ରୋଜି ଓ ପରୀରାଣୀ

ରୋଜି ଓ ପରୀରାଣୀ

       ସେ କାଳରେ ଫ୍ରାନ୍ସରେ ଜଣେ ରାଜା ରାଜୁତି କରୁଥିଲେ । ବହୁକାଳଯାଏଁ ତାଙ୍କ ରାଣୀଙ୍କର କିଛି ବି ସନ୍ତାନ ହେଲା ନାହିଁ । ଏହି କାରଣରୁ ରାଜା ରାଣୀ ଦୁହେଁ ବଡ ମନ ଦୁଃଖରେ ଥାଆନ୍ତି । କେତେ ଦିଅଁ ଦେବତା ଡାକିଲା ପରେ ଯାଇ ରାଣୀଙ୍କର ଚନ୍ଦ୍ରଉଦିଆ ପରି ଦୁଇଟି ଜାଆଁଳା ଝିଅ ହେଲେ । ସେ ଦୁହେଁ ଦେଖିବାକୁ ଭାରି ସୁନ୍ଦର ଥିଲେ । ଦୁଇଜଣଙ୍କ ନାଁ ଦିଆହେଲା ‘ଗୋଲାପ’ ଆଉ ‘ହେନା’ । ତିନିବର୍ଷ ପରେ ରାଣୀଙ୍କର ଆଉ ଗୋଟିଏ ଝିଅ ହେଲା । ତାର ନାଁ ଦିଆଗଲା ‘ରୋଜି’ । କାହିଁକି କେଜାଣି ଜନମବେଳୁ ରାଜାରାଣୀ ଏ ଝିଅଟିକୁ ଆଦୌ ସୁଖ ପାଇଲେ ନାହିଁ । ତେଣୁ ତାକୁ ସାଙ୍ଗେ ସାଙ୍ଗେ ଦୂର ମଫସଲରେ ଗୋଟିଏ ଧାଈମା ପାଖରେ ରଖାଇ ଦେଲେ । ଚାହୁଁ ଚାହୁଁ ପନ୍ଦରବର୍ଷ ଅତୀତ ହୋଇଗଲା । ଏଣେ ଦିନେ ହେଲେ ବି ସେ ରାଜାରାଣୀ ରୋଜିକୁ ନିଜ ପାଖକୁ ନେଇନାହାଁନ୍ତି କି ତାକୁ ଟିକେ ଦେଖିବାକୁ ମଧ୍ୟ ଇଚ୍ଛା କରିନାହାଁନ୍ତି । ଦୁଃଖିନୀ ଧାଈମା କୋଳରେ ରୋଜି ଖୁବ୍ ହସଖୁସିରେ କାଳ କାଟୁଥାଏ । ତାର କପାଳକୁ ସ୍ୱର୍ଗର ପରୀଟିଏ ଆସି ତାର ଧରମା ମା’ ହୋଇଥାଏ । ସେ କାୟା ସାଙ୍ଗରେ ଛାୟା ପରି ଗୋଡେ ଗୋଡେ ଜଗି ଝିଅଟିକୁ ମଣିଷ କରିବାରେ ଲାଗି ପଡିଥାଏ ।

         ତେଣେ ବାପା ବୋଉଙ୍କ ପାଖରେ ଅତି ଗେହ୍ଲାରେ ବଢି ‘ଗୋଲାପ’ ଆଉ ‘ହେନା’ ଦୁଇ ଭଉଣୀ ଅତ୍ୟନ୍ତ ଗର୍ବରେ ଉଦ୍ଧତ ହୋଇପଡିଥାନ୍ତି । ଏପରିକି ସେମାନେ ଦୁହେଁ କେବେ କାହାରି ସୁଖ ସହିପାରନ୍ତି ନାହିଁ । ଓଲଟି ଅନ୍ୟ ମାନଙ୍କର କୁତ୍ସାରଟନା କରିବା ସେମାନଙ୍କର ଯେପରି ଏକ ସଉକ ହୋଇପଡିଥାଏ ।

