ତମ୍ବାପାତ୍ରର ଭୂତ

ତମ୍ବାପାତ୍ରର ଭୂତ

     ସୀତାରାମ ଜଣେ ମଦ୍ୟପ ଥିଲା । ମଦ୍ୟପାନ ପାଇଁ, ସେ ନିଜର ଘର, ଜମିବାଡି ସବୁ କିଛି ବିକିଦେଇଥିଲା । ଉପଯୁକ୍ତ ଚିକିତ୍ସା ଅଭାବରୁ, ତା’ର ପତ୍ନୀ ମୃତ୍ୟୁବରଣ କରିଥିଲା । ଏପରିକି ନିଜର ଏକମାତ୍ର ସନ୍ତାନ ରାଜୁକୁ ମଧ୍ୟ ସେ ପଡୋଶୀ ଚରଣକୁ ବିକିଦେଇଥିଲା । ପ୍ରତିବଦଳରେ ଚରଣ ସୀତାରାମକୁ ପିଇବା ପାଇଁ ପଇସା ଦିଏ ।

       ସମୟକ୍ରମେ ସୀତାରାମର ମୃତ୍ୟୁ ଘଟିଲା । ପିତାଙ୍କ ଦାହ-କ୍ରିୟା ସମାପ୍ତ ପରେ ରାଜୁ ଚରଣକୁ ନିଜ ଦୁଃଖ ଜଣାଇ କହିଲା, “ମାଲିକ, ଏତେଦିନ ଧରି ଆପଣ ମୋତେ ଯେଉଁ ପ୍ରକାର ସାହାଯ୍ୟ କରି ଆସିଛନ୍ତି, ତାହା ମୁଁ କେବେବି ଭୁଲିବି ନାହିଁ । ଏଇ ଗ୍ରାମରେ ମୋର ମା’ଙ୍କର ମୃତ୍ୟୁ ଘଟିଥିଲା । ଏବେ ପୁଣି ପିତାଙ୍କର ବି ଦେହାନ୍ତ ହେଲା । ମୁଁ ଅନାଥ ହୋଇଗଲି । ମୋ ପକ୍ଷରେ ଏଠାରେ ରହିବା ବଡ ଦୁଃଖଦାୟକ । ତେଣୁ, ମତେ କେହି ଚିହ୍ନି ନ ଥିବା ଜାଣି ନ ଥିବା ଏପରି କୌଣସି ସ୍ଥାନକୁ ମୁଁ ଚାଲିଯିବି ତେବେ ହୁଏତ ମୋର ମନକୁ ଟିକେ ଶାନ୍ତି ମିଳିପାରେ ।”

      ଚରଣ ସହାନୁଭୂତି ପ୍ରକଟ କରି କହିଲା, “ତୋର ମନର କଷ୍ଟ ମୁଁ ବୁଝିପାରୁଛି । କିନ୍ତୁ ମୁଁ ନାଚାର । ତୋ’ ବାପା, ମଦ ପିଇବା ପାଇଁ ସବୁ ସମ୍ପତ୍ତି ବିକ୍ରୀ କରିଦେଲା । ତା’ପରଠାରୁ ମୁଁ ତୁମ ବାପାପୁଅ ଦୁହିଁଙ୍କର ଖର୍ଚ୍ଚ ବହନ କରି ଆସୁଛି । ଏଇ ବାବଦରେ ମୋର କେତେ ଟଙ୍କା ଖର୍ଚ୍ଚ ହେଲାଣି, ତା’ର ହିସାବ କ’ଣ ତତେ ଜଣାଅଛି କି?”

ରାଜୁ ପଚାରିଲା, “ତେବେ ମତେ କ’ଣ କରିବାକୁ ପଡିବ, କୁହନ୍ତୁ?”

