ହସ ଏବଂ ଲୁହ

ହସ ଏବଂ ଲୁହ

       ବାଗଦାଦ୍ ନଗରୀର ଅଦୂରରେ ଗୋଟିଏ ଗ୍ରାମ ଥାଏ । ସେ ଗ୍ରାମର ବିଶିଷ୍ଟ ଲୋକେ ଅପରାହ୍ନରେ ସାଧାରଣତଃ ଗୋଟାଏ ବିରାଟ ଗଛର ଛାଇରେ ବସି ଗପସପ ହେଉଥାନ୍ତି ।

       ଦିନେ ସେମାନେ ଗପରେ ମଜ୍ଜି ରହିଛନ୍ତି, କେତେବେଳେ ଯେ ଜଣେ ଅଜଣା ପଥିକ ସେହି ଗଛର ଅନ୍ୟ ପଟରେ ଛାଇରେ ଆସି ବସି ଗଲାଣି, ସେକଥା ସେମାନେ ଜାଣି ନଥାନ୍ତି ।

     ଜଣେ ଗ୍ରାମବାସୀ କହୁଥାନ୍ତି, “ଘରଟି ତିଆରି କରିବା ଦିନରୁ ମୋ ସମୁଧି ବେଶ୍ ସୁଖରେ ଅଛନ୍ତି ।” ଆଉ ଜଣେ କହିଲେ, “ମୋ ମାମୁଁ ନବାବ୍ଙ୍କ ଦରବାରରେ ଚାକିରୀ ପାଇଗଲେ । ତାହା ପୁଣି ବଡ ଚାକିରୀ । ବାସ୍ତବିକ ସେ ଭାଗ୍ୟବାନ୍ ।”

      ଅନ୍ୟ ଜଣେ ମନ୍ତବ୍ୟ ଦେଲେ “ଆଉ ଆମ ଅବ୍ଦୁଲ କଥା କହୁନ? ସେ ବାଟ ଚାଲୁ ଚାଲୁ ଗୋଟାଏ ଥଳି ପାଇଗଲା । ସେଥିରେ କୋଡିଏଟି ସୁନା ମୋହର ଥିଲା । ବାସ୍ତବିକ ସେ ଟୋକା କେଡେ ଭାଗ୍ୟବାନ! ସୁଖ ମିଳିବ ତ ଏମିତି ମିଳିବ!”

     ଠିକ୍ ସେମିତି ଆଉ ଜଣେ ଦୁଇଜଣ ବି ସେମାନଙ୍କ ନିଜ ଲୋକଙ୍କ ସୌଭାଗ୍ୟ କଥା କହିଲେ । ସମସ୍ତଙ୍କ ସବୁକଥା ଶୁଣି ହଠାତ୍ ସେ ଅପରିଚିତ ଲୋକଟି ହସି ଉଠିଲା । ସେତେବେଳକୁ ଯାଇ ତା’ ଅସ୍ତିତ୍ୱ ବିଷୟରେ ସମସ୍ତେ ସଚେତନ ହେଲେ ।

       ଜଣେ ତାଙ୍କୁ ପଚାରିଲେ “ତମେ କିଏ?” ଆଉ ଜଣେ ଟିକିଏ ବିରକ୍ତ ହୋଇ ପଚାରିଲେ “ତମେ ଏମିତି କଥା ନାହିଁ-ବାର୍ତ୍ତା ନାହିଁ ହଠାତ୍ କାହିଁକି ହସିଦେଲ? କ’ଣ ଆମ କଥାଶୁଣି ତୁମକୁ ହସ ଲାଗିଲା? ଆମେ କ’ଣ କିଛି ହସିଲା ଭଳି କଥା କହୁଥିଲୁ?”