          ସେପଟେ ରୋଜି କିନ୍ତୁ ‘ପରୀ ମା’ର ହେପାଜତରେ ଖଣ୍ଡା ଖେଳଠାରୁ ଆରମ୍ଭ କରି ଘୋଡା ଚଢାଯାଏଁ ସବୁ ବିଦ୍ୟା ହାସଲ କରିସାରିଥାଏ । ବିଭିନ୍ନ ବିଦ୍ୟା ପଢି ଦିନକୁ ଦିନ ସେ ରୋଜି ଗୁଣର ହୋଇ ଉଠୁଥାଏ । ଏ କଥା ତାର ଦୁଇ ଭଉଣୀ ଏବଂ ରାଜାରାଣୀ କାହିଁକି ଅବା ଜାଣିବେ! ସେମାନେ ସମସ୍ତେ ତ ରୋଜିକୁ ମଫସଲି ବୋଲି କହି ତାକୁ ଘୃଣାରେ ଆଡେଇ ଦେଇଛନ୍ତି । ଏମିତିକାକି ରୋଜିକୁ ଆପଣାର ବୋଲି ପରିଚୟ ଦେବାକୁ ମଧ୍ୟ ରାଜାରାଣୀ ଦୁହେଁ ଅରାଜି ହେଉଥାଆନ୍ତି ।

              ଏହିପରି ଭାବେ ପନ୍ଦର ବର୍ଷ ଚାଲିଗଲା । ବଡ ଦୁଇ ଭଉଣୀଙ୍କର ବାହାଘର ପାଇଁ ରାଜା କେତେ ରାଇଜର ରାଜକୁମାରମାନଙ୍କୁ ସ୍ୱୟମ୍ବର ପାଇଁ ନିମନ୍ତ୍ରଣ କରିଥାନ୍ତି । ରାଜ୍ୟସାରା ନାନାପ୍ରକାର ସଜାସଜି ଚାଲିଥାଏ । ଚାରିଆଡେ କେବଳ ଭୋଜିଭାତ ହେଉଥାଏ । ଏହି ସମୟରେ ରାଜାଙ୍କର ଜଣେ ଦୂତ ଯାଇ ଗାଁରେ ପହଁଚିଲା । କାହିଁକିନା ରୋଜିକୁ ତା ବଡ ଭଉଣୀମାନଙ୍କର ବାହାଘରରେ ଯୋଗ ଦେବାପାଇଁ ରାଜା ନିମନ୍ତ୍ରଣ ପଠାଇଥିଲେ; କିନ୍ତୁ କିଛି ପୋଷାକ ଦେଇ ନ ଥିଲେ । ତେଣୁ ଧାଈମା’ର ଇଚ୍ଛା ରୋଜି ସେଠାକୁ ନ ଯାଉ । କ’ଣ ଗୋଟାଏ ଆଳ କରି ସେ ରହିଯାଉ । ଠିକ୍ ଏତିକିବେଳେ ପରୀରାଣୀ ଆସି ସେଠାରେ ପହଁଚିଲେ । ସେ ସବୁ କଥା ଶୁଣି ସାରି କହିଲେ, ରୋଜି ସେ ବାହାଘରରେ ନିଶ୍ଚୟ ଯୋଗଦେବ । ତା ପାଇଁ ମୁଁ ସମସ୍ତ ବ୍ୟବସ୍ଥା କରିଦେବି । ଏତିକି କହି ସେ ପରୀରାଣୀ ରୋଜିର ଲୁଗା ଟ୍ରଙ୍କରେ କିଛି ମନ୍ତ୍ରପାଣି ଛିଂଚିଦେଲେ । ତାପରେ ସେ ରୋଜିକୁ କହିଲେ, ଏଥିରେ ତିନିଦିନ ପାଇଁ ଯଥେଷ୍ଟ ମୂଲ୍ୟବାନ ଶାଢୀ ଆଉ ଅଳଙ୍କାର ମାନ ଅଛି । ତୁ ଏଥର ମନ ଖୁସିରେ ଯାଇ ସେ ବାହାଘରରେ ଯୋଗଦେବୁ । କୌଣସି ବିଷୟରେ ତୁ ତୋ ମନକୁ ଆଦୌ ମାରିଦେବୁ ନାହିଁ । ତୋ ପାଖେ ପାଖେ ମୁଁ ସବୁବେଳେ ରହିଛି । ତୋର ଆଉ କେହି କିଛି ହେଲେ ମଧ୍ୟ କ୍ଷତି କରିପାରିବେ ନାହିଁ ।

