ବିଳାସୀ ମହନ୍ତ

ବିଳାସୀ ମହନ୍ତ

     ଗଙ୍ଗାକୂଳରେ ଗୋଟିଏ ଛୋଟ ସହର । ସେଠାରେ ଅନେକ ମନ୍ଦିର ଆଉ ମଠ । ତୀର୍ଥସ୍ଥାନ ବୋଲି ବର୍ଷ ସାରା ସେଠାରେ ଯାତ୍ରୀଗହଳି ଲାଗି ରହିଥାଏ । ବାରମାସରେ ତେର ପର୍ବ । କେତେ ଦୂର ଦେଶରୁ ସାଧୁ, ସନ୍ନ୍ୟାସୀ, ବଣିକ, ରାଜା, ଜମିଦାର ଏହି ସହରକୁ ଆସନ୍ତି ନିଜ ମନ ପରିବର୍ତ୍ତନ କରିବା ପାଇଁ । ଏହି ତୀର୍ଥଯାତ୍ରୀ ମାନଙ୍କଠାରୁ ହିଁ ମଠ ଓ ମନ୍ଦିରମାନଙ୍କର ଭଲ ଆୟ ହୋଇଥାଏ ।

    ତେବେ ସେ ଗଙ୍ଗା କୂଳକୁ ଲାଗି ଗୋଟିଏ ମଠ ଥାଏ, ଯାହାର ମହନ୍ତ ଥିଲେ ବାବା ଭୋଳାନାଥ । ସେ ଭୋଳାନାଥଙ୍କ ମଠର ପ୍ରଚୁର ଆୟ । ଗଙ୍ଗାରେ ସ୍ନାନ କରି ଯେଉଁମାନେ ସେଠାରେ ତୀର୍ଥବାସ କରନ୍ତି, ସେମାନେ ଅବଶ୍ୟ ସେ ଭୋଳାନାଥଙ୍କ ମଠରେ ପାଦ ପକାନ୍ତି । ଯେ ଯାହାର ଶକ୍ତି ଅନୁସାରେ ମଠକୁ ଦାନ କରି ଥାଆନ୍ତି । ତେଣୁ ବର୍ଷସାରା ସେ ଭୋଳାନାଥ ମଠର ପ୍ରଚୁର ଆୟ ହେଉଥାଏ ।

      ମହନ୍ତ ଭୋଳାନାଥ ସତରେ ଜଣେ ବଡ ଭୋଳା ମଣିଷ । ସବୁବେଳେ ହସଖୁସି, ମଉଜ ମଜଲିସ୍ରେ ତାଙ୍କର ଦିନ କଟୁଥାଏ । ମଠରେ ସେବା କରିବା ପାଇଁ ବହୁତ ସେବକ ସେଠାରେ ଖଟୁଥାଆନ୍ତି । ମହନ୍ତଙ୍କର ତ ସେଠାରେ ଆଉ କିଛି କାମ ନ ଥାଏ । ତେଣୁ ସେ ମହନ୍ତ ଜଣକ ନିଜର କେତେକ ସହଚରଙ୍କୁ ଧରି ଦିନରାତି ଖାଲି ସେମାନଙ୍କ ସାଙ୍ଗେ ପଶାଖେଳରେ ମାତି ଥାଆନ୍ତି । ଏପରିକି ସେମାନେ ଦୁନିଆର ଭଲ ମନ୍ଦ ବିଷୟରେ ବି କୌଣସି ଖବର ରଖନ୍ତି ନାହିଁ । ରାଜା ଓ ଜମିଦାରଙ୍କ ପରି ମଉଜ କରି ଦିନ କାଟିବା ଯେପରି ତାଙ୍କର ଏକ ଅଭ୍ୟାସ ହୋଇଯାଇଥାଏ । ଏଥିରେ ତ କିଛି ଶତ୍ରୁ ସୃଷ୍ଟି ହେବା ସ୍ୱାଭାବିକ । ତେଣୁ ଅନେକ ଲୋକ ଖାଲି ଈର୍ଷାରେ ଜଳି ଯାଉଥାଆନ୍ତି; ସେମାନେ କେବଳ ସୁଯୋଗ ଅପେକ୍ଷାରେ ଥାଆନ୍ତି । କିପରି ହେଉ, ସେମାନେ ଭୋଳାନାଥଙ୍କର ସର୍ବନାଶ କରିବେ ।

