ଚୋରି ଆଉ ମିଛ

ଚୋରି ଆଉ ମିଛ

         ଚୋରଟିଏ ଥିଲା । ସେ ଜଣେ ସଦ୍ଗୁଣସମ୍ପନ୍ନା ସ୍ତ୍ରୀକୁ ବିବାହ କଲା । ଚୋରର ନବାଗତ ସ୍ତ୍ରୀ ଯେତେବେଳେ ଜାଣିଲା, ତା’ର ସ୍ୱାମୀ ଗୋଟିଏ ବୁଢା ଚୋର, ତାକୁ ବହୁତ ଖରାପ ଲାଗିଲା । ସେ ତା’ର ଭାଗ୍ୟକୁ ନିନ୍ଦି ଅନେକ ଧିକ୍କାର କଲା ସିନା ଆଉ ଉପାୟ କିଛି ନଥିଲା ।

         ଶେଷରେ ମହିଳା ଜଣକ ସ୍ଥିର କଲା ସ୍ୱାମୀଙ୍କୁ କିଭଳି ଚୋରି ଭଳି କୁପ୍ରବୃତିରୁ ନିବୃତ କରିବ? ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱାମୀ ତାର ଚୋରି ବୃତି ଆଦୌ ଛାଡିଲା ନାହିଁ । ପିଲାଦିନୁ ଏ ଅଭ୍ୟାସ ଏତେ ବଢି ଯାଇଥିଲା ଯେ, ଦିନେ ଏହି କାର୍ଯ୍ୟ ନକଲେ ଧୈର୍ଯ୍ୟଚ୍ୟୁତ ଘଟୁଥିଲା ।

        ଦିନକର କଥା | ସେହି ଗାଁକୁ ଜଣେ ସାଧୁବାବା ଆସିଲେ । ସ୍ତ୍ରୀର କଥା ଅନୁସାରେ ଚୋରଟି ସ୍ତ୍ରୀ ସହିତ ଯାଇ ଦିନେ ସାଧୁବାବାଙ୍କୁ ଭେଟିଲା । ତାଙ୍କର ପାଦତଳେ ମୁଣ୍ଡିଆମାରି ଚୋରଟି ସବୁ ସତକଥା କହିଗଲା । କିପରି ସେ ଚୋରି ଛାଡିବ ବୋଲି ତା’ର ସରଳ ଉପାୟ ବାବାଙ୍କୁ ପଚାରିଲା ।

         ଏବେ ସାଧୁବାବା ଚୋରକୁ ସରଳ ଉପାୟଟିଏ ବତାଇ ଦେଲେ । କହିଲେ, “ପ୍ରଥମେ ତୁମେ ମିଛ କହିବା ଛାଡିଦିଅ । ମୋ କଥା ମାନି ଗୋଟିଏ ମାସ ଏଭଳି କରି ତାପରେ ମୋ ପାଖକୁ ଆସିବ ।”

        ସାଧୁବାବାଙ୍କ କଥା ଚୋର ମନକୁ ଆଦୌ ପାଇଲା ନାହିଁ । ସେ ଭାବିଲା ଚୋରି ବିଦ୍ୟା ସହିତ ମିଥ୍ୟାର କି ସମ୍ପର୍କ ଅଛି? ମୁଁ ଚୋରିବିଦ୍ୟା କିପରି ଛାଡିବି କହିଲା ବେଳେ ସାଧୁ କହୁଛନ୍ତି ମିଛ କହିବା ଛାଡିଦିଅ । ଏହା କି ପ୍ରକାର ଉପଦେଶ?”

           ଚୋର ଘରକୁ ଆସି ସାଧୁବାବାଙ୍କ ଉପଦେଶ ଉପରେ ଏହିଭଳି ତା’ର ମତାମତ ତା’ର ସ୍ତ୍ରୀ ଆଗରେ ବାଢିଲା, ହେଲେ ସ୍ତ୍ରୀ କହିଲା, “ସାଧୁମହାତ୍ମା ଏତେ ବଡଲୋକ । ସେ କଥା କଥାକେ ଲୋକଙ୍କୁ ହିତବାଣୀ ଶୁଣାଇ ଭଲବାଟକୁ ଆଣୁଛନ୍ତି । ସୁତରାଂ ତାଙ୍କର କଥା ହିଁ ମାନିବାକୁ ହେବ । ସେ ଯାହା କହିଛନ୍ତି ଅନ୍ତତଃ ମାସଟିଏ ସେଇଆ କର । କ’ଣ ହେଉଛି ଦେଖ?”

