Course Category: ଜହ୍ନମାମୁ ପୃଷ୍ଠାରୁ ଗପଟିଏ

ନୂତନ ଦଣ୍ଡ

ନୂତନ ଦଣ୍ଡ          ଚନ୍ଦ୍ରସେନ ନାମକ ଜଣେ ରାଜାଙ୍କ ନିକଟରେ ଭୂଷଣ ନାମକ ବିଦୁଷକ ଥିଲେ । ରାଜାଙ୍କୁ ଖୁସି ରଖିବାରେ ସେ ଅଦ୍ୱିତୀୟ ଥିଲେ । ଦିନେ ରାଜା ତାଙ୍କ ଉପରେ ଖୁସି ହୋଇ କହିଲେ, “ବିଦୁଷକ, ତୁମେ ମୋତେ କିଛି ବର ମାଗ ଯେଉଁଥିରେ କି ମୋର କିଛି କ୍ଷତି ନହେଉ ଓ ତୁମର ବହୁତ ଲାଭ ହେଉ ।”        ରାଜାଙ୍କ ଏଭଳି କଥାରେ ଭୂଷଣ କହିଲେ, “ମହାରାଜ ବିଦୁଷକର ଜୀବନ ଖଣ୍ଡାଧାରରେ ଚାଲିବା ପରି । ତେଣୁ ଆପଣଙ୍କ ବରଦାନ ଠିକ୍ ବିପଦ ସମୟରେ ମୁଁ ମାଗିନେବି ।” ରାଜା ତାଙ୍କ କଥାକୁ ସ୍ୱୀକାର କରିନେଲେ । ସେ ରାଜାଙ୍କର ଗୋଟିଏ ବୋଲି ପୁଅ ଥିଲା । ଅଧିକ ସ୍ନେହ ପାଇ ସେ ନଷ୍ଟ ହୋଇଗଲା, ତେଣୁ ରାଜା ତାକୁ ଗୁରୁକୁଳକୁ ପଠାଇଦେଲେ । ସେଠାରୁ ମଧ୍ୟ ସେ ବାରମ୍ବାର ଘରକୁ ପଳାଇ ଆସି ଶେଷରେ ରହିଗଲା । ତା’ପାଇଁ ରାଜା ବହୁତ ଚିନ୍ତିତ ହୋଇ ପଡିଲେ ଓ ଦିନେ ସେ ତାଙ୍କ ମନ କଥା ବିଦୁଷକଙ୍କ ଆଗରେ କହିଲେ । ସବୁକଥା ଶୁଣି ଭୂଷଣ କହିଲେ “ମହାରାଜ, ଯୁବରାଜଙ୍କ ପାଇଁ ଏତେ ଚିନ୍ତା କରିବାର କାରଣ କଅଣ? ମାବାପାଙ୍କୁ ଛାଡି ରହିପାରୁ ନାହାଁନ୍ତି ବୋଲି ବାରମ୍ବାର ପଳାଇ ଆସୁଛନ୍ତି ।” ରାଜା କହିଲେ “ସମସ୍ତେ ତ ସେଇକଥା ଭାବୁଛନ୍ତି, କିନ୍ତୁ ମୋର କାହିଁ ମନେହୁଏ ତାର ଦୋଷ ପାଇଁ ଗୁରୁ ତାକୁ ଦଣ୍ଡସ୍ୱରୂପ ଏଠାକୁ ଫେରାଇ ପଠାଇ ଦିଅନ୍ତି ।” ଭୂଷଣ କହିଲେ “ଯଦି ବା ଏହା କାରଣ ହୋଇଥାଏ, ତେବେ ଆପଣଙ୍କର ଏସବୁ ବିଷୟରେ ଏତେ ଚିନ୍ତା କରିବାର କ’ଣ ବା ଅଛି? ବାଲିକି ଚୁପୁଡିଲେ ହୁଏତ ତହିଁରୁ ତେଲ ବାହାରିବ, ମରୀଚିକାର ପାଣି ମଧ୍ୟ ପିଇ ହେବ, ଠେକୁଆର ସିଂଘ ମଧ୍ୟ ଖୋଜି ବାହାର କରାଯାଇ ପାରିବ । କିନ୍ତୁ ମୂର୍ଖକୁ ବୁଝାଇବା ଆଦୌ ସମ୍ଭବ ନୁହେଁ ଏକଥା ଶାସ୍ତ୍ରବଚନ ନୁହେଁକି?”           ଏକଥା ଶୁଣି ରାଜା ଖୁବ୍ ଜୋର୍ ରେ  ରାଗିଗଲେ ଓ କହିଲେ “କ’ଣ ହେଲା ମୋ ପୁଅକୁ ତୁମେ ମୂର୍ଖ କହୁଛ? ଆଜିଠାରୁ ମୁଁ ତୁମକୁ କାରାଗାରରେ ବନ୍ଦ କରି ରଖିବି ।” ଭୂଷଣ ଠିକ୍ ସେତିକିବେଳେ ରାଜାଙ୍କୁ ପୂର୍ବର କଥା ମନେପକାଇଦେଇ କହିଲେ, “ମହାରାଜ ଆପଣଙ୍କର କ୍ଷତି ହେବ ନାହିଁ ଅଥଚ ମୋର ଲାଭ ହେବ, ସେପରି ବର ଦେଇଥିଲେ, ମୁଁ ଏବେ ସେହି ବର ମାଗିନେବି । ମୋର ଭୁଲ୍ର ଦଣ୍ଡ ସ୍ୱରୂପ ମନ୍ଦିରକୁ ଆସୁଥିବା ଲୋକଙ୍କର ଚପଲ ମୁଁ ପୋଛୁଥିବି । କିନ୍ତୁ ଆପଣ ଏ ଦଣ୍ଡ କଥା କାହାକୁ ମଧ୍ୟ କହିବେ ନାହିଁ ।” ତାଙ୍କ ପ୍ରସ୍ତାବରେ ରାଜା ରାଜି ହୋଇଗଲେ । ପରଦିନ ହିଁ ସେ ଯାଇ ଗୋଟିଏ ମନ୍ଦିର ସାମନାରେ ବସିଗଲେ । ସମସ୍ତିଙ୍କୁ କହିଲେ, “ମହାଶୟ, ମୋର ଅହଂଭାବ ଦମନ କରିବାକୁ ମନ୍ଦିରକୁ ଆସୁଥିବା ଲୋକଙ୍କର ମୁଁ ଯୋତା ସଫା କରିବି । ସେଥିପାଇଁ ଆପଣମାନଙ୍କ ସହଯୋଗ ମୁଁ ଇଚ୍ଛା କରୁଛି ।”          ପ୍ରଥମେ ତ କେହି କେହି ଏହାକୁ ଥଟ୍ଟା ଭାବରେ ଗ୍ରହଣ କଲେ । କିନ୍ତୁ ପ୍ରତିଦିନ ସେ ଭଲ କରି ସ୍ନାନ କରି ପରିଷ୍କାର ଲୁଗାପଟା ପିନ୍ଧି ସେଠାରେ ବସି ଗୀତା ପଢନ୍ତି । ପୁଣି ଯିବା ଆସିବା ଲୋକଙ୍କ ଯୋତା ଅତି ଆନ୍ତରିକତାର ସହିତ ସଫା କରି ସେ ସଜାଇ ରଖନ୍ତି । କେହି କେହି ତାଙ୍କୁ ବଡ ଭକ୍ତିରେ ନମସ୍କାର କରନ୍ତି । ଲୋକମାନେ ତାଙ୍କୁ ବହୁତ ସମ୍ମାନ କରୁଥାନ୍ତି । ମନ୍ଦିରକୁ କେବେ ଆସୁନଥିବା ନାସ୍ତିକ ମଧ୍ୟ କେବଳ ତାଙ୍କୁ ଦେଖିବାକୁ ମନ୍ଦିରକୁ ଆସିଲେ । ଏମିତି କିଛିଦିନ ବିତିଗଲା । ଏପରି ମଧ୍ୟ ପ୍ରଚାର ହୋଇଗଲା କି ତାଙ୍କ ହାତରେ ନିଜ ଯୋତା ପୋଛାଇଲେ ସମସ୍ତ ଇଚ୍ଛା ପୂରଣ ହୋଇଯିବ ।          ଯୋତାଯୋଗୀଙ୍କ ଖବର ରାଜାଙ୍କ ପାଖରେ ପହଁଚିଲା । ରାଜା ସପରିବାର ତାଙ୍କୁ ଦେଖିବାକୁ ଗଲେ । ଭୂଷଣ ରାଜାଙ୍କ ଯୋତା ମଧ୍ୟ ସଫା କରିଦେଲେ, ଓ ସମସ୍ତଙ୍କୁ କହିଲେ, “ମହାଶୟମାନେ, ଆଜିଠାରୁ ମୋ ବ୍ରତର ସମାପ୍ତି ଘଟିଲା । ଆପଣମାନଙ୍କ ସହଯୋଗ ପାଇଁ ଆପଣମାନଙ୍କୁ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ । ମୋ ସ୍ଥାନରେ ଅନ୍ୟ କେହି ଚାହିଁଲେ ବସି ପାରେ ।” ସଙ୍ଗେସଙ୍ଗେ ଅନେକ ଲୋକ, “ମୁଁ ବସିବି, ମୁଁ ବସିବି, ବୋଲି କହି ମାଡି ଆସିଲେ । ଭୂଷଣ ସମସ୍ତିଙ୍କୁ ଶାନ୍ତ କରି ଜଣକୁ ସେଠାରେ ବସାଇଲେ ଓ ଦ୍ୱିତୀୟ ଯୋତାଯୋଗୀ ବୋଲି ଘୋଷିତ କରି ତାକୁ କହିଲେ, “ଯେତେବେଳେ ତୁମେ ଅନୁଭବ କରିବ ଯେ ତୁମର ଅନ୍ତରର ସମସ୍ତ ଅହଂକାର ନଷ୍ଟ ହୋଇଛି, ସେତେବେଳେ ତୁମେ ଏସ୍ଥାନରେ ଅନ୍ୟ କାହାକୁ ବସାଇବ । ସେ ହେବେ ତୃତୀୟ ଯୋତାଯୋଗୀ ।” ଏତିକି କହି ସେ ରାଜନଅରକୁ ଫେରିଲେ ।           ଏସବୁ ଦେଖି ଚନ୍ଦ୍ରସେନ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ “ମୁଁ ରାଗିଲି, ତୁମେ ଯୋତା ସଫା କରିବାର ଦଣ୍ଡ ପାଇଲ, କିନ୍ତୁ, ସେଥିରୁ ଯୋଗୀ କିପରି ହେଲ ଭୂଷଣ?” ତହୁଁ ଭୂଷଣ ଅଳ୍ପ ହସି କହିଲେ, “ଋଷି ଯଦି ହାତ ଉପରକୁ ରଖେ ତ ତାକୁ ତପସ୍ୟା କୁହନ୍ତି–ଚୋରକୁ ସେମିତି ରଖିଲେ ତାକୁ ଦଣ୍ଡ କହନ୍ତି । ସମୟ ଓ ପରିସ୍ଥିତି ଅନୁସାରେ ଖରାପ ଭଲ ସବୁକିଛି ହୋଇଥାଏ । ଆପଣଙ୍କ ଦଣ୍ଡ ଦ୍ୱାରା ମୁଁ ତ ଗୌରବ ପ୍ରାପ୍ତ କଲି । ଯଦି ଲୋକେ ଜାଣିଥା’ନ୍ତେ ଏହା ମୋର କୁକର୍ମ ପାଇଁ ଦଣ୍ଡ ବୋଲି ତେବେ ମୋତେ ପଥର ଫିଙ୍ଗି ମାରନ୍ତେ । ରାଜା ଚନ୍ଦ୍ରସେନ ଭୂଷଣଙ୍କୁ ପଚାରିଲେ “ତୁମର ଏହି କାମ ପଛରେ କୌଣସି ଉଦ୍ଧେଶ୍ୟ ଥିବ, ଛାଡ ସେକଥା ତୁମେ ମୋତେ କି ସୂଚନା ଦେଉଥିଲ ଏବେ ତ ଅନ୍ତତଃ ସେବିଷୟରେ କିଛି କୁହ ।” ତା’ପରେ ଭୂଷଣ କହିଲେ “ମହାରାଜ, ଯୁବରାଜଙ୍କୁ ଗୁରୁକୁଳର ଅଧ୍ୟକ୍ଷ ଦଣ୍ଡ ଦେଲେ ତାହା ଯୁବରାଜ ସହିବା କଥା । ତାଙ୍କୁ ଏପରି କିଛି ଦଣ୍ଡ ତାଙ୍କର ପଶ୍ଚାତାପ ହେଲେହିଁ ସ୍ୱଭାବ ପରିବର୍ତ୍ତନର ସମ୍ଭାବନା ରହିବ । କିନ୍ତୁ ସେ ଯଦି ଦଣ୍ଡ ସ୍ୱରୂପ ରାଜ ଭବନକୁ ଫେରି ଆସି ଆଦର ପାଇ ସୁଖରେ ରହିବେ ତେବେ ଦଣ୍ଡର କୌଣସି ପ୍ରଭାବ ତାଙ୍କ ଉପରେ ପଡିବ ନାହିଁ ।”          କିଛି ସମୟ ଭାବିବା ପରେ ଚନ୍ଦ୍ରସେନ କହିଲେ, “ଯୋତା–ଯୋଗୀର ଗୌରବ ପ୍ରତି ଏତେ ଲୋକ ଆକର୍ଷିତ ହେଲେ ଯେ ନଗରୀର ସମସ୍ତ ଲୋକ ଯୋତା ଯୋଗୀ ହେବାକୁ ଚାହାଁନ୍ତି । ତୁମେ ଠିକ୍ କହିଛ । ଯୁବରାଜଙ୍କୁ ଦଣ୍ଡ ଦଣ୍ଡରୂପରେ ହିଁ ମିଳିବା ଦରକାର । ମୁଁ ଏବେ ଯାଇ ଗୁରୁକୁଳ ଅଧ୍ୟକ୍ଷଙ୍କୁ କହିବି ଯେ ଯୁବରାଜ ଯେବେ ଭୁଲ୍ କରିବେ, ଅନ୍ୟାନ୍ୟ ଶିଷ୍ୟଙ୍କ ପରି ସେହିଠାରେହିଁ ସେ ଦଣ୍ଡପାଇବେ ।” ରାଜା ସେହିପରି କଲେ ଓ ଭୂଷଣଙ୍କୁ ଅନେକ ପୁରସ୍କାର ଦେଲେ ।              ଦଣ୍ଡର ରୂପ ବଦଳିବା ପରେ ଯୁବରାଜଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଦେଖାଦେଲା ଓ ସେ ସମସ୍ତ ଉତ୍ତମ ଗୁଣର ଅଧିକାରୀ ହୋଇ ଉଠିଲେ |

