ନିଷ୍ପତି ବଦଳ

      ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ବିଜୁଳି ଆଲୁଅର ଝଲକରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ନହୋଇ ପୁନର୍ବାର ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତା’ପରେ ତାକୁ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତମେ ଏ ନିର୍ଜନ ରାତିରେ ଏଭଳି ପରିଶ୍ରମ କାହିଁକି କରୁଛ, ବିପଦକୁ କାହିଁକି ତାଚ୍ଛଲ୍ୟ କରି ଶ୍ମଶାନରୂପକ ଏ ପ୍ରେତପୁରୀରେ ପ୍ରବେଶ କରିଛ, ବୁଝି ପାରୁନାହିଁ । ତମେ ହୁଏତ ସ୍ୱପ୍ନରେ କିଛି ଇଙ୍ଗିତ ପାଇଛ । ବୋଧହୁଏ ସେହି ଅନୁସାରେ ବାଧାବିପତ୍ତି ନମାନି କାମ କରି ଚାଲିଛ । କିନ୍ତୁ ସ୍ୱପ୍ନର ଇଙ୍ଗିତକୁ ତାଚ୍ଛଲ୍ୟ କରିବା ଲୋକ ବି ଅଛନ୍ତି । ସେହିଭଳି ଜଣେ ଲୋକର କାହାଣୀ କହୁଛି । ମନଦେଇ ତାହା ଶୁଣ । ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।”

      ବେତାଳ ଗପିଲା: ଶ୍ରୀଗୁପ୍ତ ନାମକ ଜଣେ ବିଖ୍ୟାତ ବ୍ୟବସାୟୀ ପ୍ରତିଷ୍ଠାନ ନଗରୀରେ ରହୁଥିଲେ । ସେ ଦୁଇବର୍ଷରେ ଥରେ ସମୁଦ୍ର ସେପାରି ରାଜ୍ୟମାନଙ୍କୁ ବେପାର କରିବାକୁ ଯାଉଥିଲେ । ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ବ୍ୟବସାୟୀ ସେଠାରୁ ଫେରି ଆସୁଥିଲେ ।

       ଥରେ ଶ୍ରୀଗୁପ୍ତ ନିଜ ଦେଶରେ ମାଲ୍ ମସଲା ଖରିଦ୍ କରିବା ଅବସରରେ ଜୟପୁର ନାମକ ଛୋଟିଆ ସହରରେ ରହୁଥିବା ତାଙ୍କର ବାଲ୍ୟବନ୍ଧୁ ମହେନ୍ଦ୍ରଙ୍କ ଘରେ ସେ ଅତିଥି ହେଲେ । ମହେନ୍ଦ୍ର ମଧ୍ୟ ବ୍ୟବସାୟ କରୁଥିଲେ । କିନ୍ତୁ ସମୁଦ୍ରରେ ନୁହେଁ । ସେ ସହରରେ ଦୋକାନଟିଏ କରିଥିଲେ ଓ ସେଥିରୁ ଭଲ ଲାଭ କରୁଥିଲେ । କୋଠାଘର ବି ତୋଳିଥିଲେ ଓ ସୁଖରେ ଥିଲେ ।