      “ମୋ ଚେହେରା ଦେଖି ବୁଝୁଥିବେ, ମୁଁ ଜଣେ ଗରୀବ ଲୋକ । ମୋର ହସରୁ ବି ବୁଝୁଥିବେ, ମୁଁ ପ୍ରାୟ ପାଗଳ । ମୋ ହସ ଯୋଗୁଁ ଆପଣମାନେ ମୋତେ କ୍ଷମା କରନ୍ତୁ । ମୁଁ ଏଥର ଯାଉଛି ।”

        ଏହା ଶୁଣି ଜଣେ ଗ୍ରାମବାସୀ କହିଲେ, “ନା, ନା, କାହିଁକି ହସିଲ, ଆଗେ ସେତିକି କହି ତା’ପରେ ଯାଇ ଏଠୁ ଯିବ ।” ଆଉ ଜଣେ ମନ୍ତବ୍ୟ ଦେଲେ “ତମେ ଗରୀବ ହୋଇପାର, କିନ୍ତୁ ପାଗଳ ହୋଇଥିବ ବୋଲି ମୋର କାହିଁ ବିଶ୍ୱାସ ହେଉନାହିଁ । ତମ ମୁହଁରେ ବହୁ ଅଭିଜ୍ଞତାର ଛାପ ରହିଛି । ହଁ, ଏଥର କୁହ ଯେ, ହସିଲ କାହିଁକି?”

       ଲୋକଟି କୈଫିୟତ୍ ଦେଲା “ବାବୁ! ମୁଁ ମୋ ଆବେଗ ସମ୍ଭାଳି ପାରେ ନାହିଁ । ସେଥି ସକାଶେ ମୁଁ ମୋ ଜୀବନରେ ବଡ ହଇରାଣ ହେଲିଣି । ସେମିତି ଆବେଗ ସମ୍ଭାଳି ନପାରି ହସିଦେଲି ।” ସମସ୍ତେ ସମସ୍ୱରରେ ପଚାରିଲେ “ଯାହାହେଉ, ହସର ତ ପୁଣି ନିଶ୍ଚୟ କିଛି କାରଣ ଥିବ! ସେ କାରଣଟି କ’ଣ?”

       ତା’ପରେ ସେ ପଥିକ ଅଳ୍ପ ସମୟ ଗମ୍ଭୀର ଭାବରେ ବସି ରହି କହିଲା, “ବାବୁମାନେ, ଆପଣମାନେ ସଭିଏଁ କହୁଥିଲେ କି ଅମୁକ ଲୋକ ସୁଖୀ, ଅମୁକ ଲୋକ ଭାଗ୍ୟବାନ୍ । ଆଜ୍ଞା, ମୋ ଜୀବନର ଅଭିଜ୍ଞତା ହେଲା, ଯାହାକୁ ଆମେ ସୁଖ ଓ ସୌଭାଗ୍ୟ ବୋଲି ମନେକରୁ, ତାହା ପଛରେ ସର୍ବଦା କିଛି ନା କିଛି ଦୁଃଖ ବା ହତାଶା ଲୁଚି ରହିଥାଏ ।”

ସମସ୍ତେ କୌତୁହଳୀ ହୋଇ ପଚାରିଲେ “ତମର ସେ ଅଭିଜ୍ଞତା କ’ଣ?”

          ଏହାପରେ ସେ ପଥିକ ଗପିଲା: ମୁଁ କେତେବର୍ଷ ତଳେ ବାଗଦାଦ୍ ନଗରୀର ପ୍ରଧାନ ପ୍ରହରୀ ଥିଲି । ତେଣୁ ସେ ନଗରୀର ମୁଖ୍ୟ ଫାଟକ ପାଖରେ ମୋତେ ସାରା ରାତି ପ୍ରହରା ଦେବାକୁ ପଡୁଥାଏ । ଦିନେ ରାତିରେ ହଠାତ୍ ପ୍ରାଚୀର ସେପଟେ ଖିଲି ଖିଲି ହସ ଶୁଣି ଦ୍ୱାର ଭିତର ଦେଇ ମୁଁ ଅନାଇ ଦେଖିଲି, ଜଣେ ଯୁବତୀ ଠିଆ ହୋଇଛି । ଜହ୍ନ ରାତି । ସେ ଯେ ଅତ୍ୟନ୍ତ ସୁନ୍ଦରୀ, ସେକଥା ମୁଁ ବୁଝି ପାରିଲି ।

       ମୁଁ କହିଲି “କ’ଣ ଦରକାର? ରାତିରେ ନଗରୀ ଭିତରକୁ ଆସିବା ମନା, ଏକଥା କ’ଣ ତମେ ଜାଣନା?” ମୋ କଥାରେ ସେ ପୁଣି ହସିଦେଇ କହିଲା, “ଟିକିଏ ହାତ ବଢାଇଲ ବାବୁ!”