        “ତୋର ବାପା ତତେ ଚାକର ରୂପେ ମୋତେ ବିକ୍ରୟ କରିଦେଇଛି । ତଥାପି ବି ମୁଁ ତୋତେ ଚାକର ସ୍ତରରେ କେବେବି ଦେଖିବି ନାହିଁ, କି ଏପରି ବ୍ୟବହାର କରିବି ନାହିଁ । ଦିନକୁ ଦୁଇ ବକ୍ତ ଖାଇବାକୁ ଦେବି । ବାସ୍, ଏବେ ମୋ ଘରର ସବୁକାମର ଦାୟିତ୍ୱ କେବଳ ତୋ ଉପରେ । ଯଦି ତୁ ଏହା ଚାହୁଁନାହୁଁ, ତେବେ ମୋର ମାତ୍ର ତିନୋଟି କାମ କରିଦେଲେ, ତତେ ମୁଁ ସବୁଦିନ ପାଇଁ, ଏ ଗୋଲାମୀରୁ ମୁକ୍ତି ଦେବି ।” ତାଙ୍କର ଏକଥା ଶୁଣି ରାଜୁ ତତ୍କ୍ଷଣାତ୍, ସେ ତିନୋଟି କାମ କ’ଣ ତାହା ଜାଣିବା ପାଇଁ ଚାହିଁଲା ।

          ଗ୍ରାମ ସୀମାନ୍ତରେ ଥିବା ପାହାଡିଆ ଅଂଚଳରେ, ଚରଣର ଚାରି ଏକର ଶୁଷ୍କ ଜମି ଥିଲା । ଏଥିରେ କିଛି ଫସଲ ହେଉ ନଥିଲା, କିମ୍ବା ତା’କୁ ସେହି କାରଣରୁ କେହି କ୍ରୟ କରୁ ନ ଥିଲେ । ଏହି ଜମିରୁ ଫସଲ ଉତ୍ପନ୍ନ କରିବା, ରାଜୁର ପ୍ରଥମ କାମ ଥିଲା ।

      ରାଜୁ ନିରାଶାରେ କହିଲା “ଯେଉଁ କ୍ଷେତ ଶୁଷ୍କ, ଅଫଳନ୍ତି, ମୁଁ ସେଠାରେ କିପରି ଫସଲ ଫଳାଇ ପାରିବି? ଏପରି କାମ ମତେ ଅର୍ପଣ କରିବା, ଆପଣଙ୍କୁ ଶୋଭା ପାଉନାହିଁ ।”

         “ପରିଶ୍ରମୀ ଲୋକପାଇଁ କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ । ଯେ କୌଣସି ପ୍ରକାର କ୍ଷେତରୁ ଫସଲ ଉପୁଜିବା ସମ୍ଭବ । ତୁ ମୁକ୍ତ ହେବାପାଇଁ ଚାହୁଁଛୁ ତ, ପରିଶ୍ରମ କରିବାକୁ ପଡିବ । ମୁଁ ଏଥିପାଇଁ ତତେ ବାଧ୍ୟ କରୁନାହିଁ । ଫଇସଲା, ତୋ ହାତରେ ।” ଚରଣ ଚତୁରତାର ସହ ଏତିକି କହିଲା ।

         ରାଜୁ ସେ କାମ ହାତକୁ ନେଲା ଓ ସେ ଶୁଷ୍କ ଭୂମିକୁ ସବୁଜ କରିବା ପାଇଁ କଠିନ ପରିଶ୍ରମ ଆରମ୍ଭ କଲା । ଦିନେ ସେ ଜମି ଖୋଳୁ ଖୋଳୁ ଝଣଝଣ ଶବ୍ଦ ଶୁଭିଲା । ଆଚମ୍ବିତ ହୋଇ ସେ ଆଉଟିକେ ଗଭୀରକୁ ଖୋଳିଲା । ତହିଁରୁ ଗୋଟିଏ ତମ୍ବାପାତ୍ର ମିଳିଲା । ପାତ୍ରର ଘୋଡଣୀଟି ଖୋଲିଦେବାରୁ, ସେଥିରୁ ଧୁଆଁ ବାହାରିଲା । ଚାହୁଁ ଚାହୁଁ, ସେହି ଧୁଆଁ କୁଣ୍ଡଳୀ ଭୂତର ଆକାର ନେଇ ପଚାରିଲା, “କୁହ, ତୁମର କ’ଣ ଦରକାର? ମୁଁ ତୁମର ଇଚ୍ଛା ଅବଶ୍ୟ ପୂରଣ କରିବି ।”

ରାଜୁ ଚକିତ ହୋଇ ପଚାରିଲା, “ତୁମେ କିଏ? ତୁମେ କାହିଁକି ମୋର ଇଚ୍ଛା ପୂରଣ କରିବା ପାଇଁ ଚାହୁଁଛ?”

