ସିନ୍ଦୂର ଫରୁଆ

ସିନ୍ଦୂର ଫରୁଆ

     ବିବାହ ପୂର୍ବରୁ ସିନ୍ଦୂର ଫରୁଆ ଉପନ୍ୟାସଟି ପଢି ଯେତିକି ବିଚଳିତ ଥିଲି ମୋ ସ୍ତ୍ରୀ ଯିବା ପରେ ତା ରୂପା ଫରୁଆ ଉପରେ ନଜର ପଡିଲେ ସେତିକି ଭାଙ୍ଗିପଡେ ମୁଁ। ବେଳେ ବେଳେ ଫରୁଆ କୁ ଖୋଲି ଦେଖେ, କେତେ ଶୂନ୍ୟତା ତା ଭିତରେ। ସ୍ମୃତିର କିଛି ନାଲି ରଙ୍ଗ ସାଥିରେ ଖୁସିର ଏକ ସଙ୍ଗମ ଯେମିତି..
ତାଙ୍କ ବ୍ୟବହୃତ ସବୁ ଜିନିଷକୁ ଜଳେଇ ଦିଆଯାଏ ଶୁଣିବା ପରେ ଏଇ ସିନ୍ଦୂର ଫରୁଆ କୁ ମୁଁ ଲୁଚେଇ ରଖିଥିଲି, ଏଇଥି ପାଇଁ ଯେ ସ୍ମୃତି ହେଇ ରହି ଥାଉ ସବୁଦିନ ମୋ ସାଥିରେ। ମୁଁ ତାକୁ ମୁହଁ ଦେଖା ଉପହାରରେ ଦେଇଥିଲି ବୋଲି ନୁହେଁ, ଅନେକ ସ୍ମୃତିର ଖଣିଟିଏ ଏଇ ଫରୁଆ ଟି। ବିରହ ବେଦନାରେ ଝୁରୁଥିବା କାନ୍ଥ ଉପରେ ଏଇ ଦର୍ପଣଟା ମୂକ ସାକ୍ଷୀ ହେଇ ରହିଥିବ, କେତେ ଥର ସେ ନାଇଁ ଥିବେ ସିନ୍ଦୂର, ମୋ ପାଇଁ, ଏଇ ଦର୍ପଣ ଆଗରେ।

       ସିନ୍ଦୂର ଫରୁଆ ଉପନ୍ୟାସ ପଢିବା ପରେ ମୁଁ ବିବାହ ନ କରିବାର ସିଦ୍ଧାନ୍ତ କୁ ନେଇ ଆମ ଘରେ ସମସ୍ତେ ଅସନ୍ତୁଷ୍ଟ ଥିଲେ। ମୋତେ ଲାଗୁଥିଲା ବିବାହ ମିଛି ମିଛିକା ଖେଳ ଘର ନୁହେଁ। ବିବାହ ଭିତରେ ଗୋଟାଏ ବଡ ଦାୟିତ୍ଵର ବୋଝ କୋଉଠି ନା କୋଉଠି ଲୁଚି ରହିଥାଏ, ତାକୁ ଆବିଷ୍କାର କରିବାକୁ ହୁଏ। ଉପନ୍ୟାସରେ ଚାକିରିଆ ଦମ୍ପତିର କରୁଣ କାହାଣୀ, ରାତି ରାତି ଉପାସରେ ରହି ଜର୍ଜରିତ ହେଇ ପଡିବା, ବାସନ ଧୋଇବାଠୁ ଆରମ୍ଭ କରି ଝାଡୁ ଲଗେଇବା ପର୍ଯ୍ୟନ୍ତ ସବୁଥିରେ ଝଗଡା, ପ୍ରେମ ବିବାହର ମାଧୂର୍ଯ୍ୟ ଅଚାନକ ବିଲୁପ୍ତ ହେବା ପରେ ଉଭୟଙ୍କ ଆତ୍ମ ହତ୍ୟା ମୋ ନିଃଶ୍ୱାସ ପ୍ରଶ୍ୱାସର ଗତିକୁ ବଢେଇ ଦେଇଥିଲା ସେଇଦିନ।

