ଘର କଥା

ଘର କଥା

     ମନି ବୋଉ -“କିଏ? ଝିଲି ବୋଉ କି? ଆସ ଆସ l ହେଇ ତମ କଥା ମନେ ମନେ ପକଉ ପକଉ ଆସି ପହଞ୍ଚିଗଲ l ଏ ସବୁ କଣ ?”

   ଝିଲି ବୋଉ – “ବୋହୁ ଆମର ପ୍ରଥମ କରି ସାବିତ୍ରୀ କରୁଛି ମନି ବୋଉ l ଭାରରୁ କିଛି ତୁମ ପାଇଁ ଆଣି ଆସିଥିଲି l ଆମ ସାହିର ପୁରୁଖା ଲୋକ ତମେ l ଆମ ପିଲା ମାନଙ୍କୁ ଆଶୀର୍ବାଦ କରିବ l ଆଉ ତୁମ ପିଲେ କେମିତି ଅଛନ୍ତି?”

   ମନି ବୋଉ -“ହୁଁ l ଭୋଗ ବିଳାସରେ ଅଛନ୍ତି l ଅୟସ କରୁଛନ୍ତି l ଆମ ପାଖରେ ଥିଲେ ସିନା କଷ୍ଟ କରିବାକୁ ପଡିଥାନ୍ତା l ଆଜିକାଲି ଶାଶୁ ଶ୍ୱଶୁର ସେବା କିଏ କରୁଛି? ତେଣୁ ବାଘ ଘରେ ମିରିଗ ନାଟ l
ବୁଝିଲ ଝିଲି ବୋଉ, ବୋହୁ ଫୋନ କଲାଠୁଁ ଫୋନ ଉଠଉନି l ଶୋଇଥିବ ଦି ଘଡି ଯାଏ ମୋ ପୁଅକୁ କାମରେ ଲଗେଇ l ଭାତ ହାଣ୍ଡିରୁ ଗୋଟେ ଭାତ ଚିପି କହିଦେବି ହାଣ୍ଡିକ ଭାତ କଥା ପା l ମୁଁ ଯାଇଥିଲି ଦେଖିଛି ବୋଲି ଜାଣିଛି ତା ପ୍ରକୃତି l ତୋତେ ମିଛ ମୋତେ ସତ l ମୁଁ ପା କଲିକତାରେ ଥିଲା ବେଳେ ଖାସ ଦିନ ନ’ ଟା ରେ ଉଠିବ ଆଉ ସବୁ କାମ ମୋ ଉପରେ ପକେଇବ l ମାଛ ମାଉଁସ ହେଲେ ଦି କେଜି ନିଅଣ୍ଟ ତାକୁ l ମୋ ପୁଅ ଖରା ତରାରେ ସିଝି ଝାଳ ନାଳ ହେଇ ଆସି ପହଞ୍ଚି ଛୁଆକାମ କରି ଅଫିସି ଯାଉଛି l କେଡେ କୁଢ଼ି ଲୋ ମା l ବସି ବସି ବୋପା ମା ଙ୍କ ସାଙ୍ଗେ ଗପୁଛି ଖାଲି ଲ ଝିଲି ବୋଉ l ପିଠା,ପଣା, କ୍ଷୀରି, ପୁରି, ପୂଜା ପୂଜି ଏସବୁ କରି ଜାଣିନି l ଦିଟା ଭାତ ବସେଇଦେଲେ ହାତ ଗୋଡ଼ ଘୋଳେଇ ହେଇପଡୁଛି l”

    ଫୋନ ଧରେଇ ଥିଲେ ସିନା ଦେଇଥାନ୍ତି ଧରି l ଚାକିରୀ ବାକିରି ନ କରି ଘର ଭାଙ୍ଗିବେ ବୋହୁ ବୋହୁ ମିଶି l ପୁଅ ମାନଙ୍କ ତ ମୁଣ୍ଡ ଖରାପ କରି ରଖିଛନ୍ତି l ସେମାନଙ୍କୁ ତ ମାଇପ ସେବା ଭାରି ଖୁସି l ଫୋନ ବି ଦଉ ନାହିଁ ବୋହୁକୁ ମନିଆ l କଣ କରିବ କୁହ l ଆଜିକାଲି ଯାହା ମହର୍ଗ ଯୁଗ… ବୋପା ମାନେ ତ ଯାହା ଡାଉରୀ ଦେଇ ପଠେଇଛନ୍ତି ଛାଡ଼ l ଦିଟା ପଇସା ଆଣିଲେ ଘରଖର୍ଚ୍ଚକୁ ପାଆନ୍ତା ହେଲେ l ମନିଆ କହୁଛି ଥାଉ , ମୋ ସ୍ତ୍ରୀ କାହିଁ ଖଟିବ? ଘରେ ଶୋଉ l ଭଲ ଲୋ ସଙ୍ଗାତ l ଆପଣା ସୁନା ଭେଣ୍ଡି କହିବି ଆଉ କାହାକୁ?