        ତା’ପରେ ସେ ଭୂତଟି କହିଲା “ମୁଁ ତମ୍ବାପାତ୍ରର ଭୂତ, ଏହି ପାତ୍ରଟିର ଶକ୍ତି ଅଦ୍ଭୁତ । ଏହାର ଏହି ଅଦ୍ଭୁତ ଶକ୍ତି ସାହାଯ୍ୟରେ, ଉତ୍ତମ ଲୋକଙ୍କୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ ।” ରାଜୁ ପଚାରିଲା, “ତୁମେ କିପରି ଜାଣିଲ ଯେ, ମୁଁ ଜଣେ ଉତ୍ତମ ଲୋକ ବୋଲି ।”

         ଭୂତ କହିଲା “ମୁଁ ଆଗରୁ ମଧ୍ୟ କହିସାରିଛି ଯେ, ଏହି ପାତ୍ରଟି ଅଦ୍ଭୁତ ଶକ୍ତି ସମ୍ପନ୍ନ ଅଟେ । କୌଣସି ଉତ୍ତମ ଲୋକ ଏହାକୁ ସ୍ପର୍ଶ କଲେ, ସେ ମତେ ପ୍ରେରଣ କରିଥାଏ ।”

         ରାଜୁ ଜାଣିବା ପାଇଁ ପଚାରିଲା “ଆଚ୍ଛା, ତୁମେ ଏହି ତମ୍ବାପାତ୍ର ଭିତରେ କିପରି ପ୍ରବେଶ କଲ, ମୁଁ ସେବିଷୟରେ ଜାଣି ପାରେ କି?”

          ତା’କଥା ଶୁଣି ଭୂତ ପରାମର୍ଶ ଦେଲା “ତୁମର ସେଥିରେ କ’ଣ ଅଛି?” ମୋ’ଠାରୁ ସାହାଯ୍ୟ ପାଇ, ନିଜର ଜୀବନ ସୁଖରେ ବିତାଅ ।”

           କିଛି ସମୟ ଚିନ୍ତା କରି ରାଜୁ କହିଲା, “ତେବେ ଶୁଣ । ମୁଁ ଜଣେ କ୍ରୀତ-ଦାସ । ମୁକ୍ତି ଆଶାରେ ବ୍ୟାକୁଳ ହେଉଛି । ସବୁ ପ୍ରକାର ନିର୍ଯ୍ୟାତନାକୁ ସହ୍ୟ କରୁଛି । ମୋର ଯାହା ମନେ ହେଉଛି, ତୁମେ ମଧ୍ୟ ଏହି ତମ୍ବାପାତ୍ରର ଗୋଲାମ । ଜଣେ ଗୋଲାମ ଅନ୍ୟ ଏକ ଗୋଲାମର କଷ୍ଟ ଦୂର କରିବାରେ ସହାୟକ ହେବା, ମୋ ଦୃଷ୍ଟିରେ ପାପ ଓ ଅପରାଧ ଅଟେ ।”

           “ପ୍ରକୃତରେ ତୁମେ ଅତି ଉତ୍ତମ ଲୋକ । ମୁଁ ଏବେ ତୁମକୁ ମୋର କାହାଣୀ ଶୁଣାଇବି । ଧ୍ୟାନର ସହିତ ତାହା ଶୁଣ ।” ଏପରି କହି ଭୂତ ତା’ କାହାଣୀଟି କହିବା ଆରମ୍ଭ କଲା ।

            ବହୁଦିନ ପୂର୍ବେ ଦୁର୍ଜୟ ନାମକ ଜଣେ ବ୍ୟବସାୟୀ ଥିଲା । ସେ ଖୁବ୍ ଧୂର୍ତ ଓ ସ୍ୱାର୍ଥପର ଥିଲା । ନିଜ ଭାଇମାନଙ୍କର ସମ୍ପତ୍ତି ନିଜ ନାମରେ କରିନେଇ, ସେମାନଙ୍କୁ ସେ ଘରୁ ବାହାର କରିଦେଲା । ନିଜର ଅତି ଅନ୍ତରଙ୍ଗ ବନ୍ଧୁ ଗୋପୀ ସହିତ ବିଶ୍ୱାସଘାତକତା କରି ତାକୁବି ସେ ଦାଣ୍ଡର ଭିକାରୀ କରିଦେଲା ।

       ଏଥିଉତାରେ ଗୋପୀ ଭୀଷଣ ଦୁଃଖିତ ମନରେ ଅରଣ୍ୟ ଭିତରକୁ ଯାଇ ସେଠାରେ ସେ ଘୋର୍ ତପସ୍ୟା କଲା । ଫଳସ୍ୱରୂପ ସେ ଦିବ୍ୟ-ଶକ୍ତି ହାସଲ କଲା । ଗ୍ରାମକୁ ଫେରି ଦୁର୍ଜୟକୁ ସେ କହିଲା, “ତୁମେ ତ ଅନେକ ପାପ କରୁଛ । ଏଥିରୁ ମୁକ୍ତି ପାଇବାର ମାର୍ଗ ମୁଁ ତୁମକୁ ବତାଇବି କିନ୍ତୁ ତା’ପୂର୍ବରୁ ତୁମର ସମସ୍ତ ଧନସମ୍ପତ୍ତି ଦରିଦ୍ରଲୋକଙ୍କୁ ବାଂଟିଦିଅ ।”

         ଦୁର୍ଜୟ, ଗୋପୀ କଥାରେ ସମ୍ମତ ହେଲା । କିନ୍ତୁ ଚତୁରତାର ସହିତ, ନିଜର ପରିଚିତ ଆତ୍ମୀୟମାନଙ୍କ ମଧ୍ୟରେ ସେ ତା’ ସମ୍ପତ୍ତି ବଂଟନ କରି, ସେମାନଙ୍କଠାରୁ ସେ ଏହି ପ୍ରତିଶ୍ରୁତି ଆଣିଲା ଯେ, ସେ ଇଚ୍ଛାକଲା ମାତ୍ରେ ସେମାନେ ସମ୍ପତ୍ତି ଫେରାଇ ଦେବେ ।

       ଗୋପୀ ଏ ଶଠତା ବୁଝି ନ ପାରି, ଦୁର୍ଜୟ ସମ୍ମୁଖରେ ଏକ ତମ୍ବା-ପାତ୍ର ରଖି କହିଲା, “ଏହା ଅଦ୍ଭୁତ ଶକ୍ତି ସମ୍ପନ୍ନ ଅଟେ । ପବିତ୍ର ହୃଦୟରେ ଏହାକୁ ସ୍ପର୍ଶ କଲେ, ତୁମର ସମସ୍ତ ପାପ କୁଆଡେ ନାଶ ହେବ । ତା’ପରେ ଦୁହେଁ ଅରଣ୍ୟକୁ ଯାଇ, ସେଠାରେ ବାକି ଜୀବନ ଶୁଦ୍ଧପୁତ ଭାବେ ବିତାଇଲେ ।”

       ସେହି ତମ୍ବା-ପାତ୍ରର କେଉଁସବୁ ଅଦ୍ଭୁତ ଶକ୍ତି ରହିଛି, ଦୁର୍ଜୟ ଗୋପୀକୁ ପଚାରି ବୁଝିଗଲା । ତା’ପରେ ସେ କହିଲା, “ମୁଁ ଅରଣ୍ୟକୁ ଯିବା ପାଇଁ ଇଚ୍ଛା କରୁନାହିଁ, ଏହି ପାତ୍ରଟି ମତେ ଦେଇ, ତୁମେ ଚାଲିଯାଅ ।”

          ଗୋପୀ ଏଥିରେ ସମ୍ମତ ହେଲା ନାହିଁ । ଦୁର୍ଜୟ ବଳପୂର୍ବକ ସେହି ପାତ୍ରଟିକୁ ଆଣିବା ପାଇଁ ଚେଷ୍ଟା କଲା । ଏହାକୁ ସ୍ପର୍ଶ କରିବା ମାତ୍ରେ ସେ ଭୁତ ରୂପରେ, ଏହି ପାତ୍ର ମଧ୍ୟରେ ବନ୍ଦୀ ହୋଇ ରହିଗଲା ।