ଷଡଯନ୍ତ୍ରର ସୁଫଳ

ଷଡଯନ୍ତ୍ରର ସୁଫଳ        ଅମିରୁ ଆଲାମ ସହରର ସୁଲତାନ୍ ଥିଲେ । ତାଙ୍କ ଦରବାରରେ ଦଶଜଣ ଉଜୀର୍ ଥିଲେ । କିନ୍ତୁ ସେମାନେ ସଦାବେଳେ ସୁଲତାନ୍ଙ୍କ ଅଜାଣତରେ ଲୋକଙ୍କ ଉପରେ ଅତ୍ୟାଚାର କରି ଅନେକ ଧନସମ୍ପତ୍ତି ଠକି ଖାଉଥିଲେ । ଅବଶେଷରେ ପଡୋଶୀ ରାଜ୍ୟର ସୁଲତାନ୍ ଯେତେବେଳେ ରାଜ୍ୟ ଆକ୍ରମଣ କଲେ, ସେତେବେଳେ ଏଇ ବିଶ୍ୱାସଘାତକ ଉଜୀରମାନେ ଗୁପ୍ତରେ ପଡୋଶୀ ରାଜ୍ୟକୁ ସାହାଯ୍ୟ କଲେ । ତେଣୁ ଅନାୟାସରେ ପଡୋଶୀ ରାଜ୍ୟର ସୁଲତାନ୍ ଅମିରୁଙ୍କ ଦୁର୍ଗ ଦଖଲ କଲେ । ସେଇ ଗୋଳମାଳ ଭିତରେ ସୁଲତାନ୍ ଅମିରୁ ନିଜର ସ୍ତ୍ରୀ ଓ ଶିଶୁପୁତ୍ରକୁ ଧରି ଏକ ଗୁପ୍ତଦ୍ୱାର ବାଟ ଦେଇ ଦୁର୍ଗ ମଧ୍ୟରେ ଥିବା ଶତ୍ରୁମାନଙ୍କ କବଳରୁ ମୁକ୍ତ ହୋଇ ପଳାୟନ କଲେ ।         ବାଟରେ ବଣ ରାସ୍ତାରେ ଯାଉ ଯାଉ ଅନେକ ଦୂର ପରେ ହଠାତ୍ ସୁଲତାନ୍ କୌଣସି ଶବ୍ଦ ଶୁଣି ପାରିଲେ । କାନପାରି ଜାଣିଲେ ଅଦୂରରେ ଅନେକ ଲୋକ ଘୋଡାରେ ବସି ଆସୁଛନ୍ତି । ଶତ୍ରୁଦଳର ଲୋକ ଆସୁଛନ୍ତି ଭାବି ସେ ତରବରରେ ଶିଶୁପୁତ୍ରକୁ ରାସ୍ତାକଡର ଗୋଟିଏ ଗଛମୂଳେ ଶୁଆଇ ଦେଇ ପାଖ ପାହାଡ ଖୋଲରେ ଯାଇ ଲୁଚି ରହିଲେ । ରାଣୀ ପୁଅ ପାଇଁ ଦୁଃଖ କରିବାରୁ ସୁଲତାନ୍ କହିଲେ, “ଦେଖ ଆମ ପାଖରେ ଛୁଆ ଥିଲେ ତା’ର କାନ୍ଦ ଶତୃଦଳକୁ ବା ଡାକୁଦଳକୁ ଆକର୍ଷଣ କରିବ । କିନ୍ତୁ ଛୋଟ ପିଲାଟାକୁ ଦେଖି କେହି ହୁଏ ତ ତାକୁ ମାରିବେ ନାହିଁ ।”             କିଛି ସମୟ ପରେ ଘୋଡାସବାର ଦଳ ଆସିଲେ । ସେମାନେ ସୈନିକ ନଥିଲେ, ବରଂ ଏକ କୁଖ୍ୟାତ ଡାକୁଦଳ ଥିଲେ । ଦଳର ମୁଖ୍ୟ ଏଇ ଛୋଟ ଶିଶୁଟିକୁ ନିର୍ଜନ ଜଙ୍ଗଲ ପ୍ରଦେଶରେ ଦେଖି ଖୁବ୍ ଖୁସି ହୋଇଗଲା । ତା’ପରେ ଛୁଆଟିକୁ ଉଠାଇ ନେଇ ସେମାନେ ତାଙ୍କ ରାସ୍ତାରେ ଚାଲିଗଲେ ।         ଛୁଆକୁ ହରାଇ ବେଗମ୍ କାନ୍ଦିବାରେ ଲାଗିଲେ । ସୁଲତାନ୍ ବେଗମଙ୍କୁ ବୁଝାଇବାକୁ ଯାଇ କହିଲେ, “କାହିଁକି ଆଉ କାନ୍ଦୁଛ?” କେହି କାହା ଜୀବନର ମାଲିକ ନୁହେଁ । ଆମର ଏବେ ଯେଉଁପରି ଅବସ୍ଥା ହୋଇଛି ଆମେ ଯେ କେତେଦିନ ବଂଚିବା ବା ରାସ୍ତାରେ ମରିବା କିଛି ଜଣାନାହିଁ । ଯଦି ସେମାନେ ଛୁଆକୁ ନେଇଗଲେ ଅନ୍ତତଃ ସେ ତ ବଂଚିବାର କିଛି ସମ୍ଭାବନା ଅଛି । ଆସ ଆମେ ଦୁହେଁ ଆଲ୍ଲାଙ୍କୁ ପ୍ରାର୍ଥନା କରିବା, ଯେପରି ଆମ ପୁଅର ଦୀର୍ଘଜୀବନ ହେଉ ଓ ପରେ ଆମ ସହିତ ସେ ମିଳିତ ହେଉ ।          ଦୁହେଁ ପ୍ରାର୍ଥନା କରି ସାରିବା ପରେ ଦୀର୍ଘ ପଥ ଅତିକ୍ରମ କରି ଅନେକ ଦିନ ପରେ କୌଣସି ଏକ ବନ୍ଧୁରାଜାଙ୍କ ରାଜ୍ୟରେ ଯାଇ ପହଁଚିଲେ ଓ ସେଠାରେ ସେମାନେ ଆଶ୍ରୟ ନେଲେ । ସେ ରାଜା ଖୁବ୍ ଶକ୍ତିଶାଳୀ ଥିଲେ । ସେଠାରେ ସେମାନେ ଅନେକ ବର୍ଷ ରହିବା ପରେ ସେହି ରାଜାଙ୍କର ସୈନ୍ୟସାମନ୍ତ ଧରି ଦିନେ ଶତ୍ରୁକବଳିତ ନିଜ ରାଜ୍ୟକୁ ଆକ୍ରମଣ କଲେ । ଫଳରେ ଯୁଦ୍ଧ ହେଲା । ସୁଲତାନ୍ ବିଜୟ ଲାଭ କରି ନିଜ ରାଜ୍ୟ ପୁନଃ ଫେରି ପାଇଲେ ଓ ବେଗମଙ୍କ ସହିତ ସେ ଆନନ୍ଦରେ ରହିଲେ ।         କିଛିଦିନ ଉତ୍ତାରୁ ଥରେ ଏକ ବଡ ଡକାୟତ ଦଳ ଧରା ପଡିଲେ ।  ସେମାନଙ୍କର ଆଗରୁ ଅନେକ ଅସାମାଜିକ କାମ ସକାଶେ ବଦନାମ ଥିଲା । ଆଉ କେହିବି ତାଙ୍କୁ ଧରି ପାରୁ ନଥିଲେ । ଏବେ ସେମାନେ ଧରା ପଡିବାରୁ ସୁଲତାନ୍ ସମସ୍ତଙ୍କୁ ମୃତ୍ୟୁ ଦଣ୍ଡର ଆଦେଶ ଦେଲେ ।        ପରଦିନ ମୃତ୍ୟୁଦଣ୍ଡ ଦେବା ପୂର୍ବରୁ ରାଜା ସବୁ ବନ୍ଦୀମାନଙ୍କୁ ଦେଖିବାକୁ ଗଲେ । ସେଠାରେ ଜଣେ ଯୁବକ ଡାକୁର ଚେହେରା ଓ ବ୍ୟବହାରରେ ଅତ୍ୟନ୍ତ ପ୍ରିତ ହୋଇ ସୁଲତାନ୍ ତାକୁ ମୃତ୍ୟୁ ଦଣ୍ଡରୁ ଅବ୍ୟାହତି ଦେଲେ ।        ପରଦିନ ସୁଲତାନ୍ ତାକୁ ନିକଟକୁ ଡାକି ପଚାରିଲେ, “ତୋର ନାମ କ’ଣ? ତୁ ତ ଡାକୁ ପରି ଦେଖା ଯାଉନାହୁଁ ।” ଯୁବକ ଜଣକ କହିଲା “ମୁଁ ଡାକୁମାନଙ୍କ ସରଦାରଙ୍କ ପୁଅ । ମୋର ନାମ ସଲୀମ୍ ।”        ସୁଲତାନ୍ ପଚାରିଲେ “ତୁ ଏସବୁ ବାଜେ କାମ ଆଉ କେବେ ମଧ୍ୟ କରିବୁ ନାହିଁ ମୁଁ ତୋତେ ମୋ ଦରବାରରେ କାମ ଦେବି । ରାଜି ଅଛୁ ତ?”       ସଲୀମ କହିଲା “ହଜୁର୍, ମୁଁ ଖୁସିରେ ଚାକିରୀ କରିବି ଏବଂ ଜୀବନରେ ଆଉ କେବେବି ହେଲେ ଚୋରୀ ଡକାୟତି କରିବି ନାହିଁ ।”           ସେହିଦିନ ସୁଲତାନ୍ ତାକୁ ଦରବାରରେ ଚାକିରୀ ଦେଲେ । ସେ ଏତେ କୁଶଳତାର ସହିତ ଓ ବିଶ୍ୱାସର ସହିତ କାମ କଲା ଯେ ସୁଲତାନ୍ ତା’ ଉପରେ ଖୁସି ହୋଇ କିଛିଦିନ ପରେ ତାକୁ ସେ ଅଧିକା କାର୍ଯ୍ୟଭାର ଦେଲେ । ଏହିପରି କ୍ରମେ ବଢି ବଢି ଦିନେ ସେ ସୁଲତାନ୍ଙ୍କର କୋଷାଧ୍ୟକ୍ଷ ହେଲା । ଅବସ୍ଥା ଏପରି ଥିଲା ଯେ ସଲୀମ୍ର ବିନା ଅନୁମତିରେ ରାଜକୋଷରୁ କେହି ମଧ୍ୟ ଧନ ନେଇପାରୁ ନଥିଲେ । ଆଗରୁ ଉଜୀରମାନେ ସବୁ ଧନରତ୍ନ ଚୋରେଇ ନେଉଥିଲେ । ତେଣୁ ସଲୀମ୍ର ଉପସ୍ଥିତି ଉଜୀରମାନଙ୍କ ପାଇଁ ଅସହ୍ୟ ହେଲା । ଉଜୀରମାନେ ସମସ୍ତେ ମିଳି ତାକୁ ରାସ୍ତାରୁ ହଟାଇ ଦେବାକୁ ଷଡଯନ୍ତ୍ର କଲେ ।       ଦିନେ ସୁଲତାନ୍ ସହରର ବାହାରକୁ ଯାଇଥା’ନ୍ତି । ଏପରି ସୁଯୋଗ ଦେଖି ଉଜୀରମାନେ ସେମାନଙ୍କ ଷଡଯନ୍ତ୍ର କାର୍ଯ୍ୟକାରୀ କରାଇବାରେ ଲାଗି ପଡିଲେ । ସେମାନେ ମୁହଁରେ ମିଠାକଥା କହି ସଲୀମ୍ କୁ  କିଛି ମଦ ପିଆଇଲେ ଓ ସେଥିରେ ସେମାନେ ଅଳ୍ପ ବିଷ ମଧ୍ୟ ମିଶାଇଥିଲେ । ଘୋର୍ ନିଶା ଓ ବିଷର ପ୍ରଭାବରୁ ସେ ଅଚେତ୍ ହୋଇ ପଡିଲା । ସେହି ଅବସ୍ଥାରେ ଏ ଉଜୀରମାନେ ତାକୁ ଟେକି ନେଇ ସୁଲତାନ୍ଙ୍କ ପଲଙ୍କରେ ଶୁଆଇ ଦେଲେ ।         ରାତିରେ ସୁଲତାନ୍ କ୍ଳାନ୍ତ ହୋଇ ଘରକୁ ଫେରି ଦେଖିଲେ ତାଙ୍କ ଶଯ୍ୟାରେ କିଏ ଶୋଇଛି । ସେ ଯେତିକି ଆଶ୍ଚର୍ଯ୍ୟ ହେଲେ ଲୋକଟାର ଔଦ୍ଧତ୍ୟରେ ସେ ସେତିକି କ୍ରୋଧାନ୍ୱିତ ମଧ୍ୟ ହେଲେ । ସେ କହିଲେ ଏପରି କାମ ଯିଏ କରିଛି ତା’ର ମୃତ୍ୟୁଦଣ୍ଡ ସୁନିଶ୍ଚିତ ।        ଉଜୀରମାନେ କହିଲେ, “କିଏ ଆଉ କରିବ? ଆପଣ ଯାହାକୁ ପ୍ରଶ୍ରୟ ଦେଇ ଉପରକୁ ତୋଳି ଧରିଛନ୍ତି ସେଇ ସଲୀମ୍ । ସେ ବୋଧେ ନିଜକୁ ନିଜେ ସୁଲତାନ୍ ଭାବୁଛି । ନ ହେଲେ ଏପରି କାମ କରିବାକୁ ତା’ର ସାହସ କେଉଁଠୁ ଆସିଲା ।”          ସିପାହୀମାନେ ତାକୁ ଶେଯରୁ ଉଠାଇ ଠିଆ କରାଇଲେ ଓ କହିଲେ, “ହଜୁର ଅତ୍ୟଧିକ ମଦ୍ୟପାନ ହେତୁ ଏପରି ହୋଇଛି । କାରଣ ସେ ଏବେ ତା’ ହୋସ୍ରେ ନାହିଁ ।”          ଉଜୀରମାନେ କହିଲେ, “ଏ ଅକ୍ଷମଣୀୟ ଅପରାଧ କରିବାକୁ ତା’ଛଡା ଆଉ ଦ୍ୱିତୀୟ ବ୍ୟକ୍ତି କିଏ ବା ପୁଣି ଏତେ ସାହସ କରନ୍ତା ।”           ସଲୀମ୍ କୁ ଦେଖି ସୁଲତାନ୍ଙ୍କର ମନରେ ଟିକେ ଦୟା ହେଲା । କିନ୍ତୁ ସେ ନିଜେ ଦେଇଥିବା ମୃତ୍ୟୁଦଣ୍ଡର ଆଦେଶ ଆଉ ପ୍ରତ୍ୟାହାର କଲେ ନାହିଁ ।         ପରଦିନ ମୃତ୍ୟୁଦଣ୍ଡ ଦିଆ ହେବା କଥା । ସଲୀମ୍ କୁ ବଧସ୍ଥଳୀକୁ ନିଆଗଲା । ରାଜ୍ୟସାରା ଲୋକ ସେଠାରେ ଜମା ହୋଇଥା’ନ୍ତି । ଭିଡ ଭିତରୁ ଜଣେ ବୃଦ୍ଧଲୋକ ବାହାରି ଆସି ସଲୀମ୍କୁ ଧରି କାନ୍ଦି କାନ୍ଦି କହିଲା, “ପୁଅ ତୁ କ’ଣ ଏବେ ବି ବଂଚିଛୁ? ମୁଁ ଭାବିଥିଲି କି ଅନ୍ୟ ଡାକୁଙ୍କ ସହିତ ତତେ ମଧ୍ୟ ମାରିଦିଆ ଯାଇଛି । କିନ୍ତୁ ହାୟ ହତଭାଗ୍ୟ ମୁଁ ତତେ ଏଇ ଅବସ୍ଥାରେ ଯାହା ଦେଖିଲି । ଏବେ କ’ଣ କରିବି?”       ସେହି ବୁଢାକୁ ସମସ୍ତେ ଡାକୁ ସରଦାର ବୋଲି ଚିହ୍ନିଲେ । ଉଜୀରମାନେ ସେହି ବୁଢାକୁ ବନ୍ଦୀ କରି ସୁଲତାନ୍ଙ୍କୁ ଖବର ଦେଲେ । ସୁଲତାନ୍ ନିଜେ ଆସି ବଧସ୍ଥଳରେ ପହଁଚିଲେ ।”         ସୁଲତାନ୍ଙ୍କୁ ଦେଖିବା ମାତ୍ରେ ଡାକୁ ସର୍ଦାର୍ ତାଙ୍କ ପାଦରେ ପଡି କହିଲା, “ହଜୁର୍ ମୁଁ ତାକୁ । ମୋତେ ପଛେ ମାର ହେଲେ ମୋ ପୁଅକୁ ଛାଡିଦିଅ । ମୋ ପୁଅ ଜଣେ ସ୍ୱର୍ଗଦୂତ । ସେ ଦେବତା ପରି ବ୍ୟକ୍ତି । ତାକୁ ମାର ନାହିଁ ।”         ଏକଥା ଶୁଣି ଉଜୀରମାନେ ଥଟ୍ଟା କରି କହିଲେ “ଆହାହା; ସବୁ ବାପାମାନେ ନିଜ ପୁଅକୁ ତ ଏମିତି ଦେବତା ବୋଲି କୁହନ୍ତି ।”         ସର୍ଦ୍ଦାର କହିଲା “ହଜୁର୍ ସେ ସ୍ୱର୍ଗର ଦେବତା ନ ହୋଇଥିଲେ ମୁଁ କିପରି ଏକ ଅପନ୍ତରା ସ୍ଥାନରେ ତାକୁ ପାଇଥା’ନ୍ତି । ସମସ୍ତେ ଭାବନ୍ତି ଯେ, ସଲୀମ୍ ମୋ ପୁଅ । କିନ୍ତୁ ମୁଁ ତାକୁ ଗୋଟିଏ ପାହାଡ ପାଖରେ ଥିବା ଜଙ୍ଗଲ ଧାରରୁ ପାଇଥିଲି ।”        ସୁଲତାନ୍ ନିଜର ହଜିଥିବା ପୁଅ କଥା ମନେ କରି ପଚାରିଲେ “ପାହାଡ ପାଖରେ? ପୁଣି ଜଙ୍ଗଲ ଧାରରେ? କେବେ? କିପରି?”         ଡାକୁ ସର୍ଦ୍ଦାର କୋଡିଏ ବର୍ଷ ତଳର ଘଟଣା ବର୍ଣ୍ଣନା କରି କହିଲା, “ଇଏ ସେଇ