ମାଇପ ବୋଲିଆ କଉଠିକାର ଗଲାଥର ସ୍ତ୍ରୀ ଲୁଗା ପଟା ସଫା କରି ଶୁଖାଉଥିଲା ଛାତରେ l ଆମ ଏଠି ହେଇଥିଲେ ପୁରା ଗାଁ କଣ ବାଲେଶ୍ଵର ଜିଲ୍ଲା ସାରା ଜାଣିଥାନ୍ତେ l କହିଲାଠୁଁ କହୁଛି କଣ ନା, ତମ ଯୁଗ କଥା ଆଉ ନାହିଁ ଲୋ ବୋଉ l ସ୍ତ୍ରୀ ମାନେ ବି ମଣିଷ l କି ମହୁ ଝରୁଛି କେଜାଣି ତା ଠି? ଆମେ ଆଉ ବାହା ହେଇନୁ ନା ପିଲା ପେଚରା କାମ କରିନାହୁଁ?

ଝିଲି ବୋଉ – “କାହିଁ? ୱାସିଂ ମେସିନ ଘରେ ଘରେ ପା l କାଚୁଥିଲା କାହିଁକି?”

ମନି ବୋଉ – “ହଁ ସେଇ କଥା l ହୁସ ମେସିନି ସିନା ସଫା କରିବ, ସବୁ ମଇଳା ଲୁଗା ମେସିନିରେ ତ ନିଜେ ପୁଅ ପକେଇଲା l ବାହର କରି ବି ସେ ହି ଶୁଖେଇବ?”

ଝିଲି ବୋଉ – “ହଉ ଛାଡ଼, ଆଉ ତୁମେ କଲିକତା ବୁଲିଲ ନା କେମିତି ଲାଗିଲା?”

ମନି ବୋଉ – “ହଁ ଲୋ ସଙ୍ଗାତ ମୋତେ ସବୁ ଜାଗା ବୁଲେଇ ଦେଖେଇଲା ମୋ ଧନ l ମାସେ ରହିଲି, ଖାଲି ବୋଉ ଏଇଟା ଖା, ବୋଉ ସେଇଟା ଖା l”

ଝିଲି ବୋଉ- “ହଁ? ସବୁ ନିଜେ ହାତରେ ରୋଷଇ କରି ଦିଏ ମନିଆ ?”

ମନି ବୋଉ- “ନାଇଁ ମ l ଅର୍ଡର ଦିଏ l” ଏ! ଭଲକି କରେ, ମୋ ବୋଉ ଖାଇବ ଯାହା ହେଲେ l ଏମିତି ଆଇଟମ ଉପରେ ଆଇଟମ ବରାଦ ଦିଏ ମାଇକିନାକୁ l ଭାରି ଆସିଥିଲା ହନିମୁନରେ l ଖାଇ ଖାଇ ଗଣ୍ଡି ମୋଟା କଲାଣି l ମାଗଣା ମିଳିଲେ ଲୋକ ପିଚୁ ପି ଯିବେ ପରା ସଙ୍ଗାତ l”

ଝିଲି ବୋଉ ଦୀର୍ଘଶ୍ୱାସ ଛାଡି, – “ଆଛା , ମନିବୋଉ, ଛାଡ଼ ସେ କଥା l ତୁମ ଝିଅ ବା’ଘର କଲ l କାହିଁ କିଛି କହିଲନି ତ କେମିତି ଅଛି ? କଣ କରୁଛି ଜିନି ଆମର?”

