ଏୟାରକଣ୍ଡିସନ ଘର

ଏୟାରକଣ୍ଡିସନ ଘର

-ବାପା, ମୋ ପାଇଁ ଗୋଟେ ଏୟାରକଣ୍ଡିସନ ଘର ତିଆରି କରିଦିଅ।”
ପୁଅ ମନୁ କଥା ଶୁଣି ଚମକିପଡ଼ିଲା ଗୋଲକ ଓ ତା ପାଟିରୁ ବାହାରି ପଡ଼ିଲା,
-ଏୟାର କଣ୍ଡିସନ ଘର !!ତୋ ପାଇଁ !’

ମୁହଁରେ ହସ ଖେଳାଇ ବାପା ପାଖକୁ ଲାଗିଆସି ମନୁ କହିଲା,
-ମୋ ସ୍କୁଲ ସାଙ୍ଗ ଆଶିଷ ଘରକୁ ଥରେ ଯାଇଥିଲି। ତାଙ୍କର ସେଣ୍ଟ୍ରାଲ ଏୟାର କଣ୍ଡିସନ ଘର, ଓଃ କି ଥଣ୍ଡା! ରିମୋଟ ଚିପିଲେ ସୁଲୁସୁଲିଆ ବରଫ ଭଳି ଥଣ୍ଡା ପବନ। ଏକଦମ ସ୍ୱର୍ଗ ଭଳି ଲାଗୁଥିଲା। ଇଛା ହେଉଥିଲା ଚଟାଣରେ ଶୋଇଯିବା ପାଇଁ। ଆମ ଘରେ ବି ଏୟାର କଣ୍ଡିସନ ଲଗାଇଦିଅ।”

ଫେଁ କିନା ହସି ଗୋଲକ କହିଲା,
-ଆମର ପରା ଟିଣ ଘର। ଟିଣ ଘରେ କଣ ଏୟାର କଣ୍ଡିସନ ଲାଗେ ? ତା ପାଇଁ ସିମେଣ୍ଟ କଂକ୍ରିଟ ଛାତଵାଲା ଭଲ ଘର ଦରକାର। ସେସବୁ କଥା ଭୁଲି ପାଠ ପଢ଼ାରେ ମନ ଦେ।ସବୁବେଳେ ତୋର ଶୋଇବା ଚିନ୍ତା।”

ସ୍ୱାମୀ ହାତକୁ ନାଲି ଚା ବଢ଼ାଇ ଦେଇ ଜୟନ୍ତୀ କହିଲା,
-ତା ଉପରେ ସକାଳୁ କାହିଁକି ରାଗୁଛ ? ପିଲାଲୋକ ତା ମନ କଥା କହିଲା । ସୁଖ ସୁବିଧା କାହାକୁ ଲୋଡ଼ା ନାହିଁ ? ବି.ପିଏଲ କାର୍ଡରେ, ଗାଁ ରେ ଯେଉଁ ଘର ମିଳିଲା, ତା ଛାତ ଏଯାଏଁ ପଡି ପାରିଲାନି। ଟାଉନ କୁ ଆମକୁ ଆଣିଲ ଯେ, ମଣିଷ ଏ ଭଙ୍ଗା ଦଦରା ଟିଣଘରେ ରହୁଛି।”

ଚିଡି ଯାଇଁ ଗୋଲକ କହିଲା,
-ଲୋକଙ୍କ ପାଖରେ ମୁଣ୍ଡ ଗୁଞ୍ଜି ବାକୁ ଛାତ ଟିଏ ନାହିଁ ବୋଲି ଖୋଲା ଆକାଶ ତଳେ ଫୁଟପାଥରେ ନହେଲେ ଗଛ ମୂଳେ ଶୋଉଛନ୍ତି। ଆମର ଏ ଟିଣ ଘରେ କି ଅସୁବିଧା ?”

