ଅକ୍ଷୟପାତ୍ର

ଅକ୍ଷୟପାତ୍ର

     କୌଣସି ଏକ ଗ୍ରାମରେ ଦରିଦ୍ର ଚାଷୀଟିଏ ଥାଏ । ତା’ର ନାମ ଦୀନୁ । ସେ ଓ ତା’ର ସ୍ତ୍ରୀ ବଡ ଧର୍ମପରାୟଣ ଥିଲେ । ସେମାନଙ୍କର ପିଲାପିଲି ଗୁଡିଏ ଥିବାରୁ ତାଙ୍କର ସବୁ ପଇସା ଖାଲି ଖାଇବାରେ ହିଁ ଯାଏ, ତାହା ମଧ୍ୟ କେବଳ ପଖାଳ ତୋରାଣୀ । ଯଦି ଭାତ ତରକାରୀ ଥରେ କେବେ ହୁଏ ତ ତାହା ସେମାନଙ୍କୁ ଭୋଜି ପରି ଲାଗେ ।

       ଏହିପରି ଭାବେ ସେମାନେ ବଡ ଦାରିଦ୍ର୍ୟରେ ଜୀବନ ବିତାଉ ଥିଲେ ମଧ୍ୟ ଘରକୁ କେହି ଅତିଥି ଆସିଲେ ଦୀନୁ ଓ ତା’ ସ୍ତ୍ରୀ ପଖାଳ ତୋରାଣୀ କିଛି ନିଜ ଖାଇବାରୁ କାଟି ତାଙ୍କୁ ଦେଉଥିଲେ ।

         ଦିନେ ସମଗ୍ର ପରିବାର ଖାଇବାକୁ ଯାଉଛନ୍ତି ଠିକ୍ ସେହି ସମୟରେ କବାଟ ପାଖରେ ଜଣେ ଭୋକିଲା ବାବାଜୀ ଆସି ପହଁଚିଲା । ତା’ପରେ ଦୀନୁ ଓ ତା’ ସ୍ତ୍ରୀ ନିଜ ନିଜ ଭାଗରୁ ଅଧେ ଅଧେ କାଢି ତାକୁ ଦେଲେ । ବାବାଜୀଟି ପଖାଳ ତୋରାଣୀ ମୁନ୍ଦିଏ ପିଇବାବେଳେ ଲାଗିଲା ଯେପରି ସେ ଅମୃତ ପିଉଛନ୍ତି! ଆସିବାବେଳେ ତାଙ୍କର ମୁହଁ ଶୁଖି ଯାଇଥିଲା । ଏବେ ଏତକ ଖାଇ ତାଙ୍କ ମୁହଁ ଅତି ସତେଜ ଓ ପ୍ରଫୁଲ୍ଲ ଦେଖାଗଲା । ସେ ଦୀନୁକୁ କହିଲେ, “ତୁମପରି ପୁଣ୍ୟାତ୍ମା ମୁଁ କେଉଁଠି ହେଲେ ବି ଦେଖିନାହିଁ । ଯେଉଁ ହାଣ୍ଡିରେ ତମେ ରାନ୍ଧୁଛ ତାକୁ ମୋ ପାଖକୁ ନେଇଆସ ମୁଁ ତାକୁ ‘ଅକ୍ଷୟପାତ୍ର’ ବନାଇ ଦେବି ।”

           ବାବାଜୀଙ୍କ କହିବାନୁଯାୟୀ ଦୀନୁର ସ୍ତ୍ରୀ ପାତ୍ରଟିକୁ ଆଣି ଦେଲା । ଏହାପରେ ସେ ବାବାଜୀ କିଛି ମନ୍ତ୍ର ପଢି ପାତ୍ର ଉପରେ ଢାଙ୍କୁଣୀ ରଖିଦେଇ କହିଲେ, “ଭବିଷ୍ୟତରେ ତୁମମାନଙ୍କର ଖାଇବା ପାଇଁ ଆଉ କେବେ ମଧ୍ୟ ଅସୁବିଧା ହେବନାହିଁ । ରାଜାଙ୍କ ରୋଷେଇ ଘରର ସବୁକିଛି ତୁମ ପାତ୍ର ଭିତରକୁ ଆସିଯିବ ।” ଏତିକି କହି ତା’ପରେ ସେ ତାଙ୍କ ରାସ୍ତାରେ ଚାଲିଗଲେ ।

