ମିଛୁଆ, ଖଚୁଆ, ଚୁଗୁଲିଆ

ମିଛୁଆ, ଖଚୁଆ, ଚୁଗୁଲିଆ

    ଜଙ୍ଗଲର ରାଜା ସିଂହ ଗୁମ୍ଫାରେ ବାସ କରୁଥାଏ । ହଠାତ୍ ସିଂହର ଦେହ ଖରାପ ହୋଇଯିବାରୁ ସେ ଜଙ୍ଗଲରେ ବୁଲି ଶିକାର କରି ପାରିଲା ନାହିଁ । ସୁତରାଂ ଜଙ୍ଗଲର ପଶୁମାନେ ଜଣଜଣ କରି ସିଂହ ପାଇଁ ପଥ୍ୟଦ୍ରବ୍ୟ ଆଣି ଭେଟି ଦେଲେ । ହେଲେ ବହୁତ ଦିନ ଯାଏଁ ବିଲୁଆର ଦେଖାନଥାଏ ।

        କିଛିଦିନ ପରେ ବିଲୁଆ ଭାବିଲା ମୁଁ ରାଜାଙ୍କୁ ସାକ୍ଷାତ କରିବା ପାଇଁ ଯାଇ ନଥିବାରୁ ରାଜା ବୋଧେ ମୋ ଉପରେ ରାଗିଥିବେ । ତେଣୁ ଯାଉଛି ରାଜଉଆସ ଆଡେ ଟିକିଏ ବୁଲିଆସିବି । ଏହା ଭାବି ସେ ରାଜାଙ୍କ ପାଖକୁ ଗଲା ।

        ଏବେ ସିଂହରାଜା ଦୁଆରେ ପହଂଚି ବିଲୁଆ ଦେଖିଲା, ଚାଟୁକାର ଗଧିଆଟି ସିଂହରାଜାଙ୍କ କାନରେ କ’ଣ କହୁଛି । ଏବେ ବିଲୁଆ ଏକ ଗଛ ଉଢାଳରେ ଲୁଚି ରହି ସବୁ କଥା ଶୁଣିଲା ।

          ଗଧିଆ ରାଜାଙ୍କୁ କହୁଥିଲା, “ସତରେ ଆପଣ ଜଣେ ଭଲ ରାଜା । ଆପଣ ଗୁମ୍ଫା ଭିତରେ ରହି ବହୁତ କଷ୍ଟ ଭୋଗୁଛନ୍ତି । ସେଇଥିପାଇଁ ଆପଣଙ୍କୁ ସମବେଦନା ଜଣାଇବାକୁ ଜଙ୍ଗଲର ସମସ୍ତ ପଶୁ ପଥ୍ୟ ନେଇ ଆସିଲେ, ହେଲେ ବିଲୁଆ ଏପର୍ଯ୍ୟନ୍ତ ଆସିଲାନାହିଁ । ଏଇ ଦେଖୁନାହାନ୍ତି, ସେ ନବାବ ଭଳି ହଲି ହଲି ଖାଲି ହାତରେ ଆସୁଥିଲା ଯେ, ପୁଣି କୁଆଡେ ଲୁଚିଗଲା । ସତେ ଯେମିତି ଜଣାପଡୁଥିଲା, ସେ ଆପଣଙ୍କୁ ସମବେଦନା ଜଣାଇବାକୁ ନୁହେଁ ବରଂ ଥଟ୍ଟାମଜା କରିବାକୁ ଆସୁଛି । ସୁତରାଂ ଆପଣ ତାକୁ ଆଜି ହତ୍ୟା କରି ତା’ର ମାଂସ ଖାଇ କ୍ଷୁଧା ନିବାରଣ କରନ୍ତୁ ।” ଏହିଭଳି ଗଧିଆ ନଅଛଅ କରି ବିଲୁଆ ବିରୋଧରେ କହିଗଲା । ଏସବୁ କଥା ଲୁଚି ରହି ବିଲୁଆ ବି ଶୁଣୁଥିଲା । ତାପରେ ଗଧିଆ ତା’ର ଘରକୁ ଚାଲିଗଲା ।

       ଗଧିଆଠାରୁ ବିଲୁଆ ବିରୋଧରେ ଏଭଳି କଥା ଶୁଣି ସିଂହ ଏକାବେଳକେ ରାଗରେ ପଂଚମ ହୋଇଗଲା । ସେ ମନେ ମନେ ଭାବିଲା କଥାଟି ନିଶ୍ଚୟ ଠିକ୍ । ବିଲୁଆ ଆସିଲେ ଆଚ୍ଛା କରି ପାନେ ଦେବି ।

        ମାତ୍ର ବିଲୁଆକୁ ଆଉ ଦେଖେ କିଏ? ସେ ଭୟରେ ଦୌଡିଯାଇ ସେଠାରୁ ଛୁ ମାରିଲା । ବିଲୁଆ ସେଦିନ ସିଂହ ପାଖକୁ ନଯିବାରୁ ଆଉଦିନେ ସିଂହ ଗଧିଆକୁ ପଠାଇଲା ବିଲୁଆକୁ ଡାକିଆଣିବା ପାଇଁ ।

        ସୁତରାଂ ଗଧିଆ ଏବେ ବିଲୁଆକୁ ଖୋଜି ଖୋଜି ତା’ପାଖରେ ପହଂଚିଗଲା । ଗଧିଆକୁ ଦେଖି ବିଲୁଆ ମନେ ମନେ ରାଗ ରଖି କହିଲା, “ବଡଭାଇ ! କୁଆଡେ ଆସିଲ?”

