ଏହା ମୋର ଦାଢି ବହୁ ଦିନ ତଳର କଥା । ଗୋଟିଏ ଗ୍ରାମରେ ହଜାରିମଲ ଏବଂ ଲାଡନଲ ନାମକ ଦୁଇ ଜଣ ବନ୍ଧୁ ବାସ କରୁଥିଲେ । ସେ ଦୁହେଁ ବଡ ବ୍ୟବସାୟୀ ଥିଲେ ଏବଂ ବହୁତ ଟଙ୍କା ଜମା କରି ରଖିଥିଲେ । କିନ୍ତୁ ହଜାରିମଲ ଟିକିଏ ଖର୍ଚ୍ଚି ସ୍ୱଭାବର ଥିଲେ । କିନ୍ତୁ ଲାଡନଲଙ୍କର ଲୋଭ ଏବଂ ଲାଳସା ଅଧିକ ଥିଲା । ହଜାରିମଲ ସଦାସର୍ବଦା ହସଖୁସିରେ ରହୁଥିଲେ । ସେ ନିଜେ ନିଶଦାଢି ବଢାଉ ନଥିଲେ । କିନ୍ତୁ ଲାଡନଲ ସର୍ବଦା ଦାଢି ଏବଂ କେଶ ବଢାଇ ରଖୁଥିଲେ । ଦିନେ ସେ ଦୁଇ ବନ୍ଧୁ ଟେବୁଲ୍ରେ ବସି ଗପସପ କରୁଥିଲେ । ଏହି ସମୟରେ ହଜାରିମଲ କହିଲେ – “ଲାଡନଲ ଏ ପର୍ଯ୍ୟନ୍ତ ତୁମକୁ ମୁଁ କେବେ ଗୋଟିଏ କଥା କହିନାହିଁ, ତୁମର ଦାଢି ଦେଖିବାକୁ ଭାରି ଭଲ । ଏ ପର୍ଯ୍ୟନ୍ତ ମୁଁ କେତେ ଦାଢି ଦେଖିଛି କିନ୍ତୁ ତୁମର ଦାଢି ପରି ସୁନ୍ଦର ଦାଢି ଆମ ଦେଶରେ ଆଉ କାହାର ବି ନାହିଁ । ଏହା ଶୁଣି ଲାଡନଲ ଅଭିମାନଭରା ସ୍ୱରରେ କହିଲେ- ‘ଠିକ୍ କହୁଛ ହଜାରିମଲ, ସମସ୍ତେ ପରା ଠିକ୍ ଏହିପରି କହନ୍ତି । ଖାଲି ସେତିକି ନୁହେଁ କେତେକ ଲୋକ ମୋ ଦାଢିକୁ ଦୃଷ୍ଟିଆ ବି କରିଦିଅନ୍ତି! ଏମିତିକି କେତେକ ଲୋକ ଏହାକୁ କିଣି ନେବା ପାଇଁ ମଧ୍ୟ ପ୍ରସ୍ତୁତ ।’ ଏ କଥା ଶୁଣିବା ମାତ୍ରେ ହଜାରିମଲ ବଡ ଆତୁରତାର ସହିତ ପଚାରିଲେ- ‘ସେମାନେ କିଏ? ମୁଁ ହିଁ କିଣିନେବି, କହ କେତେ ଟଙ୍କା ନେବ?’ ଏଭଳି କଥା ଶୁଣି ଧନ ଲୋଭରେ ହଠାତ୍ ଲାଡନଲ ମନରେ ଅନେକ ପ୍ରକାରର କଳ୍ପନା ଜାତ ହେଲା । ସେ ଭାବିଲା ଏ ଦାଢିରୁ ଯଦି କିଛି ଅର୍ଥ ମିଳିପାରିବ ତେବେ କ୍ଷତି କଣ? ତା’ପରେ କଥାବାର୍ତ୍ତା ଛଳରେ ସେ କହିଗଲା – ‘ଆଚ୍ଛା! ତେବେ ଏକ ହଜାର ମୁଦ୍ରା ଦିଅ । ମୁଁ ମୋର ଦାଢି ତୁମକୁ ପ୍ରଦାନ କରିବି ।’ ଏଥିରେ କହିବାର କଣ ଅଛି? ନିଅ, ଏକ ହଜାର ମୁଦ୍ରା ଗ୍ରହଣ କର । ମୁଁ ଭାବିଥିଲି ଯେ କିଏ ଜାଣେ ତୁମେ ଏହାର କେତେ ଅଧିକ ମୂଲ୍ୟ କହିବ… ।’ ଏହା କହି ସେ ହଜାରିମଲ ଲାଡନଲଙ୍କ ହାତରେ ଅର୍ଥ ରଖିଦେଲେ । କିଛି ଅର୍ଥ ଅଗ୍ରୀମ ପ୍ରଦାନ କଲେ । ଏହା ଦେଖି ଲାଡନଲ ସାମାନ୍ୟ ଅପ୍ରସ୍ତୁତ ହୋଇପଡିଲା । ସେ ହଠାତ୍ ଏପରି ଦାଢି ବିକ୍ରି କରିବାକୁ ପଡିବ ବୋଲି କେବେବି ଭାବି ନଥିଲେ । ହଜାରିମଲ ଏକ ସର୍ତ୍ତ ରଖି କହିଲେ – ‘ଭାଇ! ବର୍ତ୍ତମାନ ଏ ଦାଢି ମୋର ହୋଇଗଲା । ଯେ ପର୍ଯ୍ୟନ୍ତ ମୁଁ ତୁମକୁ ସଂପୂର୍ଣ୍ଣ ରାଶି ପ୍ରଦାନ ନ କରିଛି, ସେ ପର୍ଯ୍ୟନ୍ତ ଏହି ଦାଢି ତୁମ ପାଖରେ ମୋର ସମ୍ପତ୍ତି ଭାବରେ ରହିବ । ଖୁବ୍ ସତର୍କତାର ସହିତ ଏହାର ଯତ୍ନ ନେବ ଏଥିରେ ମୋର ଇଚ୍ଛା ମୁତାବକ ତେଲ ଲଗାଇବାକୁ ହେବ । ମୋର ରୁଚି ଅନୁସାରେ ଏହାକୁ କାଟିବାକୁ ହେବ ।’ ଲାଡନଲ ତୁରନ୍ତ ତାଙ୍କର ସର୍ତ୍ତ ମାନି ନେଲେ । ଆଇନ୍ ଦୃଷ୍ଟିରୁ ଗ୍ରହଣୀୟ କାଗଜପତ୍ରରେ ଲିଖିତ ରୂପରେ ଦୁହେଁ ସ୍ୱାକ୍ଷର ବି କଲେ । ଚୁକ୍ତି ଅନୁସାରେ ଲାଡନଲଙ୍କର ଦାଢି ଏବେ ହଜାରିମଲଙ୍କର ହୋଇଗଲା । ହଜାରିମଲ ପୁଣି ଥରେ ସତର୍କ କରିଦେଇ କହିଲେ– ‘ଦେଖ, ଭାଇ! ବର୍ତ୍ତମାନ ଯଦି ଆପଣଙ୍କୁ କେହି ଏହି ଦାଢି ବିଷୟରେ ପଚାରେ ତେବେ ଆପଣ କହିଦେବେ– ‘ଭାଇ! ଏ ଦାଢି ଏବେ ଆଉ ମୋର ହୋଇନାହିଁ ଏହା ଅମୁକ ବ୍ୟକ୍ତିଙ୍କର, ସେ ଉଚିତ୍ ଦାମ୍ ଦେଇ ଏହାକୁ କିଣି ନେଇଛନ୍ତି । ଏହି ପ୍ରକାରରେ ତୁମେ ବୁଝାଇ କହିବ କ’ଣ ବୁଝିପାରିଲ ତ-?’ ଲାଡନଲ କହିଲେ ‘ବହୁତ ଭଲ!’ ଦ୍ୱିତୀୟ ଦିନଠାରୁ… ଏବେ ସମୟ – ଅସମୟରେ ହଜାରିମଲ ଲାଡନଲଙ୍କ ପାଖକୁ ଆସୁଥିଲେ । ତାଙ୍କୁ ଆସୁଥିବାର ଦେଖି ଲାଡନଲ ପଚାରୁ ଥିଲେ- ‘କିପରି ଆସିଲ ଭାଇ?’ ତାହାର ଉତ୍ତରରେ ହଜାରିମଲ କହୁଥିଲେ– ‘ଆଉ କିଛି ନୁହେଁ । ଖାଲି ମୋର ଦାଢି କିପରି ଅଛି ତାହା ଦେଖିବା ପାଇଁ ଆସିଛି ।’ କେବେ କେବେ ରାଗି ମାଗି ଆସୁଥିଲେ ଏବଂ କହୁଥିଲେ – ‘ଏ କଣ ଭାଇ? ମୋର ଦାଢିସବୁ ନଷ୍ଟ ହୋଇଯାଉଛି, ଖେଳୁଥିବା ଦାଢିଗୁଡିକରେ ଏପରି ଶସ୍ତା ନଡିଆ ତେଲ ଲଗାଇ ତୁମେ ନଷ୍ଟ କରିଦେଇଛ । ଭଲ ପାନିଆ କାହିଁକି ବ୍ୟବହାର କରୁ ନାହଁ? ଟିକେ ସଭ୍ୟ ଭାବରେ ଦାଢିର ଯତ୍ନ ନିଅ । ମୋର ଦାଢିକୁ ତୁମେ ଏପରି ଅବହେଳା କରିବା ମୋଟେ ଠିକ୍ ହେଉନାହିଁ । ମୁଁ ଏସବୁ ଆଉ ସହ୍ୟ କରିପାରୁନାହିଁ ।’ ଏହିପରି ବ୍ୟଂଗ କରି ସେ ପାଟି କରୁଥିଲେ । ଏହିପରି ଭାବରେ ଦିନେ ଚିତ୍କାର କରୁଥିବାର ଦେଖି ଲାଡନଲ ବିରକ୍ତ ହୋଇଗଲେ । ତାଙ୍କ ପାଇଁ ବନ୍ଧୁତ୍ୱ ରକ୍ଷା କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଲା । ଏହାପରେ ସେ ଦୁଇ ଜଣଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହେଲା । ‘ଭାଇ! ମୁଁ ଆଗ ପଛ ବିଚାର ନ କରି ଲୋଭ କାରଣରୁ ତୁମର ସର୍ତ୍ତ ମାନି ନେଇଥିଲି । ଭାଇ ଏବେ ତୁମେ ତୁମର ପଇସା ଫେରାଇ ନିଅ ଏବଂ ମୋତେ ମୋର ଦାଢି ଫେରାଇ ଦିଅ । ତାହେଲେ ଯାଇ ତୁମର ବଡ ପୁଣ୍ୟ ହେବ!’ ଏହା କହି ଲାଡନଲ ବଡ ବିକଳ ହୋଇ ହଜାରିମଲଙ୍କ ନିକଟରେ ଗୁହାରୀ କଲା । ହଜାରିମଲ କିନ୍ତୁ ତାଙ୍କର କୌଣସି କଥା ମାନିଲେ ନାହିଁ । ଏହା ଦେଖି ଲାଡନଲ କହିଲେ – ‘ଆଚ୍ଛା! ତୁମେ ମାନୁ ନାହଁ ତ, ତୁମେ ଯେତିକି ଟଙ୍କା ଦେଇଛ ତାହାର ଦୁଇ ଗୁଣ ନେଇଯାଅ!’ କିନ୍ତୁ ହଜାରିମଲ କିଛି ବି କହିଲେ ନାହିଁ । ଏହା ଦେଖି ଲାଡନଲ କୌଣସି ପ୍ରକାରେ ନିଜକୁ ରକ୍ଷା କରିବା ପାଇଁ ଚାରି ହଜାର ମୋହର ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହୋଇଗଲା । ‘ଦେଖୁଛି ଦେଖୁଛି ଏ କେଉଁ ପର୍ଯ୍ୟନ୍ତ ଯାଉଛି ।’- ଏହା ଚିନ୍ତା କରି ହଜାରିମଲ କିଛି ନ କହି ଚାଲିଗଲେ । ଏବେ ଲାଡନଲକୁ ଆଉ କୌଣସି ବୁଦ୍ଧି ଦିଶିଲା ନାହିଁ । ସେ ବଡ ସମସ୍ୟାରେ ପଡିଯାଇଥିଲା । ଏହିପରି ଭାବରେ ଦିନେ ରାତିରେ ହଜାରିମଲ ନିଜର ସ୍ୱଭାବ ମୁତାବକ ତାଙ୍କୁ ଆସି ଧମକାଇଲେ । ସେତେବେଳେ ତ ସେ ଲାଡନଲ ଗାଢ ନିଦରେ ଥିଲେ । ତେଣୁ ସେ ହଜାରିମଲ ଜୋର୍ରେ ଲାଡନଲଙ୍କର ଦାଢିକୁ ଟାଣି ଦେଲେ । ଆଶ୍ଚର୍ଯ୍ୟର କଥା! ଦାଢି ଉପୁଡି ଆସି ତାଙ୍କ ହାତରେ ଥିଲା! ନକଲି ଦାଢି ଦେଖି ହଜାରିମଲ କ୍ରୋଧରେ ପାଟି କରିବାକୁ ଆରମ୍ଭ କଲା । ତାଙ୍କ ପାଟି ଶୁଣି ଲାଡନଲ ଧଡପଡ ହୋଇ ନିଦରୁ ଉଠି ବସିଲେ । ଦୁହିଁଙ୍କ ମଧ୍ୟରେ ବଚସା ବଢିଲା । ଶେଷରେ କଥା ନ ଛିଣ୍ଡିବାରୁ ସେମାନେ ହାକିମଙ୍କ ପାଖକୁ ଯିବାକୁ ନିଷ୍ପତି ନେଲେ । ସେମାନେ ହାକିମଙ୍କ ପାଖକୁ ଅଭିଯୋଗ କରିବାକୁ ଗଲେ । ଚତୁର ହାକିମ ସେ ଦୁହିଁଙ୍କର ମନ କଥା ବୁଝିଗଲେ ଓ ସେ ନିର୍ଣ୍ଣୟ କଲେ ଯେ – ‘ଦାଢି ମୁଁ କିଣିଛି, ଏହିପରି ଭାବରେ ଏହା ଉପରେ ଅଧିକାର କେବଳ ମୋର । ଏହିପରି କହି ହଜାରିମଲ ତାଙ୍କର ବନ୍ଧୁଙ୍କୁ କଷ୍ଟ ଦେଉଥିବାରୁ ବନ୍ଧୁ ଲାଡନଲ କଷ୍ଟ ସହି ନ ପାରି ନକଲି ଦାଢି ଲଗାଇଥିବା ପ୍ରମାଣିତ ହେଉଛି ।’ ହଜାରିମଲ ଅଧ ରାତିରେ ଲାଡନଲର ଘରକୁ ଯାଇ ବଳପୂର୍ବକ ତାଙ୍କ ଦାଢିକୁ ଟାଣିନେଲେ । ତେଣୁ ସେ ଦାଢିର ଯେଉଁ ମୂଲ୍ୟ ଦେଇଥିଲେ, ତାହାକୁ ଖର୍ଚ୍ଚ ସମେତ ପୈଠ କରି ଦିଅନ୍ତୁ ।’
ସିଦ୍ଧିଲାଭର ସଦୁପଯୋଗ ଏକ ବିଶାଳ ନଗରୀ ଥିଲା । ସେଠାରେ ଜଣେ ବୁଦ୍ଧିଜୀବୀ ବାସ କରୁଥିଲେ । ଦିନେ ସେ ମନେ ମନେ ଠିକ୍ କଲେ ହିମାଳୟକୁ ଯାଇ ତପସ୍ୟା କରିବେ । ଶେଷରେ ସେଇଆ ହେଲା । କଠୋର ତପସ୍ୟା କରି ବୁଦ୍ଧିଜୀବୀ ସିଦ୍ଧିଲାଭ କଲେ । ସେଥିରେ ଅନ୍ତରୀକ୍ଷକୁ ଯାଇ ଫେରିବା ସିଦ୍ଧି ଥିଲା ଅନ୍ୟତମ । ହିମାଳୟରୁ ଫେରି ଆତ୍ମବଡିମା ପ୍ରକାଶ ପାଇଁ ବୁଦ୍ଧିଜୀବୀ ସିଦ୍ଧିର କୌଶଳ ପ୍ରଦର୍ଶନ ବି କଲେ । ବୁଦ୍ଧିଜୀବୀଙ୍କର ଅଲୌକିକ ଶକ୍ତି ଯିଏ ଦେଖିଲା ପ୍ରଶଂସା ନକରି ରହି ପାରିଲା ନାହିଁ । ସେହି ସମୟରେ ନଗରୀରେ ଏକ ରାକ୍ଷସ ଉପଦ୍ରବ କରୁଥାଏ । ବୁଦ୍ଧିଜୀବୀଙ୍କ ସିଦ୍ଧି ସମ୍ପର୍କରେ ସେହି ରାକ୍ଷସ ଜାଣିବାକୁ ପାଇଲା । ସୁତରାଂ ରାକ୍ଷସ ନିଜର ରୂପ ବଦଳାଇ ଏକ ସାଧାରଣ ମଣିଷ ରୂପେ ବୁଦ୍ଧିଜୀବୀ ନିକଟକୁ ଗଲା । ଏବେ ରାକ୍ଷସ ବୁଦ୍ଧିଜୀବୀଙ୍କୁ ଅତି ବିନମ୍ରଭାବରେ କହିଲା, “ବୁଦ୍ଧିଜୀବୀ ମହାଶୟ, ଦୟାକରି ମୋତେ ଅନ୍ତରୀକ୍ଷକୁ ଯିବା କୌଶଳ ବତାଇ ଦିଅନ୍ତୁ ।” ବୁଦ୍ଧିଜୀବୀ ତ ଅତି ଚତୁର ଥିଲେ । ସେ ଭାବିଲେ ଏହାର ଅନ୍ତରାଳରେ ନିଶ୍ଚୟ କିଛି ରହସ୍ୟ ରହିଛି । ତେଣୁ ସେ ଏହି ବିଦ୍ୟା ନ ଶିଖାଇବା ଆଳରେ କହିଲେ, “ମୋତେ ଅନ୍ତରୀକ୍ଷକୁ ଏକା ଏକା ଯିବାର କୌଶଳ ଜଣାଅଛି । କାହାକୁ ସାଥୀରେ ନେଇ ଯିବା ଜଣା ନାହିଁ ।” ଛଦ୍ମବେଶଧାରୀ ରାକ୍ଷସ କହିଲା, “ମହାଶୟ, ମୁଁ ଆପଣଙ୍କ ସାଥୀରେ ଯିବାକୁ କହୁ ନାହିଁ । ମୋତେ ଏକାଏକା ଯିବା କୌଶଳ ବତାଇଦିଅନ୍ତୁ ।” ଏବେ ବୁଦ୍ଧିଜୀବୀ କପଟ କରି କହିଲେ, “ନା, ମୁଁ ତୁମକୁ ଏକାକୀ ପଠାଇ ପାରିବି ନାହିଁ । ଏଭଳି କଲେ ଲୋକେ ମୋତେ କ’ଣ କହିବେ?” ଏଥର ଛଦ୍ମବେଶଧାରୀ ରାକ୍ଷସ କହିଲା, “ଏକାକୀ ମୁଁ ନିଶ୍ଚୟ ଯିବି । ଏହା କହି ସେ ତା’ର ଅସଲ ରାକ୍ଷସ ରୂପକୁ ଦେଖାଇ ଦେଲା । ଏହା ଦେଖି ବୁଦ୍ଧିଜୀବୀ ଡରରେ ଅନ୍ତରୀକ୍ଷ ଯିବାକୁ ମନ୍ତ୍ର ବତାଇ ଦେଲେ ।” ଏବେ ଖୁବ୍ ଜୋର୍ରେ ଅଟ୍ଟହାସ୍ୟ କରି ରାକ୍ଷସ କହିଲା, “ନଗରବାସୀ! ଏବେ ମୁଁ ଅନ୍ତରୀକ୍ଷ ଯାତ୍ରା କରୁଛି । ସେଠାରୁ ଫେରିଲା ପରେ ପରେ ପୁଣି ପୂର୍ବଭଳି ଉତ୍ପାତ କରିବି । ସେ ପର୍ଯ୍ୟନ୍ତ ଅପେକ୍ଷା କରିଥାଅ ।” ଏହା କହି ରାକ୍ଷସ ଆକାଶମାର୍ଗରେ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲା । ରାକ୍ଷସ ଆକାଶରେ ଅନ୍ତର୍ଦ୍ଧାନ ହୋଇଗଲା ପରେ ବୁଦ୍ଧିଜୀବୀ ଖୁବ୍ ଆନନ୍ଦିତ ହୋଇ କହିଲେ, “ଭାଇମାନେ! ଆଜିଠାରୁ ଆମ୍ଭମାନଙ୍କ ଖୁସିର ଦିନ ଫେରି ଆସିଲା । ସେହି ଦୁଷ୍ଟ ରାକ୍ଷସ ଆଉ ଫେରିବ ନାହିଁ ।” ନଗରବାସୀ ପଚାରିଲେ, “କାହିଁକି ଫେରି ପାରିବ ନାହିଁ?” ତହୁଁ ବୁଦ୍ଧିଜୀବୀ କହିଲେ, “ମୁଁ ଜାଣି ଶୁଣି ତାକୁ ଯିବା ମନ୍ତ୍ରଟି ଶିଖାଇଛି । ସୁତରାଂ ସେ ଆଉ ନ ଫେରି ଅନ୍ତରୀକ୍ଷରେ ସବୁଦିନ ପାଇଁ ଘୂରି ବୁଲି ଲୀନ ହୋଇଯିବ । ଏହା ଶୁଣି ନଗରବାସୀ ଖୁସିରେ ନାଚି ଉଠିଲେ । ସମସ୍ତେ ବୁଦ୍ଧିଜୀବୀଙ୍କର ଭୁରି ଭୁରି ପ୍ରଶଂସା କଲେ । ଏଠାରେ କହିବାର କଥା ଯେ, ଯେତେ ଦିନ ଯାଏଁ ବୁଦ୍ଧିଜୀବୀ ନିଜ ସିଦ୍ଧିକୁ ଲୋକମାନଙ୍କୁ ଦେଖାଇ ଆତ୍ମବଡିମା ପ୍ରଚାର କରୁଥିଲେ ସେତେବେଳ ପର୍ଯ୍ୟନ୍ତ ସମାଜରେ ତାଙ୍କର ସମ୍ମାନ ବୃଦ୍ଧି ହୋଇ ନଥିଲା । ମାତ୍ର ଯେତେବେଳେ ତାଙ୍କର ସିଦ୍ଧି ଲାଭର ସଫଳତା ଜନହିତରେ ଲାଗିଗଲା ସେ ପୂଜ୍ୟ ହୋଇଗଲେ ।
ବିଷ୍ଣୁଭଟ୍ଟ ବିରଚିତ ଚନ୍ଦନପୁର ଏକ ଛୋଟ ରାଜ୍ୟ ହେଲେ ମଧ୍ୟ, ଏହାର ଅଧିପତି କମଳଚନ୍ଦ୍ର, କବି ଓ ପଣ୍ଡିତମାନଙ୍କୁ ବଡ ଆଦର କରନ୍ତି । ଏଥିନେଇ ତାଙ୍କର ବେଶ୍ ସୁନାମ ଅଛି । ଯୁବକ ମୁରଲୀନାଥ, ଦରବାରର ବିଶିଷ୍ଟ କବିମାନଙ୍କ ମଧ୍ୟରେ ଅନ୍ୟତମ । ନିଜର କବି ପ୍ରତିଭା ଓ ବାକ୍ଚାତୁର୍ଯ୍ୟ ପାଇଁ, ସେ ରାଜାଙ୍କର ଅତ୍ୟନ୍ତ ପ୍ରିୟପାତ୍ର । ରାଜାଙ୍କ ସହିତ ତାଙ୍କର ଘନିଷ୍ଠତା ଅନ୍ୟ କବିମାନଙ୍କୁ ଇର୍ଷାନ୍ୱିତ କରୁଥାଏ । ତାଙ୍କଠାରୁ ବୟସ ଓ ଅଭିଜ୍ଞତା ଦୃଷ୍ଟିରୁ ବଡ, ଦୁଇ ତିନିଜଣ କବି ତାଙ୍କୁ ଆଦୌ ସହ୍ୟ କରିପାରୁ ନ ଥାନ୍ତି । ଅଳ୍ପଦିନ ତଳେ ମୁରଲୀନାଥଙ୍କର ବିବାହ ସମ୍ପନ୍ନ ହୋଇଥାଏ । ଗୌରୀପୁର ଗ୍ରାମ ରାଜଧାନୀ ଚନ୍ଦନପୁରଠାରୁ ଛଅକୋଶ ଦୂର । ଏହି ଗ୍ରାମର ଜନୈକ ପଣ୍ଡିତ ରାମଚନ୍ଦ୍ରଙ୍କର ଏକମାତ୍ର କନ୍ୟା ଗୀତାଦେବୀ ମୁରଲୀନାଥଙ୍କର ଧର୍ମପତ୍ନୀ ଅଟନ୍ତି । ବିବାହର କିଛିଦିନ ପରେ ଗୀତାଦେବୀ, ମୁରଲୀନାଥଙ୍କର ଆନ୍ତରିକ ସ୍ୱଭାବ ସମ୍ପର୍କରେ ପରିଚିତ ହୋଇ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ମୁରଲୀନାଥ ଜଣେ ଭାବୁକ, ପ୍ରକୃତିପ୍ରେମୀ କବି ଅଟନ୍ତି । କିନ୍ତୁ ନାରୀଜାତି ପ୍ରତି ତାଙ୍କର ଦୃଷ୍ଟିକୋଣ ଅତୀବ ସଙ୍କୀର୍ଣ୍ଣ ଅଟେ । ପତିଙ୍କର କବିତା ରଚନା କ୍ଷେତ୍ରରେ ଥରେ ଦୁଇଥର ହସ୍ତକ୍ଷେପ କରିବାରୁ ମୁରଲୀନାଥଙ୍କର ଏଥିପାଇଁ ଭତ୍ସର୍ନାରୁ, ଗୀତାଦେବୀ ଏହି ସତ୍ୟକୁ ଜାଣିପାରିଥିଲେ । ସମୟ ଗଡି ଚାଲିଥାଏ । ପାର୍ବଣ ସମୟ ଆସିବାରୁ ଗୀତାଦେବୀଙ୍କର ପିତା ପଣ୍ଡିତ ରାମଚନ୍ଦ୍ର ତାଙ୍କ କନ୍ୟା ଜାମାତାଙ୍କୁ ନିଜ ଘରକୁ ଆମନ୍ତ୍ରଣ କରିବା ପାଇଁ ଆସିଲେ । ତାଙ୍କ ଘରେ ପାର୍ବଣ ଉତ୍ସବ ବଡ ଉତ୍ସାହ ସହକାରେ ପାଳନ କରାଯାଏ । ମୁରଲୀନାଥ ଶ୍ୱଶୁରଙ୍କ ନିମନ୍ତ୍ରଣ ସ୍ୱୀକାର କରି କହିଲେ, “ଆପଣ ନିଜ କନ୍ୟାକୁ ସଙ୍ଗରେ ନେଇଯାଆନ୍ତୁ । ମୁଁ ଉତ୍ସବଦିନ ସେଠାରେ ଯାଇ ଉପସ୍ଥିତ ହେବି ।” ଏହାପରେ ଆନନ୍ଦ ମନରେ ଗୀତାଦେବୀ ପିତ୍ରାଳୟ ଚାଲିଗଲେ । ଗୀତାଦେବୀ ଚାଲିଯିବାର ତୃତୀୟ ଦିବସରେ ଦରବାରରେ ଯଥାରୀତି କବିତାଗାନ କାର୍ଯ୍ୟକ୍ରମ ଚାଲିଥାଏ । ପ୍ରକୃତିର ରମଣୀୟତା ଉପରେ ଆଧାରିତ ଏକ ସୁନ୍ଦର କବିତା ମୁରଲୀଧର ଗାନ କରୁଥାନ୍ତି । ଖୁବ୍ ଭାବବିହ୍ୱଳ ହୋଇ ମୁରଲୀଧର କବିତା ଗାଉଥିବା ସମୟରେ, ଅକସ୍ମାତ୍ ରାଜା କମଳଚନ୍ଦ୍ର ତାଙ୍କୁ ସେଥିରେ ବାଧା ଦେଇ କହିଲେ, “ହେ ଯୁବକବି! ଆପଣଙ୍କ ସହ ପରିଚୟ ହେବା ଦିନଠାରୁ ଆପଣଙ୍କ କବିତା ଧ୍ୟାନର ସହ ମୁଁ ଶୁଣି ଆସୁଛି । ସର୍ବଦା ପ୍ରକୃତିର ବର୍ଣ୍ଣନାକୁ ଆପଣ କବିତାରେ ପ୍ରାଧାନ୍ୟ ଦେଉଛନ୍ତି । କିନ୍ତୁ, ଶାସକ, ଯେ ହେଉଛନ୍ତି ଭଗବାନଙ୍କର ଚଳନ୍ତି ପ୍ରତିନିଧି, ଯେ ଏହି ଜୀବଜଗତ, ପ୍ରକୃତିର ସୁରକ୍ଷା ପାଇଁ ଅନେକ ଦାୟିତ୍ୱ ବହନ କରୁଛନ୍ତି, ତାଙ୍କ ବିଷୟରେ କେବେ ବି କିଛି ଉଲ୍ଲେଖ କରୁନାହାଁନ୍ତି । ପ୍ରଶଂସା କରିବା ତ ଦୂରର କଥା, ନାମ ମଧ୍ୟ ଧରୁ ନାହାଁନ୍ତି । ଆମ ରାଜବଂଶଜମାନଙ୍କ ପ୍ରତି ଆପଣଙ୍କ ଏହି ଅବିଚାରର ସପକ୍ଷରେ, କିଛି ବଳିଷ୍ଠ ଯୁକ୍ତି ଥିଲେ, ତାହା ପ୍ରକାଶ କରନ୍ତୁ ।” କମଳଚନ୍ଦ୍ରଙ୍କର ଏହି ଅତର୍କିତ ପ୍ରଶ୍ନ ମୁରଲୀନାଥଙ୍କୁ ଅବାକ୍ କରିଦେଲା । ବହୁ ପ୍ରଯତ୍ନ କରି ମଧ୍ୟ, ସେ ତାଙ୍କ ପ୍ରଶ୍ନର କୌଣସି ଉତ୍ତର ଭାବି ପାରିଲେ ନାହିଁ । ଧନ ଅର୍ଜନ ପାଇଁ ସେ ରାଜାଙ୍କର ସେବା କରୁଥାନ୍ତି । କିନ୍ତୁ ରାଜବଂଶଜମାନଙ୍କ ପ୍ରତି ତାଙ୍କ ମନରେ ଦ୍ୱେଷ ଭାବ ଥାଏ । ତାଙ୍କର ଦୃଢ ବିଶ୍ୱାସ ଯେ, ରାଜା ଯେତେ ଆଦର ପୂର୍ଣ୍ଣ, ଅମାୟିକ ବ୍ୟବହାର କଲେ ମଧ୍ୟ, ତାଙ୍କର ଅନ୍ତର ଅହଂକାର ଭରା ଅଟେ । ତାଙ୍କ ବିଚାରରେ କ୍ଷମା, ଦୟା, କରୁଣା ଏ ସବୁର ଅଧିକାର କେବଳ ଭଗବାନଙ୍କରହିଁ ଅଛି । ତେଣୁ ସେ ସର୍ବଦା ଈଶ୍ୱର ଓ ତାଙ୍କର ସୃଜନ ସୃଷ୍ଟିର ସମ୍ପଦ ରମଣୀୟ ପ୍ରକୃତିକୁ ଆଧାର କରି କବିତା ରଚନା କରିଥାନ୍ତି । ବିଚଳିତ ମୁରଲୀନାଥ ରାଜାଙ୍କ ପ୍ରଶ୍ନର ଉତ୍ତର ଦେଇ ପାରୁ ନ ଥିବା ଦେଖି ବୟୋବୃଦ୍ଧ କବି ଗଙ୍ଗାଭଟ୍ଟ ବ୍ୟଙ୍ଗଭରା, ନିମ୍ନ ସ୍ୱରରେ କହିଲେ, “ପ୍ରଭୁ, ମୁରଲୀନାଥ ଏହି ସରଳ ପ୍ରଶ୍ନର ଉତ୍ତର ଦେଇ ପାରୁ ନ ଥିବାର କାରଣ ତାଙ୍କର ରାଜବଂଶଜମାନଙ୍କ ପ୍ରତି ଉଦାସୀନତା, ଓ ଅସଦ୍ଧାରଣା ପୋଷଣ ହେତୁ ହୋଇପାରେ ।” ଗଙ୍ଗାଭଟ୍ଟଙ୍କ କଥା ଶୁଣି କମଳଚନ୍ଦ୍ରଙ୍କ ମନରେ ଭାବାନ୍ତର ସୃଷ୍ଟି ହେଲା । ସେ ତିକ୍ତ ସ୍ୱରରେ କହିଲେ, “ଯୁବକବି, ଜୀବିକାର୍ଜନ ପାଇଁ, ନିଜ ମନୋଭାବର ବିପରୀତ କରିବାର ଆବଶ୍ୟକତା ନାହିଁ । କାଲିଠାରୁ ଆପଣଙ୍କୁ ଦିନକୁ ତିନିଥର ଭୋଜନ ଓ ଅନ୍ୟ ସୁବିଧା ମାନ ଯୋଗାଇ ଦିଆଯିବ । ଆପଣ ଆରାମ୍ରେ ନିଜ ଘରେ ରହି ନିଜ ଅଭିରୁଚି ଅନୁଯାୟୀ କବିତା ରଚନାରେ ମଗ୍ନ ରହନ୍ତୁ ।” କମଳଚନ୍ଦ୍ର ଏହିପରି କହି, ଭରପୁର ସଭାରେ ମୁରଲୀନାଥଙ୍କର ଘୋର ଅପମାନ କଲେ । ଏହି ଅପମାନ ତାଙ୍କଲାଗି ଅସହ୍ୟ ଥିଲା । କିନ୍ତୁ ସେ କ’ଣ ବା ଆଉ କରିପାରିବେ? ସେଇ ମୁହୂର୍ତ୍ତରେ ମୁରଲୀନାଥ ରାଜାଙ୍କୁ ନିଜ ତରଫରୁ କୌଣସି ସ୍ପଷ୍ଟୀକରଣ ଦେଲେ ନାହିଁ । କେବଳ ନମସ୍କାର କରି, ମୁଣ୍ଡ ତଳକୁ କରି ସେ ସ୍ଥାନ ପରିତ୍ୟାଗ କଲେ । ଏହି ଘଟଣା ପରଠାରୁ ମୁରଲୀନାଥ ଖୁବ୍ ଉଦାସ ଓ ବିଷର୍ଣ୍ଣ ରହିଲେ । ରାତିରେ ତାଙ୍କୁ ନିଦ ମଧ୍ୟ ହେଉ ନ ଥାଏ । ରାଜଭବନରୁ କ୍ରମାନ୍ୱୟରେ, ତିନିଥର ଭୋଜନ ଆସୁଥାଏ । ମାତ୍ର ତାହା ତାଙ୍କୁ ବିଷସଦୃଶ ମନେ ହେଉଥାଏ । ମାନସିକ ଆଘାତ ସହିତ, ନିଦ୍ରା ଓ ଆହାର ତ୍ୟାଗ ହେତୁ, ସେ ଜଣେ ଅସୁସ୍ଥ ଲୋକ ପରି ଦେଖାଗଲେ । ତାଙ୍କର ଶରୀର କ୍ଷୀଣ ଓ ଦୁର୍ବଳ ହୋଇଗଲା । ଏହି ଅବସ୍ଥାରେ, ଦିନେ ସକାଳେ ମୁରଲୀନାଥ ଲକ୍ଷ୍ୟହୀନ ଭାବରେ ବାହାରେ ବୁଲୁଥାନ୍ତି । ଗ୍ରାମର ସୀମା ପାରି ହୋଇ କିଛି ଆଗକୁ ଆସିବା ପରେ, ସେ ଏକ ଗଛତଳେ ଥକା ମାରି ବସି ପଡିଲେ । ତାହା ଏକ ଫଳ ଉଦ୍ୟାନ ଥିଲା । ସେଠାରେ ଧୀର ଶୀତଳ ପବନ ବହୁଥାଏ । ପାଖରେ ଛୋଟ ଜଳଧାରଟିଏ ବୋହିଯାଉଥାଏ । ପ୍ରକୃତିର ଏହି ଆହ୍ଲାଦକାରୀ ପରିବେଶ, ତାଙ୍କ ମନର ଉଦ୍ବେଗକୁ ଅନେକାଂଶରେ ହ୍ରାସ କଲା । ରାଜାଙ୍କର ଅପମାନଜନକ କଥାର ଆଘାତରେ ମ୍ରିୟମାଣ ତାଙ୍କ ହୃଦୟରେ ଧୀରେ ଧୀରେ ଆତ୍ମବିଶ୍ୱାସ ସଂଚାର ହେଉଥାଏ । ତାଙ୍କ ଭିତରେ ନୂତନ ପ୍ରେରଣା ଓ ଉତ୍ସାହ ଜାଗି ଉଠୁଥିଲେ ମଧ୍ୟ, ସେ ଏହା ସ୍ଥିର କରି ପାରୁ ନ ଥାନ୍ତି ଯେ, ସେ କିପରି କମଳଚନ୍ଦ୍ରଙ୍କର ଆସ୍ଥାଭାଜନ ପୁନର୍ବାର ହୋଇପାରିବେ । ଏହି ସମୟରେ ଜଣେ ସୁନ୍ଦର ଯୁବକ ସେଠାରେ ଆସି ଉପସ୍ଥିତ ହୋଇ ମୁରଲୀନାଥଙ୍କୁ ପ୍ରଣାମ କଲା । ମୁରଲୀନାଥ ତାଙ୍କୁ ଚିହ୍ନି ନ ପାରି ପ୍ରଶ୍ନ କଲେ, “ଆପଣ କିଏ?” ତା’ପରେ ସେ ଯୁବକ ଜଣକ ହସି ହସି କହିଲେ, “ମୋର ନାମ ହେଉଛି ବିଷ୍ଣୁଭଟ୍ଟ । ଗୀତାଦେବୀଙ୍କ ଘର ନିକଟରେ ଆମ ଘର । ମୁଁ ଆପଣଙ୍କୁ ବିବାହ ସମୟରେ ଦେଖିଥିଲି । ଆପଣଙ୍କର କବି ପ୍ରତିଭା ମୋର ଆଉ ଅଗୋଚର ନାହିଁ । ଆପଣଙ୍କୁ ଏଠାରେ ଦେଖି, କବିତାଟିଏ ଶୁଣିବାର ଲୋଭ ସମ୍ବରଣ କରି ନ ପାରି ମୁଁ ଏଠାକୁ ଆସିଛି । ଦୟାକରି ଆପଣ ମୋତେ ନିରାଶ କରନ୍ତୁ ନାହିଁ ।” ମୁରଲୀନାଥ, କଣ କରିବେ କିଛି ଭାବିପାରୁ ନ ଥାନ୍ତି । ଏହା ଲକ୍ଷ୍ୟ କରି ବିଷ୍ଣୁଭଟ୍ଟ ପୁନଶ୍ଚ କହିଲେ, “ମନେ ହେଉଛି, ଆପଣ ଖୁବ୍ ବିବ୍ରତ ଓ ଚିନ୍ତିତ ରହୁଛନ୍ତି । ଏପରି କିଛି ଘଟଣା ଘଟିଛି କି, ଯାହା ଆପଣଙ୍କର ମାନସିକ ଓ ଶାରିରୀକ ଅବସ୍ଥାକୁ ଶୋଚନୀୟ କରିଛି?” ବିଷ୍ଣୁଭଟ୍ଟଙ୍କର ଏଭଳି ମଧୁର ଓ କୋମଳ କଥାରେ ମୁରଲୀନାଥ ଅତ୍ୟନ୍ତ ପ୍ରଭାବିତ ହେଲେ । ସେ ମଧ୍ୟ ତାଙ୍କ କବିତା ଶୁଣିବା ପାଇଁ ଆଗ୍ରହୀ । ତେଣୁ ସେ ସ୍ଥିର କଲେ ଯେ, ନିଜର ସବୁ ମନକଥା ତାଙ୍କୁ ସେ ଖୋଲି କହିବେ । ମୁରଲୀନାଥଙ୍କ ଠାରୁ ସବୁକଥା ଶୁଣିବା ପରେ ବିଷ୍ଣୁଭଟ୍ଟ ହସି ହସି କହିଲେ, “ଆପଣଙ୍କ ସମସ୍ୟାର ପ୍ରତିକାର ପାଇଁ ମୁଁ ଏକ ଉପାୟ ବତାଇ ପାରେ ।” ତାଙ୍କ କଥା ଶୁଣି ମୁରଲୀନାଥ ବଡ ଆତୁରତାର ସହିତ ପଚାରିଲେ, “ତାହା କ’ଣ?” “ପ୍ରଥମେ, ରାଜାଙ୍କ ପ୍ରତି ଆପଣଙ୍କର ଯେଉଁ ଦୃଷ୍ଟିକୋଣ ଅଛି, ତାହା ପରିବର୍ତ୍ତନ ହେବା ଏକାନ୍ତ ଆବଶ୍ୟକ । ଜଣେ ରାଜବଂଶରେ ଜନ୍ମ ନେବା ହେତୁ ତା’ଠାରେ ରାଜସୁଲଭ ଦର୍ପ ଅଭିମାନ ରହିବାଟା ତ ସ୍ୱାଭାବିକ । କିନ୍ତୁ ଇତିହାସରେ ଏପରି ଅନେକ ରାଜାଙ୍କର ଦୃଷ୍ଟାନ୍ତ ରହିଛି, ଯେଉଁମାନେ କି କବି, ପଣ୍ଡିତମାନଙ୍କୁ ଉଚ୍ଚାସନ ପ୍ରଦାନ କରିଛନ୍ତି । ଆପଣଙ୍କ ପରି ସରସ୍ୱତୀ ପୁତ୍ରମାନଙ୍କର ପାଦ ପ୍ରକ୍ଷାଳନ କରିଛନ୍ତି । କବି ଓ ପଣ୍ଡିତଙ୍କୁ ସାକ୍ଷାତ ଶାରଦା ରୂପରେ ଉପାସନା କରିଛନ୍ତି । ଏହି ସତ୍ୟ ତ ଆପଣଙ୍କୁ ଅଜ୍ଞାତ ନ ଥିବ ।” ବିଷ୍ଣୁଭଟ୍ଟ
ଅଶୁଭ ଗୃହ ସୂର୍ଯ୍ୟାସ୍ତ ସମୟରେ ଅରଣ୍ୟ ମାର୍ଗରେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଯାଉଥିଲେ । ମୁହଁରେ ତାଙ୍କର ଉଦାସ ଭାବ । ରହି ରହି ସେ ଚାରିଆଡକୁ ଚାହୁଁଥିଲେ; ମନକୁ ମନ କିଛି କଥା ମଧ୍ୟ ସେ କହୁଥାନ୍ତି । ହଠାତ୍ ଜଣେ ବୁଢା ଉଚ୍ଚ ସ୍ୱରରେ କାନ୍ଦି କାନ୍ଦି ଆସି ତାଙ୍କ ନିକଟରେ ପହଁଚିଲା । ବ୍ୟକ୍ତି ଜଣକ ବୁଢାକୁ ପଚାରିଲେ, “କାନ୍ଦୁଛ କାହିଁକି?” ବୁଢା କହିଲା, “ମୋ ଦୁଃଖ ବିଷୟ ଜାଣି ତୁମର କ’ଣ ବା ଲାଭ ହେବ? ତୁମେ କ’ଣ ତାହା ଦୂର କରି ପାରିବ?” ବ୍ୟକ୍ତିଜଣକ କହିଲେ “ମଣିଷ ହସିଲେ କେହି କାରଣ ପଚାରେ ନାହିଁ; କିନ୍ତୁ କାନ୍ଦିଲେ ସମସ୍ତେ ପଚାରନ୍ତି; ତେଣୁ ମୁଁ ପଚାରିଲି ।” ଏଥର ବୁଢା କହିଲା, “ମୋଠାରୁ କେତେ କମ୍ ବୟସ ତୁମର; କିନ୍ତୁ କଥା କହୁଛ ଏକ ଜ୍ଞାନୀ ପରି, ତେବେ ଶୁଣ; ଜ୍ୟୋତିଷ ମହେଶ ପଣ୍ଡା କହିଛନ୍ତି ମୋର ଜୀବନକାଳ ଆଉ ମାତ୍ର ଛଅବର୍ଷ । କିନ୍ତୁ ଅନ୍ୟ କେତେକ ଲୋକ କହୁଛନ୍ତି ମୁଁ ମାସେରୁ ଆଉ ଅଧିକ ବଂଚିବି ନାହିଁ କାରଣ ମୁଁ ଏକ ଅଶୁଭଗୃହରେ ପାଦ ଦେଇଛି ।” ଯାତ୍ରୀ କହିଲେ “ଅଶୁଭ ଗୃହ? ସିଏ ପୁଣି କ’ଣ? ଅନ୍ଧାର ମାଡି ଆସିଲାଣି । କେଉଁଠି ନା କେଉଁଠି ତ ଆଶ୍ରୟ ନେବାକୁ ପଡିବ । ଭୟଙ୍କର ପଶୁଜନ୍ତୁଙ୍କ ଠାରୁ ନିଜକୁ ରକ୍ଷା କରିବାକୁ ହେବ । ବରଂ ଚାଲ ମୁଁ ସେହି ଅଶୁଭ ଗୃହରେ ରହିବି । ମୋ ପାଇଁ ହୁଏତ ତାହା ଶୁଭ ହୋଇପାରେ ।” “ଆହୁରି କିଛି ଦୂର ଆଗକୁ ଯାଅ । ବାମପଟ ରାସ୍ତାରେ ଗଲେ ଅଶୁଭଗୃହ ଦେଖିବ ।” ଏତିକି କହି ବୁଢା ସେଠାରୁ ଚାଲିଗଲା । ବ୍ୟକ୍ତିଜଣକ ଧୀରେ ଧୀରେ ସେହି ଆଡକୁ ଆଗେଇଲେ ଓ ଶେଷରେ ସେ ସେହି ଅଶୁଭ ଗୃହରେ ଯାଇ ପହଁଚିଲେ । ସେ ଦେଖିଲେ ଯେ ଉଚ୍ଚ ସବୁଜ ବୃକ୍ଷରାଜିର ପଶ୍ଚାତରେ ସୁନ୍ଦର ଘରଟିଏ, ଅବଶ୍ୟ ତାହା ପୁରୁଣା । ସେ ଭାବିଲେ ରାତ୍ରିଟି ସେହିଠାରେ କଟାଇବେ । ତେଣୁ ପାଖକୁ ଯାଇ ବନ୍ଦ ଥିବା କବାଟରେ କରାଘାତ କଲେ । କିଛି ସମୟ ପରେ ଜଣେ ବାମନ ଆସି ଘର ଖୋଲିଲା । ଯାତ୍ରୀଜଣକ ପଚାରିଲେ, “ମୁଁ ଏଠାରେ ରାତିଟି ରହିପାରେ କି?” ଏହା ଶୁଣି ବାମନ କହିଲା, “ନିଶ୍ଚୟ, ଯାତ୍ରୀମାନଙ୍କର ସୁବିଧା ପାଇଁ ତ ଏହି ଜଙ୍ଗଲରେ ମୁଁ ଏତେ ବଡ ଘର ବନାଇଛି ।” ଯାତ୍ରୀ ଘରଭିତରକୁ ଯାଇ ଦେଖିଲେ ସେଠାରେ ଚାରିଜଣ ବାମନ ଦୀପସବୁ ନେଇ ଝରକା ପାଖରେ ରଖୁଛନ୍ତି । ମାତ୍ର ସେହି ଦୀପଗୁଡିକରେ ତେଲ ନଥାଏ । ସେଥିରେ ମୂଲ୍ୟବାନ୍ ମଣିସବୁ ରଖା ହୋଇଥାଏ; ସେହି ମଣିଗୁଡିକରୁ ତେଜ ବାହାରୁ ଥାଏ । ଯାତ୍ରୀ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ, “ବଡ ଆଶ୍ଚର୍ଯ୍ୟ କଥା ତ? ମନରେ ବିଶ୍ୱାସ ହେଉ ନାହିଁ ଯେ ମୁଁ ଏସବୁ ଯାହା ଦେଖୁଛି ତାହା ସତ୍ୟ ନା ସ୍ୱପ୍ନ?” “ଜୀବନ ତ ବିଚିତ୍ର; ସେଥିରେ ମଧ୍ୟ ଆହୁରି ଏକ ବଡ ଆଶ୍ଚର୍ଯ୍ୟ ।” ଏତିକି କହି କେହି ଜଣେ ବାମନ ହସିଲା ଓ ପୁଣି କହିଲା, “ଯେତେ ପର୍ଯ୍ୟନ୍ତ ତୁମେ ଏଠାରେ ରହିବାକୁ ଚାହଁ ଖୁସିରେ ରୁହ; କିନ୍ତୁ ଆମକୁ କୌଣସି ପ୍ରଶ୍ନ ପଚାରିବ ନାହିଁ । ପ୍ରଥମ ଘରେ ଯେଉଁ ସ୍ୱର୍ଣ୍ଣକବାଟ ଅଛି ତାକୁ ଆଦୌ ଖୋଲିବ ନାହିଁ ।” ଯାତ୍ରୀ ପଚାରିଲେ “କେବେ ମଧ୍ୟ ଖୋଲିବ ନାହିଁ । ତେବେ ଏତିକି କୁହ ଯେ ଏ ଘରର ମାଲିକ କିଏ?” ତା’ପରେ ସେ ବାମନଟି କହିଲା “ପ୍ରଥମରୁ କହିଛି ନା ପ୍ରଶ୍ନ ପଚାରିବ ନାହିଁ । ଏବେ ମୋ ସହିତ ଆସ ।” ଯାତ୍ରୀଜଣକ ସ୍ନାନ କରିବାକୁ ଚାହୁଁଥିଲେ । ତତ୍କ୍ଷଣାତ୍ ଅତର ଗୋଲାପ ପାଖୁଡା ମିଶ୍ରିତ ପାଣିର ବନ୍ଦୋବସ୍ତ ହୋଇଗଲା । ସ୍ନାନ କରି ସାରିବା ପରେ ସେ ଯାତ୍ରୀଙ୍କୁ ବହୁତ ଭୋକ ଲାଗିଲା । ଭିତରେ ଏକ ବିରାଟ କକ୍ଷରେ ଏକ ବିରାଟ ମେଜ ଥିଲା । ତା’ ଉପରେ ଅନେକ ଖାଦ୍ୟପୂର୍ଣ୍ଣ ପାତ୍ର ଢଙ୍କା ହୋଇଥିଲା । ଯାତ୍ରୀ ଯାହା ଚାହିଁଲେ ସେ ତାହା ଖାଇବାକୁ ବାଢିଦେଲା । ସେ ବାମନକୁ ବହୁତ ପ୍ରଶ୍ନ ପଚାରିବାକୁ ଚାହୁଁଥିଲେ । କିନ୍ତୁ ବାମନ ମୁହଁରେ ହାତ ରଖି ନୀରବ ରହିବାକୁ ନିର୍ଦ୍ଧେଶ ଦେଲା ଓ ନିଜେ ମଧ୍ୟ ଚୁପ୍ ରହିଲା । ତା’ପରେ ଅନ୍ୟ ଏକ ବଡ କକ୍ଷରେ ଶୋଇବା ପାଇଁ ବନ୍ଦୋବସ୍ତ କରାଗଲା । ଖଟ ଉପରେ ଖୁବ୍ କୋମଳ ଶଯ୍ୟା ଥିଲା । ଜଣେ ବାମନ ଝରକାରେ ଥିବା ରେଶମୀ ପର୍ଦ୍ଦାକୁ ଖୋଲିଦେଲା । ପୁଷ୍ପର ସୁଗନ୍ଧରେ ଭରା ପବନ ସୁଲୁ ସୁଲୁ ହୋଇ ପଶି ଆସିଲା । ବାହାରେ ଜ୍ୟୋସ୍ନାରାତି । ଇନ୍ଦ୍ରଭବନ ପରି ଏହି ଘରକୁ, ସେହି ବୁଢାଟା କାନ୍ଦି କାନ୍ଦି ଆସି କ’ଣ କହୁଛି ନା ଅଶୁଭ ଗୃହ । ଯାତ୍ରୀ ଏ ବିଷୟରେ ବହୁତ ଚିନ୍ତା କଲେ କିନ୍ତୁ ଆଦୌ କିଛି ବି ବୁଝି ପାରିଲେ ନାହିଁ । କ୍ରମେ ତାଙ୍କ ମନ ମଧ୍ୟରେ ନାନା ପ୍ରକାର ଚିନ୍ତା ଆସିଲା, ତାଙ୍କୁ ସବୁ କିଛି କୁହୁକ ପରି ଲାଗିଲା । କିନ୍ତୁ ତାଙ୍କର କୌତୁହଳୀ ମନ ଚୁପ୍ ରହି ପାରିଲା ନାହିଁ । ସେବିଷୟରେ କିଛି ଗୋଟାଏ ଖବର ନେବା ପାଇଁ ସେ ମନ ମଧ୍ୟରେ ସ୍ଥିର କଲେ । ରାତିରେ ସେ ସବୁ କିଛି ଭାବିଚିନ୍ତି ଯୋଜନା କରି ରଖିଲେ । ସେ ସ୍ଥିର କଲେ ଯେମିତି ହେଲେ, ବାମନ ମନା କରିଥିବା ଘରକୁ ସେ ଯିବେ ଓ ଦେଖିବେ ସେଥିରେ କ’ଣ ଅଛି । ଏହିପରି ଭାବୁ ଭାବୁ ସେ ଶୋଇଗଲେ । ସକାଳ ହେବା ପରେ ତାଙ୍କ ସ୍ନାନ ଓ ଭୋଜନ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ ହୋଇଥାଏ । ସେ ଦିନଟି ଆନନ୍ଦରେ ସେ ରହିଲେ ଓ ଗୃହର ଷୋଳଟି କକ୍ଷ ବୁଲି ଦେଖିଲେ । ତା’ପରେ ସେ ଘରର ଉପର ମହଲାକୁ ଗଲେ; ସେଠାରେ ଗୋଟିଏ ମାତ୍ର ଘର ଥାଏ । ସୁନାର ସେହି ଘର ଝଟକୁଥାଏ । କକ୍ଷଟିର କବାଟ ଅତି ଚମତ୍କାର ଥିଲା । ଯାତ୍ରୀ ଭାବିଲେ ଭିତରପଟେ କାଳେ ଅଧିକ ଅଦ୍ଭୁତ କିଛି ଥିବ । କିନ୍ତୁ ବାମନ ସେହି କବାଟ ନ ଖୋଲିବାକୁ କହିଥିଲା । କିନ୍ତୁ ଯାତ୍ରୀ ଭାବିଲେ ଏହି ଘରର କବାଟ ନ ଖୋଲିଲେ ରାତିରେ ତ ତାଙ୍କୁ କେବେବି ନିଦ ଆସିବ ନାହିଁ । ତେଣୁ ସେ ଧୀରେ ଧୀରେ କବାଟ ଖୋଲିଲେ । ତାଙ୍କ ଆଖି ଝଲସି ଗଲା । ସେ ଘରର ଚଟାଣ ଶଙ୍ଖ ମଲମଲ ପଥରରେ ହୋଇଥିଲା । ତା’ର କାନ୍ଥ ସବୁ ସୁନାପାତରେ ଢଙ୍କା ହୋଇଥିଲା । ସେଥିରେ ପୁଣି କେଉଁଠି କେଉଁଠି ବା ହୀରାମୋତିର କାରୁକାର୍ଯ୍ୟ ବି ହୋଇଥିଲା । ସେହି ଘର ଭିତରେ ତଳ ଘରକୁ ଯିବା ପାଇଁ ସିଡି ଥିଲା । ଯାତ୍ରୀ ପଡିଯିବା ଭୟରେ ବଡ ସାବଧାନତାର ସହିତ ତଳକୁ ଓହ୍ଲାଇଲେ । ହଠାତ୍ ବଡ କାଉଟାଏ କାହୁଁ ଆସି ତାଙ୍କ ମୁଣ୍ଡକୁ ଖୁମ୍ପିବାକୁ ଲାଗିଲା, ବିଲେଇଟାଏ ଶବ୍ଦ କରି ଆସି ତାଙ୍କ ଛାତି ଉପରକୁ କୁଦି ପଡିଲା । ଏତେ ଜୋର୍ରେ ବିଲେଇଟା ଚିତ୍କାର କଲା ଯେ ଯେପରି ତାଙ୍କ କାନ ଫାଟିଯିବ । ଗୋଟାଏ ଚେମଣିଆ ତାଙ୍କ ମଥା ଉପରେ ତିନିଥର ଉଡିଲା । ଏସବୁ ଦେଖି ସେ ଭୟରେ ଥରିଲେ । ସେ ସେଠାରୁ ବାହାରି ଆସିବାକୁ ପଛପଟକୁ ଘୂରିବା ମାତ୍ରେ ଏକ ଭୟଙ୍କର ସ୍ୱର କହିଲା, “ମୂର୍ଖ, ଠିକ୍ କୋଡିଏ ବର୍ଷ ପରେ ଆଜିର ଦିନରେହିଁ ତୋର ମୃତ୍ୟୁ ନିଶ୍ଚିତ ।” ଏକଥା ଶୁଣି ସେ ଯାତ୍ରୀ ଜଣକ ଭାରି ଖୁସି ହେଲେ ଓ ନିଜ କକ୍ଷକୁ ଫେରି ଆସିଲେ । ସେଠାରେ ପାଂଚଜଣ ବାମନ ଫୁସ୍ ଫାସ୍ ହୋଇ କ’ଣ କଥାବାର୍ତ୍ତା ହେଉଥିଲେ । ଯାତ୍ରୀ ପଚାରିଲେ, “ସମସ୍ତେ ଏଠାରେ ଏକତ୍ର କାହିଁକି ହୋଇଛ?” ଜଣେ ବାମନ କହିଲା, “ତୁମେ ମୃତ୍ୟୁର ଦିନ ଜାଣି କରି ମଧ୍ୟ ହସୁଛ, ଏହା ତ ବଡ ଆଶ୍ଚର୍ଯ୍ୟ କଥା?” ଯାତ୍ରୀ କହିଲେ “ମୁଁ କାହିଁକି କାନ୍ଦିବି? ମୋର ମୃତ୍ୟୁ ସମୟ ଜାଣି କରି ମୁଁ ତ ବହୁତ ଖୁସି ।” “ବହୁତ ଦିନ ପରେ ଆମେ ତୁମ ପରି ଜଣେ ବ୍ୟକ୍ତି ଦେଖିଲୁ । ଏକଥା ତୁରନ୍ତ ଆମେ ଆମ ମୁଖିଆଙ୍କୁ ଯାଇ କହିବୁ । ମନେ ହେଉଛି ଭବିଷ୍ୟତରେ ଏହି ଅଶୁଭଗୃହରେ ଆମର ଆଉ କିଛି ବି କାମ ନାହିଁ ।” ଏକଥା କହୁ କହୁ ବାମନମାନେ ସେଠାରୁ କୁଆଡେ ଅଦୃଶ୍ୟ ହେଲେ । ତା’ର ଠିକ୍ ପର ମୁହୂର୍ତ୍ତରେ ସେ ଅଶୁଭଗୃହ ମଧ୍ୟ କୁଆଡେ ଉଭେଇଗଲା । ଏବେ ଯାତ୍ରୀଜଣକ ଦେଖିଲେ ସେ ଗୋଟିଏ ଗଛ ତଳେ ଠିଆ ହୋଇଛନ୍ତି । ସେ ଖୁସିରେ ମନକୁ ମନ କହିଲେ,