          ଏପରି ଦୁର୍ଘଟଣା ଦେଖି ଗୋପୀ ଦୀର୍ଘ ଶ୍ୱାସ ପକାଇ କହିଲା “ବନ୍ଧୁତା ଖାତିରରେ ମୁଁ ତୁମକୁ ସାହାଯ୍ୟ କରି, ପାପରୁ ଉଦ୍ଧାର କରିବାକୁ ଚାହିଁଥିଲି । କିନ୍ତୁ, ଏବେ ଏହା ସ୍ପଷ୍ଟ ହୋଇଗଲା ଯେ, ତୁମେ ଏଥିପାଇଁ ମୋଟେ ଉପଯୁକ୍ତ ନୁହଁ । ବର୍ତ୍ତମାନ ମାଟିଖୋଳି ମୁଁ ତୁମକୁ ପୋତିଦେବି । ଯେଉଁଦିନ ତୁମର ସଦ୍ବୁଦ୍ଧି ଉଦୟ ହେବ, ତୁମର ଜଣେ ଉତ୍ତମ ବ୍ୟକ୍ତି ସହିତ ଭେଟ ହେବ । ତାକୁ ସହାୟତା କଲେ ଯାଇ, ତୁମର ପାପର ବିନାଶ ହୋଇ ମୋକ୍ଷ ପ୍ରାପ୍ତ ହେବ ।”

         ତମ୍ବାପାତ୍ର ମଧ୍ୟରେ ବନ୍ଦ ରହି ଦୁର୍ଜୟ ବହୁବର୍ଷକାଳ ଗୋପୀକୁ ମନଇଚ୍ଛା ଗାଳି, ଅଭିଶାପ ଦେଇ ଚାଲିଲା । ପ୍ରାୟ ଶହେବର୍ଷ ପରେ, ତା’ର ମନରେ ଅନୁତାପ ଆସିଲା । ଧୀରେ ଧୀରେ, ଗାଳି, ଅଭିଶାପ ଦେବା ବନ୍ଦ କରି, ନିଜର ମନ୍ଦ ଆଚରଣ ପାଇଁ ସେ ଅନେକ ପଶ୍ଚାତାପ କଲା । ମନ ଭିତରେ ସ୍ଥିର କଲା, କୌଣସି ଉତ୍ତମ ବ୍ୟକ୍ତିକୁ ସାହାଯ୍ୟ କରିବା ମୋର ପରମ କର୍ତ୍ତବ୍ୟ ।

        “ଏବେ ମୁଁ ବୁଝିପାରୁଛି, ତୁମେ ହିଁ ସେହି ଦୁର୍ଜୟ । ଏବେ ମୋର କାହାଣୀ ଶୁଣ ।” ଏହାପରେ ରାଜୁ ତା’ର ଦୁଃଖ ଦୁର୍ଜୟ ଆଗରେ ବଖାଣିଲା ।

       ସବୁ ଶୁଣି ସେ ଭୂତ କହିଲା, “ଏହି ଅଦ୍ଭୁତ ଶକ୍ତି, ଯେ କୌଣସି ଅସମ୍ଭବ କାମକୁବି ସମ୍ଭବ କରିପାରିବ । ଏହି ଶୁଷ୍କ ଜମିରେ ଫସଲ ଉତ୍ପାଦନ କରିବା, ମୋର ବାମ ହାତର ଖେଳ ।” ଏପରି କହି ସେ କିଛି ଗୋଟାଏ ମନ୍ତ୍ର ପଢିଲା । କିଛି କ୍ଷଣ ପରେ, ସେହି ଜମି ସବୁଜିମାରେ ହସି ଉଠିଲା । ସାରା କ୍ଷେତରେ ଫସଲ ପବନରେ ଲହରେଇ ଯାଉଥାଏ ।

ଏହାଦେଖି ରାଜୁ କୃତ୍ୟ କୃତ୍ୟ ହୋଇ ପଚାରିଲା, “କୁହ, ଏବେ ମୁଁ କ’ଣ କରିବି ।”

       “ମୋ ସମ୍ବନ୍ଧରେ ତୁମ ମାଲିକଙ୍କୁ କିଛିବି ଜଣାଇବ ନାହିଁ । ମୁଁ ଏହି ତମ୍ବା ପାତ୍ରରେ ରହିଛି । ଏବେ ଯାଇ ମାଲିକଙ୍କୁ ପଚାରିଆସ, ଅନ୍ୟ ଦୁଇଟି କାମ କ’ଣ?” ଭୂତ ଏପରି କହିଲା ।

