ଅଶୁଭ ଗୃହ

ଅଶୁଭ ଗୃହ

     ସୂର୍ଯ୍ୟାସ୍ତ ସମୟରେ ଅରଣ୍ୟ ମାର୍ଗରେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଯାଉଥିଲେ । ମୁହଁରେ ତାଙ୍କର ଉଦାସ ଭାବ । ରହି ରହି ସେ ଚାରିଆଡକୁ ଚାହୁଁଥିଲେ; ମନକୁ ମନ କିଛି କଥା ମଧ୍ୟ ସେ କହୁଥାନ୍ତି । ହଠାତ୍ ଜଣେ ବୁଢା ଉଚ୍ଚ ସ୍ୱରରେ କାନ୍ଦି କାନ୍ଦି ଆସି ତାଙ୍କ ନିକଟରେ ପହଁଚିଲା ।

       ବ୍ୟକ୍ତି ଜଣକ ବୁଢାକୁ ପଚାରିଲେ, “କାନ୍ଦୁଛ କାହିଁକି?” ବୁଢା କହିଲା, “ମୋ ଦୁଃଖ ବିଷୟ ଜାଣି ତୁମର କ’ଣ ବା ଲାଭ ହେବ? ତୁମେ କ’ଣ ତାହା ଦୂର କରି ପାରିବ?”

        ବ୍ୟକ୍ତିଜଣକ କହିଲେ “ମଣିଷ ହସିଲେ କେହି କାରଣ ପଚାରେ ନାହିଁ; କିନ୍ତୁ କାନ୍ଦିଲେ ସମସ୍ତେ ପଚାରନ୍ତି; ତେଣୁ ମୁଁ ପଚାରିଲି ।”

        ଏଥର ବୁଢା କହିଲା, “ମୋଠାରୁ କେତେ କମ୍ ବୟସ ତୁମର; କିନ୍ତୁ କଥା କହୁଛ ଏକ ଜ୍ଞାନୀ ପରି, ତେବେ ଶୁଣ; ଜ୍ୟୋତିଷ ମହେଶ ପଣ୍ଡା କହିଛନ୍ତି ମୋର ଜୀବନକାଳ ଆଉ ମାତ୍ର ଛଅବର୍ଷ । କିନ୍ତୁ ଅନ୍ୟ କେତେକ ଲୋକ କହୁଛନ୍ତି ମୁଁ ମାସେରୁ ଆଉ ଅଧିକ ବଂଚିବି ନାହିଁ କାରଣ ମୁଁ ଏକ ଅଶୁଭଗୃହରେ ପାଦ ଦେଇଛି ।”

         ଯାତ୍ରୀ କହିଲେ “ଅଶୁଭ ଗୃହ? ସିଏ ପୁଣି କ’ଣ? ଅନ୍ଧାର ମାଡି ଆସିଲାଣି । କେଉଁଠି ନା କେଉଁଠି ତ ଆଶ୍ରୟ ନେବାକୁ ପଡିବ । ଭୟଙ୍କର ପଶୁଜନ୍ତୁଙ୍କ ଠାରୁ ନିଜକୁ ରକ୍ଷା କରିବାକୁ ହେବ । ବରଂ ଚାଲ ମୁଁ ସେହି ଅଶୁଭ ଗୃହରେ ରହିବି । ମୋ ପାଇଁ ହୁଏତ ତାହା ଶୁଭ ହୋଇପାରେ ।”