       ରାଜା ଘର ଘୋଡାଗାଡିରେ ରୋଜି ଯାଇ ରାଜନଅରରେ ପହଁଚିଲା । କେତେ ଆଶା କରୁଥିଲା ତାର ବାପା, ବୋଉ ଆଉ ଭଉଣୀମାନଙ୍କୁ ଟିକେ ମନ ପୂରାଇ ଦେଖିବ ଏବଂ ସେମାନଙ୍କ ସଙ୍ଗେ ଖୁବ୍ ଗପସପ କରିବ, କିନ୍ତୁ ସିଂହଦ୍ୱାରରେ ଗାଡି ରହିଲା ନାହିଁ କି ରୋଜିକୁ କେହି ସେଠାରୁ ପାଛୋଟି ନେଲେ ନାହିଁ ।

         ରାଜାଘର ବାଡି ଭିତରେ ଗୋଟିଏ ପୁରୁଣା ଘରେ ରୋଜିକୁ ରହିବା ପାଇଁ କୁହାଗଲା । ତହୁଁ ରୋଜି ପଚାରିଲା, “ମୁଁ ଟିକେ ରାଜାରାଣୀଙ୍କୁ ସାକ୍ଷାତ କରନ୍ତି ନାହିଁ?” ଏପରି କଥା ଶୁଣି ଦାସୀମାନେ ଖାଲି ରୋଜି ପାଇଁ ବିକଳ ହେଉଥାଆନ୍ତି । ଜନ୍ମକଲା ବାପ ମା’ ହୋଇ ରାଜାରାଣୀ ତାଙ୍କ ସାନଝିଅକୁ ପାଖରେ ମୋଟେ ପୂରାଉ ନାହାଁନ୍ତି । ତାପରେ ଦାସୀମାନେ ରୋଜିକୁ କହିଲେ, ‘ସାନଜେମା’, ତୁମେ ଆଦୌ ବ୍ୟସ୍ତ ହୁଅନାହିଁ । ରାତିରେ ଭୋଜିବେଳେ ତମକୁ ନିଶ୍ଚୟ ରାଜାରାଣୀଙ୍କ ସାକ୍ଷାତ ମିଳିବ ।

        ରୋଜିର ସ୍ୱଭାବ ତ ଅତି ଭଲ । ସେ କାହାରି ବିଷୟରେ କେବେ କିଛି ମନ୍ଦ ଚିନ୍ତା କରିପାରେ ନାହିଁ । ରାତିରେ ଭୋଜି ସଭାରେ ଯୋଗ ଦେବାପାଇଁ ରୋଜିକୁ ଡକରା ଆସିଲା । ଡକରା ପାଇ ରୋଜି ସେ ପରୀରାଣୀ ଦେଇଥିବା ପୋଷାକ ଆଉ ଅଳଙ୍କାର ମାନ କାଢି ପିନ୍ଧିଲା । ଏପରି ମୂଲ୍ୟବାନ ଶାଢୀ ଓ ଅଳଙ୍କାର କେହି କେବେ ତ ଦେଖି ନ ଥିଲେ । ଏସବୁ ଦେଖି ସମସ୍ତଙ୍କର ଆଖି ଖାଲି ଝଲସି ଯାଉଥାଏ । ରୋଜି ଯେତେବେଳେ ଯାଇ ସଭା ଗୃହରେ ପହଁଚିଲା, ସବୁ ରାଜକୁମାରଙ୍କ ଆଖି କେବଳ ତାରି ଉପରେ ହିଁ ଲାଖି ରହିଲା । ରାଜାରାଣୀ ମନେ ମନେ ଭାବିଲେ କେଉଁ ରାଇଜର ଜଣେ ରାଜାଝିଅ ବୋଧହୁଏ ସ୍ୱୟମ୍ବର ଦେଖିବାପାଇଁ ଏଠାକୁ ଚାଲିଆସିଛି । ରୋଜି ରାଜାରାଣୀଙ୍କୁ ନମସ୍କାର କଲାବେଳେ ରାଜାରାଣୀ ରୋଜିର ପରିଚୟ ଜାଣି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ମଫସଲି ଝିଅଟା ପୁଣି ଏଡିକି ସୁନ୍ଦରୀ ! ରାଜା ରାଣୀ ଏବଂ ତାଙ୍କ ଦୁଇ ଝିଅଙ୍କର ଈର୍ଷାରେ ଦେହ ଆଦୌ ସହୁ ନ ଥାଏ । ତେଣୁ ରାଜାରାଣୀ ରୋଜିକୁ ତାଙ୍କ ପାଖରେ କଦାପି ବସାଇଲେ ନାହିଁ । ଏପରି ଅବହେଳା କରିବା ସତ୍ୱେ ମଧ୍ୟ ରୋଜି ହସି ହସି ସମସ୍ତଙ୍କ ସହିତ ଢେର ସାରା କଥା ହେଉଥାଏ ।