       ରାଜୁ ଚରଣ ନିକଟରେ ପହଁଚି ତାକୁ ଜଣାଇଲା ଯେ, ଜମି ଫସଲ ଉପଯୋଗୀ ହୋଇଯାଇଛି । କ୍ଷେତରେ ଫସଲ ଭରିଯାଇଛି ।” ତା’ ମୁହଁରୁ ଏକଥା ଶୁଣି ସେ ଚରଣ ଆଗ ଚମକି ପଡିଲା ।

        ଏହି ବିଚିତ୍ର କଥା ଦେଖିବା ପାଇଁ ସେ ନିଜେ କ୍ଷେତକୁ ଧାଇଁଲା । ତାଙ୍କ ସାଙ୍ଗରେ ତାଙ୍କ ଝିଅ ଶାରଦା ମଧ୍ୟ ଆସିଥାଏ । ଦୁହେଁ ସେହି ପରିପୂର୍ଣ୍ଣ ଫସଲ ଦେଖି ବିସ୍ମିତ ହୋଇଗଲେ ।

ରାଜୁ ପଚାରିଲା, “ଏବେ କୁହ, ମୋର ଦ୍ୱିତୀୟ କାମଟି କ’ଣ?”

        “ତୁ କୌଣସି ସାଧାରଣ ଲୋକ ପରି ମନେ ହେଉ ନାହୁଁ । ତୋ ନିକଟରେ ନିଶ୍ଚୟ କୌଣସି ଅଦ୍ଭୁତ ଶକ୍ତି ରହିଛି । ନଚେତ୍ ଏପରି ଅସମ୍ଭବ କାମ ପୁଣି କିଏ ବା କରିପାରିବ?” ଏପରି କହି ଚରଣ ନିଜ କାନ୍ଧରୁ ଗାମୁଛା କାଢି ତଳେ ପାରିଦେଲା । ତା’ପରେ ରାଜୁକୁ ସେ କହିଲା, “ଏଇ ଗାମୁଛା ସୁନା ମୋହରରେ ପୂର୍ଣ୍ଣ କରିଦେ ।”

          ଚାହୁଁ ଚାହୁଁ ସେ ଗାମୁଛା ଉପରେ ସୁନାମୋହର ବର୍ଷାଧାର ପରି ଢାଳି ହୋଇଗଲା । ଏଣେ ଏ ଚରଣ ବୋକାଙ୍କ ପରି ଚାହିଁରହିଥାଏ ।

ତତ୍ପଶ୍ଚାତ୍ ସେ କିଛି କହିବା ପୂର୍ବରୁ ଝିଅ ଶାରଦା କହିଲା, “ତୁମେ ମତେ ବିବାହ କର, ଏହା ତୃତୀୟ କାମ ।”

 “ମୁଁ ବିବାହ ପାଇଁ ରାଜି, ମାତ୍ର ପ୍ରଥମେ ମତେ ମୁକ୍ତି ଦରକାର ।” ଏପରି କହି ସେ ଚରଣକୁ ଚାହିଁଲା ।

        ଚରଣ କୋପ ଦୃଷ୍ଟିରେ ଚାହିଁ କହିଲା, “ଅଳ୍ପ ବହୁତ ଯାଦୁବିଦ୍ୟା ଶିଖିଗଲୁ ବୋଲି, ତୁ କ’ଣ ମୋର ଝିଅକୁ ବିବାହ କରିବାର ସ୍ୱପ୍ନ ଦେଖୁଛୁ । ତୁ ମୋର କ୍ରୀତଦାସ, ଏକଥା ଯେପରି ତୁ କେବେବି ଭୁଲି ନ ଯାଉ । ମୋ ଝିଅର ସରଳ କଥାରେ କିଛି ମୂଲ୍ୟ ନାହିଁ । ଏବେ ମୁଁ ତତେ କହୁଛି, ତୃତୀୟ କାମଟି କ’ଣ?” ରାଜୁ ନିରୁପାୟ ହୋଇ ସେଥିରେ ସମ୍ମତ ହେଲା ।

          “ମୁଁ ଚାହେଁ, ତୋ ପରି କେହି କ୍ରୀତଦାସ ସର୍ବଦା ମୋ’ ପାଖେପାଖେ ରହି ମୋର ସେବା କରୁଥିବ । ତୁ ସ୍ୱୟଂ ଗୋଲାମ ହୋଇ ରହିବା ପାଇଁ ଚାହୁଁଥିଲେ ରହିପାରୁ, କିମ୍ବା ଅନ୍ୟକାହାର ବନ୍ଦୋବସ୍ତ କରି ପାରୁ ।” ଚରଣର ତୃତୀୟ ଇଚ୍ଛାଟି ଏପରି ଥିଲା ।