ମନି ବୋଉ – “କଣ କହିବି ଲୋ ସଙ୍ଗାତ… ତାକୁ ମୁଁ କଉ ବିଶ୍ୱାସରେ ଦେଇ ଦେଲି, ମୋ ଛୁଆ ହଇରାଣ ହେଲା l ଏବେ ବାପ ଘରୁ କଣ ଅଣିଥିଲୁ ବୋଲି ଗଞ୍ଜଣା ଶୁଣୁଛି l କେଡେ ଅଵିଵେକୀ ଲୋକ ଗୁଡା କେଜାଣି, ଜାଣି ପାରୁ ନାହାନ୍ତି ପାଠ ପଢି ପଢି ଯାଇଛି l କିଛି ଜାଣିନି l ପିଲା ଲୋକଟା l ହଷ୍ଟେଲରେ ରହି ପଢୁଥିଲା ତ l କଣ ଜାଣେ କହିଲ? ଗୋଟିଏ ବୋଲି ସୁନା ନାକି ଝିଅ ମୋର l ବାପର କେଡେ ଗେହ୍ଲି l ନୂଆ ରୋଷେଇ ଶିଖୁଥିଲା ଝିଅ ଦେହରୁ ଝାଳ ବାହରିଗଲେ ବାପର ତଣ୍ଟି ପାଟି ଶୁଖିଯାଏ l ଖାଇ ପାରିଲେନି ଉଠି ଚାଲିଗଲେ l ଏବେ ଚେଙ୍କା ଲାଗି ଯାଉଛି ରୋଷେଇ କରୁ କରୁ l ଭିଡ଼ିଓ କରି ଦେଖାଉ ଥିଲା l ମୁଁ କହିଲି ମରଣ ହଉନି ତା ଶାଶୁକୁ l ପିଲା ଲୋକ l ଖାସ ବସି ଅର୍ଡର ଦଉଚୁ? ଏ.ସି. ଦରକାର ଥିଲା l ଯୋଡ଼େ ପିଲାଙ୍କୁ ପାଠ ପଢ଼େଇ, ଗାଡି ଦେଇ, ସବୁକଥା ବୁଝି ବାହା କଲି l ପଇସା କଣ ଗଛେରେ ଫଳେ?ଆଉ କଉଠୁ ପଇସା ଆସିବ?
ରୋଷଇ ମଝିରେ ଗ୍ୟାସ ଚୁଲା ରେ ଚାହା ପାଣି ବସା l କାର ଡ଼ାଇବିଟିସି, କାର ଡାଏଟିଙ୍ଗ ସବୁ ଅଲଗା ଅଲଗା l କା’ର ଚାହାରେ ଚିନି ପଡିବ କା’ର ପଡ଼ିବନି l ନାଲି ଚା, ଧଳା ଚା, ନେଳି ଚା , ଦିନକୁ ପଚାଶ ଥର ଚାହା l ମୁଁ କହିଲି କହିଦେବୁ ଏତେ ଚା ‘ ପିଇଲେ ପେଟ ଗରମ ହବ ବା l ମୋ ଜୋଇଁ ସୁନନ୍ଦ କିନ୍ତୁ ଭାରି ସୁଧାର l ସେ ସାହାଯ୍ୟ କରି ଦିଅନ୍ତି ମୋ ଜିନିଆକୁ, ବୁଝିଲ ସଙ୍ଗାତ l”

ଫିକ କରି ହସି ଝିଲିବୋଉ କହୁଥିଲେ– “ଏବେ ତ କହୁଥିଲ, ତୁମ ପୁଅ କୁଆଡେ ସ୍ତ୍ରୀ କୁ ସାହାଯ୍ୟ କରୁଛି ବୋଲି ମାଇପ ବୋଲିଆ l ଜୋଇଁ ସାହାଯ୍ୟ କଲେ ଭଲ l ତୁମେ ଯାଇଥିଲ ବୋହୁ ପିଲା ଜନ୍ମକରି ଦୁର୍ବଳ ଥିଲା l ଶୋଉଥିଲା ବୋଲି ସବୁଦିନ ଶୋଉଥିବ ଜାଣିଛ l ରୋଷେଇ ପିଠା ପଣା ଆସୁ ନଥିଲା , ସେ ଆଉ ପାଠ ପଢୁ ପଢୁ ବାହା ହେଇ ନଥିଲା? ଆଛା ତା ବାପା କଉ ଗଛରୁ ପଇସା ଝାଡ଼ି ଦେଇଥାନ୍ତେ କହିଲ? ତମକୁ ଝିଅ ଭିଡିଓ କଲ କରି ଚେଙ୍କା ଦେଖାଇଲେ ଭଲ, ଆଉ ବୋହୁ ତା ବାପଘର ସାଙ୍ଗେ ସମ୍ପର୍କ ରଖିବା ଖରାପ? ଆଁ? ଭଲ ଆଉ!! କଥା କହୁଛ l

ଆମେ ତ ଖୋଦ ଦେଖିଛୁ କେଡେ ଗୁଣର ଝିଅଟି ମନି ବାହାହେଇଚି l ନିଜ ହାତରେ ଡ୍ରେସ ସିଲେଇ କରେ, ସ୍ଵେଟର ମାଫଲର ବୁଣା ବୁଣି କରେ, ଘର ସଜାଏ, ସଫା ସଫି ରେ କିଏ ପାରିବେନି, ଝୋଟି ଚିତା ମୁରୁଜ ପକାଏ l ଚାକିରି କରିବା ନ କରିବା ଆବଶ୍ୟକତାକୁ ଚାହିଁ l ଟାଣକଥା କହିଲେ କିଏ ସହିବ? ବାରମ୍ବାର ତାକୁ ବାଧ୍ୟ କରି ଛୋଟ ଲୋକ ଦେଖାଇ ଚାକିରୀ କରିବାକୁ କହିଲାଠୁଁ ତା ମନ ବଳଉନି l ସତରେ କହିଲ, ତମକୁ କଣ ମନିବାପା ଘର କାମରେ ସାହାଯ୍ୟ କରୁ ନଥିଲେ? ଆଛା ବୋହୁ କଣ ବାହାର ସଉଦାପତ୍ର ଆଣିବା, ପିଲା ସମ୍ଭାଳିବା କି ବିଲ ଦେବା ଏସବୁ କରୁନି? ମନିର ପିଲା ନୁହେଁକି?

