ବୁଢ଼ା ମାଙ୍କଡ଼ର ପ୍ରତିଶୋଧ ରାଜା ସିନ୍ଧ୍ୟସେନ ବିନ୍ଧ୍ୟଗିରୀ ରାଜ୍ୟକୁ ଶାସନ କରୁଥାଆନ୍ତି । ରାଜାଙ୍କର ଅତି ସୁନ୍ଦର ଘୋଡ଼ାଗୁଡ଼ାଏ ଥାଆନ୍ତି । ଦିନକର କଥା ରାଜାଙ୍କର ରୋଷ ଶାଳାରେ ଗୋଟିଏ ମେଣ୍ଢା କେଉଁଆଡ଼ୁ ଚାଲି ଆସି ପଶିଗଲା । ତାକୁ ରୋଷେଇଆ ଲୁହା ଅଥବା କାଠ ଫାଳିଆ ଦ୍ୱାରା ପିଟିବାକୁ ଆରମ୍ଭ କରି ଦିଅନ୍ତେ ଆଉ ଜଣେ ରୋଷେଇଆ ଥିଲା ସେ ଚୁଲି ମଧ୍ୟରୁ ଖଣ୍ଡିଏ ଜଳନ୍ତା କାଠ ବାହାର କରି ଆଣି ମେଣ୍ଢାକୁ ପିଟି ଦେବାରୁ ତା’ ଦେହରେ ଥିବା ଲୋମରେ ନିଆଁ ଲାଗିଗଲା । ଏବେ ବିଚରା ମେଣ୍ଢା ଗଢ଼ିବାକୁ ଲାଗିଲା । ଏହାଦ୍ୱାରା ମେଣ୍ଢା ଦେହରୁ ନିଆଁ ତ ଲିଭିଲା ନାହିଁ ବରଂ କୁଟାଗଦାରେ ନିଆଁ ଲାଗିଯିବାରୁ ତାହା ଜଳିବାକୁ ଲାଗିଲା । କୁଟାଗଦା ଜଳିବା କାରଣରୁ ସେ ନିଆଁ ଧିରେ ଧିରେ ଯାଇ ଘୋଡାଶାଳରେ ଲାଗିଗଲା । ଘୋଡାଶାଳରେ ନିଆଁ ଲାଗିଯିବାରୁ ଅନେକ ଗୁଡ଼ିଏ ଘୋଡ଼ା ସେହି ନିଆଁରେ ଜଳିଗଲେ । ଏ ସମ୍ବାଦ ସଙ୍ଗେ ସଙ୍ଗେ ଯାଇ ରାଜାଙ୍କ ପାଖରେ ପହଞ୍ଚିବାରୁ ରାଜା ବିବ୍ରତ ହୋଇପଡ଼ି ରାଜବୈଦ୍ୟଙ୍କୁ ଡକାଇ ପଠାଇଲେ । ରାଜବୈଦ୍ୟ ସମ୍ବାଦ ପାଇବାକ୍ଷଣି ଆସି ରାଜାଙ୍କ ଦର୍ଶନ କରନ୍ତେ ରାଜା ତାଙ୍କ ଘୋଡ଼ାମାନେ କିପରି ଭଲ ହେବେ ତାହାର ବ୍ୟବସ୍ଥା କରିବାକୁ କହିଲେ । ରାଜାଙ୍କ ବୈଦ୍ୟ କହିଲେ – “ଘୋଡ଼ାମାନେ ତ ନିଶ୍ଚୟ ଭଲ ହୋଇଯିବେ । ସେଥିପାଇଁ କିଛି ମାଙ୍କଡ଼ମାନଙ୍କର ଚର୍ବି ଦରକାର ।” ରାଜା ବୈଦ୍ୟଙ୍କର ଏକଥା ଶୁଣିବା ପରେ ସୈନ୍ୟମାନଙ୍କୁ ଡାକି କହିଲେ – “ଆମର ବହୁ ମୂଲ୍ୟବାନ ଘୋଡ଼ାଗୁଡ଼ିକ ମରିଯିବେ । ସେମାନଙ୍କର ଭଲ ହେବା ଲାଗି ମାଙ୍କଡ଼ମାନଙ୍କର ଚର୍ବି ଦରକାର । ଯାଅ ଅଯଥାରେ ରାଜ୍ୟରେ ଅନେକ ଗୁଡ଼ିକଏ ମାଙ୍କଡ଼ ଅଛନ୍ତି । ସେମାନେ ଥିବାରୁ ରାଜ୍ୟରେ କୌଣସି ଫଳମୂଳ ରହୁ ନାହିଁ । ସେମାନଙ୍କୁ ମାରିଦେଲେ ଆମର ଦୁଇ ପ୍ରକାର ଲାଭ ହେବ ନିଶ୍ଚୟ । ତେଣୁ ରାଜ୍ୟରେ ଯେଉଁଠାରେ ଯେତେ ମାଙ୍କଡ଼ ପାଇବ ସେମାନଙ୍କୁ ତୁରନ୍ତ ମାରି ସେମାନଙ୍କ ଚର୍ବି ସଂଗ୍ରହ କରି ଆଣ । ଯାହାଦ୍ୱାରା ଘୋଡ଼ାଗୁଡ଼ିକ ଆମର ଭଲ ହୋଇଯିବେ ।” ରାଜାଙ୍କର ଆଦେଶ ହେବାରୁ ସୈନ୍ୟମାନେ ଆଉ ମୁହୂର୍ତ୍ତେ ମାତ୍ର ଅପେକ୍ଷା କଲେ ନାହିଁ । ସେ ସଙ୍ଗେ ସଙ୍ଗେ ବାହାରିଗଲେ ଓ ଅନେକ ଗୁଡ଼ିଏ ମାଙ୍କଡ଼ ମାରି ପକାଇ ସେମାନଙ୍କର ଚର୍ବି ଆଣି ରାଜବୈଦ୍ୟଙ୍କୁ ଦେଲେ । ଏହି ବିପଦ ସମୟରେ ସମସ୍ତ ମାଙ୍କଡ଼ମାନଙ୍କ ମଧ୍ୟରେ ଗୋଟିଏ ବୁଢ଼ା ମାଙ୍କଡ଼ ଥାଏ । ସେ ଯେତେବେଳେ ଦେଖିଲା ସୈନ୍ୟମାନେ ଗୋଡ଼ାଇ ଗୋଡ଼ାଇ ନିଜ ବଂଶକୁ ମାରୁଛନ୍ତି ତାହାଦେଖି ସେ ଛାନିଆ ହୋଇ ଲୁଚି ଲୁଚି ଆଉ ଗୋଟିଏ ଜଙ୍ଗଲ ମଧ୍ୟକୁ ପଳାଇଗଲା । ଆଉ ମଧ୍ୟ ସେ ରାଜ୍ୟର ରାଜା ଓ ସୈନ୍ୟମାନଙ୍କ ଉପରେ ତାର ବହୁତ କ୍ରୋଧ ହେଲା । ସେଥିଲାଗି ସେ ନିଜ ବଂଶକୁ ହତ୍ୟା କରିଥିବା ଯୋଗୁ ପ୍ରତିଶୋଧ ନେବାକୁ ଚିନ୍ତା କଲା । ଏମିତି ଚିନ୍ତା କରି ଯାଉ ଯାଉ ମାର୍ଗରେ ଥିବା ଗୋଟିଏ ପୁଷ୍କରିଣୀ ନିକଟରେ ପହଞ୍ଚିଲା । ବୁଢ଼ା ମାଙ୍କଡ଼କୁ ଶୋଷ ହେଉଥିଲା । ଯେ ଯେତେବେଳେ ପାଣି ପିଇବାକୁ ପୁଷ୍କରଣୀ ପାଖକୁ ଯାଏ ସେ ସେହି ଘାଟରେ ଦେଖିଲା ଯେ ଏହା ପୂର୍ବରୁ ଅନେକ ପଶୁ ମଧ୍ୟ ସେହି ପୋଖରୀରୁ ପାଣି ପିଇବାକୁ ଆସିଛନ୍ତି । ତାହାଦେଖି ସେ ବଡ଼ ଆଶ୍ଚର୍ଯ୍ୟ ହୋଇଗଲା । ସେ ଭାବିଲା ଯେଉଁ ପଶୁମାନେ ଏ ପୁଷ୍କରିଣୀକୁ ପାଣି ପିଇବାକୁ ଆସିଥିଲେ ସେମାନଙ୍କର ଫେରିଯିବାର ପାଦଚିହ୍ନ ଏଠାରେ କାହିଁ । ତେଣୁ ଚତୁର ବୁଢ଼ା ମାଙ୍କଡ଼ ସିଧା ପୁଷ୍କରିଣୀରୁ ପାଣି ପିଇଲା ନାହିଁ । ସେ ଗୋଟିଏ ପଦ୍ମନାଡ଼ ଟାଣି ଆଣି ସେହି ନାଡ଼ ସାହାଯ୍ୟରେ ପାଣି ପିଇବାକୁ ଲାଗିଲା । ସତକୁ ସତ ପୁଷ୍କରିଣୀ ଭିତରେ ଗୋଟିଏ ଜଳ ରାକ୍ଷାସ ରହୁଥିଲା । ସେ ବୁଢ଼ା ମାଙ୍କଡ଼ର ବୁଦ୍ଧିକୁ ଦେଖି ତାକୁ ଧନ୍ୟବାଦ ଦେଇ କହିଲା, ହେ ମାଙ୍କଡ଼ ଭାଇ! ତୁମର ଉପସ୍ଥିତ ବୁଦ୍ଧି ଦେଖି ମୁଁ ଖୁବ୍ ଖୁସି ହେଲି । ଆଜିଠାରୁ ତୁମେ ମୋର ବନ୍ଧୁ ହେଲ । ବୁଢ଼ା ମାଙ୍କଡ଼ ତ ଭାରି ବୁଦ୍ଧିଆ । ସେ ରାକ୍ଷାସ ଆଗରେ ଆନନ୍ଦ ହୋଇ ଯାଇ କହିଲା – “ସତରେ ଭାଇ, ଆଜିଯାଏ ମୋର କେହି ବନ୍ଧୁ ନଥିଲେ । ନିଜର ବଂଶ ପରିବାର ସବୁ ମରିଗଲେ । ମୁଁ ଏକା ହୋଇଯିବା କାରଣରୁ ମୁଁ ମଧ୍ୟ ବନ୍ଧୁ ଜଣେ ଖୋଜୁଥିଲି । ଯାହାହେଉ ତୁମପରି ବନ୍ଧୁ ଜଣେ ମୋତେ ମିଳିଯିବାରୁ ମୁଁ ମୋ ନିଜକୁ ଧନ୍ୟ ମନେ କରୁଅଛି । ହେଲେ ବନ୍ଧୁ ମୋ ମନ ମଧ୍ୟରେ ଗୋଟାଏ ବଡ଼ ଚିନ୍ତା ରହିଯାଇଛି । ଯେତେ ସୁଖ ମିଳିଲେ ବି ସେହି କଥା ମୋର ମନେ ପଡ଼ିଗଲେ ସବୁ ସୁଖ ମୋତେ ବିଷପରି ଲାଗୁଛି । ସେଥିଲାଗି ମୋ ବଂଶକୁ ବିନାଶ କରିଥିବା ରାଜାର ପ୍ରତିଶୋଧ ନେବାକୁ ଚାହୁଁଛି ।” ମାଙ୍କଡ଼ ବନ୍ଧୁଠାରୁ ଏକଥା ଶୁଣିବା ମାତ୍ରେ ଜଳ ରାକ୍ଷାସ କହିଲା ଏଥିପାଇଁ ମୁଁ ତୁମକୁ ସାହାଯ୍ୟ କରିବି ସେହିକଥା ମୋତେ କୁହ । ତହୁଁ ମାଙ୍କଡ଼ କହିଲା – “ତୁମେ ଯଦି ଦୟାକରି ମୋତିର ମାଳାଟିଏ ମୋତେ ଦେଇପାରିବ ତାହାହେଲେ ମୁଁ ତୁମକୁ ବହୁ ପରିମାଣରେ ଖାଦ୍ୟ ଆଣି ଯୋଗାଇ ଦେବି ।” ମାଙ୍କଡ଼ଠାରୁ ଖାଦ୍ୟ କଥା ଶୁଣି ରାକ୍ଷାସ ଆନନ୍ଦ ହୋଇ ସଙ୍ଗେ ସଙ୍ଗେ ନିଜେ ପିନ୍ଧିଥିବା ମୋତିମାଳାଟିକୁ ମାଙ୍କଡ଼କୁ ଦେଇ ପକାଇଲା । ଏହାପରେ ମାଙ୍କଡ଼ କ’ଣ କଲାନା, ସଙ୍ଗେ ସଙ୍ଗେ ମୋତିମାଳାଟିକୁ ଗଳାରେ ପକାଇ ରାଜାଙ୍କର ନଗରରେ ଯାଇ ପହଞ୍ଚି ଗଲା । ରାଜାଙ୍କର ଦୃଷ୍ଟିରେ ଯେତେବେଳେ ସେହି ମୋତି ମାଳାଟି ପଡ଼ିଲା ରାଜାଙ୍କର ମଧ୍ୟ ସେହି ମାଳାଟି ପ୍ରତି ଲୋଭ ହେଲା । ତହୁଁ ରାଜା ବୁଢ଼ା ମାଙ୍କଡକୁ ଅତି ଆଦର କରି ପଚାରିଲେ – “ତୁମ ମୋତି ମାଳାଟି ଖୁବ୍ ସୁନ୍ଦର । ମୋ ରାଜକୋଷରେ ଏତେ ରତ୍ନର ମାଳ ଅଛି ଯେ ହେଲେ ଏହି ମାଳାପରି ତାହା ସୁନ୍ଦର ଦେଖାଯାଉ ନାହିଁ । ସେଥିପାଇଁ ମୋର ମଧ୍ୟ ଇଚ୍ଛା ହେଉଛି ସେହିପରି ମାଳା ଗୋଟିଏ ପିନ୍ଧିବାକୁ । ସେହି ମାଳାଟି ତୁମେ କେଉଁଠାରୁ ଆଣିଲ ତାହା ମୋତେ କହିପାରନ୍ତ ଯଦି ମୁଁ ଯାଇ ସେହି ମାଳାରୁ ଗୋଟିଏ ଆଣନ୍ତି ।” ବୁଦ୍ଧିଆ ମାଙ୍କଡ଼ ଏଥର ତାର ପ୍ରତିଶୋଧ ନେବା ନିମନ୍ତେ ନିଜର ଚତୁରତା ଦେଖାଇ କହିଲା – “ଛାମୁ! ଆମ ରାଜ୍ୟର ପଶ୍ଚିମପାଖ ଅରଣ୍ୟ ସମୀପରେ ଗୋଟିଏ ପୁଷ୍କରିଣୀ ଅଛି । ସେହି ପୁଷ୍କରିଣୀରେ ସ୍ନାନାଦି କର୍ମ ସାରି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବାରକୁ ସୂର୍ଯ୍ୟ ଦେବତା ତୁଷ୍ଟ ହୋଇ ମୋତେ ଏହି ମୋତି ମାଳାଟି ଦେଇଥିଲେ ।” ମାଙ୍କଡ଼ଠାରୁ ଏକଥା ଶୁଣି ରାଜା ଖୁବ୍ ଆନନ୍ଦ ସହକାରେ କହିଲେ, “ତୁମେ ଯଦି ଏପରି କାର୍ଯ୍ୟ କରିବାରେ ସାହାଯ୍ୟ କରିବ ତାହାହେଲେ ମୁଁ ମଧ୍ୟ ତୁମକୁ ବହୁ ଧନରତ୍ନ ପ୍ରଦାନ କରିବି । ତୁମେ ମୋତେ ସାହାଯ୍ୟ କରିବ ତ ?” ମାଙ୍କଡ଼ କହିଲା – “କି କଥା କହୁଛନ୍ତି ଛାମୁ! ମୁଁ ଗୋଟିଏ ଛାର ମାଙ୍କଡ଼ । ଆମ ରାଜ୍ୟରେ ଫୁଲ ଫଳର ଅଭାବ ହେବାରୁ ଆପଣଙ୍କ ରାଜ୍ୟକୁ ଆସୁ ଆସୁ ଏହି ମାର୍ଗରେ ଆନନ୍ଦରେ ଫଳ ଆହାର କରି ଖୁସି ହୋଇଛି । ଆପଣ ଯେ ଆମର ଶାସକ ତଥା ପାଳକ । ଆପଣଙ୍କ ପାଇଁ ଏହି ସାମାନ୍ୟ କାର୍ଯ୍ୟଟି କରାଇ ଦେବାରେ ଅସୁବିଧା କେଉଁଠି ଅଛି ଛାମୁ! ଆପଣ ଏବେ ପ୍ରସ୍ତୁତ ହୁଅନ୍ତୁ ବରଂ ବିଳମ୍ବରେ ସମସ୍ତ ଶୁଭକାର୍ଯ୍ୟରେ ବାଧା ଦେଖା ଯାଇଥାଏ ।” ମାଙ୍କଡ଼ର କଥା ଶୁଣି ରାଜା ଖୁବ୍ ଆନନ୍ଦ ପ୍ରକାଶ କରି ମନ୍ତ୍ରୀକୁ କହିଲେ – “ତୁମେ ଆମ ରାଜ୍ୟରେ ଏହି କଥା ଘୋଷଣା କରିଦିଅ ଯେ ଯିଏ ଯେତେ ଯିବାର ବ୍ୟବସ୍ଥା କରନ୍ତୁ, କାରଣ ଅନେକ ଗଲେ ଆମେ ଏକାବେଳେ ଅନେକ ଗୁଡ଼ିଏ ମୋତିମାଳ ଆଣିପାରିବା ।” ବାସ୍, ଏଥର ବୁଢ଼ା ମାଙ୍କଡ଼ ଖୁବ୍ ଖୁସି ହୋଇଯାଇ ରାଜାଙ୍କ ସହିତ ରାଜ୍ୟର ବହୁ ପ୍ରଜାମାନଙ୍କୁ ଧରି ଯାଇ ସେହି ପୋଖରୀ ପାଖରେ ପହଞ୍ଚାଇ ଦେଇ କହିଲା – “ଦେଖନ୍ତୁ ଛାମୁ! ଏହି ପୂଜା ନିମନ୍ତେ ଯେଉଁମାନେ ଆସିଛନ୍ତି ସେମାନେ ଏକାବେଳକେ ପୁଷ୍କରିଣୀ ମଧ୍ୟକୁ ପ୍ରବେଶ କରିବେ ଓ ଏକା ସାଥିରେ ବୁଡ଼ିବେ । କିନ୍ତୁ ଆପଣଙ୍କୁ ଅପେକ୍ଷା କରିବାକୁ ହେବ । ଏହାର କାରଣ ହେଲା ଛାମୁ ହେଉଛନ୍ତି ଆମ ସମସ୍ତଙ୍କ ଉପରେ ଶ୍ରେଷ୍ଠ । ଏଥିପାଇଁ କହୁଥିଲି କି ସାଧାରଣ ପ୍ରଜାମାନେ ପ୍ରଥମ ସେମାନଙ୍କର ମୋତିମାଳା ପାଇଯିବା ପରେ ଆପଣ ତା’ପରେ ବୁଡ଼ ପକାଇଲେ ସୂର୍ଯ୍ୟ ଦେବତା ଆପଣଙ୍କ ପ୍ରତି ସନ୍ତୁଷ୍ଟ ହୋଇ ଆପଣଙ୍କୁ ଖୁବ୍ ମୂଲ୍ୟବାନ୍ ମୋତି ମାଳାଟିଏ ପ୍ରଦାନ କରିବେ।” ବୁଢ଼ା ମାଙ୍କଡ଼ କଥାରେ ପ୍ରଥମ ସମସ୍ତ ପୁଷ୍କରିଣୀ ମଧ୍ୟରେ ପ୍ରବେଶ କରି ବୁଡ଼ ପକାଇଲେ । ରାଜା ପୁଷ୍କରିଣୀରେ ପାହାଚ ଉପରେ ବସିଥାଆନ୍ତି । ଏହା ମଧ୍ୟରେ ପ୍ରଜାମାନେ ପୁଷ୍କରିଣୀରେ ବୁଡ଼ିବାର ବହୁ ସମୟ ଅତିବାହିତ ହୋଇଯିବାରୁ
