ବିଷ୍ଣୁଭଟ୍ଟ ବିରଚିତ

ବିଷ୍ଣୁଭଟ୍ଟ ବିରଚିତ

       ଚନ୍ଦନପୁର ଏକ ଛୋଟ ରାଜ୍ୟ ହେଲେ ମଧ୍ୟ, ଏହାର ଅଧିପତି କମଳଚନ୍ଦ୍ର, କବି ଓ ପଣ୍ଡିତମାନଙ୍କୁ ବଡ ଆଦର କରନ୍ତି । ଏଥିନେଇ ତାଙ୍କର ବେଶ୍ ସୁନାମ ଅଛି । ଯୁବକ ମୁରଲୀନାଥ, ଦରବାରର ବିଶିଷ୍ଟ କବିମାନଙ୍କ ମଧ୍ୟରେ ଅନ୍ୟତମ । ନିଜର କବି ପ୍ରତିଭା ଓ ବାକ୍ଚାତୁର୍ଯ୍ୟ ପାଇଁ, ସେ ରାଜାଙ୍କର ଅତ୍ୟନ୍ତ ପ୍ରିୟପାତ୍ର । ରାଜାଙ୍କ ସହିତ ତାଙ୍କର ଘନିଷ୍ଠତା ଅନ୍ୟ କବିମାନଙ୍କୁ ଇର୍ଷାନ୍ୱିତ କରୁଥାଏ । ତାଙ୍କଠାରୁ ବୟସ ଓ ଅଭିଜ୍ଞତା ଦୃଷ୍ଟିରୁ ବଡ, ଦୁଇ ତିନିଜଣ କବି ତାଙ୍କୁ ଆଦୌ ସହ୍ୟ କରିପାରୁ ନ ଥାନ୍ତି ।

         ଅଳ୍ପଦିନ ତଳେ ମୁରଲୀନାଥଙ୍କର ବିବାହ ସମ୍ପନ୍ନ ହୋଇଥାଏ । ଗୌରୀପୁର ଗ୍ରାମ ରାଜଧାନୀ ଚନ୍ଦନପୁରଠାରୁ ଛଅକୋଶ ଦୂର । ଏହି ଗ୍ରାମର ଜନୈକ ପଣ୍ଡିତ ରାମଚନ୍ଦ୍ରଙ୍କର ଏକମାତ୍ର କନ୍ୟା ଗୀତାଦେବୀ ମୁରଲୀନାଥଙ୍କର ଧର୍ମପତ୍ନୀ ଅଟନ୍ତି ।

           ବିବାହର କିଛିଦିନ ପରେ ଗୀତାଦେବୀ, ମୁରଲୀନାଥଙ୍କର ଆନ୍ତରିକ ସ୍ୱଭାବ ସମ୍ପର୍କରେ ପରିଚିତ ହୋଇ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ମୁରଲୀନାଥ ଜଣେ ଭାବୁକ, ପ୍ରକୃତିପ୍ରେମୀ କବି ଅଟନ୍ତି । କିନ୍ତୁ ନାରୀଜାତି ପ୍ରତି ତାଙ୍କର ଦୃଷ୍ଟିକୋଣ ଅତୀବ ସଙ୍କୀର୍ଣ୍ଣ ଅଟେ । ପତିଙ୍କର କବିତା ରଚନା କ୍ଷେତ୍ରରେ ଥରେ ଦୁଇଥର ହସ୍ତକ୍ଷେପ କରିବାରୁ ମୁରଲୀନାଥଙ୍କର ଏଥିପାଇଁ ଭତ୍ସର୍ନାରୁ, ଗୀତାଦେବୀ ଏହି ସତ୍ୟକୁ ଜାଣିପାରିଥିଲେ ।

             ସମୟ ଗଡି ଚାଲିଥାଏ । ପାର୍ବଣ ସମୟ ଆସିବାରୁ ଗୀତାଦେବୀଙ୍କର ପିତା ପଣ୍ଡିତ ରାମଚନ୍ଦ୍ର ତାଙ୍କ କନ୍ୟା ଜାମାତାଙ୍କୁ ନିଜ ଘରକୁ ଆମନ୍ତ୍ରଣ କରିବା ପାଇଁ ଆସିଲେ । ତାଙ୍କ ଘରେ ପାର୍ବଣ ଉତ୍ସବ ବଡ ଉତ୍ସାହ ସହକାରେ ପାଳନ କରାଯାଏ । ମୁରଲୀନାଥ ଶ୍ୱଶୁରଙ୍କ ନିମନ୍ତ୍ରଣ ସ୍ୱୀକାର କରି କହିଲେ, “ଆପଣ ନିଜ କନ୍ୟାକୁ ସଙ୍ଗରେ ନେଇଯାଆନ୍ତୁ । ମୁଁ ଉତ୍ସବଦିନ ସେଠାରେ ଯାଇ ଉପସ୍ଥିତ ହେବି ।” ଏହାପରେ ଆନନ୍ଦ ମନରେ ଗୀତାଦେବୀ ପିତ୍ରାଳୟ ଚାଲିଗଲେ ।

          ଗୀତାଦେବୀ ଚାଲିଯିବାର ତୃତୀୟ ଦିବସରେ ଦରବାରରେ ଯଥାରୀତି କବିତାଗାନ କାର୍ଯ୍ୟକ୍ରମ ଚାଲିଥାଏ । ପ୍ରକୃତିର ରମଣୀୟତା ଉପରେ ଆଧାରିତ ଏକ ସୁନ୍ଦର କବିତା ମୁରଲୀଧର ଗାନ କରୁଥାନ୍ତି । ଖୁବ୍ ଭାବବିହ୍ୱଳ ହୋଇ ମୁରଲୀଧର କବିତା ଗାଉଥିବା ସମୟରେ, ଅକସ୍ମାତ୍ ରାଜା କମଳଚନ୍ଦ୍ର ତାଙ୍କୁ ସେଥିରେ ବାଧା ଦେଇ କହିଲେ, “ହେ ଯୁବକବି! ଆପଣଙ୍କ ସହ ପରିଚୟ ହେବା ଦିନଠାରୁ ଆପଣଙ୍କ କବିତା ଧ୍ୟାନର ସହ ମୁଁ ଶୁଣି ଆସୁଛି । ସର୍ବଦା ପ୍ରକୃତିର ବର୍ଣ୍ଣନାକୁ ଆପଣ କବିତାରେ ପ୍ରାଧାନ୍ୟ ଦେଉଛନ୍ତି । କିନ୍ତୁ, ଶାସକ, ଯେ ହେଉଛନ୍ତି ଭଗବାନଙ୍କର ଚଳନ୍ତି ପ୍ରତିନିଧି, ଯେ ଏହି ଜୀବଜଗତ, ପ୍ରକୃତିର ସୁରକ୍ଷା ପାଇଁ ଅନେକ ଦାୟିତ୍ୱ ବହନ କରୁଛନ୍ତି, ତାଙ୍କ ବିଷୟରେ କେବେ ବି କିଛି ଉଲ୍ଲେଖ କରୁନାହାଁନ୍ତି । ପ୍ରଶଂସା କରିବା ତ ଦୂରର କଥା, ନାମ ମଧ୍ୟ ଧରୁ ନାହାଁନ୍ତି । ଆମ ରାଜବଂଶଜମାନଙ୍କ ପ୍ରତି ଆପଣଙ୍କ ଏହି ଅବିଚାରର ସପକ୍ଷରେ, କିଛି ବଳିଷ୍ଠ ଯୁକ୍ତି ଥିଲେ, ତାହା ପ୍ରକାଶ କରନ୍ତୁ ।”

        କମଳଚନ୍ଦ୍ରଙ୍କର ଏହି ଅତର୍କିତ ପ୍ରଶ୍ନ ମୁରଲୀନାଥଙ୍କୁ ଅବାକ୍ କରିଦେଲା । ବହୁ ପ୍ରଯତ୍ନ କରି ମଧ୍ୟ, ସେ ତାଙ୍କ ପ୍ରଶ୍ନର କୌଣସି ଉତ୍ତର ଭାବି ପାରିଲେ ନାହିଁ ।

            ଧନ ଅର୍ଜନ ପାଇଁ ସେ ରାଜାଙ୍କର ସେବା କରୁଥାନ୍ତି । କିନ୍ତୁ ରାଜବଂଶଜମାନଙ୍କ ପ୍ରତି ତାଙ୍କ ମନରେ ଦ୍ୱେଷ ଭାବ ଥାଏ । ତାଙ୍କର ଦୃଢ ବିଶ୍ୱାସ ଯେ, ରାଜା ଯେତେ ଆଦର ପୂର୍ଣ୍ଣ, ଅମାୟିକ ବ୍ୟବହାର କଲେ ମଧ୍ୟ, ତାଙ୍କର ଅନ୍ତର ଅହଂକାର ଭରା ଅଟେ ।

           ତାଙ୍କ ବିଚାରରେ କ୍ଷମା, ଦୟା, କରୁଣା ଏ ସବୁର ଅଧିକାର କେବଳ ଭଗବାନଙ୍କରହିଁ ଅଛି । ତେଣୁ ସେ ସର୍ବଦା ଈଶ୍ୱର ଓ ତାଙ୍କର ସୃଜନ ସୃଷ୍ଟିର ସମ୍ପଦ ରମଣୀୟ ପ୍ରକୃତିକୁ ଆଧାର କରି କବିତା ରଚନା କରିଥାନ୍ତି ।

          ବିଚଳିତ ମୁରଲୀନାଥ ରାଜାଙ୍କ ପ୍ରଶ୍ନର ଉତ୍ତର ଦେଇ ପାରୁ ନ ଥିବା ଦେଖି ବୟୋବୃଦ୍ଧ କବି ଗଙ୍ଗାଭଟ୍ଟ ବ୍ୟଙ୍ଗଭରା, ନିମ୍ନ ସ୍ୱରରେ କହିଲେ, “ପ୍ରଭୁ, ମୁରଲୀନାଥ ଏହି ସରଳ ପ୍ରଶ୍ନର ଉତ୍ତର ଦେଇ ପାରୁ ନ ଥିବାର କାରଣ ତାଙ୍କର ରାଜବଂଶଜମାନଙ୍କ ପ୍ରତି ଉଦାସୀନତା, ଓ ଅସଦ୍ଧାରଣା ପୋଷଣ ହେତୁ ହୋଇପାରେ ।”