        ଏପରି କଥା ଶୁଣି ରାଜୁର ଆଉ ବୁଝିବା ପାଇଁ ବାକୀ ରହିଲା ନାହିଁ ଯେ, ଚରଣ ଜଣେ ଅତ୍ୟନ୍ତ ସ୍ୱାର୍ଥପର କପଟୀ ଲୋକ । କ୍ରୀତଦାସର ଜୀବନରୁ ତା’ର ଆଉ ମୁକ୍ତି ନାହିଁ, ଏକଥା ଭାବି ସେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡିଲା । କିନ୍ତୁ ଅଚାନକ ଏକ ବୁଦ୍ଧି ତା’ର ମୁଣ୍ଡରେ ଢୁକିଲା । ଏହାପରେ ସେ ଚରଣକୁ ପଚାରିଲା, “ମାଲିକ୍, ଆପଣଙ୍କର ଜଣେ ଗୋଲାମ୍ ଦରକାର, ଆପଣଙ୍କୁ ମାନେ ଏଇ ଚରଣ ଶରୀରଧାରୀ ବ୍ୟକ୍ତିଟିକୁ ତ?”

         ଚରଣ ସେଥିରେ ହଁ ଭରିଲା । ଏକଥା ଶୁଣି ରାଜୁ କହିଲା “ଏପରି ହିଁ ହେବ । ମୁଁ ଆପଣଙ୍କ ପାଇଁ ଜଣେ ଗୋଲାମର ଯୋଗାଡ କରିଦେଲେ, ମତେ ମୁକ୍ତି ଦେବେ କିନ୍ତୁ ମୋର ଏକ ସର୍ତ୍ତ, ତାହା ହେଉଛି ମୋର ବିବାହ, ଆପଣଙ୍କ କନ୍ୟା ଶାରଦା ସହିତ କରାଇବେ ।”

        ଚରଣ, ରାଜୁର ସର୍ତ୍ତ ମାନିନେଲା । ରାଜୁ, ମାଲିକକୁ କହିଲା, “ଆପଣ ଏଠାରେ ଅପେକ୍ଷା କରନ୍ତୁ । ମୁଁ ସବୁ ବନ୍ଦୋବସ୍ତ କରୁଛି ।”

      ରାଜୁ ତମ୍ବା-ପାତ୍ରର ଭୂତ ନିକଟକୁ ଯାଇ ତାକୁ ଆମୂଳଚୁଳ ଘଟିଯାଇଥିବା ସବୁ ଘଟଣା ଗୋଟିଗୋଟି କରି ବର୍ଣ୍ଣନା କରି କହିଲା, “ଚରଣ ପରି ଧୂର୍ତ ଅମଣିଷର, ମଣିଷ ରୂପେ ଜୀବିତ ରହିବାର କୌଣସି ଅଧିକାର ନାହିଁ । ଏବେ ତୁମର ସବୁ ପାପର ଅନ୍ତ ଘଟିଲାଣି । ତେଣୁ ତୁମ ଦୁଇଜଣଙ୍କର ସ୍ଥାନ ବଦଳେଇ ଦିଅ । ଅର୍ଥାତ୍ ଚରଣର ଆତ୍ମା ଭୂତ ରୂପରେ ଏଇ ପାତ୍ର ମଧ୍ୟରେ ବନ୍ଦୀ ହୋଇ ରହିବ ଏବଂ ତୁମେ ସେହି ଚରଣର ଶରୀରରେ ପ୍ରବେଶ କରି ମନୁଷ୍ୟ ଜୀବନଯାପନର ସୁଯୋଗ ଲାଭ କରିବା ଉଚିତ୍ । ଏହା ଫଳରେ ଆମ ଦୁଇଜଣଙ୍କୁ ମୁକ୍ତି ମିଳିପାରିବ ।”

