ନୂତନ ଦଣ୍ଡ

ନୂତନ ଦଣ୍ଡ

         ଚନ୍ଦ୍ରସେନ ନାମକ ଜଣେ ରାଜାଙ୍କ ନିକଟରେ ଭୂଷଣ ନାମକ ବିଦୁଷକ ଥିଲେ । ରାଜାଙ୍କୁ ଖୁସି ରଖିବାରେ ସେ ଅଦ୍ୱିତୀୟ ଥିଲେ । ଦିନେ ରାଜା ତାଙ୍କ ଉପରେ ଖୁସି ହୋଇ କହିଲେ, “ବିଦୁଷକ, ତୁମେ ମୋତେ କିଛି ବର ମାଗ ଯେଉଁଥିରେ କି ମୋର କିଛି କ୍ଷତି ନହେଉ ଓ ତୁମର ବହୁତ ଲାଭ ହେଉ ।”

       ରାଜାଙ୍କ ଏଭଳି କଥାରେ ଭୂଷଣ କହିଲେ, “ମହାରାଜ ବିଦୁଷକର ଜୀବନ ଖଣ୍ଡାଧାରରେ ଚାଲିବା ପରି । ତେଣୁ ଆପଣଙ୍କ ବରଦାନ ଠିକ୍ ବିପଦ ସମୟରେ ମୁଁ ମାଗିନେବି ।” ରାଜା ତାଙ୍କ କଥାକୁ ସ୍ୱୀକାର କରିନେଲେ । ସେ ରାଜାଙ୍କର ଗୋଟିଏ ବୋଲି ପୁଅ ଥିଲା । ଅଧିକ ସ୍ନେହ ପାଇ ସେ ନଷ୍ଟ ହୋଇଗଲା, ତେଣୁ ରାଜା ତାକୁ ଗୁରୁକୁଳକୁ ପଠାଇଦେଲେ । ସେଠାରୁ ମଧ୍ୟ ସେ ବାରମ୍ବାର ଘରକୁ ପଳାଇ ଆସି ଶେଷରେ ରହିଗଲା । ତା’ପାଇଁ ରାଜା ବହୁତ ଚିନ୍ତିତ ହୋଇ ପଡିଲେ ଓ ଦିନେ ସେ ତାଙ୍କ ମନ କଥା ବିଦୁଷକଙ୍କ ଆଗରେ କହିଲେ । ସବୁକଥା ଶୁଣି ଭୂଷଣ କହିଲେ “ମହାରାଜ, ଯୁବରାଜଙ୍କ ପାଇଁ ଏତେ ଚିନ୍ତା କରିବାର କାରଣ କଅଣ? ମାବାପାଙ୍କୁ ଛାଡି ରହିପାରୁ ନାହାଁନ୍ତି ବୋଲି ବାରମ୍ବାର ପଳାଇ ଆସୁଛନ୍ତି ।” ରାଜା କହିଲେ “ସମସ୍ତେ ତ ସେଇକଥା ଭାବୁଛନ୍ତି, କିନ୍ତୁ ମୋର କାହିଁ ମନେହୁଏ ତାର ଦୋଷ ପାଇଁ ଗୁରୁ ତାକୁ ଦଣ୍ଡସ୍ୱରୂପ ଏଠାକୁ ଫେରାଇ ପଠାଇ ଦିଅନ୍ତି ।” ଭୂଷଣ କହିଲେ “ଯଦି ବା ଏହା କାରଣ ହୋଇଥାଏ, ତେବେ ଆପଣଙ୍କର ଏସବୁ ବିଷୟରେ ଏତେ ଚିନ୍ତା କରିବାର କ’ଣ ବା ଅଛି? ବାଲିକି ଚୁପୁଡିଲେ ହୁଏତ ତହିଁରୁ ତେଲ ବାହାରିବ, ମରୀଚିକାର ପାଣି ମଧ୍ୟ ପିଇ ହେବ, ଠେକୁଆର ସିଂଘ ମଧ୍ୟ ଖୋଜି ବାହାର କରାଯାଇ ପାରିବ । କିନ୍ତୁ ମୂର୍ଖକୁ ବୁଝାଇବା ଆଦୌ ସମ୍ଭବ ନୁହେଁ ଏକଥା ଶାସ୍ତ୍ରବଚନ ନୁହେଁକି?”