        “ଆହୁରି କିଛି ଦୂର ଆଗକୁ ଯାଅ । ବାମପଟ ରାସ୍ତାରେ ଗଲେ ଅଶୁଭଗୃହ ଦେଖିବ ।” ଏତିକି କହି ବୁଢା ସେଠାରୁ ଚାଲିଗଲା । ବ୍ୟକ୍ତିଜଣକ ଧୀରେ ଧୀରେ ସେହି ଆଡକୁ ଆଗେଇଲେ ଓ ଶେଷରେ ସେ ସେହି ଅଶୁଭ ଗୃହରେ ଯାଇ ପହଁଚିଲେ । ସେ ଦେଖିଲେ ଯେ ଉଚ୍ଚ ସବୁଜ ବୃକ୍ଷରାଜିର ପଶ୍ଚାତରେ ସୁନ୍ଦର ଘରଟିଏ, ଅବଶ୍ୟ ତାହା ପୁରୁଣା । ସେ ଭାବିଲେ ରାତ୍ରିଟି ସେହିଠାରେ କଟାଇବେ । ତେଣୁ ପାଖକୁ ଯାଇ ବନ୍ଦ ଥିବା କବାଟରେ କରାଘାତ କଲେ । କିଛି ସମୟ ପରେ ଜଣେ ବାମନ ଆସି ଘର ଖୋଲିଲା । ଯାତ୍ରୀଜଣକ ପଚାରିଲେ, “ମୁଁ ଏଠାରେ ରାତିଟି ରହିପାରେ କି?” ଏହା ଶୁଣି ବାମନ କହିଲା, “ନିଶ୍ଚୟ, ଯାତ୍ରୀମାନଙ୍କର ସୁବିଧା ପାଇଁ ତ ଏହି ଜଙ୍ଗଲରେ ମୁଁ ଏତେ ବଡ ଘର ବନାଇଛି ।”

          ଯାତ୍ରୀ ଘରଭିତରକୁ ଯାଇ ଦେଖିଲେ ସେଠାରେ ଚାରିଜଣ ବାମନ ଦୀପସବୁ ନେଇ ଝରକା ପାଖରେ ରଖୁଛନ୍ତି । ମାତ୍ର ସେହି ଦୀପଗୁଡିକରେ ତେଲ ନଥାଏ । ସେଥିରେ ମୂଲ୍ୟବାନ୍ ମଣିସବୁ ରଖା ହୋଇଥାଏ; ସେହି ମଣିଗୁଡିକରୁ ତେଜ ବାହାରୁ ଥାଏ ।

        ଯାତ୍ରୀ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ, “ବଡ ଆଶ୍ଚର୍ଯ୍ୟ କଥା ତ? ମନରେ ବିଶ୍ୱାସ ହେଉ ନାହିଁ ଯେ ମୁଁ ଏସବୁ ଯାହା ଦେଖୁଛି ତାହା ସତ୍ୟ ନା ସ୍ୱପ୍ନ?”

        “ଜୀବନ ତ ବିଚିତ୍ର; ସେଥିରେ ମଧ୍ୟ ଆହୁରି ଏକ ବଡ ଆଶ୍ଚର୍ଯ୍ୟ ।” ଏତିକି କହି କେହି ଜଣେ ବାମନ ହସିଲା ଓ ପୁଣି କହିଲା, “ଯେତେ ପର୍ଯ୍ୟନ୍ତ ତୁମେ ଏଠାରେ ରହିବାକୁ ଚାହଁ ଖୁସିରେ ରୁହ; କିନ୍ତୁ ଆମକୁ କୌଣସି ପ୍ରଶ୍ନ ପଚାରିବ ନାହିଁ । ପ୍ରଥମ ଘରେ ଯେଉଁ ସ୍ୱର୍ଣ୍ଣକବାଟ ଅଛି ତାକୁ ଆଦୌ ଖୋଲିବ ନାହିଁ ।”

          ଯାତ୍ରୀ ପଚାରିଲେ “କେବେ ମଧ୍ୟ ଖୋଲିବ ନାହିଁ । ତେବେ ଏତିକି କୁହ ଯେ ଏ ଘରର ମାଲିକ କିଏ?” ତା’ପରେ ସେ ବାମନଟି କହିଲା “ପ୍ରଥମରୁ କହିଛି ନା ପ୍ରଶ୍ନ ପଚାରିବ ନାହିଁ । ଏବେ ମୋ ସହିତ ଆସ ।”

       ଯାତ୍ରୀଜଣକ ସ୍ନାନ କରିବାକୁ ଚାହୁଁଥିଲେ । ତତ୍କ୍ଷଣାତ୍ ଅତର ଗୋଲାପ ପାଖୁଡା ମିଶ୍ରିତ ପାଣିର ବନ୍ଦୋବସ୍ତ ହୋଇଗଲା ।

