ଆଞ୍ଜୁଳି

ଆଞ୍ଜୁଳି

    -ଝିଅ ବିଦା ହେଲାବେଳେ ଆଞ୍ଜୁଳିରେ ଚାଉଳ ଧରି ପଛ ପଟକୁ କାହିଁକି ଛାଟେ ବାପା ? ତାକୁ କଣ କନକାଞ୍ଜୁଳି କହନ୍ତି ?”

ପୂଜା ପଚାରିଲା ବାଲକୋନିରେ ପଥର ମୂର୍ତ୍ତି ଭଳି ବସିଥିବା ସୁରେଶଙ୍କ ଉଦ୍ଦେଶ୍ୟରେ।

    -ଆଲୋ ହୁଣ୍ଡୀ, ପୁଅ ବାହାହେବାକୁ ଯିବା ପୂର୍ବରୁ ମା କାନିରେ ଯେଉଁ ଚାଉଳ ଦେଇଥାଏ ଓ ନିଜ କାନିରେ ତାକୁ ମା ବାନ୍ଧିଥାଏ, ତାକୁ କନକାଞ୍ଜୁଳି କୁହାଯାଏ। କିନ୍ତୁ ବାହାଘର ସରିଲାପରେ, ଝିଅ ବିଦା ହେଲାବେଳେ, ପଛକୁ ନନେଇ ଝିଅ ନିଜ ଆଞ୍ଜୁଳିରେ ଚାଉଳକୁ ପଛପଟକୁ ଛାଟି ଦେଲା ବେଳେ, ପଛରେ ଠିଆ ହୋଇଥିବା ମା ନିଜ ଶାଢ଼ୀ କାନିରେ ସେସବୁ ଗୋଟାଏ। ସେ ଆଞ୍ଜୁଳିର ନାଁ ଜଣା ନାହିଁ ମୋତେ, କିଏ କିଏ ତାକୁ ବିଦା ଆଞ୍ଜୁଳି କୁହନ୍ତି।
ଝିଅ ପରା ସେଇଦିନରୁ ପର ଗୋତ୍ରୀ ହୋଇଯାଏ। ସେଇଥିପାଇଁ ପ୍ରତିମାକୁ ,ତୋ ବାହାଘର କୁ ଆସିବା ପାଇଁ ଡକେଇଛି ତୋ ବାପା।”
     ପାଖରେ ବସିଥିବା ସମ୍ପର୍କୀୟା ପିଉସୀ ସରଳାଙ୍କ କଥା ଶୁଣି ପୂଜା ଆଶ୍ଚର୍ଯ୍ୟ ହୋଇ ଅନେଇଲା ବାଲକୋନିରେ ବସି ବାହାରକୁ ଅନେଇଥିବା ସୁରେଶ ବାବୁଙ୍କ ଆଡ଼କୁ।
     ପ୍ରତିମା ଅର୍ଥାତ ତା ଜନ୍ମଦାତ୍ରୀ;କିନ୍ତୁ ସେ ଅତି ଛୋଟ ଥିଲାବେଳେ ଯେଉଁ ମା ,ଝିଅକୁ ସାଙ୍ଗରେ ନନେଇ ଘର ଛାଡ଼ି ଚାଲିଯାଇଥିଲା ଓ ପରେ ଅନ୍ୟ ଜଣେ ପୁରୁଷଙ୍କୁ ବାହାହୋଇ ନିଜର ଭିନ୍ନ ସଂସାର ବସାଇଛନ୍ତି , ବାହାଘରରେ ତାଙ୍କ ଉପସ୍ଥିତି କଣ ଦରକାର !
    ମା ସ୍ନେହ, ମମତା କଣ ତା ତ ପୂଜା ଆଜିଯାଏଁ ଜାଣିନି। କିନ୍ତୁ ସୁରେଶ ବାବୁ, ତାକୁ ଉଭୟ ବାପା ଓ ମାର ସ୍ନେହ ଦେଇ ଅତି ଗେଲ୍ହା ଯତ୍ନରେ ବଢ଼ାଇ, ମା’ର ଅନୁପସ୍ଥିତି କୁ ଭୁଲାଇବାରେ ସଫଳ ହୋଇଛନ୍ତି।
ସୁରେଶ ବାବୁ, ପ୍ରତିମାଙ୍କ ଭଳି ପୁନର୍ବିବାହ କରି ନଥିଲେ।
    ଆଉ ସପ୍ତାହେ ଗଲେ ଅନିରୁଦ୍ଧ ସହ ପୂଜା’ର ବାହାଘର। ଗେଷ୍ଟ ଲିଷ୍ଟ ପୂଜା ନିଜେ ସୁରେଶ ବାବୁଙ୍କ ସହ ମିଶି ଫାଇନାଲ କରିଥିଲା।ସେଥିରେ ତ ପ୍ରତିମାଙ୍କ ନାଁ ନଥିଲା।
ସେ ସ୍ତ୍ରୀ ଲୋକକୁ ଏ ଶୁଭ କାର୍ଯ୍ୟକୁ କାହିଁକି ଡାକିଛନ୍ତି ବାପା !
ବାରୁଦ ଭର୍ତ୍ତି ବ୍ୟାଗରେ କିଏ ଅଗ୍ନି ସଂଯୋଗ କଲେ ଯେଭଳି ବିସ୍ଫୋରଣ ହୁଏ, ଠିକ ସେମିତି ପୂଜା ଅନ୍ତର ଭିତରେ ଗୋଟେ ବିସ୍ଫୋରଣ ହେଲା ଭଳି ଲାଗିଲା ତାକୁ। କାହିଁକି କେଜାଣି ତା ଅନ୍ତରାତ୍ମା ବିଦ୍ରୋହ କରୁଥିଲା।
ଚଟକିନା ସୋଫାରୁ ଉଠି ସୁରେଶ ବାବୁଙ୍କ ପାଖରେ ପହଞ୍ଚି ପଚାରିଲା,
-ସେ ସ୍ତ୍ରୀ ଲୋକକୁ ଆପଣ କାହିଁକି ଡାକିଛନ୍ତି ?”