    ଥରେ ଗଙ୍ଗାରେ ବୁଡ ପଡୁଥାଏ । ନାନା ଦେଶରୁ ତୀର୍ଥଯାତ୍ରୀ ମାନେ ସବୁ ଆସି ସେହି ସହରରେ ଏକାଠି ହେଉଥିଲେ । ସେହି ଦେଶର ରାଜା ବିଚାରିଲେ, ତୀର୍ଥଯାତ୍ରୀମାନଙ୍କର ହାନିଲାଭ ବୁଝିବା ତାଙ୍କର ପରମ କର୍ତ୍ତବ୍ୟ । ତେଣୁ ସେ ଆସି ରାଜାଙ୍କର ବଙ୍ଗଳାରେ ଡେରା ପକାଇ ରହିଲେ । ରାଜା ଆସିଛନ୍ତି ଶୁଣି ସେ ସହରର ଭଦ୍ରଲୋକ, ମନ୍ଦିରର ପୂଜକ ଶ୍ରେଣୀ ଏବଂ ମଠର ମହନ୍ତମାନେ ଆସି ରାଜାଙ୍କୁ ସାକ୍ଷାତ କରି ତାଙ୍କୁ ଯଥୋଚିତ ସମ୍ମାନ ଜଣାଉଥାଆନ୍ତି । କିନ୍ତୁ ମହନ୍ତ ଭୋଳାନାଥ ତ ଅତ୍ୟନ୍ତ ଭୋଳା ଲୋକ । ମଉଜ ମଜଲିସ୍ ବ୍ୟତୀତ ଆଉ କିଛି ଖବର ଜାଣିବା ପାଇଁ ତାଙ୍କର ତ ମୋଟେ ଆଗ୍ରହ ନ ଥାଏ । ତେଣୁ ରାଜ୍ୟର ରାଜା ଯେ ସହରକୁ ଆସିଛନ୍ତି, ଏହି ବିଷୟରେ ସେ ଅବା କାହିଁକି ଜାଣିବେ?

      ଭୋଳାନାଥଙ୍କୁ ତ ଅନେକ ଆଦୌ ସହି ପାରୁନଥିଲେ । ଏ ହେଲା ଅସଲ ସୁଯୋଗ । ତେଣୁ ସେମାନେ ରାଜାଙ୍କ ପାଖରେ ଯାଇ ଭୋଳାନାଥଙ୍କ ବିରୋଧରେ କହିଲେ, “ମଣିମା ! ସେ ଭୋଳାନାଥ ମହନ୍ତ ଆପଣଙ୍କୁ ବେଖାତିର କରୁଛି । ସହରର ଏତେ ଲୋକ ଆସିଲେ ଆପଣଙ୍କୁ ସାକ୍ଷାତ କରିବା ପାଇଁ । ହେଲେ ସେ ଆସିଲା ନାହିଁ । ସେ ତ ସବୁବେଳେ ଖାଲି ମହାରାଜାଙ୍କ ପରି ଦାମିକା ପୋଷାକ ପିନ୍ଧି ବୁଲୁଥାଏ । ସବୁଦିନ ତାର ତ ମଉଜ ମଜଲିସ୍ । ପଞ୍ଝାଏ ତୋଷାମୋଦିଆଙ୍କୁ ଧରି ଅଧିକାଂଶ ସମୟ ତ ସେ ତା ପଶାଖେଳରେ ବ୍ୟସ୍ତ । ମଠର ମହନ୍ତ ହୋଇ ଧର୍ମକାର୍ଯ୍ୟ କରିବାରେ ଆଦୌ ନିଷ୍ଠା ନାହିଁ ତାର । ପ୍ରଚୁର ଧନସମ୍ପତ୍ତି ଓ ଆୟ ହେଉଥିବାରୁ ସେ କାହାକୁ ପାସଙ୍ଗରେ ପକାଏ ନାହିଁ ।