ସଂଚୟର ମହତ୍ୱ

ସଂଚୟର ମହତ୍ୱ      ଏକ ଛୋଟ ଗ୍ରାମରେ ଅନନ୍ତର ଜନ୍ମ । ଅଠର ବର୍ଷ ବୟସରେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ବେଳକୁ ତା’ ପିତାଙ୍କର ଦେହାନ୍ତ ଘଟିଲା । ତାକୁହିଁ କ୍ଷେତ ବାଡିର କଥା ବୁଝିବାକୁ ପଡିଲା । ଏଥି ସହିତ ସେ ନିଜ ପାଇଁ ଚାକିରୀଟିଏ ମଧ୍ୟ ଯୋଗାଡ କଲା ।        ଜମିଦାରଙ୍କ ଦୋକାନରେ ଛୋଟ ଚାକିରୀଟିଏ ପାଇ ସେ ଖୁବ୍ ଖୁସି ହେଲା । ଜମିଦାର ଜଗପତି ଜଣେ ସ୍ନେହଶୀଳ ବ୍ୟକ୍ତି । ନିଜର କର୍ମଚାରୀ ମାନଙ୍କର ସୁଖଦୁଃଖ, ଅଭାବ ଅସୁବିଧା ପ୍ରତି ତାଙ୍କର ଖୁବ୍ ଦରଦ ଥାଏ । ସେ ବ୍ୟକ୍ତିଗତ ଭାବରେ ଏହାକୁ ଗୁରୁତ୍ୱ ଦେଇ ସେମାନଙ୍କର ସହାୟତା କରନ୍ତି । କର୍ମଚାରୀମାନେ ଏଥିପାଇଁ ତାଙ୍କୁ ପିତୃତୁଲ୍ୟ ଜ୍ଞାନ କରନ୍ତି । ଚାକିରୀ କରିବାର ଏକ ସପ୍ତାହ ପରେ ସେ ଗ୍ରାମକୁ ଯାଇ ନିଜ ମା’ଙ୍କୁ ନିଜ ପାଖକୁ ସହରକୁ ନେଇ ଆସିବା ପାଇଁ ଚେଷ୍ଟା କଲେ ।”         କିନ୍ତୁ ଅନନ୍ତର ମା’ ସହର ଆସିବା ପାଇଁ ଆଦୌ ରାଜି ହେଲେ ନାହିଁ । ସେ ତାଙ୍କ ପୁଅକୁ କହିଲେ, “ଏହା ଆମର ପିତୃ ପୁରୁଷଙ୍କର ଭିଟାମାଟି । ଏହି ଘରେ ତୋର ବାପା ଓ ମୁଁ କେତେ ସୁଖ ଦୁଃଖର ସମୟ ବିତାଇଛୁ । ମୋର ଶେଷ ନିଶ୍ୱାସ ଥିବାଯାଏଁ ମୁଁ ଏହି ଘରଛାଡି ଅନ୍ୟତ୍ର କେବେବି ଯିବିନାହିଁ । ମୋତେ ଦେଖିବା ପାଇଁ ତୁ ସମୟ ବାହାର କରି ମଝିରେ ମଝିରେ ଆସୁଥିବୁ । ସେହିଥିରେହିଁ ମୋର ଆନନ୍ଦ ।”          ଅନନ୍ତ ତାର ମା’ଙ୍କୁ ଯେତେ ପ୍ରକାରେ ବୁଝାଇଲେ ମଧ୍ୟ ସେ ନିଜ ନିଷ୍ପତିରେ ବିଲକୁଲ୍ ଅଟଳ ରହିଲେ । ଅନନ୍ତ ଶେଷରେ ନିରୁପାୟ ହୋଇ କହିଲା, “ତୁମେ ମୋ ସହିତ ନ ରହିଲେ, ମୋ’ ଖାଇବା ପିଇବା କଥା କିଏ ବୁଝିବ? ଅସୁସ୍ଥ ହେଲେ କିଏ ମୋ ସେବା କରିବ?”       ମା’ ସ୍ନେହରେ ପୁଅର ପିଠି ଆଉଁସି ଦେଇ କହିଲେ, “ସେଥିପାଇଁ ତ ମୁଁ ତୋ’ଲାଗି କନ୍ୟା ଠିକ୍ କରି ରଖିଛି । ତୁ ରାଜି ହେବା ମାତ୍ରେ, ମୁଁ ତୋର ବିବାହ କରିଦେବି । ବୋହୂକୁ ସାଥିରେ ନେଇଗଲେ ତୋର ଆଉ କିଛିବି ଅସୁବିଧା ହେବ ନାହିଁ ।”        ଭରତଙ୍କ ଏକମାତ୍ର କନ୍ୟା ବାଣୀ । ଅନନ୍ତ, ତା’ର ପିଲାଦିନର ସାଥୀ । ସେହି ପିଲାଦିନରୁହିଁ ଉଭୟଙ୍କର ପିତାମାତା ବିବାହ-ସମ୍ବନ୍ଧ ଠିକ୍ କରି ଦେଇଥିଲେ । ପରସ୍ପର ମଧ୍ୟରେ ମଧୁର ସମ୍ପର୍କ ମଧ୍ୟ ରହିଥିଲା । ତେଣୁ ଅନନ୍ତ ସେ ବିବାହ ନିମନ୍ତେ ସ୍ୱୀକୃତି ନ ଦେବାର କୌଣସି ପ୍ରଶ୍ନ ହିଁ ଉଠୁ ନ ଥିଲା ।       ଏକ ସପ୍ତାହ ମଧ୍ୟରେ ସେମାନଙ୍କର ବିବାହ ଅନୁଷ୍ଠିତ ହେଲା । ବାଣୀ ଅନନ୍ତର ଧର୍ମପତ୍ନୀ ରୂପେ ସହରକୁ ଚାଲି ଆସିଲା । ସହରରେ ଭରତ ଏକ ଛୋଟ ଭଡାଘରେ ରହୁଥାଏ । ସେହି ଘରେ ଗୋଟିଏ ବଖରା ସହିତ ଏକ ଛୋଟ ରୋଷେଇ ଘର ଥାଏ । ଦୁଇଜଣ ସେହି ଘରେ କିଛିଦିନ କଷ୍ଟମଷ୍ଟେ ଚଳିଗଲେ । କିନ୍ତୁ ଯେତେବେଳେ ଏକବର୍ଷ ପରେ ସେମାନଙ୍କର ଏକ ପୁତ୍ର ସନ୍ତାନ ହେଲା । ତିନିଜଣ ଚଳିବାରେ ବହୁତ ସମସ୍ୟା ଉପୁଜିଲା । ବାଣୀ ଅନ୍ୟ କେଉଁଠାରେ ଏକ ବଡଘର ନେବାପାଇଁ ଅନନ୍ତ ଉପରେ ଚାପ ପକାଇଲା ।        “ଆମର ତ ଆୟ ସୀମିତ । ବଡ ଘର ନେଲେ ଭଡା ଦେଇ ପାରିବା ନାହିଁ । ତୁମେ ତ ଜାଣୁଛ ସହରରେ ପରିବାର ଚଳାଇବା କେତେ କଷ୍ଟ ।” ଏପରି ଅନେକ କଥା କହି ଅନନ୍ତ ବାଣୀକୁ ବୁଝାଇବାକୁ ଚେଷ୍ଟାକରେ । କିଛିଦିନ ପରେ ବାଣୀ ଏକ ପ୍ରସ୍ତାବ ଦେଲା ଯେ, “ଆମେ ନିଜର ଏକ ଘର ତୋଳାଇଲେ ହୁଅନ୍ତାନି!”         ସ୍ତ୍ରୀ କଥାରେ ଅନନ୍ତ ଖୁବ୍ ବିସ୍ମିତ ହୋଇ କହିଲା, “କ’ଣ ଏପରି ବେକାର କଥା ସବୁ ଗପୁଛ? ଆମେ, ଆଉ ପୁଣି ଘରତୋଳିବା । ସେପରି ସ୍ୱପ୍ନ ଦେଖିବା ଅଭ୍ୟାସ ଛାଡିଦିଅ ।”          କିନ୍ତୁ ବାଣୀ ନିଜର ପ୍ରଚେଷ୍ଟାରେ ଲାଗି ପଡିଥାଏ । ଯଥାସମ୍ଭବ ଖର୍ଚ୍ଚ କମାଇ, କିଛି ଅର୍ଥ ମଧ୍ୟ ସଂଚୟ କଲା । କିଛି ମାସ ପରେ ପତିଙ୍କୁ ଏହି କଥା ସେ ଜଣାଇଲା ।          ଅନନ୍ତ ଏହାଶୁଣି ହସିଉଠି କହିଲା, “ଏତିକି ଟଙ୍କାରେ ସହରରେ ଦୁଇହାତ ଜମି କିଣିବା ମଧ୍ୟ ସମ୍ଭବ ନୁହେଁ । ଘର ତୋଳିବା ପାଇଁ ତୁମେ କିପରି ପ୍ରସ୍ତାବ ରଖୁଛ?” ମାତ୍ର ବାଣୀ ହତୋତ୍ସାହିତ ନ ହୋଇ ନିଜର ପ୍ରଚେଷ୍ଟା ଜାରି ରଖିଥାଏ ।           ଏହି ସମୟରେ ଜମିଦାର ଜଗପତି ତାଙ୍କର ସମସ୍ତ କର୍ମଚାରୀଙ୍କୁ ପ୍ରୋତ୍ସାହନମୂଳକ ସାହାଯ୍ୟ ରୂପେ ଦେବା ପାଇଁ ସହର ନିକଟରେ ଏକ ବିରାଟ ଜମି କିଣିଲେ ଓ ତାହା କର୍ମଚାରୀଙ୍କ ମଧ୍ୟରେ ମାଗଣାରେ ସେ ବାଂଟିଦେଲେ । ଅନନ୍ତର ଭାଗରେ ମଧ୍ୟ ଏକଶହ ଗଜ ଜମି ପଡିଲା ।         ଜମି ମିଳିଯିବାର ଦେଖି ବାଣୀ ପୁନଶ୍ଚ ପ୍ରସ୍ତାବ ଦେଲା ଯେ, ଏବେ ଆମର ଘର ତୋଳିବାରେ ବିଶେଷ କିଛି ଅସୁବିଧା ନାହିଁ । ଦୁଇଟି ସନ୍ତାନଙ୍କ ପାଇଁ ଏଠାରେ ଚଳିବା ଅତ୍ୟନ୍ତ କଷ୍ଟକର ହୋଇପଡିଲାଣି । ବୟସ ବଢିବା ସହିତ ସେମାନଙ୍କର କ୍ରମେ ଆବଶ୍ୟକତା ବି ବଢିବ । ତେଣୁ ଆଉ ବିଳମ୍ବ ନ କରି ନୂଆ ଜମିରେ ଘର ତୋଳିବା ଏବେଠାରୁ ଆରମ୍ଭ କରିଦେଲେ ଖୁବ୍ ଭଲ ହେବ ।           ଅନନ୍ତ ପୂର୍ବପରି ଏଥର ମଧ୍ୟ ବାଣୀର ଉତ୍ସାହକୁ ଏତେଟା ଗୁରୁତ୍ୱ ଦେଲା ନାହିଁ, ସେ କହିଲା, “ଘର ତୋଳିବା କିଛି ପିଲାଖେଳ ନୁହେଁ । ଇଟା, ଚୁନ, ସିମେଂଟ, କାଠ ଏମିତି କେତେ ଜିନିଷ କିଣିବାକୁ ପଡିବ । ସେଥିରେ ମଜୁରୀ ପୁଣି ଏବେ ବହୁତ ବଢିଗଲାଣି । ଆମ ପରି ସାଧାରଣ ଲୋକର ଏହି ମହଙ୍ଗା ଯୁଗରେ ଘର କରିବାର ଶକ୍ତି ଆଦୌ ନାହିଁ ।”         ବାଣୀ ଅନନ୍ତର କଥାରେ ପ୍ରତିବାଦ କରି କହିଲା “ତୁମେ ଏପରି କହି ଆଦୌ କୌଣସି ଚେଷ୍ଟା କରୁ ନାହଁ । ପ୍ରଥମେ ଆମ ପାଖରେ ଯେତିକିବି ଟଙ୍କା ଅଛି ସେହିଥିରେ କାନ୍ଥ ଉଠାଇ ଦେବା ତା’ପରେ କାଠ, ଛାତ ବିଷୟରେ ଭାବିବା । ଯେମିତି ହେଉ ପଛେ ମୁଁ ନିଜର ଏକ ଘର ଠିଆ କରାଇବି । ତୁମେ ଚୁପ୍ ହୋଇ ରହିଥିଲେ ରହିଥାଅ ।”           ଅନନ୍ତ କିଛି ନ କହି ସେଠାରୁ ବାହାରିଗଲା । ବାଣୀ ତା’ ପାଖରେ ଯେତିକି ଟଙ୍କା ଥିଲା, ତାକୁ କାଢି ଗଣିଲା । ମିସ୍ତ୍ରୀଙ୍କ ସହିତ ଆଲୋଚନା କରି ଜମିଦାର ଦେଇଥିବା ଜାଗାରେ ନିଅଁ ଖୋଳିବା ପାଇଁ ସେ ବରାଦ ଦେଲା । ଯେହେତୁ ଅନନ୍ତ ଏହି ବିଷୟରେ କିଛି ବି ନ କହି ଚୁପ୍ ରହିଲା, ବାଣୀ ତାକୁ ନ ଜଣେଇ ନିଜ ଚେଷ୍ଟାରେ ଯାହା କିଛିବି ହୋଇ ପାରିବ, ତାହା କାର୍ଯ୍ୟକାରୀ କରିବା ପାଇଁ ଆରମ୍ଭ କଲା ।         ଅଳ୍ପଦିନ ଭିତରେ ନିଅଁ ପଡି କାନ୍ଥ ତୋଳା ହୋଇଗଲା । ଏହାପରେ ବାଣୀ, ଗ୍ରାମରେ ରହୁଥିବା ତା’ର ଭାଇଙ୍କ ନିକଟକୁ କାଠ ପାଇଁ ଖବର ପଠାଇଲା । ଭାଇ ନିଜର ବାଡିରେ ଥିବା ଗଛରୁ କିଛି କାଠ ଯୋଗାଡ କରି ଦେଲେ ଓ ଭଉଣୀର ଉଦ୍ୟମରେ ତାକୁ ସେ ସାହାଯ୍ୟ କଲେ ।        କବାଟ, ଝରକାର ବନ୍ଦୋବସ୍ତ ହୋଇଗଲା । ବାଣୀ ପାଖରେ ଥିବା ସମସ୍ତ ଅର୍ଥ ଖର୍ଚ୍ଚ ହୋଇଗଲା । କିନ୍ତୁ ସେତେବେଳକୁ ଛାତ କାମ ମୋଟେ ହୋଇ ନ ଥାଏ ।         ଏପରି ସ୍ଥିତିରେ ଦିନେ ଅନନ୍ତ ଭୋଜନ ପରେ ବିଶ୍ରାମ ନେଉଥିବା ସମୟରେ ବାଣୀ ତାକୁ କହିଲା ।, “ତୁମର କେହି ବନ୍ଧୁଙ୍କ ଠାରୁ କିଛି ଅର୍ଥ କରଜ ଯୋଗାଡ ହୋଇପାରିବ କି? ଛାତ କାମ ସରିଗଲେ, ଘର ସମ୍ପୂର୍ଣ୍ଣ ହୋଇଗଲା ଜାଣ । ଛାତ ପାଇଁ କେତେ ଖଣ୍ଡ କଡି ବରଗା ଓ ଟାଇଲ୍ ଲୋଡା । ତୁମେ ଏଥିପାଇଁ କିଛି ଅର୍ଥ ଯୋଗାଡ କରିପାରିଲେ ଭାରି ଭଲ ହୁଅନ୍ତା ।”       ଅନନ୍ତ ବିରକ୍ତ ହୋଇ କହି ଉଠିଲା, “ମୁଁ କେତେବେଳେ କାହାକୁ ହାତ ପତାଇବାର ତୁମେ ଦେଖିଛ? ଘରକାମ ପୁରା ହେଲେ ହେଉ, ନ ହେଲେ ନାହିଁ, ମୋର ସମ୍ମାନରେ ଆଂଚ ଆସିବା ପରି କାମ ମୁଁ ଆଦୌ କରିବି ନାହିଁ ।”        ଏହି ଘଟଣାର ଠିକ୍ ଦୁଇଦିନ ପରେ ଗ୍ରାମରୁ ବାଣୀର ଜଣେ ବାନ୍ଧବୀ ସହରକୁ ବୁଲି ଆସିଲେ । ଦୁଇ ବାନ୍ଧବୀ ସୁଖଦୁଃଖ ହେଉଥିବା ସମୟରେ ବାଣୀ ନିଜର ଅଭାବ ଅସୁବିଧା କଥା ତାଙ୍କୁ ଜଣାଇଲା । ସେ କହିଲେ, “ସେଥିପାଇଁ ଆଦୌ ବ୍ୟସ୍ତ ହେବୁ ନାହିଁ । ଆମ ବାଡିରେ ଅନେକ ତାଳଗଛ ଅଛି । କଡି, ବରଗା ପାଇଁ ତାହା ଖୁବ୍ ମଜଭୁତ୍ ହେବ । ମୁଁ ଗ୍ରାମକୁ ଯାଇ ତୋର ଯାହା କିଛିବି ଦରକାର ସେତକ ପଠାଇଦେବି ।” ବାନ୍ଧବୀର ଏଭଳି ପ୍ରତିଶୃତି ପାଇ ବାଣୀ ଟିକେ ଆଶ୍ୱସ୍ତ ହେଲା ।         ଏମିତି ସେହି କାଠରେ ଛାତର କଡି ବରଗା ହୋଇ

ଚୋରି ଆଉ ମିଛ

ଚୋରି ଆଉ ମିଛ          ଚୋରଟିଏ ଥିଲା । ସେ ଜଣେ ସଦ୍ଗୁଣସମ୍ପନ୍ନା ସ୍ତ୍ରୀକୁ ବିବାହ କଲା । ଚୋରର ନବାଗତ ସ୍ତ୍ରୀ ଯେତେବେଳେ ଜାଣିଲା, ତା’ର ସ୍ୱାମୀ ଗୋଟିଏ ବୁଢା ଚୋର, ତାକୁ ବହୁତ ଖରାପ ଲାଗିଲା । ସେ ତା’ର ଭାଗ୍ୟକୁ ନିନ୍ଦି ଅନେକ ଧିକ୍କାର କଲା ସିନା ଆଉ ଉପାୟ କିଛି ନଥିଲା ।          ଶେଷରେ ମହିଳା ଜଣକ ସ୍ଥିର କଲା ସ୍ୱାମୀଙ୍କୁ କିଭଳି ଚୋରି ଭଳି କୁପ୍ରବୃତିରୁ ନିବୃତ କରିବ? ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱାମୀ ତାର ଚୋରି ବୃତି ଆଦୌ ଛାଡିଲା ନାହିଁ । ପିଲାଦିନୁ ଏ ଅଭ୍ୟାସ ଏତେ ବଢି ଯାଇଥିଲା ଯେ, ଦିନେ ଏହି କାର୍ଯ୍ୟ ନକଲେ ଧୈର୍ଯ୍ୟଚ୍ୟୁତ ଘଟୁଥିଲା ।         ଦିନକର କଥା | ସେହି ଗାଁକୁ ଜଣେ ସାଧୁବାବା ଆସିଲେ । ସ୍ତ୍ରୀର କଥା ଅନୁସାରେ ଚୋରଟି ସ୍ତ୍ରୀ ସହିତ ଯାଇ ଦିନେ ସାଧୁବାବାଙ୍କୁ ଭେଟିଲା । ତାଙ୍କର ପାଦତଳେ ମୁଣ୍ଡିଆମାରି ଚୋରଟି ସବୁ ସତକଥା କହିଗଲା । କିପରି ସେ ଚୋରି ଛାଡିବ ବୋଲି ତା’ର ସରଳ ଉପାୟ ବାବାଙ୍କୁ ପଚାରିଲା ।          ଏବେ ସାଧୁବାବା ଚୋରକୁ ସରଳ ଉପାୟଟିଏ ବତାଇ ଦେଲେ । କହିଲେ, “ପ୍ରଥମେ ତୁମେ ମିଛ କହିବା ଛାଡିଦିଅ । ମୋ କଥା ମାନି ଗୋଟିଏ ମାସ ଏଭଳି କରି ତାପରେ ମୋ ପାଖକୁ ଆସିବ ।”         ସାଧୁବାବାଙ୍କ କଥା ଚୋର ମନକୁ ଆଦୌ ପାଇଲା ନାହିଁ । ସେ ଭାବିଲା ଚୋରି ବିଦ୍ୟା ସହିତ ମିଥ୍ୟାର କି ସମ୍ପର୍କ ଅଛି? ମୁଁ ଚୋରିବିଦ୍ୟା କିପରି ଛାଡିବି କହିଲା ବେଳେ ସାଧୁ କହୁଛନ୍ତି ମିଛ କହିବା ଛାଡିଦିଅ । ଏହା କି ପ୍ରକାର ଉପଦେଶ?”            ଚୋର ଘରକୁ ଆସି ସାଧୁବାବାଙ୍କ ଉପଦେଶ ଉପରେ ଏହିଭଳି ତା’ର ମତାମତ ତା’ର ସ୍ତ୍ରୀ ଆଗରେ ବାଢିଲା, ହେଲେ ସ୍ତ୍ରୀ କହିଲା, “ସାଧୁମହାତ୍ମା ଏତେ ବଡଲୋକ । ସେ କଥା କଥାକେ ଲୋକଙ୍କୁ ହିତବାଣୀ ଶୁଣାଇ ଭଲବାଟକୁ ଆଣୁଛନ୍ତି । ସୁତରାଂ ତାଙ୍କର କଥା ହିଁ ମାନିବାକୁ ହେବ । ସେ ଯାହା କହିଛନ୍ତି ଅନ୍ତତଃ ମାସଟିଏ ସେଇଆ କର । କ’ଣ ହେଉଛି ଦେଖ?”           ସ୍ତ୍ରୀର କଥା ଅନୁସାରେ ସାଧୁବାବାଙ୍କ ଉପଦେଶ ମାନି ଚୋରଟି ସେଇଆ କଲା । ସେ ଆଦୌ ମିଛ କହିଲା ନାହିଁ ।  ହେଲେ ଚୋରି ବିଦ୍ୟା ଛାଡି ନ ଥାଏ ।            ଦିନକର କଥା | ଚୋରଟି କେତେକ ସୁନା ଗହଣା ଚୋରି କରି ଆଣିଲା । ତାକୁ ବିକ୍ରି କରିବ ବୋଲି ବଜାରରେ ପହଂଚିଲା । ଦୋକାନୀ ଯେତେବେଳେ ତାକୁ ପଚାରିଲା? “ଭାଇ, ଏ ଗହଣା କେଉଁଠୁ ଚୋରି କରି ଆଣିଛ?” ଚୋରଟି କହିଲା, “ରାଜ ଉଆସରୁ ।”              ଏବେ ଦୋକାନୀ ଧରା ପଡିଯିବା ଭୟରେ ରାଜାଙ୍କ ପାଖକୁ ଚୋରକୁ ନେଇ ସବୁକଥା ରାଜାଙ୍କ ଆଗରେ କହିଦେଲା ।                  ରାଜା ନିଜେ ଚୋରକୁ ପଚାରି ସବୁ କଥା ଜାଣିଗଲେ ଓ ଜଣେ ଚୋର ଏଭଳି ସତକଥା କହୁଥିବାରୁ ସେ ବିସ୍ମିତ ହୋଇଗଲେ । ରାଜା ଅଳଙ୍କାର ତ ପାଇଗଲେ; ଆଉ ତାଙ୍କ ରାଜ୍ୟର ଜଣେ ଚୋର ଏଭଳି ସତକଥା କହୁଥିବାରୁ ତାକୁ ପୁରସ୍କାର ବି ଦେଲେ ।           ତା’ପରେ ସେହି ଚୋରଟି ଅନ୍ୟଠାରୁ ବି ଚୋରିକଲା ଓ ପରଦିନ ସତକଥା କହିବାକୁ ଯାଇ ଜିନିଷକୁ ଫେରାଇ ଦେଉଥିଲା । ଆଉ ପୂର୍ବରାତିରେ କରିଥିବା ଚୋରି କାର୍ଯ୍ୟ ପାଇଁ ଭୁଲ୍ ବି ମାଗୁଥିଲା ।           ଏବେ ଚୋର ଦେଖିଲା, ଚୋରି କରି ଜିନିଷ ତ ଫେରାଇ ଦେଉଛି, ମାତ୍ର ପରଦିନ କେବଳ ଭୁଲ୍ ମାଗିବା ସାର ହେଉଛି । ଆଉ କେଉଁଠି କେମିତି ମାଡଗାଳି ବି ଖାଉଛି । ସୁତରାଂ ସେ ଠିକ୍ କଲା ଆଉ ଚୋରିକାମ କରିବି ନାହିଁ । ପରିଶ୍ରମ କରି ସତକଥା କହି ସାରା ଜୀବନ କାଟିଦେବ ।            ଶେଷରେ ସେଇଆ କଲା । ଠିକ୍ ମାସକ ପରେ ଚୋରଟି ସାଧୁଙ୍କୁ ଭେଟି କହିଲା, “ମହାତ୍ମା ! ମୁଁ ଆପଣଙ୍କ କଥାମାନି ସୁଫଳ ପାଇପାରିଛି ।”          ଏଥର ସାଧୁବାବା କହିଲେ, “ବତ୍ସ ! ଅସଲ କଥାଟି ହେଲା ଚୋରି ସାଙ୍ଗରେ ସବୁବେଳେ ମିଛ ଥାଏ ଜାଆଁଳା ଭାଇ ଭଳି । ସେଥିଲାଗି ମିଛଟିକୁ ଛାଡିଦେବାରୁ ଚୋରିବିଦ୍ୟା ଆପେ ଆପେ ଚାଲିଗଲା ।