           ଗଙ୍ଗାଭଟ୍ଟଙ୍କ କଥା ଶୁଣି କମଳଚନ୍ଦ୍ରଙ୍କ ମନରେ ଭାବାନ୍ତର ସୃଷ୍ଟି ହେଲା । ସେ ତିକ୍ତ ସ୍ୱରରେ କହିଲେ, “ଯୁବକବି, ଜୀବିକାର୍ଜନ ପାଇଁ, ନିଜ ମନୋଭାବର ବିପରୀତ କରିବାର ଆବଶ୍ୟକତା ନାହିଁ । କାଲିଠାରୁ ଆପଣଙ୍କୁ ଦିନକୁ ତିନିଥର ଭୋଜନ ଓ ଅନ୍ୟ ସୁବିଧା ମାନ ଯୋଗାଇ ଦିଆଯିବ । ଆପଣ ଆରାମ୍ରେ ନିଜ ଘରେ ରହି ନିଜ ଅଭିରୁଚି ଅନୁଯାୟୀ କବିତା ରଚନାରେ ମଗ୍ନ ରହନ୍ତୁ ।”

            କମଳଚନ୍ଦ୍ର ଏହିପରି କହି, ଭରପୁର ସଭାରେ ମୁରଲୀନାଥଙ୍କର ଘୋର ଅପମାନ କଲେ । ଏହି ଅପମାନ ତାଙ୍କଲାଗି ଅସହ୍ୟ ଥିଲା । କିନ୍ତୁ ସେ କ’ଣ ବା ଆଉ କରିପାରିବେ? ସେଇ ମୁହୂର୍ତ୍ତରେ ମୁରଲୀନାଥ ରାଜାଙ୍କୁ ନିଜ ତରଫରୁ କୌଣସି ସ୍ପଷ୍ଟୀକରଣ ଦେଲେ ନାହିଁ । କେବଳ ନମସ୍କାର କରି, ମୁଣ୍ଡ ତଳକୁ କରି ସେ ସ୍ଥାନ ପରିତ୍ୟାଗ କଲେ ।

            ଏହି ଘଟଣା ପରଠାରୁ ମୁରଲୀନାଥ ଖୁବ୍ ଉଦାସ ଓ ବିଷର୍ଣ୍ଣ ରହିଲେ । ରାତିରେ ତାଙ୍କୁ ନିଦ ମଧ୍ୟ ହେଉ ନ ଥାଏ । ରାଜଭବନରୁ କ୍ରମାନ୍ୱୟରେ, ତିନିଥର ଭୋଜନ ଆସୁଥାଏ । ମାତ୍ର ତାହା ତାଙ୍କୁ ବିଷସଦୃଶ ମନେ ହେଉଥାଏ । ମାନସିକ ଆଘାତ ସହିତ, ନିଦ୍ରା ଓ ଆହାର ତ୍ୟାଗ ହେତୁ, ସେ ଜଣେ ଅସୁସ୍ଥ ଲୋକ ପରି ଦେଖାଗଲେ । ତାଙ୍କର ଶରୀର କ୍ଷୀଣ ଓ ଦୁର୍ବଳ ହୋଇଗଲା ।

            ଏହି ଅବସ୍ଥାରେ, ଦିନେ ସକାଳେ ମୁରଲୀନାଥ ଲକ୍ଷ୍ୟହୀନ ଭାବରେ ବାହାରେ ବୁଲୁଥାନ୍ତି । ଗ୍ରାମର ସୀମା ପାରି ହୋଇ କିଛି ଆଗକୁ ଆସିବା ପରେ, ସେ ଏକ ଗଛତଳେ ଥକା ମାରି ବସି ପଡିଲେ । ତାହା ଏକ ଫଳ ଉଦ୍ୟାନ ଥିଲା । ସେଠାରେ ଧୀର ଶୀତଳ ପବନ ବହୁଥାଏ । ପାଖରେ ଛୋଟ ଜଳଧାରଟିଏ ବୋହିଯାଉଥାଏ । ପ୍ରକୃତିର ଏହି ଆହ୍ଲାଦକାରୀ ପରିବେଶ, ତାଙ୍କ ମନର ଉଦ୍ବେଗକୁ ଅନେକାଂଶରେ ହ୍ରାସ କଲା । ରାଜାଙ୍କର ଅପମାନଜନକ କଥାର ଆଘାତରେ ମ୍ରିୟମାଣ ତାଙ୍କ ହୃଦୟରେ ଧୀରେ ଧୀରେ ଆତ୍ମବିଶ୍ୱାସ ସଂଚାର ହେଉଥାଏ । ତାଙ୍କ ଭିତରେ ନୂତନ ପ୍ରେରଣା ଓ ଉତ୍ସାହ ଜାଗି ଉଠୁଥିଲେ ମଧ୍ୟ, ସେ ଏହା ସ୍ଥିର କରି ପାରୁ ନ ଥାନ୍ତି ଯେ, ସେ କିପରି କମଳଚନ୍ଦ୍ରଙ୍କର ଆସ୍ଥାଭାଜନ ପୁନର୍ବାର ହୋଇପାରିବେ ।

        ଏହି ସମୟରେ ଜଣେ ସୁନ୍ଦର ଯୁବକ ସେଠାରେ ଆସି ଉପସ୍ଥିତ ହୋଇ ମୁରଲୀନାଥଙ୍କୁ ପ୍ରଣାମ କଲା । ମୁରଲୀନାଥ ତାଙ୍କୁ ଚିହ୍ନି ନ ପାରି ପ୍ରଶ୍ନ କଲେ, “ଆପଣ କିଏ?”