       ରାଜା ସବୁ କଥା ସହ୍ୟ କରିବେ; ମାତ୍ର ତାଙ୍କର ଜଣେ ପ୍ରଜା ତାଙ୍କୁ ଖାତିର କରୁନାହିଁ ଜାଣିଲେ ସେ ତାକୁ ଆଦୌ କ୍ଷମା ଦେଇପାରିବେ ନାହିଁ । ତେଣୁ ସେ ରାଜା ମନେ ମନେ ବିଚାରିଲେ, ମହନ୍ତ ଭୋଳାନାଥକୁ ଉପଯୁକ୍ତ ଶିକ୍ଷା ଦେବାକୁ ହେବ ।

       ତେଣୁ ସେ ରାଜା ନିଜର ଅନୁଚର ଦ୍ୱାରା ଭୋଳାନାଥ ମହନ୍ତକୁ ଡକାଇ ପଠାଇଲେ । ପ୍ରକୃତରେ ସେ ଭୋଳାନାଥଙ୍କ ମଠ ସହର ବାହାରେ କହିଲେ ଚଳେ । ରାଜା ଆସିବାର ଖବର ତାଙ୍କ ପାଖରେ ତ ଆଦୌ ପହଁଚି ନଥିଲା । ରାଜାଙ୍କ ସନ୍ଦେଶ ପାଇ ଭୋଳାନାଥ ରାଜାଙ୍କ ପାଇଁ କିଛି ଉପହାର ଧରି ତୁରନ୍ତ ଯାଇ ରାଜାଙ୍କୁ ସାକ୍ଷାତ କଲେ । ଭୋଳାନାଥ ରାଜାଙ୍କୁ ନିଜର ସମ୍ମାନ ଜଣାଇଲେ । ତାଙ୍କ ବିରୋଧରେ ଯେ ଏକ ଚକ୍ରାନ୍ତ ଚାଲିଛି, ସେହି କଥା ଭୋଳାନାଥଙ୍କ କାନକୁ ଅବା କିପରି ଯିବ?

     ରାଜା ସେ ଭୋଳାନାଥଙ୍କୁ ପଚାରିଲେ, “ମହନ୍ତ ମହାରାଜ ! ଆପଣଙ୍କୁ ଲୋକେ ଖାମଖିଆଲ ଏବଂ ଭୋଳାଲୋକ ବୋଲି କାହିଁକି କହନ୍ତି?”

      ମହନ୍ତ କହିଲେ, “ମହାରାଜ ! ଈଶ୍ୱରଙ୍କ କୃପାରୁ ଆମ ମଠର ପ୍ରଚୁର ଆୟ । ତାଛଡା ମୋର ବି କୌଣସି ଅଭାବ ନାହିଁ । ମୋ ମଠରେ ବହୁତ ସେବକ ଅଛନ୍ତି ସେବା କରିବା ପାଇଁ । ମୋର ଆଉ କେଉଁଥିପାଇଁ ଚିନ୍ତା ହେବ?”

ରାଜା ପୁଣି ପଚାରିଲେ, “ଆପଣ ଠାକୁରଙ୍କ ସେବା ପୂଜାରେ ସମୟ ଦିଅନ୍ତି ନାହିଁ କି?”

