ଦେବାନଙ୍କ ଶିକ୍ଷା

ଦେବାନଙ୍କ ଶିକ୍ଷା

    କାଶୀପୁରର ଜମିଦାର ଘୋଡା ଚଢା, ଶୀକାର ଓ ମଲ୍ଲବିଦ୍ୟାରେ ଖୁବ୍ ପାରଙ୍ଗମ ଥିଲେ । ତାଙ୍କ ପ୍ରଜାମାନେ ବି ଏସବୁ ବିଦ୍ୟା ହାସଲ କରନ୍ତୁ, ଏହା ତାଙ୍କ ଇଚ୍ଛା ଥିଲା । ତେଣୁ ସେ ପ୍ରତି ଗ୍ରାମରେ ଗୋଟାଏ ଗୋଟାଏ କୁସ୍ତି ଆଖଡା ସ୍ଥାପନ କରିଥିଲେ । ଜଣେ ଜଣେ ମଲ୍ଲବୀରଙ୍କୁ ପ୍ରତି ଆଖଡା ଉପରେ ଅଧ୍ୟକ୍ଷ ଭାବରେ ସେ ନିଯୁକ୍ତି ଦେଇଥିଲେ ।

       ଥରେ ଜମିଦାର ଦେଶ ଦେଶାନ୍ତର ପର୍ଯ୍ୟଟନ କରିବାକୁ ଗଲେ । ସେ ଦେଖିଲେ ଅନ୍ୟାନ୍ୟ ରାଜା ଜମିଦାରମାନେ ଆପଣା ଆପଣା ରାଜ୍ୟ ବା ଜମିଦାରିରେ ଅନେକ ଗୁଡିଏ ବିଦ୍ୟାଳୟ ସ୍ଥାପନ କରିଛନ୍ତି । ସେ ଅନୁଭବ କଲେ କି ବାସ୍ତବିକ ସର୍ବତ୍ର ବିଦ୍ୟାର ଆଦର ବହୁତ । ଅତଏବ ନିଜ ଜମିଦାରିରେ ମଧ୍ୟ ବିଦ୍ୟାଳୟମାନ ସ୍ଥାପନ କରିବା ଉଚିତ୍ ହେବ ବୋଲି ସେ ମନେ କଲେ ।

      ଘରକୁ ଫେରି ଆସି ସେ ନିଜ ଦେବାନଙ୍କୁ ଡକାଇ କହିଲେ, “ଦେବାନ୍ ବାହାଦୂର୍! ମୁଁ ଯୁଆଡେ ଗଲି, ଦେଖିଲି ପିଲାଗୁଡା ପାଠଶାଠ ପଢି ମଣିଷ ହେଉଛନ୍ତି । ଆମ ନିଜ ମୁଲକରେ କିନ୍ତୁ ପାଠ ପଢା ମୋଟେ ହେଉ ନାହିଁ । ଗୋଟାଏ କାମ କର । ପ୍ରତି ଗ୍ରାମରେ ପାଠଶାଳା ଖୋଲିଦିଅ ।”

“ହଜୁର୍! ସେଥିରେ ତ ବହୁତ ପଇସା ଖର୍ଚ୍ଚ ହେବ!”

ଜମିଦାର କହିଲେ “ହେଲେ ହେଉ, ଆଉ କ’ଣ କରିବା!”

        ହଠାତ୍ ଦେବାନଙ୍କ ମୁହଁ ଉଜ୍ଜ୍ୱଳ ଦେଖାଗଲା! ସେ କହିଲେ, “ହଜୁର୍! ବିଶେଷ କିଛି ଖର୍ଚ୍ଚ ହେବ ନାହିଁ । ମୁଁ ଗୋଟାଏ ବଢିଆ ଯୋଜନା କରିଛି । ଦେଖିବେ, ବର୍ଷ ଦୁଇଟାରେ ସମସ୍ତେ ଶିକ୍ଷୀତ ହୋଇଯିବେ ।”

ଜମିଦାର କହିଲେ “ହଉ, ଦେଖିବା!”