         ସ୍ନାନ କରି ସାରିବା ପରେ ସେ ଯାତ୍ରୀଙ୍କୁ ବହୁତ ଭୋକ ଲାଗିଲା । ଭିତରେ ଏକ ବିରାଟ କକ୍ଷରେ ଏକ ବିରାଟ ମେଜ ଥିଲା । ତା’ ଉପରେ ଅନେକ ଖାଦ୍ୟପୂର୍ଣ୍ଣ ପାତ୍ର ଢଙ୍କା ହୋଇଥିଲା । ଯାତ୍ରୀ ଯାହା ଚାହିଁଲେ ସେ ତାହା ଖାଇବାକୁ ବାଢିଦେଲା । ସେ ବାମନକୁ ବହୁତ ପ୍ରଶ୍ନ ପଚାରିବାକୁ ଚାହୁଁଥିଲେ । କିନ୍ତୁ ବାମନ ମୁହଁରେ ହାତ ରଖି ନୀରବ ରହିବାକୁ ନିର୍ଦ୍ଧେଶ ଦେଲା ଓ ନିଜେ ମଧ୍ୟ ଚୁପ୍ ରହିଲା ।

           ତା’ପରେ ଅନ୍ୟ ଏକ ବଡ କକ୍ଷରେ ଶୋଇବା ପାଇଁ ବନ୍ଦୋବସ୍ତ କରାଗଲା । ଖଟ ଉପରେ ଖୁବ୍ କୋମଳ ଶଯ୍ୟା ଥିଲା । ଜଣେ ବାମନ ଝରକାରେ ଥିବା ରେଶମୀ ପର୍ଦ୍ଦାକୁ ଖୋଲିଦେଲା । ପୁଷ୍ପର ସୁଗନ୍ଧରେ ଭରା ପବନ ସୁଲୁ ସୁଲୁ ହୋଇ ପଶି ଆସିଲା । ବାହାରେ ଜ୍ୟୋସ୍ନାରାତି । ଇନ୍ଦ୍ରଭବନ ପରି ଏହି ଘରକୁ, ସେହି ବୁଢାଟା କାନ୍ଦି କାନ୍ଦି ଆସି କ’ଣ କହୁଛି ନା ଅଶୁଭ ଗୃହ । ଯାତ୍ରୀ ଏ ବିଷୟରେ ବହୁତ ଚିନ୍ତା କଲେ କିନ୍ତୁ ଆଦୌ କିଛି ବି ବୁଝି ପାରିଲେ ନାହିଁ । କ୍ରମେ ତାଙ୍କ ମନ ମଧ୍ୟରେ ନାନା ପ୍ରକାର ଚିନ୍ତା ଆସିଲା, ତାଙ୍କୁ ସବୁ କିଛି କୁହୁକ ପରି ଲାଗିଲା । କିନ୍ତୁ ତାଙ୍କର କୌତୁହଳୀ ମନ ଚୁପ୍ ରହି ପାରିଲା ନାହିଁ । ସେବିଷୟରେ କିଛି ଗୋଟାଏ ଖବର ନେବା ପାଇଁ ସେ ମନ ମଧ୍ୟରେ ସ୍ଥିର କଲେ । ରାତିରେ ସେ ସବୁ କିଛି ଭାବିଚିନ୍ତି ଯୋଜନା କରି ରଖିଲେ । ସେ ସ୍ଥିର କଲେ ଯେମିତି ହେଲେ, ବାମନ ମନା କରିଥିବା ଘରକୁ ସେ ଯିବେ ଓ ଦେଖିବେ ସେଥିରେ କ’ଣ ଅଛି । ଏହିପରି ଭାବୁ ଭାବୁ ସେ ଶୋଇଗଲେ ।