ପ୍ରକୃତ ସୁସଙ୍ଗାତ ଅଗନା ଅଗନି ବନସ୍ତ । ସେହି ବନସ୍ତରେ ଗୋଟିଏ ବିରାଟକାୟ ଶାଳ୍ମଳୀ ବୃକ୍ଷ ଥିଲା । ଚତୁର କାଉ ସମସ୍ତ ପ୍ରକାର ବିପଦକୁ ଆଖି ଆଗରେ ରଖି ସେହି ଶାଳ୍ମଳୀ ବୃକ୍ଷରେ ତା’ର ରହିବାର ବସାଟି ନିର୍ମାଣ କରି ରହୁଥାଏ । ସେହି ବୃକ୍ଷ ମୂଳରେ ଗୋଟିଏ ଉଚ୍ଚିଆ ଜାଗା ଥିଲା । ସେହି ଜାଗାରେ ମୂଷାଟିଏ ଗାତ ଗୋଟିଏ କରି ରହିଥାଏ । ପୁଣି ଶାଳ୍ମଳୀ ବୃକ୍ଷର ଅଳ୍ପ ଦୂରରେ ଯେଉଁ ପୋଖରୀଟି ଦେଖାଯାଉଥିଲା ସେହି ପୋଖରୀରେ କଇଁଛଟିଏ ମଧ୍ୟ ରହୁଥିଲା । ଶାଳ୍ମଳୀ ବୃକ୍ଷର ସାମାନ୍ୟ ଦୂରକୁ ଗଲେ ଏକ ବୃକ୍ଷଲତାରେ ପୂର୍ଣ୍ଣ ଗୋଟିଏ ଗହଳିଆ ସ୍ଥାନ ଥିଲା ଯେ ସେହିଠାରେ ରହୁଥାଏ ଗୋଟିଏ ହରିଣ । ଏମାନଙ୍କର ଦିନେ ଏକ ସମୟରେ ସାକ୍ଷାତ ହୋଇଥିବାରୁ ନିଜ ନିଜ ମଧ୍ୟରେ ପରିଚୟ ହୋଇଗଲା । ସେହିଦିନଠାରୁ ଚାରିଜଣଙ୍କର ମଧ୍ୟରେ ଗଢ଼ି ଉଠିଲା ମିତ ସଙ୍ଗାତର ସମ୍ପର୍କ । ଏପରି ମିତ୍ରତା ବଢ଼ିଗଲା ଯେ କେହି କାହାରିକୁ ଦିନରେ ଥରେ ନ ଦେଖିଲେ ସେ ଦିନଟି ଖୁବ୍ ଖରାପ ବିତିଯାଏ । ସେମାନଙ୍କର ଯେତେବେଳେ କାହାରି କିଛି କାମ ନଥାଏ ସେମାନେ ଚାଲିଆସନ୍ତି ସେହି ଗଛ ମୂଳକୁ । ସେହିଠାରେ ବସି ନିଜ ନିଜ ମଧ୍ୟରେ ସୁଖ ଦୁଃଖ କଥା ହୁଅନ୍ତି । କେତେବେଳେ ଦୁଃଖର କଥା ତ କେତେବେଳେ ସୁଖର କଥା । ସେମାନଙ୍କର ସମୟ ବିତେ । ପୁଣି କଥା ସରିଲେ ଯେଝା ଯେଝାର ବାସସ୍ଥାନକୁ ଫେରି ଯାଆନ୍ତି । ଦିନକର କଥା । ଅପରାହ୍ନରେ କଅଁଳିଆ ଖରା । କାଉ ପ୍ରଥମ ହୋଇ ଆସି ସେହି ଗଛରେ ବସିଲା । ସେତେବେଳକୁ ଅନ୍ୟ ମିତମାନଙ୍କର ସେଠାରେ ଦେଖାନଥାଏ । ତହୁଁ କାଉ କ’ଣ କଲାନା କା କା ହୋଇ ସମସ୍ତ ମିତଙ୍କୁ ଡାକ ପକାଇଲା । ଆହେ କଇଁଛ ମିତ । ଆରେ ଏଯାବତ୍ ତୁମର ଦେଖା ହେଉନାହଁ କାହିଁକି? କାଉ ଆସିବାର ଜାଣିପାରି କଇଁଛ ସେଠାକୁ ଆସିଲା । କହିଲା ଭାଇରେ କ’ଣ ଆଉ କରିଥାଆନ୍ତି । କାଲି ରାତିରେ ମନଟା ମଧ୍ୟରେ କେତେଗୁଡାଏ କଥା ଗୋଳେଇ ଘାଣ୍ଟି ହେଲା ଯେ ରାତି ପାହିଗଲା ବରଂ ମୋତେ ଆଉ ନିଦ ହେଲା ନାହିଁ । ଶୋଉ ଶୋଉ ଏଯାଏ ଶୋଇପଡ଼ିଲି । ଏଇନେ ଯଦି ତୁମର ଡାକ ମୋ କାନରେ ବାଜି ନଥାଆନ୍ତା ନା ମୁଁ କୋଉ ଉଠିଥାଆନ୍ତି, ଭଲ ହେଲା ଡାକିଦେଲ । ଠିକ୍ ସେହି ବେଳକୁ ମିତ ମୂଷା ଆସି ପହଞ୍ଚିଗଲା । ଏହା ମଧ୍ୟରେ ପଶ୍ଚିମ ଆକାଶରେ ସୂର୍ଯ୍ୟ ଡୁବିଯିବାକୁ ବସିଲେଣି । ହେଲେ ସମସ୍ତଙ୍କର ଆଖିଆଉ ଚିନ୍ତା ଯାଇ ରହିଲା ହରିଣ ଉପରେ । ଏଯାଏ ହରିଣ ମିତର ଏଠାରେ କାହିଁକି ଦେଖା ନାହିଁ ତ? କାଉ ଭାବୁ ଭାବୁ କହି ପକାଇଲା ବିଚରା ମିତ ଆମର ଆଜି କ’ଣ କୌଣସି ଅସୁବିଧାରେ ପଡ଼ିଗଲେ ନା’ କ’ଣ? କଇଁଛ ସେମାନଙ୍କ ଠାରୁ ବେଶି ଭାବୁଥିଲା ଯେ ଏଯାଏ ହରିଣ ମିତର କାହିଁକି ଦେଖାନାହିଁ । ସମସ୍ତଙ୍କ ମନ କେତେକ ସନ୍ଦେହକୁ ନେଇ ବିକଳ ହୋଇ ପଡ଼ିଲା । ସେ କହିଲା – ଆଚ୍ଛା ମିତ କାଉ, ତମେ ତ ଆମ ମଧ୍ୟରୁ ଏହି କାମ ସହଜ କରିପାରିବ । ତମେ ଟିକେ ଆକାଶ ଆଡ଼େ ବୁଲି ଆସି ଦେଖ ତ ମିତ ଆମର କୁଆଡ଼େ ଗଲେ? ସଙ୍ଗେ ସଙ୍ଗେ କାଉ କା କା ହୋଇ ଉପରକୁ ଉଠିଲା । ସଙ୍ଗେ ସଙ୍ଗେ ଚାରିଆଡ଼କୁ ଖେଦି ପକାଇଲା । ଏଇ ଉଡ଼ିବା ମଧ୍ୟରେ ତା’ର ନଜର ପଡ଼ିଗଲେ ଯେ ବିଚରା ହରିଣ ମିତ ଜାଲରେ ପଡ଼ିଯାଇଛି । କାଉ ସଙ୍ଗେ ସଙ୍ଗେ ହରିଣ ମିତ ପାଖରେ ଯାଇ ଦେଖିଲା ହରିଣ ମିତ ବଡ଼ ଅସଜିଆ ଜାଲରେ ପଡ଼ିଯାଇଛି । କାଉକୁ ଦେଖୁ ଦେଖୁ କାନ୍ଦ କାନ୍ଦ ହୋଇଗଲା ହରିଣ । କହିଲା କ’ଣ କରିବି ଆଉ? ଏପରି ଜାଲରେ ପଡ଼ିଛି ଯେ ଏଥିରୁ ଉଦ୍ଧୁରିବା ଆଉ ସମ୍ଭବ ନୁହେଁ । ଶିକାରୀ ଆସିବା ବେଳ ପ୍ରାୟ ହୋଇଯିବଣି । ତୁମେ ସବୁ ମିତମାନଙ୍କୁ କହିଦେବ, ସେମାନେ ଆଉ ମୋ କଥା ଭାବିବେ ନାହିଁ । ତାଙ୍କ ହରିଣ ମିତର ମୃତ୍ୟୁ ଡାକରା ଆସିଗଲାଣି । କାଉ ମିତକୁ ଏତକ କହୁକହୁ ହରିଣ କାନ୍ଦିବାକୁ ଲାଗିଲା । କାଉ ତାଙ୍କୁ ଖୁବ୍ ସାନ୍ତ୍ୱନା ଦେଇ କହିଲା – ରୁହ ବ୍ୟସ୍ତ ହୁଅ ନାହିଁ । ମୁଁ ଯାଉଛି ସବୁ ମିତ୍ରଙ୍କୁ ଏକଥା କହିବି । ତୁମକୁ କିପରି ଉଦ୍ଧାର କରାଯିବ ତା’ର ଗୋଟିଏ କିଛି ଉପାୟ କରିବାକୁ ହେବ ନା? ଏହାକହି ସଙ୍ଗେ ସଙ୍ଗେ କାଉ ଉଡ଼ିଯାଇ ମିତମାନଙ୍କ ପାଖରେ ପହଞ୍ଚିଲା । କାଉ ମିତ ଏତେବେଳ ହେଲା ଗଲାଣି ଯେ ଏଯାଏ ଫେରିଲା ନାହିଁ? ଏଯାଏ ବୋଧହୁଏ ସେ ହରିଣ ମିତଙ୍କର କୌଣସି ସନ୍ଧାନ ପାଇନାହାଁନ୍ତି । ଏପରି ସମୟରେ ମିତମାନଙ୍କର ପାଖରେ ଆସି କାଉ ପହଞ୍ଚି ହରିଣ ମିତଙ୍କର ଜାଲରେ ପଡ଼ିବା ବୃତ୍ତାନ୍ତ ଜଣାଇ ଦେଲା । ଏକଥା ଶୁଣିବାମାତ୍ରେ ସମସ୍ତେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । କଇଁଛ କହିଲା ହେ ମୂଷା ମିତ ଏପରି ବିପଦରେ ଆଉ ବିଳମ୍ବ କରିବାର ନାହିଁ । ଆମକୁ ଯେତେ ଶୀଘ୍ର ହେବ ଏହାର ବ୍ୟବସ୍ଥା କରିବାକୁ ହେବ । ମୂଷା କହିଲା ଏତେଗୁଡାଏ ବାଟ ଆମେ ଯାଇ ପହଞ୍ଚିବା ବେଳକୁ ଯଦି ଶିକାରୀ ହାତରେ ଆମର ମିତ ପଡ଼ିଯାଇଥିବେ ଆମେ କରିବା କ’ଣ? କୁଆ କହିଲା – ମୋ ମନକୁ ଗୋଟିଏ ବୁଦ୍ଧି ଆସୁଛି । ତମେ ଯଦି ରାଜି ହେବ ତାହାହେଲେ କହନ୍ତି । ଆମକୁ କଷ୍ଟ ହେଉ ବରଂ ହରିଣ ମିତ ଆମର ଏତେ ବଡ଼ ବିପଦରୁ ନିଶ୍ଚୟ ଉଦ୍ଧାର ପାଇଯାଆନ୍ତେ । କାଉ ମୁହଁରୁ ଏକଥା ଶୁଣି କଇଁଛ କହିଲା -ସେ ଉପାୟ ଆମକୁ କହୁନା କାହିଁକି? କାଉ କହିଲା – ତମେ ପଛେ ପଛେ ଆମକୁ ଅନ୍ୱେଷଣ କରି ଆସ । ମୁଁ ମୂଷା ମିତଙ୍କୁ ପିଠିରେ ବସାଇ ସେହି ହରିଣ ମିତ ପାଖକୁ ଶିଘ୍ର ନେଇ ଯାଉଛି । କଇଁଛ ମିତ କହିଲା ଆଉ ଅପେକ୍ଷା କରୁଛ କାହିଁକି । ମୁଁ ପଛେ ପଛେ ଯାଉଛି ତୁମେ ମୂଷା ମିତଙ୍କୁ ପିଠିରେ ବସାଇ ଯେତେ ଶୀଘ୍ର ପାରୁଛ ଚାଲ । ଏହାପରେ କୁଆ ନିଜ ପିଠିରେ ମୂଷାକୁ ବସାଇ ଆକାଶରେ ଉଡ଼ି ଉଡ଼ି ଚାଲିଲା । କଇଁଛ ତଳେ ଖୁବ୍ ବେଗରେ ସେହି ଆଡ଼କୁ ଧାଇଁବାକୁ ଲାଗିଲା । ଯାହାହେଉ ସମସ୍ତେ ଏକା ସାଙ୍ଗରେ ସେଠାରେ ଏକାଠି ହୋଇଗଲେ । ମୂଷା ଆଉ ବିଳମ୍ବ ନକରି ଜାଲକୁ କୁଟୁକୁଟୁ କରି କାଟି ପକାଇବାରୁ ହରିଣ ମିତ ମୁକ୍ତି ପାଇଗଲା । ଏତିକିବେଳକୁ ଶିକାରୀ ସେହି ଦିଗକୁ ଧାଇଁବାର ଦେଖି ହରିଣ, ଶିକାରୀ ଭୟରେ ଦୌଡ଼ିବାକୁ ଲାଗିଲା ବେଳକୁ, ତାକୁ ଦେଖି ମୂଷା ଗୋଟିଏ ଗାତରେ ପଶିଗଲା । ସେମିତି କାଉ ମଧ୍ୟ ଉଡ଼ିଯାଇ ଗୋଯିଏ ଗଛ ଡାଳରେ ବସିଗଲା । ଏଥର ବିଚରା କଇଁଛ ଯାଏ କୁଆଡ଼େ । ତିନି ମିତଙ୍କ ମଧ୍ୟରେ ଭାଳେଣି ପଡ଼ିଲା । ଏଥର କଇଁଛ ମିତଙ୍କୁ ଆମର ବିପଦ ପଡ଼ିଯିବ । ଏମାନଙ୍କ ମନ ମଧ୍ୟରୁ ଭାବନା ସରିନାହିଁ ଜାଲ ପାଖରେ ଧଇଁସଇଁ ହୋଇ ଶିକାରୀ ପହଞ୍ଚିଗଲା । ଜାଲ କାଟି ହରିଣ ଖସିବାର ଜାଣି ମନ ମଧ୍ୟରେ ବହୁତ କ୍ରୋଧ କଲା ଶିକାରୀ । ସେତିକିବେଳେ କଇଁଛ ବିଚରା ଆଗକୁ ଆଗକୁ ପଳାଇ ଯାଉଥିବାର ଦେଖି ଶିକାରୀ ଭାବିଲା ଏ ସବୁତକ ଲୀଲା ଏଇ କଇଁଛର । ହରିଣ ଖସିଗଲା ଖସିଗଲା । ତୁ ଏବେ ଯିବୁ କୁଆଡ଼େ ଦେଖିବା? ଏହା କହି ଶିକାରୀ ଖୁବ୍ ଜୋର୍ରେ ମାଡ଼ିଯାଇ କଇଁଛକୁ ମାଡ଼ିବସି କହିଲା – ଧରାପଡ଼ିଛୁ । ହରିଣକୁ ଖସାଇଦେଲୁ ସିନା ଏଥର ତୁ ଯିବୁ କୁଆଡ଼େ । ହରିଣ ଧରା ପଡ଼ିଥିଲେ ତାକୁ କାଟି ଆଜି ଗୋଟିଏ ବଡ଼ ଭୋଜି ହୋଇଥାଆନ୍ତା । ତୁ ଯେତେବେଳେ ତାକୁ ଖସାଇ ଦେଲୁ ଏଥର ତୋ ଝୋଳଟା କେଡ଼େ ମଜ୍ଜା ଲାଗିବ ଦେଖିବୁ । ଏହାକହି ଶିକାରୀ ଖୁବ୍ ଯତ୍ନରେ କଇଁଛକୁ ନିଜର ଗାମୁଛା ମଧ୍ୟରେ ଗୁଡ଼େଇ ଗୁଡ଼େଇ ବାନ୍ଧିଦେଲା । ତା’ ପରେ ଚାଲିଲା ନିଜ ଘରକୁ । କଇଁଛକୁ ଏପରି ହାଲ ଅବସ୍ଥା କରି ଶିକାରୀ ନେଇଯିବାରୁ କୁଆ ସେହି କଥାକୁ ଖୁବ୍ ଜୋର୍ରେ ରାବ କରି ସବୁ ମିତଙ୍କୁ ଜଣାଇ ଦେଲା । ସଙ୍ଗେ ସଙ୍ଗେ ସବୁ ମିତ ଆସି ଏକାଠି ହୋଇଗଲେ । ତାଙ୍କ ମଧ୍ୟରେ ବହୁତ ବିଚାର ବିମର୍ଷ ଚାଲିଲା । ଏତିକିବେଳେ ମୂଷା ବାହାରି ପଡ଼ି କହିଲା – ତମେମାନେ ଆଦୌ ବ୍ୟସ୍ତ ହୁଅ ନାହିଁ, କଇଁଛ କିପରି ରକ୍ଷା ପାଇବ ଆଗ ବିଚାର କର । ସମସ୍ତେ ବସି ବସି ବହୁ ପ୍ରକାର ଚିନ୍ତା କରିବାକୁ ଲାଗିଲେ । ବୁଦ୍ଧିଆ କାଉ । ସେ ସେଉଠୁ କହିଲା – ମୋ ମୁଣ୍ଡରେ ଗୋଟିଏ ବୁଦ୍ଧି ପଶିଛି ।
ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା ବହୁ ପ୍ରାଚୀନ କାଳର କଥା । ଦାକ୍ଷିଣାତ୍ୟ ନାମକ ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟଟି ଜନବସତି ଠାରୁ ଅଧିକ ଭାବରେ ଅରଣ୍ୟରେ ପୂର୍ଣ୍ଣଥିଲା । ସେହି ଅରଣ୍ୟ ନିକଟସ୍ଥ ମହିଳାରୋପ୍ୟ ନାମକ ନଗରର ଉପକଣ୍ଠରେ ଥିଲା ଏକ ବିଶାଳ ବଟବୃକ୍ଷ । ବୃକ୍ଷଟିରେ ଡାଳପତ୍ର ପ୍ରବଳଥିବାରୁ ନିମ୍ନସ୍ଥ ସ୍ଥାନଟି ଖୁବ୍ ଛାୟା ଦ୍ୱାରା ଅଚ୍ଛାଦିତ ହୋଇ ରହିଥିଲା ଓ ବଡୁ ବାଟୋଇମାନଙ୍କର ଗ୍ରୀଷ୍ମକାଳରେ କଷ୍ଟ ଲାଘବ ନିମନ୍ତେ ଆଶ୍ରୟ ମଧ୍ୟ ହେଉଥିଲା । ସେହି ପତ୍ରଦ୍ୱାରା ଆଚ୍ଛାଦିତ ବଟବୃକ୍ଷଟି ଅଂଧାରୁଆ ତଥା ନିରାପଦ ହୋଇଥିବାରୁ ମେଘବର୍ଣ୍ଣ ନାମକ ବାୟସରାଜ ବିପଦ ମୁକ୍ତ ମନେକରି ସପରିବାର ସହ ସେହି ବୃକ୍ଷରେ ବାସ କରିବାକୁ ଲାଗିଲେ । ପୁଣି ଅନତୀ ଦୂରରେ ଘଞ୍ଚ ଅରଣ୍ୟ ଅବସ୍ଥିତ ଥିଲା । ସେହି ଅରଣ୍ୟ ସମାନ୍ତରେ ଥିବା ଏକ ଅଂଧାରୁଆ ତଥା ପତ୍ରପୂର୍ଣ୍ଣ ଗହଳି ଅଂଧାରିଆ ଗୁହାକୁ ନିଜର ବାସସ୍ଥାନ ଭାବରେ ନିର୍ବାଚନକରି ଅରିମର୍ଦ୍ଧନ ନାମକ ଭଲ୍ଲୁକ ରାଜା ମଧ୍ୟ ବହୁଦିନ ଧରି ବାସ କରିଆସୁଥାଏ । ପ୍ରତିଦିନ ସୂର୍ଯ୍ୟାସ୍ତ ହେବା ସଂଗେସଂଗେ ସଂଧ୍ୟା ଆସିଗଲେ ଭଲ୍ଲୁକରାଜ ଅରିମର୍ଦ୍ଧନ ନିଜର ସପରିବାର ସହିତ ପୂର୍ଣ୍ଣବର୍ଣ୍ଣିତ ବଟବୃକ୍ଷର ଚୁତଃପାଶ୍ୱର୍ରେ ବୁଲିବାକୁ ଆରମ୍ଭ କରିଦିଏ । ଆଉ ମଧ୍ୟ ରାତ୍ର ଗୋଟାକ କାକ ଏହିପରି ନାନାବୃକ୍ଷ ଦେଇ ଉଡ଼ିବୁଲେ ଓ ତତ୍ସେଙ୍ଗ ସଙ୍ଗେ ସେହି ବୃକ୍ଷ ନିକଟକୁ ବାରମ୍ବାର ଆସିଥାଏ । କାରଣ କାକମାନଙ୍କ ସହିତ ବହୁ ପୂର୍ବରୁ ଶତ୍ରୁତା ରହି ଆସିଥିବାରୁ ସେ ସଦାସର୍ବଦା କାକମାନଙ୍କର ଅନ୍ୱେଷଣରେ ଥାଏ ଏବଂ କେହି କାକ ତା’ ହାବୁଡ଼େ ପଡ଼ିଗଲେ ସେ ତତ୍କ୍ଷଣାତ୍ ତାହାକୁ ଆକ୍ରମଣ ପୂର୍ବକ ମାଡ଼ି ବସି ମାରିଦେଇଥାଏ । ଏହିପରି ଭାବରେ ଅରିମର୍ଦ୍ଧନ ଭଲ୍ଲୁକ ରାଜ ଗୋଟିକପରେ ଗୋଟିଏ କାକକୁ ନିଜର କୌଶଳ କ୍ରମେ ମାରି ଦେଉଥିବାରୁ କ୍ରମଶଃ କାକକୂଳର ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲା । ଏଥର ବାୟସରାଜ ମେଘ ବର୍ଣ୍ଣର ମୁଣ୍ଡରେ ଭୟଙ୍କର ଚିନ୍ତା ପ୍ରବେଶ କଲା, ତା’ର ବଂଶପ୍ରତି ସଦାସର୍ବଦା ବିପଦ ସୃଷ୍ଟିକରି ଅରିମର୍ଦ୍ଧନ ଭଲ୍ଲୁକ ତା’ର ବଂଶନିପାତ କରିବାର ପ୍ରୟାସ କରୁଅଛି, ଏଥିଲାଗି ତାକୁ କିପରି ବିନାଶ କରିହେବ ସେହି ଚିନ୍ତାରେ ବାୟସ ରାଜ ମେଘବର୍ଣ୍ଣ ବ୍ୟସ୍ତ ରହିଲା । ଏହାଛଡ଼ା ମେଘବର୍ଣ୍ଣ ବୁଝିଥିଲା ଯେ ଶତ୍ରୁ ଭୀଷଣ ଶକ୍ତିକାୟ । ଆଉ ମଧ୍ୟ ସେ ଥିଲା ଭୀଷଣ କାଳଜ୍ଞ । ତା’ ବଂଶର କାକମାନେ ରାତ୍ରକାଳରେ କୌଣସି ବସ୍ତୁକୁ ଦେଖି ନପାରୁଥିବା କାରଣରୁ ଏହି ରାତ୍ର କାଳରେ ସେମାନଙ୍କୁ ବିନାଶ କରିବାର ସୁଯୋଗ ଖୋଜିଥାଏ ଓ ସେହି ସୁଯୋଗ ପାଇବା ମତ୍ରେ ସେ ଗୋଟିକ ପରେ ଗୋଟିଏ କାକକୁଳକୁ ମାରିପକାଏ । କାକମାନେ ଦିନବେଳା ଶକ୍ତିପୂର୍ଣ୍ଣ ହେଲେ ମଧ୍ୟ ଶତ୍ରୁ ଅରି ମର୍ଦ୍ଧନକୁ କୌଣସି ପ୍ରକାର ହତ୍ୟାକରି ପାରୁନଥାନ୍ତି । କାରଣ ଦିନ ହେବାମାତ୍ରେ ସେ କୌଣସିନା କୌଣସି ବିପଦଥିବା ଅଂଧାରୁଆ କୋରଡ଼ ମଧ୍ୟରେ ଲୁଚିକରି ବିଶ୍ରାମ ନେଇଥାଏ । ଏହାପରେ ବାୟସରାଜ ମେଘବର୍ଣ୍ଣର କେଉଁ ଉପାୟକୁ ଗ୍ରହଣ କରିବାକୁ ହେବ ଆଉ ଯେଉଁ ଉପାୟରେ ଅରିମର୍ଦ୍ଧନକୁ ହତ୍ୟାକରି ହେବ ତାହା ସ୍ଥିର କରିବା ନିମନ୍ତେ ଏକ ଆଲୋଚନା ଚକ୍ରର ଆୟୋଜନ କଲା । ସେହି ଆଲୋଚନା ଚକ୍ରକୁ ନିଜର ପଞ୍ଚମନ୍ତ୍ରୀ ଯଥା – ଉଜ୍ଜୀବି, ସଂଜିବୀ, ଅନୁଜୀବି, ପ୍ରଳିଚୀ ଏବଂ ଚିରଂଜୀବିଙ୍କୁ ଡକାଇ ଆଣିଲା, ଅନେକ ସମୟ ଧରି ଅରିମର୍ଦ୍ଧନର ବିନାଶ ନିମନ୍ତେ ଆଲୋଚନା କରାଗଲା । ଶେଷରେ ବାୟସରାଜ, ଚିରଂଜୀବିଠାରୁ ପରାମର୍ଶ ଲୋଡ଼ି କହିଲା ଯେ ଏବେତ ଶତ୍ରୁ ଅରି ମର୍ଦ୍ଧନ ବିଷୟରେ ଅନେକ ଆଲୋଚନା ହୋଇଗଲା ଆମେ କୌଣସି ଏକ ସମାଧାନରେ ପହଞ୍ଚିପାରିଲେ ନାହିଁ । ଏହାପରେ ଆମେ କ’ଣ କୌଣସି ଉପାୟ ବାହାର କରିପାରିବା ନାହିଁ ଯେ ଅରିମର୍ଦ୍ଧନର ବିନାଶ କେଉଁ ଉପାୟ ଦ୍ୱାରା କରାଯାଇପାରିବ । ସେତିକିବେଳେ ଉଜ୍ଜୀବି ନାମକ ବାୟସରାଜର ମନ୍ତ୍ରୀ ଏକ ପ୍ରସ୍ତାବ ଆଣିଲା ଯେ ଶତ୍ରୁ ଯେହେତୁ ପ୍ରବଳ ବଳଶାଳୀ ତାକୁ ବଳଦ୍ୱାରା କେବେ ବିନାଶ କରାଯାଇ ପାରିବ ନାହିଁ । ସେଥିପାଇଁ ଏ କ୍ଷେତ୍ର ସଂଧିକରିବା ମୋ ମତରେ ଶ୍ରେୟସ୍କର, କିନ୍ତୁ ଏହି ପ୍ରସ୍ତାବକୁ ଶୁଣି ସାରିବାପରେ ବାୟସ ରାଜର ଅନ୍ୟମନ୍ତ୍ରୀ ଅନ୍ୟ ଏକ ପ୍ରସ୍ତାବ ଦେଲେ ଯେ ସେ ବଳଶାଳୀ ଶତ୍ରୁ ହେଉ ପଛେ ଆମ ତରଫରୁ ତା’ର ବିପକ୍ଷରେ ଯୁଦ୍ଧର ଆୟୋଜନ କରିବା ଦରକାର । ଦୁହିଁଙ୍କର ମତାମତ ଶୁଣିବାପରେ ଅନୁଜୀବି ମଧ୍ୟ ଅନ୍ୟ ଏକ ପ୍ରସ୍ତାବ ଦେବାକୁ ଯାଇ କହିଲା ଏକ୍ଷେତ୍ରେ ଯୁଦ୍ଧ କିମ୍ବା ସଂଧିକରିବାର ଆବଶ୍ୟକ ନାହିଁ ବୋଲି ମୋର ମତ, ବରଂ ଏପରି ବଳଶାଳୀ ଶତ୍ରୁ ନିକଟକୁ ଅପସରି ଯିବା ଆମ୍ଭମାନଙ୍କ ନିମନ୍ତେ ଶ୍ରେଷ୍ଠ ପନ୍ଥା ହୋଇପାରିବ । ଏହାପରେ ପ୍ରଜୀବି ନାମକ ଆଉ ଏକ ଦୃଷ୍ଟାନ୍ତ ଉପସ୍ଥାପନ କରି କହିଲା – ଏ ପ୍ରକାର ମତାମତ ଆମପାଇଁ ଶୋଭନୀୟ ହୋଇନପାରେ, କାରଣ ଶକ୍ତିହୀନ ମର୍କତ ପ୍ରବଳ ବଳଶାଳୀ ହସ୍ତୀକୁ ପଙ୍କ ମଧ୍ୟକୁ ଟାଣିନେଇ ପାରିଥିଲା । ତେଣୁ ମୋ ମତରେ ନିଜର ବାସସ୍ଥାନରେ ରହି ସେହି ବଳଶାଳୀ ଶତ୍ରୁକୁ କିପରି ଭାବରେ ଦମନ କରି ହେବ ଆମକୁ ସେପରି ଏକ ପନ୍ଥା ନିର୍ଦ୍ଧାରଣ କରିବାକୁ ହେବ । ଏହା ଶୁଣିବାପରେ ଚିରଂଜୀବି କହିଲା ଯେ ଏଥିଲାଗି ଆମକୁ ଅନ୍ୟମାନଙ୍କର ସହାୟତା ନେବା ନିତ୍ୟାନ୍ତ ଦରକାର । ସମସ୍ତ ମନ୍ତ୍ରୀମାନଙ୍କର ମତାମତକୁ ଧ୍ୟାନ ପୂର୍ବକ ବାୟସରାଜ ଅରିମର୍ଦ୍ଧନ ଶୁଣି ସାରିଲା ସତ, ହେଲେ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିଲା ନାହିଁ । ସେହି ସମୟରେ ସେ ସଭାରେ ସ୍ଥିରଜୀବି ନାମକ କାକ ଆରମ୍ଭରୁ ଶେଷଯାଏ ନୀରବରେ ବସିରହିଥିଲା । ସେ କିନ୍ତୁ ନୀତି ଶାସ୍ତ୍ରରେ ପାରଙ୍ଗମ ଥିଲା, କିନ୍ତୁ କାହାକୁ କିଛି ନକହି ସେ ଚୁପଚାପ୍ ହୋଇ ବସିଥିଲା କିନ୍ତୁ ଏଥର ନିଜର କିଛି ମତାମତ ପ୍ରକାଶ କରିବା ନିମନ୍ତେ ସଭାରେ ଅନୁପ୍ରାର୍ଥନା କରି ସାରି କହିଲା ଏପରି ଏକ ଶକ୍ତିଶାଳୀ ଶତ୍ରୁର ବିନାଶ କରିବାକୁ ହେଲେ ଆମକୁ ଅନେକଗୁଡ଼ିଏ ଛଳନାର ଆଶ୍ରୟ ନେବାକୁ ହେବ । ଏହା ବ୍ୟତୀତ ମୋତେ ଅନ୍ୟ କୌଣସି ପନ୍ଥା ଦେଖାଯାଉ ନାହିଁ । ଏହାପରେ ସ୍ଥିରଜୀବିର ପରାମର୍ଶ ସମସ୍ତଙ୍କ ମନକୁ ପାଇଲା ନାହିଁ । ଏଥିଯୋଗୁଁ ସ୍ଥିରଜୀବିକୁ କ୍ଷତ ବିକ୍ଷତ କରି ବାୟସରାଜ ମେଘବର୍ଣ୍ଣ ସପରିବାର ପଳାୟନକଲେ ଏବଂ ସେମାନେ ଋଷ୍ୟମୁକ ପର୍ବତରେ ଆଶ୍ରୟ ନେଲେ । ନାନାପ୍ରକାର ଆଘାତ ପାଇ ରକ୍ତାକ୍ତ ଅବସ୍ଥାରେ ସ୍ଥିରଜୀବି ସେହିଠାରେ ପଡ଼ି ରହିଲା । ଯେତେବେଳେ ସଂଧ୍ୟା ଆସି ଉପନୀତ ହେଲା, ସବୁଦିନପରି ସଦଳବଳେ ଭଲ୍ଲୁକ ରାଜ ଅରିମର୍ଦ୍ଧନ ଆସି ସେହି ସ୍ଥାନରେ ପହଞ୍ଚିଲା । ସେ ପ୍ରଥମ କାକଶୂନ୍ୟ ବଟବୃକ୍ଷକୁ ଦେଖିଲା । ଏଥିରେ ସେ ବିସ୍ମିତ ହେଲା । ତା’ପରେ ତା’ ମନରେ ଅଧିକ ବିସ୍ମୟତା ବଢ଼ିଗଲା ଯେ, ସେ ଦେଖିଲା ସେହି ବଟବୃକ୍ଷ ମୂଳେ ରକ୍ତାକ୍ତ ଅବସ୍ଥାରେ ସ୍ଥିରଜୀବି ପଡ଼ିରହିଅଛି । ତା’ ମନରେ କୌତୂହଳ ଜାତ ହେଲା, କାରଣ ସ୍ଥିରଜୀବି ସେମାନଙ୍କ ମଧ୍ୟରେ ପ୍ରଖର ବୁଦ୍ଧିମନ୍ତ ଆଉ ସମସ୍ତ ଜ୍ଞାନରେ ପାରଦର୍ଶିତା ରହିଥିଲା । ତେଣୁ ଭଲ୍ଲୁକ ରାଜ ଅରିମର୍ଦ୍ଧନ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସ୍ଥିରଜୀବିକୁ ଯାଇ ପଚାରିଲା – ଏପରି ଅବସ୍ଥା ତୁମର କାହିଁକି ହେଉଛି । ଛନ୍ଦ କପଟର ଆଶ୍ରୟ ନେବାପରେ ଶତ୍ରୁର ସମ୍ମୁଖ ହେବା ଉଚିତ୍ ମଣୁଥିବା ସ୍ଥିରଜୀବି ଜଣାଇଲା ଯେ ସେ ମେଘବର୍ଣ୍ଣର ମନ୍ତ୍ରୀ ସ୍ତରୀୟ ଭଲ୍ଲୁକ ରାଜ ଅରିମର୍ଦ୍ଧନ ବଶ୍ୟତା ସ୍ୱୀକାର କରିବାକୁ ପରାମର୍ଶ ଦେବାକୁ ଆଜି ତା’ର ଅବସ୍ଥା ଏହି ପ୍ରକାର ହୋଇଛି । ସେତେବେଳେ ଭଲ୍ଲୁକ ରାଜ ଅରିମର୍ଦ୍ଧନର ମଧ୍ୟ ପାଞ୍ଚଜଣ ମନ୍ତ୍ରଣାଦାତା ମନ୍ତ୍ରୀ ଥିଲେ । ସେମାନେ ହେଲେ ରକ୍ତାକ୍ଷ, କୁରାକ୍ଷ, ଦୀପ୍ତାକ୍ଷ, ବଜ୍ରବାସ ଏବଂ ପ୍ରାକାର ବର୍ଣ୍ଣ । ସେମାନଙ୍କ ମଧ୍ୟରେ ଏ ସମସ୍ତ କଥା ଦେଖି ରକ୍ତାକ୍ଷ କହିଲାଯେ ପ୍ରଥମ ସ୍ଥିରଜୀବିର ପ୍ରାଣ ନେବା ଆମ୍ଭମାନଙ୍କ ପକ୍ଷେ ଉଚିତ୍ ହେବ । ତାହା ଶୁଣିବା ମାତ୍ରେ ମନ୍ତ୍ର କୁରାକ୍ଷ କହିଲା ଯେ, ସ୍ଥିରଜୀବିର ଅବସ୍ଥା ତ ଆମ ସପକ୍ଷବାଦୀ ହିସାବରେ ଏହା ହୋଇଅଛି । ତେଣୁ ଶତ୍ରୁପକ୍ଷ ହେଲେବି ଦୟାପୂର୍ବକ ତାକୁ କ୍ଷମାଦିଆଯାଉ । ଏକଥା ପରେ ସମପକ୍ଷଭୁକ୍ତ ହୋଇ ମନ୍ତ୍ରୀ ଦୀପ୍ତାକ୍ଷ ମନ୍ତ୍ରୀ ବଜ୍ରବାସ ଏବଂ ପ୍ରାକାର ବର୍ଣ୍ଣ କହିଲେ ଯେ ବୁରାକ୍ଷର ମତାମତ ଗ୍ରହଣ କରାଯାଉ । ସେଠାରେ ବହୁମତ ମିଳିବାରୁ ମୂର୍ଖ ଅରିମର୍ଦ୍ଧନ ଶତ୍ରୁକୁ ସସମ୍ମାନେ ପାଛୋଟି ନେଇ ନିଜ ବସାକୁ ଘେନିଗଲା । ଚତୁର ବାୟସମନ୍ତ୍ରୀ ସ୍ଥିରିଜୀବି ଏକ ବାହାନା କରି ଭଲ୍ଲୁକ ରାଜର ଆଶ୍ରୟ ସ୍ଥାନ ଗୁହାମଧ୍ୟକୁ ନଯାଇ ଗୁହାର ଦ୍ୱାର ଦେଶରେ ଆଶ୍ରୟ ନେଲା । ଭଲ୍ଲୁକ ରାଜର ଦିବ୍ୟ ପରାମର୍ଶ ଦ୍ୱାରା ବାୟସ ସ୍ଥିରଜୀବି ନିମନ୍ତେ ପ୍ରତିଦିନ ନାନା ପ୍ରକାର ମାଂସ ସହିତ ନାନା ପ୍ରକାର ଖାଦ୍ୟ ମଧ୍ୟ ପରିବେଷଣ କରାଗଲା । ଦିନ କେଇଟା ଯାଇ ନାହିଁ ମୃତାବସ୍ଥାକୁ ଫେରିଯାଇ ସ୍ଥିରଜୀବି ଖୁବ୍ ବଳଶାଳୀ ହୋଇଉଠିଲା । ରକ୍ତାକ୍ଷ ବିପଦ ହୁଏତ ତା’ପାଇଁ ଆସିବାର ସଙ୍କାପ୍ରକାଶ କରି ନିର ସପକ୍ଷମାନଙ୍କୁ ଧରି