ଚମର ଜୋତା

ଚମର ଜୋତା                ଚିତ୍ରଦୁର୍ଗ ଗ୍ରାମରେ ସଦାଶିବ ଓ ମହାଦେବ ନାମକ ଦୁଇଜଣ ବ୍ୟବସାୟୀ ରହୁଥିଲେ । ସେ ଦୁହେଁ ପଡୋଶୀ ଥିଲେ । ସଦାଶିବ ସରଳ ଥିଲେ । ଅଥଚ ମହାଦେବ କୁଟୀଳ ଓ ଅତ୍ୟନ୍ତ ପରଶ୍ରୀକାତର ଥିଲେ । ସଦାଶିବଙ୍କ ସ୍ୱଭାବ ଯୋଗୁଁ ଲୋକେ ତାଙ୍କୁ ଖୁବ୍ ଭଲ ପା’ନ୍ତି ଓ ସମ୍ମାନ ବି ଦିଅନ୍ତି । ଏସବୁ ଦେଖି ମହାଦେବ ଖାଲି ଇର୍ଷ୍ୟାରେ ଜଳିଯାଉଥା’ନ୍ତି ।         ସଦାଶିବଙ୍କ ଝିଅର ବିବାହରେ ଖର୍ଚ୍ଚ ପାଇଁ ଅଳ୍ପ କିଛି ଟଙ୍କା କମ୍ ପଡିଲା । ସଦାଶିବ ତାହା ମହାଦେବଙ୍କ ପାଖରୁ ଧାର ଆଣିଲେ ।           ମହାଦେବ ତ ଏହିପରି ଏକ ସୁଯୋଗ ଖୋଜୁଥିଲେ । ତେଣୁ ସେ କହିଲେ, “ତମେ ତ ଜାଣିଛ ମୋର ସାନଝିଅର ବାହାଘରରେ ସବୁ ଖର୍ଚ୍ଚ ହୋଇ ଯାଇଛି । ମୁଁ ଏତେ ଗୁଡାଏ ଟଙ୍କା କେଉଁଠୁ ଆଣିବି?” ମହାଦେବ ଜାଣନ୍ତି ଯେ ସଦାଶିବ ଟଙ୍କା ପାଇଁ ଅନ୍ୟ କାହା ପାଖକୁ କଦାପି ମଧ୍ୟ ଯିବେ ନାହିଁ । ସଦାଶିବ କହିଲେ, “ମହାଦେବ, ତମେ ଭଲ ଭାବରେ ଜାଣିଛ ଯେ ମୁଁ ଆଉ କାହା ପାଖକୁ ଟଙ୍କା ଧାର ଆଣିବାକୁ ଯିବିନାହିଁ । ତମେ ମୋର ଏହି କାମଟି କରିଦିଅ । ପରେ ତୁମେ ଯାହା ଚାହିଁବ ମୁଁ ଦେବି ଏପରିକି ମୋ ଚମରେ ଜୋତା ବନାଇ ତୁମକୁ ମୁଁ ଦେଇପାରେ ।”           ମହାଦେବ କିଛି ସମୟ ଚିନ୍ତା କରି କହିଲେ, “ଠିକ୍ ଅଛି । କିଛି ଦିନ ପୂର୍ବରୁ ମୋର ସମୁଦିଙ୍କ ମାମୁଁ ମୋ ପାଖରେ କିଛି ଟଙ୍କା ଜମା ରଖିଛନ୍ତି । ତୁମର ଆବଶ୍ୟକତା ଅନୁସାରେ ମୁଁ ସେଇଥିରୁ କିଛି ଦେଇ ଦେଇ ପାରେ ।” ତା’ପରେ ସେ ଭିତରକୁ ଯାଇ କିଛି ଟଙ୍କା ଆଣି ସଦାଶିବଙ୍କ ହାତରେ ଦେଲେ ।         ସଦାଶିବଙ୍କ ଝିଅ ବାହାଘର ସୁରୁଖୁରୁରେ ହୋଇଗଲା । ଚାରିମାସ ପରେ ସେ ମହାଦେବଙ୍କୁ ସୁଧ ସହିତ ଟଙ୍କା ଫେରାଇ ଦେଇ କହିଲେ, “ତୁମେ ମୋର ଦରକାର ସମୟରେ ମୋତେ ସାହାଯ୍ୟ କରିଛ । ଏକଥା ମୁଁ କେବେବି ଭୁଲିବି ନାହିଁ ।”          ସଦାଶିବଙ୍କ ଏଭଳି କଥା ଶୁଣି ମହାଦେବ ଚମକିଲା ଭଳି ଛଳନା କରି କହିଲେ, “ଏସବୁ ତ ଠିକ୍ ଅଛି । କିନ୍ତୁ ତୁମର ସେ ଜୋତା ବିଷୟ କୁଆଡେ ଭୁଲିଗଲ?” ଏକଥା ଶୁଣି ସଦାଶିବ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ଜୋତା ବିଷୟରେ? ସେ କଥା କ’ଣ?”           ମହାଦେବ ପଚାରିଲେ “ଓହୋ, କଳିଯୁଗ କଥା, ଭୁଲିବନାହିଁ କାହିଁକି? କାମ ଶେଷ ହେବା ପରେ ତୁ କିଏ ନା ମୁଁ କିଏ । ତମେ ମୋତେ କହି ନଥିଲ କି ତୁମେ ନିଜ ଚମରେ ମୋତେ ଜୋତା ବନାଇ ଦେବ ବୋଲି?”               ସଦାଶିବ ପ୍ରଥମେ ଚୁପ୍ ରହିଲେ, ପରେ କହିଲେ, “ତୁମେ ଆଉ ଥଟ୍ଟା କରୁନାହଁ ତ? ବହୁତ କଥା ଏମିତି କୁହାଯାଏ । ଏକଥା କ’ଣ ତମେ ଜାଣନାହିଁ?”  ମହାଦେବ ଏବେ ରାଗି ଯାଇ ଗର୍ଜ୍ଜନ କରି କହିଲେ, “ଥଟ୍ଟା? ତମେ ପୁଣି ଏପରି କଥାକୁ ଥଟ୍ଟା ବୋଲି କହୁଛ? କଥା ତ କଥା – ପୁଣି ଏଥିରେ ଥଟ୍ଟା କ’ଣ?”            ମହାଦେବଙ୍କର ଏପରି ଗର୍ଜନ ତର୍ଜନ ଶୁଣି ସେଠାରେ ଅନେକ ଲୋକ ଜମିଗଲେ । କେତେକ ଲୋକ ମହାଦେବଙ୍କୁ ବୁଝାଇବାକୁ ଚେଷ୍ଟା କଲେ । କିନ୍ତୁ ସେତେବେଳେ ତ ତାଙ୍କ ଉପରେ ଶଇତାନ୍ ସବାର ହୋଇଥିଲା ।          କ୍ରମେ ଏକଥା ସେ ଗ୍ରାମର ମୁଖିଆଙ୍କ କାନରେ ଯାଇ ପଡିଲା । ମୁଖିଆ ମହାଦେବଙ୍କ ସପକ୍ଷରେ ଗଲେ । କାରଣ ସେ ତାଙ୍କଠାରୁ ଲାଂଚ ନେଇଥିଲେ । ମୁଖିଆଙ୍କ କଥା ଶୁଣି ସଦାଶିବଙ୍କ ମଥା ହଠାତ୍ ଘୁରିଗଲା । ତାଙ୍କୁ ତାଙ୍କ ଝିଅ ଜ୍ୱାଇଁ କହିଲେ ଯେ ବରଂ ସେ ଯାଇ ରାଜାଙ୍କ ପାଖରେ ଫେରାଦ୍ ହୁଅନ୍ତୁ ।        ସଦାଶିବଙ୍କ ଠାରୁ ସବୁକଥା ଶୁଣି ରାଜା ମହାଦେବଙ୍କୁ ଡକାଇଲେ । ତାପରେ ସେ ଦୁହିଁଙ୍କ ଠାରୁ ସବୁ ଶୁଣିବା ପରେ ରାଜା କହିଲେ ଏକ ସପ୍ତାହ ପରେ ଏ ବିଷୟରେ ଯାହା କିଛି ସମାଧାନ କରାଯିବ । ଏହାଶୁଣି ସେ ଦୁହେଁ ନିଜ ଗ୍ରାମକୁ ଫେରିଗଲେ ।        ଦୁଇଦିନ ପରେ ମହାଦେବ କୌଣସି ଏକ ଜରୁରୀ କାମରେ ସହରକୁ ଗଲେ । ବାଟରେ ଜଙ୍ଗଲ ପଡେ । ସେଠାରେ ଚୋରମାନେ ସମସ୍ତ ଧନ ଲୁଟିନେଇ ଯିବାକୁ ବାହାରିବା ବେଳେ ରାଜା ଯାଇ ସେଠାରେ ପହଁଚିଲେ । ରାଜାଙ୍କୁ ଚିହ୍ନି ପକାଇ ସେ ତାଙ୍କୁ ନମସ୍କାର କରି କହିଲେ, “ମହାରାଜ, ମୋର ସମସ୍ତ ଧନ ବରବାଦ ହୋଇଗଲା । ଏମାନଙ୍କଠାରୁ ମୋ ଧନ ମୋତେ ଫେରାଇ ଦିଅନ୍ତୁ ମୁଁ ଚିରଦିନ ଲାଗି ଆପଣଙ୍କ ପାଖରେ ଋଣୀ ରହିବି । ଦରକାର ହେଲେ ମୁଁ ମରିବା ପରେ ଆପଣଙ୍କ ପୁଅ ରୂପେ ଜନ୍ମ ହୋଇ ମୁଁ ଆପଣଙ୍କ ଋଣ ସୁଝିବି ।” ରାଜା ଏକଥା ଶୁଣି ତାଙ୍କର ତରବାରୀ ବାହାର କରି ଚୋର ମାନଙ୍କୁ ଧମକ ଦେଲେ । ଏହାପରେ ସେମାନେ ପ୍ରାଣ ବିକଳରେ ସବୁକିଛି ସେଇଠି ଛାଡି ପଳାଇଲେ । ଏହି ଘଟଣା ପରେ ମହାଦେବ ରାଜାଙ୍କୁ ବାରମ୍ବାର ପ୍ରଣାମ କଲେ ।            ଏଣେ ସଦାଶିବ ଓ ମହାଦେବଙ୍କର ଶୁଣାଣୀ ଦିନ ଆସିଗଲା । ଦୁହେଁ ଦରବାରକୁ ଆସିଥା’ନ୍ତି । ରାଜା ପୁଣି ଥରେ ସେମାନଙ୍କ କଥା ଶୁଣି ସମାଧାନ କରି କହିଲେ, “କଥା ତ କଥା ହୋଇ ରହେ । ମଣିଷ ନିଜର କଥା ରଖିବା ଉଚିତ୍ । ତେଣୁ ସଦାଶିବ ନିଜର ଚମରେ ମହାଦେବଙ୍କ ପାଇଁ ଜୋତା ବନାଇ ଦେବା ଉଚିତ୍ ।”           ରାଜାଙ୍କ କଥା ଶୁଣି ସଦାଶିବ ଭୟରେ ଥରିଲେ । ଦରବାରର ସମସ୍ତ ଲୋକ ରାଜାଙ୍କର ଏହି କଥା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଏଣେ ଏ ମହାଦେବଙ୍କ ଆନନ୍ଦ ଆଉ ଦେଖେ କିଏ? ତା’ପରେ ରାଜା ମହାଦେବଙ୍କୁ ଚାହିଁ କହିଲେ, “ଆଚ୍ଛା ମହାଦେବ, ତୁମେ ମୋତେ ଯେଉଁ କଥା ଦେଇଛ, ସେକଥା କ’ଣ କରାଯିବ?” ମହାଦେବ କିଛି ନଜାଣିଲା ପରି ପଚାରିଲେ “କି କଥା ମହାରାଜ?”          ରାଜା ବୁଝାଇ କହିଲେ “ଆରେ ଦୁଇ ଦିନ ଆଗରୁ ଘଟିଥିବା ଘଟଣା ତମେ କ’ଣ ଭୁଲିଗଲ କି? ତୁମେ ପରା ମୋତେ କଥା ଦେଇଥିଲ ଯେ ମୁଁ ଯଦି ତୁମକୁ ଚୋରଙ୍କଠାରୁ ରକ୍ଷା କରେ ତେବେ ତୁମେ ମରି କରି ପୁଣି ମୋର ପୁଅ ହୋଇ ଜନ୍ମ ନେବ । ତେବେ ନିଜ କଥା ରଖିବାକୁ ଗଲେ ତୁମକୁ ତ ଏବେହିଁ ମରିବାକୁ ହେବ ।”           ଏକଥା ଶୁଣି ସେ ମହାଦେବ ଛାନିଆରେ ଆପାଦ ମସ୍ତକ ଥରିଗଲେ ଓ କହିଲେ, “ମହାରାଜ, ମୁଁ ତ ସେକଥା ସେତେବେଳେ କେବଳ କଥା ହୋସରେ କହିଥିଲି ।”            ରାଜା କହିଲେ, “ଏସବୁ ତମେ କ’ଣ କହୁଛ କିନ୍ତୁ କଥା ତ କଥା ଏହି କଥାକୁ ନେଇ ତମେ ସଦାଶିବକୁ କେତେ ହଇରାଣ କରିଛ? ତମେ ମୋର ସମାଧାନ ଶୁଣିଲ? ଏବେ ମୁଁ ତୁମକୁ ନେଇ ନିଜର ସମାଧାନ କିପରି ପରିବର୍ତ୍ତନ କରିବି? ତୁମକୁ ପ୍ରଥମେ ମରି ପୁଣି ମୋ ପୁଅ ଭାବରେ ଜନ୍ମ ହେବାକୁ ପଡିବ ତାହା ପୁଣି ଏବେ, ଏହିକ୍ଷଣି । କାହିଁକି ନା ତୁମେ ଯେପରି ସଦାଶିବର ଚମରେ ତିଆରି ଜୋତା ପିନ୍ଧିବ, ଠିକ୍ ତା’ ପରକ୍ଷଣରେ ହିଁ ତୁମେ ମୋତେ ଦେଇଥିବା କଥା ମଧ୍ୟ ତୁରନ୍ତ ରକ୍ଷା କରିବ । ଏହା ମୋର ଆଦେଶ ।”           ଏଥର ସେ ଦରବାରର ଲୋକେ ଖୁବ୍ ହସିଲେ । ଏଭଳି ପରିସ୍ଥିତିରେ ମହାଦେବ ଲଜ୍ଜାରେ ନିଜ ମୁହଁ ତଳକୁ କଲେ । ସେ ବୁଝିପାରିଲେ ଯେ ରାଜା ତାଙ୍କୁ ଉଚିତ୍ ଶିକ୍ଷା ଦେବାକୁହିଁ ସେପରି ଚୋରୀ ନାଟକଟି କରିଥିଲେ ଓ ତାଙ୍କର ରକ୍ଷାକର୍ତ୍ତା ଭାବରେ ସେଠାରେ ସେ ନିଜେ ଦେଖା ଦେଇଥିଲେ ।          ଏଥର ସେ ମହାଦେବ ତତକ୍ଷଣାତ୍ ରାଜାଙ୍କ ପାଦତଳେ ପଡି ତାଙ୍କୁ କ୍ଷମା ମାଗି କହିଲେ, “ମୋର ବଡ ଭୁଲ୍ ହୋଇ ଯାଇଛି । ଏପରି ଭୁଲ୍ ଭବିଷ୍ୟତରେ ଆଉ କେବେ ହେଲେ ମଧ୍ୟ ହେବ ନାହିଁ । ଦୟାକରି ମୋତେ କ୍ଷମା ଦିଅନ୍ତୁ ।”           ରାଜା କହିଲେ “କିନ୍ତୁ ତା’ପୂର୍ବରୁ ତୁମେ ସଦାଶିବଙ୍କୁ କ୍ଷମା ମାଗିବା ଉଚିତ୍ ତେବେ ଯାଇ ମୁଁ ତୁମକୁ କ୍ଷମା କରିବି ।” ସଦାଶିବଙ୍କ ମନରେ ତ ସେମିତି କୌଣସି କଥା ନଥିଲା । ତେଣୁ ସେ ମହାଦେବଙ୍କୁ ସେହିକ୍ଷଣି କ୍ଷମା ଦେଇ ଦେଲେ ।          ସେଠାରେ ଉପସ୍ଥିତ ସେହି ଗ୍ରାମର ମୁଖିଆଙ୍କୁ ମଧ୍ୟ ରାଜା ସହଜରେ ଛାଡିଲେ ନାହିଁ । ରାଜା ତାଙ୍କୁ ଏସବୁ ବିଷୟରେ ସାବଧାନ କରାଇ ଦେଲେ ଓ ଛୋଟ କିଛି ଦଣ୍ଡ ମଧ୍ୟ ଦେଇ କହିଲେ ଏହା ଯେପରି ଆଉ ପୁନର୍ବାର ନ ଘଟେ ।           ରାଜାଙ୍କ ଏପ୍ରକାର ସମାଧାନରେ