       ମହନ୍ତ କହିଲେ, “ଠାକୁର ସେବାପାଇଁ ତ ସେବକମାନେ ଅଛନ୍ତି । ମୋର ପ୍ରଧାନ କାମ ହେଲା ତିନି ଧୂପରେ ଠାକୁରଙ୍କୁ ପ୍ରାର୍ଥନା କରିବା । ସେଥିରେ ଅବଶ୍ୟ ମୋର କିଛି ସମୟ ଯାଏ ।”

         ରାଜା କହିଲେ, “ତାହାହେଲେ ତ ଆପଣଙ୍କ ହାତରେ ବହୁତ ସମୟ ବଳୁଛି । ଆପଣ ମୋ ପାଇଁ ଗୋଟିଏ କାର୍ଯ୍ୟ କରିଦେଲେ ମୁଁ ଅତ୍ୟନ୍ତ ସୁଖୀ ହେବି ।”

ମହନ୍ତ କହିଲେ, “ମଣିମା ! ମୋତେ କେବଳ ଥରେ ଆଦେଶ କରନ୍ତୁ । ଆପଣଙ୍କ ଆଦେଶ ପାଳନ କରିବା ତ ହେଉଛି ମାର ପ୍ରଥମ କର୍ତ୍ତବ୍ୟ ।”

          ରାଜା କହିଲେ, “ଅବଶ୍ୟ କାମଟି ସେପରି କଠିନ ନୁହେଁ । ଆକାଶରେ କେତୋଟି ତାରା ଅଛନ୍ତି, ସେ ବିଷୟରେ ମୋର ଜାଣିବା ପାଇଁ ଭାରି ଆଗ୍ରହ ହେଉଛି । ତୁମକୁ ମୁଁ ତିନୋଟି ଦିନ ସମୟ ଦେଲି । ଠିକ୍ ଠିକ୍ ଗଣିକରି ମୋତେ କହିବ । ତା’ ନ ହେଲେ ତୁମର ମୁଣ୍ଡକାଟ ହେବ ।”

      ଏକଥା ଶୁଣି ସେ ମହନ୍ତଙ୍କ ମୁଣ୍ଡରେ ଯେପରି ବଜ୍ର ପଡିଲା ପରି ଲାଗିଲା । ତାପରେ ମନ ଦୁଃଖରେ ସେ ଭୋଳାନାଥ ତାଙ୍କ ମଠକୁ ଫେରିଆସିଲେ । ତାଙ୍କୁ ଯେମିତି ଚାରିଆଡେ ଖାଲି ଅନ୍ଧାର ଦେଖାଗଲା । ଖାଇବା ଶୋଇବାରେ ତାଙ୍କ ମନ ଆଦୌ ରହିଲା ନାହିଁ । ରାତିର ଅନ୍ଧକାରରେ ବି ସେ ଜଗି ବସିଲେ । ତାରାମାନଙ୍କୁ ଗଣି ଗଣି ଶେଷରେ ସେ ଖୁବ୍ କ୍ଳାନ୍ତ ହୋଇପଡନ୍ତି । ହେଲେ ଗଣିବା ଆଦୌ ସରେ ନାହିଁ । ପହରକୁ ପହରକୁ କେତେ ତାରା ବୁଡି ଯାଉଥାନ୍ତି, ପୁଣି କେତେ ନୂଆ ତାରାଙ୍କର ବି ଉଦୟ ହେଉଥାଏ । ଏହା ତ ଏକ ବିରାଟ ସମସ୍ୟା । କିପରି ଅବା ସେ ମହନ୍ତ ଭୋଳାନାଥ ତାରାମାନଙ୍କୁ ଗଣିପାରିବେ? ଏଣେ ସେସବୁକୁ ଗଣି ନ ପାରିଲେ ତ ଆଉ ତାଙ୍କର ମୁଣ୍ଡ ରହିବ ନାହିଁ । ମୃତ୍ୟୁ ଚିନ୍ତାରେ ସେ ମହନ୍ତ ଜଣକ ଖାଲି ବିଚଳିତ ହୋଇପଡୁଥାନ୍ତି । ଯେଉଁମାନଙ୍କ ସହିତ ସେ ପଶା ଖେଳୁଥିଲେ, ମହନ୍ତ ସେମାନଙ୍କୁ ସେଠାରୁ ବିଦା କରିଦେଲେ । ସେ ମଠରେ ଏତେ ସେବକ ଥିଲେ, ହେଲେ ମହନ୍ତଙ୍କ ଭୟରେ କେହି ବି ତାଙ୍କ ପାଖ ପଶନ୍ତି ନାହିଁ । ଏହିପରି ଭାବେ ସେ ମହନ୍ତ ଜଣକ ଖାଇବା ପିଇବା ମଧ୍ୟ ଭୁଲିଗଲେ ।

