ସ୍କୁଟର

ସ୍କୁଟର

    ତମକୁ କିଏ କହିଲା ଏ ଭଙ୍ଗା ସ୍କୁଟର ଚଢି ମୋ ହଷ୍ଟେଲ ପାଖକୁ ଆସିବାକୁ? ମୋତେ ଫୋନ୍ କରିଥିଲେ ମୁଁ ଅଧାବାଟ ଯାଏଁ ଚାଲି ଯାଇଥାନ୍ତି। ହେଉ ଦିଅ ଦିଅ ପଇସା ଦେଇ ଜଲଦି ଏଠୁ ପଳାଅ। ମୋ ସାଙ୍ଗ ମାନେ କାଳେ ଆସିଯିବେ। ଆଉ ତୁମର ଏ ଭଙ୍ଗା ସ୍କୁଟର ଦେଖି ସେମାନେ ମୋ’ର ମଜା ଉଡେଇବେ। ପୁଅ ସଞ୍ଜୟ ମୁହଁରୁ ଏପରି କଥା ଶୁଣି ନବୀନ ଙ୍କ ହସ ହସ ମୁହଁଟି ଏକଦମ୍ ମଉଳି ଯାଇଥିଲା। ତୁ ଖାଇଛୁ ଟି ବା…..? ତୋ ମୁହଁଟା ଏମିତି ଶୁଖି କଳାକାଠ ପଡି ଯାଇଛି କାହିଁକି? ଓହୋଃ ବାପା! ତମେ ଏଠୁ ଗଲ। ହାତରେ ପଇସା ନେଇ ହଷ୍ଟେଲ ଭିତରକୁ ଦଉଡ଼ି ଚାଲି ଗଲା ସଞ୍ଜୟ।

       ଏକା ଲକ୍ଷ୍ୟରେ ତା ଯିବା ବାଟକୁ ଚାହିଁଥିଲେ ନବୀନ। ଠିକ୍ ତ କହିଲା ପୁଅ ମୋ’ର। ସେ ବଡ଼ ହୋଇଗଲାଣି। ତା’ର ବୁଦ୍ଧି ହେଲାଣି। ସେ ପରା ଇଞ୍ଜିନିୟରିଂ ପଢୁଛି। ଥରେ ନିଜର ସ୍କୁଟର କୁ ଚାହିଁ ହଷ୍ଟେଲ ଫାଟକ ପାଖରେ ଲାଗିଥିବା ବଡ଼ ବଡ଼ ରଙ୍ଗୀନ କାର୍ ଆଡ଼େ ଚାହିଁଲେ ନବୀନ। ଏମାନେ ସବୁ ପୁଅର ସାଙ୍ଗର ବାପା ମାନେ। ବଡ଼ ବଡ଼ ଚାକିରୀ କରିଥିବେ ନିଶ୍ଚିତ। ପୁଅ ମୋର ଠିକ୍ କଥା କହିଲା – ସେ ତା ସାଙ୍ଗ ମାନଙ୍କ ଆଗରେ କାହିଁକି ବା ଛୋଟ ହେବ? ଏ ଭଙ୍ଗା ସ୍କୁଟର ଖଣ୍ଡିକୁ ଆଣି ମୋତେ ଏଠିକି ଆସିବାର ନ ଥିଲା। ହେଲେ ବଡ଼ ଗାଡ଼ି ଟେ ଭଡ଼ା କରିଥିଲେ ହଜାରେ ରୁ ଦେଢ଼ ହଜାର ଟଙ୍କା ଲାଗି ଯାଇଥାଆନ୍ତା। ବସ୍ ରେ ଆସିଲେ ଦିନ ମାନ ନିକିମା। ସେଇ ଗାଡ଼ି ଭଡ଼ା ସେତକ ତ ପୁଅର ମାସକ ହଷ୍ଟେଲ ଖର୍ଚ୍ଚ ଚଳିଗଲା। ଆଜି ଫର୍ମ ଫିଲପ୍ ଥିଲା। ତେଣୁ ସବୁ ପିଲାଙ୍କ ଅବିଭାବକ ମାନେ ଆସିଛନ୍ତି। କେତେ ସବୁ ଦାମୀ ଦାମୀ ଗାଡ଼ି ଧାଡ଼ି ବାନ୍ଧିଛି। ମୁଣ୍ଡ ଉପରକୁ ଚାହିଁଲେ ନବୀନ ଆଜି ଖରାର ପ୍ରକୋପ କିଛି କମ୍ ନୁହେଁ। ଅସହ୍ୟ ଗରମ କୁ ଗୁଳୁଗୁଳି ମୁଣ୍ଡ କ’ଣ ହୋଇ ଯାଉଛି। ରଙ୍ଗ ଛାଡ଼ି ଯାଇଥିବା ହେଲମେଟ ଟାକୁ ମୁଣ୍ଡରେ ଦେଇ ଗାଡ଼ି ପଛକୁ ବୁଲେଇଲେ ନବୀନ। ଝାଳ ପୋଛି ବାକୁ ପକେଟ୍ ରୁ ରୁମାଲ୍ କାଢୁ କାଢୁ ହାତରେ ବାଜିଲା ଲତା ଦେଇ ଥିବା ଛୋଟ କନା ପୁଟୁଳି ଟା।