        ଶ୍ରୀଗୁପ୍ତ ବନ୍ଧୁଙ୍କ ଘରେ ଦୁଇଦିନ ବିଶ୍ରାମ କରିବା ଅବସରରେ ବନ୍ଧୁଙ୍କୁ କହିଲେ, “ମହେନ୍ଦ୍ର! ତମର ଅଧ୍ୟବସାୟ ଯେମିତି, ବୁଦ୍ଧିମତା ବି ଠିକ୍ ସେମିତି । ଦୋକାନରୁ ଉପାର୍ଜନ ବି କିଛି ମନ୍ଦ ହେଉନାହିଁ ବୋଲି ମୁଁ ବୁଝୁଛି । କିନ୍ତୁ ଏଭଳି ଦୋକାନଟିଏ କରି ତମେ ଯେ କେବେ ଧନପତି ହେବ, ସେ ଆଶା ତ ମୋର ନାହିଁ । ଗୋଟାଏ କାମ କର । କିଛି ମୂଳଧନ ଧରି ଥରେ ମୋ ସହ ସମୁଦ୍ର ସେପାରିକୁ ଚାଲ । ବିଦେଶରୁ ଜିନିଷପତ୍ର ଆଣି ଏଠାରେ ବିକ୍ରୟ କରିବ । ବାସ୍ତବିକ ସେଥିରେ ସିନା ଲାଭ ହେବ! ଏ ଦୋକାନରେ ଆଉ ବିଶେଷ କ’ଣ ବା ଲାଭ ହେବ? ଥରେ ସମୁଦ୍ର ସେପାରିକୁ ଯାଇ ବାଣିଜ୍ୟ କରିବାର ନିଶା ଲାଗିଗଲେ ତେଣିକି ଆଉ ତମେ ସ୍ଥଳରେ ଖୁସିହୋଇ ମୋଟେ ରହିପାରିବ ନାହିଁ । ବାରମ୍ବାର ସମୁଦ୍ର ପଥରେ ଦେଶବିଦେଶ ବୁଲିବାକୁ ବାହାରିବ ।”

       ମହେନ୍ଦ୍ର ବନ୍ଧୁଙ୍କ କଥା ମନଦେଇ ଶୁଣିଲେ ଓ କହିଲେ, “ତମ ପରାମର୍ଶ ପାଇଁ ତମକୁ ଧନ୍ୟବାଦ । ମୁଁ ଚିନ୍ତା କରି ଦେଖିବି ।”

      ଶ୍ରୀଗୁପ୍ତ ପୁଣି କହିଲେ, “ଦେଖ, ମୁଁ ଆଉ ତିନିମାସ ପରେ ବାଣିଜ୍ୟ ପାଇଁ ବାହାରିବି । ପ୍ରଥମଥର ତମେ ଏ ଦେଶରୁ କିଛିବି ଜିନିଷ ନେବାର ଦରକାର ନାହିଁ । ଖାଲି ବିଦେଶରୁ ଆଣିବା ନିମନ୍ତେ ଟଙ୍କା ଯୋଗାଡ କର ।” ଶ୍ରୀଗୁପ୍ତ ତାଙ୍କର ପ୍ରସ୍ତାବିତ ସମୁଦ୍ର ଯାତ୍ରାର ତାରିଖ ଜଣାଇ ସେଠାରୁ ବିଦାୟ ନେଲେ ।

        ମହେନ୍ଦ୍ର ଏ ପ୍ରସ୍ତାବ ଉପରେ ଅନେକ ଚିନ୍ତା କଲେ । ଶେଷକୁ କିଛି ପୁଞ୍ଜି ଧରି ପ୍ରତିଷ୍ଠାନ ନଗରୀ ଉଦ୍ଧେଶ୍ୟରେ ସେ ତାଙ୍କ ଯାତ୍ରାରମ୍ଭ କଲେ । ବନ୍ଧୁଙ୍କ ସହ ଥରେ ବିଦେଶ ଯିବା ହେଲା ତାଙ୍କର ସିଦ୍ଧାନ୍ତ ।

        ଜୟପୁରରୁ ପ୍ରତିଷ୍ଠାନ ଦୁଇ ଦିନର ବାଟ । ପ୍ରଥମ ଦିନ ବାଟ ଚାଲୁ ଚାଲୁ ମହେନ୍ଦ୍ର କ୍ଳାନ୍ତ ଅନୁଭବ କରି ଗୋଟିଏ ଗଛ ମୂଳରେ ଶୋଇ ପଡିଲେ । ସେତେବେଳେ ଦ୍ୱିପ୍ରହର । ହେଲେ ପାଖରେ ସରୋବର ଥିବାରୁ ଶୀତଳ ପବନ ବହୁଥାଏ ।