        ଦୀନୁ ଓ ତା’ର ସ୍ତ୍ରୀ ସେ ବାବାଜୀ କଥାରେ ମୋଟେ ବିଶ୍ୱାସ କଲେନାହିଁ କିନ୍ତୁ ତାଙ୍କ ସଦିଚ୍ଛାକୁ ଆଶିର୍ବାଦ ରୂପରେ ଗ୍ରହଣ କଲେ । ରାତିରେ ଦୀନୁର ସ୍ତ୍ରୀ ରାନ୍ଧିବା ପାଇଁ ପାତ୍ରଟିର ଢାଙ୍କୁଣୀ ଖୋଲି ଦେଇ କ’ଣ ଦେଖିଲେ ଅତ୍ୟନ୍ତ ଦୁର୍ଲଭ ଭୋଜନ ସାମଗ୍ରୀ ସବୁ ସେଥିରେ ଭର୍ତ୍ତି ହୋଇ ଅଛି । ସମସ୍ତେ ଆନନ୍ଦରେ ପେଟଭରି ଖାଇଲେ । ତଥାପି ମଧ୍ୟ ଖାଦ୍ୟ ଶେଷ ହେଉନାହିଁ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଓ ଆନନ୍ଦ ହେଲେ ।

          ସେହିଦିନଠାରୁ ଦୀନୁ ଓ ତା’ର ପରିବାର ଅତି ଆନନ୍ଦରେ ବହୁ ସୁନ୍ଦର ସୁସ୍ୱାଦୁ ଖାଦ୍ୟମାନ ଖାଉଥା’ନ୍ତି । ଯିଏ ବି ତାଙ୍କ ଘରକୁ ଆସେ ତାକୁ ମଧ୍ୟ ଆଦରର ସହିତ ସେମାନେ ଖୁଆଉଥା’ନ୍ତି । କେବଳ ଖାଇବା ପରେ ଦୀନୁ ସେ ଅତିଥିମାନଙ୍କୁ ଏତିକି କହେ ଯେ, “ଏଠାରେ ଆପଣମାନେ ଯାହା ଖାଉଛନ୍ତି ସେ ବିଷୟରେ ମୋତେ କୌଣସି ପ୍ରଶ୍ନ ପଚାରିବେ ନାହିଁ, ମୋର କେବଳ ଏତିକି ନିବେଦନ ।” ଦୀନୁ ଘରେ ଭୋଜନ କରିବା ଲୋକେ ଅନ୍ୟମାନଙ୍କୁ କୁହନ୍ତି, “ଖାଇବ ତ ଦୀନୁ ଘରେ ଯାଇ ଥରେ ଖାଇଆସ । କି ଚମତ୍କାର ଖାଦ୍ୟ ।”

         ଏଣେ ରାଜାଙ୍କ ଘରେ କ’ଣ ହୋଇଛି ନା ଯେତେ ଖାଦ୍ୟ ରୋଷେଇ ଘରେ ତିଆରି ହୁଏ ସେସବୁ କମିଯାଏ । ରୋଷେଇଆ ରାନ୍ଧିବା ବେଳେ ସବୁଦିନେ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ତିଆରି କରେ । ଅଥଚ ସବୁଦିନେ ଖାଉଥିବା ଲୋକଙ୍କ ପାଇଁ ଏହା ପର୍ଯ୍ୟାପ୍ତ ହୁଏନାହିଁ । ସେ ଭାବିଲା ଏହା ବୋଧହୁଏ କୌଣସି ଚୋରର କାମ । ସେ ବହୁତ ଜଗିଲା କିନ୍ତୁ ଚୋର ଧରି ପାରିଲା ନାହିଁ । ଶେଷରେ ସେ ବାଧ୍ୟ ହୋଇ ଏକଥା ରାଜାଙ୍କୁ କହିଲା । ପ୍ରଥମେ ପ୍ରଥମେ ତ ସେ ରାଜା ଏକଥା ବିଶ୍ୱାସ କଲେ ନାହିଁ । କିନ୍ତୁ ପରେ ନିଜେ ଯାଇ ଦେଖିଲେ କଥାଟା ସତ୍ୟ ।