ଦେବାନଙ୍କ ଶିକ୍ଷା କାଶୀପୁରର ଜମିଦାର ଘୋଡା ଚଢା, ଶୀକାର ଓ ମଲ୍ଲବିଦ୍ୟାରେ ଖୁବ୍ ପାରଙ୍ଗମ ଥିଲେ । ତାଙ୍କ ପ୍ରଜାମାନେ ବି ଏସବୁ ବିଦ୍ୟା ହାସଲ କରନ୍ତୁ, ଏହା ତାଙ୍କ ଇଚ୍ଛା ଥିଲା । ତେଣୁ ସେ ପ୍ରତି ଗ୍ରାମରେ ଗୋଟାଏ ଗୋଟାଏ କୁସ୍ତି ଆଖଡା ସ୍ଥାପନ କରିଥିଲେ । ଜଣେ ଜଣେ ମଲ୍ଲବୀରଙ୍କୁ ପ୍ରତି ଆଖଡା ଉପରେ ଅଧ୍ୟକ୍ଷ ଭାବରେ ସେ ନିଯୁକ୍ତି ଦେଇଥିଲେ । ଥରେ ଜମିଦାର ଦେଶ ଦେଶାନ୍ତର ପର୍ଯ୍ୟଟନ କରିବାକୁ ଗଲେ । ସେ ଦେଖିଲେ ଅନ୍ୟାନ୍ୟ ରାଜା ଜମିଦାରମାନେ ଆପଣା ଆପଣା ରାଜ୍ୟ ବା ଜମିଦାରିରେ ଅନେକ ଗୁଡିଏ ବିଦ୍ୟାଳୟ ସ୍ଥାପନ କରିଛନ୍ତି । ସେ ଅନୁଭବ କଲେ କି ବାସ୍ତବିକ ସର୍ବତ୍ର ବିଦ୍ୟାର ଆଦର ବହୁତ । ଅତଏବ ନିଜ ଜମିଦାରିରେ ମଧ୍ୟ ବିଦ୍ୟାଳୟମାନ ସ୍ଥାପନ କରିବା ଉଚିତ୍ ହେବ ବୋଲି ସେ ମନେ କଲେ । ଘରକୁ ଫେରି ଆସି ସେ ନିଜ ଦେବାନଙ୍କୁ ଡକାଇ କହିଲେ, “ଦେବାନ୍ ବାହାଦୂର୍! ମୁଁ ଯୁଆଡେ ଗଲି, ଦେଖିଲି ପିଲାଗୁଡା ପାଠଶାଠ ପଢି ମଣିଷ ହେଉଛନ୍ତି । ଆମ ନିଜ ମୁଲକରେ କିନ୍ତୁ ପାଠ ପଢା ମୋଟେ ହେଉ ନାହିଁ । ଗୋଟାଏ କାମ କର । ପ୍ରତି ଗ୍ରାମରେ ପାଠଶାଳା ଖୋଲିଦିଅ ।” “ହଜୁର୍! ସେଥିରେ ତ ବହୁତ ପଇସା ଖର୍ଚ୍ଚ ହେବ!” ଜମିଦାର କହିଲେ “ହେଲେ ହେଉ, ଆଉ କ’ଣ କରିବା!” ହଠାତ୍ ଦେବାନଙ୍କ ମୁହଁ ଉଜ୍ଜ୍ୱଳ ଦେଖାଗଲା! ସେ କହିଲେ, “ହଜୁର୍! ବିଶେଷ କିଛି ଖର୍ଚ୍ଚ ହେବ ନାହିଁ । ମୁଁ ଗୋଟାଏ ବଢିଆ ଯୋଜନା କରିଛି । ଦେଖିବେ, ବର୍ଷ ଦୁଇଟାରେ ସମସ୍ତେ ଶିକ୍ଷୀତ ହୋଇଯିବେ ।” ଜମିଦାର କହିଲେ “ହଉ, ଦେଖିବା!” ଦେବାନ୍ ପ୍ରତି କୁସ୍ତି ଆଖଡାର ଅଧ୍ୟକ୍ଷମାନଙ୍କ ପାଖକୁ ନିର୍ଦ୍ଧେଶ ଦେଲେ କି ସନ୍ଧ୍ୟାବେଳେ ସିନା ସେମାନେ ଲୋକଙ୍କୁ ମଲ୍ଲବିଦ୍ୟା ଶିଖାଉଛନ୍ତି, ହେଲେ ଦିନବେଳେ କ’ଣ କରୁଛନ୍ତି? ଏଣିକି ପ୍ରତ୍ୟେକ କୁସ୍ତି ଆଖଡା ଦିନବେଳେ ଚାହାଳିରେ ପରିଣତ ହେବ । ମଲ୍ଲବୀରମାନେ ପିଲାଙ୍କୁ ପାଠ ପଢାଇବେ । ତେବେ ପାଠ ପଢାଇବା ବେଳେ ସେମାନେ ଧୋତି ପଞ୍ଜାବି ପିନ୍ଧିବେ । ଚଦର ପକାଇବେ । ଶିକ୍ଷକ ଭଳି ଦେଖାଯିବା ଆବଶ୍ୟକ । ସେଥିପାଇଁ ଯାହା କିଛିବି ଖର୍ଚ୍ଚ ହେବ, ତାହା ଦିଆଯିବ । ମଲ୍ଲବୀରମାନେ ଦିନବେଳେ ଶିକ୍ଷକତା କଲେ । ଆଖଡାମାନ ଦିନବେଳେ ଚାହାଳିରେ ପରିଣତ ହେଲା । ବର୍ଷକ ପରେ ଜମିଦାରଙ୍କ ନିର୍ଦ୍ଧେଶରେ ଦେବାନ୍ ପାଠଶାଠରେ କେତେଦୂର ଅଗ୍ରଗତି ହେଲାଣି, ତାହା ଦେଖିବାକୁ ସେ ବାହାରିଲେ । ସେ ହଠାତ୍ ଗୋଟାଏ ଚାହାଳିରେ ପହଁଚି ଦେଖିଲେ, ଚାହାଳିର ଶିକ୍ଷକ ଶୋଇଛନ୍ତି । ଏଣେ ପିଲାମାନେ ଖେଳୁଛନ୍ତି । ଦେବାନ୍ ଗୋଟାଏ ପିଲାକୁ ଧମକ ଦେଇ ପଚାରିଲେ, “କହିଲୁ, ରାମାୟଣ କିଏ ଲେଖିଥିଲେ?” ପିଲାଟି ଆଖି ବଡ ବଡ କରି କହିଲା, “ଆଜ୍ଞା, ମୁଁ ଲେଖି ନାହିଁ । ମୁଁ ଖାଲି ସିଲଟରେ ଗାର ପକାଇଛି ।” ଏଭଳି ଅଦ୍ଭୁତ ଉତ୍ତର ଶୁଣି ଦେବାନ୍ ଆଉ ଜଣେ ପିଲାକୁ ସେହି ଏକା ପ୍ରଶ୍ନ ପଚାରିଲେ । ସେ ପ୍ରାୟ କାନ୍ଦ କାନ୍ଦ ହୋଇ କହିଲା, “ଆଜ୍ଞା, ଆପଣ ମୁଁ ଲେଖିଛି ବୋଲି ସନ୍ଦେହ କରୁଛନ୍ତି? ଠାକୁରାଣୀଙ୍କ ଦ୍ୱାହି ଦେଇ କହୁଛି, ମୁଁ ତାହା ଲେଖି ନାହିଁ ।” ଦେୱାନଙ୍କର ଆଉ ଧୈର୍ଯ୍ୟ ରହିଲା ନାହିଁ । ଟେବୁଲ୍ ଉପରେ ଶୋଇ ଘୁଙ୍ଗୁଡି ମାରୁଥିବା ମଲ୍ଲବୀର ଶିକ୍ଷକଙ୍କୁ ସେ ଠେଲି ଦେଲେ । ସେ ତଳକୁ ଖସି ପଡି ଦେବାନଙ୍କୁ ହଠାତ୍ ଦେଖି ଚମକି ପଡି କହିଲେ, “ଓଳିଗି, ହଜୁର୍, ଓଳିଗି । କାଲି ଅଧରାତି ଯାଏଁ କୁସ୍ତି ହୋଇଥିଲା । ତେଣୁ ମୋତେ ଟିକେ ନିଦ ଲାଗି ଯାଇଥିଲା ।” ଦେବାନ୍ ବିରକ୍ତ ହୋଇ କହିଲେ “ତମ ପିଲାଏଁ କି ପାଠ ପଢିଛନ୍ତି? ଏ ଦୁଇଟି ପିଲାଙ୍କୁ ମୁଁ ରାମାୟଣ କିଏ ଲେଖିଛି ବୋଲି ପଚାରିବାରୁ ଏ ଦୁହେଁ କହୁଛନ୍ତି କି ସେମାନେ କେହି ଲେଖି ନାହାଁନ୍ତି! ଶେଷକୁ ଏ କଥା ବି କାନ ଶୁଣିଲା!” “ସତେ? ଟୋକା ଦୁଇଟା ଏକଥା କହୁଛନ୍ତି? ହଜୁର୍! ଆପଣଙ୍କ ସନ୍ଦେହ କ’ଣ କେବେବି ଭୁଲ୍ ହୋଇପାରେ? ହଜୁର୍, ଏ ଦୁଇଟାଙ୍କ ଭିତରୁ କିଏ ହେଲେ ଲେଖିଛି । ଦିଟା ଛେଚି ଦେଲେ ସତ କଥା ଆପେ ବାହାରି ପଡିବ ।” ଏହା କହି ମଲ୍ଲବୀର ପଞ୍ଜାବି ଖୋଲି ପକାଇବାକୁ ବାହାରିଲେ । “ଥାଉ, ଥାଉ । ହେଲା । ପିଲାଙ୍କୁ ବାଡେଇବା କିଛି ଦରକାର ନାହିଁ । ଖବରଦାର୍ ହାତ ଉଠାଇବ ନାହିଁ ।” ଏହା କହି ଦେବାନ୍ ସେଠାରୁ ଚାଲିଗଲେ । ଜମିଦାର ଦେବାନଙ୍କ ପାଖରୁ ତାଙ୍କ ଅଭିଜ୍ଞତା ବିଷୟରେ ଶୁଣି କହିଲେ, “ଦେବାନ୍! ତମେ ଯେତେବେଳେ କହିଲ ଯେ ବିନା ବ୍ୟୟରେ ପାଠଶାଳାମାନ ଖୋଲାଯିବ, ସେତେବେଳେ ମୁଁ ମନେ ମନେ ହସିଲି, କିନ୍ତୁ ତୁମକୁ ହତୋତ୍ସାହ କରିବାକୁ ମୋ ମନ ବଳିଲା ନାହିଁ । ମଲ୍ଲବୀରମାନେ ମଲ୍ଲବିଦ୍ୟା ଶିଖାଇବେ । ସେମାନେ ପାଠ କିପରି ପଢାଇବେ? ଶିକ୍ଷକ ହେବାପାଇଁ ଶିକ୍ଷା, ମହତ୍ ଚରିତ୍ର, ଧୈର୍ଯ୍ୟ ଏବଂ ମାନବିକତା ଏକାନ୍ତ ଆବଶ୍ୟକ । ଯେତେ ଯାହା ଖର୍ଚ୍ଚ ହେବ ହେଉ । ପ୍ରଥମେ ଶିକ୍ଷକତା କରିବା ଭଳି ଉପଯୁକ୍ତ ମଣିଷ କେତେଜଣ ଖୋଜି ବାହାର କର । ତା’ପରେ ସିନା ବିଦ୍ୟାଳୟ ଖୋଲିବା ।” ଦେବାନ୍ ଗମ୍ଭୀର ଭାବରେ ଜମିଦାରଙ୍କ ପ୍ରସ୍ତାବକୁ ସମର୍ଥନ କଲେ ଓ କହିଲେ, “ପ୍ରଥମ ବର୍ଷଟି ମୋହରି ଯେତିକି ଶିକ୍ଷା ହେଲା!” ଏକଥା ଶୁଣି ଜମିଦାର ହସିଲେ ।
ଶାପ ମୁକ୍ତି କୌଣସି ଏକ ଜଙ୍ଗଲରେ ନିର୍ବାସ ନାମକ ଜଣେ ମୁନି ଥିଲେ । ସ୍ୱଭାବତଃ ସେ ବଡ କ୍ରୋଧୀ ଥିଲେ । ଅଳ୍ପ କଥାରେ ରାଗିଗଲେ ଅଭିଶାପ ଦେଇ ବସୁଥିଲେ । ଥରେ ରାଜା ସୁଦୀପ କୌଣସି ଛୋଟ ଏକ ଭୁଲ୍ କଲେ ବୋଲି ମୁନି ରାଗିଯାଇ ତାଙ୍କୁ କହିଲେ, “ତୁମେ ରାକ୍ଷସ ହୋଇଯାଅ ।” ଫଳରେ ସେ ରାଜା ତତ୍କ୍ଷଣାତ୍ ରାକ୍ଷସ ହୋଇଗଲେ ଓ ନିଜ ପ୍ରଜାମାନଙ୍କୁ ହଇରାଣ ହରକତ କଲେ, ଖାଇ ଗୋଡାଇଲେ । ଏଣେ ରାଜା ସୁଦୀପଙ୍କର ଅନୁପସ୍ଥିତିରେ ତାଙ୍କୁ ଖୋଜା ଚାଲିଲା । ମନ୍ତ୍ରୀ ସୁକାମ ଖବର ନେଇ ଜାଣିଗଲେ ଯେ ମୁନିଙ୍କ ଶାପରୁ ସେ ରାକ୍ଷସ ହୋଇ ବନରେ ବିଚରଣ କରୁଛନ୍ତି । ମନ୍ତ୍ରୀ ଯାଇ ମୁନିଙ୍କୁ କହିଲେ, “ମହାତ୍ମନ, ଆମ ରାଜା ଜଣେ ଅତି ଗୁଣବାନ ବ୍ୟକ୍ତି । ତାଙ୍କ ରାଜ୍ୟରେ ପ୍ରଜାମାନେ ବଡ ସୁଖରେ କାଳାତିପାତ କରୁଛନ୍ତି । ଆପଣଙ୍କ ଶାପ ଯୋଗୁଁ ସେ ରାକ୍ଷସ ହୋଇଗଲେ ଓ ନିଜର ପ୍ରିୟ ପ୍ରଜାଙ୍କୁହିଁ ନିଜ ଅଜାଣତରେ ଅନେକ କଷ୍ଟ ଦେଉଛନ୍ତି, ସେ ଯଦି କିଛି ଭୁଲ୍ କଲେ ତ ତା’ର ପ୍ରତିଫଳ ତାଙ୍କ ପ୍ରଜାମାନେ ଭୋଗିବେ ବା କାହିଁକି? ଏହା କ’ଣ ନ୍ୟାୟ? ଆପଣ କୃପା କରି ତାଙ୍କୁ ଶାପମୁକ୍ତ କରନ୍ତୁ ।” ନିର୍ବାସ ମୁନି ମନ୍ତ୍ରୀଙ୍କୁ ବଡ କରୁଣାପୂର୍ଣ୍ଣ ଦୃଷ୍ଟିରେ ଚାହିଁ କହିଲେ, “ବହୁ ପୁରାକାଳରେ ବ୍ରହ୍ମା ରାକ୍ଷସମାନଙ୍କୁ ବର ଦେବାରୁ ସେମାନେ ପ୍ରବଳ ହୋଇ ବ୍ରହ୍ମାଣ୍ଡ ଉଚ୍ଛନ୍ନ କରୁଥିଲେ । ତୁମେ କ’ଣ କହୁଛ ବ୍ରହ୍ମା ସେପରି କରି କିଛି ଭୁଲ୍ କରିଥିଲେ? ଯେତେବେଳେ ପ୍ରଜାଗଣ ଉଦ୍ଧତ, ଗର୍ବୀ ଓ ଅହଂକାରୀ ହୋଇ ଉଠନ୍ତି ସେତେବେଳେ ସେମାନଙ୍କୁ ସେମାନଙ୍କ କର୍ମଫଳ ଭୋଗ କରାଇବାକୁ ବ୍ରହ୍ମା ରାକ୍ଷସଙ୍କୁ ବର ଦିଅନ୍ତି । ଋଷିମୁନି ମଧ୍ୟ ସେତେବେଳେ ମାନବଙ୍କୁ ଶାପ ଦିଅନ୍ତି । ଏଥିରେ ତ ମୁଁ ନିମିତ ମାତ୍ର । ସ୍ୱୟଂ ବିଶ୍ୱନିୟନ୍ତା ଭଗବାନ୍ ଉପରେ ଅଛନ୍ତି । ସେହିଁ ଆମକୁ ଚଳାଉଛନ୍ତି । ଆମର ଏଥିଲାଗି ଆଉ କ’ଣ କରିବାର ଅଛି?” ମନ୍ତ୍ରୀ ବିନୀତ ହୋଇ କହିଲେ “ମୁନିଶ୍ରେଷ୍ଠ ଆପଣ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଠିକ୍ ହୋଇପାରେ ଏହା ମଧ୍ୟ ହୋଇପାରେ ଯେ ଏ ଦେଶର ଲୋକଙ୍କର କର୍ମଫଳ ଭୋଗ କରିବାର ସମୟ ଶେଷ ହେଲାଣି । ସେଥିପାଇଁ ମୁଁ ଆପଣଙ୍କର ଶରଣ ନେବାକୁ ଆସିଲି । ଆପଣ ସର୍ବଶକ୍ତିମାନ୍ । ଆପଣହିଁ ଆମର ନିୟନ୍ତା । କିଛି ଏକ ଉପାୟ କରନ୍ତୁ । ଆପଣ ତାହା ଠିକ୍ କରିପାରିବେ ।” ଶେଷରେ ନିର୍ବାସ କହିଲେ, “ମୁଁ କୌଣସି ଏକ ରହସ୍ୟ ତୁମକୁ କହି ଦେଇପାରେ । ଏଠାରୁ କିଛି ଦୂରରେ ଏକ କାଳୀ ମନ୍ଦିର ଅଛି । ସେଥିରେ ମା’ କାଳୀଙ୍କର ଏକ ଭୟାନକ ମୂର୍ତ୍ତି ଅଛି । ସେଠାକୁ ଯାଇ ତୁମ ଶରୀରର ସବୁଠାରୁ ପ୍ରିୟ ଅଂଶଟିକୁ ମା’ କାଳୀଙ୍କୁ ସମର୍ପଣ କରିବ । ତେବେ ଯାଇ ତୁମେ ମା’ କାଳୀଙ୍କୁ ଯାହା ମାଗିବ ସେ ତୁମକୁ ତାହା ନିଶ୍ଚୟ ଦେବେ । ମନ୍ତ୍ରୀ ମୁନିଙ୍କୁ ପ୍ରଣାମ କରି ବଡ କଷ୍ଟର ସହିତ ରାସ୍ତା ଖୋଜି ଖୋଜି କାଳୀ ମନ୍ଦିରରେ ଯାଇ ସେ ପହଁଚିଲେ ।” ମନ୍ଦିରର ମୂର୍ତ୍ତି ବାସ୍ତବିକ ଅତି ଭୟଙ୍କର ଥିଲେ । ମନ୍ତ୍ରୀ କିନ୍ତୁ ମୋଟେ ଡରିଲେ ନାହିଁ । ମୂର୍ତ୍ତିର ସମ୍ମୁଖରେ ଠିଆ ହୋଇ ଯାଇ ସେ କହିଲେ, “ମା’ ଆମ ଉପରେ ଦୟା କରନ୍ତୁ । ଆମ ରାଜାଙ୍କୁ ପୁନଶ୍ଚ ମାନବ ରୂପ ପ୍ରଦାନ କରନ୍ତୁ । ସେଇଥିପାଇଁ ମୁଁ ଏଠାକୁ ଆସିଛି । ମୋର ମଥା ହେଉଛି ମୋ ଶରୀରର ସବୁଠାରୁ ପ୍ରିୟ ଅଙ୍ଗ । ମୁଁ ତାହାକୁ ତୁମ ପାଦରେ ଅର୍ପଣ କରୁଛି ।” ଏତିକି କହି ମନ୍ତ୍ରୀ ନିଜ ମଥା କାଟିଦେବାକୁ ତରବାରୀ ଉଠାଇଲେ । ମନ୍ତ୍ରୀ ଦେଖିଲେ ହଠାତ୍ କେଉଁଠୁ ଆଲୋକ ଆସିବାରେ ଲାଗିଲା । ଏହା ଅତି ତୀବ୍ର ଥିବାରୁ ସେ ତାଙ୍କର ଆଖି ବନ୍ଦ କରିଦେଲେ, ସଙ୍ଗେ ସଙ୍ଗେ ସେ ଏକ ସ୍ୱର ଶୁଣିବାକୁ ପାଇଲେ, “ହେ ମାନବ, ତୁମର ଦେଶଭକ୍ତି ଓ ସତ୍ସାହସ ଦେଖି ମୁଁ ଅତି ସନ୍ତୁଷ୍ଟ ହେଲି । ତୁମେ ରାଜଧାନୀ ଯାଇ ହଜାର ପୃଷ୍ଠାର ଏକ କାହାଣୀ ଲେଖ ଯାହାକୁକି ସମସ୍ତେ ବୁଝିପାରିବେ । ଏହା ଏତେ ଚମତ୍କାର ହେବ ଯେ ଯିଏ ଥରେ ଆରମ୍ଭ କରିବ ସେ ଶେଷ ନ କରି ଆଉ ରହିପାରିବ ନାହିଁ । ଏହି କାହାଣୀ ଯଦି ରାଜାଙ୍କୁ ଶୁଣାଇବ ତେବେ ରାଜା ନିଜର ପୂର୍ବରୂପ ଓ ଜ୍ଞାନ ପୁନଃ ଫେରି ପାରିବେ ।” ଏକଥା ଶୁଣି ମନ୍ତ୍ରୀ କହିଲେ, “ମୁଁ ରାଜଧାନୀ ସମ୍ପର୍କିତ ଅନେକ ଗ୍ରନ୍ଥ ପଢିଛି; ପ୍ରଜାଙ୍କ ମଙ୍ଗଳ ପାଇଁ ମଧ୍ୟ ବହୁ ଶାସ୍ତ୍ର ପଢିଛି; ଏପରିକି ଚିକିତ୍ସାଶାସ୍ତ୍ର ମଧ୍ୟ । କିନ୍ତୁ ସାହିତ୍ୟ ପ୍ରତି ମୋର କେବେବି କୌଣସି ଆକର୍ଷଣ ନଥିଲା । ମୁଁ ମଧ୍ୟ ମୋ ଜୀବନରେ କେବେବି ହେଲେ କୌଣସି କାବ୍ୟ କବିତା ପଢିନାହିଁ । କେହି ଯଦି କିଛି ଶୁଣାଇବାକୁ ଚେଷ୍ଟା କରେ ତେବେ ମୋର ଧୈର୍ଯ୍ୟ ରହେନାହିଁ, କାହାଣୀ ଲେଖିବା ତ ମୋ ପାଇଁ ଏକଦମ୍ ଅସମ୍ଭବ । ମୁଁ କିପରି ଲେଖିବି?” କାଳୀ କହିଲେ “ତମେ ଏପରି କିଛି ବିଷୟ ଲେଖିବାକୁ ଆରମ୍ଭ କର, ଯାହାକି ପାଠକଙ୍କ ପାଇଁ ତୀବ୍ର ଆକର୍ଷଣର ବିଷୟ ହେବ । ରାଜା ବି ମୁକ୍ତ ହେବେ । ତଦ୍ୱାରା ପ୍ରଜାମାନେ ମଧ୍ୟ ଅନେକ ଲାଭବାନ ହେବେ । ମୁଁ ଯାହା କହୁଛି ତାହା କର ।” ମନ୍ତ୍ରୀ ରାଜଧାନୀକୁ ଫେରି ଆସିଲେ । ଦିନରାତି ବହୁତ ପରିଶ୍ରମ କରି ସେ ଗୋଟିଏ ହଜାର ପୃଷ୍ଠାର ଗ୍ରନ୍ଥ ଲେଖିଲେ । ତା’ପରେ ସେ ସେହି ଗ୍ରନ୍ଥଟିକୁ ଧରି ରାଜାଙ୍କୁ ଖୋଜିବାକୁ ବଣକୁ ଗଲେ । ଶେଷରେ ଜଙ୍ଗଲରେ ଥରେ ସେ ତାଙ୍କୁ ଦେଖିବାକୁ ପାଇଲେ । ରାଜା ତାଙ୍କୁ ଦେଖିବା ମାତ୍ରେ ତାଙ୍କ ଆଡକୁ ସେ ମାଡି ଆସିଲେ । ମନ୍ତ୍ରୀ ଚଟାପଟ ଗ୍ରନ୍ଥ ଖୋଲି ବସି ପଢିବାକୁ ଲାଗିଲେ । ମନ୍ତ୍ରୀ ପଢିବାକୁ ଆରମ୍ଭ କରିବା ମାତ୍ରେ ରାଜା ଶାନ୍ତ ହୋଇ ଯେଉଁଠି ଥିଲେ ସେଇଠି ଗୋଟିଏ ମୂର୍ତ୍ତିପରି ଠିଆ ହୋଇ ରହିଲେ । ମନ୍ତ୍ରୀ ଗୋଟିଏ ପରେ ଗୋଟିଏ ପୃଷ୍ଠା ପଢି ଯାଉଥିଲେ ଓ ରାଜା ଅଚଳ ମୂର୍ତ୍ତି ପରି ଦଣ୍ଡାୟମାନ ହୋଇ ସେସବୁକୁ ଶୁଣି ଯାଉଥିଲେ । ଅବଶେଷରେ ସେହି ଗ୍ରନ୍ଥର ଅନ୍ତିମ ପୃଷ୍ଠା ଶେଷ ହେବା ମାତ୍ରେ ରାଜାଙ୍କର ରାକ୍ଷସ ଦେହ କୁଆଡେ ଉଭେଇଗଲା; ସେ ନିଜର ପୂର୍ବରୂପ ଫେରି ପାଇଲେ । ସେ ଅଳ୍ପ ଅଳ୍ପ ହସୁଥିଲେ । ମନ୍ତ୍ରୀଙ୍କ ଉପରେ ଦୃଷ୍ଟି ପଡିବା ମାତ୍ରେ ସେ ଦୌଡି ଆସି ତାଙ୍କୁ ଆଲିଙ୍ଗନ କଲେ । ତା’ପରେ ସେ ଦୁହେଁ ରାଜଭବନକୁ ଫେରି ଆସିଲେ । ସେଠାରେ ରାଜା, ମନ୍ତ୍ରୀଙ୍କୁ କହିଲେ, “ସୁକାମ, ତୁମରି ଏ ଲେଖା କାହାଣୀ ଅତ୍ୟନ୍ତ ଅଦ୍ଭୁତ । ତୁମେ ଆହୁରି ଲେଖ; ମୁଁ ଶୁଣି ଶୁଣି ଆନନ୍ଦ ହେବି ।” ସୁକାମ ବଡ ସରଳ ଭାବରେ ଉତ୍ତର ଦେଲେ, “ମହାରାଜ, ଆପଣ ଭଲକରି ଜାଣନ୍ତି ଏସବୁ କଥା କାହାଣୀ ଲେଖିବା ମୋ ଜାତକରେ ଆଦୌ ନାହିଁ । ଏହି କାହାଣୀ ତ ମୁଁ କେବଳ ଆପଣଙ୍କୁ ଶାପମୁକ୍ତ କରିବା ପାଇଁହିଁ ଲେଖିଥିଲି । କିନ୍ତୁ ଏବେ ମୋର ଇଚ୍ଛା ମୋର ସମସ୍ତ ସମୟ ଆପଣଙ୍କୁ ମନ୍ତ୍ରଣା ଦେଇ ଦେଶର ମଙ୍ଗଳ କରିବାରେ ବିତିଯାଉ । ଏପରି ଗ୍ରନ୍ଥ ଲେଖିବାର କାମ ଆପଣ ଅନ୍ୟ କୌଣସି ଯୋଗ୍ୟ ବ୍ୟକ୍ତିକୁ ଦିଅନ୍ତୁ ।” ରାଜା ସବୁ ବୁଝିପାରିଲେ । ପ୍ରକୃତରେ ମନ୍ତ୍ରୀର କାମ ରାଜକାର୍ଯ୍ୟରେ ମନ୍ତ୍ରଣା ଦେଇ ସାହାଯ୍ୟ କରିବା । ତେଣୁ ରାଜା ଗ୍ରନ୍ଥ ଲେଖିବାର ଦାୟିତ୍ୱ ଅନ୍ୟ କାହାକୁ ଦେଲେ । ମନ୍ତ୍ରୀଙ୍କ ଲିଖିତ ଗ୍ରନ୍ଥ ଦରବାରରେ ପଢା ହେଲା । ସମସ୍ତେ ଖୁବ୍ ପ୍ରଶଂସା କରି କହିଲେ, “ଏପରି ଗ୍ରନ୍ଥ ତ ସ୍ୱୟଂ ଦେବୀ ସରସ୍ୱତୀଙ୍କ ବରପୁତ୍ର ମଧ୍ୟ ଲେଖିପାରିବ ନାହିଁ ।” ପଣ୍ଡିତମାନଙ୍କ ମୁହଁରୁ ଏପରି କଥା ଶୁଣି ରାଜାଙ୍କର ସେମାନଙ୍କ ଉପରେ ଭୀଷଣ ମାତ୍ରାରେ ରାଗ ହେଲା । ତେଣୁ ରାଜା ତାଙ୍କ ରାଜ୍ୟରେ ପ୍ରଚାର କଲେ ଏଭଳି ଗ୍ରନ୍ଥ କିଏ ଲେଖିଦେଲେ ସେ ଏକହଜାର ସ୍ୱର୍ଣ୍ଣମୁଦ୍ରା ପାଇବ । ଅନେକ ବିଦ୍ୱାନ୍ ସବୁ ଶୁଣି ଚୁପ୍ ହୋଇ ରହିଲେ । କିନ୍ତୁ ପଇସା ଲୋଭରେ ଅନେକେ ମଧ୍ୟ ଲେଖିଲେ । ବହୁତ ଗ୍ରନ୍ଥ ଲେଖା ହେଲା ଓ ଲୋକଙ୍କର ମନୋରଞ୍ଜନ ହେଲା । କିଛିଦିନ ପରେ ସେ ଦେଶରେ କବି ପଣ୍ଡିତଙ୍କୁ ଆଉ କେହିବି ଶ୍ରଦ୍ଧାସମ୍ମାନ ଦେଖାଉ ନଥା’ନ୍ତି । କ୍ରମେ ସେମାନଙ୍କ ପାଇଁ ଏହା ଏକ ସମସ୍ୟା ହୋଇ ଉଠିଲା । ସେମାନେ ଏକାଠି ହୋଇ ମୁନି ନିର୍ବାସଙ୍କ ପାଖକୁ ଯାଇ ନିଜର ସମସ୍ୟା ସମାଧାନ ପାଇଁ ନିବେଦନ କରିବେ ବୋଲି ସ୍ଥିର କଲେ । କିନ୍ତୁ ଆଉ କେତେକ ମତ ଦେଲେ ଯେ ମୁନି ତ ବହୁତ କ୍ରୋଧୀ, ଯଦି ଅଭିଶାପ ଦେବେ ତେବେ ତ ଜାଣ କଥା ଶେଷ
ହସ ଏବଂ ଲୁହ ବାଗଦାଦ୍ ନଗରୀର ଅଦୂରରେ ଗୋଟିଏ ଗ୍ରାମ ଥାଏ । ସେ ଗ୍ରାମର ବିଶିଷ୍ଟ ଲୋକେ ଅପରାହ୍ନରେ ସାଧାରଣତଃ ଗୋଟାଏ ବିରାଟ ଗଛର ଛାଇରେ ବସି ଗପସପ ହେଉଥାନ୍ତି । ଦିନେ ସେମାନେ ଗପରେ ମଜ୍ଜି ରହିଛନ୍ତି, କେତେବେଳେ ଯେ ଜଣେ ଅଜଣା ପଥିକ ସେହି ଗଛର ଅନ୍ୟ ପଟରେ ଛାଇରେ ଆସି ବସି ଗଲାଣି, ସେକଥା ସେମାନେ ଜାଣି ନଥାନ୍ତି । ଜଣେ ଗ୍ରାମବାସୀ କହୁଥାନ୍ତି, “ଘରଟି ତିଆରି କରିବା ଦିନରୁ ମୋ ସମୁଧି ବେଶ୍ ସୁଖରେ ଅଛନ୍ତି ।” ଆଉ ଜଣେ କହିଲେ, “ମୋ ମାମୁଁ ନବାବ୍ଙ୍କ ଦରବାରରେ ଚାକିରୀ ପାଇଗଲେ । ତାହା ପୁଣି ବଡ ଚାକିରୀ । ବାସ୍ତବିକ ସେ ଭାଗ୍ୟବାନ୍ ।” ଅନ୍ୟ ଜଣେ ମନ୍ତବ୍ୟ ଦେଲେ “ଆଉ ଆମ ଅବ୍ଦୁଲ କଥା କହୁନ? ସେ ବାଟ ଚାଲୁ ଚାଲୁ ଗୋଟାଏ ଥଳି ପାଇଗଲା । ସେଥିରେ କୋଡିଏଟି ସୁନା ମୋହର ଥିଲା । ବାସ୍ତବିକ ସେ ଟୋକା କେଡେ ଭାଗ୍ୟବାନ! ସୁଖ ମିଳିବ ତ ଏମିତି ମିଳିବ!” ଠିକ୍ ସେମିତି ଆଉ ଜଣେ ଦୁଇଜଣ ବି ସେମାନଙ୍କ ନିଜ ଲୋକଙ୍କ ସୌଭାଗ୍ୟ କଥା କହିଲେ । ସମସ୍ତଙ୍କ ସବୁକଥା ଶୁଣି ହଠାତ୍ ସେ ଅପରିଚିତ ଲୋକଟି ହସି ଉଠିଲା । ସେତେବେଳକୁ ଯାଇ ତା’ ଅସ୍ତିତ୍ୱ ବିଷୟରେ ସମସ୍ତେ ସଚେତନ ହେଲେ । ଜଣେ ତାଙ୍କୁ ପଚାରିଲେ “ତମେ କିଏ?” ଆଉ ଜଣେ ଟିକିଏ ବିରକ୍ତ ହୋଇ ପଚାରିଲେ “ତମେ ଏମିତି କଥା ନାହିଁ-ବାର୍ତ୍ତା ନାହିଁ ହଠାତ୍ କାହିଁକି ହସିଦେଲ? କ’ଣ ଆମ କଥାଶୁଣି ତୁମକୁ ହସ ଲାଗିଲା? ଆମେ କ’ଣ କିଛି ହସିଲା ଭଳି କଥା କହୁଥିଲୁ?” “ମୋ ଚେହେରା ଦେଖି ବୁଝୁଥିବେ, ମୁଁ ଜଣେ ଗରୀବ ଲୋକ । ମୋର ହସରୁ ବି ବୁଝୁଥିବେ, ମୁଁ ପ୍ରାୟ ପାଗଳ । ମୋ ହସ ଯୋଗୁଁ ଆପଣମାନେ ମୋତେ କ୍ଷମା କରନ୍ତୁ । ମୁଁ ଏଥର ଯାଉଛି ।” ଏହା ଶୁଣି ଜଣେ ଗ୍ରାମବାସୀ କହିଲେ, “ନା, ନା, କାହିଁକି ହସିଲ, ଆଗେ ସେତିକି କହି ତା’ପରେ ଯାଇ ଏଠୁ ଯିବ ।” ଆଉ ଜଣେ ମନ୍ତବ୍ୟ ଦେଲେ “ତମେ ଗରୀବ ହୋଇପାର, କିନ୍ତୁ ପାଗଳ ହୋଇଥିବ ବୋଲି ମୋର କାହିଁ ବିଶ୍ୱାସ ହେଉନାହିଁ । ତମ ମୁହଁରେ ବହୁ ଅଭିଜ୍ଞତାର ଛାପ ରହିଛି । ହଁ, ଏଥର କୁହ ଯେ, ହସିଲ କାହିଁକି?” ଲୋକଟି କୈଫିୟତ୍ ଦେଲା “ବାବୁ! ମୁଁ ମୋ ଆବେଗ ସମ୍ଭାଳି ପାରେ ନାହିଁ । ସେଥି ସକାଶେ ମୁଁ ମୋ ଜୀବନରେ ବଡ ହଇରାଣ ହେଲିଣି । ସେମିତି ଆବେଗ ସମ୍ଭାଳି ନପାରି ହସିଦେଲି ।” ସମସ୍ତେ ସମସ୍ୱରରେ ପଚାରିଲେ “ଯାହାହେଉ, ହସର ତ ପୁଣି ନିଶ୍ଚୟ କିଛି କାରଣ ଥିବ! ସେ କାରଣଟି କ’ଣ?” ତା’ପରେ ସେ ପଥିକ ଅଳ୍ପ ସମୟ ଗମ୍ଭୀର ଭାବରେ ବସି ରହି କହିଲା, “ବାବୁମାନେ, ଆପଣମାନେ ସଭିଏଁ କହୁଥିଲେ କି ଅମୁକ ଲୋକ ସୁଖୀ, ଅମୁକ ଲୋକ ଭାଗ୍ୟବାନ୍ । ଆଜ୍ଞା, ମୋ ଜୀବନର ଅଭିଜ୍ଞତା ହେଲା, ଯାହାକୁ ଆମେ ସୁଖ ଓ ସୌଭାଗ୍ୟ ବୋଲି ମନେକରୁ, ତାହା ପଛରେ ସର୍ବଦା କିଛି ନା କିଛି ଦୁଃଖ ବା ହତାଶା ଲୁଚି ରହିଥାଏ ।” ସମସ୍ତେ କୌତୁହଳୀ ହୋଇ ପଚାରିଲେ “ତମର ସେ ଅଭିଜ୍ଞତା କ’ଣ?” ଏହାପରେ ସେ ପଥିକ ଗପିଲା: ମୁଁ କେତେବର୍ଷ ତଳେ ବାଗଦାଦ୍ ନଗରୀର ପ୍ରଧାନ ପ୍ରହରୀ ଥିଲି । ତେଣୁ ସେ ନଗରୀର ମୁଖ୍ୟ ଫାଟକ ପାଖରେ ମୋତେ ସାରା ରାତି ପ୍ରହରା ଦେବାକୁ ପଡୁଥାଏ । ଦିନେ ରାତିରେ ହଠାତ୍ ପ୍ରାଚୀର ସେପଟେ ଖିଲି ଖିଲି ହସ ଶୁଣି ଦ୍ୱାର ଭିତର ଦେଇ ମୁଁ ଅନାଇ ଦେଖିଲି, ଜଣେ ଯୁବତୀ ଠିଆ ହୋଇଛି । ଜହ୍ନ ରାତି । ସେ ଯେ ଅତ୍ୟନ୍ତ ସୁନ୍ଦରୀ, ସେକଥା ମୁଁ ବୁଝି ପାରିଲି । ମୁଁ କହିଲି “କ’ଣ ଦରକାର? ରାତିରେ ନଗରୀ ଭିତରକୁ ଆସିବା ମନା, ଏକଥା କ’ଣ ତମେ ଜାଣନା?” ମୋ କଥାରେ ସେ ପୁଣି ହସିଦେଇ କହିଲା, “ଟିକିଏ ହାତ ବଢାଇଲ ବାବୁ!” ତା’ପରେ ମୁଁ କୌତୁହଳୀ ହୋଇ ହାତ ବଢାଇଲି । ମୋ ପାପୁଲିରେ ସେ ତିନୋଟି ସ୍ୱର୍ଣ୍ଣମୁଦ୍ରା ରଖିଦେଲା । ସେତେବେଳେ ମୋ ଆଖି ଅବଶ୍ୟ ବଡ ବଡ ହୋଇଗଲା । କିନ୍ତୁ ମୁଁ କହିଲି, “ଦେଖ, ଅର୍ଥ ଲୋଭରେ ଅନ୍ୟାୟ କାମ କରିବା ଲୋକ ମୁଁ ନୁହେଁ । ମୁଁ ଯେ ଏ ଦ୍ୱାର ଖୋଲି ତୁମକୁ ଭିତରକୁ ଆସିବାକୁ ଦେବି, ସେକଥା ତମେ କଳ୍ପନା ସୁଦ୍ଧା ବି କରନାହିଁ ।” ସେ କହିଲେ “ତୁମକୁ ଅନ୍ୟାୟ କରିବାକୁ କିଏ କହୁଛି? ଶୁଣ, ମୋ ଅନୁରୋଧ ଯଦି ରକ୍ଷା କରିବ, ତେବେ ତୁମେ ଦୁଇ ବିରହୀ ବାନ୍ଧବୀଙ୍କ ମିଳନରେ ସାହାଯ୍ୟ କରିବ; ତୁମ ନିଜ ଭାଗ୍ୟ ମଧ୍ୟ ଖୋଲିଯିବ ।” ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲି “କିପରି?” “ଏ ନଗରୀର କାଜୀଙ୍କ ଝିଅ ମୋର ପ୍ରାଣର ମିତ । କିନ୍ତୁ କାହିଁକି କେଜାଣି, କାଜୀ ତା’ସହ ମୋ ଦେଖାସାକ୍ଷାତ୍କୁ ପସନ୍ଦ କରନ୍ତି ନାହିଁ । ମୋତେ ନ ଦେଖି ସେ ଛଟପଟ ହେଉଛି । ତମେ ସାହାଯ୍ୟ କଲେ ଆମର ଭେଟ ହେବ ।” ମୁଁ କହିଲି “ସେଥିରେ ମୁଁ ବା କ’ଣ କରି ପାରିବି? କାଜୀ ଜଣେ ଅତ୍ୟନ୍ତ କଡା ପ୍ରକୃତିର ମଣିଷ । ତାଙ୍କ ଝିଅ ସହ ସେ କାହାକୁ ମିଶିବାକୁ ଦେବେ ନ ଦେବେ, ସେ ବିଷୟରେ ସେ ମୋ ପରାମର୍ଶ କାହିଁକି ଗ୍ରହଣ କରିବେ? ବରଂ ତମ ଟଙ୍କାତକ ଫେରାଇ ନିଅ । ମୁଁ ଏଥିରେ ତମକୁ କୌଣସି ପ୍ରକାର ସାହାଯ୍ୟ କରିପାରିବି ନାହିଁ ।” ମୁଁ କହିଲି ଯଦିଓ ଟଙ୍କା ଫେରାଇବା ନିମନ୍ତେ ମୁଁ ମୋଟେ ପ୍ରସ୍ତୁତ ନଥିଲି । ତିନୋଟି ସ୍ୱର୍ଣ୍ଣମୁଦ୍ରା ତ ଆଉ କିଛି କମ୍ କଥା ନୁହେଁ । ତହୁଁ ଯୁବତୀ ହସିଦେଇ ପୁଣି କହିଲା “ତମେ ବହୁତ ବିବେକୀ ଓ ବୁଦ୍ଧିମାନ । ତମେ ଇଚ୍ଛା କଲେହିଁ ମୋତେ ସାହାଯ୍ୟ କରିପାରିବ ।” ଯୁବତୀର ପ୍ରସ୍ତାବ ଶୁଣି ମୁଁ ପଚାରିଲି, “କିପରି?” ସେ ସେଉଠୁ ମୋତେ ଗୋଟାଏ ଉପାୟ ବତାଇ ଦେଲା । ସ୍ୱର୍ଣ୍ଣମୁଦ୍ରା, ସୁନ୍ଦରୀର ମଧୁରୀ କଥା ଓ ଆହୁରି ସୌଭାଗ୍ୟର ପ୍ରତିଶୃତିରେ ପ୍ରଭାବିତ ହୋଇ ମୁଁ ଫାଟକ ଖୋଲିଦେଲି ଓ ଯୁବତୀକୁ ନେଇ କାଜୀଙ୍କ ଘର ଆଡେ ଚାଲିଲି । କବାଟରେ ଶବ୍ଦ ଦେଇ ମୁଁ ମୋ ନିଜ ପରିଚୟ ଦେବା ମାତ୍ରେ କାଜୀ କବାଟ ଖୋଲିଦେଲେ । ମୁଁ କହିଲି, “ଏ ଯୁବତୀ ଆପଣଙ୍କ ଘର ସାମ୍ନାରେ ବସିଥିଲେ । ଇଏ ବସୋରା ନଗରୀର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ କନ୍ୟା । ଘଟଣା ଚକ୍ରରେ ଯାହାଙ୍କ ସହ ସେ ଆସିଥିଲେ, ସେ କୁଆଡେ ହଜି ଯାଇଛନ୍ତି । ଏହାଙ୍କ ଦେହରେ ଅଳଙ୍କାର ଅଛି । ରାତିକ ପାଇଁ ଏହାଙ୍କୁ ଘରେ ଆଶ୍ରୟ ଦିଅନ୍ତୁ ।” ମୋ’ କଥା ଶୁଣି କାଜୀ ଥତମତ ହେଲେ । ମୁଁ କହିଲି, “ଏ ଯୁବତୀ ଯଦି ରାତିରେ ଦୁର୍ବୁତମାନଙ୍କ କବଳରେ ପଡେ ତେବେ ଆମର କଳଙ୍କ ହେବ । ଆପଣ ଏହାକୁ ରାତିକ ରଖି ନିଅନ୍ତୁ ।” ସେଠିକାର ବିଚାରକ ହେଲେ ଖୋଦ୍ ନିଜେ କାଜୀ । ଏବେ ସେ ପୁଣି ମନା କରିବେବା କିପରି? ତେଣୁ ଉକ୍ତ ଯୁବତୀକୁ ସେ ତାଙ୍କ ଘର ଭିତରକୁ ଡାକି ନେଲେ । ମୁଁ ବି ମୋ ଘରକୁ ଫେରି ଶୋଇ ପଡିଲି । ସକାଳେ କାହାର ଗୋଟେ କର୍କଶ ଡାକରେ ହଠାତ୍ ମୋ ନିଦ ଭାଙ୍ଗିଗଲା । ଦେଖିବା ବେଳକୁ ସେ ଲୋକଟି କାଜୀଙ୍କ ଘରର ଜଗୁଆଳି । ସେ ମୋତେ କହିଲା କି କାଜୀ ସଙ୍ଗେ ସଙ୍ଗେ ଡାକୁଛନ୍ତି । ଏଣୁ ମୁଁ ଗଲି । ଦେଖିବା ବେଳକୁ ସେଠାରେ କଟୁଆଳ ବି ଆସି ପହଁଚିଲେଣି । ସେ ଯୁବତୀ ରାତିରେ କାଜୀଙ୍କ ଘରର ସବୁ ଗହଣା ଓ ଟଙ୍କା ଧରି ପଳାଇ ଯାଇଛି! କଟୁଆଳ କହିଲେ “ଦୁଷ୍ଟ! ତୁ ମରିବୁ!” ମୁଁ ନିଜକୁ ବହୁ କଷ୍ଟରେ ସମ୍ଭାଳି କହିଲି, “ହଜୁର୍! ଏ ରାଜ୍ୟର ନିୟମ ଦୋଷୀକୁ ଦଣ୍ଡ ଭୋଗିବା ପୂର୍ବରୁ ତିନିଦିନ ସମୟ ଦିଆହୁଏ । ମୁଁ ଭାବୁଛି ତିନିଦିନରେ ସେ ଠକ ଯୁବତୀକୁ ମୁଁ ନିଶ୍ଚୟ ଧରି ପାରିବି ।” ତା’ପରେ ମୋତେ ଅନୁମତି ଦିଆଗଲା । ମୁଁ ପାଗଳ ଭଳି ନଗରୀ ସାରା ବୁଲିଲି । ତୃତୀୟ ଦିନ ସଂନ୍ଧ୍ୟାବେଳକୁ ନଗରୀର ଶେଷ ପ୍ରାନ୍ତରେ ଗୋଟିଏ ପୁରୁଣା ଦୁଇମହଲ କୋଠାର ଝରକା ସେପାରିକୁ ଅଚାନକ ମୋ ଆଖି ପଡିଗଲା । ସେହି ଯୁବତୀକୁ ଦେଖି ପକାଇ ତତ୍କ୍ଷଣାତ୍ ଦୁଇ ମହଲକୁ ଉଠିଯାଇ ମୁଁ ଭିତରକୁ ପଶିଗଲି । ଯୁବତୀ କହିଲା “ତମ ବାଟ ଚାହିଁ କେତେ ଆଖି ପାଣି ମଲାଣି!” ମୁଁ କହିଲି “ଚୁପ୍ କର! ତୁମକୁ ନ ପାଇଥିଲେ ମୋ ପ୍ରାଣ ଆଜି ନିଶ୍ଚୟ ଯାଇଥାନ୍ତା ।
ତମ୍ବାପାତ୍ରର ଭୂତ ସୀତାରାମ ଜଣେ ମଦ୍ୟପ ଥିଲା । ମଦ୍ୟପାନ ପାଇଁ, ସେ ନିଜର ଘର, ଜମିବାଡି ସବୁ କିଛି ବିକିଦେଇଥିଲା । ଉପଯୁକ୍ତ ଚିକିତ୍ସା ଅଭାବରୁ, ତା’ର ପତ୍ନୀ ମୃତ୍ୟୁବରଣ କରିଥିଲା । ଏପରିକି ନିଜର ଏକମାତ୍ର ସନ୍ତାନ ରାଜୁକୁ ମଧ୍ୟ ସେ ପଡୋଶୀ ଚରଣକୁ ବିକିଦେଇଥିଲା । ପ୍ରତିବଦଳରେ ଚରଣ ସୀତାରାମକୁ ପିଇବା ପାଇଁ ପଇସା ଦିଏ । ସମୟକ୍ରମେ ସୀତାରାମର ମୃତ୍ୟୁ ଘଟିଲା । ପିତାଙ୍କ ଦାହ-କ୍ରିୟା ସମାପ୍ତ ପରେ ରାଜୁ ଚରଣକୁ ନିଜ ଦୁଃଖ ଜଣାଇ କହିଲା, “ମାଲିକ, ଏତେଦିନ ଧରି ଆପଣ ମୋତେ ଯେଉଁ ପ୍ରକାର ସାହାଯ୍ୟ କରି ଆସିଛନ୍ତି, ତାହା ମୁଁ କେବେବି ଭୁଲିବି ନାହିଁ । ଏଇ ଗ୍ରାମରେ ମୋର ମା’ଙ୍କର ମୃତ୍ୟୁ ଘଟିଥିଲା । ଏବେ ପୁଣି ପିତାଙ୍କର ବି ଦେହାନ୍ତ ହେଲା । ମୁଁ ଅନାଥ ହୋଇଗଲି । ମୋ ପକ୍ଷରେ ଏଠାରେ ରହିବା ବଡ ଦୁଃଖଦାୟକ । ତେଣୁ, ମତେ କେହି ଚିହ୍ନି ନ ଥିବା ଜାଣି ନ ଥିବା ଏପରି କୌଣସି ସ୍ଥାନକୁ ମୁଁ ଚାଲିଯିବି ତେବେ ହୁଏତ ମୋର ମନକୁ ଟିକେ ଶାନ୍ତି ମିଳିପାରେ ।” ଚରଣ ସହାନୁଭୂତି ପ୍ରକଟ କରି କହିଲା, “ତୋର ମନର କଷ୍ଟ ମୁଁ ବୁଝିପାରୁଛି । କିନ୍ତୁ ମୁଁ ନାଚାର । ତୋ’ ବାପା, ମଦ ପିଇବା ପାଇଁ ସବୁ ସମ୍ପତ୍ତି ବିକ୍ରୀ କରିଦେଲା । ତା’ପରଠାରୁ ମୁଁ ତୁମ ବାପାପୁଅ ଦୁହିଁଙ୍କର ଖର୍ଚ୍ଚ ବହନ କରି ଆସୁଛି । ଏଇ ବାବଦରେ ମୋର କେତେ ଟଙ୍କା ଖର୍ଚ୍ଚ ହେଲାଣି, ତା’ର ହିସାବ କ’ଣ ତତେ ଜଣାଅଛି କି?” ରାଜୁ ପଚାରିଲା, “ତେବେ ମତେ କ’ଣ କରିବାକୁ ପଡିବ, କୁହନ୍ତୁ?” “ତୋର ବାପା ତତେ ଚାକର ରୂପେ ମୋତେ ବିକ୍ରୟ କରିଦେଇଛି । ତଥାପି ବି ମୁଁ ତୋତେ ଚାକର ସ୍ତରରେ କେବେବି ଦେଖିବି ନାହିଁ, କି ଏପରି ବ୍ୟବହାର କରିବି ନାହିଁ । ଦିନକୁ ଦୁଇ ବକ୍ତ ଖାଇବାକୁ ଦେବି । ବାସ୍, ଏବେ ମୋ ଘରର ସବୁକାମର ଦାୟିତ୍ୱ କେବଳ ତୋ ଉପରେ । ଯଦି ତୁ ଏହା ଚାହୁଁନାହୁଁ, ତେବେ ମୋର ମାତ୍ର ତିନୋଟି କାମ କରିଦେଲେ, ତତେ ମୁଁ ସବୁଦିନ ପାଇଁ, ଏ ଗୋଲାମୀରୁ ମୁକ୍ତି ଦେବି ।” ତାଙ୍କର ଏକଥା ଶୁଣି ରାଜୁ ତତ୍କ୍ଷଣାତ୍, ସେ ତିନୋଟି କାମ କ’ଣ ତାହା ଜାଣିବା ପାଇଁ ଚାହିଁଲା । ଗ୍ରାମ ସୀମାନ୍ତରେ ଥିବା ପାହାଡିଆ ଅଂଚଳରେ, ଚରଣର ଚାରି ଏକର ଶୁଷ୍କ ଜମି ଥିଲା । ଏଥିରେ କିଛି ଫସଲ ହେଉ ନଥିଲା, କିମ୍ବା ତା’କୁ ସେହି କାରଣରୁ କେହି କ୍ରୟ କରୁ ନ ଥିଲେ । ଏହି ଜମିରୁ ଫସଲ ଉତ୍ପନ୍ନ କରିବା, ରାଜୁର ପ୍ରଥମ କାମ ଥିଲା । ରାଜୁ ନିରାଶାରେ କହିଲା “ଯେଉଁ କ୍ଷେତ ଶୁଷ୍କ, ଅଫଳନ୍ତି, ମୁଁ ସେଠାରେ କିପରି ଫସଲ ଫଳାଇ ପାରିବି? ଏପରି କାମ ମତେ ଅର୍ପଣ କରିବା, ଆପଣଙ୍କୁ ଶୋଭା ପାଉନାହିଁ ।” “ପରିଶ୍ରମୀ ଲୋକପାଇଁ କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ । ଯେ କୌଣସି ପ୍ରକାର କ୍ଷେତରୁ ଫସଲ ଉପୁଜିବା ସମ୍ଭବ । ତୁ ମୁକ୍ତ ହେବାପାଇଁ ଚାହୁଁଛୁ ତ, ପରିଶ୍ରମ କରିବାକୁ ପଡିବ । ମୁଁ ଏଥିପାଇଁ ତତେ ବାଧ୍ୟ କରୁନାହିଁ । ଫଇସଲା, ତୋ ହାତରେ ।” ଚରଣ ଚତୁରତାର ସହ ଏତିକି କହିଲା । ରାଜୁ ସେ କାମ ହାତକୁ ନେଲା ଓ ସେ ଶୁଷ୍କ ଭୂମିକୁ ସବୁଜ କରିବା ପାଇଁ କଠିନ ପରିଶ୍ରମ ଆରମ୍ଭ କଲା । ଦିନେ ସେ ଜମି ଖୋଳୁ ଖୋଳୁ ଝଣଝଣ ଶବ୍ଦ ଶୁଭିଲା । ଆଚମ୍ବିତ ହୋଇ ସେ ଆଉଟିକେ ଗଭୀରକୁ ଖୋଳିଲା । ତହିଁରୁ ଗୋଟିଏ ତମ୍ବାପାତ୍ର ମିଳିଲା । ପାତ୍ରର ଘୋଡଣୀଟି ଖୋଲିଦେବାରୁ, ସେଥିରୁ ଧୁଆଁ ବାହାରିଲା । ଚାହୁଁ ଚାହୁଁ, ସେହି ଧୁଆଁ କୁଣ୍ଡଳୀ ଭୂତର ଆକାର ନେଇ ପଚାରିଲା, “କୁହ, ତୁମର କ’ଣ ଦରକାର? ମୁଁ ତୁମର ଇଚ୍ଛା ଅବଶ୍ୟ ପୂରଣ କରିବି ।” ରାଜୁ ଚକିତ ହୋଇ ପଚାରିଲା, “ତୁମେ କିଏ? ତୁମେ କାହିଁକି ମୋର ଇଚ୍ଛା ପୂରଣ କରିବା ପାଇଁ ଚାହୁଁଛ?” ତା’ପରେ ସେ ଭୂତଟି କହିଲା “ମୁଁ ତମ୍ବାପାତ୍ରର ଭୂତ, ଏହି ପାତ୍ରଟିର ଶକ୍ତି ଅଦ୍ଭୁତ । ଏହାର ଏହି ଅଦ୍ଭୁତ ଶକ୍ତି ସାହାଯ୍ୟରେ, ଉତ୍ତମ ଲୋକଙ୍କୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ ।” ରାଜୁ ପଚାରିଲା, “ତୁମେ କିପରି ଜାଣିଲ ଯେ, ମୁଁ ଜଣେ ଉତ୍ତମ ଲୋକ ବୋଲି ।” ଭୂତ କହିଲା “ମୁଁ ଆଗରୁ ମଧ୍ୟ କହିସାରିଛି ଯେ, ଏହି ପାତ୍ରଟି ଅଦ୍ଭୁତ ଶକ୍ତି ସମ୍ପନ୍ନ ଅଟେ । କୌଣସି ଉତ୍ତମ ଲୋକ ଏହାକୁ ସ୍ପର୍ଶ କଲେ, ସେ ମତେ ପ୍ରେରଣ କରିଥାଏ ।” ରାଜୁ ଜାଣିବା ପାଇଁ ପଚାରିଲା “ଆଚ୍ଛା, ତୁମେ ଏହି ତମ୍ବାପାତ୍ର ଭିତରେ କିପରି ପ୍ରବେଶ କଲ, ମୁଁ ସେବିଷୟରେ ଜାଣି ପାରେ କି?” ତା’କଥା ଶୁଣି ଭୂତ ପରାମର୍ଶ ଦେଲା “ତୁମର ସେଥିରେ କ’ଣ ଅଛି?” ମୋ’ଠାରୁ ସାହାଯ୍ୟ ପାଇ, ନିଜର ଜୀବନ ସୁଖରେ ବିତାଅ ।” କିଛି ସମୟ ଚିନ୍ତା କରି ରାଜୁ କହିଲା, “ତେବେ ଶୁଣ । ମୁଁ ଜଣେ କ୍ରୀତ-ଦାସ । ମୁକ୍ତି ଆଶାରେ ବ୍ୟାକୁଳ ହେଉଛି । ସବୁ ପ୍ରକାର ନିର୍ଯ୍ୟାତନାକୁ ସହ୍ୟ କରୁଛି । ମୋର ଯାହା ମନେ ହେଉଛି, ତୁମେ ମଧ୍ୟ ଏହି ତମ୍ବାପାତ୍ରର ଗୋଲାମ । ଜଣେ ଗୋଲାମ ଅନ୍ୟ ଏକ ଗୋଲାମର କଷ୍ଟ ଦୂର କରିବାରେ ସହାୟକ ହେବା, ମୋ ଦୃଷ୍ଟିରେ ପାପ ଓ ଅପରାଧ ଅଟେ ।” “ପ୍ରକୃତରେ ତୁମେ ଅତି ଉତ୍ତମ ଲୋକ । ମୁଁ ଏବେ ତୁମକୁ ମୋର କାହାଣୀ ଶୁଣାଇବି । ଧ୍ୟାନର ସହିତ ତାହା ଶୁଣ ।” ଏପରି କହି ଭୂତ ତା’ କାହାଣୀଟି କହିବା ଆରମ୍ଭ କଲା । ବହୁଦିନ ପୂର୍ବେ ଦୁର୍ଜୟ ନାମକ ଜଣେ ବ୍ୟବସାୟୀ ଥିଲା । ସେ ଖୁବ୍ ଧୂର୍ତ ଓ ସ୍ୱାର୍ଥପର ଥିଲା । ନିଜ ଭାଇମାନଙ୍କର ସମ୍ପତ୍ତି ନିଜ ନାମରେ କରିନେଇ, ସେମାନଙ୍କୁ ସେ ଘରୁ ବାହାର କରିଦେଲା । ନିଜର ଅତି ଅନ୍ତରଙ୍ଗ ବନ୍ଧୁ ଗୋପୀ ସହିତ ବିଶ୍ୱାସଘାତକତା କରି ତାକୁବି ସେ ଦାଣ୍ଡର ଭିକାରୀ କରିଦେଲା । ଏଥିଉତାରେ ଗୋପୀ ଭୀଷଣ ଦୁଃଖିତ ମନରେ ଅରଣ୍ୟ ଭିତରକୁ ଯାଇ ସେଠାରେ ସେ ଘୋର୍ ତପସ୍ୟା କଲା । ଫଳସ୍ୱରୂପ ସେ ଦିବ୍ୟ-ଶକ୍ତି ହାସଲ କଲା । ଗ୍ରାମକୁ ଫେରି ଦୁର୍ଜୟକୁ ସେ କହିଲା, “ତୁମେ ତ ଅନେକ ପାପ କରୁଛ । ଏଥିରୁ ମୁକ୍ତି ପାଇବାର ମାର୍ଗ ମୁଁ ତୁମକୁ ବତାଇବି କିନ୍ତୁ ତା’ପୂର୍ବରୁ ତୁମର ସମସ୍ତ ଧନସମ୍ପତ୍ତି ଦରିଦ୍ରଲୋକଙ୍କୁ ବାଂଟିଦିଅ ।” ଦୁର୍ଜୟ, ଗୋପୀ କଥାରେ ସମ୍ମତ ହେଲା । କିନ୍ତୁ ଚତୁରତାର ସହିତ, ନିଜର ପରିଚିତ ଆତ୍ମୀୟମାନଙ୍କ ମଧ୍ୟରେ ସେ ତା’ ସମ୍ପତ୍ତି ବଂଟନ କରି, ସେମାନଙ୍କଠାରୁ ସେ ଏହି ପ୍ରତିଶ୍ରୁତି ଆଣିଲା ଯେ, ସେ ଇଚ୍ଛାକଲା ମାତ୍ରେ ସେମାନେ ସମ୍ପତ୍ତି ଫେରାଇ ଦେବେ । ଗୋପୀ ଏ ଶଠତା ବୁଝି ନ ପାରି, ଦୁର୍ଜୟ ସମ୍ମୁଖରେ ଏକ ତମ୍ବା-ପାତ୍ର ରଖି କହିଲା, “ଏହା ଅଦ୍ଭୁତ ଶକ୍ତି ସମ୍ପନ୍ନ ଅଟେ । ପବିତ୍ର ହୃଦୟରେ ଏହାକୁ ସ୍ପର୍ଶ କଲେ, ତୁମର ସମସ୍ତ ପାପ କୁଆଡେ ନାଶ ହେବ । ତା’ପରେ ଦୁହେଁ ଅରଣ୍ୟକୁ ଯାଇ, ସେଠାରେ ବାକି ଜୀବନ ଶୁଦ୍ଧପୁତ ଭାବେ ବିତାଇଲେ ।” ସେହି ତମ୍ବା-ପାତ୍ରର କେଉଁସବୁ ଅଦ୍ଭୁତ ଶକ୍ତି ରହିଛି, ଦୁର୍ଜୟ ଗୋପୀକୁ ପଚାରି ବୁଝିଗଲା । ତା’ପରେ ସେ କହିଲା, “ମୁଁ ଅରଣ୍ୟକୁ ଯିବା ପାଇଁ ଇଚ୍ଛା କରୁନାହିଁ, ଏହି ପାତ୍ରଟି ମତେ ଦେଇ, ତୁମେ ଚାଲିଯାଅ ।” ଗୋପୀ ଏଥିରେ ସମ୍ମତ ହେଲା ନାହିଁ । ଦୁର୍ଜୟ ବଳପୂର୍ବକ ସେହି ପାତ୍ରଟିକୁ ଆଣିବା ପାଇଁ ଚେଷ୍ଟା କଲା । ଏହାକୁ ସ୍ପର୍ଶ କରିବା ମାତ୍ରେ ସେ ଭୁତ ରୂପରେ, ଏହି ପାତ୍ର ମଧ୍ୟରେ ବନ୍ଦୀ ହୋଇ ରହିଗଲା । ଏପରି ଦୁର୍ଘଟଣା ଦେଖି ଗୋପୀ ଦୀର୍ଘ ଶ୍ୱାସ ପକାଇ କହିଲା “ବନ୍ଧୁତା ଖାତିରରେ ମୁଁ ତୁମକୁ ସାହାଯ୍ୟ କରି, ପାପରୁ ଉଦ୍ଧାର କରିବାକୁ ଚାହିଁଥିଲି । କିନ୍ତୁ, ଏବେ ଏହା ସ୍ପଷ୍ଟ ହୋଇଗଲା ଯେ, ତୁମେ ଏଥିପାଇଁ ମୋଟେ ଉପଯୁକ୍ତ ନୁହଁ । ବର୍ତ୍ତମାନ ମାଟିଖୋଳି ମୁଁ ତୁମକୁ ପୋତିଦେବି । ଯେଉଁଦିନ ତୁମର ସଦ୍ବୁଦ୍ଧି ଉଦୟ ହେବ, ତୁମର ଜଣେ ଉତ୍ତମ ବ୍ୟକ୍ତି ସହିତ ଭେଟ ହେବ । ତାକୁ ସହାୟତା କଲେ ଯାଇ, ତୁମର ପାପର ବିନାଶ ହୋଇ ମୋକ୍ଷ ପ୍ରାପ୍ତ ହେବ ।” ତମ୍ବାପାତ୍ର ମଧ୍ୟରେ ବନ୍ଦ ରହି ଦୁର୍ଜୟ ବହୁବର୍ଷକାଳ ଗୋପୀକୁ ମନଇଚ୍ଛା ଗାଳି, ଅଭିଶାପ ଦେଇ ଚାଲିଲା । ପ୍ରାୟ ଶହେବର୍ଷ ପରେ, ତା’ର ମନରେ ଅନୁତାପ ଆସିଲା । ଧୀରେ ଧୀରେ, ଗାଳି, ଅଭିଶାପ ଦେବା ବନ୍ଦ କରି, ନିଜର ମନ୍ଦ ଆଚରଣ