       ତାଙ୍କୁ ନିଦ ଆସିଗଲା । ସେ ସ୍ୱପ୍ନରେ ଗୋଟିଏ ଅଦ୍ଭୁତ ବ୍ୟାପାର ଦେଖିଲେ: ଜଳରାଶି ଭିତରେ ଗୋଟିଏ ଜାହାଜ ସୁବର୍ଣ୍ଣମୟ ଦ୍ୟୁତରେ ଝଟକୁଛି । ଜାହାଜରେ ଯେ ନାନା ପ୍ରକାର ମୂଲ୍ୟବାନ ପଦାର୍ଥ ବୋଝାଇ ହୋଇ ରହିଛି, ଏହା ଅକ୍ଳେଶରେ ବୁଝି ହେଉଥିଲା ମହେନ୍ଦ୍ର କିଛି ସମୟ ଜାହାଜ ଆଡେ ଅନାଇ ତା’ପରେ ଲୋଭ ସମ୍ବରଣ କରି ନପାରି ଜଳ ଭିତରକୁ ଡେଇଁ ପଡିଲେ ।

      ସନ୍ତରଣ କରି କରି ସେ ଠିକ୍ ଜାହାଜ ପାଖରେ ପହଁଚିଛନ୍ତି, ଗୋଟାଏ ଭୟାବହ ଆକୃତିର କେହି ଜଣେ ତାଙ୍କୁ ସେହି ଜଳ ଭିତରକୁ ଟାଣିନେଲା । ସେ ତହିଁରୁ ମୁକୁଳିବା ପାଇଁ ଯେତେ ଛାଟିପିଟି ହେଲେ ବି କିଛି ହେଲେ ଲାଭ ହେଲା ନାହିଁ । ସେ ପଚାରିଲେ, “କିଏ ତମେ? ମୋତେ ଏମିତି କାହିଁକି କଲବଲ କରୁଛ?” ତା’ପରେ ସେ ରୂପ ଉତ୍ତର ଦେଲା, “ମୁଁ ଦୁର୍ଭାଗ୍ୟ । ତୋତେ ଅନେକ ଦିନରୁ ମୋ ଖାପ୍ଚାରେ ପାଇବା ନିମନ୍ତେ ଉଦ୍ୟମ କରୁଥିଲି । ମାତ୍ର ସୁଯୋଗ ପାଉ ନଥିଲି । ହେଲେ ଆଜି ପାଇଛି । ଏଥର ଆଉ ଯିବୁ କୁଆଡେ?”

        ଏହା କହି ସେ ରୂପ ତାଙ୍କୁ ଆହୁରି ତଳକୁ ଟାଣିବାକୁ ଚେଷ୍ଟା କରିବାରୁ ହଠାତ୍ ତାଙ୍କ ନିଦ ଭାଙ୍ଗିଗଲା । ସେ ଉଠି ବସି କିଛି ସମୟ ସ୍ୱପ୍ନ ବିଷୟରେ ଚିନ୍ତା କଲେ ସେ ଭାବିଲେ, “ଏମିତି ତ ଛୋଟ ବ୍ୟବସାୟଟି କରି ମୁଁ ବେଶ୍ ଭଲରେ ଚଳୁଛି । ଯୋଉଠିକି ଦୁଃଖ, କଷ୍ଟ, ବିପଦ କିଛି ହେଲେବି ନାହିଁ । କେବଳ ଅଧିକ ଧନ ଉପାର୍ଜ୍ଜନ ପାଇଁ ଲୋଭରେ ପଡି ମୁଁ କାହିଁକି ବିପଦ ବରଣ କରିବି । ତା’ପରେ ସାମୁଦ୍ରିକ ବାଣିଜ୍ୟ ସକାଶେ ଯିବାର ଯୋଜନା ପରିତ୍ୟାଗ କରି ଘର ଆଡେ ସେ ଫେରିଲେ । କିନ୍ତୁ ମେଘ ଆସିଲା ଓ ପ୍ରବଳ ବର୍ଷା ହେବାର ଆଶଙ୍କା କରି ସେ ଏକ ଦୂରବର୍ତ୍ତୀ ଗୋଟିଏ ଚଟି ଘରେ ରାତି ବିତାଇବାକୁ ଠିକ୍ କଲେ । କିନ୍ତୁ ଆକାଶ ପରିଚ୍ଛନ୍ନ ହୋଇଗଲା । ସେ ଚଟିଘର ବାହାରେ ଗୋଟିଏ ଗଛମୂଳେ ବସି ତାଙ୍କୁ ନିଦ ଆସିବାରୁ ସେ ଶୋଇ ପଡିଲେ ।