        ତା’ପରେ ଅଫିସରେ ବରିଷ୍ଠ ସହକର୍ମୀ ଙ୍କ ସ୍ତ୍ରୀ ସହ ଫୋନରେ ଝଗଡା ମୋତେ ଆହୁରି ବ୍ୟତିବ୍ୟସ୍ତ କଲା। ଦିନେ ଆମେ ସାଥିରେ ମଧ୍ୟାହ୍ନ ଭୋଜନ କରୁଥିଲୁ, ଅଫିସ ଲନରେ ବସି। ଭାଉଜଙ୍କ ପାଖରୁ ଫୋନ୍ ଆସିଲା ବୋଧେ। କଣ କହିଲେ କେଜାଣି ବରିଷ୍ଠ ସହକର୍ମୀ ଉତକ୍ଷିପ୍ତ ହେଇ କହିଲେ ତମ ବୋଉ ଆଉ କେତେ ଦିନ ରହିବେ। ଭାଉଜ ଏତେ ଜୋର୍ ରେ ଚିତ୍କାର କଲେ ଯେ ସେ କଣ କହୁଥିଲେ ମୁଁ ଶୁଣି ପାରୁଥିଲି। ” ଛୁଆକୁ କିଏ ପାଳିବ, ତମ ବୋପା” । ଗୋଟାଏ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିବାରୁ ସହକର୍ମୀ କରିଡ଼ର କୁ ଯାଇ କଥା ହେଲେ, ବୋଧେ ଭାଉଜଙ୍କ ସହିତ। କାଚ ଦେଇ ସ୍ପଷ୍ଟ ଭାବେ ଦେଖୁଥିଲି ମୁଁ ତାଙ୍କ ଭାବପ୍ରବଣତାକୁ। କାଚ ଦେଇ କାଚ ପରି ଭାଙ୍ଗି ଯାଉଥବା ସମ୍ପର୍କ କୁ ସ୍ପଷ୍ଟ ଦେଖି ହୁଏ। ଭାଷା ବୁଝିବାକୁ ଦରକାର ହୁଏନି। ବଟ ଗଛ ପରି ସମ୍ପର୍କ କାହିଁକି କେଜାଣି ଭୂଇଁ କୁ ଜାବୁଡି ଧରି ପାରେନି। କାଚ ଠୁ ଆହୁରି ନାଜୁକ୍ ଏଇ ସମ୍ପର୍କ ସବୁ। ଅଳ୍ପ ଆଘାତରେ ଦୁଃଖର ମାନଚିତ୍ର ପରି ଫାଟ ସବୁ ସୃଷ୍ଟି ହୁଏ କାଚ ଉପରେ।

       ବୟସ ବତିଶ ଟପିଲା। ମୋ ବାହାଘରକୁ ନେଇ ବାପା ବୋଉଙ୍କ ମାନସିକ ଅବସ୍ଥା ଦିନକୁ ଦିନ ଗୁରୁତର ହେବାକୁ ଲାଗିଲା। ଅତିକ୍ରାନ୍ତ ବୟସରେ ଯନ୍ତ୍ରଣା କୁ ଲୁଚେଇ ରଖିବାର କୌଶଳ ଆଉ ମନେ ରହେନି ବୋଧେ। କୋଚା ମୋଚା ଗାଲର ମାଂସ ପେଶି ଉପରେ ଯନ୍ତ୍ରଣାର ଝରଟିଏ ପ୍ରବାହିତ ହୁଏ। ରକ୍ତାକ୍ତ ହେଇଯାଏ ଶୁଷ୍କ ଆଖିଟା। ବୋଉ ଚୁପ୍ ଚାପ୍, କିଛି କହୁ ନ ଥିଲେ।