        ଏଥର ଗଧିଆ କହିଲା, “ଆଉ କାହାପାଇଁ, ଖୋଦ୍ ତୁମପାଖକୁ ତୁମରି ହିତ ଲାଗି ଆସିଛି ପରା? ରାଜା କହିଛନ୍ତି, ଜଙ୍ଗଲର ସମସ୍ତ ପଶୁ ତ ମୋତେ ଦେଖିବାକୁ ଆସିଲେ, ହେଲେ ବିଲୁଆ କାହିଁକି ଆସିଲା ନାହିଁ, ବିଚରା ନିରୀହ ଜୀବଟିଏ । ଯା’ ତା ଦେହ ଭଲ ଅଛିନା ନାହିଁ ଦେଖି ଆସିବୁ । ଭଲଥିଲେ ମୋ ପାଖକୁ ଡାକି ଆଣିବୁ, ଏକ ଜରୁରୀ କଥାବାର୍ତା ଅଛି ।”

       ଏବେ ବିଲୁଆ ମନେ ମନେ ଭାବିଲା, ଗଧିଆକୁ କିଛି ବାହାନା ଦେଖାଇ ଆଜି ଫେରାଇ ଦେବାଟା ମସ୍ତବଡ ଭୁଲ୍ ହୋଇଯିବ । ବରଂ ନିଜର ପ୍ରାଣ ବଂଚାଇବା ସହିତ ସିଂହଦ୍ୱାରା ହିଁ ଉପଯୁକ୍ତ ଶାସ୍ତି ଦେବା ଦରକାର । ସେଥିଲାଗି ଏକ ଉପାୟ ସେ ମନେ ମନେ ପାଂଚିଲା । ତାପରେ କହିଲା, “ହଉ ଚାଲ ।”

      ଏବେ ଗଧିଆ ଚାଲିଲା ଆଗେ ଆଗେ ଆଉ ତା’ ପଛରେ ବିଲୁଆ । ଦୁହେଁ ସିଂହର ଗୁମ୍ଫା ପାଖାପାଖି ହେବାବେଳେ ହଠାତ୍ ସିଂହ ବିଲୁଆକୁ ଦେଖି ଗର୍ଜ୍ଜନ କରି କହିଲା, “ରେ ହୀନ ପଶୁ ! ତୋତେ ଖାଇବା ପାଇଁ ମୁଁ ଅପେକ୍ଷା କରି ବସିଛି । ଶୀଘ୍ର ଶୀଘ୍ର ଚାଲିଆ ।”

       ଏହାଶୁଣି ଆଦୌ ଡରି ନଯାଇ ବିଲୁଆ କହିଲା, “ହଜୁର ! ମୁଁ ଆପଣଙ୍କ ଦେହ ଖରାପ କଥା ଶୁଣି ଔଷଧ ଯୋଗାଡରେ ରହି ଶୀଘ୍ର ଆସି ପାରିଲି ନାହିଁ । ସେଥିପାଇଁ ମୁଁ କ୍ଷମା ମାଗୁଛି । ମାତ୍ର ବଡ ବଡ ବୈଦ୍ୟଙ୍କ ସାଥୀରେ କଥା ହୋଇ ଆପଣଙ୍କ ଆରୋଗ୍ୟ ପାଇଁ ଔଷଧ ନିର୍ଣ୍ଣୟ କରି ଆସିଛି । ତାକୁ ଖାଇଲେ ଆପଣ ଖୁବ୍ ଶୀଘ୍ର ଭଲ ହୋଇଯିବେ ।”

       ବିଲୁଆଠାରୁ ଏଭଳି କଥା ଶୁଣି ସିଂହ ଭାରି ଖୁସି ହୋଇଗଲା । ଏବେ ବିଲୁଆକୁ ପାଖକୁ ଡାକି ପିଠିଥାପୁଡେଇ କହିଲା, “ମୁଁ କେମିତି ଭଲହେବି ଏଥିପାଇଁ ଔଷଧ କ’ଣ ମୋତେ ଶୀଘ୍ର କହ?”

      ତହୁଁ ଚତୁର ବିଲୁଆ କହିଲା, “ଆପଣ ଯଦି ଗୋଟିଏ ଗଧିଆକୁ ମାରି ତା’ର ରକ୍ତ ପିଇବେ ତେବେ ଖୁବ୍ ଶୀଘ୍ର ରୋଗମୁକ୍ତ ହୋଇଯାଇପାରିବେ ।”

          ଗଧିଆ ତ ସିଂହର ଅତି ଆପଣାର ଭଳି ତା’ ପାଖରେ ବସିଥାଏ । ବିଲୁଆ ପାଟିରୁ କଥା ନ ସରୁଣୁ ପାଖରେ ବସିଥିବା ମିଛୁଆ, ଖଚୁଆ, ଚୁଗୁଲିଆ ଗଧିଆକୁ ମାଡିବସି ସିଂହ ତା’ର ତାଜା ରକ୍ତ ପିଇବାକୁ ଲାଗିଲା ।

ନିଜର ଚତୁରତା ଯୋଗୁଁ ବିଲୁଆ ସେଦିନ ରକ୍ଷା ପାଇଗଲା ।

Share to...