            ତା’ପରେ ସେ ଯୁବକ ଜଣକ ହସି ହସି କହିଲେ, “ମୋର ନାମ ହେଉଛି ବିଷ୍ଣୁଭଟ୍ଟ । ଗୀତାଦେବୀଙ୍କ ଘର ନିକଟରେ ଆମ ଘର । ମୁଁ ଆପଣଙ୍କୁ ବିବାହ ସମୟରେ ଦେଖିଥିଲି । ଆପଣଙ୍କର କବି ପ୍ରତିଭା ମୋର ଆଉ ଅଗୋଚର ନାହିଁ । ଆପଣଙ୍କୁ ଏଠାରେ ଦେଖି, କବିତାଟିଏ ଶୁଣିବାର ଲୋଭ ସମ୍ବରଣ କରି ନ ପାରି ମୁଁ ଏଠାକୁ ଆସିଛି । ଦୟାକରି ଆପଣ ମୋତେ ନିରାଶ କରନ୍ତୁ ନାହିଁ ।”

            ମୁରଲୀନାଥ, କଣ କରିବେ କିଛି ଭାବିପାରୁ ନ ଥାନ୍ତି । ଏହା ଲକ୍ଷ୍ୟ କରି ବିଷ୍ଣୁଭଟ୍ଟ ପୁନଶ୍ଚ କହିଲେ, “ମନେ ହେଉଛି, ଆପଣ ଖୁବ୍ ବିବ୍ରତ ଓ ଚିନ୍ତିତ ରହୁଛନ୍ତି । ଏପରି କିଛି ଘଟଣା ଘଟିଛି କି, ଯାହା ଆପଣଙ୍କର ମାନସିକ ଓ ଶାରିରୀକ ଅବସ୍ଥାକୁ ଶୋଚନୀୟ କରିଛି?”

        ବିଷ୍ଣୁଭଟ୍ଟଙ୍କର ଏଭଳି ମଧୁର ଓ କୋମଳ କଥାରେ ମୁରଲୀନାଥ ଅତ୍ୟନ୍ତ ପ୍ରଭାବିତ ହେଲେ । ସେ ମଧ୍ୟ ତାଙ୍କ କବିତା ଶୁଣିବା ପାଇଁ ଆଗ୍ରହୀ । ତେଣୁ ସେ ସ୍ଥିର କଲେ ଯେ, ନିଜର ସବୁ ମନକଥା ତାଙ୍କୁ ସେ ଖୋଲି କହିବେ ।

          ମୁରଲୀନାଥଙ୍କ ଠାରୁ ସବୁକଥା ଶୁଣିବା ପରେ ବିଷ୍ଣୁଭଟ୍ଟ ହସି ହସି କହିଲେ, “ଆପଣଙ୍କ ସମସ୍ୟାର ପ୍ରତିକାର ପାଇଁ ମୁଁ ଏକ ଉପାୟ ବତାଇ ପାରେ ।” ତାଙ୍କ କଥା ଶୁଣି ମୁରଲୀନାଥ ବଡ ଆତୁରତାର ସହିତ ପଚାରିଲେ, “ତାହା କ’ଣ?”

           “ପ୍ରଥମେ, ରାଜାଙ୍କ ପ୍ରତି ଆପଣଙ୍କର ଯେଉଁ ଦୃଷ୍ଟିକୋଣ ଅଛି, ତାହା ପରିବର୍ତ୍ତନ ହେବା ଏକାନ୍ତ ଆବଶ୍ୟକ । ଜଣେ ରାଜବଂଶରେ ଜନ୍ମ ନେବା ହେତୁ ତା’ଠାରେ ରାଜସୁଲଭ ଦର୍ପ ଅଭିମାନ ରହିବାଟା ତ ସ୍ୱାଭାବିକ । କିନ୍ତୁ ଇତିହାସରେ ଏପରି ଅନେକ ରାଜାଙ୍କର ଦୃଷ୍ଟାନ୍ତ ରହିଛି, ଯେଉଁମାନେ କି କବି, ପଣ୍ଡିତମାନଙ୍କୁ ଉଚ୍ଚାସନ ପ୍ରଦାନ କରିଛନ୍ତି । ଆପଣଙ୍କ ପରି ସରସ୍ୱତୀ ପୁତ୍ରମାନଙ୍କର ପାଦ ପ୍ରକ୍ଷାଳନ କରିଛନ୍ତି । କବି ଓ ପଣ୍ଡିତଙ୍କୁ ସାକ୍ଷାତ ଶାରଦା ରୂପରେ ଉପାସନା କରିଛନ୍ତି । ଏହି ସତ୍ୟ ତ ଆପଣଙ୍କୁ ଅଜ୍ଞାତ ନ ଥିବ ।” ବିଷ୍ଣୁଭଟ୍ଟ ଗମ୍ଭୀରତାର ସହିତ ଏହା କହିଲେ ।

        ତାଙ୍କ କଥାରେ ଥିବା ସତ୍ୟକୁ ମୁରଲୀନାଥ ଉପଲବ୍ଧି କଲେ । ଆତ୍ମ-ସମୀକ୍ଷା କରୁକରୁ, ସେ ନିଜର ଭୁଲ୍ ବୁଝିପାରିଲେ ।