       ରାତିରେ ଆଉ ନିଦ ହେଲାନି, ମୋ ପାଇଁ ସେମାନେ କାହିଁକି କଷ୍ଟ ପାଇବେ। ମନେ ମନେ ଭାବିଲି, ମୋ ହିସାବରେ ମୁଁ ବାହା ହେବି। ଚେଷ୍ଟା କଲେ ସୁନ୍ଦର ପାରିବାରିକ ଜୀବନ ବୋଧେ ଅସମ୍ଭବ ନୁହେଁ। ପାରିବାରିକ ସୁଖ, ଶାନ୍ତି ସ୍ବାମୀ ସ୍ତ୍ରୀ ମଧ୍ୟରେ ଅପୂର୍ବ ବୁଝାମଣା ର ଏକ ଶେଷ ପରିଣତି ନୁହେଁ ତ ଆଉ କଣ !!!
ବୋଉକୁ ଯାଇ କହିଲି, ତମେ ଝିଅ ଦେଖ ମୁଁ ବାହା ହେବି। କିନ୍ତୁ କିଛି ସର୍ତ୍ତ ରଖିବି ତୋ ବୋହୂ ସାଥିରେ। ଆକାଶରେ ଅଚାନକ ପୂର୍ଣ୍ଣ ଜହ୍ନଟିଏ ଉଦ୍ଭସିତ ହେଲେ ସମୁଦ୍ର ଉଛୁଳି ଉଠେ। ନଦୀ କୂଳ ଲଙ୍ଘିଯାଏ। ବୋଉ ମୁହଁରେ ମୁଚୁକା ହସ ଦେଖି ଆତ୍ମତୃପ୍ତି ଲାଭ କଲି ମୁଁ।

      ତାଙ୍କ ନାଁ ଥିଲା ରଚନା। ବେଙ୍କ କର୍ମଚାରୀ। ସର୍ବ ସମକ୍ଷରେ ମୋର କିଛି ସର୍ତ୍ତ ଅଛି ଜାଣି ଭାରି ମନରେ ବସି ରହିଲେ ସେ। ବାପା ବୋଉ ଧରି ନେଇଥିଲେ ଯେ ବାହା ନ ହେବାର ଗୋଟେ ବାହାନା..
ମୁଁ କହିଲି ରଚନା ! ବିବାହ ପାଇଁ ବହୁ କଷ୍ଟରେ ମୁଁ ରାଜି ହେଇଛି। ବିବାହ ଗୋଟାଏ ଅନୁଷ୍ଠାନ ବୋଲି ମୁଁ ଶୁଣିଛି। ତାକୁ ଚଳେଇବା ଏତେ ସହଜ ନୁହେଁ। ମୁଁ ଗୋଟାଏ ଏକ୍ସପେରିମେଣ୍ଟ କରିବାକୁ ଯାଉଛି। ହୁଏତ ତମ ଘରେ ସମସ୍ତେ ହସିବେ। ବୈବାହିକ ଜୀବନରେ ସୁଖ, ଶାନ୍ତି ଖୋଜି ପାଇବା କାଠିକର ବୋଲି ସମସ୍ତେ କହନ୍ତି। ବହୁ ବିବେଚନା ପରେ ମୁଁ ଏଇ ସିଦ୍ଧାନ୍ତରେ ଉପନୀତ ହେଇଛି ଯେ ଆମେ ଦୁହେଁ ଆମ ଘରର ସମସ୍ତ କାମକୁ ଭାଗ ବାଣ୍ଟି ସମ୍ପାଦନ କରିବୁ। ମୋ କଥା ଶୁଣି ସମସ୍ତେ କାବା ହେଇଗଲେ କିଛି ମୁହୂର୍ତ୍ତ ପାଇଁ। ମୋର ଏଇ ଅଜବ ପ୍ରସ୍ତାବ ଶୁଣି ଦୁଇ ଟୋପା ଲୁହ ଝରେଇ ଦେଲେ ରଚନା, କାହିଁକି କେଜାଣି। ମୋତେ ସମସ୍ତେ ପାଗଳ ଭାବନ୍ତୁ ପଛେ, ମୋର ଯାହା କହିବାର ଥିଲା କହିଦେଲି। ଏଇ ସିନ୍ଦୂର ଫାରୁଆଟି ଥିଲା ଝିଅ ଦେଖା ଉପହାର ରଚନାଙ୍କ ପାଇଁ। ସେଇଥି ପାଇଁ ବୋଧେ ତାଙ୍କ ମୃତ୍ୟୁ ପରେ ବି ସାଇତି ରଖିଛି, ମୋ ପ୍ରଥମ ଉପହାର ସ୍ମୃତି ରୂପରେ।