         ଏକଥା ରାଜା ତାଙ୍କ ମନ୍ତ୍ରୀଙ୍କୁ କହିଲେ । ସେ ମଧ୍ୟ ନିଜେ ଯାଇ ଦେଖିଲେ ପ୍ରକୃତରେ ସେପରି ହିଁ ଘଟୁଛି । ରାଜପରିବାରରେ ଘଟୁଥିବା କଥା ଆଉ ବେଶି ସମୟ ଲୁଚି ରହିଲା ନାହିଁ । ସାରା ରାଜ୍ୟରେ ଏକଥା ପ୍ରଚାର ହୋଇଗଲା । ଠିକ୍ ସେହି ସମୟରେ ଦୀନୁର ଅତିଥି ସତ୍କାର କଥା ମଧ୍ୟ ପ୍ରଚାର ହୋଇଗଲା । ଏହି ଦୁଇଘଟଣା ଯେ ପରସ୍ପର ସମ୍ବନ୍ଧିତ ଏକଥା ରାଜା ଓ ମନ୍ତ୍ରୀ ଅନୁମାନ କଲେ ।

        ମନ୍ତ୍ରୀ ରାଜାଙ୍କୁ ସବୁକଥା ଭଲଭାବରେ ବିଶ୍ଲେଷଣ କରି କହିଲେ, “ମହାରାଜ, ଦୀନୁ ଚାଷୀ ବିଷୟରେ ମୁଁ ଖବର ନେଇ ଯାହା ଜାଣିଲି ସେ ରାଜ୍ୟର ଶେଷଭାଗରେ ଘର କରି ଗୁଡିଏ ପିଲାପିଲି ଧରି ଥାଏ । ଅତ୍ୟନ୍ତ ଦରିଦ୍ର ସେ । କିନ୍ତୁ ଏବେ ସେ ଅତିଥି ସତ୍କାର କରୁଛି ଅତ୍ୟନ୍ତ ମୂଲ୍ୟବାନ୍ ଖାଦ୍ୟ ଦେଇ । ଲୋକମାନେ କହନ୍ତି କି ସେ ଜଣେ ଦେବତା । ଏଥିରୁ ଏକଥା ମଧ୍ୟ ସତ୍ୟ ବୋଲି ପ୍ରତୀତ ହେଉନାହିଁ ଯେ ସବୁଦିନେ ଦୁଇବେଳା ସେ ଆମ ରୋଷେଇ ଘରୁ ଚୋରୀ କରି ନେଉଛି । ଯଦି ବା ସେ ଚୋରୀ କରନ୍ତା ତ ତେବେ ଖାଲି ଖାଦ୍ୟ ପଦାର୍ଥ କାହିଁକି, ସେ ତ ଚାହିଁଲେ ଅନେକ ମୂଲ୍ୟବାନ୍ ଜିନିଷ ମଧ୍ୟ ନେଇଯାଇ ପାରନ୍ତା ଓ ସେଥିରେ ସାରା ଜୀବନ ସେ ସୁଖରେ ରହନ୍ତା । ତା’ଛଡା ଦିନକୁ ଦୁଇଥର ଖାଦ୍ୟ ଚୋରୀ କରିବା ପାଇଁ ରାଜମହଲରେ ପ୍ରବେଶ କରିବା କିଛି ସହଜ କଥା ବି ନୁହେଁ । ପୁଣି ବହୁତ ଖାଦ୍ୟ ସେ ଅତିଥି ସତ୍କାରରେ ଦେଇ ଦେଉଛି ।”

      ଏସବୁ କଥା ଶୁଣି ରାଜା କହିଲେ, “ଚାଲ ତମେ ଓ ମୁଁ ଥରେ ଛଦ୍ମବେଶରେ ଯାଇ ତା’ଘରେ ଅତିଥି ହୋଇ ପହଁଚିବା । ଅତେବ ନିଜେ କିଛି ବୁଝିବାକୁ ଚେଷ୍ଟା କରିବା ।”