         ସକାଳ ହେବା ପରେ ତାଙ୍କ ସ୍ନାନ ଓ ଭୋଜନ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ ହୋଇଥାଏ । ସେ ଦିନଟି ଆନନ୍ଦରେ ସେ ରହିଲେ ଓ ଗୃହର ଷୋଳଟି କକ୍ଷ ବୁଲି ଦେଖିଲେ । ତା’ପରେ ସେ ଘରର ଉପର ମହଲାକୁ ଗଲେ; ସେଠାରେ ଗୋଟିଏ ମାତ୍ର ଘର ଥାଏ । ସୁନାର ସେହି ଘର ଝଟକୁଥାଏ । କକ୍ଷଟିର କବାଟ ଅତି ଚମତ୍କାର ଥିଲା । ଯାତ୍ରୀ ଭାବିଲେ ଭିତରପଟେ କାଳେ ଅଧିକ ଅଦ୍ଭୁତ କିଛି ଥିବ । କିନ୍ତୁ ବାମନ ସେହି କବାଟ ନ ଖୋଲିବାକୁ କହିଥିଲା । କିନ୍ତୁ ଯାତ୍ରୀ ଭାବିଲେ ଏହି ଘରର କବାଟ ନ ଖୋଲିଲେ ରାତିରେ ତ ତାଙ୍କୁ କେବେବି ନିଦ ଆସିବ ନାହିଁ । ତେଣୁ ସେ ଧୀରେ ଧୀରେ କବାଟ ଖୋଲିଲେ । ତାଙ୍କ ଆଖି ଝଲସି ଗଲା ।

           ସେ ଘରର ଚଟାଣ ଶଙ୍ଖ ମଲମଲ ପଥରରେ ହୋଇଥିଲା । ତା’ର କାନ୍ଥ ସବୁ ସୁନାପାତରେ ଢଙ୍କା ହୋଇଥିଲା । ସେଥିରେ ପୁଣି କେଉଁଠି କେଉଁଠି ବା ହୀରାମୋତିର କାରୁକାର୍ଯ୍ୟ ବି ହୋଇଥିଲା । ସେହି ଘର ଭିତରେ ତଳ ଘରକୁ ଯିବା ପାଇଁ ସିଡି ଥିଲା । ଯାତ୍ରୀ ପଡିଯିବା ଭୟରେ ବଡ ସାବଧାନତାର ସହିତ ତଳକୁ ଓହ୍ଲାଇଲେ ।

          ହଠାତ୍ ବଡ କାଉଟାଏ କାହୁଁ ଆସି ତାଙ୍କ ମୁଣ୍ଡକୁ ଖୁମ୍ପିବାକୁ ଲାଗିଲା, ବିଲେଇଟାଏ ଶବ୍ଦ କରି ଆସି ତାଙ୍କ ଛାତି ଉପରକୁ କୁଦି ପଡିଲା । ଏତେ ଜୋର୍ରେ ବିଲେଇଟା ଚିତ୍କାର କଲା ଯେ ଯେପରି ତାଙ୍କ କାନ ଫାଟିଯିବ । ଗୋଟାଏ ଚେମଣିଆ ତାଙ୍କ ମଥା ଉପରେ ତିନିଥର ଉଡିଲା । ଏସବୁ ଦେଖି ସେ ଭୟରେ ଥରିଲେ । ସେ ସେଠାରୁ ବାହାରି ଆସିବାକୁ ପଛପଟକୁ ଘୂରିବା ମାତ୍ରେ ଏକ ଭୟଙ୍କର ସ୍ୱର କହିଲା, “ମୂର୍ଖ, ଠିକ୍ କୋଡିଏ ବର୍ଷ ପରେ ଆଜିର ଦିନରେହିଁ ତୋର ମୃତ୍ୟୁ ନିଶ୍ଚିତ ।”

        ଏକଥା ଶୁଣି ସେ ଯାତ୍ରୀ ଜଣକ ଭାରି ଖୁସି ହେଲେ ଓ ନିଜ କକ୍ଷକୁ ଫେରି ଆସିଲେ । ସେଠାରେ ପାଂଚଜଣ ବାମନ ଫୁସ୍ ଫାସ୍ ହୋଇ କ’ଣ କଥାବାର୍ତ୍ତା ହେଉଥିଲେ । ଯାତ୍ରୀ ପଚାରିଲେ, “ସମସ୍ତେ ଏଠାରେ ଏକତ୍ର କାହିଁକି ହୋଇଛ?”