       ପୁରୁଷ ପ୍ରାଧାନ୍ୟ ସମାଜରେ ଜଣେ ସ୍ତ୍ରୀକୁ କାମରେ ସାହାଯ୍ୟ କରୁଛି ବୋଲି ମୋତେ ନାନା ରକମର ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଲା। ନାନୀ, ମାଉସୀ, ପିଉସୀ ସବୁ ଛି ଛା କଲେ। ମୁଁ କିନ୍ତୁ ଅଟଳ ଥିଲି ମୋ ସିଦ୍ଧାନ୍ତରେ।

       ଆମେ ଦୁହେଁ ଅଫିସ ଯିବା ପୂର୍ବରୁ କାମରେ ଲାଗିପଡୁ। ରଚନା ଝାଡୁ ଲଗେଇଲେ ମୁଁ ପୋଛା ଲଗେଇ ଦିଏ। ମୁଁ ଭାତ ବସେଇ ଦେଲେ ସେ ଡାଲି ବନେଇ ଦିଅନ୍ତି। ସେ ଚା ବନାଉ ବନାଉ ମୁଁ ପରିବା କାଟି ଦିଏ। କ୍ଳାନ୍ତ ଶ୍ରାନ୍ତ ହୋଇ ଅଫିସ ରୁ ଆସିବା ପରେ ପୁଣି ଦୁହେଁ ମିଶି କାମ କରୁ। କପଡା ପତ୍ର ଓହ୍ଲେଇ ଷ୍ଟୋଭ ଉପରେ କ୍ଷୀର ବସେଇ ଦେଲା ବେଳକୁ ରଚନା ପଛରୁ ଆସି ଚା ପତି ଚିନି ପକେଇ ଦିଅନ୍ତି ଫୁଟୁଥିବା କ୍ଷୀର ଉପରେ। ଦୁହେଁ ବସି ଚା ପିଉ, କ୍ଳାନ୍ତି ମେଣ୍ଟାଉ। ଓଡିଆ ସିରିଏଲ୍ ଦେଖନ୍ତି ରଚନା। ତାଙ୍କ ପାଖରେ ବସି ଅନେଇ ରୁହେ କେତେବେଳେ ଟିଭିରେ ବିଜ୍ଞାପନ ଆସିବ। ବିଜ୍ଞାପନ ସମୟରେ ରିମୋଟ ନେଇ ନିଉଜ୍ ହେଡ ଲାଇନ୍ ଦେଖି ନିଏ। ମୁଁ ଅଟା ଦଳି ଦିଏ,

       ସେ ରୋଟି ବନାନ୍ତି। ଯେ ଯାହାର ବାସନ ଧୋଇବା ଉଚିତ ବୋଲି କହି ମୁଁ ମୋ ବାସନ ଧୋଇବା ବାହାନାରେ ରଚନାଙ୍କ ବାସନ ଧୋଇବା ଜନିତ ଚାପକୁ ମୁଁ ଅଧା କମେଇ ଦେଉଥିଲି ବୋଲି ରଚନା ବୋଧେ ବୁଝି ପାରୁ ନ ଥିଲେ।

