ଏହା ମୋର ଦାଢି

ଏହା ମୋର ଦାଢି

      ବହୁ ଦିନ ତଳର କଥା । ଗୋଟିଏ ଗ୍ରାମରେ ହଜାରିମଲ ଏବଂ ଲାଡନଲ ନାମକ ଦୁଇ ଜଣ ବନ୍ଧୁ ବାସ କରୁଥିଲେ । ସେ ଦୁହେଁ ବଡ ବ୍ୟବସାୟୀ ଥିଲେ ଏବଂ ବହୁତ ଟଙ୍କା ଜମା କରି ରଖିଥିଲେ । କିନ୍ତୁ ହଜାରିମଲ ଟିକିଏ ଖର୍ଚ୍ଚି ସ୍ୱଭାବର ଥିଲେ । କିନ୍ତୁ ଲାଡନଲଙ୍କର ଲୋଭ ଏବଂ ଲାଳସା ଅଧିକ ଥିଲା । ହଜାରିମଲ ସଦାସର୍ବଦା ହସଖୁସିରେ ରହୁଥିଲେ । ସେ ନିଜେ ନିଶଦାଢି ବଢାଉ ନଥିଲେ । କିନ୍ତୁ ଲାଡନଲ ସର୍ବଦା ଦାଢି ଏବଂ କେଶ ବଢାଇ ରଖୁଥିଲେ ।

       ଦିନେ ସେ ଦୁଇ ବନ୍ଧୁ ଟେବୁଲ୍ରେ ବସି ଗପସପ କରୁଥିଲେ । ଏହି ସମୟରେ ହଜାରିମଲ କହିଲେ – “ଲାଡନଲ ଏ ପର୍ଯ୍ୟନ୍ତ ତୁମକୁ ମୁଁ କେବେ ଗୋଟିଏ କଥା କହିନାହିଁ, ତୁମର ଦାଢି ଦେଖିବାକୁ ଭାରି ଭଲ । ଏ ପର୍ଯ୍ୟନ୍ତ ମୁଁ କେତେ ଦାଢି ଦେଖିଛି କିନ୍ତୁ ତୁମର ଦାଢି ପରି ସୁନ୍ଦର ଦାଢି ଆମ ଦେଶରେ ଆଉ କାହାର ବି ନାହିଁ । ଏହା ଶୁଣି ଲାଡନଲ ଅଭିମାନଭରା ସ୍ୱରରେ କହିଲେ- ‘ଠିକ୍ କହୁଛ ହଜାରିମଲ, ସମସ୍ତେ ପରା ଠିକ୍ ଏହିପରି କହନ୍ତି । ଖାଲି ସେତିକି ନୁହେଁ କେତେକ ଲୋକ ମୋ ଦାଢିକୁ ଦୃଷ୍ଟିଆ ବି କରିଦିଅନ୍ତି! ଏମିତିକି କେତେକ ଲୋକ ଏହାକୁ କିଣି ନେବା ପାଇଁ ମଧ୍ୟ ପ୍ରସ୍ତୁତ ।’

        ଏ କଥା ଶୁଣିବା ମାତ୍ରେ ହଜାରିମଲ ବଡ ଆତୁରତାର ସହିତ ପଚାରିଲେ- ‘ସେମାନେ କିଏ? ମୁଁ ହିଁ କିଣିନେବି, କହ କେତେ ଟଙ୍କା ନେବ?’