        ସେ ପୁଣି ସ୍ୱପ୍ନ ଦେଖିଲେ ବିଶାଳ ସରୋବର ମଝିରେ ସୁନାଭଳି ଉଜ୍ଜ୍ୱଳ ଜାହାଜ । ସେ ପାଣିକୁ ଡେଇଁପଡି ଜାହାଜ ପାଖରେ ପହଁଚିବାକୁ ଚେଷ୍ଟା କଲେ । ସନ୍ତରଣ କରୁ କରୁ ହାଲିଆ ହୋଇପଡି ସେ ବୁଡି ଯିବାକୁ ବସିଛନ୍ତି, ସେତିକିବେଳେ ଏକ ଦେବୀମୂର୍ତ୍ତି ତାଙ୍କୁ ଧରି ସେହି ପାଣିରୁ ଜାହାଜକୁ ଉଠାଇଦେଲେ । ମହେନ୍ଦ୍ର ପଚାରିଲେ, “କିଏ ତୁମେ?” ତହୁଁ ସେ ଦେବୀମୂର୍ତ୍ତି କହିଲେ, “ମୁଁ ତୋ ଭାଗ୍ୟର ଦେବୀ । ତୋ ଭାଗ୍ୟର ଲିଖନକୁ ମୁଁହିଁ ରୂପ ଦିଏ ।”

       ଦେବୀ ଅଦୃଶ୍ୟ ହୋଇଯିବା ପରେ ମହେନ୍ଦ୍ର ଦେଖିଲେ, ଜାହାଜର ଅଭ୍ୟନ୍ତରର ଦୃଶ୍ୟ ତାଙ୍କରି ଦୋକାନ ଭଳି । ଖାଲି ଦୋକାନଠୁଁ ବେଶି ସମୃଦ୍ଧ । ଦୋକାନରେ ଯେଉଁ ଜିନିଷ ଗୋଟିଏ ଅଛି, ଏଠି ତାହା ଦଶଟି ଅଛି । ପୁଣି ବଡ ଆକାରରେ ବି ଅଛି ।

ସେତିକିରେ ତାଙ୍କ ନିଦ ପୁଣି ଭାଙ୍ଗିଗଲା । ମହେନ୍ଦ୍ର ଭୋର ପର୍ଯ୍ୟନ୍ତ ସେହି ଚଟି ଘରେ ଅପେକ୍ଷା କରି ନିଜ ଘରକୁ ଫେରିଲେ । ପ୍ରତିଷ୍ଠାନ ନଗରୀକୁ ସେ ଆଉ ଗଲେ ନାହିଁ ।