      ଖୁସିରେ ଗଦ୍ ଗଦ୍ ହେଇ ବୋଧେ ସେ ଗୋଟାଏ ଚିଠି ମୋତେ ଦେଇଥିଲେ। ଲେଖାଥିଲା , ମୋ ମୃତ୍ୟୁ ପରେ ପଢିବ, ଯଦି ମୁଁ ଆଗେ ମରିଯାଏ। ସାରା ଜୀବନ ସାଇତି ରଖିଲି ଚିଠିଟାକୁ ଉଦବେଗର ସହିତ, କଣ ସେ ଲେଖିଥିବେ କେଜାଣି !!
ତାଙ୍କ ମୃତ୍ୟୁର ଅଧା ଘଣ୍ଟା ପରେ ଚିଠି ଟି ଖୋଲି ପଢିଥିଲି, ପୁଅ ଝିଅ ଆସି ପହଞ୍ଚିବା ଆଗରୁ।

    -“ହଁ, ତମେ ତମ ଗବେଷଣାରେ ସଫଳ ହେଇଛ। ଛୋଟ ପକ୍ଷୀ ବସାରୁ ଜୀବନ ଆରମ୍ଭ ହେଇ କି ସନ୍ଧ୍ୟାରେ ଫେରୁ ଫେରୁ ବସାକୁ ଖୋଜି ନ ପାଇବାର ଯନ୍ତ୍ରଣା ଭିତରେ ଜୀବନ ର ଗଳ୍ପ ସବୁ ଫର୍ଦ୍ଦ ଫର୍ଦ୍ଦ ହେଇ ଉଡିଯାଏ ବୋଲି ମୁଁ ଶୁଣିଥିଲି। ତମେ କିନ୍ତୁ ଗୋଟାଏ ବ୍ୟତିକ୍ରମ। ଗୋଟାଏ ପରିବାରକୁ ସୁନ୍ଦର କରି ଗଢିବାର କୌଶଳ କାହାଠୁ ଶିଖିଛ କେଜାଣି ! ପୁରୁଷ ପ୍ରାଧାନ୍ୟ ପରିବାର ଭିତରେ ନାରୀଟିଏ ସକାଳରୁ ସଞ୍ଜ ଯାଏ ନିଜର ଦେହ କଥା ଭୁଲି ଯାଏ। ଝାଳ ନାଳ ସହିତ ଦେହର ମାଂସ ପେଶି ତରଳି ଯାଇ ପାଦ ତଳେ ଭୂଇଁ ସାଥିରେ କେତେବେଳେ ମିଶିଯାଏ, ଜାଣି ପାରେନି। ଅତ୍ୟଧିକ କାମ ଜନିତ ଚାପରୁ ହିଁ ଅଶାନ୍ତି ସୃଷ୍ଟି ହୁଏ ବୋଧେ। କଥା କଟାକଟି ଓ ଝଗଡା ର ରୂପ ନିଏ ପରିଶେଷରେ। ବିତୃଷ୍ନା ଆସେ ଜୀବନ ପାଇଁ। ମୁଁ କାହିଁ ସେମିତି କିଛି ଅନୁଭବ କରିନି ତମ ସହିତ। ସୁନ୍ଦର ଓ ସୁଖମୟ ପରିବାରଟିଏ

        ଗଢିବା ଏତେଟା ସହଜ ନ ହେଲେ ବି ଜମାରୁ ଅସହଜ ନୁହେଁ। ତମେ ହିଁ ପ୍ରମାଣ କରି ଦେଇଛ ଆମ କାହାଣୀରେ। ଘର କାମ କୁ ଭାଗ ବାଣ୍ଟି କରିବାର କି ଅଦ୍ଭୁତ ଚିନ୍ତାଧାରା ଥିଲା ତମ ପାଖରେ। ବହୁତ ବଡ ଆବିଷ୍କାର କରିଛ ତମେ। ତମର ଏଇ ଅଦ୍ଭୁତ ଆବିଷ୍କାର ଯୁଗ ଯୁଗ ପାଇଁ ସମାଜ କୁ ଏକ ପ୍ରେରଣା ଦେବ ନିଶ୍ଚୟ।
     ତମେ ପଢି ବିଚଳିତ ହେଇଥିବା ଉପନ୍ୟାସ ସିନ୍ଦୂର ଫରୁଆ ମୁଁ ବି ପଢିଛି ତମ ଅଜାଣତରେ। ସବୁ ବିଯୁକ୍ତାତ୍ମକ ଚିନ୍ତାଧାରା କୁ ସମାହିତ କରି ସୃଷ୍ଟି ହେଇଥିବା ଏମିତି ଗପ ସବୁ ସମାଜକୁ ଗଢେନା, ବରଂ କ୍ଷୟ କ୍ଷତି କରେ। ହଁ, ପ୍ରତି ଜନ୍ମରେ ତମେ ମୋତେ ବିବାହ କରିବ, କଥା ଦିଅ… ସ୍ନେହର ରଚନା”

