ହିରୋଇନ

ହିରୋଇନ

ସେଇ ଟ୍ରେନରେ ହିରୋଇନ ଯାଇଥିଲା…
ହିରୋଇନକୁ ଖୋଜୁଥିଲେ ସେମାନେ…..

      ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନରେ ଜଣେ ଚଳଚିତ୍ର ତଥା ଟିଭି ସିରିଏଲ ଅଭିନେତ୍ରୀ, କାବ୍ୟା ଯାତ୍ରା କରୁଥିବାର ଖବର ଜଣା ପଡିଲା ପରେ ମିଡିଆ ତଥା ସାଧାରଣ ଲୋକମାନଙ୍କ ଭିତରେ ଖେଳିଯାଇଥିଲା ଏକ ଅଦ୍ଭୁତ ଉତ୍ସୁକତା ଓ ଖବରଟି ଖୁବ ଶୀଘ୍ର ଭାଇରାଲ ହୋଇ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥିଲା।
ଯଦିଓ କାବ୍ୟା ସେମିତି କେଉଁ ସୁପରଷ୍ଟାର ବା ଚର୍ଚ୍ଚିତ ଅଭିନେତ୍ରୀ ନଥିଲା, ତଥାପି କିଛି ସି ଗ୍ରେଡ ସିନେମାର ବୋଲ୍ଡ/ଅନ୍ତରଙ୍ଗ ଦୃଶ୍ୟ ପାଇଁ ଲୋକେ ଚିହ୍ନିଥିଲେ ତାକୁ।
ଶିଶୁ କଳାକାର ଭାବେ ସିନେମାରେ ନିଜ କ୍ୟାରିଆର ଆରମ୍ଭ କରିଥିବା କାବ୍ୟା ଓରଫ କବିତା ଦାସ, ପ୍ରଥମ ଦୁଇ ସିନେମାରେ ନିଜର ସୁନ୍ଦର ଅଭିନୟ ପାଇଁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇ ବହୁତ ପ୍ରଶଂସା ସାଉଁଟି ଥିଲା। ତେବେ ବଡ଼ ହୋଇ ନିଜ ନାଁ କୁ କବିତାରୁ କାବ୍ୟାକୁ ବଦଳାଇ ହିରୋଇନ ରୋଲ କିଛି ସିନେମାରେ କରିଥିଲେ ବି ଏତେ ପ୍ରସିଦ୍ଧି ପାଇ ନଥିଲା। ଧୀରେ ଧୀରେ କିଛି ଭୋଜପୁରୀ ସିନେମା ସହ ଆଇଟମ ସଙ୍ଗ ଓ ପରେ କିଛି ଟିଭି ସିରିଏଲ ରେ ଛୋଟ ମୋଟ ରୋଲ ବି କରିଥିଲା। ମଝିରେ ମଝିରେ ରୂପେଲି ପରଦାରୁ କିଛି ସମୟ ପାଇଁ ଗାଏବ ବି ହୋଇଯାଉଥିଲା।
ସେଦିନ କାଳେ “ଏକକୋଟି” ବୋଲି ଗୋଟିଏ ନିର୍ମାଣାଧୀନ ସିନେମାର ଆଉଟଡୋର ସୁଟିଙ୍ଗ ସାରି ଟ୍ରେନ ରେ ଫେରୁଥିଲା କାବ୍ୟା।
ଟିଭି ସ୍କ୍ରିନରେ କାବ୍ୟା ଅଭିନୟ କରିଥିବା କିଛି ଚଳବିତ୍ର ତଥା ଟିଭି ସିଏଲର ଦୃଶ୍ୟର ଫଟ ଦେଖାଇ ଉଦଘୋଷକ ଟିକେ ବ୍ୟତିବ୍ୟସ୍ତ ସ୍ୱରରେ କହୁଥିଲେ
– ଦୁର୍ହିଘଟଣା ଗ୍ରସ୍ତ ଟ୍ରେନରେ ଯାତ୍ରା କରୁଥିବା ହିରୋଇନ କାବ୍ୟାଙ୍କର ବି କିଛି ଖବର ବର୍ତ୍ତମାନ ସୁଦ୍ଧା ମିଳିନାହିଁ।”
ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିବା କିଛି ସ୍ଥାନୀୟ ଯୁବକ ସେଇ ଅନ୍ଧାର ଭିତରେ ରେଳ ଧାରଣା ନିକଟରେ କାବ୍ୟାକୁ ଆବିଷ୍କାର କରି ଆହତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ । ଦୁର୍ଘଟଣାସ୍ଥଳରୁ ହିରୋଇନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର ଫଟବି ଭାଇରାଲ ହୋଇଥିଲା। ମୁଣ୍ଡ ତଥା କାନ୍ଧରେ ଆଘାତ ଲାଗିଥିଲା କାବ୍ୟା’ର।
ଅନ୍ୟ ଆହତ ଯାତ୍ରୀଙ୍କ ସହିତ କାବ୍ୟା ବି ଆଡ଼ମିଟ ହୋଇଥିଲା ହସପିଟାଲରେ। ନୀଳ ରଙ୍ଗର ଏକ ହ୍ୟାଣ୍ଡ ବ୍ୟାଗଟିକୁ କିନ୍ତୁ ଜାବୁଡି ଧରିଥିଲା କାବ୍ୟା।
ଆକ୍ସିଡେଣ୍ଟ ପରେ ବଗି ଭିତରୁ ସେ ବାହାରକୁ ଛିଟିକି ପଡିଥିଲା ଓ ବେହୋସ ହୋଇଯାଇଥିଲା। ହୋସ ଫେରିବା ପରେ, ଲୋକମାନେ ତାକୁ ଉଦ୍ଧାର କଲାପରେ, ରେଳ ଧାରଣା କଡ଼ରେ ସେଇ ଅନ୍ଧାରରେ ନିଜ ହ୍ୟାଣ୍ଡ ବ୍ୟାଗଟିକୁ ଦେଖି ସେ ବହୁତ ଖୁସି ହୋଇଯାଇଥିଲା ଓ ବ୍ୟାଗ ଉପରୁ ହାତ ମାରି କାହିଁକି କେଜାଣି ସେ ଆଶ୍ୱସ୍ତ ହୋଇଥିଲା।
ବଗି ଭିତରେ ଯଦିଓ ତା ଟ୍ରଲି ବ୍ୟାଗ ରହିଯାଇଥିଲା ଓ ମୋବାଇଲ କୁଆଡେ ପଡିଯାଇଥିଲା, ତଥାପି କାବ୍ୟା ବେଶୀ  ଚିନ୍ତିତ ନଥିଲା।
ହସ୍ପିଟାଲରେ ମୁଣ୍ଡ ବ୍ୟାଣ୍ଡେଜ ପରେ କାବ୍ୟାକୁ ସ୍କାନିଂ ପାଇଁ ହୁଇଲ ଚେଆରରେ ବସାଇ ନେଲାବେଳେ ଜଣେ ବ୍ୟକ୍ତି ତା ପାଖକୁ ଆସି ଚୁପକିନା ତା ହାତରୁ ସେଇ ହ୍ୟାଣ୍ଡ ବ୍ୟାଗଟିକୁ ନେଇ ଚାଲିଗଲା। ଲୋକଟିକୁ ନିରବରେ କେବଳ ଥରେ ଚାହିଁଥିଲା କାବ୍ୟା।ହସ୍ପିଟାଲ ପରିସରରେ ଜମା ହୋଇଥିବା ଲୋକେ ଦେଖୁଥିଲେ ହିରୋଇନଙ୍କୁ।
ଡକ୍ଟର ତାକୁ ପଚାରୁଥିଲେ,
-ଏବେ ଆପଣଙ୍କୁ କେମିତି ଲାଗୁଛି ମ୍ୟାଡମ ? କିଛି ଗିଡିନେସ ?ବହୁତ ଲକି ଆପଣ, ଏତେ ବଡ଼ ଆକ୍ସିଡେଣ୍ଟ ରୁ ଆପଣ ରକ୍ଷା ପାଇଯାଇଛନ୍ତି ।”
ଏଥର କାହିଁକି କେଜାଣି ନିଜକୁ ବହୁତ ହାଲକା ଅନୁଭବ କରୁଥିଲା କାବ୍ୟା, କାରଣ ସବୁଠୁ ଦାମୀ ଜିନିଷ ତ ବଞ୍ଚିଯାଇଛି।
ହସ୍ପିଟାଲରେ ଏକ ରୁମକୁ ଶିଫ୍ଟ ହୋଇଥିଲା ସେ।ସେ ରୁମ ରେ ଆଉ ତିନି ଜଣ ପେସେଣ୍ଟ ବି ଥିଲେ।
ମଧ୍ୟ ରାତ୍ରିରେ ଦୁଇଜଣ ଲୋକ ସେଇ ରୁମରେ ପଶି ମୁହଁ ଘୋଡାଇ ଶୋଇଥିବା ଜଣେ ମହିଳାଙ୍କୁ ପଚାରୁ ଥିଲେ କହୁଥିଲେ,
-ହିରୋଇନ କାହିଁ !”