          ମୁରଲୀନାଥଙ୍କର ଏହି ପରିବର୍ତ୍ତନ ଲକ୍ଷ୍ୟ କରି ବିଷ୍ଣୁଭଟ୍ଟ ଅତ୍ୟନ୍ତ ସୁଲଳିତ କଣ୍ଠରେ; ଏକ ଭାବପୂର୍ଣ୍ଣ କବିତା ଗାନ କଲେ, ଯାହାର ଭାବାର୍ଥ ଏହିପରି –

            “ଯମୁନାର ବାଲୁକାରାଶି ଉପରେ ଉପବେଶନ କରି ଶ୍ରୀକୃଷ୍ଣ ମଧୁର ସ୍ୱରରେ ବଂଶୀବାଦନ କରୁଥିଲେ । ଏହି ସୁମଧୁର ବଂଶୀସ୍ୱନରେ ମୁଗ୍ଧ ହୋଇ, ଯମୁନା ନଦୀର ଜଳରାଶି ଉତଫୁଲ୍ଲିତ ହୋଇ ଉଠୁଥାନ୍ତି । କିନ୍ତୁ ନଦୀକୂଳରେ ଥିବା ଏକ ବାଉଁଶ ବଣର କିଛି ବାଉଁଶ, ତାଙ୍କର ଜାତିର ଏକ ବାଉଁଶରେ ତିଆରି ହୋଇଥିବା ଶ୍ରୀକୃଷ୍ଣଙ୍କର ବଂଶୀର ଏହି ସୌଭାଗ୍ୟରେ ଇର୍ଷାନ୍ୱିତ ହୋଇ ପଡୁଥାନ୍ତି । ସେମାନେ ଚାହୁଁଥାନ୍ତି, ଯେପରି ଏହି ସୁମଧୁର ବଂଶୀଧ୍ୱନି ଯମୁନାଙ୍କ କାନରେ ନ ପଡୁ । ତେଣୁ ବାଧା ସୃଷ୍ଟି କରିବା ପାଇଁ ସେମାନେ ଉନ୍ମାଦଙ୍କ ପରି, ଏପଟ ସେପଟ ହଲି ଦୋହଲି, ରାଗହୀନ ବେତାଳିଆ ସ୍ୱର ଗୁଡିଏ ସୃଷ୍ଟି କରିବାରେ ଲାଗିଥାନ୍ତି । ସେମାନଙ୍କର ଏପରି ଇର୍ଷାଳୁ ଆଚରଣ ଲକ୍ଷ୍ୟ କରି ପ୍ରଥମେ ଯମୁନା ଖୁବ୍ ରାଗିଗଲେ । ମାତ୍ର ପରକ୍ଷଣରେ ଏପରି ବୁଦ୍ଧିହୀନତାକୁ ଦେଖି ସେ ତାଙ୍କ ମନେ ମନେ ହସିଉଠିଲେ । ବାଉଁଶ ବଣର ବେସୁରା ଗୀତ ଶୁଣିବା ପରେ ଶ୍ରୀକୃଷ୍ଣଙ୍କର ବଂଶୀସ୍ୱନ ତାଙ୍କୁ ଅଧିକ ମଧୁର ଲାଗିଲା । ତେଣୁ ସେ ଆନନ୍ଦରେ ଅଧୀର ହୋଇ ମୁରଲୀଧରଙ୍କ ପାଦ ଛୁଇଁବାକୁ, ଜଳରାଶିକୁ ଆହୁରି ବିସ୍ତାରିତ କରି କୂଳ ଆଡକୁ ପ୍ରବାହିତ ହେଲେ । ଯମୁନାନଦୀ ସଦୃଶ ଗମ୍ଭୀର ଓ ଉଚ୍ଚ ଆଦର୍ଶ ସମ୍ପନ୍ନ ରାଜା କମଳଚନ୍ଦ୍ରଙ୍କୁ ପ୍ରଭୁ ଶ୍ରୀକୃଷ୍ଣ ସଦା ପ୍ରେମ ଦୃଷ୍ଟିରେ ଦେଖୁ ଥାଆନ୍ତୁ ।”

            ବିଷ୍ଣୁଭଟ୍ଟଙ୍କ କବିତା ଶୁଣି ମୁରଲୀନାଥ ତାଳି ମାରି ତାଙ୍କୁ ଅଭିବାଦନ ଜଣେଇଲେ, “ସାବାସ୍ ବିଷ୍ଣୁଭଟ୍ଟ । ମୋ’ ମନରେ ଗର୍ବ ଥିଲା ଯେ, ମୋ ପରି ପ୍ରକୃତି ବର୍ଣ୍ଣନା ଶୈଳୀରେ କବିତା ରଚନା କରିପାରିବା ଲୋକ ଆଉ କେହିବି ନାହାଁନ୍ତି । ଆଜି ମୋର ସେହି ଗର୍ବ ଧୂଳିସାତ ହେଲା । ଅତି ଅଦ୍ଭୁତ ଓ ଚମତ୍କାର ଶୈଳୀରେ ତୁମେ ଯେପରି ଭାବ ପ୍ରକାଶ କଲ, ତା’ର କୌଣସି ତୁଳନା ନାହିଁ ।” ଏପରି କହି ବିଷ୍ଣୁଭଟ୍ଟଙ୍କର ସେ ଭୁରିଭୁରି ପ୍ରଶଂସା କଲେ ।

