟରେ ଥିଲେ । ତାଙ୍କ ନାମ ଧୀରାନନ୍ଦ । ତାଙ୍କୁ ପଠାଇବି?” ସଭାପତି ଓ ସମ୍ପାଦକ କହିଲେ, “ମହାରାଜ! ତାହାଠୁ ବଳି ଆଉ କ’ଣ ବା ଭଲ ହୋଇପାରେ?” ଉତ୍ସବର ଶେଷ ଦିନ ଯଥା ସମୟରେ ସ୍ୱାମୀ ଧୀରାନନ୍ଦ ଆସି ସେଠାରେ ପହଁଚିଗଲେ । ଗ୍ରାମବାସୀମାନେ ତାଙ୍କୁ ବହୁତ ଶ୍ରଦ୍ଧା ସମ୍ମାନ ଦେଖାଇ ସ୍ୱାଗତ କଲେ । ସନ୍ଧ୍ୟାରେ ନୃତ୍ୟ ଆରମ୍ଭ ହେବା ପୂର୍ବରୁ ସ୍ୱାମୀ ଧୀରାନନ୍ଦ ବକ୍ତୃତା ଦେଲେ । ତାଙ୍କୁ ସ୍ୱୟଂ ରାଜା ପଠାଇଥିବା ଯୋଗୁଁ ସବୁ ବିଶିଷ୍ଟ ଲୋକେ ସେହି ସଭାରେ ଥା’ନ୍ତି । ଆଗରେ ମାଳବିକା ମଧ୍ୟ ବସିଥାନ୍ତି । କିଛି ଆଧ୍ୟାତ୍ମିକ କଥା କହିସାରି ଧୀରାନନ୍ଦ କହିଲେ, “ମଣିଷର ମହତ୍ୱ ଜଣାଯାଏ ତା’ର କରୁଣା ବୋଧ କେତେଦୂର, ତହିଁରୁ । ଯେତେବେଳେ ଶିଶୁ କହେ, ‘ମା! ତମେ କାଲି କୁଆଡେ ଚାଲିଗଲ? ମୋତେ ଏକୁଟିଆ ବହୁତ ଭୟ ଲାଗିଲା!’ ସେତେବେଳେ ମା ମନେ ମନେ ସିଦ୍ଧାନ୍ତ କରେ କି ସେ ଆଉ ଶିଶୁକୁ ଏକୁଟିଆ ଛାଡି କୁଆଡେ ଯିବ ନାହିଁ । ମା ସେତେବେଳେ ଲାଭ କ୍ଷତିର ବିଚାର କରେ ନାହିଁ । ଏହି ମାତୃ-କରୁଣାହିଁ ଯେ କୌଣସି ସ୍ତ୍ରୀ ଲୋକର ସବୁଠାରୁ ବଡ ଗୁଣ । ଏହି କରୁଣା ଖାଲି ଶିଶୁ ପ୍ରତି ନୁହେଁ, ସ୍ୱାମୀ ତଥା ଅନ୍ୟ ସମସ୍ତଙ୍କ ପ୍ରତି ପ୍ରବାହିତ ହୁଏ । ସେହିପରି ଯିଏ ଗାୟୀକା ବା ନର୍ତକୀ, ସିଏ ଲାଭ କ୍ଷତିର ବିଚାର କରେ ନାହିଁ । ଭଗବାନ ତାକୁ କଳାଜ୍ଞାନ ଦେଇଛନ୍ତି । ତାକୁ ପରିବେଷଣ କରିବା ତା’ର ସ୍ୱାଭାବିକ ଧର୍ମ ବୋଲି ସେ ତାହା କରେ । ଯେତେବେଳେ ଦର୍ଶକମାନେ କହନ୍ତି, ‘ତମେ ନାଚିଲ ନାହିଁ ବୋଲି ଆନନ୍ଦରୁ ବଞ୍ଚିତ ହେଲୁ’, ସେତେବେଳେ ସଚ୍ଚା ଶିଳ୍ପୀ ନିଜକୁ ଆଉ ସମ୍ଭାଳି ପାରେ ନାହିଁ । ସେ ନିଜର ସବୁ ପ୍ରତିଭା ଖଟାଇ ନାଚେ । ଏହାହିଁ ତା’ର ମାତୃ-ହୃଦୟର ପରିଚୟ,  ମହତ୍ କରୁଣାର ପରିଚୟ । ମଣିଷ ଏହିଭଳି ମହତ୍ୱ ଯୋଗୁଁ ମଣିଷ ପଦବାଚ୍ୟ ।” ମାଳବିକା ସ୍ତବ୍ଧ ହୋଇ ପ୍ରବଚନ ଶୁଣୁଥିଲେ । ସେ ସଭା ପରେ ଧୀରାନନ୍ଦଙ୍କୁ ଭେଟିବାକୁ ମନ୍ଦିର-ସଂଲଗ୍ନ କୋଠରୀ ଭିତରକୁ ଯାଇ ଆଶ୍ଚର୍ଯ୍ୟ ହୋଇ ଦେଖନ୍ତି ତ ଧୀରାନନ୍ଦ ବଦଳରେ ରାଜା ଠିଆ ହୋଇଛନ୍ତି । ସେ ବୁଝିଲେ, ରାଜାହିଁ ଧୀରାନନ୍ଦର ଛଦ୍ମବେଶରେ ଆସିଥିଲେ । ମାଳବିକା କାନ୍ଦି ପକାଇ କହିଲେ, “ମହାରାଜ! ମୋତେ କ୍ଷମା କରନ୍ତୁ । ଅହଂକାରର ବଶୀଭୁତ ହୋଇ ମୁଁ ମୋ କଳା ପ୍ରତି ଅସମ୍ମାନ କରିଛି । ଆପଣ ମୋର ଚକ୍ଷୁ ଖୋଲିଦେଲେ । ମୋର ମୋଟେ ପାରିଶ୍ରମିକ ଲୋଡା ନାହିଁ ।” ଏହାର କିଛି ସମୟ ପରେ ମାଳବିକା ଯେଉଁ ନୃତ୍ୟ ପରିବେଷଣ କଲେ, ତାହା ଦେଖି ଦର୍ଶକମାନେ ଧନ୍ୟ ଧନ୍ୟ କହିଲେ । ନୃତ୍ୟ ଶେଷରେ ରାଜା ଘୋଷଣା କଲେ କି ମାଳବିକା ତେଣିକି ରାଜ୍ୟର ସମ୍ମାନିତ ନୃତ୍ୟଶିଳ୍ପୀ ରୂପେ ଗଣା ହେବେ । ସେ ରାଜକୋଷରୁ ଭତ୍ତା ପାଇବେ । ରାଜାଙ୍କ ଏ ଘୋଷଣାରେ ସମସ୍ତେ ଆନନ୍ଦିତ ହେଲେ । ମାଳବିକା କ୍ରମେ ନୃତ୍ୟଶିଳ୍ପୀ ହିସାବରେ ଅଧିକରୁ ଅଧିକ ଖ୍ୟାତି ଲାଭ କଲେ । ଯେଉଁ କନ୍ୟାମାନେ ନୃତ୍ୟ ଶିଖିବା ଦିଗରେ ଆଗ୍ରହ ପ୍ରକାଶ କଲେ, ସେମାନଙ୍କୁ ମଧ୍ୟ ସେ ନୃତ୍ୟ ଶିକ୍ଷା ଦେଲେ । କିନ୍ତୁ ସମସ୍ତଙ୍କୁ ସେ କହନ୍ତି, “କଳାର ମୂଲ୍ୟ ଟଙ୍କା ଦ୍ୱାରା ନିରୂପଣ କରିବ ନାହିଁ ।”

ବୈରାଗ୍ୟ