କିଛି ଦୂରରେ ଅନ୍ୟ ବେଡ଼ରେ ଶୋଇଥିବା କାବ୍ୟା ନିଜ ମୁହଁରୁ ଚଦର କାଢି ବୋକାଙ୍କ ଭଳି ଅନେଇଥିଲା । ରୁମ ଭିତରକୁ ଡ୍ୟୁଟିରେ ଥିବା ନର୍ସ ପଶିଆସି ସେଇ ଦୁଇଲୋକଙ୍କ ଉପରେ ରାଗିଯାଇ ବଡ଼ ପାଟିରେ କହିଲା,
-ଟିକେ ଖରାପ ଲାଗୁନି ? ଏଠି ଆକ୍ସିଡେଣ୍ଟ ଯୋଗୁଁ ଆହତ ପେସେଣ୍ଟଙ୍କ ଚିକିତ୍ସା ଚାଲିଛି ,ଆଉ ତୁମେ ଦୁଇଜଣ ହିରୋଇନ ଖୋଜୁଛ ? ସେଲ୍ଫି ଉଠାଇବା ପାଇଁ ?ବାହାର ଏ ରୁମରୁ, ସିକ୍ୟୁରିଟି କୁ ଡାକିବି ?”
ଯିବା ପୂର୍ବରୁ ସେ ଦୁଇ ଜଣଙ୍କ ଭିତରୁ ଜଣେ କାବ୍ୟାକୁ ଦେଖି ତା କାନରେ କିଛି କହିଦେଇ ଚାଲିଗଲା।
ପରଦିନ ଟିଭିରେ ବ୍ରେକିଙ୍ଗ ନିଉଜ ଦେଖାଉଥିଲା,
-ହିରୋଇନ ହରାଇଛନ୍ତି ସ୍ମରଣଶକ୍ତି। ଟ୍ରେନ ଦୁର୍ଘଟଣାରେ ଆହତ ହିରୋଇନ କାବ୍ୟା, ନିଜ ସ୍ମରଣ ଶକ୍ତି ହରାଇଛନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି।”
ସମସ୍ତେ ଆହା, ଚୁ ଚା କରି ସମବେଦନା ଜଣାଉଥିଲେ।ଟ୍ରମା ସେଣ୍ଟର କୁ ଶିଫ୍ଟ ହୋଇଥିଲା କାବ୍ୟା। ଖଟ ଉପରେ ଶୋଇ ଚାରି ଆଡକୁ ଜୁଳୁଜୁଳୁ କରି ଚାହୁଁଥିଲା।କାବ୍ୟା’ର ପରିବାର ଲୋକ ଆସି ରୁମ ବାହାରେ ଠିଆ ହୋଇ କାନ୍ଦୁଥିଲେ।କାହାକୁ ଚିହ୍ନୁ ନଥିଲା କାବ୍ୟା।
ଡକ୍ଟର ପରିବାରଲୋକଙ୍କୁ ସାନ୍ତ୍ୱନା ଦେଇ କହୁଥିଲେ,
-ଆପଣମାନେ ବ୍ୟସ୍ତ ହୁଅନ୍ତୁନି।ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ଏଭଳି ସାମୟିକ ବିସ୍ମୃତି କିଛି ଲୋକଙ୍କ ପାଖରେ ଦେଖିବାକୁ ମିଳେ।ଧୀରେ ଧୀରେ ସବୁ ଠିକ ହୋଇଯିବ ବୋଲି ମୋର ବିଶ୍ୱାସ।ରୋଗୀ ପାଖରେ ବସି ପୁରୁଣା କଥା ମନେ ପକାଇବାରେ ସାହାଯ୍ୟ କରନ୍ତୁ।”
କାବ୍ୟା’ର ମାଆ ତା ପାଖରେ ବସି ତା ହାତ, ଗୋଡ଼ରେ ହାତ ବୁଲାଇ ଆଣି ପଚାରିଲେ,
-ମା’ ରେ, ମୁଁ କିଏ କହିଲୁ ?”