          ତାଙ୍କ କଥାରେ ବିଷ୍ଣୁଭଟ୍ଟ ନମ୍ରତାପୂର୍ବକ ନିଜ ମୁଣ୍ଡ ତଳକୁ କରି କହିଲେ, “ଏହି କବିତା, ଆପଣଙ୍କ ପାଇଁ ହିଁ ସୃଷ୍ଟି ହୋଇଛି ।”

           ମୁରଲୀନାଥ ଚିନ୍ତିତ ହୋଇ କହିଲେ “ମୁଁ ତ ଏହା ଲକ୍ଷ୍ୟ କରୁଛି । କିନ୍ତୁ ଏହାର ଅର୍ଥ କ’ଣ ମୋ ପ୍ରତି ଇର୍ଷାପରାୟଣ ଅନ୍ୟ କେହି କବି ରାଜାଙ୍କୁ ଏପରି କୁମନ୍ତ୍ରଣା ଦେଇଛନ୍ତି?”

        ବିଷ୍ଣୁଭଟ୍ଟ ବୁଝାଇ କହିଲେ “ଭଉଣୀ ଗୀତାଦେବୀ କହୁଥିଲେ ଯେ, ଗଙ୍ଗାଭଟ୍ଟ ଓ ଅନ୍ୟ କେତେଜଣ କବି ଆପଣଙ୍କୁ ଭାରି ଇର୍ଷା କରନ୍ତି । ଇର୍ଷା ନ ଥିଲେ କେହି କ’ଣ କେବେବି, ନିଜର ଜଣେ ସହକବିଙ୍କର ଅପମାନର କାରଣ ହୋଇପାରିବ? ରାଜାଙ୍କର ସନ୍ଦେହକୁ ସମର୍ଥନ କରିପାରିବ?”

           ମୁରଲୀନାଥ ପଚାରିଲେ “ତୁମର କଥା ନିହାତି ସତ୍ୟ ଅଟେ । କବି ଓ ପଣ୍ଡିତଙ୍କ ସମାବେଶରେ ଏତେ ବଡ ଦରବାରରେ ରାଜା ଯେତେବେଳେ ମତେ ଏପରି କଟୁ ସ୍ୱରରେ ପ୍ରଶ୍ନକଲେ, ମୋର ବୁଦ୍ଧି ହଜିଗଲା । ତୁମର ଏହି କବିତାଟି ମୁଁ କ’ଣ ତାଙ୍କୁ ଶୁଣାଇବି କି? ତୁମେ କ’ଣ ଚାହୁଁଛ, କୁହ?”

             “ହଁ, ନିଶ୍ଚିତ ଶୁଣାନ୍ତୁ । କିନ୍ତୁ ନିଜର ବେଶ ବଦଳେଇ ରାଜା ଏକାକୀ ଥିବା ସମୟରେ, ଏହି କବିତାଟି ଗାନ କରି ଶୁଣେଇବେ । କବିତାର ଶେଷ ଧାଡିରେ, ସ୍ପଷ୍ଟ ଭାବରେ ସୂଚନା ଦିଆଯାଇଛି ଯେ, ଆପଣଙ୍କ ହୃଦୟରେ ରାଜବଂଶଜ ମାନଙ୍କ ପ୍ରତି କୌଣସି ଦ୍ୱେଷ ଭାବ ନାହିଁ । କେବଳ କେତେକ ସହକବିମାନଙ୍କର ଇର୍ଷା କାରଣରୁ, ରାଜାଙ୍କର ଏପରି ଧାରଣା ହୋଇଛି । ତେଣୁ ଆପଣ ରାଜାଙ୍କର ପ୍ରେମ, ସାନ୍ନିଧ୍ୟ ଓ କୃପାରୁ ବଂଚିତ ହେବାକୁ ଚାହାଁନ୍ତି ନାହିଁ ।”

          ବିଷ୍ଣୁଭଟ୍ଟଙ୍କର କଥାରେ ମୁରଲୀନାଥ ସନ୍ଦିଗ୍ଧ ଅବସ୍ଥାରେ ପଡିଗଲେ । ତତ୍କ୍ଷଣାତ୍ ସେ କିଛି ସ୍ଥିର କରି ପାରୁ ନ ଥାନ୍ତି ।

         ବିଷ୍ଣୁଭଟ୍ଟ ଏହା ଅନୁମାନ କରି କହିଲେ ଯେ, “ଆପଣ ଅନ୍ୟଦ୍ୱାରା ଲିଖିତ କବିତାକୁ ନିଜର କହି କିପରି ରାଜାଙ୍କୁ ଶୁଣାଇବେ, ଏହି ଦ୍ୱନ୍ଦ୍ୱରେ ସେ ପଡିଯାଇଛନ୍ତି । ଏହି କବିତା, ଆପଣହିଁ ପ୍ରଥମେ ଶୁଣିଲେ । ମୋର ଭଉଣୀ ଗୀତାଦେବୀ ଯେପରି ଆପଣଙ୍କର ଏକାନ୍ତ ନିଜର, ଏହି କବିତାକନ୍ୟାଟିକୁ ଆପଣ ସେହିପରି ଆପଣାର ଭାବି ସ୍ୱୀକାର କରନ୍ତୁ ।”

          ତଥାପି ବି ମୁରଲୀନାଥଙ୍କର ଆତ୍ମାଭିମାନ ତାଙ୍କୁ ଏପରି କାମ କରିବା ପାଇଁ ବାଧା ଦେଉଥାଏ । ଏତେ ସବୁ କହି ବୁଝାଇବା ପରେ, ବିନତି, ନିବେଦନ କରି ମଧ୍ୟ ମୁରଲୀନାଥ କବିତାଟିକୁ ସ୍ୱୀକାର ନ କରିବାରୁ ବିଷ୍ଣୁଭଟ୍ଟ ନିରାଶ ହେଲେ । କିପରି ମୁରଲୀନାଥଙ୍କୁ ସେ ପ୍ରଭାବିତ କରିପାରିବେ, ଏହି ଚିନ୍ତା ତାଙ୍କୁ ଘାରିଲା ।

        ଅଗତ୍ୟା, ଅନ୍ୟ କିଛି ଉପାୟ ନ ପାଇ, ସେ ନିଜ ମୁଣ୍ଡରେ ବାନ୍ଧିଥିବା ପଗଡି ଓ ମୁହଁରୁ ନକଲି ନିଶ କାଢିଦେଲେ ।

              ମୁରଲୀନାଥ ଦେଖିଲେ, ତାଙ୍କ ସମ୍ମୁଖରେ ଗୀତାଦେବୀ ଠିଆହୋଇ ହସୁଛନ୍ତି । ଘନକଳା ଲମ୍ବା କେଶରାଶି ଫିଟି, କାନ୍ଧତଳକୁ ତାହା ଝୁଲି ପଡିଛି ।

                  ତାଙ୍କ ମୁହଁରୁ ବାହାରି ଆସିଲା, “ଗୀତା, ତୁମେ!” ଗୀତାଦେବୀ ଅଳ୍ପ ହସି କହିଲେ, “ହଁ ସ୍ୱାମୀ!” ଏତେବେଳଯାଏଁ ପୁରୁଷ କଣ୍ଠରେ ସେ କଥା କହୁଥିଲେ । ମାତ୍ର ଏବେ ସେ ନିଜର ସ୍ୱଭାବସୁଲଭ କୋମଳ ସ୍ୱରରେ ସ୍ୱାମୀଙ୍କୁ କହିଲେ, “ରାଜଧାନୀରୁ ଫେରିଥିବା, ମୋର ପିତାଙ୍କର ଦୁଇଜଣ ଛାତ୍ରଙ୍କଠାରୁ ମୁଁ ଜାଣିବାକୁ ପାଇଲି ଯେ, ଆପଣ ଦରବାରରେ ରାଜାଙ୍କ ଦ୍ୱାରା ଅପମାନିତ ହୋଇ ମୁଣ୍ଡ ତଳକୁ କରି ଚାଲି ଆସିଛନ୍ତି । ଏହା ଶୁଣି, ମୁଁ ଯମାରୁ ସ୍ଥିର ହୋଇ ରହି ପାରିଲି ନାହିଁ । ମୁଁ ନିଜେ ଆସି ଆପଣଙ୍କୁ କୌଣସି ପରାମର୍ଶ ଦେବାକୁ ଚାହିଁଥିଲେ, ତାହା ଆପଣ କେବେବି ଗ୍ରହଣ କରିନଥାନ୍ତେ । ଏହା ତ ମୁଁ ଆଗରୁ ଜାଣିଛି । ତେଣୁ ପୁରୁଷ ବେଶ ଧାରଣ କରି ମୁଁ ନିଜେ ଆସିଲି । ଏବେ ନିଃସଙ୍କୋଚରେ ଆପଣ ନିଜ ସମସ୍ୟାର ସମାଧାନ ପାଇଁ ଏହି କବିତାଟିକୁ ଗ୍ରହଣ କରନ୍ତୁ ।”

         ମୁରଲୀନାଥ ଆଶ୍ଚର୍ଯ୍ୟ ହୋଇ ତାଙ୍କ କଥା ଶୁଣୁଥାନ୍ତି । କିଛି କ୍ଷଣପରେ, ନାସ୍ତିସୂଚକ ଭାବେ ସେ ମୁଣ୍ଡ ହଲେଇଲେ ।

           ଏତେ କଥା କହି ପତିଙ୍କୁ ବୁଝାଇବା ପରେ ମଧ୍ୟ, ତାଙ୍କର ଅସ୍ୱୀକୃତିରେ ଅସନ୍ତୁଷ୍ଟ ହୋଇ ଗୀତାଦେବୀ ଦୁଖ ଓ ଉଦାସଭରା ସ୍ୱରରେ ପ୍ରଶ୍ନକଲେ, “କେଉଁ କାରଣରୁ ଆପଣ ଏହା ସ୍ୱୀକାର କରୁନାହାଁନ୍ତି? ନାରୀଜାତି ପ୍ରତି ବିଦ୍ୱେଷ ଭାବ ପାଇଁ ଆଉ ନୁହେଁ ତ?”