ବୈରାଗ୍ୟ     ମହାରାଜା ମହାଜନକ ସନ୍ନ୍ୟାସ ଜୀବନ ଯାପନ କରିବା ଉଦ୍ଧେଶ୍ୟରେ ରାଜପ୍ରସାଦ ଛାଡି ଏକ ବଗିଚାରେ ଛୋଟ ଘରଟିଏ ବନାଇ ରହିଲେ । ସେ କଥାବାର୍ତ୍ତା ମଧ୍ୟ ପ୍ରାୟ ବନ୍ଦ କରିଦେଲେ । କିଛିଦିନ ପରେ ଦିନେ ସେ ତାଙ୍କ ସେବକକୁ ଡାକି କହିଲେ, “ମୋ ପାଇଁ କିଛି ଗେରୁଆ ବସ୍ତ୍ର ଓ ମାଟିର ଏକ ଭିକ୍ଷାପାତ୍ର ନେଇ ଆସ । ଆଉ ଗୋଟିଏ ବାରିକ ମଧ୍ୟ ଡାକି ଆଣିବୁ ।” ବାରିକ ଆସି ତାଙ୍କ ମୁଣ୍ଡ ଲଣ୍ଡା କରିଦେଲା ଓ ସେ ଗେରୁଆ ବସ୍ତ୍ର ପିନ୍ଧି ମାଟି ପାତ୍ରଟି ଧରି ଘର ଛାଡିଲେ । ତାଙ୍କୁ କେହିବି ଚିହ୍ନି ପାରିଲେ ନାହିଁ ।                 କିଛି ସମୟ ପରେ ରାଣୀ ସିବଳୀ ଦେବୀ ବହୁତ ଖୋଜାଖୋଜି କରି ରାଜାଙ୍କୁ ନ ପାଇବାରୁ ରାଜାଙ୍କ ସେବକକୁ ଧରି ଆଣି ତାକୁ ସେ ବିଷୟରେ ପଚାରିଲେ । ସେ ସବୁକଥା ଖୋଲି କହିଦେଲା । ଏସବୁ କଥା ଶୁଣି ସିବଳୀ ଦେବୀ ଓ ଅନ୍ୟାନ୍ୟ ରାଣୀମାନେ ଖାଲି କ୍ରନ୍ଦନ କରିବାକୁ ଲାଗିଲେ । ତା’ପରେ ଯେଉଁ ଦିଗକୁ ମହାଜନକ ଯାଇଥିଲେ ସେଇ ଦିଗକୁ ଲକ୍ଷ୍ୟ କରି ରାଣୀମାନେ ଓ ପ୍ରଜାମାନେ ଚାଲିବାକୁ ଲାଗିଲେ । ବହୁ ରାସ୍ତା ଚାଲିବା ପରେ ସେମାନେ ମହାଜନକଙ୍କୁ ସନ୍ନ୍ୟାସୀ ବେଶରେ ଗୋଟିଏ ବୃକ୍ଷ ଛାୟାରେ ବିଶ୍ରାମ କରୁଥିବାର ଦେଖିଲେ । ସେମାନେ ତାଙ୍କୁ ଲେଉଟିବାକୁ ବହୁ ଅନୁରୋଧ କଲେ । କିନ୍ତୁ ସେକଥା ସେ ଯମାରୁ ସ୍ୱୀକାର କଲେ ନାହିଁ ।                 ଇତିମଧ୍ୟରେ ରାଣୀ ମନ୍ତ୍ରୀଙ୍କୁ ଗୁପ୍ତରେ ଅଦୂରରେ ରାଜ୍ୟର କେତେକ ପରିତ୍ୟକ୍ତ ଘରମାନଙ୍କରେ ନିଆଁ ଲଗାଇ ଦେବାକୁ କହିଲେ । ନିଆଁ ଜଳିଲା । ରାଣୀ କହିଲେ, “ଦେଖନ୍ତୁ ଆପଣଙ୍କ ସମ୍ପତ୍ତି ଜଳିପୋଡି ଛାରଖାର ହୋଇ ଯାଉଛି, ଚାଲନ୍ତୁ ସେଗୁଡିକୁ ରକ୍ଷା କରିବେ ।”                 ରାଜା ଉତ୍ତର ଦେଲେ “ମୋର ସମ୍ପତ୍ତି ବୋଲି ଏବେ କିଛି ନାହିଁ । ତେଣୁ ରକ୍ଷା କରିବାର ପ୍ରଶ୍ନ କିପରି ବା ଉଠୁଛି?”                 ତା’ପରେ ରାଜା ପୁଣି ଚାଲିବାକୁ ଲାଗିଲେ । ରାଣୀ ଓ ପ୍ରଜାମାନେ ମଧ୍ୟ ତାଙ୍କ ପଛେ ପଛେ ସେମିତି ଚାଲିଥା’ନ୍ତି । ବହୁତ ଦୂର ଯିବା ପରେ ରାଜା ପଛକୁ ଅନାଇ ଦେଖିଲେ ସମସ୍ତେ ଆଗପରି ଚାଲିଛନ୍ତି । ରାଜା ପ୍ରଶ୍ନ କଲେ, “ଏ ରାଜ୍ୟର ରାଜା କିଏ?” ସମସ୍ତେ ଏକ ସ୍ୱରରେ ଉତ୍ତର ଦେଲେ, “ଆପଣ ।” ତା’ପରେ ରାଜା ତାଙ୍କ ହାତରେ ଥିବା ବାଡିରେ ଗାରଟିଏ କାଟିଦେଇ କହିଲେ, “ତେବେ ମୋର ଆଦେଶ କେହିବି ଏ ଗାର ଡେଇଁ ଏପଟକୁ ଆସିବ ନାହିଁ । ଏହିଠାରୁହିଁ ସମସ୍ତେ ଫେରିଯାଅ ।” ସମସ୍ତେ ସେଇଠି ଅଟକି ଗଲେ । କିନ୍ତୁ ରାଣୀ ଗାର ଡେଇଁ ତାଙ୍କ ପାଖକୁ ଚାଲିଗଲେ । ତାଙ୍କ ପରେ ପ୍ରଜାମାନେ ମଧ୍ୟ ଗାର ଡେଇଁ ଆସିଲେ । ରାଣୀ କହିଲେ, “ମହାରାଜ, ଆପଣ ମୋତେ ଓ ପ୍ରଜାମାନଙ୍କୁ ଥରେ ଦେଖନ୍ତୁ । ଆମେ ସମସ୍ତେ କିପରି ବ୍ୟାକୁଳ ହୋଇ ଆପଣଙ୍କୁ ଲେଉଟି ଯିବା ପାଇଁ କହୁଛୁ ।” ମହାଜନକ ଉତ୍ତର ଦେଲେ “ମୁଁ ସମସ୍ତଙ୍କୁ ତ୍ୟାଗ କରିଛି । ସ୍ତ୍ରୀ, ପୁତ୍ର, ପ୍ରଜା, ରାଜ୍ୟ ଏମିତିକି ସବୁ କିଛି ।”                 ରାଣୀ କାନ୍ଦି କାନ୍ଦି କହିଲେ “ମହାରାଜ ଆପଣ ସନ୍ନ୍ୟାସୀ ହେଲେ ମୋର ଦଶା କ’ଣ ହେବ?”                 ରାଜା କହିଲେ “ତମେ ଘରକୁ ଫେରିଯାଇ ପୁତ୍ରକୁ ରାଜସିଂହାସନରେ ବସାଇ ଦେଶ ଶାସନ କର । ପୁଅ ଯେପରି ସତ୍ୟବନ୍ତ ଓ ନିଷ୍ପାପ ରହେ ତାହାର ପ୍ରଯତ୍ନ କର ।”                 ସେଦିନ ଏମିତି ଭାବରେ କଥାବାର୍ତ୍ତା କରୁ କରୁ ସଂଧ୍ୟା ହୋଇଗଲା । ସେଠାରେ ସେମାନେ ଛାଉଣୀ ପକାଇ ରହିଲେ । ରାତ୍ରି ପ୍ରଭାତ ହୁଅନ୍ତେ ରାଜା ପୁଣି ତାଙ୍କର ଯାତ୍ରା ଆରମ୍ଭ କଲେ । ରାଣୀ ସିବଳୀ ଦେବୀ, ଅନ୍ୟ ରାଣୀ ଓ ପ୍ରଜାମାନଙ୍କୁ ପଛରେ ରଖି ନିଜେ ରାଜାଙ୍କ ସହିତ ଚାଲିଲେ ।                 ସେମାନେ ଯାଇ ଯାଇ ଏକ ଜନପଦରେ ପହଁଚିଲେ । ସେଠାରେ ଗୋଟିଏ ଝିଅ ଚାଉଳ ବାହାର କରିବା ପାଇଁ ଧାନ ଛେଚୁଥାଏ । ତା’ର ଗୋଟିଏ ହାତରେ ପଟେ ଚୁଡି ଓ ଅନ୍ୟ ହାତରେ ଦୁଇପଟ ଚୁଡି ଥାଏ । ଝିଅଟି ଧାନ ଛେଚିବା ବେଳେ ଦୁଇପଟ ଚୁଡି ପରସ୍ପର ଲାଗି ଝଣଝଣ ଶବ୍ଦ କରୁଥାଏ ।                 ରାଜା ସେହି ଦୃଶ୍ୟ ଦେଖି ଝିଅଟିକୁ ପଚାରିଲେ, “ତୁମର ଗୋଟିଏ ହାତରେ ଚୁଡି କିପରି ଶବ୍ଦ କରୁଛି, ଅନ୍ୟ ହାତରେ ତ କରୁନାହିଁ!”                 