କାବ୍ୟା ଯାହା କହିଲା ତା ଶୁଣି ଆଶ୍ଚର୍ଯ୍ୟ ହୋଇ ବାହାରକୁ ଉଠି ଚାଲିଗଲେ ତା ମା।ଡକ୍ଟର ପଚାରିଲେ,

-କଣ କହିଲା ପେସେଣ୍ଟ ?”
ଗମ୍ଭୀର ସ୍ୱରରେ କାବ୍ୟା’ର ମା କହିଲେ,
-ତା ନୂଆ ସିନେମା, “ଏକକୋଟି” କଥା ମନେ ପକାଇ ବାରମ୍ବାର କାନ୍ଦୁଛି ସେଇ କଥାକୁ ଘୋଷି ହୋଇ କହୁଛି ଗୁଣ୍ଡାମାନେ ମୋତେ ମାରିଦେବେ।”
ଡାକ୍ତର ମୁଣ୍ଡ ହଲାଇ କହୁଥିଲେ,
-ଆହା ବିଚାରୀ, ସିନେମାର ସିନ ତାଙ୍କ ମନରେ ଗଭୀର ଛାପ ଛାଡିଛି। ତାଙ୍କୁ ଏକୁଟିଆ ଛାଡି ଦିଅନ୍ତୁ।”
କାବ୍ୟା କାନରେ ପ୍ରତିଧ୍ବନିତ ହେଉଥିଲା ଗତ କାଲି ରାତିର ଏକ ଧମକ,
-ଭାଇ’ର ପୁରା ଏକ କୋଟି ଟଙ୍କାର ମାଲ ତୋ ବ୍ୟାଗରେ ଥିଲା। ନକଲି ମାଲ ସେ ବ୍ୟାଗରେ ପୁରାଇ, ଅସଲି ମାଲ ତୁ କାହାକୁ ଦେଇଛୁ ? ଭାଇ ତୋତେ ଜୀବନରୁ ମାରିଦେଵ। ସେତେବେଳେ ସ୍ଵର୍ଗରେ ହେଉଥିବୁ ହିରୋଇନ।”

ଚମକି ପଡିଥିଲା କାବ୍ୟା। ବ୍ୟସ୍ତ ହୋଇ ସେ କହିଥିଲା,
-ମୁଁ କିଛି ଜାଣିନି। ଆକ୍ସିଡେଣ୍ଟ ପରେ ଅନ୍ଧାର ଭିତରେ ସେ ବ୍ୟାଗକୁ ଧରି ମୁଁ ଚାଲି ଆସିଥିଲି। କିଏ ଯଦି ସେ ପ୍ୟାକେଟ ନେଇ ଯାଇଥିବ ?”

-ଆଛା ! ଅସଲି ମାଲ ନେଇ, ନକଲି ମାଲ ତୋ ବ୍ୟାଗରେ କିଏ ରଖିବ ?”
କାବ୍ୟାର ମୁଣ୍ଡ ବୁଲାଇ ଦେଲାଭଳି ଲାଗୁଥିଲା।
କିଏ କଣ ତାକୁ ଫଲୋ କରୁଥିଲା ଓ ଆକ୍ସିଡେଣ୍ଟ ଭିତରେ ମାଲ ବଦଳାଇ ଦେଲା ? ଜାଣି ପାରୁ ନଥିଲା କଣ କରିବ .