     ସେ ମଠର ସେବକମାନେ ପରସ୍ପର ମଧ୍ୟରେ କଥା ହେଉଥାଆନ୍ତି । ମହନ୍ତଙ୍କର ଏପରି କାହିଁକି ହେଲା? କେଡେ ମନ ଖୁସିର ଲୋକ ସେ । ରାଜାଙ୍କ ପାଖରୁ ଆସିଲା ପରଠାରୁ ସେ ଯେମିତି ଏକ ଭିନ୍ନ ମଣିଷ ପାଲଟି ଯାଇଛନ୍ତି । ତାଙ୍କ ଠାକୁର ମନ୍ଦିରକୁ ମଧ୍ୟ ପ୍ରାର୍ଥନା କରିବାକୁ ସେ ଆଉ ଯାଉନାହାଁନ୍ତି ।

     ଏପଟେ କିନ୍ତୁ ମହନ୍ତ ଭୋଳାନାଥ ମୃତ୍ୟୁ ଚିନ୍ତାରେ ଖୁବ୍ ଅସ୍ଥିର । ଏମିତି ଏମିତି ଦୁଇଟି ରାତି ତ ପାହିଗଲାଣି । ଆଜି ହେଉଛି ଶେଷ ରାତି । ସେଥିପାଇଁ ସେ ମହନ୍ତଙ୍କ ଆଖିରେ ପତା ଆଦୌ ପଡୁନାହିଁ । ଆକାଶକୁ ଚାହିଁ ଚାହିଁ ସେ ଖାଲି ଲୁହ ଝରାଉଥାଆନ୍ତି । ରାତି ପାହିଲେ ତାଙ୍କର ସମସ୍ତ ଲୀଳାଖେଳା ସରିଯିବ । ଆକାଶର ତାରାଙ୍କୁ ଅବା ସେ କିପରି ଗଣି କହିଦେଇ ପାରିବେ? ଏବେ ରାଜାଙ୍କର ଖିଆଲି ମନକୁ ଅବା କି ଉତ୍ତର ଅଛି?

      ତାଙ୍କ ମଠରେ ଜଣେ ବୁଢା ସେବକ ଥିଲେ । ସେ ଭୋଳାନାଥଙ୍କୁ ପିଲାବେଳୁ ସେବା କରି ଆସୁଛନ୍ତି । ସେ ସାହସ ସଂଚୟ କରି ମହନ୍ତଙ୍କ ପାଖରେ ଯାଇ ପହଁଚିଲେ । ମହନ୍ତଙ୍କୁ ଖୁବ୍ ଆଦର କରି ସେ ବୁଢା ସେବକ ପଚାରିଲେ, “ମହନ୍ତ ମହାରାଜ ! ଆପଣ କିଛି କଥା କହୁନାହାଁନ୍ତି । ତେଣୁ ଆମ୍ଭମାନଙ୍କୁ ଆଉ ଆପଣଙ୍କ ସେବା କରିବାର ବି କୌଣସି ସୁଯୋଗ ମିଳୁନାହିଁ । ଆମର ଅପରାଧ କଅଣ, ତାହା ବି ଆମେ ମୋଟେ ବୁଝିପାରୁ ନାହୁଁ ।”