       ଆରେ ଆରେ…..! ମୁଁ ତ ଏବେ ଚାଲି ଯାଇଥାନ୍ତି। ବୋଉ ତା’ର ନିତି ତେଲ ଲୁଣ ରୁ ସଞ୍ଚି ରଖିଥିବା କେତେଟା ପଇସା କୁ ଖଣ୍ଡେ କନାରେ ଗୁଡେ଼ଇ ପୁଅକୁ ଦେବା ଲାଗି ଦେଇଛି। ଆଉ ନ ଦେଇ ଚାଲିଗଲେ ବିଚାରି ମୁହଁ ଓହଳେଇ ବାଡି ଦୁଆର ବୁଲି କାନ୍ଦିବ। ଗାଁ ପ୍ରାଇଭେଟ୍ ସ୍କୁଲରେ ପାଠ ପଢ଼ାଉଥିବା ନବୀନ ଜଣେ ଗୁଞ୍ଜା ଶିକ୍ଷକ। ସେହି ସ୍କୁଲରେ ଦୀର୍ଘ ବାର ବର୍ଷ ଧରି ଶିକ୍ଷା ଦାନ ଦେଉଥିବା ନବୀନ ଏକ ଆଦର୍ଶ ଶିକ୍ଷକ। ସରକାରୀ ସ୍ଵୀକୃତି କୁ ଅପେକ୍ଷା କରି କରି ବର୍ଷ ପରେ ବର୍ଷ ବିତି ଚାଲିଛି। କେତେ ନେତା ମନ୍ତ୍ରୀ କଥା ଦେଇ ଚାଲିଛନ୍ତି। ଆଉ କେତେ କେତେ କୁଜି ନେତା ଘୋଷ ଖାଇ ଚଳୁ କରି ଦେଇଛନ୍ତି। ସ୍କୁଲ ପରେ ବଳକା ସମୟ ତକ ଚାସ ବାସ କରି ଚଳି ଯାଉଥିବା ନବୀନ ପୁଅ ର ପାଠ ପଢା ପାଇଁ ଦୁଇ ଏକର ଜମି ବିକ୍ରି କରି ସାରିଛନ୍ତି।

       ଜମି ରହି କ’ଣ ମୋତେ ପୋଷିବ…..? ଏକଥା ଲତା କୁହନ୍ତି। ଜମି ଯାଉ ପୁଅ ମୋର ଯୋଗ୍ୟ ହେବା ହେଉଛି ସବୁଠୁ ବଡ଼ କଥା। ସେ ମନ ଦୁଃଖ କରିବେ କ’ଣ ଓଲଟା ମୋତେ ବୁଝାଇ କୁହନ୍ତି – “ପୁଅ ଯଦି ଯୋଗ୍ୟ ର ହେବ ଧନ କାହିଁ ପାଇଁ ସଞ୍ଚିବ”….? “ପୁଅ ଯଦି ଅଯୋଗ୍ୟ ହେବ ତେବେ ଧନ କା‌ହିଁ ପାଇଁ ସଞ୍ଚିବ”….? ତୁମ ଜୀବନ ତ ଏଇ ମାଗେଣା ଖଟିବାରେ ଗଲା। ଆଉ ଜମି ଯାଗା ଯାହା ଯାଉଛି ଯାଉ ମୋ ପୁଅ ଯାହା ଚାହୁଁଛି ସେଇଆ ପଢୁ। ଦେଖିବ ଦି ତୁମର ଏକର ଯାଇଛି ତ ସେ ଆଉ ଚାରି ଏକର ମିଶେଇ କିଣି ଦେବ। ପୁଅ ଉପରେ ଲତା ଙ୍କର ଅଖଣ୍ଡ ବିଶ୍ବାସ।