        ଏଭଳି କଥା ଶୁଣି ଧନ ଲୋଭରେ ହଠାତ୍ ଲାଡନଲ ମନରେ ଅନେକ ପ୍ରକାରର କଳ୍ପନା ଜାତ ହେଲା । ସେ ଭାବିଲା ଏ ଦାଢିରୁ ଯଦି କିଛି ଅର୍ଥ ମିଳିପାରିବ ତେବେ କ୍ଷତି କଣ? ତା’ପରେ କଥାବାର୍ତ୍ତା ଛଳରେ ସେ କହିଗଲା – ‘ଆଚ୍ଛା! ତେବେ ଏକ ହଜାର ମୁଦ୍ରା ଦିଅ । ମୁଁ ମୋର ଦାଢି ତୁମକୁ ପ୍ରଦାନ କରିବି ।’

          ଏଥିରେ କହିବାର କଣ ଅଛି? ନିଅ, ଏକ ହଜାର ମୁଦ୍ରା ଗ୍ରହଣ କର । ମୁଁ ଭାବିଥିଲି ଯେ କିଏ ଜାଣେ ତୁମେ ଏହାର କେତେ ଅଧିକ ମୂଲ୍ୟ କହିବ… ।’ ଏହା କହି ସେ ହଜାରିମଲ ଲାଡନଲଙ୍କ ହାତରେ ଅର୍ଥ ରଖିଦେଲେ । କିଛି ଅର୍ଥ ଅଗ୍ରୀମ ପ୍ରଦାନ କଲେ ।

         ଏହା ଦେଖି ଲାଡନଲ ସାମାନ୍ୟ ଅପ୍ରସ୍ତୁତ ହୋଇପଡିଲା । ସେ ହଠାତ୍ ଏପରି ଦାଢି ବିକ୍ରି କରିବାକୁ ପଡିବ ବୋଲି କେବେବି ଭାବି ନଥିଲେ । ହଜାରିମଲ ଏକ ସର୍ତ୍ତ ରଖି କହିଲେ – ‘ଭାଇ! ବର୍ତ୍ତମାନ ଏ ଦାଢି ମୋର ହୋଇଗଲା । ଯେ ପର୍ଯ୍ୟନ୍ତ ମୁଁ ତୁମକୁ ସଂପୂର୍ଣ୍ଣ ରାଶି ପ୍ରଦାନ ନ କରିଛି, ସେ ପର୍ଯ୍ୟନ୍ତ ଏହି ଦାଢି ତୁମ ପାଖରେ ମୋର ସମ୍ପତ୍ତି ଭାବରେ ରହିବ । ଖୁବ୍ ସତର୍କତାର ସହିତ ଏହାର ଯତ୍ନ ନେବ ଏଥିରେ ମୋର ଇଚ୍ଛା ମୁତାବକ ତେଲ ଲଗାଇବାକୁ ହେବ । ମୋର ରୁଚି ଅନୁସାରେ ଏହାକୁ କାଟିବାକୁ ହେବ ।’ ଲାଡନଲ ତୁରନ୍ତ ତାଙ୍କର ସର୍ତ୍ତ ମାନି ନେଲେ । ଆଇନ୍ ଦୃଷ୍ଟିରୁ ଗ୍ରହଣୀୟ କାଗଜପତ୍ରରେ ଲିଖିତ ରୂପରେ ଦୁହେଁ ସ୍ୱାକ୍ଷର ବି କଲେ । ଚୁକ୍ତି ଅନୁସାରେ ଲାଡନଲଙ୍କର ଦାଢି ଏବେ ହଜାରିମଲଙ୍କର ହୋଇଗଲା । ହଜାରିମଲ ପୁଣି ଥରେ ସତର୍କ କରିଦେଇ କହିଲେ– ‘ଦେଖ, ଭାଇ! ବର୍ତ୍ତମାନ ଯଦି ଆପଣଙ୍କୁ କେହି ଏହି ଦାଢି ବିଷୟରେ ପଚାରେ ତେବେ ଆପଣ କହିଦେବେ– ‘ଭାଇ! ଏ ଦାଢି ଏବେ ଆଉ ମୋର ହୋଇନାହିଁ ଏହା ଅମୁକ ବ୍ୟକ୍ତିଙ୍କର, ସେ ଉଚିତ୍ ଦାମ୍ ଦେଇ ଏହାକୁ କିଣି ନେଇଛନ୍ତି । ଏହି ପ୍ରକାରରେ ତୁମେ ବୁଝାଇ କହିବ କ’ଣ ବୁଝିପାରିଲ ତ-?’