        ତା’ପରେ ମୁଁ କୌତୁହଳୀ ହୋଇ ହାତ ବଢାଇଲି । ମୋ ପାପୁଲିରେ ସେ ତିନୋଟି ସ୍ୱର୍ଣ୍ଣମୁଦ୍ରା ରଖିଦେଲା । ସେତେବେଳେ ମୋ ଆଖି ଅବଶ୍ୟ ବଡ ବଡ ହୋଇଗଲା । କିନ୍ତୁ ମୁଁ କହିଲି, “ଦେଖ, ଅର୍ଥ ଲୋଭରେ ଅନ୍ୟାୟ କାମ କରିବା ଲୋକ ମୁଁ ନୁହେଁ । ମୁଁ ଯେ ଏ ଦ୍ୱାର ଖୋଲି ତୁମକୁ ଭିତରକୁ ଆସିବାକୁ ଦେବି, ସେକଥା ତମେ କଳ୍ପନା ସୁଦ୍ଧା ବି କରନାହିଁ ।”

       ସେ କହିଲେ “ତୁମକୁ ଅନ୍ୟାୟ କରିବାକୁ କିଏ କହୁଛି? ଶୁଣ, ମୋ ଅନୁରୋଧ ଯଦି ରକ୍ଷା କରିବ, ତେବେ ତୁମେ ଦୁଇ ବିରହୀ ବାନ୍ଧବୀଙ୍କ ମିଳନରେ ସାହାଯ୍ୟ କରିବ; ତୁମ ନିଜ ଭାଗ୍ୟ ମଧ୍ୟ ଖୋଲିଯିବ ।” ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲି “କିପରି?”

        “ଏ ନଗରୀର କାଜୀଙ୍କ ଝିଅ ମୋର ପ୍ରାଣର ମିତ । କିନ୍ତୁ କାହିଁକି କେଜାଣି, କାଜୀ ତା’ସହ ମୋ ଦେଖାସାକ୍ଷାତ୍କୁ ପସନ୍ଦ କରନ୍ତି ନାହିଁ । ମୋତେ ନ ଦେଖି ସେ ଛଟପଟ ହେଉଛି । ତମେ ସାହାଯ୍ୟ କଲେ ଆମର ଭେଟ ହେବ ।”

         ମୁଁ କହିଲି “ସେଥିରେ ମୁଁ ବା କ’ଣ କରି ପାରିବି? କାଜୀ ଜଣେ ଅତ୍ୟନ୍ତ କଡା ପ୍ରକୃତିର ମଣିଷ । ତାଙ୍କ ଝିଅ ସହ ସେ କାହାକୁ ମିଶିବାକୁ ଦେବେ ନ ଦେବେ, ସେ ବିଷୟରେ ସେ ମୋ ପରାମର୍ଶ କାହିଁକି ଗ୍ରହଣ କରିବେ? ବରଂ ତମ ଟଙ୍କାତକ ଫେରାଇ ନିଅ । ମୁଁ ଏଥିରେ ତମକୁ କୌଣସି ପ୍ରକାର ସାହାଯ୍ୟ କରିପାରିବି ନାହିଁ ।” ମୁଁ କହିଲି ଯଦିଓ ଟଙ୍କା ଫେରାଇବା ନିମନ୍ତେ ମୁଁ ମୋଟେ ପ୍ରସ୍ତୁତ ନଥିଲି । ତିନୋଟି ସ୍ୱର୍ଣ୍ଣମୁଦ୍ରା ତ ଆଉ କିଛି କମ୍ କଥା ନୁହେଁ ।

        ତହୁଁ ଯୁବତୀ ହସିଦେଇ ପୁଣି କହିଲା “ତମେ ବହୁତ ବିବେକୀ ଓ ବୁଦ୍ଧିମାନ । ତମେ ଇଚ୍ଛା କଲେହିଁ ମୋତେ ସାହାଯ୍ୟ କରିପାରିବ ।”

