ଚିରନ୍ତନ ସୁଖ ଯାହାର ଯେଉଁଠି

ଚିରନ୍ତନ ସୁଖ ଯାହାର ଯେଉଁଠି

     ଜଣେ ତପସ୍ୱୀ ତାଙ୍କ ଶିଷ୍ୟଗଣଙ୍କ ସହିତ ହମାଳୟ ପାଦଦେଶରେ କୁଟୀର ରଚନା କରି ରହୁଥାନ୍ତି । ପ୍ରତ୍ୟହ ଜପ ତପରେ ତାଙ୍କର ଜୀବନ ଭାରି ଶାନ୍ତିରେ କଟି ଯାଉଥାଏ ।

      ଏକଦା ତାଙ୍କର ଶିଷ୍ୟଗଣ ସହିତ ତପସ୍ୱୀ ତୀର୍ଥାଟନରେ ଯାଇ କାଶୀ ଧାମରେ ପହଁଚିଲେ । ହିମାଳୟରୁ ଆସିଥିବା ତପସ୍ୱୀଙ୍କର ଆଗମନର ଖବର କାଶୀ ନରେଶଙ୍କ ପାଖରେ ପହଁଚିଗଲା । ସୁତରାଂ ନରେଶ ତପସ୍ୱୀଙ୍କୁ ଭେଟି ତାଙ୍କର ସେବା କରିବା ନିମନ୍ତେ କିଛିଦିନ ରାଜପ୍ରାସାଦରେ ଅବସ୍ଥାନ କରିବା ପାଇଁ ନିମନ୍ତ୍ରଣ ଜଣାଇଲେ ।

      ରାଜାଙ୍କର ଅନୁରୋଧ ରକ୍ଷା କରି ତପସ୍ୱୀ ଏବେ ରାଜପ୍ରାସାଦ ଯାଇ ସେଠାରେ ରହିଲେ । କାଶୀ ନରେଶ ତାଙ୍କର ରହିବା ଖାଇବାର ସୁବନ୍ଦୋବସ୍ତ କରିଦେଲେ । ସାଧୁବାବା ଯେଭଳି ସାମାନ୍ୟତମ ଅସୁବିଧା ଭୋଗ ନ କରନ୍ତି, ସେଥିଲାଗି ରାଜକର୍ମଚାରୀ ମାନେ ସଜାଗ ରହିଥାନ୍ତି ।

   ଏତେ ସୁବିଧା ସୁଯୋଗ ଯୋଗାଇ ଦେଲାପରେ ମଧ୍ୟ ତପସ୍ୱୀ ବିଷଣ୍ଣ ଥିବା ଦେଖି ରାଜା ବିସ୍ମିତ ହେଲେ; ମାତ୍ର ଅସଲକଥାଟି ସେ ଜାଣି ନ ପାରି ତାଙ୍କ ଆଡୁ କିଛି ଅସୁବିଧା ରହିଯାଇଛି ବୋଲି ରଜା ମନେ ମନେ ପ୍ରମାଦ ଗଣିଲେ । କିନ୍ତୁ ଅସଲ କଥା କ’ଣ ବୁଝିବା ଲାଗି ସେ ତପସ୍ୱୀଙ୍କୁ ପଚାରିବାକୁ ସାହସ କରି ପାରୁନଥାନ୍ତି ।

      ଅସଲ କଥାଟି ଥିଲା, ତପସ୍ୱୀଙ୍କୁ ରାଜ ଉଆସ କି ରାଜକୀୟ ଚଳଣି ଆଦୌ ଭଲ ଲାଗୁନଥାଏ । ତାଙ୍କ ଆଖି ଆଗରେ ଆଶ୍ରମର ଦୃଶ୍ୟରାଜି ଓ କଥାସବୁ ଭାସି ବୁଲୁଥାଏ । ଅହରହ ଆଶ୍ରମ କଥା ମନେ ପକାଇ ଫେରିଯିବାକୁ ଚାହୁଁଥିଲେ ମଧ୍ୟ ଫେରିପାରୁ ନଥିଲେ । ଶେଷରେ ମାନସିକ ଅବସ୍ଥାରୁ ଧୀରେ ଧୀରେ ତପସ୍ୱୀ ରୋଗଗ୍ରସ୍ତ ହୋଇଗଲେ । କେବେ ପେଟ ବ୍ୟଥା ତ ଆଉ କେବେ ମୁଣ୍ଡ ବ୍ୟଥା ବା କ୍ଷୁଧା ହୀନତା ଭଳି ରୋଗ ଦେଖାଗଲା । ଦିନକୁ ଦିନ ତପସ୍ୱୀଙ୍କର ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ରାଜା ଚିନ୍ତିତ ହୋଇ ପଡିଲେ । ରାଜା ବୈଦ୍ୟଙ୍କୁ ଡାକି ଚିକିତ୍ସା କରାଇଲେ ମଧ୍ୟ କିଛିଫଳ ମିଳିଲା ନାହିଁ ।

        ଦିନକର କଥା । ରାଜା ମନ ଦୁଃଖରେ ତପସ୍ୱୀଙ୍କ ପାଖରେ ବସିଥାନ୍ତି । ତପସ୍ୱୀ ପଚାରିଲେ, “ରାଜନ୍! ଆପଣ କୁହନ୍ତୁତ, ମୋର ସୁସ୍ଥତା ଚାହାନ୍ତି ନା ପରଲୋକ ଗମନ?” ଏକଥା ଶୁଣି ରାଜା କହିଲେ, “ଆପଣ ଏ କ’ଣ କହୁଛନ୍ତି? ଆପଣଙ୍କର ସେବାଯତ୍ନରେ ମୁଁ କେବେ ବି ଟିକିଏ ହେଳା କରିନାହିଁ, ତଥାପି ଆପଣ ଏଭଳି କଥା କହି ପାରୁଛନ୍ତି କିପରି? ଖୁବ୍ ଶୀଘ୍ର ମୁଁ ଆପଣଙ୍କୁ ସୁସ୍ଥାବସ୍ଥାରେ ଦେଖିବାକୁ ଚାହେଁ ।”