ରାଣୀ ପସନ୍ଦ ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରିମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, କେତେଲୋକ ବହୁକଷ୍ଟ କରି କାମ କରିଥା’ନ୍ତି କିନ୍ତୁ ଫଳ ଓଲଟା ହୁଏ । ନିଜକୁ ସେମାନେ ବିବେକୀ ଭାବି ଅବିବେକୀ କାମ କରନ୍ତି । ସେମାନେ ଏକପ୍ରକାରର ଆତ୍ମ ପ୍ରବଂଚନାର ଶିକାର ହୁଅନ୍ତି । ଉଦାହରଣ ସ୍ୱରୂପ ମୁଁ ରାଜା ବିଶାଳବର୍ମାଙ୍କ ଗଳ୍ପ କହିବି, ମନ ଦେଇ ମୋକଥା ଶୁଣ, ଶ୍ରମଭାର ଲାଘବ ହେବ ।” ଏତିକି କହି ବେତାଳ ଗପିଲା – ପୁରୁଣା କାଳରେ ବୈଶାଳିନୀ ନଗରୀରେ ରାଜା ବିଶାଳବର୍ମା ରାଜତ୍ୱ କରୁଥିଲେ । ଥରେ ତାଙ୍କର ଘନିଷ୍ଠ ବନ୍ଧୁବାନ୍ଧବଙ୍କ ମଧ୍ୟରେ ଜଣେ ସ୍ତ୍ରୀଲୋକ ଝିଅଟିଏ ଜନ୍ମ ଦେଇ ମରିଗଲେ । ରାଜାଙ୍କର ତ ଝିଅ ନଥିଲା । ସୁତରାଂ ସେ ସେହି ପିଲାଟିକୁ ନେଇ ପାଳିଲେ; ତା’ର ନାମ ସେ ବୈଶାଳୀ ରଖିଲେ । ସେ ବଡ ହୋଇ ଯିବାପରେ ରାଜା ତାକୁ ଏତେ ସ୍ନେହ କରୁଥିଲେ ଯେ ଭାବିଲେ ତାଙ୍କର ଏକମାତ୍ର ପୁତ୍ର ବିଜୟବର୍ମା ସହିତ ତାକୁ ବିବାହ କରାଇ ଘରେ ରଖିବେ । ବିଜୟବର୍ମା ବୈଶାଳୀକୁ ଭଉଣୀ ପରି ସ୍ନେହ କରୁଥିଲେ; କାରଣ ଶିଶୁକାଳରୁ ସେମାନେ ଏକାଠି ବଢିଛନ୍ତି । ବୈଶାଳୀ ଅତି ସ୍ନେହ ପାଇ ଟିକିଏ ଉଦ୍ଧତ ଓ ସ୍ୱାର୍ଥପର ହୋଇଥାଏ । ଏସବୁ ରାଜାଙ୍କ ସ୍ନେହ ଦୃଷ୍ଟିରେ ମୋଟେ ପଡୁ ନଥାଏ । ବିଜୟବର୍ମା ପିତାଙ୍କର ଏ ପ୍ରସ୍ତାବକୁ ଆଦୌ ସ୍ୱୀକାର କଲେ ନାହିଁ । ତେଣୁ ସେ କହିଲେ, “ଏ ରାଜ୍ୟର ଭାବି – ମହାରାଣୀ ହେବାକୁ ତା’ର କୌଣସି ଯୋଗ୍ୟତାହିଁ ନାହିଁ । ରାଜା ସେ କଥା ଶୁଣି ରାଗିଲେ, ଓ କହିଲେ, “ଓଃ ତମେ କ’ଣ ଏତେକଥା ଭାବି ଝିଅ ପସନ୍ଦ କରିବ? ବିବାହ ପରେ ସେ ନିଜେ ସବୁ ଶିଖିଯାଇ ନଥା’ନ୍ତା? ଯାହାହେଉ ତମେ ଯଦି ତାକୁ ବିବାହ କରିବାକୁ ନଚାହୁଁଛ, ତେବେ ଅନ୍ତତଃ କୁହ ତୁମ ସ୍ତ୍ରୀ ପାଇଁ କେଉଁ ଝିଅଟି ଯୋଗ୍ୟ ବୋଲି ତମେ ଭାବୁଛ?” ବିଜୟବର୍ମା କହିଲେ “ବାବା, ଆପଣଙ୍କ କଥାର ଉତ୍ତର ହେଉଛି ମୋର ସହପାଠୀ, ସେନାପତିଙ୍କ ଝିଅ ସୁମିତ୍ରା ମୋର ଖୁବ୍ ପସନ୍ଦ । କିନ୍ତୁ ଆପଣ ନଚାହିଁଲେ ପ୍ରସ୍ତାବ କରାଯିବ ନାହିଁ । ମୁଁ ମଧ୍ୟ ଆପଣଙ୍କ ମନରେ କୌଣସି ପ୍ରକାର କଷ୍ଟ ଦେବାକୁ ଚାହେଁନାହିଁ । ଆପଣ ଭାବି ଦେଖନ୍ତୁ, ବୈଶାଳୀକୁ ତ ପିଲା ଦିନରୁ ମୁଁ ମୋ ଭଉଣୀ ଭାବରେ ଦେଖିଆସିଛି, ତେଣୁ ତା’ର ମୋ ପ୍ରତି ସମ୍ମାନ ରହିବ ନାହିଁ । ମୁଁ ମଧ୍ୟ ତା’ର ଦୋଷ ତୃଟି ଦେଖାଇ ତା’ଉପରେ ରାଗି ପାରିବି ନାହିଁ ବା ସେସବୁକୁ ସଂଶୋଧନ କରି ପାରିବି ନାହିଁ । ସେ ଯେମିତି ଯିଦ୍ଖୋର୍ ଅଛି ସେମିତି ରହିବ । ସୁମିତ୍ରାକୁ ମୁଁ ସବୁକିଛି ଶିଖାଇ ପାରିବି ।” ରାଜା ରାଗିଯାଇ କହିଲେ, “କ’ଣ ହେଲା ସୁମିତ୍ରା? ସିଏ କେଉଁ ଗୁଣରେ ବା ରୂପରେ ବୈଶାଳୀଠାରୁ ଅଧିକ ଭଲ?” ବିଜୟବର୍ମା ଶାନ୍ତ ସ୍ୱରରେ କହିଲେ “ମୋତେ କ୍ଷମା କରନ୍ତୁ । ଆପଣ ଏବେ ରାଗିଯାଇଛନ୍ତି । କେବଳ ଗୋଟିଏ କଥା ଭାବିବେ ଯେ, ରୂପ ଓ ବାହାର ଗୁଣ ବ୍ୟତୀତ ଭିତରର ଅନେକ ଗୁଣ ରହିଛି ଯାହାକି ସାଧାରଣତଃ ଆମ ଦୃଷ୍ଟିରେ ପଡେ ନାହିଁ । ମଣିଷର ରୂପ ତ ବାର୍ଦ୍ଧକ୍ୟ ଅବସ୍ଥାରେ ଚାଲିଯିବ, ଗୁଣ ତ ଭଲ ଓ ମନ୍ଦ ପ୍ରଭାବରେ ପ୍ରଭାବିତ୍ତ ହୋଇପାରେ କିନ୍ତୁ ବଳିଷ୍ଠ ବ୍ୟକ୍ତିତ୍ୱ ଓ ସଦ୍ଗୁଣସବୁ ଯାହାକି ଦେଶ ଶାସନ ପାଇଁ ପ୍ରୟୋଜନ ସେସବୁ ମୋ ମତରେ କେବଳ ସୁମିତ୍ରାଠାରେହିଁ ଅଧିକ ଅଛି । ବିଶେଷତଃ ଏବିଷୟରେ ତାହାର ବୁଝିବା ଶକ୍ତି ଅଧିକ ଓ ସେ ମୋତେ ସାହାଯ୍ୟ କରିପାରିବ କିନ୍ତୁ ଆଜିପାଇଁ ଆଲୋଚନା ଏତିକିରେ ବନ୍ଦ ରହୁ । ପରେ ଏ ବିଷୟରେ କଥାବାର୍ତ୍ତା କରାଯିବ । ଏତିକି କହି ସେ ନିଜ କକ୍ଷକୁ ଚାଲିଗଲେ । ଦୁଇଦିନ ପରେ ରାଜା ପୁଣି ପ୍ରଶ୍ନ ଉଠାଇଲେ ଏବଂ ବିଜୟବର୍ମା ସେହି ଏକହିଁ ଉତ୍ତର ଦେଲେ । ରାଜା ବିରକ୍ତ ହୋଇ କହିଲେ, “ମନେହେଉଛି ତୁମର ବିବାହ ଏବେ ମୋ ପାଇଁ ଏକ ସମସ୍ୟା ହୋଇଉଠିବ ।” ବିଜୟବର୍ମା କହିଲେ “ମୁଁ ଅବଶ୍ୟ ଏ ସମସ୍ୟାର ସମାଧାନ ଭାବି ସାରିଛି । ମୁଁ ଆପଣଙ୍କୁ ଗଳ୍ପଟିଏ କହିବି ଓ ତତ୍ସମ୍ବଳିତ ପ୍ରଶ୍ନଟିଏ ପଚାରିବି । ଆପଣ ସେହିଗଳ୍ପଟି ସୁମିତ୍ରା ଓ ବୈଶାଳୀଙ୍କୁ ଶୁଣାଇବେ ଓ ସେହି ପ୍ରଶ୍ନଟି ପଚାରିବେ । ସେମାନେ ଯାହା କହିବେ ସେଥିରେ ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ ।” ରାଜା ନିରୁପାୟ ହୋଇ ପୁଅ କଥାକୁ ସ୍ୱୀକାର କଲେ, ତାଙ୍କଠାରୁ ଗଳ୍ପଟି ଶୁଣିଲେ, ପ୍ରଶ୍ନଟି ମଧ୍ୟ ଶୁଣିଲେ । ପରଦିନ ସେ ଅନ୍ତଃପୁରକୁ ଯାଇ ଦେଖିଲେ ବୈଶାଳୀ ଓ ସୁମିତ୍ରା ବୀଣା ବଜାଉଛନ୍ତି । ରାଜା ସେଠାକୁ ଯାଇ କହିଲେ, “ତୁମେ ଦୁହେଁ ମନ ଦେଇ ଶୁଣ ମୁଁ ତୁମକୁ ଗଳ୍ପଟିଏ କହିବି ଓ କିଛି ପ୍ରଶ୍ନ ପଚାରିବି ।” ତା’ପରେ ରାଜା ଗଳ୍ପଟି କହିବା ଆରମ୍ଭ କଲେ । -ବହୁଦିନ ତଳର କଥା । ସିଂହକେତୁ ଅବନ୍ତୀ ରାଜ୍ୟର ରାଜା ଥିଲେ, ତାଙ୍କର ଦୁଇଟି ସ୍ତ୍ରୀ ଥିଲେ । ପ୍ରଥମ ସ୍ତ୍ରୀଙ୍କ ନାମ ସ୍ୱର୍ଣ୍ଣଲତା ଯାହାଙ୍କୁ କି ସେ ବଂଶରୀତି ଅନୁସାରେ ବିବାହ କରିଥିଲେ, ଦ୍ୱିତୀୟ ସ୍ତ୍ରୀଙ୍କ ନାମ ଶ୍ରୀଲେଖା, ଯାହାଙ୍କର ଗୁଣ ଓ ବୈଶିଷ୍ଟ୍ୟ ଦେଖି ରାଜା ତାଙ୍କୁ ବିବାହ କରିଥିଲେ । ଥରେ ସ୍ୱର୍ଣ୍ଣଲତା ଭାବିଲେ କି ରାଜା ଶ୍ରୀଲେଖାକୁ ଅଧିକ ଭଲ ପାଉଛନ୍ତି । ଏକଥା ଭାବି ସେ ବଡ ଦୁଃଖୀ ହେଲେ । ଶ୍ରୀଲେଖା ସର୍ବଦା ପୁରୁଷ ବେଶ ଧାରଣ କରି ରାଜାଙ୍କ ସହିତ ଶିକାର କରିବାକୁ ଯାନ୍ତି ଓ ରାଜକାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରନ୍ତି । ଏସବୁ ଦେଖି ସ୍ୱର୍ଣ୍ଣଲତା ଭାବିଲେ ସେ ବି ପୁରୁଷବେଶ ଧରି ରାଜାଙ୍କ ସହ ବୁଲିବେ । ଏକଥା ଦିନେ ସେ ରାଜାଙ୍କୁ କହିଲେ । ରାଜା ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇ କିଛି କହିବାକୁ ଯାଉଛନ୍ତି । ତାଙ୍କୁ କହିବାକୁ ନ ଦେଇ ସ୍ୱର୍ଣ୍ଣଲତା କହିଲେ, “ମହାରାଜ, ମୁଁ ମଧ୍ୟ ଘୋଡାଚଢା ଓ ତରବାରୀ ଖେଳିବା ଶିଖିଛି । ତାଙ୍କ କଥାରେ ସିଂହକେତୁ ଅଳ୍ପ ହସି କହିଲେ, “ଠିକ୍ ଅଛି ତମେ ଯାହା ଚାହିଁବ ତାହା ହେବ ।” କିଛିଦିନ ପରେ ଥରେ ରାଜାଙ୍କ ସହିତ ରାଜରାଣୀ ସ୍ୱର୍ଣ୍ଣଲତା ପୁରୁଷ ବେଶରେ ଶିକାର କରିବାକୁ ଗଲେ । ଜଙ୍ଗଲରେ ବୁଲି ବୁଲି ସେମାନେ ସୈନ୍ୟମାନଙ୍କ ପାଖରୁ ଅଲଗା ହୋଇଗଲେ । ରାଜା ଥକି ଯାଇଥିଲେ ତେଣୁ ରାଜା ରାଣୀ ଶିକାରୀ ବେଶରେ ଗୋଟିଏ ଭୀଲ ଘରେ ଯାଇ ପହଁଚିଲେ । ଭୀଲ ସ୍ତ୍ରୀଟି କିଛି ପାଣି ପିଇବାକୁ ଦେବା ପରେ ମାଟି ପାତ୍ରରେ କିଛି ଖାଦ୍ୟ ଆଣି ପରଶି ଦେଲା । ରାଜା ବଡ ଆଦରର ସହିତ ତାହା ଖାଇଲେ ଓ ପ୍ରଶଂସା କଲେ । କିନ୍ତୁ ରାଣୀ ଜମା ଖାଇ ପାରିଲେ ନାହିଁ । ପରେ ରାଜାଙ୍କ ଅନୁରୋଧରେ ସେ କିଛି ମଧୁ ମଧ୍ୟ ଆଣିଦେଲେ । ତାହା ପିଇସାରିବା ପରେ ଅଳ୍ପ ବିଶ୍ରାମ କରି ସେମାନେ ସେଠାରୁ ବାହାରିଗଲେ । ଭୀଲ ସ୍ତ୍ରୀଟି କିଛିଦୂର ଆଗେଇ ଦେବାକୁ ଆସି ଫେରିଗଲା । ହଠାତ୍ ସ୍ୱର୍ଣ୍ଣଲତା କହିଲେ, “ମହାରାଜ, ଟିକିଏ ରୁହନ୍ତୁ, ମୁଁ ଆସୁଛି ।” ଏହା କହି ସେ ଦୌଡି ଦୌଡି ଭୀଲ ସ୍ତ୍ରୀ ପାଖକୁ ଯାଇ ପଚାରିଲେ ସେ ଖାଦ୍ୟ କିପରି ତିଆରି ହୁଏ । ଭୀଲ ସ୍ତ୍ରୀ ସବୁ ବତାଇ ଦେଲା । ତା’ପରେ ରାଜାରାଣୀ ନଅରକୁ ଫେରି ଆସିଲେ । ସପ୍ତାହେ ପରେ ଦିନେ ରାଣୀ ଭୀଲସ୍ତ୍ରୀର ଖାଦ୍ୟ ବନାଇ ରାଜାଙ୍କ ସ୍ୱର୍ଣ୍ଣପାତ୍ରରେ ତାହା ପରଷି ଦେଇ କହିଲେ, “ଏ ଖାଦ୍ୟ ଆପଣଙ୍କୁ ସେଦିନ ଭୀଲ ଘରେ ଭଲ ଲାଗିଥିଲା ନା?” ରାଜା ପାତ୍ରଟିକୁ ଘୁଂଚେଇ ରଖିଲେ । ତା’ପରେ ନିଜ ବେକରୁ ମୁକ୍ତାମାଳାଟିଏ କାଢି ରାଣୀଙ୍କୁ ତାହା ପିନ୍ଧାଇ ଦେଇ କହିଲେ, “ମୋ ପ୍ରତି ତୁମର ସ୍ନେହ, ପ୍ରେମ ଯୋଗୁଁ ମୁଁ ଋଣୀ । କିନ୍ତୁ ଶିରିଷ ଫୁଲ ପରି କୋମଳ ତମେ ଯଦି ସର୍ବଦା ଅନ୍ତଃପୁରରେ ରହିବ ତ ଭଲ । ମୋ ସହିତ ଜଙ୍ଗଲରେ ବୁଲି ବୁଲି କଷ୍ଟ ସହିବା ତୁମ ପାଇଁ ଉଦ୍ଦିଷ୍ଟ ନୁହେଁ । ତୁମର ସେ