ଝିଅ ମୁହଁକୁ ଚାହିଁ ସୁରେଶ ଧୀର ସ୍ୱରରେ କହିଲେ,
      -ଆଉ କିଛିଦିନ ପରେ ତୁ ଶାଶୁଘରକୁ ଯିବୁ, ନିଜର ସଂସାର ଗଢିବୁ। ତେଣୁ ଭଦ୍ରାମି ଓ ସଂଯତ ହୋଇ କଥା କହ ,ଅନ୍ତତଃ ଏଭଳି ସଂସ୍କାର ତୋତେ ମୁଁ ଶିଖାଇ ଆସିଛି। ଯା ହେଲେ ବି ପ୍ରତିମା ତୋତେ ଜନ୍ମଦେଇଛି, ସେ ତୋ ମା ,ଏକଥା ତ ତୁ ଅସ୍ବୀକାର କରି ପାରିବୁନି। ବାହାଘର ବେଳେ ବାପା, ମା ଉଭୟେ କନ୍ୟାଦାନ କରନ୍ତି। ତାଛଡା ମୁଁ ତୋତେ ସବୁବେଳେ କହିଆସିଛି, ପ୍ରତିମା ଓ ମୁଁ ଆମେ ଦୁହେଁ ମ୍ୟୁଚୁଆଲ ଡାଇଭର୍ସ, ଅର୍ଥାତ ଉଭୟଙ୍କ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ।”