       ଭୋଳାନାଥ ସେ ବୁଢା ସେବକଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଲେ, “ଏଥିରେ ତୁମର କିଛି ବି ଦୋଷ ନାହିଁ । ଏସବୁ ମୋର ଭାଗ୍ୟର ଲେଖା । ରାଜା ମୋତେ ଆକାଶର ତାରା ଗଣି କାଲି ସକାଳୁ କହିବା ପାଇଁ କହିଛନ୍ତି । ନଚେତ୍ ମୋର ମୁଣ୍ଡକାଟ ହେବ । ତେଣୁ ଆଜି ରାତିକ ପାହିଲେ ମୋର ମୃତ୍ୟୁ ସୁନିଶ୍ଚିତ ।”

       ଏତିକି କହି ସେ ମହନ୍ତ ଜଣକ ଅତି ଦୁଃଖରେ ଖାଲି କାନ୍ଦିବାକୁ ଲାଗିଲେ । ତହୁଁ ସେ ବୃଦ୍ଧ ସେବକ ଭୋଳାନାଥଙ୍କୁ ବୁଝାଇ କହିଲେ, “ଆପଣ ଦୟାକରି ଭୋଜନ ଓ ବିଶ୍ରାମ କରନ୍ତୁ । କାଲି ସକାଳୁ ଆପଣଙ୍କ ସମସ୍ୟାର ସମାଧାନ ମୁଁ ନିଶ୍ଚୟ କରିଦେବି । ଆପଣ ମୋ ଉପରେ ଏତିକି ଟିକେ ବିଶ୍ୱାସ ରଖନ୍ତୁ । ଆଗରୁ ମୋତେ ଏ ବିଷୟରେ କହିଥିଲେ ଆପଣ ଆଉ ଏତେ ଦୁଃଖ କଦାପି ମଧ୍ୟ ପାଇ ନଥାନ୍ତେ ।”

        ଏଥିରେ ସେ ମହନ୍ତ ମହାରାଜଙ୍କ ମନ ତ ଆଦୌ ବୁଝିଲା ନାହିଁ; ତଥାପି ବୃଦ୍ଧ ସେବକଙ୍କ କଥା ମାନି ମହନ୍ତ ମହାରାଜ ବିଶ୍ରାମ କରିବାକୁ ଗଲେ ।

          ସକାଳ ହେଲା । ମହନ୍ତ ଭୋଳାନାଥ ପ୍ରସ୍ତୁତ ହେଉଥାଆନ୍ତି ରାଜାଙ୍କ ପାଖକୁ ଯିବା ପାଇଁ । ତାଙ୍କ ମନରେ ନାନା ଆଶଙ୍କା । ସତରେ କ’ଣ ସେ ବୃଦ୍ଧ ସେବକ ତାଙ୍କୁ ସାହାଯ୍ୟ କରିପାରିବେ?

       ଠିକ୍ ଏତିକିବେଳେ ଗୋଟିଏ ବଡ ମୃଗଛାଲ ଧରି ସେ ବୃଦ୍ଧ ସେବକ ଯାଇ ଭୋଳାନାଥଙ୍କ ପାଖରେ ପହଁଚିଲେ । ସେ ଛାଲଟିର ମୁଣ୍ଡ ଅଂଶ କଟାଯାଇଥିଲା ।

      ସେହି ଛାଲକୁ ଦେଖି ମହନ୍ତ ପଚାରିଲେ, “ଏଇଟି କ’ଣ ହେବ?” ବୃଦ୍ଧ କହିଲେ, “ଏଇ ଛାଲଟି ହିଁ ହେଉଛି ରାଜାଙ୍କର ପ୍ରଶ୍ନର ସଠିକ୍ ଉତ୍ତର । ଆକାଶର ତାରା କ’ଣ କେହି କେବେ ଗଣିପାରିଛି? ସେ ଯାହାବି ହେଉ ରାଜାଙ୍କର ଖିଆଲି ପ୍ରଶ୍ନର ଉତ୍ତର ଦେବାକୁ ତ ହେବ । ଏହି ଛାଲରେ ଯେତେ ଲୋମ ଅଛି, ଆକାଶରେ ମଧ୍ୟ ସେତିକି ତାରା ଅଛନ୍ତି । ଛାଲରେ ଥିବା ଅଧିକା ଲୋମତକ ମୁଣ୍ଡଆଡୁ କାଟି ଦିଆଯାଇଛି । ରାଜାଙ୍କର ସନ୍ଦେହ ହେଲେ ସେ ଅନ୍ୟଦ୍ୱାରା ତାରାମାନଙ୍କୁ ଗଣିସାରି ଛାଲର ଲୋମତକ ମିଳାଇ ଦେଇ ପାରନ୍ତି ।”