          ଯୁବତୀର ପ୍ରସ୍ତାବ ଶୁଣି ମୁଁ ପଚାରିଲି, “କିପରି?” ସେ ସେଉଠୁ ମୋତେ ଗୋଟାଏ ଉପାୟ ବତାଇ ଦେଲା । ସ୍ୱର୍ଣ୍ଣମୁଦ୍ରା, ସୁନ୍ଦରୀର ମଧୁରୀ କଥା ଓ ଆହୁରି ସୌଭାଗ୍ୟର ପ୍ରତିଶୃତିରେ ପ୍ରଭାବିତ ହୋଇ ମୁଁ ଫାଟକ ଖୋଲିଦେଲି ଓ ଯୁବତୀକୁ ନେଇ କାଜୀଙ୍କ ଘର ଆଡେ ଚାଲିଲି । କବାଟରେ ଶବ୍ଦ ଦେଇ ମୁଁ ମୋ ନିଜ ପରିଚୟ ଦେବା ମାତ୍ରେ କାଜୀ କବାଟ ଖୋଲିଦେଲେ । ମୁଁ କହିଲି, “ଏ ଯୁବତୀ ଆପଣଙ୍କ ଘର ସାମ୍ନାରେ ବସିଥିଲେ । ଇଏ ବସୋରା ନଗରୀର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ କନ୍ୟା । ଘଟଣା ଚକ୍ରରେ ଯାହାଙ୍କ ସହ ସେ ଆସିଥିଲେ, ସେ କୁଆଡେ ହଜି ଯାଇଛନ୍ତି । ଏହାଙ୍କ ଦେହରେ ଅଳଙ୍କାର ଅଛି । ରାତିକ ପାଇଁ ଏହାଙ୍କୁ ଘରେ ଆଶ୍ରୟ ଦିଅନ୍ତୁ ।”

        ମୋ’ କଥା ଶୁଣି କାଜୀ ଥତମତ ହେଲେ । ମୁଁ କହିଲି, “ଏ ଯୁବତୀ ଯଦି ରାତିରେ ଦୁର୍ବୁତମାନଙ୍କ କବଳରେ ପଡେ ତେବେ ଆମର କଳଙ୍କ ହେବ । ଆପଣ ଏହାକୁ ରାତିକ ରଖି ନିଅନ୍ତୁ ।” ସେଠିକାର ବିଚାରକ ହେଲେ ଖୋଦ୍ ନିଜେ କାଜୀ । ଏବେ ସେ ପୁଣି ମନା କରିବେବା କିପରି? ତେଣୁ ଉକ୍ତ ଯୁବତୀକୁ ସେ ତାଙ୍କ ଘର ଭିତରକୁ ଡାକି ନେଲେ । ମୁଁ ବି ମୋ ଘରକୁ ଫେରି ଶୋଇ ପଡିଲି ।

      ସକାଳେ କାହାର ଗୋଟେ କର୍କଶ ଡାକରେ ହଠାତ୍ ମୋ ନିଦ ଭାଙ୍ଗିଗଲା । ଦେଖିବା ବେଳକୁ ସେ ଲୋକଟି କାଜୀଙ୍କ ଘରର ଜଗୁଆଳି । ସେ ମୋତେ କହିଲା କି କାଜୀ ସଙ୍ଗେ ସଙ୍ଗେ ଡାକୁଛନ୍ତି । ଏଣୁ ମୁଁ ଗଲି । ଦେଖିବା ବେଳକୁ ସେଠାରେ କଟୁଆଳ ବି ଆସି ପହଁଚିଲେଣି । ସେ ଯୁବତୀ ରାତିରେ କାଜୀଙ୍କ ଘରର ସବୁ ଗହଣା ଓ ଟଙ୍କା ଧରି ପଳାଇ ଯାଇଛି!

କଟୁଆଳ କହିଲେ “ଦୁଷ୍ଟ! ତୁ ମରିବୁ!”

          ମୁଁ ନିଜକୁ ବହୁ କଷ୍ଟରେ ସମ୍ଭାଳି କହିଲି, “ହଜୁର୍! ଏ ରାଜ୍ୟର ନିୟମ ଦୋଷୀକୁ ଦଣ୍ଡ ଭୋଗିବା ପୂର୍ବରୁ ତିନିଦିନ ସମୟ ଦିଆହୁଏ । ମୁଁ ଭାବୁଛି ତିନିଦିନରେ ସେ ଠକ ଯୁବତୀକୁ ମୁଁ ନିଶ୍ଚୟ ଧରି ପାରିବି ।”

