ଦୁଷ୍ଟା ଦାସୀ

ଦୁଷ୍ଟା ଦାସୀ

         ଅନେକ ଦିନ ତଳର କଥା । ଇବୋ ନାମକ ରାଜ୍ୟରେ ଗୋଟିଏ ସୁନ୍ଦରୀ ଝିଅ ଥିଲା । ତା’ର ନାମ ଆକିମ୍ । ଆକିମ୍ର ବାପ ମା ତାକୁ ବାହା ଦେବା ପାଇଁ ଖୋଜି ଖୋଜି ଗୋଟିଏ ଭଲ ବର ଯୋଗାଡ କଲେ । ତା’ପରେ ବାହାଘରର ଆୟୋଜନ ମଧ୍ୟ ହେଲା । ସେ ଦେଶର ନିୟମ ଅନୁସାରେ କନ୍ୟାକୁ ତ ବର ଘରକୁ ପଠାଯାଏ । ସେହିଠାରେ ଯାଇ ଦୁହେଁ ବିବାହ କରି ରହନ୍ତି । ଏଣୁ ସେ ଆକିମ୍ର ମା ବଜାରରୁ ସବୁ ଦରକାରୀ ଜିନିଷ କିଣି ଆଣିଲେ । ସେ ଆକିମ୍ ପାଇଁ ଗୋଟିଏ ଚାକରାଣୀ ବି ଠିକ୍ ହୋଇଥାଏ । ଆଉ ସେ ଆକିମ୍ ଯେପରି ତା’ଘରକଥା ଭାବି ବେଶି କନ୍ଦାକଟା ନ କରେ ସେଥିପାଇଁ ତା ସାନ ଭଉଣୀକୁ ମଧ୍ୟ ଆକିମ୍ ସାଙ୍ଗରେ ପଠାଯାଇଥାଏ । ଗାଁ ଲୋକେ ଖୁସି ମନରେ ଆକିମ୍କୁ କଲ୍ୟାଣ କରି ବିଦାୟ ଦେଲେ ।

      ତା’ପରେ ବିଦାହୋଇ ସେ ତିନିଜଣଯାକ ଗାଁରୁ ବାହାରିଲେ । ଆଗରେ ଚାକରାଣୀ ବଡ ଗଣ୍ଠିଲିଟି ମୁଣ୍ଡେଇ ଚାଲୁଥାଏ । ତା ପଛକୁ ଆକିମ୍ । ସେ ଅଳଙ୍କାର ଓ ଲୁଗାପଟା ଧରି ଚାଲିଥାଏ । ସବା ପଛରେ ସାନଭଉଣୀ । ବହୁତ ରାସ୍ତା ଯିବାପରେ ସେମାନେ ଗୋଟିଏ ନଈ ପାଖରେ ଯାଇ ପହଁଚିଲେ । ସେଠାରୁ ଆକିମ୍ର ସ୍ୱାମୀଘର କମ୍ ବାଟ । ସେହି ନଈରେ ଗାଧୋଇ ପଡି ନୂଆ ଲୁଗାପଟା ଓ ଅଳଙ୍କାର ପିନ୍ଧିବାକୁ ଆକିମ୍ ସ୍ଥିରକଲା । ତେଣୁ ସେ ଆକିମ୍ ଓ ତା’ର ଚାକରାଣୀ ପାଣିରେ ପଶିଲେ । ସେ ଚାକରାଣୀଟା ତ ବଡ ବଦମାସ୍ । ସେ ଖାଉନ୍ଦାଣୀକୁ ସାହାଯ୍ୟ କରିବାର ଛଳନା କରି ଆକିମ୍କୁ ନଈ ଭିତରକୁ ଠେଲିଦେଲା । ଫଳରେ ସେ ଆକିମ୍ ନଈରେ ବୁଡିଗଲା ।

             ଏଣେ ତା’ସାନ ଭଉଣୀ ପାଟିକରି ଅନେକ କାନ୍ଦିଲା । ମାତ୍ର ଚାକରାଣୀ ତାକୁ ଧମକାଇ ଦେଲା । ଆଉ କହିଲା ଯଦି ସେ ପାଟିକରେ ବା କାହାକୁ ଏ ଘଟଣା ବାବଦରେ କିଛିବି କହେ, ତେବେ ତା ପ୍ରାଣ ଆଉ ରହିବ ନାହିଁ । ତେଣୁ ଜୀବନ ଭୟରେ ସାନ ଚୁପ୍ ରହିଲା ଓ ଚାକରାଣୀ କଥା ମାନିଲା ।