ମନୁ ଚଟ କିନା କହିଲା,
-ବାପା, ଖରାବେଳେ ଆମର ଏ ଘର ର ଟିଣ ଛାତ ଏତେ ତାତି ଯାଉଛି ଯେ, ଦେହ ହାତ ପୋଡି ଗଲା ଭଳି ଲାଗୁଛି।ଖରାଦିନେ ତ ଘର ଭିତରକୁ ପଶି ହେଉନି।ତମେ ତ ଦିନରେ କାମ କରିବାକୁ ପଳୋଉଛ,ଏ ଘର ତାତି କଥା କିଛି ଜାଣି ପାରୁନ। ପଙ୍ଖା ବୁଲାଇଲେ ନିଆଁ ଧାସ ପବନ ଭଳି ଲାଗୁଛି। ଘର ଭିତରେ ଡେରି ରାତି ଯାଏଁ ତାତି ରହୁଛି ବୋଲି ନିଦ ବି ଆସୁନି। ସେଇଥିପାଇଁ କହୁଛି ଆମ ପାଇଁ ଗୋଟେ ଏୟାର କଣ୍ଡିସନ ଘର ବନେଇ ଦିଅ।ରାତିରେ ଗରମ ଯୋଗୁଁ, ମୋଦେହରେ ଓଦା ଗାମୁଛା ପକେଇ, ବୋଉ ନିଜେ ନଶୋଇ ମୋତେ ବିଞ୍ଚଣାରେ ବିଞ୍ଚୁଛି।”

ଜୟନ୍ତୀ ପରିବା କାଟୁ କାଟୁ କହିଲା,
-ତୋ ବାପା କେଉଁଠୁ ଜାଣିବ ସେସବୁ କଥା ? ଦଉଡିଆ ଖଟଟା ବାହାରେ ପକାଇ ଆରାମରେ ଘୁଙ୍ଗୁଡ଼ି ମାରି ଶୋଇବା ମଣିଷ ସେ। କିଛି ନହେଲେ କୁଲର ଟାଏ ତ ଆଣି ପାରନ୍ତ। ମୁଁ ବି ଭାବୁଥିଲି ପର ଘରେ ବାସନ ମାଜିବା ଛାଡି କେଉଁ ବଡ଼ ମଲ ରେ କିଛି କାମ କରନ୍ତି।”

ମନୁ କହିଲା,
– ବାପା ଜାଣିଛ ? ବୋଉ ଓ ମୁଁ ଦିନେ ଖରାବେଳେ ସେଇ ବଡ଼ ମଲ କୁ ଯାଇଥିଲୁ। ସେଠି ବି ଚାରିଆଡେ ଏୟାର କଣ୍ଡିସନ।ବାପା, ତମେ ସେଇଠି କିଛି ଚାକିରୀ କରୁନ ? ଆମେ ବି ତୁମ ପାଖରେ ସେଇଠି ରୁହନ୍ତୁ।”

ଗୋଲକ ବୁଝୁଥିଲା ସ୍ତ୍ରୀ ଓ ପୁଅର ଅଭିଯୋଗକୁ। ହେଲେ କଣ ବା କରି ପାରିବ ତା ଭଳି ଖଟିଖିଆ ମଣିଷ ?

ଆକାଶକୁ ଅନାଇ ଦୀର୍ଘ ନିଶ୍ଵାସ ଛାଡି ଗୋଲକ କହିଲା,
-ଆମ ଭଳି ଗରିବ ଲୋକଙ୍କ ପାଇଁ ଏୟାରକଣ୍ଡିସନ ଘର ସ୍ୱପ୍ନ। ଏତେ ଟଙ୍କା କେଉଁଠୁ ଆସିବ ଆମ ପାଖରେ ସେମିତିକା ସ୍ୱପ୍ନ ମହଲ ଟିଏ ଗଢିବା ପାଇଁ? ତା ଛଡା ସରକାରୀ ନିୟମ ଅନୁସାରେ ବି.ପି.ଏଲ କାର୍ଡ ବାଲାଙ୍କ ଘରେ ଏସି ଲାଗିଲେ, ସେ ପରିବାରକୁ ତାଲିକାରୁ ହଟାଇ ଦିଆଯିବ ଓ ମାଗଣାରେ ପାଉଥିବା ସୁବିଧା ବନ୍ଦ ହୋଇଯିବ।”