        ଆଉ ଆଜି ନବୀନ ଙ୍କ ମନ ବୋଧେ ସାମାନ୍ୟ ଦବି ଯାଇଛି। ସେ ପୁଅକୁ ଆଉ ଥରେ ବାହାରକୁ ଡକେଇ କଥା ହେବାକୁ ଡରୁଛନ୍ତି।କାଳେ ପୁଅ ପୁଣି ଥରେ ଚିଡି ଯିବ। ଏପଟ ସେପଟ ଚାହିଁଲେ ନବୀନ।ଛେପ ଢ଼ୋକି ଆଗକୁ ଗାଡ଼ି ଗଡେଇଲେ। କିଛି ବାଟରେ ଏକ ଆଢ଼ୁଆଳ ଯାଗାରେ ସ୍କୁଟର ଟା ଥୋଇ ଦେଇ ଆସିଲେ। ଟାଇଁ ଟାଇଁ ଖରା ମୁଣ୍ଡ ପୋଡ଼ି ପକାଉଛି।ସେଥିକୁ ଖାତିରି ନକରି ଫାଟକ ପାଖରେ ସଞ୍ଜୟ କୁ ଡ଼ାକି ଦେବାକୁ ଏକ ପିଲାକୁ ପଠେଇଲେ ସେ। ଅନେକ ବେଳ ଗଡି ଗଲା ହେଲେ ଆସିଲା ନାହିଁ ସଞ୍ଜୟ। ଦୁଇ ଥର ଫୋନ୍ କରି ନିରାଶ ହେବା ପରେ ନିରୁପାୟ ହୋଇ ଏକ କନା ପୁଟୁଳି ଟିକୁ ଏକ ପିଲା ହାତରେ ସଞ୍ଜୟ କୁ ଦେଇ ଦେବାକୁ କହି ସ୍କୁଟର ପାଖକୁ ପାଦ ବଢାଇଲେ ନବୀନ।

          ଭୋକରେ ପେଟ ଜଳିଲାଣି। ତଣ୍ଟି ଶୁଖି ଅଠା ଅଠା ଲାଗୁଥିଲା। ସକାଳ ପହରୁ ଗଣ୍ଡେ ପଖାଳ ଖାଇ ଦେଇ ତିରିଶି କିମି ଏ ଦଦରା ଗାଡ଼ିରେ ମାଡ଼ି ଆସିଛନ୍ତି ନବୀନ। ପୁଅ ବେଶୀ କିଛି କଥା ହେଲାନି ବୋଲି ମନ ଭିତରେ ଦୁଃଖ ଚିରୁଡାଏ ଲୁଚି ରହିଥିଲା। ହେଲେ ଉପରକୁ ଖୁସି ଦେଖୁଥିଲେ ସେ। ଆଜି ଥାର୍ଡ ସେମିଷ୍ଟର ଫର୍ମ ଫିଲପ୍ ସରିଗଲା ବୋଲି ମନ କିଛି ମାତ୍ରାରେ ଆଶ୍ବସ୍ତ ହୋଇଛି। ଆଶ୍ବସ୍ତ ଏଇଥିପାଇଁ ଯେ ପରୀକ୍ଷା ର ବୋଝ କିଛି ମାତ୍ରାରେ କମି ଯାଇଛି। ଦୁଇ ବର୍ଷ ହେଲା ଷ୍ଟଡି ଲୋନ୍ ଟାଏ କରିବେ ବୋଲି ବ୍ୟାଙ୍କ ଦଉଡ଼ି ଦଉଡ଼ି ପାଦର ଚପଲ ଘୋରି ହୋଇ ଯାଇଛି ତାଙ୍କର। ୟାକୁ ତାକୁ ହାତ ଗୁଞ୍ଜା ଦେଇ ଦେଇ ନୟାନ୍ତ ହୋଇ ଯାଇଛନ୍ତି ସେ। ଶେଷକୁ ବଡ଼ ଝିଅ ମିତୁ କିଛି ପଇସା ପଠେଇ ବାରୁ ତା’ର ବକେୟା ଦରମା ଦେଇଥିଲେ ନବୀନ।