ସଦାଶୟୀ କୈପାଙ୍ଗ

ସଦାଶୟୀ କୈପାଙ୍ଗ        ଗୋଟିଏ ଗାଁରେ ଗରୀବ ଚାଷୀଟିଏ ଥାଏ । ତା’ର ତିନିପୁଅ । ସ୍ତ୍ରୀ ମରିଯାଇଥାଏ । ବଡ ଦୁଇପୁଅ ବୁଦ୍ଧିମାନ, ଚାଷବାସ, ବ୍ୟବସାୟ ଇତ୍ୟାଦି କରି ଧନ ରୋଜଗାର କରନ୍ତି । କିନ୍ତୁ ସାନପୁଅଟିର ସ୍ୱଭାବ ଏକବାରେ ଅନ୍ୟ ରକମ । ସେ ଘରକାମ ନ କରି ଟଙ୍କାପଇସା ରୋଜଗାରରେ ବେଶି ମନ ନ ଦେଇ ପରଉପକାର କରିବାରେ ଅଧିକ ସମୟ ଦିଏ । କାହାର ଛେଳିଟିଏ ହଜିଗଲା, ବାଛୁରୀଟିଏ ବାଟ ଭୁଲିଗଲା, କିମ୍ବା କେଉଁ ପିଲାର ଚିକିତ୍ସା ଦରକାର, କେଉଁ ଉଦ୍ୟାନରେ ଗଛଟିଏ ଶୁଖିଯାଉଛି ବା ପାଣି ମୋଟେ ପାଉନାହିଁ – ଏହିପରି ସବୁ କାମ ଦେଖିଲେ ସେ ନିଜେ ସମୟ ଦେଇ କାମ କରିଦେଇ ସେମାନଙ୍କୁ ସାହାଯ୍ୟ କରେ । ସେଥିଯୋଗୁଁ ସାରା ଗାଁର ଲୋକ ତାକୁ ଘରପୁଅ ପରି ଭଲପା’ନ୍ତି, ଅଥଚ ନିଜ ଘରେ ବଡ ଦୁଇଭାଇ ତାକୁ ନିର୍ବୁଦ୍ଧିଆ ଓ ବୋକା ବୋଲି ଡାକନ୍ତି ।         ଏମିତି ଦିନେ କୌଣସି ଦୁଃଖୀ ଲୋକକୁ ସାହାଯ୍ୟ କରିବାକୁ ଯାଇ ସେ ବହୁତ ଡେରିରେ ଘରକୁ ଫେରିଲା । ବଡ ଭାଇମାନେ ରାଗରେ ଜଳିଗଲେ । ତାକୁ ନାନା ପ୍ରକାର ଭତ୍ସର୍ନା କରି ଘରୁ ତଡିଦେଲେ । ଏହି କାରଣରୁ ବିଚାରା ବାପା ବହୁତ ଦୁଃଖିତ ହେଲା, କିନ୍ତୁ ସେ କାହାକୁ କିଛି କହିପାରିଲା ନାହିଁ ।         କୈପାଙ୍ଗ ସେହିଦିନଠାରୁ ରାସ୍ତାରେ ବା କାହା ପିଣ୍ଡାରେ ରହିଯାଏ, କାହାର କିଛି କାମ କରିଦେଲେ ସେ ତାକୁ ମୁଠାଏ ଖାଇବାକୁ ଦିଏ, ସେତିକି ଖାଇଦେଇ କାହା ପିଣ୍ଡାରେ ସେ ଶୋଇପଡେ । ସେ ଏପରି ଯାଯାବର ଜୀବନ ଯାପନ କରୁଥାଏ । କିନ୍ତୁ ମନରେ ଖୁବ୍ ଖୁସି ଓ ସନ୍ତୋଷ ଥାଏ । ବେଳେ ବେଳେ ଆଖପାଖ ଗାଁକୁ ବି ସେ ଯାଏ । ସେଠାରେ କିଛି କାମ କରିଦେଇ ବା କାହାକୁ କାମରେ ସାହାଯ୍ୟ କରି କିଛି ପଇସା ଅର୍ଜନ କରେ । ଏମିତି ଯାଉ ଯାଉ ଦିନେ ଗୋଟିଏ ଗାଁରେ ସେ ଶୁଣିଲା କି କିଛି ଦୂରରେ ଗୋଟିଏ ପାହାଡ ଅଛି । ତା’ର ପାଦଦେଶରେ ଥିବା ଜଙ୍ଗଲରେ ଜଣେ ସାଧୁ ଅଛନ୍ତି । କୈପାଙ୍ଗ ତ ଲୋକଙ୍କର କଷ୍ଟ ଆଦୌ ସହି ପାରେନାହିଁ । ଭାବିଲା ଜଙ୍ଗଲକୁ ଯାଇ ସାଧୁଙ୍କୁ ସବୁ କିଛି ପଚାରିବ ଓ ସାଧୁଙ୍କର ସେବା କରିବ ।         ଯାଉ ଯାଉ ସେ ଦେଖିଲା କେତେଗୁଡିଏ ଗ୍ରାମରେ ପାଣି ଅଭାବରୁ ଜୀବନ ଅତିଷ୍ଠ ହୋଇଗଲାଣି । ବହୁତ ପଶୁପକ୍ଷୀଙ୍କର ଓ ମଣିଷମାନଙ୍କ ଅବସ୍ଥା ଖରାପ । ଏକମାତ୍ର ଝରଣାରେ ଖୁବ୍ କମ୍ ପାଣି ଆସୁଛି । କୈପାଙ୍ଗ ଭାବିଲା ପ୍ରଥମେ ସେ ସାଧୁଙ୍କୁ ଏକଥା ପଚାରିବ ଓ ଲୋକଙ୍କ କଷ୍ଟ ଦୂର କରିବାକୁ ଚେଷ୍ଟା କରିବ ।          ଆଉ ଗୋଟିଏ ଗ୍ରାମରେ ଜଣେ ମହିଳା ଓ ତାଙ୍କର ଅନ୍ଧ ଝିଅଟିଏ ଥାଏ । ଝିଅଟି ସୁନ୍ଦରୀ, ଗୁଣବତୀ ଓ ସୁନ୍ଦର ଗୀତ ଗାଏ ହେଲେ ଆଖି ଦୁଇଟିରେ ସେ କିଛିବି ଦେଖିପାରେ ନାହିଁ । ସେକଥା ମଧ୍ୟ ସାଧୁଙ୍କୁ ପଚାରିବ ବୋଲି କୈପାଙ୍ଗ ମନସ୍ଥ କଲା ।           ଚାଲି ଚାଲି କିଛିଦିନ ପରେ ସେ ଯାଇ ସାଧୁଙ୍କ ପାଖରେ ପହଁଚିଲା । ଏହି ସବୁ ସମସ୍ୟା ସେ କହିବା ପୂର୍ବରୁହିଁ ସାଧୁ ତାଙ୍କର ତପସ୍ୟା ଶକ୍ତି ବଳରେ ସେସବୁ ଜାଣିପାରିଲେ । ସାଧୁ ଅବଶ୍ୟ କୈପାଙ୍ଗଠାରୁ ସବୁ ଶୁଣିଲେ ଓ ସମାଧାନ ବି ବତାଇ ଦେଲେ । ଫେରିବା ବାଟରେ ପ୍ରଥମେ ସେ ଅକାଳ ପଡିଥିବା ଗ୍ରାମକୁ ଗଲା । ସେଠାରେ ସେ ଝରଣା କୂଳେ କୂଳେ ତା’ର ମୂଳ ଉତ୍ସକୁ ଗଲା । ସେଠାରେ ପାହାଡି ଝରଣାକୁ ଦଳେ ହାତୀ ବନ୍ଦ କରି ରଖିଛନ୍ତି । ପାଣି ଯାଇ ପାରୁନି । କୈପାଙ୍ଗ ସେମାନଙ୍କୁ ସେଠାରୁ ତଡିଲା, କିନ୍ତୁ ସେମାନେ ସେ ସ୍ଥାନ ଛାଡି ଯିବାକୁ ଅନିଚ୍ଛା ପ୍ରକାଶ କରି ନାନା ପ୍ରକାର ଶବ୍ଦ କଲେ । ତା’ପରେ କୈପାଙ୍ଗକୁ ଏକ ବୁଦ୍ଧି ଦିଶିଲା । ସେ ଶୁଖିଲା କାଠଝଟା ସବୁ ଏକାଠି କରି ଝକମକି ପଥର ଘଷି ନିଆଁ ଧରାଇଲା । ନିଆଁ ହୁତ୍ ହୁତ୍ ହୋଇ ଜଳିବା ଦେଖି ହାତୀ ପଲ ସେଠାରୁ ପଳାଇଲେ । କୈପାଙ୍ଗ ସେହି ଝରଣା ମୁହଁରୁ ପଥର କାଦୁଅ ସବୁ କାଢିଦେଲା । ପାଣି ଏଥର ସୁନ୍ଦର ଭାବରେ ବୋହିବାକୁ ଲାଗିଲା । ଲୋକମାନେ କୈପାଙ୍ଗକୁ ଦେବତା ପରି ପୂଜା କଲେ ।          ତା’ପରେ କୈପାଙ୍ଗ ଅନ୍ଧ ଝିଅର ଘରକୁ ଗଲା ଓ ତା’ ମୁଣ୍ଡ ଉପରେ ସେ ହାତ ରଖିଲା । ତତ୍କ୍ଷଣାତ୍ ସେ ଝିଅଟି ତା’ର ଦୃଷ୍ଟିଶକ୍ତି ଫେରି ପାଇଲା । ମା ଝିଅ ଆନନ୍ଦରେ ବିଭୋର ହୋଇଗଲେ ଓ କୈପାଙ୍ଗକୁ ଦେବତା ବୋଲି ଜ୍ଞାନ କଲେ । କୈପାଙ୍ଗକୁ ସାଧୁ ଏହା ମଧ୍ୟ କହିଥିଲେ ଯେ ଯିଏ ତା’ ମୁଣ୍ଡ ଉପରେ ହାତ ରଖିଲେ ସେ ଦୃଷ୍ଟିଶକ୍ତି ଫେରି ପାଇବ ସେ ହିଁ ତା’ର ସ୍ୱାମୀ ହେବ । ଏଥର କୈପାଙ୍ଗ ସହିତ ସେହି ଝିଅଟିର ବିବାହ ହେଲା । ସେମାନଙ୍କୁ ଧରି କୈପାଙ୍ଗ ନିଜ ରାଜ୍ୟକୁ ଫେରି ଆସିଲା । ସମସ୍ତେ ଭାବିଥିଲେ ବୋକାଟା କୁଆଡେ ମରି ହଜିଗଲା । କାହାକୁ କିଛି ନ କହି ଭାଇଠୁ ଗାଳି ଖାଇ ପଳାଇଥିଲା । କିନ୍ତୁ ତା’ର ବାପା ସର୍ବଦା ତାକୁ ମନେ ପକାଉଥାଏ ଓ ତା’ର ଭଲ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ । ସେ ତାଙ୍କ ପୁଅକୁ ଓ ବୋହୁକୁ ଦେଖି ଅତି ଆନନ୍ଦିତ ହେଲା । ଗ୍ରାମଲୋକ ମାନେ ତାକୁ ପାଛୋଟି ନେଲେ । ଚାରିଆଡେ ଆନନ୍ଦର କୋଳାହଳ । କୈପାଙ୍ଗ ଏଥିରୁ କିଛିବି ବୁଝିପାରୁ ନଥାଏ । ଏଣେ କୈପାଙ୍ଗ ଯୋଗୁଁ ଯେଉଁ ଗ୍ରାମର ପାଣି କଷ୍ଟ ଦୂର ହେଲା ସେଠାକାର ଗ୍ରାମବାସୀମାନେ କୃତଜ୍ଞତା ସ୍ୱରୂପ ବହୁତ ଧନ ଓ ଉପଢୌକନ ସବୁ ଦେଇ ଯାଇଥାନ୍ତି ଓ କୈପାଙ୍ଗର ପରୋପକାର ବିଷୟରେ ବି କହିଯାଇଥାନ୍ତି ।          କୈପାଙ୍ଗର ବାପା ସବୁଠୁ ଖୁସି । କାରଣ ଯାହାକୁ ଅଯୋଗ୍ୟ କହି ବଡପୁଅ ଘରୁ ତଡି ଦେଇଥିଲା ସେହିଁ ଆଜି ସବୁଠାରୁ ଯୋଗ୍ୟ ବୋଲି ପ୍ରମାଣିତ ହେଲା । ବଡ ପୁଅମାନେ ମଧ୍ୟ ନିଜ ନିଜର ଭୁଲ୍ ବୁଝିପାରିଲେ । କୈପାଙ୍ଗକୁ ଓ ତା’ ସ୍ତ୍ରୀକୁ ଖୁବ୍ ସ୍ନେହ ଶ୍ରଦ୍ଧା ଓ ଭଲ ବ୍ୟବହାର ଦେଖାଇଲେ । ଦୂରଦୂରାନ୍ତରର ଲୋକେ ମଧ୍ୟ ଏ ବିଷୟରେ ସବୁ ଶୁଣି ଆନନ୍ଦିତ ଓ ବିସ୍ମିତ ହେଲେ । ସମସ୍ତେ ଆନନ୍ଦରେ ରହିଲେ ।

