କଖାରୁ ଓ ରାଜାଝିଅ

କଖାରୁ ଓ ରାଜାଝିଅ

            ବହୁତ ଦିନ ତଳର କଥା । ଗୋଟିଏ କୃଷକ ଓ ତା’ସ୍ତ୍ରୀ ବିଲରେ ଚାଷ କରି ପେଟ ପୋଷୁଥାନ୍ତି । ସେମାନଙ୍କର କୌଣସି ପିଲାପିଲି ନଥାନ୍ତି ।

            ଦିନେ ସେମାନେ ବିଲରେ ଚାଷ କରୁଛନ୍ତି, ହଠାତ୍ ସେ କୃଷକ ତା’ ସ୍ତ୍ରୀକୁ କହିଲା, ‘ମୋତେ ଖୁବ୍ ଭୋକ ଲାଗୁଛି । ତେଣୁ ତୁ ଘରକୁ ଯାଇ କିଛି ମକା ଭାଜି ଆଣ ।’

                  କୃଷକର ସ୍ତ୍ରୀ ଘରକୁ ଆସି ମକା ଭାଜିଲା । ସେତେବେଳେ ବିଲରେ କାମକରି ସେ ତ ଖୁବ୍ ହାଲିଆ ହୋଇପଡିଥାଏ । ପୁଣି ଥରେ ମକା ଭଜା ଧରି ବିଲ ଯିବାକୁ ଆଉ ତା’ର ବଳ ନଥାଏ । ତେଣୁ ସେ ମନକୁ ମନ କହିଲା, ‘ଆହା, ମୋର ପୁଅଟିଏ ଥାଆନ୍ତା କି? ସେ ମକା ଭଜା ନେଇ ତା’ ବାପ ପାଖକୁ ଯାଇପାରନ୍ତା ।’

            ଠିକ୍ ସେତିକିବେଳେ କେହି ଜଣେ କହୁଥିବାର ସେ ସ୍ତ୍ରୀ ଲୋକଟି ଶୁଣିଲା, ‘ମା, ମୁଁ ତ ଏଇଠି ଅଛି । ମୋତେ କହିଲେ ମୁଁ ମକାଭଜା ନେଇ ବାପାଙ୍କୁ ଦେଇଆସିବି ।’

                   ଏ କଥା ଶୁଣି ସେ ସ୍ତ୍ରୀ ଲୋକଟି ଭାବିଲା, କିଏ ଏମିତି କହୁଛି? ଘରେ ତ କେହି ବି ନାହାଁନ୍ତି । ତହୁଁ ସେ କୃଷକର ସ୍ତ୍ରୀର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେ ଦେଖିଲା ତାଙ୍କ ଘର କୋଣରେ ରଖାଯାଇଥିବା କଖାରୁଟା ଗଡି ଗଡି ତା’ପାଖକୁ ଆସୁଛି ଓ କହୁଛି, ‘ମା, ମୁଁ ତ ତୁମର ପୁଅ । ମୋତେ କହିଲେ ମୁଁ ମକାଭଜା ନେଇ ବିଲରେ ଦେଇ ଆସିବି ।’

             କୃଷକର ସ୍ତ୍ରୀ ଏଥିରେ ଖୁବ୍ ଖୁସି ହେଲା । କଖାରୁ ମକାଭଜା ନେଇ କୃଷକକୁ ଦେଲା । କୃଷକ ଏଥିରେ ଆଶ୍ଚର୍ଯ୍ୟ ହେଲା ଯେତିକି, ଖୁସି ମଧ୍ୟ ହେଲା ସେତିକି ।

           ବିଲରୁ ଫେରିଆସି କଖାରୁ ସେ କୃଷକର ସ୍ତ୍ରୀକୁ କହିଲା, ‘ମା, ମୋତେ ବାହା କରିଦିଅ । ମୁଁ ମୋ ସ୍ତ୍ରୀ ଖୋଜିବାକୁ ବାହାରିଲି ।’

              କୃଷକର ସ୍ତ୍ରୀ କଖାରୁର ଏକଥା ଶୁଣି ହସିହସି ବେଦମ୍ । ଏ କଖାରୁଟାକୁ ପୁଣି ବାହା ହେବ କିଏ? କଖାରୁ କିନ୍ତୁ ରାଜାଙ୍କ ଘରକୁ ବାହାରିଲା । ସେ ରାଜାଙ୍କର ସାତଟି ଝିଅ ଥିଲେ । କଖାରୁ ରାଜାଙ୍କ ନିକଟରେ ପହଁଚି କହିଲା, ‘ମୁଁ ଆପଣଙ୍କର ଗୋଟିଏ ଝିଅକୁ ବାହା ହେବି ।’ ରାଜା ବି କଖାରୁ କଥା ଶୁଣି ହସି ହସି ବେଦମ୍ ହେଲେ । ତଥାପି ବି ସେ ରାଜା ତାଙ୍କ ଝିଅମାନଙ୍କୁ ଡକାଇ ପଠାଇଲେ । କଖାରୁଟାକୁ କିଏ ବାହାହେବ ବୋଲି ପଚାରିଲେ । ଜଣକ ପରେ ଜଣେ – ଏମିତି ଛଅଜଣ ଯାକ ଝିଅ ସେ କଖାରକୁ ବାହା ହେବାକୁ ମନା କରି ଦେଲେ । ହେଲେ ସବା ସାନଝିଅ କହିଲା, ‘ମୁଁ କଖାରୁକୁ ବାହା ହେବି ।’