          ସ୍ତ୍ରୀର କଥା ଅନୁସାରେ ସାଧୁବାବାଙ୍କ ଉପଦେଶ ମାନି ଚୋରଟି ସେଇଆ କଲା । ସେ ଆଦୌ ମିଛ କହିଲା ନାହିଁ ।  ହେଲେ ଚୋରି ବିଦ୍ୟା ଛାଡି ନ ଥାଏ ।

           ଦିନକର କଥା | ଚୋରଟି କେତେକ ସୁନା ଗହଣା ଚୋରି କରି ଆଣିଲା । ତାକୁ ବିକ୍ରି କରିବ ବୋଲି ବଜାରରେ ପହଂଚିଲା । ଦୋକାନୀ ଯେତେବେଳେ ତାକୁ ପଚାରିଲା? “ଭାଇ, ଏ ଗହଣା କେଉଁଠୁ ଚୋରି କରି ଆଣିଛ?”

ଚୋରଟି କହିଲା, “ରାଜ ଉଆସରୁ ।”

             ଏବେ ଦୋକାନୀ ଧରା ପଡିଯିବା ଭୟରେ ରାଜାଙ୍କ ପାଖକୁ ଚୋରକୁ ନେଇ ସବୁକଥା ରାଜାଙ୍କ ଆଗରେ କହିଦେଲା ।

                 ରାଜା ନିଜେ ଚୋରକୁ ପଚାରି ସବୁ କଥା ଜାଣିଗଲେ ଓ ଜଣେ ଚୋର ଏଭଳି ସତକଥା କହୁଥିବାରୁ ସେ ବିସ୍ମିତ ହୋଇଗଲେ । ରାଜା ଅଳଙ୍କାର ତ ପାଇଗଲେ; ଆଉ ତାଙ୍କ ରାଜ୍ୟର ଜଣେ ଚୋର ଏଭଳି ସତକଥା କହୁଥିବାରୁ ତାକୁ ପୁରସ୍କାର ବି ଦେଲେ ।

          ତା’ପରେ ସେହି ଚୋରଟି ଅନ୍ୟଠାରୁ ବି ଚୋରିକଲା ଓ ପରଦିନ ସତକଥା କହିବାକୁ ଯାଇ ଜିନିଷକୁ ଫେରାଇ ଦେଉଥିଲା । ଆଉ ପୂର୍ବରାତିରେ କରିଥିବା ଚୋରି କାର୍ଯ୍ୟ ପାଇଁ ଭୁଲ୍ ବି ମାଗୁଥିଲା ।

          ଏବେ ଚୋର ଦେଖିଲା, ଚୋରି କରି ଜିନିଷ ତ ଫେରାଇ ଦେଉଛି, ମାତ୍ର ପରଦିନ କେବଳ ଭୁଲ୍ ମାଗିବା ସାର ହେଉଛି । ଆଉ କେଉଁଠି କେମିତି ମାଡଗାଳି ବି ଖାଉଛି । ସୁତରାଂ ସେ ଠିକ୍ କଲା ଆଉ ଚୋରିକାମ କରିବି ନାହିଁ । ପରିଶ୍ରମ କରି ସତକଥା କହି ସାରା ଜୀବନ କାଟିଦେବ ।

           ଶେଷରେ ସେଇଆ କଲା । ଠିକ୍ ମାସକ ପରେ ଚୋରଟି ସାଧୁଙ୍କୁ ଭେଟି କହିଲା, “ମହାତ୍ମା ! ମୁଁ ଆପଣଙ୍କ କଥାମାନି ସୁଫଳ ପାଇପାରିଛି ।”

         ଏଥର ସାଧୁବାବା କହିଲେ, “ବତ୍ସ ! ଅସଲ କଥାଟି ହେଲା ଚୋରି ସାଙ୍ଗରେ ସବୁବେଳେ ମିଛ ଥାଏ ଜାଆଁଳା ଭାଇ ଭଳି । ସେଥିଲାଗି ମିଛଟିକୁ ଛାଡିଦେବାରୁ ଚୋରିବିଦ୍ୟା ଆପେ ଆପେ ଚାଲିଗଲା ।

Share to...