ଲାଡନଲ କହିଲେ ‘ବହୁତ ଭଲ!’

ଦ୍ୱିତୀୟ ଦିନଠାରୁ…

      ଏବେ ସମୟ – ଅସମୟରେ ହଜାରିମଲ ଲାଡନଲଙ୍କ ପାଖକୁ ଆସୁଥିଲେ । ତାଙ୍କୁ ଆସୁଥିବାର ଦେଖି ଲାଡନଲ ପଚାରୁ ଥିଲେ- ‘କିପରି ଆସିଲ ଭାଇ?’

        ତାହାର ଉତ୍ତରରେ ହଜାରିମଲ କହୁଥିଲେ– ‘ଆଉ କିଛି ନୁହେଁ । ଖାଲି ମୋର ଦାଢି କିପରି ଅଛି ତାହା ଦେଖିବା ପାଇଁ ଆସିଛି ।’ କେବେ କେବେ ରାଗି ମାଗି ଆସୁଥିଲେ ଏବଂ କହୁଥିଲେ – ‘ଏ କଣ ଭାଇ? ମୋର ଦାଢିସବୁ ନଷ୍ଟ ହୋଇଯାଉଛି, ଖେଳୁଥିବା ଦାଢିଗୁଡିକରେ ଏପରି ଶସ୍ତା ନଡିଆ ତେଲ ଲଗାଇ ତୁମେ ନଷ୍ଟ କରିଦେଇଛ । ଭଲ ପାନିଆ କାହିଁକି ବ୍ୟବହାର କରୁ ନାହଁ? ଟିକେ ସଭ୍ୟ ଭାବରେ ଦାଢିର ଯତ୍ନ ନିଅ । ମୋର ଦାଢିକୁ ତୁମେ ଏପରି ଅବହେଳା କରିବା ମୋଟେ ଠିକ୍ ହେଉନାହିଁ । ମୁଁ ଏସବୁ ଆଉ ସହ୍ୟ କରିପାରୁନାହିଁ ।’ ଏହିପରି ବ୍ୟଂଗ କରି ସେ ପାଟି କରୁଥିଲେ । ଏହିପରି ଭାବରେ ଦିନେ ଚିତ୍କାର କରୁଥିବାର ଦେଖି ଲାଡନଲ ବିରକ୍ତ ହୋଇଗଲେ । ତାଙ୍କ ପାଇଁ ବନ୍ଧୁତ୍ୱ ରକ୍ଷା କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଲା । ଏହାପରେ ସେ ଦୁଇ ଜଣଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହେଲା । ‘ଭାଇ! ମୁଁ ଆଗ ପଛ ବିଚାର ନ କରି ଲୋଭ କାରଣରୁ ତୁମର ସର୍ତ୍ତ ମାନି ନେଇଥିଲି । ଭାଇ ଏବେ ତୁମେ ତୁମର ପଇସା ଫେରାଇ ନିଅ ଏବଂ ମୋତେ ମୋର ଦାଢି ଫେରାଇ ଦିଅ । ତାହେଲେ ଯାଇ ତୁମର ବଡ ପୁଣ୍ୟ ହେବ!’ ଏହା କହି ଲାଡନଲ ବଡ ବିକଳ ହୋଇ ହଜାରିମଲଙ୍କ ନିକଟରେ ଗୁହାରୀ କଲା ।

        ହଜାରିମଲ କିନ୍ତୁ ତାଙ୍କର କୌଣସି କଥା ମାନିଲେ ନାହିଁ । ଏହା ଦେଖି ଲାଡନଲ କହିଲେ – ‘ଆଚ୍ଛା! ତୁମେ ମାନୁ ନାହଁ ତ, ତୁମେ ଯେତିକି ଟଙ୍କା ଦେଇଛ ତାହାର ଦୁଇ ଗୁଣ ନେଇଯାଅ!’ କିନ୍ତୁ ହଜାରିମଲ କିଛି ବି କହିଲେ ନାହିଁ । ଏହା ଦେଖି ଲାଡନଲ କୌଣସି ପ୍ରକାରେ ନିଜକୁ ରକ୍ଷା କରିବା ପାଇଁ ଚାରି ହଜାର ମୋହର ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହୋଇଗଲା ।