            ମୁରଲୀନାଥ ନିଜର ନୀରବତା ଭାଙ୍ଗି କହିଲେ, “ମୋର ହୃଦୟ ଏବେ ତିନୋଟି କଂଟାର ବିଷରେ ଜର୍ଜରିତ, ସ୍ତ୍ରୀଜାତି ପ୍ରତି ଅବଜ୍ଞା ମନୋଭାବ, ରାଜବଂଶଜଙ୍କ ପ୍ରତି ଉଦାସୀନତା ଓ ତୃତୀୟରେ ରାଜଦରବାରରେ ପାଇଥିବା ଅପମାନ । ଏହି ତିନୋଟି ଉତ୍କଟ ବିଷର ଜ୍ୱାଳାକୁ ତୁମେ ଗୋଟିଏ କବିତାର ମାନ୍ତ୍ରିକ ପ୍ରଭାବରେ ଉପଶମ କଲ । ମୋର ମନରେ ପ୍ରଶାନ୍ତିର ପୁଲକ ଆଣିଦେଇଥିବା, ତୁମେ ସାକ୍ଷାତ୍ ଦେବୀ ସତ୍ୟଭାମା ସ୍ୱରୁପିଣୀ । ଏବେ ମୋ ସମ୍ମୁଖରେ ଏକମାତ୍ର ମାର୍ଗ ଉନ୍ମୁକ୍ତ ରହିଛି । ତାହା ହେଲା ନିଜ ଅହଂକାର ତ୍ୟାଗକରି, ଖୋଲା ହୃଦୟରେ ତୁମ ନିକଟରେ କୃତଜ୍ଞତା ଜ୍ଞାପନ କରିବା, ଓ ତୁମର ଏହି ଋଣ ଶୁଝିବା ପାଇଁ ତୁମ ନିକଟରେ ନତମସ୍ତକ ହେବା ।” ଏହା କହୁ କହୁ ସେ ଉଠି, ପତ୍ନୀଙ୍କର ପାଦ ଛୁଇଁବାକୁ ତତ୍ପର ହେଲେ ।

          ପତିଙ୍କର ଏହି ପରିବର୍ତ୍ତନ ଦେଖି ଗୀତାଦେବୀଙ୍କର ଚକ୍ଷୁରୁ ଆନନ୍ଦାଶ୍ରୁ ଗଡି ଗଲା । ସେ ଏପରି କରିବାରୁ ତାଙ୍କୁ ନିବୃତ କରି କହିଲେ, “ନା, ଏପରି କରନ୍ତୁ ନାହିଁ । ଆପଣ ମୋ ପରାମର୍ଶ ଗ୍ରହଣ କରିଛନ୍ତି, ସେତିକି ହିଁ ମୋ ପାଇଁ ଯଥେଷ୍ଟ ।”

         ପତି-ପତ୍ନୀ ସେହି ରମଣୀୟ ପ୍ରାକୃତିକ ପରିବେଶରେ କିଛି ସମୟ ଅବସ୍ଥାନ କରି ରାଜଧାନୀକୁ ଫେରି ଆସିଲେ ।

          ପରଦିନ, ଛଦ୍ମବେଶ ଧାରଣ କରି ମୁରଲୀନାଥ ରାଜାଙ୍କୁ ସାକ୍ଷାତ କଲେ ଓ ଗୀତାଦେବୀଙ୍କ କବିତାଟି ଶୁଣାଇଲେ । ନିଜ ପ୍ରଚେଷ୍ଟାରେ ସଫଳ ହୋଇ, ସେ ପୁଣି ରାଜା କମଳଚନ୍ଦ୍ରଙ୍କର ପ୍ରିୟପାତ୍ର ହୋଇପାରିଲେ ।

          କିଛି ଦିନ ବିତିଯିବା ପରେ, ସେ ରାଜାଙ୍କୁ, ନିଜ ପତ୍ନୀଙ୍କର ପ୍ରଚେଷ୍ଟା ଉପାଖ୍ୟାନଟି ଶୁଣାଇଲେ । ନିଜ ପତ୍ନୀଙ୍କର ଏହି ବିଦୁଷୀ-ପତୀ ବର୍ଣ୍ଣନା କରିବା ସମୟରେ ସେ ଗର୍ବିତ ଅନୁଭବ କରୁଥାନ୍ତି ।

       ଏହାପରେ, ଗୀତାଦେବୀଙ୍କ ସହଯୋଗରେ ମୁରଲୀନାଥ ଅନେକ ଗୁଡିଏ ଉତ୍ତମ କାବ୍ୟ ରଚନା କଲେ । ସେ ସମସ୍ତ କବିତାରେ ସ୍ତ୍ରୀ ଜାତି ପ୍ରତି ଗଭୀର ସମ୍ମାନ ଥିଲା । ରାଜାଙ୍କ ପ୍ରତି ଆନୁଗତ୍ୟ, ନ୍ୟାୟ ସଂଗତ ପ୍ରଶଂସା ଓ ସମୁଚିତ ପରାମର୍ଶ । ଇର୍ଷାକାତର କବିମାନଙ୍କ ପ୍ରତି ସତର୍କ ବାଣୀ ଓ ପ୍ରକୃତି-ପ୍ରେମର ବନ୍ଦନା ରେ ରଚିତ ଏହି ସବୁ କାବ୍ୟଉପରେ ସେ ଉଲ୍ଲେଖ କରୁଥିଲେ ।

Share to...