        ତା’ପରେ ମୋତେ ଅନୁମତି ଦିଆଗଲା । ମୁଁ ପାଗଳ ଭଳି ନଗରୀ ସାରା ବୁଲିଲି । ତୃତୀୟ ଦିନ ସଂନ୍ଧ୍ୟାବେଳକୁ ନଗରୀର ଶେଷ ପ୍ରାନ୍ତରେ ଗୋଟିଏ ପୁରୁଣା ଦୁଇମହଲ କୋଠାର ଝରକା ସେପାରିକୁ ଅଚାନକ ମୋ ଆଖି ପଡିଗଲା । ସେହି ଯୁବତୀକୁ ଦେଖି ପକାଇ ତତ୍କ୍ଷଣାତ୍ ଦୁଇ ମହଲକୁ ଉଠିଯାଇ ମୁଁ ଭିତରକୁ ପଶିଗଲି ।

ଯୁବତୀ କହିଲା “ତମ ବାଟ ଚାହିଁ କେତେ ଆଖି ପାଣି ମଲାଣି!”

ମୁଁ କହିଲି “ଚୁପ୍ କର! ତୁମକୁ ନ ପାଇଥିଲେ ମୋ ପ୍ରାଣ ଆଜି ନିଶ୍ଚୟ ଯାଇଥାନ୍ତା । ଏବେ ଚାଲ ।”

ଯୁବତୀ ପଚାରିଲା “କୁଆଡେ?”

ମୁଁ କହିଲି “କାଜୀ ପାଖକୁ?”

ଯୁବତୀ କହିଲା “କାଜୀ ଆମ ବାହାଘର କରିଦେବେ? ଏତେ ତରବର କାହିଁକି?”

          ଯୁବତୀର କଥା ଶୁଣି ମୁଁ ହସିବି ନା କାନ୍ଦିବି? କିନ୍ତୁ ସେ ମୋତେ ବୁଝାଇଦେଲା କି ସେ ବହୁଦିନ ଧରି ମୋତେ ଦେଖୁଥାଏ । ମୋତେ ବାହାହେବା ତା’ର ଇଚ୍ଛା । ଆମେ ଦୁହେଁ ଯେପରି ସୁଖରେ ସଂସାର କରିବା, ସେଥିପାଇଁ ସେ ଅର୍ଥ ସଂଗ୍ରହ କରୁଛି । କାଜୀର ଅନ୍ୟାୟ ଧନ ସେ ନେଇ ଆସିଛି । ସେ ମଧ୍ୟ ତା’ଆଲମିରା ଖୋଲି ସେସବୁ ମୋତେ ଦେଖାଇଦେଲା । ତା’ପରେ ମୁଁ କ’ଣ କରିବା ଉଚିତ୍ ସେକଥା କରିଦେଲା ।

         ତା’ ପରାମର୍ଶ ଅନୁସାରେ ମୁଁ ଯାଇ ସିଧା କଟୁଆଳଙ୍କ ପାଖରେ ପହଁଚି କହିଲି, “ହଜୁର୍! ମୋର ସନ୍ଦେହ, ସେ ଯୁବତୀ କାଜୀଙ୍କ ଘରେହିଁ ରହିଛି । ଆପଣ ଚାଲନ୍ତୁ ଦେଖିବା ।”

           ଏହାପରେ କଟୁଆଳ ବିସ୍ମିତ ହୋଇ ମୋ ସହ ଗଲେ । ଯେତେବେଳେ କାଜୀଙ୍କୁ ଆମେ ଆମ ସନ୍ଦେହ କଥା କହିଲୁ, ସେ ପ୍ରଥମେ କ୍ରୋଧରେ କଥା କହିପାରିଲେ ନାହିଁ । ତା’ପରେ ସେ କହିଲେ, “ଆଚ୍ଛା, ତାହେଲେ ମୋ ଘର ତଲାସ୍ କର । ଯଦି ତମ ସନ୍ଦେହ ମିଥ୍ୟା ବୋଲି ପ୍ରମାଣ ହେବ, ତେବେ ଏହାର ପରିଣାମ ଖୁବ୍ ଭୀଷଣ ହେବ ।”

          ମୁଁ ଏଣେ ତେଣେ ମିଛରେ ଘଂଟାଏ କାଳ ଖୋଜା ଖୋଜି କରି ଯୁବତୀର ନିର୍ଦ୍ଧେଶ ଅନୁସାରେ ଶେଷକୁ ଗୋଟାଏ ସିନ୍ଦୁକ ଖୋଲି ଦେଖିଲି ।

 ମୁଁ ପଚାରିଲି “କାଜୀ ମହୋଦୟ, ସେ ଯୁବତୀ କି ରଙ୍ଗର ପୋଷାକ ପିନ୍ଧିଥିଲା?”

