ସିଦ୍ଧିଲାଭର ସଦୁପଯୋଗ

ସିଦ୍ଧିଲାଭର ସଦୁପଯୋଗ

       ଏକ ବିଶାଳ ନଗରୀ ଥିଲା । ସେଠାରେ ଜଣେ ବୁଦ୍ଧିଜୀବୀ ବାସ କରୁଥିଲେ । ଦିନେ ସେ ମନେ ମନେ ଠିକ୍ କଲେ ହିମାଳୟକୁ ଯାଇ ତପସ୍ୟା କରିବେ । ଶେଷରେ ସେଇଆ ହେଲା । କଠୋର ତପସ୍ୟା କରି ବୁଦ୍ଧିଜୀବୀ ସିଦ୍ଧିଲାଭ କଲେ । ସେଥିରେ ଅନ୍ତରୀକ୍ଷକୁ ଯାଇ ଫେରିବା ସିଦ୍ଧି ଥିଲା ଅନ୍ୟତମ ।

        ହିମାଳୟରୁ ଫେରି ଆତ୍ମବଡିମା ପ୍ରକାଶ ପାଇଁ ବୁଦ୍ଧିଜୀବୀ ସିଦ୍ଧିର କୌଶଳ ପ୍ରଦର୍ଶନ ବି କଲେ । ବୁଦ୍ଧିଜୀବୀଙ୍କର ଅଲୌକିକ ଶକ୍ତି ଯିଏ ଦେଖିଲା ପ୍ରଶଂସା ନକରି ରହି ପାରିଲା ନାହିଁ ।

       ସେହି ସମୟରେ ନଗରୀରେ ଏକ ରାକ୍ଷସ ଉପଦ୍ରବ କରୁଥାଏ । ବୁଦ୍ଧିଜୀବୀଙ୍କ ସିଦ୍ଧି ସମ୍ପର୍କରେ ସେହି ରାକ୍ଷସ ଜାଣିବାକୁ ପାଇଲା । ସୁତରାଂ ରାକ୍ଷସ ନିଜର ରୂପ ବଦଳାଇ ଏକ ସାଧାରଣ ମଣିଷ ରୂପେ ବୁଦ୍ଧିଜୀବୀ ନିକଟକୁ ଗଲା ।

       ଏବେ ରାକ୍ଷସ ବୁଦ୍ଧିଜୀବୀଙ୍କୁ ଅତି ବିନମ୍ରଭାବରେ କହିଲା, “ବୁଦ୍ଧିଜୀବୀ ମହାଶୟ, ଦୟାକରି ମୋତେ ଅନ୍ତରୀକ୍ଷକୁ ଯିବା କୌଶଳ ବତାଇ ଦିଅନ୍ତୁ ।”

          ବୁଦ୍ଧିଜୀବୀ ତ ଅତି ଚତୁର ଥିଲେ । ସେ ଭାବିଲେ ଏହାର ଅନ୍ତରାଳରେ ନିଶ୍ଚୟ କିଛି ରହସ୍ୟ ରହିଛି । ତେଣୁ ସେ ଏହି ବିଦ୍ୟା ନ ଶିଖାଇବା ଆଳରେ କହିଲେ, “ମୋତେ ଅନ୍ତରୀକ୍ଷକୁ ଏକା ଏକା ଯିବାର କୌଶଳ ଜଣାଅଛି । କାହାକୁ ସାଥୀରେ ନେଇ ଯିବା ଜଣା ନାହିଁ ।”

          ଛଦ୍ମବେଶଧାରୀ ରାକ୍ଷସ କହିଲା, “ମହାଶୟ, ମୁଁ ଆପଣଙ୍କ ସାଥୀରେ ଯିବାକୁ କହୁ ନାହିଁ । ମୋତେ ଏକାଏକା ଯିବା କୌଶଳ ବତାଇଦିଅନ୍ତୁ ।”

       ଏବେ ବୁଦ୍ଧିଜୀବୀ କପଟ କରି କହିଲେ, “ନା, ମୁଁ ତୁମକୁ ଏକାକୀ ପଠାଇ ପାରିବି ନାହିଁ । ଏଭଳି କଲେ ଲୋକେ ମୋତେ କ’ଣ କହିବେ?”