           ଝିଅ ମିତୁ ସଞ୍ଜୟ ଠାରୁ ଆଠ ବର୍ଷ ବଡ଼। ଭାରି ଇଛା ଥିଲା ତା’ର ଆଗକୁ ପାଠ ପଢ଼ିବ। ଆଉ ଭଲ ପଢ଼ୁଥିଲା ଝିଅ ମୋ’ର। ହେଲେ ପୁଅର ପାଠ ପଢ଼ା କୁ ଆଖି ଆଗରେ ରଖି ତା ପାଠ ପଢା କୁ ବନ୍ଦ କରିବାକୁ ପଡିଲା ମୋତେ। ଆଉ ତା ଭାଗ୍ୟ ଜୋରରୁ ସେ ବିନା ଯୈାତୁକ ରେ ବାହା ହୋଇଗଲା। ଖାଲି ସେତିକି ନୁହେଁ ତା ଇଛା ପୂରଣ କରିବାକୁ ଯାଇ ଶୁଶର ତା’ର ତାକୁ ନର୍ସିଂ କଲେଜ ରେ ପଢିବା ର ସୁଯୋଗ ଦେଇଥିଲେ। ଆଉ ସେଥିରେ ସେ ଟପ୍ପର ହୋଇ ଏଇ ବର୍ଷେ ହେବ ସରକାରୀ ହସ୍ପିଟାଲରେ ଚାକିରୀ କରୁଛି। ଭଲ ମନ୍ଦ ରେ ବିନା ମାରିବାରେ ବି ସେ ପଇସା ପଠାଏ। ଆଉ ଆମକୁ ଲୁଚାଇ ସାନ ଭାଇ କୁ ହାତ ଖର୍ଚ୍ଚ ବି ଦିଏ। ଜୋଇଁ ବି ଭାରି ସୁଧାର ପିଲା। ସପ୍ତାହ ଥରେ ଅଧେ ଫୋନ୍ କରି ଆମ କଥା ବୁଝିବାକୁ କେବେ ହେଳା କରନ୍ତି ନାହିଁ। ହେଲେ

         ଲତାଙ୍କର ଠାକିଥାଏ ପୁଅ ପାଖରେ।ମଲା ପରେ ସେଇ ପରା କୁଆଡେ ମୁହଁରେ ନିଆଁ ଦେବ। ପିଣ୍ଡ ପାଣି ଦେବ। କେମିତି ବା ଝିଅ ଠୁ ଅଧିକ ପୁଅକୁ ଭଲ ପାଇବେ ନାହିଁ!