          ଏକଥା ଶୁଣି ରାଜା ଖୁବ୍ ଜୋର୍ ରେ  ରାଗିଗଲେ ଓ କହିଲେ “କ’ଣ ହେଲା ମୋ ପୁଅକୁ ତୁମେ ମୂର୍ଖ କହୁଛ? ଆଜିଠାରୁ ମୁଁ ତୁମକୁ କାରାଗାରରେ ବନ୍ଦ କରି ରଖିବି ।” ଭୂଷଣ ଠିକ୍ ସେତିକିବେଳେ ରାଜାଙ୍କୁ ପୂର୍ବର କଥା ମନେପକାଇଦେଇ କହିଲେ, “ମହାରାଜ ଆପଣଙ୍କର କ୍ଷତି ହେବ ନାହିଁ ଅଥଚ ମୋର ଲାଭ ହେବ, ସେପରି ବର ଦେଇଥିଲେ, ମୁଁ ଏବେ ସେହି ବର ମାଗିନେବି । ମୋର ଭୁଲ୍ର ଦଣ୍ଡ ସ୍ୱରୂପ ମନ୍ଦିରକୁ ଆସୁଥିବା ଲୋକଙ୍କର ଚପଲ ମୁଁ ପୋଛୁଥିବି । କିନ୍ତୁ ଆପଣ ଏ ଦଣ୍ଡ କଥା କାହାକୁ ମଧ୍ୟ କହିବେ ନାହିଁ ।” ତାଙ୍କ ପ୍ରସ୍ତାବରେ ରାଜା ରାଜି ହୋଇଗଲେ । ପରଦିନ ହିଁ ସେ ଯାଇ ଗୋଟିଏ ମନ୍ଦିର ସାମନାରେ ବସିଗଲେ । ସମସ୍ତିଙ୍କୁ କହିଲେ, “ମହାଶୟ, ମୋର ଅହଂଭାବ ଦମନ କରିବାକୁ ମନ୍ଦିରକୁ ଆସୁଥିବା ଲୋକଙ୍କର ମୁଁ ଯୋତା ସଫା କରିବି । ସେଥିପାଇଁ ଆପଣମାନଙ୍କ ସହଯୋଗ ମୁଁ ଇଚ୍ଛା କରୁଛି ।”

         ପ୍ରଥମେ ତ କେହି କେହି ଏହାକୁ ଥଟ୍ଟା ଭାବରେ ଗ୍ରହଣ କଲେ । କିନ୍ତୁ ପ୍ରତିଦିନ ସେ ଭଲ କରି ସ୍ନାନ କରି ପରିଷ୍କାର ଲୁଗାପଟା ପିନ୍ଧି ସେଠାରେ ବସି ଗୀତା ପଢନ୍ତି । ପୁଣି ଯିବା ଆସିବା ଲୋକଙ୍କ ଯୋତା ଅତି ଆନ୍ତରିକତାର ସହିତ ସଫା କରି ସେ ସଜାଇ ରଖନ୍ତି । କେହି କେହି ତାଙ୍କୁ ବଡ ଭକ୍ତିରେ ନମସ୍କାର କରନ୍ତି । ଲୋକମାନେ ତାଙ୍କୁ ବହୁତ ସମ୍ମାନ କରୁଥାନ୍ତି । ମନ୍ଦିରକୁ କେବେ ଆସୁନଥିବା ନାସ୍ତିକ ମଧ୍ୟ କେବଳ ତାଙ୍କୁ ଦେଖିବାକୁ ମନ୍ଦିରକୁ ଆସିଲେ । ଏମିତି କିଛିଦିନ ବିତିଗଲା । ଏପରି ମଧ୍ୟ ପ୍ରଚାର ହୋଇଗଲା କି ତାଙ୍କ ହାତରେ ନିଜ ଯୋତା ପୋଛାଇଲେ ସମସ୍ତ ଇଚ୍ଛା ପୂରଣ ହୋଇଯିବ ।

         ଯୋତାଯୋଗୀଙ୍କ ଖବର ରାଜାଙ୍କ ପାଖରେ ପହଁଚିଲା । ରାଜା ସପରିବାର ତାଙ୍କୁ ଦେଖିବାକୁ ଗଲେ । ଭୂଷଣ ରାଜାଙ୍କ ଯୋତା ମଧ୍ୟ ସଫା କରିଦେଲେ, ଓ ସମସ୍ତଙ୍କୁ କହିଲେ, “ମହାଶୟମାନେ, ଆଜିଠାରୁ ମୋ ବ୍ରତର ସମାପ୍ତି ଘଟିଲା । ଆପଣମାନଙ୍କ ସହଯୋଗ ପାଇଁ ଆପଣମାନଙ୍କୁ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ । ମୋ ସ୍ଥାନରେ ଅନ୍ୟ କେହି ଚାହିଁଲେ ବସି ପାରେ ।” ସଙ୍ଗେସଙ୍ଗେ ଅନେକ ଲୋକ, “ମୁଁ ବସିବି, ମୁଁ ବସିବି, ବୋଲି କହି ମାଡି ଆସିଲେ । ଭୂଷଣ ସମସ୍ତିଙ୍କୁ ଶାନ୍ତ କରି ଜଣକୁ ସେଠାରେ ବସାଇଲେ ଓ ଦ୍ୱିତୀୟ ଯୋତାଯୋଗୀ ବୋଲି ଘୋଷିତ କରି ତାକୁ କହିଲେ, “ଯେତେବେଳେ ତୁମେ ଅନୁଭବ କରିବ ଯେ ତୁମର ଅନ୍ତରର ସମସ୍ତ ଅହଂକାର ନଷ୍ଟ ହୋଇଛି, ସେତେବେଳେ ତୁମେ ଏସ୍ଥାନରେ ଅନ୍ୟ କାହାକୁ ବସାଇବ । ସେ ହେବେ ତୃତୀୟ ଯୋତାଯୋଗୀ ।” ଏତିକି କହି ସେ ରାଜନଅରକୁ ଫେରିଲେ ।