ଜଣେ ବାମନ କହିଲା, “ତୁମେ ମୃତ୍ୟୁର ଦିନ ଜାଣି କରି ମଧ୍ୟ ହସୁଛ, ଏହା ତ ବଡ ଆଶ୍ଚର୍ଯ୍ୟ କଥା?”

ଯାତ୍ରୀ କହିଲେ “ମୁଁ କାହିଁକି କାନ୍ଦିବି? ମୋର ମୃତ୍ୟୁ ସମୟ ଜାଣି କରି ମୁଁ ତ ବହୁତ ଖୁସି ।”

        “ବହୁତ ଦିନ ପରେ ଆମେ ତୁମ ପରି ଜଣେ ବ୍ୟକ୍ତି ଦେଖିଲୁ । ଏକଥା ତୁରନ୍ତ ଆମେ ଆମ ମୁଖିଆଙ୍କୁ ଯାଇ କହିବୁ । ମନେ ହେଉଛି ଭବିଷ୍ୟତରେ ଏହି ଅଶୁଭଗୃହରେ ଆମର ଆଉ କିଛି ବି କାମ ନାହିଁ ।” ଏକଥା କହୁ କହୁ ବାମନମାନେ ସେଠାରୁ କୁଆଡେ ଅଦୃଶ୍ୟ ହେଲେ ।

         ତା’ର ଠିକ୍ ପର ମୁହୂର୍ତ୍ତରେ ସେ ଅଶୁଭଗୃହ ମଧ୍ୟ କୁଆଡେ ଉଭେଇଗଲା । ଏବେ ଯାତ୍ରୀଜଣକ ଦେଖିଲେ ସେ ଗୋଟିଏ ଗଛ ତଳେ ଠିଆ ହୋଇଛନ୍ତି । ସେ ଖୁସିରେ ମନକୁ ମନ କହିଲେ, “ଏକଥା ସତ ଯେ ନିଜର ମୃତ୍ୟୁ କଥା ଶୁଣି ମଣିଷ ଖୁବ୍ ବିଚଳିତ ହୋଇପଡେ । କିନ୍ତୁ କୋଟିକରେ ଗୋଟିଏ ମୋ ପରି ଯିଏ କି ତା’ ମୃତ୍ୟୁ କଥା ଶୁଣି ବି ଖୁସି ହେଉଛି ।”

         ସେହି ଯାତ୍ରୀ ଜଣକ ଜଣେ ଗ୍ରାମୀଣ ବ୍ୟକ୍ତି ଥିଲେ । ତାଙ୍କର ହୃଦରୋଗ ଥିଲା । ଯେଉଁ ବୈଦ୍ୟମାନେ ଓ ଜ୍ୟୋତିଷମାନେ ତାଙ୍କୁ ପରୀକ୍ଷା କରିଥିଲେ ସେମାନେ କହିଥିଲେ କି ଛଅମାସ ମଧ୍ୟରେ ତାଙ୍କ ମୃତ୍ୟୁ ହେବ । ତେଣୁ ତାଙ୍କର ସମସ୍ତ ସାଂସାରିକ ବନ୍ଧନ ଛାଡି ସେ ଜଙ୍ଗଲରେ ଘୁରି ବୁଲୁଥିଲେ । ତାଙ୍କୁ ଯେତେବେଳେ କୁହାଗଲା ଯେ କୋଡିଏ ବର୍ଷ ଅଧିକ ସେ ବଂଚିବେ ସେତେବେଳେ ସେ ଖୁବ୍ ଖୁସି ହୋଇଗଲେ । ତାଙ୍କର ଆତ୍ମବଳ ଓ ବିଶ୍ୱାସ ବଢିଗଲା ।

         ଯାତ୍ରୀ ତାଙ୍କ ମନ ମଧ୍ୟରେ ସେ ବାମନଙ୍କୁ ଅନେକ ଅନେକ କୃତଜ୍ଞତା ଜଣାଇ, ନିଜ ଇଷ୍ଟଦେବଙ୍କୁ ସ୍ମରଣ କରି ପ୍ରାର୍ଥନା ପୂର୍ବକ ଆପଣା ଘରକୁ ଫେରିଲେ ।

Share to...