       ପକେଟ୍ ରେ ଫୋନ୍ ଟା ରିଙ୍ଗ୍ ହେବାରୁ ନବୀନ ଙ୍କ ଭାବନା ଭଙ୍ଗ ହେଲା। ସଞ୍ଜୁ ଫୋନ୍ କରିଛି। ସେ ତରବରରେ ଗାଡ଼ି ଅଟକାଇ ହ୍ୟାଲୋ କହିଲେ।ଖିଙ୍କାରୀ ହୋଇ ସଞ୍ଜୁ କହୁଥିଲା – ତୁମେ ତୁମର ସେ ଗାଉଁଲି ମଫୁ ପ୍ରକୃତି କେବେ ଛାଡ଼ି ପାରିବ ନାହିଁ। ସେ ରେଜା ପଇସା ଗୁଡା ମୋର୍ କ’ଣ ହେବ ? ତୁମକୁ ଟିକେ ଲାଜ ଲାଗିଲା ନାହିଁ କନା ପୁଟୁଳା ରେ ସେ ଖୁଚୁରା ପଇସା ଗୁଡା ବାନ୍ଧି ଆଣିଛ….. ଆଉ କେବେ ଏଠିକି ଆସିବ ନାହିଁ। ମାସକୁ ମାସ ପଇସା ମୋତେ ପଠେଇ ଦବ।ଆଉ ମୋ’ର ଯାହା ଦରକାର ମୁଁ ଅପା ଠାରୁ ନେଇ ଯିବି। ସେ ପୁରୁଣା କାଳିଆ ମାନ୍ଧାତା ଅମଳର ସ୍କୁଟର କୁ ମୋ ସାମ୍ନାକୁ ଆଣିବ ନାହିଁ। ମୁଁ ଏଥର ଗଲେ ସେଥିରେ ନିଆଁ ଲଗେଇ ଦେବି ରୁହ। ଆଉ ଥିବ ଯେ ତା ପାଇଁ ମୋତେ ଅପମାନ ହେବାକୁ ପଡ଼ିବ। ହେଲେ ଧନ…… ନବୀନ କିଛି କହିବା ପୂର୍ବରୁ ଟଂ ଟଂ ହୋଇ କଟି ଯାଇଥିଲା ଫୋନ୍ ଟି।

        ଅଜଣାତେ ନବୀନ ଆଖିରୁ ଲୁହ ଦୁଇ ଟୋପା ନିଗିଡ଼ି ପଡ଼ିଲା। ବାପାଙ୍କ ପଛରେ ଏଇ ସ୍କୁଟର ରେ ନିତି ବସିବା ପାଇଁ ଜିଦି ଧରି କାନ୍ଦୁଥିବା ସଞ୍ଜୁ ଆଜି ଏ ଗାଡ଼ି ଟି ଜଳେଇ ଦେବା କଥା କହୁଛି। ଅପା ନୁହେଁ କେବଳ ବାପାଙ୍କ ସ୍କୁଟର ପଛରେ ମୁଁ ବସିବି। ଏକଥା ଦିନେ ସଞ୍ଜୁ ହିଁ କହୁଥିଲା। ବହୁତ ବୁଝେଇବା ପରେ ମାମୁଁ ଘରକଥା ଖୁସିରେ ନାଚି ଯାଉଥିଲା ସଞ୍ଜୁ।ହାତେ ଓଢଣା ଟାଣି ପଛରେ ମିତୁ କୁ ଧରି ଲତା ବସୁଥିଲେ ଆଉ ଆଗରେ ସଞ୍ଜୁ ଠିଆ ହୋଇ ଯାଉଥିଲା। ସତରେ କେତେ ଖୁସି ର ଦିନ ଥିଲା…… ବିଶ୍ୱାସ ହେଉନି ତାଙ୍କ ର ସଞ୍ଜୁ ଏମିତି ଏତେ ଶୀଘ୍ର ବଦଳି ଯିବ।

