ବୈଶ୍ୟ ରାଜକୁମାର
ନାଭାଗ ଥିଲେ ରାଜା ଧୃଷ୍ଟଙ୍କ ପୁତ୍ର। ସେ ଜଣେ ବୈଶ୍ୟକନ୍ୟାକୁ ବିବାହ କରିବାକୁ ଇଚ୍ଛା କଲେ। ସେ କନ୍ୟାଙ୍କ ନାମ ସୁପ୍ରଭା।
ସେ ଯାଇ ସୁପ୍ରଭାର ପିତାଙ୍କ ଆଗରେ ପ୍ରସ୍ତାବ ଉପସ୍ଥାପନ କରିବାରୁ କନ୍ୟାପିତା କହିଲେ, “ତୁମେ କ୍ଷତ୍ରିୟ ରାଜପୁତ୍ର। ବୈଶ୍ୟକନ୍ୟାକୁ ବିବାହ କରିବା ତୁମ ପକ୍ଷରେ ରୀତିବିରୁଦ୍ଧ କାର୍ଯ୍ୟ ହେବ।
କିନ୍ତୁ ରାଜକୁମାର ନାଭାଗ ତଥାପି ହଟ କରିବାରୁ କନ୍ୟାପିତା କହିଲେ, “ରାଜା ଧୃଷ୍ଟ ଯେପରି ମୋର ରାଜା, ସେହିପରି ତୁମର ମଧ୍ୟ ରାଜା। ତେଣୁ ତାଙ୍କୁ କୁହାଯାଉ। ସେ କ’ଣ ରାୟ ଦେବେ ଦିଅନ୍ତୁ।”
ଦୁହେଁ ଯାଇ ରାଜା ଧୃଷ୍ଟଙ୍କୁ କହିଲେ। କିନ୍ତୁ ଧୃଷ୍ଟ ଏ ପ୍ରସ୍ତାବ ସମର୍ଥନ କଲେ ନାହିଁ। ରାଜକୁମାର ନାଭାଗ ଦୁଃଖ କଲେ। କିନ୍ତୁ ସେ ନିରାଶ ହେଲେ ନାହିଁ। ଉଭୟଙ୍କ ଅସମ୍ମତି ସତ୍ତ୍ୱେ ସେ ସୁପ୍ରଭା ସହିତ ଗୋପନରେ ବିବାହ କଲେ।
ସୁପ୍ରଭାର ପିତାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ କନ୍ୟାକୁ ବିବାହ କରିଥିବାରୁ ନାଭାଗଙ୍କ ବିରୋଧରେ ସେ ରାଜାଙ୍କ ଦରବାରରେ ଅଭିଯୋଗ ଆଣିଲେ। ରାଜା ଧୃଷ୍ଟ ଓ ରାଜପୁତ୍ର ନାଭାଗଙ୍କ ଭିତରେ ଲଢ଼େଇ ହେବାର ଉପକ୍ରମ ହେଲା। ସେତିକିବେଳେ ଜଣେ ପଣ୍ଡିତ ପରିବ୍ରାଜକ ରାଜାଙ୍କୁ କହିଲେ, “ଆପଣଙ୍କ ପୁତ୍ର ବୈଶ୍ୟକନ୍ୟା ବିବାହ କରିଥିବା ଦୃଷ୍ଟିରୁ ତାଙ୍କୁ କ୍ଷତ୍ରିୟର ଅଧିକାରରୁ ବଞ୍ଚିତ କରିପାରନ୍ତି। ଲଢ଼େଇର ଆବଶ୍ୟକତା କ’ଣ?
ତାହା ହିଁ ହେଲା। ନାଭାଗ ଜଣେ ସାଧାରଣ ନାଗରିକ ଭାବରେ ବୈଶ୍ୟବୃତ୍ତି କରି ଜୀବନ ନିର୍ବାହ କରିବାକୁ ଲାଗିଲେ।
ନାଭାଗ ଓ ସୁପ୍ରଭାଙ୍କର ପୁଅଟିଏ ହେଲା। ନାମ ହେଲା ଭନନ୍ଦ। କିଶୋର ଅବସ୍ଥାରେ ଉପନୀତ ହୋଇ ଭନନ୍ଦ ମା’ ସୁପ୍ରଭାଙ୍କୁ କହିଲେ, “ମାଆ, ମୁଁ କିଭଳି ଭାବରେ ଆପଣମାନଙ୍କ ସହାୟତା କରିପାରେ?
-“ବତ୍ସ! ତୁମେ ଗୋପାଳନ କର।” ସୁପ୍ରଭା କହିଲେ।
କିନ୍ତୁ ଭନନ୍ଦ ଥିଲେ ଜଣେ ଅସାଧାରଣ ବାଳକ। ସେ ଭାବିଲେ, ମା ନିଶ୍ଚୟ ଗୋ-ରୂପୀ ପୃଥିବୀ କଥା କହୁଛନ୍ତି। କିନ୍ତୁ ପୃଥିବୀ ପାଳନ କରିବାକୁ ହେଲେ ରାଜା ହେବାକୁ ପଡ଼ିବ। ସେଥିପାଇଁ ଆବଶ୍ୟକ ଶକ୍ତି କାହିଁ?
ଏହା ଭାବି ସେ ହିମାଳୟ ଯାଇ ନୀପ ନାମକ ଜଣେ ରାଜର୍ଷିଙ୍କର ସହାୟତା ଭିକ୍ଷା କଲେ। ଉକ୍ତ ରାଜର୍ଷି ଅସ୍ତ୍ର ଶସ୍ତ୍ର ଶିକ୍ଷାରେ ନିପୁଣ ଥିଲେ। ସେ ଭନନ୍ଦଙ୍କୁ ମନୋଯୋଗ ସହ ସବୁ ଶିଖାଇଲେ।
ଭନନ୍ଦ ଜଣେ ଯୋଦ୍ଧା ଯୁବକରେ ପରିଣତ ହୋଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ। ସେତେବେଳକୁ ରାଜା ଧୃଷ୍ଟ ପରଲୋକ ଗମନ କଲେଣି। ନାଭାଗଙ୍କ ସାନଭାଇ ବସୁରାତ ରାଜ୍ୟ ଶାସନ କରୁଥା’ନ୍ତି। ଭନନ୍ଦ ବସୁରାତଙ୍କୁ କହିଲେ, “ମୋ ପିତାଙ୍କ ରାଜ୍ୟର ଭାଗ ମୋତେ ମିଳୁ।”
-“ତୁମ ପିତା ବୈଶ୍ୟକନ୍ୟା ବିବାହ କରି ସିଂହାସନଚ୍ୟୁତ ହୋଇଥିଲେ। ତାଙ୍କର ଭାଗ ନାହିଁ।” ବସୁରାତ ଉତ୍ତର ଦେଲେ।
ଫଳରେ ଯୁଦ୍ଧ ଆରମ୍ଭ ହେଲା। ଭନନ୍ଦ ବିଜୟୀ ହୋଇ ସାରାରାଜ୍ୟ ଅଧିକାର କଲେ ଓ ପିତାଙ୍କୁ କହିଲେ, “ଏଥର ଆପଣ ସିଂହାସନରେ ବସନ୍ତୁ।”
-“ନା ବତ୍ସ, ସିଂହାସନ ନ୍ୟାୟତଃ ତୁମର।” ନାଭାଗ କହିଲେ ଏବଂ ପୁଅର ଅଭିଷେକ ଆୟୋଜନ କଲେ।