ଏକ ଦୀର୍ଘନିଶ୍ବାସ ଛାଡି ସୁରେଶ ବାବୁ ପୁଣି କହିଲେ,
    – ପ୍ରତିମାର ଇଛା ବିରୁଦ୍ଧରେ ତାଙ୍କ ଘରଲୋକେ ମୋ ସହିତ ତାର ବାହାଘର କରିଦେଇଥିଲେ।ଡେରିରେ ଜାଣିଲି ମୁଁ।ସେତେବେଳକୁ ତୁ ତା ଗର୍ଭରେ ଥିଲୁ।
     ତେଣୁ ଅବଶିଷ୍ଟ ଜୀବନ ଶାନ୍ତି ଓ ସୁଖରେ କାଟିବାକୁ ଆମେ ଅଲଗା ହୋଇଯାଇଥିଲୁ। କଣ୍ଡିସନ ଥିଲା ତୋତେ ମୁଁ ରଖିବି ଓ ଭବିଷ୍ୟତରେ ପ୍ରତିମା ତୋ ଉପରେ କିମ୍ବା ମୋ ଠାରୁ କୌଣସି ଆଲିମନି ଦାବୀ କରିବନି । ତେବେ ଆମେ ଦୁହେଁ ଆଜି ବି ପରସ୍ପରକୁ ବନ୍ଧୁ ବୋଲି ଭାବୁ।ଅଲଗା ହୋଇଗଲୁ ବୋଲି କଣ ପରସ୍ପରର ଶତ୍ରୁ ହେବା ନିହାତି ଜରୁରୀ ? ନିଜ ସ୍ୱାମୀ, ପରିବାର ନେଇ ସେ ବି ଖୁସିରେ ଅଛି।ତାକୁ ଏକୁଟିଆ ଆସିବାକୁ କହିଛି ମୁଁ।ଝିଅ ବାହାଘରରୁ ଗୋଟେ ମା’କୁ ବଞ୍ଚିତ କରିବା କଣ ନ୍ୟାୟ ?”ବିରକ୍ତିଭରା ସ୍ୱରରେ ପୂଜା କହିଲା,
-ଖାଲି ଜନ୍ମ କରିଦେଲେ କଣ ଜଣେ ମା ବନିଯାଏ ? ମା’ର ଦାୟିତ୍ୱ କର୍ତ୍ତବ୍ୟ କଣ କିଛି ନାହିଁ ?ନ୍ୟାୟ ଅନ୍ୟାୟ କଥା ଅନ୍ୟ ଲୋକମାନେ ବି ଚିନ୍ତା କରିବା ଉଚିତ। କେବେ ଦିନେ ବି ତ ସେ ମୋତେ ଥରେ ଦେଖିବାକୁ ଆସିନାହାନ୍ତି କି ଫୋନ କରି ନାହାନ୍ତି, ଝିଅ ମରିଛି କି ବଞ୍ଚିଛି ତା ଜାଣିବାକୁ ଚେଷ୍ଟା କରି ନାହାନ୍ତି।ଆଉ ସିଧା ଆସି ବାହାଘର ରେ !!”