           ପୁଣି ଥରେ ଫୋନ୍ ର ଘଣ୍ଟି ବାଜି ଉଠିବାରୁ ଚମକି ପଡ଼ିଲେ ନବୀନ। ସଞ୍ଜୁ ପୁଣି କାହିଁକି ଫୋନ୍ କଲା। ହେଲେ ଫୋନ୍ କାନରେ ଦେଲା ରୁ ମିତୁ ର କଣ୍ଠ ସ୍ବର ଶୁଭିଲା। ବାପା ମୁଁ ଏଇ ଗାଡ଼ି ସୋରୁମ୍ ରେ ଅଛି ତୁମେ ଆସି ପହଞ୍ଚ। ବୁଝି ପାରୁ ନ ଥିଲେ ନବୀନ ହେଲେ ଝିଅ ଡାକୁଛି ଯେତେବେଳେ ଗାଡ଼ି ବୁଲେଇଲେ ନବୀନ ଝିଅ କହିଥିବା ଠିକଣା ରାସ୍ତାରେ। ପୁଅକୁ ଯେତେବେଳେ ତାଙ୍କ ଏ ପୁରୁଣା ସ୍କୁଟର ପସନ୍ଦ ନାହିଁ । ଝିଅ ତାଙ୍କ ର ଏ ସ୍କୁଟର ପାଇଁ ଲଜ୍ଜିତ ନ ହେଉ କିଛି ଦୂରରେ ନିଜର ସ୍କୁଟର ଟିକୁ ଲୁଚେ ରଖି ଭିତର କୁ ଗଲେ ନବୀନ। ବାପାଙ୍କୁ ଦେଖୁ ଦେଖୁ କୁଣ୍ଢେଇ ପକାଇଲା ମିତୁ। ଜୋଇଁ ଆସି ପାଦ ଛୁଇଁଲେ।ମିତୁ ଏକ ଚାବି ବଢ଼େଇ ଦେଇ କହିଲା – ବାପା, ଏଇ ନିଅ ଆଜି ଠୁଁ ଏ ଗାଡ଼ି ତୁମର। ପଲସର୍….. ଗାଡ଼ି…..!ହାଁ କରି ଚାହିଁଥିଲେ। ମୁଁ ଏ ଗାଡ଼ି….. ନାଇଁ…. ନାଇଁ…..ମୋ ସ୍କୁଟର….. ହସି ହସି ଜୋଇଁ କହିଲେ – ବାପା, ତୁମ ସ୍କୁଟର ବି ତୁମ ପାଖରେ ରହିବ। ସବୁଦିନ ପାଇଁ। ମିତୁ ର ବହୁତ ଇଛା ଥିଲା ତା ବାପା ଗୋଟେ ନୂଆ ଗାଡି ଚଢନ୍ତୁ। ତା ପୁଣି ତା ନିଜର ରୋଜଗାର ରେ।ଆଉ ମୁଁ କେବଳ ତାକୁ ସହଯୋଗ କରିଛି। ଆଉ ବାପା ଆପଣ ଯଦି ଅନୁମତି ଦିଅନ୍ତେ ତେବେ ମୁଁ ଓ ନିତୁ ଆଜି ଆପଣଙ୍କର ଏ ସ୍କୁଟର ଚଢି ଯାଆନ୍ତୁ। ଏ ସ୍କୁଟରରେ ଏମିତି କି ମୋହ ଅଛି ଯେ ଯାହା ମିତୁ ତାକୁ ଆଜି ଯାଏଁ ଭୁଲି ପାରୁ ନାହିଁ। ସେଇଥିପାଇଁ ମୁଁ ଚାହୁଁଛି ମୁଁ ମଧ୍ୟ ସେଇ ମୋହରେ ହଜି ଯିବାକୁ। ଆଉ ଆପଣ ଆଜି ଏ ନୂଆ ଗାଡି ଧରି ବୋଉଙ୍କୁ ଚମକେଇ ଦିଅନ୍ତୁ। ହଁ ରାତିରେ ଆଜି ସମସ୍ତେ ମିଶି ଗୋଟେ ମଜାଦାର ଭୋଜି ବି କରନ୍ତେ। ସେ ପୁଣି ଆପଣଙ୍କ ହାତ ରନ୍ଧା। ବିଶ୍ୱାସ କରି ପାରୁନଥିଲେ ନବୀନ ପୁଅ ଯେଉଁଠି ସେଇ ସ୍କୁଟର ପାଇଁ ଏତେ କଥା ଶୁଣେଇ ଦେଲା। ସେଠି ମୋ ଝିଅ ସେଇ ସ୍କୁଟର କୁ ଭୁଲି ପାରୁନି। ଗର୍ବରେ ଛାତି କୁଣ୍ଢେମୋଟ ହୋଇ ଯାଉଥିଲା ନବୀନଙ୍କ ର। ଖୁସିରେ ଆଖି ରୁ ଗଡ଼ି ପଡୁଥିଲା କେତେ ଟୋପା ଆନନ୍ଦାଶ୍ରୁ….. ସେ ହସିଦେଇ ଝିଅ ଜୋଇଁ ଙ୍କୁ କୋଳେଇ ନେଇ ଘର ମୁହାଁ ହେଲେ!!

Share to...