ଅକ୍ଷୟପାତ୍ର କୌଣସି ଏକ ଗ୍ରାମରେ ଦରିଦ୍ର ଚାଷୀଟିଏ ଥାଏ । ତା’ର ନାମ ଦୀନୁ । ସେ ଓ ତା’ର ସ୍ତ୍ରୀ ବଡ ଧର୍ମପରାୟଣ ଥିଲେ । ସେମାନଙ୍କର ପିଲାପିଲି ଗୁଡିଏ ଥିବାରୁ ତାଙ୍କର ସବୁ ପଇସା ଖାଲି ଖାଇବାରେ ହିଁ ଯାଏ, ତାହା ମଧ୍ୟ କେବଳ ପଖାଳ ତୋରାଣୀ । ଯଦି ଭାତ ତରକାରୀ ଥରେ କେବେ ହୁଏ ତ ତାହା ସେମାନଙ୍କୁ ଭୋଜି ପରି ଲାଗେ । ଏହିପରି ଭାବେ ସେମାନେ ବଡ ଦାରିଦ୍ର୍ୟରେ ଜୀବନ ବିତାଉ ଥିଲେ ମଧ୍ୟ ଘରକୁ କେହି ଅତିଥି ଆସିଲେ ଦୀନୁ ଓ ତା’ ସ୍ତ୍ରୀ ପଖାଳ ତୋରାଣୀ କିଛି ନିଜ ଖାଇବାରୁ କାଟି ତାଙ୍କୁ ଦେଉଥିଲେ । ଦିନେ ସମଗ୍ର ପରିବାର ଖାଇବାକୁ ଯାଉଛନ୍ତି ଠିକ୍ ସେହି ସମୟରେ କବାଟ ପାଖରେ ଜଣେ ଭୋକିଲା ବାବାଜୀ ଆସି ପହଁଚିଲା । ତା’ପରେ ଦୀନୁ ଓ ତା’ ସ୍ତ୍ରୀ ନିଜ ନିଜ ଭାଗରୁ ଅଧେ ଅଧେ କାଢି ତାକୁ ଦେଲେ । ବାବାଜୀଟି ପଖାଳ ତୋରାଣୀ ମୁନ୍ଦିଏ ପିଇବାବେଳେ ଲାଗିଲା ଯେପରି ସେ ଅମୃତ ପିଉଛନ୍ତି! ଆସିବାବେଳେ ତାଙ୍କର ମୁହଁ ଶୁଖି ଯାଇଥିଲା । ଏବେ ଏତକ ଖାଇ ତାଙ୍କ ମୁହଁ ଅତି ସତେଜ ଓ ପ୍ରଫୁଲ୍ଲ ଦେଖାଗଲା । ସେ ଦୀନୁକୁ କହିଲେ, “ତୁମପରି ପୁଣ୍ୟାତ୍ମା ମୁଁ କେଉଁଠି ହେଲେ ବି ଦେଖିନାହିଁ । ଯେଉଁ ହାଣ୍ଡିରେ ତମେ ରାନ୍ଧୁଛ ତାକୁ ମୋ ପାଖକୁ ନେଇଆସ ମୁଁ ତାକୁ ‘ଅକ୍ଷୟପାତ୍ର’ ବନାଇ ଦେବି ।” ବାବାଜୀଙ୍କ କହିବାନୁଯାୟୀ ଦୀନୁର ସ୍ତ୍ରୀ ପାତ୍ରଟିକୁ ଆଣି ଦେଲା । ଏହାପରେ ସେ ବାବାଜୀ କିଛି ମନ୍ତ୍ର ପଢି ପାତ୍ର ଉପରେ ଢାଙ୍କୁଣୀ ରଖିଦେଇ କହିଲେ, “ଭବିଷ୍ୟତରେ ତୁମମାନଙ୍କର ଖାଇବା ପାଇଁ ଆଉ କେବେ ମଧ୍ୟ ଅସୁବିଧା ହେବନାହିଁ । ରାଜାଙ୍କ ରୋଷେଇ ଘରର ସବୁକିଛି ତୁମ ପାତ୍ର ଭିତରକୁ ଆସିଯିବ ।” ଏତିକି କହି ତା’ପରେ ସେ ତାଙ୍କ ରାସ୍ତାରେ ଚାଲିଗଲେ । ଦୀନୁ ଓ ତା’ର ସ୍ତ୍ରୀ ସେ ବାବାଜୀ କଥାରେ ମୋଟେ ବିଶ୍ୱାସ କଲେନାହିଁ କିନ୍ତୁ ତାଙ୍କ ସଦିଚ୍ଛାକୁ ଆଶିର୍ବାଦ ରୂପରେ ଗ୍ରହଣ କଲେ । ରାତିରେ ଦୀନୁର ସ୍ତ୍ରୀ ରାନ୍ଧିବା ପାଇଁ ପାତ୍ରଟିର ଢାଙ୍କୁଣୀ ଖୋଲି ଦେଇ କ’ଣ ଦେଖିଲେ ଅତ୍ୟନ୍ତ ଦୁର୍ଲଭ ଭୋଜନ ସାମଗ୍ରୀ ସବୁ ସେଥିରେ ଭର୍ତ୍ତି ହୋଇ ଅଛି । ସମସ୍ତେ ଆନନ୍ଦରେ ପେଟଭରି ଖାଇଲେ । ତଥାପି ମଧ୍ୟ ଖାଦ୍ୟ ଶେଷ ହେଉନାହିଁ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଓ ଆନନ୍ଦ ହେଲେ । ସେହିଦିନଠାରୁ ଦୀନୁ ଓ ତା’ର ପରିବାର ଅତି ଆନନ୍ଦରେ ବହୁ ସୁନ୍ଦର ସୁସ୍ୱାଦୁ ଖାଦ୍ୟମାନ ଖାଉଥା’ନ୍ତି । ଯିଏ ବି ତାଙ୍କ ଘରକୁ ଆସେ ତାକୁ ମଧ୍ୟ ଆଦରର ସହିତ ସେମାନେ ଖୁଆଉଥା’ନ୍ତି । କେବଳ ଖାଇବା ପରେ ଦୀନୁ ସେ ଅତିଥିମାନଙ୍କୁ ଏତିକି କହେ ଯେ, “ଏଠାରେ ଆପଣମାନେ ଯାହା ଖାଉଛନ୍ତି ସେ ବିଷୟରେ ମୋତେ କୌଣସି ପ୍ରଶ୍ନ ପଚାରିବେ ନାହିଁ, ମୋର କେବଳ ଏତିକି ନିବେଦନ ।” ଦୀନୁ ଘରେ ଭୋଜନ କରିବା ଲୋକେ ଅନ୍ୟମାନଙ୍କୁ କୁହନ୍ତି, “ଖାଇବ ତ ଦୀନୁ ଘରେ ଯାଇ ଥରେ ଖାଇଆସ । କି ଚମତ୍କାର ଖାଦ୍ୟ ।” ଏଣେ ରାଜାଙ୍କ ଘରେ କ’ଣ ହୋଇଛି ନା ଯେତେ ଖାଦ୍ୟ ରୋଷେଇ ଘରେ ତିଆରି ହୁଏ ସେସବୁ କମିଯାଏ । ରୋଷେଇଆ ରାନ୍ଧିବା ବେଳେ ସବୁଦିନେ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ତିଆରି କରେ । ଅଥଚ ସବୁଦିନେ ଖାଉଥିବା ଲୋକଙ୍କ ପାଇଁ ଏହା ପର୍ଯ୍ୟାପ୍ତ ହୁଏନାହିଁ । ସେ ଭାବିଲା ଏହା ବୋଧହୁଏ କୌଣସି ଚୋରର କାମ । ସେ ବହୁତ ଜଗିଲା କିନ୍ତୁ ଚୋର ଧରି ପାରିଲା ନାହିଁ । ଶେଷରେ ସେ ବାଧ୍ୟ ହୋଇ ଏକଥା ରାଜାଙ୍କୁ କହିଲା । ପ୍ରଥମେ ପ୍ରଥମେ ତ ସେ ରାଜା ଏକଥା ବିଶ୍ୱାସ କଲେ ନାହିଁ । କିନ୍ତୁ ପରେ ନିଜେ ଯାଇ ଦେଖିଲେ କଥାଟା ସତ୍ୟ । ଏକଥା ରାଜା ତାଙ୍କ ମନ୍ତ୍ରୀଙ୍କୁ କହିଲେ । ସେ ମଧ୍ୟ ନିଜେ ଯାଇ ଦେଖିଲେ ପ୍ରକୃତରେ ସେପରି ହିଁ ଘଟୁଛି । ରାଜପରିବାରରେ ଘଟୁଥିବା କଥା ଆଉ ବେଶି ସମୟ ଲୁଚି ରହିଲା ନାହିଁ । ସାରା ରାଜ୍ୟରେ ଏକଥା ପ୍ରଚାର ହୋଇଗଲା । ଠିକ୍ ସେହି ସମୟରେ ଦୀନୁର ଅତିଥି ସତ୍କାର କଥା ମଧ୍ୟ ପ୍ରଚାର ହୋଇଗଲା । ଏହି ଦୁଇଘଟଣା ଯେ ପରସ୍ପର ସମ୍ବନ୍ଧିତ ଏକଥା ରାଜା ଓ ମନ୍ତ୍ରୀ ଅନୁମାନ କଲେ । ମନ୍ତ୍ରୀ ରାଜାଙ୍କୁ ସବୁକଥା ଭଲଭାବରେ ବିଶ୍ଲେଷଣ କରି କହିଲେ, “ମହାରାଜ, ଦୀନୁ ଚାଷୀ ବିଷୟରେ ମୁଁ ଖବର ନେଇ ଯାହା ଜାଣିଲି ସେ ରାଜ୍ୟର ଶେଷଭାଗରେ ଘର କରି ଗୁଡିଏ ପିଲାପିଲି ଧରି ଥାଏ । ଅତ୍ୟନ୍ତ ଦରିଦ୍ର ସେ । କିନ୍ତୁ ଏବେ ସେ ଅତିଥି ସତ୍କାର କରୁଛି ଅତ୍ୟନ୍ତ ମୂଲ୍ୟବାନ୍ ଖାଦ୍ୟ ଦେଇ । ଲୋକମାନେ କହନ୍ତି କି ସେ ଜଣେ ଦେବତା । ଏଥିରୁ ଏକଥା ମଧ୍ୟ ସତ୍ୟ ବୋଲି ପ୍ରତୀତ ହେଉନାହିଁ ଯେ ସବୁଦିନେ ଦୁଇବେଳା ସେ ଆମ ରୋଷେଇ ଘରୁ ଚୋରୀ କରି ନେଉଛି । ଯଦି ବା ସେ ଚୋରୀ କରନ୍ତା ତ ତେବେ ଖାଲି ଖାଦ୍ୟ ପଦାର୍ଥ କାହିଁକି, ସେ ତ ଚାହିଁଲେ ଅନେକ ମୂଲ୍ୟବାନ୍ ଜିନିଷ ମଧ୍ୟ ନେଇଯାଇ ପାରନ୍ତା ଓ ସେଥିରେ ସାରା ଜୀବନ ସେ ସୁଖରେ ରହନ୍ତା । ତା’ଛଡା ଦିନକୁ ଦୁଇଥର ଖାଦ୍ୟ ଚୋରୀ କରିବା ପାଇଁ ରାଜମହଲରେ ପ୍ରବେଶ କରିବା କିଛି ସହଜ କଥା ବି ନୁହେଁ । ପୁଣି ବହୁତ ଖାଦ୍ୟ ସେ ଅତିଥି ସତ୍କାରରେ ଦେଇ ଦେଉଛି ।” ଏସବୁ କଥା ଶୁଣି ରାଜା କହିଲେ, “ଚାଲ ତମେ ଓ ମୁଁ ଥରେ ଛଦ୍ମବେଶରେ ଯାଇ ତା’ଘରେ ଅତିଥି ହୋଇ ପହଁଚିବା । ଅତେବ ନିଜେ କିଛି ବୁଝିବାକୁ ଚେଷ୍ଟା କରିବା ।” ଦିନେ ସେ ରାଜା ଓ ତାଙ୍କ ମନ୍ତ୍ରୀ ଛଦ୍ମବେଶରେ ମୁଣ୍ଡରେ ପଗଡି ବାନ୍ଧି ଠେଙ୍ଗା ଖଣ୍ଡେ ଖଣ୍ଡେ ଧରି ଯାଇ ଦୀନୁ ଘରେ ପହଁଚିଲେ । ରାଜମହଲରୁ ବାହାରିବା ପୂର୍ବରୁ ସେମାନେ ଦେଖି ନେଇଥିଲେ ସେଦିନ କି କି ଖାଦ୍ୟ ରନ୍ଧା ହୋଇଥିଲା । ଦୀନୁ ଘରେ ସେଦିନ ବହୁତ ଲୋକ ଖାଇବା ପାଇଁ ବସିଥା’ନ୍ତି । ରାଜା ଓ ମନ୍ତ୍ରୀ ସେଠାରେ ପହଁଚି କହିଲେ, “ମହାଶୟ, ଆମେ ଦୂର ଗାଁରୁ ଆସିଛୁ । ଏବେ ତ ଦ୍ୱିପ୍ରହର ସମୟରେ କୁଆଡେ ଯିବୁ? ଏଠାରେ କିଛି ଖାଦ୍ୟ ମିଳିବ କି?” ତହୁଁ ଦୀନୁ ବଡ ଆଦରରେ ସେମାନଙ୍କୁ ସ୍ୱାଗତ କଲା । ସେମାନଙ୍କ ପାଇଁ ପତର ପକାଇ ଦେଲା ଓ ସେମାନଙ୍କୁ ନେଇ ବସାଇଲା । ତା’ପରେ ସେ କହିଲା, “ମହାନୁଭବ, ଆମେ ଆପଣମାନଙ୍କୁ ଯାହା କିଛି ବି ଖୁଆଇବୁ, ସେସବୁ ଖାଇବା ପରେ ଆପଣ ସେ ବିଷୟରେ ମୋତେ କୌଣସି ପ୍ରଶ୍ନ କରିବେ ନାହିଁ ।” ତା’ପରେ ଖାଦ୍ୟ ପରଷା ଗଲା । ସେସବୁ ଦେଖି ରାଜା, ମନ୍ତ୍ରୀ ଜାଣିନେଲେ ଯେ ଏସବୁ ଖାଦ୍ୟ ରାଜାଙ୍କ ମହଲରେ ତିଆରି ହୋଇଥିବା ଖାଦ୍ୟ । ସେମାନେ ତ ସେଠାକୁ ଆଉ ଖାଇବା ପାଇଁ ଯାଇ ନଥିଲେ, ତେଣୁ ସେମାନେ ପଚାରିଲେ, “ବଡ ବଡ ଧନୀ ପରିବାରଙ୍କ ପାଇଁ ଯାହା କଷ୍ଟସାଧ୍ୟ ତାହା ତୁମେ କିପରି ଏଠାରେ ତିଆରି କରୁଛ?” ଏହା ଶୁଣି ଦୀନୁ ହାତଯୋଡି କହିଲା “ଦୟାକରି ଆପଣ ମୋତେ ଏ ପ୍ରଶ୍ନ ପଚାରନ୍ତୁ ନାହିଁ ।” ତା’ପରେ ସେ ଦୁହେଁ ଜିଦ୍ କରି କହିଲେ, “ଆମ ପ୍ରଶ୍ନର ଉତ୍ତର ପାଇଲେହିଁ ଆମେ ଖାଇବୁ ନହେଲେ ଉଠି ଯାଉଛୁ ।” ବିଚାରା ଦୀନୁ ଏଥର ଅନନ୍ୟୋପାୟ ହୋଇ ସବୁକଥା କହିଲା । ସବୁକଥା ଶୁଣିବା ପରେ ସେ ଦୁହେଁ ଉଠି ପଡିଲେ ଆଉ ସେ ରାଜା କ୍ରୋଧବଶରେ ତାଙ୍କ ଠେଙ୍ଗାରେ ପିଟିକରି ହାଣ୍ଡିଟି ଭାଙ୍ଗି ପକାଇଲେ ଓ ଏହାପରେ ସେ ଦୁହେଁ ସେ ସ୍ଥାନ ଛାଡି ଚାଲିଗଲେ । ଏସବୁ ଦେଖି ଦୀନୁର ସ୍ତ୍ରୀ କାନ୍ଦିବାକୁ ଲାଗିଲା । ଦୀନୁ ତା’ସ୍ତ୍ରୀକୁ ସାନ୍ତ୍ୱନା ଦେବାକୁ ଯାଇ କହିଲା “ଆରେ ଚୁପ୍ ହୋଇଯାଅ । କାହିଁକି କାନ୍ଦୁଛ? ଆମେ ତ ଏମିତି ସବୁଦିନେ ପଖାଳ ତୋରାଣୀ ହିଁ ଖାଉଥିଲେ । ଭଗବାନ୍ଙ୍କ କୃପାରୁ ଏସବୁ ମିଳୁଥିଲା । ଏବେ ଆମେ ପୁଣି ପୂର୍ବଭଳି ପଖାଳ ତୋରାଣୀ ହିଁ ଖାଇବା । ସେଥିଲାଗି ଦୁଃଖ କ’ଣ? ଯେତେ ଯାହା ହେଲେବି ଆମେ ତ ଗରିବ ଲୋକ ନା ।” ହାଣ୍ଡିଟି ଭାଙ୍ଗିଦେଇ ରାଜା ମନ୍ତ୍ରୀ ଯାଇ ରାଜନଅରରେ ପହଁଚି ଶୁଣିଲେ ରାଜାଙ୍କ ରୋଷେଇ ଘରୁ ସବୁ ଖାଦ୍ୟ କୁଆଡେ ଉଭାନ୍ ହୋଇ ଯାଇଛି । ରୋଷେଇଆ କହିଲା, “ମହାରାଜ, ଚୁଲି ଉପରୁହିଁ ପାତ୍ରରୁ ଖାଦ୍ୟ ଉଭେଇ ଯାଉଛି । ଯେତେଥର ଭର୍ତ୍ତିକଲେ ମଧ୍ୟ ପର ମୁହୂର୍ତ୍ତରେ ତାହା ଖାଲି ହୋଇଯାଉଛି ।” ଏତେବେଳ ପର୍ଯ୍ୟନ୍ତ ସେ ରାଜା ନିଜେ ବି ଖାଇ ନାହାଁନ୍ତି । ଏଣେ ଖାଦ୍ୟ ନାହିଁ । ତେଣୁ ବାଧ୍ୟହୋଇ ମନ୍ତ୍ରୀ ତାଙ୍କ ଘରୁ ବହୁତ ଖାଦ୍ୟ ପଠାଇଲେ
ଘୋଡା ଭଡା ଚାନ୍ଦିପୁର ଗ୍ରାମରେ ମୋହନ ଓ ଶେଖର ନାମକ ଦୁଇଜଣ ଚାଷୀ ଥିଲେ । ମୋହନ ଜଣେ ସାଧାସିଧା ଓ ସରଳ ଲୋକ । କିନ୍ତୁ ଶେଖର ବହୁତ ବୁଦ୍ଧିମାନ୍ । ମୋହନର ସାଧୁପଣିଆରୁ ବହୁ ସ୍ଥାନରେ ତାକୁ ଲୋକେ ଠକନ୍ତି । କନ୍ଦମୂଳ ଆମଦାନୀ ପରେ ମୋହନ ଚାହିଁଲା ସେଗୁଡିକ ନେଇ ସହରରେ ବିକିଲେ କିଛି ଅଧିକ ପଇସା ପାଇବ । ସେଥିପାଇଁ ସେ ତା’ର ବନ୍ଧୁ ଶଙ୍କର ପାଖକୁ ଯାଇ କହିଲା, “ଭାଇ ଶଙ୍କର ଦିନକ ପାଇଁ ତୋ ଘୋଡାଟିକୁ ଦେଲେ ମୁଁ ସହରକୁ ଯାଇ ସେଠାରେ କନ୍ଦମୂଳ ଗୁଡିକ ବିକ୍ରି କରି ସଂଧ୍ୟା ସୁଦ୍ଧା ଫେରି ଆସନ୍ତି ।” ଶଙ୍କର କହିଲା, “ଭାଇ, ଏଇଟା କ’ଣ ଆଉ ବଡ କଥା । ହେଲେ ମୋ ଘୋଡା ତ କାଲିଠାରୁ କୁଆଡେ ପଳାଇଛି । ତେବେ ତୁ ରବି ଘରକୁ ଯାଇ ତା’ ଘୋଡାଟି ମାଗିପାରୁ । ଅବଶ୍ୟ ସିଏ ଟିକିଏ କଞ୍ଜୁସ୍ ।” ତା’ପରେ ମୋହନ ଯାଇ ରବି ଘରେ ପହଁଛି ତାକୁ ସବୁକଥା କହିଲା । ରବି କିଛି ସମୟ ଚିନ୍ତା କରି କହିଲା, “ଘୋଡା ତ ଦେବି, କିନ୍ତୁ ସେଥିପାଇଁ ତୋତେ ଭଡା ଦେବାକୁ ପଡିବ ।” ମୋହନ ବିଚରା କ’ଣ କରିବ । ବଡ ବ୍ୟସ୍ତ ହୋଇ ସେ କହିଲା, “ଏବେ ତ ମୋ ପାଖରେ ଫଟା ପାହୁଲାଟିଏ ସୁଧା ନାହିଁ । ମୁଁ ଭାବିଥିଲି ତମେ ଶଙ୍କର ପରି ଦିନକ ପାଇଁ ଘୋଡାଟି ସେମିତି ଦେବ । ନିହାତି ଯଦି କିଛି ଚାହଁ ତେବେ ମୁଁ ସହରରୁ ଫେରିଲେ ଅଳ୍ପ କିଛି ଦେବି ।” “ନା, ନା, ମୁଁ ସେମିତି କାହାକୁ ଘୋଡା ଦିଏ ନାହିଁ । ଯଦି ପ୍ରକୃତରେ ତମର ଘୋଡାଟି ଦରକାର ତେବେ ଭଡା ବାବଦ ପନ୍ଦରଟି କଖାରୁ ଦେଇ ଦିଅ ।” ମୋହନ କହିଲା “ଏଁ, ପନ୍ଦରଟି