ପୂଜାର ହାତ ଧରି ସୁରେଶ ବାବୁ ତାକୁ ପାଖରେ ବସାଇ କହିଲେ,
-ତୁ କେବେ ନିଜ ଆଡୁ ଫୋନ କରିଛୁ ପ୍ରତିମାକୁ ! କେବେ ମୋତେ ବାଧ୍ୟ କରିଛୁ ତୋତେ ସାଙ୍ଗରେ ନେଇ ତାକୁ ଦେଖା କରିବାକୁ ?”
-କାରଣ ଆପଣଙ୍କ ସ୍ନେହ ମୋତେ ମା’ର ଅନୁପସ୍ଥିତି ଅନୁଭବ କରିବାକୁ ଦେଇନି। ତେବେ ଅନ୍ୟ ସାଂଗପିଲାଙ୍କ ମାଙ୍କୁ ଦେଖିଲେ ମନଟା ଛଟ ପଟ ହୁଏ ବୋଲି,ମୁଁ ଭାବେ ମୋ ମା ମରି ଯାଇଛନ୍ତି।ବାସ,ସେ ମୋ ପାଇଁ କ୍ଲୋଜ ଚାପ୍ଟର।”ଝିଅ ମୁଣ୍ଡରେ ହାତ ବୁଲାଇ ସୁରେଶ କହିଲେ,
-ତିକ୍ତ ଅନୁଭୂତି ମନକୁ ବିଷାକ୍ତ କରେ।ତେଣୁ ସେସବୁ ପୁରୁଣା କଥା ଭୁଲିଯାଇ ଜୀବନକୁ ନୂଆ ଭାବେ ସଜାଡି ,ଯୁକ୍ତାତ୍କମ ଚିନ୍ତାଧାରା ନେଇ ଆଗକୁ ବଢ଼ ମା;ଠିକ ତୋ ଡ୍ୟାଡି ଭଳି।ଦୁନିଆ ବହୁତ ସୁନ୍ଦର, ବାସ ବଞ୍ଚିବାର କଳାକୁ ଆପଣେଇ ନେବା ଜାଣିବା ଉଚିତ।ପ୍ରତିମାକୁ କ୍ଷମା କରିଦେ ।”
ବାପାଙ୍କ କାନ୍ଧରେ ମୁଣ୍ଡ ରଖି ଆକାଶକୁ ଅନେଇଲା।
ଆକାଶରେ ଉଇଁ ଆସୁଥିବା ଜହ୍ନକୁ ଅନେଇ ତାର ମନେ ପଡ଼ିଲା କୁମାର ପୁନେଇଁ କଥା।ଚଉରା ମୂଳେ ବାପା ହିଁ ତା ହାତରେ ଆଞ୍ଜୁଳି ଧରାଇ ଜହ୍ନ କୁ ଦେଖେଇ ପୂଜା କରିବାକୁ କୁହନ୍ତି।ଗୋଟେ ମା ର ସବୁ ଦାୟିତ୍ୱ ବାପା ହିଁ ତୁଲାଇ ଆସିଛନ୍ତି।
ସତରେ ବାପା ଆକାଶ ଭଳି ଅନନ୍ତ,ଅସୀମ।ସରଳା ଦେବୀ ପାଖକୁ ଆସି ପୂଜାକୁ କହିଲେ,
-ତୋ ବାପା ଠିକ କହୁଛି। ଆସୁ ପ୍ରତିମା,ଦେଖୁ ତୋତେ ଓ ତୋ ବାହାଘର; ଆଉ ଜାଣୁ,କି ଅମଣିଷ ପଣିଆରେ ଭରା ତା ଭଳି ମା ବିନା ବି ତୋ ଭଳି ଛୁଆ ଭଲ,ଯୋଗ୍ୟ ମଣିଷ ହୁଅନ୍ତି।”

     ନିରବ ରହିଥିଲା ପୂଜା। ବନ୍ଧୁବାନ୍ଧବ,କୁଣିଆ ମୈତ୍ର ଆସି ପହଁଚି ଥିଲେ।ବାହାଘର ପୂର୍ବଦିନ ଅର୍ଥାତ ମଙ୍ଗଳପାଗ ଦିନ ପହଞ୍ଚି ଥିଲେ ପ୍ରତିମା।ନିଜକୁ ସହଜ କରିବାକୁ ଚେଷ୍ଟା କରି ସମସ୍ତଙ୍କ ସହ ମିଶିବାକୁ ଚେଷ୍ଟା କରୁଥିଲେ ପ୍ରତିମା।
ସୁଯୋଗ ଦେଖି,ପୂଜାକୁ ଏକୁଟିଆ ପାଇ ତା ପାଖକୁ ଆସି ପ୍ରତିମା, ଗୋଟିଏ ସୁନ୍ଦର ସୁନା ସେଟ ବଢ଼ାଇଦେଇ କହିଲେ,
-ଦେଖିଲୁ ତୋ ମନକୁ ପାଉଛି ନା ନାହିଁ ?”

ସେଟ ଟିକୁ ଦେଖି ପୂଜା କହିଲା,
– ଏତେ ବର୍ଷ ମୋତେ ଏକୁଟିଆ ଛାଡ଼ିଦେଇ ଚାଲିଯାଇ ଥିଲ ବୋଲି ଏଇଟା କଣ ତା କ୍ଷତିପୂରଣ !
ଜଣେ ମା ଏତେ ନିଷ୍ଠୁର କିପରି ହୋଇପାରେ ?”