ଏଇ ସମୟରେ ସେ ଦେଖିଲା ଅନ୍ୟ ଏକ ବେଡ଼ରେ, ମୁଣ୍ଡ ବ୍ୟାଣ୍ଡେଜ ହୋଇ ଶୋଇଥିବା ଜଣେ ରୋଗୀଙ୍କୁ ଡାକ୍ତର ପଚାରୁଥିଲେ,
-ମଉସା,ତୁମ ନାଁ କଣ ?ଘର କେଉଁଠି ?” ବଲବଲ କରି ଖାଲି ଚାହୁଁଥିଲା ସେ ଲୋକଟା।କିଛି କହୁ ନଥିଲା।କିଏ ଜଣେ କହୁଥିଲା, ବିଚରା ସ୍ମରଣ ଶକ୍ତି ହରାଇଛି ବୋଧେ।
ହଠାତ କାବ୍ୟା ମୁଣ୍ଡକୁ ଗୋଟେ ବୁଦ୍ଧି ଆସିଲା। ନିଜ ଜୀବନ ବଞ୍ଚାଇବା ପାଇଁ ସେ ସ୍ମରଣ ଶକ୍ତି ହରାଇଛି ବୋଲି ଅଭିନୟ କରିବା ଆରମ୍ଭ କରିବାକୁ ସ୍ଥିର କରିଥିଲା। ସିନେମା ହିରୋଇନ ସେ,ଅଭିନୟ ତ ତା ପାଇଁ ବାଁ ହାତ ର ଖେଳ।
ପରଦିନ ସେ ଦେଖିଥିଲା ସେଇ ରୋଗୀ ପାଖରେ ତା ପରିବାର ଲୋକେ ପହଞ୍ଚି ଡାକ୍ତରଙ୍କୁ କହୁଥିଲେ,
-ସାର,ୟାଙ୍କ ନାଁ ନିଧି ମହାରଣା। ମିସ୍ତ୍ରୀ କାମ କରିବାକୁ ଯାଇ, ବର୍ଷକ ପରେ ଗତକାଲି ଟ୍ରେନରେ ଏକୁଟିଆ ଫେରୁଥିଲେ।”
ଡାକ୍ତର ସେମାନଙ୍କୁ ବୁଝାଇ ବାହାରକୁ ପଠାଇଲା ବେଳେ କାବ୍ୟା ଦେଖିଲା, ସେଇ ରୋଗୀର ସ୍ତ୍ରୀଙ୍କ ହାତରେ ଅବିକଳ ତା ହ୍ୟାଣ୍ଡବ୍ୟାଗ ଭଳି ଗୋଟେ ନୀଳ ବ୍ୟାଗ। ହେ ଭଗବାନ ! ତା ବ୍ୟାଗ ଏକ୍ସଚେଞ୍ଜ ହୋଇନି ତ?”
ଖଟରୁ ଉଠିବାକୁ ଚେଷ୍ଟା କରୁ କରୁ ତା ପାଟିରୁ ବାହାରି ପଡ଼ିଲା,
-ମୋ ବ୍ୟାଗ।”
ଦୁଇଜଣ ନର୍ସ ତା ପାଖକୁ ଦୌଡ଼ି ଆସି, ମାଡ଼ିବସି ତାକୁ ଖଟରେ ଶୁଆଇ ,ନିଦ ଇଂଜେକସନ ଦେଇଦେଲେ।
ନିଧି ମହାରଣା ସ୍ତ୍ରୀ ଘରେ ପହଞ୍ଚି ସେଇ ବ୍ୟାଗ ଖୋଲି ଭିତରେ ଥିବା ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଗଲା।ପାଖରେ ଠିଆ ହୋଇଥିବା ତା ଝିଅ ବ୍ୟାଗରୁ କାଢୁଥିଲା କିଛି ମହିଳା ପ୍ରସାଧାନ ସାମଗ୍ରୀ ଓ ଦୁଇଟି ଡ୍ରେସ।
-ଆରେ ବାଃ,ବୋଉ ଦେଖେ, ବାପା ମୋ ପାଇଁ ଡ୍ରେସ ଓ କସମେଟିକ ଆଣିଛନ୍ତି।ଭାଇ ହସ୍ପିଟାଲରେ ବାପାଙ୍କ ପାଖରେ ଜଗିକି ଅଛି। ଶୀଘ୍ର ଭଲ ହୋଇ ବାପା ଘରକୁ ଫେରି ଆସନ୍ତୁ।ହେଲେ ଏଇ ପ୍ୟାକେଟ ରେ କଣ ଅଛି?”