          ଦୀର୍ଘ ତିନିଦିନ ପରେ ସେ ମହନ୍ତ ଭୋଳାନାଥଙ୍କ ମନରେ ପ୍ରଥମ ଥର ପାଇଁ ଟିକେ ହସ ଉକୁଟି ଉଠିଲା । ତାଙ୍କର ବୃଦ୍ଧ ସେବକ ଯେ ଏତେ ସହଜରେ ଏଡେ ବଡ ସମସ୍ୟାର ସମାଧାନ କରିଦେଇଥିବାରୁ ମହନ୍ତ ତାଙ୍କ ସେବକଙ୍କୁ ଅଶେଷ ଧନ୍ୟବାଦ ଜଣାଇଲେ ।

    ଘୋଡାଗାଡିରେ ବସି ମହନ୍ତ ଭୋଳାନାଥ ରାଜାଙ୍କର ବଙ୍ଗଳା ଦୁଆରେ ଯାଇ ପହଁଚିଲେ । ରାଜା ବି ସେ ମହନ୍ତଙ୍କୁ ଅପେକ୍ଷା କରିଥାଆନ୍ତି । ଯେଉଁମାନେ ଭୋଳାନାଥଙ୍କ ବିରୋଧରେ ରାଜାଙ୍କ ଆଗରେ ଚୁଗୁଲି କରିଥିଲେ, ସେମାନେ ମଧ୍ୟ ସେଠାରେ ଭୋଳାନାଥ ଓ ଫଳାଫଳକୁ ଅପେକ୍ଷା କରିଥାନ୍ତି । ମହନ୍ତ ଭୋଳାନାଥର ଯେ ଆଜି ହିଁ ମୁଣ୍ଡକାଟ ହେବ, ଏହି ବିଷୟରେ ଆଉ କାହାରି ମନରେ କିଛି ବି ସନ୍ଦେହ ନ ଥାଏ ।

     ରାଜାଙ୍କୁ ଯଥୋଚିତ ସମ୍ମାନ ଜଣାଇ ମହନ୍ତ ଭୋଳାନାଥ ଯାଇ ତାଙ୍କ ଆସନ ଗ୍ରହଣ କଲେ । ରାଜା ତାଙ୍କୁ ପଚାରିଲେ, “ମୋର ପ୍ରଶ୍ନର ସଠିକ୍ ଉତ୍ତର ପାଇଲ ତ?”

     ମହନ୍ତ ସଙ୍ଗେ ସଙ୍ଗେ ରାଜାଙ୍କ ହାତକୁ ମୃଗ ଛାଲଟି ବଢାଇଦେଲେ । ଏଥିରେ ସେ ରାଜା କିଛି ବି ବୁଝି ପାରିଲେ ନାହିଁ । ସେ ଛାଲଯାକ ଲୋମ ଭର୍ତ୍ତି ହୋଇଛି । ଛାଲର ମୁଣ୍ଡପାଖଟି ନାହିଁ । “ଏ ଛାଲ କାହିଁକି?” – ରାଜାଙ୍କର ଏହି ପ୍ରଶ୍ନ ଥିଲା ମହନ୍ତ ଭୋଳାନାଥଙ୍କୁ ।

       ତହୁଁ ସେ ମହନ୍ତ ଭୋଳାନାଥ କହିଲେ, “ମଣିମା, ଗତ ତିନିରାତି ହେଲା ମୁଁ ଖାଲି ତାରା ଗଣିବା କାମରେ ହିଁ ଲାଗିଛି । ମୁହୂର୍ତକ ପାଇଁ ମଧ୍ୟ ମୋ ଆଖିରେ ପଲକ ମୋଟେ ପଡିନାହିଁ । ଦେଖିଲି, ତାରାମାନଙ୍କୁ ଗଣିକରି ସଂଖ୍ୟାରେ ଲେଖି ରଖିବା ଅତ୍ୟନ୍ତ ଅସମ୍ଭବ ବ୍ୟାପାର । ତେଣୁ ଏହି ମୃଗଛାଲର ଲୋମ ସହିତ ତାରାମାନଙ୍କର ସଂଖ୍ୟା ମିଳାଇ ରଖିଲି । ଗୋଟିଏ ତାରା ଗଣେ, ତାକୁ ଗୋଟିଏ ଲୋମ ସହିତ ମିଳାଇ ମୁଁ ରଖେ । ଏମିତି କରୁ କରୁ ତାରା ଗଣିବା କାମ ସରିଗଲା । ମୃଗଛାଲରୁ ଯେତିକି ଲୋମ ବଳିଗଲା, ସେତକ କାଟି ମୁଁ ଅଲଗା କରିଦେଲି । ଆପଣଙ୍କର ଯଦି ମୋ ଉପରେ ସନ୍ଦେହ ହେଉଛି, ତେବେ କାହାଦ୍ୱାରା ଗଣାଇ ତାକୁ ଏ ଲୋମ ସହିତ ମିଳାଇ ନିଅନ୍ତୁ ।”

      ରାଜା ଥିଲେ ଅତ୍ୟନ୍ତ ବୁଦ୍ଧିମାନ ଓ ବିବେକୀ । ତୋଷାମୋଦିଆଙ୍କ କଥାରେ ସେ ବିଭ୍ରାନ୍ତ ହୋଇଥିଲେ । ଏଣୁ ମନେ ମନେ ସେ ହସିଲେ, ଏପରି ଏକ ପ୍ରଶ୍ନର ଉତ୍ତର ଖୋଜୁଥିଲେ ବୋଲି । ସେ ଅନୁଭବ କଲେ ଯେ, କିଛି ଲୋକ ଈର୍ଷାପରାୟଣ ହୋଇ ଭୋଳାନାଥ ମହନ୍ତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ରାଜା ଏଥର ସେ ମହନ୍ତ ଭୋଳାନାଥଙ୍କୁ ଭଲପାଇ ବସିଲେ । ସେହିଦିନୁ ରାଜା ଓ ଭୋଳାନାଥ ପରସ୍ପରର ବନ୍ଧୁ ହେଲେ । ରାଜା ବହୁତ ଉପହାର ଦେଇ ଭୋଳାନାଥଙ୍କୁ ସେଦିନ ବିଦାୟ ଦେଲେ ।

    ବୃଦ୍ଧ ସେବକ ତାଙ୍କର ଜୀବନ ରକ୍ଷା କରିଥିବାରୁ ଭୋଳାନାଥ ମହନ୍ତ ତାଙ୍କୁ ବି ବହୁତ ପ୍ରଶଂସା କଲେ ଓ ଉପହାର ମଧ୍ୟ ଦେଲେ । ଭୋଳାନାଥ ମଧ୍ୟ ଅନୁଭବ କଲେ ଯେ, ସେ ମହନ୍ତ ଆସନରେ ବସି ଏତେଟା ବିଳାସୀ ହେବା ଆଦୌ ଉଚିତ୍ ନୁହେଁ । ଏଣିକି ତାଙ୍କର ସମସ୍ତ ସମୟ ବିତିଲା ଠାକୁର ପୂଜା, ବିଭିନ୍ନ ବିଦ୍ୟା ଅଧ୍ୟୟନ ଏବଂ ଦରିଦ୍ରମାନଙ୍କର ସେବାରେ ।

Share to...