         ଚାକରାଣୀ ନଈରେ ପଶି ଘଷି ମାଜି ହୋଇ ଗାଧୋଇଲା । ତାପରେ ସେ ଆକିମ୍ର ସବୁ ଅଳଙ୍କାର ଓ ନୁଆ ଲୁଗାପଟା ପିନ୍ଧିଲା । ନିଜେ କନିଆ ସାଜି ସାନ ଭଉଣୀ ମୁଣ୍ଡରେ ବୋଝ ଲଦି ବେଶ୍ ଆରାମ୍ରେ ସେ ଚାକରାଣୀ ଚାଲିଲା । କିଛିବାଟ ଯିବାପରେ ସେମାନେ ଯାଇ ବର ଗାଁରେ ପହଁଚିଗଲେ । ସେଠାରେ ତ ଆକିମ୍ର ବର ଅପେକ୍ଷା କରି ରହିଥାଏ । ସ୍ତ୍ରୀକୁ ଦେଖି ତା ମନରେ ବଡ ଦୁଃଖ ହେଲା । କାରଣ ସେ ତ ଶୁଣିଥିଲା ଯେ, ତା’ ସ୍ତ୍ରୀ ଖୁବ୍ ସୁନ୍ଦରୀ ଓ ଗୁଣବତୀ ମଧ୍ୟ । ମାତ୍ର ଏବେ ସେ ଆଖିରେ ଦେଖିଲା ତା ସ୍ତ୍ରୀ ଆଦୌ ସୁନ୍ଦରୀ ନୁହେଁ । ଲୋକଟି ବଡ ଉଦାର ଓ ଦୟାଳୁ । ତେଣୁ କିଛି ବି ନ କହି ସେ ଲୋକଟି ତା ସ୍ତ୍ରୀକୁ ଘରକୁ ଡାକିନେଲା । ଚାକରାଣୀ ସେ ଘରର ଯାବତୀୟ କାମ ଏ ଛୋଟ ଝିଅଟି ହାତରେ କରାଇ ନିଜେ ମାଲିକାଣୀ ହେଲା ।

         ପ୍ରତିଦିନ ପାଣି ଆଣିବା ପାଇଁ ସାନ ଭଉଣୀ ତ ସେ ନଈକୁଳକୁ ଯାଏ । ହେଲେ ସେ ପିଲାଟା ମାଠିଆ ଭର୍ତ୍ତି କରି ପାଣି ମୋଟେ ଆଣିପାରେନା । ତେଣୁ ସାଆନ୍ତାଣୀ ବନିଥିବା ସେ ଚାକରାଣୀ ଏ ସାନଭଉଣୀକୁ ଖୁବ୍ ମାଡ ଦିଏ । ଦିନେ ସେ ସାନ ଭଉଣୀ ଆଉ ସମ୍ଭାଳି ନ ପାରି ନଈ କୂଳରେ ଆକିମ୍ ନାଁ ଧରି ଖୁବ୍ ବିକଳ ହୋଇ କାନ୍ଦିଲା । ସେଇଠୁ କ’ଣ ହେଲାନା ଏକ ଅଦ୍ଭୁତ ଘଟଣା ଘଟିଲା । ପାଣି ଭିତରୁ ସେ ଆକିମ୍ ଧୀରେ ମୁଣ୍ଡ ଉଠାଇ ବାହାରିଲା ଓ ସେ ତା’ସାନ ଭଉଣୀ ଆଡକୁ ଚାହିଁ ଟିକେ ହସିଲା । ଆକିମ୍କୁ ଦେଖି ତା’ ସାନଭଉଣୀ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲା । କାରଣ ଆକିମ୍ ବଂଚିଛି ବୋଲି ସେ ତ ମୋଟେ ଆଶା ବି କରି ନ ଥିଲା । ତା’ପରେ ସେ ଆକିମ୍ ପାଟିକରି କହିଲା, ଜଳ ଦେବତା ତାକୁ ବଂଚାଇ ଗୋଟିଏ ଜଳପରୀ କରି ଦେଇଛନ୍ତି ।