ଯାହା ଚାହିଁବ ତାହା ପାଇବ

ଯାହା ଚାହିଁବ ତାହା ପାଇବ          ଗୋଟିଏ ନଗରୀରେ ସାଗରଦତ୍ତ ନାମକ ଏକ ବଣିକ ବାସ କରୁଥିଲେ । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଥିଲା । ଦିନେ ବଣିକ ପୁତ୍ର ଗୋଟିଏ ପୁସ୍ତକ ଏକ ଶହମୁଦ୍ରା ଦେଇ କିଣି ଆଣିଲେ । ଏହି ପୁସ୍ତକ ମଧ୍ୟରେ କେବଳ ଗୋଟିଏ କଥା ଲେଖାଥିଲା । ‘ତୁମର ଯାହା ପାଇବାର ଥିବ ତାହା ତୁମ ନିକଟକୁ ନିଶ୍ଚୟ ଆସିବ’ । ଅନ୍ୟ ଅର୍ଥରେ କହିଲେ ଭାଗ୍ୟ ଯାହା ନିକଟକୁ ଯାହା ପଠାଇଥାଏ ତାହା ତା’ନିକଟରେ ଆସି ନିଶ୍ଚୟ ପହଁଚିବ । ଯେତେବେଳେ ସାଗରଦତ ଏହି ବହିଟିକୁ ଦେଖିଲେ ସେତେବେଳେ ପୁତ୍ରକୁ ପଚାରିଲେ, ‘କେତେ ମୁଦ୍ରା ଦେଇ ତୁମେ ଏହି ବହିଟିକୁ କିଣିଛ’? ପୁତ୍ର ସଂଗେ ସଂଗେ ପିତାଙ୍କୁ କହିଲା, ‘ଏକ ଶହ ମୁଦ୍ରା ଦେଇ ମୁଁ ଏହି ବହିଟିକୁ କିଣିଛି । ଏହା ଶୁଣି ପିତା ସଂଗେ ସଂଗେ ରାଗିଯାଇ କହିଲେ, ‘ତମକୁ ଲଜ୍ଜା ନାହିଁ । ବହିଟିକୁ ଏକ ଶତ ମଦ୍ରା ଦେଇ କିଣି ଆଣିଛ । ଅଥଚ ବହିଟିରେ ଗୋଟିଏ ଧାଡିକୁ ବାଦ୍ ଦେଲେ ଆଉ କିଛି ଲେଖାନାହିଁ । ତୁମେ ଯଦି ଏପରି କରିବ ତା’ହେଲେ ଭବିଷ୍ୟତରେ ବ୍ୟବସାୟ ବଣିଜ କିପରି ସମ୍ଭାଳିବ? ପିତାଙ୍କର କଟୁକଥା ପୁତ୍ର ମନରେ ଗଭୀର ଆଘାତ ଆଣିଦେଲା । ତେଣୁ ସେ ମନେ ମନେ ମନସ୍ଥ କଲେ ଯେ ସେ ଘରଛାଡି ଅନ୍ୟତ୍ର ଚାଲିଯିବେ । ପଡୋଶୀ ରାଜ୍ୟକୁ ଯାଇ ସେଠାରେ କିଛି କାର୍ଯ୍ୟ କରି ଆପଣାଛାଏଁ ନିଜ ଗୋଡରେ ନିଜେ ଠିଆ ହେବେ ।         ଏହିପରି ଚିନ୍ତାକରି ଦିନେ ସେ ଗୃହତ୍ୟାଗ କଲେ ଓ ଏକ ନୂଆ ସ୍ଥାନରେ ଯାଇ ପହଁଚିଲେ । ସେଠାରେ କିଛିଦିନ ରହିବା ପରେ ସେଠାକାର ଜଣେ ବାସିନ୍ଦା ତାଙ୍କୁ ପଚାରିଲେ, ‘ଆପଣଙ୍କର ନାମ କ’ଣ’? ‘ଆପଣ କେଉଁଠାରୁ ଆସିଛନ୍ତି’? ବଣିକ ପୁତ୍ର ବାସିନ୍ଦାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ, ‘ତୁମେ ଯାହା ଚାହିଁବ ତାହା ନିଶ୍ଚୟ ପାଇବ’ । ଏହାପରେ ତାଙ୍କୁ ସେହି ଅଂଚଳରେ ଯେତେଜଣ ତାଙ୍କ ପରିଚୟ ସଂପର୍କରେ ଜାଣିବାକୁ ପ୍ରଶ୍ନ କରିଛନ୍ତି, ତାଙ୍କଠାରୁ ଏହି ଉତ୍ତର ପାଇଛନ୍ତି । ତେଣୁ ଲୋକମାନଙ୍କ ନିକଟରେ ସେ ‘ଯାହା ଚାହିଁବ ତାହା ପାଇବ’ ଏହି ନାମରେ ପରିଚିତ ହେଲେ ।         ଏକଦା ସେହି ରାଜ୍ୟରେ ରାଜାଙ୍କ କନ୍ୟା ‘ଚନ୍ଦ୍ରାବତୀ’ ଦାସୀ ମାନଙ୍କ ସହିତ ଏକ ମେଳା ଦେଖିବାପାଇଁ ନଗରୀ ମଧ୍ୟକୁ ଆସିଲେ । ମେଳା ଦେଖୁଥିବା ସମୟରେ ହଠାତ୍ ତାଙ୍କର ଆଖି ଏକ ସୁନ୍ଦର, ସୁଠାମ, ସୁଦୀପ୍ତ ଯୁବରାଜଙ୍କ ଉପରେ ପଡିଲା । ରାଜକୁମାରୀ ଚନ୍ଦ୍ରାବତୀଯୁବରାଜଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଦାସୀ ହାତରେ ତାଙ୍କ ନିକଟକୁ ସମ୍ବାଦ ପ୍ରେରଣ କଲେ । ଦାସୀଟି ଯୁବରାଜଙ୍କ ନିକଟରେ ପହଁଚି ଚନ୍ଦ୍ରାବତୀଙ୍କର ହୃଦୟର କଥା ପ୍ରକାଶ କଲେ । ଚନ୍ଦ୍ରାବତୀଙ୍କୁ ତୁରନ୍ତ ରାଜକୁମାର ଆସି ଦେଖା କରନ୍ତୁ ଏବଂ ଯଦି କୁମାର ତାଙ୍କୁ ଦେଖା ନ କରନ୍ତି ତା’ହେଲେ ସେ ପ୍ରାଣତ୍ୟାଗ କରିବେ । ଦାସୀଠାରୁ ଏହି କଥା ଶୁଣି ଯୁବରାଜ କହିଲେ, ‘ରାଜକୁମାରୀଙ୍କୁ ମୁଁ କିପରି ରାଜମହଲ ମଧ୍ୟକୁ ଯାଇ ଦେଖା କରିବି’? ଦାସୀ ରାଜ କୁମାରଙ୍କୁ ଏକ ଉପାୟ ବତାଇ ଦେଲେ । ରାଜ କୁମାରୀ ଝରକା ମଧ୍ୟ ଦେଇ ଭୂମି ପର୍ଯ୍ୟନ୍ତ ଦଉଡି ପକାଯାଇଥିବ । ସେହି ଦଉଡି ମଧ୍ୟଦେଇ ଝରକା ବାଟେ ତୁମେ ରାଜକୁମାରୀଙ୍କୁ ଗୋପନରେ ସାକ୍ଷାତ କରିପାରିବ । ଯୁବରାଜ କହିଲେ, ‘ରାଜକୁମାରୀ ଯଦି ମୋତେ ଅନ୍ତରର ସହିତ ଚାହୁଁଥିବେ, ତା’ହେଲେ ମୁଁ ନିଶ୍ଚୟ ଯାଇ ତାଙ୍କ ପାଖରେ ପହଁଚିପାରିବି ।            ଯେତେବେଳେ ଅଧରାତି ହେଲା, ରାଜକୁମାର କୁମାରୀଙ୍କୁ କଥା ଦେଇଛନ୍ତି, ତାଙ୍କ ନିକଟରେ ଯାଇ ପହଁଚିବେ । କିନ୍ତୁ ରାତି ବଢୁଥାଏ । ଯୁବରାଜଙ୍କର ଦେଖାନଥାଏ । ଯୁବରାଜ ଚିନ୍ତାକଲେ, ‘ଏପରି ଲୁଚିଛପି ରାଜ ମହଲ ମଧ୍ୟକୁ ପ୍ରବେଶ କରିବା ଉଚିତ୍ ନୁହେଁ । ଯେଉଁ କାର୍ଯ୍ୟ ବିବେକାନୁମୋଦିତ ନୁହେଁ, ସେ କାର୍ଯ୍ୟ କରିବା ଠିକ୍ ନୁହେଁ । ଏହିପରି କଥା ଯୁବରାଜ ଚିନ୍ତାକରି ଆଉ ରାଜକୁମାରୀଙ୍କୁ ସାକ୍ଷାତ କରିବାକୁ ଗଲେ ନାହିଁ । ଏହି ସମୟରେ ରାଜମହଲ କଡ ଦେଇ ‘ଯାହା ଚାହିଁବ ତାହା ପାଇବ’ ଯାଉଥାଏ । ସେ ଯେତେବେଳେ ଦେଖିଲେ ଯେ ଗୋଟିଏ ଦଉଡି ଝରକା ବାଟ ଦେଇ ଭୂମି ପର୍ଯ୍ୟନ୍ତ ଲମ୍ବିଛି, ତାଙ୍କୁ ତାହା ଆଶ୍ଚର୍ଯ୍ୟ ଭଳି ଲାଗିଲା । ସେ ପ୍ରଥମେ ଜାଣିବାକୁ ଚାହିଁଲେ କଣ ପାଇଁ ଏବଂ କିଏ ଏପରି କାର୍ଯ୍ୟ କରିଛି? ତେଣୁ ସେ ପ୍ରଥମେ ଏହି ଦଉଡିଟିକୁ ଜୋର୍ ରେ  ଜାବୁଡି ଧରି ରାଜ ମହଲ ମଧ୍ୟକୁ ଝରକା ବାଟ ଦେଇ ପ୍ରବେଶ କଲେ । ସେ ଯେତେବେଳେ ରାଜକୁମାରୀଙ୍କ ଝରକା ପାଖରେ ପହଁଚିଗଲେ, ରାତ୍ରିର ଅଂଧାରରେ କୁମାରୀ ତାଙ୍କୁ ଯୁବରାଜ ବୋଲି ଭାବି ତାଙ୍କର ଅଭ୍ୟର୍ଥନା କରିବାକୁ ଲାଗିପଡିଲେ । ଏହାପରେ ରାଜକୁମାରୀ ଯୁବରାଜଙ୍କ ନିକଟରେ ନିଜର ମନ କଥା ପ୍ରକାଶ କରିବାକୁ ଲାଗିଲେ । ଏବଂ କହିଲେ ମୁଁ ତୁମକୁ ମୋର ହୃଦୟ ଦେଇ ଭଲପାଉଛି । ତୁମ ବିନା ଅନ୍ୟ କାହାକୁ ମୁଁ ପତି ରୂପେ ବରଣ କରିବି ନାହିଁ । କିନ୍ତୁ ମୁଁ ତୁମକୁ ମୋର ମନ କଥା କହିସାରିବା ପରେ ତୁମେ ମୋତେ କିଛି କହୁ ନାହଁ କାହିଁକି? ବଣିକ ପୁତ୍ର ରାଜ କୁମାରୀଙ୍କୁ ଉତ୍ତର ଦେବାକୁ ଯାଇ କହିଲେ, ‘ତୁମେ ଯାହା ଚାହିଁବ, ତାହା ପାଇବ’ ।        ଯୁବରାଜଙ୍କର ଏହି କଥା ଶୁଣି ରାଜକୁମାରୀ କିଂକର୍ତ୍ତବ୍ୟବିମୂଢ ହୋଇ ପଡିଲେ । କିଛି ସମୟ ତାଙ୍କ ମୁଖମଣ୍ଡଳକୁ ଭଲ ଭାବରେ ଅନୁଧ୍ୟାନ କରି ଜାଣିପାରିଲେ ଯେ, ଏହି ବ୍ୟକ୍ତି ଜଣକ ରାଜକୁମାର ନୁହଁନ୍ତି । ଏହାପରେ ରାଜକୁମାରୀ ଭୀଷଣ ଭାବରେ ରାଗିଯାଇ ବଣିକ ପୁତ୍ରକୁ ସେଠାରୁ ତୁରନ୍ତ ଚାଲିଯିବାକୁ ନିର୍ଦ୍ଧେଶ ଦେଲେ । ବଣିକ ପୁତ୍ର ରାଜ ମହଲରୁ ବିଦାୟ ନେଇ ଏକ ପୁରୁଣା ମନ୍ଦିର ନିକଟରେ ଯାଇ ଶୋଇବା ପାଇଁ ପହଁଚିଲେ । ସେହି ପୁରୁଣା ମନ୍ଦିରରେ ଏକ ରାତ୍ରି ଜଗୁଆଳି, ଯିଏ କି ଏକ ନାରୀ ସହିତ କୁକାର୍ଯ୍ୟରେ ଲିପ୍ତ ଥାଆନ୍ତି । ସେ ବଣିକପୁତ୍ରଙ୍କୁ ଦେଖି ହଠାତ୍ ଉଠି ଆସିଲେ, ଏବଂ ପଚାରିଲେ, ‘ତୁମେ କିଏ’? ବଣିକ ପୁତ୍ର ତାଙ୍କୁ ଉତ୍ତର ଦେଲେ, ‘ତୁମେ ଯାହା ଚାହିଁବ, ତାହା ପାଇବ’ । ଏହାପରେ ଜଗୁଆଳୀ ଜଣକ ନିଜ ପାପ କାର୍ଯ୍ୟକୁ ଘୋଡାଇବାକୁ ଯାଇ କହିଲେ, ଏହା ଏକ ପୁରୁଣା ଭଙ୍ଗା ମନ୍ଦିର । ଏଠାରେ କେହି ରାତ୍ରି ସମୟରେ ରହନ୍ତି ନାହିଁ । ତେଣୁ ତୁମେ ଏଠାରେ ନ ରହି ମୋ ଗୃହକୁ ଯାଇ ସେଠାରେ ବିଶ୍ରାମ କର । ଏହା କହି ଜଗୁଆଳୀ ଜଣକ ବଣିକ ପୁତ୍ରକୁ ତାଙ୍କ ଘରକୁ ରାସ୍ତା ଦେଖାଇଦେଲେ ।         ବଣିକ ପୁତ୍ର ‘ତୁମେ ଯାହା ଚାହିଁବ, ତାହା ପାଇବ’ ଜଗୁଆଳୀର ଘର ନିକଟରେ ଯାଇ ପହଁଚିଲେ । ଜଗୁଆଳୀର ଘରେ ତା’ର ଏକ ମାତ୍ର ସୁନ୍ଦରୀ କନ୍ୟା ‘ବିନୟବତୀ’ ଯିଏକି ତାଙ୍କର ପ୍ରେମିକର ଆସିବା ବାଟକୁ ଚାହିଁ ରହିଥାନ୍ତି । ଯେତେବେଳେ ବଣିକପୁତ୍ର ସେଠାରେ ପହଁଚିଲେ, ରାତ୍ରି ସମୟରେ ‘ବିନୟବତୀ’ ତାଙ୍କୁ ତାଙ୍କର ପ୍ରେମିକ ମନେ କରି ଗାନ୍ଧର୍ବ ରୀତି ଅନୁଯାୟୀ ବିବାହ କଲେ । ଏହାପରେ ସେ ଯେତେବେଳେ ତାଙ୍କୁ ପଚାରିଲେ, ‘ତୁମେ ତ’ ମୋତେ ବିବାହ କରିସାରିଲଣି, ହେଲେ ମୋ ସହିତ କାହିଁକି କଥା ହେଉନାହଁ ।         ସଂଗେ ସଂଗେ ବଣିକପୁତ୍ର ଉତ୍ତର ଦେଲେ, ‘ତୁମେ ଯାହା ଚାହିଁବ ତାହା ପାଇବ’ । ଏହା ଶୁଣିବା ପରେ ବିନୟବତୀ ଜାଣିପାରିଲେ ଯେ ଏହି ବ୍ୟକ୍ତି ଜଣକ ତାଙ୍କର ପ୍ରେମିକ ନୁହେଁ । ସେ ସଂଗେ ସଂଗେ ତାଙ୍କୁ ଘରୁ ବାହାରିଯିବା ପାଇଁ କହିଲେ ।           ଜଗୁଆଳୀର ଗୃହରୁ ବାହାରି ଆସିବା ପରେ ବଣିକ ପୁତ୍ର ରାସ୍ତାରେ ଏକ ବରଯାତ୍ରୀ ଦଳଙ୍କର ଶୋଭାଯାତ୍ରା ଦେଖିବାକୁ ପାଇଲେ । ଅନ୍ୟ ଏକ ଗ୍ରାମର ‘ବନ୍କୀର୍ତି’ ନାମକ ଯୁବକ ସେହି ଗ୍ରାମକୁ ବିବାହ କରିବାକୁ ଆସୁଥାନ୍ତି । ‘ତୁମେ ଯାହା ଚାହିଁବ ତାହା ପାଇବ’ ସେହି ଶୋଭାଯାତ୍ରାରେ ଯୋଗଦେଲେ । କନ୍ୟାଟି ଦାମୀ ବସ୍ତ୍ର ଏବଂ ଦାମୀ ଗହଣା ପରିଧାନ କରି ବରକୁ ଅପେକ୍ଷା କରି ବସିଥାଏ । ଏହି ସମୟରେ ଏକ ହାତୀ ପାଗଳ ହୋଇ, ଯିଏ କି ତା’ର ମାହୁନ୍ତକୁ ମାରି, ଏହି ବରଯାତ୍ରୀ ଶୋଭାଯାତ୍ରା ନିକଟରେ ଉଭା ହେଲା । ସମସ୍ତେ ଯେତେବେଳେ ଏହି ପାଗଳା ହାତୀଟିକୁ ଦେଖିଲେ, ଜୀବନ ବଂଚାଇବା ପାଇଁ ସମସ୍ତେ ନିରାପଦ ସ୍ଥାନକୁ ପଳାଇଗଲେ । କିନ୍ତୁ କନ୍ୟାଟି ଭୟଭୀତ ହୋଇଯାଇ କେଉଁ ଆଡକୁ ଯିବ କିଛି ଠିକ୍ କରିପାରୁନଥାଏ । ଯେତେବେଳେ ବଣିକ ପୁତ୍ର ‘ଯାହା ଚାହିଁବ ତାହା ପାଇବ’ ଦେଖିବାକୁ ପାଇଲେ ଯେ କନ୍ୟାର ଜୀବନ ବିପଦପୂର୍ଣ୍ଣ ସେ ସଂଗେ ସଂଗେ ତା’ ନିକଟକୁ ଯାଇ କହିଲେ, ତୁମେ ଭୟକର ନାହିଁ, ମୁଁ ତୁମକୁ ଏହି ବିପଦରୁ ବର୍ତିବା ପାଇଁ ସାହାଯ୍ୟ କରିବି । ଏହାପରେ ବଣିକ ପୁତ୍ର କୌଶଳ କ୍ରମେ ହାତୀ କବଳରୁ କନ୍ୟାର ଜୀବନ ରକ୍ଷା କଲେ ।          କିଛି ସମୟ ପରେ ବର ଏବଂ ତାର ସାଥୀମାନେ ଯେତେବେଳେ କନ୍ୟା ନିକଟକୁ ଆସିଲେ ସେତେବେଳେ କନ୍ୟାକୁ ବଣିକ ପୁତ୍ର ସହିତ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ବରଂ ସଂଗେ ସଂଗେ ତାର ପିତାଙ୍କୁ କହିଲା ‘ବାପା’! ଦେଖନ୍ତୁ, ଏହି କନ୍ୟା ବର୍ତ୍ତମାନ ଅନ୍ୟ ଜଣକର ହାତ ଧରି ସାରିଲାଣି । କନ୍ୟାର ପିତା ଏହା ଶୁଣି ବରକୁ