       ପୁଣି ଥରେ ଅନେଇଲି ରଚନାଙ୍କ ସିନ୍ଦୂର ଫରୁଆ କୁ। ମୋ ପାଇଁ ସିନ୍ଦୂର ନାଇଁ ଥିବା ହାତ ଆଙ୍ଗୁଳିର ଚିହ୍ନ ସବୁ ସ୍ପଷ୍ଟ ଦେଖୁଥିଲି ମୁଁ ଫରୁଆ ଉପରେ। ସିନ୍ଦୂର ସାଥିରେ କିଛି ସ୍ନେହ ଆଉ କିଛି ପ୍ରେମର ଏକ ଅଦ୍ଭୁତ ମିଶ୍ରଣ, ଖୁବ୍ ମହକୁ ଥିଲା।
ବେଡ ରୁମରେ ଝୁଲୁଥିବା ଫଟୋକୁ ଅନେଇଲି।
ସେଇଥି ପାଇଁ ତ ତମ ସିନ୍ଦୂର ଫରୁଆ କୁ ସାଇତି ରଖିଛି ରଚନା।
       ମୁଁ କୁଆଡେ ସଫଳ ହେଇଛି ମୋ ଏକ୍ସପେରିମେଣ୍ଟରେ, ତମ ଚିଠି ପଢି ଭାରି ଖୁସି ହେଇ ଥିଲି ସେଦିନ।
ଜାଣିଛ ରଚନା ! ପୁଅ ଝିଅ ବହୁତ କମ୍ ଆସନ୍ତି, ସମସ୍ତେ କର୍ଯ୍ୟବ୍ୟସ୍ତ। ତମେ ଯିବା ପରେ ଏପରିକି ମୁଁ କାମବାଲି ବି ରଖିନି। ନିଜେ ଅଟା ଦଳି ରୁଟି ବନାଉଛି। ଲାଗେ ଯେମିତି ତୁମେ ମୋ ହାତ ଧରି ତାୱା ଉପରେ ରୁଟି ସେକିବା ଶିଖାଉଛ।
     ନିଜେ ଝାଡୁ ମାରେ ପୋଛିବା ଆଗରୁ, ଲାଗେ ଯେମିତି ମୋ ହାତ ଧରି ତମେ ମୋତେ ଝାଡୁ ଲଗାଇବାରେ ସାହାଯ୍ୟ କରୁଛ..
       କାହିଁକି କେଜାଣି ଆଖି ଭରି ଆସିଲା। ଲୋକେ କିନ୍ତୁ କହନ୍ତି ପୁରୁଷ ପ୍ରାଧାନ୍ୟ ପରିବାରରେ ସ୍ତ୍ରୀ ପାଇଁ କୋଉ ପୁରୁଷ କଣ କାନ୍ଦେ..
 ମୁଁ ବି ଦେଖିନି। ପୁରୁଷ ହେବାର ଅହଙ୍କାର ବୋଧେ କାନ୍ଦିବାକୁ ଦିଏନି..
 କାହିଁକି କେଜାଣି ମୁଁ କିନ୍ତୁ ରଚନାଙ୍କୁ ବହୁତ ଭଲ ପାଏ, ତାଙ୍କ ମୃତ୍ୟୁ ପରେ ବି

Share to...