ଝିଅଟି କହିଲା, “ପଟେ ଚୁଡି ହାତରେ ରହିଲେ ଭଲ । ଦୁଇଟି ରହିବାରୁ ଅଯଥା ଶବ୍ଦ ହୁଏ ଓ ଦ୍ୱିତୀୟଟି ମଧ୍ୟ ଅନାବଶ୍ୟକ ।”                 ରାଜା କହିଲେ “ଦେଖିଲ, ଛୋଟ ଝିଅଟିର କଥାରେ ମହାନ୍ ଦର୍ଶନ ଅଛି । ରାଣୀ, ପ୍ରକୃତ ଦୃଷ୍ଟିରୁ ତମେ ମୋ ଜୀବନ ପାଇଁ ଓ ମୁଁ ତୁମ ଜୀବନ ପାଇଁ ଅନାବଶ୍ୟକ । ଏକଥା ହୃଦୟଙ୍ଗମ କରିବା ପରେ ତମେ ଯଦି ପୁଣି ମୋ ସହିତ ଆସ ତେବେ ଅଯଥା ତର୍କ କରିବା ସାର ହେବ ସିନା । ଏଇଠାରୁ ଫେରିଯାଅ ।”                 ରାଣୀ ସେଠାରେ ଏକ ମୁହୂର୍ତ୍ତ ପାଇଁ ଟିକିଏ ଅଟକି ଗଲେ । କିନ୍ତୁ ପର ମୁହୂର୍ତ୍ତରେ ପୁଣି ସ୍ୱାମୀଙ୍କ ପାଖରେ ଆସି ସେ ପହଁଚିଲେ ଓ ତାଙ୍କ ସହିତ ଚାଲିବାକୁ ଲାଗିଲେ । ବାଟରେ ଯାଉ ଯାଉ ଗୋଟିଏ କମାରଶାଳ ପଡିଲା । କମାର ଲୁହାର ସବୁ ହତିଆର ତିଆରି କରୁଥାଏ । ଗୋଟିଏ ନୂଆ ତୀର ହାତରେ ଧରି ସେ ତା’ର ଧାର ଯାଂଚ କରୁଥାଏ । ଗୋଟିଏ ଆଖି ବୁଜି ଓ ଅନ୍ୟଟିରେ ଧାର ପରୀକ୍ଷା କରି ଦେଖୁଥାଏ ।                 ରାଜା ତାକୁ ପଚାରିଲେ, “ଗୋଟିଏ ଆଖିରେ କିପରି ଧାର ପରୀକ୍ଷା କରୁଛ ।”                 କମାର କହିଲା, “ଧାର ପରୀକ୍ଷା ପାଇଁ ଗୋଟିଏ ଆଖି ଆବଶ୍ୟକ । ସେ କାମରେ ଅନ୍ୟ ଆଖିଟି ନିରର୍ଥକ ।”                 ରାଜା ରାଣୀଙ୍କୁ କହିଲେ, “ରାଣୀ, ଦେଖ, ତୁମେ ଏ କଥାରୁ କିଛି ବୁଝିଲ? ମୋର ବର୍ତ୍ତମାନର ଜୀବନ ଯାତ୍ରାରେ ତୁମର ଉପସ୍ଥିତି ନିରର୍ଥକ । ଘରକୁ ଫେରିଯାଇ ପୁତ୍ରକୁ ସିଂହାସନରେ ବସାଇ ରାଜ୍ୟ ପାଳନ କର ।” ଏକଥା କହି ରାଜା ସେଠାରୁ ଝଡବେଗରେ ପ୍ରସ୍ଥାନ କଲେ ଓ ଦୂର ଜଙ୍ଗଲରେ କୁଆଡେ ଅଦୃଶ୍ୟ ହୋଇଗଲେ । ରାଣୀ ସେଠାରେ ମୂର୍ଚ୍ଛିତ ହୋଇ ପଡିଗଲେ । ପରେ ପ୍ରଜାମାନେ ସେଠାରେ ପହଁଚି ତାଙ୍କର ସେବାଯତ୍ନ କରି ତାଙ୍କୁ ନଗରୀକୁ ଫେରାଇ ଆଣିଲେ ।                 ରାଜାଙ୍କ କଥା ଅନୁସାରେ ରାଣୀ ତାଙ୍କ ପୁତ୍ରକୁ ସିଂହାସନରେ ବସାଇ ନିଜେ ବଗିଚାରେ ଛୋଟ କୁଟୀରଟିଏ ବନାଇ ସେହିଠାରେ ସେ ସନ୍ନ୍ୟାସିନୀ ଜୀବନ ଯାପନ କରି ରହିଲେ ।

କାଲିକୁ ଆସ

“କାଲିକୁ ଆସ” ଗୋଟିଏ ସହରରେ ମାର୍କ ନାମକ ଜଣେ ଲୋକ ଥାଏ । ସେ ଯେତିକି ଧନୀ, ସେତିକି କୃପଣ । କେହି କେବେ ତାହାଠୁଁ କୌଣସି ଉପକାର ପାଇଥିବାର ଜଣା ନଥିଲା ।                 ଦିନେ ମାର୍କ ସହର ରାସ୍ତାରେ ଯାଉଛି, ଜଣେ ଅତିଶୟ ଗରୀବ ଲୋକ ତା’ ଆଗରେ ହାତ ପତାଇ କହିଲା, “ବାବୁ, ମୁଁ ଦୁଇଦିନ ହେଲା କିଛିବି ଖାଇନାହିଁ । ମୋତେ ଗୋଟିଏ ପଇସା ଦିଅନ୍ତୁ । ମୁଠେ ଖାଇନିଏ ।”                 ଲୋକଟିର ଚେହେରା ଦେଖିଲେ ବୁଝିହେବ ସେ ସତ କହୁଛି । ସେ ଯୁଗରେ ଗୋଟିଏ ପଇସାରେ ଜଣେ ମୋଟାମୋଟି ଓଳିଏ ଖାଇ ପାରୁଥିଲା । କିନ୍ତୁ ମାର୍କ ତା’ କଥା ଶୁଣି ନ ଶୁଣିବାର ଭାବ ଦେଖାଇ ସେଠାରୁ ଚାଲିଗଲା । ମାର୍କ ପଛେ ପଛେ ଆଉ ଜଣେ ସହରବାସୀ ଆସୁଥାଏ । ସେ ସହରର ଦେବାଳୟରେ ଚୌକିଦାର କାମ କରୁଥାଏ ଓ ଅତି ସାମାନ୍ୟ ପଇସା ପାଏ । ସେ ଗରୀବ ଲୋକ ହାତରେ ପଇସାଟିଏ ଥୋଇଦେଲା ।                 ମାର୍କ ଏଥିରେ ବହୁତ ଅପମାନ ବୋଧ କଲା । ସେ ବୁଲିପଡି ଚୌକିଦାରକୁ କହିଲା, “ଆରେ ଭାଇ, ମୁଁ କ’ଣ ତାକୁ ଦେଇ ନଥାନ୍ତି? କିନ୍ତୁ ମୋ ପାଖରେ ଖୁଚୁରା ନଥିଲା ।”                 