          ଏଥର ଛଦ୍ମବେଶଧାରୀ ରାକ୍ଷସ କହିଲା, “ଏକାକୀ ମୁଁ ନିଶ୍ଚୟ ଯିବି । ଏହା କହି ସେ ତା’ର ଅସଲ ରାକ୍ଷସ ରୂପକୁ ଦେଖାଇ ଦେଲା । ଏହା ଦେଖି ବୁଦ୍ଧିଜୀବୀ ଡରରେ ଅନ୍ତରୀକ୍ଷ ଯିବାକୁ ମନ୍ତ୍ର ବତାଇ ଦେଲେ ।”

         ଏବେ ଖୁବ୍ ଜୋର୍ରେ ଅଟ୍ଟହାସ୍ୟ କରି ରାକ୍ଷସ କହିଲା, “ନଗରବାସୀ! ଏବେ ମୁଁ ଅନ୍ତରୀକ୍ଷ ଯାତ୍ରା କରୁଛି । ସେଠାରୁ ଫେରିଲା ପରେ ପରେ ପୁଣି ପୂର୍ବଭଳି ଉତ୍ପାତ କରିବି । ସେ ପର୍ଯ୍ୟନ୍ତ ଅପେକ୍ଷା କରିଥାଅ ।” ଏହା କହି ରାକ୍ଷସ ଆକାଶମାର୍ଗରେ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲା ।

       ରାକ୍ଷସ ଆକାଶରେ ଅନ୍ତର୍ଦ୍ଧାନ ହୋଇଗଲା ପରେ ବୁଦ୍ଧିଜୀବୀ ଖୁବ୍ ଆନନ୍ଦିତ ହୋଇ କହିଲେ, “ଭାଇମାନେ! ଆଜିଠାରୁ ଆମ୍ଭମାନଙ୍କ ଖୁସିର ଦିନ ଫେରି ଆସିଲା । ସେହି ଦୁଷ୍ଟ ରାକ୍ଷସ ଆଉ ଫେରିବ ନାହିଁ ।”

ନଗରବାସୀ ପଚାରିଲେ, “କାହିଁକି ଫେରି ପାରିବ ନାହିଁ?”

       ତହୁଁ ବୁଦ୍ଧିଜୀବୀ କହିଲେ, “ମୁଁ ଜାଣି ଶୁଣି ତାକୁ ଯିବା ମନ୍ତ୍ରଟି ଶିଖାଇଛି । ସୁତରାଂ ସେ ଆଉ ନ ଫେରି ଅନ୍ତରୀକ୍ଷରେ ସବୁଦିନ ପାଇଁ ଘୂରି ବୁଲି ଲୀନ ହୋଇଯିବ ।

ଏହା ଶୁଣି ନଗରବାସୀ ଖୁସିରେ ନାଚି ଉଠିଲେ । ସମସ୍ତେ ବୁଦ୍ଧିଜୀବୀଙ୍କର ଭୁରି ଭୁରି ପ୍ରଶଂସା କଲେ ।

         ଏଠାରେ କହିବାର କଥା ଯେ, ଯେତେ ଦିନ ଯାଏଁ ବୁଦ୍ଧିଜୀବୀ ନିଜ ସିଦ୍ଧିକୁ ଲୋକମାନଙ୍କୁ ଦେଖାଇ ଆତ୍ମବଡିମା ପ୍ରଚାର କରୁଥିଲେ ସେତେବେଳ ପର୍ଯ୍ୟନ୍ତ ସମାଜରେ ତାଙ୍କର ସମ୍ମାନ ବୃଦ୍ଧି ହୋଇ ନଥିଲା । ମାତ୍ର ଯେତେବେଳେ ତାଙ୍କର ସିଦ୍ଧି ଲାଭର ସଫଳତା ଜନହିତରେ ଲାଗିଗଲା ସେ ପୂଜ୍ୟ ହୋଇଗଲେ ।

Share to...