-ମୁଁ ଜାଣେ ତୁ ମୋତେ କଦାପି କ୍ଷମା କରିବୁନି।ତେବେ ପରିସ୍ଥିତି ଏଭଳି ଥିଲା ଯେ…ମୁଁ ବହୁତ ଅନୁତାପ କରିଛି….ଛାଡ଼ ସେକଥା ମୁଁ ତୋତେ ବୁଝାଇ ପାରିବିନି।ଆଜି ଭଳି ଭଲ ଦିନରେ ଏସବୁ କଥା ଆମେ ନହେବା ଉଚିତ।ତେବେ ଯଦି ପାରିବୁ ମୋତେ କ୍ଷମା କରିଦେବୁ।”

ଗମ୍ଭୀର ସ୍ୱରରେ ପୂଜା କହିଲା,
-ମୋ ନିଜ ପାଇଁ ନୁହେଁ, ବରଂ ମୁଁ ଅନେକ ସମୟରେ ଭାବେ ଡ୍ୟାଡ଼ିଙ୍କ ଭଳି ଭଲ, ନିରୀହ ମଣିଷଙ୍କୁ ଛାଡିବାକୁ ଟିକେ କୁଣ୍ଠାବୋଧ କଲେନି ଆପଣ !”
ସୁରେଶ ରୁମ ଭିତରକୁ ପଶି ଆସିବାରୁ ଦୁହେଁ ଚୁପ ହୋଇଗଲେ।

ସୁରୁଖୁରୁରେ ବାହାଘର ହୋଇଗଲା।ଏଥର ଝିଅ ବିଦା।କିଏ ଜଣେ ସମ୍ପର୍କୀୟା, କୁଲାରୁ ଚାଉଳ କାଢି ,ପୂଜା ହାତ ପାପୁଲିରେ ଆଞ୍ଜୁଳି ଧରାଇ ଦେଇ କହିଲେ,
– ବୁଲିପଡ଼ି ନ ଅନେଇ ଆଞ୍ଜୁଳି ଚାଉଳତକ ପଛପଟକୁ ଅନୁମାନ କରି ଫୋପାଡ଼ି ଦେ, ଯେମିତି ତୋ ମା କାନିରେ ପଡିବ। ତୁ ଏଣିକି ପରଗୋତ୍ରୀ।”
ସମସ୍ତେ ଦେଖୁଥିଲେ,କାନି ଲମ୍ବାଇ ପ୍ରତିମା କେମିତି ଅପେକ୍ଷା କରିଥିଲେ ଆଞ୍ଜୁଳି ଚାଉଳ କାନିରେ ଭରିବା ପାଇଁ।

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପୂଜା, ଆଞ୍ଜୁଳି ଚାଉଳ ତକ ତା ପାଖରେ ଠିଆହୋଇ ଥିବା ସୁରେଶ ପିନ୍ଧିଥିବା ପଞ୍ଜାବୀ ର ପକେଟରେ ପୁରାଇ ଦେଇ କହିଲା,
-ଜନ୍ମଦେଇଥିବା ମା ତ କେବେଠୁଁ ଆମ ଦୁହିଁଙ୍କୁ ଛାଡି ପରଗୋତ୍ରୀ ହୋଇଯାଇଛନ୍ତି। ଅନିରୁଦ୍ଧ ଓ ମୁଁ ମିଶିକି ନିଷ୍ପତ୍ତି ନେଇଛୁ କି ଏଣିକି ଆପଣ ଆମ ସହ ରହିବେ। ମୁଁ କଣ କେବେ ଆପଣଙ୍କୁ ଏକୁଟିଆ ଛାଡି ଦେଇ କୁଆଡେ ଯାଇପାରିବି ? ହେତୁ ପାଇଲାଦିନରୁ ଆପଣ ହିଁ ମୋ ବାପା ଓ ମା। ତେଣୁ ଝିଅର ଏଇ ଆଞ୍ଜୁଳି ଉପରେ କେବଳ ଆପଣଙ୍କ ଅଧିକାର ବାପା।”

ଆବାକାବା ହୋଇ ଅନେଇଥିଲା ପ୍ରତିମା।
ନିଜକୁ ସମ୍ଭାଳି ନପାରି,ଝିଅକୁ କୁଣ୍ଢାଇ ଭୋ ଭୋ ହୋଇ କାନ୍ଦୁଥିଲେ ସୁରେଶ।

Share to...