        ଦେବାନ୍ ପ୍ରତି କୁସ୍ତି ଆଖଡାର ଅଧ୍ୟକ୍ଷମାନଙ୍କ ପାଖକୁ ନିର୍ଦ୍ଧେଶ ଦେଲେ କି ସନ୍ଧ୍ୟାବେଳେ ସିନା ସେମାନେ ଲୋକଙ୍କୁ ମଲ୍ଲବିଦ୍ୟା ଶିଖାଉଛନ୍ତି, ହେଲେ ଦିନବେଳେ କ’ଣ କରୁଛନ୍ତି? ଏଣିକି ପ୍ରତ୍ୟେକ କୁସ୍ତି ଆଖଡା ଦିନବେଳେ ଚାହାଳିରେ ପରିଣତ ହେବ । ମଲ୍ଲବୀରମାନେ ପିଲାଙ୍କୁ ପାଠ ପଢାଇବେ । ତେବେ ପାଠ ପଢାଇବା ବେଳେ ସେମାନେ ଧୋତି ପଞ୍ଜାବି ପିନ୍ଧିବେ । ଚଦର ପକାଇବେ । ଶିକ୍ଷକ ଭଳି ଦେଖାଯିବା ଆବଶ୍ୟକ । ସେଥିପାଇଁ ଯାହା କିଛିବି ଖର୍ଚ୍ଚ ହେବ, ତାହା ଦିଆଯିବ ।

ମଲ୍ଲବୀରମାନେ ଦିନବେଳେ ଶିକ୍ଷକତା କଲେ । ଆଖଡାମାନ ଦିନବେଳେ ଚାହାଳିରେ ପରିଣତ ହେଲା ।

        ବର୍ଷକ ପରେ ଜମିଦାରଙ୍କ ନିର୍ଦ୍ଧେଶରେ ଦେବାନ୍ ପାଠଶାଠରେ କେତେଦୂର ଅଗ୍ରଗତି ହେଲାଣି, ତାହା ଦେଖିବାକୁ ସେ ବାହାରିଲେ । ସେ ହଠାତ୍ ଗୋଟାଏ ଚାହାଳିରେ ପହଁଚି ଦେଖିଲେ, ଚାହାଳିର ଶିକ୍ଷକ ଶୋଇଛନ୍ତି । ଏଣେ ପିଲାମାନେ ଖେଳୁଛନ୍ତି । ଦେବାନ୍ ଗୋଟାଏ ପିଲାକୁ ଧମକ ଦେଇ ପଚାରିଲେ, “କହିଲୁ, ରାମାୟଣ କିଏ ଲେଖିଥିଲେ?”

ପିଲାଟି ଆଖି ବଡ ବଡ କରି କହିଲା, “ଆଜ୍ଞା, ମୁଁ ଲେଖି ନାହିଁ । ମୁଁ ଖାଲି ସିଲଟରେ ଗାର ପକାଇଛି ।”

       ଏଭଳି ଅଦ୍ଭୁତ ଉତ୍ତର ଶୁଣି ଦେବାନ୍ ଆଉ ଜଣେ ପିଲାକୁ ସେହି ଏକା ପ୍ରଶ୍ନ ପଚାରିଲେ । ସେ ପ୍ରାୟ କାନ୍ଦ କାନ୍ଦ ହୋଇ କହିଲା, “ଆଜ୍ଞା, ଆପଣ ମୁଁ ଲେଖିଛି ବୋଲି ସନ୍ଦେହ କରୁଛନ୍ତି? ଠାକୁରାଣୀଙ୍କ ଦ୍ୱାହି ଦେଇ କହୁଛି, ମୁଁ ତାହା ଲେଖି ନାହିଁ ।”

       ଦେୱାନଙ୍କର ଆଉ ଧୈର୍ଯ୍ୟ ରହିଲା ନାହିଁ । ଟେବୁଲ୍ ଉପରେ ଶୋଇ ଘୁଙ୍ଗୁଡି ମାରୁଥିବା ମଲ୍ଲବୀର ଶିକ୍ଷକଙ୍କୁ ସେ ଠେଲି ଦେଲେ । ସେ ତଳକୁ ଖସି ପଡି ଦେବାନଙ୍କୁ ହଠାତ୍ ଦେଖି ଚମକି ପଡି କହିଲେ, “ଓଳିଗି, ହଜୁର୍, ଓଳିଗି । କାଲି ଅଧରାତି ଯାଏଁ କୁସ୍ତି ହୋଇଥିଲା । ତେଣୁ ମୋତେ ଟିକେ ନିଦ ଲାଗି ଯାଇଥିଲା ।”