         ତେଣୁ ତା’ର ଗୋଡ ଦୁଇଟି ବଦଳି ମାଛ ଲାଞ୍ଜ ହୋଇଯାଇଛି । ଏହା କହି ସେ ଆକିମ୍ ନଈ ଭିତରୁ ବାହାରି ଘାସ ଉପରେ ଗୁରୁଣ୍ଡି ତା’ ସାନ ଭଉଣୀ ପାଖକୁ ଆସିଲା । ତହୁଁ ସେ ଦୁଇ ଭଉଣୀ କୁଣ୍ଢାକୁଣ୍ଢି ହୋଇ କେତେ କାନ୍ଦିଲେ । ଚାକରାଣୀ ସେଠାରେ କିପରି ଆରାମ୍ରେ ଅଛି ଓ ତାକୁ ଚାକରାଣୀ ପରି ଖଟାଉଛି ସେ ଦୁଃଖ ସାନ ତା ବଡଭଉଣୀ ଆଗରେ ଗୋଟିଗୋଟି କରି କହିଲା । ହେଲେ ଏବେ ପୁଣି ସେ ଆକିମ୍ର ଆଉ ଉପାୟ କ’ଣ? ସେ ତ ଗୋଟିଏ ଜଳପରୀ ହୋଇଯାଇଛି । ତଥାପି ବି ସେ ଦୁଇଭଉଣୀ ଠିକ୍ କଲେ, ସେମାନେ ଜଳଦେବତାଙ୍କୁ ଗୁହାରି କରିବେ । କାଳେ ଜଳଦେବତା ଶୁଣିଲେ ସେମାନଙ୍କ ଦୁଃଖ ଘୁଂଚିପାରେ । ଆକିମ୍ ସେ ପାଣି ମାଠିଆ ସାନଭଉଣୀ ମୁଣ୍ଡକୁ ଉଠାଇ ଦେଲା । ସବୁଦିନ ଆସିବ ବୋଲି କହି ପିଲାଟି ତା’ଭଉଣୀ ଠାରୁ ବିଦାୟ ନେଲା ।

         ବଡ ଭଉଣୀକୁ ଦେଖିବାପରେ ସାନ ମନରେ ଟିକେ ଶାନ୍ତି ଆସିଲା । ତେଣୁ ସେ ପ୍ରତ୍ୟେକ ଦିନ ନଈ କୂଳରେ ନିଜ ଭଉଣୀକୁ ଦେଖାକରେ । ସେଠାରେ ସେ ଦୁଇ ଭଉଣୀ ଅନେକ ଦୁଃଖ ସୁଖ ହୁଅନ୍ତି । ସେ ଚାକରାଣୀକୁ ଘରୁ ତଡି କିପରି ଏ ଦୁହେଁ ଆନନ୍ଦରେ ରହିବେ ସେ ଉପାୟ ବି ଚିନ୍ତା କରନ୍ତି । ଦିନେ ସେ ଚାକରାଣୀ ଏ ସାନକୁ ବହୁତ ମାଡ ଦେଲା । ମାଡ ଖାଇ ଝିଅଟି ଖାଲି ବିକଳ ହୋଇ କାନ୍ଦୁଥାଏ । ଆକିମ୍ ର ସ୍ୱାମୀ ତା ଘରକୁ ଫେରି ଦେଖିଲା, ଛୋଟ ଝିଅଟି ମାଡଖାଇ ଖୁବ୍ କାନ୍ଦୁଛି । ଏହିପରି ଘଟଣା ତ ସେ ପୂର୍ବରୁ ଅନେକଥର ଦେଖିଛି । ତାଛଡା ସେ ବି ଜାଣେ ଯେ, ତା ସ୍ତ୍ରୀ ଯେପରି ଅସୁନ୍ଦରୀ ସେହିପରି ନିଷ୍ଠୁରା ମଧ୍ୟ । ତା ହୃଦୟରେ ଦୟାମାୟା ବୋଲି କିଛିବି ନାହିଁ ।

        ଆକିମ୍ ର  ସ୍ୱାମୀ ପଦାରେ ମନମାରି ବସିଥାଏ । ଦୁଃଖରେ ସେ ଗୋଟିଏ ଦୀର୍ଘନିଶ୍ୱାସ ପକାଇଲା । ଠିକ୍ ଏତିକିବେଳେ ଝିଟିପିଟିଟିଏ ଚାଳ ଉପରେ ଥାଇ ତାକୁ ତା ମନ ଦୁଃଖର କାରଣ ପଚାରିଲା । ତହୁଁ ସେ ଲୋକଟି ତା ଦୁଃଖ କହିଲା । ସବୁ ଶୁଣି ସେ ଝିଟିପିଟି ପ୍ରଥମେ କିଛି ଖାଦ୍ୟ ମାଗିଲା । ଆକିମ୍ର ସ୍ୱାମୀ ଖାଇବାକୁ ଆଣିଦେଲା । ଝିଟିପିଟି ଆଗ ମନବୋଧ କରି ଖାଇଲା ।