ଦୋମୁହାଁ ବିଚାର ଘଞ୍ଚ ଅରଣ୍ୟ । ତା’ ମଧ୍ୟରେ ବହୁ ଜାତିର ଫଳ ଫୁଲ, ଲତାଦି ବୃକ୍ଷରେ ପୂର୍ଣ୍ଣ ହୋଇ ରହିଥାଏ । କେତେ ଜାତିର ସାତ ରଙ୍ଗରେ ଫୁଲ ସବୁ ବୃକ୍ଷରେ ଫୁଟି ହସୁଥାଏ । ନାଲି ହଳଦୀ ଆଉ ସବୁଜ ରଙ୍ଗର ପେନ୍ଥା ପେନ୍ଥା ଫଳ ମଧ୍ୟ ଝୁଲୁଥାଏ । ତେବେ କହିବାକୁ ଗଲେ ତାହା ଏପରି ଏକ ଅରଣ୍ୟ ଯେ ଝରଣାଠାରୁ ଫଳଫୁଲଯାଏ କୌଣସି କଥାରେ ଅଭାବ ନଥିଲା । ତେଣୁ ଏପରି ଏକ ନିର୍ଜନ ସହର ଓ ଗ୍ରାମ ଠାରୁ ବହୁ ଦୂରତ୍ୱ ଅରଣ୍ୟ ମଧ୍ୟରେ ସ୍ୱାଧୀନ ଭାବରେ ବାସ କରୁଥାଆନ୍ତି କେତେ ହିଂସ୍ର ଆଉ ଶାନ୍ତ ପଶୁ । ହରିଣ, ବ୍ୟାଘ୍ର, ଶ୍ୱାନ, ଶୃଗାଳ, ଗୟ, ସିଂହ । ସେହିପରି ନାନା ଜାତିର ନାନା ରଙ୍ଗର ବହୁ ପକ୍ଷୀଙ୍କର କଳରବରେ ଅରଣ୍ୟଟି ସଦା ଚଳଚଞ୍ଚଳ । ମନ ସୁଖରେ ଆହାର ଗ୍ରହଣ କରି ବେଶ୍ ଆନନ୍ଦରେ ବିହାର କରୁଥିଲେ । ସେହିପରି ସେହି ଅରଣ୍ୟ ମଧ୍ୟରେ ଗୋଟିଏ ସୁନ୍ଦର ବୃକ୍ଷ ଥାଏ । ଗହଳିଆ ପତ୍ର ଦ୍ୱାରା ବୃକ୍ଷଟି ଆବୃତ୍ତ । ବର୍ଷକ ବାରମାସ ସାରା ବୃକ୍ଷଟିରେ ନାହିଁ ନଥିବା ଫଳ ଆଉ ଫୁଲ । ଏତେ ସୁନ୍ଦର ଆଉ ସମସ୍ତ ସୁବିଧା ଥିବା ବୃକ୍ଷରେ ଯେ କେଁଉ ପକ୍ଷୀ ବସା ବାନ୍ଧିବାକୁ ନ ଚାହିଁବ । ସେମିତି ଏକ ପକ୍ଷୀଥିଲା, ଯେ ସେ ପକ୍ଷୀର ଦୁଇ ଗୋଟି ମୁହଁ । ପକ୍ଷୀଟି ଦେଖିଲା ଯଦି ଏ ବୃକ୍ଷରେ ଆମର ଏତେ ପ୍ରକାର ସୁବିଧା ହେଉଛି ତାହାହେଲେ ସେ ବୃକ୍ଷଟିରେ ସେ ବସା ନ ବାନ୍ଧିବ କାହିଁକି? ସେ ସେହି ସୁନ୍ଦର ବୃକ୍ଷଟିରେ ବସାଟିଏ କରି ପକ୍ଷୀଟି ବାସ କଲା । ଦିନକର କଥା ସେ ଦୋମୁହାଁ ପକ୍ଷୀର ଗୋଟିଏ ମୁହଁ ସେଦିନ ସୁସ୍ୱାଦୁ ଅମୃତତୁଲ୍ୟ ଫଳ ଗୋଟିଏ ଖାଇଲା । ବାଃ ବେଶ୍ ସୁନ୍ଦର ଫଳଟିଏ । ସେଥିଲାଗି ଫଳଟିର ଖୁବ୍ ପ୍ରଶଂସା କରି କହିଲା, କି ଅମୃତ ପରି ସ୍ୱାଦ । ପ୍ରଥମ ମୁଖଟିର ଫଳ ଖାଇବାର ଆନନ୍ଦ ଦେଖି ଆର ମୁଖଟି କହିଲା – ତମେ ତ କହୁଛ ସୁସ୍ୱାଦୁ ତଥା ଅମୃତ ପରି ଫଳଟି ଖାଉଛ, ସେଥିରୁ ମୋତେ ଟିକେ ଦିଅ । ମୁଁ ମଧ୍ୟ ସେ ଫଳର ସ୍ୱାଦ ଜାଣି ଆନନ୍ଦ ହୁଅନ୍ତି ନାହିଁନା? ତା’ ଛଡ଼ା ଆମର ସିନା ମୁହଁ ଦୁଇଟା ହେଲେ ଗୋଟିଏ ପେଟ ତ? ଦ୍ୱିତୀୟ ମୁହଁର କଥା ଶୁଣିବାମାତ୍ରେ ପ୍ରଥମ ମୁହଁଟି ବାକଚାତୁରୀ ଦେଖାଇ କହିଲା, ତୋ କଥା ଶୁଣି ମୋତେ ଯେ ଖୁବ୍ ହସ ଲାଗିଲା । ଆମର ସିନା ଦୁଇଗୋଟି ମୁହଁ ହେଲେ ପେଟ ତ ଗୋଟିଏ । ଆମେ ଦୁଇ ମୁହଁରେ ଯେ ଯାହା ଖାଇବା ସବୁ ସେହି ପେଟକୁ ଯାଉଛି ନା’ ନାହିଁ ବରଂ ଯେଉଁ ମୁହଁଟି ନ ଖାଉଛି, ତା’ର ପରିଶ୍ରମ ନାହିଁ, ଆନନ୍ଦରେ ଅଛି । ସେଥିପାଇଁ ମୁଁଆଉ ଗୋଟିଏ କଥା ଚିନ୍ତା କରୁଥିଲି ଯେ ଆମ ଅପେକ୍ଷା ଏହି ଫଳରୁ ଅଧା ନେଇ ଆମ ସ୍ତ୍ରୀକୁ ଦେଇଦେଲେ ସେ ଫଳ ଖାଇ ଆମ ପ୍ରତି ସଦାସର୍ବଦା ଖୁସି ପାଆନ୍ତା । ଏତକ କଥା ଦ୍ୱିତୀୟ ମୁହଁକୁ ବୁଝାଇ ଦେଇ ସାରିବା ପରେ ନିଜେ ଖାଉଥିବା ଫଳରୁ ଅଧା ରଖି ନେଇ ସ୍ତ୍ରୀକୁ ଦେଇଦେଲା । ଅବଶ୍ୟ କଥାଟି ଦ୍ୱିତୀୟ ମୁଖକୁ ଖୁବ୍ ବାଧିଗଲା । ତା’ ଛଡ଼ା ଅପମାନ ବି ହେଲା । ସେଥିପାଇଁ ତା’ ମନ ମଧ୍ୟରେ ପ୍ରଥମ ମୁହଁ ଉପରେ ରାଗ ଆଉ କ୍ରୋଧ ବି ବଢ଼ିଲା । ତେଣୁ ଏପରି ଅପମାନ ପାଇବା ପରେ ଦ୍ୱିତୀୟ ମୁଖଟି ଭାବିଲା ଯେ ଆଚ୍ଛା ଠିକ୍ ଅଛି । ଦିନେନା ଦିନେ ମୋତେ ଏହାର ପ୍ରତିଶୋଧ ନେବାକୁ ହେବ । ସେହିଦିନଠାରୁ ତା’ର ପ୍ରତିଶୋଧର ଅଗ୍ନିକୁ ଶାନ୍ତ କରିବା ଲାଗି ମାର୍ଗ ଅନ୍ୱେଷଣରେ ରହିଲା । ଏମିତି ମାର୍ଗ ସ୍ଥିର କରିବା ପାଇଁ ଅନେକ ଦିନ ଦ୍ୱିତୀୟ ମୁହଁକୁ ବିତାଇବାକୁ ପଡ଼ିଲା । ଯାହାହେଉ ଦିନେ ତା’ ପାଇଁ ସୁଯୋଗ ଗୋଟିଏ ଆସିଲା । ଅନ୍ୱେଷଣ କରୁ କରୁ ସେ ଗୋଟିଏ ବିଷଫଳ ପାଇଲା । ଏଥର ଚିନ୍ତା କଲା ଏହି ଫଳଟିକୁ ଖାଇଦେଲେ ପ୍ରଥମ ମୁହଁ ନିଶ୍ଚୟ ପାନେ ପାଇବ । ଦ୍ୱିତୀୟ ମୁହଁରେ ବିଷ ଫଳ ଦେଖି ପ୍ରଥମ ମୁହଁର ମନ ମଧ୍ୟରେ ଆସି ଭୟ ବି ସଞ୍ଚାର ହେଲା । ସେ ସେଙ୍ଗ ସେଙ୍ଗ ବିନୀତ କଣ୍ଠରେ ନମସ୍କାର ପୂର୍ବକ କହିଲା – ତୋତେ ନେହୁରା ହେଉଛି ତୁ ଏପରି ଗୋଟିଏ ଭୁଲ କାର୍ଯ୍ୟ କର ନାହିଁ ଯେ ଯେଉଁଥିରେ କି ଆମର ମୃତ୍ୟୁ ହୋଇଯିବ । ଏଥିରେ ତୋର କି ଲାଭ ହେବ ବରଂ ଆମେ ଦୁହେଁ ହିଁ ଛଟପଟ ହୋଇ ପ୍ରାଣ ହରାଇବା । ଦ୍ୱିତୀୟ ମୁହଁଟା କାହିଁକି ଶୁଣିବ । ସେ ମନେ ମନେ ଭାବୁଥାଏ ନିଜର ସ୍ୱାର୍ଥ ଭୋଗ କରିବା ସମୟରେ ତ ମୋ କଥାକୁ ଟିକିଏ ଶୁଣୁ ନଥିଲା । ନିଜେ ତ ସୁବିଧା ହୋଇ ନିଜର କାମନା ସାର୍ଥକ କଲା । ଏବେ ଏତେ ବିନୟତା ଗୁଣ ଆସୁଛି କେଉଁଠୁ । ଯାହାର ଯେଉଁ ଭାବରେ ପ୍ରକୃତି ସେ ସେହିପରି ଭାବରେ ଆଚରଣ କରିବ । ଏପରି ପ୍ରକୃତି କାହାରି ନାହିଁ, ତା’ର ମୃତ୍ୟୁ ହେବା ମଧ୍ୟରେ ମାର୍ଜିତ କରିଥାଏ । ବରଂ ମୃତ୍ୟୁ ଅନ୍ତେ ସେ ପ୍ରକୃତି ଯାଏ ନାଁ ଆଜି ତା’ କଥାରେ ଭୁଲିଯିବାର ନାହିଁ । ଏହା ଚିନ୍ତା କରି ନିଜରକ୍ରୋଧ ପରିତ୍ୟାଗ କରିନପାରି ଦ୍ୱିତୀୟ ମୁହଁଟି ମଧ୍ୟ ବିଷ ଫଳଟିକୁ ଖାଇଥିଲା – ଯାହାଦ୍ୱାରା ପକ୍ଷୀଟି ସେଙ୍ଗ ସେଙ୍ଗ ଛଟପଟ ହୋଇ ମରିଗଲା । ଯଦି ଦୁଇ ମୁହଁଙ୍କର ବୁଝାମଣାର ସମାନ ଜ୍ଞାନ ଥାଆନ୍ତା ତାହାହେଲେ ପକ୍ଷୀଟା ମୃତ୍ୟୁବରଣ କରିଥାଆନ୍ତା କାହିଁକି? ବରଂ ସୁଖରେ ସୁଖରେ ଜୀବନ ବିତାଇ ଥାଆନ୍ତା ।
ପ୍ରତାପଙ୍କ ଉପବାସ (ବେତାକ କାହାଣୀ) ଏଣେ ନିଶା ଗରଜୁଥାଏ । ବାହାରେ ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ଅରଣ୍ୟ ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ ସେ ନିଜ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍! ଏଇ ଘୋର ଅନ୍ଧକାର ରାତ୍ରିରେ, ଭୂତ-ପ୍ରେତ ବିଚରଣ କରୁଥିବା ଏହି ଭୟାନକ ଶ୍ମଶାନରେ ତୁମେ ନାନାଦି ଯାତନା ଭୋଗ କରୁଛ । ଯେଉଁ ଲକ୍ଷ୍ୟପ୍ରାପ୍ତି ପାଇଁ ତୁମେ ଏହି ପରିଶ୍ରମ କରୁଛ, କେବେ ତାହା ତୁମକୁ ମିଳିବ ଓ ତା’ର ସୁଫଳ ତୁମ ଭାଗ୍ୟରେ ଅଛି କି ନାହିଁ, ସେ କଥା ମଧ୍ୟ ତମେ ଜାଣ ନାହିଁ । କେବେକେବେ ଆମର କଳ୍ପନାତୀତ କୌଣସି ଆଶା ମଧ୍ୟ ଅତି ସହଜରେ ପୂରଣ ହୋଇଯାଏ । ଏପରି ଘଟିବାର କାରଣ, ବିଜ୍ଞ ତପସ୍ୱୀ କିମ୍ବା ତର୍କବିଦ୍ମାନେ ମଧ୍ୟ ସଠିକ୍ ଭାବେ କହି ପାରିବେ ନାହିଁ । ଉଦାହରଣ ସ୍ୱରୂପ, ପ୍ରତାପ ନାମକ ଜଣେ ବ୍ୟକ୍ତିଙ୍କ ଉପବାସ ସମ୍ବନ୍ଧରେ ମୁଁ ତୁମକୁ କାହାଣୀଟିଏ କହିବି । ମନଦେଇ ତୁମେ ତାହା ଶୁଣ । ଫଳରେ ତୁମ ଶ୍ରମଭାର କିଛିଟା ଲାଘବ ମନେ ହେବ ।” ଏହାପରେ ସେ ବେତାଳ ଗପିଲା । ବଳଭଦ୍ରପୁର ଗ୍ରାମର ବଳରାମଙ୍କ ଗୃହ ପଛପଟେ ଥିବା ଜମି ତଳେ ଗୁପ୍ତଧନ ରହିଛି, ଏପରି ଧାରଣା ଅନେକଙ୍କ ମନରେ ଥିଲା । ଏହା ଲାଭ କରିବା ପାଇଁ ବଳରାମ ଅନେକ ଥର ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି । ଏକଦା, ଜଣେ ସନ୍ନ୍ୟାସୀ ତାଙ୍କ ଘରକୁ ଆସି କହିଲେ, “ଜଣେ ଉତ୍ତମ ବ୍ୟକ୍ତିଙ୍କୁ ଆପଣଙ୍କ ଘରେ ତିନିଦିନ ସ୍ୱାଦିଷ୍ଟ ଭୋଜନ ଖାଇବାକୁ ଦେବେ । ଚତୁର୍ଥଦିନ ତାଙ୍କୁ ସମ୍ପୂର୍ଣ୍ଣ ଉପବାସୀ ରଖିବେ । ପଂଚମ ଦିବସରେ ତାଙ୍କ ହାତରେ କୋଦାଳ ଦେଇ ଜମିକୁ ଖୋଳିବା ପାଇଁ କହିବ । ସେ ଯେଉଁଠାରେ କୋଦାଳ ପ୍ରହାର କରିବେ, ଠିକ୍ ସେହିଠାରୁହିଁ ତୁମେ ଗୁପ୍ତଧନ ପାଇବ ।” ସେହିଦିନଠାରୁ ବଳରାମ, କେତେ ଲୋକଙ୍କୁ ନିଜ ଘରକୁ ଆମନ୍ତ୍ରଣ କଲେ, ଯେଉଁମାନେ କି ଲୋକଚକ୍ଷୁରେ ଉତ୍ତମ ମଣିଷର ଆସନ ପାଇଛନ୍ତି । ସେମାନଙ୍କୁ ମଧ୍ୟ ସେ କହନ୍ତି ଯେ, ଧନ ମିଳିଲେ, ତାହାର ଅର୍ଦ୍ଧେକ ସେ ତାଙ୍କୁ ପ୍ରଦାନ କରିବେ । କିନ୍ତୁ କେହି ବି ତାଙ୍କ ନିମନ୍ତ୍ରଣ ସ୍ୱୀକାର କରୁ ନ ଥାନ୍ତି । ସେମାନେ କହନ୍ତି, ପରଧନ ପ୍ରତି ଲୋଭାସକ୍ତ ହେବା ଏକ ପ୍ରକାର ପାପ ଅଟେ । ଅବଶ୍ୟ ପ୍ରଲୋଭନରେ ପଡି, କେହି କେହି ଆସୁଥିଲେ । ତିନିଦିନ ସ୍ୱାଦିଷ୍ଟ ଭୋଜନ ଖାଇବା ପରେ, ଚତୁର୍ଥ ଦିନ କଠୋର ଉପବାସ ମଧ୍ୟ ରହିଥିଲେ । କିନ୍ତୁ ପଂଚମଦିନ କୋଦାଳରେ ଭୂମି ଖନନ କରିବାରୁ କିଛି ବି ମିଳିଲା ନାହିଁ । ଓଲଟି ସେମାନେ ଉତ୍ତମ ଲୋକ ନୁହଁନ୍ତି ପ୍ରମାଣିତ ହେବାରୁ, ଲଜ୍ଜାରେ ମୁହଁ ଦେଖାଇ ନ ପାରି ଚାଲିଗଲେ । କିଛି ଲୋକ ଖୋଲାଖୋଲି ଭାବେ କହିଲେ, ସନ୍ନ୍ୟାସୀଙ୍କର କଥାରେ ବୋଧହୁଏ ଆଦୌ ସତ୍ୟତା ନାହିଁ । କିଛିଦିନ ପରେ ବଳରାମଙ୍କ ଘରକୁ ଭବିଷ୍ୟବାଣୀ କରିଥିବା ସେହି ସନ୍ନ୍ୟାସୀ ଜଣକ ଆସିଲେ । ବଳରାମ ତାଙ୍କୁ ସବୁ ଘଟଣା ଶୁଣାଇଲେ । ସନ୍ନ୍ୟାସୀ ଗମ୍ଭୀର ହୋଇ କହିଲେ, “ଚତୁର୍ଥ ଦିନର କଠୋର