ଅସୁସ୍ଥ ବଳଦ ସଂଜୀବକ କାହାଣୀ

ଅସୁସ୍ଥ ବଳଦ ସଂଜୀବକ କାହାଣୀ

ଅସୁସ୍ଥ ବଳଦ ସଂଜୀବକ କାହାଣୀ           ଅନେକ ଦିନ ତଳର କଥା । ଭାରତ ବର୍ଷର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମରେ ଏକ ନଗରୀ ଥିଲା । ଏହି ନଗରୀରେ ଜଣେ ଧନୀ ବଣିକ ବସବାସ କରୁଥିଲେ । ସେହି ବଣିକଙ୍କ ନାମ ହେଉଛି ‘ବର୍ଦ୍ଧମାନକ’ ।          ଏକଦା ରାତ୍ରୀରେ ବର୍ଦ୍ଧମାନକ ବିଛଣାରେ ବିଶ୍ରାମ ନେବା ସମୟରେ ତାଙ୍କ ମନରେ ଏକ ଚିନ୍ତା ଉଙ୍କି ମାରିଲା । ସେ ଭାବିଲେ ଯେ ଯଦି ଜଣେ ମନୁଷ୍ୟ ପ୍ରଚୁର ଧନ, ଅର୍ଥ ଲାଭ କରିପାରେ ସେ ସଂସାରରେ ସବୁ କିଛି କରିପାରିବ । ସେ ଚିନ୍ତା କଲେ: ମଣିଷ ଯଦି ତା’ର ଜୀବନ କାଳ ମଧ୍ୟରେ ଅର୍ଥ ସଂଗ୍ରହ କରି ନ ପାରିବ ତା’ହେଲେ ତା’ର ଜୀବନ ବ୍ୟର୍ଥ । ‘ଧନ’ ହେଉଛି ମଣିଷ ଜୀବନର ମୂଳ ହେତୁ । ପାଖରେ ପ୍ରଚୁର ଅର୍ଥ ଥିଲେ ମଣିଷ ତା’ର ବନ୍ଧୁ ପରିଜନ ମାନଙ୍କୁ ସର୍ବଦା ସନ୍ତୁଷ୍ଟ କରିପାରିବ । ଫଳରେ ସେମାନେ ସର୍ବଦା-ତାର ସୁଖରେ ଭାଗୀଦାର ହେବେ । ଯଦି ମନୁଷ୍ୟ ପାଖରେ ଧନ ନଥିବ, ତା’ହେଲେ ସେ ସର୍ବତ୍ର ଅବହେଳିତ ହେବ । ସମାଜରେ ଧନୀ ବ୍ୟକ୍ତିଙ୍କୁ ସର୍ବଦା ଉଚ୍ଚ ସ୍ଥାନ ଦିଆଯାଇଥାଏ । ଏହି ଧନ ଥିଲେ ବୃଦ୍ଧ ଯୁବକରେ ପରିଣତ ହୋଇପାରେ । ଧନ ବିନା ଯୁବକ ମଧ୍ୟ ବୃଦ୍ଧ ପାଲଟି ଯାଏ । ତେଣୁ ଏହି ସଂସାରରେ ଧନ ହେଉଛି ସବୁକିଛି । ତେଣୁ ବର୍ଦ୍ଧମାନକ କିପରି ଅଧିକରୁ ଅଧିକ ଧନ ଉପାର୍ଜନ କରିବେ ସେହି କଥା ଚିନ୍ତା କଲେ ।             ଦିନେ ଗୋଟିଏ ଶୁଭ ମୁହୂର୍ତରେ ଘରର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ତ୍ୟାଗକରି, ଅଧିକ ଧନ ଉପାର୍ଜନ ଉଦ୍ଧେଶ୍ୟରେ ମଥୁରା ଯାତ୍ରା କଲେ । ତାଙ୍କର ‘ସଂଜୀବକ’ ଏବଂ ‘ନନ୍ଦକ’ ନାମରେ ଦୁଇଟି ବଳଦ ଥିଲେ । ଉଭୟ ତାଙ୍କରି ଘରେ ଜନ୍ମ ହୋଇଥିଲେ ଏବଂ ଉଭୟ ତାଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ।        ବର୍ଦ୍ଧମାନକ ସେହି ଦୁଇଟି ବଳଦକୁ ନେଇ ଏକ ବଳଦଗାଡି ତିଆରି କଲେ । ବଳଦ ଗାଡିକୁ ଚଲାଇବା ପାଇଁ ଏକ ବ୍ୟକ୍ତିକୁ ମଧ୍ୟ ନିଯୁକ୍ତ କଲେ । ଏବଂ କେତେଜଣ ବିଶ୍ୱାସୀ ଅନୁଗତ ମାନଙ୍କୁ ନେଇ ମଥୁରା ଅଭିମୁଖେ ତାଙ୍କର ଯାତ୍ରା ଆରମ୍ଭ କଲେ ।          କିଛି ଦିନ ପରେ ସେ ଯମୁନା ନଦୀ କୂଳରେ ଆସି ପହଁଚିଲେ । ସଂଜୀବକ ଏବଂ ନନ୍ଦନ ନାମକ ଦୁଇ ବଳଦଙ୍କ ମଧ୍ୟରୁ, ସଂଜୀବକ ଅଧିକ ପଥ ଅତିକ୍ରମ କରିଥିବାରୁ, ସଂଜୀବକର ଗୋଡ ସଂପୂର୍ଣ୍ଣ ଭାଙ୍ଗିଗଲା ।         ବଳଦର ଏପରି ଅବସ୍ଥା ଦେଖି ବର୍ଦ୍ଧମାନକ ଅତ୍ୟନ୍ତ ଦୁଃଖିତ ହୋଇପଡିଲେ । ସଂଜୀବକ ପାଇଁ ସେ ତାଙ୍କ ଯାତ୍ରାକୁ ତିନିଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ ।            କିନ୍ତୁ ବଳଦ ଗାଡିଚାଳକଟି ବର୍ଦ୍ଧମାନକଙ୍କୁ କହିଲା : ମହାଶୟ! ଏହି ନିର୍ଜନ ଜଙ୍ଗଲରେ ଅବସ୍ଥାନ କରିବା ବିପଦପୂର୍ଣ୍ଣ । ଏଠାରେ ସର୍ବଦା ହିଂସ୍ର ଜନ୍ତୁମାନଙ୍କର ଲୀଳା ଲାଗି ରହିଥାଏ । ତେଣୁ ଭଲଥିବା ଗୋଟିଏ ବଳଦର ସୁରକ୍ଷା ଦୃଷ୍ଟିରୁ ବିଳମ୍ବ ନ କରି ଆମକୁ ଏହି ସ୍ଥାନ ପରିତ୍ୟାଗ କରିବାକୁ ପଡିବ । ସାମାନ୍ୟ କାରଣ ପାଇଁ ଆପଣ ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ ହେବା ଉଚିତ୍ ନୁହେଁ । ଚାଳକଠାରୁ ଏହି କଥା ଶୁଣି ସାରିବା ପରେ ବର୍ଦ୍ଧମାନକ ଦୁଇଜଣ ବିଶ୍ୱାସୀ ଅନୁଗତଙ୍କୁ ଆହତ ବଳଦର ସେବା ଯତ୍ନ କରିବା ପାଇଁ ନିଯୁକ୍ତ କରି ପୁନର୍ବାର ଯାତ୍ରା ଆରମ୍ଭ କଲେ । କିଛି ସମୟପରେ ଅନୁଗତ ଦୁଇଜଣ ହିଂସ୍ର ଜନ୍ତୁଙ୍କ ଭୟରେ ଅରଣ୍ୟ ତ୍ୟାଗକରି ବର୍ଦ୍ଧମାନକଙ୍କ ନିକଟରେ ପହଁଚିଗଲେ ଏବଂ ଏକାଠି ନିଜର ଯାତ୍ରା ଆରମ୍ଭ କଲେ ।           ଅରଣ୍ୟ ମଧ୍ୟରେ ଅସୁସ୍ଥ ସଂଜୀବକ ଏକାକୀ ପଡି ରହିଥାଏ । ବିଶ୍ୱସ୍ତ ବ୍ୟକ୍ତି ଦୁଇଜଣ ବର୍ଦ୍ଧମାନକଙ୍କୁ ମିଥ୍ୟା କହିବାକୁ ଯାଇ କହିଲେ:- ମହାଶୟ! ସଂଜୀବକର ମୃତ୍ୟୁବରଣ କରିବାରୁ ଆମ୍ଭେ ତାଙ୍କୁ ଅଗ୍ନିରେ ସତ୍କାର କରି ଆସିଲୁ । ବର୍ଦ୍ଧମାନକ ବିଶ୍ୱସ୍ତ ବଳଦର ମୃତ୍ୟୁ କଥା ଶୁଣିଲା ପରେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ।             କିନ୍ତୁ ସଂଜୀବକ ଅରଣ୍ୟ ମଧ୍ୟରେ ଏକାକୀ କାଳାତିପାତ କରୁଥାଏ । ଯମୁନା ନଦୀ ଶଯ୍ୟାରେ ଥିବା କୋମଳ ଘାସ ଗୁଡିକୁ ଭକ୍ଷଣ କରି ସଂଜୀବକ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା କିଛି ଦିନ ଯିବାପରେ ସେ ଉଠିବାକୁ ମଧ୍ୟ ସକ୍ଷମ ହେଲା ।            ଯମୁନା ନଦୀ କୂଳର ଥଣ୍ଡାପବନ ସଂଜୀବକଙ୍କ ଦେହରେ ସତେଜତା ଆଣିଦେଲା । ନଦୀ ତଟର ସବୁଜ ଘାସ ଭକ୍ଷଣ କରିବାରୁ ଅଳ୍ପଦିନ ମଧ୍ୟରେ ସଂଜୀବକ ହୃଷ୍ଟପୁଷ୍ଟ ହୋଇଗଲା । ଏହା ନିଃସନ୍ଦେହରେ କୁହାଯାଇପାରେ ଯେ,  ଯାହା ପ୍ରତି ପ୍ରକୃତି ଦେବୀ ସନ୍ତୁଷ୍ଟ ହୋଇଥାଆନ୍ତି ସମସ୍ତ ବାଧା, ବିଘ୍ନକୁ ସେ ଅକ୍ଳେଶରେ ଅତିକ୍ରମ କରିଯାଏ ।             ସେହି ଜଙ୍ଗଲରେ ‘ପିଙ୍ଗଳକ’ ନାମକ ଏକ ସିଂହ ବସବାସ କରୁଥିଲା । ଏକଦା ପିଙ୍ଗଳକ ଭୋକରେ ଓ ଶୋଷରେ ଆଉଟୁ ପାଉଟୁ ହୋଇ ଯମୁନା ନଦୀ କୂଳରେ ଆସି ପହଁଚିଲା । ଯମୁନା ନଦୀର ପାଣି ପିଉଥିବା ସମୟରେ ସଂଜୀବକର ଗର୍ଜନ ଶୁଣିବାକୁ ପାଇଲା । ପ୍ରଥମେ ପିଙ୍ଗଳକ ଏହି ଗର୍ଜନ ଶୁଣି ଭୟଭୀତ ହୋଇପଡିଲା ଓ ଏକ ବୃକ୍ଷ ମୂଳରେ ବସି ପଡିଲା। ସିଂହ ପିଙ୍ଗଳକ ଥିଲା ସେହି ଜଙ୍ଗଲର ରାଜା । ତେଣୁ ତାକୁ ଘେରି ସେହି ବୃକ୍ଷ ମୂଳରେ ଅନ୍ୟାନ୍ୟ ପଶୁମାନେ ବସି ଥାଆନ୍ତି ।         ରାଜା ପିଙ୍ଗଳକର ‘କାରାତକ’ ଓ ‘ଦମନକ’ ନାମକ ଦୁଇଜଣ ଶୃଗାଳ, ଅନୁଚର ଥିଲେ । ଅନୁଚର ଦୁଇଜଣ ଯେତେବେଳେ ଦେଖିଲେ, ଯେ ତାଙ୍କର ରାଜା ପିଙ୍ଗଳକ କ୍ଷୁଧାତୃଷ୍ଣା ଦମନ ନ କରି ଫେରି ଆସିଛନ୍ତି । ସେତେବେଳେ ଅନୁଚର ଦୁଇଜଣ ପରସ୍ପର ଆଡକୁ ଚାହାଁ ଚାହିଁ ହେଲେ ।           ଦମନକ କାରାତକଙ୍କୁ କହିଲେ: ହେ ମୋର ପ୍ରିୟ କାରାତକ! ଆମର ରାଜା କେବଳ ଯମୁନା ନଦୀର ଜଳ ପାନ କରି ଆସିଛନ୍ତି । ବର୍ତ୍ତମାନ ଆସି ସେ ଏହି ବୃକ୍ଷ ମୂଳରେ ବସି ରହିଛନ୍ତି ଏବଂ ତାଙ୍କୁ ଘେରି ତାଙ୍କର ଅନୁଚର ମାନେ ବସି ରହିଛନ୍ତି । କାରାତକ ଦମନକଙ୍କୁ କହିଲା- ‘ ଦମନକ ତୁମେ ଏକ କାହାଣୀ ଶୁଣିଥିବ ତାହା ହେଉଛି ମନୁଷ୍ୟ ଜଣକ ଯେଉଁ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରୁଥିଲା, ତାହାହିଁ ଶେଷରେ ତା’ର ଧ୍ୱଂସର କାରଣ ହେଲା । ମାଙ୍କଡଟି କାଠଗଣ୍ଡି ମଧ୍ୟରୁ ଖୁଂଟଟିକୁ ଅଲଗା କରିବାରୁ ତା’ର ପରିଣତି ଦୁଃଖଦ ହୋଇଥିଲା । ଦମନକ ପଚାରିଲେ: ତାହା କିପରି ହେଲା? ଉତ୍ତର ଦେବାକୁ ଯାଇ କାରାତକ ଏକ କାହାଣୀ କହିଲେ ।

ତିନୋଟି ମାଛର କାହାଣୀ

ତିନୋଟି ମାଛର କାହାଣୀ           ଗୋଟିଏ ପୁଷ୍କରିଣୀରେ ‘ଅନଂଗତଭିଆତ’, ‘ପ୍ରତୁ୍ୟପିନ୍ନମତି’, ଏବଂ ‘ଯାଦଭଭିଷ୍ୟ’ ନାମକ ତିନୋଟି ମାଛ ରହୁଥିଲେ । ଏକଦା କେତେଜଣ ଧୀବର ସେହି ପୁଷ୍କରିଣୀ କଡଦେଇ ଯାଉଥାଆନ୍ତି । ସେମାନେ ସେହି ପୁଷ୍କରିଣୀର ନୀଳ ସ୍ୱଚ୍ଛ ଜଳରାଶିକୁ ଦେଖି କଥାବାର୍ତ୍ତା ହେଉଥାଆନ୍ତି : ଆମ୍ଭେମାନେ ସବୁ ପୋଖରୀରୁ ମାଛ ମାରି ସାରିଲୁଣି ଅଥଚ ଏହି ପୁଷ୍କରିଣୀକୁ ଆସି ନାହୁଁ । ତେଣୁ ଆସନ୍ତା କାଲି ଏହି ପୁଷ୍କରିଣୀରୁ ମାଛ ଧରିବା ପାଇଁ ଆସିବା । ଏହା କହି ଧୀବର ମାନେ ଚାଲିଗଲେ ।           ଅନଂଗତଭିଆତ ଧୀବର ମାନଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । କିଛି ସମୟପରେ ସେ ପୁଷ୍କରିଣୀରେ ଥିବା ଅନ୍ୟ ମାଛ ମାନଙ୍କୁ ଏହି ସମ୍ବାଦଟି ଜଣାଇଦେଲେ ଏବଂ କହିଲେ ‘ତୁମ୍ଭେମାନେ ଜାଣିଲଣି? ଆସନ୍ତାକାଲି ଧୀବରମାନେ ଏଠାକୁ ଆସି ଆମ୍ଭମାନଙ୍କୁ ଧରି ନେଇଯିବେ’ । ତେଣୁ ଏଠାରେ ଆଉ ଗୋଟିଏ ମୁହୂର୍ତ ରହିବା ମଧ୍ୟ ଆମ ପାଇଁ ବିପଦଜନକ । ତେଣୁ ଆମେ ଯେତେ ଶୀଘ୍ର ଏହି ପୁଷ୍କରିଣୀ ଛାଡି ଅନ୍ୟ ଏକ ସ୍ଥାନକୁ ଚାଲିଯିବା । ବିପର୍ଯ୍ୟୟ ସମୟରେ ଯେଉଁମାନେ ତତ୍କ୍ଷଣାତ୍ ସେହି ସ୍ଥାନ ଛାଡି ଚାଲିଯାଆନ୍ତି ସେମାନଙ୍କ ଜୀବନ ବିପଦମୁକ୍ତ ହୋଇଥାଏ । ଏହା ଶୁଣି ପ୍ରତୁ୍ୟପିନ୍ନମତି କହିଲେ ତୁମେ ଯାହା କହୁଛ, ଠିକ୍ କହୁଛ । ତେଣୁ ଆମେ ଅନ୍ୟତ୍ର ଚାଲି ଗଲେ ଆମେ ବିପଦମୁକ୍ତ ହୋଇଯିବା ।           କିନ୍ତୁ ଯାଦଭଭିଷ୍ୟ ଏମାନଙ୍କ କଥାକୁ ଥଟ୍ଟାରେ ଉଡାଇଦେଲେ ଏବଂ କହିଲେ, ଓଃ! ମୁଁ ତୁମ୍ଭମାନଙ୍କ କଥାରେ ଏକମତ ନୁହେଁ । ତୁମ୍ଭେମାନେ ଏହି ପୋଖରୀ ତ୍ୟାଗ କରିବା ନିଷ୍ପତି ନେଇ କିଛି ଠିକ୍ କରୁ ନାହଁ । ଆମ୍ଭେ ଏହି ପୋଖରୀରେ ଆମ ବାପ, ଅଜା ଅମଳରୁ ରହି ଆସିଛୁ । କେଉଁଠାରେ ଧୀବରମାନେ କ’ଣ ଏପରି କଥା ହେଲେ ଯେ, ସେହି କଥାକୁ ଶୁଣି ଆମ୍ଭେମାନେ ବ୍ୟସ୍ତ ହେବା ଉଚିତ୍ ନୁହେଁ । ତେଣୁ ମୁଁ ତୁମ୍ଭମାନଙ୍କ କଥାରେ ଏକମତ ନୁହେଁ ।              ଯେତେବେଳେ ‘ଅନଂଗତଭିଆତ’ ମାଛ ମାନଙ୍କର ଏହିପରି କଥା ଶୁଣିଲା, କୌଣସି କଥାକୁ କର୍ଣ୍ଣପାତ ନ କରି, ଆପଣାର ପରିବାର ସହିତ ତୁରନ୍ତ ସେହି ପୁଷ୍କରିଣୀ ଛାଡି ଅନ୍ୟତ୍ର ଚାଲିଗଲା । ପରଦିନ ସକାଳୁ ପ୍ରତୁ୍ୟପିନ୍ନମତି ଯେତେବେଳେ ଦୂରରୁ ଦେଖିଲା ଯେ ଧୀବରମାନେ ପୁଷ୍କରିଣୀ କୂଳକୁ ଆସୁଛନ୍ତି ସେ ସଂଗେ ସଂଗେ ତା’ର ପରିବାର ସହିତ ସେହି ପୁଷ୍କରିଣୀ ତ୍ୟାଗ କରି ଅନ୍ୟତ୍ର ଚାଲିଗଲା । ଧୀବର ମାନେ ପୁଷ୍କରିଣୀରେ ଜାଲ ବସାଇ ଯାଦଭଭିଷ୍ୟଙ୍କ ସମେତ ଅନ୍ୟ ମାଛ ମାନଙ୍କୁ ଧରି ନେଇଗଲେ । ବନ୍ଧୁ ଅନଂଗତଭିଆତଙ୍କ କଥାକୁ ହସରେ ଉଡାଇ ଦେଇଥିବାରୁ ଶେଷରେ ମାଛ ମାନଙ୍କ ଜୀବନ ଗଲା ।              ଏହି କାହାଣୀଟି କହିସାରି ମା’ ପକ୍ଷୀଟି କହିଲା, ‘ସେଥିପାଇଁ ମୁଁ କହୁଥିଲି, ଯିଏ ବୁଦ୍ଧି ଖର୍ଚ୍ଚ କରି ବିପଦ ଆସିବା ଆଗରୁ ସତର୍କତା ଅବଲମ୍ବନ କରେ ଏବଂ ଉଚିତ୍ ସମୟରେ ଚତୁରତାର ସହିତ କାର୍ଯ୍ୟକରି ବିପଦକୁ ଟାଳିଦେଇ ପାରେ ସେ ଜୀବନରେ କଦାପି ଦୁଃଖପାଏ ନାହିଁ । ତେଣୁ ‘ଅନଂଗତଭିଆତ’ ଓ ‘ପ୍ରତୁ୍ୟପିନ୍ନମତି’ ଉଚିତ୍ ସମୟରେ ବୁଦ୍ଧିମାନର କାର୍ଯ୍ୟ କରି ନିଜ ଜୀବନ ବଂଚାଇ ପାରିଥିଲେ । କିନ୍ତୁ ସେମାନଙ୍କ କଥାକୁ କର୍ଣ୍ଣପାତ ନ କରି ହେୟ ଜ୍ଞାନ କରିଥିବାରୁ ଯାଦଭଭିଷ୍ୟ ଧୀବରମାନଙ୍କ ଦ୍ୱାରା ମୃତ୍ୟୁବରଣ କଲେ । ଏହା ଶୁଣି ସାରିବା ପରେ ପୁରୁଷ ପକ୍ଷୀଟି ଗର୍ବର ସହିତ କହିଲା, “ତୁମେ କ’ଣ ଭାବୁଛ ମୁଁ ଚତୁର ନୁହେଁ, ମୋର ବୁଦ୍ଧି, ଜ୍ଞାନ କିଛି ନାହିଁ । ଦିନେ ନା ଦିନେ ତୁମେ ଦେଖିବ ମୁଁ କେତେ ବୁଦ୍ଧିମାନ! ମୁଁ ମୋର ଶକ୍ତି ବଳରେ ନିଶ୍ଚୟ ଏହି ସାଗରକୁ ଶୁଖାଇ ଦେଇପାରିବି । ମା’ ପକ୍ଷୀଟି କହିଲା, ଦେଖ! ତୁମେ ଜାଣିନାହଁ ସମୁଦ୍ରର ପରାକ୍ରମ କେତେ? ଶତ୍ରୁର ଶକ୍ତି ସଂପର୍କରେ ନ ଜାଣି ତାହା ସହିତ ଶତ୍ରୁତା କଲେ ଶେଷରେ ପରାଜୟ ବରଣ କରିବାକୁ ହିଁ ହୋଇଥାଏ ।            ପୁରୁଷ ପକ୍ଷୀଟି କହିଲା ‘ତୁମେ ଏପରି କହି ମୋତେ ଦୁର୍ବଳ କରିଦିଅ ନାହିଁ । ବୁଦ୍ଧି ନିକଟରେ ଶାରୀରିକ ବଳ କୌଣସି କାମ କରେ ନାହିଁ । ତୁମେ ଯେତେ କ୍ଷୁଦ୍ର ହେଲେ ମଧ୍ୟ ଯଦି ତୁମେ ଶତ୍ରୁକୁ ପରାଜିତ କରିବା ପାଇଁ ସଂକଳ୍ପ ବଦ୍ଧ ତା’ହେଲେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ତାହା ତୁମେ କରିପାରିବ । ଯେପରି ଗୋଟିଏ ବିରାଟକାୟ ହାତୀକୁ ତା’ର ମାହୁନ୍ତ ସାମାନ୍ୟ ଏକ ଅଙ୍କୁଶ ମାଧ୍ୟମରେ ନିଜ ଅକ୍ତିଆରରେ ରଖିଥାଏ । ଅଙ୍କୁଶଟି କ’ଣ ହାତୀର ଆକାର ଠାରୁ ବଡ? ସାମାନ୍ୟ ଏକ ଦୀପଶିଖାର ଆଲୋକ ପୃଥିବୀ ପୃଷ୍ଠରେ ଘନ ଅନ୍ଧକାରକୁ ଦୂର କରେ । ଦୀପଶିଖାଟି କ’ଣ ଅନ୍ଧକାର ଆଗରେ ବଡ? ସେହିପରି ଘଡଘଡିର ଶବ୍ଦରେ ପୃଥିବୀ ପୃଷ୍ଠରେ ଥିବା ବୃହତ ପର୍ବତ ମାଳା ମଧ୍ୟ ପ୍ରକଂପିତ ହୋଇଉଠେ । ତେଣୁ ଯେଉଁ ମଣିଷ ନିକଟରେ ଦୃଢ ମନୋବଳ ଥାଏ, ସେ ଶକ୍ତିଶାଳୀ ହୋଇଥାଏ । ମୁଁ ନିଶ୍ଚୟ ସମୁଦ୍ରର ଜଳକୁ ଶୁଖାଇ ଦେଇ ପାରିବି । ମୁଁ ମୋର ଥଂଟଦ୍ୱାରା ଶୋଷଣ କରି ଏହା କରିପାରିବି ।          ପୁରୁଷ ପକ୍ଷୀର ଦମ୍ଭପୂର୍ଣ୍ଣ କଥା ଶୁଣି ମା’ ପକ୍ଷୀଟି କହିଲା, ‘ତୁମେ ଏହା କିପରି କରିପାରିବ’? ପୁରୁଷ ପକ୍ଷୀଟି କହିଲା ମୁଁ କାହିଁକି କରିପାରିବି ନାହିଁ? ଯଦି ଏକ ମନ ହୋଇ ନିଷ୍ଠାର ସହିତ କୌଣସି କାର୍ଯ୍ୟରେ ହାତ ଦେବ ତା’ହେଲେ ତାହା ନିଶ୍ଚିତ ଭାବେ ପୂରଣ ହୋଇପାରିବ ।            ମା’ପକ୍ଷୀଟି କହିଲା, ‘ଯଦି ତୁମେ ବିଶାଳ ସମୁଦ୍ର ସହିତ ଶତ୍ରୁତା କରିବାକୁ ଚାହଁ ପ୍ରଥମେ ଅନ୍ୟ ପକ୍ଷୀମାନଙ୍କ ନିକଟକୁ ଏକ ବାର୍ତ୍ତା ପଠାଅ । କାରଣ ସମସ୍ତେ ମିଳିମିଶି କାର୍ଯ୍ୟ କଲେ, କାର୍ଯ୍ୟଟି ଯେତେ କଷ୍ଟସାଧ୍ୟ ହେଲେ ମଧ୍ୟ ତାହା ସଫଳ ହୋଇଥାଏ । କିପରି ଏକ ଘର ଚଟିଆ, କାଠହଣା ଚଢେଇ, ମାଛି ଏବଂ ବେଙ୍ଗମାନେ ଏକତ୍ରିତ ହୋଇ ଏକ ବିରାଟକାୟ ହାତୀକୁ ମାରିବାକୁ ସକ୍ଷମ ହୋଇଥିଲେ । ପୁରୁଷ ପକ୍ଷୀଟି କହିଲା, କିପରି ଏହା ସମ୍ଭବ ହୋଇ ପାରିଲା? ଏହାପରେ ମା’ ପକ୍ଷୀଟି କାହାଣୀ କହିବାକୁ ଆରମ୍ଭ କଲା ।