ଚୌକିଦାର କହିଲା “ସତେ? ଯଦି ଦେବାକୁ ଇଚ୍ଛା, ତେବେ ମୋଠୁଁ ପଇସାଟିଏ ଧାର ନିଅନ୍ତୁ । ଗରୀବ ଲୋକଟି ପଇସାଏ ସ୍ଥାନରେ ଦୁଇପଇସା ପାଇଗଲେ କ୍ଷତି କ’ଣ?” “ଭଲ କଥା ।” ଏହା କହି ମାର୍କ ଚୌକିଦାରଠୁଁ ପଇସାଟିଏ ନେଇ ସେ ଗରୀବ ଲୋକକୁ ଦେଲା । ଚୌକିଦାରକୁ ସେ କହିଲା “ମୁଁ କାହାରି ପାଖରେ ଋଣୀ ହୋଇ ରହିବାକୁ ପସନ୍ଦ କରେନାହିଁ । ଆଗାମୀ କାଲି ଆସି ତମ ପଇସା ନେଇଯିବ ।” ପରଦିନ ଚୌକିଦାର ଯାଇ ମାର୍କ ଘରେ ପହଁଚିବା ମାତ୍ରେ ମାର୍କ ଖୁବ୍ ବ୍ୟସ୍ତ ହୋଇ କହିଲା, “ଆରେ ଭାଇ, ତମେ ଆସିଗଲଣି? ବର୍ତ୍ତମାନ ମଧ୍ୟ ମୋ ପାଖରେ ଖୁଚୁରା ନାହିଁ । କାଲିକି ଆସ ।” ଚୌକିଦାର ଆସି ପରଦିନ ପହଁଚିବାରୁ ମାର୍କ କହିଲା, “ଗୋଟାଏ କାମ କର । ମୋ ପାଖରେ ସ୍ୱର୍ଣ୍ଣମୁଦ୍ରା ଅଛି । ଗୋଟିଏ ସ୍ୱର୍ଣ୍ଣମୁଦ୍ରାର ମୂଲ୍ୟ ଶହେ ଟଙ୍କା । ତମେ ଅନେଶତ ଟଙ୍କା ଅନେଶତ ପଇସା ଦିଅ । ଆଉ ଏ ସ୍ୱର୍ଣ୍ଣମୁଦ୍ରାଟିଏ ନେଇଯାଅ ।” ସ୍ୱର୍ଣ୍ଣମୁଦ୍ରାଟିଏ କୌଣସି ଦୋକାନରେ କିଛି କିଣାକିଣି ନକରି ଖାଲି ସେମିତି ଭଙ୍ଗାଇଲେ ଦୁଇ ପଇସା ବଟି ଦେବାକୁ ପଡୁଥାଏ ବୋଲି ଚୌକିଦାରକୁ ତ ଜଣାଥିଲା । ମାର୍କ ଗୋଟିଏ ମାତ୍ର ପଇସା ଦେଇ ବର୍ତ୍ତମାନ ସେ କାମଟି କରାଇନେବାକୁ ଚାହୁଁଛି ବୋଲି ବୁଝିବାକୁ ଚୌକିଦାରକୁ ଆଉ ବିଳମ୍ବ ହେଲା ନାହିଁ । ମାର୍କ ତେଣେ ତରତର ହୋଇ ଘର ଭିତରକୁ ଯାଇ ସ୍ୱର୍ଣ୍ଣମୁଦ୍ରାଟିଏ ଆଣି ଚୌକିଦାରକୁ ତାହା ଦେଖାଇଲା । “ବାବୁ, ମୋଠି ଏତେ ଟଙ୍କା କାହୁଁ ଆସିବ? ମୁଁ ବରଂ କାଲିକି ଆସିବି ।” ଏତିକି କହି ଚୌକିଦାର ସେଠାରୁ ଚାଲିଗଲା । ପରଦିନ ଚୌକିଦାର ଆସୁଥିବାର ଦେଖି ମାର୍କ ତା’ ସ୍ତ୍ରୀକୁ କହିଲା, “ଲୋକଟା ଏଡେ ଦୁଷ୍ଟ, ଗୋଟାଏ ପଇସା ପାଇଁ ତିନି ତିନିଥର ଆସିଲାଣି । ମୁଁ ଶୋଉଛି । ତମେ ବସି କନ୍ଦାକଟା କର, ସତେ ଅବା ମୁଁ ମରିଯାଇଛି ।” ଏଣେ ମାର୍କ ନିର୍ଜୀବ ଭାବରେ ଶୋଇ ରହିଲା ଓ ତା’ ସ୍ତ୍ରୀ କାନ୍ଦିବାର ଛଳନା କଲା । ଚୌକିଦାର ଏହା ଦେଖି କହିଲା, “ଆହା, ବାବୁ ମରିଗଲେ? ଆମ ଧର୍ମ ଅନୁସାରେ ମରିଯିବାର ଏକଘଂଟା ଭିତରେ ଶବକୁ ସ୍ନାନ କରାଇବା କଥା । ମୁଁ ପାଣି ଆଣୁଛି ।” ଏହା କହି ସେ ଚୌକିଦାର ମାର୍କର ରୋଷେଇ ଘରେ ପଶି ଚୁଲିରୁ ଗରମ ପାଣି ଆଣି ସେସବୁ ସେ ମାର୍କ ଉପରେ ଢାଳିଲା । ମାର୍କ ହଲଚଲ ହେଲାନାହିଁ ସତ, କିନ୍ତୁ ତା’ମୁହଁରେ କଷ୍ଟ ଭାବ ଫୁଟି ଉଠିଲା । ଏଥର ତା’ ଛଳନା ସମ୍ପର୍କରେ ଚୌକିଦାରର ଆଉ କିଛିବି ସନ୍ଦେହ ରହିଲା ନାହିଁ । ସେ ମାର୍କର ସ୍ତ୍ରୀକୁ କହିଲା, “ଭଉଣୀ, ଆମ ଧର୍ମ ଅନୁସାରେ ସୂର୍ଯ୍ୟାସ୍ତ ପୂର୍ବରୁ କବର ଦିଆ ହୋଇ ନ ପାରିଲେ ଶବକୁ ଦେବାଳୟ ପରିସର ଭିତରେ ରଖିବା କଥା । ମୁଁ ଏହାକୁ ନେଇ ଯାଉଛି । କାଲି ସକାଳେ କବର ଦେବା ।” ଏହା କହି ସେ ଶବାଧାର ଆଣି ମାର୍କକୁ ତହିଁ ଭିତରେ ପୁରାଇ ଦେବାଳୟ ଭିତରକୁ ନେଇଗଲା । ଭାବିଥିଲା, ଭୋକ କଲେ ମାର୍କ ବଳେ ଉଠି ବସିବ ଓ ନିଜ ଛଳନା ପାଇଁ ସେ ତାକୁ କ୍ଷମା ମାଗିବ । କିନ୍ତୁ ମାର୍କ ତା’ର ନିଶ୍ଚିନ୍ତ ହୋଇ ଶୋଇ ରହିଲା । ରାତିରେ ଚାରିଜଣ ଚୋର ଦେବାଳୟରେ ପଶିଲେ । ସେମାନେ ବାହାରୁ ଅନେକ ଟଙ୍କା ପଇସା ଚୋରି କରି ଆଣିଥିଲେ । ସେଠାରେ ବସି ସେସବୁକୁ ସେମାନେ ନିଜ ନିଜ ମଧ୍ୟରେ ବାଂଟିଲେ । ବଳକା ରହିଲା ଗୋଟିଏ ଛୁରୀ । ସେ ଗୋଟିକ କିଏ ନେବ, ଏହି ଆଲୋଚନା ହେଉଥାଏ, ଚୌକିଦାର ଗୋଟିଏ ସ୍ତମ୍ଭ ପଛରୁ କହିଲା, “ଆରେ, ଏତକ ବୁଝୁନାହଁ? ଏଠି ପଡିଥିବା ଶବକୁ ଯିଏ କାଟିବ, ଛୁରୀଟି ତା’ର ହେବ!” ଏହାକୁ କୌଣସି ଦୈବବାଣୀ ଭାବି ଚୋରମାନେ ଚକିତ ହୋଇ ଅନାଇବା ବେଳକୁ ମାର୍କ ଉଠି ବସି କହିଲା, “ମୋତେ କାଟିବ?” ଭୂତ ଏହା କହୁଛି ଭାବି ଚୋରମାନେ ସେଠୁ ଦୌଡି ପଳାଇଲେ । ମାର୍କ ଶବାଧାର ଭିତରୁ ବାହାରି ଚୌକିଦାରକୁ କହିଲା, “ଆରେ ଭାଇ, ତୁମକୁ ଏତେ କଷ୍ଟ ଦେବାରୁ ମୁଁ ଅତ୍ୟନ୍ତ ଦୁଃଖିତ । ତେବେ ଲାଭ ବି ବହୁତ ହେଲା । ଚୋରମାନେ ଯେତେ ଟଙ୍କା ପଇସା ଛାଡି ଯାଇଛନ୍ତି, ତାକୁ ବର୍ତ୍ତମାନ ଆମେ ବାଂଟି ନେବା ।” ଦୁହେଁ ତାହା ବାଂଟିନେବା ପରେ ଚୌକିଦାର କହିଲା, “ଆଚ୍ଛା ବାବୁ, ମୋ ପଇସାଟି ଦେବଟି?” ମାର୍କ କହିଲା “କାଲିକୁ ଆସ!”