          ଏସବୁ ଦେଖି ଚନ୍ଦ୍ରସେନ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ “ମୁଁ ରାଗିଲି, ତୁମେ ଯୋତା ସଫା କରିବାର ଦଣ୍ଡ ପାଇଲ, କିନ୍ତୁ, ସେଥିରୁ ଯୋଗୀ କିପରି ହେଲ ଭୂଷଣ?” ତହୁଁ ଭୂଷଣ ଅଳ୍ପ ହସି କହିଲେ, “ଋଷି ଯଦି ହାତ ଉପରକୁ ରଖେ ତ ତାକୁ ତପସ୍ୟା କୁହନ୍ତି–ଚୋରକୁ ସେମିତି ରଖିଲେ ତାକୁ ଦଣ୍ଡ କହନ୍ତି । ସମୟ ଓ ପରିସ୍ଥିତି ଅନୁସାରେ ଖରାପ ଭଲ ସବୁକିଛି ହୋଇଥାଏ । ଆପଣଙ୍କ ଦଣ୍ଡ ଦ୍ୱାରା ମୁଁ ତ ଗୌରବ ପ୍ରାପ୍ତ କଲି । ଯଦି ଲୋକେ ଜାଣିଥା’ନ୍ତେ ଏହା ମୋର କୁକର୍ମ ପାଇଁ ଦଣ୍ଡ ବୋଲି ତେବେ ମୋତେ ପଥର ଫିଙ୍ଗି ମାରନ୍ତେ । ରାଜା ଚନ୍ଦ୍ରସେନ ଭୂଷଣଙ୍କୁ ପଚାରିଲେ “ତୁମର ଏହି କାମ ପଛରେ କୌଣସି ଉଦ୍ଧେଶ୍ୟ ଥିବ, ଛାଡ ସେକଥା ତୁମେ ମୋତେ କି ସୂଚନା ଦେଉଥିଲ ଏବେ ତ ଅନ୍ତତଃ ସେବିଷୟରେ କିଛି କୁହ ।” ତା’ପରେ ଭୂଷଣ କହିଲେ “ମହାରାଜ, ଯୁବରାଜଙ୍କୁ ଗୁରୁକୁଳର ଅଧ୍ୟକ୍ଷ ଦଣ୍ଡ ଦେଲେ ତାହା ଯୁବରାଜ ସହିବା କଥା । ତାଙ୍କୁ ଏପରି କିଛି ଦଣ୍ଡ ତାଙ୍କର ପଶ୍ଚାତାପ ହେଲେହିଁ ସ୍ୱଭାବ ପରିବର୍ତ୍ତନର ସମ୍ଭାବନା ରହିବ । କିନ୍ତୁ ସେ ଯଦି ଦଣ୍ଡ ସ୍ୱରୂପ ରାଜ ଭବନକୁ ଫେରି ଆସି ଆଦର ପାଇ ସୁଖରେ ରହିବେ ତେବେ ଦଣ୍ଡର କୌଣସି ପ୍ରଭାବ ତାଙ୍କ ଉପରେ ପଡିବ ନାହିଁ ।”

         କିଛି ସମୟ ଭାବିବା ପରେ ଚନ୍ଦ୍ରସେନ କହିଲେ, “ଯୋତା–ଯୋଗୀର ଗୌରବ ପ୍ରତି ଏତେ ଲୋକ ଆକର୍ଷିତ ହେଲେ ଯେ ନଗରୀର ସମସ୍ତ ଲୋକ ଯୋତା ଯୋଗୀ ହେବାକୁ ଚାହାଁନ୍ତି । ତୁମେ ଠିକ୍ କହିଛ । ଯୁବରାଜଙ୍କୁ ଦଣ୍ଡ ଦଣ୍ଡରୂପରେ ହିଁ ମିଳିବା ଦରକାର । ମୁଁ ଏବେ ଯାଇ ଗୁରୁକୁଳ ଅଧ୍ୟକ୍ଷଙ୍କୁ କହିବି ଯେ ଯୁବରାଜ ଯେବେ ଭୁଲ୍ କରିବେ, ଅନ୍ୟାନ୍ୟ ଶିଷ୍ୟଙ୍କ ପରି ସେହିଠାରେହିଁ ସେ ଦଣ୍ଡପାଇବେ ।” ରାଜା ସେହିପରି କଲେ ଓ ଭୂଷଣଙ୍କୁ ଅନେକ ପୁରସ୍କାର ଦେଲେ ।

             ଦଣ୍ଡର ରୂପ ବଦଳିବା ପରେ ଯୁବରାଜଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଦେଖାଦେଲା ଓ ସେ ସମସ୍ତ ଉତ୍ତମ ଗୁଣର ଅଧିକାରୀ ହୋଇ ଉଠିଲେ |

Share to...