ରଙ୍ଗଡ

ରଙ୍ଗଡ          ରାଜା ପୁରନ୍ଦର ପୁଲିନ୍ଦ ରାଜ୍ୟରେ ରାଜୁତି କରୁଥା’ନ୍ତି । ତାଙ୍କ ଦରବାରରେ ଚାରିଜଣ କପଟି ପଣ୍ଡିତ ଥା’ନ୍ତି । କିଛି ନା କିଛି ବାହାନା ଦେଖାଇ ସେମାନେ ରାଜାଙ୍କଠାରୁ ଟଙ୍କା ସୁନା ନେଇ ଆରାମ୍ରେ ଜୀବନ ବିତାଉଥା’ନ୍ତି ।           ଥରେ ସେମାନେ ଭାବିଲେ ରାଜାଙ୍କଠାରୁ ବହୁତ ସୁନା ଦାନ ସ୍ୱରୂପ ନେବେ । ସୁତରାଂ ସେମାନେ ଗୋଟିଏ ଉପାୟ ଠିକ୍ କଲେ । ଦିନେ ଦରବାରରେ ରାଜା ବସିଥା’ନ୍ତି, ଚାରି ପଣ୍ଡିତ ଯାଇ କହିଲେ, “ମହାରାଜ, ଗତକାଲି ଆମେମାନେ ଆପଣଙ୍କ ଜାତକ ବିଚାର କରି ଦେଖିଲୁ ଯେ, ଆଉ ଅଳ୍ପଦିନ ମଧ୍ୟରେ ଆପଣଙ୍କ ଦୁଇ ହାତ ପୁରାପୁରି ଅଚଳ ହୋଇଯିବ । ଆଖି ମଧ୍ୟ ନଷ୍ଟ ହେବାର ବିପଦ ରହିଛି । ପୁଣି କ୍ରମେ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଅଚଳ ହୋଇଯିବ ।”           ରାଜା ଏକଥା ଶୁଣି ଖୁବ୍ ବ୍ୟସ୍ତ ହୋଇ କହିଲେ, “ଏତେ ବଡ ବିପଦ?  ତେବେ କିପରି ଗ୍ରହଶାନ୍ତି କରାଯିବ? ଏହାର କିଛି ପ୍ରତିକାର ଅଛି?”           ପଣ୍ଡିତମାନେ କହିଲେ “ହଁ, ହଁ, ନିଶ୍ଚୟ ଅଛି । ଆମେ ଶାସ୍ତ୍ର ସବୁ ପଢି ଦେଖିଲୁ ଯେ ଏକମାତ୍ର ଉପାୟ ହେଉଛି, ଆପଣ ଏକ ସୁନାର କୁରାଢୀ ନେଇ ଗଛ କାଟିବେ । ତା’ପରେ ସେଇଟି କୌଣସି ପଣ୍ଡିତଙ୍କୁ ଦାନ ଦେଇଦେବେ ।” ରାଜା ସେମାନଙ୍କ କଥା ଅନୁସାରେ ବଣିଆକୁ ଡକାଇ ସୁନାର କୁରାଢୀ ତିଆରି କରିବା ପାଇଁ ଆଦେଶ ଦେଲେ ।             ଗୁରୁବାର ଦିନ ଶୁଭ ମୁହୂର୍ତ୍ତ ଦେଖି ପଣ୍ଡିତଗଣ, ମନ୍ତ୍ରୀ, ଓ ଅନ୍ୟାନ୍ୟ ଲୋକମାନଙ୍କ ସହ ରାଜା ସୁନାର କୁରାଢୀ ଧରି ବଗିଚାକୁ ଗଲେ । ସାଙ୍ଗରେ ବାଦ୍ୟକାରୀମାନେ ମଧ୍ୟ ଚାଲିଥା’ନ୍ତି । ମହା ଆଡମ୍ବରରେ ଯାଇ ଉଦ୍ୟାନସ୍ଥ ସରୋବର କୂଳରେ ଏକ ବଡ ଆମ୍ବଗଛ ପାଖରେ ରାଜା ପହଁଚିଲେ ଓ ଏକ ଶୁଖିଲା ଡାଳ କାଟିବାକୁ ଆରମ୍ଭ କଲେ । ଦୁଇ ଚାରିଚୋଟ ମାରିବା ପରେ ଅଭ୍ୟାସ ନଥିବା ହେତୁ ରାଜାଙ୍କ ହାତ ଥରିଲା ଓ କୁରାଢୀଟି ସରୋବର ମଧ୍ୟରେ ଗଳି ପଡିଲା । ଏପରି ଅବସ୍ଥା ଦେଖି ଦୁଇ ତିନିଜଣ ସନ୍ତରଣକାରୀ ଯୁବକ ପାଣିକୁ ଯାଇ କୁରାଢୀ ଖୋଜିବାକୁ ଉଦ୍ୟତ ହେଉଛନ୍ତି, ଏହି ସମୟରେ ଏକ କଳା ବର୍ଣ୍ଣର ବିଶାଳକାୟ ମନୁଷ୍ୟ ପାଣିରୁ ଉଠି ହାତରେ ଏକ ଲୁହା କୁରାଢୀ ଧରି ତାହା ସ୍ଥଳ ଉପରକୁ ଫିଙ୍ଗି ଦେଲା । ତାକୁ ଦେଖି ଭୟରେ ସମସ୍ତେ ଥରିଲେ । କେହି ଜଣେ ସାହସ କରି ପଚାରିଲା, “ତୁମେ କିଏ?” ସେ କହିଲା, “ମୁଁ ରଙ୍ଗ” ଏହା କହି ସେ ପୁଣି ପାଣିରେ ବୁଡିଗଲା ।           ତା’ପରେ ରାଜା ଉଆସକୁ ଲେଉଟି ଆସିଲେ । ତାଙ୍କ ମନରେ ଶାନ୍ତି ନଥାଏ । ଦୁଇଟି ଆତଙ୍କ ତାଙ୍କୁ ଘେରି ରହିଥାଏ । ଗୋଟିଏ ତାଙ୍କର ଗ୍ରହଦୋଷରୁ ଅବୟବ ଅଚଳ ହେବାର ଭୟ । ଆଉ ଗୋଟିଏ ଏହି ନୂଆ ଭୟଙ୍କର ଜୀବ, ଯିଏ କି ମୁହୂର୍ତ୍ତକରେ ସୁନାକୁ ଲୁହା କରି ଦେଲା । ରାଜା ବ୍ୟସ୍ତ ହୋଇ ପଣ୍ଡିତ ଚାରିଜଣ, ମନ୍ତ୍ରୀ ଓ ପାରିଷଦ ବର୍ଗଙ୍କୁ ଡକାଇ ମନ୍ତ୍ରଣା ଗୃହରେ ଏକ ସଭା କଲେ । ରାଜା କହିଲେ, “ସୁନାକୁ ଲୁହା କରିଦେଉଥିବା କିଏ ଏ ରାକ୍ଷସ? ତମେ ସମସ୍ତେ ମିଳି ତା’ ବିଷୟରେ ମୋତେ କୁହ ତାକୁ ଏଠାରୁ କିପରି ତଡିବା? ନହେଲେ ଆମ ରାଜପ୍ରାସାଦରେ ଥିବା ସମସ୍ତ ସୁନାକୁ ସେ ଲୁହା କରିଦେବ, ଏପରି ହେଲେ ତ ଆମର ସର୍ବନାଶ ହେବ ।”               ଜଣେ ପଣ୍ଡିତ କହିଲେ, “ମହାରାଜ, ମୁଁ ତାକୁ ଜାଣେ । ସେ ଜଣେ ଭୟଙ୍କର ପ୍ରକୃତିର ଦାନବ । ତା’ର ନାମ ‘ରଙ୍ଗଡ’ । ଦେବ ଓ ଦାନବଙ୍କ ମଧ୍ୟରେ ଯେତେବେଳେ ଅମୃତ ପାଇଁ ସମୁଦ୍ରମନ୍ଥନ ସମୟରେ ଯୁଦ୍ଧ ହେଲା, ସେତେବେଳେ ଏ ଦାନବର ଜନ୍ମ । ସେ ବହୁତ ଭୟଙ୍କର ଓ ଅତ୍ୟାଚାରୀ । ସେ ଯାହା ଚାହିଁବ ତାହା କରିଦେଇ ପାରିବ । ସେ ତ୍ରେତା ଯୁଗରେ ଓ ଦ୍ୱାପର ଯୁଗରେ ମଧ୍ୟ ମଝିରେ ମଝିରେ ଦେଖା ଦେଉଥିଲା । ବହୁ ଶାସ୍ତ୍ର ପଢି ଆମେ ଏ ଖବର ସଂଗ୍ରହ କରିଛୁ ।”            ରାଜା ଆହୁରି ବ୍ୟସ୍ତ ହୋଇ ପଡିଲେ । ରାଜ୍ୟର ଓ ପ୍ରଜାମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ଦେଶରୁ ତାନ୍ତ୍ରିକମାନଙ୍କୁ ଡକା ହେଲା । ‘ରଙ୍ଗଡ’ ର ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ସମସ୍ତେ ଅଭିମଂନ୍ତ୍ରିତ ଡେଉଁରିଆ ପିନ୍ଧିଲେ । ପୁଣି ଧେଣ୍ଡୁରା ପିଟାହୋଇ କୁହାଗଲା ଯେ, ଯେଉଁ ବ୍ୟକ୍ତି ‘ରଙ୍ଗଡ’କୁ ମାରିଦେବ ସେ ବହୁତ ଧନ ପୁରସ୍କାର ପାଇବ ।             ଏପରି ଅବସ୍ଥାରେ ରାଜା ଥା’ନ୍ତି । ମନରେ ତାଙ୍କର ଶାନ୍ତି ନଥାଏ । ଭୟ ଓ ଆତଙ୍କରେ ସେ ବୁଡି ରହିଥା’ନ୍ତି । କିପରି ଏହି ନୂତନ ବିପଦର ପ୍ରତିକାର କରିବେ ସେ ବିଷୟରେ ଗଭୀର ଚିନ୍ତାମଗ୍ନ ହୋଇ ବସିଥା’ନ୍ତି । ଏହି ସମୟରେ ରାଜାଙ୍କ ରାନ୍ଧୁଣିଆ ପୂଜାରୀ ଆସି କହିଲା, “ମହାରାଜ, କ୍ଷମା କରିଲେ ଆପଣଙ୍କୁ ‘ରଙ୍ଗଡ’ର ରହସ୍ୟ ମୁଁ କହି ପାରିବି ।” ରାଜା କହିଲେ, “ଶୀଘ୍ର କହ । କିନ୍ତୁ ଏତେ ବଡ ରାକ୍ଷସ ବିଷୟରେ ତୁ କିପରି ଜାଣିଲୁ? ତୁ ତ ପଣ୍ଡିତ ନୋହୁଁ!”            ପୂଜାରୀ କହିଲା, “ଆମ ରୋଷେଇ ଘର ସଫା କରୁଥିବା ରଙ୍ଗନାଥ ଏ ବିଷୟରେ ଆପଣଙ୍କୁ ମୋଠାରୁ ବେଶି ଖବର ଦେଇ ପାରିବ । ମୁଁ ତାକୁ ଏଠାକୁ ଡାକି ଆଣୁଛି ।”            କିଛି ସମୟ ମଧ୍ୟରେ ପୂଜାରୀ ରଙ୍ଗନାଥର ହାତ ଧରି ତାକୁ ଟାଣି ଟାଣି ରାଜାଙ୍କ ପାଖରେ ଆଣି ହାଜର କରାଇଲା । ରଙ୍ଗନାଥ ଥରି ଥରି ରାଜାଙ୍କ ପାଦତଳେ ପଡି କହିଲା, “ଏଥିରେ ମୋର କିଛି ଦୋଷ ନାହିଁ । ମୋତେ କ୍ଷମା କରି ଦିଅନ୍ତୁ; ମୁଁ ଏବେ ସବୁକଥା କହୁଛି ।”           ରାଜା କହିଲେ “ଆରେ ତୁ କ’ଣ ଅପରାଧ କରିଛୁ ତା’ ନ ଜାଣି ମୁଁ ତୋତେ କ’ଣ କ୍ଷମା କରିବି? ପ୍ରଥମେ ତୋର ଅପରାଧ କଥା କହ ।” ରଙ୍ଗନାଥ କହିଲା “ଆଜ୍ଞା ମୁଁ ହେଉଛି ସେହି ‘ରଙ୍ଗଡ’ ।”             ରାଜା କହିଲେ “କ’ଣ ହେଲା? ସୁନାକୁ ଲୁହାରେ ପରିଣତ କରୁଥିବା ସେହି ଭୟଙ୍କର ଦାନବ ‘ରଙ୍ଗଡ’ ତୁ? ତୋର ମୁଣ୍ଡ ଆଉ ଖରାପ ହୋଇଯାଇ ନାହିଁ ତ?”            ପୂଜାରୀ ଏକଥା ଶୁଣି କହିଲା, “ମହାରାଜ, ଏବେ ମୋ କଥା ଶୁଣନ୍ତୁ । ସବୁ ସ୍ପଷ୍ଟ ହୋଇଯିବ । ସେଦିନ ମୁଁ ରୋଷେଇ କରିବାକୁ ଯାଇ ଦେଖିଲି କାଠ ସବୁ ଓଦା ହୋଇ ଯାଇଛି । ଉଦ୍ୟାନକୁ ଯାଇ କିଛି ଶୁଖିଲା କାଠ କାଟି ଆଣିବାକୁ ରଙ୍ଗନାଥକୁ କହିଲି । ସେ ଯାଇ ସେହି ସରୋବର ନିକଟରେ କାଠ କାଟୁଥିଲା । ଆପଣ ଯିବା କଥା ଜାଣି ସେ ଭୟରେ ପାଣିରେ ପଶିଗଲା ଓ ପଦ୍ମପତ୍ରର ବଣ ଭିତରେ ଲୁଚି ରହିଲା । ଏଣେ ମୁହଁରେ ଦେହରେ ବହୁତ କାଦୁଅ ଲାଗିଥାଏ । ଆପଣଙ୍କ କୁରାଢୀ ପାଣିରେ ପଡିଯିବାରୁ କେତେକ ଯୁବକ ପାଣିକୁ ଡେଇଁବାକୁ ବାହାରିଲେ । ସେଥିରେ ସେ ଆହୁରି ଭୟଭୀତ ହୋଇ ବିକଳରେ ତା’ର ଲୁହା କୁରାଢୀଟି ଉପରକୁ ଫିଙ୍ଗି ଦେଇ ପାଣିରେ ବୁଡିଗଲା । ଲୋକମାନେ ନାମ ପଚାରିବା ବେଳେ ସେ “ରଙ୍ଗ” ବୋଲି କହି ପାଣି ତଳେ ତଳେ ଯାଇ ଅନ୍ୟ ପଟେ ଉଠି ଚାଲିଗଲା ।” ରାଜା କହିଲେ “ତେବେ ତ ସୁନା କୁରାଢୀଟି ସେଇଠି ଥିବ ।” “ସେଇଟା ପରେ ସେ ନେଇ ଆସି ମୋତେ ଦେଇଛି । ହେଇ ନିଅନ୍ତୁ ।” ପୂଜାରୀ ଏହା କହିଲା ଓ ସୁନା କୁରାଢୀଟି ରାଜାଙ୍କୁ ଦେଲା ।               ରାଜା ସବୁ କଥା ବୁଝିଗଲେ । ଠକ ପଣ୍ଡିତ ମାନଙ୍କର ମିଥ୍ୟାଚାର କଥା ସମସ୍ତେ ଜାଣିଗଲେ । ସେମାନେ କେତେ ଶାସ୍ତ୍ର ପଢିଛନ୍ତି ସେକଥା ମଧ୍ୟ ଜଣା ପଡିଲା । ପରେ ରାଜା ଅଳ୍ପ କିଛି ଧନ ଦେଇ ସେମାନଙ୍କୁ ରାଜ୍ୟରୁ ତଡିଦେଲେ । ପୂଜାରୀ ଓ ରଙ୍ଗନାଥକୁ ଅନେକ ଧନ ସମ୍ପଦ ଉପହାର ଦେଲେ ।