       ତା’ପରେ ସେ ଝିଟିପିଟି କହିଲା, “ଶୁଣ ଏ ଯେଉଁ ମାଇକିନାଟାକୁ ଘରେ ରଖିଛୁ ସେ ତୋ ସ୍ତ୍ରୀ ନୁହେଁ । ଯଦି ତୁ ତୋର ସ୍ତ୍ରୀକୁ ଦେଖିବାକୁ ଚାହୁଁ, ତେବେ କାଲି ସକାଳୁ ନଈକୂଳକୁ ଯିବୁ । ଆଉ ଯିବାବେଳେ ସାଙ୍ଗରେ କିଛି ଗବମଞ୍ଜି ନିଶ୍ଚୟ ନେଇ ଯାଇଥିବୁ । ତମ ନଈତୁଠ ଗଛ ପାଖରେ ସେ ଗବମଞ୍ଜିତକ ବୁଣିଦେବୁ । ତାପରେ ଯାହାହେବ ତୁ ଦେଖିବୁ ।

          ଲୋକଟି ଝିଟିପିଟି କଥା ଭଲକରି ମନେ ରଖିଲା । ତାପରଦିନ ସକାଳୁ ତା’ରି କଥା ଅନୁସାରେ ଲୋକଟି ସବୁ କାମ ବି କଲା । ତା’ପରେ ସେ ଲୁଚିକରି ଅପେକ୍ଷା କଲା । ଅଳ୍ପ ସମୟ ପରେ ଝିଅଟି ନଈକୂଳକୁ ଆସିଲା ଓ ଆକିମ୍ର ନାଁ ଧରି ଡାକିଲା । ସେସବୁ ଦେଖି ଆକିମ୍ ସ୍ୱାମୀର ଆଖି ଝଲସିଗଲା । ବର୍ତ୍ତମାନ କ’ଣ ହଉଚି ଦେଖିବା ପାଇଁ ସେ ଲୁଚିଥାଏ । ଏଣେ ସେ ଆକିମ୍ ଆସ୍ତେ ଆସ୍ତେ ତା ଭଉଣୀ ପାଖକୁ ଆସିଲା । ଘୁଷୁରି ଘୁଷୁରି ଆସିବାବେଳେ ଯେଉଁ ଗବମଞ୍ଜି ବୁଣା ହୋଇଥିଲା ସେହିଠି ଖସଡିଯାଇ ରହିଲା । ଫଳରେ ସେ ଆକିମ୍ ଆଉ ଉଠି ପାରିଲା ନାହିଁ । ଠିକ୍ ଏହି ସମୟରେ ତା’ ସ୍ୱାମୀ ଆଢୁଆଳରୁ ବାହାରି ଏ ଜଳପରୀର ହାତଧରି ପକାଇଲା ।

         ଧରାପଡିଯାଇ ଆକିମ୍ ଓ ତା’ ଭଉଣୀ ସବୁକଥା କହିଲେ । ତାପରେ ସେ ଲୋକଟି ଜାଣିଲା ଯେ, ଏଇ ଜଳପରୀ ହେଉଛି ତାର ପ୍ରକୃତ ସ୍ତ୍ରୀ । ତେଣୁ ସେ ଲୋକଟି ଆକିମ୍କୁ ଠିକ୍ ଅଧରାତିରେ ତା’ ଘରକୁ ନେଇଗଲା । ତାକୁ ତ ଜଣାଥିଲା ଯେ ଶୁଖିଲାରେ ତିନିମାସ ରହିଲେ ଲାଞ୍ଜ ପୁଣି ଗୋଡ ହୋଇଯିବ । ତେଣୁ ଆକିମ୍କୁ ନେଇ ସେ ଲୋକଟି ଗୋଟିଏ ଗୁପ୍ତ ଜାଗାରେ ଲୁଚାଇ ରଖିଲା । ତେଣୁ ସେ ଆକିମ୍ ସବୁବେଳେ ଖାଲି ଶୋଇ ରହିଲା ।