        ବେତାଳ ଟିକିଏ ଚୁପ୍ ରହି ପ୍ରଶ୍ନ କଲା: “ମହେନ୍ଦ୍ର ପ୍ରଥମ ସ୍ୱପ୍ନ ଦେଖି ଯଦି ହତାଶ ହୋଇ ସମୁଦ୍ର ଯାତ୍ରାର ଯୋଜନା ପରିହାର କଲେ, ଦ୍ୱିତୀୟ ସ୍ୱପ୍ନ ଦେଖି ଉତ୍ସାହିତ ହୋଇ ପୁଣି ଥରେ ସମୁଦ୍ରଯାତ୍ରା ପାଇଁ ବନ୍ଧୁ ଘରକୁ ସେ ଆଉ କାହିଁକି ଗଲେନି? ଏଥିରୁ ମନେହୁଏ ତାଙ୍କ ମନ ଅସ୍ଥିର । କିମ୍ବା ସେ ଠିକ୍ ଭାବରେ ସ୍ୱପ୍ନର ବ୍ୟାଖ୍ୟା କରିପାରିଲେ ନାହିଁ । ଠିକ୍ କି ନୁହେଁ? ପାରିଲେ ତୁମେ ମୋ ଏହି ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥାଇ ଯଦି ତମେ ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

         ରାଜା ବିକ୍ରମାର୍କ ମୁହୂର୍ତ୍ତେ ମାତ୍ର ବିଳମ୍ବ ନକରି ଉତ୍ତର ଦେଲେ, “ମହେନ୍ଦ୍ର ଅସ୍ଥିରମନା ନୁହଁନ୍ତି କିମ୍ବା ସ୍ୱପ୍ନର ଭୁଲ୍ ବ୍ୟାଖ୍ୟା ସେ କରି ନାହାଁନ୍ତି । ସେ ପ୍ରଥମ ସ୍ୱପ୍ନରୁ ବୁଝିଲେ, ସମୁଦ୍ର ଯାତ୍ରାରେ ଗଲେ ତାଙ୍କୁ ଦୁର୍ଭାଗ୍ୟର ଶୀକାର ହେବାକୁ ପଡିବ । କାରଣ ସେଥିରେ ଯେମିତି ଲକ୍ଷ ଲକ୍ଷ ଟଙ୍କା ଲାଭ ହୋଇପାରେ, ଠିକ୍ ସେମିତି ହଠାତ୍ ଲକ୍ଷ ଲକ୍ଷ କ୍ଷତି ବି ହୋଇପାରେ । ଦ୍ୱିତୀୟ ସ୍ୱପ୍ନରୁ ସେ ବୁଝିଲେ ଯେ ଭାଗ୍ୟରେ ତାଙ୍କର ଯାହା ଅଛି, ତାହାର ରୂପ ଦେବା ସକାଶେ ଦେବୀଶକ୍ତି ତାଙ୍କୁ ସାହାଯ୍ୟ କରୁଛି । ଜାହାଜର ଅଭ୍ୟନ୍ତର ତାଙ୍କ ଦୋକାନ ଭଳି, ଅଥଚ ଦୋକାନଠୁଁ ସବୁ ଜିନିଷ ଅଧିକ ବୋଲି ମନେ ହେଲା । ଏହାର ଅର୍ଥ ତାଙ୍କର ସମୃଦ୍ଧି କେବଳ ତାଙ୍କ ଦୋକାନରୁହିଁ ହେବ । ସେ ଯେଉଁ ବ୍ୟବସାୟ କରୁଛନ୍ତି, ଦିନେ ତାହାହିଁ ବଢି ବଢି ତାଙ୍କୁ ଅଧିକ ଧନୀ କରିଦେବ । ନୂତନ ବ୍ୟବସାୟ ପାଇଁ ସମୁଦ୍ର ପଥରେ ଯିବା ଅନାବଶ୍ୟକ ।”

       ରାଜାଙ୍କ ମୌନଭଙ୍ଗ ହେବା ମାତ୍ରେ ଶବସହ ଶବସ୍ଥିତ ବେତାଳ ବି ତାଙ୍କ କାନ୍ଧରୁ ଖସି ପୁନର୍ବାର ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।(କଳ୍ପିତ)

Share to...