        କାଜୀ କହିଲେ “ନୀଳ ରଙ୍ଗର!” ତତ୍କ୍ଷଣାତ୍ ସିନ୍ଦୁକ ଭିତରୁ ମୁଁ ଖଣ୍ଡିଏ ନୀଳ ପୋଷାକ ବାହାର କରି ଆଣିଲି । ସେଥିରେ ରକ୍ତ ଭଳି ଲାଲ୍ ରଙ୍ଗ ଲାଗିଥାଏ । କହିବା ବାହୁଲ୍ୟ, ଯୁବତୀଟି ସେ ପୋଷାକ ସେଠି ଲୁଚାଇଦେଇ ଯାଇଥିଲା ।

         ତାହା ଦେଖି କାଜୀ କାବା ହୋଇ ଚାହିଁ ରହିଲେ । କଟୁଆଳ ଗମ୍ଭୀର ଭାବରେ ପଚାରିଲେ, “କାଜୀ! ଆପଣ ସେ ଯୁବତୀକୁ ହତ୍ୟା କଲେ କାହିଁକି?”

        ଏଭଳି ପ୍ରଶ୍ନ ଶୁଣି କାଜୀ ତାଙ୍କ ଚେତା ହରାଇ ପଡିଗଲେ । ଆମେ ପାଣି ସିଞ୍ଚି ତାଙ୍କ ଚେତା ଫେରାଇ ଆଣିଲୁ । କଟୁଆଳ କହିଲେ, “କାଜୀ! ଚିନ୍ତା କରନ୍ତୁ ନାହିଁ । ଯାହା ହେବାର ତ ହେଲାଣି । ଏ କଳଙ୍କ ଯେପରି ରଟିବ ନାହିଁ, ସେକଥା ମୁଁ ଦେଖିବି ।” ମୋତେ ଅନାଇ ସେ କହିଲେ, “ଖବର୍ଦାର୍! ଏ ବିଷୟରେ ତୁ କାହାକୁ କିଛି ବି କହିବୁ ନାହିଁ । ତୋତେ ମୁଁ ବଡ ଚାକିରୀ କରାଇ ଦେବି ।”

ମୁଁ କହିଲି, “ଯାହା ଆପଣଙ୍କ ଆଦେଶ!”

ସେଠାରୁ ବାହାରି ମୁଁ ଆନନ୍ଦରେ ସେ ଯୁବତୀ ସହ ଦେଖା କରିବାକୁ ଚାଲିଲି ।

         କିନ୍ତୁ କାହିଁ ସେ ଯୁବତୀ? ଲୋକେ କହିଲେ, ସେ ଘର ତ କେବେଠୁଁ ଖାଲି ପଡିଛି । ଦୁଇଦିନ ପାଇଁ ଜଣେ ସ୍ତ୍ରୀ ଲୋକ ସେଠି ରହିଥିଲା । ଆଜି କିନ୍ତୁ ସେ କୁଆଡେ ଚାଲି ଯାଇଛି ।

        ଏହାପରେ ମୁଁ ମୋ ନିଜକୁ ନିଜେ ଧିକକାର କରିବା ଛଡା ଆଉ କ’ଣ ବା କରିବି? କଟୁଆଳ ଆଗରେ ନିରପରାଧି କାଜୀଙ୍କୁ ଅପରାଧୀ ବୋଲି ଦେଖାଇଥିବା ଯୋଗୁଁ ମୋ ମନରେ ଗଭୀର ଗ୍ଳାନି ଆସିଲା । ମୁଁ ଚାକିରୀ ଛାଡିଦେଇ ବୁଲୁଛି । ଦୁଇଥର ସୁଖର ଭେଟ ପାଇଗଲି ବୋଲି ଭାବି ଖୁସି ହୋଇଥିଲି । ଦୁଇଥର ଯାକ ପରିଣତି ବିଷମ ହେଲା । ତେଣୁ ଆପଣମାନଙ୍କ କଥାବାର୍ତ୍ତା ଶୁଣି ହସି ପକାଇଥିଲି ।

ଗ୍ରାମବାସୀମାନେ ସବୁ ଶୁଣି ସେ ପଥିକ ପ୍ରତି ଗଭୀର ସହାନୁଭୂତି ଦେଖାଇଲେ ।

Share to...