         ଦିନେ ସେ ରାଜା ଓ ତାଙ୍କ ମନ୍ତ୍ରୀ ଛଦ୍ମବେଶରେ ମୁଣ୍ଡରେ ପଗଡି ବାନ୍ଧି ଠେଙ୍ଗା ଖଣ୍ଡେ ଖଣ୍ଡେ ଧରି ଯାଇ ଦୀନୁ ଘରେ ପହଁଚିଲେ । ରାଜମହଲରୁ ବାହାରିବା ପୂର୍ବରୁ ସେମାନେ ଦେଖି ନେଇଥିଲେ ସେଦିନ କି କି ଖାଦ୍ୟ ରନ୍ଧା ହୋଇଥିଲା ।

        ଦୀନୁ ଘରେ ସେଦିନ ବହୁତ ଲୋକ ଖାଇବା ପାଇଁ ବସିଥା’ନ୍ତି । ରାଜା ଓ ମନ୍ତ୍ରୀ ସେଠାରେ ପହଁଚି କହିଲେ, “ମହାଶୟ, ଆମେ ଦୂର ଗାଁରୁ ଆସିଛୁ । ଏବେ ତ ଦ୍ୱିପ୍ରହର ସମୟରେ କୁଆଡେ ଯିବୁ? ଏଠାରେ କିଛି ଖାଦ୍ୟ ମିଳିବ କି?”

         ତହୁଁ ଦୀନୁ ବଡ ଆଦରରେ ସେମାନଙ୍କୁ ସ୍ୱାଗତ କଲା । ସେମାନଙ୍କ ପାଇଁ ପତର ପକାଇ ଦେଲା ଓ ସେମାନଙ୍କୁ ନେଇ ବସାଇଲା । ତା’ପରେ ସେ କହିଲା, “ମହାନୁଭବ, ଆମେ ଆପଣମାନଙ୍କୁ ଯାହା କିଛି ବି ଖୁଆଇବୁ, ସେସବୁ ଖାଇବା ପରେ ଆପଣ ସେ ବିଷୟରେ ମୋତେ କୌଣସି ପ୍ରଶ୍ନ କରିବେ ନାହିଁ ।”

         ତା’ପରେ ଖାଦ୍ୟ ପରଷା ଗଲା । ସେସବୁ ଦେଖି ରାଜା, ମନ୍ତ୍ରୀ ଜାଣିନେଲେ ଯେ ଏସବୁ ଖାଦ୍ୟ ରାଜାଙ୍କ ମହଲରେ ତିଆରି ହୋଇଥିବା ଖାଦ୍ୟ । ସେମାନେ ତ ସେଠାକୁ ଆଉ ଖାଇବା ପାଇଁ ଯାଇ ନଥିଲେ, ତେଣୁ ସେମାନେ ପଚାରିଲେ, “ବଡ ବଡ ଧନୀ ପରିବାରଙ୍କ ପାଇଁ ଯାହା କଷ୍ଟସାଧ୍ୟ ତାହା ତୁମେ କିପରି ଏଠାରେ ତିଆରି କରୁଛ?”

ଏହା ଶୁଣି ଦୀନୁ ହାତଯୋଡି କହିଲା “ଦୟାକରି ଆପଣ ମୋତେ ଏ ପ୍ରଶ୍ନ ପଚାରନ୍ତୁ ନାହିଁ ।”

     ତା’ପରେ ସେ ଦୁହେଁ ଜିଦ୍ କରି କହିଲେ, “ଆମ ପ୍ରଶ୍ନର ଉତ୍ତର ପାଇଲେହିଁ ଆମେ ଖାଇବୁ ନହେଲେ ଉଠି ଯାଉଛୁ ।”

         ବିଚାରା ଦୀନୁ ଏଥର ଅନନ୍ୟୋପାୟ ହୋଇ ସବୁକଥା କହିଲା । ସବୁକଥା ଶୁଣିବା ପରେ ସେ ଦୁହେଁ ଉଠି ପଡିଲେ ଆଉ ସେ ରାଜା କ୍ରୋଧବଶରେ ତାଙ୍କ ଠେଙ୍ଗାରେ ପିଟିକରି ହାଣ୍ଡିଟି ଭାଙ୍ଗି ପକାଇଲେ ଓ ଏହାପରେ ସେ ଦୁହେଁ ସେ ସ୍ଥାନ ଛାଡି ଚାଲିଗଲେ ।