କଖାରୁ? ମୋ ଘରେ ତ ଏ ବର୍ଷର ଫସଲରୁ ଆଉ ମାତ୍ର ପାଞ୍ଚଟି କଖାରୁ ଅଛି ।” ରବି କହିଲା “ଆଚ୍ଛା ଏବେ ନିଜ ଘରୁ ପାଞ୍ଚଟି ଓ ଅନ୍ୟ କେଉଁଠୁ ଦଶଟି ମିଶାଇ ଆଣ । ତେବେ ଯାଇ ମୋ ଘୋଡାକୁ ତୁମେ ପାଇବ ।” ବିଚରା ମୋହନ ଆଉ କିଛି କହି ନପାରି ରବିର ସର୍ତ୍ତ ମାନିନେଲା । ସେ ରବି ଘରେ ନେଇ ପାଞ୍ଚଟି କଖାରୁ ଦେଇ ଆସିଲା । ତା’ପରେ ଦଶଟି ଯୋଗାଡ କରିବାକୁ ବାହାରି ଗଲା । ରାସ୍ତାରେ ତା’ର ଶଙ୍କର ସହିତ ଦେଖା ହେଲା । ଶଙ୍କର କହିଲା, “ଭାଇ ମୋହନ, ତୋ ଭାଗ୍ୟ ଭଲ, ମୋ ଘୋଡା ଫେରି ଆସିଛି । ତୁ ଏବେ ତାକୁ ନେଇପାରୁ ।” ମୋହନ କହିଲା “କିନ୍ତୁ ମୁଁ ତ ରବିକୁ କଥା ଦେଇ ଫେରିଛି । ଆଉ ତା’ ଘୋଡାର ଭଡା ପନ୍ଦରଟି କଖାରୁ । ସେଥିରୁ ପାଞ୍ଚଟି ତ ମୁଁ ଦେଇଛି । ଏବେ ଆଉ ଦଶଟି ଯୋଗାଡ ଯନ୍ତ୍ର କରିବାକୁ ମୁଁ ଯାଉଛି । ଏବେ ପୁଣି କ’ଣ ହେବ?” “ଠିକ୍ ସେହି ସମୟରେ ଶେଖର ସେଇ ବାଟଦେଇ ଯାଉଥିଲା । ସେଠାକୁ ଆସି ସେ ସବୁକଥା ଶୁଣିଲା । ତା’ପରେ ସେ କହିଲା, “ମୋହନ ତୁ ଏବେ ରବି ପାଖକୁ ଯାଇ କହ କି ତୋର ଘୋଡା ଆଉ ଦରକାର ନାହିଁ । ସେ ତୋର ସେ ପାଞ୍ଚଟି କଖାରୁ ଫେରସ୍ତ ଦେଇ ଦେଉ ।” ମୋହନ କହିଲା “ରବିକୁ ଦେଖିଲେ ତ ମୋତେ ଭାରି ଭୟ ଲାଗେ । ମୁଁ ତାକୁ ପୁଣି ଏତେ କଥା କିପରି କହିବି?” ଶେଖର କହିଲା “ଚାଲ, ମୁଁ ବି ତୋ ସହିତ ଯିବି ଓ ତୋ କଖାରୁତକ ତା’ଠାରୁ ଫେରାଇ ଆଣିବି ।” ଏବେ ମଜା ଦେଖିବାକୁ ଶଙ୍କର ମଧ୍ୟ ସେମାନଙ୍କ ସଙ୍ଗରେ ଗଲା । ତିନିଜଣ ବନ୍ଧୁ ଯାଇ ରବି ଘରେ ପହଁଚିଲେ । ରବି ସେ ତିନିଜଣଙ୍କୁ ଦେଖି ପଚାରିଲା, “କଥା କ’ଣ?” ତହୁଁ ସେ ଶେଖର କହିଲା ତୁମ ଘୋଡା ଦେଖିବାକୁ ଆସିଛୁ । କାହିଁ ତୁମ ଘୋଡା? ରବି କହିଲା “ତୁମ ସାମନାରେ ପରା ସେ ଠିଆ ହୋଇଛି । କିନ୍ତୁ ବାକି ଦଶଟି କଖାରୁ ନ ଦେଲେ ତ ମୁଁ ଏ ଘୋଡା ଦେଉନାହିଁ ।” “ଠିକ୍ ଅଛି, ଆମେ ତ ଦେବାକୁ ମନା କରୁନାହୁଁ । ତେବେ ଦେଖିବାକୁ ହେବ ଯେ ସେ ଘୋଡାଟି ଆମ କାମ ତୁଲାଇ ପାରିବ ନା ନାହିଁ ।” ଏତିକି କହି ଶେଖର ଯାଇ ସେ ଘୋଡାର ପିଠି ମାପିବାକୁ ଲାଗିଲା । ପିଠି ମାପୁ ମାପୁ ଶେଖର କହିଲା, “ମୋହନ, ତୋ ପାଇଁ ଦୁଇଚାଖଣ୍ଡ ସ୍ଥାନ ଦରକାର, ଆଉ ତୋ ପଛରେ ମୁଁ ବସିବା ପାଇଁ ଦେଢଚାଖଣ୍ଡ ସ୍ଥାନ ଦରକାର । ପୁଣି ମୋ ପଛରେ ମୋ ସ୍ତ୍ରୀ ବି ବସିବ । ତା’ ପାଇଁ ଅନ୍ତତଃ ଦୁଇଚାଖଣ୍ଡ ଲୋଡା । କିନ୍ତୁ ତୋ ସ୍ତ୍ରୀ ତ ଟିକିଏ ମୋଟା ନା? ତା’ ପାଇଁ ଦୁଇଚାଖଣ୍ଡ ଚାରି ଆଙ୍ଗୁଳି ସ୍ଥାନ ରଖିବା । ତାକୁ ଆଗରେ ବସାଇଲେ ଛୁଆମାନେ ପୁଣି କେଉଁଠି ବସିବେ? ତୋ ଝିଅଟି ତ ନିହାତି ସାନ ତାକୁ ଘୋଡାର ବେକ ଉପରେ ବସାଇ ଦେବା । ସାନପୁଅ ପାଇଁ ଜାଗା ଦରକାର ନାହିଁ । ସେ ତୋ ସ୍ତ୍ରୀ କୋଳରେ ବସିଯିବ ।” ଏ ସବୁକଥା ଶେଖରଠାରୁ ଶୁଣି ରବି ରାଗରେ ଥରିଲାଣି । ସେ ଚିତ୍କାର କରି କହିଲା, “ବାସ୍, ସେତିକି ଥାଉ, ତମର ଆଉ ବୁଦ୍ଧିଭ୍ରଂଶ ହୋଇନାହିଁ ତ? କ’ଣ ଗୋଟିଏ ଘୋଡା ପିଠିରେ ଏତେ ଲୋକ ବସି ଯିବେ?” ଶେଖର ପଚାରିଲା “ଆରେ ଭାଇ, ସେକଥା ତ ଘୋଡା ବୁଝିବ । ଆମ ସମସ୍ୟା ହେଲା ଏତେଲୋକ ଘୋଡା ଉପରେ ବସି ଯାଇପାରିବେ ନା ନାହିଁ । ଆମେସବୁ ତୀର୍ଥ ବୁଲି ଯିବୁ ତ ସେଥିପାଇଁ ।” ରବି କହିଲା “ତୀର୍ଥ ଯାଅ କି ନର୍କକୁ ଯାଅ, କିନ୍ତୁ ମୋ ଘୋଡା ଉପରେ ଦୁଇଟା ବଂଶ ପୁରା ବସି ଯିବାକୁ କିଏ କହିଲା । ଏ ଅବସ୍ଥାରେ ମୁଁ ଘୋଡା ଆଦୌ ଦେଉ ନାହିଁ । କେବଳ ସହରକୁ ଯିବା ଆସିବା ପାଇଁ ମୁଁ ଘୋଡା ଦେବାକୁ ରାଜି ହୋଇଥିଲି ।” ଶେଖର କହିଲା “ସହରକୁ ଯାଇ କ’ଣ ତୀର୍ଥ କରି ହେବ ମପାମପି କରି ଦେଖିଲି ଘୋଡା ପିଠି ଉପରେ ଜାଗା ଅଛି । ଟିକିଏ ଅସୁବିଧା ହେଲେ ବି ଚଳିଯିବ ।” ରବି କହିଲା “ଘୋଡା ନେବା ପୂର୍ବରୁ ତମେ ଏସବୁ କଥା କହିଲ ଭଲ କଲ । ନହେଲେ ତ ମୋ ଘୋଡାଟି ମରି ଯାଇଥା’ନ୍ତା । ମୁଁ ତୁମକୁ ଘୋଡା ଦେଉନାହିଁ । ବୁଝିଲ?” “ତମେ ତ ଘୋଡା ଦେବାକୁ କଥା ଦେଇଛ । ଆମେ ସେହି ଅନୁସାରେ ସବୁ ପ୍ରସ୍ତୁତ କରିଛୁ । ଏବେ ଆମର ଜିନିଷ ସବୁ ନଷ୍ଟ ହେବ । କଥା ଦେଇ ପୁଣି ଠକାଉଛ? ଏବେ ତାହେଲେ ଥାନାକୁ ଚାଲ ।” ପୁଣି ମୋହନକୁ ଅନାଇ ସେ କହିଲା, “ଆରେ ମୁଁ ତ ତୋ ବୁଢୀମା କଥା ପୁରାପୁରି ଭୁଲି ଯାଇଥିଲି । ସିଏ ବି ଯିବ ପୁଣି ଜିନିଷ ପତ୍ର କିଛି କିପରି ଲଟକାଇ ନେବା ସେସବୁ ଭାବି ଠିକ୍ କର ।” ରବି ରାଗିକରି କହିଲା “କୌଣସି ସର୍ତ୍ତରେ ବି ମୁଁ ଘୋଡା ଦେଉନାହିଁ । ତମେ କ’ଣ ମୋ ଘୋଡାକୁ ମାରି ଦେବାକୁ ଚାହଁ?” ଶେଖର କହିଲା “କହିଦେଲେ ହେଲା? ଠକେଇ ଅଭିଯୋଗରେ ତୁମକୁ ଏବେ ମୋ ସହିତ ଥାନାକୁ ଯିବାକୁ ହେବ । କଥା ଦେଇଛ ପୁଣି ଅଗ୍ରୀମ ପାଞ୍ଚଟି କଖାରୁ ନେଇ ଏବେ ମନା କରୁଛ?” ରବି କହିଲା “ତୁମ ପାଞ୍ଚଟି କଖାରୁ ଏବେ ନିଅ । ଏଠୁ ଯାଅ ।” ଶେଖର କହିଲା “ତମେ ତ ପନ୍ଦର କଖାରୁରେ ରାଜି ହୋଇଥିଲ । ଦଣ୍ଡ ସ୍ୱରୂପ ଆଉ ଦଶଟି ନ ଦେଲେ ଥାନାକୁ ଗଲି ।” ରବି ରାଗିକରି କହିଲା “କିନ୍ତୁ ମୋହନ ତ ପାଞ୍ଚଟି କଖାରୁ ଦେଇଥିଲା ।” ଶେଖର କହିଲା “ତେବେ ଦଣ୍ଡସ୍ୱରୂପ ତମକୁ କିଛି ଦେବାକୁ ତ ହେବ ।” ରବି ରାଗିଯାଇ ଆଉ କିଛି ଅଧିକା କଖାରୁ ଦେଇ କହିଲା, “ବାବା ଏଥର ଯାଅ ଆଉ
ଦେଢଶହ ବର୍ଷର ଅପେକ୍ଷା ବିଶ୍ୱନାଥ ଆଚାର୍ଯ୍ୟ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ଆୟୁର୍ବେଦ ସମ୍ପର୍କରେ ସେ ଅନେକ ପ୍ରାଚୀନ ପୋଥିପତ୍ର ସଂଗ୍ରହ କରିଥିଲେ । ତେବେ ଆୟୁର୍ବେଦ ସମ୍ପର୍କରେ ପୋଥିପତ୍ର ସଂଗ୍ରହ କରିବା ଅବସରରେ ଅନ୍ୟାନ୍ୟ ଅନେକ ପ୍ରକାର ବିଦ୍ୟା ଉପରେ ଲିଖିତ ପୁରୁଣା ପୋଥି ମଧ୍ୟ ତାଙ୍କ ଆୟତକୁ ଆସି ଯାଇଥିଲା । ଦିନେ ସେ ଖଣ୍ଡିଏ ପୁରୁଣା ତନ୍ତ୍ର ପୋଥି ପଢି ଦେଖିଲେ, କୌଣସି ଏକ ଶନିବାରରେ ଅମାବାସ୍ୟା ପଡିଲେ ସେଦିନ ଆଖିରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର ଅଞ୍ଜନ ଲଗାଇ ବାହାରିଲେ ପୋତାଧନ ଦେଖାଯାଏ । ସେ କୌତୁହଳୀ ହୋଇ ସେଭଳି ଅଞ୍ଜନ ପ୍ରସ୍ତୁତ କଲେ । ବର୍ଷକ ପରେ ଅମାବାସ୍ୟା ଓ ଶନିବାର ଏଦୁହେଁ ଏକତ୍ର ପଡିବାରୁ ସେ ଆଖିରେ ଉକ୍ତ ଯାଦୁ ଅଞ୍ଜନ ଲଗାଇ ବାହାରି ପଡିଲେ । ସେତେବେଳକୁ ସୂର୍ଯ୍ୟାସ୍ତ ସମୟ । ଗାଁ ରାସ୍ତାରେ ବିଶେଷ କେହି ଚଳପ୍ରଚଳ ହେଉ ନଥିଲେ । ଆଚାର୍ଯ୍ୟ ବାଟ ଚାଲିଲାବେଳେ କାହାରି ଘର ଆଡକୁ ବା ହତା ଭିତରକୁ କେବେବି ଅନାନ୍ତି ନାହିଁ । କିନ୍ତୁ ସେଦିନ ସେ ବାମ ଡାହାଣ ଚାରିଆଡେ ଅନାଇ ଦେଖୁଥାନ୍ତି । ଗାଁ ମଝି ମନ୍ଦିର ଆଗରେ ଗୋଟିଏ ପୁରୁଣା ପୋଖରୀ ଥାଏ । ସେଠି ଠିଆ ହୋଇପଡି ସେ ଭଲ ଭାବରେ ମାଟି ଉପରକୁ ଦୃଷ୍ଟିପାତ କଲେ । ପ୍ରଥମେ ତ ସେ କିଛିବି ଦେଖିପାରିଲେ ନାହିଁ । ମାତ୍ର ତା’ପରେ ଧିରେ ଧିରେ ତାଙ୍କୁ ଦେଖାଗଲା, ମାଟି ତଳେ କେଉଁଠି ପଇସାଟିଏ ପୋତି ହୋଇ ରହିଛି ତ ଆଉ କେଉଁଠି ସୁଉକିଟିଏ ବା ଟଙ୍କାଟିଏ । ସେ ବୁଝିପାରିଲେ, ଭକ୍ତମାନଙ୍କ ହାତରୁ ଏସବୁ ଖସି ପଡିଛି । କିମ୍ବା ମେଳା ବେଳେ କୌଣସି କୌଣସି ଦୋକାନୀଙ୍କ ତହବିଲ୍ରୁ କିଛି ପଇସା ଦୈବାତ୍ ପଡିଯାଇ ମାଟି ଭିତରେ ତାହା ରହି ଯାଇଛି । ତେବେ ସେସବୁ ଗୋଟାଇବାକୁ ତାଙ୍କର ଆଉ ଆଗ୍ରହ ହେଲା ନାହିଁ । ତେବେ ସେ ଅଞ୍ଜନର ଗୁଣ ସମ୍ପର୍କରେ ସେ ନିଶ୍ଚିତ ହୋଇ ଆଗକୁ ଚାଲିଲେ । ଗାଁ ବାହାରେ ଖଣ୍ଡିଏ ଜମି ଉପରେ ତାଙ୍କ ଆଖି ପଡିଲା । ସେ ସତକୁ ସତ ଦେଖି ପାରିଲେ, ସେ ଜମିତଳେ ଗୋଟିଏ ସୁନାଭର୍ତ୍ତି ପେଡି ପୋତା ହୋଇଛି । ସେ ଜମିଖଣ୍ଡିକ ଜମିଦାରଙ୍କର । ତେଣୁ ସେ ଠିକ୍ କଲେ, ପରଦିନ ଯାଇ ଜମିଦାରଙ୍କୁ ସେ ପୋତାଧନର ଖବର ଦେବେ । ସ୍ଥାନଟି ଠିକ୍ ନିରୂପଣ କରିବା ନିମନ୍ତେ ସେ ସେଠାରେ ଖଣ୍ଡିଏ ବାଡି ପୋତିଦେଲେ । ଠିକ୍ ମଝି ରାତିରେ ହଠାତ୍ ତାଙ୍କ ନିଦ ଭାଙ୍ଗିଗଲା । ସେ ଦେଖିଲେ, ତାଙ୍କ ଖଟ ପାଖରେ ଗୋଟିଏ ବାୟବୀୟ ମୂର୍ତ୍ତି ଠିଆ ହୋଇଛି । ଏହା ଦେଖି ସେ ଚମକି ଉଠିଲେ । ମୂର୍ତ୍ତିଟି କହିଲା, “ଆଚାର୍ଯ୍ୟ! ତମେ ଆଜି ସେ ଜମି ଉପରେ ବାଡି କାହିଁକି ପୋତିଲ?” ଆଚାର୍ଯ୍ୟ ଏ ପ୍ରଶ୍ନର ଉତ୍ତରରେ କ’ଣ କହିବେ ବୋଲି କିଛି ଠଉରାଇ ନପାରି ଶେଷରେ ସେ ନୀରବ ରହିଲେ । ସେ ଅସ୍ପଷ୍ଟ ମୂର୍ତ୍ତି କହିଲା, “ମୁଁ ଜାଣେ, ସେଠି ଥିବା ପୋତାଧନ ତମ ଆଖିରେ ପଡିଛି । ସେ ଧନ କିନ୍ତୁ ମୋ ବଂଶଧର ମାଧବ ମିଶ୍ର ପାଇବା ଉଚିତ୍ । ଆଜିକୁ ପ୍ରାୟ ଦେଢଶହ ବର୍ଷ ଧରି ମୁଁ ଅପେକ୍ଷା କରିଛି – ମୋର କୌଣସି ବଂଶଧର ତାହା ପାଇଲେ ମୁଁ ଶାନ୍ତି ପାଇବି । କାରଣ ତାହା ମୋର ଉପାର୍ଜିତ ଧନ!” ଆଚାର୍ଯ୍ୟ ଉଠି ବସି ରାମନାମ ସ୍ମରଣ କରି କହିଲେ, “ଶୁଣ, ମାଧବ ମିଶ୍ରର ଜେଜେବାପା ଋଣଗ୍ରସ୍ତ ହୋଇଯାଇ ସବୁ ଜମି ବିକ୍ରିବଟା କରିଦେଲେ । ସେ ଜମି ବର୍ତ୍ତମାନ ଜମିଦାରଙ୍କର । ମାଧବ ସେ ଧନ କିପରି ପାଇବ? ତା’ଛଡା ମାଧବ ସେ ଧନ ପାଇଗଲେ ଯେ ତମେ ଶାନ୍ତି ପାଇଯିବ, ଏଭଳି କଥା ନୁହେଁ । ମୋର ଯେତିକି ଶାସ୍ତ୍ରଜ୍ଞାନ ଅଛି, ସେଥିରୁ ମୁଁ କହିବି, ସେ ଅର୍ଥ କୌଣସି ଏକ ପୂଣ୍ୟ କାର୍ଯ୍ୟରେ ଲାଗିଲେ ଯାଇ ତମେ ଶାନ୍ତି ପାଇବ । ତମେ ମାଧବର କେଉଁ ପୂର୍ବପୁରୁଷ ତା ତ ମୁଁ ଜାଣେନା । କିନ୍ତୁ ସେ ବଂଶ ପୁରୋହିତ ବଂଶ । ତମେ ପୁରୋହିତ ଭାବରେ ଏତେ ସୁନା ଅର୍ଜନ କରିଥିଲ, ସେକଥା ତ ମୁଁ କଦାପି ମଧ୍ୟ ବିଶ୍ୱାସ କରିପାରିବି ନାହିଁ । ଯଦିବା ଅର୍ଜନ କଲ, ତେବେ ତାକୁ କାହିଁକି ଲୁଚାଇଲ?” ଏହାଶୁଣି ସେ ବାୟବୀୟ ରୂପ ନୀରବ ରହିଲା । ଆଚାର୍ଯ୍ୟ କହିଲେ “ବେଶ୍ । ମୁଁ ଏପରି ବ୍ୟବସ୍ଥା କରିବି, ଯାହା ଦ୍ୱାରା ସେ ଅର୍ଥରେ ବହୁତ ପୁଣ୍ୟକାର୍ଯ୍ୟ ହେବ, ତା’ ସଙ୍ଗେ ସଙ୍ଗେ ମାଧବ ବି ଖୁବ୍ ଖୁସିରେ ରହିବ । ଅପେକ୍ଷା କର ।” ଏହାପରେ ସେ ବାୟବୀୟ ରୂପ ଅନ୍ତର୍ହିତ ହୋଇଗଲା । ପରଦିନ ଆଚାର୍ଯ୍ୟ ଯାଇ ଜମିଦାରଙ୍କୁ କହିଲେ, “ମହାଶୟ, ମୁଁ ଗୋଟିଏ ଶିବମନ୍ଦିର ଗଢିବାକୁ ମନସ୍ଥ କରିଛି ।” ଜମିଦାର ବୈଦ୍ୟରାଜ ତ ସେ ଆଚାର୍ଯ୍ୟଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ । ସେ କହିଲେ, “ଏହା ତ ଅତି ଆନନ୍ଦର କଥା । ଏବେ କୁହନ୍ତୁ ଆପଣ ମୋଠୁଁ କେତେ ଚାନ୍ଦା ଆଶା କରୁଛନ୍ତି?” ଆଚାର୍ଯ୍ୟ କହିଲେ “ମହାଶୟ, ଅର୍ଥ ଆକାରରେ ଚାନ୍ଦା ଆଦୌ ଦରକାର ନାହିଁ । ମୋତେ ଖାଲି ଜମି ଖଣ୍ଡିଏ ଦିଅନ୍ତୁ ।” ତା’ପରେ ସେ ପୋତାଧନ ଥିବା ଜମିଖଣ୍ଡିକ ମାଗିଲେ । ଜମିଦାର ବିନା ଦ୍ୱିଧାରେ ସେଥିରେ ସମ୍ମତ ହେଲେ । କବିରାଜ ସମିତିଟିଏ ଗଢି ତା’ ନାମରେ ଜମିଟି ଲେଖାଇନେବା ପରେ ପୋତାଧନ ଥିବା ସ୍ଥାନ ଖୋଳି ତହିଁରୁ ଧନ ବାହାର କଲେ ଓ ସେଥିରେ ସେ ଏକ ମନ୍ଦିର ଗଢିଲେ । କିନ୍ତୁ ସେଥିରେ ସେ ମାଧବ ମିଶ୍ରଙ୍କୁ ଆଜୀବନ ପୂଜକ ଭାବରେ ନିଯୁକ୍ତ କଲେ । ଏଣେ ମାଧବ ମିଶ୍ରଙ୍କ ଆନନ୍ଦ କହିଲେ ନ ସରେ । ମନ୍ଦିର ପ୍ରତିଷ୍ଠା ହେବା ପରେ ପରେ ଦିନେ ରାତିରେ ସେ ମୂର୍ତ୍ତିଟି ଆସି ଆଚାର୍ଯ୍ୟଙ୍କୁ କହିଲା, “ଆଚାର୍ଯ୍ୟ, ତମକୁ ଅନେକ ଅନେକ ଧନ୍ୟବାଦ । ଆଜି ମୋତେ ମୁକ୍ତି ମିଳିଲା ।”
ଦୁଷ୍ଟା ଦାସୀ ଅନେକ ଦିନ ତଳର କଥା । ଇବୋ ନାମକ ରାଜ୍ୟରେ ଗୋଟିଏ ସୁନ୍ଦରୀ ଝିଅ ଥିଲା । ତା’ର ନାମ ଆକିମ୍ । ଆକିମ୍ର ବାପ ମା ତାକୁ ବାହା ଦେବା ପାଇଁ ଖୋଜି ଖୋଜି ଗୋଟିଏ ଭଲ ବର ଯୋଗାଡ କଲେ । ତା’ପରେ ବାହାଘରର ଆୟୋଜନ ମଧ୍ୟ ହେଲା । ସେ ଦେଶର ନିୟମ ଅନୁସାରେ କନ୍ୟାକୁ ତ ବର ଘରକୁ ପଠାଯାଏ । ସେହିଠାରେ ଯାଇ ଦୁହେଁ ବିବାହ କରି ରହନ୍ତି । ଏଣୁ ସେ ଆକିମ୍ର ମା ବଜାରରୁ ସବୁ ଦରକାରୀ ଜିନିଷ କିଣି ଆଣିଲେ । ସେ ଆକିମ୍ ପାଇଁ ଗୋଟିଏ ଚାକରାଣୀ ବି ଠିକ୍ ହୋଇଥାଏ । ଆଉ ସେ ଆକିମ୍ ଯେପରି ତା’ଘରକଥା ଭାବି ବେଶି କନ୍ଦାକଟା ନ କରେ ସେଥିପାଇଁ ତା ସାନ ଭଉଣୀକୁ ମଧ୍ୟ ଆକିମ୍ ସାଙ୍ଗରେ ପଠାଯାଇଥାଏ । ଗାଁ ଲୋକେ ଖୁସି ମନରେ ଆକିମ୍କୁ କଲ୍ୟାଣ କରି ବିଦାୟ ଦେଲେ । ତା’ପରେ ବିଦାହୋଇ ସେ ତିନିଜଣଯାକ ଗାଁରୁ ବାହାରିଲେ । ଆଗରେ ଚାକରାଣୀ ବଡ ଗଣ୍ଠିଲିଟି ମୁଣ୍ଡେଇ ଚାଲୁଥାଏ । ତା ପଛକୁ ଆକିମ୍ । ସେ ଅଳଙ୍କାର ଓ ଲୁଗାପଟା ଧରି ଚାଲିଥାଏ । ସବା ପଛରେ ସାନଭଉଣୀ । ବହୁତ ରାସ୍ତା ଯିବାପରେ ସେମାନେ ଗୋଟିଏ ନଈ ପାଖରେ ଯାଇ ପହଁଚିଲେ । ସେଠାରୁ ଆକିମ୍ର ସ୍ୱାମୀଘର କମ୍ ବାଟ । ସେହି ନଈରେ ଗାଧୋଇ ପଡି ନୂଆ ଲୁଗାପଟା ଓ ଅଳଙ୍କାର ପିନ୍ଧିବାକୁ ଆକିମ୍ ସ୍ଥିରକଲା । ତେଣୁ ସେ ଆକିମ୍ ଓ ତା’ର ଚାକରାଣୀ ପାଣିରେ ପଶିଲେ । ସେ ଚାକରାଣୀଟା ତ ବଡ ବଦମାସ୍ । ସେ ଖାଉନ୍ଦାଣୀକୁ ସାହାଯ୍ୟ କରିବାର ଛଳନା କରି ଆକିମ୍କୁ ନଈ ଭିତରକୁ ଠେଲିଦେଲା । ଫଳରେ ସେ ଆକିମ୍ ନଈରେ ବୁଡିଗଲା । ଏଣେ ତା’ସାନ ଭଉଣୀ ପାଟିକରି ଅନେକ କାନ୍ଦିଲା । ମାତ୍ର ଚାକରାଣୀ ତାକୁ ଧମକାଇ ଦେଲା । ଆଉ କହିଲା ଯଦି ସେ ପାଟିକରେ ବା କାହାକୁ ଏ ଘଟଣା ବାବଦରେ କିଛିବି କହେ, ତେବେ ତା ପ୍ରାଣ ଆଉ ରହିବ ନାହିଁ । ତେଣୁ ଜୀବନ ଭୟରେ ସାନ ଚୁପ୍ ରହିଲା ଓ ଚାକରାଣୀ କଥା ମାନିଲା । ଚାକରାଣୀ ନଈରେ ପଶି ଘଷି ମାଜି ହୋଇ ଗାଧୋଇଲା । ତାପରେ ସେ ଆକିମ୍ର ସବୁ ଅଳଙ୍କାର ଓ ନୁଆ ଲୁଗାପଟା ପିନ୍ଧିଲା । ନିଜେ କନିଆ ସାଜି ସାନ ଭଉଣୀ ମୁଣ୍ଡରେ ବୋଝ ଲଦି ବେଶ୍ ଆରାମ୍ରେ ସେ ଚାକରାଣୀ ଚାଲିଲା । କିଛିବାଟ ଯିବାପରେ ସେମାନେ ଯାଇ ବର ଗାଁରେ ପହଁଚିଗଲେ । ସେଠାରେ ତ ଆକିମ୍ର ବର ଅପେକ୍ଷା କରି ରହିଥାଏ । ସ୍ତ୍ରୀକୁ ଦେଖି ତା ମନରେ ବଡ ଦୁଃଖ ହେଲା । କାରଣ ସେ ତ ଶୁଣିଥିଲା ଯେ, ତା’ ସ୍ତ୍ରୀ ଖୁବ୍ ସୁନ୍ଦରୀ ଓ ଗୁଣବତୀ ମଧ୍ୟ । ମାତ୍ର ଏବେ ସେ ଆଖିରେ ଦେଖିଲା ତା ସ୍ତ୍ରୀ ଆଦୌ ସୁନ୍ଦରୀ ନୁହେଁ । ଲୋକଟି ବଡ ଉଦାର ଓ ଦୟାଳୁ । ତେଣୁ କିଛି ବି ନ କହି ସେ ଲୋକଟି ତା ସ୍ତ୍ରୀକୁ ଘରକୁ ଡାକିନେଲା । ଚାକରାଣୀ ସେ ଘରର ଯାବତୀୟ କାମ ଏ ଛୋଟ ଝିଅଟି ହାତରେ କରାଇ ନିଜେ ମାଲିକାଣୀ ହେଲା । ପ୍ରତିଦିନ ପାଣି ଆଣିବା ପାଇଁ ସାନ ଭଉଣୀ ତ ସେ ନଈକୁଳକୁ ଯାଏ । ହେଲେ ସେ ପିଲାଟା ମାଠିଆ ଭର୍ତ୍ତି କରି ପାଣି ମୋଟେ ଆଣିପାରେନା । ତେଣୁ ସାଆନ୍ତାଣୀ ବନିଥିବା ସେ ଚାକରାଣୀ ଏ ସାନଭଉଣୀକୁ ଖୁବ୍ ମାଡ ଦିଏ । ଦିନେ ସେ ସାନ ଭଉଣୀ ଆଉ ସମ୍ଭାଳି ନ ପାରି ନଈ କୂଳରେ ଆକିମ୍ ନାଁ ଧରି ଖୁବ୍ ବିକଳ ହୋଇ କାନ୍ଦିଲା । ସେଇଠୁ କ’ଣ ହେଲାନା ଏକ ଅଦ୍ଭୁତ ଘଟଣା ଘଟିଲା । ପାଣି ଭିତରୁ ସେ ଆକିମ୍ ଧୀରେ ମୁଣ୍ଡ ଉଠାଇ ବାହାରିଲା ଓ ସେ ତା’ସାନ ଭଉଣୀ ଆଡକୁ ଚାହିଁ ଟିକେ ହସିଲା । ଆକିମ୍କୁ ଦେଖି ତା’ ସାନଭଉଣୀ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲା । କାରଣ ଆକିମ୍ ବଂଚିଛି ବୋଲି ସେ ତ ମୋଟେ ଆଶା ବି କରି ନ ଥିଲା । ତା’ପରେ ସେ ଆକିମ୍ ପାଟିକରି କହିଲା, ଜଳ ଦେବତା ତାକୁ ବଂଚାଇ ଗୋଟିଏ ଜଳପରୀ କରି ଦେଇଛନ୍ତି । ତେଣୁ ତା’ର ଗୋଡ ଦୁଇଟି ବଦଳି ମାଛ ଲାଞ୍ଜ ହୋଇଯାଇଛି । ଏହା କହି ସେ ଆକିମ୍ ନଈ ଭିତରୁ ବାହାରି ଘାସ ଉପରେ ଗୁରୁଣ୍ଡି ତା’ ସାନ ଭଉଣୀ ପାଖକୁ ଆସିଲା । ତହୁଁ ସେ ଦୁଇ ଭଉଣୀ କୁଣ୍ଢାକୁଣ୍ଢି ହୋଇ କେତେ କାନ୍ଦିଲେ । ଚାକରାଣୀ ସେଠାରେ କିପରି ଆରାମ୍ରେ ଅଛି ଓ ତାକୁ ଚାକରାଣୀ ପରି ଖଟାଉଛି ସେ ଦୁଃଖ ସାନ ତା ବଡଭଉଣୀ ଆଗରେ ଗୋଟିଗୋଟି କରି କହିଲା । ହେଲେ ଏବେ ପୁଣି ସେ ଆକିମ୍ର ଆଉ ଉପାୟ କ’ଣ? ସେ ତ ଗୋଟିଏ ଜଳପରୀ ହୋଇଯାଇଛି । ତଥାପି ବି ସେ ଦୁଇଭଉଣୀ ଠିକ୍ କଲେ, ସେମାନେ ଜଳଦେବତାଙ୍କୁ ଗୁହାରି କରିବେ । କାଳେ ଜଳଦେବତା ଶୁଣିଲେ ସେମାନଙ୍କ ଦୁଃଖ ଘୁଂଚିପାରେ । ଆକିମ୍ ସେ ପାଣି ମାଠିଆ ସାନଭଉଣୀ ମୁଣ୍ଡକୁ ଉଠାଇ ଦେଲା । ସବୁଦିନ ଆସିବ ବୋଲି କହି ପିଲାଟି ତା’ଭଉଣୀ ଠାରୁ ବିଦାୟ ନେଲା । ବଡ ଭଉଣୀକୁ ଦେଖିବାପରେ ସାନ ମନରେ ଟିକେ ଶାନ୍ତି ଆସିଲା । ତେଣୁ ସେ ପ୍ରତ୍ୟେକ ଦିନ ନଈ କୂଳରେ ନିଜ ଭଉଣୀକୁ ଦେଖାକରେ । ସେଠାରେ ସେ ଦୁଇ ଭଉଣୀ ଅନେକ ଦୁଃଖ ସୁଖ ହୁଅନ୍ତି । ସେ ଚାକରାଣୀକୁ ଘରୁ ତଡି କିପରି ଏ ଦୁହେଁ ଆନନ୍ଦରେ ରହିବେ ସେ ଉପାୟ ବି ଚିନ୍ତା କରନ୍ତି । ଦିନେ ସେ ଚାକରାଣୀ ଏ ସାନକୁ ବହୁତ ମାଡ ଦେଲା । ମାଡ ଖାଇ ଝିଅଟି ଖାଲି ବିକଳ ହୋଇ କାନ୍ଦୁଥାଏ । ଆକିମ୍ ର ସ୍ୱାମୀ ତା ଘରକୁ ଫେରି ଦେଖିଲା, ଛୋଟ ଝିଅଟି ମାଡଖାଇ ଖୁବ୍ କାନ୍ଦୁଛି । ଏହିପରି ଘଟଣା ତ ସେ ପୂର୍ବରୁ ଅନେକଥର ଦେଖିଛି । ତାଛଡା ସେ ବି ଜାଣେ ଯେ, ତା ସ୍ତ୍ରୀ ଯେପରି ଅସୁନ୍ଦରୀ ସେହିପରି ନିଷ୍ଠୁରା ମଧ୍ୟ । ତା ହୃଦୟରେ ଦୟାମାୟା ବୋଲି କିଛିବି ନାହିଁ । ଆକିମ୍ ର ସ୍ୱାମୀ ପଦାରେ ମନମାରି ବସିଥାଏ । ଦୁଃଖରେ ସେ ଗୋଟିଏ ଦୀର୍ଘନିଶ୍ୱାସ ପକାଇଲା । ଠିକ୍ ଏତିକିବେଳେ ଝିଟିପିଟିଟିଏ ଚାଳ ଉପରେ ଥାଇ ତାକୁ ତା ମନ ଦୁଃଖର କାରଣ ପଚାରିଲା । ତହୁଁ ସେ ଲୋକଟି ତା ଦୁଃଖ କହିଲା । ସବୁ ଶୁଣି ସେ ଝିଟିପିଟି ପ୍ରଥମେ କିଛି ଖାଦ୍ୟ ମାଗିଲା । ଆକିମ୍ର ସ୍ୱାମୀ ଖାଇବାକୁ ଆଣିଦେଲା । ଝିଟିପିଟି ଆଗ ମନବୋଧ କରି ଖାଇଲା । ତା’ପରେ ସେ ଝିଟିପିଟି କହିଲା, “ଶୁଣ ଏ ଯେଉଁ ମାଇକିନାଟାକୁ ଘରେ ରଖିଛୁ ସେ ତୋ ସ୍ତ୍ରୀ ନୁହେଁ । ଯଦି ତୁ ତୋର ସ୍ତ୍ରୀକୁ ଦେଖିବାକୁ ଚାହୁଁ, ତେବେ କାଲି ସକାଳୁ ନଈକୂଳକୁ ଯିବୁ । ଆଉ ଯିବାବେଳେ ସାଙ୍ଗରେ କିଛି ଗବମଞ୍ଜି ନିଶ୍ଚୟ ନେଇ ଯାଇଥିବୁ । ତମ ନଈତୁଠ ଗଛ ପାଖରେ ସେ ଗବମଞ୍ଜିତକ ବୁଣିଦେବୁ । ତାପରେ ଯାହାହେବ ତୁ ଦେଖିବୁ । ଲୋକଟି ଝିଟିପିଟି କଥା ଭଲକରି ମନେ ରଖିଲା । ତାପରଦିନ ସକାଳୁ ତା’ରି କଥା ଅନୁସାରେ ଲୋକଟି ସବୁ କାମ ବି କଲା । ତା’ପରେ ସେ ଲୁଚିକରି ଅପେକ୍ଷା କଲା । ଅଳ୍ପ ସମୟ ପରେ ଝିଅଟି ନଈକୂଳକୁ ଆସିଲା ଓ ଆକିମ୍ର ନାଁ ଧରି ଡାକିଲା । ସେସବୁ ଦେଖି ଆକିମ୍ ସ୍ୱାମୀର ଆଖି ଝଲସିଗଲା । ବର୍ତ୍ତମାନ କ’ଣ ହଉଚି ଦେଖିବା ପାଇଁ ସେ ଲୁଚିଥାଏ । ଏଣେ ସେ ଆକିମ୍ ଆସ୍ତେ ଆସ୍ତେ ତା ଭଉଣୀ ପାଖକୁ ଆସିଲା । ଘୁଷୁରି ଘୁଷୁରି ଆସିବାବେଳେ ଯେଉଁ ଗବମଞ୍ଜି ବୁଣା ହୋଇଥିଲା ସେହିଠି ଖସଡିଯାଇ ରହିଲା । ଫଳରେ ସେ ଆକିମ୍ ଆଉ ଉଠି ପାରିଲା ନାହିଁ । ଠିକ୍ ଏହି ସମୟରେ ତା’ ସ୍ୱାମୀ ଆଢୁଆଳରୁ ବାହାରି ଏ ଜଳପରୀର ହାତଧରି ପକାଇଲା । ଧରାପଡିଯାଇ ଆକିମ୍ ଓ ତା’ ଭଉଣୀ ସବୁକଥା କହିଲେ । ତାପରେ ସେ ଲୋକଟି ଜାଣିଲା ଯେ, ଏଇ ଜଳପରୀ ହେଉଛି ତାର ପ୍ରକୃତ ସ୍ତ୍ରୀ । ତେଣୁ ସେ ଲୋକଟି ଆକିମ୍କୁ ଠିକ୍ ଅଧରାତିରେ ତା’ ଘରକୁ ନେଇଗଲା । ତାକୁ ତ ଜଣାଥିଲା ଯେ ଶୁଖିଲାରେ ତିନିମାସ ରହିଲେ ଲାଞ୍ଜ ପୁଣି ଗୋଡ ହୋଇଯିବ । ତେଣୁ ଆକିମ୍କୁ ନେଇ ସେ ଲୋକଟି ଗୋଟିଏ ଗୁପ୍ତ ଜାଗାରେ ଲୁଚାଇ ରଖିଲା । ତେଣୁ ସେ ଆକିମ୍ ସବୁବେଳେ ଖାଲି ଶୋଇ ରହିଲା । ଏହିପରି ଭାବେ ଦିନ ପରେ ଦିନ ବିତିଗଲା । ଆକିମ୍ ର ମାଛଲାଞ୍ଜ ଛିଡିଯାଇ ସେଠାରୁ ଗୋଡ କଅଁଳିଲା । ପୂର୍ବାପେକ୍ଷା ସେ ବି ଆହୁରି ସୁନ୍ଦର ଦିଶିଲା । ଏଣୁ ତା ମନରେ ମଧ୍ୟ ଅନେକ ଆଶା ଚେଇଁ ଉଠିଲା