ମା,ଝିଅ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ଗୋଟେ ସିଲ ହୋଇଥିବା ପଲିଥିନ ପ୍ୟାକକୁ।
ପରଦିନ ଗୋଟେ ଗାଡି ଅଟକିଲା ନିଧି ମହାରଣା ଘର ଆଗରେ ଓ ତା ଭିତରୁ ଦୁଇଜଣ ହୃଷ୍ଟପୃଷ୍ଟ ଲୋକ ବାହାରି ନିଧି ମହାରଣା ସ୍ତ୍ରୀ କୁ କହିଲେ,
-ମାଉସୀ, ଆକ୍ସିଡେଣ୍ଟ ବେଳେ ଆମର ଗୋଟେ ନୀଳ ରଙ୍ଗର ବ୍ୟାଗ ତୁମ ସ୍ବାମୀଙ୍କ ବ୍ୟାଗ ସହ ବଦଳ ହୋଇଯାଇଛି। ସେଇଟା ସିନେମା ହିରୋଇନଙ୍କ ବ୍ୟାଗ। ତୁମକୁ ଆମେ କିଛି ଟଙ୍କା ଦେଉଛୁ, ଆମ ବ୍ୟାଗ ଆମକୁ ଦେଇଦିଅ ଓ ତୁମ ବ୍ୟାଗ ନେଇଯାଅ।ଦେଖ,ଏଥିରେ ମଉସାଙ୍କ ଲୁଙ୍ଗି,ଗାମୁଛା,ସାର୍ଟ ବି ଅଛି।” ଆଶ୍ଚର୍ଯ୍ୟ ହୋଇ ନିଧି ମହାରଣାଙ୍କ ସ୍ତ୍ରୀ ଓ ଝିଅ ,ସେଇ ଲୋକମାନେ ଆଣିଥିବା ବ୍ୟାଗକୁ ଦେଖିଲେ ଓ ଘର ଭିତରୁ ଅନ୍ୟ ନୀଳ ବ୍ୟାଗ ଵୱଭିତରେ ଥିବା ଜିନିଷ ସବୁ ପୁରାଇ ସେମାନଙ୍କ ହାତକୁ ବଢ଼ାଇ ଦେଲେ।
ଵସେ ଦୁଇଜଣ ତରବର ହୋଇ ବ୍ୟାଗ ଭିତର ଟା ଅଣ୍ଡାଳି ପକାଇ ପଚାରିଲେ,
-ୟା ଭିତରେ ଗୋଟେ ପଲିଥିନ ପ୍ୟାକେଟ ଥିଲା,କୁଆଡେ ଗଲା ?”
ନିଧି ମହାରଣାଙ୍କ ସ୍ତ୍ରୀ କହିଲା,
-ଓଃ ସେଇ ପାଉଡର ପ୍ୟାକେଟ ?”
ଉତ୍ସୁକତାର ସହ ଜଣେ କହିଲା,
-କେଉଁଠି ରଖିଛ ସେ ପାଉଡର ?ସେଇଟା ହିଁ ଆମର ଦରକାର।”
ଦୀର୍ଘ ନିଶ୍ଵାସ ନେଇ ନିଧି ମହାରଣାଙ୍କ ସ୍ତ୍ରୀ ପୁଣି କହିଲା,
-ଇୟେ କାମ କରୁଥିବା ଜାଗାରେ ଭଲ ମୁରୁଜ ପାଉଡର ମିଳେ ବୋଲି ୟାଙ୍କୁ କହିଥିଲି ଆଣିବା ପାଇଁ। ସେ ଜଲଦି ଭଲ ହେବା ପାଇଁ କାଲି ଘରେ ସତ୍ୟ ନାରାୟଣ ପୂଜା ଓ ହୋମ ହୋଇଥିଲା ବୋଲି ଆମ ମାଟି ଘର ବାହାର ଗୋବରରେ ଲିପି ସବୁତକ ପାଉଡରରେ ଆମେ ମାଆ ଝିଅ ମୁରୁଜ ପକାଇ ଦେଇଥିଲୁ। ବର୍ଷା ଯୋଗୁଁ ସବୁ ଧୋଇ ଯାଇଛି। ହେଲେ ଧଳା ଦାଗ ଅଛି। ଦେଖୁନ ନିଜେ। ହିରୋଇନମାନେ ବି ମୁରୁଜ ପାଉଡର ବ୍ୟବହାର କରୁଛନ୍ତି ବୋଲି ଆମେ କେମିତି ଜାଣିବୁ ? ମୁରୁଜ ପାଉଡର କେଜି ସେପଟେ ପଚାଶ ଟଙ୍କା ବୋଲି ଇୟେ କହୁଥିଲେ। ନିଅ ତୁମର ପଚାଶ ଟଙ୍କା,ଆମେ କାହିଁକି କାହାର ଧାରୁଆ ହେବୁ?”
ଆବାକାବା ହୋଇ ସେଇ ଗୁଣ୍ଡା ଦୁଇଜଣ ଦେଖୁଥିଲେ ଘର ପିଣ୍ଡା, ବାହାରରେ ବର୍ଷା ପାଣିରେ ଧୋଇ ହୋଇ ଯାଇଥିବା କୋଟିଏ ଟଙ୍କାର ହିରୋଇନ ପାଉଡରକୁ।

Share to...