ମନିର କାମ ସେ କରି ଦେଉଛି ଯଦି ମନି ତା କାମ କଲା l କ୍ଷତି କଣ? ବର ଭାରିଜାରେ ଭଲ ପାଇବା ସ୍ନେହ ସରାଗ ଅଛି ବୋଲିତ ଦିହେଁ ମୋ କାମ ତୋ କାମ ଦେଖୁ ନାହାନ୍ତି l

ଏ ଛୋଟ ଛୋଟ କଥାରେ ତୁମେ ଏତେ ନିନ୍ଦୁଛ l ଆମ ପୁଅବୋହୁ ଚାକିରୀ କରିଛନ୍ତି l ଆମେ ବୁଢା ବୁଢ଼ୀ ଟିକେ ଘର କଥା ବୁଝିଦଉଛୁ l ଘରଟା ସମସ୍ତଙ୍କର ନୁହଁକି? କାମ ମିଳି ବାଣ୍ଟି କଲେ କ୍ଷତି କଣ?
ମନି ବୋଉ – ହଁ ବୋହୁ ଚାକିରୀ କରିଛି, ଭାର ଥୋର ଗଦଉଛି ବୋଲି ତୁମେ ମୁହଁବଢିଆ କରି ରଖିଛ l ମୋ ପୁଅ କଣ ପାଇଲା ନା ମୁଁ କଣ ପାଇଲି?”

ଝିଲି ବୋଉ – “ଆମ ପିଲା ଭଲ ପାଇ ବାହା ହେଇଛନ୍ତି l ତା ଛଡା ମୋ ପୁଅର ତୁମ ପୁଅ ପରି ବଡ଼ ଚାକିରୀ ନାହିଁ l ତେଣୁ ବର ଭାରିଜା ମିଶି ଚାକିରୀ କରି ଘର ଖର୍ଚ୍ଚ ଚଳାଉଛନ୍ତି l ବୋହୁ ଯଦି ମୋ ପୁଅ ରୋଜଗାରକୁ ନ ଦେଖି ବାହାହେଇ ତାକୁ ସାହାଯ୍ୟ କରୁଛି ତେବେ ତାକୁ ଟିକେ ସାହାଯ୍ୟ କରିବା ମାନବ ଧର୍ମ ନୁହେଁକି? ତାର ଚାରି ଭଉଣୀ l ତା ବାପା ସ୍କୁଲ ଟିଚର l ତାଙ୍କୁ ଏସବୁ ଅଯଥା ଖର୍ଚ୍ଚରେ ନ ପକାଇ ଏ ଭାର ଆମେ ଆମ ତରଫରୁ ଯୋଗାଡ଼ିଛୁ l ବ୍ରତ ଆଗେ ନା ଦିଆ ନିଆ ? ତମ ବୋହୁ ପରଝିଅ, ଘର କାମ, ଚାକିରୀ ଆଦି କରି ଶ୍ରମ ଦାନ ଦେଉ ହେଲେ ଝିଅ ବାହା ହେଇ ଆରାମ କରୁ l

ଛୋଟିଆ କଥା l ଏ ଝିଅ ବୋହୁ ନ ଦେଖି ଆମେ ମଣିଷ ବୋଲି ଭାବିଲେ ଯାଇ ଆମ ଘର ପରିବାର ସୁଖରେ ଚାଲିବ l କଣ ଭଡା ଘର ହେଇଛି, ପଚାଶଟା ବଦଳାଇ ଗୋଟେ ମନକୁ ପାଇଲେ ଯାଇ ରହିବ? ତା’ ଅପେକ୍ଷା କେବଳ ଚିନ୍ତାଧାରା ବଦଳାଇଦେଲେ ହେଲା l
ଘର ଆଡେ ଆସ କେତେବେଳେ, ମୋ ବୋହୁ ହାତରନ୍ଧା ଖାଇବ l”
ଝିଲି ବୋଉ ଏତକ କହି ଆଉ କାହା ଘରକୁ ଯାଉଥିଲେ ଭାର ଦେବାପାଇଁ

… ହେଲେ ପଛରୁ କବାଟ କିଳି ମୁହଁ ମୋଡ଼ୁଥିଲେ ମନି ବୋଉ l

Share to...