       ଏହିପରି ଭାବେ ଦିନ ପରେ ଦିନ ବିତିଗଲା । ଆକିମ୍ ର ମାଛଲାଞ୍ଜ ଛିଡିଯାଇ ସେଠାରୁ ଗୋଡ କଅଁଳିଲା । ପୂର୍ବାପେକ୍ଷା ସେ ବି ଆହୁରି ସୁନ୍ଦର ଦିଶିଲା । ଏଣୁ ତା ମନରେ ମଧ୍ୟ ଅନେକ ଆଶା ଚେଇଁ ଉଠିଲା । ଅତିଶୀଘ୍ର ସେ ତା’ର ସ୍ୱାମୀ ସହିତ ମହା ଆନନ୍ଦରେ ରହିବ ବୋଲି ଭାବି କାଳ କାଟୁଥାଏ । ଆନନ୍ଦରେ ବିଭୋର ହୋଇ ଆଖି ବୁଜିଦିଏ । ଦିନେ ବିଛଣାରେ ପଡି ସୁଖ-ସ୍ୱପ୍ନରେ ଭୋଳ ହୋଇଥିବାବେଳେ ସେ ଆକିମ୍ ଶୁଣିଲା ତା ସାନଭଉଣୀ ଖୁବ୍ ବିକଳ ହୋଇ କାନ୍ଦୁଛି । କାହିଁକିନା ସେ ଚାକରାଣୀ ତାକୁ ଅତି ନିର୍ଦ୍ଦୟ ଭାବରେ ମାଡ ଦେଉଛି । ଏଣେ ସେ ଆକିମ୍ ଆଉ ଏ ଦୃଶ୍ୟ ସହି ପାରିଲା ନାହିଁ ।

ଆକିମ୍ ହଠାତ୍ ଉଠିଯାଇ ବାଡିଖଣ୍ଡିକ ସେ ଚାକରାଣୀ ହାତରୁ ଛଡାଇ ଆଣିଲା । ଚାକରାଣୀ ଆକିମ୍ କୁ ଦେଖି ଭୂତ ଦେଖିବା ଭଳି ଚମକି ପଡିଲା । କାରଣ ସେ କ’ଣ ଜାଣିଥିଲା ଯେ, ଆକିମ୍ ଆଉ ବଂଚିଛି? ତେଣୁ ଅତ୍ୟନ୍ତ ଭୟରେ ସେ ଚାକରାଣୀ ମୂକ ପାଲଟି ଗଲା । ଠିକ୍ ଏଇ ସମୟରେ ସେ ଆକିମ୍ ର ସ୍ୱାମୀ ମଧ୍ୟ ଆସି ସେଠାରେ ପହଁଚିଗଲା । କାରଣ ପିଲାଟିର ବିକଳ କାନ୍ଦଣା ତା କାନରେ ବି ବାଜିଥାଏ । ତାପରେ ଆକିମ୍ ର ସ୍ୱାମୀ ସେ ଚାକରାଣୀକୁ ବହୁତ ଅପମାନ ଦେଇ ସେ ଘରୁ ତାକୁ ବାହାର କରିଦେଲା । ଚାକରାଣୀ ଗାଳି ଅପମାନ ଶୁଣି କାନମୁଣ୍ଡା ଆଉଁସି ନିଜବାଟରେ ଗଲା ।

      ଏହାପରେ ସେ ଆକିମ୍ ର ବାହାଘର ଖୁବ୍ ଜାକଜମକରେ ହେଲା । ବାହାଘର ମଉଜରେ ସାନଭଉଣୀ ଅତୀତର ସବୁ ଦୁଃଖକଷ୍ଟ ଭୁଲିଗଲା ।  ବଡଭଉଣୀ ପାଖରେ ତା’ସାନ ଭଉଣୀର ଦିନଗୁଡିକ ଅତି ଆନନ୍ଦରେ କଟିଲା ।  ଦୁଃଖ ପରେ ସୁଖ ଆସେ, ଅନ୍ଧାର ପରେ ପୁଣି ଆଲୁଅ ଆସେ । ଠିକ୍ ସେହିପରି ସେ ଦି’ ଭଉଣୀଙ୍କ ଜୀବନରେ ଯେଉଁ ଅନ୍ଧାର ଘୋଟି ଯାଇଥିଲା ତାହା ପୁଣି ବଦଳିଯାଇ ଆଲୁଅ ଦେଖାଦେଲା । ପରିଶେଷରେ ସେ ଦିହେଁ ଅତି ଆନନ୍ଦରେ ଦିନ ବିତାଇଲେ ।

Share to...