ଏସବୁ ଦେଖି ଦୀନୁର ସ୍ତ୍ରୀ କାନ୍ଦିବାକୁ ଲାଗିଲା ।

       ଦୀନୁ ତା’ସ୍ତ୍ରୀକୁ ସାନ୍ତ୍ୱନା ଦେବାକୁ ଯାଇ କହିଲା “ଆରେ ଚୁପ୍ ହୋଇଯାଅ । କାହିଁକି କାନ୍ଦୁଛ? ଆମେ ତ ଏମିତି ସବୁଦିନେ ପଖାଳ ତୋରାଣୀ ହିଁ ଖାଉଥିଲେ । ଭଗବାନ୍ଙ୍କ କୃପାରୁ ଏସବୁ ମିଳୁଥିଲା । ଏବେ ଆମେ ପୁଣି ପୂର୍ବଭଳି ପଖାଳ ତୋରାଣୀ ହିଁ ଖାଇବା । ସେଥିଲାଗି ଦୁଃଖ କ’ଣ? ଯେତେ ଯାହା ହେଲେବି ଆମେ ତ ଗରିବ ଲୋକ ନା ।”

        ହାଣ୍ଡିଟି ଭାଙ୍ଗିଦେଇ ରାଜା ମନ୍ତ୍ରୀ ଯାଇ ରାଜନଅରରେ ପହଁଚି ଶୁଣିଲେ ରାଜାଙ୍କ ରୋଷେଇ ଘରୁ ସବୁ ଖାଦ୍ୟ କୁଆଡେ ଉଭାନ୍ ହୋଇ ଯାଇଛି । ରୋଷେଇଆ କହିଲା, “ମହାରାଜ, ଚୁଲି ଉପରୁହିଁ ପାତ୍ରରୁ ଖାଦ୍ୟ ଉଭେଇ ଯାଉଛି । ଯେତେଥର ଭର୍ତ୍ତିକଲେ ମଧ୍ୟ ପର ମୁହୂର୍ତ୍ତରେ ତାହା ଖାଲି ହୋଇଯାଉଛି ।”

       ଏତେବେଳ ପର୍ଯ୍ୟନ୍ତ ସେ ରାଜା ନିଜେ ବି ଖାଇ ନାହାଁନ୍ତି । ଏଣେ ଖାଦ୍ୟ ନାହିଁ । ତେଣୁ ବାଧ୍ୟହୋଇ ମନ୍ତ୍ରୀ ତାଙ୍କ ଘରୁ ବହୁତ ଖାଦ୍ୟ ପଠାଇଲେ । ସେସବୁ ଏଠାରେ ପହଁଚିବା ମାତ୍ରେ ପାତ୍ର ଶୂନ୍ୟ । ଏହି ଘଟଣା ପରେ ସେ ରାଜା ମନ୍ତ୍ରୀଙ୍କ ଘରକୁ ଯାଇ ଅଳ୍ପ କିଛି ଖାଇଲେ । ସେତେବେଳେ ସେ ବୁଝିପାରିଲେ ଯେ ଦୀନୁ ପ୍ରତି ସେ ଯେଉଁ ଅନ୍ୟାୟ କଲେ ଏସବୁ କେବଳ ତାହାର ଫଳ । ତା’ପରେ ସେ ଓ ମନ୍ତ୍ରୀ ଦୀନୁ ପାଖରେ ଯାଇ ପହଁଚିଲେ । ରାଜା ଦୀନୁର ହାତ ଧରି ତାଙ୍କୁ କ୍ଷମା ପ୍ରାର୍ଥନା କରି କହିଲେ, “ମୁଁ ରାଗିଯାଇ ତୁମ ପ୍ରତି ବଡ ଅନ୍ୟାୟ କରିଛି । ମୋର ସେହି ଅପରାଧ ସକାଶେ ମୋତେ କ୍ଷମା କରିଦିଅ । ମୁଁ ତୁମର ମାଟିହାଣ୍ଡି ଭାଙ୍ଗିଛି । ଏବେ ତୁମ ନାମରେ ମୁଁ ବହୁତ ଜମି ଲେଖି ଦେଉଛି । ତା’ଛଡା ଆମ ରୋଷେଇ ଘରେ ଯାହା ଯାହା ସବୁ ପ୍ରସ୍ତୁତ ହେବ ସେସବୁଥିରୁ ଅଧା ଅଧା ତୁମ ଘରକୁ ଆସିବ । ଏବେ ମୋପ୍ରତି ତୁମେ ଦୟାକର, ଆମକୁ ଭୋକରେ ଆଉ ମାରି ଦିଅ ନାହିଁ । ତୁମ ପ୍ରତି କରିଥିବା ଅନ୍ୟାୟର ଫଳ ମୁଁ ବହୁତ ଭୋଗିଲିଣି । ଏବେ ତୁମେ ମୋତେ କ୍ଷମା ନ କଲେ ମୁଁ ଏହିଠାରେହିଁ ରହିବି । ଆଉ ରାଜନଅରକୁ କଦାପି ମଧ୍ୟ ଫେରିବି ନାହିଁ । ଆଜିଠାରୁ ତମେ ମୋର ମିତ୍ର ହେଲ ।”