‘ଦେଖୁଛି ଦେଖୁଛି ଏ କେଉଁ ପର୍ଯ୍ୟନ୍ତ ଯାଉଛି ।’- ଏହା ଚିନ୍ତା କରି ହଜାରିମଲ କିଛି ନ କହି ଚାଲିଗଲେ ।

      ଏବେ ଲାଡନଲକୁ ଆଉ କୌଣସି ବୁଦ୍ଧି ଦିଶିଲା ନାହିଁ । ସେ ବଡ ସମସ୍ୟାରେ ପଡିଯାଇଥିଲା । ଏହିପରି ଭାବରେ ଦିନେ ରାତିରେ ହଜାରିମଲ ନିଜର ସ୍ୱଭାବ ମୁତାବକ ତାଙ୍କୁ ଆସି ଧମକାଇଲେ । ସେତେବେଳେ ତ ସେ ଲାଡନଲ ଗାଢ ନିଦରେ ଥିଲେ । ତେଣୁ ସେ ହଜାରିମଲ ଜୋର୍ରେ ଲାଡନଲଙ୍କର ଦାଢିକୁ ଟାଣି ଦେଲେ । ଆଶ୍ଚର୍ଯ୍ୟର କଥା! ଦାଢି ଉପୁଡି ଆସି ତାଙ୍କ ହାତରେ ଥିଲା! ନକଲି ଦାଢି ଦେଖି ହଜାରିମଲ କ୍ରୋଧରେ ପାଟି କରିବାକୁ ଆରମ୍ଭ କଲା । ତାଙ୍କ ପାଟି ଶୁଣି ଲାଡନଲ ଧଡପଡ ହୋଇ ନିଦରୁ ଉଠି ବସିଲେ । ଦୁହିଁଙ୍କ ମଧ୍ୟରେ ବଚସା ବଢିଲା । ଶେଷରେ କଥା ନ ଛିଣ୍ଡିବାରୁ ସେମାନେ ହାକିମଙ୍କ ପାଖକୁ ଯିବାକୁ ନିଷ୍ପତି ନେଲେ ।

         ସେମାନେ ହାକିମଙ୍କ ପାଖକୁ ଅଭିଯୋଗ କରିବାକୁ ଗଲେ । ଚତୁର ହାକିମ ସେ ଦୁହିଁଙ୍କର ମନ କଥା ବୁଝିଗଲେ ଓ ସେ ନିର୍ଣ୍ଣୟ କଲେ ଯେ –

         ‘ଦାଢି ମୁଁ କିଣିଛି, ଏହିପରି ଭାବରେ ଏହା ଉପରେ ଅଧିକାର କେବଳ ମୋର । ଏହିପରି କହି ହଜାରିମଲ ତାଙ୍କର ବନ୍ଧୁଙ୍କୁ କଷ୍ଟ ଦେଉଥିବାରୁ ବନ୍ଧୁ ଲାଡନଲ କଷ୍ଟ ସହି ନ ପାରି ନକଲି ଦାଢି ଲଗାଇଥିବା ପ୍ରମାଣିତ ହେଉଛି ।’

        ହଜାରିମଲ ଅଧ ରାତିରେ ଲାଡନଲର ଘରକୁ ଯାଇ ବଳପୂର୍ବକ ତାଙ୍କ ଦାଢିକୁ ଟାଣିନେଲେ । ତେଣୁ ସେ ଦାଢିର ଯେଉଁ ମୂଲ୍ୟ ଦେଇଥିଲେ, ତାହାକୁ ଖର୍ଚ୍ଚ ସମେତ ପୈଠ କରି ଦିଅନ୍ତୁ ।’

Share to...