           ଦେବାନ୍ ବିରକ୍ତ ହୋଇ କହିଲେ “ତମ ପିଲାଏଁ କି ପାଠ ପଢିଛନ୍ତି? ଏ ଦୁଇଟି ପିଲାଙ୍କୁ ମୁଁ ରାମାୟଣ କିଏ ଲେଖିଛି ବୋଲି ପଚାରିବାରୁ ଏ ଦୁହେଁ କହୁଛନ୍ତି କି ସେମାନେ କେହି ଲେଖି ନାହାଁନ୍ତି! ଶେଷକୁ ଏ କଥା ବି କାନ ଶୁଣିଲା!”

          “ସତେ? ଟୋକା ଦୁଇଟା ଏକଥା କହୁଛନ୍ତି? ହଜୁର୍! ଆପଣଙ୍କ ସନ୍ଦେହ କ’ଣ କେବେବି ଭୁଲ୍ ହୋଇପାରେ? ହଜୁର୍, ଏ ଦୁଇଟାଙ୍କ ଭିତରୁ କିଏ ହେଲେ ଲେଖିଛି । ଦିଟା ଛେଚି ଦେଲେ ସତ କଥା ଆପେ ବାହାରି ପଡିବ ।” ଏହା କହି ମଲ୍ଲବୀର ପଞ୍ଜାବି ଖୋଲି ପକାଇବାକୁ ବାହାରିଲେ ।

       “ଥାଉ, ଥାଉ । ହେଲା । ପିଲାଙ୍କୁ ବାଡେଇବା କିଛି ଦରକାର ନାହିଁ । ଖବରଦାର୍ ହାତ ଉଠାଇବ ନାହିଁ ।” ଏହା କହି ଦେବାନ୍ ସେଠାରୁ ଚାଲିଗଲେ ।

         ଜମିଦାର ଦେବାନଙ୍କ ପାଖରୁ ତାଙ୍କ ଅଭିଜ୍ଞତା ବିଷୟରେ ଶୁଣି କହିଲେ, “ଦେବାନ୍! ତମେ ଯେତେବେଳେ କହିଲ ଯେ ବିନା ବ୍ୟୟରେ ପାଠଶାଳାମାନ ଖୋଲାଯିବ, ସେତେବେଳେ ମୁଁ ମନେ ମନେ ହସିଲି, କିନ୍ତୁ ତୁମକୁ ହତୋତ୍ସାହ କରିବାକୁ ମୋ ମନ ବଳିଲା ନାହିଁ । ମଲ୍ଲବୀରମାନେ ମଲ୍ଲବିଦ୍ୟା ଶିଖାଇବେ । ସେମାନେ ପାଠ କିପରି ପଢାଇବେ? ଶିକ୍ଷକ ହେବାପାଇଁ ଶିକ୍ଷା, ମହତ୍ ଚରିତ୍ର, ଧୈର୍ଯ୍ୟ ଏବଂ ମାନବିକତା ଏକାନ୍ତ ଆବଶ୍ୟକ । ଯେତେ ଯାହା ଖର୍ଚ୍ଚ ହେବ ହେଉ । ପ୍ରଥମେ ଶିକ୍ଷକତା କରିବା ଭଳି ଉପଯୁକ୍ତ ମଣିଷ କେତେଜଣ ଖୋଜି ବାହାର କର । ତା’ପରେ ସିନା ବିଦ୍ୟାଳୟ ଖୋଲିବା ।”

      ଦେବାନ୍ ଗମ୍ଭୀର ଭାବରେ ଜମିଦାରଙ୍କ ପ୍ରସ୍ତାବକୁ ସମର୍ଥନ କଲେ ଓ କହିଲେ, “ପ୍ରଥମ ବର୍ଷଟି ମୋହରି ଯେତିକି ଶିକ୍ଷା ହେଲା!” ଏକଥା ଶୁଣି ଜମିଦାର ହସିଲେ ।

Share to...