ମନୁ କାନ୍ଦ କାନ୍ଦ ସ୍ୱରରେ ପଚାରିଲା,
-ତା ମାନେ ଆମେ କେବେ ବି ଏୟାରକଣ୍ଡିସନ ଘରେ ରହି ପାରିବାନି ? ଥଣ୍ଡା ପବନ ଖାଇ ଆରାମରେ ଶୋଇବାର ମୋ ସ୍ୱପ୍ନ କେବେ ପୂରଣ ହୋଇ ପାରିବନି ?ଟିଣ ଘରେ କଣ ସତରେ ଏୟାର କଣ୍ଡିସନ ଲାଗି ପାରିବନି ? ଆଛା ବାପା, ତମେ ଯେଉଁସବୁ ଜିନିଷ ତିଆରି କରୁଛ, ତାକୁ ପରେ ଚିହ୍ନିବା ପାଇଁ କିଛି ଚିହ୍ନ ବା ନିଜ ନାଁ ଲେଖୁଛ ? “
ଆଶ୍ଚର୍ଯ୍ୟ ହୋଇ ଅନେଇଲା ଗୋଲକ।
ପୁଅ ମୁଣ୍ଡକୁ ଆଉଁଷି ଦେଇ ଜୟନ୍ତୀ କହିଲା,
-ତୋ ବାପା ମୁଣ୍ଡରେ ଏତେ ବୁଦ୍ଧି କାହିଁ ଯେ ଏସବୁ କରିବେ ? ତୁ ଆମର ଭଲ ପାଠ ପଢି ବଡ଼ ମଣିଷ ହଅ, ବଡ଼ ଚାକିରୀ କର, ଦେଖିବୁ ସବୁ ଠିକ ହୋଇଯିବ।”

ଚିଡିଲା ସ୍ୱରରେ ଗୋଲକ କହିଲା,
-ଦିନରେ ସ୍ୱପ୍ନ ଦେଖିବା ଛାଡି ଦିଅ। ପାଠ ପଢ଼ାରେ ସେ କେଉଁ ମନ ଦେଉଛି ?”

ମନୁ ସେଦିନ ଯାହା କହିଲା ତା ଶୁଣି ଗୋଲକ କୌତୁହଳୀ ହୋଇ ଅନେଇ ଥିଲା ଓ ତା ପାଟିରୁ ବାହାରି ପଡିଥିଲା
-ବାଇଆ ଟା, ଯାହା ମନକୁ ଆସୁଛି, କହି ଦେଉଛି।”

କୋହଭରା ସ୍ୱରରେ ଜୟନ୍ତୀ କହିଥିଲା,
-କିଭଳି ବାପା ତମେ ହୋଇଛ ?ପୁଅର ସାମାନ୍ୟ ସଉକ ଟିକେ ପୁରା କରି ପାରୁନ ? କଣ ଅଧିକ ମାଗୁଛି ସେ ? ଆରାମରେ ଶୋଇବାକୁ ଟିକେ ଜାଗା ଓ ଥଣ୍ଡା ପବନ !! ଆମେ ମାଆ, ପୁଅ ଚୁପ ରହି ଯାଉଛୁ, ପୁଅ ବାହା ହୋଇ ଘରକୁ ବୋହୁ ଆଣିଲେ, ସେ କଣ ଏମିତି ଘରେ ରହିବାକୁ ରାଜି ହେବ ? ବାପା ଘର ତିଆରି କରେ, ନିଜ ପିଲାଙ୍କ ପାଇଁ,ପୁଅ ପାଇଁ।”

ଗୋଲକ ଗୋଟେ ନୂଆ କମ୍ପାନୀରେ କାମ ପାଇଥିଲା।ମନେମନେ ଭାବୁଥିଲା ଟଙ୍କା ସଞ୍ଚୟ କରି ଆଗେ ଗାଁରେ ଅଧା ତିଆରି ଘରର ଛାତ ପକାଇବ ଓ ସୁବିଧା ଦେଖି ସେକେଣ୍ଡ ହ୍ୟାଣ୍ଡ ଏୟାର କଣ୍ଡିସନ ଲଗାଇବ।
ନୂଆ କମ୍ପାନୀରେ, ଜଏନ କରି ବହୁତ ଖୁସିଥିଲା ଗୋଲକ।ଭାବୁଥିଲା ପୁଅ ଭଲ ପାଠ ପଢି ଭଲ ରିପୋର୍ଟ କାର୍ଡ ତାକୁ ଦେଖାନ୍ତା କି ?

କାହା ଡାକରେ ଚମକି ପଡିଲା ଗୋଲକ। ଲୋକଟା ପାଖକୁ ଆସି ପଚାରିଲା,
– ରିପୋର୍ଟ ଆସିଲା ?”
ଆଖିରେ ଚଷମା ଲଗାଇ ଗୋଲକ ଭଲକରି ଦେଖିଲା ସେଇ ଲୋକର ମୁହଁକୁ। ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ।

ମୁଣ୍ଡ ତଳକୁ କରି ଧୀର ସ୍ୱରରେ ଗୋଲକ କହିଲା,
-ନା ଆସିନି। କିଏ ଜାଣେ ଆଉ କେତେଦିନ ଲାଗିବ ?”