ମନ୍ତ୍ର ସିଂହାସନ

ମନ୍ତ୍ର ସିଂହାସନ(ବେତାଳ କଥା) ନିଶା ଗରଜୁଥାଏ। ସାଇଁ ସାଇଁ ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ। ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ। ତଥାପି ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ଦ୍ୱିଧା ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଏବଂ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । କିନ୍ତୁ ତା’ପରେ ସେ ଶବଟିକୁ କାନ୍ଧରେ ପକାଇ ଭୟାବହ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତମେ କାହା ପାଇଁ ଏ କାଠିକର କାମ ହାତକୁ ନେଇଛ? ସେ କାର୍ଯ୍ୟସିଦ୍ଧି ପରେ ତମ ଅଭିଲକ୍ଷ ପୂରଣ କରିବ ତ? ଥରେ ଥରେ ଦେଖାଯାଏ କ୍ଷମତା ଥିବା ଲୋକେ ଅନ୍ୟର ହିତ କରିବାର ସୁଯୋଗ ପାଇ ମଧ୍ୟ ସେ ଦିଗରେ ସେମାନେ କିଛିବି କରନ୍ତି ନାହିଁ; ପୁଣି ଥରେ ଥରେ ବିନା ଦ୍ୱିଧାରେ କାହାରି କାହାରି ମାଗୁଣି ପୂରଣ କରି ଦିଅନ୍ତି । ତମକୁ ଗୋଟାଏ ଉଦାହରଣ ଦେଉଛି । ମନଦେଇ ତାହା ଶୁଣ । ଫଳରେ ତମ ଶ୍ରମଭାର ଲାଘବ ମନେ ହେବ ।” ବେତାଳ ଗପିଲା: ବୈଶାଳୀର ଗୋଟିଏ ପ୍ରାଚୀନ ମନ୍ଦିର ଥରେ ଭୁଷୁଡି ପଡିଲା । ରାଜା ସେସବୁ ପଥର ଘୁଂଚାଇ ସେଠାରେ ନୂଆ ମନ୍ଦିରଟିଏ ନିର୍ମାଣ କରିବାକୁ ସ୍ଥିର କଲେ ।  ସେ ସ୍ଥାନ ପରିସ୍କାର କଲାବେଳେ ଗୋଟିଏ ସୁଡଙ୍ଗ ଆବିଷ୍କୃତ ହେଲା । ସେ ସୁଡଙ୍ଗ ଭିତରେ ଗୋଟିଏ ଅଦ୍ଭୁତ ସିଂହାସନ ଥିବାର ଦେଖାଗଲା । ସେ ସିଂହାସନ ବିଷୟରେ କିମ୍ବଦନ୍ତି ଜରିଆରେ ଲୋକେ ବହୁତ କଥା ଶୁଣିଥିଲେ । ଶହେ ବର୍ଷ ତଳେ ଜଣେ ତାନ୍ତ୍ରିକ ସେ ସିଂହାସନଟି ନିର୍ମାଣ କରିଥିଲେ । ସେ ସିଂହାସନର ଅଦ୍ଭୁତ ଗୁଣ ଥିଲା । କୌଣସି ବ୍ରତ ଉପବାସ କରି ଓ କିଛି ମନ୍ତ୍ର ପଢି ଯିଏ ସେ ସିଂହାସନରେ ଥରେ ବସି ପଡିବ, ସିଏ ଗୋଟାଏ ମହାଶକ୍ତିଶାଳୀ ବନିଯିବ ।         ରାଜା ସେହି ସିଂହାସନଟିକୁ ଆଣି ତାକୁ ନଅର ଭିତରେ ଗୋଟିଏ କକ୍ଷରେ ରଖିଲେ । ପ୍ରଥମେ ପ୍ରଥମେ ଶହ ଶହ ଲୋକ ତାକୁ ଦେଖିବାକୁ ଆସିଲେ । ରାଜା ସେଥିରେ କିଛି ଆପତ୍ତି କଲେ ନାହିଁ । କିନ୍ତୁ କେହି କେହି ଦର୍ଶକ ସେ ସିଂହାସନରେ ଗୋଟିଏ ବାୟବୀୟ ମୂର୍ତ୍ତି ବସିଥିବାର ଦେଖିଲେ । ସେ ମୂର୍ତ୍ତି ବିରକ୍ତ ଦିଶୁଥିଲା । ଦୁଇ ଚାରିଜଣ ଦର୍ଶକ ମଧ୍ୟ ମୂର୍ଚ୍ଛା ଗଲେ ।        ରାଜା ହୁକୁମ୍ ଦେଲେ କି ତେଣିକି ସେ କକ୍ଷକୁ ଆଉ କେହିବି ଯିବେ ନାହିଁ । କକ୍ଷ ଆଗରେ ଜଣେ ଜଗୁଆଳ ମଧ୍ୟ ରହିଲା ।       ଶ୍ରୀଦେବ ନାମକ ଜଣେ ବ୍ରାହ୍ମଣ ରାଜାଙ୍କ ପାଖରେ ସବୁଦିନେ ପୁରାଣ ପାଠ କରୁଥାଏ । ଶ୍ରୀଦେବର ଘର ଗୋଟିଏ ଦୂରବର୍ତ୍ତୀ ଗ୍ରାମରେ । ତେବେ ସେ ରାଜଧାନୀରେ ଆସି ପ୍ରାୟ ତିରିଶବର୍ଷ କାଳ ରହିଥିଲା ।         ଦିନେ ଶ୍ରୀଦେବର ଜଣେ ବାଲ୍ୟବନ୍ଧୁ ନବଘନ ଗାଁରୁ ଆସି ଶ୍ରୀଦେବକୁ ଦେଖା କଲେ । ଅନେକ ବର୍ଷ ପରେ ବାଲ୍ୟବନ୍ଧୁକୁ ଦେଖି ଶ୍ରୀଦେବ ଖୁସି ହେଲା । କିନ୍ତୁ ସେ ଯେତେବେଳେ ବନ୍ଧୁଟି ଆସିବାର କାରଣ ବୁଝିଲା, ସେତେବେଳେ ତାର ଭ୍ରୁକୁଂଚନ ହେଲା । ନବଘନ କହିଲା କି ସେ ମନ୍ତ୍ରସିଂହାସନଟି ଦେଖିବାକୁ ଆସିଛନ୍ତି । “ଆରେ ଭାଇ, ସେ ସିଂହାସନ ତ ଆଉ କାହାକୁ ଦେଖିବାକୁ ଦିଆଯାଉ ନାହିଁ!” ନବଘନ କହିଲେ “ଭାଇ ଶ୍ରୀଦେବ! କାହାକୁ ନ ମିଳିବା ଓ ମୋତେ ନ ମିଳିବା କ’ଣ ଏକା କଥା? ମୁଁ ପରା ତମର ବନ୍ଧୁ!” “ମୋର ବନ୍ଧୁ ହେଲେ କ’ଣ ହେଲା? ରାଜାଙ୍କ ସ୍ୱତନ୍ତ୍ର ଅନୁମତି ବିନା ସେ ସିଂହାସନ ଦେଖିବା ସମ୍ଭବପର ନୁହେଁ ।” “ତମେ କ’ଣ ରାଜାଙ୍କଠୁଁ ମୋ ପାଇଁ ଅନୁମତି ଅଣାଇଦେଇ ପାରିବ ନାହିଁ?” “ନା ଭାଇ, ମୁଁ ରାଜାଙ୍କୁ ପୁରାଣ ଶୁଣାଇ ପେଟ ପାଳିଥାଏ । ରାଜାଙ୍କ ଉପରେ ମୋର ସେଭଳି ପ୍ରଭାବ ନାହିଁ ।”           