         ରାଜାଙ୍କ ସବୁକଥା ଶୁଣି ଦୀନୁର ଆଖିରେ ଲୁହ ଆସିଗଲା । ହେଲେ ସେ ତ କିଛି କରିପାରିବେ ନାହିଁ! ତେଣୁ ସେ ଖାଲି ଏତିକି ମାତ୍ର କହିଲା, “ଆପଣଙ୍କର ଏଭଳି କଷ୍ଟ ଭୋଗିବାରେ ମୋର କୌଣସି ହାତ ନାହିଁ । ପାତ୍ରଟିରେ ଯିଏ ଏପରି ଗୁଣ ସଂଚାର କରିଥିଲେ ମୁଁ ତାଙ୍କୁ ମନେ ରଖିଛି । ମୁଁ ଜାଣେନାହିଁ ଯେ ସେ ଏବେ କେଉଁଠି । ତେବେ ସାରା ଦେଶ ବୁଲି ବୁଲି ମୁଁ ତାଙ୍କୁ ଖୋଜିବି । ଆପଣଙ୍କ ପ୍ରତି ଯାହା କିଛି ବି ଅନ୍ୟାୟ ହୋଇଛି ସେସବୁ ତ ମୁଁ କିଛି ବି ଜାଣେନାହିଁ । ଯଦି କ୍ଷମା କରିବା କଥା କେବଳ ସେହି ସାଧୁହିଁ ଯାହା କିଛି କରି ପାରିବେ । ଆପଣ ସାହାଯ୍ୟ କଲେ ମୁଁ ଦେଶ ଦେଶ ବୁଲି ତାଙ୍କୁ ଖୋଜିନେଇ ଆସିବି ।”

     କିନ୍ତୁ ସମସ୍ୟା ସେହିଠାରେ ହିଁ ସମାଧାନ ହେଲା । ରାଜା ଯେତେବେଳେ କହିଲେ ଯେ ରୋଷେଇଘରର ଅଧେ ଖାଦ୍ୟ ସବୁଦିନେ ଦୀନୁ ଘରକୁ ଆସିବ, ତା’ପରେ ତାଙ୍କ ରାଜନଅରର ରୋଷେଇ ଶାଳାରେ ଖାଦ୍ୟ ସବୁ ପୂର୍ଣ୍ଣ ହୋଇଗଲା । ରାଜାଙ୍କଠାରୁ ପ୍ରାପ୍ତ ଜମି ଓ ଖାଦ୍ୟ ଯୋଗୁଁ ଦୀନୁ ଓ ତା’ର ପରିବାର ଅତ୍ୟନ୍ତ ଆନନ୍ଦରେ କାଳାତିପାତ କଲେ । ସେମାନେ ସବୁଦିନେ ଅତିଥି ସତ୍କାର କରନ୍ତି । ତାହାହିଁ ତାଙ୍କର ଧର୍ମ । ଦୀନୁକୁ ରାଜା ଜଣେ ସାଧୁ ଭାବରେ ସମ୍ମାନ ଦେଲେ ଓ ତା’ ସହିତ ମିତ୍ରତା କରି ରହିଲେ ।

Share to...