         ଆଗନ୍ତୁକ ରାଜକୁମାର ମାନଙ୍କୁ ପ୍ରଫୁଲ୍ଲିତ କରିବା ପାଇଁ ବଡ ଦୁଇଭଉଣୀ ଗୀତ ଗାଇଲେ । ସମସ୍ତଙ୍କ ସହିତ ମିଶି ରୋଜି ମଧ୍ୟ ଆନନ୍ଦରେ ତାଳି ମାରୁଥାଏ । ଗୀତ ଗାଇ ଜାଣି ନଥିବ ଭାବି ଅପମାନିତ କରିବା ପାଇଁ ରାଜା ରାଣୀ ରୋଜିକୁ ମଧ୍ୟ ଗୀତ ଗାଇବା ପାଇଁ କହିଲେ । ରୋଜି ସେହିକ୍ଷଣି ବୀଣା ଧରି ଏପରି ମଧୁର ଗୀତଟିଏ ଗାଇଲା ଯେ, ଆଗନ୍ତୁକ ରାଜକୁମାରମାନେ କେବଳ ଚିତ୍ରପିତୁଳା ପରି ରହିଗଲେ । ସମସ୍ତେ କହିଲେ, ଏପରି ଗୀତ କେହି କେବେ ଆଗରୁ ଶୁଣି ନ ଥିଲେ । ତାପରେ ବଡ ଦୁଇଭଉଣୀ ଆଗନ୍ତୁକ ରାଜକୁମାର ମାନଙ୍କୁ ନିଜ ନାଚ ଦେଖାଇଲେ । ସେମାନେ ଦୁହେଁ ଦୀର୍ଘ ଦଶବର୍ଷ ହେଲା ଏହି ନାଚ ଶିଖି ଆସୁଥିଲେ । ସମସ୍ତେ ବଡ ଦୁଇଭଉଣୀଙ୍କୁ ଧନ୍ୟବାଦ ଜଣାଇଲେ । ରୋଜିକୁ ଅପମାନ ଦେବାପାଇଁ ରାଜାରାଣୀ ତାକୁ ମଧ୍ୟ ନାଚିବାକୁ କହିଲେ । ପରୀରାଣୀ ଯାହାକୁ ଶିକ୍ଷା ଦେଇଛି ତାର ପୁଣି କେଉଁ କଥାକୁ ଡର । ରୋଜି ନାଚିଲାବେଳେ ରାଜକୁମାରମାନଙ୍କର ଆଖି ଖୋସି ହୋଇଗଲା । ରାଜାରାଣୀ ଓ ଦୁଇଭଉଣୀ ଆଦୌ ଭାବିପାରିଲେ ନାହିଁ ସେହି ଗାଉଁଲି ଝିଅଟା ଏପରି ନାଚ କେଉଁଠୁ ଶିଖିଲା । ଫ୍ରାନ୍ସର ସବୁଠାରୁ ସୁନ୍ଦର ରାଜକୁମାର ‘ସାମ୍ସନ୍’ ମନେ ମନେ ଠିକ୍ କରିଥାଏ ରୋଜିକୁ ବିଭା ହେବ ବୋଲି । ବଡ ଦୁଇଭଉଣୀଙ୍କର ଗର୍ବ, ଈର୍ଷା, ଅହଙ୍କାର ହେତୁ କୌଣସି ରାଜକୁମାର ମଧ୍ୟ ସେମାନଙ୍କୁ ବିବାହ କରିବା ପାଇଁ ଆଗେଇ ଆସିଲେ ନାହିଁ ।

          ଶେଷରେ ସେ ରାଜାରାଣୀ ଏକ ଚକ୍ରାନ୍ତ କଲେ ରୋଜିକୁ ଜୀବନରୁ ମାରିଦେବା ପାଇଁ । ତେଣୁ ସେମାନେ ଏକ ମାରଣା ଘୋଡା ଆଣି ଠିଆ କରିଦେଲେ । ଆଦେଶ ଦେଲେ ଯେ, ରୋଜି ତାରି ଉପରେ ଚଢି ସହର ଚାରିପଟେ ଟିକେ ବୁଲି ଆସିବ । ରାଜକୁମାରୀ ରୋଜି ଉପରେ ସେତେବେଳକୁ ତ ସମସ୍ତଙ୍କର ସ୍ନେହ ଖାଲି ଅଜାଡି ହୋଇ ପଡୁଥାଏ । ଠିକ୍ ଏହି ସମୟରେ ଜଣେ କିଏ ଆସି ଚୁପ୍କରି ରୋଜିକୁ ସାବଧାନ କରାଇଦେଲା ସେ ମାରଣା ଘୋଡାରେ ନ ଚଢିବା ପାଇଁ । ମାତ୍ର ପରୀରାଣୀ ତା’ର କାନରେ ଶୂନ୍ୟରୁ କହିଦେଇଗଲା, “ତୋର କିଛି ବି ହେବ ନାହିଁ । ତୁ ଆଦୌ ଭୟ ନ କରି ସେ ଘୋଡାରେ ଚଢିବୁ । ମାତ୍ର ରାଜନଅରକୁ ନ ଫେରି ତୁ ସିଧା ରାଜକୁମାର ସାମ୍ସନ୍ଙ୍କ ରାଜ୍ୟକୁ ଚାଲିଯିବୁ । ଠିକ୍ ସେହି ସମୟରେ ରାଜକୁମାର ସାମ୍ସନ୍ ମଧ୍ୟ ତୋତେ ଆଉ ଏକ ଘୋଡାରେ ଅନୁସରଣ କରୁଥିବ । ସେଇ ରାଜ୍ୟରେ ହିଁ ତୁ ସୁଖରେ ରହିବୁ ।”

         ସମସ୍ତ କଥା ଶୁଣି ରୋଜି ଅବା ଆଉ କାହିଁକି ଡରିବ? ନିର୍ଦ୍ଦେଶ ପାଇଲା ମାତ୍ରକେ ସେ ଯାଇ ଘୋଡା ଉପରକୁ ଡେଇଁ ପଡିଲା । ସମସ୍ତେ ମନେମନେ ବିଚାରିଲେ ଏଥର ରୋଜିର ଆଉ ରକ୍ଷା ନାହିଁ । ଘୋଡାଟା ତ ପବନ ବେଗରେ ଦଉଡୁଥାଏ । ଏସବୁ ଦେଖି ରାଜକୁମାର ସାମ୍ସନ୍ କି ଆଉ ଥୟ ଧରେ? ସେ ମଧ୍ୟ ତୁରନ୍ତ ଯାଇ ଆଉ ଗୋଟିଏ ଘୋଡାରେ ରୋଜିର ପିଛା କଲା । ଦଉଡି ଦଉଡି ସେ ମାରଣା ଘୋଡାଟି ଯେତେ ଚେଷ୍ଟା କରୁଥାଏ ରୋଜିକୁ ଫିଙ୍ଗିଦେବ ବୋଲି ହେଲେ ପରୀରାଣୀ ଯୋଗୁଁ ତାହା ଆଦୌ ସମ୍ଭବ ହେଉନଥାଏ । ଶେଷରେ ଗୋଟିଏ ଖାଲରେ ସେ ମାରଣା ଘୋଡାଟି ପଡି ମରିଗଲା । ପରୀରାଣୀ ଯୋଗୁଁ ରୋଜି ରକ୍ଷା ପାଇଗଲା । ଶେଷରେ ସାମ୍ସନ୍ ଓ ରୋଜି ନିଜ ରାଜ୍ୟକୁ ଯାଇ ବାହା ହୋଇ ଅତ୍ୟନ୍ତ ସୁଖରେ ରହିଲେ ।

          ପରୀରାଣୀ ମଧ୍ୟ ସେମାନଙ୍କୁ (ରୋଜି ଓ ସାମ୍ସନ୍ଙ୍କୁ) ବହୁ ଆଶୀର୍ବାଦ କଲେ । ଏଣେ ଖରାପ ସ୍ୱଭାବ ପାଇଁ ରାଜା ରାଣୀ ଏବଂ ତାଙ୍କର ଦୁଇ ବଡଝିଅଙ୍କୁ ପରୀରାଣୀ ସାପରେ ପରିଣତ କରିଦେଲେ । ତାପରେ ସେମାନେ କାନ୍ଦି କାନ୍ଦି ଜଙ୍ଗଲକୁ ପଳାଇଗଲେ ।

Share to...