               ରାଜା ପୁଣି ତାଙ୍କ ଅନ୍ୟ ଝିଅମାନଙ୍କୁ ପଚାରିଲେ, ‘ତୁମେମାନେ ବାହା ହେଲା ପରେ କାହା ସମ୍ପତ୍ତିର ମାଲିକ ହେବ?’ ଏକଥା ଶୁଣି ପ୍ରଥମ ଛଅ ଜଣ ଯାକ ଝିଅ କହିଲେ, ‘ଆମେ ଆପଣଙ୍କ ଧନ ସମ୍ପତ୍ତିର ମାଲିକ ହେବୁ ।’ ହେଲେ ସବା ସାନଝିଅଟି କହିଲା, ‘ମୁଁ ମୋ ସ୍ୱାମୀର ଧନସମ୍ପତ୍ତିର ମାଲିକ ହେବି ।’ ତା’ପରେ ପ୍ରଥମ ଛଅଜଣ ଝିଅ ଅନ୍ୟ ଦେଶର ରାଜାପୁଅମାନଙ୍କୁ ବାହା ହୋଇ ବାପାଙ୍କ ଧନ ସମ୍ପତ୍ତି ନେଇ ନିଜ ନିଜ ସ୍ୱାମୀଙ୍କ ସଙ୍ଗେ ଚାଲିଗଲେ । ହେଲେ ସବା ସାନ ଝିଅ ରାଜାଙ୍କଠାରୁ କିଛି ନନେଇ କଖାରୁ ସଙ୍ଗେ ସେ କୃଷକ ଘରକୁ ବାହାରିଲା ।

         କଖାରୁ ଓ ରାଜାଝିଅ ଫେରିବା ବାଟରେ ସୁନ୍ଦର ଫୁଲଗଛଟିଏ ଦେଖିଲେ । ସେ ଫୁଲଗଛଟି ଖୁବ୍ ଡେଙ୍ଗା । ରାଜାଝିଅ କଖାରୁକୁ କହିଲା, ‘ମୋ ପାଇଁ କେତୋଟି ଫୁଲ ତୋଳିଦିଅ ।’ ତହୁଁ ସେ କଖାରୁ କହିଲା, ‘ଠିକ୍ ଅଛି, ମୁଁ ଗଛରେ ଚଢି ଫୁଲ ତୋଳିବି । କିନ୍ତୁ ଯଦି ମୁଁ ଗଛରୁ ଖସି ତଳେ ପଡିଯାଏ, ତେବେ ମୋ ଦେହ ଫାଟିଯିବ । ତା’ହେଲେ ତୁମେ ମୋତେ ପିଇବା ପାଇଁ ପାଣି ଟିକିଏ ଦେବ ।’

          ଗଛରେ ଚଢି ଫୁଲ ତୋଳିବା ବେଳେ ସତକୁ ସତ ସେ କଖାରୁ ତଳେ ପଡି ଦୁଇ ଖଣ୍ଡ ହୋଇ ଫାଟିଗଲା । ଏବେ ଆଉ ସେ ରାଜାଝିଅ କରେ କ’ଣ? ତଥାପି ଧୈର୍ଯ୍ୟ ଧରି କଖାରୁ କଥା ଅନୁସାରେ ସେ ରାଜାଝିଅ କେଉଁଠୁ ପାଣି ଟୋପାଏ ଆଣି ତାକୁ ତଥା ସେ କଖାରୁକୁ ପିଆଇ ଦେଲା । ପାଣି ପିଆଇଲା ପରେ ଯାହା ଘଟିଲା, ସେଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲା ସେ ରାଜାଝିଅ । ସେଇ ଦୁଇ ଫାଳ କଖାରୁ ଭିତରୁ ବାହାରି ଆସିଲା ଜଣେ ଅତି ସୁନ୍ଦର ରାଜାପୁଅ ଓ କହିଲା, ‘ରାଜାଝିଅ, ମୁଁ ସତରେ ଗୋଟିଏ କଖାରୁ ନୁହେଁ; ଜଣେ ରାଜାପୁଅ ।’ ତା’ପରେ ସେମାନେ କୃଷକ ଘରେ ଯାଇ ପହଁଚିଲେ ।

       କୃଷକ ଓ ତା’ସ୍ତ୍ରୀ ତାଙ୍କ ଘରେ ଜଣେ ରାଜାଝିଅ ଓ ରାଜାପୁଅ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ପାଖ ପଡୋଶୀମାନଙ୍କର ବି ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ।

ପରିଶେଷରେ ସେ କୃଷକ, ତା’ର ସ୍ତ୍ରୀ, ରାଜାଝିଅ ଓ ରାଜାପୁଅ ଖୁବ୍ ଆନନ୍ଦରେ ରହିଲେ ।

Share to...