       ଏଥର ତପସ୍ୱୀ କହିଲେ, “ଯଦି ଏଭଳି ଇଚ୍ଛା ତେବେ ମୋତେ ମୋର ଆଶ୍ରମରେ ପହଁଚାଇ ଦେବାର ବ୍ୟବସ୍ଥା କରାଇ ଦିଅନ୍ତୁ ।”

         କାଶୀ ନରେଶ ତପସ୍ୱୀଙ୍କର କଥା ରଖିଲେ । ତତ୍ କ୍ଷଣାତ୍ ତାଙ୍କୁ ଆଶ୍ରମରେ ପହଁଚାଇବା ବ୍ୟବସ୍ଥା କରିଦେଲେ । ଆଶ୍ରମରେ ପହଁଚିଲା ପରେ ତପସ୍ୱୀଙ୍କୁ ଦେଖି ଶିଷ୍ୟମାନେ ଖୁସିହୋଇଗଲେ । ଆଶ୍ରମ କୋଳାହଳରେ ପୂରିଉଠିଲା । ଗୁରୁଙ୍କର ଏଭଳି ଅବସ୍ଥା ଦେଖି ଶିଷ୍ୟମାନେ ଜଡିବୁଟି ଚିକିତ୍ସା ଆରମ୍ଭ କରିଦେଲେ । ଆଶ୍ରମ ପରିବେଶରେ ଚଲାବୁଲା କରିବା, ଧର୍ମଶାସ୍ତ୍ର ଚର୍ଚ୍ଚା କରି ମନକୁ ହାଲୁକା କରିଦେବା, ସାଧାସିଧା ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଖୁବ୍ ଶୀଘ୍ର ସେ ଆରୋଗ୍ୟ ଲାଭ କଲେ ।

     କିଛି ଦିନ ପରେ ତପସ୍ୱୀଙ୍କୁ ଦେଖିବା ଲାଗି କାଶୀ ନରେଶ ତପସ୍ୱୀଙ୍କର ଆଶ୍ରମରେ ପହଁଚିଲେ । ଏବେ ତପସ୍ୱୀଙ୍କର ମୁହଁରେ ପ୍ରସନ୍ନତା ଓ ସୁସ୍ଥ ଅବସ୍ଥା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ତହୁଁ ରାଜା ନିଜର ସନ୍ଦେହ ମୋଚନ ପାଇଁ ତପସ୍ୱୀଙ୍କୁ ପଚାରିଲେ, “ମହାଶୟ ! ମୋ ରାଜ ନଅରରେ କ’ଣ ଊଣାଥିଲା, ଯାହାଫଳରେ ଆପଣ ଅସୁସ୍ଥ ହୋଇ ପଡିଲେ?”

      ଏହା ଶୁଣି ତପସ୍ୱୀ ମୁରୁକି ହସି ହସି ଉତ୍ତର ଦେଲେ, “ଆପଣଙ୍କ ମହଲରେ ସବୁ ସୁବିଧା ଥିଲା – ଉତ୍ତମ ଭୋଜନ, ଦାସଦାସୀ, କୋଠାବାଡି ଆଦି କେତେ କଣ। ମାତ୍ର ମୋ’ ମନର ଭୋଜନ ଥିଲା ଅଲଗା । ଏହାକୁ ନେଇ ମୁଁ ରାଜପ୍ରାସାଦରେ ରହୁଥିଲେ ମଧ୍ୟ ମୋ ମନରେ ଗଭୀର ଅବଶୋଷ ଥିଲା । ଏହି କାରଣରୁ ମୁଁ ରୋଗରେ ପଡିଗଲି । ଏତଦ୍ ବ୍ୟତିତ ଧାର୍ମିକ ପ୍ରସଂଗରୁ ମୁଁ ଆଶ୍ରମରେ ଯେଉଁ ରସ ଆସ୍ୱାଦନ କରିପାରୁଛି, ତାହା ସେଠାରେ ନାହିଁ । ତାହାହିଁ ଚିରନ୍ତନ ସୁଖ ଯାହା ସେଠାରେ ମିଳୁ ନଥିଲା ।”

      ରାଜା ଏଥର ତପସ୍ୱୀଙ୍କର ମର୍ମବାଣୀ ବୁଝିଗଲେ । ତାଙ୍କ ମନରେ ଅପୂର୍ବ ପରିବର୍ତ୍ତନ ଘଟିଲା । ସେ ଆଉ ରାଜପ୍ରାସାଦକୁ ଫେରିବାକୁ ମନ ବଳାଇଲେ ନାହିଁ । ସେଇ ଆଶ୍ରମରେ ରହି ତପସ୍ୱୀ ଜୀବନଯାପନ କଲେ ଓ ତପସ୍ୱୀଙ୍କର ଶିଷ୍ୟ ବନିଗଲେ ।

ବାସ୍ତବରେ ଜଙ୍ଗଲରେ ଆଶ୍ରମ ଭଳି ସ୍ୱାତନ୍ତ୍ର୍ୟ ଓ ସୁସ୍ଥ ବାତାବରଣ ଆନନ୍ଦ ପ୍ରାପ୍ତିର ଶ୍ରେଷ୍ଠ ଉପାଦାନ ।

Share to...