        ଦୁର୍ଜୟ ରାଜୁର ବୁଦ୍ଧିମତାକୁ ଅନେକ ପ୍ରଶଂସା କରି, ତା’ର କଥାନୁସାରେ ସବୁ କାମ କଲା । ଏହାପରେ ରାଜୁ ଚରଣକୁ କହିଲା, “ମହାଶୟ, ଚରଣର ଏହି ଜୀବନ୍ତ ଶରୀରକୁ, ତାମ୍ରପତ୍ରର ଭୂତକୁ ଗୋଲାମ ରୂପରେ ଅର୍ପଣ କରୁଛି । ଏହାପରେ ତୃତୀୟ କାର୍ଯ୍ୟ ପୂରଣ ହେଲା । ଏବେ ମୋର ମୁକ୍ତି ।”

       ସେତେବେଳକୁ ଚରଣର ଆତ୍ମା ପାତ୍ର ମଧ୍ୟରେ ବନ୍ଦୀ ହୋଇ ଛଟପଟ ହେଉଥିଲା । ଚରଣର ଶରୀର ଧାରଣ କରିଥିବା ଦୁର୍ଜୟ, ସେହି ଆତ୍ମାକୁ ଚେତାବନୀ ଦେଇ କହିଲା, “ଯେତେବେଳେ ସ୍ୱାର୍ଥ ତା’ର ସୀମା ଲଙ୍ଘନ କରେ, ସେତେବେଳେ ତା’ର ପରିଣାମ ଠିକ୍ ଏହିପରି ହୁଏ । ସ୍ୱାର୍ଥପର ବ୍ୟକ୍ତି ଜାଣିପାରେ ନାହିଁ ଯେ, ସେ ଆପଣା ପାଦରେ କୁରାଢୀ ମାରି, ନିଜ ସର୍ବନାଶର କାରଣ ହୋଇ ସ୍ୱୟଂ ଉଭା ହୋଇଛି । ତୁମେ ଗୋଲାମ ଚାହୁଁଥିଲ, ମାତ୍ର ଏବେ ନିଜେ ଗୋଲାମ ରୂପରେ ବନ୍ଦୀ ହୋଇ ରହିଛ । କିନ୍ତୁ ତୁମ ପରି ନୀଚ ଗୋଲାମ ମୋର କୌଣସି କାମରେ ଆସିବ ନାହିଁ । ତେଣୁ ତୁମ ଆତ୍ମା ସହିତ ଏହି ତମ୍ବା ପାତ୍ରକୁ ମୁଁ ମାଟିତଳେ ପୋତିଦେବି । ତୁମପରି, ମୋ ପରି ସ୍ୱାର୍ଥାନ୍ଧ ଲୋକଙ୍କୁ ସତମାର୍ଗ ଦେଖାଇବା ପାଇଁ ଗୋପୀ ଏପରି ପାତ୍ରର ସୃଷ୍ଟି କରିଥିଲା । ତା’ର ଇଚ୍ଛା ଥିଲା, ସତମାର୍ଗ ଅନୁସରଣ କରି, ମୁଁ ମଧ୍ୟ ସଂସାରର ଯଥାସାଧ୍ୟ ସେବା କରିପାରିବି । ଏବେ ତା’ର ସେ ଲକ୍ଷ୍ୟ ପୂରଣ ହେଲା । ତେଣୁ ତୁମେ ଯେତେ ଚଂଚଳ ସମ୍ଭବ, ଜଣେ ଉତ୍ତମ ମଣିଷ ହେବାପାଇଁ ଚେଷ୍ଟା କର ।”

         ସେଠାରେ ତମ୍ବାପାତ୍ରଟି ମାଟିଖୋଳି ପୋତିଦେଇ ସେମାନେ ଘରକୁ ଚାଲିଆସିଲେ । ରାଜୁ ଓ ଶାରଦାଙ୍କର ବିବାହ ଅନୁଷ୍ଠିତ ହେଲା । ଏହାର ଅଳ୍ପଦିନ ପରେ ଦୁର୍ଜୟର ମୃତ୍ୟୁ ଘଟିଲା ।

      ରାଜୁ ସ୍ୱୟଂ ସୁଖୀ ଜୀବନ ବିତେଇବା ସହିତ ଅନ୍ୟମାନଙ୍କୁ ଉତ୍ତମ ମଣିଷ ହେବାର ସତ୍ମାର୍ଗ ଦେଖାଇଲା  ଭୂସ୍ଥାପିତ ତମ୍ବାପାତ୍ରର ଭୂତ, ଆଉ ଏକ ଚରଣର ପ୍ରତୀକ୍ଷାରେ ସେମିତି ପଡିରହିଲା ।

Share to...