ନବଘନ ହତାଶ ହୋଇ ସେଠାରୁ ଯାଇ ଗୋଟିଏ ଧର୍ମଶାଳାରେ ରହିଲେ ଓ ପରଦିନ ନଅରକୁ ଯାଇ କେତେ ଲୋକଙ୍କୁ ସେ ସିଂହାସନ କଥା ପଚାରିଲେ । ଯିଏ ଶୁଣିଲା ଯେ ସିଏ ଶ୍ରୀଦେବଙ୍କ ବନ୍ଧୁ, ସିଏ କହିଲା, “ବାବୁ! ତମର ଚିନ୍ତା କ’ଣ? ଶ୍ରୀଦେବ ରାଜାଙ୍କୁ ଯାହା କହିବେ, ରାଜା ତାହା କରିବେ ।”         ନବଘନ ସନ୍ଧ୍ୟାବେଳେ ଯାଇ ଶ୍ରୀଦେବକୁ ଲୋକେ ଯାହା କହୁଛନ୍ତି, ସେକଥା କହିବାରୁ ଶ୍ରୀଦେବ କହିଲା, “ଭାଇ, ଲୋକେ ଭୁଲ୍ କହୁଛନ୍ତି । ତା’ଛଡା ଆଜି ମୁଁ ବଡ ବ୍ୟସ୍ତ । ଜଣକୁ ଭୂତ ଲାଗିଛି । ଜଣେ ଭଲ ଗୁଣିଆ ପାଉ ନାହିଁ । ସେହି କଥାକୁ ନେଇ ମୁଁ ବଡ ଚିନ୍ତାରେ ଅଛି ।”           ନବଘନ ଫେରିଗଲେ । ପରଦିନ ସେ ଯାଇ ନଅରର ମୁଖ୍ୟ ଦ୍ୱାରପାଳ ସହ ବନ୍ଧୁତା କଲେ ଓ ମନ୍ତ୍ର-ସିଂହାସନ ଦେଖିବାର ଇଚ୍ଛା ବ୍ୟକ୍ତ କଲେ । ମୁଖ୍ୟ, ଦ୍ୱାରପାଳ କହିଲେ, “ଆଚ୍ଛା ହେଉ, ତମେ କାଲିକି ଆସ । ମନ୍ତ୍ର-ସିଂହାସନ ଥିବା କକ୍ଷର ଜଗୁଆଳିକୁ କହିଦେବି । ସେ ତୁମକୁ ତାହା ଦେଖାଇ ଦେବ । କିନ୍ତୁ ନଅର ଭିତରେ ପଶିବା ପାଇଁ ତମର ଖଣ୍ଡିଏ ଅନୁମତି ପତ୍ର ଲୋଡା । ସେ ପତ୍ର କେବଳ ରାଜାଙ୍କ ପାଖଲୋକଙ୍କ ଭିତରୁ କେହି ଦେଇ ପାରିବେ ।” ନବଘନ ପଚାରିଲେ “ଶ୍ରୀଦେବ ଦେଇ ପାରିବେ?” “ନିଶ୍ଚୟ! ଶ୍ରୀଦେବଙ୍କୁ ରାଜା ବହୁତ ସମ୍ମାନ କରନ୍ତି ।”          ନବଘନ ସନ୍ଧ୍ୟାବେଳେ ଶ୍ରୀଦେବକୁ ଭେଟିଲେ ଓ ସେକଥା କହିଲେ । ଶ୍ରୀଦେବଙ୍କ ମୁହଁ ଗମ୍ଭୀର ଦେଖାଗଲା । ତେବେ ସେ ଅନୁମତିପତ୍ର ଦେଇଦେଲା ଓ କହିଲା, “ରାତି ସାରା ମୁଁ ଶୋଇନାହିଁ । ମୋର ଜଣେ ବନ୍ଧୁକୁ ସାପ କାମୁଡିଛି । ସେ ପ୍ରାୟ ଅଚେତ ହୋଇ ରହିଛନ୍ତି ।”      ନବଘନ ଅନୁମତି-ପତ୍ର ନେଇ ଚାଲିଯିବା ପରେ ପରେ ଶ୍ରୀଦେବ ଯାଇ ରାଜାଙ୍କୁ ଭେଟିଲା ଓ କହିଲା, “ଛାମୁ! ମନ୍ତ୍ର-ସିଂହାସନ ସତର୍କ ପ୍ରହରୀମାନଙ୍କ ଅଧିନରେ ରହିବା ଉଚିତ୍ । ବର୍ତ୍ତମାନର ଦ୍ୱାରପାଳ ଓ ଜଗୁଆଳି ସେମାନଙ୍କ ପ୍ରିୟ ପରିଜନଙ୍କୁ ତାହା ଦେଖାଉଛନ୍ତି ।”         ରାଜା ସଙ୍ଗେ ସଙ୍ଗେ ଦ୍ୱାରପାଳ ଓ ମନ୍ତ୍ର-ସିଂହାସନର ଜଗୁଆଳିକୁ ଅନ୍ୟ ବିଭାଗକୁ ବଦଳି କରି ଉଭୟ ସ୍ଥାନରେ ଦୁଇଜଣ ବିଶ୍ୱସ୍ତ ପ୍ରହରୀଙ୍କୁ ନିଯୁକ୍ତି ଦେଲେ ।           ପରଦିନ ନବଘନ ଅନୁମତି-ପତ୍ର ଧରି ନଅରକୁ ଯାଇ ତାଙ୍କ ପରିଚିତ ଦ୍ୱାରପାଳକୁ ଭେଟିଲେ । କିନ୍ତୁ ଦ୍ୱାରପାଳ ଦୁଃଖ କରି କହିଲା, “ବାବୁ! ମୋର ବନ୍ଧୁ ମନ୍ତ୍ର-ସିଂହାସନର ଜଗୁଆଳି ଥିଲା । କିନ୍ତୁ ଆଜି ତା’ର ବଦଳି ହୋଇ ଯାଇଛି । ମୋର ମଧ୍ୟ । ମୁଁ ଆଉ କିଛି କରି ପାରୁ ନାହିଁ । ଯଦି ଶ୍ରୀଦେବ ଆପଣଙ୍କୁ ସାହାଯ୍ୟ କରିପାରିବେ ନାହିଁ ବୋଲି କହୁଛନ୍ତି, ତେବେ ଆପଣ ମନ୍ତ୍ରୀଙ୍କ ପାଖକୁ ଯାଆନ୍ତୁ ।”           ନବଘନ ସିଧା ମନ୍ତ୍ରୀଙ୍କ ଘରକୁ ଗଲେ । ମନ୍ତ୍ରୀ ପଦାକୁ ବାହାରିବା ବେଳକୁ ସେ ଲମ୍ବ ହୋଇ ତଳେ ପଡିଗଲେ ଓ ତାଙ୍କୁ ପ୍ରଣାମ କଲେ । ମନ୍ତ୍ରୀ ଆଶ୍ଚର୍ଯ୍ୟ ଓ ଆନନ୍ଦିତ ହୋଇ ପଚାରିଲେ, “ତମେ କିଏ କିହୋ? କ’ଣ ମାଗୁଣି ଅଛି? ଚାକିରୀ, ନା ଟଙ୍କା?”                