ଉପବାସ କହିଲେ, ଜଳ ମଧ୍ୟ ପାନ କରିବା ଅନୁଚିତ୍ । କ’ଣ ଏହି ନିୟମ ତୁମେ ପାଳନ କରିଛ?” ବଳରାମ ମନେପକେଇଲେ ଯେ କିଛି ଲୋକ ଫଳ ଖାଇଥିଲେ, କେହି କେହି ମଧ୍ୟ ଦୁଧ ପିଇଥିଲେ ଓ ସମସ୍ତେ ପ୍ରାୟ ଜଳପାନ କରିଥିଲେ । ଏବେ ବଳରାମ ଜାଣିଗଲେ, କଠୋର ଉପବାସ କିପରି ପାଳନ କରିବାକୁ ହୁଏ । ସେ ସନ୍ନ୍ୟାସୀଙ୍କୁ କହିଲେ, “ସ୍ୱାମୀ, ଏହି କଠୋର ଉପବାସ ଅନ୍ୟ କେହି ହୁଏତ ପାଳନ କରିବାକୁ ରାଜି ହେବେ ନାହିଁ, ଯଦି ମୁଁ ସ୍ୱୟଂ ଏହି କାମ କରେ ତେବେ କିପରି ହେବ?” “ତୁମର ଏହି ଉଦ୍ଧେଶ୍ୟ ସାଧନ ପାଇଁ, ଫଳକୁ ଆଶା ନ କରି କଠୋର ଉପବାସ-ବ୍ରତ ପାଳନ କରିବାକୁ ଇଚ୍ଛୁକ, ଜଣେ ସତ୍ପୁରୁଷ ଆବଶ୍ୟକ । ନିଜର ପ୍ରୟୋଜନ ପାଇଁ ତୁମେ ଉପବାସ ରହିଲେ, ତାହା ସ୍ୱାର୍ଥ ରୂପେ ଗଣନା କରାଯିବ । ଏଠାରୁ କିଛି ଦୂର ଗଲେ, ଗୋଟିଏ ଛୋଟ ଗ୍ରାମ ପଡିବ । ସେହି ଗ୍ରାମରେ ପ୍ରତାପ ନାମକ ଜଣେ ବ୍ୟକ୍ତି ବାସ କରନ୍ତି । ଗ୍ରାମର ସମସ୍ତଙ୍କ ନିକଟରେ ସେ ଖୁବ୍ ପରିଚିତ । ସେ ତୁମର ଏହି କଠୋର ଉପବାସ-ବ୍ରତ ପାଇଁ ଉପଯୁକ୍ତ ବ୍ୟକ୍ତି । ତେଣୁ ତୁମେ ତାଙ୍କୁ ଆମନ୍ତ୍ରିତ କରି ନେଇଆସ ।” ବଳରାମ ତୁରନ୍ତ ପ୍ରତାପଙ୍କୁ ଡାକି ଆଣିବା ପାଇଁ ବାହାରିଲେ । ପାଦରେ ଚାଲି ଚାଲି ସଂନ୍ଧ୍ୟା ସୁଦ୍ଧା ସେ ଯାଇ ଗ୍ରାମରେ ପହଁଚିଲେ । ପ୍ରତାପଙ୍କ ଘରର ଠିକଣା ସେ ସହଜରେ ଜାଣିପାରିଲେ । କାରଣ ତାଙ୍କ ଘର ଇନ୍ଦ୍ରପୁରୀ ସଦୃଶ ଏକ ଭବନ ଥିଲା । ପ୍ରଥମରୁ ବଳରାମଙ୍କର ଧାରଣା ଥିଲା, ପ୍ରତାପ ଜଣେ ଦରିଦ୍ର ଲୋକ ହୋଇଥିବେ । ଭିତରକୁ ଯାଇ ସେ ଦେଖିଲେ, ତାଙ୍କର ଭବନ ଦାସଦାସୀରେ ଭରା । ପ୍ରତାପ, ସମସ୍ତଙ୍କଠାରୁ ଦୀର୍ଘକାୟ ଓ ଉଜ୍ଜ୍ୱଳବର୍ଣ୍ଣ ଥିଲେ । ତାଙ୍କ ଶରୀରରେ ରେଶମୀ ବସ୍ତ୍ର ଓ ଅସୁମାରି ଗହଣା ଶୋଭା ପାଉଥାଏ । ମନ୍ଦିରର ଦେବପ୍ରତିମା ସଦୃଶ ତାଙ୍କର କାନ୍ତି ଝଟକି ଉଠୁଥାଏ । ବଳରାମଙ୍କୁ ଦେଖୁ ଦେଖୁ, ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରତାପ ନିଜେ ଚାଲିଆସିଲେ । କେଉଁ କାରଣରୁ ସେ ଆସିଛନ୍ତି, ପ୍ରଶ୍ନ କଲେ । ଏପରି ଜଣେ ମହାନୁଭବଙ୍କୁ ନିଜର କାର୍ଯ୍ୟ ସମ୍ବନ୍ଧରେ ଜଣାଇବାକୁ ସେ ସଙ୍କୋଚ ଅନୁଭବ କରୁଥା’ନ୍ତି । ତଥାପି ମଧ୍ୟ ପ୍ରତାପ ବାରମ୍ବାର ପ୍ରଶ୍ନ କରି, ତାଙ୍କ ଆଗମନର କାରଣ ବୁଝିନେଲେ । ବଳରାମ ମନେ ମନେ ଏହି କଥାକୁ ନେଇ ଡରି ଯାଇଥାନ୍ତି ଯେ, ତାଙ୍କ କଥାରେ ପ୍ରତାପଙ୍କର ପ୍ରତିକ୍ରିୟା କ’ଣ ଯେ ହେବ? କିନ୍ତୁ ପ୍ରତାପ ତାଙ୍କ କାନ୍ଧକୁ ଥାପୁଡେଇ କହିଲେ, “ଆଜି ରାତିକ ଏଠାରେ ବିଶ୍ରାମ ନିଅନ୍ତୁ, କାଲି ପ୍ରଭାତରେ ଆମେ ଦୁହେଁ ସାଙ୍ଗ ହୋଇ ଯିବା । ଏହା ଭିତରେ ମୁଁ ଅନ୍ୟାନ୍ୟ ବନ୍ଦୋବସ୍ତ କରୁଛି ।” ଏକଥା ଶୁଣି ବଳରାମ ଖୁବ୍ ଖୁସି ହୋଇଗଲେ । ପ୍ରତାପଙ୍କର ଆତିଥ୍ୟ, ତାଙ୍କୁ ତୃପ୍ତ କଲା । ପ୍ରଶାନ୍ତ ଚିତରେ ସେ ନିଦ୍ରା ଗଲେ । ପ୍ରଭାତରେ ପ୍ରତାପଙ୍କର ଜଣେ ସେବକ ନିଦ୍ରାଭଙ୍ଗ କରି ତାଙ୍କୁ କହିଲେ, “ମାଲିକ ପ୍ରସ୍ତୁତ ହୋଇ ବସିଛନ୍ତି । ଆପଣ ଶୀଘ୍ର ବାହାରି ପଡନ୍ତୁ ।” ବଳରାମଙ୍କୁ, ସେବକ ଖୁବ୍ ଯତ୍ନର ସହିତ ସ୍ନାନ କରାଇଲା । ସେ ସେବକଟିଠାରୁ ପ୍ରତାପଙ୍କର ଆଚାର ବ୍ୟବହାର ସମ୍ପର୍କରେ ଜାଣିବାକୁ ଚେଷ୍ଟା କଲେ । ସେବକର କହିବା ଅନୁସାରେ, ପ୍ରତାପ ନିଜର କର୍ମଚାରୀମାନଙ୍କୁ ଭଲ ବେତନ ଦିଅନ୍ତି । କିନ୍ତୁ, ସେମାନଙ୍କୁ ସେ ଖୁବ୍ ଗାଳିମନ୍ଦ କରନ୍ତି । ଅନେକ ଗୁଡିଏ ଭଲ ଗୁଣର ଅଧିକାରୀ ହେଲେ ମଧ୍ୟ, ସେ ଅନେକ ଖରାପ ଗୁଣର ଶିକାର ଅଟନ୍ତି । ବଳରାମଙ୍କୁ ଏହା ଆଶ୍ଚର୍ଯ୍ୟାନ୍ୱିତ କଲା । ଆତୁର ହୋଇ ସେ ପଚାରିଲେ, “ସିଧା କହିଲ, ପ୍ରତାପ ଜଣେ ଭଲ ଲୋକ କି ଖରାପ ଲୋକ?” ସେବକ କହିଲା “ସେ ଉଭୟ ଭଲ ଓ ଖରାପ ଲୋକ, କିନ୍ତୁ ତାଙ୍କର ବିଶିଷ୍ଟତା ହେଲା ସେ କେବେ ବି ନିଜର ଖରାପ ଗୁଣ ଗୁଡିକ ଲୁଚାଇ ରଖିବାକୁ ଚେଷ୍ଟା କରନ୍ତି ନାହିଁ ।” ଏହାଶୁଣି ବଳରାମ ଚିନ୍ତିତ ହୋଇ ପଡିଲେ, “କାହିଁକି କେଜାଣି, ସନ୍ନ୍ୟାସୀ ଏହି ଲୋକଟିର ନାମ ବତେଇଲେ । ଏହାର ଉପବାସରେ, ମୋର କାର୍ଯ୍ୟସିଦ୍ଧି ହେବ କି ନାହିଁ ସେକଥା କିଏ ଜାଣେ?” ଅଜାଣତରେ ତାଙ୍କ ପାଟିରୁ ଏକଥା ବାହାରିଗଲା । ଏହାଶୁଣି ସେବକ ହସି ହସି କହିଲା, “ଆପଣଙ୍କର ଏହି ଉପବାସ-ବ୍ରତ କଥା, କାଲି ରାତିସାରା ଆମ ମାଲିକ ପ୍ରଚାର କରୁଛନ୍ତି । ଆମେ ସବୁ ଶୁଣି ଚକିତ ହେଲୁ । ଉପବାସ ଦୀକ୍ଷା ପାଇଁ ଆପଣଙ୍କୁ ଆମ ମାଲିକଙ୍କୁ ଛାଡି ଅନ୍ୟ କେହି ମିଳିଲେ ନାହିଁ? ସମସ୍ତେ ଦିନରେ ତିନିଥର ଭୋଜନ କରନ୍ତି, କିନ୍ତୁ ସେ ଛଅଥର ଭୋଜନ କରନ୍ତି । ତାଙ୍କୁ ଉପବାସ ରଖେଇବା ଭଗବାନଙ୍କ ଦ୍ୱାରା ମଧ୍ୟ ସମ୍ଭବ ନୁହେଁ ।” ତା’ର କଥାରେ ବଳରାମଙ୍କ ଚିନ୍ତା ଆହୁରି ବଢିଗଲା । ଶେଷରେ ସନ୍ନ୍ୟାସୀଙ୍କ କଥା ଉପରେ ପୂର୍ଣ୍ଣ ଭରସା ରଖି ନିଜକୁ ସେ ଦୁଃଶ୍ଚିନ୍ତାରୁ ମୁକ୍ତ କଲେ । ଅଳ୍ପ
ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ବିଜୁଳି ଆଲୁଅର ଝଲକରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ନହୋଇ ପୁନର୍ବାର ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତା’ପରେ ତାକୁ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତମେ ଏ ନିର୍ଜନ ରାତିରେ ଏଭଳି ପରିଶ୍ରମ କାହିଁକି କରୁଛ, ବିପଦକୁ କାହିଁକି ତାଚ୍ଛଲ୍ୟ କରି ଶ୍ମଶାନରୂପକ ଏ ପ୍ରେତପୁରୀରେ ପ୍ରବେଶ କରିଛ, ବୁଝି ପାରୁନାହିଁ । ତମେ ହୁଏତ ସ୍ୱପ୍ନରେ କିଛି ଇଙ୍ଗିତ ପାଇଛ । ବୋଧହୁଏ ସେହି ଅନୁସାରେ ବାଧାବିପତ୍ତି ନମାନି କାମ କରି ଚାଲିଛ । କିନ୍ତୁ ସ୍ୱପ୍ନର ଇଙ୍ଗିତକୁ ତାଚ୍ଛଲ୍ୟ କରିବା ଲୋକ ବି ଅଛନ୍ତି । ସେହିଭଳି ଜଣେ ଲୋକର କାହାଣୀ କହୁଛି । ମନଦେଇ ତାହା ଶୁଣ । ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।” ବେତାଳ ଗପିଲା: ଶ୍ରୀଗୁପ୍ତ ନାମକ ଜଣେ ବିଖ୍ୟାତ ବ୍ୟବସାୟୀ ପ୍ରତିଷ୍ଠାନ ନଗରୀରେ ରହୁଥିଲେ । ସେ ଦୁଇବର୍ଷରେ ଥରେ ସମୁଦ୍ର ସେପାରି ରାଜ୍ୟମାନଙ୍କୁ ବେପାର କରିବାକୁ ଯାଉଥିଲେ । ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ବ୍ୟବସାୟୀ ସେଠାରୁ ଫେରି ଆସୁଥିଲେ । ଥରେ ଶ୍ରୀଗୁପ୍ତ ନିଜ ଦେଶରେ ମାଲ୍ ମସଲା ଖରିଦ୍ କରିବା ଅବସରରେ ଜୟପୁର ନାମକ ଛୋଟିଆ ସହରରେ ରହୁଥିବା ତାଙ୍କର ବାଲ୍ୟବନ୍ଧୁ ମହେନ୍ଦ୍ରଙ୍କ ଘରେ ସେ ଅତିଥି ହେଲେ । ମହେନ୍ଦ୍ର ମଧ୍ୟ ବ୍ୟବସାୟ କରୁଥିଲେ । କିନ୍ତୁ ସମୁଦ୍ରରେ ନୁହେଁ । ସେ ସହରରେ ଦୋକାନଟିଏ କରିଥିଲେ ଓ ସେଥିରୁ ଭଲ ଲାଭ କରୁଥିଲେ । କୋଠାଘର ବି ତୋଳିଥିଲେ ଓ ସୁଖରେ ଥିଲେ । ଶ୍ରୀଗୁପ୍ତ ବନ୍ଧୁଙ୍କ ଘରେ ଦୁଇଦିନ ବିଶ୍ରାମ କରିବା ଅବସରରେ ବନ୍ଧୁଙ୍କୁ କହିଲେ, “ମହେନ୍ଦ୍ର! ତମର ଅଧ୍ୟବସାୟ ଯେମିତି, ବୁଦ୍ଧିମତା ବି ଠିକ୍ ସେମିତି । ଦୋକାନରୁ ଉପାର୍ଜନ ବି କିଛି ମନ୍ଦ ହେଉନାହିଁ ବୋଲି ମୁଁ ବୁଝୁଛି । କିନ୍ତୁ ଏଭଳି ଦୋକାନଟିଏ କରି ତମେ ଯେ କେବେ ଧନପତି ହେବ, ସେ ଆଶା ତ ମୋର ନାହିଁ । ଗୋଟାଏ କାମ କର । କିଛି ମୂଳଧନ ଧରି ଥରେ ମୋ ସହ ସମୁଦ୍ର ସେପାରିକୁ ଚାଲ । ବିଦେଶରୁ ଜିନିଷପତ୍ର ଆଣି ଏଠାରେ ବିକ୍ରୟ କରିବ । ବାସ୍ତବିକ ସେଥିରେ ସିନା ଲାଭ ହେବ! ଏ ଦୋକାନରେ ଆଉ ବିଶେଷ କ’ଣ ବା ଲାଭ ହେବ? ଥରେ ସମୁଦ୍ର ସେପାରିକୁ ଯାଇ ବାଣିଜ୍ୟ କରିବାର ନିଶା ଲାଗିଗଲେ ତେଣିକି ଆଉ ତମେ ସ୍ଥଳରେ ଖୁସିହୋଇ ମୋଟେ ରହିପାରିବ ନାହିଁ । ବାରମ୍ବାର ସମୁଦ୍ର ପଥରେ ଦେଶବିଦେଶ ବୁଲିବାକୁ ବାହାରିବ ।” ମହେନ୍ଦ୍ର ବନ୍ଧୁଙ୍କ କଥା ମନଦେଇ ଶୁଣିଲେ ଓ କହିଲେ, “ତମ ପରାମର୍ଶ ପାଇଁ ତମକୁ ଧନ୍ୟବାଦ । ମୁଁ ଚିନ୍ତା କରି ଦେଖିବି ।” ଶ୍ରୀଗୁପ୍ତ ପୁଣି କହିଲେ, “ଦେଖ, ମୁଁ ଆଉ ତିନିମାସ ପରେ ବାଣିଜ୍ୟ ପାଇଁ ବାହାରିବି । ପ୍ରଥମଥର ତମେ ଏ ଦେଶରୁ କିଛିବି ଜିନିଷ ନେବାର ଦରକାର ନାହିଁ । ଖାଲି ବିଦେଶରୁ ଆଣିବା ନିମନ୍ତେ ଟଙ୍କା ଯୋଗାଡ କର ।” ଶ୍ରୀଗୁପ୍ତ ତାଙ୍କର ପ୍ରସ୍ତାବିତ ସମୁଦ୍ର ଯାତ୍ରାର ତାରିଖ ଜଣାଇ ସେଠାରୁ ବିଦାୟ ନେଲେ । ମହେନ୍ଦ୍ର ଏ ପ୍ରସ୍ତାବ ଉପରେ ଅନେକ ଚିନ୍ତା କଲେ । ଶେଷକୁ କିଛି ପୁଞ୍ଜି ଧରି ପ୍ରତିଷ୍ଠାନ ନଗରୀ ଉଦ୍ଧେଶ୍ୟରେ ସେ ତାଙ୍କ ଯାତ୍ରାରମ୍ଭ କଲେ । ବନ୍ଧୁଙ୍କ ସହ ଥରେ ବିଦେଶ ଯିବା ହେଲା ତାଙ୍କର ସିଦ୍ଧାନ୍ତ । ଜୟପୁରରୁ ପ୍ରତିଷ୍ଠାନ ଦୁଇ ଦିନର ବାଟ । ପ୍ରଥମ ଦିନ ବାଟ ଚାଲୁ ଚାଲୁ ମହେନ୍ଦ୍ର କ୍ଳାନ୍ତ ଅନୁଭବ କରି ଗୋଟିଏ ଗଛ ମୂଳରେ ଶୋଇ ପଡିଲେ । ସେତେବେଳେ ଦ୍ୱିପ୍ରହର । ହେଲେ ପାଖରେ ସରୋବର ଥିବାରୁ ଶୀତଳ ପବନ ବହୁଥାଏ । ତାଙ୍କୁ ନିଦ ଆସିଗଲା । ସେ ସ୍ୱପ୍ନରେ ଗୋଟିଏ ଅଦ୍ଭୁତ ବ୍ୟାପାର ଦେଖିଲେ: ଜଳରାଶି ଭିତରେ ଗୋଟିଏ ଜାହାଜ ସୁବର୍ଣ୍ଣମୟ ଦ୍ୟୁତରେ ଝଟକୁଛି । ଜାହାଜରେ ଯେ ନାନା ପ୍ରକାର ମୂଲ୍ୟବାନ ପଦାର୍ଥ ବୋଝାଇ ହୋଇ ରହିଛି, ଏହା ଅକ୍ଳେଶରେ ବୁଝି ହେଉଥିଲା ମହେନ୍ଦ୍ର କିଛି ସମୟ ଜାହାଜ ଆଡେ ଅନାଇ ତା’ପରେ ଲୋଭ ସମ୍ବରଣ କରି ନପାରି ଜଳ ଭିତରକୁ ଡେଇଁ ପଡିଲେ । ସନ୍ତରଣ କରି କରି ସେ ଠିକ୍ ଜାହାଜ ପାଖରେ ପହଁଚିଛନ୍ତି, ଗୋଟାଏ ଭୟାବହ ଆକୃତିର କେହି ଜଣେ ତାଙ୍କୁ ସେହି ଜଳ ଭିତରକୁ ଟାଣିନେଲା । ସେ ତହିଁରୁ ମୁକୁଳିବା ପାଇଁ ଯେତେ ଛାଟିପିଟି ହେଲେ ବି କିଛି ହେଲେ ଲାଭ ହେଲା ନାହିଁ । ସେ ପଚାରିଲେ, “କିଏ ତମେ? ମୋତେ ଏମିତି କାହିଁକି କଲବଲ କରୁଛ?” ତା’ପରେ ସେ ରୂପ ଉତ୍ତର ଦେଲା, “ମୁଁ ଦୁର୍ଭାଗ୍ୟ । ତୋତେ ଅନେକ ଦିନରୁ ମୋ ଖାପ୍ଚାରେ ପାଇବା ନିମନ୍ତେ ଉଦ୍ୟମ କରୁଥିଲି । ମାତ୍ର ସୁଯୋଗ ପାଉ ନଥିଲି । ହେଲେ ଆଜି ପାଇଛି । ଏଥର ଆଉ ଯିବୁ କୁଆଡେ?” ଏହା କହି ସେ ରୂପ ତାଙ୍କୁ ଆହୁରି ତଳକୁ ଟାଣିବାକୁ ଚେଷ୍ଟା କରିବାରୁ ହଠାତ୍ ତାଙ୍କ ନିଦ ଭାଙ୍ଗିଗଲା । ସେ ଉଠି ବସି କିଛି ସମୟ ସ୍ୱପ୍ନ ବିଷୟରେ ଚିନ୍ତା କଲେ ସେ ଭାବିଲେ, “ଏମିତି ତ ଛୋଟ ବ୍ୟବସାୟଟି କରି ମୁଁ ବେଶ୍ ଭଲରେ ଚଳୁଛି । ଯୋଉଠିକି ଦୁଃଖ, କଷ୍ଟ, ବିପଦ କିଛି ହେଲେବି ନାହିଁ । କେବଳ ଅଧିକ ଧନ ଉପାର୍ଜ୍ଜନ ପାଇଁ ଲୋଭରେ ପଡି ମୁଁ କାହିଁକି ବିପଦ ବରଣ କରିବି । ତା’ପରେ ସାମୁଦ୍ରିକ ବାଣିଜ୍ୟ ସକାଶେ ଯିବାର ଯୋଜନା ପରିତ୍ୟାଗ କରି ଘର ଆଡେ ସେ ଫେରିଲେ । କିନ୍ତୁ ମେଘ ଆସିଲା ଓ ପ୍ରବଳ ବର୍ଷା ହେବାର ଆଶଙ୍କା କରି ସେ ଏକ ଦୂରବର୍ତ୍ତୀ ଗୋଟିଏ ଚଟି ଘରେ ରାତି ବିତାଇବାକୁ ଠିକ୍ କଲେ । କିନ୍ତୁ ଆକାଶ ପରିଚ୍ଛନ୍ନ ହୋଇଗଲା । ସେ ଚଟିଘର ବାହାରେ ଗୋଟିଏ ଗଛମୂଳେ ବସି ତାଙ୍କୁ ନିଦ ଆସିବାରୁ ସେ ଶୋଇ ପଡିଲେ । ସେ ପୁଣି ସ୍ୱପ୍ନ ଦେଖିଲେ ବିଶାଳ ସରୋବର ମଝିରେ ସୁନାଭଳି ଉଜ୍ଜ୍ୱଳ ଜାହାଜ । ସେ ପାଣିକୁ ଡେଇଁପଡି ଜାହାଜ ପାଖରେ ପହଁଚିବାକୁ ଚେଷ୍ଟା କଲେ । ସନ୍ତରଣ କରୁ କରୁ ହାଲିଆ ହୋଇପଡି ସେ ବୁଡି ଯିବାକୁ ବସିଛନ୍ତି, ସେତିକିବେଳେ ଏକ ଦେବୀମୂର୍ତ୍ତି ତାଙ୍କୁ ଧରି ସେହି ପାଣିରୁ ଜାହାଜକୁ ଉଠାଇଦେଲେ । ମହେନ୍ଦ୍ର ପଚାରିଲେ, “କିଏ ତୁମେ?” ତହୁଁ ସେ ଦେବୀମୂର୍ତ୍ତି କହିଲେ, “ମୁଁ ତୋ ଭାଗ୍ୟର ଦେବୀ । ତୋ ଭାଗ୍ୟର ଲିଖନକୁ ମୁଁହିଁ ରୂପ ଦିଏ ।” ଦେବୀ ଅଦୃଶ୍ୟ ହୋଇଯିବା ପରେ ମହେନ୍ଦ୍ର ଦେଖିଲେ, ଜାହାଜର ଅଭ୍ୟନ୍ତରର ଦୃଶ୍ୟ ତାଙ୍କରି ଦୋକାନ ଭଳି । ଖାଲି ଦୋକାନଠୁଁ ବେଶି ସମୃଦ୍ଧ । ଦୋକାନରେ ଯେଉଁ ଜିନିଷ ଗୋଟିଏ ଅଛି, ଏଠି ତାହା ଦଶଟି ଅଛି । ପୁଣି ବଡ ଆକାରରେ ବି ଅଛି । ସେତିକିରେ ତାଙ୍କ ନିଦ ପୁଣି ଭାଙ୍ଗିଗଲା । ମହେନ୍ଦ୍ର ଭୋର ପର୍ଯ୍ୟନ୍ତ ସେହି ଚଟି ଘରେ ଅପେକ୍ଷା କରି ନିଜ ଘରକୁ ଫେରିଲେ । ପ୍ରତିଷ୍ଠାନ ନଗରୀକୁ ସେ ଆଉ ଗଲେ ନାହିଁ । ବେତାଳ ଟିକିଏ ଚୁପ୍ ରହି ପ୍ରଶ୍ନ କଲା: “ମହେନ୍ଦ୍ର ପ୍ରଥମ ସ୍ୱପ୍ନ ଦେଖି ଯଦି ହତାଶ ହୋଇ ସମୁଦ୍ର ଯାତ୍ରାର ଯୋଜନା ପରିହାର କଲେ, ଦ୍ୱିତୀୟ ସ୍ୱପ୍ନ ଦେଖି ଉତ୍ସାହିତ ହୋଇ ପୁଣି ଥରେ ସମୁଦ୍ରଯାତ୍ରା ପାଇଁ ବନ୍ଧୁ ଘରକୁ ସେ ଆଉ କାହିଁକି ଗଲେନି? ଏଥିରୁ ମନେହୁଏ ତାଙ୍କ ମନ ଅସ୍ଥିର । କିମ୍ବା ସେ ଠିକ୍ ଭାବରେ ସ୍ୱପ୍ନର ବ୍ୟାଖ୍ୟା କରିପାରିଲେ ନାହିଁ । ଠିକ୍ କି ନୁହେଁ? ପାରିଲେ ତୁମେ ମୋ ଏହି ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥାଇ ଯଦି ତମେ ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।” ରାଜା ବିକ୍ରମାର୍କ ମୁହୂର୍ତ୍ତେ ମାତ୍ର ବିଳମ୍ବ ନକରି ଉତ୍ତର ଦେଲେ, “ମହେନ୍ଦ୍ର ଅସ୍ଥିରମନା ନୁହଁନ୍ତି କିମ୍ବା ସ୍ୱପ୍ନର ଭୁଲ୍ ବ୍ୟାଖ୍ୟା ସେ କରି ନାହାଁନ୍ତି । ସେ ପ୍ରଥମ ସ୍ୱପ୍ନରୁ ବୁଝିଲେ, ସମୁଦ୍ର ଯାତ୍ରାରେ ଗଲେ ତାଙ୍କୁ ଦୁର୍ଭାଗ୍ୟର ଶୀକାର ହେବାକୁ ପଡିବ । କାରଣ ସେଥିରେ ଯେମିତି ଲକ୍ଷ ଲକ୍ଷ ଟଙ୍କା ଲାଭ ହୋଇପାରେ, ଠିକ୍ ସେମିତି ହଠାତ୍ ଲକ୍ଷ ଲକ୍ଷ କ୍ଷତି ବି ହୋଇପାରେ । ଦ୍ୱିତୀୟ ସ୍ୱପ୍ନରୁ ସେ ବୁଝିଲେ ଯେ ଭାଗ୍ୟରେ ତାଙ୍କର ଯାହା ଅଛି, ତାହାର ରୂପ ଦେବା ସକାଶେ ଦେବୀଶକ୍ତି ତାଙ୍କୁ ସାହାଯ୍ୟ କରୁଛି । ଜାହାଜର ଅଭ୍ୟନ୍ତର ତାଙ୍କ ଦୋକାନ ଭଳି, ଅଥଚ ଦୋକାନଠୁଁ ସବୁ ଜିନିଷ ଅଧିକ ବୋଲି ମନେ ହେଲା । ଏହାର ଅର୍ଥ ତାଙ୍କର ସମୃଦ୍ଧି କେବଳ ତାଙ୍କ ଦୋକାନରୁହିଁ ହେବ । ସେ ଯେଉଁ ବ୍ୟବସାୟ କରୁଛନ୍ତି, ଦିନେ ତାହାହିଁ ବଢି ବଢି ତାଙ୍କୁ ଅଧିକ ଧନୀ କରିଦେବ । ନୂତନ ବ୍ୟବସାୟ ପାଇଁ ସମୁଦ୍ର ପଥରେ ଯିବା ଅନାବଶ୍ୟକ ।”
ପ୍ରାଚୀନ କାଳର କଥା । ଗଙ୍ଗା ନାମକ ନଦୀ କୂଳବର୍ତ୍ତି ସ୍ଥାନରେ ଜଣେ ଋଷିଙ୍କର ଆଶ୍ରମ ଥିଲା । ସେହି ଋଷିଙ୍କର ନାମ ହେଉଛି ସାନ୍ଧିପର୍ଣ୍ଣି । ଋଷି ପ୍ରତିଦିନ ପୁଣ୍ୟନଦୀ ଗଙ୍ଗାରେ ସ୍ନାନ ସାରି ଆଦିତ୍ୟ ଦେବତାଙ୍କ ଉଦ୍ଧେଶ୍ୟରେ ଜଳ ସମର୍ପଣ କରିଥାଆନ୍ତି । ଦିନକର କଥା । ଋଷି ସାନ୍ଦିପର୍ଣ୍ଣି ଗଙ୍ଗା ନଦୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ଆଦିତ୍ୟଙ୍କୁ ଜଳ ତର୍ପଣ କରିବା ସମୟରେ ତାଙ୍କ ହସ୍ତରେ ଶୂନ୍ୟରୁ ଆସି ଗୋଟିଏ ମୂଷିକ ପଡ଼ିଗଲା । ଏହାଦେଖି ଋଷି ଆଶ୍ଚର୍ଯ୍ୟ ହୋଇଗଲେ ଓ ପୁନଶ୍ଚ ସେହି ମୂଷିକକୁ ନଦୀ କୂଳରେ ଥୋଇଦେଇ ସ୍ନାନ କରିଲେ । ସ୍ନାନ ସାରି ଯେତେବେଳେ ଋଷି ଆଶ୍ରମକୁ ଫେରିଲେ ସେତେବେଳେ ସେହି ମୂଷିକକୁ ଏକ କନ୍ୟା ରୂପରେ ପରିଣତ କରିଦେଲେ । ତା’ପରେ କନ୍ୟାକୁ ନେଇ ଆଶ୍ରମକୁ ଗଲେ । ସେତେବେଳେ କନ୍ୟାଟିକୁ ଋଷି ତାଙ୍କର ସ୍ତ୍ରୀଙ୍କୁ ସମର୍ପଣ କରି କହିଲେ ଏଇଟି ତୁମର କନ୍ୟା । ତାକୁ ତୁମେ ଯତ୍ନରେ ଲାଳନପାଳନ କରିବ । ଏହାପରେ ଋଷିପତ୍ନୀଙ୍କର ଅତି ଆଦରର ଲାଳନ ପାଳନ ଦ୍ୱାରା କନ୍ୟା ଖୁବ୍ ଖୁସିରେ ଆଶ୍ରମରେ ରହୁଥାଏ । ଏହାପରେ ଋଷି ଓ ଋଷିପତ୍ନୀଙ୍କର ଆଖିକୁ କନ୍ୟାଟି ବିବାହ ଯୋଗ୍ୟା ହେବାର ଦେଖା ଗଲାରୁ ତହିଁ ଋଷି କନ୍ୟାର ବିବାହ ନିମନ୍ତେ ଏକ ବଳୁଆ ଜ୍ୱାଇଁଙ୍କର ଅନୁସନ୍ଧାନରେ ରହିଲେ । ହଠାତ୍ ତାଙ୍କର ବିଚାରକୁ ଆସିଲା ଯେ ସଂସାରରେ ସବୁଠାରୁ ଶ୍ରେଷ୍ଠ ତଥା ଶକ୍ତିବାନ ହେବେ ନିଜେ ସୂର୍ଯ୍ୟ ତାଙ୍କୁ ହିଁ ଜ୍ୱାଇଁ କରିବା ଉଦ୍ଧେଶ୍ୟରେ, ସେ ସୂର୍ଯ୍ୟଙ୍କ ପାଖକୁ ନିଜର କନ୍ୟାକୁ ଧରି ଚାଲିଲେ । ଋଷିଙ୍କର ସୂର୍ଯ୍ୟ ଦେବତାଙ୍କ ସହ ସାକ୍ଷାତ ହେଲା । ଋଷି ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରି କହିଲେ ଯେ ଆପଣ ସଂସାରରେ ସବୁଠାରୁ ଶକ୍ତିମାନ । ସେହି କାରଣରୁ ମୋର କନ୍ୟାଙ୍କୁ ଆପଣଙ୍କ ସହ ବିବାହ ଦେବାକୁ ଆସିଅଛି । ସୂର୍ଯ୍ୟଦେବତା ଋଷିଙ୍କ କଥାରେ ଅସମ୍ମତ ହୋଇ କହିଲେ – ହେ ଋଷିବର! ଆପଣଙ୍କର ବିଚାର ଧାରା ଆଦୌ ଠିକ୍ ନୁହେଁ କାରଣ ତୁମେ ଜାଣିଅଛ ଯେ ଏହି କଳା ମେଘ ମୋର ଶତ୍ରୁ । ସେ ଚାହିଁଲେ ମୋ ଉପରେ ଘୋଟି ଯାଇ ମୋତେ ଲୁଚାଇ ଦେବ । ତେଣୁ ମୋ ମତରେ କଳା ମେଘ ହିଁ ମୋଠାରୁ ଶକ୍ତିମାନ । ଆପରଙ୍କର କନ୍ୟାଙ୍କୁ ମେଘ ସାଥିରେ ବିବାହ ଦିଅନ୍ତୁ । ଋଷି ସୂର୍ଯ୍ୟଙ୍କ ଠାରୁ ଏପରି ବାର୍ତ୍ତା ଶୁଣିବା ପରେ କଳା ମେଘ ନିକଟରେ ନିଜର କନ୍ୟାକୁ ନେଇ କନ୍ୟାର ବିଭାଘର କଥା ତାଙ୍କୁ କୁହନ୍ତି, ସେ ତାଙ୍କୁ ଅସମର୍ଥତା ଜଣାଇ କହିଲେ ମୋ ଠାରୁ ଶକ୍ତିମାନ ପବନ । ସେ ଚାହିଁଲେ ମୋତେ ଖଣ୍ଡ ଖଣ୍ଡ କରି ଚାରିଆଡ଼େ ଫିଙ୍ଗି ଦେଇ ପାରିବ । ସେହି କାରଣରୁ ଆପଣଙ୍କର କନ୍ୟାର ବିବାହ ସେହି ପବନ ସାଥିରେ କରାଇଦେବା ଉଚିତ୍ ହେବ । ଋଷି ପୁଣି ମେଘଠାରୁ ନୈରାଶ୍ୟତା ବାଣୀ ଶୁଣିବା ପରେ ପବନଙ୍କ ଠାରେ ଯାଇ ପହଞ୍ଚି କନ୍ୟାର ବିବାହ କଥା କହନ୍ତେ, ପବନ କହିଲା ମୁଁ ଯେତେ ଶକ୍ତିମାନ ହେଲେ କ’ଣ ହେବ । ଏହି ପର୍ବତକୁ ମୋର ଭୟ । କାରଣ ପର୍ବତକୁ ହରାଇ ମୁଁ କୌଣସି ପ୍ରକାର ତାକୁ ଟପିଯାଇ ପାରେ ନାହିଁ । ସେଥିପାଇଁ ମୋ ଠାରୁ ଶକ୍ତିମାନ ସେହି ପର୍ବତ । ଭଲହେବ ଆପଣଙ୍କର କନ୍ୟାର ବିବାହ ସେହି ପର୍ବତଙ୍କ ସହିତ କରାଇ ନିଅନ୍ତୁ । ତା’ପରେ ଋଷି ଯାଇ ପର୍ବତ ପାଖରେ କନ୍ୟାଙ୍କୁ ନେଇ ପହଞ୍ଚି ନିଜ କନ୍ୟାର ବିବାହ ଅଭିଳାଷ କଥା କହନ୍ତେ ପର୍ବତ ମଧ୍ୟ ଋଷିଙ୍କ କନ୍ୟାଙ୍କୁ ବିବାହ କରିବାକୁ ନିଜର ଅସମର୍ଥତା ଜଣାଇ କହିଲେ ମୋ ଠାରୁଶକ୍ତିମାନ ହେଉଛନ୍ତି ମୂଷିକ ରାଜା । ସେ ଯଦି ମୋର ନିମ୍ନ ଦେଶରେ ଗୋଟିଏ ଗର୍ତ୍ତ କରି ଦିଅନ୍ତି । ମୋର ଭୂଷୁଡ଼ି ପଡ଼ିବା ଆଦୌ ଅସମ୍ଭବ ହେବ ନାହିଁ । ସେଥିପାଇଁ ମୁଁ କହୁଛି ମୂଷିକ ହିଁ ମୋ ଠାରୁ ଶକ୍ତିମାନ । ଆପଣ ଆପଣଙ୍କ କନ୍ୟାଙ୍କୁ ତାଙ୍କ ସହ ବିବାହ କରନ୍ତୁ । ପରିଶେଷରେ ଋଷି ନିଜର କନ୍ୟାଙ୍କୁ ବିବାହ କରିବା କ୍ଷେତ୍ରେ ସବୁ ସ୍ଥାନରେ ବିଫଳ ହେବା ପରେ ପୁନର୍ମୂଷିକ ଭବ କହି ନିଜର କନ୍ୟାକୁ ମୂଷିକ ରାଜାଙ୍କୁ ବିବାହ ଦେଇ ନିଜର କର୍ତ୍ତବ୍ୟ ସମାପ୍ତ କଲେ ।