ତା କାନ୍ଧରେ ହାତ ରଖି ସିକ୍ୟୁରିଟି ଗାର୍ଡ ଜଣକ ପୁଣି ପଚାରିଲା,
-ଗୋଟାଏ କଥା ପଚାରବି ଖରାପ ଭାବିବେନି। ଏଇ ସପ୍ତାହେ ହେଲା ମୋର ଏଇଠି ଡ୍ୟୁଟି ପଡିଲା ପରେ ଦେଖୁଛି, ଆପଣ ସବୁଦିନ ସକାଳେ ଆସି, ଏଠି ରଖାହୋଇଥିବା ଏଇ କଣ୍ଟେନର ର ଏକ ନିର୍ଦ୍ଦିଷ୍ଟ ଜାଗାକୁ ହାତ ମାରିଦେଖୁଛନ୍ତି,
ସାଉଁଳୋଉଛନ୍ତି।”

ଚଷମା କାଢି, ଆଖି ପୋଛି ପୁଣି ଚଷମା ପିନ୍ଧି ଦୀର୍ଘନିଶ୍ବାସ ଛାଡି ଗୋଲକ କହିଲା,
-ଯେଉଁ କଣ୍ଟେନର ତିଆରି କାରଖାନାରେ କାମ କରୁଥିଲି, ସେଇଠି ପ୍ରଥମ ଥର ଅର୍ଡର ମିଳିଥିବା ରେଫ୍ରି ଜେଟର କଣ୍ଟେନର। ରପ୍ତାନୀ ପାଇଁ ଅଧିକ ଦିନ ସାଇତା ହୋଇ ରହି ପାରୁଥିବାମାଛ, ମାଂସ, ଔଷଧ ଇତ୍ୟାଦି ଜିନିଷ ପାଇଁ। ଅନ୍ୟ ମାନଙ୍କ ସହ ମିଶି, ନିଜ ହାତରେ ତିଆରି କରିଥିଲି ଏଇ ଶୀତତାପ ନିୟନ୍ତ୍ରିତ କଣ୍ଟେନର ଓ କଂପାନୀ ସିଲ ପାଖରେ ନିଜ ନାଁ ଇଂରାଜୀରେ ଜି.ଏସ ଅର୍ଥାତ ଗୋଲକ ସାହୁ ବୋଲି ଖୋଦେଇ ଦେଇଥିଲି।”

ଟିକେ ରହି ଗୋଲକ ପୁଣି କହିଲା,
– ବାପା ଘର ତିଆରି କରେ ନିଜ ପିଲାଙ୍କ ପାଇଁ। ହେଲେ ମୋ ଭଳି ହାତଭାଗା ବାପା ଏ ଦୁନିଆରେ କେହି ନଥିବେ। ମୁଁ ତିଆରି କରିଥିବା ଜିନିଷ ଏଭଳି ବ୍ୟବହାର ହେବ ବୋଲି ଜାଣି ନଥିଲି। ଡି ଏନ ଏ ଟେଷ୍ଟ ରିପୋର୍ଟ ଆସିନି ବୋଲି, ଟ୍ରେନ ଆକ୍ସିଡେଣ୍ଟରେ ମୃତ, ମୋ ପୁଅ ମନୁର ଲାସ ଏଇ କଣ୍ଟେନରରେ ଏଯାଏଁ ସାଇତା ହୋଇଛି। ପୁଅ ମୋର ସବୁବେଳେ ଅଳି କରୁଥିଲା ଏୟାରକଣ୍ଡିସନ ଘର ପାଇଁ । ଆଜି ଶୋଇଛି ଚିର ନିଦ୍ରାରେ।”
ଭେଁ ଭେଁ ହୋଇ କାନ୍ଦୁଥିଲା ଗୋଲକ। ସିକ୍ୟୁରିଟି ଗାର୍ଡ ଜଣଙ୍କ ଆଖିରୁ ବି ନିଗିଡି ପଡୁଥିଲା ଦୁଇ ଧାର ଲୁହ।

ଗୋଲକ’ର ମନେ ପଡୁଥିଲା ମନୁର ସେଇ କଥା ପଦକ,
-ତମେ ଦେଖିବ ରୁହ ବଡ଼ ହୋଇ ମୁଁ ଦିନେ ଆରାମରେ ଏୟାରକଣ୍ଡିସନ ଘରେ ଏମିତି ଶୋଇବି ଯେ ତମେ ଯେତେ ଡାକିଲେ ବି ମୁଁ ଉଠିବିନି….

Share to...