ନବଘନ ନମ୍ର ଭାବରେ କହିଲେ “ମହାଭାଗ! ମୋର ସେ ଦୁଇଟିରୁ କିଛିବି ଲୋଡା ନାହିଁ । ମୋତେ ଥରେ ମନ୍ତ୍ର-ସିଂହାସନ ଦେଖାଇ ଦିଅନ୍ତୁ । ବହୁ ଦୂରରୁ ସେତକ ଦେଖିବା ପାଇଁ ଆସିଛି ।” “ହେଉ, ହେଉ । ଦେଖାଇ ଦେବା । କାଲି ଆସ । ମୁଁ ଖଣ୍ଡେ ଚିଠି ଲେଖିଦେବି । ନଅରର ତତ୍ୱାବଧାରଙ୍କୁ ତାହା ଦେବ ।”           ନବଘନ ଖୁସି ହୋଇ ଚାଲିଗଲେ । ରାତିରେ ଶ୍ରୀଦେବଙ୍କୁ ଭେଟି ମନ୍ତ୍ରୀଙ୍କ ସହାନୁଭୂତିପୂର୍ଣ୍ଣ ବ୍ୟବହାର ବିଷୟ କହିବାରୁ ଶ୍ରୀଦେବ କହିଲେ, “ବେଶ୍, ଭଲ କଥା । ତମ ସହ ପରେ କଥା ହେବି । ମୋର ଜଣେ ପ୍ରବଳ ଶତ୍ରୁକୁ କିପରି ବଶ କରିବି ବା ଦମନ କରିବି, ସେହି ସମସ୍ୟାରେ ମୁଁ ବର୍ତ୍ତମାନ ଚିନ୍ତିତ ରହିଛି ।” ନବଘନ ଚାଲିଯିବା ମାତ୍ରେ ଶ୍ରୀଦେବ ମନ୍ତ୍ରୀଙ୍କ ପାଖକୁ ଯାଇ କହିଲେ, “ମନ୍ତ୍ରୀବର! ଆପଣ ଆଜି ଜଣେ ଲୋକକୁ ମନ୍ତ୍ର-ସିଂହାସନ ଦେଖାଇବା ବିଷୟରେ କଥା ଦେଇଛନ୍ତି । ଭଲ କଥା । କିନ୍ତୁ ପରିଣତି ପାଇଁ ଆପଣ ଦାୟୀ ରହିବେ ।”           ମନ୍ତ୍ରୀ କହିଲେ “ପରିଣତି କଥା ତ ମୁଁ ଭାବି ନାହିଁ! ଭଲ କଲେ ମୋତେ ଚେତାଇ ଦେଲେ! ମୋର ଏବେ ସେଥିରେ ପଶିବା କ’ଣ ଦରକାର!”     ପରଦିନ ନବଘନ ଯାଇ ମନ୍ତ୍ରୀଙ୍କୁ ଭେଟିବା ମାତ୍ରେ ମନ୍ତ୍ରୀ କହିଲେ, “ତମେ ଏଠୁ ଚାଲ! ମୁଁ ତମ ଇଚ୍ଛା ପୂରଣ କରି ପାରିବି ନାହିଁ!”         ନବଘନ ଚାଲି ଯାଉ ଯାଉ ମନ୍ତ୍ରୀ ତାଙ୍କ ସହିତ ଥିବା ଜଣେ ଅମାତ୍ୟଙ୍କୁ କହିବାର ଶୁଣିଲେ, “ଶ୍ରୀଦେବ ଏଥିରେ ଖୁସି ନୁହଁନ୍ତି; ନିଶ୍ଚୟ କିଛି କାରଣ ଥିବ!” ନବଘନ ସିଧା ଶ୍ରୀଦେବ ପାଖକୁ ଯାଇ କହିଲେ, “ଶ୍ରୀଦେବ! ମୁଁ ଗାଁକୁ

ଗଙ୍ଗାସ୍ନାନର ଫଳ

ଗଙ୍ଗାସ୍ନାନର ଫଳ ଗୋଟିଏ ଗ୍ରାମରେ ଜଣେ ସରଳ ବ୍ରାହ୍ମଣ ରହୁଥିଲା । ସେ ଆଦୌ ପାପ କରେନି । କିନ୍ତୁ ଥରେ ଅଜାଣତରେ ତା ଦ୍ୱାରା ଏକ ପାପ ହେଲା । ଲୋକମାନେ ତାକୁ ପଚାରିଲେ ପାପର ପ୍ରାୟଶ୍ଚିତ କିପରି କରିବ? ତହୁଁ ସେ କହିଲା ଜୀବିତ ରହିଥିବା ପର୍ଯ୍ୟନ୍ତ ଗଙ୍ଗାରେ ସ୍ନାନ କରି ଭଗବାନଙ୍କୁ ଧ୍ୟାନ କଲେ, ମୋ ପାପର ନିଶ୍ଚୟ ପାୟଶ୍ଚିତ ହେବ । ଦିନେ ସେହି ବ୍ରାହ୍ମଣ ଜଣକ ତା ଗଣ୍ଠିଲି ପତ୍ର ବାନ୍ଧି, ଜମିବାଡି ଧନ ସମ୍ପତ୍ତି ପୁଅକୁ ଦେଇ ଗଙ୍ଗା ଯିବାକୁ ବାହାରିଲା । ଯାଉଯାଉ ବାଟରେ ଏକ ବଡ ଜଳପ୍ରବାହ ଦେଖି ସେ ଭାବିଲା, “ଆରେ ଏଇତ ଗଙ୍ଗା ।” ସେଇଠି ସେ ପାଞ୍ଚବର୍ଷ ରହିଲା । ସେ ସେଠି ଭିକ୍ଷା କରି ଖାଉଥାଏ । ପ୍ରତିଦିନ ସେଥିରେ ସେ ସ୍ନାନ କରି ଭଗବାନଙ୍କ ନାମ ନିଏ । ଏମିତି ପାଞ୍ଚବର୍ଷ ବିତିଗଲା । ଗଙ୍ଗା ବୋଲି ଭାବି ସେ ସେହି ନଦୀଟିକୁ ବଡ ଆନନ୍ଦରେ ଗଙ୍ଗାକୁ ପ୍ରାର୍ଥନା କରି ସେହିଠାରେହିଁ ରହିଥାଏ । ଦିନେ ଜଣେ ଶିବଭକ୍ତ ସେଇ ବାଟ ଦେଇ ଯାଉଥିଲା; ବ୍ରାହ୍ମଣକୁ ଦେଖି ସେ କହିଲା, “ପୁତ୍ର, ତୁ ଏଠି କ’ଣ କରୁଛୁ?” ତା’ପରେ ସେ ବ୍ରାହ୍ମଣ କହିଲା, “ମହାଶୟ, ମୁଁ ମୋର ଅଜାଣତରେ ପାପଟିଏ କରିଛି । କେବଳ ତା’ରି ପ୍ରାୟଶ୍ଚିତ ପାଇଁ ମୁଁ ଏଠାରେ ନିତ୍ୟ ଗଙ୍ଗାସ୍ନାନ କରି ଭଗବାନଙ୍କୁ ଧ୍ୟାନ କରେ ।” ଏହାଶୁଣି ସେ ଶିବଭକ୍ତ ଜଣକ ଜୋର୍ରେ ହସି ହସି କହିଲା, “ମୂର୍ଖ ନା କ’ଣ? ଏଇ ସାଧାରଣ ଜଳ ପ୍ରବାହକୁ ତୁ ପୁଣି ଗଙ୍ଗା କହୁଛୁ । ଗଙ୍ଗା ସହିତ ଏହାକୁ ତୁଳନା କଲେ ତ ଆକାଶ ପାତାଳ ତଫାତ୍ ହେବ । ତୁ ଉଇହୁଙ୍କାକୁ ହିମାଳୟ ବୋଲି ଭାବୁଛୁ । ତୋପରି ଲୋକ ଦ୍ୱିତୀୟ ମୁଁ କେବେବି ଦେଖି ନାହିଁ । ପ୍ରକୃତ ଗଙ୍ଗା ତ ଏହିଠାରୁ ପ୍ରାୟ ଦୁଇଶହ କୋଶ ହେବ ।” ବ୍ରାହ୍ମଣ କହିଲା “ମହାଶୟ, ଆପଣ ମୋର ବହୁତ ବଡ ଉପକାର କଲେ । ଆପଣ ବଡ ପୁଣ୍ୟବାନ୍ ।” ତା’ପରେ ସେ ତାର ଗଣ୍ଠିଲି ପତ୍ର ବାନ୍ଧି, ଗଙ୍ଗା ଅନ୍ୱେଷଣରେ ଆଗକୁ ବାହାରିଲା । ବହୁତ ଦୂର ଯିବାପରେ ଛୋଟ ନଦୀଟିଏ ଦେଖି, ତାକୁ ଗଙ୍ଗା ବୋଲି ଭାବି ସେ ଅତି ପ୍ରସନ୍ନ ଚିତ୍ତରେ ସେଠି ରହିଲା । ସେଠାରେ ମଧ୍ୟ ପାଞ୍ଚବର୍ଷ ବିତିଗଲା । ଦିନେ ଜଣେ କାପାଳିକ ସେହିବାଟଦେଇ ଯାଉଥିଲା । ବ୍ରାହ୍ମଣଟି ସହିତ କଥାବାର୍ତ୍ତା କରି ସେ ସବୁ ବୁଝିଲା ଓ କହିଲା, “ଏ ନଦୀର ତ ସେମିତି କିଛି ହେଲେ ବି ମହତ୍ତ୍ୱ ନାହିଁ । ତୁ ଏହାକୁ ଗଙ୍ଗା ଭାବିଛୁ? ପାଞ୍ଚବର୍ଷର ତପସ୍ୟା ବୃଥା? ଛାଡ ଏବେ ମଧ୍ୟ ସମୟ ଅଛି, ତୁ ଗଙ୍ଗାକୁ ସ୍ନାନ କରିବାକୁ ଯା ।” ଏକଥା ଶୁଣିବା ମାତ୍ରେ ବ୍ରାହ୍ମଣ ଚମକି ପଡି କହିଲା, “ଏଁ, ଇଏ ବି ଗଙ୍ଗା ନୁହେଁ?” କାପାଳିକ କହିଲା “କାହିଁ ଗଙ୍ଗା, ଆଉ କାହିଁ ଏହି ସାଧାରଣ ନଦୀ?” ବ୍ରାହ୍ମଣ ବହୁ ବିନୟ ପୂର୍ବକ କହିଲା, “ଭଲ ହେଲା । ଆପଣ ମୋତେ ପ୍ରକୃତ କଥା କହିଲେ ନହେଲେ ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଏଇଠି ରହିଥା’ନ୍ତି ।” ତା’ପରେ ବ୍ରାହ୍ମଣ ତା ଗଣ୍ଠିଲି ପତ୍ର ବାନ୍ଧି ସେଠାରୁ ଗଙ୍ଗା ଉଦ୍ଧେଶ୍ୟରେ ଚାଲିଲା । ଚାଲିଚାଲି ଶେଷରେ ସେ ନର୍ମଦା ନଦୀ ପାଖରେ ଯାଇ ପହଁଚିଲା । ପୂଣ୍ୟତୋୟା ନର୍ମଦାରେ ଅନେକ ଲୋକ ସ୍ନାନ କରୁଥିବାର ଦେଖି ସେ ମଧ୍ୟ ସେଠାରେ ସ୍ନାନ କଲା ଓ ଗଙ୍ଗା ଭାବି ସେଇଠି ରହିଲା । କେତେକ ଯାତ୍ରୀ ନଦୀରେ ପୂଜା କରି “ନର୍ମଦା” ବୋଲି କହି ସେଥିରେ ଫୁଲ ପକାଇ ଚାଲିଯିବା ବେଳେ ବ୍ରାହ୍ମଣ ତାଙ୍କୁ ପଚାରିଲା, “ମହାଶୟ, ଏ ନଦୀର ନାମ କ’ଣ?” ଯାତ୍ରୀ କହିଲେ “ଏହା ଅତି ପବିତ୍ର ନର୍ମଦା ନଦୀ” “ମହାଶୟ, ଆପଣ ମୋର ବଡ ଉପକାର କଲେ ।” ଏହା କହି ବ୍ରାହ୍ମଣ ତା ଗଣ୍ଠିଲି ପତ୍ର ବାନ୍ଧି ସେଠୁ ଉଠିଲା । ସେତେବେଳକୁ ସେଠାରେ ସେ ପାଞ୍ଚବର୍ଷ ରହି ସାରିଥାଏ । ଘରୁ ଆସିବାପରେ ତାର ପନ୍ଦରବର୍ଷ ବିତିଗଲାଣି । ବୟସ ହୋଇଗଲାଣି । ଶକ୍ତି କ୍ଷୀଣ । ତପସ୍ୟା ଯୋଗୁଁ ଶରୀର ଶୁଷ୍କ । ଚାଲି ଚାଲି ବହୁ କଷ୍ଟରେ ସେ ଆଗେଇ ଯାଉଥାଏ । ଅବସ୍ଥା ଏପରି ହେଲା ଯେ ଶେଷରେ ସେ ଆଉ ଚାଲିପାରିଲା ନାହିଁ । ବହୁଚେଷ୍ଟା କରି ଘୋଷାରି ହୋଇ ସେ ଚାଲିଥାଏ । ଦୂରରୁ ସେ ଗଙ୍ଗା ଦେଖିଲା । ଅସଂଖ୍ୟ ଯାତ୍ରୀ ସେଠାରେ ସ୍ନାନ କରୁଥା’ନ୍ତି । ସେଠାକାର ଯାତ୍ରୀମାନଙ୍କୁ ସେ ପଚାରି ବୁଝିଲା ଯେ ପ୍ରକୃତରେ ତାହାହିଁ ଗଙ୍ଗା । ଗଙ୍ଗା ନଦୀକୁ ଦେଖି ତାର ହୃଦୟ ଭକ୍ତିରେ ଗଦ୍ ଗଦ୍ ହୋଇଗଲା । ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ କ୍ଷୀଣ ଶରୀରରେ ସହ୍ୟ ହେଲା ନାହିଁ । ସେ ସେହି କ୍ଷଣରେହିଁ ଗଙ୍ଗାତଟରେ ପ୍ରାଣତ୍ୟାଗ କଲା । ଯମଦୂତ ମାନେ ଆସି ତାକୁ  ଯମରାଜଙ୍କ ପାଖକୁ ନେଇଗଲେ । ଯମ ଚିତ୍ରଗୁପ୍ତଙ୍କୁ ପଚାରିଲେ, “ଏହାଙ୍କର ପାପ ପୁଣ୍ୟ କ’ଣ?” ଚିତ୍ରଗୁପ୍ତ ତାଙ୍କ ପାଞ୍ଜି ଦେଖି କହିଲେ, “ସେ ଏକମାତ୍ର ପାପ କରିଛି । କିନ୍ତୁ ପନ୍ଦରବର୍ଷ ଧରି ଗଙ୍ଗାସ୍ନାନ କରିଥିବାରୁ ସେ ବହୁପୁଣ୍ୟ ଅର୍ଜନ କରିଛି । ତେଣୁ ତାର ପାପର ପ୍ରାୟଶ୍ଚିତ ହୋଇ ଯାଇଛି ।” ଯମରାଜ ଆଜ୍ଞାଦେଲେ “ତେବେ ତାକୁ ସିଧା ସ୍ୱର୍ଗକୁ ପଠାଇ ଦିଅ ।” ତତ୍କ୍ଷଣାତ୍ ଦୂତମାନେ ତାଙ୍କୁ ସମ୍ମାନର ସହିତ ସ୍ୱର୍ଗ ରାଜ୍ୟକୁ ନେଇଗଲେ ।